
ଏହି କାହାଣୀ ମୂଳତଃ ହିନ୍ଦୀରେ ରିପୋର୍ଟ କରାଯାଇଥିଲା ଏବଂ ଲେଖାଯାଇଥିଲା। ପରୀ ଏଜୁକେସନ୍ ସାରା ଭାରତରେ ଛାତ୍ରଛାତ୍ରୀ, ରିସର୍ଚ ସ୍କଲାର ଏବଂ ଶିକ୍ଷାବିତ୍ମାନଙ୍କ ସହିତ କାମ କରିଥାଏ ଯେଉଁମାନେ ସେମାନଙ୍କର ପସନ୍ଦର ଏକ ଭାଷାରେ ଆମ ପାଇଁ ରିପୋର୍ଟ କରିଥାନ୍ତି, ଲେଖିଥାଆନ୍ତି ଏବଂ ଅଳଙ୍କରଣ କରିଥାଆନ୍ତି।
ଯେତେବେଳେ ମୋର ବୟସ କମ୍ ଥିଲା, ସେତେବେଳେ ଜଣେ ଆଶା (ଅଧିସ୍ୱୀକୃତ ସାମାଜିକ ସ୍ୱାସ୍ଥ୍ୟ କର୍ମୀ) କର୍ମୀ ଭାବରେ ଏକ ଔପଚାରିକ ପରିଚୟ ପତ୍ରରେ ମୋର ନାଁ ‘ମୋରା ଦେବୀ’ ଲେଖା ହୋଇଥିବା କଳ୍ପନା କରୁଥିଲି। ମୁଁ ମଧ୍ୟ ଏହି ୟୁନିଫର୍ମ – ସବୁଜ ରଙ୍ଗର ଦୁପଟ୍ଟା ସହ ଏକ ଧଳା ସାଲ୍ୱାର କମିଜ୍ – ଦେଢ଼ ଶହ ଟଙ୍କା ଦେଇ ତିଆରି କରାଇଥିଲି!
୨୦୧୯ରେ, ୩୮ ବର୍ଷ ବୟସରେ ମୋର ଏହି ସ୍ୱପ୍ନ ପୂରଣ ହୋଇଥିଲା।
ମୁଁ ହିମାଚଳ ପ୍ରଦେଶର କାଙ୍ଗ୍ରା ଜିଲ୍ଲାରେ ନୈନ ଗ୍ରାମରେ ରହେ। ମୋର ବାପା ଆମ ଗାଁରେ ଏବଂ ଆଖପାଖରେ ନିର୍ମାଣ କ୍ଷେତ୍ରଗୁଡ଼ିକରେ ଜଣେ ଦିନ ମଜୁରିଆ ଶ୍ରମିକ ଭାବରେ କାମ କରୁଥିଲେ। ସେ ଖୁବ୍ ହିଂସ୍ର ଥିଲେ ଏବଂ ଅଧିକାଂଶ ସମୟରେ ଆମକୁ ପିଟୁଥିଲେ, ବିଶେଷକରି ଯେତେବେଳେ ଆଲ୍କୋହଲ୍ କିଣିବା ପାଇଁ ଟଙ୍କା ଦରକାର କରୁଥିଲେ ସେତେବେଳେ ମୋ ମାଆଙ୍କୁ ପିଟୁଥିଲେ। ଯେତେବେଳେ ମୋତେ ଦଶ ବର୍ଷ ବୟସ ହୋଇଥିଲା ସେତେବେଳେ ସେ ଆତ୍ମହତ୍ୟା କରିଥିଲେ। ଏହା ପରେ ପରେ ମୁଁ ମୋ ମାଆଙ୍କ ସହିତ କୃଷି ଶ୍ରମିକ ଭାବରେ କାମ କରିବା ଆରମ୍ଭ କରିଥିଲି। ତାଙ୍କୁ ଦିନକୁ ୨୫୦ ଟଙ୍କା ମଜୁରୀ ମିଳୁଥିଲା। ସ୍କୁଲ୍ରୁ ଫେରିବା ପରେ ମୁଁ ତାଙ୍କ ସହ ଯୋଗ ଦେଉଥିଲି।


ଯେଉଁ ପୁରୁଷ ଲୋକମାନେ ଆମ ସହ କାମ କରୁଥିଲେ ସେମାନେ ମୋ ମାଆଙ୍କୁ ହଇରାଣ କରିବା ଆରମ୍ଭ କଲେ ଏବଂ ସେ ଆମ ଗାଁର ଅନ୍ୟ ମହିଳାମାନଙ୍କ ସହ ନିକଟସ୍ଥ ଚା’ ବଗିଚାକୁ କାମ ପାଇଁ ଚାଲିଗଲେ। ସେଠାରେ ମଜୁରୀ କମ୍ ଥିଲା – ଦିନକୁ ୧୫୦ ଟଙ୍କା।
