
କାଲିନ୍ ୱାନ୍ (କାର୍ପେଟ୍ ତନ୍ତ) ବନ୍ଦ କରି ରଖିଦିଆଯାଇଛି । ଏକଦା ଫାତିମା ବେଗମ୍ଙ୍କର ଘରେ ଏହା ଯେଉଁ ସ୍ଥାନ ଅକ୍ତିଆର୍ କରିଥିଲା ସେଠାକୁ ତାଙ୍କ ଭାଇ ମହମ୍ମଦଙ୍କ ପରିବାର ଚାଲି ଆସିଛନ୍ତି ସେମାନଙ୍କର ଘରୋଇ ଖର୍ଚ୍ଚ ସଞ୍ଚୟ କରିବା ପାଇଁ । ଫାତିମା ବେଗମ୍ କୁହନ୍ତି, ‘‘ମେ’ ୨୦୨୧ରେ ମୋ ଭାଇ ପଜିଟିଭ୍ ଚିହ୍ନଟ [କୋଭିଡ୍-୧୯ ପାଇଁ] ହେବା ପରେ ଆମେ ବୁଣିବା ବନ୍ଦ କରିଦେଇଛୁ । ସେ ଏବଂ ତାଙ୍କ ସ୍ୱାମୀ ନାଜିର୍ ଅହମ୍ମଦ ଭଟ୍ କାଶ୍ମୀରର ବାନ୍ଦିପୁରା ଜିଲ୍ଲାର ଗୁଣ୍ଡପ୍ରାଙ୍ଗ ଗ୍ରାମରେ ଥିବା ସେମାନଙ୍କ ଘରେ ପ୍ରାୟ ୨୫ ବର୍ଷ ହେବ କାର୍ପେଟ୍ ବୁଣିଆସୁଛନ୍ତି ।
ଫାତିମାଙ୍କ ସାନ ଭାଇ ମହମ୍ମଦ ଆସରଫ୍, ୩୨ ମହାମାରୀ ଏବଂ ଏହା ପରବର୍ତ୍ତୀ ଲକ୍ଡାଉନ୍ ତାଙ୍କ କାମ ବନ୍ଦ କରିଦେବା ପୂର୍ବରୁ ଜଣେ ଟ୍ୟାକ୍ସି ଚାଳକ ଥିଲେ । ସେ ସ୍ଥାନୀୟ ଟ୍ୟାକ୍ସି ଷ୍ଟାଣ୍ଡରେ କାମ କରୁଥିଲେ ଏବଂ ମାସିକ ଟ. ୬,୦୦୦ ପର୍ଯ୍ୟନ୍ତ ଆୟ କରୁଥିଲେ। ମହମ୍ମଦଙ୍କ ପତ୍ନୀ ଶହଜାଦା କୁହନ୍ତି, ‘‘ପୁରୁଣା ଗାଡ଼ି ବର୍ଜନ କରିବାର ଆଦେଶ କାରଣରୁ ସେ ତାଙ୍କର ଟାଟା ସୁମୋ ୨୦୧୯ରେ ବିକ୍ରି କରିଦେଇଥିଲେ ।’’ ତାଙ୍କ ସ୍ୱାମୀ କୋଭିଡ୍ ଲକ୍ଷଣ ପରେ ତାଙ୍କ ଶ୍ୱାସ ସମସ୍ୟା ବୃଦ୍ଧି ପାଇ କଥା କହିବାରେ କଷ୍ଟ ଅନୁଭବ କରୁଥିବାରୁ ସେ ସମସ୍ତ ମତାମତ ଦେଇଥିଲେ ।
ସେ ତାଙ୍କ ଟ୍ୟାକ୍ସି ବିକ୍ରୟ କରିବାରୁ ପାଇଥିବା ଟ. ୧ ଲକ୍ଷ ମାର୍ଚ୍ଚ ୨୦୨୦ ଲକ୍ଡାଉନ୍ ପରଠାରୁ ଗୋଟିଏ ବର୍ଷ ସେମାନଙ୍କୁ ସାହାଯ୍ୟ କରିଥିଲା, ଯେତେବେଳେ ମହମ୍ମଦ ଟ୍ୟାକ୍ସି ଚଳାଇ ପାରୁନଥିଲେ । ସେମାନଙ୍କର ପୁଅମାନେ – ମୁନିର୍, ୧୨, ଅର୍ସଲାନ୍, ୧୦ ଏବଂ ଆଦିଲ୍, ୬ ସେମାନଙ୍କ ଗାଁରେ ଥିବା ଜଣେ ସ୍ନାତକୋତ୍ତର ଛାତ୍ରଙ୍କ ନିକଟରେ ଟ୍ୟୁସନ୍ ହେଉଛନ୍ତି । ଏହି ତିନି ପିଲାଙ୍କର ଖାତା ଏବଂ ପେନ୍ସିଲ୍ ସମେତ ଟ୍ୟୁସନ୍ ଦେୟ ମାସିକ ଟ. ୩,୦୦୦ ପର୍ଯ୍ୟନ୍ତ ଆସିଥାଏ ।


