
ମାତ୍ର ହଳେ ସ୍ଲିପର୍ ପିନ୍ଧି ୭୨-ବର୍ଷ ବୟସ୍କା ଅନୁସୂୟାବାଇ ହରିଶ୍ଚନ୍ଦ୍ରଗଡ଼ ପାହାଡ଼ ଦୁର୍ଗର ପଥୁରିଆ ରାସ୍ତାରେ ଯିବା ପାଇଁ ବାଟ କଢ଼ାଇ ନିଅନ୍ତି। ଗତ ଏକ ଦଶନ୍ଧି ଧରି ସତୁରୀରୁ ଅଧିକ ବୟସରେ ପହଞ୍ଚିଥିବା ଏହି ମହିଳା ପଶ୍ଚିମଘାଟରେ ୪,୭୧୦ ଫୁଟ ଉଚ୍ଚତାରେ ଥିବା ଏହି ଦୁର୍ଗ ଆରୋହଣ କରିଆସୁଛନ୍ତି। ତାଙ୍କର ପାହାଡ଼ ଚଢ଼ିବା ଆରମ୍ଭ ହୋଇଥିଲା ଯେତେବେଳେ ୨୦୧୨ରେ ଏହି ପାହାଡ଼ର ଉପର ମୁଣ୍ଡରେ ଗୋଟିଏ ଜଳଖିଆ ଦୋକାନ ଖୋଲିବା ପାଇଁ ତାଙ୍କ ପରିବାର ସ୍ଥିର କରିଥିଲା ଏବଂ ଉପରକୁ ଯିବା ପାଇଁ ଏକ ମାତ୍ର ରାସ୍ତା ଥିଲା ଚଢ଼ିବା। ଏହି ପାହାଡ଼ିଆ ରାସ୍ତା ୬୦-୮୦ ଡିଗ୍ରୀ ଢଳି ରହିଛି ଏବଂ ପ୍ରତ୍ୟେକ ଥର ତିନି କିଲୋମିଟର ଦୂରତା ଚଢ଼ିବା ପାଇଁ ପ୍ରାୟ ତିନି ଘଣ୍ଟା ସମୟ ଲାଗେ।
ଏହା ପରେ, ପର୍ଯ୍ୟଟକଙ୍କ ବର୍ଦ୍ଧିତ ସଂଖ୍ୟାରୁ ଉପାର୍ଜନ ବୃଦ୍ଧି କରିବା ପାଇଁ ପାହାଡ଼ର ତଳ ଭାଗରେ ଏକ ହୋମ୍ଷ୍ଟେ ଖୋଲିଥିଲେ। ବର୍ତ୍ତମାନ ଅନୁସୂୟାବାଇ ଏହି ପାହଡ଼ ଚଢ଼ାଳୀ ସମୂହଙ୍କ ମଧ୍ୟରେ ଖୁବ୍ ଜଣାଶୁଣା, ଉଭୟ ତାଙ୍କର ଚଢ଼ିବା ଦକ୍ଷତା ଏବଂ ଉଭୟ ସ୍ଥାନରେ ସେ ପରଷୁଥିବା ଘରୋଇ ଖାଦ୍ୟ ପାଇଁ।



ପାରମ୍ପରିକ ମହାରାଷ୍ଟ୍ରୀୟ ନୌଭରି (ଗୋଟିଏ ନଅ ଗଜ କପଡ଼ାରୁ ତିଆରି ଶାଢ଼ି) ପିନ୍ଧୁଥିବା ଅନୁସୂୟା କହନ୍ତି, ‘‘ଲୋକେ ମୋତେ ପଚାରନ୍ତି ମୋର ଜୋତା ଦରକାର କି, କିନ୍ତୁ ମୁଁ ସ୍ଲିପର୍ ପିନ୍ଧିବାରେ ସବୁଠୁ ଆରାମ ଅନୁଭବ କରେ।’’ ସେ ସାଧାରଣତଃ ଜଣେ ସହାୟକଙ୍କୁ ସାଙ୍ଗରେ ନିଅନ୍ତି ଏବଂ ସେମାନେ ପାହାଡ଼ ଉପରେ ସେ ଚଳାଉଥିବା ଛୋଟ ଜଳଖିଆ ଦୋକାନ ପାଇଁ ଖାଦ୍ୟ ସାମଗ୍ରୀ ନେଇଯାଆନ୍ତି। ଏହା ହେଉଛି ଏହି ପାହାଡ଼ ଉପରେ ଏକମାତ୍ର ସ୍ଥାନ ଯାହା ଏକ ସମ୍ପୂର୍ଣ୍ଣ ଭୋଜନ ପ୍ରଦାନ କରେ ଏବଂ ଭ୍ରମଣକାରୀମାନଙ୍କ ପାଇଁ ଏହା ଏକ ସ୍ୱାଗତ ରହଣୀ।
