‘‘ମହିଳାମାନେ ମୋତେ କହିଥିଲେ ଯେ ସେମାନେ ଗୀତ ଗାଇବା ସମୟରେ ପରିଚାଳନା କର୍ତ୍ତୃପକ୍ଷ କିଭଳି ଭାବେ ଗୁରୁଦ୍ୱାରା ର ମାଇକ୍‌କୁ ବନ୍ଦ କରି ଦେଉଥିଲେ । ସେମାନଙ୍କର ଢୋଲକୀ (ଦୁଇ ପଟରୁ ବାଜୁଥିବା ବାଜା) ପରିସର ବାହାରେ ରଖାଯାଉଥିଲା,’’ ଗୁରଦାସପୁର ଜିଲ୍ଲାର କାହ୍ନୁୱାନରୁ ଆସିବା ପରେ ୪୧ ବର୍ଷ ଧରି ଦିଲ୍ଲୀରେ ରହି ଆସୁଥିବା ନରିନ୍ଦର କୌର କୁହନ୍ତି।

ଏହି ୬୩ ବର୍ଷୀୟା ମହିଳା ଜଣଙ୍କ ନୂଆଦିଲ୍ଲୀରେ ଜଣେ ସମ୍ମାନିତ କୀର୍ତ୍ତନିୟା ଭାବେ ପରିଚିତ। ସେ ଶିଖ୍‌ମାନଙ୍କ ପାଇଁ ପବିତ୍ର ଗ୍ରନ୍ଥ – ଗୁରୁ ଗ୍ରନ୍ଥ ସାହିବରୁ ଧାର୍ମିକ ସଙ୍ଗୀତ ଗାଇଥାନ୍ତି ଏବଂ ଅନ୍ୟ ଶିଖ୍‌ ମହିଳାମାନଙ୍କୁ ଶିଖାଇଥାନ୍ତି। ଏହି ସଙ୍ଗୀତକୁ ଶବ୍ଦ କୀର୍ତ୍ତନ କୁହାଯାଏ ଏବଂ ଏହାକୁ ଗୁରୁଦ୍ୱାର ଭିତରେ ଏବଂ ଚାରିପାଖରେ ବୋଲାଯାଇଥାଏ।

ନିଜର ପାରଦର୍ଶିତା ସତ୍ତ୍ୱେ, କୌର କୁହନ୍ତି ଯେ ଅନ୍ୟ ଶିଖ୍‌ ମହିଳାମାନଙ୍କ ଭଳି ତାଙ୍କୁ ମଧ୍ୟ ଶିଖ୍‌ ଧାର୍ମିକ ସ୍ଥଳୀରେ ନିଜର ସଙ୍ଗୀତ ପରିବେଷଣ କରିବାର ମାନ୍ୟତା ପାଇବା ଲାଗି ଅନେକ ସଂଘର୍ଷ କରିବାକୁ ପଡ଼ିଛି।

ଦିଲ୍ଲୀ ଶିଖ୍‌ଗୁରୁଦ୍ୱାରା ପରିଚାଳନା ସମିତି ଦ୍ୱାରା ପରିଚାଳିତ ଗୁରୁଦ୍ୱାରାଗୁଡ଼ିକରେ କେଉଁମାନେ ଗୀତ ଗାଇବେ, ସମବେତ ସଙ୍ଗୀତ ଉପକରଣ ବଜାଇବେ ଏବଂ ପବିତ୍ର ଗ୍ରନ୍ଥ ବୋଲିବେ ସେମାନଙ୍କର ନିଯୁକ୍ତି ତାଲିକା ଥିବା ଏକ ୨୦୨୨ ଡିରେକ୍ଟୋରୀ ବା ନିର୍ଦ୍ଦେଶ ପୁସ୍ତିକା ରହିଛି । ନରିନ୍ଦରଙ୍କ ଅନୁଭୂତି ଏହି ତାଲିକାରେ ପ୍ରତିଫଳିତ ହୋଇଥାଏ। ଏଥିରେ ଥିବା ୬୨ ଜଣ ରାଗୀ ଓ ଧାଦୀ ଙ୍କ ମଧ୍ୟରେ ଜଣେ ହେଲେ ମହିଳାଙ୍କୁ ଗାୟିକା ଭାବେ ତାଲିକାଭୁକ୍ତ କରାଯାଇନାହିଁ । ତେବେ କବି ଙ୍କ କ୍ଷେତ୍ରରେ ସ୍ଥିତି ସାମାନ୍ୟ ଉନ୍ନତ ରହିଛି କାରଣ ୨୦ଟି ପଦବୀ ମଧ୍ୟରୁ ୮ଟି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ।

