ଗୋଟିଏ ଫଳ । ତିନୋଟି ରଙ୍ଗ । ତିନି ପ୍ରକାରର ସ୍ୱାଦ : ପିତା, ମିଠା ଏବଂ ଖଟା ।

କେରଳର ଇଡ଼ୁକ୍କୀ ଜିଲ୍ଲା ୱନ୍ନପୁରମ୍‌ର ଚାଷୀ ବେବୀ ଆବ୍ରାହମ କୁହନ୍ତି, ‘‘ଏହା ଗୋଲାପୀ, ଲାଲ ଏବଂ ହଳଦିଆ ରଙ୍ଗର ହୋଇଥାଏ। ଗୋଲାପୀ ରଙ୍ଗର ମୁଟିପଳମ ପିତା ହୋଇଥାଏ, ଲାଲ ରଙ୍ଗଟି ମିଠା ଏବଂ ହଳଦିଆ ରଙ୍ଗ ମିଠା ଏବଂ ଖଟା ଉଭୟ ସ୍ୱାଦ ଦେଇଥାଏ।’’ ସେ ଆହୁରି କୁହନ୍ତି, ‘‘ଯାହା ଅଧିକ ପିତା ଏବଂ ଖଟା ହୋଇଥାଏ ସେଥିରେ ସବୁଠୁ ଅଧିକ ଔଷଧିୟ ଗୁଣ ଥାଏ। ଏହା ମଧୁମେହ ରୋଗୀଙ୍କ ପାଇଁ ବେଶ ଉପକାରୀ। ଆଦିବାସୀମାନେ ଏହାକୁ ପେଟ ଏବଂ ଗଳା ସହ ଜଡ଼ିତ ରୋଗର ଚିକିତ୍ସା ପାଇଁ ବ୍ୟବହାର କରିଥାନ୍ତି।’’

ଏହି ଫଳର ନାମ – ମୁଟିପଳମ – ‘ମୁଟି’ ଅର୍ଥାତ ମୂଳ ଏବଂ ‘ପରମ’ର ଅର୍ଥ ଫଳ । ଏହି ଫଳ ଗଛର ଗଣ୍ଡି ଏବଂ ଶାଖା, ଉଭୟ ସ୍ଥାନରେ ଫଳିଥାଏ। ଦେଖିବାକୁ ଉଜ୍ଜ୍ୱଳ ହୋଇଥିବା କାରଣରୁ ଜଙ୍ଗଲୀ ପଶୁ ଏହା ପ୍ରତି ଆକୃଷ୍ଟ ହୋଇଥାନ୍ତି । ବେବୀ ଆମକୁ କହିଥିଲେ ଯେ, ଜଙ୍ଗଲରେ ମୁଟିପଳମକୁ ଭାଲୁ, ମାଙ୍କଡ଼ ଓ ହାତୀ ଖାଇ ଯାଆନ୍ତି । ଏପରିକି କଇଁଚ୍ଛ ମଧ୍ୟ ଏହି ଫଳକୁ ପସନ୍ଦ କରିଥାନ୍ତି । ସେଥିପାଇଁ, ଜଙ୍ଗଲରେ ଥିବା ଗଛରେ ଏହି ଫଳ ଅତି କମ୍ ସଂଖ୍ୟାରେ ଦେଖିବାକୁ ମିଳିଥାଏ।

