୨୦୨୦ ମାର୍ଚ୍ଚ ୨୫ଠାରୁ, ପରବର୍ତ୍ତୀ ଲକଡାଉନ୍‌ଗୁଡ଼ିକ ଲକ୍ଷ ଲକ୍ଷ ଭାରତୀୟ ପରିବାରକୁ ସଂକଟରେ ପକାଇ ଦେଇଛି ଯେଉଁମାନେ ଦୈନିକ ଏବଂ ମାସିକ ଆୟ ଉପରେ ନିର୍ଭର କରନ୍ତି । ଅନୌପଚାରିକ କ୍ଷେତ୍ରରେ କାମ ରାତାରାତି ଗାଏବ ହୋଇଗଲା କାରଣ ରାସ୍ତାରେ କାହାରିକୁ ବି ଯିବା ଆସିବା କରିବାକୁ ଅନୁମତି ନ ଥିଲା ଏବଂ ଭାଇରସ୍‌ ଭୟ ଲୋକଙ୍କୁ ଘରେ ରଖିଥିଲା । ସାରା ଦେଶରେ କୋଭିଡ୍‌ ବଢ଼ିବା ସହ, ସ୍ୱାସ୍ଥ୍ୟସେବା ଉପରେ ଖର୍ଚ୍ଚ ସଞ୍ଚୟକୁ ଖାଇଗଲା, ଏବଂ କେବଳ ସ୍କୁଲରେ ରହିବାକୁ ଇଣ୍ଟରନେଟ୍‌ ସଂଯୋଗ ପାଇଁ ବିଦ୍ୟୁତ୍‌ ବିଲ୍‌ ବଢୁଥିଲା ।

ମୁମ୍ବାଇସ୍ଥିତ ସେଣ୍ଟ ଜାଭିୟର୍ସ କଲେଜ (ସ୍ୱୟଂଶାସିତ)ର ଛାତ୍ରଛାତ୍ରୀ ସେମିଷ୍ଟରର ପ୍ରଥମ ମାସଗୁଡ଼ିକ(୨୦୨୧-୨୨) ପରୀ ଶିକ୍ଷା ସହିତ ଅତିବାହିତ କଲେ । ଏହି ସମୟରେ ସେମାନେ ସେହି ଭାରତୀୟମାନଙ୍କର କାହାଣୀ ଲେଖିବା ପାଇଁ ଉଦ୍ୟମ କଲେ ଯେଉଁମାନେ ଲକ୍‌ଡାଉନ୍‌ର ସମ୍ମୁଖୀନ ହୋଇଥିଲେ । ଏହି ସହଭାଗିତାର ଫଳାଫଳ ହେଲା ଅନେକଗୁଡ଼ିଏ ଲେଖା – ଜାରା ଦିଆସ୍‌ଙ୍କ ଲିଖିତ-ବେନୌଲିମ୍‌ସ କ୍ରାଷ୍ଟୋ ଫ୍ୟାମିଲି: ଲିଭିଂ ବାଇ ବ୍ରେଡ୍‌ ଏଲୋନ୍‌, ଏହି କାହାଣୀ ଗୋଆରେ ଏକ ପରିବାର ଚଳାଉଥିବା ବେକରୀ ବାବଦରେ; ସୃଷ୍ଟି ମୁରଲୀ ଏବଂ ଋତୁରାଜ ଗୈଧାନୀଙ୍କ ଲିଖିତ ଏ ଡ୍ୟାମେଜ୍‌ଡ ବୋଟ୍‌; ଏ ରେଡ୍‌ କାର୍ଡ, ମୁମ୍ବାଇ ଉପନଗରୀରେ ଜଣେ ଫୁଟବଲ କୋଚ୍‌ ଏବଂ ଧୀବର ଓନିଏଲ୍‌ଙ୍କ ବାବଦରେ ଏବଂ ଡନ୍‌ ଫିଲିପ୍‌ଙ୍କ ଲିଖିତ ବାମ୍ବୋ ଫ୍ୟୁଚର୍ସ ଇନ୍‌ କୁଟ୍ଟିଚିରା, ଏହି କାହାଣୀ କେରଳର ଜଣେ ଶିଳ୍ପକାର ଅଜିତାଙ୍କ ବାବଦରେ ଯିଏ ମହାମାରୀ ସମୟରେ ବିକ୍ରି କରିବାକୁ ସଂଘର୍ଷ କଲେ ।