ବିବି ରାଜିନ୍ଦର କୌର ଜଣେ କବି ଏବଂ ତାଙ୍କୁ ୨୦୨୨ ପ୍ରାରମ୍ଭରେ ଗୁରୁଦ୍ୱାରାରେ ନିଯୁକ୍ତି ଦିଆଯାଇଥିଲା। ସେ କୁହନ୍ତି, ‘‘ଆସନ୍ତା ମାସକୁ ଦିଲ୍ଲୀ ଗୁରୁଦ୍ୱାରାରେ ମୋତେ କୌଣସି ସଙ୍ଗୀତ ପରିବେଷଣ କରିବା ଲାଗି ନିଯୁକ୍ତ ମିଳିବାକୁ ଗୋଟିଏ ବର୍ଷ ପୂରଣ ହେବ।’’

ବାମ : କୀର୍ତ୍ତନ ପ୍ରତିଯୋଗିତାରେ ସଙ୍ଗୀତ ପରିବେଷଣ କରିବା ଲାଗି ମହିଳାମାନଙ୍କୁ ଏକାଠି କରିଥାନ୍ତି ନରିନ୍ଦର କୌର। ଫଟୋ : ହର୍‌ମାନ୍ ଖୁରାନା ଡାହାଣ : ନରିନ୍ଦର କୌର ଏବଂ ତାଙ୍କ ଯଥାର ଅନ୍ୟ ସଦସ୍ୟମାନେ ଦିଲ୍ଲୀ ଫତେହ ଦିବସ ଉପଲକ୍ଷେ ସଙ୍ଗୀତ ପରିବେଷଣ କରୁଛନ୍ତି : ନରିନ୍ଦର କୌର

ଶିଖ୍‌ ଧର୍ମର ଅଧିକୃତ ଆଚାର ସଂହିତା ଏବଂ ପ୍ରଥା ରହିଛି ଯାହାକୁ – ଶିଖ୍‌ ରେହତ ମର୍ଯ୍ୟାଦା- କୁହାଯାଏ । ଏଥିରେ ଉଲ୍ଲେଖ ରହିଛି ଯେ, ଯେକୌଣସି ଶିଖ୍‌ ଧର୍ମାବଲମ୍ବୀ ଗୁରୁଦ୍ୱାରାରେ କୀର୍ତ୍ତନ ପରିବେଷଣ କରିପାରିବେ ଏବଂ ଏଥିରେ କୌଣସି ଲିଙ୍ଗଭେଦ ନାହିଁ । ଏପରିକି ଐତିହାସିକ ଗୁରୁଦ୍ୱାରାଗୁଡ଼ିକୁ ପରିଚାଳନା କରୁଥିବା ସର୍ବୋଚ୍ଚ କର୍ତ୍ତୃପକ୍ଷ ଭାବେ ମାନ୍ୟତାପ୍ରାପ୍ତ ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି (ଏସଜିପିସି) ମଧ୍ୟ ମହିଳାମାନଙ୍କୁ ସାମିଲ କରିବା ଲାଗି ଅନୁମତି ଦେଇଛି । ଏହି ସଂସ୍ଥାର ନିର୍ଦ୍ଦେଶ ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ ଏବଂ ଚଣ୍ଡିଗଡ଼ର ଗୁରୁଦ୍ୱାରାରେ କାର୍ଯ୍ୟକାରୀ ହୋଇଥାଏ।

ଏତେ କ୍ଷମତାଶାଳୀ ସଂସ୍ଥାର ଆଦେଶ ସତ୍ତ୍ୱେ, ବହୁ ସଂଖ୍ୟକ ଶିଖ୍‌ମାନେ ଗୁରୁଦ୍ୱାରାର ଧାର୍ମିକ କାର୍ଯ୍ୟକ୍ରମରେ ମହିଳାମାନଙ୍କୁ ସାମିଲ ହେବାକୁ ଅନୁମତି ଦେଇନଥାନ୍ତି, ତେଣୁ ମହିଳା ଗାୟିକାମାନେ ସବୁବେଳେ ଅବହେଳିତ ହୋଇ ରହିଥାନ୍ତି ।

