ଜଙ୍ଗଲୀ ଘାସର ଝାଡ଼ୁ, ଦୁଇଟି ଭିନ୍ନ ଭିନ୍ନ ପ୍ରକାର ମାଟିରେ ପ୍ରସ୍ତୁତ ମାଟି ପାତ୍ର, ଦେଶୀ ବତକ, ଘର ବାଡ଼ିରେ ଚାଷ ହେଉଥିବା ପନିପରିବା, ସ୍ଥାନୀୟ ମିଶ୍ରିତ ମସଲା, ନିମ୍ବ ଓ ଅନ୍ୟ ତେଲ, ମହୁଲି ମଦ, ଖାଇବା ଯୋଗ୍ୟ ପିମ୍ପୁଡ଼ି ଏବଂ ଅନ୍ୟ ବନ୍ୟଜାତ ଉତ୍ପାଦ ସହିତ ଦରଜି, ବାରିକ ଓ ଖାଦ୍ୟସାମଗ୍ରୀ ଦୋକାନ।

ଜୁରୁଡ଼ି ଠାରେ ଏହି ସାପ୍ତାହିକ ହାଟ ପ୍ରତି ମଙ୍ଗଳବାର ବସିଥାଏ। ଗାଁର ବୟସ୍କ ଲୋକମାନେ କୁହନ୍ତି, ପ୍ରାୟ ୧୯୪୦ ଦଶକ ଠାରୁ ଏହି ହାଟ ବିନା ବାଧାରେ ଚାଲୁଛି।

“ପିଲା ଦିନେ ମୁଁ ମୋ ବାପା-ମା’ଙ୍କ ସହିତ ପ୍ରାୟତଃ ଏହି ହାଟକୁ ଆସୁଥିଲି। ମୋର ମନେ ଅଛି ଯେତେବେଳେ ମୋ ବାହାଘର ଠିକ୍ ହେଲା, ମୋ ବାପା ଏଠାରୁ ବାସନକୁସନ, ପୋଷାକ ଓ ଅନ୍ୟାନ୍ୟ ସାମଗ୍ରୀ କିଣିଥିଲେ। ମୁଁ ମୋ ଝିଅ ବାହାଘର ପାଇଁ ମଧ୍ୟରୁ ଏଠାରୁ ବିଭିନ୍ନ ସାମଗ୍ରୀ କିଣିଥିଲି,” ଲଳିତା ନାୟକ କୁହନ୍ତି। ଜଳହାରୀ ଗ୍ରାମର ଏହି ୭୫ବର୍ଷ ବୟସ୍କା ବୃଦ୍ଧା ଜଣକ ଆଜି କିଛି ଜରୁରି ଘରକରଣା ସାମଗ୍ରୀ କିଣିବା ଲାଗି ଆସିଛନ୍ତି।

ତାଙ୍କ ଭଳି କେନ୍ଦୁଝର (କେଉଁଝର ନାମରେ ମଧ୍ୟ ପରିଚିତ)ର ଯୋଡ଼ା ବ୍ଲକରେ ଥିବା ଏହି ହାଟ ଚାଲିବା ସମୟରେ, ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ହଜାର ହଜାର ଲୋକ ଆସିଥାନ୍ତି। “ଏଠାରେ ଅନେକ ପ୍ରକାରର ସାମଗ୍ରୀ ମିଳିଥାଏ। ଆପଣ ଏଠୁ ସବୁକିଛି କିଣିପାରିବେ…. କେବଳ ନିଜ ବାପା-ମା’ଙ୍କୁ ଛାଡ଼ି”, ଲଳିତା ହସି ହସି କୁହନ୍ତି।