ଏହି ସେଟ୍‌ରେ ଦୁଇଟି କାହାଣୀ:

ଲରିୱାଲାସ୍‌ ୱାସ୍‌ଡ ଆଉଟ୍‌ ଆଟ୍‌ ତିଥଲ ବିଚ୍‌ ରେ ଆମେ ବଚୁଭାଇ ପଟେଲ୍‌ଙ୍କୁ ଶୁଣିଛୁ । ଗୁଜରାଟ ତିଥଲ ବେଳାଭୂମିରେ ୮୦ଟି ଷ୍ଟଲର ମାଲିକ ବଚୁଭାଇ ତାଙ୍କ ସମ୍ପ୍ରଦାୟ ଉପରେ ଲକ୍‌ଡାଉନ୍‌ର ପ୍ରଭାବ ବାବଦରେ କହୁଥିଲେ ।

ଦି ବୁକ୍‌ସେଲର ଅଫ୍‌ ମହାକାଳୀ ରେ ଆମେ ନଦୀମଙ୍କର ଭଲପାଇବା ଏବଂ ବିଭିନ୍ନ ପ୍ରକାରର ପୁସ୍ତକରେ ଭର୍ତ୍ତି ତାଙ୍କର ଦୋକାନ ବାବଦରେ ଜାଣିଲୁ ଯାହା ସେ ସିଧାସଳଖ ବିତରକ ଏବଂ ପ୍ରକାଶକଙ୍କଠାରୁ ମଗାନ୍ତି । ଏହି ଅସ୍ଥିର ସମୟରେ ସେ କିପରି ନିଜର ଛୋଟ ରାସ୍ତାକଡ଼ ବହି ଦୋକାନ ବ୍ୟବସାୟକୁ ବଜାୟ ରଖିଛନ୍ତି ?

ଲରିୱାଲାସ୍‌ ୱାସ୍‌ଡ ଆଉଟ୍‌ ଆଟ୍‌ ତିଥଲ ବିଚ୍‌

ସ୍ଥାନ: ତିଥଲ ବେଳାଭୂମି, ଭଲସାଡ, ଗୁଜରାଟ

ବଚୁଭାଇ ପଟେଲ୍‌ ଓ ତାଙ୍କର ସ୍ତ୍ରୀ ତିଥଲ ବେଳାଭୂମିରେ ଦୋକାନ କରିଛନ୍ତି ଯେଉଁଠାରେ ସେମାନେ ପିଲାଙ୍କ ଆନନ୍ଦ ପାଇଁ ଏମିତି ଟ୍ରାମ୍ପୋଲିନ୍‌ ଏବଂ ଦୋଳିର ବ୍ୟବସ୍ଥା କରିଛନ୍ତି । ଫଟୋ ଖୁସି ଦେଶାଇ

ତିଥଲ ବେଳାଭୂମିରେ ୮୦ରୁ ଅଧିକ ଦୋକାନର ମାଲିକ ବଚୁଭାଇ ପଟେଲ୍‌, ତାଙ୍କ ଭଳି ଲରିୱାଲାଙ୍କ ଉପରେ ଲକ୍‌ଡାଉନ୍‌ର ପ୍ରଭାବ ବାବଦରେ କହନ୍ତି, “ଆମେ ଆମ ଆୟର ଏକମାତ୍ର ଉତ୍ସ ହରାଇଲୁ।” ୨୦୨୦ ମାର୍ଚ୍ଚ ୨୪ରେ ପ୍ରଥମେ ବ୍ୟବସାୟ ବନ୍ଦ ହେଲା ଏବଂ ସପ୍ତାହନ୍ତକୁ ମିଶାଇ ପରବର୍ତ୍ତୀ ୨୦ ମାସ ଯାଏ ଲକ୍‌ଡାଉନ୍‌ଗୁଡ଼ିକ ଏହି ବେଳାଭୂମି କଡ଼ ଦୋକାନୀଙ୍କୁ ଋଣରେ ବୁଡ଼ାଇଦେଲା ।