ଆବ୍ରାହମ (୬୭)ଙ୍କୁ ସର୍ବପ୍ରଥମେ, ପ୍ରାୟ ୩୬ ବର୍ଷ ପୂର୍ବରୁ ତାଙ୍କର ଜଣେ ଭାଇ ଏହାର ଦୁଇଟି ଚାରା ଉପହାର ଦେଇଥିଲେ। ତାଙ୍କ ଭାଇଙ୍କୁ ଏହି ଚାରା ପଶ୍ଚିମ ଘାଟ ଜଙ୍ଗଲରେ ରହୁଥିବା ଜଣେ ଆଦିବାସୀ ବୟସ୍କ ବ୍ୟକ୍ତି ମୁପାନଙ୍କ ଠାରୁ ମିଳିଥିଲା। ଆଜି ତାଙ୍କ ପାଖରେ ଏହାର ୨୦୦ରୁ ଅଧିକ ଗଛ ଏବଂ ଚାରା ରହିଛି । ପ୍ରଥମ ଦୁଇ ଯୋଡ଼ି ଚାରାକୁ ସେ ଏତେ ପାଖାପାଖି ଲଗାଇଥିଲେ ଯେ ଉଭୟଙ୍କର ଗଣ୍ଡି ପରସ୍ପର ସହ ଯୋଡ଼ି ହୋଇ ରହିଥିଲା। ଆବ୍ରାହମ ପରାମର୍ଶ ଦେଇଥାନ୍ତି ଯେ, ଏସବୁ ଚାରାକୁ ଅତି କମ୍‌ରେ ଦୁଇ ଫୁଟ ଗାତରେ ପୋତିବା ଉଚିତ୍‌ ଏବଂ ଦୁଇଟି ଚାରା ମଧ୍ୟରେ ଅତି କମ୍‌ରେ ପାଞ୍ଚ ମିଟର ଦୂରତା ବଜାୟ ରଖିବା ଆବଶ୍ୟକ । ଏହାକୁ ଯେକୌଣସି ଋତୁରେ ରୋପଣ କରାଯାଇପାରିବ, ତେବେ ଅଧିକାଂଶ ଲୋକ ମୌସୁମୀ ପରେ ଏହାକୁ ଲଗାଇଥାନ୍ତି । ସେ ଆମକୁ କହିଥିଲେ ଯେ, ‘‘ତିନିରୁ ଚାରି ବର୍ଷ ପରେ ସବୁ ଗଛରେ ଫୁଲ ଧରିଥାଏ। ସମ୍ପୂର୍ଣ୍ଣ ଭାବେ ବିକଶିତ ଗଛ ପାଖାପାଖି ୫୦ କିଲୋଗ୍ରାମ ଫଳ ଫଳାଇଥାନ୍ତି, ଅନ୍ୟପଟେ ଗୋଟିଏ ଛୋଟ ଗଛରେ ୧୫ କିଲୋଗ୍ରାମ୍‌ ଫଳ ଫଳିଥାଏ।’’

ଆବ୍ରାହମ ନିଜର ଗୋଟିଏ ଏକର ଜମିରେ ରବର ଏବଂ ନୀଳ ଭଳି ଭଲ ଅମଳ ହେଉଥିବା ଫସଲ, ମୁଟିପଳମର ଫଳଯୁକ୍ତ ଗଛ, ମ୍ୟାଙ୍ଗୋଷ୍ଟିନ, ରାମବୁତାନ, ଲେମ୍ବୁ ଏବଂ ଭାରତୀୟ ଅଁଳା, ଟେପିଓକା ଭଳି ମୂଳଜାତୀୟ ପରିବା, ହଳଦୀ, ଆରାରୁଟ ଏବଂ ଜାଇଫଳ ଭଳି ମସଲା ଅମଳ କରୁଛନ୍ତି। ସେ କୁହନ୍ତି, ‘‘ମୋର ପରିବାର, ଅର୍ଥାତ୍‌ ମୋ ପତ୍ନୀ, ମୋ ପୁଅ ଜେରିନ ଏବଂ ଝିଅ ଜେଣ୍ଟିନା, ଚାଷ କାମରେ ମୋତେ ସାହାଯ୍ୟ କରିଥାନ୍ତି । ଆମେ ଶ୍ରମିକମାନଙ୍କୁ କାମରେ ରଖିନଥାଉ। ନର୍ସରୀ ପାଇଁ ଶେଡ୍‌ ତିଆରି କରିବାଠାରୁ ଆରମ୍ଭ କରି ଚଟାଣ ଆଡ଼େଇବା ପର୍ଯ୍ୟନ୍ତ, ସବୁକିଛି ଆମେ ନିଜେ ହିଁ କରିଥାଉ।’’