ମୋର ମନେଅଛି ଯେତେବେଳେ ମୋତେ ୧୫ ବର୍ଷ ବୟସ ହୋଇଥିଲା, ସେତେବେଳେ ସ୍କୁଲ୍କୁ ଯିବା ପୂର୍ବରୁ ମୁଁ ତିନି ଘଣ୍ଟା କାମ କରୁଥିଲି। ମୋ ଭାଇମାନେ ମଧ୍ୟ ଏମିତି କାମ କରୁଥିଲେ ଏବଂ ଆମେ ସମସ୍ତେ ମିଶି ଦିନକୁ ୨୦୦ ଟଙ୍କା ଘରକୁ ଆଣୁଥିଲୁ। ସମସ୍ତଙ୍କ ପାଇଁ ରୋଟି ତିଆରି କରିବାକୁ ମୁଁ ସକାଳ ୫:୩୦ ବେଳକୁ ଉଠୁଥିଲି ଏବଂ ତା’ ପରେ ମୋ ମାଆ ଏବଂ ମୁଁ କାମ କରିବାକୁ ଯାଉଥିଲୁ। ଆମକୁ ଆଠଟା ସୁଦ୍ଧା ଜମିରେ ପହଞ୍ଚିବାକୁ ହେଉଥିଲା ଏବଂ ଆମେ ଡେରିରେ ଯାଇପାରୁନଥିଲୁ କାରଣ ନ ହେଲେ ଆଉ କାହାକୁ ନିଆ ହୋଇଯିବ। ଜମି ମାଲିକଙ୍କର ପାଞ୍ଚ ବିଘା ଜମି ଥିଲା [ପ୍ରାୟ ୨.୫ ଏକର] ଏବଂ ମାତ୍ର ପାଞ୍ଚରୁ ଦଶ ଜଣ ମହିଳାଙ୍କୁ ଏଠାରେ କାମ ମିଳୁଥିଲା। ଯେତେବେଳେ ମୁଁ ଘରକୁ ଫେରୁଥିଲି ମୋତେ ଘର ଓଳାଇବାକୁ ଏବଂ ଅନ୍ୟ ଘର କାମ ଶେଷ କରିବାକୁ ହେଉଥିଲା।
ମୋର ୧୦ମ ଶ୍ରେଣୀ ପରୀକ୍ଷାରେ ଦୁଇଟି ବିଷୟରେ ଫେଲ୍ ହେବା ପରେ ମୁଁ ପାଠ ପଢ଼ା ବନ୍ଦ କଲି। ମୋ ଭାଇ ମଧ୍ୟ ୧୨ଶ ଶ୍ରେଣୀ ପରେ ପାଠ ପଢ଼ା ଛାଡ଼ିଲେ। ଆମେ ଚମାର ଜାତିର। ଏହି ଜାତି ହିମାଚଳ ପ୍ରଦେଶରେ ଏକ ଅନୁସୂଚିତ ଜାତି ଭାବରେ ତାଲିକାଭୁକ୍ତ; ଆମର କୌଣସି ଜମି ନାହିଁ। ଆମେ ଯେତେବେଳେ ପାଲାମପୁରରେ ଥିବା ଅଜା ଆଈଙ୍କ ଘରକୁ ଯାଉ, ଆମେ ସେମାନଙ୍କ ଜମିରେ ମଧ୍ୟ କାମ କରୁ ଏବଂ ବଦଳରେ ମୋ ଆଈ ଆମକୁ ତାଙ୍କ ଅମଳ ହୋଇଥିବା ଫସଲରୁ ଅଧା ଦିଅନ୍ତି।



ପ୍ରଥମ ଥର ପାଇଁ ମୁଁ ଟେଲିଭିଜନରେ ଜଣେ ଆଶା କର୍ମୀଙ୍କୁ ଦେଖିଥିଲି। ତାଙ୍କ ପାଖରେ ଗୋଟିଏ ଓଜନିଆ ବ୍ୟାଗ୍ ଥିଲା ଏବଂ ପିଲାମାନଙ୍କୁ ପୋଲିଓ ବୁନ୍ଦା ଦେବା ପାଇଁ ସେ ଘରକୁ ଘର ଯାଉଥିଲେ ଏବଂ ଏଥିସହିତ ଏହାର ଗୁରୁତ୍ୱ ସେମାନଙ୍କ ପିତାମାତାଙ୍କୁ ବୁଝାଉଥିଲେ। ମୁଁ ତାଙ୍କ ପରି ହେବାର ସ୍ୱପ୍ନ ଦେଖିଥିଲି।