ତାଙ୍କ ଲୋକପ୍ରିୟ ଜଳଖିଆ ଦୋକାନ ମାଟି ଏବଂ କାଠରେ ତିଆରି ଏକ ଛୋଟ କୁଟୀର। ଏହି ଦୁର୍ବଳ କୁଟୀରଟି ପ୍ରତ୍ୟେକ ଥର ଜୋର୍ରେ ବର୍ଷା ହେବା ପରେ ପୁଣି ଥରେ ମରାମତି ଆବଶ୍ୟକ କରିଥାଏ। ଅନୁସୂୟାବାଇ କହନ୍ତି, ‘‘ଆମେ ଜାଣୁ କେତେବେଳେ ଏହି ବର୍ଷା ଭୟଙ୍କର ହେବ। ତା’ ପୂର୍ବରୁ ଆମେ ପାହାଡ଼ ଉପରେ ଥିବା ଏହି ହୋଟେଲ୍ [ଜଳଖିଆ ଦୋକାନ] ବନ୍ଦ କରିଦେଉ, ତେଣୁ ଆମର ଅତିଥିମାନେ ନିରାପଦ ରୁହନ୍ତି।’’ ପୁଣି ଥରେ ତିଆରି କରିବାକୁ ପ୍ରାୟ ଦୁଇ ସପ୍ତାହ ଲାଗିଯାଏ।
ତାଙ୍କ ପରିବାରର ଅନ୍ୟ ଅତିଥିଶାଳା ହେଉଛି ହରିଶ୍ଚନ୍ଦ୍ରଗଡ଼ ପାହାଡ଼ର ପାଦଦେଶରେ ଏକ ହୋମ୍ଷ୍ଟେ। ଏହା ଅହମ୍ମଦନଗର ଜିଲ୍ଲାର ଆକୋଲା ବ୍ଲକ୍ର ପଚନାଇ ଗ୍ରାମରେ ରହିଛି, ଏହି ଗାଁର ଗୋଟିଏ ପଟେ ଏକ ଦୁର୍ଗ ରହିଛି ଏବଂ ଅନ୍ୟ ପଟେ ଜଙ୍ଗଲ।


କୁହାଯାଏ ଏହି ହରିଶ୍ଚନ୍ଦ୍ରଗଡ଼ ଦୁର୍ଗ ଷଷ୍ଠ ଶତାବ୍ଦୀରେ ନିର୍ମିତ ହୋଇଥିଲା ଏବଂ ଏହି ଅଞ୍ଚଳର ଏକ ମୁଖ୍ୟ ପର୍ଯ୍ୟଟକ ଆକର୍ଷଣ। ପାହାଡ଼ ଉପରେ ଅତିଥିମାନଙ୍କୁ ଚର୍ଚ୍ଚା କରିବା ପାଇଁ ସପ୍ତାହାନ୍ତରେ ପାହାଡ଼ ଉପରକୁ ଯାଉଥିବା ଅନୁସୂୟାବାଇ କହନ୍ତି, ‘‘ଜୁଲାଇରୁ ଡିସେମ୍ବର ପର୍ଯ୍ୟନ୍ତ ପର୍ଯ୍ୟଟନ ଋତୁରେ ପ୍ରତି ସପ୍ତାହାନ୍ତରେ ପ୍ରାୟ ୧୦୦-୧୫୦ ପର୍ଯ୍ୟଟକ ଖାଇବା ପାଇଁ ଆମ ପାଖରେ ପହଞ୍ଚନ୍ତି। ବର୍ଷର ଏହି ସମୟରେ ଲୋକମାନେ ଦୁଃସାହସିକ କ୍ରୀଡ଼ା ଏବଂ ଜଳପ୍ରପାତକୁ ଉପଭୋଗ କରିବା ପାଇଁ ଆସନ୍ତି।’’ ଏଥିସହିତ ସେ କହନ୍ତି, ‘‘ମାର୍ଚ୍ଚ ପର୍ଯ୍ୟନ୍ତ ଏହି ଦୁର୍ଗ ଦେଖିବା ପାଇଁ ଭଲ ସମୟ। ଏହା ପରେ କଦବା କ୍ୱଚିତ୍ କୌଣସି ପର୍ଯ୍ୟଟକ ଆସନ୍ତି।’’
