ଗୋଟିଏ ବଡ଼ ଗଛ ତଳେ ତାଙ୍କର ସିଲେଇ ମେସିନ୍‌ ପକାଇଥିବା ଜଣେ ଦର୍ଜି ଦୌଲତ ରାମ କହନ୍ତି, “ମୁଁ ମୋର ସିଲେଇ ମେସିନ୍‌, ଟେବୁଲ, କାନୋପି ଏବଂ ଅନ୍ୟ ସାମଗ୍ରୀ ସବୁକୁ ପ୍ରତିଦିନ ଏହି ସ୍ଥାନକୁ ବୋହିକରି ଆଣେ…ଏମିତିକି ବର୍ଷା ହେଉଥିଲେ ବି ।” ତାଙ୍କର ସ୍ଥାନ ଏକ ହଳଦିଆ, ଉଠା କାନୋପି ଦ୍ୱାରା ଚିହ୍ନିତ, ଯାହାକି ଗୁରୁଗ୍ରାମ ସେକ୍ଟର ୪୦ର ଏକ ବ୍ୟସ୍ତବହୁଳ ରାସ୍ତା କଡ଼ରେ ମୁଖ୍ୟ ବଜାରଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ରହିଛି । ରାଜସ୍ଥାନ ଅଲୱର ଜିଲ୍ଲା ରାମଗଡ଼ ତହସିଲର ବାସିନ୍ଦା ୫୦ ବର୍ଷୀୟ ଦୌଲତ ରାମ କହନ୍ତି, “ମୋ ଗାଁରେ ସେତେ ଅଧିକ ବ୍ୟବସାୟ ସୁଯୋଗ ନାହିଁ, ମୋର କୌଣସି ଜମି ବି ନାହିଁ, ତେଣୁ ମୁଁ ବାହାରକୁ[ସହରକୁ] ପଳାଇ ଆସିଲି ।”

ଦୌଲତ ରାମଙ୍କଠାରୁ କିଛି ଦୂରରେ ବସୁଥିବା ରମେଶ ଉତ୍ତରପ୍ରଦେଶ ମହାରାଜାଗଞ୍ଜ ଜିଲ୍ଲାରୁ ୨୦୧୧ରେ ଗୁରୁଗ୍ରାମକୁ ଆସିଥିଲେ । ସେ ହୁଡା ମାର୍କେଟ୍ -ଯେଉଁଠାରେ ବ୍ୟାଙ୍କ୍, ଖାଦ୍ୟ ସାମଗ୍ରୀ ଦୋକାନ ଏବଂ ଅନ୍ୟ ଦୋକାନ ରହିଛି ସେଠାରେ ଏକ ସ୍ଥାନ ପାଇଁ ମାସିକ ଚାଲିଥିବା ୪୦ ହଜାର ଟଙ୍କା ଭଡ଼ା ଦେବାରେ ଅକ୍ଷମ । ତା’ ବଦଳରେ ଏହି ୩୮ ବର୍ଷୀୟ ବ୍ୟକ୍ତିଜଣକ ତାଙ୍କର ସିଲେଇ ଟେବୁଲକୁ ରାସ୍ତା କଡ଼ରେ ବିସ୍ତାରିତ ଏକ ଜାମୁଗଛ ତଳେ ପକାଇଛନ୍ତି । ସେ କହିଲେ, “କୋଭିଡ୍ ପୂର୍ବରୁ, ଏକ ଭଲ ଦିନରେ ମୁଁ ୫୦୦ ଟଙ୍କା ରୋଜଗାର କରୁଥିଲି । ବର୍ତ୍ତମାନ ତାହା ରୋଜଗାର କରିବା ମୋ’ ପକ୍ଷେ ଅଧିକ କଷ୍ଟକର ହୋଇପଡ଼ିଛି ।” ସନ୍ଧ୍ୟାରେ ରମେଶ(ସେ ଏହି ନାଁ କହିଛନ୍ତି) ଦୁଇ କିମି ଦୂରରେ ଥିବା ଏକ ଭଡ଼ା ଘରକୁ ଯାଆନ୍ତି ଏବଂ ଚୋରିରୁ ରକ୍ଷା ପାଇବା ଲାଗି ତାଙ୍କର ସିଲେଇ ଟେବୁଲକୁ ଗଛରେ ଚେନ୍ ଦ୍ୱାରା ବାନ୍ଧି ଦିଅନ୍ତି । ଦୌଲତ ରାମଙ୍କ ଭଳି ସେ ତାଙ୍କର ସିଲେଇ ମେସିନ୍ ଓ ଅନ୍ୟାନ୍ୟ ଉପକରଣକୁ ନିକଟରେ ଥିବା ଜଣେ ବିଶ୍ୱସ୍ତ ଗ୍ରାହକଙ୍କ ଘର ପରିସରରେ ରଖି ଦିଅନ୍ତି ।