ମୁଁ ୧୯ ବର୍ଷ ବୟସରେ ବିବାହ କଲି ଏବଂ ନୈନ ଗ୍ରାମରେ ମୋ ସ୍ୱାମୀ ରୋଶନ ଲାଲ ଏବଂ ତାଙ୍କ ପିତାମାତା ଶକ୍ତି ଚାନ୍ଦ ଓ ବିମଳା ଦେବୀଙ୍କ ସହ ରହିବାକୁ ଆରମ୍ଭ କଲି। ରୋଶନ ଜଣେ ବଢ଼େଇ ଭାବରେ କାମ କରନ୍ତି ଏବଂ ମାସକୁ ପ୍ରାୟ ପାଞ୍ଚ ହଜାର ଟଙ୍କା ରୋଜଗାର କରନ୍ତି। ମୁଁ ମୋ ଶ୍ୱଶୂରଙ୍କ ସହ ଆମର ଥିବା ଏକ ବିଘା ଜମିରେ କାମ କଲି। ସେହି ଜମିରେ ଆମେ ଧାନ, ମକା, ଗହମ ଏବଂ ଆମ ନିଜର ବ୍ୟବହାର ପାଇଁ କିଛି ପନିପରିବା ଚାଷ କରୁ। ଆମେ ଯେତିକି ଧାନ ଚାଷ କରୁ ତାହା ଆମର ବର୍ଷେ ଚଳିଯାଏ।
ରୋଶନ ଏବଂ ମୋର ଦୁଇଟି ପୁଅ ଅଛନ୍ତି – ରାଜେଶ୍ୱର ଏବଂ ଅମିତ୍। ମୋର ବଡ଼ ପୁଅ ରାଜେଶ୍ୱର କଳାରେ ସ୍ନାତକ କରୁଛି ଏବଂ ସେନାବାହିନୀରେ ଯୋଗ ଦେବାକୁ ଚାହେଁ। ତା’ ଭାଇ, ଅମିତ୍ ୧୨ ଶ୍ରେଣୀରେ ପଢ଼ୁଛି ଏବଂ ଏହା ପରେ ସେ କ’ଣ କରିବାକୁ ଚାହିଁବ ସେ ନେଇ ନିଶ୍ଚିତ ନୁହେଁ।

ଜୀବନ ଆଗେଇ ଚାଲିଥିଲା ଏବଂ ମୁଁ ମୋ ସ୍ୱପ୍ନ ବିଷୟରେ କେବେ କାହାକୁ କହିନଥିଲି। ଏହା ପରେ ୨୦୧୪ରେ, ନୈନର କିଛି ଲୋକ ପ୍ରସ୍ତାବ ଦେଲେ ମୁଁ ୱାର୍ଡ ନିର୍ବାଚନରେ ଲଢ଼ିବା ପାଇଁ। ନୈନ ଗ୍ରାମର ସରପଞ୍ଚଙ୍କ ସହ ନିକଟରେ ହୋଇଥିବା ଏକ ବୈଠକରେ ଗୋଟିଏ ଭଙ୍ଗା ପୋଲ ସମ୍ପର୍କରେ କହିବା ପରେ ମୁଁ ସମସ୍ତଙ୍କ ନଜରକୁ ଆସିଥିଲି, ଯାହାକି ଅନ୍ୟ କେହି କରିପାରି ନଥିଲେ। ପୋଲଟି ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଯାଇନଥିଲା, କିନ୍ତୁ ଦୀର୍ଘ ସମୟ ଧରି ବରଫ ତରଳିବା ଯୋଗୁଁ ଏହାର ଗୋଟିଏ ଅଂଶ ଭାଙ୍ଗିରୁଜି ଯାଇଥିଲା ଏବଂ ରାସ୍ତାକୁ ପାଣି ଚାଲି ଆସୁଥିଲା ଯାହା ଫଳରେ ଚାଲିବା କଷ୍ଟ ହେଉଥିଲା। ମୋ ଗାଁରୁ ଦୁଇ ଜଣ ମହିଳା ନିର୍ବାଚନ ଲଢ଼ିଥିଲେ ଏବଂ ମୁଁ ଜିତିଲି!
