“ଭିଟାମିନ ସି ସାତିଲିମ୍ବୁ ସରବତ!”

ନିଜର ନୋକିଆ ଫୋନରେ ବଲିଉଡ୍ ସଙ୍ଗୀତ ବଜାଇ ୫୩ ବର୍ଷୀୟ ଦତ୍ତାତ୍ରେୟ ନାଏଲକର ଲେମ୍ବୁ ପାଣିର ଉପକାରିତା ବିଷୟରେ କହିଥାନ୍ତି। ପଶ୍ଚିମଘାଟ ପର୍ବତମାଳାର ସହ୍ୟାଦ୍ରୀ ପର୍ବତରେ ଥିବା ସିଂହଗଡ଼ ଦୁର୍ଗ ଆଡ଼କୁ ଯାଉଥିବା ଲୋକମାନେ ତାଙ୍କ ଦୋକାନ ସମ୍ମୁଖରେ ରହିଲେ ସେ କ୍ଷଣିକେ ଅଟକି ଯାଇଥାନ୍ତି। ସେହି ଅଞ୍ଚଳ ଏବଂ ଆଖପାଖ କ୍ଷେତ୍ରରେ ଦେଖିବାକୁ ମିଳୁଥିବା ବିଭିନ୍ନ ଉଦ୍ଭିଦର ଔଷଧିୟ ଗୁଣ ଓ କାହାଣୀ ସେ କହିଥାନ୍ତି।

ସଦ୍ୟ କଟା ହୋଇଥିବା କାକୁଡ଼ି, ଆମ୍ବ ଓ ସପୁରି ଦତ୍ତାତ୍ରେୟ ନାୟଲକରଙ୍କ ଦୋକାନ ସମ୍ମୁଖରେ ଥୁଆ ହୋଇଛି। ଅଦିତୀ ଦିଣ୍ଡୋରକଙ୍କ ଦ୍ୱାରା ନିଆଯାଇଥିବା ଫଟୋ

“ଥରେ, ଛାତ୍ରଛାତ୍ରୀଙ୍କ ଏକ ଦଳ (ସିଂହଗଡ଼) ଦୁର୍ଗରେ ଶିବିର ସ୍ଥାପନ ପାଇଁ ଆସିଥିଲେ। ସେମାନେ ଖାଦ୍ୟ ଗୋଳାଇବା ପାଇଁ ସାଥୀରେ ଚାମଚ ଆଣିନଥିଲେ ଏବଂ ଭାବିଥିଲେ ଏହା ବଦଳରେ ସେମାନେ ଗଛ ବଳ୍କଳ ବ୍ୟବହାର କରିବେ। ପରଦିନ ସେମାନଙ୍କ ଦାନ୍ତ ହଲିବା ଆରମ୍ଭ କଲା। ସେମାନେ ଦତ୍ତପଡ଼ି ଗଛର ବଳ୍କଳ ବ୍ୟବହାର କରି ନେଇଥିଲେ, ଯାହାର ଆକ୍ଷରିକ ଅର୍ଥ ‘ଦାନ୍ତ ଭଙ୍ଗାଳୀ!’

ଦତ୍ତାତ୍ରେୟ ଲେମ୍ବୁ ରସ, କାକୁଡ଼ି ଖଣ୍ଡ, କଞ୍ଚା ଆମ୍ବ ଏବଂ କ୍ୟାଣ୍ଡି ଦେଉଥିବା ସମୟରେ ତାଙ୍କ ଚାରିପାଖରେ ଭିଡ଼ ଏକତ୍ରିତ ହୋଇଯାଇଥିଲେ ଏବଂ ଦତ୍ତାତ୍ରେୟ ଏବେ ଆମର ଦୃଷ୍ଟି ଆକର୍ଷଣ କରିଥିଲେ। 

“ମୁଁ ଏଠାରେ ଅଡ଼ୁସା ଲଗାଇଛି। ଆପଣଙ୍କୁ କଫ ହେଲେ, ଆପଣ ଏହାର ପତ୍ରରେ କାଢ଼ା ତିଆରି କରିପାରିବେ,” ତାଙ୍କର ଦୋକାନ ପଛପଟେ ଥିବା ଜଷ୍ଟିସିଆ ଆଢାଟୋଡା ବୃକ୍ଷକୁ ଦେଖାଇ ଦତ୍ତାତ୍ରେୟ କୁହନ୍ତି।

