ଏହି କାହାଣୀ ମୂଳତଃ ହିନ୍ଦୀ ଭାଷାରେ ରିପୋର୍ଟ ସଂଗ୍ରହ କରାଯାଇଛି ଏବଂ ଲେଖାଯାଇଛି । ପରୀ ଏଜୁକେସନ ଦେଶବ୍ୟାପୀ ଛାତ୍ରଛାତ୍ରୀ, ଗବେଷକ ଓ ଶିକ୍ଷାବିତଙ୍କ ସହିତ କାର୍ଯ୍ୟ କରିଥାଏ ଯେଉଁମାନେ ନିଜ ପସନ୍ଦର ଭାଷାରେ ଆମ ପାଇଁ ରିପୋର୍ଟ ସଂଗ୍ରହ କରିଥାନ୍ତି, ଲେଖିଥାନ୍ତି ଏବଂ ବର୍ଣ୍ଣନା କରିଥାନ୍ତି ।

ମନିନ୍ଦର ମଜୁମଦାର ଅପରାହ୍ଣର ଟାଣ ଖରାରେ ନିଜ ଦୋକାନରେ ଚପ ପକୋଡ଼ା ଛାଣୁଛନ୍ତି। ଉତ୍ତରାଖଣ୍ଡର ଉଦ୍ଧମ ସିଂ ନଗର ଜିଲ୍ଲା ଅନ୍ତର୍ଗତ ନାନକମତ୍ତା ଗ୍ରାମର ବଙ୍ଗାଳୀ କଲୋନୀରେ ରହୁଥିବା ୬୦ ବର୍ଷ ବୟସ୍କ ମନିନ୍ଦର କୁହନ୍ତି, ‘‘ବହୁ ବର୍ଷ ଧରି, ଏହା ହିଁ ମୋ ରୋଜଗାରର ଉତ୍ସ ହୋଇ ଆସିଛି । ଏହା ବିନା, ମୁଁ ମୋ ପେଟ ପୋଷି ପାରିବି ନାହିଁ କି ଆପଣମାନେ ନିଜର ଚପ୍‌ ପାଇପାରିବେ ନାହିଁ ।’’

ଭୋର ୫ଟାରେ ମନିନ୍ଦରଙ୍କ ଦିନ ଆରମ୍ଭ ହୋଇଥାଏ। ଘରକରଣା କାମ ସାରିବା ପରେ, ମନିନ୍ଦର ତେନ୍ତୁଳି, ବେସନ ଏବଂ ଅନ୍ୟାନ୍ୟ ଦୈନନ୍ଦିନ ଘର ସଉଦା କିଣିବା ଲାଗି ବାହାରି ଯାଆନ୍ତି । ‘‘ମୁଁ ୧୨୦୦ ଟଙ୍କାରେ ୭ କ୍ରେଟ୍‌ ଅଣ୍ଡା କିଣିଥାଏ। ଏହା ବ୍ୟତୀତ, ଜୀରା, ଧନିଆ, ମଇଦା କିଣିବା ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ।’’ ଘରକୁ ଫେରିବା ପରେ ମନିନ୍ଦର ବିକ୍ରି କରୁଥିବା ଖାଦ୍ୟ ପ୍ରସ୍ତୁତ କରିବାରେ ଲାଗି ପଡ଼ନ୍ତି । ସେ ଚଟନୀ ମଧ୍ୟ ପ୍ରସ୍ତୁତ କରନ୍ତି । ମଧ୍ୟାହ୍ନ ବେଳକୁ ସେ ନିଜ ଦୋକାନକୁ ବାହାରି ଯାଆନ୍ତି ଏବଂ ସେଠାରେ ରାତି ଆଠଟା ପର୍ଯ୍ୟନ୍ତ କାମ କରନ୍ତି ।

