ସେ ଗାଈର ମୋଟେଇ, ଏକ କୁକୁଡ଼ାର ଉଚ୍ଚତା ମାପି ଦେଇଥିଲେ ଏବଂ ବିଭିନ୍ନ ପ୍ରକାର ପତ୍ରର ଚିତ୍ର ଆଙ୍କିଥିଲେ। ଏପରିକି ସେ ବିଭିନ୍ନ ପ୍ରକାରର ମଞ୍ଜିକୁ ସେଗୁଡ଼ିକର ବ୍ୟବହାର ଅନୁସାରେ ଅଲଗା ଭାବେ ସଜାଡ଼ିବା ରଖିବା ଶିଖିଯାଇଥିଲେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ଏହି ୧୩ ବର୍ଷୀୟା ବାଳିକା ଜଣକ ନିଜ ସାଙ୍ଗମାନଙ୍କ ସହିତ, “ଆମ ଗାଁର ମାନଚିତ୍ର ତିଆରି କରି ଦେଇଥିଲେ”। ସେ କହିଥିଲେ ଯେ “ମୋତେ ଆମ ଗାଁ, ପଡ଼ୋଶୀ ଗ୍ରାମ, ଆମ ବ୍ଲକ ଓ ଜିଲ୍ଲାର ଅନେକ କଥା ଧ୍ୟାନରେ ରଖିବାକୁ ପଡ଼ିଥିଲା । ତା’ପରେ ଯାଇ ମୁଁ ଏହାକୁ ଠିକ ଭାବେ ଆଙ୍କି ପାରିଥିଲି ।”

ଏବେ ଲକଡାଉନ କାରଣରୁ ସଞ୍ଜନା ମାଝୀଙ୍କୁ ହୁଏତ’ ଅନେକ ମାସ ପର୍ଯ୍ୟନ୍ତ ସ୍କୁଲ ଠାରୁ ଦୂରରେ ରହିବାକୁ ପଡ଼ିଛି । କିନ୍ତୁ ସେ ପାଠପଢ଼ା ବନ୍ଦ କରିପାରିନାହାନ୍ତି। ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାର ଏହି ଆଦିବାସୀ ଝିଅର ମନୋବୃତ୍ତି ମାର୍କ ଟ୍ୱାଇନଙ୍କ ପ୍ରସିଦ୍ଧ ଉକ୍ତି : “ନିଜ ଶିକ୍ଷାରେ କେବେ ସ୍କୁଲକୁ ହସ୍ତକ୍ଷେପ କରିବାକୁ ଦିଅନ୍ତୁନାହିଁ, ଏକ ନୂଆ ଅର୍ଥ ଦେଇଛି। ଏହାଛଡ଼ା, ସଞ୍ଜନାଙ୍କର ଜଣେ ଶିକ୍ଷକ ଅଛନ୍ତି। ଯିଏକି ତାଙ୍କ ସ୍କୁଲ ଚାଲୁନଥିବା ସମୟରେ ମଧ୍ୟ ବ୍ୟକ୍ତିଗତ ଭାବେ ସକ୍ରିୟ ଅଛନ୍ତି।

ଏଇ ନିକଟରେ କିଶୋରାବସ୍ଥାରେ ପାଦ ଥାପିଥିବା କିସାନ ଆଦିବାସୀ ସମୁଦାୟର ଏହି ପିଲାଟି ବ୍ୟତୀତ ଆହୁରି ୫୩ ଜଣ ପିଲା ଅଛନ୍ତି ଯାହାଙ୍କୁ ରଶ୍ମୀ ଜୟପୁରିଆ (୨୬) ସ୍କୁଲ ବାହାରେ ମଧ୍ୟ ପାଠ ପଢ଼ାଉଛନ୍ତି। ଏଥିପାଇଁ ରଶ୍ମୀଙ୍କୁ, ଏହି ଜିଲ୍ଲାର ଆଦିବାସୀ ତଥା ଦଳିତ ବହୁଳ ତୁନମୁରା ଗ୍ରାମର ୫ଟି ପଡ଼ାକୁ ଗସ୍ତ କରିବାକୁ ପଡ଼ୁଛି । “ପିଲାମାନେ ଚାଷ ବିଷୟରେ ଜାଣନ୍ତି”, ସେ କୁହନ୍ତି। “ସେମାନଙ୍କର ବାପା ମା’ ଦିନ ମଜୁରିଆ ଏବଂ କୃଷକ। ସେମାନଙ୍କର ଅନୁଭବ ଏବଂ ସେମାନଙ୍କର ଚାରି ପାଖରେ ଘଟୁଥିବା ଘଟଣାଗୁଡ଼ିକୁ ଅନୁଧ୍ୟାନ କରିବା ତଥା ନୋଟ ପ୍ରସ୍ତୁତ କରିବା ଲାଗି ମୁଁ ସେମାନଙ୍କୁ ଶିଖାଉଛି। ସେମାନେ ଏହି ପ୍ରାକ୍ଟିକାଲ ଶିକ୍ଷାଦାନକୁ ଉପଭୋଗ କରୁଛନ୍ତି।” ରଶ୍ମିଙ୍କ ଭଳି ଅନ୍ୟ ଶିକ୍ଷକମାନେ ମଧ୍ୟ, ଏହି ଆହ୍ୱାନକୁ ଗ୍ରହଣ କରି ଗରିବ ଲୋକଙ୍କ ଘର ପାଖକୁ ପାଠପଢ଼ା ନେଇ ଯାଇପାରିଛନ୍ତି ।

“ମୁଁ ଏହି ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ଆଗକୁ ବଢ଼ିପାରିବି”, ଆତ୍ମବିଶ୍ୱାସର ସହ ଶକ୍ତିମୟ ବେହେରା କହିଥାନ୍ତି। “କାରଣ ଶିକ୍ଷୟିତ୍ରୀ ରାକ୍ଷୀ (ତ୍ରିପାଠୀ) ଆମ ଘରକୁ (ଓଡ଼ିଶାର ଯାଜପୁର ଜିଲ୍ଲାରେ) ପାଠ ପଢ଼ାଇବାକୁ ଆସୁଛନ୍ତି। ତେଣୁ ମୋ ଲେଖା ପାଠ ଓ ଅନ୍ୟାନ୍ୟ ବିଷୟରେ ପାଠପଢ଼ା ଲକଡାଉନ କାରଣରୁ ବନ୍ଦ ହୋଇନାହିଁ।” ୧୨ ବର୍ଷ ବୟସ୍କା ଶକ୍ତିମୟ ମାଧପୁର ଗ୍ରାମରେ ଥିବା ସରକାରୀ ହାଇସ୍କୁଲରେ ପାଠ ପଢ଼ୁଛନ୍ତି ଏବଂ ସେ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି ।

“ମୁଁ ସେମାନଙ୍କ ସ୍କୁଲର ଏକ ଫଟୋ ନେଲି ଏବଂ ପିଲାମାନଙ୍କୁ ଦେଖାଇଲି ଯେ ଛୋଟିଆ ଜିନିଷରୁ କିପରି ଭାବେ- ଯଥାସମ୍ଭବ ସ୍ପଷ୍ଟ ଭାବେ – ବଡ଼ କଥା ହୋଇପାରିବ।” ଏହା କହିଥାନ୍ତି, ସୁନ୍ଦରଗଡ଼ କୁତ୍ରା ତହସିଲର ୨୪ ବର୍ଷୀୟ ଶିକ୍ଷକ ନୂତପ ବେହେରା। ଲକଡାଉନରେ ଅନେକଗୁଡ଼ିଏ ସମସ୍ୟା ଥିଲେ ମଧ୍ୟ ସେ କିପରି ଭାବେ ବହି ପାଠ ପଢ଼ାଇବାର ସୀମିତ ପରିସୀମାରୁ ମୁକ୍ତ ହୋଇପାରିଛନ୍ତି ତାହା ସେ ଖୁବ ଭଲ ଭାବେ ଅନୁଭବ କରିପାରୁଥିଲେ। ସେ ଗଙ୍ଗାଜଳ ଗ୍ରାମରେ ଥିବା ସ୍ଥାନୀୟ ଝରଣା ନିକଟକୁ ଯାଇ ପିଲାମାନଙ୍କୁ ଜୀବବିଜ୍ଞାନ ପଢ଼ାଇ ପାରୁଛନ୍ତି। ସ୍ଥାନ ସମ୍ବନ୍ଧୀୟ ବୁଦ୍ଧିମତାର ଉପଯୋଗ ଏବଂ ଭୂଗୋଳ ପଢ଼ାଇବା, ଉଭୟ ଅଧିକ ସୃଜନଶୀଳ ଓ ଅଧିକ ସୁଦୃଢ଼ ହୋଇଛି। ଏହିପରି ଭାବେ ପିଲାମାନେ ସେମାନଙ୍କ ପଡ଼ା, ଗ୍ରାମ, ଗ୍ରାମ ପଞ୍ଚାୟତ, ବ୍ଲକ-ଏବଂ ଏପରିକି ବିଶ୍ୱ ମାନଚିତ୍ର ତିଆରି କରିବାକୁ ସକ୍ଷମ ହୋଇଛନ୍ତି ।

ଛାତ୍ରଛାତ୍ରୀଙ୍କ ହାତ ତିଆରି ଗ୍ରାମ ମାନଚିତ୍ର ଦେଖିବା ଲାଗି ତୀର ଉପରେ କ୍ଲିକ କରନ୍ତୁ

ଏପରିକି, ଯଦି ଆପଣଙ୍କୁ ଶୋଷ ଲାଗୁଥାଏ ତା’ହେଲେ ଆପଣ ୧୦ ବର୍ଷ ବୟସ୍କ ଆଶୀଷ କୁମାର ମୁଦୁଲିଙ୍କ ଦ୍ୱାରା ଅଙ୍କା ଯାଇଥିବା ତାଙ୍କ ଗାଁ ଜାମୁପଶିର ମାନଚିତ୍ରକୁ ଦେଖି ନଳକୂପର ସନ୍ଧାନ ପାଇପାରିବେ । ଗାଁ ପୋଖରୀ, ତାଙ୍କ ସ୍କୁଲ, ଏକ ଆମ୍ବ ବଗିଚା, ଚାଷ ଜମି, ଖୋଲାସ୍ଥାନ ଏବଂ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର ଜଙ୍ଗଲ ସମେତ ଏହା ଖୁବ ସ୍ପଷ୍ଟ ଭାବେ ମାନଚିତ୍ରରେ ଦର୍ଶାଯାଇଛି ।

ସଞ୍ଜନା, ଶକ୍ତିମୟ ଓ ଆଶିଷ ବେଶ ଭାଗ୍ୟଶାଳୀ -ସ୍କୁଲ ସେମାନଙ୍କ ଘର ପାଖକୁ ଆସିପାରିଛି । କିନ୍ତୁ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ଡିଜିଟାଲ ବିଭାଜନ ଅନେକ ପିଲାଙ୍କୁ ଶିକ୍ଷାରୁ ବଞ୍ଚିତ କରିଛି, ବିଶେଷ କରି ସେମାନଙ୍କୁ ଯେଉଁମାନେ ୧୧,୦୨,୭୮୩ଟି ସରକାରୀ ସ୍କୁଲରେ ପଢ଼ୁଛନ୍ତି, ସେମାନେ ଶ୍ରେଣୀଗୃହ ଠାରୁ ଦୂରରେ ଅଛନ୍ତି । ପ୍ରଥମ ପିଢ଼ିର ବିଦ୍ୟାର୍ଥୀଙ୍କ ପାଇଁ, ବିଦ୍ୟାଳୟଠାରୁ ଦୂରରେ ରହିବା ପାଠପଢ଼ା ଦୃଷ୍ଟିରୁ ଘାତକ ହୋଇପାରେ। ଗ୍ରାମୀଣ ଓଡ଼ିଶାରେ, ପ୍ରତି ପାଞ୍ଚ ଜଣରୁ ଜଣେ ପିଲା ସ୍କୁଲ ଛାଡ଼ିଥାନ୍ତି । ସେହିପରି ଝାଡ଼ଖଣ୍ଡରେ ମାତ୍ର ୨୨ ପ୍ରତିଶତ ଗ୍ରାମୀଣ ଯୁବକ ସେମାନଙ୍କ ସ୍କୁଲ ଶିକ୍ଷା ଶେଷ କରିପାରିଥାନ୍ତି ।

