ଧାନ ଝୁମର ଏକ ଝୁଲା ସାଜସଜ୍ଜା ଯାହା ଶୁଖିଲା ଧାନ ଘାସରୁ ତିଆରି । ଫଟୋ – ପ୍ରଜ୍ଜ୍ଵଲ ଠାକୁର

କୁମାରୀ ପାରଧି ଗୋଟିଏ ଦଶନ୍ଧିରୁ ଅଧିକ ସମୟ ହେଲା ଧାନ ଝୁମର ତିଆରି କରି ଆସୁଛନ୍ତି। ଧାନ ଝୁମର ଶୁଖିଲା ଧାନ ଗୁଚ୍ଛରୁ ତିଆରି ଏକ ଝୁଲା ସାଜସଜ୍ଜା ଯାହା ଅକ୍ଟୋବର-ନଭେମ୍ବରରେ ଅମଳ ହୁଏ। ଏହି ଚାଷୀ ଧାନ ଝୁମର ତିଆରି କରିବା ଆରମ୍ଭ କରିଥିଲେ ଯେତେବେଳେ ସେ ରାୟପୁରର ବଜାରରେ ଏହି ଝୁଲା ସାଜସଜ୍ଜା ପ୍ରତି ବଢୁଥିବା ଆଗ୍ରହକୁ ଲକ୍ଷ୍ୟ କଲେ, ଯେଉଁଠାରେ ସେ ବଣୁଆ ଘାସରୁ ବୁଣୁଥିବା ଝାଡୁ ଏବଂ ଅଳିଆ ପାତ୍ର ବିକ୍ରି କରନ୍ତି।

ଛତିଶଗଡ଼ରେ, ଦୀପାବଳି ପର୍ବ ସମୟରେ ଧାନ ଅମଳ ହୁଏ, ଏବଂ ଲକ୍ଷ୍ମୀ ପୂଜା ପରେ ପକ୍ଷୀମାନଙ୍କୁ ନୂଆ ଶସ୍ୟ ଖୁଆଇବା ଉଦ୍ଦେଶ୍ୟରେ ବିଭିନ୍ନ ଆକୃତିର ଧାନ ଝୁମର ଘରର ପ୍ରବେଶ ପଥରେ ଟଙ୍ଗାଯାଏ । ଏହି ଝୁଲା ସାଜସଜ୍ଜା ଶୁଖିଲା ଧାନ ଗୁଚ୍ଛରେ ତିଆରି ହୁଏ, ଯାହା ଏହି ରାଜ୍ୟରେ ଫସଲ ଅମଳ, ପର୍ବ ଏବଂ ପକ୍ଷୀମାନଙ୍କୁ ଖୁଆଇବା ମଧ୍ୟରେ ସମ୍ପର୍କକୁ ବ୍ୟାଖ୍ୟା କରେ ।

ପକ୍ଷୀମାନଙ୍କୁ ଶସ୍ୟ ଖୁଆଇବା ଉଦ୍ଦେଶ୍ୟରେ ଲକ୍ଷ୍ମୀ ପୂଜା ପରେ ଧାନ ଝୁମର ଘର ବାହାରେ ଟଙ୍ଗା ଯାଇଛି । ଫଟୋ – ପ୍ରଜ୍ଜ୍ଵଲ ଠାକୁର

ଛତିଶଗଡ଼ରେ ବ୍ୟାପକ ଧାନ ଚାଷ ହୁଏ – ୩.୭୬ ନିୟୁତ ହେକ୍ଟର ଜମିରେ – ଏହା ଜାତୀୟସ୍ତରରେ ହେଉଥିବା ଧାନ ଚାଷର ଦଶ ଭାଗରୁ ଭାଗେ, ବୋଲି ୨୦୧୮ର ଏହି ସରକାରୀ ରିପୋର୍ଟ ଦର୍ଶାଏ । କୁମାରୀ ପାରଧିଙ୍କ ଗାଁ ବୁଦେନିର କାମ କରୁଥିବା ଅଧିକାଂଶ ଲୋକ କୃଷି କାମରେ ସମ୍ପୃକ୍ତ ଏବଂ ତାଙ୍କ ଭଳି ଚାଷୀ ଏବଂ ତାଙ୍କ ପରିବାରର ସଦସ୍ୟ, ଅତିରିକ୍ତ ଆୟ କରିବା ପାଇଁ ଏହି ସୁନ୍ଦର ଦୁଇ ଏବଂ ତିନି ଥାକିଆ ଝୁମର ବୁଣନ୍ତି । କୁମାରୀ ପାରଧି କହନ୍ତି ‘‘ଯେଉଁମାନଙ୍କର ଚାଷ ଜମି ନାହିଁ ସେମାନେ ବଜାରରୁ କିଣନ୍ତି।’’ ଧାମତରୀ ଜିଲ୍ଲା ମଗରଲୋଡ୍‌ ବ୍ଲକ୍‌ରେ ତାଙ୍କ ପରିବାରର ଛଅ ଏକର ଚାଷ ଜମି ଅଛି ଯେଉଁଥିରେ ସେମାନେ ଧାନ ଓ ଅନ୍ୟ ଫସଲ ଚାଷ କରନ୍ତି । ସେ ଆହୁରି କହିଲେ, ‘‘ମୋର ଦୁଇ ପୁଅ ଅଛନ୍ତି। ସାନ ପୁଅ ପାଠ ପଢୁଛି ଏବଂ ଆମକୁ ଚାଷ କାମରେ ମଧ୍ୟ ସାହାଯ୍ୟ କରେ।’’