ଆଠ ବର୍ଷ ହେଲାଣି ମନିନ୍ଦର ଏହି ଦୋକାନ ଚଳାଉଛନ୍ତି । ତାଙ୍କ ପତ୍ନୀ ମୀନୁ ମଜୁମଦାର ଘର କାମ କରିବା ସହିତ ଦୋକାନ କାମରେ ମଧ୍ୟ ତାଙ୍କୁ ସହାୟତା କରିଥାନ୍ତି । ମନିନ୍ଦର କୁହନ୍ତି, ‘‘ଯଦି ପତ୍ନୀ ସହାୟତା ନକରିବେ, ତା’ହେଲେ ମୁଁ ଏକାକୀ ଦୋକାନ ଚଳାଇ ପାରିବି ନାହିଁ।’’ ମନିନ୍ଦରଙ୍କର ତିନି ଝିଅ ଏବଂ ସମସ୍ତଙ୍କର ବାହାଘର ହୋଇସାରିଛି । ତାଙ୍କର ଦୁଇ ନାତିନାତୁଣୀ ମଧ୍ୟ ଅଛନ୍ତି । ମନିନ୍ଦରଙ୍କ ଦୁଇ ପୁଅଙ୍କ ମଧ୍ୟରୁ ଜଣଙ୍କର ଦେହାନ୍ତ ଘଟିସାରିଛି, କିନ୍ତୁ ସେ ପୁଅମାନଙ୍କ ବିଷୟରେ କିଛି କହିବାକୁ ଚାହାଁନ୍ତି ନାହିଁ । 

ଇତିହାସର ପୃଷ୍ଠାରୁ

ମନିନ୍ଦର ମଜୁମଦାର, ନାନକମତ୍ତା ସହରସ୍ଥିତ ଯେଉଁ ବଙ୍ଗାଳୀ କଲୋନୀରେ ରହୁଛନ୍ତି, ସେହି କଲୋନୀ ସମ୍ପର୍କରେ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଛି, କିନ୍ତୁ ସେ ଓ ତାଙ୍କ ପରିବାର ସବୁବେଳେ ଏଠାରେ ରହୁନଥିଲେ । ତାଙ୍କୁ ଯେତେବେଳେ ମାତ୍ର ୧୧ ବର୍ଷ ବୟସ ହୋଇଥିଲା, ସେ ପୂର୍ବ ପାକିସ୍ତାନ (ବର୍ତ୍ତମାନ ବାଂଲାଦେଶ)ର ଖୁଲନା ଜିଲ୍ଲାରେ ଥିବା ଏକ ଛୋଟିଆ ଗ୍ରାମରେ ରହୁଥିଲେ । ସେହି ନାଁ ଏବେ ତାଙ୍କର ମନେ ନାହିଁ । ୧୯୬୪ ମସିହାର ଏକ ଘଟଣା ବିଷୟରେ ମନେ ପକାଇ ସେ କୁହନ୍ତି ଯେତେବେଳେ ପାକିସ୍ତାନଠାରୁ ବାଂଲାଦେଶ ଅଲଗା ହୋଇନଥିଲା କିନ୍ତୁ ସ୍ୱାଧୀନତା ସଂଗ୍ରାମ ଜାରି ରହିଥିଲା। ସେହିବର୍ଷ ଦଙ୍ଗାକାରୀମାନେ ମନିନ୍ଦରଙ୍କ ପଡ଼ୋଶୀ ବଙ୍ଗାଳୀମାନଙ୍କ ଘର ଉପରେ ଆକ୍ରମଣ କଲେ ଏବଂ ମନିନ୍ଦରଙ୍କ ସମେତ ଅନ୍ୟମାନଙ୍କ ଘରେ ନିଆଁ ଲଗାଇ ଦେଲେ ।

ମନିନ୍ଦର କୁହନ୍ତି, ‘‘ସେତେବେଳେ ମୁଁ ଘରେ ଥିଲି, ଅପରାହ୍ଣ ପ୍ରାୟ ୪ଟା ହୋଇଥିବ । ମୋର ମାତାପିତା ଆମର ସବୁ ପୋଷାକପତ୍ର, ବାସନକୁସନ ଓ ଖାଦ୍ୟ ସାମଗ୍ରୀ ଏକାଠି କଲେ ଏବଂ ଆମେ ଘର ଛାଡ଼ିଲୁ।’’ ସେପ୍ଟେମ୍ବର ମାସର ସେହି ଶୀତୁଆ ସନ୍ଧ୍ୟାରେ, ସମ୍ପୂର୍ଣ୍ଣ ମଜୁମଦାର ପରିବାର ଏବଂ ଗାଁର ଆହୁରି ଶତାଧିକ ଲୋକ ସେମାନଙ୍କ ଘର ଛାଡ଼ି ପଳାୟନ କଲେ। ଏହି ଘଟଣା ବିଷୟରେ ବର୍ଣ୍ଣନା କରି, ଏବେ ୫ ଦଶନ୍ଧି ପରେ, ମନିନ୍ଦର କୁହନ୍ତି, ‘‘ବହୁ ଅଞ୍ଚଳରେ ନିଆଁ ଲଗାଇ ଦିଆଯାଇଥିଲା ଏବଂ ଆମ ଚାରି ପାଖରେ ଲଢ଼େଇ ଚାଲିଥିଲା। ଲୋକମାନେ କାନ୍ଦୁଥିଲେ, ସେମାନଙ୍କ ଘରୁ ପଳାୟନ କରୁଥିଲେ। କିଛି ଲୋକ ସେମାନଙ୍କ ଘର ଛାଡ଼ି ସମ୍ପର୍କୀୟମାନଙ୍କ ଘରକୁ ଚାଲି ଯାଉଥିଲେ, ଅନ୍ୟମାନେ ନିଜ ପରିଚିତଙ୍କ ଘରେ ଆଶ୍ରୟ ନେଉଥିଲେ । ଆମେ ଭାରତକୁ ଚାଲି ଆସିଲୁ।’’