ଆମେ ସବୁ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ, ଆମ ଅଞ୍ଚଳରେ ସବୁଠୁ ବଡ଼ ଜୁରୁଡ଼ି ହାଟ ଦେଖିବା ଏବଂ ଶିଖିବା ଲାଗି ଆମେ ଏଠାକୁ ଆସିଛୁ। ପ୍ରାୟ ଦୁଇ କିଲୋମିଟର ଦୂର ଜଜାଙ୍ଗରେ ଥିବା ଆମ ଘରୁ ଆସି ଆମେ ପ୍ରାୟ ଭୋର ୫ଟା ବେଳେ ଏଠାରେ ପହଞ୍ଚିଥିଲୁ। ଦୋକାନୀମାନେ ସେମାନଙ୍କ ଷ୍ଟଲ ପକାଉଥିବା ଦେଖିଲୁ। ହାଟକୁ ଲାଗି ଶେଷ ପାଞ୍ଚ କିଲୋମିଟର ଥିଲା କଚ୍ଚା ରାସ୍ତା। ଏହି ରାସ୍ତା ଦେଇ ଆମେ ଚାଲି ଚାଲି ଯାଉଥିବା ସମୟରେ ଆମର ଶିକ୍ଷୟିତ୍ରୀ ସୁଦୀପା ସେନାପତି ମଜାଳିଆ ଢଙ୍ଗରେ କହିଥିଲେ, “ରାସ୍ତାରେ ଅନେକଗୁଡ଼ିଏ ଖାଲଖମା ରହିଛି ଏବଂ ବର୍ଷା ଦିନେ ଏହି ରାସ୍ତାରେ କେହି ନିଜ ବାଇକରୁ ପଡ଼ିଗଲେ ଆଉ ଉଠିପାରିବ ନାହିଁ!”

ପଡ଼ୋଶୀ ବାଁଶପାଳ, ଝୁମ୍ପୁରା ଏବଂ ଚମ୍ପୁଆରୁ ବିକ୍ରେତା ଏବଂ କ୍ରେତାମାନେ ପ୍ରାୟ ୪୦ କିଲୋମିଟର ଦୂର ପର୍ଯ୍ୟନ୍ତ ପାଦରେ ଚାଲି ଚାଲି, ସାଇକେଲ ଯୋଗେ, ମୋଟର ସାଇକେଲରେ, ଅଟୋରେ କିମ୍ବା ବସ ଯୋଗେ ଆସିଥାନ୍ତି।

ଓଡ଼ିଶାର ଏହି ଗ୍ରାମାଞ୍ଚଳ ବହୁଳ ଜିଲ୍ଲାରେ ୮୬ ପ୍ରତିଶତ ଅର୍ଥାତ୍ ପ୍ରାୟ ୧୮,୦୧,୭୩୩ ଜଣ ଲୋକ (୨୦୧୧ ଜନଗଣନା ଅନୁଯାୟୀ) ଗ୍ରାମାଞ୍ଚଳରେ ରହିଥାନ୍ତି। ଅଧିକାଂଶ ବିକ୍ରେତା ଆଦିବାସୀ, ଭୂମିହୀନ, ନାମମାତ୍ର ଚାଷୀ, ଦଳିତ ଏବଂ ବୟସ୍କ ଲୋକ ହୋଇଥାନ୍ତି ଯେଉଁମାନେ ଏଠାରୁ ହେଉଥିବା ସାପ୍ତାହିକ ରୋଜଗାର ଉପରେ ନିର୍ଭର କରିଥାନ୍ତି।

ଯେମିତି ଚିମିଳାର କୃଷ୍ଣ ମୁଣ୍ଡା, ସେ ଜଣେ ଚାଷୀ ଓ ଦରଜି। ସେ ନିଜ କାନ୍ଧରେ ସିଲେଇ ମେସିନକୁ ଭାଗ ଭାଗ କରି ବୋହି ଏଠାରେ ଆଣି ପକାଇଥାନ୍ତି। ଷାଠିଏ ବର୍ଷ ବୟସ ଅତିକ୍ରାନ୍ତ କରିସାରିଥିବା କୃଷ୍ଣ ଚମ୍ପୁଆ ବ୍ଲକରେ ଥିବା ନିଜ ଗ୍ରାମରୁ ଗତ ପ୍ରାୟ ୧୦ ବର୍ଷ ହେବ ପ୍ରତ୍ୟେକ ମଙ୍ଗଳବାର ଏଠାକୁ ଆସୁଥିବା ମନେ ପକାଇ କହିଥାନ୍ତି। “ଏଠାରେ ପୋଷାକ ମରାମତି କରି ସେ ପାଖାପାଖି ୨୦୦ରୁ ୨୫୦ ଟଙ୍କା ରୋଜଗାର କରିଥାନ୍ତି। ନା, ଦରଜି କାମ କରିବା ଲାଗି ମୋ ପାଖରେ କୌଣସି ସ୍ଥାୟୀ ଦୋକାନ ନାହିଁ”, ସେ ଆମକୁ କୁହନ୍ତି।