ବେଳାଭୂମିର ଧୂସର-କଳା ବାଲି ଉପରେ ଆରବ ସାଗର ଆଡ଼କୁ ମୁହଁ କରି ପଡ଼ିଥିବା ଟ୍ରାମ୍ପୋଲିନ୍‌ ଓ ଦୋଳି ଭଳି ପିଲାଙ୍କ ପାଇଁ ଖେଳଣାର ଉଲ୍ଲେଖ କରି କହିଲେ “ମୁଁ ଓ ମୋ ସ୍ତ୍ରୀ ସାଙ୍ଗରେ ଦୋକାନ ଚଳାଉ ଏବଂ ମୋ ପିଲା ମଧ୍ୟ ସାହାଯ୍ୟ କରନ୍ତି।”

ତିଥର ବେଳାଭୂମି ଏକ ଲୋକପ୍ରିୟ ଅବସର ବିନୋଦନ ସ୍ଥାନ ଯାହା ଗୁଜରାଟ ଭଲସାଡ୍ ଜିଲ୍ଲାର ଜିଲ୍ଲା ମୁଖ୍ୟାଳୟ ଭଲସାଡ୍ ସହରରୁ ପ୍ରାୟ ଚାରି କିଲୋମିଟର ଦୂରରେ ଅବସ୍ଥିତ । ଏଠାରେ ଲରିୱାଲାମାନେ ସ୍ଥାନୀୟ ସ୍ନାକ୍ସ ଯେପରିକି ଭଜିଆ, ଦାବେଲି, ମୁଢ଼ି ଚାଟ୍‌ ଏବଂ ସେକା ହୋଇଥିବା ମିଠା ମକା ସହ ତାଜା ଆଖୁ ରସ, ପଇଡ଼ ପାଣି, ଖେଳଣା ଏବଂ ସୋଭେନିୟର ବିକ୍ରି କରନ୍ତି ।

ବଚୁଭାଇ କହନ୍ତି,‘‘ଏଭଳି ମାତ୍ରାର ମହାମାରୀ [ନୁହେଁ] କୁ ଆମେ ଆଶା କରିନଥିଲୁ।’’ ଲରିୱାଲାମାନଙ୍କର ଚାଷ ଜମି ବା ପୈତୃକ ସମ୍ପତ୍ତି ନାହିଁ ଏବଂ ତିଥଲ ବେଳାଭୂମିରେ ବିକ୍ରିରୁ ହେଉଥିବା ସେମାନଙ୍କର ଦୈନନ୍ଦିନ ଆୟ ଉପରେ ନିର୍ଭର କରନ୍ତି । କେତେକ ଦୋକାନ ମାଲିକ ଗତ ୪୦ ବର୍ଷ ଧରି ଏଠାରେ ଦୋକାନ ଚଳାଇ ଆସୁଛନ୍ତି, ସେମାନେ କହନ୍ତି -ସେହି ସମୟରୁ, ଯେତେବେଳେ ବେଳାଭୂମି ଭିତ୍ତିଭୂମି ଦୃଷ୍ଟିରୁ ଉନ୍ନତ ହୋଇନଥିଲା ଏବଂ ଆଖପାଖ ଗାଁର ବାସିନ୍ଦାଙ୍କ ଦ୍ୱାରା ପ୍ରାୟତଃ ବ୍ୟବହାର ହେଉଥିଲା ।

୨୦୨୧ ଡିସେମ୍ବରରେ ମୁଁ ଯେତେବେଳେ କାଶ୍ମୀରାଙ୍କୁ ଭେଟିଲି ସେତେବେଳେ ବେଳାଭୂମି ପୁଣି ପର୍ଯ୍ୟଟକଙ୍କ ପାଇଁ ଖୋଲି ସାରିଥିଲା । ଗୋଟିଏ ସବୁଜ ନଡ଼ିଆକୁ ଛଡ଼ାଉ ଛଡ଼ାଉ ସେ ଆମକୁ କହିଲେ, ‘‘ଓମିକ୍ରନ୍‌ ଭାରିଆଣ୍ଟ ପାଇଁ, ଆଉଥରେ ଲକ୍‌ଡାଉନ୍‌ ହୋଇପାରେ । ଆମେ କର୍ତ୍ତୃପକ୍ଷଙ୍କୁ ନିର୍ବାଚିତ କରୁ ଏବଂ ଆମେ କେଉଁ [କଠିନ ସ୍ଥିତି] ଦେଇ ଯାଉଛୁ ସେମାନେ ମଧ୍ୟ ତାହା ଚିନ୍ତା କରିବା ଉଚିତ ।’’

