‘‘ମୁଁ ମୋର ମା’ ଓ ଭଉଣୀମାନଙ୍କୁ ଏହି ସଂଘର୍ଷରେ ବଡ଼ ଉତ୍ସାହ ଦେଖାଇବାକୁ ଓ ତୁମ ଜେଜେ ମା’ ମାନଙ୍କୁ ଆମ ପିଢ଼ି ଉପରେ ଗର୍ବିତ କରିବାକୁ ଉତ୍ସାହିତ କରୁଛି । କୃଷକ ଏକତା ଜିନ୍ଦାବାଦ ! ଆମେ ଆଇନଗୁଡ଼ିକୁ ସେହି ଢଙ୍ଗରେ ପ୍ରତ୍ୟାହାର କରିବା ଯେଉଁଭଳି – ଏକଜୁଟ ଭାବେ ଓ ଶାନ୍ତିର ସହ ଆମେ ଏଠାରେ ବସିଛନ୍ତି ।’’ ଏତିକି କହି ସୋନିଆ ମନ ମାଇକ୍ରୋ ଫୋନ୍‌ରୁ ଘୁଞ୍ଚିଲେ ଏବଂ ପରବର୍ତ୍ତୀ ବକ୍ତାଙ୍କୁ ଦେଲେ ।

ଜଣେ ୩୦ ବର୍ଷୀୟା ଅଭିନେତ୍ରୀ ଓ ସାମାଜିକ କର୍ମୀ ଭାବେ ସୋନିଆ ବହୁ ଥର ଦିଲ୍ଲୀ-ହରିୟାଣା ବର୍ଡରରେ ଥିବା ପ୍ରମୁଖ ବିକ୍ଷୋଭ ସ୍ଥଳ ଟିକ୍ରିରେ ଭାଷଣ ଦେଇଛନ୍ତି । ସୋନିଆ ଜଣେ ଚାଷୀଙ୍କ ଝିଅ ଏବଂ ୨୦୨୦ ଡିସେମ୍ବର ପ୍ରଥମାର୍ଦ୍ଧରେ ଆନ୍ଦୋଳନରେ ସାମିଲ ହେଲେ । ସେ କହନ୍ତି ଯେ ନିଜର ପରଲୋକଗତ ବାପାଙ୍କ ଦ୍ୱାରା ଅନୁପ୍ରାଣିତ ଯିଏ କୀର୍ତ୍ତି କିଷାନ ୟୁନିୟନର ଜଣେ ରାଜ୍ୟସ୍ତରୀୟ ନେତା ଥିଲେ ।

ଜାତୀୟ ରାଜଧାନୀ ଦିଲ୍ଲୀର ଠିକ୍‌ ଉପକଣ୍ଠସ୍ଥିତ ଟିକ୍ରିରେ, ଦୁଇଟି ମଞ୍ଚ ତିଆରି କରାଯାଇଛି, ଯେଉଁଠାରେ ୨୦୨୦ ସେପ୍ଟେମ୍ବରରେ ସଂସଦରେ ପାସ୍‌ କରାଯାଇଥିବା କୃଷି ଆଇନଗୁଡ଼ିକୁ ପ୍ରତ୍ୟାହାର କରିବା ପାଇଁ ୨୦୨୦ ନଭେମ୍ବର ୨୬ରୁ ଲକ୍ଷ ଲକ୍ଷ କୃଷକ ଆନ୍ଦୋଳନ କରୁଛନ୍ତି । ଟିକ୍ରି ମେଟ୍ରୋ ଷ୍ଟେସନ ନିକଟରେ ସଂଯୁକ୍ତ କିଷାନ ୟୁନିୟନ(ଏସ୍‌କେଏମ୍‌) ଦ୍ୱାରା ନିର୍ମିତ ମୁଖ୍ୟ ମଞ୍ଚରେ ସୋନିଆ ଭାଷଣ ଦେଉଥିଲେ । ଅନ୍ୟ ମଞ୍ଚଟି ୬ କିଲୋମିଟର ଦୂରରେ ପକୋଡ଼ା ଛକରେ ଭାରତୀୟ କିଷାନ ୟୁନିୟନ(ଏକତା ଉଗ୍ରହଣ) ବା ବିକେୟୁ ଏକତା ଉଗ୍ରହଣ ପକ୍ଷରୁ ନିର୍ମାଣ କରାଯାଇଛି । ଉଭୟ ମଞ୍ଚ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୪ଟା ଯାଏଁ ଚାଲେ ଏବଂ ବିକ୍ଷୋଭର ଆତ୍ମା ପାଲଟିଛି ।

