“ମୋର ସଞ୍ଚୟ ଅର୍ଥ ସରିଆସିଲାଣି”, କୁହନ୍ତି ଅଶୀମ ବିଶ୍ୱାସ ଯିଏକି ଅଶୋକ ନଗର ରୋଡ ରେଳ ଷ୍ଟେସନରେ ଫେରିବାଲା ଭାବେ କାମ କରିଥାନ୍ତି। ଲକଡାଉନ ପୂର୍ବରୁ ସେଠାରେ ସେ ପରଟା ବିକ୍ରି କରୁଥିଲେ। “ମୋ ପରିବାରରେ ୧୨ ଜଣ ଲୋକଙ୍କ ପେଟ ମୋତେ ପୋଷିବାକୁ ପଡ଼ୁଛି। ମୁଁ ଦିନକୁ ୩୦୦-୩୫୦ ଟଙ୍କା ମଜୁରିରେ ଘର ରଙ୍ଗ କାମ କରୁଥିଲି, କିନ୍ତୁ ସେହି କାମ ଖୁବ ଅଳ୍ପ ଦିନରେ ସରିଗଲା।”

ମାର୍ଚ୍ଚ ୨୪ ତାରିଖରେ, ଯେତେବେଳେ ଲକଡାଉନ ଘୋଷଣା କରାଗଲା, ରେଳ ସେବା ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା। ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲା ଅନ୍ତର୍ଗତ ଅଶୋକ ନଗର ରୋଡ ଭଳି ରେଳ ଷ୍ଟେସନଗୁଡ଼ିକ ଜନଶୂନ୍ୟ ହୋଇଗଲା। ଷ୍ଟେସନ ଓ ଟ୍ରେନରେ ବୁଲି ବୁଲି ବିକ୍ରି କରୁଥିବା ଫେରିବାଲାମାନେ ହଠାତ୍ କାମ ହରାଇଥିଲେ।

“ମୁଁ ମାସିକ ପାଖାପାଖି ୧୨,୦୦୦-୧୫,୦୦୦ ଟଙ୍କା ଆୟ କରୁଥିଲି, କିନ୍ତୁ ଲକଡାଉନ ପରେ ମୋର କୌଣସି କାମ ନାହିଁ ଓ ରୋଜଗାର ନାହିଁ”, ବୋଲି କୁହନ୍ତି ୨୬ ବର୍ଷ ବୟସ୍କ ଜୟ ବିଶ୍ୱାସ ଯିଏକି ସିଆଲଦା-ବାଙ୍ଗାଓଁ ଉପସହରାଞ୍ଚଳ ଟ୍ରେନ ନଂ ୩୩୮୫୧ରେ ଫେରିବାଲା ଭାବେ କାମ କରିଥାନ୍ତି। କୋଲକାତାରେ ମୁଖ୍ୟାଳୟ ଥିବାରୁ ଏହି ଟ୍ରେନରେ ମୁଖ୍ୟତଃ ଦିନ ମଜୁରିଆ ଓ ଘରୋଇ କର୍ମଜୀବୀମାନେ ଅଶୋକ ନଗର, ହାଓଡ଼ା, ଗୋବରଡାଙ୍ଗା, ଗୁମା, ବୀରା, ମସଲାନ୍ଦାପୁର, ବାଙ୍ଗାଓଁ ଓ ଠାକୁରନଗର ଆଦି ସହର ଉପକଣ୍ଠବର୍ତ୍ତୀ ଅଞ୍ଚଳରୁ କୋଲକାତା ସହରକୁ ଆସିଥାନ୍ତି। ଜୟଙ୍କ ବାପା ୫୩ ବର୍ଷୀୟ ଜତିଶ ବିଶ୍ୱାସ ମଧ୍ୟ ସେହି ଲାଇନରେ ଜଣେ ଫେରିବାଲା ଭାବେ କାମ କରିଥାନ୍ତି।

