
“ଲୋକମାନେ ଯେତେବେଳେ କାଠ ଉପରେ ଲାଖ କାମର ଏହି ସୌନ୍ଦର୍ଯ୍ୟ ବର୍ଦ୍ଧନକାରୀ କାରିଗରି ଦେଖନ୍ତି, ସେତେବେଳେ ମୁଁ ଏହାକୁ କ’ଣ ବ୍ରସ୍ ଓ ଅଏଲ୍ ପେଣ୍ଟରେ ତିଆରି କରିଛି କି ପଚାରନ୍ତି,’’ ବୋଲି ଗୁଜରାଟର କଚ୍ଛ ଜିଲ୍ଲାର ଏକ ଗ୍ରାମ ନିରୋନାର କାରିଗର ଭାବିକ ଭଚୟା ବଧା, ୪୦, କୁହନ୍ତି । ହେଲେ, ବାସ୍ତବରେ ଏଥିପାଇଁ ଗୋଟିଏ କୁନ୍ଦ ବିପକ୍ଷରେ ଲାଖର ଏକ ବାଡି ରଖିଦିଆଯାଏ, ଯେଉଁଥିରୁ ଲାଖ କାଠ ଉପରକୁ ଗତି କରି କେଲୈଡୋସ୍କୋପରେ ଦେଖା ଯିବାପରି ଜିଗ୍ଜାଗ୍ ଶୈଳୀ ସୃଷ୍ଟି କରିଥାଏ ।

ଭାବିକ ଭାଇ (ଯେଉଁନାମରେ ସେ ତାଙ୍କର ସମ୍ପ୍ରଦାୟରେ ପରିଚିତ) ଗତ ୩୦ ବର୍ଷ ହେବ ଏହି କାରିଗରି ବିଦ୍ୟା ଅଭ୍ୟାସ କରି ଆସୁଛନ୍ତି । “ମୁଁ ଭମାର୍ଡୋ (ବୁଣିବା ନଟୁ) ତିଆରି କରିବାରେ ଦକ୍ଷ ଅଟେ। ମୁଁ ଥରେ ଏକ ବୁଣିବା ନଟୁ ମଧ୍ୟ ତିଆରି କରିଥିଲି ଯାହା ସାତ ମିନିଟ ପର୍ଯ୍ୟନ୍ତ ବୁଣା କାମ କରିପାରୁଛି,” ବୋଲି ସେ କୁହନ୍ତି। ଏପରିକି ତୁମେ ଯେତେ ସମୟ ପର୍ଯ୍ୟନ୍ତ ନଟୁ ଉପରେ ବୁଣିବା କାମ ଜାରି ରଖିବାକୁ ଚାହିଁବେ, ସେ ଆଧାରରେ ମଧ୍ୟ ସେ ନଟୁ ତିଆରି କରିପାରିବେ ।
ନିରୋନାରେ ତାଙ୍କ ଭଳି ଆହୁରି ଛଅଟି ପରିବାର ଅଛନ୍ତି, ଯେଉଁମାନେ ମଧ୍ୟ ଏହି ଲାଖ କଳା ପ୍ରସ୍ତୁତ କରନ୍ତି । ସେମାନେ ସମସ୍ତେ ଛୋଟ ଜନବସତିରେ ଇନ୍ଦିରା ଆବାସ ଯୋଜନା ସ୍କିମ ଅଧୀନରେ ନିର୍ମିତ ଶିପାକୃତିର କଂକ୍ରିଟ ଘରଗୁଡିକରେ ରୁହନ୍ତି । ସେମାନଙ୍କର ଘର ସବୁ ଗୋଟିଏ ପରେ ଗୋଟିଏ ରହିଛି, ଯାହା ମଧ୍ୟରେ ସମାନ ବ୍ୟବଧାନ ରହିଛି ଓ ଏହା ଅର୍ଦ୍ଧ-ବୃତ୍ତାକାରରେ ରହିଛି; ଘରଗୁଡିକ ମଧ୍ୟରେ ରହିଥିବା ଖୋଲା ସ୍ଥାନରେ ସେମାନେ କାମ କରନ୍ତି ।