ବିହାରର ପୁର୍ନିଆ ଜିଲ୍ଲାରୁ ଆସିଥିବା ଆଉ ଜଣେ ପ୍ରବାସୀ ଦର୍ଜି ୩୨ ବର୍ଷୀୟ ମହମ୍ମଦ ଅନ୍‌ସାରି କହିଲେ, “ମୁଁ ମୋର ଟେବୁଲ, ମେସିନ୍‌, ଉପକରଣ ଓ କପଡ଼ାକୁ ସକାଳ ୯.୩୦ ସୁଦ୍ଧା ସଜେଇ ରଖିଦିଏ ଏବଂ ଏଠାରେ ରାତି ୭.୩୦ ଯାଏ ବସେ ।” ମହମ୍ମଦ ଏକ ଉନ୍ନତ ଜୀବନର ସନ୍ଧାନରେ ୨୦୧୧ରେ ଗୁରୁଗ୍ରାମକୁ ଆସିଥିଲେ। ଯେତେବେଳେ ମାର୍ଚ୍ଚ ୨୦୧୯ରେ ପ୍ରଥମ ଲକ୍‌ଡାଉନ୍ ସମୟରେ ତାଙ୍କର କାମ ବନ୍ଦ ହୋଇଗଲା, ସେ ନିଜ ଗାଁ ବନମାନ୍‌ଖିକୁ ଫେରିଗଲେ ଏବଂ ଅଗଷ୍ଟ ୨୦୨୧ରେ ଦେଢ଼ ବର୍ଷ ପରେ ଫେରିବା ଯାଏ ଚାଷ କଲେ ।

ଦୁଇବର୍ଷ ଧରି ଜଣେ ଅଭିଜ୍ଞ ଦର୍ଜିଙ୍କ ପାଖରେ କାମ କରିବା ପରେ, କମାଲ ତାଙ୍କ ନିଜର ସିଲେଇ ମେସିନ୍‌କୁ ୬୦୦୦ ଟଙ୍କା ଦେଇ କିଣିଲେ ଏବଂ ଏକ ନିମ ଗଛ ତଳେ ତାଙ୍କ ସ୍ଥାନ ପାଇଲେ, ଯାହାକି ଦୌଲତ ରାମ ଓ ରମେଶଙ୍କଠାରୁ ବେଶୀ ଦୂର ନଥିଲା । ସେ ବିହାରର ଆରାରିୟା ଜିଲ୍ଲାରୁ ୨୦୦୬ରେ ଗୁରୁଗ୍ରାମକୁ ସ୍ଥାନାନ୍ତର ହୋଇଥିଲେ ।