ଲିଙ୍ଗଗତ ବୈଷମ୍ୟ ବିରୋଧରେ ସ୍ୱର ଉତ୍ତୋଳନ କରି, କୀର୍ତ୍ତନକର ଯଶୱିନ୍ଦର କୌର ପ୍ରଶ୍ନ କରନ୍ତି, ‘‘ସ୍ୱର୍ଣ୍ଣ ମନ୍ଦିରର ମୁଖ୍ୟ କକ୍ଷରେ ଉତ୍ସର୍ଗୀକୃତ, ଶୃଙ୍ଖଳିତ ଏବଂ ସଂଗୀତ-ତାଲିମପ୍ରାପ୍ତ ମହିଳାମାନଙ୍କୁ କୀର୍ତ୍ତନ ପରିବେଷଣ ଲାଗି କାହିଁକି ଅନୁମତି ମିଳୁନାହିଁ, ଯେତେବେଳେ କି ସେମାନେ ସମାନ ପରିସରରେ ଥିବା (ଅନ୍ୟ) ଗୁରୁଦ୍ୱାରାଗୁଡ଼ିକରେ ପରିବେଷଣ କରିବା ଲାଗି ସକ୍ଷମ ହୋଇପାରୁଛନ୍ତି?’’ ୬୯ ବର୍ଷ ବୟସ୍କା ଯଶୱିନ୍ଦର ନୂଆଦିଲ୍ଲୀସ୍ଥିତ ମାତା ସୁନ୍ଦରୀ କଲେଜରେ ଗୁରମତ ସଙ୍ଗୀତର ଜଣେ ପ୍ରାଧ୍ୟାପିକା ଭାବେ କାର୍ଯ୍ୟରତ ଅଛନ୍ତି। ସେ ଛାତ୍ରଛାତ୍ରୀଙ୍କୁ ଗୁରମତ ସଙ୍ଗୀତ ପ୍ରଶିକ୍ଷଣ ଦେଇଥାନ୍ତି । ଶିଖ୍ ଧର୍ମ ଆରମ୍ଭ ହେବା ସମୟଠାରୁ ଏହି ସଙ୍ଗୀତ ପ୍ରଚଳିତ ହୋଇ ଆସୁଛି।

ଶିଖ୍‌ ଧର୍ମାବଲମ୍ବୀମାନଙ୍କ ପାଇଁ ସବୁଠୁ ପବିତ୍ର ସ୍ଥଳୀ ସ୍ୱର୍ଣ୍ଣ ମନ୍ଦିରର ସବୁଠୁ ଭିତରେ ଥିବା ଗର୍ଭଗୃହରେ ମହିଳାମାନଙ୍କୁ ଗାଇବା ଲାଗି ଅନୁମତି ମିଳେ ନାହିଁ । ଏସଜିପିସିରେ ଜଣେ ମହିଳା- ବିବି ଜାଗିର କୌର ସଭାପତି ଥିଲେ ସୁଦ୍ଧା ଏହି ପ୍ରସଙ୍ଗରେ ନେତାମାନେ ନିରବ ରହିଥାନ୍ତି। ୨୦୦୪-୦୫ରେ ସେ ଏହି ପ୍ରସଙ୍ଗ ଉଠାଇଥିଲେ ଏବଂ ମହିଳାମାନଙ୍କୁ କୀର୍ତ୍ତନ ପରିବେଷଣ କରିବା ଲାଗି ନିମନ୍ତ୍ରଣ କରିଥିଲେ। ସେ କୁହନ୍ତି ଯେ, ତାଙ୍କୁ ମିଳିଥିବା କୌଣସି ଆବେଦନ ସନ୍ତୋଷଜନକ ନଥିଲା ଏବଂ ପ୍ରସଙ୍ଗର ସେହି ସ୍ଥାନରେ ହିଁ ପରିସମାପ୍ତ ଘଟିଥିଲା।

ଦଶମ ଶିଖ୍‌ ଗୁରୁ, ଗୁରୁ ଗୋବିନ୍ଦ ସିଂଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ରୁଢ଼ିବାଦୀ ଶିଖ୍‌ ଧର୍ମାନୁଷ୍ଠାନ ଦମଦମୀ ତକସାଲ ପକ୍ଷରୁ ତାଙ୍କର ଏହି ପଦକ୍ଷେପକୁ ବିରୋଧ କରାଯାଇଥିଲା। ଗୁରୁ ଗୋବିନ୍ଦ ସିଂ ଥିଲେ ପ୍ରଥମ ଧର୍ମଗୁରୁ ଯିଏକି ଶିଖ୍‌ମାନଙ୍କ ପାଇଁ ଏକ ଔପଚାରିକ ଆଚାରସଂହିତା ପ୍ରଣୟନ କରିଥିଲେ। ତକସାଲର କହିବା କଥା ହେଉଛି (ସ୍ୱର୍ଣ୍ଣ) ମନ୍ଦିର ପରିସରରେ ମହିଳାମାନଙ୍କୁ ଗାଇବା ଲାଗି ଅନୁମତି ମିଳିଲେ ଏହା ଗୁରୁମାନଙ୍କ ସମୟରୁ ଚାଲି ଆସିଥିବା ସେହି ପ୍ରଥା ଓ ପରମ୍ପରାର ବିରୁଦ୍ଧାଚରଣ କରିବ ଯେଉଁଥିରେ କେବଳ ପୁରୁଷମାନଙ୍କୁ କୀର୍ତ୍ତନ ଗାଇବାକୁ ଅନୁମତି ମିଳୁଥିଲା।

