‘‘ମୁଁ କେବଳ ଜଣେ ପନିପରିବା ବେପାରୀ।’’

ଜୟଶଙ୍କର ତିୱାରୀ ଆମ ସହ କଥା ହେବାକୁ ସାମାନ୍ୟ ଦ୍ୱିଧାବୋଧ କରିଥିଲେ। ଆମ ଭଳି ଛାତ୍ରଛାତ୍ରୀଙ୍କ ସହ ନିଜ ଜୀବନ ବିଷୟରେ ସେ କ’ଣ କହିପାରିବେ ତା’କୁ ନେଇ ସେ ନିଶ୍ଚିତ ନଥିଲେ।

‘‘କେବେ କେହି ମୋର ସାକ୍ଷାତକାର ନେଇନାହାନ୍ତି,’’ ସେ କହିଥିଲେ।

ତିୱାରୀ ଜଣେ ଭୂମିହୀନ ଏବଂ କେବଳ ଯାହା ସେ ପରିବା ବିକ୍ରିରୁ ରୋଜଗାର କରିଥାନ୍ତି। ତାଙ୍କ ଘର ରିମୁଳିରେ, ପରିବା ବିକ୍ରି କରିବା ଲାଗି ସେ କଳମଙ୍ଗା  ବ୍ୟତୀତ ଜୁରୁଡ଼ି, କୋଇଡ଼ା, ସାନିନ୍ଦିପୁର ଏବଂ କାଲଟା ବଜାରକୁ ଯାଇଥାନ୍ତି। ଗତ ୧୫ ବର୍ଷ ଧରି ସେ ଏହି କାମ କରି ଆସୁଛନ୍ତି। ଗୋଟିଏ ଦିନ ସେ ହାଟରେ ବେପାର କଲେ ୧,୦୦୦ ଟଙ୍କା ରୋଜଗାର କରିଥାନ୍ତି।

ଗାଡ଼ିରେ ପରିବା ବୋହି ସେ ପାଖାପାଖି ୬୦ କିଲୋମିଟର ରାସ୍ତା ଅତିକ୍ରମ କରିଥାନ୍ତି। ଏ ସମ୍ପର୍କରେ ସେ କହିଥିଲେ ଯେ, ‘‘ଖାଲଢିପ ରାସ୍ତା ଯୋଗୁ ମୁଁ ନେଇ ଆସୁଥିବା ପରିବା ଅଧିକାଂଶ ସମୟରେ ଚାପି ହୋଇ ନଷ୍ଟ ହୋଇଯାଏ।’’ ଖରାପ ହୋଇଯାଇଥିବା ପରିବା ବିକ୍ରି ହୋଇପାରିବ ନାହିଁ। ତଥାପି କଳମଙ୍ଗାକୁ ବହୁ ସଂଖ୍ୟାରେ ଗ୍ରାହକ ଆସୁଥିବାରୁ ସେ ଟମାଟୋ, କାକୁଡ଼ି, ବାଇଗଣ, ଫୁଲକୋବି, ବନ୍ଧାକୋବି ଓ ଅନ୍ୟାନ୍ୟ ପରିବା ବିକ୍ରି କରିବା ଲାଗି ନେଇ ଆସିଥାନ୍ତି।

ଏଠାରେ ଥିବା କଳମଙ୍ଗା  ହାଟକୁ, ୨୦ରୁ ଅଧିକ ଗାଁର ଲୋକମାନେ ଆସିଥାନ୍ତି। ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକର ଏହି ଗ୍ରାମରେ ସପ୍ତାହର ପ୍ରତି ମଙ୍ଗଳବାର ଅନୁଷ୍ଠିତ ହେଉଥିବା କଳମଙ୍ଗା  ହାଟକୁ କୋଇଡ଼ା ଏବଂ ଗଣୁଆରୁ ଲୋକମାନେ ଆସିଥାନ୍ତି, ଯାହାକି ଏଠାରୁ ୧୩-୧୫ କିମିଲୋମିଟର ଦୂରରେ ରହିଛି। ଏଠାରୁ ୪୦ କିଲୋମିଟର ଦୂରରେ ଥିବା ଯୋଡ଼ା ଏବଂ ୬୦ କିଲୋମିଟର ଦୂରରେ ଥିବା ରିମୁଳିରୁ କିଛି ଲୋକ ମଧ୍ୟ ଏ ହାଟକୁ କିଣାବିକା କରିବା ଲାଗି ଆସନ୍ତି। ଅପରାହ୍ଣ ୨ଟାରେ ଖୋଲୁଥିବା ହାଟକୁ ଲୋକମାନେ ସାଇକେଲ, ମୋଟର ବାଇକ ଓ ବସରେ ଆସିଥାନ୍ତି।