ଏହି ଲାଇନରେ ୩୫ ବର୍ଷୀୟା ପୂଜା ସିଂଘା ମଧ୍ୟ ଜଣେ ଫେରିବାଲା ଭାବେ କାମ କରିଥାନ୍ତି। ସେ ପାନିଆ, ଚା’ ଛଣା, ଗିନା, ବାସନମଜା ଆଦି ପ୍ଲାଷ୍ଟିକ ଘରକରଣା ସାମଗ୍ରୀ ବିକ୍ରି କରିଥାନ୍ତି। ବର୍ତ୍ତମାନ ସେ ଷ୍ଟେସନ ପ୍ରସ୍ଥାନ ପଥରେ ବସି ରହି, ପଥଚାରୀ ଗ୍ରାହକଙ୍କ ସନ୍ଧାନରେ ରହୁଛନ୍ତି। “ଆମକୁ ସବୁବେଳେ ଖାଇବାକୁ ମିଳୁନି ଏବଂ ବେଳେ ବେଳେ ଭୋକରେ ରହିବାକୁ ପଡ଼ୁଛି। ବର୍ତ୍ତମାନସୁଦ୍ଧା ଆମକୁ କୌଣସି ସହାୟତା ମିଳିପାରିନାହିଁ”, ସେ କହିଥିଲେ।

ଜୟ, ଜତୀଶ ଓ ପୂଜାଙ୍କ ଭଳି ବୁଲାବିକାଳୀମାନେ ଲୋକାଲ ଓ ଉପସହରାଞ୍ଚଳ ଟ୍ରେନରେ ବୁଲି ବୁଲି, ବାଦାମ, ଚଣା ଓ ଫଳ ଠାରୁ ଆରମ୍ଭ କରି ପାନିଆ, ସାବୁନ, ଶସ୍ତା ଅଳଙ୍କାର ଏବଂ ବହି ପର୍ଯ୍ୟନ୍ତ ସାଜସଜ୍ଜା ସାମଗ୍ରୀ ବିକ୍ରି କରିଥାନ୍ତି। ସେମାନେ ନିଜ ସଂଘ ପକ୍ଷରୁ ଧାର୍ଯ୍ୟ ମାର୍ଗରେ କାରବାର କରିଥାନ୍ତି ଏବଂ ଅନ୍ୟ କୌଣସି ଟ୍ରେନ ବଦଳାଇ ପାରିନଥାନ୍ତି। ଜୟ ସକାଳ ପାଖାପାଖି ୮.୫୫ରେ ହାଓଡ଼ା ଲୋକାଲ ଟ୍ରେନ ଧରିଥାନ୍ତି, ଏହାର ଏକ ଘଣ୍ଟା ପରେ ଦମ ଦମ କ୍ୟାଣ୍ଟନମେଣ୍ଟରେ ଓହ୍ଲାଇଥାନ୍ତି। ଏହାପରେ ସେ ବାଙ୍ଗାଓଁଙ୍କୁ ଫେରୁଥିବା ସେହି ଟ୍ରେନରେ ଚଢ଼ିଥାନ୍ତି। ପ୍ରତ୍ୟେକ ଥର ଏହି ଉପସହରାଞ୍ଚଳ ଟ୍ରେନରେ ସେ ଏକ ଘଣ୍ଟା ପାଦରେ ବୁଲି ବୁଲି ସେ ପିଜୁଳି ଓ ମୌସମ୍ବି ବିକ୍ରି କରିଥାନ୍ତି।

ଅଶୋକ ନଗର ରୋଡ ଷ୍ଟେସନର ପ୍ରସ୍ଥାନ ସ୍ଥଳୀରେ ବିଭିନ୍ନ ପ୍ରକାର ସାମଗ୍ରୀ ବିକ୍ରି କରୁଛନ୍ତି ଫେରିବାଲା ପୂଜା ସିଙ୍ଘା। ସୁମନ୍ତ ରୟଙ୍କ ଫଟୋ

‘ଆମ କଥା କେବେ ଶୁଣାଯାଇନାହିଁ’