ପିଲିଭିତଠାରୁ କିଛି କିଲୋମିଟର ଦୂର ଗାଭିୟା ଗ୍ରାମରେ ପହଞ୍ଚିବା ପରେ, ମଜୁମଦାର ପରିବାର ଦିନ ମଜୁରିଆ ଭାବେ କାମ କରିବା ଆରମ୍ଭ କଲେ । ମାତ୍ର ୧୧ ବର୍ଷ ବୟସ୍କ, ମନିନ୍ଦର ମଧ୍ୟ କୃଷି ଶ୍ରମିକ ଭାବେ କାମ ଆରମ୍ଭ କଲେ, ଦୈନିକ ତାଙ୍କୁ ଅଢ଼େଇ ଟଙ୍କା ମଜୁରି ମିଳୁଥିଲା।


ଆଳୁ ଚପ ବା ଅଣ୍ଡା ଚପ ଏକ ବଙ୍ଗାଳୀ ବ୍ୟଞ୍ଜନ। ଏହାକୁ ବେସନ, କର୍ଣ୍ଣ ଫ୍ଲୋର, ବେକିଂ ସୋଡ଼ା ଓ ଅନ୍ୟ ମସଲାର ମିଶ୍ରଣରେ ଗୋଳାଇ ପକୋଡ଼ା ଭଳି ଛଣା ଯାଇଥାଏ। ମନିନ୍ଦରଙ୍କ ଠେଲା ଗାଡ଼ିରେ ଗରମ ଚପ, ସବୁଜ ଚଟଣୀ ଓ ଅଣ୍ଡା ମିଳିଥାଏ।

ମାତ୍ର ଏବେ ମହାମାରୀ ଓ ଲକଡାଉନ ପାଇଁ ତାଙ୍କ ବ୍ୟବସାୟ ମାନ୍ଦା ପଡ଼ିଯାଇଛି । ‘‘ଏବେ, ମୋ ପାଖକୁ ଖୁବ କମ୍ ଗ୍ରାହକ ଆସୁଛନ୍ତି ଏବଂ ଦିନକୁ ୧୦୦ ଟଙ୍କା ସୁଦ୍ଧା ରୋଜଗାର କରିବା କଷ୍ଟ ହୋଇଯାଉଛି। ମୁଁ ଯେତିକି ପରିଶ୍ରମ କରୁଛି, ସେତିକି ଫଳ ବି ମିଳୁନାହିଁ । ଘର ଖର୍ଚ୍ଚ ତୁଲାଇବା ଏବେ ଭାରି କଷ୍ଟକର ହେଲାଣି।’’ ଦୁଃଖର ସହିତ ମନିନ୍ଦର ଆହୁରି କୁହନ୍ତି ଯେ, ‘‘ବେଳେବେଳେ ଏ କାମ ଛାଡ଼ି ଦେବାକୁ ଇଚ୍ଛା ହେଉଛି, କିନ୍ତୁ ମୁଁ କେବଳ ଏହି କାମ ହିଁ ଜାଣିଛି । ୬୦ ବର୍ଷ ବୟସରେ, ପରିବାର ଚଳାଇବା ପାଇଁ ମୁଁ ଆଉ କ’ଣ କରିପାରିବି?’’