ବଚୁ ଭାଇ ତାଙ୍କ ପିଲାଙ୍କ ଶିକ୍ଷା ବାବଦ ଫିକୁ ନେଇ ଚିନ୍ତିତ । ସେ କହିଲେ, ‘‘ମୋ ଝିଅ ସ୍ଥାନୀୟ କଲେଜରୁ ଏମ୍‌ଏସ୍‌ସି ଶେଷ କରୁଛି ଏବଂ ଯଦିଓ କ୍ଲାସ୍‌ଗୁଡ଼ିକ ଅନ୍‌ଲାଇନ୍‌ ହେଉଥିଲା, ଫି କିନ୍ତୁ ସମ୍ପୂର୍ଣ୍ଣ ଦେବାକୁ ପଡୁଥିଲା ।’’ ଫି ଏବଂ ଅନ୍ୟ ଖର୍ଚ୍ଚ ପାଇଁ ତାଙ୍କୁ କେତେକ ଋଣ ନେବାକୁ ପଡ଼ିଥିଲା ଏବଂ ସେ ଚିନ୍ତିତ ଯେ ତାଙ୍କର ଛୋଟ ସଞ୍ଚୟ ଶୀଘ୍ର ଖର୍ଚ୍ଚ ହୋଇଯିବ ।

କିନ୍ତୁ ବଚୁଭାଇ ତାଙ୍କୁ ମିଳିଥିବା ଆଶୀର୍ବାଦ ବାବଦରେ ମଧ୍ୟ ହିସାବ କରନ୍ତି, ଯେତେବେଳେ ସେ କହନ୍ତି, ‘‘ଗୋଟିଏ ଘାତକ ଦ୍ୱିତୀୟ ଲହର ପରେ ମଧ୍ୟ ଆମ ପରିବାର ସଦସ୍ୟଙ୍କ ମଧ୍ୟରୁ କାହାର କୋଭିଡ୍‌ରେ ପରଲୋକ ହୋଇ ନ ଥିଲା ଏବଂ ସେମାନେ ସୁସ୍ଥ ଓ ଜୀବିତ ଅଛନ୍ତି ।’’

ଛାତ୍ର ରିପୋର୍ଟର : ଖୁସି ଦେଶାଇ

Go to top

ମହାକାଳୀର ବହି ବିକ୍ରେତା

ସ୍ଥାନ: ମହାକାଳୀ ଗୁମ୍ଫା ରାସ୍ତା, ମୁମ୍ବାଇ

ନଦୀମଙ୍କର ପ୍ରେମ ସମ୍ପର୍କ କଲେଜରେ ଆରମ୍ଭ ହେଲା ଏବଂ ସେବେଠାରୁ ଜାରି ରହିଛି । ସେ ରାସ୍ତାରେ ସେହି ଛୋଟ ଲାଇବ୍ରେରୀରେ ନିଜ ନିଶାକୁ ଅନୁସରଣ କରିବାକୁ ଶ୍ରେଣୀରେ ଅନୁପସ୍ଥିତ ରହିବା କଥାକୁ ମନେପକାନ୍ତି । ଏବେ ଜଣେ କର୍ମଜୀବୀ ଭାବେ, ତାଙ୍କର ନିଶା ହିଁ ତାଙ୍କର ପେସା ଏବଂ ମୁମ୍ବାଇର ମହାକାଳୀ ଗୁମ୍ଫା ରାସ୍ତାକଡ଼ରେ ତାଙ୍କର ଗୋଟିଏ ସ୍ଥାନ ଅଛି, ଏହାକୁ ପ୍ରମାଣିତ କରିବାକୁ ସେଠାରେ ଏକ ନୀଳ ତାରପୁଲିନ୍‌ ଟଙ୍ଗା ଯାଇଛି ।