ମୋର ପ୍ରଥମ ୱାର୍ଡ ବୈଠକ ମନେ ଅଛି ଯେଉଁଠାରେ ମୋତେ ୨୦୦ରୁ ଅଧିକ ଲୋକଙ୍କ ସହ କଥା ହେବାକୁ ହୋଇଥିଲା। ସମୁଦାୟ ଗାଁ ଏବଂ ମୋ ପରିବାର ମୋ ସାମ୍ନାରେ ବସିଥିଲେ ଏବଂ ମୋତେ କଥା କହିବାକୁ ଲାଜ ଲାଗୁଥିଲା।
ନୈନର ଜନସଂଖ୍ୟା ହେଉଛି ୨୪୯ ଏବଂ ୱାର୍ଡ କାଉନ୍ସିଲର୍ ଭାବରେ ମୋତେ ୪୫ଟି ଘରର ଖବର ବୁଝିବାକୁ ପଡ଼ୁଥିଲା। ଆମେ ଯେଉଁ ଘରଗୁଡ଼ିକରେ ନଳ ନଥିଲା ଆମେ ସେହି ପରିବାରଗୁଡ଼ିକ ପାଇଁ ନଳ ଲଗାଇଲୁ ଏବଂ ବିଭିନ୍ନ ସରକାରୀ ଯୋଜନା ଦ୍ୱାରା ଗ୍ରାମବାସୀଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କଲୁ। ମୋ କାମରେ ମୋ ସ୍ୱାମୀ ରୋଶନ ମୋତେ ବହୁତ ସାହାଯ୍ୟ କରିଥିଲେ।



ସେ ସମୟରେ ମୋ ପିଲାମାନେ ଛୋଟ ଥିଲେ, ତେଣୁ ମୁଁ ସେମାନେ ସ୍କୁଲ୍ ଯିବା ପରେ ହିଁ କାମକୁ ଯାଉଥିଲି। ମୁଁ ଦିନ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ କାମ କରୁଥିଲି। ଗୋଟିଏ ବର୍ଷ ମୋ ପିଲାମାନଙ୍କ ସ୍କୁଲ୍ ଦେୟ ଦେବାକୁ ଆମ ପାଖରେ ପଇସା ନିଅଣ୍ଟ ହେଉଥିଲା ଏବଂ ମୁଁ ମୋ ପ୍ରଥମ ଷ୍ଟାଇପେଣ୍ଡ ୮୦୦ ଟଙ୍କା ଦେଇ ଏହା ଭରିଥିଲି। ମୁଁ ଏଥିରେ ଖୁବ୍ ଖୁସି ହୋଇଥିଲି।
୨୦୧୮ରେ ୱାର୍ଡ କାଉନ୍ସିଲର୍ ଭାବରେ ମୋର ପାଞ୍ଚ ବର୍ଷ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିଲା। ଅଙ୍ଗନବାଡ଼ିଠାରେ ପଚାରିବା ସମୟରେ ମୁଁ ଜାଣିବାକୁ ପାଇଲି ଯେ ଆମ ଗାଁ ପାଇଁ ଜଣେ ଆଶା କର୍ମୀଙ୍କର ଆବଶ୍ୟକତା ରହିଛି। ସମୟ ନଷ୍ଟ ନ କରି ମୁଁ ସେହି ଅଙ୍ଗନବାଡ଼ି ଶିକ୍ଷକଙ୍କୁ ଗୋଟିଏ ଫର୍ମ ମାଗିଲି, ଘରକୁ ଗଲି ଏବଂ ଏ ସମ୍ପର୍କରେ ମୋ ସ୍ୱାମୀଙ୍କ ସହ ଆଲୋଚନା କଲି।