ନ୍ୟାସନାଲ ହକର ଫେଡରେସନ (ଏନଏଚଏଫ)ର ସମ୍ପାଦକ ଏବଂ ହକର ସଂଗ୍ରାମ ସମିତିର ଯୁଗ୍ମ ସମ୍ପାଦକ ମୁରୁଦ ହୋସେନ କୁହନ୍ତି, “ଫେରିବାଲାଙ୍କ ସମ୍ପର୍କରେ କୌଣସି ସରକାରୀ ତଥ୍ୟ ନାହିଁ”। ତାଙ୍କ ଆକଳନ ଅନୁଯାୟୀ ପାଖାପାଖି ଏକ କୋଟି ବୁଲା ବିକାଳୀ ରେଳଯାତ୍ରୀଙ୍କ ଉପରେ ନିର୍ଭର କରିଥାନ୍ତି। ଏମାନେ ପ୍ଲାଟଫର୍ମ ଓ ଚଳନ୍ତା ଟ୍ରେନରେ ଖାଦ୍ୟ ଓ ବିଭିନ୍ନ ସାମଗ୍ରୀ ବିକ୍ରି କରି ପେଟ ପୋଷିଥାନ୍ତି।

ଲକଡାଉନ ସେମାନଙ୍କ ଜୀବିକା ଓ ରୋଜଗାର ବାଟ ବନ୍ଦ କରି ଦେଇଛି। “ରୋଜଗାର ହରାଇବା କାରଣରୁ ପଶ୍ଚିମବଙ୍ଗରେ ଦୁଇ ଜଣ ରେଳବାଇ ଫେରିବାଲା ଆତ୍ମହତ୍ୟା କରିଛନ୍ତି। ମହାମାରୀ ସେମାନଙ୍କର ସମୁଦାୟକୁ ସମ୍ପୂର୍ଣ୍ଣ ଭାବେ ବରବାଦ୍ କରିଦେଇଛି। ଏମାନଙ୍କ ମଧ୍ୟରେ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ରେଳଷ୍ଟସନ ଓ ଚଳନ୍ତା ଟ୍ରେନର ଫେରିବାଲା। କାରବାର ଧୀରେ ଧୀରେ ଖୋଲୁଥିବା ବେଳେ, ରାସ୍ତାକଡ଼ ଉଠାଦୋକାନୀ ହୁଏତ କିଛିଟା ଆଶ୍ୱସ୍ତି ପାଇପାରନ୍ତି। କିନ୍ତୁ ପାଖାପାଖି ସାତମାସ ହେବ କୌଣସି ଟ୍ରେନ ଚାଲୁନାହିଁ। ଷ୍ଟେସନ ଓ ଫେରିବାଲାଙ୍କ କାରବାର ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି।

କୋୟଲ ରାୟଚୌଧୁରୀ ଲୋକାଲ ଟ୍ରେନରେ ଗୀତ ଗାଇ ପେଟ ପୋଷିଥାନ୍ତି। ସେ ଏକାକିନୀ ମାତା ଏବଂ ତାଙ୍କର ଛୋଟ ଝିଅଟିଏ ଅଛି। ତାଙ୍କ ସ୍ୱାମୀ ଚାଲିଯିବା ପରଠାରୁ ସେ ଏହି କାମ କରି ଚଳୁଛନ୍ତି। “ଲୋକମାନେ ମୋର ପ୍ରତିଭାକୁ ସମ୍ମାନ ଜଣାଇ (ମୋତେ ଟଙ୍କା ଦେଇଥାନ୍ତି)। କିନ୍ତୁ ମୁଁ ଏବେ ସ୍ଥାନୀୟ ବଜାରରେ ସବୁଦିନ ଚା’ ବିକିବାକୁ ବାଧ୍ୟ ହୋଇଛି। ଦିନକୁ ଦୁଇଥର ମୁଁ ଘରେ ଚା’ କରି ମୋ ସାଇକେଲରେ ଗୋଟିଏ ବଜାରରୁ ଅନ୍ୟ ବଜାରକୁ ବିକ୍ରି କରିବାକୁ ନେଇଥାଏ।”