ଏଠାରେ ଦୋକାନ ପ୍ରତିଷ୍ଠା କରିବା ପରଠାରୁ- ଗତ ୧୬ ବର୍ଷ ଧରି ନାୟଲକର ସିଂହଗଡ଼ ପର୍ବତ ଆରୋହଣ କରି ଆସୁଛନ୍ତି। ଏପରିକି ଜଙ୍ଗଲ ବିଭାଗ ପାଇଁ ତାଙ୍କ ପାଖରେ ଯଥେଷ୍ଟ ପରାମର୍ଶ ରହିଛି : “ଜଙ୍ଗଲରେ ଜଙ୍ଗଲ ବୃକ୍ଷ ଲଗାଯିବା ଆବଶ୍ୟକ। ସେମାନେ ଆମ୍ବ, ଲେମ୍ବୁ, ଅମୃତଭଣ୍ଡା ଏବଂ ଆତ ଭଳି ବଗିଚା ଗଛ (ଏଠାରେ) ଲଗାଇବାକୁ ଚେଷ୍ଟା କରୁଛନ୍ତି। କୁହୁଡ଼ି ଓ ଥଣ୍ଡା କାରଣରୁ ଏଗୁଡ଼ିକ ଏଠାରେ ବଢ଼ିବ ନାହିଁ। ସେମାନେ ତ୍ରୁଟିପୂର୍ଣ୍ଣ ଯୋଜନା କରୁଛନ୍ତି।”

କିଛି ଦୂରରେ ଥିବା ଏକ ଲମ୍ବା ଗଛକୁ ଦେଖାଇ ସେ କହୁଛନ୍ତି, “ଏହା ଦେଶୀ ନୁହେଁ, ବିଦେଶୀ। ବହୁ ବର୍ଷ ପୂର୍ବରୁ ଜଣେ ଫରେଷ୍ଟର ଏହାକୁ ଲଗାଇଥିଲେ।” ଏହାପରେ ସେ ଗଛମୂଳରେ ପଡ଼ିଥିବା ଉଜ୍ଜ୍ୱଳ କମଳା ଫୁଲ ଆଡ଼କୁ ଇସାରା କରିଥାନ୍ତି। “ଏଗୁଡ଼ିକ ତାନ୍ତାନୀ ଫୁଲ ଯାହାର କେନ୍ଦ୍ରରୁ ଆପଣ ମହୁ ବାହାର କରିପାରିବେ। ତରଳ ଝାଡ଼ାର ଉପଶମ ପାଇଁ ଏଗୁଡ଼ିକର ପତ୍ର ଅତ୍ୟନ୍ତ ପ୍ରଭାବକାରୀ।”

ମୁଁ ତାଙ୍କୁ ଶୁଣିବା ସମୟରେ, ସେ ସଜାଇ ରଖିଥିବା ଖଟା କଞ୍ଚା ଆମ୍ବରୁ କେଇ ଖଣ୍ଡ ଖାଇଥିଲି। ପାହାଡ଼ରେ ଦେଖିବାକୁ ମିଳୁଥିବା ଔଷଧିୟ ବୃକ୍ଷ ବିଷୟରେ ସେ କହିବା ଜାରି ରଖିଥାନ୍ତି- ଅଁଳା (ଫିଲାନ୍ଥସ୍ ଏମ୍ଲିକା), ହରିଡା (ଟର୍ମିନାଲିଆ ଚେବୁଲା) ଏବଂ ଗୁଳୁଚି (ଟିନୋସ୍ପୋରା କର୍ଡିଫୋଲିଆ) ଆଦି “ରୋଗ ପ୍ରତିଷେଧକ ଶକ୍ତି ବଢ଼ାଇବା ଲାଗି ଉପଯୋଗୀ”। ନିଜ ଦୋକାନ ଚାରି ପାଖରେ ନାଇଲକର ରୋପଣ କରିଥିବା ଗଛଗୁଡ଼ିକୁ ଦେଖାଇ ଦେଇଥାନ୍ତି : ଜାମୁ, କରୋନ୍ଦା, ଅଞ୍ଜାଇ ଏବଂ ଅଁଳା, ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ଛୋଟ ଓ ଦେଶୀ ରାଇ (ସୋରିଷ ମଞ୍ଜି) ଆଦି।

