
ଏ କାହାଣୀ ମୂଳତଃ ବଙ୍ଗଳା ଭାଷାରେ ରିପୋର୍ଟ ସଂଗ୍ରହ କରି ଲେଖାଯାଇଛି । ପରୀ ଏଜୁକେସନ ଭାରତରେ ଛାତ୍ରଛାତ୍ରୀ, ଗବେଷକ, ଶିକ୍ଷାବିତଙ୍କ ସହିତ କାର୍ଯ୍ୟ କରିଥାଏ ଯେଉଁମାନେ ନିଜ ପସନ୍ଦର ଭାଷାରେ ଆମ ପାଇଁ ଲେଖିଥାନ୍ତି, ବର୍ଣ୍ଣନା କରିଥାନ୍ତି ଏବଂ ରିପୋର୍ଟ କରିଥାନ୍ତି ।
‘‘ସାଧାରଣତଃ ଆମେ ଶୀତ ଦିନେ ବୁଣାବୁଣି କରିଥାଉ। ସକାଳୁ ସକାଳୁ ପତ୍ର ସଫା ଏବଂ ସତେଜ ରହିଥାଏ,’’ ଦେବୀ ମଲିକ କୁହନ୍ତି। ‘‘ଖରା ଦିନେ, ଅତ୍ୟଧିକ ଗରମ ଓ ଧୂଳି କାରଣରୁ ପତ୍ରଗୁଡ଼ିକ ଧୂସର ଏବଂ କଳା ପଡ଼ି ଯାଇଥାଏ ଏବଂ ଏଥିରୁ ରକ୍ଷା ପାଇବା ପାଇଁ ଆମେ ଶୀଘ୍ର ଶୀଘ୍ର ପତ୍ର ନେଇ ଆସିଥାଉ।’’
ସେ ଚଟାଣ ଉପରେ ବସିଥିଲେ, ଚାରି ପାଖରେଖଜୁରପତା (ଖଜୁରୀ ପତ୍ର) ଖେଳାଇ ହୋଇ ପଡ଼ିଥିଲା, ଯେଉଁଥିରେ ଚଟେଇ ବୁଣା ହେଉଥିଲା। ସେ ମୋତେ କହିଥିଲେ, ‘‘ମୋତେ କେହି ଶିଖାଇ ନାହାନ୍ତି । ମୋ ମା’ ଓ ଜେଜେ ମା’ଙ୍କୁ ଦେଖି ମୁଁ ସବୁକିଛି ଶିଖିଛି।’’


୬୫ ବର୍ଷୀୟା ଦେବୀ ମଲ୍ଲିକଙ୍କ ଭଳି ମହିଳା ବୁଣାକାରମାନେ, ଏବେ ସୁଦ୍ଧା ନଡ଼ିଆ କତା ଓ ଖଜୁରି ପତ୍ରରେ ଛୋଟ ଓ ବଡ଼ ଚଟେଇ ବୁଣିଥାନ୍ତି, ଯାହାକି ସେମାନଙ୍କ ଘରେ ବ୍ୟବହାର କରାଯାଇଥାଏ । କୋଲକାତା ସହରର ପୂର୍ବରେ ଥିବା ଆର୍ଦ୍ରଭୂମି ସୁନ୍ଦରବନ ନିକଟବର୍ତ୍ତୀ ଅଞ୍ଚଳରେ ସେ ରୁହନ୍ତି, ଏହି ସ୍ଥାନ ନଡ଼ିଆ ଓ ଖଜୁରି ଗଛରେ ଭର୍ତ୍ତି ହୋଇ ରହିଛି । ୧୨,୫୦୦ ହେକ୍ଟର ପରିମିତ ଏହି ଅଞ୍ଚଳ ଚାରି ପାଖରେ ପୋଖରୀ ଓ ନିଷ୍କାସିତ ଜଳ ଭର୍ତ୍ତି ଜଳାଶୟ ଘେରି ରହିଛି । ସ୍ଥାନୀୟ ଲୋକମାନେ ଏଠାରେ ମାଛ ଚାଷ କରି ବିକ୍ରି କରିଥାନ୍ତି । ମାଛ ଚାଷୀ, ମତ୍ସ୍ୟଜୀବୀ ଓ ଚାଷୀମାନେ ଏଠାରେ ରହି କାମ କରିଥାନ୍ତି (ଅଧିକ ଜାଣିବା ଲାଗି କୋଲକାତାର ଆର୍ଦ୍ରଭୂମିରେ ଜଣେ ମତ୍ସ୍ୟଜୀବୀ ପଢ଼ନ୍ତୁ).