ଏହି ୪ ଜଣ ଦର୍ଜି- ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ ବିହାରର ପ୍ରବାସୀମାନେ- ସମସ୍ତେ ଗୁରୁଗ୍ରାମରେ ଏକ ଗଛତଳେ ଛାଇଜାଗା ଦେଖି ଦୋକାନ ସ୍ଥାପିତ କରିଛନ୍ତି, ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ଲୋକଙ୍କୁ ସେବା ଯୋଗାଉଛନ୍ତି, ସେମାନେ କପଡ଼ାର ଅଲଟର କରିବା ସହ ମରାମତି କରନ୍ତି ଏବଂ ସମୟ ସମୟରେ ପୂରା ପୋଷାକ ପ୍ରସ୍ତୁତ କରନ୍ତି । ଫେବ୍ରିକ୍ ଉପରେ ନିର୍ଭର କରି ଗୋଟିଏ ଯୋଡ଼ା ଟ୍ରାଉଜରର ଲମ୍ବକୁ କାଟି କମାଇବା ଲାଗି ସେମାନଙ୍କୁ ୨୦-୪୦ ଟଙ୍କା ମିଳେ; ଯଦି ହାତରେ କଟାଯାଏ ତା’ହେଲେ ଅଧିକ ରୋଜଗାର ହୁଏ ।

‘…ଅଧିକାଂଶ ଦିନ ମୁଁ ଏଠାରେ ୧୦ଟା ରାତି ଯାଏ ବସେ । ଗ୍ରାହକଙ୍କ ସଂଖ୍ୟା ଦିନକୁ ପ୍ରାୟ ୫ ଜଣ ଯାଏ ବଢ଼ିଛି, ତେଣୁ ମୁଁ ସେମାନଙ୍କର ସମସ୍ତ ପୋଷାକକୁ ସିଲେଇ ନ ସାରିବା ଯାଏ ଯିବାକୁ ଭଲପାଏ ନାହିଁ,’ କମାଲ କହିଲେ, ଯିଏକି ଗାଁରେ ଥିବା ତାଙ୍କ ପରିବାରକୁ ପ୍ରତି ମାସ ପଠାଇବା ଲାଗି ଟଙ୍କା ସଞ୍ଚୟ କରନ୍ତି

ଲକ୍‌ଡାଉନ୍ ସେମାନଙ୍କର ଦୈନନ୍ଦିନ ରୋଜଗାର ଉପରେ ତତ୍କାଳ ପ୍ରଭାବ ପକାଇଛି । “ପ୍ରଥମ ଲକ୍‌ଡାଉନ୍ ସମୟରେ ଏଠାରେ ମୋର କିଛି କାମ ନଥିଲା । ମୁଁ କ’ଣ କରିବି ତାହା ଜାଣିନଥିଲି,” କମାଲ କହିଲେ ଯିଏକି ତାଙ୍କ ଗାଁ ଅଭିମୁଖେ ପଳାଇଗଲେ ଏବଂ ୯ ମାସ ପରେ ହିଁ ସହରକୁ ଫେରିଲେ । ସେ ଆହୁରି କହିଲେ, “ଗାଁରୁ ମୁଁ ଫେରିବା ପରେ ବି, କାଁ ଭାଁ ଗ୍ରାହକ ମିଳୁଥିଲେ । ଏବେ ମୁଁ ୮.୩୦ ମିନିଟ୍ ସୁଦ୍ଧା ପ୍ରସ୍ତୁତ ହୋଇଯାଉଛି ଏବଂ ସାଇକେଲ ଚଳାଇ ୯ଟା ସୁଦ୍ଧା ଏଠାରେ ପହଞ୍ଚୁଛି। ଅଧିକାଂଶ ଦିନ ଏଠାରେ ମୁଁ ୧୦ଟା ଯାଏ ରାତି ଯାଏ ବସେ । ଗ୍ରାହକଙ୍କ ସଂଖ୍ୟା ଦିନକୁ ପ୍ରାୟ ୫ ଜଣ ଯାଏ ବଢ଼ିଛି, ତେଣୁ ମୁଁ ସେମାନଙ୍କର ସମସ୍ତ ପୋଷାକକୁ ସିଲେଇ ନ ସାରିବା ଯାଏ ଯିବାକୁ ଭଲ ପାଏ ନାହିଁ ।”