“ମୋ ଗାଁ (ବଡ଼ଜାମଦା)ରେ ବହୁସଂଖ୍ୟକ ପିଲା ସାଧାରଣ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ମୁଁ ଦେଖିଥାଏ । କିଛି ଛାତ୍ରଛାତ୍ରୀ ସାମାନ୍ୟ ଖାତା ଓ ପେନସିଲ କିଣିବା ପାଇଁ ଟଙ୍କା ନଥିବା କାରଣରୁ ଅଧାରୁ ସ୍କୁଲ ଛାଡ଼ିଥାନ୍ତି”, ବୋଲି ବେଶ ବିବ୍ରତ ଜଣାପଡ଼ୁଥିବା ରଶ୍ମୀ ଗୋପ କହିଛନ୍ତି। କିଶୋରାବସ୍ଥାରେ ପାଦ ଥାପିଥିବା ରଶ୍ମୀ ଝାଡ଼ଖଣ୍ଡର ନୂଆମୁଣ୍ଡି ଜିଲ୍ଲାରେ ଥିବା ତାଙ୍କ ସ୍କୁଲରେ ଆହୁରି କିଛି ବର୍ଷ ପାଠ ପଢ଼ିବା ଜାରି ରଖିବା ଏବଂ ଶିକ୍ଷୟିତ୍ରୀ ହେବା ଲାଗି ଚାହୁଁଛନ୍ତି। ତାଙ୍କ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ତନ୍ତି,୨୪, କୁହନ୍ତି, ଲକଡାଉନ କାରଣରୁ ବହୁସଂଖ୍ୟକ ଛାତ୍ରଛାତ୍ରୀ ସ୍କୁଲ ଛାଡ଼ି ଦେଇଛନ୍ତି ଏବଂ ସେମାନେ ବିଭିନ୍ନ ଘରେ ଦିନ ମଜୁରିଆ ଭାବେ କାମ କରୁଛନ୍ତି। ସେମାନଙ୍କୁ ପୁଣିଥରେ ସ୍କୁଲକୁ ଫେରାଇ ଆଣିବାକୁ ପଡ଼ିବ।

ଗ୍ରାମୀଣ ଓଡ଼ିଶାରେ ମାତ୍ର ୫.୮ ପ୍ରତିଶତ ଏବଂ ଗ୍ରାମୀଣ ଝାଡ଼ଖଣ୍ଡରେ ମାତ୍ର ୧୧.୯ ପ୍ରତିଶତ ଇଣ୍ଟରନେଟ ସୁବିଧା ରହିଛି। ଅନ୍ତରା ରମଣଙ୍କ ଅଳଙ୍କରଣ

ସାଇକେଲ ଓ ସ୍କୁଟରରେ ଯାତ୍ରା କରି ଏବଂ ଏପରିକି ପାଦରେ ମଧ୍ୟ ଚାଲି ଚାଲି, ସନ୍ଧ୍ୟା, ରଶ୍ମୀ ଜୟପୁରିଆ, ରାକ୍ଷୀ, ନୂତପ ଏବଂ ସେମାନଙ୍କ ଭଳି ଗ୍ରାମୀଣ ଓଡ଼ିଶା ଓ ଝାଡ଼ଖଣ୍ଡର ଅନ୍ୟ ୭୦୦ ଶିକ୍ଷକ ପାଠ ପଢ଼ାଇବା ପାଇଁ ଅନଲାଇନ ବିକଳ୍ପ ବ୍ୟତୀତ ଆଉ ଏକ ମାର୍ଗ ପାଇପାରିଛନ୍ତି। “ମୁଁ ପ୍ରଥମେ ଶିକ୍ଷୟିତ୍ରୀ ହେବା ସମୟରେ ସାଇକେଲ ଚଳାଇବା ଜାଣିନଥିଲି, କିନ୍ତୁ ଏବେ ମୁଁ ସ୍କୁଟି ଚଳାଇ ପାରୁଛି। ମୁଁ ଭଲ ଭାବେ ଚଳାଇପାରୁଛି!” ପିଙ୍କି ସାହୁ (୨୭) କୁହନ୍ତି। ତାଙ୍କର ଗାଡ଼ି ଚଳାଇବା ଦକ୍ଷତା ବେଶ ଉପଯୋଗୀ ସାବ୍ୟସ୍ତ ହୋଇଛି। ଲକଡାଉନ ସମୟରେ ସେ ଓଡ଼ିଶାର କେନ୍ଦୁଝର (କେଉଁଝର ନାମରେ ପରିଚିତ) ଜିଲ୍ଲାର ହରିଚନ୍ଦନପୁର ବ୍ଲକର ବିଭିନ୍ନ ସ୍ଥାନ ବୁଲିଥାନ୍ତି।

ଏହି ଶିକ୍ଷକମାନେ ଜୁନ ପରଠାରୁ ଶହ ଶହ କିମି ଦୂର ଘୂରି ବୁଲି ସାରିଲେଣି। ମୁଖ୍ୟତଃ ଏମାନେ ଓଡ଼ିଶାର ଯାଜପୁର, କେନ୍ଦୁଝର, ଢେଙ୍କାନାଳ ଓ ସୁନ୍ଦରଗଡ଼ ଏବଂ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମର ଗ୍ରାମୀଣ ଏବଂ ଆଖାପାଖ ଅଞ୍ଚଳରେ ବୁଲିଥାନ୍ତି। ସେମାନେ ଏହାକୁ ଏକ ନୂଆ ପ୍ରକାରର ହୋମସ୍କୁଲିଂ (ଗୃହବିଦ୍ୟାଳୟ) ବୋଲି କହୁଛନ୍ତି। ସେମାନେ ଘରକୁ ଘର ବୁଲି, ଛୋଟ ଛୋଟ ଦଳରେ ବିଦ୍ୟାର୍ଥୀ (ଥରକେ ଜଣେରୁ ପାଞ୍ଚ ଜଣ)ଙ୍କୁ ସାକ୍ଷାତ କରୁଛନ୍ତି ଏବଂ ସେମାନଙ୍କ ସହିତ ଗଛମୂଳରେ, ଘର ବାରଣ୍ଡାରେ ଏବଂ ଅନ୍ୟ ଖୋଲାସ୍ଥାନରେ ସେମାନଙ୍କୁ ଶିକ୍ଷାଦାନ ଦେଇଥାନ୍ତି।

ନିବେଦିତା ମହାନ୍ତ ହସି ହସି କୁହନ୍ତି, “ପ୍ରଥମେ ଏହା ଚୋର ପୁଲିସ ଖେଳ ଭଳି ଲାଗିଲା।” କେନ୍ଦୁଝର ଜିଲ୍ଲା ଭନ୍ଦା ଗ୍ରାମର ଏହି 23 ବର୍ଷୀୟା ଶିକ୍ଷୟିତ୍ରୀ ଜଣକ ଚାଷ ଜମିରେ, ନଦୀ ନିକଟରେ ଏବଂ ଯେକୌଣସି ସ୍ଥାନରେ ନିଜର ଛାତ୍ରଛାତ୍ରୀଙ୍କୁ ସନ୍ଧାନ କରିଥାନ୍ତି।

ସେମାନଙ୍କ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିବା ଲାଗି ପ୍ରୟାସ ସ୍ୱରୂପ, ସେମାନେ ସବୁଠୁ ଦୁର୍ବଳ ଏବଂ ଦରିଦ୍ରତମ ୩୧,୦୦୦ ପିଲାଙ୍କ ନିକଟରେ ପହଞ୍ଚିପାରିଛନ୍ତି ଯେଉଁମାନଙ୍କ ପାଇଁ ଅନଲାଇନ ପାଠପଢ଼ା ଏକ ସ୍ୱପ୍ନ ଭଳି : ଗ୍ରାମୀଣ ଓଡ଼ିଶାରେ ମାତ୍ର ୫.୮ ପ୍ରତିଶତ ଏବଂ ଗ୍ରାମୀଣ ଝାଡ଼ଖଣ୍ଡରେ ମାତ୍ର ୧୧.୯ ପ୍ରତିଶତ ଇଣ୍ଟରନେଟ ସୁବିଧା ରହିଛି।

ଘରେ ସ୍ମାର୍ଟଫୋନ ନଥିବାରୁ, ଅନିଲଙ୍କ ପାଠପଢ଼ା ବନ୍ଦ ହୋଇଯାଇଥାନ୍ତା ଯଦି ତାଙ୍କର ‘ଦିଦି’ ନଥାନ୍ତେ। ସେ ନିଜ ଶିକ୍ଷୟିତ୍ରୀ ନନ୍ଦିନୀ ବେହେରାଙ୍କ ବିଷୟରେ ଉଲ୍ଲେଖ କରି କହିଥାନ୍ତି। ତବ୍ରେଜ ଅନସାରୀଙ୍କ ଫଟୋ

ଅନିଲ ଚମ୍ପିଆ ଖୁବ ସ୍ପଷ୍ଟ ଭାବେ କୁହନ୍ତି, “ଯଦି ଏସବୁ ପାଠପଢ଼ା ନଥାନ୍ତା ତା’ହେଲେ ମୁଁ କିଛି କରୁନଥାନ୍ତି, ହୁଏତ’ ଏଣେତେଣେ ବୁଲୁଥାଆନ୍ତି।” ଏହି ୧୩ ବର୍ଷୀୟ ବାଳକଙ୍କ ପିତା ଜଣେ ଦିନ ମଜୁରିଆ, ସେ ଝାଡ଼ଖଣ୍ଡର ନାଓମୁଣ୍ଡି ବଜାରସ୍ଥିତ ସରକାରୀ ସ୍କୁଲରେ ପଢ଼ିଥାନ୍ତି। ସ୍କୁଲରେ ନିଜ ସହପାଠୀଙ୍କ ସହିତ ଖେଳକୁ ଏବେ ସେ ଖୁବ ମନେ ପକାଉଛନ୍ତି। ଘରେ ସ୍ମାର୍ଟଫୋନ ନାହିଁ, ତାଙ୍କର ଶିକ୍ଷା ଏବଂ ଇଞ୍ଜିନିୟର ହେବା ଲାଗି ସ୍ୱପ୍ନ ହୁଏତ’ ବାଧାପ୍ରାପ୍ତ ହୋଇଥାନ୍ତା ଯଦି ତାଙ୍କ ‘ଦିଦି’ ନଥାନ୍ତେ, ସେ ତାଙ୍କର ଶିକ୍ଷୟିତ୍ରୀ ନନ୍ଦିନୀ ବେହେରାଙ୍କ ବିଷୟରେ କହୁଛନ୍ତି ଯିଏକି ତାଙ୍କ ଗ୍ରାମ ଲକ୍ଷଣସାଇକୁ ଆସି ସେ ତାଙ୍କ ଭଳି ଛାତ୍ରଛାତ୍ରୀଙ୍କ ଏକ ଛୋଟିଆ ଦଳକୁ ପଢ଼ାଉଛନ୍ତି।