ଏହି ସ୍ତମ୍ଭରେ ଯେଉଁ ଫେରିବାଲାଙ୍କ ବିଷୟରେ ଉଲ୍ଲେଖ କରାଯାଇଛି ସେମାନେ ସାଧାରଣତଃ ନମଶୂଦ୍ର ଦଳିତ ସମ୍ପ୍ରଦାୟର ଏବଂ ସେମାନଙ୍କ ଘର ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲ୍ଲା ଅନ୍ତର୍ଗତ ହାବଡ଼ା-I ଓ ହାବଡ଼ା-II ଅଞ୍ଚଳରେ। ଟ୍ରେନରେ ବୁଲୁଥିବା ଫେରିବାଲାମାନେ ମାସକୁ ପାଖାପାଖି ୧୫,୦୦୦ ଟଙ୍କା ରୋଜଗାର କରୁଥିବା ବେଳେ ଷ୍ଟେସନର ବୁଲାବିକାଳୀମାନେ ୮,୦୦୦-୧୦,୦୦୦ ଟଙ୍କା ଆୟ କରିଥାନ୍ତି। ଉଭୟ ଷ୍ଟେସନ ଏବଂ ବୁଲୁଥିବା ଫେରିବାଲାମାନେ ଆମକୁ କହିଛନ୍ତି ଯେ ସେମାନେ ଶୀତ ଋତୁରେ ଅଧିକ ଟଙ୍କା ରୋଜଗାର କରିଥାନ୍ତି କାରଣ ଏହି ସମୟରେ ପାଗ ଭଲ ଥାଏ- ଯାତ୍ରୀମାନେ ଅଧିକ ଟଙ୍କା ଖର୍ଚ୍ଚ କରିବା ଓ ଅଧିକ ସ୍ନାକ୍ସ କିଣିବା ଲାଗି ଆଗ୍ରହୀ ଥାଆନ୍ତି। ଚଣା ଓ ଚିନାବାଦାମ ବିକ୍ରି କରୁଥିବା ୨୪ ବର୍ଷୀୟ ଫେରିବାଲା ଶୁଭ ହାଲଦାର କୁହନ୍ତି, “ଜଣେ ଚିନାବାଦାମ ବିକ୍ରେତା ଭାବେ ଖରାଦିନେ ପ୍ରତିଟି ଜନଗହଳିପୂର୍ଣ୍ଣ ବଗିରେ ଗରମରେ ପ୍ରବେଶ କରିବା ସମ୍ଭବ ହୋଇନଥାଏ।”

ଜୟଙ୍କ ଭଳି ଅଧିକାଂଶ ଫେରିବାଲା ଦିନ ମଜୁରି କାମ ପାଇଁ ଚେଷ୍ଟା କରିଥିଲେ କିନ୍ତୁ କମ ଟଙ୍କା ମିଳୁଥିବା ଅଣକୁଶଳୀ କାମ ପାଇବା ପାଇଁ ଅନ୍ୟ ଶ୍ରମିକମାନେ ମଧ୍ୟ ଚେଷ୍ଟା କରୁଥିବା କାରଣରୁ ସେମାନଙ୍କୁ କଡ଼ା ପ୍ରତିଯୋଗିତାର ସମ୍ମୁଖୀନ ହେବାକୁ ପଡ଼ୁଥିଲା। “କିଛିଦିନ ପାଇଁ ମୁଁ ପଥର ଫଟାଳି ଭାବେ କାମ କରି ଦିନକୁ ୩୫୦ ଟଙ୍କା ମଜୁରି ପାଉଥିଲି, କିନ୍ତୁ ସେ କାମ ମଧ୍ୟ ଚାଲିଗଲା। ବର୍ତ୍ତମାନ, ମୁଁ ମୋ ଘର ପାଖରେ ଫଳ ବିକ୍ରି କରୁଛି; ମୋର ସାଇକେଲ ନାହିଁ, ତେଣୁ ମୁଁ ମୁଣ୍ଡରେ ମୁଣ୍ଡାଇ ଫଳ ବିକ୍ରି କରୁଛି”, ଜୟ କୁହନ୍ତି।