ମୁଣ୍ଡା ଜଣେ କୋହ୍ଲ ଆଦିବାସୀ ଏବଂ ତାଙ୍କର ଗୋଟିଏ ବିଘା ଜମି (ଅଧ ଏକରଠାରୁ କମ୍‌) ରହିଛି। ସେଠାରେ ସେ ଧାନ, ବିରି ଏବଂ ମୁଗ ସହିତ ପନିପରିବା ଚାଷ କରିଥାନ୍ତି। “ମୁଁ ଖାଇବା ପାଇଁ ଧାନ ଚାଷ କରିଥାଏ ଏବଂ କେବଳ ବଳକା ତକ ବିକ୍ରି କରିଥାଏ”, ସେ କୁହନ୍ତି।

ଆଜକୁ ଦୀର୍ଘ ବର୍ଷ ହେବ ଜଣେ ନିୟମିତ ପିମ୍ପୁଡ଼ି ବିକ୍ରେତା କିନାରୀ ଦେହୁରୀ ବାଁଶପାଳ ବ୍ଲକ୍‌ ଫୁଲଝର ଗାଁରେ ଥିବା ନିଜ ଘରୁ ଏଠାକୁ ଆସୁଛନ୍ତି। ଏହି ୫୬ ବର୍ଷ ବୟସ୍କା ମହିଳା ଜଣକ ୨୦୦ ଟଙ୍କା ବସ ଭଡ଼ା ଦେଇ ନିଜ ଗ୍ରାମରୁ ହାଟକୁ ଆସିଥାନ୍ତି। ଏଠାରେ ସେ କିଛି ଶହ ଗ୍ରାମ୍‌ କୁରକୁଟି (ବୁଣାକାର ପିମ୍ପୁଡ଼ି), କୁଲାଢ଼ି ଫୁଲ (ପରିବା ଭଳି ରନ୍ଧା ହେଉଥିବା ଏକ ସ୍ଥାନୀୟ ଫୁଲ), ସାରୁ ପତ୍ର ଏବଂ କଫି ସିନା (ସିନା ଅକ୍ସିଡେଣ୍ଟାଲିସ) ଆଦି ବିକ୍ରି କରିଥାନ୍ତି। “ମୁଁ କୁଲାଢ଼ି ଫୁଲ ଏବଂ କୁରକୁଟି ବିଡ଼ା ୨୦ ଟଙ୍କାରେ ବିକ୍ରି କରିଥାଏ”, ସେ କୁହନ୍ତି।

ଦଳିତ ଚାଷୀ, ଦେହୁରୀଙ୍କ ପରିବାର ମାଲିକାନାରେ ୧୬ ଡିସିମିଲ (ଗୋଟିଏ ଏକର ଜମିର ଏକ ଷଷ୍ଠାଂଶ) ଜମି ରହିଛି ଯେଉଁଥିରେ ସେମାନେ ଧାନ ଓ ପନିପରିବା ଚାଷ କରିଥାନ୍ତି। “ଗତ ଥର ଭଲ ଧାନ ହୋଇନଥିଲା। ତାହା ଆମ ଖାଇବା ଉପଯୋଗୀ ନଥିଲା, ତେଣୁ ଆମେ ସବୁତକ ଧାନ ବିକ୍ରି କରି ଦେଇଥିଲୁ। ସେହି ଟଙ୍କାରେ ଆମେ ହାଟରୁ ଚାଉଳ କିଣିଲୁ”, ସେ କହିଥିଲେ।