‘୬୦ ବର୍ଷ ବୟସରେ, ପରିବାର ଚଳାଇବା ପାଇଁ ମୁଁ ଆଉ କ’ଣ କରିପାରିବି?’ ମନିନ୍ଦର ପ୍ରଶ୍ନ କରନ୍ତି । ଫଟୋ: ପ୍ରକାଶ ଚାନ୍ଦ

ତାଙ୍କ ପରିବାର କାହିଁକି ଭାରତ ଆସିବାକୁ ନିଷ୍ପତ୍ତି ନେଲା ମନିନ୍ଦର ତାହା ଜାଣନ୍ତି ନାହିଁ । ତାଙ୍କ ପରିବାର ଅନେକ ସଂଘର୍ଷର ମୁକାବିଲା କରିବା ସହିତ ଶତାଧିକ କିଲୋମିଟର ଚାଲିବା ପରେ ଭାରତ ସୀମା ନିକଟରେ ପହଞ୍ଚିଥିଲା। ସେମାନେ ଏକ ଛୋଟିଆ ଡାଙ୍ଗାରେ ଇଚ୍ଛାମତୀ ନଦୀ ପାର ହୋଇ ପଶ୍ଚିମବଙ୍ଗର ବୋଙ୍ଗାଓଁରେ ପହଞ୍ଚିଥିଲେ । ସେଠାରୁ ସେମାନେ କୋଲକାତା ଅଭିମୁଖେ ଯାଇଥିଲେ ।

ମନିନ୍ଦର କେବେ ସ୍କୁଲ ଯାଇନାହାନ୍ତି ଏବଂ ତାଙ୍କ ପରିବାରରେ କେହି ଶିକ୍ଷିତ ନୁହନ୍ତି । ‘‘ଆମେ ସମସ୍ତେ ଭୟଭୀତ ଥିଲୁ। ଆମେ ଲୁଚିଛପି କୋଲକାତାରେ ପହଞ୍ଚିଥିଲୁ। ପୁଲିସ ଆମକୁ ଧରି ନେବ, କେହି ଆମକୁ ଚିହ୍ନି ପାରିବ ବୋଲି ଆମ ମନରେ ଭୟ ରହିଥିଲା।’’ ଉତ୍ତର ପ୍ରଦେଶର ପିଲିଭିତ ଜିଲ୍ଲାରେ ସେମାନଙ୍କର ଜଣେ ଦୂରସମ୍ପର୍କୀୟ କକା ରହୁଥିଲେ, ପରିବାର ଲୋକମାନେ ତାଙ୍କ ପାଖକୁ ଯିବା ଲାଗି ନିଷ୍ପତ୍ତି ନେଲେ । ମନିନ୍ଦର କୁହନ୍ତି, ‘‘ଏକ ଟ୍ରକରେ ବସି ଆମେ ପିଲିଭିତରେ ପହଞ୍ଚିଲୁ।’’

କିଛି ବର୍ଷ ମଧ୍ୟରେ ତାଙ୍କ ପରିବାର ଗାଁରେ ସ୍ଥାୟୀ ଭାବେ ରହିବାକୁ ଆରମ୍ଭ କଲା। ତେବେ, ୧୯୭୨ ମସିହା ବର୍ଷା ଋତୁରେ, ଶାରଦା ନଦୀରେ ପ୍ରଳୟଙ୍କରୀ ବନ୍ୟା ଆସିବା ଯୋଗୁଁ ତାଙ୍କ ପରିବାର ଗମ୍ଭୀର କ୍ଷତି ସହିଲା। ବନ୍ୟାରେ ସେମାନଙ୍କ ଘର ଓ ଚାଷ ଜମି ଭାସିଯାଇଥିଲା।