ନୂତନ ଶିକ୍ଷା ନୀତି ୨୦୨୦ ଏହାକୁ ଗ୍ରହଣ କରିଛି ଯେ ବର୍ତ୍ତମାନ ଦେଶରେ ୩.୨୨ କୋଟି ପିଲା ସ୍କୁଲ ଠାରୁ ଦୂରରେ ରହିଛନ୍ତି ଏବଂ ସେମାନଙ୍କୁ ଫେରାଇ ଆଣିବା ଲାଗି, ଶିକ୍ଷକମାନଙ୍କ ପାଇଁ ‘ଜନସମୁଦାୟ ସହ ସମ୍ପର୍କ ସ୍ଥାପନ କରିବା’ ଏବଂ ଛାତ୍ରଛାତ୍ରୀଙ୍କୁ ‘କିପରି ପାଠପଢ଼ି ହେବ ସେ ସମ୍ପର୍କରେ ଶିକ୍ଷାଦେବା’ର ଆବଶ୍ୟକତା ରହିଛି।

“ଶିକ୍ଷକମାନଙ୍କୁ ଅଧିକାଂଶ ସମୟରେ ଏବଂ ସେମାନଙ୍କ ଆଖପାଖରେ ଦେଖୁଥିବାରୁ ଅଭିଭାବକମାନେ ସେମାନଙ୍କର ପିଲାମାନଙ୍କର ଶିକ୍ଷାଦାନ ପ୍ରତି ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି। ମୁଁ ଅଭିଭାବକଙ୍କ ସହିତ ସମ୍ପର୍କ ସ୍ଥାପନ କରିଛି ଏବଂ ସେମାନେ ମୋତେ ନିଜ ଘର ବାରଣ୍ଡାରେ ପାଠ ପଢ଼ାଇବା ଲାଗି ପ୍ରସ୍ତାବ ଦେଉଛନ୍ତି”, ବୋଲି କୁହନ୍ତି ନିବେଦିତା।

ହୋମସ୍କୁଲିଂ ପାଠପଢ଼ାର ଏକ ନୂଆ ପଦ୍ଧତି : ଏହି ଶିକ୍ଷକମାନେ ଜୁନ୍‌ ପରଠାରୁ ଶହ ଶହ କିମି ଦୂର ଘୂରି ବୁଲି ସାରିଲେଣି। ମୁଖ୍ୟତଃ ଏମାନେ ଓଡ଼ିଶାର ଯାଜପୁର, କେନ୍ଦୁଝର, ଢେଙ୍କାନାଳ ଓ ସୁନ୍ଦରଗଡ଼ ଏବଂ ଝାଡ଼ଖଣ୍ଡର ପଶ୍ଚିମସିଂହଭୂମର ଗ୍ରାମୀଣ ଏବଂ ଉପାନ୍ତ ଅଞ୍ଚଳରେ ବୁଲିଥାନ୍ତି।

ବ୍ୟକ୍ତିଗତ ଧ୍ୟାନ, ଅନୁକୂଳ କାର୍ଯ୍ୟସୂଚୀ ଏବଂ ବିସ୍ତୃତ ପାଠ୍ୟକ୍ରମ ଯୋଗୁଁ ଶିକ୍ଷାଦାନର ଫଳାଫଳରେ ଉଲ୍ଲେଖନୀୟ ସୁଧାର ଆସିଥିବା ପରିଲକ୍ଷିତ ହୋଇଛି। ଗାଁ ମାନଚିତ୍ର ତିଆରି କରିବାଠାରୁ ଆରମ୍ଭ କରି କୀଟପତଙ୍ଗଗୁଡ଼ିକର ବିସ୍ତୃତ ଚିତ୍ର ଆଙ୍କିବା, ଘରୋଇ ସାମଗ୍ରୀ ଉପଯୋଗ କରି ବିଜ୍ଞାନ ଗବେଷଣା ଏବଂ ଅଳ୍ପ କୃଷି ଗବେଷଣା କରିବା ପର୍ଯ୍ୟନ୍ତ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ସହିତ ମିଳିତ ଭାବେ କାମ କରୁଛନ୍ତି ଯାହାଫଳରେ ସେମାନେ ପାଠପଢ଼ା ଜାରି ରଖିବେ ଏବଂ ଅଧାରୁ ପାଠ ଛାଡ଼ିବେ ନାହିଁ। ଏହି ଗ୍ରାମୀଣ ଶିକ୍ଷାବିତମାନେ ସ୍ୱେଚ୍ଛାସେବୀ ସଂଗଠନ ଆସ୍ପାୟାର ଏବଂ ଟାଟା ଷ୍ଟିଲ ଫାଉଣ୍ଡେସନର ଅଂଶବିଶେଷ।

ଶିଶୁ ଦିବସ ୨୦୨୦ ପାଇଁ, ପରୀ ଏଜୁକେସନ ପକ୍ଷରୁ ଗ୍ରାମୀଣ ଓଡ଼ିଶା ଏବଂ ଝାଡ଼ଖଣ୍ଡର ଏହି ଶିକ୍ଷକମାନଙ୍କର ପ୍ରତିକ୍ରିୟା ଏବଂ ଲକଡାଉନ ସମୟରେ ସେମାନଙ୍କର ଛାତ୍ରଛାତ୍ରୀ ତିଆରି କରିଥିବା ମାନଚିତ୍ରକୁ ମିଳିତ ଭାବେ ଉପସ୍ଥାପନ କରିବା ଲାଗି ଚେଷ୍ଟା କରାଯାଇଛି।

ମାନଚିତ୍ର କାହିଁକି? କେନ୍ଦୁଝର ଜିଲ୍ଲା ଡିମ୍ବୋ ଗ୍ରାମର ୨୨ ବର୍ଷୀୟା ଶିକ୍ଷୟିତ୍ରୀ ମୋନାଲିସା ସାହୁ କୁହନ୍ତି, “ଆମର ପିଲାମାନେ ହୁଏତ’ ଭାରତ ମାନଚିତ୍ର ବିଷୟରେ ଜାଣନ୍ତି କିନ୍ତୁ ସେମାନଙ୍କ ନିଜ ଗ୍ରାମ ବିଷୟରେ ଜାଣନ୍ତି ନାହିଁ। ସେମାନଙ୍କର ଅନୁଧ୍ୟାନ କରିବାର କ୍ଷମତା ବୃଦ୍ଧି ପାଉଥିବା ଆମେ ଦେଖିଲୁ-ସେମାନଙ୍କ ଗ୍ରାମରେ ସେମାନଙ୍କର ଚାରିପାଖରେ ଥିବା ଜିନିଷଗୁଡ଼ିକ ପ୍ରତି ଧ୍ୟାନ ଦେବା ସେମାନେ ଆରମ୍ଭ କରିଛନ୍ତି। ମାନଚିତ୍ର ଜରିଆରେ ସେମାନେ ଏଗୁଡ଼ିକ ବିଷୟରେ ଜାଣିବାକୁ ସକ୍ଷମ ହେବେ ବୋଲି ଆମେ ଚିନ୍ତା କଲୁ।”

ନିଜର ମାନଚିତ୍ର ଆଙ୍କିବା ସାରି ଦେଇଛନ୍ତି, କୁତ୍ରା ତହସିଲର ୧୦ ବର୍ଷ ବୟସ୍କ ଗୋଣ୍ଡ ଆଦିବାସୀ ବାଳକ ପ୍ରାଚୀ ବରୀହା। ସେ କୁହନ୍ତି : “ମୁଁ ଜାଣି ନଥିଲି ପୃଥିବୀ ଏତେ ବଡ଼ ବୋଲି। ମୁଁ ଏହା ପୂର୍ବରୁ ଜାଣି ନ ଥିଲି।”

ଡମ୍ବରୁଧର ନିଆଲ
ବୟସ : ୩୯
ସ୍ଥାନ : କୁତ୍ରା ବ୍ଲକ, ସୁନ୍ଦରଗଡ଼ ଜିଲ୍ଲା, ଓଡ଼ିଶା

ଓଡ଼ିଶାରେ ଅଷ୍ଟମ ଶ୍ରେଣୀରେ ପରୀକ୍ଷା ହୋଇଥାଏ ଏବଂ ପିଲାମାନଙ୍କୁ ନିଜ ନାମ ଏବଂ ପିତାଙ୍କ ନାମ ଲେଖିବାକୁ ପଡ଼ିଥାଏ। ଅଧିକାଂଶ ଲେଖିପାରିନଥାନ୍ତି। ପ୍ରାୟତଃ କେବଳ ଦେଖାଇବା ଲାଗି, ସେମାନେ ଏପରି ପରୀକ୍ଷା ଆୟୋଜନ କରିଥାନ୍ତି ଏବଂ ନାଁକୁ କପି କରି ଲେଖିବା ପାଇଁ ଆଧାର କାର୍ଡ ଉପଯୋଗ କରିଥାନ୍ତି। ପିଲାମାନଙ୍କୁ ସ୍କୁଲରେ ଏହା ଲେଖିବାକୁ କଷ୍ଟ ହୋଇଥାଏ ଏବଂ ଅଷ୍ଟମ ଶ୍ରେଣୀ ପରେ ସେମାନେ ସ୍କୁଲ ଛାଡ଼ି ଦେଇଥାନ୍ତି।

ମୁଁ ଜଣେ ଦଳିତ ଏବଂ ମୁଁ ମୋର ଜନ୍ମସ୍ଥାନ ସହର ନୂଆପଡ଼ାର ଏକ ସରକାରୀ ବିଦ୍ୟାଳୟରେ ପାଠ ପଢ଼ୁଥିଲି। ବର୍ତ୍ତମାନ ମୁଁ ସୁନ୍ଦରଗଡ଼ ଜିଲ୍ଲାରେ କାର୍ଯ୍ୟ କରୁଛି-୪୦୦ କିମି ଦୂର, ଏଠାରେ ୪୭ ଜଣ ଶିକ୍ଷକଙ୍କୁ ଶିକ୍ଷାଦାନ ଏବଂ ପର୍ଯ୍ୟବେକ୍ଷଣ କରୁଛି।

ଆମେ ସରକାରୀ ସ୍କୁଲଗୁଡ଼ିକ ସହିତ ନିବିଡ଼ ସମ୍ପର୍କ ରଖିଥାଉ ଏବଂ ଆମେ ଦେଖିଥାଉ ଯେ ଶିକ୍ଷକମାନେ ସେମାନଙ୍କର ଶିକ୍ଷାଦାନ ଏବଂ ପିଲାମାନଙ୍କର ଶିକ୍ଷାଗ୍ରହଣ ପ୍ରତି ସେତେଟା ଆଗ୍ରହ ଦେଖାଉନାହାନ୍ତି। ସେମାନେ ଶିକ୍ଷାକୁ କେବଳ ପୁସ୍ତକ ଜ୍ଞାନ ଭାବେ ଦେଖିଥାନ୍ତି। ମୁଁ ଏହା ମଧ୍ୟ ଦେଖିଥାଏ ଯେ କର୍ମଚାରୀମାନେ ସେମାନଙ୍କର ନିଜ ପିଲାମାନଙ୍କୁ ଘରୋଇ ବିଦ୍ୟାଳୟକୁ ଛାଡ଼ିଥାନ୍ତି!