ବାମ : କୃଷ୍ଣ ମୁଣ୍ଡା, ଚମ୍ପୁଆ ବ୍ଲକ ଚିମିଳାର ଜଣେ ଚାଷୀ ଓ ଦରଜି। ସେ ଏଠାରେ ପୋଷାକ ମରାମତି ଓ ସିଲେଇ କରି 200ରୁ 250 ଟଙ୍କା ରୋଜଗାର କରିଥାନ୍ତି। ଡାହାଣ : ମୀନତି ମୁଣ୍ଡା କରଞ୍ଜ, କୁସୁମ, ନିମ୍ବ ଏବଂ ମଲିକା ମଞ୍ଜିରୁ ତିଆରି ତେଲ ବିକ୍ରି କରୁଛନ୍ତି। ସେ ମଧ୍ୟ ଗଛ ମୂଳ ଏବଂ ଭାତରୁ ତିଆରି ସ୍ଥାନୀୟ ଦେଶୀ ମଦ ‘ହାଣ୍ଡିଆ’ ପ୍ରସ୍ତୁତ କରି ତାହାକୁ ପ୍ରତି 250 ଗ୍ରାମ୍ ପିଛା 50 ଟଙ୍କାରେ ବିକ୍ରି କରିଥାନ୍ତି

କିଛି ଦୂରରେ ମିନତୀ ମୁଣ୍ଡା (୫୫) ଦୋକାନ ଖୋଲିଥିଲେ, ସେ ଏଠାରେ କରଞ୍ଜ, କୁସୁମ, ନିମ୍ବ, ମହୁଲରେ ପ୍ରସ୍ତୁତ ତେଲ ଏବଂ ମଲିକା ଆମ୍ବ ବିହନ ବିକ୍ରି କରିଥାନ୍ତି। ଜଲହାରୀ ଗ୍ରାମ ନିକଟରେ ଥିବା ଏକ ପଡ଼ା ରୁଗୁଡ଼ି ସାହିର ବାସିନ୍ଦା ମିନତୀ ଜଣେ କୋହ୍ଲ ଆଦିବାସୀ। ସେ ଦେଶୀ ମଦ ‘ହାଣ୍ଡିଆ’ ପ୍ରସ୍ତୁତ କରି ଅଢ଼େଇ ଶହ ମିଲିଲିଟରକୁ ୫୦ ଟଙ୍କାରେ ବିକ୍ରି କରିଥାନ୍ତି। “ମୁଁ ମହୁଲ ମଞ୍ଜିରୁ ପିଡିଆ ପ୍ରସ୍ତୁତ କରିଥାଏ ଯାହା କୃମି ଓ ଚର୍ମରୋଗ ଭଲ କରି ଦେଇଥାଏ,” ମିନତୀ କୁହନ୍ତି।

ଖୁବଶୀଘ୍ର ସବୁ ଦୋକାନ ଖୋଲିଗଲା-କିଛି ଲୋକ ନୀଳ ତାର୍ପୋଲିନ ଚାଦର ତଳେ ବସିଥିଲେ ଆଉ କିଛି ଗଛ ଛାଇରେ ବସି ବେପାର କରୁଥିଲେ। ମହୁ, ମହୁଲ ଫୁଲ, ତେଲ ଏବଂ ଜଙ୍ଗଲୀ ଛତୁ ଆଦି ବନ୍ୟଜାତ ଦ୍ରବ୍ୟ ସମେତ ବାଇଗଣ, ଟମାଟୋ, କୋବି, ଆଳୁ, ପିଆଜ, ଗାଜର ଭଳି ପରିବା ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ବିକ୍ରି ହେବାକୁ ଆସିଥିଲା।