ଦେବୀ ମଲିକ, ମୋ ଜେଜେ ମା’, ଏବଂ ସଇଁତଲାରେ ଥିବା ଆମ ଘରେ ସେ ବୁଣୁଥିବା ଏବଂ ସିଲେଇ କରୁଥିବା ସମୟରେ ମୁଁ ତାଙ୍କୁ ଦେଖୁଛି । ମୋ ନାଁ ସସ୍ତିକା ମଲିକ ଏବଂ ମୁଁ ପଶ୍ଚିମବଙ୍ଗର ଦକ୍ଷିଣ ଚବିଶ ପ୍ରଗଣା ଜିଲ୍ଲାରେ ରହିଥାଏ । ମୁଁ ଏଠାରେ ମୋ ଜେଜେ ମା’, ମୋ ଜେଜେବାପା ପ୍ରେମାନନ୍ଦ ମଲିକ, ମୋ ବାପା କମଲ ମଲିକ, ମୋ ମା’ ଅସୀମା ମଲିକ ଏବଂ ମୋ ୧୦ ବର୍ଷୀୟା ଭଉଣୀ ସୁଚିତ୍ରା ମଲିକଙ୍କ ସହ ରହିଥାଏ ।
ମୋ ଜେଜେ ବାପା ଓ ଜେଜେ ମା’ ପୂର୍ବରୁ ପରିବା ଓ ଧାନ ଚାଷ କରୁଥିଲେ, କିନ୍ତୁ ସେମାନେ ଏବେ ଆଉ ଚାଷ ଜମିକୁ କାମ କରିବାକୁ ଯାଉନାହାନ୍ତି । ମୋ ବାପା କମଲ ସ୍ଥାନୀୟ ଏକ ମାଛ ନିଲାମ ବଜାରରୁ ମାଛ କିଣିବା ପରେ କୋଲକାତାରେ ବିକ୍ରି କରିଥାନ୍ତି ଏବଂ ସେଥିରୁ ମାସିକ ୭,୦୦୦ ଟଙ୍କା ରୋଜଗାର କରନ୍ତି ।


‘ଠାକୁମା’ , ବୋଲି ମୁଁ ମୋ ଜେଜେମା’ଙ୍କୁ ଡାକିଥାଏ, ସେ ଅନ୍ୟ ହସ୍ତଶିଳ୍ପ କାମ କରିଥାନ୍ତି : କାନ୍ଥାସ (ଏମ୍ବ୍ରୋଡୋରୀ ହୋଇଥିବା ରେଜେଇ) ଏବଂ ଉଲ୍ ତିଆରି ସାମଗ୍ରୀ ସେ ପ୍ରସ୍ତୁତ କରନ୍ତି । ଗାଁର ବହୁ ମହିଳାଙ୍କୁ ସେ ଏହି ହସ୍ତକଳା ଶିଖାଇଛନ୍ତି।
ଯେଉଁଦିନ ମୁଁ ତାଙ୍କ ସହିତ କାମ କରିଥାଏ, ସେଦିନ ମୁଁ ବଡ଼ି ଭୋରରୁ ଉଠେ। ତାଙ୍କ ସହିତ ୬-୧୨ ଫୁଟ ଲମ୍ବା ପତ୍ର ସଂଗ୍ରହ କରିବାକୁ ଯାଇଥାଏ। ଗୋଟିଏ ଗୋଟିଏ ପତ୍ର ମୋ ଠାରୁ ଦୁଇ ଗୁଣା ଡେଙ୍ଗା ହୋଇଥାଏ! ଗୋଟିଏ ପୂର୍ଣ୍ଣ ଆକାରର ଚଟେଇ ତିଆରି କରିବା ଲାଗି ଆମକୁ ପ୍ରାୟ ୪୦ଟି ପତ୍ର ଆବଶ୍ୟକ ହୋଇଥାଏ ।