୨୬ ବର୍ଷୀୟ ନଦୀମ ତାଙ୍କ ଦୋକାନରେ ଗ୍ରାହକଙ୍କୁ ଅପେକ୍ଷା କରିଛନ୍ତି । ଫଟୋ ଭବ୍ୟା ରାଜ୍

ଅନ୍ଧେରୀର ତୋଲାନୀ କଲେଜରେ ଯେଉଁଠାରେ ସେ ପାଠ ପଢ଼ିଥିଲେ, ନଦୀମ ସର୍ବଦା ଫୁଟ୍‌ପାଥରେ ଥିବା ଏକ ଛୋଟ ବହି ଦୋକାନକୁ ରାସ୍ତା ପାର୍‌ କରି ଯାଆନ୍ତି । “ପାଖରୁ ମୁଁ ଗୋଟିଏ ଚା’ କପ୍‌ ନିଏ ଏବଂ ତା’ପରେ ଏଠାରେ ବସି ପଢ଼େ । ମୁଁ ଏହାକୁ ପସନ୍ଦ କରିବା ଆରମ୍ଭ କରିଥିଲି, ଲୋକେ କେଉଁ ପ୍ରକାରର ବହି ପଢ଼ିବା ପସନ୍ଦ କରନ୍ତି ଏବଂ ସେମାନେ ଏହାକୁ ପଢ଼ିବା ଫଳରେ କ’ଣ ଅନୁଭବ କରନ୍ତି ସେ ବାବଦରେ ଜାଣିବାକୁ ପାଇଲି । ଏହି କଥା ମୋତେ ଏଥିପ୍ରତି [ବହି ବିକ୍ରି] ଆକର୍ଷିତ କଲା।” ସେ ସ୍ନାତକ ପାସ୍‌ କରିବା ବେଳକୁ ସେହି ବହି ଦୋକାନ ବନ୍ଦ ହୋଇଗଲା ।

ତେଣୁ ୨୦୧୮ରେ ପାଖରେ ବି.କମ୍‌ ଡିଗ୍ରୀ ଥାଇ, ସେ ସମାନ ରାସ୍ତାକଡ଼ରେ ଏକ ବହି ଦୋକାନ ବସାଇଲେ, ସମ୍ପୂର୍ଣ୍ଣ ଥାକ ସହ ଏବଂ ଖରା ଏବଂ ବର୍ଷାରୁ ରକ୍ଷା ପାଇଁ ଏକ ନୀଳ ତାରପୋଲିନ ସିଟ୍‌କୁ କଭର ଭାବେ ଦେଲେ। କମ୍‌ ସମୟ ମଧ୍ୟରେ ତାଙ୍କର ଏକ ସ୍ଥିର ଗ୍ରାହକ ଭିତ୍ତି ହୋଇଯାଇଥିଲା, ଯେଉଁମାନେ ରାସ୍ତାକଡ଼ରେ ବହି ଦେଖନ୍ତି ଓ କିଣନ୍ତି । ସେ ଏହାକୁ ସକାଳ ୧୧ଟାରୁ ରାତି ୯ଟା ଯାଏଁ ଖୋଲା ରଖନ୍ତି ଏବଂ ଗ୍ରାହକମାନେ ସୁଦୂର ଥାନେ ଏବଂ ପୁନେରୁ ଆସନ୍ତି। ଏମାନଙ୍କ ମଧ୍ୟରେ ନିକଟସ୍ଥ ହାଉସିଂ ସୋସାଇଟି, ସ୍କୁଲ ଏବଂ କଲେଜରୁ ଉଭୟ ବୟସ୍କ ଏବଂ କମ୍‌ ବୟସର ପିଲା ଥାଆନ୍ତି ।

