ଜାତୀୟ ଶିକ୍ଷକ ଦିବସ ଉପଲକ୍ଷେ, ମହାରାଷ୍ଟ୍ରର ପାଲଘର ଓ ଥାନେ ଜିଲ୍ଲାରେ ଥିବା ଜିଲ୍ଲା ପରିଷଦ ବିଦ୍ୟାଳୟରେ ପାଠ ପଢ଼ାଉଥିବା ଚାରି ଜଣ ସ୍କୁଲ ଶିକ୍ଷକଙ୍କ କାହାଣୀ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ। ଲକଡାଉନ ସମୟରେ ସେମାନେ ଏପରି ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଜାରି ରଖିଥିଲେ ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ସେମାନଙ୍କ ପରିବାରର ପ୍ରଥମ ପିଢ଼ିର ବିଦ୍ୟାର୍ଥୀ, ଦିନ ମଜୁରିଆ ଏବଂ ଭୂମିହୀନ ଚାଷୀଙ୍କ ପିଲାମାନେ ଥିଲେ।

୨୦୧୭-୧୮ ଜାତୀୟ ନମୁନା ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ, ମହାରାଷ୍ଟ୍ରର ମାତ୍ର ୧୮.୫ ପ୍ରତିଶତ ଗ୍ରାମୀଣ ପରିବାର ନିକଟରେ ଇଣ୍ଟରନେଟ୍ ସୁବିଧା ରହିଛି। କିନ୍ତୁ ନିଜର ସହାନୁଭୂତି ଏବଂ ସାଧାରଣ ଜ୍ଞାନର ଉପଯୋଗ କରି ଏହି ଶିକ୍ଷକ ଶିକ୍ଷୟିତ୍ରୀମାନେ ସେମାନଙ୍କର କର୍ତ୍ତବ୍ୟ ସମ୍ପାଦନଠାରୁ ଊର୍ଦ୍ଧ୍ୱକୁ ଯାଇ ମହାମାରୀ ସମୟରେ ସେମାନଙ୍କର ଛାତ୍ରଛାତ୍ରୀ ଯେପରି ପାଠପଢ଼ାରୁ ବଞ୍ଚିତ ନହେବେ ତାହା ସୁନିଶ୍ଚିତ କରିଥିଲେ। ସେମାନେ ଶିଶୁଙ୍କ ପାଇଁ ଲେଖୁଥିବା ଶିକ୍ଷକ ଚତୁର ରାଓଙ୍କ ସହିତ କଥା ହୋଇଥିଲେ ଯିଏକି ଏହିସବୁ ପ୍ରୋଫାଇଲ ପ୍ରସ୍ତୁତ କରିଛନ୍ତି।

ରୋହିଣୀ ଦାଣ୍ଡଗେ ସକାଳ ୮ଟାରେ ପାଠ ପଢ଼ାଇବା ପାଇଁ ଲଗଇନ୍ କରିଥାନ୍ତି। କେବଳ ଏହି ସମୟରେ ସ୍ମାର୍ଟଫୋନ ଥିବା ତାଙ୍କର ଛାତ୍ରଛାତ୍ରୀ ପାଠପଢ଼ିବାର ସୁଯୋଗ ପାଇଥାନ୍ତି।

ରେଖା ସ୍ୱାମୀ ପ୍ରଥମ ପିଢ଼ିର ଛାତ୍ରଛାତ୍ରୀଙ୍କୁ ପାଠପଢ଼ାରେ ସମ୍ପୃକ୍ତ ରହିବା ଲାଗି କାର୍ଯ୍ୟ କରିଥାନ୍ତି, ଏମାନଙ୍କ ମଧ୍ୟରେ ବିଶେଷ କରି ଦିନ ମଜୁରିଆଙ୍କ ପିଲାମାନେ ରହିଛନ୍ତି ଯେଉଁମାନେ ନିଜ ମାତାପିତାଙ୍କ ସହିତ ଲକଡାଉନ ସମୟରେ ଯାତ୍ରା କରିଥିଲେ।

ରଜନ ଗରୁଡ଼ କଣ୍ଢେଇ ନାଚ ପରିବେଷଣ କରି ଏହି ସଙ୍କଟ ସମୟରେ ନିଜ ଛାତ୍ରଛାତ୍ରୀଙ୍କ ମୁହଁରେ ପୁଣିଥରେ ହସ ଫୁଟାଇବାରେ ସଫଳ ହୋଇଛନ୍ତି।

ମିଥିଳା ଭୋସଲେଙ୍କୁ ଇଣ୍ଟରନେଟର ଅପବ୍ୟବହାର ସମ୍ପର୍କରେ ନଭି ମୁମ୍ବାଇ ବସ୍ତିରେ ଥିବା ତାଙ୍କର ଛାତ୍ରଛାତ୍ରୀଙ୍କ ମାତାପିତାଙ୍କୁ ସଚେତନ କରିବାକୁ ପଡ଼ିଥିଲା।

ମହାରାଷ୍ଟ୍ରରେ ୧୫ ନିୟୁତ ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ଶିକ୍ଷା ପ୍ରଦାନ କରୁଥିବା ୧,୦୬,୨୩୭ଟି ସରକାରୀ ବିଦ୍ୟାଳୟ ମଧ୍ୟରେ ଜିଲ୍ଲା ପରିଷଦ ସ୍କୁଲ ସାମିଲ ରହିଛି। ରାଜ୍ୟ ଆର୍ଥିକ ସର୍ବେକ୍ଷଣର ତଥ୍ୟ ଅନୁଯାୟୀ, ବହୁସଂଖ୍ୟକ- ୭୭ ପ୍ରତିଶତ ପିଲା-ଗ୍ରାମାଞ୍ଚଳରେ ପାଠ ପଢ଼ିଥାନ୍ତି।


‘ନୀଳ ଆଲୋକରେ ମୁଁ ସେମାନଙ୍କ ଛୋଟ ଛୋଟ ମୁହଁରେ ଉଜ୍ଵଳତା ଦେଖିଥାଏ’

ମହାରାଷ୍ଟ୍ରର ଥାନେ ଜିଲ୍ଲାର ଶାହାପୁର ତାଲୁକାରେ ଥିବା  ବାରା ବାଙ୍ଗାଲା ଜିଲ୍ଲା ପରିଷଦ ପ୍ରାଥମିକ ବିଦ୍ୟାଳୟରେ ରୋହିଣୀ ଶିକ୍ଷାଦାନ କରିଥାନ୍ତି।

ବର୍ତ୍ତମାନ ସକାଳ ୮ଟା ବାଜିଛି ଏବଂ ମୁଁ ଏବେ ପାଠପଢ଼ାଇବା ପାଇଁ ଲଗଇନ୍ କରିଛି।

ମୋ ଶ୍ରେଣୀରେ ୧୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତ୍ର ୩ ଜଣ ଅନଲାଇନ ପାଠପଢ଼ାକୁ ଆସୁଥିବା ମୁଁ ଦେଖିଥାଏ। ବର୍ତ୍ତମାନ ବାରା ବାଙ୍ଗାଲା ଗ୍ରାମରେ ବିଦ୍ୟୁତ ସଂଯୋଗ ନାହିଁ, ତେଣୁ ସେମାନେ ମୋତେ ଅନ୍ଧକାର କୋଠରୀରେ ଚାହିଁଥାନ୍ତି। ପିଲାର କେହି ଭାଇଭଉଣୀ କିମ୍ବା ବାପାମା’ ତାଙ୍କ ମୁହଁକୁ ଏକ ଟର୍ଚ୍ଚ ମାରିଥାନ୍ତି ଏବଂ ସେହି ନୀଳ ଆଲୋକରେ ମୁଁ ସେମାନଙ୍କର ମୁହଁର ଉଜ୍ଵଳତାକୁ ଦେଖି ଅଭିବାଦନ ଜଣାଇଥାଏ।

ଦ୍ୱିତୀୟ, ତୃତୀୟ, ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ସବୁ ପିଲାମାନେ ଯେପରି ସ୍କୁଲ ପାଠପଢ଼ା ଜାରି ରଖିପାରିବେ ସେଥିପାଇଁ ମୁଁ ଏକ ଯୋଜନା କରିଛି। ରାତିରେ ମୁଁ ପାଠପଢ଼ାଇବା ସମୟରେ ପିଲାମାନେ ଏପରି ପଢ଼ିଥାନ୍ତି। ମୁଁ ଖୁସି ଯେ ବିଦ୍ୟାଳୟରେ ନାମ ଲେଖାଇନଥିବା ଏବଂ ସେମାନଙ୍କର ପ୍ରବାସୀ ମାତାପିତାଙ୍କ ସହ ଗାଁକୁ ଫେରିଆସିଥିବା ପିଲାମାନେ ମଧ୍ୟ ଜିଲ୍ଲା ପରିଷଦ ବିଦ୍ୟାଳୟରେ ପାଠପଢ଼ାରେ ଯୋଗ ଦେଇଛନ୍ତି।

ଏହି ପିଲାମାନଙ୍କର ବୟସ ସାତରୁ ନଅ ବର୍ଷ ମଧ୍ୟରେ, ଏମାନେ ମାହାର ଓ ଠକର ଆଦିବାସୀ ସମ୍ପ୍ରଦାୟର; ସେମାନଙ୍କର ମାତାପିତା ଶାହାପୁରରେ ଥିବା ଧାନ କ୍ଷେତ, ନିର୍ମାଣସ୍ଥଳୀ ଏବଂ ଛୋଟ ପ୍ଲାଷ୍ଟିକ ୟୁନିଟରେ କାମ କରିଥାନ୍ତି। କିଛି ଲୋକ ଥାନେ ଅଳିଆ ସଫା କରିଥାନ୍ତି ଏବଂ ଅନ୍ୟମାନେ (ମୁଖ୍ୟତଃ ମହିଳା) ଅଳ୍ପ କିଛି ଟଙ୍କା ନେଇ ନିକଟସ୍ଥ ସହରଠାରୁ ପାଖାପାଖି ଅଢ଼େଇ କିଲୋମିଟର ଦୂର କାସାରା ବିକେଠାରେ ଗ୍ୟାସ ସିଲିଣ୍ଡର ଭରିବା କାମ କରିଥାନ୍ତି।