ମନିନ୍ଦର ତାଙ୍କ ସାଇକେଲରେ ଏକ ଟ୍ରଲି ଯୋଡ଼ିଛନ୍ତି ଏବଂ ଏହା ହିଁ ତାଙ୍କର ଦୋକାନରେ ପରିଣତ ହୋଇଛି । ଏହି ଟ୍ରଲିରେ ଅଣ୍ଡା ଟ୍ରେ, ତେନ୍ତୁଳୀ ଚଟଣୀ, ବେସନ, ଗ୍ୟାସ, ଷ୍ଟୋଭ ଏବଂ ଚପ୍‌ ରହିଥାଏ। ଆଠ ବର୍ଷ ପୂର୍ବରୁ ବ୍ୟବସାୟ ଆରମ୍ଭ କରିବା ସମୟରେ ସେ ଏହି ଟ୍ରଲି ନିଜେ ତିଆରି କରିଥିଲେ । ତାଙ୍କର ଭଲ ରୋଜଗାର ହେଉଥିଲା। କିନ୍ତୁ କିଛି ବର୍ଷ ପୂର୍ବରୁ କାମ ସମୟରେ ଘଟିଥିବା ଏକ ଦୁର୍ଘଟଣାରେ ତାଙ୍କ ଛାତି ହାଡ଼ ଭାଙ୍ଗି ଯାଇଥିଲା ଏବଂ ଦୀର୍ଘ ଦିନ ପର୍ଯ୍ୟନ୍ତ ତାଙ୍କୁ ବିଛଣାରେ ପଡ଼ି ରହିବାକୁ ହେଲା। ଏହି ସମୟରେ ସେ ଅତି ନିରାଶ ଅନୁଭବ କରିଥିଲେ । ସେ କୁହନ୍ତି, ‘‘ସେତେବେଳେ ସେ ସବୁକିଛି ହରାଇଥିଲେ। ମୋର ସବୁ କଠିନ ପରିଶ୍ରମ ବୃଥା ହୋଇଥିଲା ଏବଂ ମୋର ଚିକିତ୍ସାରେ ସବୁ ସଞ୍ଚିତ ଅର୍ଥ ଖର୍ଚ୍ଚ ହୋଇଗଲା।’’ ଦୀର୍ଘ ଦିନ ଧରି ଚିକିତ୍ସା ପରେ ସେ ସୁସ୍ଥ ହେଲେ ଏବଂ ପୁଣିଥରେ କାମ ଆରମ୍ଭ କରିବା ଲାଗି ନିଷ୍ପତ୍ତି ନେଲେ ।


୨୪ ବର୍ଷ ବୟସରେ ମନିନ୍ଦର ଦିନ ମଜୁରିଆ ଭାବେ କାମ କରିବା ଲାଗି ଅନ୍ୟ ଜିଲ୍ଲା ଓ ରାଜ୍ୟକୁ ଯାଇଥିଲେ । ସେ ଅନ୍ୟ ଜଣଙ୍କ ଚାଷ ଜମିରେ କାମ କରିବା ଲାଗି ନାନକମତ୍ତା ଆସିଥିଲେ । ‘‘ସେତେବେଳେ ମୁଁ ପିଲିଭିତରେ ଦିନକୁ ଅଢ଼େଇ ଟଙ୍କା ମଜୁରି ପାଉଥିଲି, ଅନ୍ୟପଟେ ନାନକମତ୍ତାରେ ମୋତେ ପାଞ୍ଚ ଟଙ୍କା ପାରିଶ୍ରମିକ ମିଳିଲା। ଏଠାରେ କାମ କରିବାରୁ ଅଧିକ ଲାଭ ମିଳିଲା।’’

ନାନକମତ୍ତାରେ କାମ କରିବା ସମୟରେ ମନିନ୍ଦର ଅନ୍ୟ ବଙ୍ଗାଳୀ ଲୋକମାନଙ୍କ ବିଷୟରେ ଜାଣିବାକୁ ପାଇଥିଲେ ଯେଉଁମାନେ ତତ୍କାଳୀନ ପୂର୍ବ ପାକିସ୍ତାନ ବା ବର୍ତ୍ତମାନର ବାଂଲାଦେଶରୁ ବିସ୍ଥାପିତ ହୋଇ ଆସିଥିଲେ । ‘‘ମୁଁ ଜାଣିବାକୁ ପାଇଲି ଯେ ମୋ ଗାଁର କିଛି ଲୋକ ଏଠାରେ ସ୍ଥାୟୀ ବସତି କରି ରହୁଛନ୍ତି ଏବଂ ମୁଁ ମଧ୍ୟ ଏଠାରେ ରହିବାକୁ ନିଷ୍ପତ୍ତି ନେଲି । ଆମେ ମଧ୍ୟ ଆମ କକାଙ୍କୁ ଅଧିକ ଦିନ ସମସ୍ୟାରେ ପକାଇବାକୁ ଚାହୁଁନଥିଲୁ । ତେଣୁ ଆମେ ଶୀଘ୍ର ଏଠାକୁ ଚାଲି ଆସିଲୁ ଏବଂ ନିଜର ଏକ କଚ୍ଚା ଘର ତିଆରି କଲୁ । ପରେ, ମୁଁ ଏଠାରେ ଜମି କିଣିଲି ଏବଂ ନିଜ ପାଇଁ ଏକ ଇଟା ଘର ତିଆରି କଲି’’, ସେ କହିଥିଲେ ।