୨୦ ବର୍ଷ ହେବ ବାଙ୍ଗାଓଁ-ସିଆଲଦାରେ ଫଳ ବିକ୍ରି କରିଆସୁଛନ୍ତି ୫୨ ବର୍ଷ ବୟସ୍କ ଜନାଦନ ହାଲଦାର। “ଲକଡାଉନ ପୂର୍ବରୁ ମୁଁ ଦିନକୁ ୨୫୦ ଟଙ୍କା ରୋଜଗାର କରୁଥିଲି। ଏବେ ମୁଁ ହାଓଡ଼ା ସହରରୁ ମୋସାମ୍ବି କିଣି ସେଗୁଡ଼ିକୁ ସାଇକେଲରେ ବୋହି ବିଭିନ୍ନ କଲୋନୀରେ ବିକ୍ରି କରୁଛି”, ସେ କହିଥିଲେ। ଅମ୍ଫନ ବାତ୍ୟାରେ ହାଲଦାରଙ୍କ ଘର ଭାଙ୍ଗି ଯାଇଥିଲା। ହେଲେ ତାଙ୍କୁ ଆଜିଯାଏ ସରକାରୀ ସହାୟତା ମିଳିପାରିନାହିଁ। ସରକାରଙ୍କ ନିକଟରେ ତାଙ୍କର କିଛି ଦାବି ଅଛି କି ବୋଲି ପ୍ରଶ୍ନ ହେବାରୁ ସେ କୁହନ୍ତି, “କେହି କେବେ ଆମ କଥା ଶୁଣିନାହାନ୍ତି। ତେଣୁ ଦାବି କରିବାର ମୂଲ୍ୟ କ’ଣ।”

ରେଳବାଇ ଫେରିବାଲା ବାହାରେ ରହିଲେ

ଯାତ୍ରୀ ରେଳ ସେବା (କେବଳ ଶ୍ରମିକ ସ୍ପେଶାଲ) ମେ ୧୨,୨୦୨୦ରେ ଆରମ୍ଭ ହୋଇଥିଲା, କିନ୍ତୁ ଫେରିବାଲାଙ୍କୁ ଟ୍ରେନରେ ଯାତ୍ରା କରିବା ଲାଗି ଅନୁମତି ମିଳିଲା ନାହିଁ। କେତେକ ମାର୍ଗରେ ଦୂରଗାମୀ ଟ୍ରେନ ଚଳାଚଳ ଆରମ୍ଭ କଲା, କିନ୍ତୁ ଉପସହରାଞ୍ଚଳ ଟ୍ରେନ ଚଳାଚଳ ହୋଇନଥିଲା। ଫେରିବାଲାଙ୍କୁ ଆଉ ପୁଣିଥରେ କାମ କରିବାକୁ ମିଳିବ କି ନାହିଁ ତାହା ଅନିଶ୍ଚିତତା ମଧ୍ୟରେ ରହିଛି। ବାଙ୍ଗାଓଁ ଲୋକାଲ ଟ୍ରେନରେ ଚିନାବାଦାମ ବିକ୍ରି କରୁଥିବା ୪୫ ବର୍ଷ ବୟସ୍କ ଜୟଦେବ ବିଶ୍ୱାସ ଲକଡାଉନ ପରେ ଏବେ ଫୁଟପାଥରେ ପରିବା ବିକ୍ରି କରୁଛନ୍ତି। ସେ ସକାଳ ବଜାରରୁ ପରିବା କିଣି ସାଇକେଲରେ ସେଗୁଡ଼ିକୁ ଫେରି କରି ବିକ୍ରି କରୁଥିଲେ। “ମୁଁ ବଡ଼ କ୍ଷତି ସହିଲି, ତେଣୁ ମୁଁ ଏବେ ଜଣେ ପରିବା ଦୋକାନ ମାଲିକଙ୍କଠାରୁ ପରିବା ନେଇ ବିଭିନ୍ନ ସ୍ଥାନରେ ଦେଉଛି”, ସେ କହିଥିଲେ।

ବାମରୁ : ଜୟଦେବ ବିଶ୍ୱାସ, ପୂଜା ସିଂଘା, ମିଲନ ହାଲଦାର, ଅମର ସେନଗୁପ୍ତା, ଦୀପଙ୍କର ଦେବନାଥ, କାକୋଲି ଜୟଧର ଓ ପିଙ୍କି ସାହା। ସୁମନ୍ତ ରୟଙ୍କ ଦ୍ୱାରା ଉଠାଯାଇଥିବା ଫଟୋ