ଆମେ ଏହାଠାରୁ ଏକ ଭିନ୍ନ ମାର୍ଗରେ ପଢ଼ାଇଥାଉ। ଆମେ ଗତିବିଧି ଆଧାରିତ ଶିକ୍ଷାଦାନ କରିଥାଉ ଏବଂ ଅଧିକାଂଶ ଶିକ୍ଷକ ଏହା ବିଷୟରେ ଜାଣନ୍ତି ନାହିଁ। ଆମର ପ୍ରଶିକ୍ଷଣରେ, ଆମେ ଦେଖିବାକୁ ପାଇଥିଲୁ ଯେ ଶିକ୍ଷକମାନେ ଆରମ୍ଭରୁ ଏସବୁ ଗତିବିଧିରେ ନିଜେ ଅଂଶଗ୍ରହଣ କରୁନାହାନ୍ତି। ଥରେ ସେମାନେ ଅଂଶଗ୍ରହଣ କରିବା ଆରମ୍ଭ କଲେ ସେମାନେ ଏହାର ଉପଯୋଗିତାକୁ ବୁଝିବା ଆରମ୍ଭ କରିଛନ୍ତି।

ସୌର ମଣ୍ଡଳ ବିଷୟରେ ଶିକ୍ଷାଦାନର ଉଦାହରଣ ନିଅନ୍ତୁ। ସାଧାରଣତଃ ଏପରି ହୋଇଥାଏ ଯେ ବିଜ୍ଞାନ ଶିକ୍ଷକ ଏହାକୁ କଳା ପଟାରେ ଆଙ୍କି ଦେଇଥାନ୍ତି। ଆମେ ବିଜ୍ଞାନ ପଢ଼ାଇବା ଲାଗି ପିଲାମାନଙ୍କୁ ଶ୍ରେଣୀଗୃହ ବାହାରକୁ ନେଇଯାଇଥାଉ, ସେମାନଙ୍କୁ ସୌର ମଣ୍ଡଳର ମଡେଲ ପ୍ରଦର୍ଶିତ କରିଥାଉ ଏବଂ ନିଜ ଶୈଳୀରେ ତିଆରି କରିବା ଲାଗି ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିଥାଉ। ବିଜ୍ଞାନ ପଢ଼ାଇବା ଲାଗି ଅନୁଧ୍ୟାନ ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ ମାନଦଣ୍ଡ। ପିଲାମାନେ ଅଧିକ ଅଂଶଗ୍ରହଣକାରୀ ହୋଇଥାନ୍ତି ଏବଂ ସେମାନଙ୍କର (ଗଭୀର ଚିନ୍ତାଧାରା) ବିକଶିତ ହୋଇଥାଏ।


ପିଙ୍କି ସାହୁ
ବୟସ : ୨୭
ସ୍ଥାନ : ହରିଚନ୍ଦନପୁର ବ୍ଲକ, କେନ୍ଦୁଝର ଜିଲ୍ଲା, ଓଡ଼ିଶା

ମୋ ମା’ଙ୍କର ଦସ୍ତଖତ ହେଉଛି ବୁଢ଼ା ଆଙ୍ଗୁଠି ଛାପ। ଆମେ କାମଗୁଡ଼ିକୁ ସମ୍ପୂର୍ଣ୍ଣ ଭିନ୍ନ ଭାବେ କରିଥାଉ।

୨୦୧୫ ରେ ମୁଁ ଯେତେବେଳେ ଶିକ୍ଷାଦାନ ଆରମ୍ଭ କଲି, ମୁଁ ସାଇକେଲ ଚଳାଇବା ଜାଣିନଥିଲି। ତେଣୁ ମୁଁ ଏକ ଜଙ୍ଗଲ ଦେଇ ସ୍କୁଲକୁ ଯାଉଥିଲି। ୨୦୧୭ରେ, ମୁଁ ଏକ ସେକେଣ୍ଡ-ହ୍ୟାଣ୍ଡ ସ୍କୁଟି କିଣିଲି। ଲୋକମାନେ ସମାଲୋଚନା କଲେ (ଏବଂ ପଚାରିଲେ), “ସାଇକେଲ [ଚଳାଇ] ଜାଣିନଥାଇ ସେ ସ୍କୁଟି କିପରି [ଚଳାଇବ]?”। ମୁଁ ଏହାକୁ ଏକ ଆହ୍ୱାନ ଭାବେ ଗ୍ରହଣ କଲି ଏବଂ ମୁଁ ଆଉ ଏକ ନୂଆ ସ୍କୁଟି କିଣିଛି। ମୁଁ ଭଲ ଭାବେ ଗାଡ଼ି ଚଳାଇପାରୁଛି!

‘ଶିକ୍ଷକ ଓ ଛାତ୍ରଛାତ୍ରୀ ସାଧାରଣତଃ ସମାନ ଭାଷାରେ କଥା ହୋଇନଥାନ୍ତି’

ଏଠାକାର ଶିକ୍ଷକମାନଙ୍କ ପାଇଁ ଭାଷା ସବୁଠୁ ବଡ଼ ସମସ୍ୟା। ଆମ ଅଞ୍ଚଳରେ ଥିବା ପିଲାମାନେ ସମସ୍ତେ ଆଦିବାସୀ ଓ ଦଳିତ; ସେମାନେ ମୁଖ୍ୟତଃ ସାନ୍ତାଳୀ ଏବଂ ହୋ ଭାଷାରେ କଥା ହୋଇଥାନ୍ତି ଯାହାକୁ ଅନ୍ୟ ସମ୍ପ୍ରଦାୟର ଶିକ୍ଷକମାନେ କହିପାରିନଥାନ୍ତି। ଏହାଛଡ଼ା ଆଉ ଏକ ଜାତିଗତ ଦିଗ ମଧ୍ୟ ରହିଛି, କିଛି ଲୋକ ଛାତ୍ରଛାତ୍ରୀଙ୍କ ନିକଟକୁ ଯାଇନଥାନ୍ତି ଏବଂ ଖୋଲାଖୋଲି ଭାବେ ଏହାକୁ ଦର୍ଶାଇଥାନ୍ତି॥ ତେଣୁ ପିଲାମାନେ ନିରବ ରୁହନ୍ତି ଏବଂ ଭୟଭୀତ ଥାଆନ୍ତି। ଏପରି ପରିବେଶରେ ଜଣେ କିପରି ଭାବେ ଶିକ୍ଷାଲାଭ କରିପାରିବ?

ସେମାନଙ୍କର ବାପା ମା’ ବଡ଼ି ଭୋରୁ ଉଠି ମଜୁରି କାମ ଖୋଜିବାକୁ ବାହାରି ଯାଇଥାନ୍ତି। ତେଣୁ ସେମାନଙ୍କର ପିଲାମାନେ ସ୍କୁଲ ଯିବା କିମ୍ବା ଆଦୌ ପାଠ ନପଢ଼ିବା ବିଷୟରେ ପଚାରୁଛି କିଏ? ଏପରିକି ପିଲାମାନେ ସ୍କୁଲ ଯିବା ବେଳେ, ସେଠାରୁ ଖସି ଆସି ମାଛ ଧରିଥାନ୍ତି କିମ୍ବା ଜାଳେଣି କାଠ ସଂଗ୍ରହ କରିଥାନ୍ତି।

ଅଭିଭାବକମାନେ ଓଡ଼ିଆରେ କଥା ହୁଅନ୍ତି ନାହିଁ, ତେଣୁ ଶିକ୍ଷକମାନେ ସେମାନଙ୍କ ସହିତ କଥାବାର୍ତ୍ତା ହେବା ସମୟରେ ସମସ୍ୟା ଭୋଗିଥାନ୍ତି। ଏହା ମୋ ସହିତ ଘଟିଥିଲା : ମୁଁ ପିଲାମାନଙ୍କୁ ଆସିବା ଲାଗି ରାଜି କରାଇଲି କିନ୍ତୁ ଯେତେବେଳେ ସେମାନେ ଆସିଲେ ଗୋଟିଏ ହେଲେ ଶବ୍ଦ ବୁଝିପାରିଲେ ନାହିଁ। ସେ ସମୟରେ, ମୋତେ ଖୁବ କାନ୍ଦ ଲାଗିଥିଲା। ଏପରିକି ମୋ ମା’ ମୋତେ ସ୍କୁଲ ବଦଳାଇବା ପାଇଁ କହିଥିଲେ। ହେଲେ ମୁଁ ନିରାଶ ହେଲି ନାହିଁ; ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାଉଥିବା ଜଣେ ସାନ୍ତାଳୀ ଶିକ୍ଷୟିତ୍ରୀଙ୍କୁ ମୁଁ ନିରୀକ୍ଷଣ କଲି ଏବଂ ତାଙ୍କ ଠାରୁ ହୋ ଭାଷାର କେତୋଟି ଶବ୍ଦ ଶିଖିବା ପାଇଁ ଚେଷ୍ଟା କଲି।

ଯେତେବେଳେ ଆମେ ଏହି ମାନଚିତ୍ର ଅଭ୍ୟାସ କଲୁ, ଆମେ ସେମାନଙ୍କୁ ବୁଝାଇଲୁ ଯେ ମାନଚିତ୍ର କିଭଳି ଭାବେ ସହଜରେ ସବୁକିଛି ଦେଖିବା ଓ ଖୋଜିବାରେ ସହାୟକ ହୋଇଥାଏ। ଶିକ୍ଷକଭାବେ, ଆମକୁ ଗ୍ରାମର ମାନଚିତ୍ର ପ୍ରସ୍ତୁତି ଲାଗି ଜନସମୁଦାୟ ସହିତ କାମ କରିବାକୁ ପଡ଼ିଲା। ତେଣୁ ପ୍ରତୀକ ବିଷୟରେ ଆମର ଜ୍ଞାନ ଆସିଲା, କିନ୍ତୁ ପିଲାମାନେ କିଛି ନୂଆ କଥା ନେଇ ଆସିଲେ। ଉଦାହରଣ ସ୍ଵରୁପ, ‘ୟୁଥ କ୍ଲବ’ ପାଇଁ ସେମାନେ ପୁଅ ଓ ଝିଅଙ୍କ ଏକ ବାଡ଼ି ଚିତ୍ରକୁ ପ୍ରତୀକ ଭାବେ ବ୍ୟବହାର କଲେ।

ଆମେ ସୁରକ୍ଷା ପ୍ରତି ବେଶ ସତର୍କ ରହିଥାଉ । ଯଦି ସାମାନ୍ୟ ଥଣ୍ଡା କିମ୍ବା ଜ୍ୱର ଅନୁଭବ କଲେ ଆମେ ଯାଇନଥାଉ। ଆମେ ମଧ୍ୟ ପିଲାମାନଙ୍କୁ କହିଛୁ ଯେ ଯଦି ସେମାନେ ଅସୁସ୍ଥ ଅନୁଭବ କରୁଛନ୍ତି, ତା’ହେଲେ ସେମାନେ ପାଠ ପଢ଼ିବାକୁ ନଆସନ୍ତୁ। ସେମାନେ ଆସିଲେ ମୁଁ ସେମାନଙ୍କ କଲମ କିମ୍ବା ଖାତାକୁ ଛୁଇଁ ନଥାଏ ଏବଂ ସେମାନଙ୍କୁ ମଧ୍ୟ ପରସ୍ପରର କଲମ କିମ୍ବା ଖାତା ଛୁଇଁବାକୁ ଦେଇନଥାଏ। ମୁଁ ସେମାନଙ୍କୁ ନିର୍ଦ୍ଧାରିତ ଦୂରତା ରକ୍ଷା କରି ବସିବା ଲାଗି ଏବଂ ହାତ ସଫା କରିବା ଲାଗି କହିଥାଏ। ସାବୁନ ପାଇଁ ସେମାନଙ୍କର ବାପା ମା’ (ଟଙ୍କା) ଦେଇଥାନ୍ତି।