ଏପରି ଏକ ପ୍ରଥାକୁ ପରିବର୍ତ୍ତନ କରିବା ଲାଗି ଏକାଧିକ ବାର ପ୍ରୟାସ କରାଯାଇଆସିଛି, ୧୯୪୦ ମସିହାରେ ଶିଖ୍‌ ମହିଳାମାନଙ୍କୁ କୀର୍ତ୍ତନ ପରିବେଷଣ କରିବା ଲାଗି ଏସଜିପିସି ଅନୁମତି ଦେଇଥିଲା। ଏହାପରେ ୧୯୯୬ରେ ଅକାଳ ତଖତ୍‌ ପକ୍ଷରୁ ଏକ ହୁକମନାମା (ଆଦେଶ) ଜାରି କରାଯାଇଥିଲା ଯେଉଁଥିରେ ଶିଖ୍‌ ଧର୍ମାବଲମ୍ବୀ ମହିଳାମାନଙ୍କୁ କୀର୍ତ୍ତନ ପରିବେଷଣର ଅନୁମତି ମିଳିଥିଲା, କିନ୍ତୁ ଲିଙ୍ଗଗତ ବୈଷମ୍ୟ ଏବେସୁଦ୍ଧା ଜାରି ରହିଛି ।

ନଭେମ୍ବର ୨୦୧୯ରେ, ସ୍ୱର୍ଣ୍ଣ ମନ୍ଦିରର ସବୁଠୁ ଭିତରେ ଥିବା ଗର୍ଭଗୃହରେ ମହିଳାମାନଙ୍କୁ ଗାଇବା ଲାଗି ଅନୁମତି ଦେବା ଲାଗି ଅକାଳ ତଖତ୍‌ (ଲୌକିକ ଶିଖ୍‌ ଧର୍ମାନୁଷ୍ଠାନ) ଏବଂ ଏସଜିପିସିକୁ ଅନୁରୋଧ କରାଯାଇ ପଞ୍ଜାବ ବିଧାନସଭାରେ ଏକ ସଂକଳ୍ପ ପାରିତ ହୋଇଥିଲା। କିନ୍ତୁ ଏହା ପାରିତ ହେବା ପୂର୍ବରୁ ଧାର୍ମିକ ବ୍ୟାପାରରେ ସରକାରଙ୍କ ହସ୍ତକ୍ଷେପ ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇ ଅନେକ ସଦସ୍ୟ ଏହାକୁ ବିରୋଧ କରିଥିଲେ ।


ବାହାଘର ପୂର୍ବରୁ, ସିମରନ କୌର ହୋଶିୟାରପୁର ଜିଲ୍ଲାର ସୋହିୟାଁ ଗ୍ରାମରେ ଥିବା ଗୁରୁଦ୍ୱାରା ଗୁରୁ ରବିଦାସ ଜୀ ଠାରେ ନିଜର ଅନ୍ୟ ସମ୍ପର୍କୀୟ ଭଉଣୀମାନଙ୍କ ସହିତ ମିଶି ଏକ ଘଣ୍ଟା କିମ୍ବା ଅଧିକ ସମୟ ପର୍ଯ୍ୟନ୍ତ କୀର୍ତ୍ତନ ଗାଉଥିଲେ । ୨୭ ବର୍ଷ ବୟସ୍କା ଏହି ମହିଳା ଜଣଙ୍କ ପ୍ରତିଦିନ ସ୍ଥାନୀୟ ଏକ ଛୋଟ ଗୁରୁଦ୍ୱାରା ସନ୍ତ ବାବା ମୀହନ ସିଂ ଜୀକୁ ଯାଉଥିଲେ । ସେଠାରେ ମହିଳାମାନଙ୍କୁ ଗାଉଥିବା ଦେଖୁଥିଲେ ଏବଂ ସେଥିରେ କୌଣସି ଅସ୍ୱାଭାବିକତା ନଥିବା ଅନୁଭବ କରୁଥିଲେ । ଛୋଟ ଗୁରୁଦ୍ୱାରାଗୁଡ଼ିକ ଏସଜିପିସି ସହ ଅନୁବନ୍ଧିତ ନୁହନ୍ତି ତେଣୁ ଏଠାକାର ପରିଚାଳନା ଓ ବ୍ୟବସ୍ଥା କମ ରୁଢ଼ିବାଦୀ ବୋଲି ସେ ଅନୁଭବ କରନ୍ତି ।

‘‘ଗାଁରେ, ଅଧିକାଂଶ ମହିଳାମାନେ ହିଁ ଗୁରୁଦ୍ୱାରା ପରିଚାଳନା କରିଥାନ୍ତି । ପୁରୁଷମାନେ ସକାଳୁ ସକାଳୁ କାମକୁ ବାହାରି ଯାଆନ୍ତି। ପ୍ରଥମେ ଯିଏ ଗୁରୁଦ୍ୱାରା ରେ ପହଞ୍ଚିଥାଏ ସେ ଗାଇଥାଏ,’’ ସିମ୍ରନ କୁହନ୍ତି।