କମାଲଙ୍କର ପତ୍ନୀ ଓ ଦୁଇ ପିଲା ଅଛନ୍ତି । ତାଙ୍କର ବଡ଼ ପିଲାଟିକୁ ୫ ବର୍ଷ ହୋଇଥିବାବେଳେ ସେ ତାଙ୍କ ଗାଁ ଡୁବାରେ ଏକ ସରକାରୀ ପ୍ରିସ୍କୁଲରେ ନାମ ଲେଖାଇଛି; ସାନ ପିଲାଟି ଦୁଇବର୍ଷର । ସେ ଗାଁରେ ଥିବା ନିଜ ପରିବାର ନିକଟକୁ ପଠାଇବା ଲାଗି ପ୍ରତି ମାସ ଟଙ୍କା ସଞ୍ଚୟ କରନ୍ତି ଏବଂ ସମୟ ସମୟରେ ସେମାନଙ୍କୁ ଭେଟିବାକୁ ଯାଇଥାନ୍ତି ।

ରମେଶ ମଧ୍ୟ ତାଙ୍କ ଗ୍ରାହକ ସଂଖ୍ୟା କମିବାର ଦେଖିଥିଲେ ଏବଂ ଜୀବନଧାରଣ କରିବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲା। ସେ ନିଜ ଗାଁ ଚୈନପୁରକୁ ଫେରିଯାଇଥିଲେ । କିଛି ମାସ ପରେ ଯେତେବେଳେ ସେ ଗୁରୁଗ୍ରାମ ଫେରିଲେ ସେ କହନ୍ତି, “ମୁଁ ପ୍ରତିଦିନ ଏଠାକୁ ଗ୍ରାହକ ପାଇବା ଆଶାରେ ଆସେ । ମୁଁ ସକାଳ ୮ରୁ ରାତି ୮ଟା ଯାଏ କାମ କରେ, ବର୍ଷାଦିନରେ [କେବଳ] କାମରୁ ଛୁଟି ନିଏ କାରଣ ଏଠାରେ ମୋ’ ପାଇଁ କୌଣସି ଉପଯୁକ୍ତ ଆଶ୍ରୟସ୍ଥଳୀ ନାହିଁ।” ସେମାନଙ୍କର ପିଲା-ଜଣେ ୧୬ ବର୍ଷର ଓ ଜଣେ ୧୩ ବର୍ଷର (ସେ ସେମାନଙ୍କ ନାମ ପ୍ରକାଶ କରିବାକୁ ଇଚ୍ଛା କଲେ ନାହିଁ)- ଗାଁରେ ଥିବା ଏକ ଛୋଟ ଘରୋଇ ସ୍କୁଲକୁ ଯାଆନ୍ତି । ଲକ୍‌ଡାଉନ୍ ସମୟରେ, ସ୍କୁଲର ଆବଶ୍ୟକତା ଅନୁସାରେ ସେମାନଙ୍କର ଅନ୍‌ଲାଇନ୍ କ୍ଲାସ୍ କରିବାର କୌଣସି ମାଧ୍ୟମ ନ ଥିଲା ଏବଂ ତେଣୁ ସେମାନେ କ୍ଲାସ୍ କରିପାରି ନ ଥିଲେ । ପ୍ରଥମ ଲକ୍‌ଡାଉନ୍ ପରେ ସେ କିଛି ସମୟ ବ୍ୟବଧାନରେ କାମ କରୁଛନ୍ତି, କୋଭିଡ୍ ଓ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ତାଙ୍କୁ କାମରୁ ବିରତି ନେବାକୁ ପଡ଼ିଥିଲା। ସେ କହିଲେ, “ଗାଁରେ ମୋର ପତ୍ନୀ ଓ ଦୁଇ ପିଲା ଅଛନ୍ତି । ମୁଁ ସେମାନଙ୍କୁ ଟଙ୍କା ପଠାଇବା ଲାଗି ସେମାନେ ଅପେକ୍ଷା କରିଛନ୍ତି ।”