ନୂତପ ବେହେରା
ବୟସ : ୨୪
ସ୍ଥାନ : ଗଙ୍ଗାଜଳ ଗ୍ରାମ, କୁତ୍ରା ବ୍ଲକ, ସୁନ୍ଦରଗଡ଼ ଜିଲ୍ଲା, ଓଡ଼ିଶା

ଲକଡାଉନ ପୂର୍ବରୁ, ସ୍କୁଲରେ ‘ପାଠ୍ୟପୁସ୍ତକ’ ପଢ଼ା ହେଉଥିଲା। ବର୍ତ୍ତମାନ, କୌଣସି ସୀମା ନାହିଁ। ମୋର ଶିକ୍ଷାଦାନ ପ୍ରକୃତି ସହିତ ଅଧିକ ଜଡ଼ିତ। ଜଳ ଜୀବ ବିଷୟରେ ଶିକ୍ଷାଦାନ କରିବା ଲାଗି ମୁଁ ସେମାନଙ୍କୁ ନଦୀ ନିକଟକୁ ନେଇ ଯାଇଥାଏ। ମୁଁ ପଢ଼ାଉଥିବା ଅଧିକାଂଶ ପିଲା ଆଦିବାସୀ ଏବଂ ସେମାନେ ପାଠ ପଢ଼ା ବିଷୟରେ ଜାଣନ୍ତି, କିନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା ବିଷୟରେ ଜାଣିନଥାନ୍ତି।

ପିଲାମାନେ ସେମାନଙ୍କର ସମୟର ଉପଯୋଗ ଜାଣି ନେଇଛନ୍ତି; ନିଜ ଇଚ୍ଛାରେ ବସିବା ଏବଂ ଧ୍ୟାନ ଦେବା ଶିଖିଯାଇଛନ୍ତି
ଫଟୋ ବୈଜୟନ୍ତୀ ବରିହାଙ୍କ ଦ୍ୱାରା

ଚାଷ ଜମିରେ କାମ କରୁଥିବା ଲୋକଙ୍କୁ ଆମେ ସାକ୍ଷାତ କରି କଥା ହୋଇଥିଲୁ। ସେମାନଙ୍କ ପାଇଁ ସେଦିନର ଘର ପାଠ ଥିଲା ନିଜେ କିପରି ଏକ ମଞ୍ଜି ପୋତିବେ ଏବଂ ତାହା କାହିଁକି ଗଜା ହେଲା ଏବଂ କାହିଁକି ଗଜା ନହେଲା ସେ ବିଷୟରେ ଅନୁଧ୍ୟାନ କରି ଶ୍ରେଣୀକୁ ଆସିବେ। ଦୁନିଆ ଡିଜିଟାଲ୍ ହେବାରେ ଲାଗିଛି। ପିଲାମାନେ ଅଧିକ ଡିଜିଟାଲ (ଜ୍ଞାନ) କ୍ଷେତ୍ରରେ ମନୋନିବେଶ କରୁଛନ୍ତି ଏବଂ ପାରମ୍ପରିକ ଭାବେ ସବୁକଥାକୁ ବୁଝିବାର ଜ୍ଞାନ ହରାଉଛନ୍ତି।

ମାନଚିତ୍ର ତିଆରି ଅଭ୍ୟାସ ମାଧ୍ୟମରେ, ଆମେ ସେମାନଙ୍କୁ ଦେଖାଇବାକୁ ଚାହୁଁଛୁ ଯେ ପୃଥିବୀ ବିଶାଳ କିନ୍ତୁ ଆମେ ଏହାକୁ ଏକ କ୍ଷୁଦ୍ର ସ୍ଥାନରେ କିପରି ଭାବେ ଉପସ୍ଥାପିତ କରିପାରିବୁ? ସେମାନେ ମାନଚିତ୍ରରେ କିଛି ଦର୍ଶାଇବା କିମ୍ବା ତାହା କିପରି ତିଆରି ହେଉଛି କହିବା ଲାଗି ସକ୍ଷମ ହେଲେ ନାହିଁ। ଅଥବା ଏହା ବିନା କିପରି ଦୂରତା ମାପି ହେବ ତାହା କହିପାରିଲେ ନାହିଁ। ଏହାକୁ ବଦଳାଇବା ପାଇଁ ମୁଁ ସେମାନଙ୍କୁ ସେମାନଙ୍କର ସ୍କୁଲ ନିକଟକୁ ନେଇଗଲି ଏବଂ ଏହାର ଏକ ଫଟୋ ଉଠାଇଲି। ସେମାନେ ଦେଖିଲେ କିଛି ବଡ଼ ଜିନିଷକୁ –ଏତେ ସ୍ପଷ୍ଟ ଭାବେ-ଛୋଟ କରି କିଭଳି ଭାବେ ଦର୍ଶାଯାଇପାରିବ। ଏହି ଦୃଷ୍ଟିକୋଣ ଫଳରେ ଆମେ ମାନଚିତ୍ର ତିଆରି କରିବାରେ ସକ୍ଷମ ହେଲୁ। ଏହା ମାଧ୍ୟମରେ, ସେମାନେ ନିଜ ମାନଚିତ୍ର ପାଇଁ ପ୍ରତୀକ ଆଙ୍କିଲେ। ଏହାକୁ ସାରିବା ପରେ, ସେମାନେ ନିଜ ଗ୍ରାମ ପଞ୍ଚାୟତ ମାନଚିତ୍ର ଆଙ୍କିଲେ, ଏହାପରେ ସେମାନଙ୍କର ଜିଲ୍ଲା, ରାଜ୍ୟ, ଦେଶ, ମହାଦେଶ ଏବଂ ଶେଷରେ ପୃଥିବୀର ମାନଚିତ୍ର ଆଙ୍କିପାରିଲେ। ଯଦି ଆପଣ ମୋର କୌଣସି ଜଣେ ଛାତ୍ରଙ୍କୁ ଅଷ୍ଟ୍ରେଲିଆ କେଉଁଠି ଏବଂ ଏହା କାହିଁକି ପରିଚିତ ବୋଲି ପଚାରନ୍ତି, ସେମାନେ ଆପଣଙ୍କୁ କହିଦେବେ!

ସ୍କୁଲ ବନ୍ଦ ଥିବା ସମୟରେ ଶିକ୍ଷକ ଓ ଅଭିଭାବକଙ୍କ ମାର୍ଗଦର୍ଶନ ବିନା ସମୟର ଉପଯୋଗ କରିବା ଛାତ୍ରଛାତ୍ରୀମାନଙ୍କୁ ଶିଖିବାକୁ ପଡ଼ିଥିଲା। କେବଳ ପାଠପଢ଼ା ନୁହେଁ, ଧୀରେ ଧୀରେ, ସେମାନେ ନିଜ ଇଚ୍ଛାରେ ବସିବା ଏବଂ ଏକାଗ୍ର ହେବା ଶିଖିଲେ। ଏହା ଦେଖିବା ବେଶ ଆନନ୍ଦଦାୟକ ଅନୁଭବ ଥିଲା। ମୁଁ ଏପରି ଭାବେ ସମୟସାରଣୀ ପ୍ରସ୍ତୁତ କରିଥିଲି ଯାହାଫଳରେ ସେମାନେ ନିଜ ଇଚ୍ଛାରେ ପାଠପଢ଼ିବା ଏବଂ ଖେଳିବା ଲାଗି ସମୟ ବାହାର କରିପାରିବେ।

ଶିକ୍ଷକ ଭାବେ, ମୁଁ ଦୁର୍ବଳ ଛାତ୍ରଛାତ୍ରୀଙ୍କ ପ୍ରତି ସବୁବେଳେ ବିଶେଷ ଧ୍ୟାନ ଦେଉଥିଲି। କିନ୍ତୁ ଶ୍ରେଣୀଗୃହରେ ପାଠପଢ଼ା ସମୟରେ ଯଦି ଆମେ ସେମାନଙ୍କ ପାଇଁ ଧୀରେ ଧୀରେ ପାଠପଢ଼ାଉଥିଲୁ ଏବଂ ବାରମ୍ବାର ପାଠ ଦୋହରାଉଥିଲୁ ତା’ହେଲେ ଅନ୍ୟମାନେ ବିରକ୍ତ ହୋଇଯାଉଥିଲେ। କିନ୍ତୁ ଛୋଟ ଶ୍ରେଣୀରେ, ଏହା ଆଉ ଏକ ସମସ୍ୟା ହୋଇନାହିଁ। ଆମେ ଦୁଇରୁ ତିନି ଘଣ୍ଟା ବସିପାରୁଛୁ ଏବଂ ଧୀରେ ଧୀରେ ସେମାନଙ୍କ ବ୍ୟକ୍ତିଗତ ପାଠପଢ଼ା ପ୍ରତି ଧ୍ୟାନ ଦେଇପାରୁଛୁ। ଏଠାରେ ମଧ୍ୟ ଶ୍ରେଣୀଗୃହର ଚିରାଚରିତ କୋଳାହଳ ଓ ହୋହଲ୍ଲା ନାହିଁ ଯାହାକି ସାଧାରଣତଃ ଦେଖାଯାଇଥାଏ।

ତେବେ ଏହି ପଦ୍ଧତିର ସବୁଠୁ ଆହ୍ୱାନପୂର୍ଣ୍ଣ ଅଂଶ ହେଉଛି ଚାଷ ସମୟରେ ପିଲାମାନଙ୍କୁ ସେମାନଙ୍କର ଅଭିଭାବକଙ୍କ ସହିତ ଯିବାକୁ ହୋଇଥାଏ। ଅଥବା ଯଦି (ପ୍ରବାସୀ) କାମ ଆରମ୍ଭ ହୋଇଥାଏ। ମୁଁ ଏକୁଟିଆ ରହିଥାଏ ଏବଂ ଅଧିକାଂଶ ସମୟରେ ମୋର ପାଠପଢ଼ା ରାତି ୮ଟାରୁ ୯ଟା ପର୍ଯ୍ୟନ୍ତ ଚାଲିଥାଏ। ସେତେବେଳ ସୁଦ୍ଧା ମୁଁ ରାନ୍ଧିବା ଏବଂ ରାତ୍ରିଭୋଜନ କାମ ସାରି ଦେଇଥାଏ, ଏପରିକି ମଧ୍ୟ ରାତ୍ରୀ ହୋଇଯାଇଥାଏ। କିନ୍ତୁ ଏହା ମୋର ଦାୟିତ୍ୱ।

ଅଧିକାଂଶ ସ୍କୁଲରେ, ଲକଡାଉନ ଆରମ୍ଭ ହେବା ପରେ, ଭର୍ଚୁଆଲ ଶିକ୍ଷାଦାନ ଆରମ୍ଭ ହୋଇଥିଲା। ଏଥିରେ ଅନେକ ସମସ୍ୟା ରହିଥିଲା, ଶ୍ରେଣୀର ଦୁଇ କିମ୍ବା ତିନି ଜଣ ଛାତ୍ରଛାତ୍ରୀଙ୍କ ପରିବାର ନିକଟରେ ଆଣ୍ଡ୍ରଏଡ ଫୋନ ଥିଲା ଏବଂ ସେମାନଙ୍କ ଅଭିଭାବକମାନେ ତା’କୁ କାମକୁ ନେଇଯାଉଥିଲେ। ଏପରିକି ଯଦି ସେମାନଙ୍କ ନିକଟରେ (ସ୍ମାର୍ଟଫୋନ) ଥିଲା, କିମ୍ବା ସେମାନଙ୍କ ଅଭିଭାବକଙ୍କ ପାଖରେ ଥିଲା, ତା’କୁ ଚଳାଇ ପାଠପଢ଼ି ଶିଖିବା ପାଇଁ ସମୟ ଲାଗୁଥିଲା।