ହରମନପ୍ରୀତ କୌରଙ୍କ ଅନୁଭୂତିରୁ ଜଣାପଡ଼ୁଛି ଯେ, ସବୁ ଗାଁରେ ଏଭଳି ସ୍ଥିତି ନାହିଁ କିନ୍ତୁ ପରିସ୍ଥିତିରେ ଏବେ ପରିବର୍ତ୍ତନ ଆସୁଛି। ୧୯ ବର୍ଷୀୟା ହରମନପ୍ରୀତ ତରନ ତରନ ଜିଲ୍ଲାର ପଟ୍ଟିରେ ଥିବା ଜଣେ ଯୁବ କୀର୍ତ୍ତନକାର ଏବଂ ତାଙ୍କ ଅଞ୍ଚଳରେ ଥିବା ଗୁରୁଦ୍ୱାରା – ବିବି ରଜନୀ ଜୀରେ କେବେହେଲେ ଜଣେ ମହିଳାଙ୍କୁ ଗାଉଥିବାର ସେ ଦେଖିନଥିବା କୁହନ୍ତି। ତାଙ୍କ ବାପା ଗୁରୁଦ୍ୱାରା ରେ ସାର୍ବଜନୀନ ପ୍ରାର୍ଥନା ସମାରୋହ ସମୟରେ ଗୁରୁ ଗ୍ରନ୍ଥ ସାହିବ ପାଠ କରୁଥିଲେ, ସେ ହିଁ ତାଙ୍କୁ କୀର୍ତ୍ତନ ଶିଖାଇଥିଲେ। ହରମନପ୍ରୀତ ଏବେ ବିଶେଷ ଅବସରରେ ସେଠାରେ ଗାଉଛନ୍ତି।

ବାମ: ୨୦୦୬ରେ ଗୁରୁ ରବିଦାସଙ୍କ ଜୟନ୍ତୀ ଉପଲକ୍ଷେ ସିମ୍ରନ କୌରଙ୍କ ଖୁଡ଼ି ତାଙ୍କ ଝିଅଙ୍କ ସହିତ କୀର୍ତ୍ତନ ଗାଉଛନ୍ତି । ସୌଜନ୍ୟ: ଯଶୱିନ୍ଦର କୌର । ଡାହାଣ : ସିମ୍ରନଙ୍କ ବାହାଘର ହେବା ପରେ ତାଙ୍କର କୀର୍ତ୍ତନ ବନ୍ଦ ହୋଇଯାଇଥିଲା, କିନ୍ତୁ ଏବେ ନିକଟସ୍ଥ ଏକ ଗୁରୁଦ୍ୱାରାରେ ସେ ଗୀତ ଗାଇବା ଲାଗି ସୁଯୋଗ ଖୋଜୁଛନ୍ତି । ଫଟୋ : ଯଶୱିନ୍ଦର କୌର

ପଠାନକୋଟ୍‌ ସହରଠାରୁ ୧୦୦ କିଲୋମିଟର ଦୂରରେ ଥିବା ଏହି ସହରର ୫୪ ବର୍ଷ ବୟସ୍କ ଦିଲବାଗ ସିଂ କୁହନ୍ତି, ଏଠାକାର ଗୁରୁ ସିଂ ସଭା ଗୁରୁଦ୍ୱାରାରେ ପ୍ରତି ସପ୍ତାହର ଶନିବାର ଦିନ କିଛି ଘଣ୍ଟା ପାଇଁ ମହିଳାମାନେ କୀର୍ତ୍ତନ ଓ ପ୍ରାର୍ଥନା ପରିବେଷଣ କରିଥାନ୍ତି। ସେମାନଙ୍କ ପାଖରେ ମହିଳାଙ୍କ ନେତୃତ୍ୱାଧୀନ ଘରୋଇ ସଙ୍ଗୀତ ଦଳ ରହିଛନ୍ତି ଯେଉଁମାନେ ପର୍ବପର୍ବାଣୀ ସମୟରେ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ପରିବେଷଣ କରିଥାନ୍ତି ।

ପଟିଆଲାସ୍ଥିତ ପଞ୍ଜାବୀ ବିଶ୍ୱବିଦ୍ୟାଳୟରୁ ଶିଖ୍‌ ଅଧ୍ୟୟନ ଓ ଧାର୍ମିକ ବିଷୟରେ ଦୁଇଟି ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ୨୫ ବର୍ଷ ବୟସ୍କା ସୁଖଦୀପ କୌର । ସେ ପଞ୍ଜାବର ସଙ୍ଗରୁର ଜିଲ୍ଲାରେ ଥିବା ଲାସୋଇ ଗ୍ରାମରେ ରୁହନ୍ତି ଏବଂ ତାଙ୍କର କହିବା କଥା ହେଲା ଲିଙ୍ଗଗତ ବୈଷମ୍ୟ ପାଇଁ କେବଳ ପୁରୁଷମାନଙ୍କୁ ଦୋଷ ଦେବା ଉଚିତ ହେବ ନାହିଁ । ଗୁରୁଦ୍ୱାରା ରେ ପୂର୍ଣ୍ଣକାଳୀନ ଭୂମିକା ତୁଲାଇବା ମହିଳାମାନଙ୍କ ପାଇଁ ସହଜ ହୁଏ ନାହିଁ ଏବଂ ‘‘ପ୍ରାର୍ଥନା ବୋଲିବା ପରିବର୍ତ୍ତେ ଜଣେ ମହିଳା ନିଜ ପିଲାଙ୍କ କଥା ବୁଝିବା ଓ ଘର କାମ କରିବାକୁ ବେଶି ପସନ୍ଦ କରନ୍ତି ।’’

ନରିନ୍ଦର କୌର କୁହନ୍ତି ଯେ ମହିଳାମାନେ ଏ ସବୁକିଛି ତୁଲାଇ ପାରିବେ । ଗୁରୁଦ୍ୱାରା ରେ କିଛି ଘଣ୍ଟା ବିତାଇବା ଏବଂ ଏହି ପ୍ରଥା ପ୍ରତି ସମର୍ପିତ ହେବାକୁ ଚାହୁଁଥିବା ମହିଳାମାନଙ୍କୁ ଏକତ୍ରିତ କରିବା ଲାଗି ସେ ୨୦୧୨ରେ ଗୁରବାନୀ ବିର୍ସା ସମ୍ଭାଲ ସତସଙ୍ଗ ଯଥା ଆରମ୍ଭ କରିଥିଲେ । ‘‘ସେମାନେ ନିଜ ପିଲାମାନଙ୍କୁ ଲାଳନପାଳନ କରନ୍ତି ଓ ଘର ଚଳାଇଥାନ୍ତି । ସେମାନଙ୍କର ସେବା ଜଣେ ସିଂହ (ଶିଖ୍‌ ପୁରୁଷ)ଙ୍କ ଠାରୁ ଦୁଇ ଗୁଣ ଅଧିକ,’’ ସେ କୁହନ୍ତି ।

ଶିଖ୍‌ ସଂଖ୍ୟାଲଘୁ କଲେଜଗୁଡ଼ିକରେ ଥିବା ଧାର୍ମିକ ସମିତିଗୁଡ଼ିକ ଶିଖ୍‌ ଛାତ୍ରଛାତ୍ରୀଙ୍କ ପାଇଁ ଗୁରମତ ସଙ୍ଗୀତର ପ୍ରଶିକ୍ଷଣ କେନ୍ଦ୍ର ଭାବେ କାର୍ଯ୍ୟ କରିଥାଏ। କାଜଲ ଚାୱଲା ଏବେ କିର୍ପା କୌର ନାମରେ ପରିଚିତ ଏବଂ ସେ ୨୦୧୮ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ (ଡିୟୁ) ଅଧୀନ ଗୁରୁ ଗୋବିନ୍ଦ ସିଂ କଲେଜରୁ ଅର୍ଥଶାସ୍ତ୍ର ସମ୍ମାନରେ ସ୍ନାତକ ଉତ୍ତୀର୍ଣ୍ଣ ହୋଇଛନ୍ତି । କଲେଜରେ ପଢ଼ିବା ସମୟରେ ଏହି ୨୪ ବର୍ଷୀୟା ମହିଳା ଜଣଙ୍କ କଲେଜର ଧାର୍ମିକ ସମିତି ବିସମାଦର ଜଣେ ସକ୍ରିୟ ସଦସ୍ୟା ଥିଲେ । ଏବେ ବି ସେ ଏହି ସମିତି ସହ ଯୋଡ଼ି ହୋଇ ରହିଛନ୍ତି ଏବଂ କୁହନ୍ତି, ‘‘ଆମର ସଦସ୍ୟମାନେ ସବୁ ପୃଷ୍ଠଭୂମିରୁ ଆସିଛନ୍ତି ଏବଂ ସେମାନଙ୍କୁ କୀର୍ତ୍ତନ, କବିତା ଓ ପ୍ରବଚନ ପ୍ରତିଯୋଗିତା ପାଇଁ ପ୍ରଶିକ୍ଷିତ କରାଯାଇଛି । କଲେଜର ପର୍ବପର୍ବାଣୀ ଆମକୁ ପ୍ରସ୍ତୁତ କରିଥାଏ ଏବଂ ଆମ ଭିତରେ ଆତ୍ମବିଶ୍ୱାସ ବୃଦ୍ଧି କରିଥାଏ।’’