ବୃକ୍ଷଲତା ବିଷୟରେ ସେ ଏତେ କଥା ଜାଣିଲେ କିପରି? ସିଂହଗଡ଼ ପର୍ବତରେ ଏହି ପଞ୍ଚମ ପିଢ଼ିର ବାସିନ୍ଦା କୁହନ୍ତି, “ମୁଁ ଏହାକୁ ମୋର ପୂର୍ବପୁରୁଷଙ୍କ ଠାରୁ ଶିଖିଛି, ଏବଂ ଏହାକୁ ଏବେ ମୋ ପାଖ ଦେଇ ଅତିକ୍ରମ କରିଥିବା ସମସ୍ତଙ୍କୁ କହୁଛି। ନିୟମିତ ପର୍ବତାରୋହଣ କରୁଥିବା ଲୋକମାନେ ଦତ୍ତାତ୍ରେୟଙ୍କୁ ‘ଦତ୍ତ’ ବୋଲି ସମ୍ବୋଧନ କରିଥାନ୍ତି ଏବଂ ତାଙ୍କ ପାଖ ଦେଇ ଅତିକ୍ରମ କରିଯିବା ବେଳେ “ରାମ ରାମ” ବୋଲି କହି ଦେଇଯାଇଥାନ୍ତି।

“ସହରରେ (ପୁଣେ) ମୁଁ ଅଣଃନିଶ୍ୱାସୀ ହୋଇପଡ଼ିଥାଏ। ସିଂହଗଡ଼କୁ ଫେରି ଆସିବା ଲାଗି ମୁଁ ଅସ୍ଥିର ହୋଇପଡ଼ିଥାଏ,” ନାଏଲକର କୁହନ୍ତି। ଅଦିତି ଦିଣ୍ଡୋରକଙ୍କ ଦ୍ୱାରା ନିଆଯାଇଥିବା ଫଟୋ

ପୁଣେରୁ ସିଂହଗଡ଼ ଦୁର୍ଗକୁ ଯାଉଥିବା ଯାତ୍ରୀମାନେ ଦୁଇଟି ମାର୍ଗ ମଧ୍ୟରୁ ଗୋଟିଏକୁ ଚୟନ କରିପାରିବେ-୬ କିମି ଗାଡ଼ିରେ ଯାତ୍ରା କିମ୍ବା ସହ୍ୟାଦ୍ରୀ ପର୍ବତମାଳା ଦେଇ ଦୁଇ ଘଣ୍ଟାର ପଦଯାତ୍ରା। ଶେଷ ବିକଳ୍ପ ବାଛିଲେ ଆପଣ ନାଏଲକରଙ୍କୁ ଭେଟିପାରିବେ।  ପାହାଡ଼କୁ ଆସୁଥିବା ଆରୋହୀମାନେ ଏଠାରେ କିଛି ସମୟ ବିଶ୍ରାମ ନେବା ଲାଗି ଅଟକି ପାରିବେ। ପୁଣେ ଜିଲ୍ଲାର ହାଭଳେୀ ତାଲୁକାରେ ସିଂହଗଡ଼ ଦୁର୍ଗ ରହିଛି, ସମୁଦ୍ର ପତନ ଠାରୁ ପ୍ରାୟ ୧୪୪୦ ମିଟର ଉଚ୍ଚ ଏହି ପାହାଡ଼ର ଶୀର୍ଷରେ ପହଞ୍ଚିବାର ଅଧା ରାସ୍ତାରେ ତାଙ୍କର ଏହି ଦୋକାନ ରହିଛି। ଘଞ୍ଚ ବୃକ୍ଷଲତା ଏବଂ କୁଳୁ କୁଳୁ ହୋଇ ବୋହି ଯାଉଥିବା ନଦୀରେ ଏହି ଅଞ୍ଚଳର ସୌନ୍ଦର୍ଯ୍ୟ ବହୁଗୁଣିତ ହୋଇଥାଏ।