ସବୁ ପ୍ରକାର ଘୋଷଣା ଦୁଇଟି ମଞ୍ଚରୁ ଘୋଷଣା ହୁଏ: ସଂଘଗୁଡ଼ିକର ଭବିଷ୍ୟତ ଯୋଜନା, ନେତାମାନଙ୍କର କାର୍ଯ୍ୟକ୍ରମ ବା ନିର୍ଦ୍ଦେଶ; ଏମିତିକି ବିକ୍ଷୋଭରେ ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କର ନାମ, ବାପାଙ୍କ ନାମ, ବୟସ ଏବଂ ଜନ୍ମ ସ୍ଥାନ ସହ ଏଠାରେ ଘୋଷଣା ହୁଏ ।

ଟିକ୍ରି ମେଟ୍ରୋ ଷ୍ଟେସନ ନିକଟରେ ଥିବା ଏସ୍‌କେଏମ୍‌ ମଞ୍ଚ ସେହି କେନ୍ଦ୍ରକୁ ଚିହ୍ନିତ କରୁଛି ଯେଉଁଠାରୁ ଏହି ଆନ୍ଦୋଳନର ଅଂଶ ସ୍ୱରୂପ ହଜାର ହଜାର ସଂଖ୍ୟାରେ ଟ୍ରାକ୍ଟର ଏବଂ ଟ୍ରଲି ଧାଡ଼ି କରି ଛିଡ଼ା ହୋଇଥିଲେ । ପ୍ରାୟ ୧୦ ଫୁଟ୍‌ x ୪ ଫୁଟ୍‌ ଆକାରର ଏହି ମଞ୍ଚ ଏପଟରୁ ସେପଟ ଯାଏଁ ସବୁଜ ଗାଲିଚାରେ ବିଛେଇ ଆବୃତ ହୋଇଛି । ବର୍ଷା ଏବଂ ସିଧା ସୂର୍ଯ୍ୟକିରଣରୁ ବଞ୍ଚାଇବା ପାଇଁ ଏହା ଉପରେ ଛାତ ଭାବେ ଗୋଟିଏ ତାରପଲିନ୍‌ ସିଟ୍‌ ଲଗାଯାଇଛି । ଯେହେତୁ ମଞ୍ଚଟି ଭୂମିଠାରୁ ଉଚ୍ଚତାରେ ଅଛି ତେଣୁ ଏହାର ଡାହାଣ ପାଖରେ ୭ଟି ପାହାଚ ବିଶିଷ୍ଟ ଗୋଟିଏ ସିଡ଼ି ଲଗାଯାଇଛି । ମଞ୍ଚ ଉପରକୁ ଚଢ଼ିବା ପୂର୍ବରୁ ଲୋକଙ୍କୁ ସେମାନଙ୍କ ଜୋତା ବାହାର କରିବାକୁ ଅନୁରୋଧ କରାଯାଏ । ମଞ୍ଚ ପଛ ପାଖରେ ଗୋଟିଏ ମ୍ୟୁଜିକ୍‌ ସିଷ୍ଟମ ରଖାଯାଇଛି, ଯାହା ଫଳରେ ଲୋକମାନେ ଯେମିତି ଛନ୍ଦି ହୋଇ ନ ପଡ଼ିବେ ।

ସକାଳ ପ୍ରାୟ ୧୧ଟା ବେଳକୁ ଚାଷୀମାନେ ଏହି ସ୍ଥାନରେ ଏକାଠି ହେବା ବେଳକୁ ଦୁଇଟି ମଞ୍ଚ ଚଳଚଞ୍ଚଳ ହୋଇଉଠେ । ଏହା ଏକ ଜୀବନ୍ତ ସ୍ଥାନ – ଏଠାକୁ ଅଭିନେତ୍ରୀ ସୋନିଆ ମାନ, ସ୍ୱରା ଭାସ୍କର, ଗାୟକ ରବି ଶେରଗିଲ ଏବଂ ଅଭିନେତା ହରଭଜନ ମାନଙ୍କ ଭଳି ତାରକାମାନେ ବିଭିନ୍ନ ଘୋଷଣା ମଝିରେ ପ୍ରଦର୍ଶନ କରନ୍ତି ।

ପଞ୍ଜାବ କିଷାନ ୟୁନିୟନର(ଏଆଇକେଏମ୍‌) ସଦସ୍ୟ ୬୦ ବର୍ଷ ବୟସ୍କ ଯଶବୀର କୌର ନଟ୍ଟ କହନ୍ତି, ‘‘ଆମେ ପ୍ରତ୍ୟେକ ବକ୍ତା ଓ ପ୍ରଦର୍ଶନକାରୀଙ୍କର ପରିଚୟ ଯାଂଚ କରୁ । ସେ କୌଣସି ରାଜନୈତିକ ଦଳର ସଦସ୍ୟ ନ ହୋଇଥିବା ଉଚିତ । ଆମେ ବ୍ୟକ୍ତି ବିଶେଷଙ୍କୁ ଅନୁମତି ଦେଉ (କୃଷକ ସଂଗଠନ ସହ ସମ୍ପୃକ୍ତ ନୁହଁନ୍ତି) କିନ୍ତୁ ସେ ଯେତେବେଳେ କହନ୍ତି ଆମେ ଖୁବ୍‌ ସତର୍କ ରହିଥାଉ।’’ ସେ ଏସ୍‌କେଏମ୍‌ ମୁଖ୍ୟ ମଞ୍ଚରେ ବକ୍ତାମାନଙ୍କର ନାମ ଲିପିବଦ୍ଧ କରୁଥିଲେ । ସେ ଆମକୁ କହିଲେ, ‘‘ପରଦିନ ମୁଖ୍ୟ ମଞ୍ଚରେ କେଉଁ ବକ୍ତାମାନେ କହିବେ ପୂର୍ବ ରାତିରେ ସଂଘର ନେତାମାନେ (କୃଷକ) ସେମାନଙ୍କର ନାମ ନିଶ୍ଚୟ ଦିଅନ୍ତି ।’