ଉତ୍ତରପଶ୍ଚିମ ମୁମ୍ବାଇଠାରୁ ୧୦୦ କିଲୋମିଟର ଦୂର ଏକ ଜଙ୍ଗଲ ଓ ପାର୍ବତ୍ୟାଞ୍ଚଳରେ ଥିବା ଶାହପୁର ତାଲୁକା ଅଧୀନରେ ବାରା ବାଙ୍ଗଲା ଗ୍ରାମ ରହିଛି। ଉପସହରାଞ୍ଚଳ ରେଳ ମାର୍ଗ ମାଧ୍ୟମରେ ଏହା ମୁମ୍ବାଇ ସହ ଯୋଡ଼ି ହୋଇଛି। କେବଳ ପାଦରେ ଚାଲି ଚାଲି ମୋ ସ୍କୁଲ ନିକଟରେ ପହଞ୍ଚି ହେବ। କାସାରା ଷ୍ଟେସନଠାରୁ ପ୍ରାୟ ୨୦ ମିନିଟ୍ ପାଦରେ ଚାଲି ଚାଲି ଗଲେ ସ୍କୁଲ ପଡ଼ିବ। ଗତ ଛଅ ବର୍ଷ ଧରି, ମୋ ଘର ଟିଟ୍ୱାଲାରୁ ୬୦ କିଲୋମିଟର ଦୂରରେ ଥିବା କାସାରା ବିକେକୁ ମୁଁ ଟ୍ରେନ ଯୋଗେ ଆସୁଛି ଏବଂ ରେଳ ଧାରଣା କଡ଼େ କଡ଼େ ଚାଲି ଚାଲି ବାରାବାଙ୍ଗଲା ଗାଁରେ ପହଞ୍ଚୁଛି। ପାହାଡ଼ କଡ଼ ଦେଇ ଏକ ଟ୍ରେନ ଆସିଲେ ମୁଁ ସେତୁର ବାଡ଼କୁ ଜାବୁଡ଼ି ଧରିଥାଏ ଏବଂ ଧୂଳି ଓ ଧୂଆଁରୁ ବଞ୍ଚିବା ପାଇଁ ଆଖି ବୁଜି ଟ୍ରେନ ଚାଲିଯିବାକୁ ଅପେକ୍ଷା କରିଥାଏ।

ମାର୍ଚ୍ଚ ୨୦୨୦ରେ ଲକଡାଉନ ଆରମ୍ଭ ହେବା ପରେ ମୁଁ ଏହି ଯାତ୍ରା ବନ୍ଦ କରି ଦେଇଥିଲି। ଏହା ପରିବର୍ତ୍ତେ, ମୁଁ ରାତିରେ ସ୍କୁଲ ପାଠପଢ଼ା ଆରମ୍ଭ କରିଥିଲି।

ମୋ ଛାତ୍ରଛାତ୍ରୀଙ୍କ ମାତାପିତା ଦିନ ବେଳା କାମକୁ ଯାଉଥିଲେ ଓ ନିଜ ସହିତ ସେମାନଙ୍କର ଫୋନ ନେଇଯାଉଥିଲେ। ତେଣୁ ମୋ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ଡିଭାଇସର ସୁବିଧା ମିଳୁନଥିଲା। ଏପରିକି କିଛି ଛାତ୍ରଛାତ୍ରୀଙ୍କ ବାପା ପାଠପଢ଼ା ପାଇଁ ସେମାନଙ୍କର ଫୋନ ପିଲାମାନଙ୍କୁ ଦେବା ଲାଗି ରାଜି ହୋଇନଥିଲେ। ମୁଁ ସେମାନଙ୍କୁ ବୁଝାଇବା ଲାଗି ଚେଷ୍ଟା କରିଥିଲି। ସେମାନେ ରାଜି ହେବା ପରେ ମୁଁ ମୋ କାର ଯୋଗେ ସେମାନଙ୍କ ଗାଁକୁ ଯାଇଥିଲି, କାରଣ ଲକଡାଉନ କାରଣରୁ ଲୋକାଲ ଟ୍ରେନ ସେବା ବନ୍ଦ ହୋଇଯାଇଥିଲା। ମୁଁ ସେଠାରେ ଲୋକମାନଙ୍କର ଫୋନରେ ଜୁମ୍ ଏବଂ ଦୀକ୍ଷା ଆପ୍ ଇନଷ୍ଟଲ କରିଥିଲି ଓ ଏଗୁଡ଼ିକର ବ୍ୟବହାର କିଭଳି କରାଯିବ ଶିଖାଇଥିଲି। [ଦୀକ୍ଷା ହେଉଛି ଏକ ସରକାରୀ ଉତ୍ସ ଯାହା ଭିଡିଓ, ଗୀତ, କବିତା ଏବଂ ପ୍ଲେଗୁଡ଼ିକ ମାଧ୍ୟମରେ ଶିକ୍ଷଣ ସାମଗ୍ରୀ ପ୍ରଦାନ କରିଥାଏ]

ଗାଁରେ ସ୍ମାର୍ଟଫୋନ ଥିବା ଯୁବକମାନଙ୍କର ଏକ ହ୍ୱାଟ୍ସଆପ୍ ଗ୍ରୁପ ମୁଁ ତିଆରି କଲି। ପ୍ରତିଦିନ ମୋ ପିଲାମାନଙ୍କ ପାଇଁ ଗୋଟିଏ ଘଣ୍ଟା ସେମାନଙ୍କର ଫୋନ୍ ଦେବା ଲାଗି ସେମାନଙ୍କୁ ମୁଁ ଅନୁରୋଧ କଲି। ପ୍ରାୟତଃ କିଛି କାମ ନଥିବାରୁ ସେମାନେ ଘରେ ଥିଲେ, ତେଣୁ ମୋ କଥାରେ ସେମାନେ ରାଜି ହୋଇଗଲେ।

ସମୟକ୍ରମେ ମୁଁ ମୋ ପାଠପଢ଼ା ଲାଗି ଭିନ୍ନ ଭିନ୍ନ ସମ୍ବଳର ଉପଯୋଗ କଲି। ମୁଁ ପ୍ରିଣ୍ଟ ସାମଗ୍ରୀ ସ୍କାନ କରୁଥିଲି ଏବଂ ଏହାକୁ ହ୍ୱାଟ୍ସଆପ୍ ଗ୍ରୁପରେ ପଠାଉଥିଲି। ପ୍ରେରଣାଦାୟୀ ଶିକ୍ଷକମାନଙ୍କ ଦ୍ୱାରା ସ୍ୱେଚ୍ଛାକୃତ ଭାବେ ତିଆରି କରାଯାଇଥିବା ଗ୍ରୁପ ମହାରାଷ୍ଟ୍ର ଟିଚର୍ସ ପାନେଲ ଏବଂ ଶାହାପୁର ଟିଚର ଏଜୁକେସନ ଡେଭଲପମେଣ୍ଟ ଭଳି ଟେଲିଗ୍ରାମ ଗ୍ରୁପରୁ ମଧ୍ୟ ମୁଁ ପାଠପଢ଼ାର ସମ୍ବଳଗୁଡ଼ିକ ଯୋଗାଡ଼ କରି ପିଲାମାନଙ୍କ ପାଖକୁ ପଠାଇଥିଲି।

ମୁଁ ହ୍ୱାଟ୍ସଆପ୍ ଗ୍ରୁପରେ ମୋ ପାଠପଢ଼ା ପାଇଁ ମେସେଜ ପଠାଉଥିଲି ଏବଂ କେତେ ପିଲାମାନଙ୍କୁ ଫୋନ ମଧ୍ୟ କରୁଥିଲି। ପିଲାମାନେ ଧୀରେ ଧୀରେ ଆଗକୁ ବଢ଼ୁଥିବା ସମୟରେ ମୁଁ ଅପେକ୍ଷା କରିଥିବା ଛାତ୍ରଛାତ୍ରୀଙ୍କୁ ଗୀତ ଏବଂ ଭିଡିଓ ସ୍କ୍ରିନରେ ପଠାଉଥିଲି ଯାହାକୁ ସେମାନେ ଉପଭୋଗ କରୁଥିଲେ। ୱର୍ଲି ଚିତ୍ର କଳା, ଭଲ ଅଭ୍ୟାସ ଏବଂ ପ୍ଲାଷ୍ଟିକ ଆବର୍ଜନାର ଅପକାର ବିଷୟରେ ଛୋଟ ଛୋଟ ଭିଡିଓ ମୁଁ ସେମାନଙ୍କୁ ଦେଖାଉଥିଲି।

ମୋର ପାଠପଢ଼ା ଆରମ୍ଭ ହେବାର ମାତ୍ର ୧୦ ମିନିଟ୍ ମଧ୍ୟରେ ସମସ୍ତେ ଅନଲାଇନ ହୋଇଯାଉଥିଲେ। କିଛି ପିଲା ଯୋଡ଼ି ହୋଇ ଫୋନ ସେୟାର କରୁଥିଲେ। କିଛି ପିଲା ଗାଁ ଗୋଷ୍ଠୀ କେନ୍ଦ୍ର ସମାଜ ମନ୍ଦିରଠାରେ ଏକତ୍ରିତ ହେଉଥିଲେ, ସେଠାରେ ଉପର ଶ୍ରେଣୀର ଛାତ୍ରଛାତ୍ରୀ ପାଠପଢ଼ା ପାଇଁ ସେମାନଙ୍କୁ ଫୋନ ଦେଉଥିଲେ।

ସରକାରୀ ବୃତ୍ତି ପରୀକ୍ଷା ପାଇଁ ଗାଇଡପୁସ୍ତିକାରୁ ଏକ୍ସରସାଇଜ୍ କରିବା ଲାଗି ମୁଁ ପଞ୍ଚମ ଶ୍ରେଣୀ ପିଲାମାନଙ୍କୁ କହିଥିଲି। କବିତା ଶିଖିବା ଲାଗି ମୁଁ ଚତୁର୍ଥ ଶ୍ରେଣୀ ପିଲାମାନଙ୍କୁ କହିଥିଲି। ସେମାନେ ୨୦ ମିନିଟ୍ ପରେ ଶ୍ରେଣୀକୁ ଫେରି ଆସି କବିତା ଆବୃତି କରୁଥିଲେ।