“ଲାଖ କାମ ରାଜସ୍ଥାନ ଓ ଅନ୍ୟ କେତେକ ରାଜ୍ୟରେ ମଧ୍ୟ କରାଯାଏ,” ବୋଲି ଭବିକ ଭାଇ କୁହନ୍ତି । “[ଅନ୍ୟମାନେ] ପ୍ରାୟତଃ କାଠ ଉପରେ ଦିଆଯାଇଥିବା ମୂଳ କୋଟ୍ ଉପରେ ଗୋଟିଏ ମାତ୍ର ପରସ୍ତ ରଙ୍ଗ ଦେଇଥାନ୍ତି । ଆମର କାମରେ କିନ୍ତୁ ଦୁଇଟି ବା ଅଧିକ ପରସ୍ତ ଦିଆଯାଏ, ଯାହା ଡିଜାଇନ୍ ଉପରେ ନିର୍ଭର କରିଥାଏ । କ୍ରମଶଃ ଆମେ ଆମର ନିଜସ୍ୱ ଶୈଳୀ ବିକଶିତ କରିଛୁ।’’
ଭବିକ ଭାଇ ହେଉଛନ୍ତି ବଧା ଆଦିବାସୀ ସମ୍ପ୍ରଦାୟର । ସେ କୁହନ୍ତି ଯେ, “ମୋର ବାପା ଓ ମୋର ପରିବାର ପାକିସ୍ତାନରୁ ଏଠାକୁ ଆସିଛନ୍ତି। ମୋର ଜେଜେବାପାଙ୍କର ସାତ ଭାଇ ଥିଲେ ଯେଉଁମାନେ ପାକିସ୍ତାନରେ ଏହି କାମ କରୁଥିଲେ । ଆମେ ଭାରତର ବିଭିନ୍ନ ଅଞ୍ଚଳ ଭ୍ରମଣ କରିଛୁ ଓ ବିଭିନ୍ନ ଗ୍ରାମରେ ରହିଛୁ । ୨୦୦୧ର ଭୂଜ୍ ଭୂମିକମ୍ପ ପରେ ଆମେ ନିରୋନାରେ ସ୍ଥାୟୀ ଭାବେ ରହିବାକୁ ଆରମ୍ଭ କଲୁ ।
ଆମେ ଯେତେବେଳେ ତାଙ୍କ ଗ୍ରାମକୁ ଯାଇଥିଲୁ, ସେତେବେଳେ ଏହି ବସତି ଚାରିପାଖରେ ଏଣେତେଣେ ରହିଥିବା ଗୁଳ୍ମବୁଦାରୁ ତତଲା ପବନ ବହୁଥିଲା । ମହିଳାମାନେ. ସେମାନଙ୍କର ଦୈନନ୍ଦିନ କାମ ସାରିବା ପରେ ବିଶ୍ରାମ କରିବା ପାଇଁ ବୟସ୍କ ବ୍ୟକ୍ତିମାନଙ୍କ ସହିତ ଦଉଡି ଖଟ ଉପରେ ସେମାନଙ୍କ ଶିଶୁମାନଙ୍କୁ କୋଳରେ ଧରି ବସିଥିଲେ ଓ ଏହାସହିତ ବଡ ପିଲାଙ୍କ ଖେଳ ମଧ୍ୟ ଦେଖୁଥିଲେ । ସେମାନେ ଆମକୁ ଏହା କହିଲେ ଯେ ଏଠାରେ ଖେଳୁଥିବା ପିଲାମାନଙ୍କ ମଧ୍ୟରୁ ଅନେକ ବିଦ୍ୟାଳୟର ବାରଣ୍ଡା ମାଡି ନାହାନ୍ତି । ନିରୋନାର ମୋଟ ୫୭୧୦ ଜନସଂଖ୍ୟାର ପ୍ରାୟ ୫୩ ପ୍ରତିଶତ ଶିକ୍ଷିତ ଅଟନ୍ତି । ଅଥଚ, ଭବିକ ଭାଇ ଓ ତାଙ୍କର ସ୍ତ୍ରୀ ରହେମାନ ଏହା ନିଶ୍ଚିତ କରିଛନ୍ତି ଯେ ସେମାନଙ୍କର ତିନି ପୁଅ ନିଶ୍ଚିତ ଭାବେ ବିଦ୍ୟାଳୟକୁ ଯିବେ । “ଚଳିତ ବର୍ଷ ମୋ ଝିଅ ଜୋତ୍ସାକୁ ବିଦ୍ୟାଳୟକୁ ପଠାଇବାକୁ ମୁଁ ଯୋଜନା କରୁଥିଲି ହେଲେ କୋଭିଡ୍ ମହାମାରୀ କାରଣରୁ ଏହା ସମ୍ଭବ ହେବା ପରି ମନେ ହେଉନି’’ ସେ କହନ୍ତି। ତାଙ୍କ ଗ୍ରାମରେ ଜୁଲାଇରେ କରୋନା କେସ୍ ତିନୋଟି ସୂଚିତ ହେଲା।