ଫର୍ମ ପୂରଣ କରିବାର ସପ୍ତାହେ ପରେ ମୁଁ ସାକ୍ଷାତକାର ପାଇଁ ଡାକରା ପାଇଲି। ମୋ ଗ୍ରାମର ଅନ୍ୟ ତିନି ଜଣ ମହିଳା ମୋ ସହିତ ଫର୍ମ ଭରିଥିଲେ ଏବଂ ଆମ ସମସ୍ତଙ୍କୁ ଚୟନ କରାଯାଇଥିଲା। ନୈନଠାରୁ ଅଧ ଘଣ୍ଟାର ରାସ୍ତାରେ ଥିବା ଏକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆମର ପ୍ରଶିକ୍ଷଣ ଆରମ୍ଭ ହେଲା। କେମିତି ଗର୍ଭବତୀ ମହିଳାମାନଙ୍କୁ ଔଷଧ ଦିଆଯିବ ଏବଂ ସେମାନଙ୍କୁ ପ୍ରସବ ପୂର୍ବ ଏବଂ ପରବର୍ତ୍ତୀ ଯାଞ୍ଚ ପାଇଁ ନିଆଯିବ ତାହା ଆମେ ଶିଖିଲୁ। କେମିତି ଯକ୍ଷ୍ମା ରୋଗୀମାନଙ୍କୁ ଚିହ୍ନଟ କରାଯିବ ଏବଂ ସେମାନଙ୍କୁ କେତେବେଳେ ଔଷଧ ଦିଆଯିବ ତାହା ଆମକୁ ଶିଖାଯାଇଥିଲା। ଯେମିତି ମୁଁ ପ୍ରଥମେ ଟିଭିରେ ଦେଖିଥିଲି, ଆମକୁ ମଧ୍ୟ ପିଲାମାନଙ୍କୁ କେତେବେଳେ ଓ କେମିତି ପୋଲିଓ ବୁନ୍ଦା ଦିଆଯିବ ତାହା ଶିଖାଯାଇଥିଲା।



ୱାର୍ଡ କାଉନ୍ସିଲର୍ ଭାବରେ ମୋର କାର୍ଯ୍ୟକାଳ ଶେଷ ହେବା ଓ ତାଲିମ୍ ମାସ ଏକାଠି ଥିଲା। ତେଣୁ ଯେତେବେଳେ ମୋର ୱାର୍ଡ ବୈଠକ ରହୁଥିଲା ମୁଁ ତାଲିମ୍ରୁ ଘଣ୍ଟାଏ କିମ୍ବା ଦୁଇ ଘଣ୍ଟା ଛୁଟି ନେଉଥିଲି।
ଯେହେତୁ ମୋର ୧୦ମ ଶ୍ରେଣୀ ସାର୍ଟିଫିକେଟ୍ ନଥିଲା, ତାଲିମ୍ ପରେ ମୁଁ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ନେଇ ଖୁବ୍ ଚିନ୍ତିତ ଥିଲି। ତେବେ ତାଲିମ୍ ସମୟରେ ଆମକୁ ଯାହା ପଢ଼ାଯାଇଥିଲା ସବୁ ପ୍ରଶ୍ନ ତାହା ଉପରେ ଆଧାରିତ ଥିଲା ଏବଂ ଆମ ଶ୍ରେଣୀରେ ୧୨ ଜଣ ମହିଳାଙ୍କ ମଧ୍ୟରୁ ଆମେ ତିନି ଜଣ (ଭିନ୍ନ ଭିନ୍ନ ଗ୍ରାମ ପଞ୍ଚାୟତରୁ) ଉତ୍ତୀର୍ଣ୍ଣ ହୋଇଥିଲୁ।