ସାଧାରଣତଃ ୫୦-୬୦ଟି ଦୋକାନ ଚାଲୁଥିବା ବେଳେ ପର୍ବପର୍ବାଣୀ ସମୟରେ ଦୋକାନ ସଂଖ୍ୟା ୭୦କୁ ବୃଦ୍ଧି ପାଏ। ବର୍ଷ ଆରମ୍ଭରୁ ମୁଣ୍ଡା ଆଦିବାସୀ ସମୁଦାୟ ପାଳନ କରୁଥିବା ମକର ସଂକ୍ରାନ୍ତି, ମାଘ ପର୍ବ ସମୟରେ ହାଟରେ ଭିଡ଼ ବଢ଼ିଥାଏ। ଭୂୟାଁ ଆଦିବାସୀ ସମୁଦାୟ ଏବଂ ଅନ୍ୟମାନେ ନଭେମ୍ବର-ଡିସେମ୍ବର ମାସରେ ପାଳନ କରୁଥିବା ଠାକୁରାଣୀ ଓଷା ସମୟରେ କଳମଙ୍ଗା  ହାଟରେ ମାଟି ମୂର୍ତ୍ତି ବିକ୍ରି ହୋଇଥାଏ। 

ଚେନ୍‌, ବ୍ୟାଗ୍, ସ୍ୱେଟର ଏବଂ ଅନ୍ୟାନ୍ୟ ସାମଗ୍ରୀ ମରାମତି ପାଇଁ ଡାକବାଜି ଯନ୍ତ୍ରରେ ସୂଚନା ଦିଆଯାଉଥିଲା। ଏହା ଥିଲା ଅମରନାଥ ସାହାଙ୍କ ସ୍ୱର ଯିଏକି ଲହୁଣୀପଡ଼ା ବ୍ଲକର ସୁଖପାଲି ଗାଁରେ ରହିଥାନ୍ତି। ସେ ସବୁ ଆକାରର ଚେନ୍‌ ମରାମତି କରିଥାନ୍ତି ଏବଂ ଗୋଟିଏ ଚେନ୍‌ ସଜାଡ଼ିବାକୁ ୪୦ଟଙ୍କା ନିଅନ୍ତି। ସେ ମୂଳତଃ ବିହାର ବାସିନ୍ଦା ହୋଇଥିବା ବେଳେ ଦଶ ବର୍ଷ ପୂର୍ବରୁ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାକୁ ଚାଲି ଆସିଥିଲେ।

୫୫ ବର୍ଷୀୟ ସାହା ଆମକୁ କହିଥିଲେ ଯେ, ‘‘ବୁଢ଼ା ହୋଇଯାଇଥିବାରୁ ବଡ଼ ପାଟିରେ ଡାକି ପାରୁନାହିଁ, ତେଣୁ ମାଇକ୍‌ ବ୍ୟବହାର କରୁଛି।’’ ହାଟରେ ନିଜ ଦୋକାନରେ ସେ ଷ୍ଟେସନାରୀ ସାମଗ୍ରୀ ମଧ୍ୟ ବିକ୍ରି କରନ୍ତି। ଆମେ ସ୍କୁଲ ଛାତ୍ରଛାତ୍ରୀ ହୋଇଥିବାରୁ ସେ କିପରି ଭାବେ ଅଷ୍ଟମ ଶ୍ରେଣୀରୁ ପାଠପଢ଼ା ଛାଡ଼ି କିଛିଦିନ ପାଇଁ ରିକ୍ସା ଚଳାଇଥିଲେ ସେ ସମ୍ପର୍କରେ ଆମକୁ କହିଥିଲେ। ଏହି ବ୍ୟବସାୟ ଆରମ୍ଭ କରିବା ଲାଗି କିଛି ଟଙ୍କା ସଞ୍ଚୟ କରିବା ନିମନ୍ତେ କିଛିଦିନ ସେ ଦିନ ମଜୁରିଆ ଭାବେ କାମ କରିଥିଲେ। ତାଙ୍କର ଏକ ଫେସବୁକ ଆକାଉଣ୍ଟ ମଧ୍ୟ ରହିଛି।  ବିହାରରେ ଥିବା ନିଜ ବନ୍ଧୁମାନଙ୍କ ସହ ଯୋଗାଯୋଗ କରିବା ଲାଗି ସେ ଏହାକୁ ମୁଖ୍ୟତଃ ବ୍ୟବହାର କରିଥାନ୍ତି ।