ନିକଟରେ ୨୦୧୪ ଭଳି, କେନ୍ଦ୍ର ସରକାର ‘ଉଠାଦୋକାନୀଙ୍କ ଅଧିକାର ସୁରକ୍ଷା ଏବଂ ଉଠାଦୋକାନ କାର୍ଯ୍ୟକଳାପର ନିୟନ୍ତ୍ରଣ’ ଲାଗି ଉଠାଦୋକାନୀ (ଜୀବିକା ସୁରକ୍ଷା ଏବଂ ଉଠାଦୋକାନୀ ନିୟାମକ) ଆଇନ ଅନୁମୋଦନ କରିଥିଲେ। ତେବେ, ଏହି ଆଇନରେ ଦର୍ଶାଯାଇଛି ଯେ ‘ରେଳବାଇ ଆଇନ, ୧୯୮୯ ଅନ୍ତର୍ଗତ ରେଳବାଇ ଦ୍ୱାରା ନିୟନ୍ତ୍ରିତ ଓ ମାଲିକାନାରେ ଥିବା କୌଣସି ଜମି, ପରିସର ଏବଂ ଟ୍ରେନରେ ଏହି ଆଇନ ଲାଗୁ ହେବ ନାହିଁ’।

ଫେରିବାଲା ସଂଘଗୁଡ଼ିକ ଏହି ଆଇନ ଅନ୍ତର୍ଗତ ସାମିଲ ହେବା ଲାଗି ଚାହୁଁଛନ୍ତି କିନ୍ତୁ ସେମାନଙ୍କର ଆହୁରି କିଛି ସମସ୍ୟା ମଧ୍ୟ ରହିଛି। ମୁରାଦ କୁହନ୍ତି, “ରେଳ ସୁରକ୍ଷା ବାହିନୀ ଫେରିବାଲାମାନଙ୍କୁ ଅତ୍ୟନ୍ତ ଅମାନବୀୟ ବ୍ୟବହାର କରିଥାନ୍ତି ଏବଂ ପ୍ୟାଣ୍ଟ୍ରି କାର ଫେରିବାଲା ଓ ସ୍ଥାନୀୟ ଫେରିବାଲାଙ୍କ ମଧ୍ୟରେ ସବୁବେଳେ ବିବାଦ ଦେଖାଦେଇଥାଏ। “ଦୁଇ ପ୍ରକାରର ରେଳବାଇ ଓ ଷ୍ଟେସନ ଫେରିବାଲା ଅଛନ୍ତି : ପ୍ରଥମତଃ ରେଳ କର୍ତ୍ତୃପକ୍ଷଙ୍କଠାରୁ ଦୋକାନ ଚଳାଇବା ଲାଗି ଅନୁମତି ଆଣୁଥିବା ଫେରିବାଲା ଏବଂ ଦ୍ୱିତୀୟତଃ ଯେଉଁମାନଙ୍କ ପାଖରେ ଅନୁମତି ନଥାଏ। ଅଧିକାଂଶ ଷ୍ଟେସନ ଫେରିବାଲା ସେମାନଙ୍କ ସଂଘ ସହାୟତାରେ କାରବାର କରିଥାନ୍ତି”, ସେ ଉଲ୍ଲେଖ କରିଥିଲେ।

୬୮ ବର୍ଷ ବୟସ୍କ ଫେରିବାଲା ଜଗଦୀଶ ଗାଏଁ ବର୍ସାତ ଜଙ୍କସନ ଷ୍ଟେସନରେ ଫଳ ବିକ୍ରି କରିଥାନ୍ତି ଯାହାକି ଉତ୍ତର ୨୪ ପ୍ରଗଣାଠାରୁ କୋଲକାତା ଯିବା ବାଟରେ ପଡ଼ିଥାଏ। “କାମ କରିବା ଲାଗି ମୋ ବୟସ ମୋତେ ଅନୁମତି ଦେଉନାହିଁ; ମୁଁ ଏବେ ବେସାହାରା”, ସେ କୁହନ୍ତି। “ଲକଡାଉନ ପୂର୍ବରୁ ମୁଁ ଦିନକୁ ୩୦୦-୪୦୦ ଟଙ୍କା ରୋଜଗାର କରୁଥିଲି। ଏବେ ଆମ ହାତରେ କିଛି ଟଙ୍କା ନାହିଁ ଏବଂ ମୋ ପରିବାର ସାଧାରଣ ବଣ୍ଟନ କେନ୍ଦ୍ରରୁ ମିଳିଥିବା ରାସନରେ ଚଳୁଛି।