ଏହି ଗାଁର ଅଧିକାଂଶ ଘର ଚାଳ ଏବଂ ଗୋବରରେ ଲିପା ଯାଇଥିବା ଇଟା କାନ୍ଥରେ ତିଆରି। ବାଦାଦ ପରିବାରର ଘର ମଧ୍ୟ ଏକ ମାଟି ଘର। ଏକମାତ୍ର ବଲ୍ବ ରୋଷେଇ ଏବଂ ଧୁଆଧୁଇ ହେଉଥିବା ସ୍ଥାନକୁ ଆଲୋକିତ କରେ। ଏହାର ଏକ ଅଂଶ ବଢ଼ାଯାଇଛି ଯାହାକି ସିମେଣ୍ଟରେ ତିଆରି, ଯେଉଁଠାରେ ସେମାନେ ଖାଦ୍ୟ ପରିବେଷଣ କରନ୍ତି ଏବଂ ଅତିଥିମାନେ ରାତିରେ ସେଠାରେ ଶୋଇପାରିବେ। ମଧ୍ୟାହ୍ନ ଭୋଜନର ଦାମ୍ ଟ. ୧୫୦ ଏବଂ ଏଥିରେ ଆପଣ ପରିବା ତରକାରୀ, ଭାତ, ଡାଲି ଏବଂ ଆଚାର ସହ ଯେତେ ଚାହିଁବେ ସେତେ ଚପାତି ନେଇପାରିବେ। ସବୁ ଖର୍ଚ୍ଚ ଯିବା ପରେ ପରିବାର ସପ୍ତାହକୁ ଟ. ୫,୦୦୦ରୁ ଟ. ୮,୦୦୦ ଉପାର୍ଜନ କରିଥାଏ।
ଏହା ଅଗଷ୍ଟ ମାସ ଥିଲା ଏବଂ ଉତ୍ସାହୀ ପାହାଡ଼ ଚଢ଼ାଳୀଙ୍କ ଦ୍ୱାରା ଭରପୂର ହୋଇଥିବା ଏକ ବସ୍ ପାହାଡ଼ ତଳେ ଥିବା ଏହି ହୋମ୍ଷ୍ଟେର ପାର୍କିଂ ସ୍ଥାନରେ ମଧ୍ୟରାତ୍ର ପରେ ପହଞ୍ଚିଲା। ଆଈଙ୍କ ବଡ଼ ପୁଅ ଭାସ୍କର ବାଦାଦ ପାହାଡ଼ ଚଢ଼ାଳୀମାନଙ୍କୁ ସ୍ୱାଗତ କରିବା ପାଇଁ, ଅନ୍ଧାରରେ ସେମାନଙ୍କୁ ବାଟ ଦେଖାଇବା ପାଇଁ, କେଉଁଠାରେ ସେମାନେ ନିଜର ଜିନିଷ ଓହ୍ଲେଇବା ପାଇଁ ପାର୍କ କରିପାରିବେ, କେଉଁଠି ଜୋତା ଓହ୍ଲାଇବେ ଏବଂ ହୋଟେଲ୍ ପାଲଟିଥିବା ଘରକୁ ପ୍ରବେଶ କରିପାରିବେ, ତାହା କହିବା ପାଇଁ ତରବର ଭାବରେ ଦୌଡ଼ି ଯାଆନ୍ତି। ତାଙ୍କ ସାନ ବୋହୂ ଆଶା ଏହି ପାହାଡ଼ ଚଢ଼ାଳୀମାନେ ବସିବା ପାଇଁ ସପ ବିଛାଇବାରେ ଆଈକୁ ସାହାଯ୍ୟ କରନ୍ତି ଏବଂ ଗୋଟିଏ ପାତ୍ରରେ ପିଇବା ପାଣିର ବ୍ୟବସ୍ଥା କରନ୍ତି ଓ ସମୁଦାୟ ଦଳ ପାଇଁ ଗରମ ଚା’ ଆଣନ୍ତି। ପାହାଡ଼ ଚଢ଼ାଳୀମାନେ ନିଜ ନିଜ ଜାଗାରେ ବସିଯିବା ପରେ ଅନୁସୂୟାବାଇଙ୍କ ସ୍ୱାମୀ ନାଥୁ ବାଦାଦ ସେମାନଙ୍କ ସହ ଆଳାପ ଆଲୋଚନା କରନ୍ତି ଏବଂ ସେମାନଙ୍କର ପ୍ରଶ୍ନର ଉତ୍ତର ଦିଅନ୍ତି, ଯେତେବେଳେକି ଭାସ୍କର ପ୍ରାତଃ ଭୋଜନ ପରିବେଷଣ କରିବାରେ ସାହାଯ୍ୟ କରନ୍ତି। ସାଧାରଣତଃ ପ୍ରାତଃ ଭୋଜନରେ ପୋହା ତିଆରି ହୋଇଥାଏ। ଭାସ୍କର କହନ୍ତି, ‘‘୨୦୧୧-୧୨ ପରଠାରୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଛି।’’
ସପ୍ତାହାନ୍ତଗୁଡ଼ିକ ସେମାନଙ୍କର ଦୁଇଟି ଜଳଖିଆ ଦୋକାନ ଚଳାଇବାରେ ଚାଲିଯାଏ, କିନ୍ତୁ ସପ୍ତାହର ବାକି ଦିନଗୁଡ଼ିକରେ ଅନୁସୂୟାବାଇ ଏବଂ ତାଙ୍କ ପରିବାର ସେମାନଙ୍କର ୨.୫ ଏକର ଜମିରେ ଧାନ ଚାଷ କରନ୍ତି। ୪୦ ବର୍ଷ ବୟସ୍କ ଭାସ୍କର କହନ୍ତି, ‘‘ଆଗରୁ ଆମେ ପ୍ରାୟତଃ ମାତ୍ର ଚାରିରୁ ପାଞ୍ଚ ବସ୍ତା ଚାଉଳ ପାଉଥିଲୁ। ଆଜିକାଲି ଅଧିକ ଶ୍ରମ ଏବଂ ହାଇବ୍ରିଡ୍ ବିହନର ବ୍ୟବହାର ଯୋଗୁଁ ଆମେ ଆମର ଜମିରୁ ୨୦-୩୦ ବସ୍ତା ଚାଉଳ ପାଉଛୁ। ଏହା [ଅମଳ]ର ଅଧିକାଂଶ ପାହାଡ଼ ଚଢ଼ାଳୀଙ୍କ ପାଇଁ ଖାଇବା ନିମନ୍ତେ ବ୍ୟବହୃତ ହୁଏ।’’ ଅବଶିଷ୍ଟ ସେମାନଙ୍କ ପରିବାରର ନିଜସ୍ୱ ଉପଯୋଗ ପାଇଁ ରଖାଯାଏ।


ସପ୍ତାହାନ୍ତରେ ଆସୁଥିବା ଅତିଥିମାନଙ୍କ ପାଇଁ ଜିନିଷ ଯୋଗାଡ଼ କରି ରଖିବା ନିମନ୍ତେ ଅନୁସୂୟାବାଇ ସୋମବାର ଏବଂ ଗୁରୁବାର ଭାସ୍କରଙ୍କ ସହ ରାଜୁର ଯାଆନ୍ତି। ରାଜୁର ହେଉଛି ପଚନାଇର ସବୁଠାରୁ ନିକଟରେ ଥିବା ସହର ଏବଂ ରାସ୍ତାଗୁଡ଼ିକ ଖାଲଖମାରେ ଭର୍ତ୍ତି। ଭାସ୍କର କହନ୍ତି, ‘‘ଦୁଇଟି ସ୍ଥାନ ମଧ୍ୟରେ ଦୂରତା ମାତ୍ର ୨୫ କିଲୋମିଟର କିନ୍ତୁ ମୋଟରବାଇକ୍ରେ ସେଠାରେ ପହଞ୍ଚିବାକୁ ଦେଢ଼ ଘଣ୍ଟାରୁ ଅଧିକ ସମୟ ଲାଗେ।’’