ଯେହେତୁ ମୁଟି ଗଛର ଔଷଧିୟ ଗୁଣ ରହିଛି, ସେଥିପାଇଁ ଆବ୍ରାହମ ଏହି ଗଛରେ ବର୍ଷକୁ ଦୁଇ ଥର ଜୈବିକ ଖତ ଦେଇଥାନ୍ତି । ସାଧାରଣତଃ, ଏହି କାମ ସେ ସେପ୍ଟେମ୍ବର ମାସରେ କରିଥାନ୍ତି। ସେ କହିଥିଲେ, ‘‘ଆମେ ଅଧିକାଂଶ ସମୟରେ ଗାଈ ଗୋବର, ଭର୍ମିକମ୍ପୋଷ୍ଟ ଏବଂ କାଦାଲାପିନାକୁ ବ୍ୟବହାର କରିଥାଉ, ଯାହା ଚିନାବାଦାମ ତେଲରୁ ପ୍ରସ୍ତୁତ ହୋଇଥାଏ। ଥରେ ଫୁଲ ଧରିବା ପରେ, ମୁଟି ଗଛରେ ଅଧିକରୁ ଅଧିକ ପାଣି ଦେବାକୁ ପଡ଼ିଥାଏ। ସେଥିପାଇଁ, ଗରମ ସମୟରେ ଆମେ ଏସବୁ ଗଛରେ ତିନି ଦିନରେ ଥରେ ପାଣି ଦେଇଥାଉ।’’ ସେ ଆହୁରି କହିଥିଲେ ଯେ, ବାଦୁଡ଼ିଠାରୁ ସୁରକ୍ଷିତ ରଖିବା ଲାଗି ଆମେ ଏହି ଗଛ ଚାରି ପାଖରେ ଜାଲ ମଧ୍ୟ ବିଛାଇଥାଉ ।

ଆବ୍ରାହମଙ୍କ ନର୍ସରୀରେ ଗୋଟିଏ ଯୋଡ଼ି ମୁଟିପଳମ ଚାରା ମୂଲ୍ୟ ୨୫୦ ଟଙ୍କା । ମୁଟିପଳମ (ଲାଟିନ ନାମ ବକାଉରିୟା କୋର୍ଟଲେନ୍ସିସ)ର ଅନ୍ୟ ସ୍ଥାନୀୟ ନାମ ମଧ୍ୟ ରହିଛି, ଯେପରିକି ମୁଟିକାୟପନ, ମୁଟିପୁଲି ଏବଂ ମେରାଟକା । ଥରେ ତୋଳିବା ପରେ ମୁଟି ଦୁଇ ମାସ ପର୍ଯ୍ୟନ୍ତ ସତେଜ ରହିଥାଏ। ତେବେ ଭିତର ରସ ଶୁଖି ଯାଇଥାଏ। ସ୍ଥାନୀୟ ଲୋକମାନେ ଏହାର ରସରେ ଆଚାର ପ୍ରସ୍ତୁତ କରିଥାନ୍ତି ଏବଂ ଏହାର ଚୋପାକୁ ମଦ ତିଆରିରେ ବ୍ୟବହାର କରିଥାନ୍ତି । ଏହାବ୍ୟତୀତ, ଆଦିବାସୀ ଏଥିରେ ମହୁ ମିଶାଇ ତିନମୁଟି ପ୍ରସ୍ତୁତ କରିଥାନ୍ତି, ଯାହାର ସ୍ୱାଦ ମିଠା ହୋଇଥାଏ।

ଆବ୍ରାହମ କୁହନ୍ତି, ‘‘ମୁଟିର ଏକ ବିଶେଷ ଗୁଣ ରହିଛି । ପରାଗସଙ୍ଗମ ପାଇଁ ମାଈ ଚାରା ପାଖରେ ଅଣ୍ଡିରା ଚାରା ରହିବା ଜରୁରି, ନହେଲେ ଫଳ ଭିତର ଫମ୍ପା ହୋଇଯାଏ। ପରାଗସଙ୍ଗମ ପବନ ଏବଂ ଛୋଟ ମହୁମାଛିଙ୍କ ଜରିଆରେ ହୋଇଥାଏ।’’ ପାଖାପାଖି ଚାରି ବର୍ଷ ମଧ୍ୟରେ, ନର ବୃକ୍ଷରେ ଫୁଲ ଏବଂ କିଛି ସମୟ ପରେ ମାଈ ଗଛରେ ଲାଲ ଫଳ ଆସିଥାଏ, ଯାହାକି ଦେଖିବା ପାଇଁ ଅଙ୍ଗୁର ପେନ୍ଥା ଭଳି ହୋଇଥାଏ। ଫଳ ଜାନୁଆରୀ ଶେଷ ଭାଗରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ଫଳିଥାଏ।