ଥରେ ଜଣେ ବକ୍ତା ପଞ୍ଜିକୃତ ହେଲେ, ତାଙ୍କୁ କାଗଜରେ ଗୋଟିଏ ନଂ ଲେଖି ଦିଆଯାଏ ଏବଂ ତାଙ୍କର ନମ୍ବର ପଡ଼ିଲେ ସେ ମଞ୍ଚକୁ ଆସିବେ । ମଞ୍ଚକୁ ଆସିବା ପରେ ତାଙ୍କୁ ୧୦ ମିନିଟ ପାଇଁ କହିବାକୁ ଦିଆଯାଏ ।

ଦୁଇଟି ମଞ୍ଚ ଚାରିପାଖରେ- ଦର୍ଶକଙ୍କୁ ଯେତେ ଦୂର ଯାଏଁ ଦେଖାଯିବ, ସେତେଯାଏଁ ଆନ୍ଦୋଳନ ସମର୍ଥନରେ ପୋଷ୍ଟର, ବ୍ୟାନର ଓ ପତାକା ଲଗାଯାଇଥାଏ । ଆଗରେ ମହିଳାମାନେ ବସନ୍ତି ଏବଂ ପୁରୁଷମାନେ ସେମାନଙ୍କ ପଛରେ ବସନ୍ତି, ଦୁଇଟି ସ୍ଥାନକୁ ଗୋଟିଏ ସୂତା ଦଉଡ଼ି ଅଲଗା କରେ । ପ୍ରତି କିଲୋମିଟର ଅନ୍ତରରେ ବକ୍ତାମାନେ ଥାଆନ୍ତି, ଯାହା ଫଳରେ ଜାତୀୟ ରାଜପଥରେ ନିଜ ନିଜ ଟ୍ରାକ୍ଟର ଉପରେ ବସିଥିବା ଆନ୍ଦୋଳନକାରୀ ସବୁକିଛି ଜାଣିପାରିବେ । ହରିୟାଣା ରୋହତକର ବାସିନ୍ଦା ଏବଂ ଭାରତୀ କିଷାନ ୟୁନିୟନ (କାଦିଆନ୍)ର ଜଣେ ସଦସ୍ୟ ୫୦ ବର୍ଷ ବୟସ୍କ କୃଷକ ବେଦପାଲ ନୈନ କହିଲେ, ‘‘ଏହି ମଞ୍ଚ (ଏସ୍‌କେଏମ୍‌) ଭାରତୀୟ କୃଷକମାନଙ୍କର ସଂଘର୍ଷ ଓ ଦୃଢ଼ତାର ଏକ ନିଦର୍ଶନ  ।’’ ଅପରାହ୍ନ ୪ଟାରେ ମୁଖ୍ୟ ମଞ୍ଚରେ କାର୍ଯ୍ୟକ୍ରମ ଶେଷ  ହେବା ପରେ, ବିକ୍ଷୋଭକାରୀ ଏବଂ ସମର୍ଥକଙ୍କ ସମୂହ ଏହି ଅଞ୍ଚଳ ଆଖପାଖରେ ଶାନ୍ତି ଶୋଭାଯାତ୍ରାରେ ବାହାରନ୍ତି ।

ପଞ୍ଜାବ ସାଙ୍ଗରୁର ଜିଲ୍ଲା ଅଧୀନ ଖଡ଼ିଆଲ ଗାଁର ୫୦ ବର୍ଷୀୟ ବଲଜୀତ କୌର କହିଲେ, ‘‘ଆମ ଭାଇ ଦେଇଥିବା ଟ୍ରଲିରେ ଆମେ ଏଠାକୁ (ପକୋଡ଼ା ଛକ ମଞ୍ଚ) ଆସୁ । ପ୍ରାୟ ୧୨ଟା ବେଳକୁ ଆମେ ରୋଷେଇ କରିବାକୁ ଫେରିଯାଉ ଏବଂ ପୁଣି ମଧ୍ୟାହ୍ନ ଭୋଜନ ପରେ ପ୍ରାୟ ଅପରାହ୍ନ ୩ଟା ବେଳକୁ ସମାନ ଟ୍ରଲିରେ ଏଠାକୁ ଆସୁ  ।’’ ସେ ନିଜ ଗାଁରୁ ଆସିଥିବା ଅନ୍ୟ ମହିଳାଙ୍କ ସହିତ ଟ୍ରିକ୍ରିସ୍ଥିତ କ୍ୟାମ୍ପ୍‌ରେ ରହିଆସୁଛନ୍ତି ।