ନାଏଲକର ସପ୍ତମ ଶ୍ରେଣୀରୁ ବିଦ୍ୟାଳୟ ଛାଡ଼ିଛନ୍ତି, କିନ୍ତୁ ସେ ଯଥେଷ୍ଟ ବାସ୍ତବ ଜ୍ଞାନ ହାସଲ କରିଛନ୍ତି ଏବଂ ସିଂହଗଡ଼ର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବଜାୟ ରଖିବା ଲାଗି ନିଜ ପକ୍ଷରୁ ସେ ଯଥେଷ୍ଟ ଯୋଗଦାନ ଦେଇଛନ୍ତି। ଯୁବ ଗ୍ରାହକଙ୍କ ପ୍ରବଳ ଚାହିଦା ଥିଲେ ସୁଦ୍ଧା ସେ କୁରୁକୁରେ ଓ ଆଳୁ ଚିପ୍ସ ବିକ୍ରି କରିବାକୁ ସିଧା ମନା କରି ଦେଇଥାନ୍ତି, “ଲୋକମାନେ ଖାଇବେ, ଏବଂ ଚାରିଆଡ଼େ ପ୍ଲାଷ୍ଟିକ ଓ ଆବର୍ଜନା ଫିଙ୍ଗିବେ। ଅନ୍ୟ ବିକ୍ରେତା ଓ ମୁଁ ସିଗାରୋଟ କିମ୍ବା ତମାଖୁ ବିକ୍ରି କରିନଥାଉ କାରଣ ଏହା ଗୋଟିଏ ଦଳ ଠାରୁ ଅନ୍ୟକୁ ହସ୍ତାନ୍ତରିତ ହେବ ଏବଂ ସେମାନେ ଦୁର୍ଗର ପ୍ରକୃତିଆନିସଂସ୍କୃତି (ପ୍ରକୃତି ଏବଂ ସଂସ୍କୃତି)କୁ ନଷ୍ଟ କରିଦେବେ। (ଏହା ପରିବର୍ତ୍ତେ) ଲୋକମାନେ ଏଠାରେ ଏକ ଶାନ୍ତିପୂର୍ଣ୍ଣ ଦିନ ଅତିବାହିତ କରିପାରିବେ,” ସେ କହିଥାନ୍ତି। ଥକ୍କା ମେଣ୍ଟାଇବା ପାଇଁ ସେ କିଛି ଫଳ ରଖିଥାନ୍ତି ଯାହା ସହଜରେ ବିକ୍ରି ହୋଇଯାଏ। ତାଙ୍କ ଦୋକାନରେ ସେ କାକୁଡ଼ି, ଅଁଳା, କଞ୍ଚା ଆମ୍ବ (ମସଲା ସହିତ) ଏବଂ ସପୁରି (ସବୁ ତାଜା କଟା ହୋଇଥିବ) ରଖିଥାନ୍ତି; ଏହା ସହିତ କୋକୁମ ଓ ଲେମ୍ବୁ ରସ ଥାଏ। ସେ ମଧ୍ୟ କେତେ ପ୍ରକାରର କ୍ୟାଣ୍ଡି (ମ୍ୟାଙ୍ଗୋବାଇଟ ଭଳି ଏବଂ ଲଲିପପ) ରଖିଥାନ୍ତି।

ଦୁଇ ଘଣ୍ଟା ସହ୍ୟାଦ୍ରୀ ପର୍ବତ ଆରୋହଣ କରିବା ପରେ ଆପଣ ନାଏଲକରଙ୍କ ଜଳପାନ ଦୋକାନ ପାଇପାରିବେ। ଅଦିତି ଦିଣ୍ଡୋରକଙ୍କ ଦ୍ୱାରା ନିଆଯାଇଥିବା ଫଟୋ

