
ନିୟାଜ୍ ହୁସୈନ ନିଜ ଶୟନ କକ୍ଷ କାନ୍ଥରେ ଏକ ନବଜାତ ଶିଶୁର ଅସମ୍ପୂର୍ଣ୍ଣ ଚିତ୍ରରେ ଟେପ୍ ଲଗାଉଛନ୍ତି ।
ସେ ଏହା କରିବା ସମୟରେ, ତାଙ୍କ ପତ୍ନୀ ସମୀରା (ଛଦ୍ମନାମ) ତାଙ୍କ ପାଇଁ ରଙ୍ଗ ତୁଳୀ ଏବଂ ପାଲେଟ୍ ଆଣିବାକୁ ବାହାରି ଯାଆନ୍ତି। ତେବେ, ୨୯ ବର୍ଷୀୟ ଏହି ବ୍ୟକ୍ତିଙ୍କୁ କେବଳ ପତ୍ନୀଙ୍କ ସହଯୋଗ ମିଳୁନାହିଁ, କହୁଣୀକୁ ଲାଗିଥିବା ଏକ ଆଶାବାଡ଼ି ଏବଂ ରବର କାଲିପର ସହାୟତାରେ ସେ ଛିଡ଼ା ହୋଇଥାନ୍ତି ଓ ଚାଲିଥାନ୍ତି। ସହଜରେ ରଙ୍ଗ କରିବା ଲାଗି ସେ କହୁଣୀରେ ଲାଗିଥିବା ଆଶାବାଡ଼ିକୁ ଧୀରେ ଧୀରେ ବାହାର କରି ଦେଇଥାନ୍ତି। ନିୟାଜ୍ ଆରାମ ସ୍ଥିତିକୁ ଆସିବା ପରେ ସମୀରା କୋଠରୀରୁ ବାହାରକୁ ଚାଲି ଯାଇଥାନ୍ତି।
ତାଙ୍କୁ ଏଭଳି ସହାୟତାର ଆବଶ୍ୟକତା ରହିଛି କାରଣ ଜୀବନର ଅଧିକାଂଶ ସମୟ ସେ ପୋଲିଓ ବା ଡାକ୍ତରୀ ଭାଷାରେ ପୋଲିଓମେଲିଟିସରେ ଆକ୍ରାନ୍ତ ହୋଇ ବଞ୍ଚି ରହିଛନ୍ତି।
ନିୟାଜ ଦିଲ୍ଲୀର ଜାମିଆ ନଗରରେ ରହୁଥିବା ଜଣେ ଚିତ୍ରକର ଏବଂ ଭିନ୍ନକ୍ଷମ ହୋଇଥିଲେ ସୁଦ୍ଧା ସେ ବଡ଼ ବଡ଼ ଭିତ୍ତିଚିତ୍ର ତିଆରି କରନ୍ତି। ସଲଭାଡୋର ଦାଲି ଓ ମଧୁବନୀ ଚିତ୍ରକରଙ୍କ ଦ୍ୱାରା ତାଙ୍କର ଚିତ୍ରକଳା ଅନୁପ୍ରାଣିତ ବୋଲି ସେ କହିଥାନ୍ତି|

‘‘ଥରେ ମୁଁ ୧୫ ଫୁଟ୍ ଲମ୍ବା ଚିତ୍ର ଆଙ୍କିଥିଲି । ଚିତ୍ରପଟ୍ଟର ଉପରିସ୍ଥ ଭାଗରେ ପହଞ୍ଚିବା ଲାଗି ମୁଁ ମୋ କାଲିପର ବାହାର କରି ଦେଇଥିଲି ଏବଂ ଏକ ଚେୟାର ଉପରେ ରଖାଯାଇଥିବା ଟୁଲ୍ ଉପରେ ବସିଥିଲି। ପଡ଼ିଯିବାର ଭୟ ମୋର ନଥିଲା,’’ ନିୟାଜ ସ୍ମରଣ କରି କୁହନ୍ତି। ‘‘ବେଳେବେଳେ କାଲିପର ମୋ ଆଣ୍ଠୁରେ କ୍ଷତ ସୃଷ୍ଟି କରିଥାଏ, କିନ୍ତୁ ଚିତ୍ର କରିବା ସମୟରେ ମୁଁ ଘା’ କଥା ସମ୍ପୂର୍ଣ୍ଣ ଭୁଲି ଯାଇଥାଏ,’’ ସେ କୁହନ୍ତି ।