ଆମର କ୍ୟାମେରା ଦେଖି, ଛୋଟ ଝିଅ ରେସ୍ମା, ଆମକୁ ହାତ ଦେଖାଇ ଅପେକ୍ଷା କରିବାକୁ କହିଲେ । ସେ ଦଉଡି ଯାଇ ତାଙ୍କର ମନପସନ୍ଦର ଏମ୍ୱରୋଡୋରୀ ହୋଇଥିବା ‘ଚୁନରୀ’ ( ଓଢଣି) ଆଣିଲେ, ଏହାକୁ ତାଙ୍କ ମୁଣ୍ଡ ଓ କାନ୍ଧରେ ଗୁଡାଇଲେ ଓ ଏବେ ମୁଁ ସଟ୍ ପାଇଁ ପ୍ରସ୍ତୁତ ବୋଲି ହସି କହିଲେ ।

ପୂର୍ବେ ମଲ୍ଲ ଯୋଦ୍ଧା ଥିବା ଭବିକ ଭାଇ କଚ୍ଛର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ମ୍ୟାଚ୍ଗୁଡିକରେ ଅଂଶଗ୍ରହଣ କରୁଥିଲେ । ଗୋଟିଏ ଦିନ ତାଙ୍କୁ ଗୋଟିଏ ଫୋନ୍ ଆସିଲା, ଯେଉଁଥିରେ ତାଙ୍କ ଭାଇଙ୍କୁ ପୁଲିସ୍ ନେଇଯାଇଥିବା ବିଷୟରେ ତାଙ୍କୁ ଜଣା ଯାଇଥିଲା । “ମୁଁ ଆତଙ୍କିତ ଓ ବ୍ୟସ୍ତ ହୋଇଗଲି,” ବୋଲି ସେ କୁହନ୍ତି । “ହେଲେ ସେମାନେ ମତେ କହିଲେ ଯେ ମୋର ବାପାଙ୍କୁ ତାଙ୍କର ଲାଖ କାଠ କାମ ପାଇଁ ରାଜ୍ୟ ପୁରସ୍କାର ମିଳିଛି ଓ ଏହାକୁ ସଂଗ୍ରହ କରିବାକୁ ଆମ ଦୁଇଜଣଙ୍କୁ ପୁଲିସ୍ ଷ୍ଟେସନ୍କୁ ଆସିବାକୁ ହେବ । ଏହିପରି ଏକ ଖ୍ୟାତି ମିଳିବାପରେ ମୁଁ ଏହି କାମ ବିଷୟରେ ଗମ୍ଭୀରତା ସହିତ ଚିନ୍ତା କରିବାକୁ ଆରମ୍ଭ କଲି’’।
ଭାବିକ ଭାଇଙ୍କର ତିନି ପୁଅ ମଧ୍ୟ ତାଙ୍କଠାରୁ ଏହି କାରିଗରି ଶିକ୍ଷା କରୁଛନ୍ତି । “ସେମାନଙ୍କ ସହାୟତାରେ, ମୁଁ ଦିନକୁ ପ୍ରାୟ ତିନିରୁ ଚାରି ଉତ୍ପାଦ ପ୍ରସ୍ତୁତ କରିପାରୁଛି,”ବୋଲି ସେ କହିଲେ। ତାଙ୍କର ବଡ ପୁଅ, ଦାଞ୍ଜି, ୧୭, ସାଧାରଣ ରୋଷେଇ ବାସନ ତିଆରି କରିପାରନ୍ତି ଓ ତାଙ୍କୁ ତାଙ୍କର ବାସନ ସହିତ ଜୟେଶଭାଇ ଜୋର୍ଦାର୍ ଚଳଚିତ୍ରର ଏକ ଦୃଶ୍ୟ ପାଇଁ ସୁଟିଂ କରାଯାଇଛି, ଯାହା ୨୦୨୦ ରେ ମୁକ୍ତିଲାଭ ହେବାକୁ ଅଛି ।