ଆଜି, ମନିନ୍ଦରଙ୍କ ପାଖରେ ଭାରତୀୟ ନାଗରିକ ଭାବେ ପ୍ରମାଣ ସ୍ୱରୂପ ରାସନ କାର୍ଡ ଏବଂ ଅନ୍ୟାନ୍ୟ ପରିଚୟପତ୍ର ରହିଛି । ତେବେ ତାଙ୍କର କୌଣସି ଜନ୍ମ ପ୍ରମାଣପତ୍ର ନାହିଁ, ଏହି କାରଣରୁ ସେ ଅନେକ ସମୟରେ ସମସ୍ୟାରେ ପଡ଼ୁଛନ୍ତି । ସେ କୁହନ୍ତି, ‘‘ମୁଁ (ପୂର୍ବ) ପାକିସ୍ତାନରେ ଜନ୍ମ ନେଇଥିଲି । ସେଠାରୁ ମୁଁ କେମିତି ମୋର ଜନ୍ମ ପ୍ରମାଣପତ୍ର ଆଣିବି? ଏସବୁ କାଗଜପତ୍ରର କିଛି ଲାଭ ନାହିଁ, କାରଣ ଆମର ସେମିତି କିଛି କାମ ନାହିଁ, ଯେଉଁଥିରେ ଏହି କାଗଜପତ୍ର ବ୍ୟବହାର ହେଉଥିବ । ଆମେ ଯାହା କରିଥାଉ କେବଳ ସେଥିପ୍ରତି ଧ୍ୟାନ ଦେଇଥାଉ।’’

ନିଜର ୧୫ ଟଙ୍କିଆ ଚପରେ ଲୋକଙ୍କ ମୁହଁରେ ଖୁସି ଆଣିପାରୁଥିବା ମନିନ୍ଦର ନିଜ ଜୀବନ ସମ୍ପର୍କରେ କୁହନ୍ତି, ‘‘କଠିନ ପରିଶ୍ରମ ଭରା ଏହି ବ୍ୟସ୍ତବହୁଳ ଜୀବନରେ, ଆମେ କେଉଁଠୁ ଖୁସି ପାଇବୁ? ସବୁବେଳେ ରୋଜଗାର ଚିନ୍ତା ଲାଗି ରହିଛି ।’’

Editor's note

ପ୍ରକାଶ ଚାନ୍ଦ ଉତ୍ତରାଖଣ୍ଡରେ ଥିବା ନାନକମତ୍ତା ପବ୍ଲିକ୍‌ ସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଛନ୍ତି । ତାଙ୍କ ସ୍କୁଲରେ ପରୀର ଏକ ଅଧିବେଶନ ଆୟୋଜନ କରାଯିବା ପରେ, ସେ ନିଜ ଚାରିପାଖରେ ଥିବା ଲୋକମାନଙ୍କ ଜୀବନ ଓ କାହାଣୀକୁ ନେଇ ଲେଖିବା ପାଇଁ ସ୍ଥିର କରିଥିଲେ । ସେ କୁହନ୍ତି : ‘‘ପରୀ ଏଜୁକେସନ ସହିତ ଏହି ଷ୍ଟୋରୀ ପ୍ରସ୍ତୁତ କରିବା ସମୟରେ, ମୁଁ ଜାଣିବାକୁ ପାଇଥିଲି ଯେ ନିଜ ଗାଁର ଲୋକମାନଙ୍କ ବିଷୟରେ ମୁଁ କେତେ କମ୍‌ ଜାଣିଛି । ମୋ ଭିତରେ ଏହି ଧାରଣା ସୃଷ୍ଟି ହେଲା ଯେ ଜନ ସମୁଦାୟର ଇତିହାସ, ସେମାନଙ୍କର କାହାଣୀ ଓ ବୃତ୍ତାନ୍ତରେ ଲୁଚି ରହିଥାଏ। ମୋ ପାଇଁ ମନିନ୍ଦରଙ୍କ କାହାଣୀକୁ ଶବ୍ଦରେ ବର୍ଣ୍ଣନା କରିବା ଅତ୍ୟନ୍ତ ଆହ୍ୱାନପୂର୍ଣ୍ଣ ଥିଲା। କିନ୍ତୁ, ତାଙ୍କର କାହାଣୀ ଲେଖିବା ସମୟରେ ମୁଁ କେବଳ ବିସ୍ଥାପିତଙ୍କ ବିଷୟରେ ଜାଣିଲି ନାହିଁ, ବରଂ ସେମାନଙ୍କ ସଂଘର୍ଷ ଏବଂ ଯନ୍ତ୍ରଣାକୁ ମଧ୍ୟ ଜାଣିବାର ସୁଯୋଗ ପାଇଲି।’’

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