ମହମ୍ମଦ ଝେଲମ୍ ନଦୀ କୂଳରେ ଦିନ ମଜୁରିଆ କାମ (ବାଲି ସଂଗ୍ରହ) କରିବାକୁ ଚେଷ୍ଟା କରୁଥିଲେ ଯାହା ତାଙ୍କୁ ଦିନକୁ ଟ. ୫୦୦ ଉପାର୍ଜନ ଦେଇଥାଏ । ସେ ଅନିୟମିତ ଥିଲେ କାରଣ ତାଙ୍କ ଆଜ୍ମା ତାଙ୍କ ପାଇଁ ଏହି କାମ କରିବା କଷ୍ଟକର କରିଦେଇଥିଲା ।
ମେ’ ୨୧, ୨୦୨୧ରେ ମହମ୍ମଦ ଅଣନିଶ୍ୱାସୀ ହେବା ପରି ମନେ କଲେ, ଶହଜାଦା ସାହାଯ୍ୟ ପାଇଁ ଘର ପାଖରେ ଥିବା ଫାତିମା ଏବଂ ନାଜିର୍ଙ୍କ ଘରକୁ ଦୌଡ଼ି ଯାଇଥିଲେ । ଗୋଟିଏ ଆମ୍ବୁଲାନ୍ସ ଡକାଇବା ପାଇଁ ସେମାନେ ହାଜିନ୍ରେ ଥିବା ସ୍ଥାନୀୟ ସିଏଚ୍ସି [ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର]ରେ କାହା ସହ ଯୋଗାଯୋଗ କରିପାରିନଥିଲେ । ଜଣେ ଅସୁସ୍ଥ ବ୍ୟକ୍ତି ସହ ଦୀର୍ଘ ଯାତ୍ରାକୁ ମନେପକାଇ ଫାତିମା କୁହନ୍ତି, ‘‘ମୋ ସ୍ୱାମୀ, ପୁଅ ଏବଂ ଭାଇ ଲିଫ୍ଟ ନ ପାଇବା ପର୍ଯ୍ୟନ୍ତ ତିନିରୁ ଚାରି କିଲୋମିଟର ଚାଲିଥିଲେ ଏବଂ [ସିଏଚ୍ସି ହାଜିନ୍]ରେ ପହଞ୍ଚିଥିଲେ।’’
ଯେତେବେଳେ ସେମାନେ ସିଏଚ୍ସି ହାଜିନ୍ରେ ପହଞ୍ଚିଥିଲେ – ସେତେବେଳେ କୌଣସି ସାହାଯ୍ୟ ଆସିନଥିଲା, ଏପରିକି ମହମ୍ମଦ କୋଭିଡ୍ ପଜିଟିଭ୍ ପରୀକ୍ଷିତ ହେବା ପରେ ମଧ୍ୟ । ଏହି ସିଏଚ୍ସି ୩ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ବାନ୍ଦିପୁରା ଜିଲ୍ଲାର ତିନୋଟି ସିଏଚ୍ସି ମଧ୍ୟରୁ ଅନ୍ୟତମ । ନାଜିର୍ କୁହନ୍ତି, ‘‘ଡାକ୍ତରମାନେ ମଧ୍ୟ ରୋଗୀମାନଙ୍କ ପାଖକୁ ଆସୁନଥିଲେ ।’’ ମହମ୍ମଦ ଏହା ପରଦିନ ଅକ୍ସିଜେନ୍ ସହଯୋଗ ଆବଶ୍ୟକ କରିଥିଲେ । ବାନ୍ଦିପୁରା ସହରରେ ଅକ୍ସିଜେନ୍ ଥିବା ଏକମାତ୍ର ସରକାରୀ ଡାକ୍ତରଖାନା – ଜିଲ୍ଲା ଚିକିତ୍ସାଳୟ ବାନ୍ଦିପୁରା (ଡିଏଚ୍ବି)କୁ ଆଣିବା ପାଇଁ ତାଙ୍କ ପରିବାର ତୁରନ୍ତ ଯାହା ସମ୍ଭବ ସବୁକିଛି କରିଥିଲେ ।


ଶାଳକ ମହମ୍ମଦଙ୍କ ସହିତ ଡିଏଚ୍ବିକୁ ୨୨ କିଲୋମିଟର ଦୀର୍ଘ ଯାତ୍ରାରେ ଯାଇଥିବା ନାଜିର୍ କୁହନ୍ତି, ‘‘ମୁଁ ଆମ୍ବୁଲାନ୍ସରେ କୋରାନ୍ର ପବିତ୍ର ପଦଗୁଡ଼ିକ ଆବୃତ୍ତି କରୁଥିଲି । ଏହା ମୋ ଜୀବନର ସବୁଠାରୁ କଷ୍ଟ ଏବଂ ଦୀର୍ଘ ଯାତ୍ରା ମଧ୍ୟରୁ ଅନ୍ୟତମ ଥିଲା ।
ମହମ୍ମଦଙ୍କ ପତ୍ନୀ ଶହଜାଦା ନଅ ମାସର ଗର୍ଭବତୀ – ତାଙ୍କ ସନ୍ତାନ ବର୍ତ୍ତମାନ ଯେ କୌଣସି ସମୟରେ ଜନ୍ମ ହୋଇପାରେ । ତାଙ୍କ ସ୍ୱାମୀଙ୍କ ସମ୍ପର୍କରେ ବ୍ୟସ୍ତ ଏବଂ ଉଦ୍ବିଗ୍ନ ହେଉଥିବା ଶହଜାଦା କୁହନ୍ତି, ‘‘ଯେତେବେଳେ ତାଙ୍କୁ ଜିଲ୍ଲା ଡାକ୍ତରଖାନାକୁ ନିଆଗଲା ମୁଁ ପରଦିନ ମୋ କାନଫୁଲ ବିକ୍ରି କରିଦେଲି । ତା’ର ମୂଲ୍ୟ ୮,୦୦୦ ଟଙ୍କା ଥିଲା କିନ୍ତୁ ମୁଁ ସେଗୁଡ଼ିକୁ ୪,୫୦୦ ଟଙ୍କାରେ ବିକ୍ରି କଲି କାରଣ ଆମକୁ ପିଲାମାନଙ୍କ ପାଇଁ, ଘର ପାଇଁ ଏବଂ ଆମର ଡାକ୍ତରୀ ଆବଶ୍ୟକତା ପୂରଣ କରିବା ପାଇଁ ଜିନିଷ କିଣିବା ଦରକାର ଥିଲା ।’’ ଘର ଚଳାଇବା ପାଇଁ ଖୁବ୍ କଷ୍ଟ କରିଥିବା ଶହଜାଦା ତା’ର ଚାରି ଛୋଟ ପୁଅ ଏବଂ ମହମ୍ମଦଙ୍କ ବୟସ୍କା ମାଆ ରଜା ବେଗମ୍ଙ୍କ ସହିତ ଫତିମା ଏବଂ ନାଜିର୍ଙ୍କ ଘରକୁ ଚାଲି ଆସିଥିଲେ ।



ବାମ: ଶହଜାଦା ବାନୋ ବାନ୍ଦିପୁରା ଜିଲ୍ଲା ସିଏଚ୍ସି ହାଜିନ୍ରେ ଗର୍ଭ ଯାଞ୍ଚ କରାଉଛନ୍ତି । ଡାହାଣ ଉପର: ଦଶ ବର୍ଷ ବୟସ୍କ ଅର୍ସଲାନ୍ ଶହଜାଦା ଏବଂ ମହମ୍ମଦଙ୍କ ଚାରି ପୁଅଙ୍କ ମଧ୍ୟରୁ ଅନ୍ୟତମ । ତଳ ଶହଜାଦା ତାଙ୍କର ଦୁଇ ବର୍ଷର ପୁଅ ଆଜେନ୍ଙ୍କ ସହିତ । ଫଟୋ ଉମର୍ ପାରାଙ୍କ ଦ୍ୱାରା