ଏହି କାରିଗରି ବିଷୟରେ
ଲାଖ କାଠ ଖଣ୍ଡ ପ୍ରସ୍ତୁତ କରିବା ପାଇଁ ପ୍ରଥମେ କାଠକୁ ନିହଣରେ କଟାଯାଏ ଓ ଫାଇଲିଂ କରି ଏଥିରେ ମନମୁତାବକ ଆକୃତି କରାଯାଏ, ତାପରେ ଏକ କୁନ୍ଦିବା ଯନ୍ତ୍ର ଚାଲୁ କରାଯାଏ । ଲାଖ ବାଡି ଓ ଗତିଶୀଳ କୁନ୍ଦିବା ଯନ୍ତ୍ର ମଧ୍ୟରେ ଘର୍ଷଣ ହେବା ଯୋଗୁଁ ସେଥିରୁ ପରସ୍ପରଠାରୁ ଭିନ୍ନ ରଙ୍ଗମାନ ପରସ୍ତ ପରସ୍ତ ହୋଇ ବାହାରିଥାଏ। ଶେଷରେ, ଲାଖଯୁକ୍ତ ଏହି ଖଣ୍ଡଗୁଡିକ ଚକ୍ଚକ୍ ଦେଖାଯିବା ପାଇଁ ଏହାକୁ ତେଲରେ ପଲିସ୍ କରାଯାଏ ।
ପୂର୍ବେ, ଏହି କାଠ ପାଇଁ ଜଙ୍ଗଲରୁ କାଠ ମିଳିଯାଉଥିଲା – ସ୍ଥାନୀୟ ବବୁଲ୍ ଗଛ ପ୍ରାୟତଃ ବ୍ୟବହାର କରାଯାଏ । “ହେଲେ, ବର୍ତ୍ତମାନ ଏହି କାଠକୁ ପ୍ଲାଣ୍ଟେସନ୍ ଓ ଫାର୍ମରୁ ଆଣିବାକୁ ହେଲେ ପୂର୍ବରୁ ଅନୁମତି ନେବାକୁ ପଡୁଛି ଓ ସେଥିପାଇଁ ଆମକୁ ପଇସା ମଧ୍ୟ ଦେବାକୁ ପଡୁଛି,’’ ବୋଲି ସେ କୁହନ୍ତି । “ଏହି ଗଛଗୁଡିକ (ଫାର୍ମର) ସାଧାରଣତଃ ଛୋଟ ହୋଇଥିବାରୁ ଆମେ ଏହାର କାଠକୁ ରୋଷେଇରେ ବ୍ୟବହାର ହେଉଥିବା ବିଭିନ୍ନ ସାମଗ୍ରୀ ତିଆରି କରିବାକୁ ବ୍ୟବହାର କରୁଛୁ ।
ବଡ ବଡ ଉତ୍ପାଦ ଯେପରିକି ଚେୟାର ଆଦି ତିଆରି କରିବାକୁ, ସେମାନେ ଭୁଜ୍ ବଜାରରୁ କାଠ କିଣିଥାନ୍ତି, ଯେଉଁଠାରେ ବଡ ବଡ ଆକାରର ଓ ପ୍ରଚୁର ମାତ୍ରାରେ ଏହା ସବୁବେଳେ ଉପଲବ୍ଧ ହୋଇଥାଏ । ଭୂଜ ହେଉଛି କଚ୍ଛ ଜିଲ୍ଲାର ସଦରମହକୁମା ଓ ଏହା ନିରୋନାଠାରୁ ପ୍ରାୟ ୪୦କିଲୋମିଟର ଦୂରରେ ଅବସ୍ଥିତ ।