ମଞ୍ଚକୁ ଯିବାର ସୁଯୋଗ ମିଳିଲେ ତାଜା ଆଖୁ ରସ ମିଳିପାରେ । ସେନା ବାହିନୀରେ ଚାକିରି କରିବାକୁ ଆଶାୟୀ ଯୁବକ ସୁମିତ୍‌ ବାଡାକ କହିଲେ, ‘‘ଆମେ ରୋହତକରୁ ୩ଟି ମେସିନ କିଣିଛୁ । ଗ୍ରୀଷ୍ମ ଆସୁଛି ଏବଂ ପ୍ରତିଦିନ ତାପମାତ୍ରା ବଢୁଛି । ମୁଖ୍ୟ ମଞ୍ଚକୁ ଆସୁଥିବା ପ୍ରତ୍ୟେକଙ୍କୁ ଆମେ ତାଜା ଆଖୁରସ ପିଇବାକୁ ଦେବୁ ।’’ ଏହି ୨୧ ବର୍ଷୀୟ ଯୁବକ ସେନା ବାହିନୀରେ ଭର୍ତ୍ତି ହେବାକୁ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି । ବିକ୍ଷୋଭକାରୀଙ୍କୁ ତାଜା ଆଖୁରସ ଦେବା ପାଇଁ ସେ ହରିୟାଣା ରୋହତକ ଜିଲ୍ଲା ଅଧୀନ ଗୁରୌଠି ଗାଁରୁ ଆସି ନିଜର ୨୦ ଜଣ ବନ୍ଧୁଙ୍କ ସହ ଫେବ୍ରୁଆରୀରେ ଟିକ୍ରିରେ ପହଞ୍ଚିଥିଲେ ।

ହରିନ୍ଦର ବିନ୍ଦୁ ବିକେୟୁ ଏକତା ଉଗ୍ରହଣର ନେତାଙ୍କ ମଧ୍ୟରୁ ଜଣେ । ବିକେୟୁ ମଞ୍ଚରୁ ଭାଷଣ ଦେଇ ସେ କହିଲେ, ‘‘ନୂଆ ଆଇନ ବିରୋଧରେ ମହିଳାମାନେ କାନ୍ଧରେ କାନ୍ଧ ମିଶାଇ ପୁରୁଷଙ୍କ ସହ ଛିଡ଼ା ହୋଇଛନ୍ତି; ଆମେ ଏହି ଆନ୍ଦୋଳନର ପିଞ୍ଜରାହାଡ଼ । ମହିଳାମାନଙ୍କ କଥା ଶୁଣା ନ ଗଲେ ଏଥି ମଧ୍ୟରୁ କିଛି ବି ହେବ ନାହିଁ । ’’

୨୦୨୦ ଜୁନ୍‌ ୫ ତାରିଖରେ କୃଷି ଆଇନଗୁଡ଼ିକ ଅଧ୍ୟାଦେଶ ଆକାରରେ ପାରିତ ହେଲା, ତା’ପରେ ଫାର୍ମ ବିଲ୍‌ ଆକାରରେ ସଂସଦରେ ସେପ୍ଟେମ୍ବର ୧୪ରେ ଉପସ୍ଥାପିତ କରାଗଲା ଏବଂ ସେହି ମାସ ୨୦ ତାରିଖରେ ଆଇନରେ ପରିଣତ ହେଲା । କୃଷକମାନେ ବିରୋଧ କରୁଥିବା ତିନିଟି ଆଇନ ହେଲା କୃଷକଙ୍କ (ସଶକ୍ତିକରଣ ଓ ସୁରକ୍ଷା) ମୂଲ୍ୟ ନିଶ୍ଚିତତା ଏବଂ କୃଷି ସେବା ଆଇନ, ୨୦୨୦ , କୃଷକଙ୍କ ଉତ୍ପାଦନ ବ୍ୟବସାୟ ଏବଂ ବାଣିଜ୍ୟ (ଉନ୍ନତି ଏବଂ ସୁବିଧା) ଆଇନ, ୨୦୨୦; ଏବଂ ଜରୁରୀ ଦ୍ରବ୍ୟ (ସଂଶୋଧନ) ଆଇନ, ୨୦୨୦ ।

ସମସ୍ତ କୃଷକମାନେ ଏହି ୩ଟି ଆଇନକୁ ସେମାନଙ୍କ ଜୀବିକା ବିପର୍ଯ୍ୟସ୍ତ କରିଦେବା ଭଳି ଆଇନ ଭାବେ ଦେଖୁଛନ୍ତି କାରଣ ଏହାଦ୍ୱାରା ବଡ଼ ବ୍ୟାବସାୟିକ ସଂସ୍ଥାଗୁଡ଼ିକର କୃଷକ ଓ କୃଷି କ୍ଷେତ୍ର ଉପରେ ଆହୁରି ଅଧିକ କ୍ଷମତା ଦଖଲ ପାଇଁ ପଥ ପ୍ରସାରିତ କରିବ ବୋଲି ସେମାନେ ଭାବୁଛନ୍ତି । ଏହି ଆଇନଗୁଡ଼ିକ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି), କୃଷି ଉତ୍ପାଦ ବଜାର କମିଟି(ଏପିଏମ୍‌ସି), ରାଜ୍ୟର ଫସଲ କ୍ରୟ ଏବଂ ଏହିଭଳି ଉତ୍ପାଦକଙ୍କୁ ସହାୟତା କରୁଥିବା ମୁଖ୍ୟ ନିୟମକୁ ମଧ୍ୟ ଉପେକ୍ଷା କରୁଛି। ଏହି ଆଇନଗୁଡ଼ିକୁ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରଭାବିତ କରୁଥିବା ଭଳି ସମାଲୋଚନା କରାଯାଇଛି କାରଣ ଭାରତର ସମ୍ବିଧାନର ଧାରା ୩୨କୁ ଦୁର୍ବଳ କରି, ଏଗୁଡ଼ିକ ସମସ୍ତ ନାଗରିକଙ୍କ ଆଇନଗତ ଆଶ୍ରୟ ନେବାର ଅଧିକାରକୁ ଅକ୍ଷମ କରୁଛି ।

ସେମାନଙ୍କ ସଂଗଠନ ପକ୍ଷରୁ ଚୟନ ହୋଇଥିବା ପ୍ରାୟ ୧୨ ଜଣ ଲୋକ(ପଞ୍ଜାବରୁ ୧୨ଟି ଓ ହରିୟାଣାରୁ ୩ଟି କୃଷକ ସଂଗଠନ ଟିକ୍ରି ଆନ୍ଦୋଳନରେ ପ୍ରତିନିଧିତ୍ୱ କରୁଛନ୍ତି), ଏସ୍‌କେଏମ୍‌ ମଞ୍ଚରେ ଅନଶନରେ ବସିଛନ୍ତି । ‘ସୁଖ ହର୍ତ୍ତାଲ’ କୁହାଯାଉଥିବା ଏହି ପ୍ରଦର୍ଶନରେ ସେମାନେ ୨୪ ଘଣ୍ଟା ଧରି କେବଳ ପାଣି ପିଇ ରହିବେ । ଭାରତୀ କିଷାନ ୟୁନିୟନ(କାଦିଆନ୍‌)ର ସଦସ୍ୟ ଏବଂ ପଞ୍ଜାବ ଫିରୋଜପୁର ଜିଲ୍ଲା ଜୀରା ତହସିଲରୁ ଆସିଥିବା ୬୦ ବର୍ଷୀୟ ଚାଷୀ ପ୍ରୀତମ ସିଂହ କହିଲେ, ‘‘ପୂର୍ବାହ୍ନ ୧୧ଟାଠାରୁ ଆମେ ଏଠାରେ ବସିଛୁ ଏବଂ ପରଦିନ ସକାଳ ଯାଏଁ ଏମିତି ଅନଶନରେ ବସିବୁ, ଏହାପରେ ୧୨ ଜଣ ଲୋକଙ୍କର ଆଉ ଏକ ଗୋଷ୍ଠୀ ବସିବେ ।’’ ସେ କହିଲେ ଯେ ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଏହି ଅନଶନ ଜାରି ରହିବ ।

ମଞ୍ଚ ସୁରକ୍ଷା

ପ୍ରତି ସଂଗଠନ ୫୦ ସଦସ୍ୟଙ୍କ ତାଲିକା ପ୍ରଦାନ କରିବେ ଯେଉଁମାନେ ସୁରକ୍ଷା ସମ୍ପର୍କିତ କାମ ପାଇଁ ସ୍ୱେଚ୍ଛାସେବୀ ଭାବେ କାମ କରିବେ । ଏହିପରି ପ୍ରାୟ ୩୦୦ରୁ ୫୦୦ ସ୍ୱେଚ୍ଛାସେବୀ ଟିକ୍ରି ବିକ୍ଷୋଭସ୍ଥଳରେ ସୁରକ୍ଷା ଦାୟିତ୍ୱରେ ଅଛନ୍ତି । ସେମାନଙ୍କୁ ପରିଚୟପତ୍ର ଦିଆଯାଇଛି ଯାହାକୁ ସେମାନେ ସିଫ୍ଟ ସରିବା ପରେ ହସ୍ତାନ୍ତର କରି ଯିବେ ।