୧୯୯୩ ମସିହାର ଏକ କାଳ ରାତ୍ରୀ, ଯେତେବେଳେ ଦୁଇ ବର୍ଷ ବୟସ୍କ ନିୟାଜଙ୍କୁ ପ୍ରବଳ ଜ୍ୱର ହୋଇଥିଲା । କିଛି ଦିନ ପରେ, ତାଙ୍କର ଗୋଟିଏ ଗୋଡ଼ ଭିତର ଆଡ଼କୁ ବଙ୍କା ହେବାକୁ ଲାଗିଥିଲା। ଠିକ୍ ସମୟରେ ଏବଂ ଉପଯୁକ୍ତ ଚିକିତ୍ସା ଅଭାବ କାରଣରୁ ନିୟାଜ ପକ୍ଷାଘାତରେ ମଧ୍ୟ ଆକ୍ରାନ୍ତ ହୋଇପଡ଼ିଲେ। ୨୦୨୧ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ, ଏହା ଆଦୌ ଅସ୍ୱାଭାବିକ ନୁହେଁ କାରଣ ୫ ବର୍ଷରୁ କମ୍ ବୟସ୍କ ୨୦୦ ପିଲାଙ୍କ ମଧ୍ୟରୁ ଜଣେ ପୋଲିଓ ଭୂତାଣୁରେ ସଂକ୍ରମିତ ହୋଇଥାନ୍ତି। ପରବର୍ତ୍ତୀ ଅବସ୍ଥାରେ ସେମାନେ ଭଲ ହେଉନଥିବା ପକ୍ଷାଘାତର ଶିକାର ହୋଇଥାନ୍ତି ।
୧୯୯୫ରେଏ ବିଶ୍ୱର ୬୦ ପ୍ରତିଶତ ପୋଲିଓ ମାମଲା ଭାରତରେ ଦେଖିବାକୁ ମିଳିଥିଲା । ମୌଖିକ ବା ଓରାଲ ପୋଲିଓ ନିରୋଧୀ ଟିକା ୬୦ ଦଶକରେ ପ୍ରଚଳନ ହୋଇଥିଲା, କିନ୍ତୁ କମ୍ ଟିକା ନିଆଯିବା କାରଣରୁ ପୋଲିଓ ମାମଲା ଅଧିକ ରହିଥିବା ରିପୋର୍ଟରେ କୁହାଯାଇଛି। ତେବେ ଓରାଲ୍ ପୋଲିଓ ଟିକା ପ୍ରଚଳିତ ହେବାର ଦୁଇ ଦଶନ୍ଧି ପରେ,୨୦୧୪ରେ ଭାରତ ସମ୍ପୂର୍ଣ୍ଣ ପୋଲିଓ ଉନ୍ମୁଳନରେ ସକ୍ଷମ ହୋଇଥିଲା।


ନିୟାଜ ଉତ୍ତରପ୍ରଦେଶର ଜୌନପୁର ସହରରେ ଜନ୍ମ ହୋଇଥିଲେ ଏବଂ ବଢ଼ିଥିଲେ। ସେତେବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପଲ୍ସ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଥିଲା। ନିୟାଜଙ୍କୁ ଟିକା ଦେବା ଲାଗି ତାଙ୍କ ମା’ ଶେହନାଜ ବେଗମ ବହୁଥର ନିଜ ସ୍ୱାମୀ ଜଫର ଖାଁ ଏବଂ ଶାଶୁ ଘର ଲୋକମାନଙ୍କୁ ଅନୁରୋଧ କରିଥିଲେ। ‘‘ତା’ର ବାପା ମୋ କଥା ଶୁଣିଲେ ନାହିଁ କାରଣ ମୌଖିକ ଟିକା ନେବା ପରେ ପଡ଼ୋଶୀ ଘରର ଜଣେ ଶିଶୁ ପ୍ରାଣ ହରାଇଥିଲା। ସେତେବେଳେ ଜୌନପୁର ସହରରେ, ମହିଳାମାନଙ୍କୁ ବାହାରକୁ ଯିବା ଲାଗି ଅନୁମତି ମିଳୁନଥିଲା’’, ସେ କହିଥିଲେ।