ଲାଖ, କଚ୍ଛରେ ବେର୍ ଗଛରେ ରହୁଥିବା ଲାଖ କୀଟମାନେ ସେମାନଙ୍କୁ ଓ ସେମାନଙ୍କ ଅଣ୍ଡାକୁ ସୁରକ୍ଷିତ ରଖିବା ପାଇଁ କ୍ଷରଣ କରୁଥିବା ଏକ ଅଠାଳିଆ ପଦାର୍ଥ ବା ରେଜିନ୍ରୁ ପ୍ରସ୍ତୁତ କରାଯାଏ । ଯେଉଁ ଗଛରେ ଏହି ଲାଖ କୀଟ ରୁହନ୍ତି, ତାହାର ଶାଖାପ୍ରଶାଖା ଏହି ଲାଖରେ ପ୍ରାୟତଃ ଆବୃତ୍ତ ହୋଇଯାଏ । ତାପରେ, ଏହାକୁ ଅପସାରଣ କରାଯାଏ ଓ ଗୁଣ୍ଡ କରାଯାଏ ଓ ସେଥିରେ ଥିବା ଅଶୁଦ୍ଧ ପଦାର୍ଥଗୁଡିକ ବାହାର କରିଦିଆଯାଏ । ଏକ କିଲୋଗ୍ରାମ ଲାଖରୁ ପ୍ରାୟ ୨୫୦ ଗ୍ରାମ ଲାଖ ଗୁଣ୍ଡ ମିଳିଥାଏ।
ଏହି ଗୁଣ୍ଡକୁ ପରେ ରଙ୍ଗୀନ ଉପାଦାନ ମିଶାଇ ଗରମ କରାଯାଏ ଓ ଏଥିରେ ଚିନାବାଦାମ ତେଲ ମିଶାଯାଏ । ଥଣ୍ଡା ହେବାପରେ ଏହି ମିଶ୍ରଣ ଲାଖରେ ପରିଣତ ହୋଇଯାଏ – କ୍ରେୟନ୍ କଲର୍ ବାଡି ଭଳି । ଏହି କାମ ସାଧାରଣତଃ ବଧା ମହିଳା ଯେପରି ରାଜେମା – ଭାବିକଙ୍କ ସ୍ତ୍ରୀ- ନିଜର ଦୈନନ୍ଦିନ କାର୍ଯ୍ୟ କରିବା ସହିତ କରିଥାନ୍ତି ।
କେତେକ ରଙ୍ଗ – ଯେପରିକି ଧଳା ଓ ନୀଳ – ଆଜିକାଲି ରାସାୟନିକ ପଦାର୍ଥରୁ ପ୍ରସ୍ତୁତ କରାଯାଉଛି ଯେତେବେଳେ କି ଅନ୍ୟ ରଙ୍ଗଗୁଡିକ ଏବେ ମଧ୍ୟ ପ୍ରାକୃତିକ ସାମଗ୍ରୀରୁ ପ୍ରସ୍ତୁତ କରାଯାଉଛି: ହଳଦିଆ ରଙ୍ଗ ପାଇଁ ହଳଦି ଓ କଳା ରଙ୍ଗ ପାଇଁ କୋଇଲା ମିଶାଯାଉଛି । “ମୁଁ ମଧ୍ୟ ଏହି ମୌଳିକ ରଙ୍ଗଗୁଡିକୁ ମିଶାଇ ନୂଆ ରଙ୍ଗ ପ୍ରସ୍ତୁତ କରିଥାଏ – କମଳା ରଙ୍ଗ ପ୍ରସ୍ତୁତ କରିବା ପାଇଁ ହଳଦିଆ ଓ ଲାଲ ରଙ୍ଗ ମିଶାଯାଏ,” ବୋଲି ଭବିକ ଭାଇ କୁହନ୍ତି ।
ପୁର୍ବପୁରୁଷଙ୍କଠାରୁ ପ୍ରାପ୍ତ କୌଶଳ
“କାଠ ଉପରେ ଲାଖ ପେଣ୍ଟି କରିବା ଭଳି ପାରମ୍ପରିକ କୌଶଳ କେବେ ମଧ୍ୟ କେହି କାହାକୁ ଶିଖାନ୍ତି ନାହିଁ,” ବୋଲି ଭାବିକ୍ ଭାଇ କୁହନ୍ତି । “ଏହା ତୁମକୁ ଅଳ୍ୱ ବୟସରୁ ତୁମର ଅଭିବାବକଙ୍କୁ ଦେଖି ସେମାନଙ୍କ ଠାରୁ ଶିଖିବାକୁ ପଡିଥାଏ । “ସେ ମଧ୍ୟ ତାଙ୍କ ବାପା ଭଛୟା ଖମିସା ବଧା, ୭୬,ଙ୍କୁ ସୌନ୍ଦର୍ଯ୍ୟ ବର୍ଦ୍ଧନକାରୀ ଖଟିଆ ( କାଠ ଫ୍ରେମ୍ ଥିବା ଏକ ପାରମ୍ପରିକ ଖଟ, ଯେଉଁଥିରେ କଟନ୍ ଟେପ୍ ବା ଦଉଡି ବୁଣା ଯାଇଥାଏ), ସିନ୍ଦୁର ପେଡି ଓ ଅନ୍ୟାନ୍ୟ ବାହାଘରିଆ ସାମଗ୍ରୀ କରୁଥିବାବେଳେ ଦେଖୁଥିବା କଥା ମନେପକାନ୍ତି । “ଜିନିଷ ବାବଦକୁ ଦେୟ ଭାବେ ଆମକୁ କପଡା, ଶସ୍ୟ ବା ପଇସା ମିଳିଥାଏ’’, ବୋଲି ସେ କୁହନ୍ତି ।
କ୍ରମଶଃ, ଏହି କାରିଗରିର ଖ୍ୟାତି ଧୀରେ ଧୀରେ ବଢିବାରୁ, ଭବିକ ଭାଇଙ୍କର ବାପା ଏଥିରେ ରୋଷେଇରେ ବ୍ୟବହାର ହେଉଥିବା ସାମଗ୍ରୀ ଯେପରିକି ବେଲଣା ବାଡି, କୁଟଣୀ ଓ ଚାମଚ ଓ ଲୁହା ଖଡିକା ତିଆରି କରିବାକୁ ଆରମ୍ଭ କଲେ । ପ୍ରାୟ ୬୦ରୁ ଅଧିକ ବର୍ଷ କାମ କରିବା ପରେ, ବର୍ତ୍ତମାନ ତାଙ୍କ ବାପା ଆଉ ଆଗଭଳି ଦ୍ରୁତ ଗତିରେ କାମ କରିପାରୁନାହାନ୍ତି, ତାଙ୍କର ଦୃଷ୍ଟିଶକ୍ତି ଦୁର୍ବଳ ହୋଇଯିବା କାରଣରୁ ଏହିପରି ସୂକ୍ଷ୍ମ କାମକୁ ଜାରି ରଖିବା ତାଙ୍କ ପକ୍ଷେ ଆଉ ସମ୍ଭବ ହୋଇପାରୁନାହିଁ ।
ଏହି କାରିଗରିରୁ ସେମାନେ ଦିନ ପିଛା ୧୫୦ଟଙ୍କାରୁ କମ୍ ଅର୍ଥ ଉପାର୍ଜନ କରୁଥିଲେ, ଏଣୁ ଭାବିକ ଭାଇ ଓ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଦିନ ମଜୁରି ମଧ୍ୟ କରୁଥିଲେ ଯେପରିକି ବଜାରରେ ବସ୍ତା ଉଠାଇବା ଆଦି । “ମୋର ବାପା ବହୁତ ଖରାପ ସମୟ ଦେଖିଛନ୍ତି ଓ ପିଲାବେଳେ ଆମକୁ ମଧ୍ୟ ଏକ ଧାରରେ ତିନି ଚାରି ଦିନ ପର୍ଯ୍ୟନ୍ତ ଭୋକିଲା ପେଟରେ ଶୋଇବାକୁ ପଡୁଥିଲା,” ବୋଲି ସେ କୁହନ୍ତି ।
ସେମାନେ ନିଜର ଉତ୍ପାଦ ବିକ୍ରି କରିବାକୁ କୌଣସି ବଜାର ବା ବିତରଣ ବ୍ୟବସ୍ଥା ବିକଶିତ କରିନଥିବାରୁ କଚ୍ଛର ପର୍ଯ୍ୟଟନ ଋତୁ ହେଉଛି ଏକମାତ୍ର ଏପରି ସମୟ ଯେଉଁ ସମୟରେ ସେମାନେ ସେମାନଙ୍କର ଉତ୍ପାଦ ବିକ୍ରି କରିବାକୁ ସୁଯୋଗ ପାଇଥାନ୍ତି । ବର୍ତ୍ତମାନ ତାଙ୍କ ଭଳି ବଧାର ଅନ୍ୟ କଳାକାରମାନେ ଖମିର୍, କୁକୁମାରେ ଥିବା ଏକ ସଂଗଠନ ଯାହା ଲାଖ କାଠ କାରିଗରି ଜିନିଷ ପ୍ରସ୍ତୁତିକୁ ପ୍ରୋତ୍ସାହିତ କରିଥାଏ ଓ ଏହାର ବିକ୍ରି କରିଥାଏ, ସହିତ ମିଶି କାମ କରୁଥିବାରୁ ସେମାନଙ୍କ ସ୍ଥିତି ସୁଧୁରିବାରେ ଲାଗିଛି । ଖମିର ସେମାନଙ୍କୁ ଏହି କାରିଗରି ପାଇଁ କଞ୍ଚାମାଲ୍ କିଣିବାରେ, ମୂଲ୍ୟ ନିର୍ଦ୍ଧାରଣ କରିବାରେ ଓ ବିପଣନ କରିବାରେ ସାହାଯ୍ୟ କରିଥାଏ ।
ରୋଷେଇରେ ବ୍ୟବହାର ହେଉଥିବା ସାମଗ୍ରୀ ଓ ଆସବାବପତ୍ର ସହିତ କଳାକାରମାନେ ଅନୁରୋଧକ୍ରମେ ନୂଆ ନୂଆ ଡିଜାଇନ୍ ମଧ୍ୟ ସୃଷ୍ଟି କରନ୍ତି । ବେଳେବେଳେ ଗ୍ରାହକମାନେ ସେମାନେ ଜାଣିବା ପାଇଁ ଡିଜାଇନ୍ର ଡ୍ରଇଂ ଦେଇଥାନ୍ତି । ଭାବିକ ଭାଇ ଅହମଦାବାଦ, ମୁମ୍ବାଇ ଓ ଭୋପାଳରେ ଥିବା ତାଙ୍କର ଗ୍ରାହକଙ୍କ ସହିତ ହ୍ୱାଟ୍ସଅପ୍ ଜରିଆରେ ଯୋଗାଯୋଗ କରନ୍ତି । ତାଙ୍କ ପରିବାରର ଅନ୍ୟ କଳାକାର ଓ ସେ ନିଜେ ଏହି ଜିନିଷଗୁଡିକୁ ବିଭିନ୍ନ ସହରରେ ଆୟୋଜିତ ହେଉଥିବା ପ୍ରଦର୍ଶନୀରେ ବିକ୍ରି କରନ୍ତି।

ଆଜି ତାରିଖରେ, ଭବିକ ଭାଇଙ୍କ ସମେତ ନିରୋନାର ବଧା ସମ୍ପ୍ରଦାୟର ସର୍ବାଧିକ ୧୫ ଜଣ ଲୋକ ଏବେ ମଧ୍ୟ ଏହି କାରିଗରି ସହିତ ସଂପୃକ୍ତ ଅଛନ୍ତି; ଏମାନଙ୍କର ଜଣେ ସମ୍ପର୍କିୟ ପାଖର ଏକ ଗ୍ରାମ ମିଶରିୟାଡୋରେ ଏହି କାରିଗରି କରୁଛନ୍ତି । ସେମାନେ ସେମାନଙ୍କ ବ୍ୟବସାୟ ପାଇଁ ମୁଖ୍ୟତଃ ପର୍ଯ୍ୟଟକଙ୍କ ଉପରେ ନିର୍ଭରଶୀଳ ହୋଇଥିବାରୁ, ତାଲାବନ୍ଦ ଓ ଯାତ୍ରା ଓ ପର୍ଯ୍ୟଟନ ଉପରେ ବର୍ତ୍ତମାନ ଲଗାଯାଇଥିବା ପ୍ରତିବନ୍ଧକ କାରଣରୁ ,ସେମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଅନେକ ବଧାମାନେ ଭଲ ବେତନ ଯୁକ୍ତ ଉତ୍ତମ କର୍ମନିୟୋଜନ ସୁଯୋଗ ଅନ୍ୱେଷଣରେ ଅନ୍ୟ ସ୍ଥାନକୁ ପ୍ରବାସରେ ଚାଲି ଯାଉଛନ୍ତି ।