ଭୂୟାଁ ଆଦିବାସୀ କାର୍ତ୍ତିକ ନାୟକ ଜିନିଷପତ୍ର କିଣିବା ଲାଗି ହାଟକୁ ଆସିଛନ୍ତି ଏବଂ ସେ କୁହନ୍ତି, “କେନ୍ଦୁଝର ଜିଲ୍ଲାର ୪୦ରୁ ଅଧିକ ଗାଁର ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ଲାଗି ଏହି ହାଟକୁ ଆସିଥାନ୍ତି। ଉପାନ୍ତ ପଡ଼ା ଓ ଗାଁରେ ରହୁଥିବା ଲୋକମାନଙ୍କ ପାଇଁ ଏହା ହେଉଛି ଏକମାତ୍ର ସ୍ଥାନ ଯେଉଁଠାରୁ ସେମାନେ ଲୁଣ, ମସଲା ଓ ତେଲ ଆଦି ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ।”

ଏଇ ଯେମିତି ସୋନୁ ମୁଣ୍ଡାଙ୍କ ଚାରି ପାଖରେ ବୁଲୁଥିବା ବତକ ମଧ୍ୟ ଏଠାକୁ ବିକ୍ରି ହେବା ଲାଗି ଆସିଛନ୍ତି। ୫୫ ବର୍ଷୀୟ ମୁଣ୍ଡା ଆଦିବାସୀ ଚାଷୀ ଏବଂ ବତକ ପାଳକ ସୋନୁ ଆଜି ୮ଟି ବତକ ବିକ୍ରି କରିବା ଲାଗି ଆଣିଛନ୍ତି। ତେଲକୋଇ ବ୍ଲକର ଖଣ୍ଡବନ୍ଧ ଗାଁରେ ତାଙ୍କର ଆହୁରି ୬୦ଟି ବତକ ଅଛନ୍ତି। ଗୋଟିଏ ବତକ ୬୫୦ ଟଙ୍କାରେ ବିକ୍ରି ହେବ।

“ବତକ ବିକ୍ରିରୁ ରୋଜଗାର କରୁଥିବା ଟଙ୍କାରେ ମୋ ପରିବାରର ପେଟ ପୂରିଥାଏ। ମୋ ପାଖରେ ୨୦ ଡିସମିଲ (ଗୋଟିଏ ଏକର ଜମିର ଏକ ପଞ୍ଚମାଂଶ) ଜମି ଅଛି କିନ୍ତୁ ମୁଁ ଏହାର କେବଳ ଅଧା ଭାଗ ଚାଷ କରିପାରିଥାଏ; ଅବଶିଷ୍ଟ ଭାଗ (ଜମିର) ଚାରଣ ଭୂମି ଭାବେ ବ୍ୟବହାର କରେ”, ସେ କୁହନ୍ତି।

ଯଦି ଆପଣ ମାଈ କୁକୁଡ଼ା ସହିତ (ବତକ) ଚାହୁଁଥାନ୍ତି, ତା’ହେଲେ ରିମୁଳିର ଚିତ୍ତରଞ୍ଜନ ଦାସଙ୍କ ନିକଟରେ ୪୫୦ରୁ ୫୦୦ ଟଙ୍କାରେ ଏଥିରୁ ଗୋଟିଏ ମିଳିଯିବ। କାନ୍ଦରା ଗ୍ରାମ, ବିଲେଇପଦା ପଡ଼ା ଓ ରିମୁଳି ହାଟରେ ମଧ୍ୟ ସେ ଏଗୁଡ଼ିକୁ ବିକ୍ରି କରିଥାନ୍ତି।

ସେ ଜଣେ ଦଳିତ କୃଷକ ଓ ତାଙ୍କର ଗୋଟିଏ ଏକର ଚାଷ ଜମି ରହିଛି। “ଆମେ ଋତୁ ଅନୁଯାୟୀ ଆଳୁ, ପିଆଜ, ରସୁଣ, କୋବି, ସାରୁ ଓ ଅଦା ଚାଷ କରିଥାଉ। ଆମେ ଚାଷ କରୁଥିବା ଚାଉଳ ବିକ୍ରି କରି ଦେଇଥାଉ ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ)ରେ ବିକ୍ରି ହେଉଥିବା ଚାଉଳ ଖାଇଥାଉ।