ବୋର୍ଡ ବ୍ୟବହାର କରିବା ପାଇଁ ଯେତେବେଳେ ଆବଶ୍ୟକତା ଦେଖାଦେଲା, ମୁଁ ବହିଥାକରେ ମୋର ଫୋନ ରଖିଥିଲି ଏବଂ ସେ ଆଡ଼କୁ ମୁହଁ କରି ସଂଖ୍ୟା ବନ୍ଧନ ଏବଂ ସ୍ଥାନ ମୂଲ୍ୟ ବର୍ଣ୍ଣନା କରୁଥିଲି। ଦୁର୍ବଳ ଛାତ୍ରଛାତ୍ରୀଙ୍କୁ ମୁଁ ନାଁ ଧରି ଡାକୁଥିଲି ଏବଂ ପ୍ରଶ୍ନ ପଚାରିବାକୁ କହି ସେମାନଙ୍କୁ ପାଠପଢ଼ାରେ ସମ୍ପୃକ୍ତ କରୁଥିଲି। ସେମାନେ ମତାମତ ଦେଉଥିଲେ, ପ୍ରଶ୍ନ କରୁଥିଲେ ଏବଂ ମୁକ୍ତ ଭାବେ ଆଲୋଚନା କରୁଥିଲେ ଏବଂ ସମୟ ବିତିବା ସହିତ ପାଠପଢ଼ା ଆହୁରି ସକ୍ରିୟ ହେଉଥିଲା।

ପିଲାମାନେ ଯେତେବେଳେ ନୂଆ କବିତା ଆବୃତ୍ତି ପାଇଁ ସ୍କ୍ରିନକୁ ଆସୁଥିଲେ, ସେମାନେ ଶ୍ରେଣୀର ଅନ୍ୟ ପିଲାମାନଙ୍କଠାରୁ ପ୍ରଶଂସା ପାଉଥିଲେ। ରାତି ୯ଟା ବେଳକୁ ମୁଁ ଥକି ଯାଉଥିଲି କିନ୍ତୁ ଖୁସି ରହୁଥିଲି। ସେମାନଙ୍କୁ ଶୁଭରାତ୍ରୀ ଜଣାଇ ଲଗ୍‌ଆଉଟ୍ କରୁଥିଲି।

ବାରା ବାଙ୍ଗଲାରେ ପାଠ ପଢ଼ାଇବା କେବେ ସହଜ ନଥିଲା। ଗାଁକୁ ଗୋଟିଏ ସପ୍ତାହରେ ମାତ୍ର ଥରୁଟିଏ ପାଣି ଆସୁଥିଲା, ସ୍କୁଲରେ ଶୌଚାଳୟ ନଥିଲା, ଜଳସ୍ରୋତ କିମ୍ବା ପିଇବା ପାଣିନଥିଲା। ସବୁଠୁ ନିକଟତମ ଶୌଚାଳୟ କାସାରା ଷ୍ଟେସନ ପାଖରେ ଥିଲା, ତେଣୁ ଯାତ୍ରା ସମୟରେ ମୁଁ ଖୁବ୍ ଅଳ୍ପ ପାଣି ପିଉଥିଲି।

୨୦୧୪ରେ ମୁଁ ପ୍ରଥମେ ପାଠପଢ଼ା ଆରମ୍ଭ କରିଥିଲି, ଆଠ ଫୁଟରେ ଆଠ ଫୁଟ ଭଡ଼ା ଘରେ ସ୍କୁଲ ଚାଲିଥିଲା। ପ୍ରଥମରୁ ପଞ୍ଚମ ଶ୍ରେଣୀ ମଧ୍ୟରେ ଚଉଦ ଜଣ ପିଲା, ଜଣେ ସହଯୋଗୀ ଏବଂ ମୁଁ ଏହି ସ୍ଥାନକୁ ବହି, ପାଠପଢ଼ା ସାମଗ୍ରୀରେ ଭର୍ତ୍ତି କରି ଦେଉଥିଲୁ। ବର୍ଣ୍ଣମାଳା ଓ ସଂଖ୍ୟାଗଣନା ତାଲିକାର ସ୍ୱରପୂର୍ଣ୍ଣ ଉଚ୍ଚାରଣ ଏବଂ ପାଠପଢ଼ା ମଧ୍ୟରେ ପିଲାମାନଙ୍କର ଫୁସଫାସ ଓ ବକବକ ମଧ୍ୟରେ ପରିବେଶ କୋଳାହଳମୟ ହୋଇ ଉଠୁଥିଲା।

ଗାଁର ଅଧିକାଂଶ ପିଲା ଆମ ସ୍କୁଲ ଛାଡ଼ି ଦେଉଥିଲେ ଏବଂ କାସାରା ବ୍ଲକରେ ଥିବା ସ୍କୁଲକୁ ଯାଉଥିଲେ। ଆମେ ରୋଚକ ପାଠପଢ଼ା ଆରମ୍ଭ କରିବା ପରେ, ଆହୁରି ୧୫ ଜଣ ପିଲା ଆମ ବିଦ୍ୟାଳୟରେ ନାମ ଲେଖାଇଥିଲେ, ଫଳରେ ପାଠପଢ଼ାଇବା ପାଇଁ ବଡ଼ ସ୍ଥାନର ଆବଶ୍ୟକତା ପଡ଼ିଲା।

ଗାଁ ଲୋକମାନେ ଟଙ୍କା, ସାମଗ୍ରୀ ଏବଂ ଶ୍ରମ ଯୋଗାଇଦେଲେ। ଆମେ ଶିକ୍ଷକମାନେ ସବୁ କାମ ବୁଝିଲୁ ଏବଂ ନିଜ ଆଡ଼ୁ କିଛି ଟଙ୍କା ମଧ୍ୟ ଯୋଗଦାନ ଦେଲୁ। ଖାଲିପଡ଼ିଥିବା ଜମିରେ ଏକ ଇଟା କୋଠରୀ ତିଆରି ହେଲା ଏବଂ ଏହା ପ୍ରାଥମିକ ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଣୀଗୃହ ପାଲଟିଲା। ମୋଖାଭନେ ଗ୍ରାମ ପଞ୍ଚାୟତ ଏବଂ ଜଙ୍ଗଲ ବିଭାଗ କର୍ମଚାରୀଙ୍କ ମଧ୍ୟରେ ଏକ ଅଲିଖିତ ଚୁକ୍ତିନାମା ମାଧ୍ୟମରେ ଏକ ଜଙ୍ଗଲ ଜମିରେ ଏହି ଘର ନିର୍ମାଣ କରାଯାଇଥିଲା। ଆମେ ସହଜରେ ଟଙ୍କା ଯୋଗାଡ଼ କରିନେଲୁ ଏବଂ ଶୌଚାଳୟ ନିର୍ମାଣ କଲୁ, କିନ୍ତୁ ଜଙ୍ଗଲ ବିଭାଗ ଚାହିଁଥିଲେ ଏ ଘର ନିର୍ମାଣ ସମ୍ଭବ ହୋଇନଥାନ୍ତା।

Go to top


“ମୋର ଆଶା ସେମାନଙ୍କ ପାଠପଢ଼ା ପ୍ରତି ଆଗ୍ରହ କମିନଯାଉ”

ମହାରାଷ୍ଟ୍ରର ପାଲଘର ଜିଲ୍ଲାର ପାଲଘର ତାଲୁକାର ପାସଥାଲ ଗ୍ରାମରେ ଥିବା ଟିଏପିଏସ କଲୋନୀର ଜିଲ୍ଲା ପରିଷଦ ସ୍କୁଲରେ ରେଖା ପାଠ ପଢ଼ାଇଥାନ୍ତି।

ମୁଁ ପାଲଘରର ଟିଏପିଏସ (ତାରାପୁର ଆଣବିକ ବିଦ୍ୟୁତ ଷ୍ଟେସନ) କଲୋନୀ ଜିଲ୍ଲା ପରିଷଦ ସ୍କୁଲର ଦ୍ୱିତୀୟ ଶ୍ରେଣୀ ପିଲାଙ୍କୁ ପାଠପଢ଼ାଇଥାଏ। ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ ସାତ ବର୍ଷ ଏବଂ ସେମାନେ ଆଦିବାସୀ, ଅହୀର ଓ ମରାଠା ସମୁଦାୟର ପିଲା। ସେମାନେ ନିଜ ଘରେ ଭିନ୍ନ ଭିନ୍ନ ଭାଷାରେ କଥା ହୋଇଥାନ୍ତି। ଉତ୍ତର ପ୍ରଦେଶ ଓ ବିହାରର କିଛି ପିଲା ମଧ୍ୟ ମୋ ପାଖରେ ପଢ଼ିଥାନ୍ତି ସେମାନେ ହିନ୍ଦୀ ଓ ଭୋଜପୁରୀ କୁହନ୍ତି। ବୋଇସାର ଅଞ୍ଚଳରେ ଥିବା ଶିଳ୍ପାଞ୍ଚଳରେ ମୋ ଛାତ୍ରଛାତ୍ରୀଙ୍କ ମାତାପିତା ଅଣକୁଶଳୀ ଏବଂ ଅର୍ଦ୍ଧକୁଶଳୀ ଦିନ ମଜୁରିଆ ଭାବେ କାମ କରିଥାନ୍ତି।