ଠାକୁମା’ ମୋତେ କହିଥିଲେ, ‘‘ମୁଁ ପତ୍ର କାଟିଥାଏ ଏବଂ ସେଗୁଡ଼ିକୁ ଆଉ ଥରେ ଖରାରେ ଶୁଖାଇଥାଏ (ଛାତ ଉପରେ)। ଚଟେଇ ବୁଣିବା ପାଇଁ ମୁଁ ଶୁଖିଲା ପତ୍ର ବ୍ୟବହାର କରିଥାଏ।’’
ସେ ଶୁଖିଲା ପତ୍ରକୁ ମଝିରୁ କାଟି ଦେବା ପରେ ପ୍ରତ୍ୟେକ ଭାଗକୁ ଖୁବ୍ ଜଟିଳ ପ୍ରକ୍ରିୟାରେ ପରସ୍ପର ସହ ଛନ୍ଦି ଦେଉଥିବା ମୁଁ ଦେଖିଥିଲି । ଖୁବଶୀଘ୍ର ସେ ବୁଣା ହୋଇଥିବା ଚଟେଇର ପଟ୍ଟି ତିଆରି କରିଥିଲେ ଯାହାକି ମୋ ହାତ ପାପୁଲି ଭଳି ଚଉଡ଼ା ଥିଲା । ଠାକୁମା’ କହିଥିଲେ ଯେ, ଏହି ଭିନ୍ନ ଭିନ୍ନ ପଟ୍ଟିକୁ ମୋଟା ଧଳା ସୂତା ଏବଂ ଏକ ବଡ଼ ଛୁଞ୍ଚିରେ ସିଲେଇ କରି ଦିଆଯିବ। ବଳକା ପତ୍ରକୁ ମୋ ଜେଜେ ମା’ ଝାଡ଼ୁ ତିଆରି ପାଇଁ ଉପଯୋଗ କରିଥାନ୍ତି ଯାହାକୁ ଆମେ ଘର ଝାଡ଼ୁ କରିବା ପାଇଁ ବ୍ୟବହାର କରିଥାଉ ।



ସେ କୁହନ୍ତି, ‘‘ଖଜୁରି ଗଛ କମିଯିବା କାରଣରୁ ଭଲ ପତ୍ର ମିଳିବା କଷ୍ଟ ହେଉଛି। ସେଥିପାଇଁ ଏଠାରେ ଏବେ ବୁଣିବା କାମ କମିଯାଇଛି’’। ଖଜୁରି ଗଛ କମିଯିବାକୁ ନେଇ ଦୁଃଖ ପ୍ରକାଶ କରି ସେ କୁହନ୍ତି, ‘‘ଆପଣ ଗଛର ଅନେକ ଜିନିଷ ଉପଯୋଗ କରିପାରିବେ।’’ ସେଥିମଧ୍ୟରୁ ଗୋଟିଏ ହେଉଛି ଅତ୍ୟନ୍ତ କୋମଳ ସୁଗନ୍ଧିତ ଖଜୁରଗୁର (ଗୁଡ଼) ଯାହାକୁ ଶୀତ ଦିନେ ଖଜୁରି ରସରେ ପ୍ରସ୍ତୁତ କରାଯାଇଥାଏ। ସେ କୁହନ୍ତି ଯେ, ପୂର୍ବରୁ ସଇଁତଲାରେ ବହୁ ପରିମାଣରେ ତିଆରି ହେଉଥିବା ଖଜୁରି ରସ ନିଆଁରେ ଫୁଟିବା ସମୟରେ ଗାଁର ସକାଳୁଆ ପବନ ମିଠା ବାସ୍ନାରେ ଭରି ଯାଉଥିଲା।