ମୁଁ ୪୩ ଜଣ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଥାଏ ଏବଂ ଥରକେ ମୋ ସହିତ ୫ ଜଣ କିମ୍ବା ଅଧିକ ପିଲା ଥାଆନ୍ତି। ସାଧାରଣତଃ, ମୁଁ ସେମାନଙ୍କୁ ଘରେ ପଢ଼ାଇଥାଏ-ବାରଣ୍ଡା ଆମ ପାଇଁ ଯଥେଷ୍ଟ ଉପଯୋଗୀ ହୋଇଥାଏ। ପ୍ରତି ଛାତ୍ରଛାତ୍ରୀଙ୍କ ଦଳ ପାଇଁ ମୁଁ ଦୁଇରୁ ତିନି ଘଣ୍ଟା ବିତାଇଥାଏ। ମୋତେ ସମସ୍ତ ଛାତ୍ରଛାତ୍ରୀଙ୍କ ନିକଟକୁ ସପ୍ତାହକୁ ଅତିକମରେ ଥରେ ଯିବାକୁ ପଡ଼ିଥାଏ, ତେଣୁ ମୁଁ ମୋ ସାଇକେଲ ବ୍ୟବହାର କରିଥାଏ ଏବଂ ମୁଁ ଚାଲିଥାଏ ମଧ୍ୟ।


ଚନ୍ଦ୍ରମଣି ମାଜୀ
ବୟସ: ୩୨
ସ୍ଥାନ : କନ୍ଧ ଆଦିବାସୀ, ନୂଆମୁଣ୍ଡି ବ୍ଲକ, ପଶ୍ଚିମ ସିଂହଭୂମ ଜିଲ୍ଲା, ଝାଡ଼ଖଣ୍ଡ

ଆମ ଅଞ୍ଚଳରେ, ବହୁସଂଖ୍ୟକ ଛାତ୍ରଛାତ୍ରୀ ସ୍କୁଲ ଛାଡ଼ିଥିବା ଆମେ ଦେଖିଲୁ। ସେମାନଙ୍କ ନାମ ଲେଖା ହୋଇଛି, କିନ୍ତୁ ସେମାନେ ସ୍କୁଲକୁ ଆସୁନାହାନ୍ତି। ଏପରିକି କିଛି ପିଲା ସ୍କୁଲକୁ ଆସୁଥିଲେ ମଧ୍ୟ ସେମାନଙ୍କର ଶ୍ରେଣୀ ଅନୁଯାୟୀ ପ୍ରଦର୍ଶନ କରିପାରୁନାହାନ୍ତି। ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ ପଢ଼ି କିମ୍ବା ଲେଖିପାରୁନାହାନ୍ତି।

ଆମେ ଯେତେବେଳେ ଆରମ୍ଭ କଲୁ, ଆମେ ଯଦି ପିଲାଙ୍କୁ ବହିଟିଏ ଧରାଇ ଦେଇଥାନ୍ତୁ ତା’ହେଲେ ସେମାନେ ଦୌଡ଼ି ପଳାଇଥାନ୍ତେ!

ଆମେ ଯେତେବେଳେ ଆରମ୍ଭ କଲୁ, ଯଦି ଆମେ ପିଲାଙ୍କୁ ବହିଟିଏ ଧରାଇ ଦେଇଥାନ୍ତୁ, ତା’ହେଲେ ସେମାନେ ଦୌଡ଼ି ପଳାଇଥାନ୍ତେ! ଧୀରେ ଧୀରେ ସେମାନେ ନିଜ ଇଚ୍ଛାରେ ପାଠ ପଢ଼ିବାକୁ ଲାଗିଛନ୍ତି। ସେମାନେ ନୂଆ କଥା ଶିଖିବା ଲାଗି ଆଗ୍ରହ ପ୍ରକାଶ କରୁଛନ୍ତି ଏବଂ ସେମାନଙ୍କ ପାଠପଢ଼ା ଅଧିକ ନିୟମିତ ହୋଇଛି।

ଆମେ ପ୍ରଥମେ ଯେତେବେଳେ ପିଲାମାନଙ୍କୁ ନେଇ ପାଠପଢ଼ା ଆରମ୍ଭ କରିଥିଲୁ, ସେମାନେ କହୁଥିଲେ, ‘ମୁଁ ଶିକ୍ଷକ କିମ୍ବା ପୋଲିସ କିମ୍ବା ଡାକ୍ତର ହେବି’। ବର୍ତ୍ତମାନ ସେମାନେ କହୁଛନ୍ତି, ‘ମୁଁ କଳାକାର ହେବି’, ଏପରିକି କେହି କେହି ଖେଳାଳୀ (କୁସ୍ତି) ହେବାକୁ କହୁଛନ୍ତି।

ମୋ ଘର ଓଡ଼ିଶାରେ ଏବଂ ମୁଁ ଝାଡ଼ଖଣ୍ଡରେ ଶିକ୍ଷକ ସଂଯୋଜକ ଭାବେ କାମ କରୁଛି। ସମସ୍ତ ଶିକ୍ଷକମାନଙ୍କୁ ଏସବୁ ଅଞ୍ଚଳରୁ ନିଯୁକ୍ତି ଦିଆଯାଇଛି। ଅଧିକାଂଶ ଲୋକ ଆଦିବାସୀ ଏବଂ ସାନ୍ତାଳ ଓ ହୋ ସମ୍ପ୍ରଦାୟର।


ନିବେଦିତା ମହାନ୍ତ
ବୟସ : ୨୩
ସ୍ଥାନ : ଭନ୍ଦା ଗ୍ରାମ, ଚମ୍ପୁଆ ବ୍ଲକ, କେନ୍ଦୁଝର ଜିଲ୍ଲା, ଓଡ଼ିଶା

ପୂର୍ବରୁ, ଅଭିଭାବକ ଏବଂ ପିଲାମାନେ ଘରେ ରହୁନଥିଲେ ଏବଂ ମୋତେ ସେମାନଙ୍କ ଗ୍ରାମରେ ପିଲାମାନଙ୍କୁ ଖୋଜିବାକୁ ପଡ଼ୁଥିଲା। ପିଲାମାନଙ୍କୁ ଖୋଜିବା ଲାଗି ମୋତେ ଦୁଇରୁ ତିନି ଘଣ୍ଟା ଲାଗୁଥିଲା। ସେମାନେ ମୋତେ ଦେଖି, ‘ଦିଦି ଆସୁଛନ୍ତି’ ବୋଲି କହି ଦୌଡ଼ି ପଳାଉଥିଲେ! ମୋତେ ସେମାନଙ୍କୁ ବିଲରେ କିମ୍ବା ନଈ ପାଖରେ, ଏଠି ଓ ସେଠି ଖୋଜିବାକୁ ପଡ଼ୁଥିଲା। ଏବେ ପିଲାମାନେ ମୋ ଠାରୁ ଆଗୁଆ ପହଞ୍ଚି ଯାଉଛନ୍ତି। ମୁଁ ସେମାନଙ୍କ ଅଭିଭାବକ ଏବଂ ଗାଁର ଯୁବପିଢ଼ି ସହିତ ସମ୍ପର୍କ ସ୍ଥାପନ କରିଛି। ଅଭିଭାବକମାନେ ମୋତେ ଦେଖୁଥିବା କାରଣରୁ ସେମାନଙ୍କ ଶିକ୍ଷକ ସ୍କୁଲକୁ ଆସିନାହାନ୍ତି ବୋଲି ପିଲାମାନେ ମିଛରେ କହିପାରୁନାହାନ୍ତି !

ମୁଁ ଯେତେବେଳେ ପ୍ରଥମ ଥର ପାଇଁ ମୋର ଲକଡାଉନ କ୍ଲାସ ଆରମ୍ଭ କଲି ମୋତେ ସେମାନଙ୍କ ପର୍ବପର୍ବାଣୀ, ଦୈନନ୍ଦିନ କାର୍ଯ୍ୟ, ଭାଷା ଆଦି ବିଷୟରେ ଜାଣିବା ଲାଗି କିଛି ସମୟ ଲାଗିଥିଲା। ମୁଁ ସେମାନଙ୍କୁ ଭଲ ଭାବେ ଜାଣିନେବା ପରେ ସେମାନଙ୍କୁ ନିଜ ପିଲାଙ୍କ ପାଠପଢ଼ାରେ ସମ୍ପୃକ୍ତ ହେବା ଲାଗି କହିଲି। କିଛିଦିନ ପରେ ଅଭିଭାବକମାନେ ମୋ ସହିତ ମିଶିଗଲେ ଏବଂ ଆମ ପାଠପଢ଼ାକୁ ସମର୍ଥନ କଲେ। ମୁଁ ପାଠ ପଢ଼ାଇବା ଲାଗି ଘରକୁ ଘର ବୁଲିଥାଏ ଏବଂ ଅଭିଭାବକମାନେ ପିଲାମାନଙ୍କର ଛୋଟ ଛୋଟ ଦଳକୁ ପଢ଼ାଇବା ଲାଗି ସେମାନଙ୍କ ବାରଣ୍ଡାରେ ବସିବା ଲାଗି ମୋତେ କହିଥାନ୍ତି। ମୁଁ ପ୍ରତି ପିଲା ପାଇଁ ଏକ ସମୟସାରଣୀ ପ୍ରସ୍ତୁତ କରିଛି ଏବଂ ସମସ୍ତ ୬୭ ପିଲାଙ୍କ ନିକଟରେ ମୁଁ ସପ୍ତାହକୁ ଅତିକମରେ ଦୁଇ ଥର ପହଞ୍ଚିଥାଏ। ମୁଁ କୋଳାହଳପୂର୍ଣ୍ଣ ପରିବେଶ ଠାରୁ ଦୂରରେ ଥିବା ସ୍ଥାନରେ ସାଧାରଣତଃ ପାଠ ପଢ଼ାଇଥାଏ।

‘ମୁଁ ଭାରତ ମାନଚିତ୍ରର ରେଖାଚିତ୍ର ଭୂମିରେ ଆଙ୍କିଥାଏ। ଏବଂ ଏହାକୁ ଫ୍ଲାସକାର୍ଡରେ ଭର୍ତ୍ତି କରି ସେମାନଙ୍କ ପ୍ରତ୍ୟେକ ରାଜ୍ୟ ଦେଖାଇଥାଏ’

ଆମେ ଅନୁଭବ କଲୁ ଯେ ସେମାନେ ନିଜ ଗ୍ରାମ ବିଷୟରେ ଜାଣିବା ଉଚିତ ସେଥିପାଇଁ ଏହି ମାନଚିତ୍ର ପ୍ରକଳ୍ପ ସାମ୍ନାକୁ ଆସିଲା। ଅତି କମରେ ସେମାନଙ୍କୁ ଭାରତ ମାନଚିତ୍ର ବିଷୟରେ ଶିକ୍ଷାଦାନ କରିବା ସମୟରେ ପ୍ରଥମେ ସେମାନଙ୍କର ଗ୍ରାମ ମାନଚିତ୍ର ତିଆରି କରିବା ଶିଖାଇବା ଦରକାର ଥିଲା। ଯାହାଫଳରେ ସେମାନେ ବିଭିନ୍ନ ଦିଗ ବିଷୟରେ ଜାଣିପାରିବେ-ଅଙ୍ଗନବାଡ଼ି କେଉଁଠି ଅଛି, ଭିନ୍ନ ଭିନ୍ନ ମାର୍ଗ କେଉଁ ସ୍ଥାନକୁ ଯାଉଛି ଏବଂ ସେମାନଙ୍କ ନିଜ ଘର କେଉଁଠି।