ପଚନାଇ ଗ୍ରାମରେ ପ୍ରାୟ ୧୫୫ ପରିବାର ରୁହନ୍ତି ଏବଂ ଏହାର ଜନସଂଖ୍ୟା ୭୦୦, କିନ୍ତୁ ବାସିନ୍ଦାମାନେ କହନ୍ତି ସାଧାରଣ ନାଗରିକ ସୁବିଧାର ଅଭାବ ରହିଛି। ଏପରିକି ପିଡିଏସ୍ ରାସନ ମଧ୍ୟ ଆସେ ନାହିଁ। ଅନୁସୂୟାବାଇ କହନ୍ତି, ‘‘ଆମ ଗାଁକୁ ଅନେକ ଦିନରୁ ସରକାରୀ ରାସନ ମିଳିବା ବନ୍ଦ ହୋଇଗଲାଣି।’’ ଏବଂ ତେଣୁ ଗ୍ରାମବାସୀ ପରିସ୍ଥିତିକୁ ନିଜ ହାତକୁ ନେଇଗଲେ। ନାଥୁ କହନ୍ତି ଯେତେବେଳେ ସ୍ଥାନୀୟ କୂପର ପାଣି ପିଇବା ପାଇଁ ଅନୁପଯୁକ୍ତ ହୋଇଗଲା, ‘‘ଆମେ ପାହାଡ଼ ଚଢ଼ିବା ପାଇଁ ଏହି ଗାଁକୁ ପ୍ରବେଶ କରୁଥିବା ପ୍ରତ୍ୟେକ ଗାଡ଼ିରୁ ଟଙ୍କେରୁ ଦୁଇ ଟଙ୍କା ଭାବରେ ଏକ ଛୋଟ ପରିମାଣର କମିଶନ ଆଦାୟ କଲୁ ଏବଂ ପାଖରେ ଥିବା ଏକ ଜଳପ୍ରପାତର ପାଦଦେଶରେ ସ୍ଥାପନ କରିବା ପାଇଁ ଏକ ମୋଟର ଓ ପାଇପ୍ କିଣିବାକୁ ଏହି ଅର୍ଥ ବ୍ୟବହାର କଲୁ।’’ ନିକଟରେ ସାର୍ବଜନୀନ ଶୌଚାଳୟ ଜଙ୍ଗଲ ବିଭାଗ ଦ୍ୱାରା ତିଆରି ହୋଇଛି।
ଅନୁସୂୟାବାଇ ପାଖରେ ଥିବା କୋଠାଲେ ଗ୍ରାମରେ ଜନ୍ମ ହୋଇଥିଲେ। ୧୬ ବର୍ଷ ବୟସରେ ସେ ନାଥୁଙ୍କୁ ବିବାହ କଲେ ଏବଂ ପଚନାଇରେ ଥିବା ତାଙ୍କ ଘରକୁ ଆସିଲେ। ସେମାନଙ୍କ ବଡ଼ ପରିବାର ଭାଙ୍ଗିବାକୁ ଆରମ୍ଭ କଲା କାରଣ ସେମାନଙ୍କ ମଧ୍ୟରୁ କେତେ ଜଣ ଭଲ ସୁଯୋଗର ସନ୍ଧାନରେ ସହରଗୁଡ଼ିକୁ ଚାଲିଗଲେ। ସେମାନଙ୍କର ଜଳଖିଆ ଦୋକାନ ପୂର୍ବର ଜୀବନ ସମ୍ପର୍କରେ ମନେପକାଇ ଭାସ୍କର କହନ୍ତି, ‘‘ଆଈ ଆମ ଜମିରେ କାମ କରନ୍ତି ଏବଂ ଦିନମଜୁରିଆ କୃଷି ଶ୍ରମିକ ଭାବରେ କାମ କରିବା ପାଇଁ ପଡ଼ୋଶୀ ଗାଁ ନାରାୟଣଗାଓଁକୁ ଯାଆନ୍ତି, ୧୨ ଘଣ୍ଟା କାମ କରି ଦିନକୁ ୪୦-୫୦ ଟଙ୍କା ଆୟ କରନ୍ତି।’’