ଭବିକ ଭାଇ, ତଥାପି ଆଶାବାଦୀ ଅଛନ୍ତି । ସେ ତାଙ୍କର ପିଲାମାନଙ୍କୁ ଏହି କାରିଗରି ବିଷୟରେ ଶିକ୍ଷା ପ୍ରଦାନ କରିବା ସହିତ ସେ ଏକ ପ୍ରଶିକ୍ଷଣ କର୍ମଶାଳା ଓ ଏପ୍ରେଣ୍ଟିସିପ୍ ମଧ୍ୟ ଚଳାଉଛନ୍ତି । ସେ ବିଶ୍ୱାସ କରନ୍ତି ଯେ କଳାକାରମାନଙ୍କର ତାଙ୍କର ଏହି ସମ୍ପ୍ରଦାୟ ସମଗ୍ର ବିଶ୍ୱରେ ବିଭିନ୍ନ ଲୋକଙ୍କ ସହିତ ଆଲୋଚନା କରି ଓ ଅଳଙ୍କାର ତିଆରି କରି, ଆସବାବପତ୍ର ନିର୍ମାଣ କରି ଓ ନୂତନ ରଙ୍ଗ ଓ ସ୍ୱରୂପ ଉଦ୍ଭାବନ କରି ପୁଣିଥରେ ତାର ହଜି ଯାଇଥିବା ଗୌରବ ଫେରି ପାଇଛି । “ ମୋର ଗ୍ରାହକ ମୋର କାମର ବହୁତ ପ୍ରଶଂସା କରୁଛନ୍ତି ଓ ଏହା ମତେ ମୋର କାମ ଜାରି ରଖିବାକୁ ଓ ଏହି କାରିଗରିକୁ ଆହୁରି ଉନ୍ନତ କରିବାକୁ ଦୃଢ ନିଶ୍ଚିତ ହେବା ପାଇଁ ପ୍ରେରଣା ଯୋଗାଉଛି,” ବୋଲି ସେ କୁହନ୍ତି ।
ଅନୁବାଦ: ଓଡ଼ିଶାଲାଇଭ୍
ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।
Editor's note
ସୁରଭି ସିଙ୍ଘାଇ ବେଙ୍ଗାଲୁରୁ ସ୍ଥିତ ସୃଷ୍ଟି ଇନ୍ଷ୍ଟିଚ୍ୟୁଟ ଅଫ୍ ଆର୍ଟ, ଡିଜାଇନ ଓ ଟେକ୍ନୋଲୋଜିରେ ଇନ୍ଫର୍ମେସନ୍ ଆର୍ଟସ୍ ଓ ଇନ୍ଫର୍ମେସନ୍ ଡିଜାଇନ୍ ପ୍ରାକ୍ଟିସ୍ର ପ୍ରଥମ ବର୍ଷର ଛାତ୍ରୀ । ତାଙ୍କର ପ୍ରଜେକ୍ଟ ‘ବାଖ୍ୟାନ, ମଗ୍ନହେବା ଓ ତଥ୍ୟ’ର ଏକ ଅଂଶବିଶେଷ ଭାବେ ଜଣେ କଳାକାରଙ୍କର ଯାତ୍ରାର ସବିଶେଷ ବିବରଣୀ ଖୋଜି ବାହାର କରି ଲାଖ କାଠ କାରିଗରିକୁ ପୁଣି ଆବିଷ୍କାର କରିଛନ୍ତି। ସେ କୁହନ୍ତି: “ପରୀ ସହିତ କାମ କରି ମୁଁ ଅତି ଗଭୀରତାରେ ପହଞ୍ଚି ପାରିଛି ଓ ପଦ୍ଧତି ଓ ଆହ୍ୱାନକୁ ଧ୍ୟାନରେ ରଖି ଉତ୍ତମ ବାଖ୍ୟାନ କରିପାରିଛି । ମୁଁ ପୁଣିଥରେ ମୋର ସାକ୍ଷାତ ପ୍ରକ୍ରିୟାର ଆମୂଳଚୂଳ ତର୍ଜମା କରିଛି, ନୂଆ ପ୍ରଶ୍ନ ତିଆରି କରିଛି ଓ ଏହି କାରିଗରି ବିଷୟରେ ସବିଶେଷ ଜ୍ଞାନ ଆହରଣ କରିବା ପାଇଁ ଫଲୋ-ଅପ୍ କଲ୍ ମଧ୍ୟ କରିଛି ।’’