‘ମେ ୱାପସ୍ ଗାଁଓ ଗୟା ଥା, ୟହାଁ ଖାନେ କେ ଲିୟେ କୁଛ ନେହିଁ ଥା [ମୁଁ ଗାଁକୁ ଫେରି ଯାଇଥିଲି କାରଣ ଏଠାରେ ମୋ ପାଇଁ ଖାଇବାକୁ କିଛି ନ ଥିଲା] । ମୁଁ ୩ ମାସ ପରେ ଏଠାକୁ ଫେରିଲି,” ଦୌଲତ ରାମ କହିଲେ ଯିଏକି ପ୍ରଥମ ଲକଡାଉନ୍‌ରେ ତାଙ୍କ ନିଜ ଗାଁ ଅଲୱରକୁ ଫେରିଯାଇଥିଲେ । ଯେତେବେଳେ ସେ ଗୁରୁଗ୍ରାମକୁ ଫେରିଲେ, ସେ ଦେଖିଲେ ଯେ ତାଙ୍କର ଗ୍ରାହକମାନଙ୍କର ସଂଖ୍ୟା ଅଧାରୁ କମ୍ ହୋଇଯାଇଛି, ଯଦିଓ ଏବେ ସେମାନଙ୍କ ସଂଖ୍ୟା ନିକଟରେ ପୁଣି ବଢ଼ିଛି । କୋଭିଡ୍ ପୂର୍ବରୁ ସେ ମାସିକ ୮,୦୦୦-୧୦,୦୦୦ ସହଜରେ ରୋଜଗାର କରୁଥିଲେ । ବର୍ତ୍ତମାନ ସେ ୬,୦୦୦- ୭,୦୦୦ ଟଙ୍କା ଆୟ କରୁଛନ୍ତି । ‘କେଉଁ ଦିନମାନଙ୍କରେ ମୋର ୩୦ ଟଙ୍କା , ଅନ୍ୟ ଦିନମାନଙ୍କରେ ୫୦ ଟଙ୍କା ରୋଜଗାର ହୋଇଥାଏ; ଗତକାଲି ମୁଁ ୨୦୦ ଟଙ୍କା ପାଇଥିଲି । ତଥାପି… ମୁଁ କେମିତି ପରିବାର ଚଳାଇବି?” ସେ ପଚାରିଲେ ।