ବାମ : ସୁଖଦୀପ କୌର (୨୫) ଜଣେ କଥାବାଚକ (ଶିଖ୍‌ ଧର୍ମର ଇତିହାସ ବ୍ୟାଖ୍ୟା କରୁଥିବା ଜଣେ ବ୍ୟକ୍ତି)।  ସୌଜନ୍ୟ : ସୁଖଦୀପ କୌର। ଡାହାଣ : ସିମରଜିତ କୌର ଫରିଦାବାଦରେ ଥିବା ନିଜ ଏକାଡେମୀରେ ଶିକ୍ଷାଦାନ କରିଥାନ୍ତି। ସୌଜନ୍ୟ : ସିମରଜିତ କୌର। ତଳ : ଯାତ୍ରା ହଜୁର ସାହିବରେ ନରିନ୍ଦର କୌର ଏବଂ ତାଙ୍କ ଦଳ ସଙ୍ଗୀତ ପରିବେଷଣ କରୁଛନ୍ତି।

‘‘ଜୋ ଜ୍ୟାଦା ରିୟାଜ କରେଗା ୱୋ ରାଜ୍‌ କରେଗା (ଯିଏ ଅଧିକ ଅଭ୍ୟାସ କରିବ, ସେ ମଞ୍ଚରେ ରାଜୁତି କରିବ),’’ ବକଶାନ୍ଦ ସିଂ (୨୪) କୁହନ୍ତି । ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଏସଜିଟିବି ଖାଲସା କଲେଜରେ ଥିବା ଧାର୍ମିକ ସମିତିରେ ତବଲା ବଜାଇଥାନ୍ତି । ଏଠାକାର ଛାତ୍ରଛାତ୍ରୀମାନେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଥିବା ଗୁରୁଦ୍ୱାରା ରେ କାର୍ଯ୍ୟକ୍ରମ ପରିବେଷଣ କରିଥାନ୍ତି ଏବଂ ଅନ୍ୟ ରାଜ୍ୟକୁ ମଧ୍ୟ କାର୍ଯ୍ୟକ୍ରମ କରିବା ଲାଗି ଯାଆନ୍ତି ।

କିନ୍ତୁ ଯୁବ ଶିଖ୍‌ମାନଙ୍କ ମଧ୍ୟରେ ରହିଥିବା ଉତ୍ସାହ ସେମାନଙ୍କ ପାଇଁ ଭଲ ସ୍ଥିତି ଓ ମାନ୍ୟତା ଆଣିପାରୁନାହିଁ । ‘‘ଯଦିଓ ବହୁସଂଖ୍ୟକ ମହିଳା ଗୁରୁଦ୍ୱାରାରେ କୀର୍ତ୍ତନ ପରିବେଷଣ କରୁଛନ୍ତି, ତଥାପି କେହି ଜଣେ ହେଲେ ମହିଳାଙ୍କୁ ରାଗୀ କିମ୍ବା ଗ୍ରନ୍ଥୀ ଭାବେ ନିଯୁକ୍ତି ମିଳିଥିବାର ମୁଁ ଦେଖି ନାହିଁ,’’ ଏହା କୁହନ୍ତି ଦିଲ୍ଲୀ ଶିଖ୍‌ ଗୁରୁଦ୍ୱାରା ପରିଚାଳନା କମିଟି (ଡିଏସଜିଏମସି)ର ପୂର୍ବତନ ସଦସ୍ୟ ୫୪ ବର୍ଷ ବୟସ୍କ ଚମନ ସିଂ । ସେ କୁହନ୍ତି, ମହିଳାମାନଙ୍କୁ ହିସାବକିତାବ ରଖୁଥିବା କିରାଣୀ କିମ୍ବା ଆକାଉଣ୍ଟିଂ ଚାକିରି ମିଳିଥାଏ କିମ୍ବା ଲଙ୍ଗର ରେ ରୋଷେଇ କରିବା ପାଇଁ ନିଯୁକ୍ତ କରାଯାଇଥାଏ। କୀର୍ତ୍ତନକାରମାନଙ୍କର ବେତନ ମାସିକ ୯,୦୦୦ରୁ ୧୬,୦୦୦ ଟଙ୍କା ମଧ୍ୟରେ ହୋଇଥାଏ।

‘‘ଗୁରୁଦ୍ୱାରାଗୁଡ଼ିକର ପରିଚାଳନା ସମିତି ନିକଟରେ ସବୁ କ୍ଷମତା ରହିଥାଏ। ସେମାନେ ଯେତେବେଳେ ଏକ ଗୁରୁପରବ (ପର୍ବପର୍ବାଣୀ) କିମ୍ବା ଏକ ସମାଗମ (ଏକ ଘରୋଇ ଧାର୍ମିକ କାର୍ଯ୍ୟକ୍ରମ) ଆୟୋଜନ କରୁଛନ୍ତି, ତା’ହେଲେ କାହିଁକି ସେମାନେ ଯୁବ ଛାତ୍ରଛାତ୍ରୀ ଓ ମହିଳାମାନଙ୍କୁ କାର୍ଯ୍ୟକ୍ରମ ପରିବେଷଣ କରିବା ଲାଗି ଉତ୍ସାହିତ କରିବା ପରିବର୍ତ୍ତେ ପ୍ରତିଷ୍ଠିତ ରାଗୀ ମାନଙ୍କୁ ଅଧିକ ପସନ୍ଦ କରୁଛନ୍ତି?,’’ ଦିଲ୍ଲୀର ପରମପ୍ରୀତ କୌର ପ୍ରଶ୍ନ କରିଥାନ୍ତି ।