ନଦୀମ କହିଲେ, “ଯଦି କେହି ଗୋଟିଏ ବହି ପଢୁଛନ୍ତି, ସେ ଏଥିରୁ ଲାଭ ପାଇବା ଉଚିତ । ଯଦି ସେମାନେ ଗୋଟିଏ ଆତ୍ମନିର୍ଭର ବହି ପଢୁଛନ୍ତି ଏବଂ ନ୍ୟୁନ ଅନୁଭବ କରୁଛନ୍ତି, ସେମାନେ ଏଥିରୁ ବାହାରି ଆସିବା ଉଚିତ [ପଢ଼ିସାରିବା ପରେ] । ନଦୀମ କହିଲେ, ବହି ପଢ଼ିବା ଏହାକୁ ଆହୁରି ଖରାପ କରିବା ଉଚିତ ନୁହେଁ ।” ସେ ନିଜର ପଢ଼ିବା ବାବଦରେ କହନ୍ତି ଯେ ସେ ଅଣ-କାଳ୍ପନିକ ବହିକୁ ଅଧିକ ପସନ୍ଦ କରନ୍ତି ଏବଂ ତାଙ୍କର ବ୍ୟକ୍ତିଗତ ପସନ୍ଦ ହେଲା ନେପୋଲିଅନ୍‌ ହିଲ୍‌ଙ୍କର ଥିଙ୍କ ଏଣ୍ଡ ଗ୍ରୋ ରିଚ୍‌ ।

ମାର୍ଚ୍ଚ ୨୦୨୦ରେ ଯେତେବେଳେ ଲକ୍‌ଡାଉନ୍‌ ଲାଗୁହେଲା, ୨୬ ବର୍ଷୀୟ ନଦୀମ ଜାଣିଥିଲେ ଯେ ତାଙ୍କର ବ୍ୟବସାୟ ମଧ୍ୟ ପ୍ରଭାବିତ ହେବ । ମହାମାରୀ ପୂର୍ବରୁ ଦିନକୁ ସେ ୧୦ରୁ ୧୫ ଖଣ୍ଡ ବହି ବିକ୍ରି କରୁଥିଲେ, କିନ୍ତୁ ରାସ୍ତା ଓ ଫୁଟ୍‌ପାଥ୍‌ରେ ଲୋକଙ୍କ ସଂଖ୍ୟା କମିବାରୁ, ତାଙ୍କର ବିକ୍ରି ମଧ୍ୟ ପାଞ୍ଚ ଖଣ୍ଡକୁ ଖସି ଆସିଲା ।

ଉନ୍ନତି ଆଣିବା ପାଇଁ, ନଦୀମ ବହିଗୁଡ଼ିକର ହୋମ୍‌ ଡେଲିଭରି ଅଫର୍‌ ଦେବା ଆରମ୍ଭ କଲେ ଏବଂ ଏହାକୁ ଆଗକୁ ନେବାକୁ ସେ ନିଜର ସୋସିଆଲ୍‌ ମିଡିଆ ଉପସ୍ଥିତି ସୃଷ୍ଟି କଲେ । ହ୍ୱାଟ୍‌ସଆପ୍‌ ଏବଂ ଇନ୍‌ଷ୍ଟାଗ୍ରାମ(@mind_gym_booklibrary) ବ୍ୟବହାର କରି ସେ ସକ୍ରିୟ ଭାବେ ନିଜର ଅନ୍‌ଲାଇନ୍‌ ଉପସ୍ଥିତି ଜାହିର କଲେ ।

ଅକ୍ଟୋବରରେ ଆମେ ଯେତେବେଳେ ତାଙ୍କୁ ଭେଟିଲୁ, ନଦୀମ କହିଲେ ସେ ପ୍ରାୟ ୧,୦୦୦ ସଦସ୍ୟଙ୍କୁ ଏକତ୍ରିତ କରିସାରିଛନ୍ତି । “ବହୁ ଅନ୍‌ଲାଇନ୍‌ ବିତରକମାନେ ପାଇରେଟେଡ୍‌ କପି ବିକ୍ରି କରନ୍ତି, ଏବଂ ଅନ୍‌ଲାଇନ୍‌ରେ କିଣୁଥିବା ଲୋକେ ତାକୁ ନିଅନ୍ତି । ମୋର ଗ୍ରାହକମାନେ ମୋ ସହ ସଂଯୁକ୍ତ ଓ ବନ୍ଧା, ତେଣୁ ସେମାନେ କେବଳ ମୋ ପାଖକୁ ଆସନ୍ତି ।”