ନଡ଼ିଆର ଉପରିସ୍ଥ ଖୋଳପାରୁ ପ୍ରସ୍ତୁତ କତାକୁ ନାରକେଲ କୋବ୍ରା କୁହାଯାଏ। ଏଥିରେ ବ୍ରସ, ତାର ଏବଂ ନାରକେଲଡୋରି (ଦଉଡ଼ି) ତିଆରି ହୋଇଥାଏ । ଠାକୁମା’ ଏହାକୁ ଶୀତ ଦିନେ ଗଦି ବାନ୍ଧି ରଖିବା ଏବଂ ଚଟେଇ ବୁଣିବା ଲାଗି ଉପଯୋଗ କରିଥାନ୍ତି । ଏହି ଚଟେଇକୁ ବିଭିନ୍ନ ପ୍ରକାର ଉଦ୍ଦେଶ୍ୟରେ ବ୍ୟବହାର କରାଯାଏ, କିନ୍ତୁ ମୁଖ୍ୟତଃ ଚାଉଳ ଏବଂ ମସୁର ଓ ମୁଗ ଭଳି ଡାଲି ଶୁଖାଇବା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ। ଆମ ଗାଁରେ ଅଧିକାଂଶ ଲୋକ ଏହାକୁ ଖାଇଥାନ୍ତି ।
ଚଟେଇ ବୁଣିବା ଛଡ଼ା, ଠାକୁମା’ ଉଲ୍ରେ ବିଭିନ୍ନ ପ୍ରକାର ହସ୍ତକଳା ସାମଗ୍ରୀ ଏବଂ ଉପକରଣ ବୁଣିଥାନ୍ତି । ସେ ଉଲରେ ସ୍କାର୍ଫ, ଫଳ ଚାଙ୍ଗୁଡ଼ି ଘୋଡ଼ଣୀ, ପୁଲଓଭର, ଟୋପି ଏବଂ ଅନ୍ୟାନ୍ୟ ସାମଗ୍ରୀ ବୁଣିଥାନ୍ତି । କେବେ କେବେ ସେ ଚଟେଇ ବୁଣିବା ପରିବର୍ତ୍ତେ, ଉଲ୍ରେ ବୁଣାବୁଣି କରିଥାନ୍ତି । ‘‘ଲୋକମାନେ କୋଲକାତାରୁ ଏସବୁ ସାମଗ୍ରୀ (ଉଲରେ ତିଆରି ସାମଗ୍ରୀ) କିଣିଥାନ୍ତି ଯାହାକି ଖୁବ ମହଙ୍ଗା ହୋଇଥାଏ । ଆମ ଅଞ୍ଚଳରେ ଏସବୁ ସାମଗ୍ରୀ ବିକ୍ରି କରୁଥିବା ବଡ଼ ଦୋକାନ କିମ୍ବା ବଜାର ନାହିଁ,’’ କାହିଁକି ସେ ଏସବୁ ବୁଣିବା ଆରମ୍ଭ କଲେ ତାହାର କାରଣ ସମ୍ପର୍କରେ ସେ ଯାହା କୁହନ୍ତି ।



ଠାକୁମା ’ କୁହନ୍ତି ଯେ ସ୍ଥାନୀୟ ଅଞ୍ଚଳରେ ହାତବୁଣା ଓ ସିଲେଇ ହୋଇଥିବା ସାମଗ୍ରୀର କୌଣସି ଚାହିଦା ନାହିଁ, ଏବଂ ବୋଧହୁଏ ଏସବୁ ଆଉ ଗାଁ ଦୋକାନରେ ମିଳୁନାହିଁ, ଅନ୍ୟପଟେ ଏସବୁ ସାମଗ୍ରୀ ଏବେ କୋଲକାତାରୁ ବହୁ ପରିମାଣରେ ଆସୁଛି ।