ଯେଉଁଦିନ ରାତିରେ ନିୟାଜଙ୍କୁ ଜ୍ୱର ହେଲା (୧୯୯୩ରେ), ଶେହନାଜ ଓ ତାଙ୍କର ସ୍ୱାମୀ ଘର ଠାରୁ ୫ କିଲୋମିଟର ଦୂରରେ ଥିବା ଜୌନପୁର ଜିଲ୍ଲା ଡାକ୍ତରଖାନାକୁ ତାଙ୍କୁ ନେଇଗଲେ । ‘‘ସେଠାରେ ଡାକ୍ତର କହିଲେ ଯେ ତାଙ୍କୁ ପୋଲିଓ ହୋଇଛି ଏବଂ ତାଙ୍କର ଚିକିତ୍ସା ପାଇଁ ଏଠାରେ କିଛି କରାଯାଇ ପାରିବ ନାହିଁ । ତେଣୁ ଦୟାକରି ତାଙ୍କୁ ଦିଲ୍ଲୀ ନେଇଯାଆନ୍ତୁ’’, ଶେହେନାଜ୍ ସେତେବେଳର ଘଟଣା ମନେ ପକାଇ କହିଥିଲେ । ୧୯୯୩ରେ ପରିବାର ଲୋକମାନେ ଜୌନପୁରରୁ ଦିଲ୍ଲୀ ଚାଲି ଆସିଥିଲେ, ଆଶା ଥିଲା ସେଠାରେ ନିୟାଜଙ୍କୁ ଭଲ ଚିକିତ୍ସା ସୁବିଧା ମିଳିବ ।
ଦିଲ୍ଲୀରେ, ନିୟାଜଙ୍କୁ ବିଭିନ୍ନ ସରକାରୀ ଡାକ୍ତରଖାନାରେ ଯାଞ୍ଚ କରାଗଲା କିନ୍ତୁ କିଛି ଲାଭ ହେଲା ନାହିଁ । ସେତେବେଳକୁ, ପରିବାର ପାଖରେ ଟଙ୍କା ସବୁ ସରିଯାଇଥାଏ। ସେମାନେ ଯୋଜନା ମୁତାବକ ଆଉ ଜୌନପୁର ଫେରି ପାରିଲେ ନାହିଁ ଏବଂ ଦିଲ୍ଲୀରେ ରହିଗଲେ। ସେଠାରେ କାମ ମିଳିଗଲା। ଶେହେନାଜ୍ କୁହନ୍ତି, ‘‘ମୁଁ ଓ ମୋ ସ୍ୱାମୀ ଦିଲ୍ଲୀର ଗୋବିନ୍ଦପୁରୀର ଏକ ଟେଲର ଦୋକାନରେ କାମ କଲୁ। କପଡ଼ା ଖଣ୍ଡ ସିଲେଇ ପିଛା ଆମକୁ ଟଙ୍କା ମିଳୁଥିଲା ଏବଂ ଦୁହେଁ ମିଶି ମାସିକ ୨,୫୦୦ ଟଙ୍କା ରୋଜଗାର କରିବା ଲାଗି ସକ୍ଷମ ହୋଇଥିଲୁ।’’


ଧୀରେ ଧୀରେ ନିୟାଜଙ୍କ ବୟସ ବଢ଼ୁଥିଲା। ତାଙ୍କ ମା’ କିନ୍ତୁ ଚିକିତ୍ସା ଜାରି ରଖିଥିଲେ। ପୁଅକୁ ସୁସ୍ଥ କରିବାର ଆଶା ନେଇ ସେ ଘରୋଇ ଉପଚାର ମଧ୍ୟ କରାଉଥିଲେ। ‘‘ଆମ୍ମା ମୋ ଗୋଡ଼ରେ ଏକ ରଶି ସାହାଯ୍ୟରେ ଇଟା ବାନ୍ଧି ଦେଉଥିଲେ। ମୁଁ ଶୋଇବା ପରେ ସେ ଚରପାଇ (ଖଟ) ଧାରରେ ଇଟାଗୁଡ଼ିକୁ ଝୁଲାଇ ଦେଉଥିଲେ’’, ନିୟାଜ କହିଥିଲେ। ଏବେ ବି ତାଙ୍କର ସେହି ଯନ୍ତ୍ରଣା କଥା ମନେ ଅଛି। ତାଙ୍କର ପକ୍ଷାଘାତ ସ୍ଥିତିରେ ସୁଧାର ଆସିଥିବା ବେଳେ ବାମ ଗୋଡ଼ର ସ୍ଥିତି କିନ୍ତୁ ଅପରିବର୍ତ୍ତିତ ରହିଲା ।