ସୁରକ୍ଷା ଦାୟିତ୍ୱରେ ଥିବା ସ୍ୱେଚ୍ଛାସେବୀମାନେ ମଞ୍ଚ ଉପରେ ଏବଂ ପଛରେ ଥିବା ସ୍ଥାନ ଯେଉଁଠାରେ ପୋଲିସ ଦୃଢ଼ ବ୍ୟାରିକେଡ୍‌ କରିଛି ସେ ସବୁ ଉପରେ ନଜର ରଖନ୍ତି । ସାହିଲ (ସେ କେବଳ ତାଙ୍କ ବ୍ୟବହାର କରନ୍ତି) କହିଲେ ପ୍ରତିଦିନ ୧୨ ଘଣ୍ଟା ପାଇଁ ୮ ଜଣ (ଏସ୍‌କେଏମ୍‌) ମଞ୍ଚର ପଛପାଖ ନିରୀକ୍ଷଣ ଡ୍ୟୁଟିରେ ଥାଆନ୍ତି । ସେ ଅନ୍ୟ ସ୍ୱେଚ୍ଛାସେବୀଙ୍କ ସହ ଚା’ ବିରତିରେ ଥିବାବେଳେ ମୋ ସହ କଥା ହେଲେ । ଫିରୋଜପୁର ଜିଲ୍ଲା ଫାଜିଲକାର ଜଣେ ୨୫ ବର୍ଷୀୟ କୃଷକ ସାହିଲଙ୍କ ଏକ ଚାଷୀ ପରିବାରର ସଦସ୍ୟ ଯିଏ ନିଜର ୬ ଏକର ଜମିରେ ଗହମ ଓ ଧାନ ଚାଷ କରନ୍ତି । ଉଭୟ ପୁରୁଷ ଓ ମହିଳା ସୁରକ୍ଷା ଦାୟିତ୍ୱରେ ରହନ୍ତି  । ଏଥିରେ ମହିଳା, ପିଲା ଓ ବୟସ୍କଙ୍କ ସୁରକ୍ଷା ପାଇଁ ରାତ୍ରୀକାଳୀନ ପହରା ମଧ୍ୟ ଥାଏ  । ଦିନ ବେଳା ସେମାନଙ୍କୁ ମଞ୍ଚ ଆଖପାଖରେ ଥିବା ବିକ୍ଷୋଭକାରୀଙ୍କୁ ଚା’ ଦେବାକୁ କୁହାଯାଏ ।

କ୍ରୀତି କିଷାନ ୟୁନିୟନର ସଦସ୍ୟ ମୋହନ ସିଂହ ଔଲାଖ କହିଲେ, ‘‘ଆମେ ନିଶ୍ଚିତ କରୁ ଯେ କେହି ଯେମିତି ବିକ୍ଷୋଭ ସ୍ଥଳର ଶାନ୍ତି ଭଙ୍ଗ ନ କରିପାରନ୍ତୁ । ଏଠାରେ ଚାଷୀମାନେ ନ୍ୟାୟ ଦାବିରେ ଅଛନ୍ତି । କେହି ହିଂସା ଚାହାନ୍ତି ନାହିଁ ।’’ ଏହି ୨୫ ବର୍ଷୀୟ ଯୁବକ ନଭେମ୍ବର ମାସରୁ ଟିକ୍ରିରେ ଅଛନ୍ତି ଏବଂ ଏସ୍‌କେଏମ୍‌ ମଞ୍ଚରେ ସୁରକ୍ଷା ଦାୟିତ୍ୱରେ ସ୍ୱେଚ୍ଛାସେବୀ ଭାବେ କାମ କରୁଛନ୍ତି । ମୋହନ ଗୋଟିଏ କୃଷି ଶ୍ରିମକ ପରିବାରର ସଦସ୍ୟ । ସେ ବିଶ୍ୱାସ କରନ୍ତି ଯେ ଆଇନଗୁଡ଼ିକ ତାଙ୍କ ସମ୍ପ୍ରଦାୟ ଉପରେ ପ୍ରତିକୂଳ ପ୍ରଭାବ ପକାଇବ । ମୋହନ କହିଲେ, ‘‘ପ୍ରାୟ ୩-୪ ଲକ୍ଷ ଶ୍ରମିକ ଜୀବିକା ପାଇଁ ମଣ୍ଡି ଉପରେ ନିର୍ଭରଶୀଳ । ମଣ୍ଡି ବନ୍ଦ ହେଲେ, ସେମାନେ କାମ ହରାଇବେ ।’’