ମାର୍ଚ୍ଚ ୨୦୨୦ରେ, ସାରା ଦେଶରେ ଯେତେବେଳେ ଲକଡାଉନ ଲାଗୁ ହୋଇଥିଲା, ଏମାନଙ୍କ ମଧ୍ୟରୁ କେତେଜଣ ଶ୍ରମିକ ସେମାନଙ୍କ ମାତାପିତାଙ୍କ ସହିତ ନିଜ ଗାଁକୁ ଫେରିଯାଇଥିଲେ। ଛାତ୍ରଛାତ୍ରୀଙ୍କ ସହ ସମ୍ପର୍କରେ ରହିବା ଅଧିକ ଜରୁରି, କାରଣ ଏହାଦ୍ୱାରା ଶିକ୍ଷକ ସେମାନଙ୍କ ବିଷୟରେ ଚିନ୍ତା କରୁଛନ୍ତି ବୋଲି ସେମାନଙ୍କ ମନରେ ଧାରଣା ସୃଷ୍ଟି ହୋଇଥାଏ। ଶିକ୍ଷକଙ୍କ ବିଷୟରେ ମଧ୍ୟ ମାତାପିତା ଚିନ୍ତା କରିଥାନ୍ତି ଏବଂ ପାଠପଢ଼ା ଜାରି ରଖିବା ଲାଗି ଏହା ସେମାନଙ୍କୁ ଅନୁପ୍ରାଣିତ କରିଥାଏ।

ମୋର ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ମନସ୍କ ରଖିବା ମୋ ପାଇଁ ସବୁଠୁ ବଡ଼ ଆହ୍ୱାନ ଥିଲା, ସେମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରଥମ ପିଢ଼ିର ବିଦ୍ୟାର୍ଥୀ ଥିଲେ। ବିଶେଷ କରି ସ୍ମାର୍ଟଫୋନ ନଥିବା ଛାତ୍ରଛାତ୍ରୀ, ଉତ୍ତର ପ୍ରଦେଶ ଏବଂ ବିହାରକୁ ଫେରିଯାଇଥିବା ପିଲାମାନେ ଏବଂ ଯେଉଁମାନଙ୍କର ମାତାପିତା ସେମାନଙ୍କ ପାଠପଢ଼ାରେ ସାହାଯ୍ୟ କରିବାକୁ ଅସମର୍ଥ ଥିଲେ, ମୁଁ ସେମାନଙ୍କୁ ନେଇ ବିଶେଷ ଚିନ୍ତିତ ଥିଲି। ମୋର ଆଶା, ପାଠପଢ଼ା ପ୍ରତି ସେମାନଙ୍କର ଆଗ୍ରହ କମିବ ନାହିଁ ଏବଂ ସେମାନେ ଯେତେବେଳେ ଫେରିବେ, ତୃତୀୟ ଶ୍ରେଣୀରେ ନାମ ଲେଖାଇବା ସେମାନଙ୍କ ପାଇଁ ସହଜ ହେବ।

ମହାମାରୀ ଆରମ୍ଭ ହେବା ପୂର୍ବରୁ ମୁଁ ଏକ ହ୍ୱାଟ୍ସଆପ୍ ଗ୍ରୁପ୍ କରିଥିଲି-୧୪ ଜଣ ପିଲା ହ୍ୱାଟ୍ସଆପରେ ଏବଂ ଛଅ ଜଣ ପିଲା ଏସଏମଏସ ମାଧ୍ୟମରେ ଯୋଡ଼ି ହୋଇଥିଲେ। ଏହା ସତ୍ତ୍ୱେ, ଯେତେବେଳେ ଲକଡାଉନ ଆରମ୍ଭ ହେଲା ପାଠପଢ଼ା ସେମାନଙ୍କ ପାଇଁ କଷ୍ଟକର ହେବ ବୋଲି ମୁଁ ଜାଣିଥିଲି। ପରିବାରରେ ଥିବା ଗୋଟିଏ ସ୍ମାର୍ଟଫୋନ ବଡ଼ ପିଲାଙ୍କ ପାଖରେ ଥିବ ଏବଂ ଖୁବ କମ ପରିବାର ନିକଟରେ ଇଣ୍ଟରନେଟ୍ ସଂଯୋଗ ସୁବିଧା ଥିବ ।

ଗୋଟିଏ ସାଧାରଣ ଯୋଜନାରୁ ମୁଁ ପାଠପଢ଼ାଇବା ଆରମ୍ଭ କରିଥିଲି। ପ୍ରଥମେ ପ୍ରିଣ୍ଟ ପୃଷ୍ଠା ବାହାର କରି ମୋ ପିଲାମାନଙ୍କୁ ପଢ଼ିବା ପାଇଁ ଦେଲି, ଏହା ସହିତ ପ୍ରଶ୍ନପତ୍ର ପଠାଉଥିଲି। ସେମାନେ ଉତ୍ତର ଲେଖୁଥିଲେ, ପୃଷ୍ଠାର ଫଟୋ ଉଠାଇ ମୋ ପାଖକୁ ପଠାଉଥିଲେ। ଏହା ପରେ ମୁଁ ଗୁଗଲ ଫର୍ମ ଏବଂ ଟେଷ୍ଟମୋଜ୍ ନାମକ ଏକ ଆପ୍ ବ୍ୟବହାର କରି ବହୁବିକଳ୍ପ ଥିବା ପ୍ରଶ୍ନପତ୍ର ତିଆରି କରି ପରୀକ୍ଷା କରାଇଲି। ଦାଖଲ କରିବା ପରେ ସେମାନଙ୍କର ନମ୍ବର ଭଲ ରହିଲା, ଏହା ଉଭୟ ପିଲା ଓ ଅଭିଭାବକମାନଙ୍କ ମନରେ ଅଧିକ ଆଗ୍ରହ ସୃଷ୍ଟିକଲା।

ପିଲାମାନଙ୍କ ଦେଖିବା ଲାଗି ମୁଁ ୟୁଟ୍ୟୁବରେ ଶିକ୍ଷାଦାନ ଭିଡିଓ ପୋଷ୍ଟ କରିବା ଆରମ୍ଭ କଲି। କିନ୍ତୁ ମୁଁ ଜାଣିବାକୁ ପାଇଲି ଯେ ମୋ ଶ୍ରେଣୀର ୨୦ ଜଣ ପିଲାଙ୍କ ମଧ୍ୟରୁ ଅଧା ପିଲାଙ୍କ ପାଖରେ ଯଥେଷ୍ଟ ବ୍ୟାଣ୍ଡୱିଥ୍ ଉପଲବ୍ଧ ନଥିଲା; ସେମାନଙ୍କର ମାତାପିତାଙ୍କ ପ୍ରିପେଡ ଆକାଉଣ୍ଟରୁ ଅଧିକାଂଶରେ ଟଙ୍କା ସରି ଯାଇଥାଏ। ଏସବୁ ଭିଡିଓରେ ଆହୁରି କିଛି ସମସ୍ୟା ମଧ୍ୟ ଥିଲା। ମୋର ଛୋଟଛୋଟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅଧିକାଂଶ ନୂଆ ଲୋକଙ୍କୁ ଦେଖିଲେ ଡରୁଥିଲେ କିମ୍ବା ଲାଜ କରୁଥିଲେ। ଭିଡିଓରେ ନୂଆ ଲୋକ ପାଠପଢ଼ାଉଥିବା ଦେଖିଲେ ସେମାନଙ୍କର ପାଠ ପଢ଼ା ପ୍ରତି ଧ୍ୟାନ ରହୁନଥିଲା। ମୁଁ ନିଶ୍ଚିତ ଥିଲି ଯେ ମୋର ମୁହଁ ଏବଂ ସ୍ୱର ସେମାନଙ୍କ ପାଇଁ ପରିଚିତ ହୋଇଥିବା କାରଣରୁ କେବଳ ମୁଁ ପଢ଼ାଇଲେ ହିଁ ସେମାନେ ପାଠ ପଢ଼ା ପ୍ରତି ଧ୍ୟାନ ଦେଇପାରିବେ। ଏହାପରେ ମୁଁ ମୋ ପିଲାଙ୍କର କଳାପଟା ଆଣିଲି, ଏହାକୁ ଏକ ଷ୍ଟାଣ୍ଡ ଉପରେ ରଖିଲି ଏବଂ ଏକ୍ସରେକର୍ଡର ନାମକ ଏକ ଆପ୍ ବ୍ୟବହାର କଲି। ହାତରେ କ୍ୟାମେରା ଧରିବା ସହିତ କଳାପଟାରେ ଗଣିତ ଲେଖିଲି ଏବଂ ତାହାକୁ ବର୍ଣ୍ଣନା କରି ଭିଡିଓ ରେକର୍ଡିଂ କଲି। ଖୁବ ସହଜରେ ମୁଁ ଏହିପରି କେତେକ ଭିଡିଓ ପ୍ରସ୍ତୁତ କଲି।

ମୋର ଭାଷା ଭିଡିଓଗୁଡ଼ିକ ଭିନ୍ନ ଥିଲା। ଉଦାହରଣ ସ୍ୱରୂପ ମୁଁ ପ୍ରଥମ ଶ୍ରେଣୀ ବହିରେ ଥିବା ‘ଛୋଟେ ରାଙ୍ଗାରି’ କିମ୍ବା ‘ଦ ସ୍ମଲ ପେଣ୍ଟର୍ସ’ ଗପ ବାଛିଲି, ତାହାକୁ ବୁଝାଇ କହିବା ସହିତ ସେହି ବିଷୟ ଉପରେ ପ୍ରଶ୍ନ ପଚାରିଥିଲି। ଦ୍ୱିତୀୟ ଶ୍ରେଣୀ ମରଠୀ ବହିରେ ଥିବା ପ୍ରଜପତି କବିତା ୧-୨ ମିନିଟର ଏକ ଭିଡିଓ ମୁଁ ପ୍ରସ୍ତୁତ କଲି। ଏଥିରେ ପ୍ରକୃତିରୁ ପ୍ରଜାପତିଙ୍କର ଭିଜୁଆଲ ସହିତ ପିଲାଟିଏ କବିତା ଆବୃତି କରୁଥିବାର ଅଡିଓ ଥିଲା। ପ୍ରକୃତରେ ମୁଁ ହିଁ ଛୋଟ ପିଲାର ସ୍ୱରରେ କବିତା ଆବୃତି କରୁଥିଲି। ମୁଁ କିନେମାଷ୍ଟର ଆପ୍ ଉପଯୋଗ କରି ମୋର ସ୍ୱରକୁ ଛୋଟ ପିଲାଙ୍କ ଭଳି କରି ଦେଉଥିଲି। ଫୁଲର ସୌନ୍ଦର୍ଯ୍ୟ ଏବଂ ରଙ୍ଗ ସମ୍ପର୍କରେ ବ୍ୟାଖ୍ୟା କରିସାରିବା ପରେ ମୁଁ ପୁଣିତରେ ନିଜର ସ୍ୱାଭାବିକ ସ୍ୱରୁ ଫେରି ଆସୁଥିଲି।