ଆଜି ନିୟାଜ ସେହିପରି ସ୍ଥିତିରେ ରହିଛନ୍ତି ଏବଂ ତାଙ୍କୁ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ୯୦ ପ୍ରତିଶତ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରାଯାଇଛି ।
ପାଞ୍ଚ ବର୍ଷ ବୟସରେ ନିୟାଜ ପ୍ରଥମ ଥର ପାଇଁ ହଳେ କାଲିପର ପିନ୍ଧିବା ଆରମ୍ଭ କଲେ। ସେ କୁହନ୍ତି, ‘‘ସେତେବେଳେ କାଲିପରଗୁଡ଼ିକ ଲୁହା ରଡ଼ରେ ତିଆରି ହେଉଥିଲା ଏବଂ ଖୁବ୍ ଭାରୀ ଥିଲା। ସେ ଦୁଇଟି ମିଶି ମୋଟ୍ ଦୁଇ କିଲୋ ଓଜନ ହେଉଥିଲା ଏବଂ କାଲିପର ଉପରେ ଥିବା ନି-କ୍ୟାପଗୁଡ଼ିକ ଅଧିକାଂଶ ସମୟରେ ମୋ ପୋଷାକ ଚିରି ଦେଉଥିଲା, ଆଣ୍ଠୁରେ ଆଘାତ ସୃଷ୍ଟି କରୁଥିଲା।’’

ଯନ୍ତ୍ରଣାଦାୟକ ପରିସ୍ଥିତି ମଧ୍ୟରେ ବଞ୍ଚିବା ଏବଂ ଚିକିତ୍ସା ପାଇଁ ବାରମ୍ବାର ବିଭିନ୍ନ ଡାକ୍ତରଖାନାକୁ ଯିବା ଯୋଗୁଁ ନିୟାଜଙ୍କ ପାଠପଢ଼ାରେ ବିଳମ୍ବ ହୋଇଥିଲା। ତାଙ୍କୁ ୭ ବର୍ଷ ହୋଇଥିବା ବେଳେ ଶ୍ରୀନିବାସପୁରୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ତାଙ୍କର ନାମ ଲେଖାଇ ଦିଆଗଲା। ସେ ସମୟରେ, ସେ ଚାଲିପାରୁନଥିଲେ, ତେଣୁ ମା’ ତାଙ୍କୁ ସ୍କୁଲକୁ ନେଇ ଆସୁଥିଲେ। ଅନ୍ୟ ସ୍କୁଲ ପିଲାଙ୍କ ଭଳି ସେ ସ୍କୁଲରେ ଥିବା ଶୌଚାଳୟ ବ୍ୟବହାର କରିପାରୁନଥିଲେ। ତେଣୁ ତାଙ୍କୁ ସହାୟତା କରିବା ଲାଗି ଅଧିକାଂଶ ସମୟରେ ତାଙ୍କ ମା’ଙ୍କୁ ଡକାଯାଉଥିଲା।
ଶାରୀରିକ ଓ ଅନ୍ୟାନ୍ୟ ସମସ୍ୟା ସତ୍ତ୍ୱେ ସ୍କୁଲରେ ପଢ଼ିବା ସମୟରେ ନିୟାଜଙ୍କ ମନରେ ଚିତ୍ରକଳା ପ୍ରତି ଆଗ୍ରହ ସୃଷ୍ଟି ହୋଇଥିଲା। ସ୍କୁଲ ଦିନ କଥା ମନେ ପକାଇ ସେ କୁହନ୍ତି, ‘‘ପଛ ବେଞ୍ଚରେ ବସି ମୁଁ ଅଧିକାଂଶ ସମୟରେ ଚିତ୍ର ଆଙ୍କୁଥିଲି।’’ ଚତୁର୍ଥ ଶ୍ରେଣୀରେ ସେ ଏକ ଚିତ୍ରକଳା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଲାଗି ଆବେଦନ କରିଥିଲେ କିନ୍ତୁ ମନୋନିତ ହୋଇପାରି ନଥିଲେ। ‘‘ମୋ ଚିତ୍ରକୁ ଆହୁରି ବିକଶିତ କରିବାର ଆବଶ୍ୟକତା ରହିଥିବା ମୁଁ ଜାଣିଥିଲି,’’ ସେ କହିଥିଲେ।