ଯବନୀ ଦେହୁରୀ ନିଜେ ଚାଷ କରୁଥିବା ପନିପରିବା ଆଣି ହାଟରେ ବିକ୍ରି କରୁଛନ୍ତି। ୬୫ ବର୍ଷୀୟା ଯବନୀ ଏହି ରୋଜଗାର ଟଙ୍କାରେ ତାଙ୍କ ପରିବାର ପୋଷିଥାନ୍ତି। ଗତ ୨୦-୨୫ ବର୍ଷ ଧରି ସେ ଏହି କାମ କରି ଆସୁଛନ୍ତି। ‘‘ମୁଁ’ ଏବେ ବୁଢ଼ି ହୋଇଗଲିଣି ସେଥିପାଇଁ କେବଳ ଏ ହାଟକୁ ଆସୁଛି,’’ ସେ କହିଥିଲେ।

କଳମଙ୍ଗାରେ ସବୁଜ ପନିପରିବା ପାଇବା କଷ୍ଟକର ବୋଲି ପରିବା ବିକ୍ରେତାମାନେ କୁହନ୍ତି। ଏଠାରେ ଥିବା ଲୁହା ପଥର ଓ ମାଙ୍ଗାନିଜ ଖଣି କାରଣରୁ ବାୟୁମଣ୍ଡଳରେ ଲାଲ ଧୂଳି ଉଡ଼ିଥାଏ ଏବଂ ସ୍ଥାନୀୟ ଅଞ୍ଚଳରେ ଥିବା ଗଛ ଉପରେ ଜମିଯାଏ।

ସୁମତୀ ବେହେରା କୁହନ୍ତି ଯେ, ତାଙ୍କ ଘର ଚାରିପାଖରେ ଖଣି କାମ ଯୋଗୁଁ ପ୍ରବଳ ଧୂଳି ଉଡ଼ୁଥିବା କାରଣରୁ ସେ ତାଙ୍କ ଜମିରେ ଚାଷ କରିପାରୁନାହାନ୍ତି।ହାଟରେ ନିଜର ଝାଲମୁଢ଼ି ଦୋକାନକୁ ଦେଖାଇ ସେ ଆମକୁ କହିଥିଲେ ଯେ, ‘‘ପନିପରିବା ବିକି ମୁଁ ଟଙ୍କା ରୋଜଗାର କରିପାରୁନାହିଁ, ତେଣୁ ଏ କାମ କରୁଛି।’’ ମୁଢ଼ି, ବୁଟ ଭଜା, ବାଦାମ ଏବଂ କଟା ପିଆଜକୁ ସୋରିଷ ତେଲରେ ଗୋଳାଇ ସେ ଏହି ଜଳଖିଆ ପ୍ରସ୍ତୁତ କରିଥାନ୍ତି। ସୁମତୀ ମଧ୍ୟ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ସାନିନ୍ଦପୁର ଓ ବରପଦା ହାଟକୁ ଯାଇ ଏହା ବିକ୍ରି କରିଥାଆନ୍ତି।