ନିର୍ଦ୍ଦିଷ୍ଟ ସ୍ଥାନରେ ଭିନ୍ନ ଭିନ୍ନ ଦିନରେ ଆୟୋଜିତ ହେଉଥିବା ସ୍ଥାନୀୟ ସାପ୍ତାହିକ ହାଟରେ ସପ୍ତାହକୁ ଦୁଇ ଥର ଏବେ ଚଟେଇଗୁଡ଼ିକ ମିଳୁଛି । ଏଠାରେ ମଧ୍ୟ ବିଶେଷ ଚାହିଦା ନାହିଁ; କେବଳ ମହିଳାମାନେ ଭିନ୍ନ ଭିନ୍ନ ଲୋକଙ୍କ ଘରୁ ବୁଣା ହୋଇଥିବା ଚଟେଇ କିଣୁଛନ୍ତି ଏବଂ କମ୍ ଦରରେ ସେଗୁଡ଼ିକୁ ବିକ୍ରି କରୁଛନ୍ତି ।
ମୋ ଠାକୁମା’ ଆଠ ଭାଇ-ଭଉଣୀଙ୍କ ମଧ୍ୟରୁ ଜଣେ ଥିଲେ । ସେ କୁହନ୍ତି, ‘‘ମୋ ମାତାପିତା ଉଭୟ ବଜାରରେ ମାଛ ବିକ୍ରି କରୁଥିଲେ । ସମୟ ବିତିବା ସହିତ, ସେମାନେ ବୟସ୍କ ହୋଇଗଲେ ଏବଂ ନିୟମିତ ଭାବେ ବଜାରକୁ ଯାଇପାରିଲେ ନାହିଁ ।’’ ବଜାରକୁ ଯାଇ କାମ କରିବା ତାଙ୍କ ମା’ ମଞ୍ଜୁ ପାଞ୍ଜାଙ୍କ ପାଇଁ ଯେତେବେଳେ କଷ୍ଟକର ହୋଇପଡ଼ିଲା, ସବୁଠୁ ବଡ଼ ହୋଇଥିବା କାରଣରୁ ଠାକୁମା’ଙ୍କୁ ଘରୁ ବାହାରକୁ ପାଦ ବଢ଼ାଇବାକୁ ପଡ଼ିଲା । ‘‘ସେତେବେଳେ, ବଜାରରେ ଯାଇ ମାଛ ବିକ୍ରି କରିବା ଲାଗି ମହିଳାମାନଙ୍କୁ ସ୍ୱାଗତ କରାଯାଉଥିଲା । ଏବେ କିନ୍ତୁ ଅନୁମତି ମିଳୁନାହିଁ,’’ ସେ କହିଥାନ୍ତି । ପୂର୍ବରୁ ସେ ନିଜର ମତ୍ସ୍ୟଜୀବୀ ପିତାଙ୍କ ସହିତ ବଜାରକୁ ଯାଇ ଦୈନିକ ମାଛ ବିକ୍ରି କରୁଥିଲେ ।
ତାଙ୍କ ପରିବାର ଗୋଟିଏ ଓଳି ଖାଦ୍ୟ ଯୋଗାଡ଼ କରିବା ପାଇଁ ସଂଘର୍ଷ କରୁଥିଲା । ସେଦିନ କଥା ମନେ ପକାଇ ଜେଜେମା’ କୁହନ୍ତି, ‘‘ଆମେ ମାଛ ବିକ୍ରି କରି ଯୋଗାଡ଼ କରୁଥିବା ଟଙ୍କାରେ ଆମର ପେଟ ପୂରୁଥିଲା, କିନ୍ତୁ ସବୁକିଛି ଏତେ ସହଜ ନଥିଲା’’, ସେ କୁହନ୍ତି । ଦୈନନ୍ଦିନ ଖାଦ୍ୟ ପାଇଁ ସେମାନେ ଶାଗ, ସାପଲା (କଇଁ) ଏବଂ କୋଚୁ (ସାରୁ) ଉପରେ ନିର୍ଭର କରି ଚଳୁଥିଲେ-ଯାହାକି ଆର୍ଦ୍ରଭୂମି ଅଞ୍ଚଳରେ ସହଜରେ ମିଳି ଯାଉଥିଲା।