ଏନଏଚଏଫ ସମେତ ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ ପକ୍ଷରୁ ଲୋକାଲ ଟ୍ରେନ ଚଳାଇବା ଲାଗି ସିଆଲଦା ରେଳବାଇ ଉପପ୍ରବନ୍ଧକ ଏବଂ ମହାପ୍ରବନ୍ଧକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା, କିନ୍ତୁ ସେମାନେ ଏ ଦିଗରେ କୌଣସି ଉତ୍ତର ଦେଇନଥିଲେ।

କାକଳି ଜୟଧର (୪୫) ଜଣେ ବିଧବା ଏବଂ ଦୁଇ ଜଣ ପିଲାଙ୍କ ମା’। ସେ ଅଶୋକ ନଗର ରୋଡ ଷ୍ଟେସନର ଟିକେଟ କାଉଣ୍ଟର ପାଖରେ ବସି ଫଳ ବିକ୍ରି କରିଥାନ୍ତି। “ଖୁବଶୀଘ୍ର ଲୋକାଲ ଟ୍ରେନଗୁଡ଼ିକ ଚାଲିବ ବୋଲି ମୋର ଆଶା। ମୋର ଦୁଇ ପିଲାଙ୍କୁ ଚଳାଇବା ଲାଗି ମୋତେ ଭାରି କଷ୍ଟ କରିବାକୁ ପଡ଼ୁଛି”, ସେ କହିଥିଲେ।

ଘରୋଇକରଣ ଭୟ

ଯାତ୍ରୀ ରେଳ ମାର୍ଗର କେତେକ କ୍ଲଷ୍ଟରରେ ଘରୋଇ ସହଭାଗିତା ନିମନ୍ତେ ଜୁଲାଇ ୧, ୨୦୨୦ରେ ଭାରତ ସରକାରଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଥିଲା। ଫେରିବାଲାମାନେ ଭୟ କରୁଛନ୍ତି ଯେ ଘରୋଇକରଣ ଦ୍ୱାରା ସେମାନଙ୍କୁ ଟ୍ରେନରୁ ଓ ପ୍ଲାଟଫର୍ମରୁ ବିତାଡ଼ିତ କରି ଦିଆଯିବ। ଏନଏଚଏଫର ମୁରାଦ କହିଥିଲେ, “ଏ ସରକାର ବଡ଼ବଡ଼ ଶିଳ୍ପପତିଙ୍କ ପାଇଁ; ସେମାନେ ପ୍ଲାଟଫର୍ମରେ ଏକ ମଲ୍ ଖୋଲିବେ ଏବଂ ସେଠାରେ ଫେରିବାଲାଙ୍କ ପାଇଁ କୌଣସି ସ୍ଥାନ ରହିବ ନାହିଁ। ଏବେ ଚା’ କପକୁ ୧୦ ଟଙ୍କାରେ ମିଳୁଥିବା ବେଳେ ସେତେବେଳେ କପେ ଚା’ ୨୫ ଟଙ୍କାରେ ବିକ୍ରି ହେବ’’।