ନଦୀମ ତାଙ୍କ ଗ୍ରାହକମାନଙ୍କୁ ମାସିକ ସଦସ୍ୟତା ପ୍ରଦାନ କରିଥାଆନ୍ତି ଏବଂ ସେମାନେ ମାସିକ ୪୦୦ ଟଙ୍କା ଏବଂ ୧୦୦୦ ଟଙ୍କାର ପ୍ରାରମ୍ଭିକ ରାଶି ଜମା କରି ଯାହା ସେମାନଙ୍କୁ ଛଅ ମାସ ପରେ ଫେରସ୍ତ କରାଯାଏ, ଥରକେ ଦୁଇ ଖଣ୍ଡ ବହି ଧାର ନେଇପାରିବେ । ଏହି ଚୁକ୍ତିରେ ଆଉ ଏକ ଅତିରିକ୍ତ ବୋନସ୍‌ ହେଲା ଅସୀମିତ ବଦଳ ଏବଂ ବିକ୍ରି, ଉଭୟ ନୂଆ ଓ ପୁରୁଣା ବହିର ବଦଳ ବା ଭଡ଼ା ।

ସେ ପୁନେର ଜଣେ ଗ୍ରାହକଙ୍କୁ ଖୁବ୍‌ ଭଲ ଭାବେ ମନେ ପକାନ୍ତି । ସେହି ବ୍ୟକ୍ତି ନଦୀମଙ୍କ ଦୋକାନକୁ ପ୍ରତି ଛଅ ମାସରେ ଆସନ୍ତି ଏବଂ ତାଙ୍କ କାର୍‌ରେ ଥିବା ଟ୍ରଙ୍କକୁ ବହିରେ ପୂର୍ଣ୍ଣ କରିଦିଅନ୍ତି- ପ୍ରତି ଥର ଗସ୍ତରେ ପ୍ରାୟ ୨୦,୦୦୦ରୁ ୩୦,୦୦୦ ଟଙ୍କା ବିଲ୍‌ ହୁଏ । ମହାମାରୀ ଆରମ୍ଭ ହେବା ଦିନଠାରୁ ସେ ଦୋକାନ ଆସିନାହାନ୍ତି । ଯଦିଓ ଆଜିକାଲି ସେତେ ଲୋକ ବାରମ୍ବାର ଦୋକାନକୁ ଆସୁନାହାନ୍ତି, ତଥାପି କେତେକ ସ୍ଥାନୀୟ ବିଶ୍ୱସ୍ତ ଗ୍ରାହକ ଅଛନ୍ତି ଯେଉଁମାନେ ଲଗାତାର ଯୋଗାଯୋଗରେ ଅଛନ୍ତି ଏବଂ ତାଙ୍କର ଭଲ ମନ୍ଦ ଓ ଆର୍ଥିକ ସ୍ଥିତି ବାବଦରେ ପଚାରନ୍ତି ।

୨୦୧୮ରେ ପାଖରେ ବି.କମ୍‌ ଡିଗ୍ରୀ ଥାଇ, ନଦୀମ ରାସ୍ତାକଡ଼ରେ ଏକ ବହି ଦୋକାନ ବସାଇଲେ, ସମ୍ପୂର୍ଣ୍ଣ ଥାକ ସହ ଓ ଖରା ଏବଂ ବର୍ଷାରୁ ରକ୍ଷା ପାଇଁ ଏକ ନୀଳ ତାରପୋଲିନ ସିଟ୍‌କୁ କଭର ଭାବେ ଦେଇଥିଲେ । ତା’ପରଠାରୁ ସେ ତାଙ୍କ ବ୍ୟବସାୟ ବଢ଼ାଇଛନ୍ତି ଏବଂ ଏବେ ଛଅଟି ଶାଖା ଚାଳାଉଛନ୍ତି । ଫଟୋ – ଭବ୍ୟା ରାଜ୍‌