ପୂର୍ବାହ୍ନ ୧୧ଟାଠାରୁ ଅପରାହ୍ନ ୪ଟା ଯାଏଁ ମଞ୍ଚଗୁଡ଼ିକ ଚଳଚଞ୍ଚଳ ରହେ । ସମସ୍ତ ଘୋଷଣା : ସଂଗଠନଗୁଡ଼ିକର ଭବିଷ୍ୟତର ଯୋଜନା, କାର୍ଯ୍ୟକ୍ରମ ଓ ନେତାମାନଙ୍କର ନିର୍ଦ୍ଦେଶାବଳି ଏବଂ ଏମିତିକି ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କର ନାମ ମଧ୍ୟ ଏହି ଦୁଇଟି ମଞ୍ଚରୁ ଘୋଷଣା ହୁଏ । ଫଟୋ –  ଶିବାଙ୍ଗୀ ସକ୍ସେନା

ସୁରକ୍ଷା ସ୍ୱେଚ୍ଛାସେବୀ ସରବଜିତ୍‌ଙ୍କ ପରିବାର ପଞ୍ଜାବ ମୋଗା ଜିଲ୍ଲା ଅଧୀନ ବିଳାସପୁରରେ ଥିବା ନିଜର ୫ ଏକର ଜମିରେ ଗହମ ଓ ଧାନ ଚାଷ କରନ୍ତି । ଏହି ପରିବାର ଉପରେ ପ୍ରାୟ ୮ ଲକ୍ଷର ଋଣ ଅଛି । ସେ କହିଲେ, ‘ଆମେ ଆମ ପରିବାର ପାଇଁ ଏଠାରେ ଅଛୁ । ’’ ସରବଜିତ୍‌ ଏବଂ ତାଙ୍କ ବାନ୍ଧବୀ କମଲଦୀପ କୌର ମଞ୍ଚ ନିକଟରେ ସ୍ୱେଚ୍ଛାସେବୀ ଭାବେ କାମ କରନ୍ତି । କମଲଦୀପ ମୋଗା ଜିଲ୍ଲା ବାଘାପୁରାନା ତହସିଲର ଜଣେ କୃଷି ଶ୍ରମିକଙ୍କ ଝିଅ । ସେ କହନ୍ତି ତାଙ୍କ ବାପା ଜଣେ ଦଳିତ ଶ୍ରମିକ ଯିଏ କାମ ସନ୍ଧାନରେ ଘୁରି ବୁଲନ୍ତି ଏବଂ କାମ ପାଇଲେ ଦିନକୁ ୩୦୦ ଟଙ୍କା ଆୟ କରନ୍ତି, କିନ୍ତୁ ଏବେ କାମ ପାଇବା କଷ୍ଟକର ।

ଗଣମାଧ୍ୟମ ସ୍ୱେଚ୍ଛାସେବୀ-ଫଟୋଗ୍ରାଫର, ସିନେମାଟୋଗ୍ରାଫର, ସାଉଣ୍ଡ ଇଞ୍ଜିନିୟର ଏବଂ ସୋସିଆଲ୍‌ ମିଡିଆ ହ୍ୟାଣ୍ଡଲରଙ୍କୁ ମିଶାଇ ମୋଟ ୩୦ ଜଣ ହେବେ । ଜଣେ ସବୁଠାରୁ ବେଶୀ ସକ୍ରିୟ ଦେଖାଯାଆନ୍ତି ସେ ହେଲେ ପଞ୍ଜାବ ଫିରୋଜପୁର ଜିଲ୍ଲା ଜଲାଲାବାଦ ତହସିଲ ଅଧୀନ ବାଘେ କେ ଉତ୍ତରର ବାସିନ୍ଦା ୨୩ ବର୍ଷୀୟ ବିକାଶ କମବୋଜ । ବିକେୟୁ ଏକତା ଉଗ୍ରହଣ ମୁଖ୍ୟ ମଞ୍ଚରୁ କରାଯାଉଥିବା ସବୁ ଘୋଷଣା ଯେମିତି ସୋସିଆଲ୍‌ ମିଡିଆ ପେଜ୍‌ରେ ଅପଡେଟ୍‌ ହେବ ସେ ଏକଥା ନିଶ୍ଚିତ କରନ୍ତି ।

ଟିକ୍ରି ମେଟ୍ରୋ ଷ୍ଟେସନ ନିକଟସ୍ଥ ସଂଯୁକ୍ତ କିଷାନ ମୋର୍ଚ୍ଚା(ଏସ୍‌କେଏମ୍‌) ମଞ୍ଚ ପାଖରେ ଟ୍ରାକ୍ଟର ଓ ଟ୍ରଲିଗୁଡ଼ିକ ବ୍ୟବସ୍ଥିତ ଢଙ୍ଗରେ ରଖାଯାଇଥାଏ ଯେମିତି ଅନ୍ୟ ଆତଯାତ କରୁଥିବା ଲୋକେ ଟ୍ରାଫିକ୍‌ ଜାମ୍‌ର ସମ୍ମୁଖୀନ ନ ହେବେ । ଫଟୋ –  ଶିବାଙ୍ଗୀ ସକ୍ସେନା