ଘରେ, ନିଜର କଳାକୁ ନେଇ ନିୟାଜ ଅସୁବିଧାରେ ପଡ଼ୁଥିଲେ। ତାଙ୍କର ଚିତ୍ରଗୁଡ଼ିକ ପ୍ରତିକାତ୍ମକ ଥିଲା, ଯାହା ଇସଲାମରେ ହାରାମ୍ ବୋଲି ବିଚାର କରାଯାଉଥିଲା ଏବଂ ନିଷିଦ୍ଧ କରାଯାଇଥିଲା। ଏଥିପାଇଁ ତାଙ୍କ ବାପା ତାଙ୍କୁ ପ୍ରାୟତଃ ମାଡ଼ ମାରୁଥିଲେ।
ପୋଲିଓରେ ଆକ୍ରାନ୍ତ ହେବା ସତ୍ତ୍ୱେ ପରିବାର ଚାରି ପିଲାମାନଙ୍କ ମଧ୍ୟରେ ସବୁଠୁ ବଡ଼ ହୋଇଥିବାରୁ ନିୟାଜଙ୍କୁ ତାଙ୍କର ଦାୟିତ୍ୱ ନିର୍ବାହ କରିବାକୁ ପଡ଼ିଲା। ସ୍କୁଲ ପାଠପଢ଼ା ଶେଷ ହେବା ପରେ ପରିବାର ଲୋକଙ୍କୁ ସହାୟତା କରିବା ଲାଗି ସେ ରୋଜଗାର କରିବା ଆରମ୍ଭ କଲେ। ସେ ନିଜ କକାଙ୍କ ସହ ମିଶି ଓଖଲା ମଣ୍ଡିରେ ପନିପରିବା ବିକ୍ରି କଲେ। ଏଥିରୁ ଦିନକୁ ସେ ୨୦୦-୨୫୦ ଟଙ୍କା ରୋଜଗାର କରୁଥିଲେ। ସକାଳ ବେଳା ମଣ୍ଡିରେ ରୋଜଗାର କରୁଥିବା ଟଙ୍କା ସେ ପରିବାର ଲୋକଙ୍କୁ ଦେଉଥିଲେ ଏବଂ ବାକି ସମୟରେ ଆୟ କରୁଥିବା ଟଙ୍କାରେ ନିଜ ଚିତ୍ରକଳା ପାଇଁ ଆବଶ୍ୟକ ସରଞ୍ଜାମ କିଣୁଥିଲେ। ନିୟାଜ କୁହନ୍ତି, ‘‘ଖରା ବେଳେ ମଣ୍ଡିରେ ବିଶ୍ରାମ ନେଉଥିବା ଲୋକମାନଙ୍କ ଚିତ୍ର ମୁଁ ଆଙ୍କିଥାଏ।’’ ୧୯ ବର୍ଷ ବୟସରେ, ସେ ମେହେନ୍ଦୀ ଏବଂ ଟାଟୁ କଳାକାର ଭାବେ ପ୍ରାୟତଃ କାମ କରୁଥିଲେ। ଏହାଛଡ଼ା ଏକ ଫର୍ଣ୍ଣିଚର ଦୋକାନରେ ଡିଜାଇନ୍ ଖୋଦେଇ କରୁଥିଲେ। ସେଠି ସେ ମୂର୍ତ୍ତିକଳା କୌଶଳ ଶିଖିଲେ। ସେ କୁହନ୍ତି, ‘‘ମୁଁ ଯାହା କରୁଥିଲି, ତାହା ଯେମିତି ମୋ କଳା ସହ ଜଡ଼ିତ ହୋଇଥିବ ସେଥିପ୍ରତି ଧ୍ୟାନ ଦେଉଥିଲି’’, ସେ କହିଥିଲେ ।
୨୦୧୫ରେ ନିୟାଜଙ୍କୁ ଯେତେବେଳେ ୨୩ ବର୍ଷ ବୟସ ହୋଇଥିଲା ସେ ଦିଲ୍ଲୀର ଜଣାଶୁଣା ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟର ଲଳିତ କଳା ପାଠ୍ୟକ୍ରମରେ ନାମ ଲେଖାଇଲେ। ଚାରି ବର୍ଷର ପାଠ୍ୟକ୍ରମ ସରିବା ପରେ ଏକ ଘରୋଇ କମ୍ପାନୀ ପାଇଁ ସେ ଇଣ୍ଡିଆ ଗେଟ୍, ବାହାଦୂର ଶାହା ଜାଫର ମାର୍ଗ ଏବଂ ଦିଲ୍ଲୀ ଗଲ୍ଫ କୋର୍ସ ଚାରି ପାଖରେ ମୁକ୍ତବୃତ୍ତି ଚିତ୍ରକର ଭାବେ ଭିତ୍ତିଚିତ୍ର ଆଙ୍କିଥିଲେ।