ଦୌଲତରାମ ୩୫ ବର୍ଷ ପୂର୍ବରୁ ସିଲେଇ ଆରମ୍ଭ କରିଥିଲେ । “ମୁଁ ଏଠାକୁ ପାଞ୍ଚ ବର୍ଷ ପୂର୍ବରୁ ଆସିଥିଲି ଏବଂ ଏଠାରେ ପ୍ରତିଦିନ ବସିଆସୁଛି,” ସେ ତାଙ୍କର ‘ସ୍ଥାନ’କୁ ଦର୍ଶାଇ କହିଲେ । ସେ ଅଧିକ ରୋଜଗାର ସୁଯୋଗ ଆଶାରେ ଏବଂ ନିଜକୁ, ନିଜ ସ୍ତ୍ରୀ ଏବଂ ଚାରି ପିଲାଙ୍କୁ ସହାୟତା କରିବା ଭଳି ସ୍ଥିର ଜୀବିକା ଉପାର୍ଜନ ପାଇଁ ଆସିଥିଲେ । ତାଙ୍କ ଟେଲରିଂ କାମରେ ବେଳେବେଳେ ସ୍ତ୍ରୀ ତାଙ୍କୁ ସାହାଯ୍ୟ କରନ୍ତି । ତାଙ୍କ ପୁଅମାନେ, ୧୮ ଓ ୧୫ ବର୍ଷର, ଏକ ସ୍ଥାନୀୟ ସରକାରୀ ସ୍କୁଲରେ ଏକାଦଶ ଓ ଅଷ୍ଟମ ଶ୍ରେଣୀରେ ପଢୁଛନ୍ତି । ୨୪ ଓ ୨୨ ବର୍ଷୀୟା ତାଙ୍କର ଝିଅମାନେ ସ୍ନାତକ ଶିକ୍ଷା ସମ୍ପୂର୍ଣ୍ଣ କରିଛନ୍ତି । ଦୌଲତରାମ କହନ୍ତି, ଗାଁରେ ଦର୍ଜିଙ୍କ ପାଇଁ ସେତେ ଅଧିକ କାମ ନାହିଁ । ସେ କହିଲେ, “ଅଧିକାଂଶ ଗ୍ରାହକ ଲୁଗା ସିଲେଇ କରିବାକୁ ଦିଅନ୍ତି କିନ୍ତୁ ପରେ ଟଙ୍କା ଦେବାକୁ କୁହନ୍ତି ଏବଂ କୁହନ୍ତି ‘ଆମେ ଗାଁ ଛାଡ଼ି ପଳାଇବୁ ନାହିଁ !’ ମୋର ଅନୁଭୂତି ଅନୁସାରେ ଗାଁକୁ ଯିବାରେ ସମସ୍ୟା ଅଛି ଏବଂ ଏଠାରେ ରହିବାରେ ବି ସମସ୍ୟା ସବୁ ଅଛି ।”

ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ୍‌ ଇଣ୍ଡିଆ ଦ୍ୱାରା CC BY-NC-ND 4.0 ଲାଇସେନ୍ସପ୍ରାପ୍ତ

Editor's note

ଅମାୟା ଭାଲୋତ୍ରା ହରିୟାଣା ସୋନିପତରେ ଥିବା ଓ.ପି ଜିନ୍ଦଲ ଗ୍ଲୋବାଲ୍ ୟୁନିଭର୍ସିଟିର ସାମ୍ବାଦିକତା ଏବଂ ମିଡିଆ ଷ୍ଟଡି ବିଭାଗରେ ଦ୍ୱିତୀୟ ବର୍ଷ ଛାତ୍ରୀ । ସେ ୨୦୨୧ରେ ପରୀ ଏଜୁକେସନରେ ଇଣ୍ଟର୍ଣ୍ଣସିପ୍‌ କରିଥିଲେ ଏବଂ ଖୋଲା ବଜାର ଶ୍ରମିକ ଯେମିତିକି ଦୋକାନ ନ ଥିବା ଦର୍ଜିମାନେ ସାମ୍ନା କରୁଥିବା ସମସ୍ୟାଗୁଡ଼ିକ ବାବଦରେ ବିଶ୍ଳେଷଣ କରିବାକୁ ଚାହୁଁଥିଲେ। "ସହର ସାରା ବିଭିନ୍ନ ସ୍ଥାନରେ ମୁଁ ସର୍ବଦା ଏହି ଶ୍ରମିକମାନଙ୍କୁ ଅତିକ୍ରମ କରେ ଏବଂ ମୁଁ ସେମାନଙ୍କ ଜୀବନ ବାବଦରେ ଉତ୍ସୁକ ଥିଲି । ପରୀ ସହ କାମ କରିବାରେ, ମୁଁ ସେମାନଙ୍କ ପାଇଁ କହିବା ବଦଳରେ ସେମାନଙ୍କ କଥା ଶୁଣିବା ନିଶ୍ଚିତ କରିବା ଶିଖିଲି।" ଅନୁବାଦ: ଓଡ଼ିଶାଲାଇଭ୍‍ ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।