ପିଲାମାନେ ସେମାନଙ୍କ ମାନଚିତ୍ର ତିଆରି କରିବା ଏବଂ ପ୍ରତୀକ ଆଙ୍କିବା ଶିଖିନେବା ପରେ, ଆମେ ସେମାନଙ୍କୁ ଭାରତ ମାନଚିତ୍ର ଶିଖାଇବା ଆରମ୍ଭ କଲୁ। ଏହା ଖୁବ୍ କଷ୍ଟକର ଥିଲା। ଏପରିକି ବିଭିନ୍ନ ରାଜ୍ୟର ନାମ ଉଚ୍ଚାରଣ କଷ୍ଟକର ଥିଲା। ମୁଁ କ’ଣ କଲି ନା, ପ୍ରଥମେ ଏକ ବଡ଼ କାଗଜରେ ଭାରତର ମାନଚିତ୍ରଟିଏ ତିଆରି କଲି ଏବଂ ଏହାକୁ ପ୍ରତ୍ୟେକ ବାସସ୍ଥାନକୁ ନେଇଗଲି। ଏହାପରେ ମୁଁ ଭୂମି ଉପରେ ଭାରତ ମାନଚିତ୍ରର ଏକ ରେଖାଚିତ୍ର ଆଙ୍କି ଦେଲି। ଏବଂ ଏହାକୁ ଫ୍ଲାସକାର୍ଡରେ ଭର୍ତ୍ତି କରି ବିଭିନ୍ନ ରାଜ୍ୟ କେଉଁଠି ଅଛି ଦେଖାଇଲି। ଏହିପରି ଭାବେ ସେମାନେ ଉତ୍ତର-ଦକ୍ଷିଣ-ପୂର୍ବ-ପଶ୍ଚିମ ଚିହ୍ନିବାକୁ ସକ୍ଷମ ହୋଇପାରିଲେ। ସେମାନଙ୍କୁ ଅନୁଧ୍ୟାନ କରିବା ଲାଗି, ମୁଁ ସେମାନଙ୍କୁ ଏକ ରାଜ୍ୟର ଫ୍ଲାସକାର୍ଡ ଧରାଇ ଦେଇ ମାନଚିତ୍ରରେ ସେହି ରାଜ୍ୟକୁ ଚିହ୍ନାଇ ଦେବା ଲାଗି ପଚାରୁଥିଲି। ଏହା ସଫଳ ହୋଇଆସିଛି ଏବଂ ଏବେ ଆମେ ଜିଲ୍ଲା ମାନଚିତ୍ର ତିଆରି କରିବା ଦିଗରେ ଅଗ୍ରସର ହେଉଛୁ।


ରଶ୍ମୀ ଜୟପୁରିଆ
ବୟସ : ୨୬
ସ୍ଥାନ : ଗୋମାରଡିହି ହାମଲେଟ, ଟୁନମୁରା ଗ୍ରାମ, କୁତ୍ରା ବ୍ଲକ, ସୁନ୍ଦରଗଡ଼ ଜିଲ୍ଲା, ଓଡ଼ିଶା

ଆମେ ଚଟାଣରେ ଅଭ୍ୟାସରୁ ଆରମ୍ଭ କଲୁ-ଆମେ ଚକ୍ ରେ ଭାରତର ମାନଚିତ୍ର ଚଟାଣରେ ତିଆରି କଲୁ ଏବଂ ଆମେ ରାଜ୍ୟ ଓ ସେମାନଙ୍କର ରାଜଧାନୀ ଠାବ କରିବା ଆରମ୍ଭ କଲୁ। ଏବେ ସେମାନେ (ପିଲାମାନେ) ସହଜରେ ମୋତେ କହିଦେଇପାରୁଛନ୍ତି ଯେ କେଉଁ ରାଜ୍ୟ ଭାରତର ପୂର୍ବରେ ଏବଂ କେଉଁଟି ପଶ୍ଚିମରେ ରହିଛି।

ମୋତେ କେଉଁ ପଡ଼ାକୁ ଯିବାକୁ ହେବ ସେହି ଅନୁଯାୟୀ ମୁଁ ପାଠ୍ୟକ୍ରମ ପ୍ରସ୍ତୁତ କରିଥାଏ।

ପୂର୍ବରୁ ୨୯ଟି ରାଜ୍ୟ ଥିଲା, ଏବେ ଲଦାଖ ଭଳି ସ୍ଥାନ ପରିବର୍ତ୍ତନ ହେବା ପରେ, ମୁଁ ସେମାନଙ୍କୁ ଏହି ଅଭ୍ୟାସ ବଳରେ ଶିଖାଇବାକୁ ସକ୍ଷମ ହୋଇଛି। ଏପରିକି ଆନ୍ଧ୍ରପ୍ରଦେଶର ରାଜଧାନୀ ପୂର୍ବରୁ ହାଇଦ୍ରାବାଦ ଥିଲା, କିନ୍ତୁ ଏବେ ଏହା ଅମରାବତୀ ହୋଇଛି। ତେଣୁ ଏବେ ପିଲାମାନେ ଏପରି ନୂଆ କଥା ଶିଖିବା ଆରମ୍ଭ କରିଛନ୍ତି।

ଗାଁ ମାନଚିତ୍ର ତିଆରି କରିବା ସମୟରେ, ସେମାନେ କଚ୍ଚା ରାସ୍ତା ଚିହ୍ନଟ କରିବା ଏବଂ ପକ୍କା ରୋଡ ପାଇଁ କେଉଁ ଚିହ୍ନ ବ୍ୟବହୃତ ହେବ ତାହା କରିପାରୁଛନ୍ତି। ଏବେ, ସେମାନେ ରାସ୍ତାରେ ପ୍ରତୀକଗୁଡ଼ିକ ଦେଖିଲେ ଚିହ୍ନି ପାରୁଥିଲେ, ଏବଂ ସେମାନେ ଯେଉଁ ସ୍ଥାନକୁ ଯାଉଛନ୍ତି ସେହି ସ୍ଥାନର ମାନଚିତ୍ର ତିଆରି କରିପାରୁଛନ୍ତି। ଆମେ ସେମାନଙ୍କୁ ସବୁକଥା ଅନୁଧ୍ୟାନ କରିବା ଲାଗି ଉତ୍ସାହିତ କରୁଛୁ ଏବଂ ସେମାନଙ୍କ ଖାତାରେ ନୋଟ କରିବା ଲାଗି କହୁଛୁ; ଏହା ସେମାନଙ୍କୁ ବ୍ୟସ୍ତ ରଖିଛି।

ଆମେ ସେମାନଙ୍କୁ ଚାଷ ଜମିକୁ ଯିବା ଏବଂ ଚାଷ କରିବା ଶିଖାଇଛୁ। ସେମାନେ ଫେରିଆସି ନିଜେ ଚାରା ରୋପଣ କରୁଛନ୍ତି, ଫସଲ ଅମଳ ପାଇଁ କିପରି ଚାରା ରୋପଣ କରିବାକୁ ହେବ ଏବଂ ଭଲ ବଢ଼ିବା ପାଇଁ ଧାନ ଗଛ ମଧ୍ୟରେ କେତେ ବ୍ୟବଧାନ ରଖିବାକୁ ହେବ ତାହା ସେମାନେ କରୁଛନ୍ତି। ସେମାନେ ଚାଷୀ ପରିବାରରୁ ଆସିଛନ୍ତି, କିନ୍ତୁ ଏହି ଶିକ୍ଷା ସେମାନଙ୍କ ପାଇଁ ନୂଆ। ଆମେ ବିଭିନ୍ନ ପ୍ରକାରର ଚାରା ରୋପଣ କରିଛୁ ଏବଂ ଜନସମୁଦାୟ ଆମ ସହିତ ଯୋଡ଼ି ହୋଇଛନ୍ତି। ଏହିପରି ଭାବେ ମାଟି କ’ଣ ଚାହୁଁଛି ଏବଂ କେତେ ପାଣି ଦେବାକୁ ହେବ ତାହା ଛାତ୍ରଛାତ୍ରୀ ବୁଝିବା ଲାଗି ସକ୍ଷମ ହୋଇଛନ୍ତି। ଏବେ ଗଛଗୁଡ଼ିକ ବଢ଼ିଯିବା ପରେ ପିଲାମାନେ ତା’କୁ ଦେଖି ଖୁସି ହେଉଛନ୍ତି। କାରଣ ସେମାନେ ନିଜ ହାତରେ ଏସବୁ କରିଛନ୍ତି।

ଆମର ଅଭ୍ୟାସ ମଧ୍ୟରୁ ଗୋଟିଏ ଥିଲା କୁକୁଡ଼ାର ଉଚ୍ଚତା ଏବଂ ଗାଈର ଚଉଡ଼ା ମାପିବା। ମାତାପିତା ଏହାର ଲକ୍ଷ୍ୟ ବିଷୟରେ ଜାଣିବା ପରେ, ସେମାନେ ନିଜ ପିଲାମାନଙ୍କୁ ସହାୟତା କରିବା ସହିତ ଆମକୁ ସେମାନଙ୍କ ଘରେ ସ୍ୱାଗତ କରୁଛନ୍ତି। ସେମାନଙ୍କ ମାତାପିତାଙ୍କ ମଧ୍ୟରୁ ଅଧିକାଂଶ ଶ୍ରମିକ ଏବଂ ଦିନ ମଜୁରିଆ; ସେମାନଙ୍କ ପିଲାଙ୍କ ଶିକ୍ଷାଦାନରେ ସମ୍ପୃକ୍ତ ରହୁଥିବା ଦେଖି ମୁଁ ଖୁସି ଅନୁଭବ କରିଥାଏ।

ବ୍ୟକ୍ତିଗତ ଭାବେ, ମୁଁ ଅନେକ କିଛି ଶିଖିବାକୁ ପାଇଛି। ମୋତେ କେଉଁ ପଡ଼ାକୁ ଯିବାକୁ ହେବ ସେହି ଅନୁଯାୟୀ ମୁଁ ପାଠ୍ୟକ୍ରମ ପ୍ରସ୍ତୁତ କରିବାରେ ସମୟ ଦେଇଥାଏ। ମୁଁ ଅନ୍ୟ ଶିକ୍ଷକମାନଙ୍କ ସହିତ କାମ କଲେ ଆମେ ପରସ୍ପର ଠାରୁ ଶିଖିବାକୁ ପାଇଥାଉ।


ମୋନାଲିସା ସାହୁ
ବୟସ : ୨୨
ସ୍ଥାନ : ଡିମ୍ବୋ ଗ୍ରାମ, କେନ୍ଦୁଝରଗଡ଼ ବ୍ଲକ, କେନ୍ଦୁଝର ଜିଲ୍ଲା, ଓଡ଼ିଶା