ଆଉ ଜଣେ ବିକ୍ରେତା, ବିଦେଶୀ ପଟୁଆରୀ, ଏଠାରେ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଚେରମୂଳୀ ବିକ୍ରି କରି ଆସୁଛନ୍ତି।‘‘ମୋ ବାପା ଏବଂ ଜେଜେବାପା ସମସ୍ତେ ଏହି ଜୀବିକା ଅର୍ଜ୍ଜନ କରୁଥିଲେ,’’ ସେ କହିଥିଲେ।ଜ୍ୱର, ସର୍ଦ୍ଦି ଏବଂ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟାର ଚିକିତ୍ସା ଲାଗି ନିଜର ଏହି ଔଷଧ ବିକ୍ରି କରିବା ଲାଗି ସେ ଗୁଆଳି ଏବଂ କୋଇଡ଼ା ବଜାରକୁ ଯାଇଥାନ୍ତି।

ବର୍ଷା ଦିନେ, କେବଳ ସ୍ଥାନୀୟ ଲୋକମାନେ କଳମଙ୍ଗା  ହାଟକୁ କିଣାକିଣି କରିବା ଲାଗି ଆସନ୍ତି। ବର୍ଷା ହେବା ପରେ ରାସ୍ତା ଯାତାୟାତ ଅନୁପଯୋଗୀ ହୋଇପଡ଼ିଥାଏ, ଖଣିରୁ ସାମଗ୍ରୀ ବୋହି ଆଣୁଥିବା ଟ୍ରକ ଅଧିକାଂଶ ସମୟରେ ରାସ୍ତାରେ ଫସି ଯାଏ ଏବଂ ଟ୍ରାଫିକ ଜାମ୍‌ ସୃଷ୍ଟି କରିଥାଏ। ତେଣୁ କେବଳ ୫-୬ କିଲୋମିଟର ଦୂରରେ ରହୁଥିବା ଲୋକମାନେ ସାଇକେଲ, ମୋଟରସାଇକେଲ କିମ୍ବା ଚାଲି ଚାଲି ହାଟକୁ ଆସିଥାନ୍ତି।

ମୁଣ୍ଡା ସମ୍ପ୍ରଦାୟର ମଞ୍ଜୁ ମୁଣ୍ଡା ମୁଲିକା, କରଡ଼ି (ବାଉଁଶରେ ତିଆରି) ଏବଂ ଝାଡ଼ୁ ବିକ୍ରି କରିଥାନ୍ତି।ମୁଲିକା(ଏହାକୁ ରାନୁ ମଧ୍ୟ କୁହାଯାଏ) ଏପରି ଏକ ମୂଳ ଯାହା ହାଣ୍ଡିଆ (ଭାତରେ ପ୍ରସ୍ତୁତ ମଦ) ତିଆରି ପାଇଁ ବ୍ୟବହୃତ ହୋଇଥାଏ।  ଏହାକୁ ବାଟି ପାଣିରେ ମିଶାଇ ଏକ ପ୍ରଲେପ ତିଆରି କରାଯାଇଥାଏ, ଯାହାକି ଗଳା ଫୁଲା ଓ ଦରଜ ଉପଶମ ପାଇଁ ବ୍ୟବହାର କରାଯାଏ।

ରିମୁଳି ବାସିନ୍ଦା ୪୫ ବର୍ଷ ବୟସ୍କ ରାଧାକାନ୍ତ ଗିରି ବତକ ଓ ମାଈ କୁକୁଡ଼ା ବିକ୍ରି କରିଥାନ୍ତି। ଏକ ଭ୍ୟାନରେ ସେ ୬୦ କିଲୋମିଟର ଦୂର ଯାତ୍ରା କରି ଆସିଥାନ୍ତି। ଏଥିପାଇଁ ତାଙ୍କୁ ୧୦୦-୧୫୦ ଟଙ୍କା ଖର୍ଚ୍ଚ ପଡ଼ିଥାଏ। ସେଦିନ ରାତିରେ ଫେରି ପାରୁନଥିବାରୁ ସେ କୋଇଡ଼ାରେ ହିଁ ରହି ଯାଆନ୍ତି।