ପିଲାମାନଙ୍କ ସହିତ ଅଧିକାଂଶ ମାତାପିତା ଭିଡିଓ ଦେଖିଥିଲେ। ଏହି ଭିଡିଓ ମାଧ୍ୟମରେ ପିଲାମାନଙ୍କର ଟ୍ୟୁସନ ଶିକ୍ଷକ ପଢ଼ାଇପାରିବେ କି ବୋଲି ସେମାନଙ୍କ ମଧ୍ୟରୁ କିଛି ଅଭିଭାବକ ପଚାରିଥିଲେ। ତେଣୁ ମୁଁ ତୁରନ୍ତ ଟ୍ୟୁସନ ଶିକ୍ଷକମାନଙ୍କୁ ଆମ ହ୍ୱାଟ୍ସଆପ୍ ଗ୍ରୁପରେ ସାମିଲ କରିଦେଲି। ଆଜି ମଧ୍ୟ ମୁଁ ସେମାନଙ୍କ ସହ ସମ୍ପର୍କରେ ରହିଛି ଏବଂ ଏହା ମୋର ଛାତ୍ରଛାତ୍ରୀଙ୍କ ସହଜ ଯୋଡ଼ି ହୋଇ ରହିବାର ଏକ ଭଲ ଉପାୟ।

ମୁଁ ହରିଜନପଡ଼ାରେ ପାଠ ପଢ଼ାଉଥିଲି। ଏଠାକାର ଅଧିକାଂଶ ଛାତ୍ରଛାତ୍ରୀ ସକାଳେ ନିକଟସ୍ଥ ଚାଷ ଜମି ଏବଂ ଫଳ ବଗିଚାରେ କାମ କରିଥାନ୍ତି ଏବଂ ସ୍କୁଲ ଆସିବା ପାଇଁ କେବଳ ଅପରାହ୍ଣରେ ସେମାନଙ୍କୁ ସମୟ ମିଳିଥାଏ। ସେମାନେ ସାଥୀରେ ନିଜ ଛୋଟ ଭାଇଭଉଣୀଙ୍କୁ ନେଇ ଆସିଥାନ୍ତି। ସମସ୍ତଙ୍କୁ ଦେଖାଶୁଣା କରିବାର ଦାୟିତ୍ୱ ମୋ ଉପରେ ପଡ଼ିଥାଏ। ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ ଗୋଟିଏ କୋଠରୀରେ ବସି ପାଠ ପଢ଼ିଥାନ୍ତି। ମୁଁ ୱାର୍ଲି ଏବଂ ମରାଠୀ ମିଶାମିଶି ଭାଷାରେ ପାଠ ପଢ଼ାଇଥାଏ। ଦାହାନୁରେ ଥିବା ଏକ ଆଦିବାସୀ ପଡ଼ାର ଜିଲ୍ଲା ପରିଷଦ ବିଦ୍ୟାଳୟରେ ୨୫ ବର୍ଷ ପୂର୍ବେ ଯେତେବେଳେ ମୁଁ ପ୍ରଥମେ ନିଯୁକ୍ତି ପାଇଥିଲି ସେଠାରେ ମଧ୍ୟ ସ୍ଥିତି ଏହିପରି ଥିଲା। ମୁଁ ଘରକୁ ଘର ଯାଇ ପିଲାମାନଙ୍କୁ ଡାକୁଥିଲି ଅନ୍ୟଥା ସେମାନେ ଆଦୌ ପାଠପଢ଼ିବା ଲାଗି ରାଜି ହୋଇନଥାନ୍ତେ। ସେତିକିବେଳେ ହିଁ ମୁଁ ଅନୁଭବ କରିଥିଲି ଯେ ଜଣେ ଶିକ୍ଷକ ଭାବେ ସେହି ଅଧିକ କାମ କରିବା ମୋ ପାଇଁ କେତେ ଜରୁରି ଥିଲା।

Go to top


କାଠକଣ୍ଢେଇ, ଗୋଲକଧନ୍ଦା, ଅଭିନୟ ଓ ଚିତ୍ର ପ୍ରଶ୍ନୋତ୍ତରୀ

ସାଫାଲେରେ ଥିବା ଜିଲ୍ଲା ପ୍ରାଥମିକ ବିଦ୍ୟାଳୟରେ ମୁଁ ତୃତୀୟ ଏବଂ ଚତୁର୍ଥ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଥାଏ।

ମହାରାଷ୍ଟ୍ରର ପାଲଘର ଜିଲ୍ଲାର ଉମ୍ବର ପଡ଼ା ନନ୍ଦାଡ଼େର କର୍ଡ଼ାଲ ଜିଲ୍ଲା ପରିଷଦ ସ୍କୁଲରେ ରଜନ ପାଠ ପଢ଼ାଇଥାନ୍ତି।

ଏହି କୃଷିଭିତ୍ତିକ ସହରରେ ମୋର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬୦ ପ୍ରତିଶତ ଚାଷୀ ପରିବାରର ଅଟନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ସେମାନଙ୍କର ଚାଷ ଜମିରେ କାମ କରିଥାନ୍ତି ଏବଂ ଅଧିକାଂଶ ପିଲାଙ୍କ ଅଭିଭାବକ କାମ ପାଇଁ ମୁମ୍ବାଇକୁ ଯାଇଥାନ୍ତି।

ଲକଡାଉନର ପ୍ରାରମ୍ଭିକ ସମୟରେ, ମୁଁ ଅନୁଭବ କଲି ଯେ ପିଲାମାନଙ୍କ ସହିତ ଯୋଡ଼ି ହୋଇ ରହିବା ଜରୁରି। ମୁଁ ଅଭିଭାବକମାନଙ୍କୁ ଡାକିଲି ଏବଂ ସେମାନଙ୍କୁ ଜୁମ୍ ଆପ୍ କିଭଳି ଇନଷ୍ଟଲ୍ ଏବଂ ବ୍ୟବହାର କରିବାକୁ ହେବ ତାହା ବୁଝାଇ କହିଲି। ଆମେ ଲକଡାଉନ ଆରମ୍ଭ ହେବାର ସାତ ଦିନ ପରେ ଏପ୍ରିଲ ୧, ୨୦୨୦ରେ ଅନଲାଇନ ପାଠପଢ଼ା ଆରମ୍ଭ କଲୁ।

କୋଭିଡ-19 ସଙ୍କଟର ସେହି ପ୍ରାରମ୍ଭିକ ଦିନଗୁଡ଼ିକରେ ପରିବେଶ ଅତ୍ୟନ୍ତ ଗମ୍ଭୀର ଏବଂ ଭୟପୂର୍ଣ୍ଣ ଥିଲା। ମୁଁ କେବଳ ଆମର ସାକ୍ଷାତ ପାଇଁ ଏକ ପରିବେଶ ସୃଷ୍ଟି କରିବାକୁ ଚାହିଁଥିଲି ତେଣୁ ପ୍ରଥମେ ପାଠ୍ୟକ୍ରମରୁ କିଛି ମୁଁ ପଢ଼ାଇନଥିଲି। ଏହା ପରିବର୍ତ୍ତେ, ପିଲାମାନଙ୍କୁ ଅନଲାଇନ କ୍ଲାସ୍ ପ୍ରତି ଆକୃଷ୍ଟ କରିବା ଲାଗି ମୁଁ କାଠକଣ୍ଢେଇ ନଚାଉଥିବା ମୋର ବନ୍ଧୁମାନଙ୍କୁ ଆମନ୍ତ୍ରଣ କରିଥିଲି। ଏଭଳି କାର୍ଯ୍ୟକଳାପ ଜରିଆରେ, ମୁଁ ଧୀରେ ଧୀରେ ପିଲାମାନଙ୍କ ମନରୁ ଭୟ ଦୂର କରିବାରେ ସକ୍ଷମ ହୋଇଥିଲି। ମୁଁ ସ୍କ୍ରିନରେ ଚିତ୍ର ଏବଂ ଲେଖା ସେୟାର କରି ଆଲୋଚନା ଆରମ୍ଭ କଲି। ପିଲାମାନେ ସେମାନଙ୍କର ଅଭିଜ୍ଞତା ବିଷୟରେ କହି ଏଥିରେ ଅଂଶଗ୍ରହଣ କରିବା ଆରମ୍ଭ କଲେ (ଏହା ଠିକ୍ ଏପରି ଥିଲା, ଯେପରିକି ଏକ ଚିତ୍ରକୁ ଦେଖି ପିଲାମାନେ ଏକ ଘଣ୍ଟା ସ୍କୁଲ ପଡ଼ିଆରେ ବିତାଇବାର କଥା କହିଲେ)।