ମୋ ଜେଜେ ମା’ଙ୍କ ଘର ସୋନାରପୁର ବ୍ଲକ୍ ରଣଭୂତିଆ ଗ୍ରାମରେ । ମୋ ଜେଜେ ବାପା ପ୍ରେମାନନ୍ଦ (ଯାହାଙ୍କୁ ମୁଁ ଠାକୁରଦା ବୋଲି ଡାକିଥାଏ)ଙ୍କୁ ବାହା ହେବା ପରେ ସେ ଖ୍ୟେଦା ଗ୍ରାମ ପଞ୍ଚାୟତ ସଇଁତଲା ଗାଁକୁ ଚାଲି ଆସିଥିଲେ। ଏହା ୪୦ ବର୍ଷ ତଳର କଥା । ଏଠାକୁ ଆସିବାର ପରବର୍ତ୍ତୀ ସମୟ କଥା ମନେ ପକାଇ ସେ କୁହନ୍ତି, ‘‘ମୋ ସାଙ୍ଗମାନେ ମୋଠାରୁ ବୁଣିବା କାମ ଶିଖିବାକୁ ଚାହିଁଥିଲେ । ଆମେ ଚଟେଇ ଓ ଆସନ ବୁଣୁଥିଲୁ ଏବଂ ସେଗୁଡ଼ିକୁ ଆମ ଘରେ ବ୍ୟବହାର କରୁଥିଲୁ।’’ ପୁରୁଣା, ଚିରା ଶାଢ଼ି ବ୍ୟବହାର କରି ଏହି ଚଟେଇକୁ ହାତରେ ସିଲେଇ କରାଯାଉଥିଲା।
‘‘ସଜେଇବା ପାଇଁ ଏସବୁ ଆସନରେ ଆମେ କାନ୍ଥା (ଏକପ୍ରକାରର ଏମ୍ବ୍ରୋଡୋରୀ) ତିଆରି କରୁଥିଲୁ । ବେଳେ ବେଳେ, ଏହାକୁ ରଙ୍ଗୀନ କରିବା ଲାଗି ଆମେ ପୁରୁଣା ଶାଢ଼ିର ପାଢ଼ି ଉପଯୋଗ କରୁଥିଲୁ,’’ ସେ କୁହନ୍ତି । ଠାକୁମା’ ଏବେବି ଛୋଟ ଆକାରର ବସିବା ଚଟେଇ ଏବଂ ଏମ୍ବ୍ରୋଡୋରୀ ହୋଇଥିବା ରୁମାଲ ବୁଣିଥାନ୍ତି ।
‘‘ଲୋକମାନେ ମୋ କାରିଗରୀ ଦେଖି ସେଗୁଡ଼ିକୁ (ମୁଁ ତିଆରି କରିଥିବା ସାମଗ୍ରୀ) କିଣିବା ପାଇଁ ପ୍ରସ୍ତାବ ଦେଇଥାନ୍ତି କିନ୍ତୁ ମୁଁ କେବେ ଟଙ୍କା ମାଗିନଥାଏ,’’ ସେ କୁହନ୍ତି । ଏହାକୁ ଏକ ବ୍ୟବସାୟ ଭାବେ କେବେବି ଗ୍ରହଣ କରିନଥିବା ସେ ସ୍ପଷ୍ଟ ଭାବେ କୁହନ୍ତି । ତେବେ, ଏସବୁ ସାମଗ୍ରୀ ବିକ୍ରିରୁ ଆୟ ଅର୍ଥ ତାଙ୍କ ଘର ଖର୍ଚ୍ଚ ତୁଲାଇବାରେ ସହାୟକ ହୋଇଥାଏ।
ଠାକୁମା’ ଙ୍କର କହିବା କଥା ହେଲା ଏହି କାରିଗରୀ ଶିଖିବା ଅତ୍ୟନ୍ତ ଉପଯୋଗୀ ହୋଇଥାଏ ଏବଂ ଏହା ଦ୍ୱାରା ଏପରି ଏକ ହସ୍ତକଳା ତିଷ୍ଠି ରହିପାରିବ ।