ଜିଲ୍ଲା ଚିକିତ୍ସାଳୟରେ ନାଜିର୍ ମହମ୍ମଦଙ୍କ ଯତ୍ନ ନେବାରେ ବ୍ୟସ୍ତ । ନାଜିର୍ଙ୍କ ପୁଅ, ୨୧ ବର୍ଷ ବୟସ୍କ ୱାସିମ୍ କୁହନ୍ତି, ‘‘କେହି ଜଣେ ତାଙ୍କୁ ତାଙ୍କ [ଅକ୍ସିଜେନ୍] କନ୍ସେଣ୍ଟ୍ରେଟର୍ ସହ ଗାଧୁଆ ଘରକୁ ନେବାକୁ ହେବ । ଆମେ ତାଙ୍କୁ ଖୁଆଇବାକୁ, ତାଙ୍କ ଔଷଧ ଦେବାକୁ ଏବଂ ଡାକ୍ତରମାନଙ୍କ ସହ କଥାବାର୍ତ୍ତା କରିବାକୁ ହେବ । ବାନ୍ଦିପୁରାର ସୁମ୍ବାଲ୍ ସହରରେ ଥିବା ସରକାରୀ ଡିଗ୍ରୀ କଲେଜ୍ର ଜଣେ ଦ୍ୱିତୀୟ ବର୍ଷର ଛାତ୍ର ହୋଇଥିବା ୱାସିନ୍ ଗତ ମାସେ ହେବ ଗୋଟିଏ ମଧ୍ୟ ଅନ୍ଲାଇନ୍ କ୍ଲାସ୍ରେ ଯୋଗ ଦେବାକୁ ସମର୍ଥ ହୋଇପାରିନାହାନ୍ତି ।’’ ସେ କୁହନ୍ତି, ‘‘ମୋ ବଡ଼ ଭାଇ ମାସୁକ୍ଙ୍କୁ କାମ କରିବା ଏବଂ ପରିବାରକୁ ସହଯୋଗ ଦେବା ପାଇଁ ୧୦ମ ଶ୍ରେଣୀ ପରେ ସ୍କୁଲ୍ ଛାଡ଼ିବାକୁ ହୋଇଥିଲା । ଜାମ୍ସିଦା [ଭଉଣୀ] ଆଂଶିକ ଦୃଷ୍ଟିହୀନ ଏବଂ ସେ ୯ମ ଶ୍ରେଣୀ ପରେ ଆଉ ପଢ଼ି ପାରିନଥିଲା । କେବଳ ମୋର ସବୁଠାରୁ ସାନ ଭଉଣୀ ଆସିଫା ଏବଂ ମୁଁ ପଢ଼ିବାକୁ ସମର୍ଥ ହୋଇଛୁ ।’’
ଯେତେବେଳେ ମହମ୍ମଦ ଅବସ୍ଥାରେ ଅବନତି ହୋଇଥିଲା ସେତେବେଳେ ତାଙ୍କୁ ଶ୍ରୀନଗର ସ୍ଥିତ ଶେର୍-ଇ-କାଶ୍ମୀର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ (ଏସ୍କେଆଇଏମ୍ଏସ୍)କୁ ନିଆଯାଇଥିଲା । ସେଠାରେ ପାଖାପାଖି ତିନି ସପ୍ତାହର ଚିକିତ୍ସା ପରେ ସେ ଶେଷରେ ଛାଡ଼ ପାଇଥିଲେ । ଡାକ୍ତରଖାନାରୁ ଆସିବା ପରେ ମଧ୍ୟ ପରିବାରର ଆର୍ଥିକ ଅବସ୍ଥା ଉପରେ ବୋଝ କମ୍ ହୋଇନାହିଁ । ପରିବାର ମେ’ ମାସରେ ପଡ଼ୋଶୀମାନଙ୍କଠାରୁ ଟ. ୨୫,୦୦୦ ଧାର କରିଥିଲା ଏବଂ ସମ୍ପର୍କୀୟମାନେ ମଧ୍ୟ ସାହାଯ୍ୟ କରିଥିଲେ। କରଜର ବୋଝ ସମ୍ପର୍କରେ ବ୍ୟସ୍ତ ହେବା ପରି ଦେଖାଯାଉଥିବା ସେ କୁହନ୍ତି, ‘‘ଆମେ କେବଳ ମାମୁଁଙ୍କ [ମୋ ମାମୁଁଙ୍କ] ଡାକ୍ତରଖାନା ବିଲ୍ ପାଇଁ ୫୭,୦୦୦ ଟଙ୍କାରୁ ଅଧିକ ଖର୍ଚ୍ଚ କରିଛୁ । ଅନେକ ଏ ପର୍ଯ୍ୟନ୍ତ ବାକି ଅଛି ।’’
ଏହା ପରେ ରୋଗୀର କୋଭିଡ୍ ପରବର୍ତ୍ତୀ ଯତ୍ନ ଜାରି ରହିଛି ଯାହା ନାଜିର୍ ଏବଂ ତାଙ୍କ ପରିବାରକୁ ବ୍ୟବସ୍ଥା କରିବାକୁ ଏବଂ ଚଳାଇବାକୁ ହେବ । ନାଜିର୍ କୁହନ୍ତି, ‘‘ଗ୍ରାମ ଔକାଫ୍ (ୱାକ୍ଫ ଭାବରେ ମଧ୍ୟ ଉଚ୍ଚାରଣ କରାଯାଏ) କମିଟି ତାଙ୍କ ପାଇଁ ଅକ୍ସିଜେନ୍ କନ୍ସେଣ୍ଟ୍ରେଟର ଦାନ କରିଥିଲା କାରଣ ସେ ଏହା ଦିନରାତି ଆବଶ୍ୟକ କରନ୍ତି । କିନ୍ତୁ ଆମେ ଏଠାରେ ପ୍ରତି ଦୁଇରୁ ତିନି ଘଣ୍ଟାରେ ପାୱାର କଟ୍ ସାମ୍ନା କରୁ ଏବଂ ତେଣୁ ଆମକୁ ଦିନକୁ ୫୦୦ ଟଙ୍କାରେ ଜେନେରେଟର୍ ଭଡ଼ା ନେବାକୁ ହୋଇଛି । ଆମେ ଏହାକୁ ଚଳାଇବା ପାଇଁ ଡିଜେଲ୍ ନିମନ୍ତେ ଅତିରିକ୍ତ ୧,୨୦୦ ଟଙ୍କା ଖର୍ଚ୍ଚ କରିଛୁ ।’’
ନାଜିର୍ଙ୍କ ବଡ଼ ପୁଅ ମାସୁକ୍, ୨୫ ଯେଉଁ ଦିନ ମଜୁରୀ କାମ ପାଆନ୍ତି ତାହା କରିଆସୁଛନ୍ତି – ସାଧାରଣତଃ ତାଙ୍କ ଗ୍ରାମରେ ଏବଂ ଆଖପାଖରେ ନିର୍ମାଣ ସ୍ଥଳରେ । ସେ ତାଙ୍କ ଶ୍ରମ ପାଇଁ ଦିନକୁ ପ୍ରାୟ ଟ. ୨୦୦ ପାଆନ୍ତି । ୧୦ ଜଣିଆ ଏହି ପରିବାର ଏହି ଅର୍ଥ ଓ ସମ୍ପର୍କୀୟମାନଙ୍କ ସାହାଯ୍ୟରେ ଚଳାଇ ନେବାକୁ ଚେଷ୍ଟା କରୁଛନ୍ତି । ଫାତିମା କୁହନ୍ତି, ‘‘ଏହା ଏକ ଦୈନିକ ସମସ୍ୟା ।’’


ଯେତେବେଳେ ମହମ୍ମଦଙ୍କ ପରିବାର ଆସିଲେ, ତିନି ବଖରା ମଧ୍ୟରୁ ଗୋଟିଏ ମାଡ଼ି ବସିଥିବା ତନ୍ତଟିକୁ ସେମାନଙ୍କ ମଧ୍ୟରୁ ଦଶ ଜଣଙ୍କ ପାଇଁ ଜାଗା କରିବାକୁ ବାହାର କରିଦିଆଯାଇଥିଲା । ଫାତିମା ଏବଂ ନାଜିର୍ଙ୍କ କାର୍ପେଟ୍ ବୁଣା କାମ ବନ୍ଦ ହୋଇଗଲା । ସେ କୁହନ୍ତି, ‘‘ଆମେ ଗତବର୍ଷ ଗୋଟିଏ କାଲିମ୍ ତିଆରି କରିବା ଆରମ୍ଭ କରିଥିଲୁ ଏବଂ ଏହାକୁ ଦେବା ପରେ ଅର୍ଥ ପାଇବୁ ।’’ ଏହି କାର୍ପେଟ୍ ସେମାନଙ୍କୁ ପ୍ରାୟ ଟ. ୨୮,୦୦୦ ଦେବ । ସେମାନଙ୍କର ଶ୍ରୀନଗରର ଜଣେ ଦୋକାନ ମାଲିକଙ୍କ ସହିତ ଯୋଗାଯୋଗ ଅଛି ଯେ କି କାର୍ରେ ଶ୍ରୀନଗରରୁ ଆସନ୍ତି, ନକ୍ଶି (ଡିଜାଇନ୍) ଏବଂ କଞ୍ଚାମାଲ୍ ପାନ୍ (କପା ସୂତା ଏବଂ ମେଣ୍ଢା ଉଲ୍ର ଏକ ମିଶ୍ରଣ) ଏବଂ ରଙ୍ଗ (ରଙ୍ଗ) ନିଜ ସହ ଆଣନ୍ତି ।
ଫାତିମା କୁହନ୍ତି ପାଞ୍ଚ ଫୁଟ୍ରେ ଛଅ ଫୁଟ୍ର ଏକ କାର୍ପେଟ୍ ସମ୍ପୂର୍ଣ୍ଣ କରିବାକୁ ତାଙ୍କୁ ଓ ତାଙ୍କ ସ୍ୱାମୀଙ୍କୁ ଦିନକୁ ଆଠ ଘଣ୍ଟା, ସପ୍ତାହକୁ ଛଅ ଦିନ, ପ୍ରାୟ ବର୍ଷେ କାମ କରିବାକୁ ହୋଇଥାଏ । ‘‘ଆମର ଯେତେବେଳେ ବିବାହ ହୋଇଥିଲା ମୁଁ ନାଜିର୍ଙ୍କଠାରୁ ଶିଖିଥିଲି । ସେତେବେଳେ ମୁଁ ୧୫ ଓ ସେ ୧୬ ବର୍ଷର ଥିଲି,’’ ଫାତିମା ମନେପକାନ୍ତି । ନାଜିର୍ କୁହନ୍ତି, ‘‘ମୁଁ କାଲିନ୍-କାମେ [କାର୍ପେଟ୍ ବୁଣା] କରୁଛି ଯେତେବେଳେ ଗୋଟିଏ ଦିନକୁ ଏହା ପାଞ୍ଚ ଟଙ୍କା ଦେଉଥିଲା । ଏବେ ମଧ୍ୟ ଆମେ ଯାହା କରୁ [ଦିନକୁ ୮୦ ଟଙ୍କା] ଯଥେଷ୍ଟ ନୁହେଁ ।’’
୨୦୧୧ ଜନଗଣନା ସୂଚିତ କରୁଛି ଯେ କାର୍ପେଟ୍ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଯାହା ହାଜନ୍ ସହରରେ ପ୍ରସ୍ତୁତ ହୁଏ ଏବଂ ବାହାରକୁ ଯାଏ । ଏହା ଗୁଣ୍ଡ ପ୍ରାଙ୍ଗରେ ଥିବା ଫାତିମା ଏବଂ ନାଜିର୍ଙ୍କ ଘରଠାରୁ ମାତ୍ର ଛଅ କିଲୋମିଟର ଦୂର । ତଥାପି ସେମାନଙ୍କ ପରି କାର୍ପେଟ୍ ବୁଣୁଥିବା ପରିବାରଗୁଡ଼ିକ ନିଜକୁ ଚଳାଇବା ପରି ଯଥେଷ୍ଟ ଆୟ କରନ୍ତି ନାହିଁ । ଯେତେବେଳେ ସେପ୍ଟେମ୍ବର ମାସରେ ସେଓ ଋତୁ ଆସେ, ସେତେବେଳେ ନାଜିର୍ ଦିନକୁ ଟ. ୪୦୦ ମଜୁରୀରେ ଜଣେ କୃଷି ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି । କିନ୍ତ ସେହି କାମ ମାତ୍ର ୧୦ ଦିନ ରୁହେ । ସେ ଜୁନ୍ ଏବଂ ଜୁଲାଇ ମାସରେ ଧାନ ବୁଣିବାରେ ଚାରିରୁ ପାଞ୍ଚ ଦିନ ପାଇଁ ସେହି ଅର୍ଥ ଆୟ କରନ୍ତି ।
ନାଜିର୍ ଏବଂ ଫାତିମାଙ୍କ ଅନିଶ୍ଚିତ ଆର୍ଥିକ ସ୍ଥିତି ଡାକ୍ତରୀ ବ୍ୟୟ ପାଇଁ ନିଆଯାଇଥିବା ଅନେକ କରଜ ଏବଂ ସେମାନଙ୍କର ଆୟର ଏକମାତ୍ର ନିଶ୍ଚିତ ଉତ୍ସ – ବୁଣା ଜାରି ରଖିବା ପାଇଁ ସ୍ଥାନ ଅଭାବ କାରଣରୁ ଆହୁରି ଖରାପ ହୋଇଯାଇଛି । ଶହଜାଦା ସହଯୋଗ ପାଇଁ ଏବଂ ତାଙ୍କ ସ୍ୱାମୀଙ୍କୁ ଡାକ୍ତରଖାନାରୁ ଫେରି ପାଇଥିବାରୁ କୃତଜ୍ଞ । ବର୍ତ୍ତମାନ ମହମ୍ମଦ ଘରେ ଥିବାରୁ ଏବଂ ଶହଜାଦାଙ୍କ ସନ୍ତାନ ଖୁବ୍ ଶୀଘ୍ର ଆସିବାକୁ ଥିବାରୁ, ସେମାନଙ୍କର କରଜ ବଢ଼ିବାକୁ ଲାଗିଛି ।
Editor's note
ଉମର୍ ପାରା ଇନ୍ଦିରାଗାନ୍ଧି ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ)ରେ ସାମ୍ବାଦିକତାରେ ଏକ ଅଣ୍ଡର ଗ୍ରାଜୁଏଟ୍ ପାଠ୍ୟକ୍ରମ ଅଧ୍ୟୟନ କରୁଛନ୍ତି । କିଛି ବର୍ଷ ହେବ ସେ ଫଟୋଗ୍ରାଫି କରୁଛନ୍ତି । ସେ କୁହନ୍ତି, "ପରି ଯେପରି ଭାବରେ କାହାଣୀଗୁଡ଼ିକୁ କୁହେ ତାହା ମୋ ପାଇଁ ଏକ ଶୈକ୍ଷଣୀୟ ଅଭିଜ୍ଞତା ଥିଲା । ମୁଁ ଜାଣିଲି ଯେ ଛୋଟ ଛୋଟ ଜିନିଷର ମୂଲ୍ୟ ଅଛି । ମୋତେ ସବୁକିଛି ଟିକିନିଖି ଦେଖିବାକୁ ହୋଇଥିଲା, ଜଣକର ନାମର ବନାନ୍ଠାରୁ ଆରମ୍ଭ କରି ସେମାନଙ୍କ ଗ୍ରାମ ଜନଗଣନାରେ ରେକର୍ଡ କରାଯାଇଛି ନା ନାହିଁ ସେ ପର୍ଯ୍ୟନ୍ତ । ଏହି ପ୍ରକ୍ରିୟା କାହାଣୀକୁ ବାସ୍ତବିକ କରିବା ପାଇଁ ତଥ୍ୟ ପାଇବାରେ ଏକ ଶିକ୍ଷା ଥିଲା ।"
ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।