ସେହିପରି ଚମ୍ପୁଆ ବ୍ଲକର ରିମୁଳି ବାସିନ୍ଦା ଭାରତୀ କୈବର୍ତ୍ତ ସବୁଜ ଶାଳ ପତ୍ର ଉପରେ ଛୋଟ ଛୋଟ ମାଛ ଶୁଖୁଆ ସଜେଇ ଥୋଇ ବିକ୍ରି କରୁଛନ୍ତି। ସେ ଏଗୁଡ଼ିକୁ ଶାଳ ପତ୍ରରେ ବାନ୍ଧି ବିକ୍ରି କରିବା ଲାଗି ରଖିଥାନ୍ତି। ରାଓଳ, ଚିଙ୍ଗୁଡ଼ି, ଇଲିଶି, କୋକିଳା, ଶିଳା ଓ ପିତା କରାଣ୍ଡି ଆଦିର ଶୁଖୁଆ ତାଙ୍କ ସମ୍ମୁଖରେ ବିକ୍ରି ପାଇଁ ରହିଛି।

ବଡ଼ବିଲ ସହର ନିକଟବର୍ତ୍ତୀ ଏକ ଗାଁର ବାସିନ୍ଦା ସୁଦର୍ଶନ କୈବର୍ତ୍ତ ୬୦ ବର୍ଷ ବୟସ ଅତିକ୍ରମ କରିସାରିଲେଣି। ସେ ଗତ ତିନି ଦଶନ୍ଧି ହେବ ଏହି ହାଟକୁ ଆସୁଛନ୍ତି। ସ୍ଥାନୀୟ ବ୍ୟଞ୍ଜନ- କୁକୁଡ଼ା ମାଂସ ତରକାରୀ, ପରିବା ଓ ଛତୁ ତରକାରୀ ପାଇଁ ବିଭିନ୍ନ ପ୍ରକାର ମସଲା ମିଶ୍ରଣ କରି ବିକ୍ରି କରିବା ନିମନ୍ତେ ସେ ହାଟକୁ ଆସିଛନ୍ତି। ସୁଦର୍ଶନ ଜଣେ ଭୂମିହୀନ ଚାଷୀ ଏବଂ ସେ ତାଙ୍କ ପତ୍ନୀଙ୍କ ସହିତ ରହିଥାନ୍ତି। ତାଙ୍କର ଗୋଟିଏ ମାତ୍ର ପୁଅ ଓ ବୋହୂ ସେମାନଙ୍କୁ ପଚାରନ୍ତି ନାହିଁ। “ମୋର ଏବଂ ମୋ ସ୍ତ୍ରୀର ପେଟ ପୋଷିବା ପାଇଁ ମୁଁ ଏ କାମ କରୁଛି, କିନ୍ତୁ ମୁଁ କେବେ କାହା ପାଖରେ ଭିକ ମାଗିବି ନାହିଁ”, ସେ କୁହନ୍ତି।

ସୁଦର୍ଶନଙ୍କ ଭଳି, ବହୁ ବିକ୍ରେତା ବୟସ୍କ ଲୋକ ଯେଉଁମାନଙ୍କ ପାଖରେ ଜମି ସମ୍ବଳ ନାହିଁ। ଯେମିତି ୭୪ବର୍ଷ ବୟସ୍କ ସିରା ଜନ୍ କାଲାଣ୍ଡ। ସେ ଝୁମ୍ପୁରା ବ୍ଲକ୍ କଣକଣା ଗ୍ରାମର ଜଣେ ହୋ ମୁଣ୍ଡା ଆଦିବାସୀ। ସେ ବାଉଁଶରେ ତିଆରି ଝୁଡ଼ି, ମାଛଧରା ଜାଲ, କୁଲା ବିକ୍ରି କରିବା ଲାଗି ଆଣିଛନ୍ତି। “ସରକାରୀ ଭତ୍ତାକୁ ମୁଁ ଚାହିଁ ବସିଛି, ଯାହାଫଳରେ ଏ ବୟସରେ ମୋତେ ମୋ ପରିବାରର ପେଟ ପୋଷିବା ଲାଗି ଝୁଡ଼ି ବିକ୍ରି କରିବାକୁ ପଡ଼ିବ ନାହିଁ”, ସେ କହିଥିଲେ।