ଦ ଡିସାପିୟରିଂ ଡାୟଲଗ୍ସ କଲେକ୍ଟିଭ (dD) କଳା ଓ ସଂସ୍କୃତିକୁ ଉପଯୋଗ କରି ଅଭାବ ଦୂର କରିବା, ଆଲୋଚନା ଆରମ୍ଭ କରିବା ଏବଂ ନୂଆ ଧାରଣା ସୃଷ୍ଟି କରିବା ଲାଗି ବିଭିନ୍ନ ସମୁଦାୟଙ୍କୁ ନେଇ ଏବଂ ସେମାନଙ୍କ ମଧ୍ୟରେ କାମ କରିଥାଏ । ବର୍ତ୍ତମାନର ଐତିହ୍ୟ, ସଂସ୍କୃତି ଓ ପରିବେଶର ସଂରକ୍ଷଣ ପାଇଁ ମୂଲ୍ୟବାନ ଯୋଗଦାନ ଦେବା ଓ ସହାୟତା କରିବା ଲାଗି ଏପରି ଏକ ପ୍ରୟାସ କରାଯାଉଛି ।
ଏହି ସ୍ତମ୍ଭଟି ହେଉଛି ଜୋଲ-ଏ-ଭୂମିରଗଲପୋ ଓ କଥା। ଆର୍ଦ୍ର ଭୂମିର କାହାଣୀଗୁଡ଼ିକର ଏକ ସଂକଳନ । ଏହା ଇଣ୍ଡିଆ ଫାଉଣ୍ଡେସନ ଫର ଦ ଆର୍ଟସ ଦ୍ୱାରା ସେମାନଙ୍କର ଅଭିଲେଖାଗାର ଏବଂ ସଂଗ୍ରହାଳୟ କାର୍ଯ୍ୟକ୍ରମ ଅଧୀନରେ ପିପୁଲ୍ସ ଆର୍କାଇଭ ଅଫ୍ ରୁରାଲ ଇଣ୍ଡିଆ ସହଯୋଗରେ କାର୍ଯ୍ୟକାରୀ କରାଯାଉଥିବା ଏକ ପ୍ରକଳ୍ପ । ନୂଆଦିଲ୍ଲୀର ଗୋଏଥେ-ଇନଷ୍ଟିଚ୍ୟୁଟ୍/ମ୍ୟାକ୍ସମୁଲର ଭବନର ଆଂଶିକ ସହଯୋଗରେ ଏହା ସମ୍ଭବ ହୋଇପାରିଛି ।
Editor's note
ସସ୍ତିକା ମଲିକ ହେଉଛନ୍ତି ପଶ୍ଚିମବଙ୍ଗର ଖ୍ୟେଦା ଉଚ୍ଚ ବିଦ୍ୟାଳୟରେ ପଢ଼ୁଥିବା ଦଶମ ଶ୍ରେଣୀର ଛାତ୍ରୀ। ନିଜ ଜେଜେମା’ଙ୍କଠାରୁ ବୁଣା କାରିଗରୀ ଶିଖିବାରେ ତାଙ୍କର ଆଗ୍ରହ ରହିଛି । ସେ କୁହନ୍ତି, ‘‘ମୋ ଠାକୁମା’ଙ୍କ କାମ ଏବଂ ପ୍ରକୃତି ଓ ମୋ ଚାରି ପାଖ ସହିତ ଏହି କାରିଗରୀର ସମ୍ପର୍କକୁ ଅନ୍ୟମାନଙ୍କୁ ବାଣ୍ଟିବା ବେଶ ରୋଚକ ହୋଇଥାଏ ।’’ଅନୁବାଦ: ଓଡ଼ିଶାଲାଇଭ୍
ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।