ମୁଁ ପାଠ ବହିର ଛବି ବ୍ୟବହାର କଲି। ନିର୍ଦ୍ଦିଷ୍ଟ ଚିତ୍ର ସହ ସମ୍ବନ୍ଧିତ କେତେକ ଶବ୍ଦ ରହିଥିଲା ପିଲାମାନଙ୍କୁ ଏହା ଶିଖିବାର ଥିଲା। କିନ୍ତୁ ମୁଁ ସେମାନଙ୍କୁ ସିଧାସଳଖ ଏହା ଲେଖିବାକୁ କହିନଥିଲି। ବରଂ ସେମାନେ ଯାହା ଦେଖିଲେ ତାହା ବର୍ଣ୍ଣନା କରିବାକୁ କହିଲି। ସଠିକ ଶବ୍ଦ ବ୍ୟବହାର କରି ବସ୍ତୁଗୁଡ଼ିକୁ ଚିହ୍ନିବା ଲାଗି, ମୁଁ ଏପାଖସେପାଖ କରି ସେମାନଙ୍କୁ ବସ୍ତୁଗୁଡ଼ିକ ଦେଖାଇଲି। ଯଦି ଶବ୍ଦ ‘ଘଣ୍ଟା’ ଥିଲା, ମୁଁ ସେମାନଙ୍କୁ ପଚାରୁଥିଲି- ଆମେ ସବୁଦିନ କେଉଁ ସମୟରେ ପାଠପଢ଼ା ଆରମ୍ଭ କରିବା? ପ୍ରଶ୍ନ ଏବଂ ଗୋଲକଧନ୍ଦା ଜରିଆରେ, ମୁଁ ସେମାନଙ୍କୁ ଘଣ୍ଟା ଏବଂ ସମୟ ବିଷୟରେ ଧାରଣା ଦେଉଥିଲି ଏବଂ ଏହାପରେ ଘଣ୍ଟା ଓ ତାହାର ବ୍ୟବହାର ସମ୍ପର୍କରେ ବିଶେଷ ଭାବେ ବର୍ଣ୍ଣନା କରି କହୁଥିଲି। ମୁଁ ଆହୁରି ଘଣ୍ଟାର ଗାଣିତ୍ୟିକ ଦିଗ ବିଷୟରେ କହୁଥିଲି, ଯେପରିକି ଗୋଟିଏ ଘଣ୍ଟାକୁ ମିନିଟ୍ ଏବଂ ସେକେଣ୍ଡରେ କିଭଳି ବିଭକ୍ତ କରାଯିବ।

ମୁଁ ମୋ ପାଖରେ ଥିବା ବିଜ୍ଞାନ ଗୋଲକଧନ୍ଦା, ପୁସ୍ତକର ପୃଷ୍ଠାଗୁଡ଼ିକ ସେୟାର କଲି। ପିଲାମାନେ ଯାହା ଦେଖୁଥିଲେ ସେ ସମ୍ପର୍କରେ ଆଲୋଚନା କରୁଥିଲେ। ପ୍ରକୃତରେ ଘଟଣା କ’ଣ ଥିଲା ତାହା ସେମାନେ ଜାଣିବାକୁ ଚାହୁଁଥିଲେ। ଏହାପରେ ମୁଁ ସେମାନଙ୍କୁ ଏହି ବିଷୟ ଉପରେ ଅଧିକ ସୂଚନା ଦେଉଥିଲି।

ଲକଡାଉନ ପୂର୍ବରୁ ମୁଁ କଥାବାର୍ତ୍ତା ମାଧ୍ୟମରେ ପାଠ ପଢ଼ାଉଥିଲି-ମୁଁ ଖେଳୁଛି କିମ୍ବା ପାଠ ପଢ଼ାଉଛି ସେମାନେ ଜାଣିପାରୁଥିଲେ! ପାଠ ପଢ଼ାଇବାର ଏକ ମାଧ୍ୟମ ଭାବେ ଆଲୋଚନାରେ, ପିଲାମାନେ ପରସ୍ପରକୁ ଶିଖାଉଥିଲେ, ମୋ ସହିତ ସିଧାସଳଖ ଆଲୋଚନା କରି ଶିଖି ପାରୁଥିଲେ।

ଏହା ପଛରେ ଏକ ଇତିହାସ ରହିଛି। ବାର ବର୍ଷ ପୂର୍ବରୁ, ମୁଁ ହାଇସ୍କୁଲ ପାଠପଢ଼ା ଶେଷ କରିବା ପରେ, ଡିପ୍ଲୋମା ଇନ ଏଜୁକେସନ (ଡି.ଇଡି) ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଦେଇଥିଲି, କେବଳ କିଛି ସାଙ୍ଗ ମାନଙ୍କ ସହ ରହିବା ପାଇଁ ମୁଁ ଏପରି କରିଥିଲି। ଏହାର କିଛି ବର୍ଷ ପରେ ମୁଁ ଅନୁଭବ କରିପାରିଲି ଯେ, ଅଭିନୟ କରିବା ଲାଗି ମନରେ ଥିବା ଅଭିଳାଷା ମୋ ପେଟ ପୋଷି ପାରିବ ନାହିଁ। ତେଣୁ ମଞ୍ଚ ଏବଂ ପରଦାରେ ଅଭିନୟ ଲାଗି ମୋ ସ୍ୱପ୍ନକୁ ଛାଡ଼ି ଦେବା ଲାଗି ମୁଁ ନିଷ୍ପତ୍ତି ନେଲି। ଏହାପରେ ଜଣେ ଭଲ ଶିକ୍ଷକ ହେବା ଲାଗି ମୁଁ ମୋର ଚେଷ୍ଟା ଆରମ୍ଭ କଲି। ମୁଁ ଆଗକୁ ବଢ଼ିଲି ଏବଂ ମୋର ଡି.ଇଡି ପାଠପଢ଼ା ଶେଷ କଲି।

ପାଲଘର ତାଲୁକାର ଖୋରିଚାପଡ଼ା ନାମକ ଗ୍ରାମରେ ମୋତେ ପ୍ରଥମେ ଶିକ୍ଷକ ଭାବେ ନିଯୁକ୍ତି ମିଳିଥିଲା। ମୋର ଛାତ୍ରଛାତ୍ରୀମାନେ ୱାର୍ଲିରେ କଥାବାର୍ତ୍ତା କରୁଥିଲେ।

୨୦୦୯ ମୌସୁମୀ ଋତୁ ଥିଲା। ସ୍କୁଲ ଆଖପାଖରେ ଜଙ୍ଗଲ ଭର୍ତ୍ତି ପାହାଡ଼, ଘନ ସବୁଜ କ୍ଷେତ ଏବଂ ବୈତର୍ଣ୍ଣା ନଦୀବନ୍ଧର ବିଶାଳ କ୍ଷେତ୍ର ବ୍ୟାପି ରହିଥିଲା। ସେତେବେଳେ ମୋ ବୟସ ୨୧ ବର୍ଷ ଥିଲା, ମୁମ୍ବାଇରେ ଜନ୍ମ ନେଇଥିବା ଓ ବଡ଼ ହୋଇଥିବା କାରଣରୁ ଚଳଚ୍ଚିତ୍ର ପରଦା ବାଦ୍ ଏଭଳି ଦୃଶ୍ୟ ମୁଁ ଜୀବନରେ କେବେ ବି ଦେଖିନଥିଲି।

ଖୋରିଚାପଡ଼ା ଅତି ଉପାନ୍ତ ଅଞ୍ଚଳରେ ଥିବା ବେଳେ ମୋର ମାସିକ ଦରମା ମାତ୍ର ୩୦୦୦ ଟଙ୍କା ଥିଲା, ତେଣୁ ସ୍କୁଲ ପରିସରରେ ମୁଁ ରହୁଥିଲି। ମୁଁ ସକାଳ ୮ଟାରେ ସ୍କୁଲ ଆରମ୍ଭ କରୁଥିଲି ଏବଂ ବନ୍ଦ ହେବାର କୌଣସି ସମୟ ନଥିଲା-ପିଲାମାନେ ରାତ୍ରୀ ଭୋଜନ ପରେ ମଧ୍ୟ ପାଠ ପଢ଼ିବା ଲାଗି ଅପେକ୍ଷା କରି ରହୁଥିଲେ!

ମୁଁ ଜଣେ ପ୍ରଶିକ୍ଷିତ ଅଭିନେତା ଏବଂ ଭାଷା ଜ୍ଞାନ ପ୍ରତି ମୋର ଆଗ୍ରହ ରହିଥିବା କାରଣରୁ, ମାତ୍ର ଦୁଇ ସପ୍ତାହ ମଧ୍ୟରେ ପିଲାମାନଙ୍କର ଭାଷା ଶିଖିଗଲି। ୧୨ ବର୍ଷ ମଧ୍ୟରେ ମୁଁ ଦ୍ୱିଭାଷୀ କାହାଣୀ, ଏକ ୱାର୍ଲି-ମରାଠୀ ଶବ୍ଦକୋଷ, ଏବଂ ଏକ ବର୍ଣ୍ଣମାଳା ପୁସ୍ତକ ବିକଶିତ କରିଥିଲି। ଏହି ପୁସ୍ତକରେ “ଏ” ଅକ୍ଷରରୁ ମରାଠୀର ‘ଅନନସ’ [ଡାଳିମ୍ବ] ନୁହେଁ ବରଂ ୱାର୍ଲିର ‘ଅନୁନା’ (ଆତ) ଆରମ୍ଭ ହେଉଥିଲା। ଏହା ଯୁବ ଆଦିବାସୀ ଛାତ୍ରଛାତ୍ରୀଙ୍କ ଭାଷା ଜନିତ ଶୂନ୍ୟସ୍ଥାନ ପୂରଣ କରିବାରେ ସହାୟକ ହେବ ବୋଲି ମୋର ବିଶ୍ୱାସ ରହିଛି।

ଶ୍ରେଣୀଗୃହ ପାଠପଢ଼ା ପଦ୍ଧତିରେ ମୁଁ ପ୍ରତ୍ୟେକ ଶିଶୁଙ୍କ ପ୍ରତି ଧ୍ୟାନ ଦେଇଆସିଛି। ପୂର୍ବରୁ ଦୁର୍ବଳ ଛାତ୍ରଛାତ୍ରୀ ପଛରେ ପଡ଼ିଯାଉଥିବା ବେଳେ ମେଧାବୀ ଛାତ୍ରଛାତ୍ରୀ ଆହୁରି ଆଗକୁ ବଢ଼ିଯାଉଥିଲେ। ତେଣୁ ମୁଁ ସେମାନଙ୍କ ପ୍ରତି ଧ୍ୟାନ ଦେଲି ଏବଂ ପାଠ ବୁଝିବାରେ ସହାୟତା କଲି। ସେମାନେ ଅନ୍ୟମାନଙ୍କ ସହିତ ପାଖାପାଖି ସମାନ ହୋଇଯିବା ପରେ ଶ୍ରେଣୀଗୃହର ପରିବେଶ ବଦଳିଗଲା ଏବଂ ଆମେ ସମସ୍ତେ ସାଥୀ ହୋଇ ପାଠପଢ଼ାରେ ଆଗକୁ ବଢ଼ିପାରିଲୁ।