୩୨ ବର୍ଷ ବୟସ୍କା ପରମପ୍ରୀତ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତରେ ପ୍ରଶିକ୍ଷିତ ଏବଂ ପଟିଆଲାର ପଞ୍ଜାବୀ ବିଶ୍ୱବିଦ୍ୟାଳୟରୁ ଗୁରମତ ସଙ୍ଗୀତରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ଅନ୍ୟ ମହିଳାମାନଙ୍କ ଭଳି ତାଙ୍କର ସ୍ୱର ମଧ୍ୟ ଦିନକୁ ଦିନ ଦୃଢ଼ ହେବାରେ ଲାଗିଛି ଏବଂ ବୋଧହୁଏ ଖୁବଶୀଘ୍ର ଗୁରୁଦ୍ୱାରାଗୁଡ଼ିକରେ, ବିନା ବାଛବିଚାରରେ, ମହିଳାମାନଙ୍କର ସ୍ୱର ସେମାନଙ୍କର ଉପାସନା ସ୍ଥଳୀରେ ଗୁଞ୍ଜରିତ ହେବ ।

ਭੰਡਹੁ ਹੀ ਭੰਡੁ ਊਪਜੈ ਭੰਡੈ ਬਾਝੁ ਨ ਕੋਇ ॥

ਨਾਨਕ ਭੰਡੈ ਬਾਹਰਾ ਏਕੋ ਸਚਾ ਸੋਇ ॥

ଜଣେ ନାରୀଠାରୁ ଜନ୍ମ ନେଇଛି ଆଉ ଜଣେ ନାରୀ

ଜଣେ ନାରୀ ନଥିଲେ, ଆଦୌ କେହି ନଥାନ୍ତେ ।

ଗୁରୁ ଗ୍ରନ୍ଥ ସାହିବର ମେହଲା ୧ରେ ଥିବା ଏହି ପଦଟିକୁ ରାଗ ଆସାରେ ଗାନ କରାଯାଇଥିଲା।

ପରୀ ହୋମପେଜ୍‌କୁ ଯିବା ଲାଗି, ଏଠାରେ କ୍ଲିକ୍‌ କରନ୍ତୁ

Editor's note

ହର୍‌ମାନ୍‌ ଖୁରାନା ମୁମ୍ବାଇର ସୋଫିଆ କଲେଜରୁ ନିକଟରେ ସାମାଜିକ ଯୋଗାଯୋଗରେ ସ୍ନାତକ ଉତ୍ତୀର୍ଣ୍ଣ ହୋଇଛନ୍ତି । ଶିଖ୍ ଧାର୍ମିକ ସଂସ୍ଥାଗୁଡ଼ିକରେ ମହିଳାମାନଙ୍କର ଭୂମିକାକୁ ଉଜାଗର କରିବା ଲାଗି ସେ ଏହି ପ୍ରକଳ୍ପ ହାତକୁ ନେଇଥିଲେ ।

ସେ କୁହନ୍ତି : ‘‘ରିପୋର୍ଟିଂର ଅଭିଜ୍ଞତାରୁ ମୋତେ ଏ କଥା ସମ୍ପର୍କରେ ସବିଶେଷ ସୂଚନା ମିଳିଥିଲା ଯେ କିଭଳି ଭାବେ ସମାନତାବାଦୀ ଆଧାର ଥିବା ସଂସ୍ଥାଗୁଡ଼ିକରେ ମଧ୍ୟ ଲିଙ୍ଗଗତ ବୈଷମ୍ୟ ରହିଛି । ସାମ୍ବାଦିକତା ଏବଂ ଚଳଚ୍ଚିତ୍ର ପ୍ରସ୍ତୁତିର ସଂଗମସ୍ଥଳୀରେ କାର୍ଯ୍ୟ କରିବା ମୋତେ ଆନନ୍ଦ ଦେଇଥିଲା। ମୁଁ ଏକାକୀ ଜଣେ ରିପୋର୍ଟର ଏବଂ କ୍ୟାମେରାପର୍ସନ ଭାବେ ଦୁଇଟି ଭୂମିକା ନିର୍ବାହ କରିଥିଲି। ଏହି ପ୍ରସଙ୍ଗ ଉପରେ ଦୃଢ଼ ମତ ରଖୁଥିବା ମହିଳାମାନଙ୍କ ସହିତ ମୁଁ ମନଖୋଲା ଆଲୋଚନା କରିଥିଲି । ସେମାନଙ୍କର ବିଶ୍ୱାସ କାରଣରୁ ମୁଁ ଆଗକୁ ବଢ଼ିପାରିଲି ।’’

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।