ପାହାଡ଼ ଚଢ଼ାଳୀ ସମୂହଙ୍କ ପାଇଁ ମଧ୍ୟ ହରିଶ୍ଚନ୍ଦ୍ରଗଡ଼ ଚଢ଼ିବା ଏକ କଷ୍ଟକର ଆରୋହଣ ଭାବରେ ବିବେଚନା କରାଯାଏ। ଚଢ଼ିବା ରାସ୍ତା ଖୁବ୍ ତୀଖ ଏବଂ ବଡ଼ ବଡ଼ ପଥର ଖଣ୍ଡ ଥାଏ ଏବଂ କୌଣସି ପାହାଚ ନାହିଁ; ଜଳପ୍ରପାତ ତଳେ ଥିବା ଖସଡ଼ା ରାସ୍ତା ବିପଦକୁ ଆହୁରି ବଢ଼ାଇଦିଏ। ଏହି ରାସ୍ତାର କିଛି ଅଂଶରେ ବ୍ୟାଗ୍ ଓହ୍ଲାଇ ହାତ ଗୋଡ଼ ଲଗାଇ ଘୁଷୁଡ଼ିବା ଦରକାର କରେ, କିନ୍ତୁ ଆଈ ସମୁଦାୟ ଚଢ଼ିବା ରାସ୍ତାକୁ ମୁଣ୍ଡରେ କିଛି ଜିନିଷ ଲଦି ସିଧା ଚାଲିଯାଆନ୍ତି।
ଏହି ବର୍ଷ ଆରମ୍ଭରେ ଅନୁସୂୟାବାଇ ଦୁର୍ଗର କୋକାଙ୍କଡ଼ା ଶୃଙ୍ଗ (୧,୮୦୦ ଫୁଟ)ରୁ ୫୦୦ ଫୁଟ ତଳକୁ ରଶି ବାନ୍ଧି ଖସିଥିଲେ। ସେ କହନ୍ତି, ‘‘ମୁଁ ଅନେକ ଦିନରୁ ସେହି ଶୃଙ୍ଗରୁ ରଶିରେ ଓହ୍ଲାଇବାକୁ ଚାହୁଁଥିଲି, କିନ୍ତୁ ଜଣେ ବୁଢ଼ି ଲୋକର କଥାକୁ କେହି ଗୁରୁତ୍ୱ ଦିଅନ୍ତି ନାହିଁ।’’


ଏହି କାହାଣୀ ପ୍ରସ୍ତୁତ କରିବାରେ ସେମାନଙ୍କର ସହଯୋଗ ପାଇଁ ଛାତ୍ର ସମ୍ବାଦଦାତାମାନେ ଗଣେଶ ଗିଧ ଏବଂ ଭାସ୍କର ବାଦାଦଙ୍କୁ ଧନ୍ୟବାଦ ଦେବାକୁ ଚାହାଁନ୍ତି।
ପରୀ ହୋମପେଜ୍କୁ ଯିବା ଲାଗି, ଏଠାରେ କ୍ଲିକ୍ କରନ୍ତୁ
Editor's note
ରୁତୁଜା ଗୈଧାନୀ ହେଉଛନ୍ତି ସେଣ୍ଟ ଜାଭିୟର୍ସ କଲେଜ(ସ୍ୱୟଂଶାସିତ), ମୁମ୍ବାଇର ଗଣ ଯୋଗାଯୋଗ ଏବଂ ସାମ୍ବାଦିକତାର ଶେଷ ବର୍ଷର ଛାତ୍ରୀ। ଶୁଭମ୍ ରସାଲ ୨୦୨୧ରେ ସତୀଶ ପ୍ରଧାନ ଦ୍ୟାନସାଧନା କଲେଜରୁ ଡିଗ୍ରୀ କରିଛନ୍ତି। ସେମାନେ କହନ୍ତି ‘‘ଏହି କାହାଣୀ ଆମେ ଜାଣିଥିବା କିନ୍ତୁ ସ୍ୱୀକାର କରିବାକୁ ଅସଫଳ ହେଉଥିବା ଦୁନିଆ ପ୍ରତି ଉନ୍ମୁକ୍ତ କରିଛି…ଗ୍ରାମବାସୀମାନେ [[ଆମ କାହାଣୀର] ସେମାନଙ୍କର ସମସ୍ୟାକୁ ଏକ ଭିନ୍ନ ଦୃଷ୍ଟିରେ ଦେଖିବାରେ ଆମକୁ ସାହାଯ୍ୟ କରିଛନ୍ତି।’’
ଅନୁବାଦ: ଓଡ଼ିଶାଲାଇଭ୍
ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।