ନାଏଲକରଙ୍କର ଦୁଇଟି ଘର ଅଛି-ଗୋଟିଏ ପର୍ବତ ପାଦଦେଶରେ ଥିବା ଘେରାସିଂହଗଡ଼ ଗ୍ରାମରେ ତାଙ୍କ ଭଉଣୀଙ୍କ ମାଲିକାନାରେ ରହିଛି ଏବଂ ଆଉ ଗୋଟିଏ ପାହାଡ଼ ଉପରେ ଥିବା ତାଙ୍କର ନିଜ ଗ୍ରାମ। ଘେରାସିଂହଗଡ଼ ହେଉଛି ୬୫୫ ଲୋକସଂଖ୍ୟା (୨୦୧୧ ଜନଗଣନା ଅନୁଯାୟୀ) ବିଶିଷ୍ଟ ଏକ ଛୋଟ ଗ୍ରାମ। କାମ ନଥିବା ୠତୁରେ, ନାଏଲକର ଏଠାରେ ତାଙ୍କ ପରିବାର ସହିତ ରହିଥାନ୍ତି। ପରିବାର କହିଲେ, ତାଙ୍କ ପତ୍ନୀ, ତିନି ପିଲା ଦୀପାଲି (୨୨), ଲୋକେଶ (୧୮) ଏବଂ ବଣ୍ଟି (୧୬)। ବେପାର ଋତୁରେ, ସେମାନେ ପ୍ରତି ସପ୍ତାହରେ ତାଙ୍କୁ ଭେଟିବା ଲାଗି ଗାଁକୁ ଯାଇଥାନ୍ତି, କିନ୍ତୁ ପାହାଡ଼ରେ ଥିବା ନିଜ ଘରକୁ ଫେରିଆସନ୍ତି। ପାହାଡ଼ ଉପରେ, ନାଏଲକର ତାଙ୍କ ପତ୍ନୀ ଓ ପିଲାମାନଙ୍କ ସହିତ ପକ୍କା ଘରେ ରହିଥାନ୍ତି। ସେମାନଙ୍କ ଘର ଦୋକାନର ଠିକ୍‌ ପଛପଟେ ରହିଛି । ସେମାନେ ପ୍ରତି ସପ୍ତାହାନ୍ତରେ ଏଠାରେ ରହିଥାନ୍ତି କାରଣ ଏହି ମାର୍ଗ ସେତେବେଳେ ଅଧିକ ବ୍ୟସ୍ତ ହୋଇଯାଏ ଏବଂ ପର୍ବତାରୋହୀମାନେ ସେମାନଙ୍କର ଦୋକାନ ନିକଟରେ କିଛି ସମୟ ରହିଥାନ୍ତି। “ପର୍ବତରେ ରହିବା ଲାଗି ଆମେ ପସନ୍ଦ କରିଥାଉ। ଆମ ପରିବାରରେ ସମସ୍ତ ପ୍ରକୃତିକୁ ଭଲ ପାଇଥାନ୍ତି,” ଦୀପାଲି କୁହନ୍ତି। 

ଏହି ପର୍ବତମାଳା ସହିତ ନାଏଲକର ବେଶ ପରିଚିତ ସେ ନିଜ ଗୋରୁ ଚରାଇବା ଲାଗି ମଧ୍ୟ ଆଖପାଖ ଅଞ୍ଚଳରେ ବୁଲିଛନ୍ତି। ସେ କୁହନ୍ତି, “ଆମ ପାଖରେ ପାଖାପାଖି ୧୦ରୁ ୧୫ଟି ଗାଈ ଏବଂ ମଇଁଷି ଥିଲେ । ଆମେ ଚୁଲିରେ ଖୁଆ ପ୍ରସ୍ତୁତ କରୁଥିଲୁ ଏବଂ ତାହାକୁ କଦଳୀ ପତ୍ରରେ ବାନ୍ଧି ନେଇ ଗାଁରେ ବିକ୍ରି କରୁଥିଲୁ।” ଆଠ ବର୍ଷ ପୂର୍ବରୁ ସେମାନେ ନିଜ ଗାଈ ବିକ୍ରି କରି ଦେଇଥିଲେ କାରଣ, “ସେମାନଙ୍କ ଚରିବା ପାଇଁ ଯଥେଷ୍ଟ ଘାସ ନଥିଲା ଏବଂ ଖରାଦିନେ ଜଳସଂକଟ ଦେଖାଦେଇଥାଏ। ବେଳେ ବେଳେ ପାହାଡ଼ରେ ବୁଲୁଥିବା ଚିତାବାଘଙ୍କଠାରୁ ମଧ୍ୟ ଗୋରୁମାନଙ୍କ ପ୍ରତି ବିପଦ ରହିଥାଏ। ଏହା ସବୁଠୁ ବଡ଼ ସମସ୍ୟା,” ସେ କୁହନ୍ତି।