ହାରାହାରୀ, ଗୋଟିଏ ମାଈ କିମ୍ବା ଅଣ୍ଡିରା କୁକୁଡ଼ା ୬୦୦ ଟଙ୍କା ଏବଂ ବତକ ୪୦୦ ଟଙ୍କାରେ ବିକ୍ରି ହୋଇଥାଏ।

କୋଇଡ଼ାର ଭବନ ଦାସ  ବିଭିନ୍ନ ପ୍ରକାରର ତମାଖୁ ବିକ୍ରି କରିଥାନ୍ତି। ଯେକୌଣସି ସମୟରେ ୧୦ରୁ ୧୫ କିଲୋଗ୍ରାମ ତମାଖୁ ଧରି ଏହି ୪୨ ବର୍ଷୀୟ ବ୍ୟକ୍ତି ଜଣଙ୍କ କୋଇଡ଼ା, ଜାମୁଡିହି, କାଲଟା, ରୁଗୁଡ଼ି, କଳମଙ୍ଗା ହାଟକୁ ବିକ୍ରି ଲାଗି ଯାଇଥାନ୍ତି।

ସେ ଝାଡ଼ଖଣ୍ଡ ଓ ବିହାରରୁ ତମାଖୁମଗେଇ ଆଣିଥାନ୍ତି। ଗ୍ରାହକମାନେ ସାଧାରଣତଃ ସେମାନଙ୍କର ପାପୁଲି ଓ ବୁଢ଼ା ଆଙ୍ଗୁଠିରେ ତମାଖୁ ଓ ଚୂନ ଦଳି ଖାଇଥାନ୍ତି। କିଛି ଲୋକ ଏଥିରେ ଅଳ୍ପ କେଇ ବୁନ୍ଦା ପାଣି ମିଶାଇ ଚୋବାଇଥାନ୍ତି।

ଭବନ ଦାସ ବିଭିନ୍ନ ପ୍ରକାର ତମାଖୁ ବିକ୍ରି କରିଥାନ୍ତି । ନିଜ ସହ ସାଧାରଣତଃ ସେ ୧୦-୧୫ କିଲୋଗ୍ରାମ ତମାଖୁ ନେଇ ଆସିଥାନ୍ତି । ସୁରୁବାଲି ମୁଣ୍ଡା ଉଠାଇଥିବା ଫଟୋ

ଭବନ ଦାସଙ୍କର ଛଅ ଜଣ ପିଲାଙ୍କ ମଧ୍ୟରୁ କେହି ଜଣେ ହେଲେ ଏ କାମ ନକରନ୍ତୁ ବୋଲି ସେ ଚାହାନ୍ତି। ‘‘ମୋ ପିଲାମାନେ ମୋ ଭଳି ସମାନ ରାସ୍ତାରେ ଯାଆନ୍ତୁ ବୋଲି ମୁଁ ଚାହୁଁନାହିଁ। ମୁଁ ଯାହା ବିକ୍ରି କରୁଛି, ତା’କୁ ନେଇ ମୁଁ କେବେ ଗର୍ବ କରିପାରିବି ନାହିଁ। ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ବିଷୟରେ ମଧ୍ୟ ମୁଁ ଅବଗତ ଅଛି। କିନ୍ତୁ ମୋ ପରିବାର ଚଳାଇବା ପାଇଁ ମୋତେ ବାଧ୍ୟ ହୋଇ ଏ କାମ କରିବାକୁ ପଡ଼ୁଛି,’’ ସେ କହିଥିଲେ। ସେ ମଧ୍ୟ ଆମକୁ ତମାଖୁ ନଖାଇବା ଲାଗି ସତର୍କ କରାଇ ଦେଇଥିଲେ।