୩୦ ବର୍ଷ ବୟସ୍କ ଏରୋସ୍ପେଶ୍‌ ଇଞ୍ଜିନିୟର ହରପ୍ରିତ ସିଂହ ଏସ୍‌କେଏମ୍‌ ମୁଖ୍ୟ ମଞ୍ଚର ପଛ ପାଖ ଅଞ୍ଚଳ ଉପରେ ନଜର ରଖନ୍ତି । ତାଙ୍କ ପରିବାର ପଞ୍ଜାବ ଫରିଦକୋଟ ଜିଲ୍ଲା ଗୁଜ୍ଜର ଗାଁରେ ୫ ଏକର ଜମିରେ ଗହମ ଓ ଧାନ ଚାଷ କରନ୍ତି । ସେ କହିଲେ, ‘‘ଆମେ ୪ ବର୍ଷ ପୂର୍ବରୁ ୭ ଲକ୍ଷ ଟଙ୍କାର ଋଣ ନେଇଥିଲୁ(କୃଷି କାର୍ଯ୍ୟ ପାଇଁ) । ଏବେ ସୁଧକୁ ମିଶାଇଲେ ଏହା ୧୧ ଲକ୍ଷ ଟଙ୍କା ହେଲାଣି । ଆମେ ୪ ଲକ୍ଷ ଟଙ୍କା ଦେବାରେ ସକ୍ଷମ ହୋଇଛୁ, କିନ୍ତୁ ବଳକା ଟଙ୍କା ବି ଖୁବ୍‌ ବେଶୀ । ଆମେ ଆମ ପେଟ ପୁରାଇବାକୁ ହିଁ ଉତ୍ପାଦନ କରିପାରୁଛୁ, ପକେଟ୍‌ ପାଇ ନୁହେଁ ।’’

ଯଶବୀର କୌର ନଟ୍ଟ ପୁଣି ମାଇକ୍ରୋଫୋନ୍‌ ପାଖକୁ ଆସିଲେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବାକୁ । ‘‘ଟ୍ରାକ୍ଟର ଓ ଟ୍ରଲିଗୁଡ଼ିକ ବ୍ୟବସ୍ଥିତ ଢଙ୍ଗରେ ରଖାଯାଇନାହିଁ ଏଣୁ ଯାତ୍ରୀମାନେ ବହୁତ ଟ୍ରାଫିକ୍‌ ଜାମର ସାମ୍ନା କରୁଛନ୍ତି । ଟ୍ରାକ୍ଟର ଓ ଟ୍ରଲିଗୁଡ଼ିକୁ ବ୍ୟବସ୍ଥିତ କରିବାକୁ ଆମେ ଏକ ଟିମ୍‌ ଗଠନ କରିଛୁ । ଦୟାକରି ସେମାନଙ୍କୁ ସହଯୋଗ କରନ୍ତୁ ।’’

ସେ ମାଇକ୍ରୋଫୋନ୍‌ ପାଖରୁ ଦୂରେଇ ଗଲେ ଏବଂ ତା’ ପରେ ପରବର୍ତ୍ତୀ ଘୋଷଣା ଆରମ୍ଭ ହେଲା, ଲକ୍ଷ ଲକ୍ଷ ବିକ୍ଷୋଭକାରୀ ଚାଷୀ ଥଣ୍ଡାରେ ଶାନ୍ତି ଓ ଏକଜୁଟତା ବଜାର ରଖିବେ ।

Editor's note

ଶିବାଙ୍ଗୀ ସକ୍ସେନା ନୂଆଦିଲ୍ଲୀସ୍ଥିତ ମହାରାଜା ଆଗ୍ରାସେନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଷ୍ଟଡିଜ୍‌ରେ ସାମ୍ବାଦିକତା ଓ ଗଣଯୋଗାଯୋଗର ଛାତ୍ରୀ ଏହା ଦିଲ୍ଲୀ-ହରିୟାଣା ସୀମା ଟ୍ରିକିରେ କୃଷକଙ୍କ ବିରୋଧ ପ୍ରଦର୍ଶନ ଉପରେ ଲିଖିତ ତାଙ୍କର ତୃତୀୟ କାହାଣୀ ସେ କହନ୍ତି, ‘‘ଏକ ଆନ୍ଦୋଳନକୁ ଚମତ୍କାର ଓ ଉଲ୍ଲେଖନୀୟ ଭାବେ ରିପୋର୍ଟିଂ କରିବା ଏକ ବଡ଼ ଅନୁଭୂତି ପରୀ ଶିକ୍ଷା ମୋତେ ବିକ୍ଷୋଭକୁ ବିଭିନ୍ନ ଦୃଷ୍ଟିକୋଣରୁ ଦେଖିବା ଏବଂ ତଥ୍ୟ ଦ୍ୱାରା ସମର୍ଥିତ ମଣିଷଙ୍କ କାହାଣୀ ଉପସ୍ଥାପନ କରିବାରେ ସାହାଯ୍ୟ କଲା ’’

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି  ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍‌ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।