ଯୁବାବସ୍ଥାରେ, ନାଏଲକର ପୁଣେରେ ଦିନ ମଜୁରିଆ ଭାବେ କାମ କରୁଥିଲେ। “ମୁଁ କାମ କରିବାକୁ ଭଲ ପାଉନଥିଲି। ବେଳେ ବେଳେ ଠିକାଦାର ଓ ମୋ ଭିତରେ ଝଗଡ଼ା ହେଉଥିଲା। ତା’ଛଡ଼ା, ଚାକିରିରେ କୌଣସି ସ୍ଥାୟୀତ୍ୱ ନଥିବାରୁ ସେମାନେ ମୋତେ କାମରୁ ବାହାର କରି ଦେଉଥିଲେ। ତେଣୁ ନିଜେ ବ୍ୟବସାୟ କରିବା ଭଲ ହେବ ବୋଲି ମୁଁ ଭାବିଲି,” ସେ କୁହନ୍ତି।

ନାଏଲକରଙ୍କ ଜଳପାନ ଦୋକାନର ଠିକ୍‌ ପଛପଟେ ତାଙ୍କର ଘର ରହିଛି। ଅଦିତି ଦିଣ୍ଡୋରକଙ୍କ ଦ୍ୱାରା ନିଆଯାଇଥିବା ଫଟୋ 

ଏବେ ସେ ନିଜ ଦୋକାନ ପାଇଁ ମାସିକିଆ ସାମଗ୍ରୀ କିଣିବା ଲାଗି ସେ ଥରୁଟିଏ ପୁଣେ ଯାଉଛନ୍ତି। ୨୫ କିମି ଦୂରରେ ଥିବା ବଜାରରେ ପହଞ୍ଚିବା ପାଇଁ ତାଙ୍କୁ ନିଜର ହୋଣ୍ଡା ଆକ୍ଟିଭା ସ୍କୁଟରରେ ଦେଢ଼ ଘଣ୍ଟା ଲାଗୁଛି। ଲକଡାଉନ କାରଣରୁ ପର୍ଯ୍ୟଟକ ଓ ପର୍ବତାରୋହୀମାନଙ୍କ ଆସିବା ବନ୍ଦ ହୋଇଯିବା ପୂର୍ବରୁ ନିଜ ଦୋକାନରୁ ସେ ମାସିକ ୮,୦୦୦ ଟଙ୍କା ଆୟ କରୁଥିଲେ। “ଲକଡାଉନ ସମୟରେ, ମୋତେ ଘେରାସିଂହଗଡ଼ ଯିବାକୁ ହୋଇଥିଲା ଏବଂ ସେଠାରେ ମାସେ କିମ୍ବା ଦୁଇ ମାସ ପାଇଁ ଚାଷ ଜମିରେ କାମ କରିବାକୁ ପଡ଼ିଥିଲା,” ସେ କୁହନ୍ତି।

ଏବେ ସେ ପ୍ରତିଦିନ ସକାଳ ୬:୩୦ରୁ ଅପରାହ୍ଣ ୫:୦୦ ଟା ପର୍ଯ୍ୟନ୍ତ ନିଜର ଦୋକାନ ଖୋଲୁଛନ୍ତି। ସବୁ ଖୋଲିଯାଇଥିବାରୁ ଏବଂ ନିଜର ଅତି ପ୍ରିୟ ପାହାଡ଼କୁ ଫେରିଥିବାରୁ ସେ ଆନନ୍ଦିତ। “ମୁଁ ସହର (ପୁଣେ)ରେ ଅଣନିଃଶ୍ୱାସୀ ହୋଇଯାଇଥାଏ। ସିଂହଗଡ଼କୁ ଫେରିବା ଲାଗି ମୁଁ ଅସ୍ଥିର ହୋଇପଡ଼ିଥାଏ,” ସେ କୁହନ୍ତି।