ଏହି ଲେଖା ପାଇଁ ରିପୋର୍ଟ ସଂଗ୍ରହ କରିଥିବା ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଣ-ସରକାରୀ ସଂଗଠନ ଆସ୍ପାୟାର (ଏ ସୋସାଇଟି ଫର ପ୍ରମୋସନ ଅଫ ଇନକ୍ଲୁସିଭ୍‌ ଏଣ୍ଡ ରିଲେଭାଣ୍ଟ ଏଜୁକେସନ) ଏବଂ ଟାଟା ଷ୍ଟିଲ ଫାଉଣ୍ଡେସନର ଥାଉଜାଣ୍ଡ ସ୍କୁଲ ପ୍ରୋଜେକ୍ଟର ଅଧ୍ୟୟନ ପରିବର୍ଦ୍ଧନ କାର୍ଯ୍ୟକ୍ରମର ଅଂଶବିଶେଷ ଅଟନ୍ତି । ନିଜ ଆଖପାଖ ପରିବେଶ ଅଧ୍ୟୟନ ସମ୍ପର୍କରେ ଜାଣିବା ଲାଗି ପ୍ରକଳ୍ପର ଅଂଶବିଶେଷ ଭାବେ ସେମାନେ କାହାଣୀ ପ୍ରସ୍ତୁତ କରିଛନ୍ତି ।

ଏହି ଲେଖା ପ୍ରସ୍ତୁତିରେ ସହଯୋଗ ପାଇଁ ପରୀ ଏଜୁକେସନ ଟିମ୍‌ ପକ୍ଷରୁ ଲଭଲୀ ନିଗମ ଏବ ସ୍ମିତା ଅଗ୍ରୱାଲଙ୍କୁ ହାର୍ଦ୍ଦିକ ଧନ୍ୟବାଦ ଜ୍ଞାପନ କରାଯାଉଛି ।

ପରୀ ହୋମପେଜକୁ ଫେରିବା ଲାଗି ଏଠାରେ କ୍ଲିକ୍‌ କରନ୍ତୁ

Editor's note

ସୁରୁବାଲି ମୁଣ୍ଡା, ପୂଜା ମୁଣ୍ଡା, ଆଲମୁନୀ ସାଣ୍ଡିଲ ଏବଂ ସରସ୍ୱତୀ ସୁଲାଙ୍କି ପଞ୍ଚମ, ସପ୍ତମ ଏବଂ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ନ୍ତି। ସେମାନେ କୁହନ୍ତି ଯେ ସାକ୍ଷାତ ନେବାର ପ୍ରକ୍ରିୟା ସେମାନଙ୍କୁ ଅପରିଚିତ ଲୋକଙ୍କ ସହ କଥା ହେବା ଲାଗି ଆତ୍ମବିଶ୍ୱାସ ପ୍ରଦାନ କରିଥିଲା।

ହାଟକୁ ଯିବା ଫଳରେ ସେଠାରେ ପଡ଼ିଥିବା ଆବର୍ଜନା ଏବଂ ପ୍ରଦୂଷଣକୁ ସେମାନେ ଦେଖିପାରିଥିଲେ। ଏହାପରେ ସେମାନେ ପ୍ରୋଜେକ୍ଟ ଡଷ୍ଟବିନ କାର୍ଯ୍ୟକାରୀ କରିବା ଲାଗି ପୁଣିଥରେ ସେଠାକୁ ଯାଇଥିଲେ। ଏହି ଅଭିଯାନ ଅଧୀନରେ ସେମାନେ କ୍ରେତା ଓ ବିକ୍ରେତାମାନଙ୍କୁ ନିଜ ଆଖପାଖ ଅଞ୍ଚଳ ସଫା ରଖିବା ପାଇଁ ସଚେତନ କରାଇଥିଲେ। ଏହାର ପ୍ରଗତି ଅନୁଧ୍ୟାନ କରିବା ଲାଗି ଗୋଟିଏ ସପ୍ତାହ ପରେ ସେମାନେ ଆଉ ଥରେ ଯାଇଥିଲେ।

ଅନୁଷ୍କା ରାୟ ପରୀ ଏଜୁକେସନରେ ଜଣେ ପ୍ରଶିକ୍ଷାର୍ଥୀ ଭାବେ କାର୍ଯ୍ୟରତ ଅଛନ୍ତି ଏହି ଲେଖା ପ୍ରସ୍ତୁତ କରିବା ଲାଗି ସେ ରିପୋର୍ଟରମାନଙ୍କ ସହିତ ନିବିଡ଼ ଭାବେ କାର୍ଯ୍ୟ କରିଥିଲେ ।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।