ଆଜିକାଲି ନଦୀମ ଅନୁଭବ କରନ୍ତି ଯେ ଲକ୍‌ଡାଉନ୍‌ ଉଠିବା ସତ୍ୱେ ଲୋକମାନେ ଏବେ ବି ଭୟଭୀତ ଅଛନ୍ତି । ଏବଂ ଘରୁ ବାହାରିବାକୁ ଅନିଚ୍ଛୁକ ଅଛନ୍ତି ତେଣୁ ବହି ଦୋକାନକୁ ଆସୁଥିବା ଗ୍ରାହକଙ୍କ ସଂଖ୍ୟା କମିଛି । ଏବେ ଯେତେବେଳେ ସେ ଖାଲି ବସନ୍ତି, ସେତେବେଳେ ସେ ନିଜ ମୋବାଇଲ୍‌ରେ ୱେବ୍‌ ସିରିଜ୍‌ ଦେଖି ବା ପବ୍‌ଜି ଖେଳି ସମୟ ଅତିବାହିତ କରନ୍ତି ।

ନଦୀମ ତାଙ୍କ ବ୍ୟବସାୟକୁ ବଢ଼ାଇଛନ୍ତି ଏବଂ ତାଙ୍କର ଛଅଟି ଶାଖା ଅଛି – ପୋୱାଇ ଗ୍ୟାଲେରିଆ, ଥାନେ ଏବଂ ଗୋରେଗାଁଓରେ ଗୋଟିଏ ଲେଖାଏଁ ଶାଖାକୁ ମିଶାଇ । “ମୁଁ ଏହି ଦୋକାନକୁ[ମହାକାଳୀ]କୁ ଖୁବ୍ ପସନ୍ଦ କରେ । ଅନ୍ୟ କେଉଁଠାରେ [ଅନ୍ୟ ଦୋକାନରେ] ମୁଁ ଏଠିକା ଭଳି ଅନୁଭବ କରେନାହିଁ । ମୁଁ ଏଠାରେ ଏକୁଟିଆ ଥିଲେ ବି ମଜାରେ ଥାଏ।”

ଛାତ୍ର ରିପୋର୍ଟର: ଭବ୍ୟା ରାଜ୍‌ ଏବଂ କାଥ୍‌ରିନ୍‌ ଜୟ କୁମାର

Go to top

Editor's note

ମୁମ୍ବାଇସ୍ଥିତ ସେଣ୍ଟ ଜାଭିୟର୍ସ କଲେଜ(ସ୍ୱୟଂଶାସିତ)ର ଛାତ୍ରଛାତ୍ରୀ ସେମିଷ୍ଟରର ପ୍ରଥମ ମାସଗୁଡ଼ିକ(୨୦୨୧-୨୨) ପରୀ ଶିକ୍ଷା ସହିତ ଅତିବାହିତ କଲେ । ଏହି ସମୟରେ ସେମାନେ ବିଭିନ୍ନ ବୃତ୍ତିରେ ଥିବା ସେହି ଭାରତୀୟ ଦିନ ଏବଂ ମାସିକ ମଜୁରିଆମାନଙ୍କର କାହାଣୀ ଲେଖିବା ପାଇଁ ଉଦ୍ୟମ କଲେ ଯେଉଁମାନେ ଲକ୍‌ଡାଉନ୍‌ର ସମ୍ମୁଖୀନ ହୋଇଥିଲେ ।

ସ୍ୱଦେଶା ଶର୍ମା ପରୀରେ ଜଣେ ଗବେଷଣା ସଂଯୋଜକ । ନିକଟରେ ସ୍ନାତକୋତ୍ତକର ପାସ୍‌ କରିଥିବା ସ୍ୱଦେଶା ସର୍ବଦା ବିବିଧ ଆଖ୍ୟାନ, ସେସବୁର ପ୍ରତିଚ୍ଛେଦନ, ଏବଂ ବ୍ୟାପକ ସାମାଜିକ ଗଠନରେ ସେସବୁର ଥିବା ସ୍ଥାନକୁ ଆବିଷ୍କାର କରିବାକୁ ସର୍ବଦା ଆଗ୍ରହୀ ।

ପିପୁଲ୍‌ସ ଆର୍କାଇଭ୍‌ ଅଫ୍‌ ରୁରାଲ୍‌ ଇଣ୍ଡିଆ ଦ୍ୱାରା CC BY-NC-ND 4.0 ଅଧୀନରେ ଲାଇସେନ୍ସପ୍ରାପ୍ତ

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।