ମାର୍ଚ୍ଚ ୨୦୨୦ରେ ପ୍ରଥମେ ଲକଡାଉନ ଆରମ୍ଭ ହେବା ପରଠାରୁ, ମୁଁ ମୋର ସମସ୍ତ ୫୮ ଜଣ ଛାତ୍ରଛାତ୍ରୀଙ୍କ ସମ୍ପର୍କରେ ରହିଛି। ମୁଁ ଅଧିକାଂଶ ସମୟରେ ସେମାନଙ୍କ ମାତାପିତାଙ୍କୁ ଫୋନ କରିଥାଏ, ସେମାନେ କିଭଳି ପାଠ ପଢ଼ୁଛନ୍ତି ପଚାରିଥାଏ। ନିକଟରେ, ଏକ ଅନଲାଇନ କ୍ଲାସରେ ମୋର ଜଣେ ଲାଜକୁଳା ଛାତ୍ର ବେଦାନ୍ତ ପଚାରିଥିଲା, “ସାର, ଆମ ସ୍କୁଲ କେବେ ଠାରୁ ଖୋଲିବ? ଆମେ କେବେ ପରସ୍ପରକୁ ସିଧାସଳଖ ସାକ୍ଷାତ କରିବା ଏବଂ ସାଥୀ ହୋଇ ଜୀବନ ନିର୍ବାହ କରିବା?” ପିଲାଟିଏ ଏ କଥା ମନ ଖୋଲି କହିବା ମୋତେ ଖୁସି ଦେଇଥିଲା ଏବଂ ଜଣେ ଶିକ୍ଷକ ଭାବେ ମୁଁ ନିଜକୁ ଗର୍ବ ଅନୁଭବ କରିଥିଲି।

Go to top


ନଭି ମୁମ୍ବାଇର ବସ୍ତି ଅଞ୍ଚଳରେ ଶିକ୍ଷାଦାନ

ନଭି ମୁମ୍ବାଇର ବସ୍ତି ଅଞ୍ଚଳରେ ରହୁଥିବା ପିଲାମାନଙ୍କୁ ମୁଁ ଶିକ୍ଷାଦାନ କରିଥାଏ। ବିପୁଳ ସମ୍ପତ୍ତି ଏବଂ ବିଳାସପୂର୍ଣ୍ଣ ଜୀବନଶୈଳୀ ଚାରିପାଖରେ ଦେଖୁଥିଲେ ମଧ୍ୟ ସେମାନେ ସେଥିରୁ ବଞ୍ଚିତ ଥିଲେ। ୨୦ ବର୍ଷ ଧରି ମୁଁ ନଭି ମୁମ୍ବାଇ ମହାନଗର ନିଗମର ମାଧ୍ୟମିକ ବିଦ୍ୟାଳୟରେ ପାଠ ପଢ଼ାଇ ଆସୁଛି।

ମିଥିଲା ମହାରାଷ୍ଟ୍ରର ଥାନେ ଜିଲ୍ଲା, ନଭି ମୁମ୍ବାଇ-ୟୁଆରସି ୧ ବ୍ଲକ ସାନ୍‌ପାଡ଼ା, ସେକ୍ଟର ୫ ସ୍ଥିତ ଏନଏମଏମସି ବିଦ୍ୟାଳୟ ନଂ ୧୮ରେ ପାଠ ପଢ଼ାଇଥାନ୍ତି।

ଏପ୍ରିଲ ୨୦୨୦ରେ ଯେତେବେଳେ ସାରା ଦେଶରେ ଲକଡାଉନ ଲାଗୁ ହେଲା, ଏହି ପିଲା ଓ ସେମାନଙ୍କର ମାତାପିତା ହଠାତ୍ ଏକ ନିରାଶାର ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଥିଲେ। ପିଲାମାନଙ୍କର ଅଭିଭାବକ ଅଟୋ ରିକ୍ସା ଚାଳକ, ଘରୋଇ ଚାକର, ପରିବା କିମ୍ବା ଫଳ ବିକ୍ରେତା, ଏବଂ ଭାଶୀ ଠାରେ ଥିବା କୃଷି ଉତ୍ପାଦ ବିପଣନ ସମିତି (ଏପିଏମସି) ମଣ୍ଡିରେ ଶ୍ରମିକ ଭାବେ କାମ କରୁଥିଲେ। ରାତାରାତି ସେମାନେ ଜୀବିକା ହରାଇଲେ ଏବଂ ସମ୍ପୂର୍ଣ୍ଣ ପରିବାର ସେମାନଙ୍କର ଗାଁ ଅଭିମୁଖେ ଚାଲିଯାଇଥିଲେ।

ସମସ୍ତଙ୍କୁ ପେଟ ପୋଷିବା ଚିନ୍ତା ଘାରିଥିଲା । ପିଲାମାନଙ୍କର ଅନଲାଇନ ପାଠପଢ଼ା ପାଇଁ ଇଣ୍ଟରନେଟ ସଂଯୋଗ ନିମନ୍ତେ ଖର୍ଚ୍ଚ କରିବାକୁ ସେମାନଙ୍କ ପାଖରେ ଟଙ୍କା ନଥିଲା।

ଜୁଲାଇ ମାସ ପରେ କିଛି ମାତାପିତା କାମ ପାଇଁ ପୁଣିଥରେ ଫେରି ଆସିଥିଲେ କିନ୍ତୁ ସେମାନେ ନିଜ ପିଲାମାନଙ୍କୁ ଘରେ ଛାଡ଼ି ଦେଇ ଆସିଥିଲେ। ଅଭିଭାବକମାନେ ସାଥୀରେ ସ୍ମାର୍ଟ ଫୋନ ନେଇ ଆସିଥିବାରୁ ଅନଲାଇନ କ୍ଲାସ୍ ପାଇଁ ପିଲାମାନଙ୍କ ପାଖରେ ସ୍ମାର୍ଟଫୋନ ନଥିଲା। ପିଲାମାନେ ପାଠ ପଢ଼ନ୍ତୁ ବୋଲି ବାପା ମା’ ଚାହୁଁଥିଲେ କିନ୍ତୁ ଏହାର ମାଧ୍ୟମ ସ୍ମାର୍ଟ ଫୋନ୍ ଡିଭାଇସ ଯୋଗାଇ ଦେବା ନିମନ୍ତେ ସେମାନଙ୍କ ପାଖରେ ସାଧନ ନଥିଲା। ଯେଉଁ ପିଲାଙ୍କର ଅନଲାଇନ୍ କ୍ଲାସ୍ ଜଏନ୍ କରିବାର ଆବଶ୍ୟକତା ଥିଲା ମୁଁ ସେମାନଙ୍କୁ ମୋର ଦୁଇଟି ସ୍ମାର୍ଟ ଫୋନ ଓ ଗୋଟିଏ ଟ୍ୟାବ ଦେଇଥିଲି। ଏହା ଦେଖି ମୋର ସହଯୋଗୀମାନେ ମଧ୍ୟ ଅନୁପ୍ରାଣିତ ହେଲେ ଏବଂ ସେମାନେ ମଧ୍ୟ ନିଜର ଡିଭାଇସ ଛାତ୍ରଛାତ୍ରୀଙ୍କୁ ଦେଲେ। କର୍ପୋରେଟ ସାମାଜିକ ଦାୟିତ୍ୱବୋଧର ଅଂଶବିଶେଷ ସ୍ୱରୂପ ବିଲ୍ ରିଚାର୍ଜ କରିବାରେ ଆମାଜନ୍ ସହାୟତା କଲା।

ସପ୍ତମ ଶ୍ରେଣୀରେ ପଢ଼ୁଥିବା ୯୦ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ମୁଁ ପିଡିଏଫ ଓ ଭିଡିଓ ଆକାରରେ ପାଠ୍ୟ ବିଷୟ ପୋଷ୍ଟ କଲି। ଗୁଗଲ ଫର୍ମ୍ସ ଜରିଆରେ ପ୍ରଶ୍ନର ଉତ୍ତର ଦେବାରେ ସେମାନେ ଦକ୍ଷ ହୋଇଗଲେ। ଗୁଗଲ ଫର୍ମସ ଆକାରରେ ମୁଁ ସରକାରୀ ଉତ୍ସ ଦୀକ୍ଷାରୁ ପାଠ୍ୟ ବିଷୟର ଭିଡିଓ ଡାଉନଲୋଡ୍ କରି ସେମାନଙ୍କୁ ଯୋଗାଇ ଦେଲି। ପିଲାମାନେ ଏହି ସବୁ ଉତ୍ସରୁ ପାଠ ପଢ଼ୁଥିଲେ ଏବଂ ଉତ୍ତର ମୋତେ ପଠାଉଥିଲେ।

ବାପା ମା’ ସ୍ମାର୍ଟ ଫୋନ ବ୍ୟବସ୍ଥା କରିଦେବା ପରେ, ପିଲାମାନେ ଟିକ ଟକ, ଫେସବୁକ, ୟଟ୍ୟୁବ ଏବଂ ଅନ୍ୟ ପ୍ଲାଟଫର୍ମରେ ଭିଡିଓ ତିଆରି କରିବା ଆରମ୍ଭ କଲେ। ପିଲାମାନେ ହାତରେ ଫୋନ ଧରି ପ୍ରକୃତରେ କ’ଣ କରୁଛନ୍ତି ସେ ସମ୍ପର୍କରେ ଅଧିକାଂଶ ଅଭିଭାବକଙ୍କ ଧାରଣା ନଥିଲା। ମୁଁ ସେମାନଙ୍କୁ ଜୁମ୍ ଆପ୍ ଡାଉନଲୋଡ୍ କରିବାକୁ କହିଲି ଏବଂ ଏକ ବୈଠକ ଡକାଇଲି। ପ୍ରକୃତରେ ପିଲାମାନେ କ’ଣ କରୁଛନ୍ତି ସେଥିପ୍ରତି ନଜର ରଖିବା ଲାଗି ମୁଁ ସେମାନଙ୍କୁ କହିଲି।