ଥରେ ସମୀରାଙ୍କ ଭଉଣୀ ମମତାଙ୍କ ପାଇଁ ଏକ ଭିନ୍ନକ୍ଷମ ପ୍ରମାଣପତ୍ର କରାଇ ଦେବାରେ ସହାୟତା ଲାଗି ନିୟାଜ ତାଙ୍କ ଘରକୁ ଯାଇଥିଲେ। ସେହିଠାରେ ହିଁ ସମୀରାଙ୍କ ସହ ତାଙ୍କର ପ୍ରଥମ ଥର ପାଇଁ ଦେଖା ହୋଇଥିଲା। ଘର ପାଖ ବସ୍ତିରେ ରହୁଥିବା ଲୋକମାନଙ୍କ ପାଇଁ ସେ ପ୍ରାୟତଃ ଏହି କାମ କରି ଦେଉଥିଲେ। ‘‘ଶ୍ରୀନିବାସପୁରୀରେ ରହୁଥିବା ଲୋକଙ୍କୁ ମୁଁ ଅଧିକାଂଶ ସମୟରେ ସହାୟତା କରୁଥିଲି ଏବଂ ସେହିଠାରେ ହିଁ ମୁଁ ତାଙ୍କୁ ଭେଟିଲି’’, ନିୟାଜ କୁହନ୍ତି। ସାତ ବର୍ଷ ଧରି ପ୍ରେମ ସମ୍ପର୍କ ପରେ ୨୦୨୦ରେ ଉଭୟ ବାହା ହେବାକୁ ନିଷ୍ପତ୍ତି ନେଇଥିଲେ। ‘‘ପ୍ରପୋଜ କିୟା ଥା…. ଫୁଲ୍ ଦିୟା ଥା ଅନ୍ସଲ ପ୍ଲାଜା ମେଁ, ‘ଆପ୍ ପସନ୍ଦ ହୋ…. ଆପ୍ ସେ ଶାଦୀ କର୍ନା ଚାହ୍ତା ହୁଁ’ (ସେ ମୋତେ ଅନ୍ସଲ ପ୍ଲାଜାରେ ବିବାହ ପ୍ରସ୍ତାବ ଦେଇଥିଲେ, ମୋତେ ଭଲ ପାଉଥିବା କହିଥିଲେ ଏବଂ ମୋତେ ବାହା ହେବାକୁ କହିଥିଲେ),’’ ସମୀରା କହିଥିଲେ ।
ଜାମିୟା ନଗରର ଏକ ଭଡ଼ା ଫ୍ଲାଟରେ ନିୟାଜ ତାଙ୍କ ପତ୍ନୀ, ମାତାପିତା ଓ ତିନି ସାନ ଭାଇଭଉଣୀଙ୍କ ସହ ଏବେ ରହୁଛନ୍ତି । ହାରାହାରୀ ବର୍ଷକୁ ସେ ତିନିରୁ ଚାରିଟି ଚିତ୍ର ବିକ୍ରି କରିଥାନ୍ତି ଯାହାର ମୂଲ୍ୟ ୩୦,୦୦୦ରୁ ୨.୮ ଲକ୍ଷ ଟଙ୍କା ମଧ୍ୟରେ ହୋଇଥାଏ। ଏକ ଅଣ-ସରକାରୀ ସଂଗଠନରେ ସେ ପୂର୍ଣ୍ଣକାଳୀନ ଚାକିରି କରୁଛନ୍ତି (ଯାହାର ନାମ ସେ କହିବାକୁ ଚାହାନ୍ତି ନାହିଁ),ସେଠାରେ ସେ ଗ୍ରାଫିକ୍ ଡିଜାଇନର ଭାବେ କାମ କରିଥାନ୍ତି ଏବଂ ବଡ଼ ବଡ଼ ଭୌତିକ କଳାକୃତି ପ୍ରସ୍ତୁତ କରିଥାନ୍ତି। ‘‘ମହାମାରୀ ବର୍ଷ ମୋ ଚିତ୍ରକଳା ଆଶ୍ଚର୍ଯ୍ୟଜନକ ଭାବେ ଖୁବ୍ ଭଲ ଥିଲା। ମୁଁ ଘରେ ଥାଇ କାମ କଲି ଏବଂ ମୋତେ ଆଙ୍କିବା ପାଇଁ ଖୁବ୍ ଅଧିକ ସମୟ ମିଳିଥିଲା। ତିନି ମାସରେ ମୁଁ ଛଅଟି ଚିତ୍ର ବିକ୍ରି କରିଥିଲି’’, ସେ କହିଥିଲେ। ‘‘ଟଙ୍କା ରୋଜଗାର କରିବା ମୋର ଲକ୍ଷ୍ୟ ନୁହେଁ। ମୁଁ ନାଁ କମେଇବାକୁ ଚାହୁଁଛି। ଲୋକମାନେ ‘ନିୟାଜ ହୁସୈନ’କୁ ଜାଣନ୍ତୁ।’’