ସକାଳ ୬ଟାରୁ ମୋର ଦିନ ଆରମ୍ଭ ହୋଇଥାଏ ଏବଂ ଏହା ସନ୍ଧ୍ୟା ୬ଟା କିମ୍ବା ତା’ପରେ ଶେଷ ହୋଇଥାଏ। ମୋଟ ୪୧ ଛାତ୍ରଛାତ୍ରୀଙ୍କୁ ତିନୋଟି ଦଳରେ ପଢ଼ାଇବା ଲାଗି ମୋତେ ପାଖାପାଖି ୧୫ କିମି ଦୂର ସାଇକେଲରେ ବୁଲିବାକୁ ପଡ଼ିଥାଏ।

ପୂର୍ବରୁ, ଛାତ୍ରଛାତ୍ରୀ ଯାହା ଦେଖୁଥିଲେ କହିବାକୁ ସକ୍ଷମ ହେଉଥିଲେ କିନ୍ତୁ ଲେଖିପାରୁନଥିଲେ। ସେମାନେ ଚିତ୍ର ଆଙ୍କିବା ଏବଂ ଲେବଲ୍ କରିବାରେ ସକ୍ଷମ ହୋଇଥିଲେ କିନ୍ତୁ ଲେଖିପାରୁନଥିଲେ। ବର୍ତ୍ତମାନ ସେମାନେ ପାଖାପାଖି ୧୦ରୁ ୧୨ଲାଇନ ଲେଖିବାକୁ ସକ୍ଷମ ହେଉଛନ୍ତି। ଆମ ପିଲାମାନେ ଭାରତ ମାନଚିତ୍ର ବିଷୟରେ ଜାଣିଥାଇ ପାରନ୍ତି କିନ୍ତୁ ନିଜ ଗାଁ ବିଷୟରେ ଜାଣନ୍ତି ନାହିଁ। ଆମେ ଭାବିଲୁ ସେମାନେ ମାନଚିତ୍ର ଜରିଆରେ ଏହାକୁ ଜାଣିବା ଲାଗି ସକ୍ଷମ ହେବେ। ଆମେ ଦେଖିଲୁ ତାଙ୍କର ଚିନ୍ତା କରିବା ଶକ୍ତି ମଧ୍ୟ ବୃଦ୍ଧି ପାଉଛି- ସେମା‍ନେ ଦୃଷ୍ଟି ଦେବା ଆରମ୍ଭ କଲେ ଯେ ସେମାନଙ୍କ ଗାଁରେ ସେମାନଙ୍କର ଚାରି ପାଖରେ କ’ଣ ଘଟୁଛି ଏବଂ ସେମାନେ ସେ ବିଷୟରେ ଜାଣନ୍ତି କି ନାହିଁ ନିଜକୁ ପଚାରିବା ଆରମ୍ଭ କଲେ।

ଆମେ ଅଭ୍ୟାସ ସ୍ତରରେ ଯେତେବେଳେ ଲକଡାଉନ ପାଠପଢ଼ା ଆରମ୍ଭ କଲୁ, ମୁଁ ଦେଖିବାକୁ ପାଇଲି ଯେ ଛାତ୍ରଛାତ୍ରୀମାନେ ଅକ୍ଷର ସ୍ତର (ଅକ୍ଷର ଚିହ୍ନିବା)ରେ ରହିଛନ୍ତି। ସେମାନେ ଓଡ଼ିଆ ଏବଂ ଇଂରାଜୀରେ କେବଳ ଅଧା ଅକ୍ଷର ଚିହ୍ନି ଥିଲେ। ବର୍ତ୍ତମାନ ସେମାନେ ଏହାକୁ ଲେଖିବାକୁ ସକ୍ଷମ ହେବା ସହିତ ଓଡ଼ିଆରେ ୧ ରୁ ୧୦୦ ପର୍ଯ୍ୟନ୍ତ ଅକ୍ଷର ଲେଖିବାକୁ ସକ୍ଷମ ହେଉଛନ୍ତି।

ମୁଁ ଶିକ୍ଷାର ମୂଲ୍ୟ ଜାଣିଥିଲି କିନ୍ତୁ ଏହାର ଗୁରୁତ୍ୱ ଜାଣିନଥିଲି। ଏବେ ମୁଁ ଦେଖିପାରୁଛି କିପରି ସେମାନଙ୍କର ଚିନ୍ତାଧାରା ବିକଶିତ ହେଉଛି।


ରାକ୍ଷୀ ତ୍ରିପାଠୀ
ବୟସ : ୨୩
ସ୍ଥାନ : ଆମ୍ପୋଲବ ଗ୍ରାମ, ସୁକିନ୍ଦା ବ୍ଲକ, ଯାଜପୁର ଜିଲ୍ଲା, ଓଡ଼ିଶା

ମୋ ଛାତ୍ରଛାତ୍ରୀଙ୍କ ପରିବାରଗୁଡ଼ିକ ମଧ୍ୟରୁ ୭୦ ପ୍ରତିଶତଙ୍କ ନିକଟରେ ନିଜର ସ୍ମାର୍ଟଫୋନ ନାହିଁ। ଏପରିକି ଯେଉଁମାନଙ୍କ ପାଖରେ ଅଛି ସେମାନଙ୍କ ପାଇଁ ଅନଲାଇନ ଶିକ୍ଷାଦାନ କଷ୍ଟକର ହେଉଛି। ବର୍ତ୍ତମାନ ସେମାନେ ସର୍ଚ୍ଚ ବାରରେ ଟାଇପ କରିବା ଏବଂ ସ୍ପିକର ସାହାଯ୍ୟରେ ପ୍ରଶ୍ନ କରିବାରେ ଅସୁବିଧା ଭୋଗୁଛନ୍ତି। ସେମାନେ ଖୋଜିବା ଓ ଶିଖିବା ପାଇଁ ଏହି ଜ୍ଞାନକୁ ଉପଯୋଗ କରୁଛନ୍ତି।

ମୁଁ ଦିନକୁ ପାଖାପାଖି ୧୦ କିମି ସାଇକେଲ ଚାଳନା କରି ୧୪ଟି ବାସସ୍ଥଳୀ (ଘରଗୁଡ଼ିକର କ୍ଲଷ୍ଟର)କୁ ଯାଇଥାଏ। ସପ୍ତାହ ସାରା, ଅନ୍ୟମାନଙ୍କଠାରୁ ଦୂରରେ ରହୁଥିବା ପାଞ୍ଚ ଜଣ ପିଲାଙ୍କୁ ନେଇ ମୁଁ ଗୋଟିଏ-ଗୋଟିଏ କ୍ଲାସ କରିଥାଏ। ଅନ୍ୟ ୫୧ ଜଣ ପିଲା, ଯେଉଁମାନେ ପାଖାପାଖି ରହିଥାନ୍ତି, ସେମାନଙ୍କୁ ମୁଁ ଛୋଟ ଛୋଟ ଦଳରେ ପଢ଼ାଇଥାଏ। ଆମେ ଏହି ପାଞ୍ଚ ଜଣ ପିଲାଙ୍କୁ ଅନ୍ୟ ପିଲାମାନଙ୍କ ଦଳରେ ସାମିଲ କରି ପଢ଼ାଇବାକୁ ଚେଷ୍ଟା କରିଥିଲୁ କିନ୍ତୁ ଅନୁଭବ କଲୁ ଯେ ସେମାନଙ୍କୁ ଏତେ ଦୂର ଯାତ୍ରା କରିବାକୁ ଦେବା ଉଚିତ ହେଉନାହିଁ।

ମୋର ଦିନ ଆରମ୍ଭ ହୋଇଥାଏ ଭୋର ସାଢ଼େ ପାଞ୍ଚଟାରେ ଏବଂ ମୋର ଘର କାମ ସାରିବା ପରେ ମୁଁ ସାଢ଼େ ଛଅଟାରେ ପ୍ରଥମ କ୍ଲାସ କରିବାକୁ ଯାଇଥାଏ। ଏହାର ୧୨ ଘଣ୍ଟା ପରେ ମୁଁ ଘରକୁ ଫେରିଥାଏ। ସୋମବାରରୁ ଶନିବାର ଏହା ମୋର ଦିନଚର୍ଯ୍ୟା, ଏବଂ ଯଦି ସପ୍ତାହ ସାରା ପାଠପଢ଼ାରେ ଯଦି ଜଣେ ଛାତ୍ର ବଞ୍ଚିତ ରହୁଛି ତା’ହେଲେ ମୁଁ ତା’ନିକଟକୁ ରବିବାର ଦିନ ଯାଇଥାଏ।

ଆମେ ସ୍ମିତା ଅଗ୍ରୱାଲ, ତବ୍ରେଜ ଅନସାରୀ ଏବଂ ସେ ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛୁ ଯେଉଁମାନେ ସେମାନଙ୍କ କାର୍ଯ୍ୟ ଏବଂ ସମୟ ଆମକୁ ଦେଇଛନ୍ତି।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍‌ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Editor's note

ରିୟା ବେହଲ ଅଶୋକା ବିଶ୍ୱବିଦ୍ୟାଳୟରେ ୨୦୧୯-୨୦୨୦ର ଜଣେ ମଦର ଟେରେସା ସଦସ୍ୟା ଏବଂ ସେ ପରୀରେ ଇଣ୍ଟର୍ଣ୍ଣ କରୁଛନ୍ତି। ସେ ଏହି ରିପୋର୍ଟର ଅଧିକାଂଶ ଭାଗ ପ୍ରସ୍ତୁତ କରିଛନ୍ତି ଏବଂ ସାକ୍ଷାତକାର ନେଇଛନ୍ତି। ସେ କୁହନ୍ତି, “ପ୍ରଥମେ ମୁଁ ଏହି ଶିକ୍ଷକମାନେ ଲକଡାଉନ ସମୟରେ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିବା ଲାଗି ଅତିକ୍ରମ କରୁଥିବା ଦୂରତା ଏବଂ ସେମାନେ ଦେଖୁଥିବା ଶିକ୍ଷାଦାନର ପଦ୍ଧତି ବିଷୟରେ ଶୁଣିବାକୁ ପାଇଥିଲି। ଏହି ପ୍ରସଙ୍ଗଟି ପ୍ରସ୍ତୁତ କରିବା ଲାଗି ଗବେଷଣା କରିବା ସମୟରେ ମୁଁ ଶିକ୍ଷକମାନଙ୍କର ପ୍ରତିବଦ୍ଧତା ଓ ସାହସକୁ ହୃଦୟଙ୍ଗମ କରିପାରିଥିଲି’’।

ଅନ୍ତରା ରମଣ ହେଉଛନ୍ତି ବାଙ୍ଗାଲୋରରେ ଅବସ୍ଥାପିତ ଜଣେ ଇଲୁଷ୍ଟ୍ରେଟର ଏବଂ ଗ୍ରାଫିକ ଡିଜାଇନର। ସମାଜ ବିଜ୍ଞାନ ଏବଂ ପରିବେଶ ଓ ଏହାର ସଂରକ୍ଷଣ ପାଇଁ ଆଗ୍ରହର ପ୍ରଭାବ ତାଙ୍କ କାର୍ଯ୍ୟରେ ବିଶେଷ ଭାବେ ପ୍ରତିଫଳିତ ହୋଇଥାଏ। ଜଣେ ଉତ୍ସାହୀ ପାଠକ ଭାବେ, ପରୀ ପାଇଁ ତାଙ୍କର ଚିତ୍ରଗୁଡ଼ିକ ଏହାର ବର୍ଣ୍ଣନା ଗୁଣ ଦ୍ୱାରା ପରିଭାଷିତ ହୋଇଥାଏ ଏବଂ ଏଥିରେ ରଙ୍ଗର ସାଙ୍କେତିକ ବ୍ୟବହାର ଦେଖିବାକୁ ମିଳିଥାଏ।