ମୁଁ ୧୫ ଟି ଶିକ୍ଷାଦାନ ଭିଡିଓ ପ୍ରସ୍ତୁତ କଲି ଯାହାଫଳରେ ସେମାନେ ମୁଁ ପଢ଼ାଉଥିବା ପାଠ ସମ୍ପର୍କରେ ଧାରଣା କରିପାରିବେ। ମୁଁ ପ୍ରତ୍ୟେକ ଅଧ୍ୟାୟରେ ୧୫ଟି ଧାଡ଼ିକିଆ ପ୍ରଶ୍ନୋତ୍ତର ପ୍ରସ୍ତୁତ କଲି, ସେଗୁଡ଼ିକୁ ପ୍ରିଣ୍ଟ ବାହାର କଲି ଏବଂ ମାସିକ ରାସନ ବିତରଣ ପାଇଁ ସ୍କୁଲକୁ ଆସୁଥିବା ଅଭିଭାବକମାନଙ୍କୁ ତାହା ବାଣ୍ଟିଦେଲି।

ମୋ ଛାତ୍ରଛାତ୍ରୀଙ୍କ ଅଭିଭାବକ ସନ୍ଧ୍ୟା ପରେ କାମରୁ ଘରକୁ ଫେରୁଥିଲେ, ତେଣୁ ସନ୍ଧ୍ୟା ୭ଟା ପରେ ମୁଁ ମୋର ଦୈନିକ ଅନଲାଇନ କ୍ଲାସ୍ ଆରମ୍ଭ କରୁଥିଲି। କାରଣ ଏହି ସମୟରେ ଛାତ୍ରଛାତ୍ରୀଙ୍କ ପାଖରେ ଅଧିକ ସମୟ ଫୋନ୍ ରହୁଥିଲା।

ସେମାନଙ୍କ ମଧ୍ୟରୁ ଅଧିକାଂଶ ଏପରି ଦୁଃଖି ପରିବାରରୁ ଆସିଥିଲେ ଯେଉଁମାନଙ୍କର ମାତାପିତା ଆରପାରିକୁ ଚାଲିଯାଇଥିଲେ, ସେମାନେ ଅତିଶୀଘ୍ର କାମ କରିବା ଲାଗି ବାଧ୍ୟ ହୋଇଥିଲେ। ସମସ୍ୟାର ପ୍ରାରମ୍ଭିକ ସଙ୍କେତ ବିଷୟରେ ମୁଁ ଜାଣିବାକୁ ଚେଷ୍ଟା କରୁଥିଲି। ସେମାନଙ୍କ ମଧ୍ୟରୁ ଅଧିକାଂଶ ମୁମ୍ବାଇ ଯାଇ ଅଭିନେତା କିମ୍ବା ନୃତ୍ୟଶିଳ୍ପୀ ହେବାକୁ ଚାହୁଁଥିଲେ। ମୁଁ ସେମାନଙ୍କୁ ଅଧିକ ବାସ୍ତବବାଦୀ ହେବା ସହ ଏକ ସ୍ଥିର କ୍ୟାରିଅର ବିକଳ୍ପ ସମ୍ପର୍କରେ ଚିନ୍ତା କରିବା ଲାଗି କହିଲି। ମୋର ଛାତ୍ରଛାତ୍ରୀମାନେ ବୁଦ୍ଧିମାନ ବ୍ୟକ୍ତି ଭାବେ ବଡ଼ ହୁଅନ୍ତୁ ବୋଲି ମୁଁ ଚାହୁଁଥିଲି।

ମୋ ପିଲାମାନଙ୍କ ମଧ୍ୟରୁ ଅଧିକାଂଶ ଏବେ ବଡ଼ ହୋଇ ବିଭିନ୍ନ ପେସାରେ କାମ କରୁଛନ୍ତି-ପାର୍ସଲ ଠାରୁ ଆରମ୍ଭ କରି କୋରିଅର ସେବା, ବ୍ୟାଙ୍କ ଚାକିରି, ନର୍ସ, ବିଲ୍ଡରଙ୍କ କାର୍ଯ୍ୟାଳୟରେ ସେମାନ କାମ କରୁଛନ୍ତି। କିଛି ପିଲା ଏବେ କମ୍ପ୍ୟୁଟର ଶିକ୍ଷକ ହୋଇପାରିଛନ୍ତି ଏବଂ ଆଉ କିଛି ପାଓଭାଜି ଏବଂ ଜୁସ୍ କେନ୍ଦ୍ର ଭଳି ସେମାନଙ୍କ ନିଜର ବ୍ୟବସାୟ ଆରମ୍ଭ କରିଛନ୍ତି।

ଶିକ୍ଷକ ହେବା ଏକ ପେସା ନୁହେଁ, ଏହା ଏକ ସେବା। ମୋ ଜେଜେବାପା କହୁଥିଲେ, “ଆଦର୍ଶ ଶିକ୍ଷକ ହେବା ପରିବର୍ତ୍ତେ ଜଣେ ସଚ୍ଚୋଟ ଶିକ୍ଷକ ହେବାକୁ ଚେଷ୍ଟା କର।” ଜଣେ ସଚ୍ଚୋଟ ଶିକ୍ଷକ ହେବା ଲାଗି ମୁଁ ସବୁବେଳେ ଚେଷ୍ଟା କରି ଆସିଛି।

ସୂଚନା : ମହାରାଷ୍ଟ୍ରର ଚନ୍ଦ୍ରପୁର, ଗଡ଼ଚିରୋଲି, ପାଲଘର, ନାସିକ, ଥାଣେ ଓ ମୁମ୍ବାଇ ଜିଲ୍ଲାର କମ୍‌ ଆୟବର୍ଗର ବିଦ୍ୟାଳୟର ଶିକ୍ଷକମାନଙ୍କ ପାଇଁ ‘ସିଇକ୍ୟୁୟୁଇ’ର ପେସାଦାର ବିକାଶ କାର୍ଯ୍ୟକ୍ରମର ଅଂଶବିଶେଷ ଥିବା ଶିକ୍ଷକମାନଙ୍କ ବିଷୟରେ ଏଠାରେ ଉଲ୍ଲେଖ କରାଯାଇଛି। ଏ କାହାଣୀ ସେୟାର କରିଥିବାରୁ ପରୀ ଏଜୁକେସନ ପକ୍ଷରୁ ସିଇକ୍ୟୁୟୁଇ-ସେଣ୍ଟର ଫର ଇକ୍ୟୁଟି ଆଣ୍ଡ କ୍ଵାଲିଟି ଇନ ୟୁନିଭର୍ସାଲ ଏଜୁକେସନକୁ ଧନ୍ୟବାଦ ଜ୍ଞାପନ କରାଯାଉଛି।

Go to top

Editor's note

ଚତୁରା ରାଓ ହେଉଛନ୍ତି ବେଙ୍ଗାଲୁରୁସ୍ଥିତ ସ୍ରିଷ୍ଟି-ମଣିପାଳ ଇନଷ୍ଟିଚ୍ୟୁଟ୍ ଅଫ୍ ଆର୍ଟ, ଡିଜାଇନ୍ ଆଣ୍ଡ ଟେକ୍ନୋଲୋଜିରେ କାର୍ଯ୍ୟରତ ଜଣେ ସୃଜନଶୀଳ ରଚନା, ସୂଚନା କଳା ଓ ସୂଚନା ଡିଜାଇନ୍ ଶିକ୍ଷୟିତ୍ରୀ। ସେ କୁହନ୍ତି : “ମୁଁ ବହୁ ସରକାରୀ ସ୍କୁଲ ଶିକ୍ଷକମାନଙ୍କୁ ଭେଟି ସେମାନଙ୍କର ସାକ୍ଷାତକାର ନେଇଥିଲି। ସେମାନେ ମୋ ସହିତ କଥାବାର୍ତ୍ତା ହେଉଥିବା ସମୟରେ ଛାତ୍ରଛାତ୍ରୀଙ୍କ ପ୍ରତି ସେମାନଙ୍କର ଧ୍ୟାନକୁ ମୁଁ ଦେଖିପାରୁଥିଲି। ଏକ ସମୟରେ ଏକାଧିକ ଛାତ୍ରଛାତ୍ରୀ ପଚାରୁଥିବା ପ୍ରଶ୍ନ ପ୍ରତି ସେମାନେ ସତର୍କ ଥିଲେ ଏବଂ ଉତ୍ତର ଦେଉଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଶିକ୍ଷକ ବହୁଦିନ ଧରି ଗୋଟିଏ ସ୍କୁଲରେ ନିୟୋଜିତ ଥିଲେ ଏବଂ ଜନସମୁଦାୟ ପାଇଁ ଅତି ନିଜର ହୋଇପାରିଥିଲେ। ଶିକ୍ଷକମାନଙ୍କର ବଦଳି ଆଦେଶ ଆସିବା ପରେ ଲୋକମାନେ କାନ୍ଦି ଥିଲେ। ଜଣେ ଲେଖକ ଓ ଶିକ୍ଷକ ଭାବେ, ସେମାନଙ୍କର ଲକଡାଉନ କାହାଣୀ ଶୁଣି ମୁଁ ଅତ୍ୟନ୍ତ ଆନନ୍ଦିତ ଓ ପ୍ରଭାବିତ ହୋଇଥିଲି।”

 

ଅନ୍ତରା ରମଣ ବାଙ୍ଗାଲୋରରେ ଅବସ୍ଥାପିତ ଜଣେ ଚିତ୍ରକର ଏବଂ ଗ୍ରାଫିକ ଡିଜାଇନର। ତାଙ୍କ କାମରେ ପରିବେଶ ଏବଂ ସଂରକ୍ଷଣର ଏକ ବଡ଼ ପ୍ରଭାବ ଦେଖିବାକୁ ମିଳିଥାଏ। ସେ ଜଣେ ଉତ୍ସାହୀ ପାଠକ, ପରୀ ପାଇଁ ତାଙ୍କର ଚିତ୍ରଗୁଡ଼ିକରେ କାହାଣୀଗୁଡ଼ିକର ବର୍ଣ୍ଣନାକାରୀ ଗୁଣ ଏବଂ ରଙ୍ଗର ରୂପାନ୍ତରିତ ବ୍ୟବହାରର ବ୍ୟାଖ୍ୟା ପ୍ରତିଫଳିତ ହୋଇଥାଏ।