ଆବ୍ରାହମ ଆହୁରି କୁହନ୍ତି, ‘‘ଲୋକମାନେ (ଅନ୍ୟ ଉତ୍ପାଦନକାରୀ) ଅଧିକାଂଶ ସମୟରେ ମୋତେ ଫୋନ କରି କହିଥାନ୍ତି ଯେ ସେମାନଙ୍କ ଗଛରେ ଯେଉଁ ଫଳ ବାହାରିଛି ତା’ ଭିତର ଫମ୍ପା। ଏହା ଏଥିପାଇଁ ହୋଇଛି, କାରଣ ଆଖପାଖରେ କୌଣସି ଅଣ୍ଡିରା ଗଛ ନାହିଁ । ଗଛଟି ଅଣ୍ଡିରା ହେବ କି ମାଈ ତାହା ମୁଁ ମଞ୍ଜି ଦେଖି କହିପାରେ । ଥରେ ଏହା ଚାରା ପାଲଟିଗଲେ, ଦୁଇଟି ମଧ୍ୟରେ ଫରକ ଜାଣିବା କଷ୍ଟକର ହୋଇଥାଏ।’’ ଅନ୍ୟ ଉତ୍ପାଦନକାରୀମାନେ ଅଧିକାଂଶ ସମୟରେ ଆବ୍ରାହମଙ୍କଠାରୁ ପରାମର୍ଶ ନେଇଥାନ୍ତି ।

ମୁଟିପଳମ ଗଛର ଉଚ୍ଚତା ଭିନ୍ନ ହୋଇଥାଏ । ଜଙ୍ଗଲରେ ମିଳୁଥିବା ହଳଦିଆ କିସମ ଉଦ୍ଭିଦର ଉଚ୍ଚତା ୧୦ ରୁ ୧୫ ମିଟର ମଧ୍ୟରେ ହୋଇଥାଏ। ଆବ୍ରାହମଙ୍କ ପାଖରେ ଯେଉଁ ଗଛ ଅଛି, ତାହାର ଉଚ୍ଚତା ସାତ ମିଟର ପର୍ଯ୍ୟନ୍ତ ବଢ଼ିଥାଏ। ଏହି ଗଛ ଇଡୁକି ଜିଲ୍ଲାର ଆରାକ୍କୁଲମ୍ ଗାଁ ଏବଂ କୋଲାମ ଜିଲ୍ଲାର ପଠାନପୁରମ୍ ତାଲୁକରେ ଦେଖିବାକୁ ମିଳେ । ଆବ୍ରାହମ କୁହନ୍ତି ଯେ, “ଲୋକମାନେ ୨୦୧୯ରେ କୃଷି ମନ୍ତ୍ରୀ ଭି.ଏସ ସୁନୀଲ କୁମାରଙ୍କ ଗସ୍ତ ପରଠାରୁ ମୁଟିପଳମ ପ୍ରତି ଧ୍ୟାନ ଦେବା ଆରମ୍ଭ କଲେ।’’ ମନ୍ତ୍ରୀଙ୍କ ଗସ୍ତ ପରେ ଗବେଷଣାକାରୀମାନେ ଏହି ଫଳ ବିଷୟରେ ଆହୁରି ଅଧିକ ଜାଣିବା ପାଇଁ ଚାହିଁଲେ । ଏହାପରେ ସ୍ଥାନୀୟ ଗଣମାଧ୍ୟମ ଏହି ଖବରକୁ ପ୍ରାଥମିକତା ଦେଲା।