ଦଳିତ କୁମ୍ଭାର, ଭରତ ଚନ୍ଦ୍ର ବେହେରା ଏଠାରୁ ୨୫ କିଲୋମିଟର ଦୂର ମହାଦେବପୁରରୁ ଆସିଛନ୍ତି, ସେଠାରେ ସେ ଓ ତାଙ୍କ ପରିବାର ବହୁ ପିଢ଼ି ଧରି ମାଟିପାତ୍ର ତିଆରି କରି ଆସୁଛନ୍ତି। ଏସବୁ ମାଟିପାତ୍ର ତିଆରି କରିବା ଲାଗି ତାଙ୍କୁ – କଳା ଓ ନାଲି ମାଟି ସହିତ ବାଲିଆ ମାଟିର ଆବଶ୍ୟକତା ପଡ଼ିଥାଏ। “ମୋତେ ଜଙ୍ଗଲ ବିଭାଗଠାରୁ (ମାଟି ପାଇଁ) ଅନୁମତି ନେବାକୁ ପଡ଼ିଥାଏ ଏବଂ ମୋତେ କିଛି ଟଙ୍କା ଲାଞ୍ଚ ମଧ୍ୟ ଦେବାକୁ ପଡ଼ିଥାଏ”, ସେ କୁହନ୍ତି।

ଭରତ ଜୁରୁଡ଼ି ଏବଂ ଉଖୁଣ୍ଡା ହାଟରେ ମଧ୍ୟ ଏସବୁ ସାମଗ୍ରୀ ବିକ୍ରି କରିଥାନ୍ତି। ଝୁମ୍ପୁରା ବ୍ଲକର କେତେକ ବଜାରରେ ମଧ୍ୟ ସେ ବିକ୍ରିବଟା କରିଥାନ୍ତି। ଗୋଟିଏ ମାଟି ପାତ୍ରକୁ ସେ ୨୦୦ଟଙ୍କାରେ ବିକ୍ରି କରିଥାନ୍ତି। ଦିନ ଭଲ ଥିଲେ ସେ ପାଖାପାଖି ଏକ ହଜାର ଟଙ୍କାର ଲାଭ କରିଥାନ୍ତି।

ଝାଡ଼ୁ ତିଆରି କରିବା ଲାଗି କଞ୍ଚା ମାଲ ସଂଗ୍ରହ କରିବା ସହଜ କଥା ନୁହେଁ ବୋଲି କୁହନ୍ତି ମହମ୍ମଦ ଆଜାଦ୍। “ତେଣୁ ମୁଁ ଗୋଟିଏ ଝାଡ଼ୁ ଦାମ୍ ୧୦ ଟଙ୍କାରୁ ବଢ଼ାଇ ୫୦ ଟଙ୍କା କରି ଦେଇଛି। ମୁଁ ପ୍ରତି ହାଟ ପାଳିରେ ୨୦୦ରୁ ୩୦୦ ଟଙ୍କା ଲାଭ କରିଥାଏ”, ସେ କହିଥିଲେ।

ସୂର୍ଯ୍ୟ ବୁଡ଼ିବାକୁ ବସିଲେଣି, ଦର ମଧ୍ୟ କମିଗଲାଣି- ବିକ୍ରେତାମାନେ ଅତି କମ ଟଙ୍କାରେ ସେମାନଙ୍କ ସାମଗ୍ରୀ ବିକ୍ରି କରିବା ଲାଗି ଆଗ୍ରହ ପ୍ରକାଶ କରୁଛନ୍ତି-ପରିବା କିଲୋ ପ୍ରତି ୧୦ରୁ ୨୦ ଟଙ୍କାରେ ବିକ୍ରି ହେଲାଣି। ଆମେ ଦୋକାନଗୁଡ଼ିକ ପାଖରେ ଅଳିଆ ଗଦା ଦେଖିଲୁ-ପ୍ଲାଷ୍ଟିକ ଓ ଫିଙ୍ଗି ଦିଆଯାଇଥିବା ଖାଦ୍ୟ ଓ ପନିପରିବା ପଡ଼ିଥିଲା। ଜରି ଗୋଟାଳିମାନେ ପୁନଃବିକ୍ରିଯୋଗ୍ୟ ପ୍ଲାଷ୍ଟିକ ସଂଗ୍ରହ କରିବା ଲାଗି ବୁଲୁଛନ୍ତି। ପରେ ଗାଈ ଓ ମଇଁଷିମାନେ ଆସି ପଚା ପନିପରିବା ଖାଇବେ।