ପାର୍ବତ୍ୟ ଦୁର୍ଗକୁ ଯାଇଥିବା ମାର୍ଗରେ ଅନ୍ୟ ପରିବାରମାନେ ମଧ୍ୟ ଏପରି ଦୋକାନ ଖୋଲି ଜୀବିକା ନିର୍ବାହ କରୁଛନ୍ତି। “ଆମ ଭିତରେ କୌଣସି ପ୍ରତିଯୋଗିତା ନାହିଁ,” ନାଏଲକର କୁହନ୍ତି। “ବାସ୍ତବରେ ଆମେ ପରସ୍ପରକୁ ସାହାୟତା କରିଥାଉ। ପର୍ବତାରୋହଣ ମାର୍ଗର ଭିନ୍ନ ଭିନ୍ନ ସ୍ଥାନରେ ବସିଥିବାରୁ, ଆମେ ଯୋଗାଯୋଗର ଏକ ଶୃଙ୍ଖଳ ତିଆରି କରିଛୁ। ଉଦାହରଣ ସ୍ୱରୂପ, କେହି ଆହତ ହେଲେ, ଉପରୁ ମୋ ପାଖକୁ ଏକ ବାର୍ତ୍ତା ଆସିଥାଏ। ମୋ ପାଖରେ ଏକ କପଡ଼ା ଷ୍ଟ୍ରେଚର ଏବଂ ପ୍ରାଥମିକ ଚିକିତ୍ସା ବାକ୍ସ ଅଛି।”

“ହିମାଳୟ ଆରୋହଣ ପାଇଁ ଯାଉଥିବା ଲୋକମାନେ ଏଠାକୁ ଆସି ମୋତେ ସେମାନଙ୍କର ଅନୁଭୂତି କହିଥାନ୍ତି। ତେଣୁ ଏଠାରେ ବସି ମୁଁ ସାରା ଦୁନିଆକୁ ଦେଖିପାରିଥାଏ,” ହାଲୁକା ପାହାଡ଼ିଆ ପବନରେ ସ୍ମିତ ହସି ସେ କହିଥାନ୍ତି।

Editor's note

ଅଦିତି ଦିଣ୍ଡୋରକର ଅଶୋକା ବିଶ୍ୱବିଦ୍ୟାଳୟରେ ଇଂରାଜୀ ଓ ସୃଜନଶୀଳ ରଚନା ବିଭାଗରେ ତୃତୀୟ ବର୍ଷର ଛାତ୍ରୀ। ତାଙ୍କ ଜନ୍ମ ସହର ପୁଣେ ଆଖପାଖରେ ଥିବା ଥିବା ପର୍ବତ ଆରୋହଣ କରିବାକୁ ସେ ପସନ୍ଦ କରନ୍ତି। ସେ କୁହନ୍ତି: “ମୁଁ ସବୁବେଳେ ମୋ ସହର ଚାରି ପାଖରେ ଥିବା ସବୁଜିମାକୁ ନେଇ ଗର୍ବିତ, ତେବେ ଏଥିରେ ରହୁଥିବା ଲୋକମାନଙ୍କ ସହିତ କଥା ହେବା ମୋର ଅଧିକ ପସନ୍ଦ । ନାଏଲକରଙ୍କ ସହ କଥା ହୋଇ ଜଙ୍ଗଲ ପ୍ରତି ମୋର ସମ୍ମାନ ଅଧିକ ବୃଦ୍ଧି ପାଇଥିଲା। ପ୍ରକୃତି ସମ୍ପର୍କରେ ତାଙ୍କର ଜ୍ଞାନ ଓ ଭଲ ପାଇବା ମୋତେ ସବୁବେଳେ ଚକିତ କରିବ ।”
ଅନୁବାଦ: ଓଡ଼ିଶାଲାଇଭ୍‍
ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍‌ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