ବଞ୍ଚିତ ବର୍ଗଙ୍କ ଉପରେ ଲେଖିବା ଲାଗି ପରୀ ଏଜୁକେସନ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥାଏ। ପୁଣେର ତଥାପି ଟ୍ରଷ୍ଟ ସହଯୋଗରେ ଭିନ୍ନକ୍ଷମ ଲୋକମାନଙ୍କ ଉପରେ ଏହି ସିରିଜ୍ ପ୍ରସ୍ତୁତ ହୋଇଛି। ଏହି ସ୍ତମ୍ଭ ପ୍ରକାଶିତ କରିବାକୁ ଚାହୁଁଥିଲେ ଦୟା କରି zahra@ruralindiaonline.orgଏବଂ namita@ruralindiaonline.orgଙ୍କୁ ଲେଖନ୍ତୁ ।
Editor's note
ବନ୍ଦନା ବଂଶଲ ହେଉଛନ୍ତି ନୂଆଦିଲ୍ଲୀସ୍ଥିତ ବିବେକାନନ୍ଦ ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ରଫେସନାଲ ଷ୍ଟଡିଜ୍ର ସାମ୍ବାଦିକତା ଓ ଗଣଯୋଗାଯୋଗ ଛାତ୍ରୀ। ସେ କୁହନ୍ତି, ‘‘ନିୟାଜଙ୍କ କାହାଣୀ ଲେଖିବା ବେଶ କଷ୍ଟକର ଥିଲା କାରଣ ଅଧିକାଂଶ ଯନ୍ତ୍ରଣାଦାୟକ କ୍ଷଣକୁ ପରିବାର ଲୋକମାନେ ଭୁଲି ଯାଇଥିଲେ ଏବଂ ମୁଁ ସେମାନଙ୍କ ସହିତ ସମ୍ବେଦନଶୀଳତାର ସହିତ କଥା ହୋଇଥିଲି। ସମ୍ପାଦନା ପ୍ରକ୍ରିୟାରେ ମୁଁ ସେହିସବୁ ସୂକ୍ଷ୍ମ ବିବରଣୀ ଗ୍ରହଣ କରିଥିଲି ଯାହା ସାମ୍ବାଦିକତା ପ୍ରକ୍ରିୟାରେ ଆବଶ୍ୟକ ହୋଇଥାଏ। ଭିନ୍ନକ୍ଷମ ବ୍ୟକ୍ତିଙ୍କ ସହିତ ସମ୍ମାନପୂର୍ବକ ବ୍ୟବହାର କରି ସେମାନଙ୍କ ସମ୍ପର୍କରେ କାହାଣୀ କିଭଳି ପ୍ରସ୍ତୁତ କରାଯାଇଥାଏ ତାହା ମୁଁ ଶିଖିପାରିଥିଲି।’’ ତାଙ୍କର ପୂର୍ବ କାହାଣୀ ‘ଜଣେ ପରଲିଙ୍ଗୀ ପୁରୁଷ ଭାବେ ମୁଁ ମୋ ବାସ୍ତବତାକୁ ନେଇ ବଞ୍ଚିବାକୁ ଚାହେଁ’ ନଭେମ୍ବର ୨୭, ୨୦୨୧ରେ ପ୍ରକାଶ ପାଇଥିଲା।
ଅନୁବାଦ: ଓଡ଼ିଶାଲାଇଭ୍
ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।