ଆଉ ଜଣେ ଝୁମର ନିର୍ମାତା ହେଲେ କୁମାରୀ ସୋନୱାରୀ ଯିଏ ସମାନ ଜିଲ୍ଲାରେ ଥିବା ନିଜ ଗାଁର ପୂର୍ବ ଦିଗରୁ ପ୍ରାୟ ୫୦ କିଲୋମିଟର ଯାତ୍ରା କରି ଏଠାକୁ [ରାଜଧାନୀ ରାୟପୁର] ଧାନ ଝୁମର ବିକ୍ରି କରିବା ପାଇଁ ଆସିଛନ୍ତି। କୁମାରୀ ସୋନୱାରୀ କହିଲେ, ‘‘ଏହାକୁ ବିକ୍ରି କରି ଆମେ ବର୍ଷକୁ ତିନିରୁ ଚାରି ହଜାର ଟଙ୍କା ଆୟ କରିପାରୁ।’’ ଗତବର୍ଷ କୁମାରୀ ସୋନୱାରୀ ମହାମାରୀ ଯୋଗୁଁ ଅଧିକ ବିକ୍ରି କରିବାରେ ସଫଳ ହୋଇ ନ ଥିଲେ। ସେ କହିଲେ, ‘‘ସାରା ଦୁନିଆର ଆୟ ବନ୍ଦ ହୋଇଗଲା, ଆମର ମଧ୍ୟ।’’

ମହିଳାମାନେ ସେମାନେ ତିଆରି କରିଥିବା ଝୁମର ନେଇ ବିକ୍ରି କରିବାକୁ ଯାତ୍ରା କରୁଛନ୍ତି । ଫଟୋ – ପ୍ରଜ୍ଜ୍ଵଲ ଠାକୁର

କୁମାରୀ ସୋନୱାନୀ କୁରୁଡ଼ (ଚୋରମୁଡିଆ) ବ୍ଲକ୍‌ର ମାରୌଡ ଗାଁରୁ ଆସିଛନ୍ତି । ଧାମତରୀ ଜିଲ୍ଲାରେ ଥିବା ତାଙ୍କ ଗାଁର ଅଧିକାଂଶ ଲୋକ କୃଷକ ଏବଂ କୃଷି ଶ୍ରମିକ । ସେ କହିଲେ, ‘‘ଏଠାରେ [ଛତିଶଗଡ଼ରେ] ଧାନ ଝୁମର ଦୀପାବଳି ଉତ୍ସବର ଏକ ଅଂଶ।’’

ବୁଦେନୀରୁ ଆସିଥିବା ମିଲୱନ୍ତିନ ପାରଧି ରାୟପୁରର ଏକ ଖୋଲା ବଜାର ପୁରାନି ବସ୍ତିରେ ଧାନ ଝୁମର ବିକ୍ରି କରୁଛନ୍ତି । ସେ ମାସକ ପୂର୍ବରୁ ଏହାକୁ ତିଆରି କରିବା ଆରମ୍ଭ କଲେ ଏବଂ ଏବେ ସେଗୁଡ଼ିକୁ ବିକ୍ରି କରିବାକୁ ସହରକୁ ଆଣିଛନ୍ତି । ଶୁଖିଲା ଧାନ ଗୁଚ୍ଛକୁ ଧରି ଆଉ ଏକ ଝୁମର ବୁଣୁ ବୁଣୁ ସେ କହିଲେ ‘‘ସହରରେ ଆମ ଅଧିକ ଲାଭ ପାଉ, ତେଣୁ ଆମେ ଏଠାକୁ ବିକ୍ରି କରିବାକୁ ଆସୁ । ’’

Editor's note

ପ୍ରଜ୍ଜ୍ଵଲ ଠାକୁର ଭିଲାଇର ଦିଲ୍ଲୀ ପବ୍ଲିକ୍‌ ସ୍କୁଲରେ ଜଣେ ଏକାଦଶ ଶ୍ରେଣୀ ଛାତ୍ର । ପରୀରେ ତାଙ୍କର ପୂର୍ବ ଲେଖା ବିହାଇଣ୍ଡ୍ ଦ ହୁଇଲ୍, ଆଟ୍ ଏ କ୍ରସରୋଡ୍‌ସ୍‌ ୨୦୨୧ ଜୁନ୍‌ ୧୮ରେ ପ୍ରକାଶିତ ହୋଇଥିଲା। ସେ ଧାନ ଝୁମର ଉପରେ ଏହି ଲେଖା ଲେଖିବାକୁ ଚାହୁଁଥିଲେ । ସେ କହନ୍ତି, ‘‘ଏହାକୁ ରିପୋର୍ଟିଂ କରିବା ବେଳେ ମୁଁ ପର୍ବପର୍ବାଣିରେ ଚାଷୀଙ୍କ ଭୂମିକା ଏବଂ ଛତିଶଗଡ଼ ଓ ପଡ଼ୋଶୀ ରାଜ୍ୟଗୁଡ଼ିକରେ ଧାନର ଗୁରୁତ୍ୱ ବାବଦରେ ଅଧିକ ସଚେତନ ହେଲି । ପରୀ ଶିକ୍ଷା ସହିତ କାମ କରିବା ଫଳରେ ମୁଁ ରହୁଥିବା ସମାଜ ବାବଦରେ ଏକ ନୂଆ ଦୃଷ୍ଟିକୋଣ ପାଇଲି।’’

ଅନୁବାଦ: ଓଡ଼ିଶାଲାଇଭ୍‍
ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।