ଆମେ ଆମ ଜିନିଷ ବ୍ୟାଗରେ ଭର୍ତ୍ତି କରି କରି ଆମ ଗାଁ ଅଭିମୁଖେ ଚାଲି ଚାଲି ବାହାରିଲୁ।

ସ୍ୱେଚ୍ଛାସେବୀ ସଂଗଠନ ଆସ୍ପାୟାର ଏବଂ ଟାଟା ଷ୍ଟିଲ ଫାଉଣ୍ଡେସନର ଥାଉଜାଣ୍ଡ ସ୍କୁଲ୍ସ ପ୍ରୋଗ୍ରାମର ଏକ ଲକଡାଉନ ଅଧ୍ୟୟନ ପ୍ରୟାସର ଅଂଶବିଶେଷ ଭାବେ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ସେମାନଙ୍କ ଚତୁଃପାର୍ଶ୍ୱରେ ଘଟୁଥିବା ଘଟଣା ସମ୍ପର୍କରେ ଅଧ୍ୟୟନ ଲାଗି ପ୍ରକଳ୍ପ ଅଧୀନରେ ସେମାନେ ଏ ଷ୍ଟୋରୀ ପ୍ରସ୍ତୁତ କରିଛନ୍ତି।

ଏହି ଷ୍ଟୋରୀକୁ ପ୍ରସ୍ତୁତ କରିବାରେ ସହାୟତା ପାଇଁ ସୁଦୀପା ସେନାପତି ଓ ସ୍ମିତା ଅଗ୍ରୱାଲଙ୍କୁ ପରୀ ଏଜୁକେସନ ଟିମ୍ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଉଛି।

Editor's note

ଅନନ୍ୟା ଟପ୍ନୋ, ରୋହିତ ଗାଗ୍ରାଇଆକାଶ ଏକା (ଷଷ୍ଠ ଶ୍ରେଣୀ) ଏବଂ ପଲ୍ଲବୀ ଲୁଗୁନ (ସପ୍ତମ ଶ୍ରେଣୀ) ଯୋଡ଼ା ବ୍ଲକର ଜଜାଙ୍ଗ ସହର ବାସିନ୍ଦା। ପଲ୍ଲବୀ କୁହନ୍ତି, “ଏଭଳି (ଗବେଷଣା) କାମ କରିବା ଆମ ପାଇଁ ନୂଆ ଥିଲା। ପନିପରିବା ବିକ୍ରେତାଙ୍କ ସହ ମୂଲଚାଲ କରୁଥିବା ଲୋକମାନଙ୍କୁ ଆମେ ଦେଖିଲୁ, କିନ୍ତୁ ପରିବା ଚାଷ କରିବା କେତେ କଷ୍ଟ ଆମେ ଜାଣିଛୁ। ତେଣୁ ଆମେ ଭାବିଥିଲୁ, ଲୋକମାନେ କାହିଁକି ଚାଷୀଙ୍କ ସହିତ ଦରକୁ ନେଇ ଏମିତି ଯୁକ୍ତିତର୍କ କରନ୍ତି?”

ଏହି ଷ୍ଟୋରୀର ସମସ୍ତ ଫଟୋଗୁଡ଼ିକୁ ଅନନ୍ୟା ଟପ୍ନୋ, ରୋହିତ ଗାଗ୍ରାଇ, ଆକାଶ ଏକା ଏବଂ ପଲ୍ଲବୀ ଲୁଗୁନ ଉଠାଇଛନ୍ତି।

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।