ଆବ୍ରାହମ କୁହନ୍ତି, ‘‘ଆଦିବାସୀ ଲୋକମାନେ ଏହି ଫଳକୁ (କେରଳରେ) ରାସ୍ତା କଡ଼ରେ ବସି ବିକ୍ରି କରିଥାନ୍ତି । ଏହା ଆପଣଙ୍କୁ ବଜାରରେ ମିଳିବ ନାହିଁ ।’’ ଏହାକୁ କିଣିବା ଲାଗି ଉତ୍ସୁକ ଗ୍ରାହକ ଆବ୍ରାହମଙ୍କ ପାଖକୁ ଆସିଥାନ୍ତି ଏବଂ ଏହାକୁ ‘‘କିଲୋ ପ୍ରତି ୧୦୦-୧୫୦ ଟଙ୍କା ଦର ଦେଇ କିଣି ନେଇଥାନ୍ତି । ସେହି ଗ୍ରାହକମାନେ କହିଥାନ୍ତି ଯେ ଏହାର ସ୍ୱାଦ ରାମବୁତାନ, ଡ୍ରାଗନ ଫ୍ରୁଟ୍‌, ଏବଂ ଅନ୍ୟ ବିଦେଶୀ ଉଷ୍ମମଣ୍ଡଳୀୟ ଫଳ ଭଳି ହୋଇଥାଏ।’’ ସେ କୋରିୟର ମାଧ୍ୟମରେ ଆଖପାଖ ରାଜ୍ୟକୁ ମଧ୍ୟ ଫଳ ପଠାଇଥାନ୍ତି।

ମୁଟି ଗଛ ବଡ଼ ହେବା ପାଇଁ ବେଶି ସୂର୍ଯ୍ୟାଲୋକ କିମ୍ବା ସ୍ଥାନ ଆବଶ୍ୟକ କରେ ନାହିଁ, ଏହା ଅଳ୍ପ ଜମି ଥିବା ଏବଂ ଛୋଟ ସହରରେ ରହୁଥିବା ଲୋକମାନଙ୍କ ପାଇଁ ଉପଯୁକ୍ତ ହୋଇଥାଏ। ଆବ୍ରାହମ ଆଶା କରନ୍ତି ଯେ ଏବେ ଆହୁରି ଅଧିକ ଚାଷୀ ଉଜ୍ଜ୍ୱଳ ଫଳ ବିଶିଷ୍ଟ ଏହି ଗଛ ଲଗାଇବା ପାଇଁ ଆଗେଇ ଆସିବେ ।

Editor's note

ଜୋ ପଲ ସିଏସ, ଶିଲଂର ଇଂରାଜୀ ଏବଂ ବିଦେଶୀ ଭାଷା ବିଶ୍ୱବିଦ୍ୟାଳୟରେ ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗର ଅନ୍ତିମ ବର୍ଷର ଛାତ୍ର ଅଟନ୍ତି । ଏକ ଆଞ୍ଚଳିକ ପତ୍ରିକାରୁ ପ୍ରଥମ ଥର ପାଇଁ ସେ ମୁଟିପଳମ ବିଷୟରେ ଜାଣିବାକୁ ପାଇଥିଲେ । ଏହାପରେ ଏହି ଫଳ ବିଷୟରେ ଅଧିକ ଜାଣିବା ଲାଗି ସେ ଚାହିଁଲେ । ସେ କୁହନ୍ତି, ‘‘ପରୀ ଏଜୁକେସନ ସହିତ କାମ କରିବା ସମୟରେ ମୋର ଅନୁଭବ ହେଲା ଯେ ଯେଉଁ କାହାଣୀସବୁ ଆମେ ଅଣଦେଖା କରିଥାଉ ସେଥିରେ ଅନେକ ସୂଚନା ଏବଂ ବିବିଧତା ଲୁଚି ରହିଛି । ଏହି ଷ୍ଟୋରୀକୁ ଲେଖିବା ସମୟରେ ମୋତେ ଅନେକ ନୂଆ କଥା ଶିଖିବାକୁ ମିଳିଲା।’’

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।