ଗତ ୪୨ ବର୍ଷ ଧରି ଅଶୋକ ନଗର ରୋଡ ଷ୍ଟେସନରେ ଥିବା ନିଜର ଦୋକାନରେ ୫୩ ବର୍ଷ ବୟସ୍କ ଅମର ସେନଗୁପ୍ତ ଘଣ୍ଟା ବିକ୍ରି ଓ ମରାମତି କରି ଆସୁଛନ୍ତି। ପ୍ଲାଟଫର୍ମର ଘରୋଇକରଣ ହେଲେ ସେ ନିଜ ଗ୍ରାହକମାନଙ୍କୁ ହରାଇବେ ବୋଲି ଭୟ କରିଥାନ୍ତି। “ଏହା ଆମ ପାଇଁ ଏକ ବଡ଼ ଝଟକା ହେବ। ମୁଁ ମୋର ଅଧିକାଂଶ ଗ୍ରାହକଙ୍କ ଯୋଗାଯୋଗରେ ରହିଛି, କିନ୍ତୁ ମୁଁ ଯଦି ଏଠାରୁ ଆଉ କୌଣସି ସ୍ଥାନକୁ ଚାଲିଯିବି ତା’ହେଲେ ମୋର ସବୁ ରୋଜଗାର ବନ୍ଦ ହୋଇଯିବ।” ଉପସହରାଞ୍ଚଳ ଟ୍ରେନରେ ଝାଲମୁଡ଼ି ବିକ୍ରି କରୁଥିବା ଶିବୁ ଦାସ ମଧ୍ୟ ଏଥିରେ ରାଜି ହୋଇଥାନ୍ତି ଯେ “ଘରୋଇକରଣ ଦ୍ୱାରା ଲକ୍ଷାଧିକ ଫେରିବାଲାଙ୍କ ମୃତ୍ୟୁ ଚାଲି ଆସିବ। ଆମେ ଭୋକରେ ମରିଯିବୁ। ସରକାରୀ ହୋଇଥିଲେ ଆମେ ଅତିକମରେ ଆମର ଦାବି ଉପସ୍ଥାପନ କରିପାରିବୁ, କିନ୍ତୁ ଘରୋଇ କ୍ଷେତ୍ରରେ ପ୍ରଶ୍ନ ଉଠାଇବାର ଆଦୌ ସୁଯୋଗ ମିଳିବ ନାହିଁ। ସେମାନେ ଯାହା ଇଚ୍ଛା ତାହା କରିବେ।”

ଏହି ସ୍ତମ୍ଭ ପ୍ରସ୍ତୁତ କରିବାରେ ସହାୟତା କରିଥିବାରୁ ଲେଖକ ଜେଏନୟୁର ପ୍ରଫେସର ଚିରଶ୍ରୀ ଦାସଗୁପ୍ତା ଏବଂ ଅଭିଜିତ ଅଧିକାରୀ, ବାସୁଦେବ ବାନାର୍ଜୀ, ଶୈରିକ ସେନଗୁପ୍ତ ଏବଂ ସୁବ୍ରତ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍‌ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Editor's note

ସୁମନ୍ତ ରୟ ଦିଲ୍ଲୀସ୍ଥିତ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ ଅଧୀନ ସାମାଜିକ ଚିକିତ୍ସା ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଗବେଷକ। ସେ ଜନ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅସଂଗଠିତ କ୍ଷେତ୍ରର ଅନୁଧ୍ୟାନ କରୁଛନ୍ତି ଏବଂ ଲକଡାଉନ ଓ ଅମ୍ଫନ ବାତ୍ୟା ଯୋଗୁଁ ପ୍ରଭାବିତ ହୋଇଥିବା ଜୀବିକା ଆହ୍ୱାନଗୁଡ଼ିକ ବିଷୟରେ ଜାଣିବାକୁ ଆଗ୍ରହୀ ଅଟନ୍ତି। ସୁମନ୍ତ କୁହନ୍ତି, “ଆମେ ଶ୍ରେଣୀଗୃହରେ ପଢ଼ୁଥିବା ବିଷୟ ସହିତ କ୍ଷେତ୍ରସ୍ତରରେ କାମ କରିବା ଅତ୍ୟନ୍ତ ଜରୁରି। ମୋର ପ୍ରାରମ୍ଭିକ ଡ୍ରାଫ୍ଟଗୁଡ଼ିକ ଗବେଷଣା ପ୍ରବନ୍ଧ ଭଳି ଥିଲା ଏବଂ ଏଗୁଡ଼ିକୁ କିଭଳି ଭାବେ କାହାଣୀ ଆକାରରେ ଲେଖାଯାଇପାରିବ ମୁଁ ପରୀରୁ ତାହା ଶିଖିଲି ଏବଂ ଲେଖିବା ସମୟରେ ବିଷୟବସ୍ତୁର କାହାଣୀ କିପରି କହିବା, ନିଜର ମତାମତ ନଦେବା ମଧ୍ୟ ଜାଣିଲି।”