ମୁଁ ମୋର ଧଳା ସାଲ୍ୱାର ସହ ଏକ ସବୁଜ ଦୁପଟ୍ଟା ପିନ୍ଧିଲି ଏବଂ ସେବେଠାରୁ ତାହା ପିନ୍ଧିଆସୁଛି।
ମୋର କାମ ସକାଳ ୬ଟାରୁ ଆରମ୍ଭ ହୁଏ। ମୁଁ ମୋ ପରିବାର ପାଇଁ ରୋଷେଇ କରେ, ଘର ସଫା କରେ ଏବଂ ଗାଈକୁ ଖାଇବାକୁ ଦିଏ। ଏହା ପରେ ଆମ ଘର ପଛ ପାଖରୁ ଆମ ଗାଈର ପରବର୍ତ୍ତୀ ଭୋଜନ ପାଇଁ ଘାସ ଆଣେ, ଯେମିତିକି ମୋର ବୟସ୍କ ଶାଶୂଙ୍କ ପାଇଁ କୌଣସି ସମସ୍ୟା ହେବ ନାହିଁ ଏବଂ ଗାଈକୁ ଭୋକ ଲାଗିଲେ ସେ ଖାଇବାକୁ ଦେଇପାରିବେ। ଏହା ପରେ ମୁଁ ଦୁଇଟି ରୋଟି ଖାଏ, ମୁଁ ୟୁନିଫର୍ମ ପିନ୍ଧେ ଏବଂ ସାରା ଗାଁରେ ମୋର ଯେଉଁସବୁ ସ୍ଥାନକୁ ଯିବାର ଥାଏ ତାହା ଆରମ୍ଭ କରିବା ପାଇଁ ଘରୁ ବାହାରେ।



ବେଳେ ବେଳେ ନିଃଶ୍ୱାସ ନେବାକୁ ବି ମୋ ପାଖରେ ସମୟ ନଥାଏ। ମୁଁ ରାତିରେ ଶୋଇବା ପୂର୍ବରୁ ପରଦିନ ସମ୍ପର୍କରେ ଚିନ୍ତା କରିଥାଏ, ଯାହା ମୁଁ ଉଠିବା ମାତ୍ରେ ମୋତେ କରିବାକୁ ହେବ। ଶେଷ ଥର ମୁଁ କେବେ ବିଶ୍ରାମ ନେଇଥିଲି ତାହା ମୁଁ ମନେ ପକାଇ ପାରୁନି।
ଯେତେବେଳେ ମୁଁ କାମ ସାରି ଘରକୁ ଫେରେ, ମୁଁ ଭିତରକୁ ଯିବା ପୂର୍ବରୁ ମୋ ହାତ ଏବଂ ଗୋଡ଼ ବାହାରେ ଧୁଏ। ମୁଁ ଭୟ କରେ ମୋ ଯୋଗୁଁ କାଳେ ମୋ ପରିବାର ସଦସ୍ୟଙ୍କର କିଛି ଅସୁବିଧା ହେବ। ସେମାନେ ମୋତେ କହନ୍ତି, ‘‘ତୁମେ ଯାହା କରିବାକୁ ଚାହଁ କର କିନ୍ତୁ ନିଜର ଯତ୍ନ ନିଅ।’’ ସେମାନେ ଭାବନ୍ତି ମୁଁ ମୋର ଯଥେଷ୍ଟ ଯତ୍ନ ନେଉନାହିଁ। ମୁଁ ମାସକୁ ଚାରି ହଜାର ଟଙ୍କା ଆୟ କରେ, କିନ୍ତୁ ମୁଁ ଏହି କାମରୁ ଯେଉଁ ଖୁସି ପାଏ ତାହା ଅମୂଲ୍ୟ।
Editor's note
ସିମ୍ପଲ କୁମାରୀ ହେଉଛନ୍ତି ବିହାରର ଗୟା ଜିଲ୍ଲାରେ ଥିବା ପନ୍ନୋ ଦେବୀ ଶିକ୍ଷଣ ସଂସ୍ଥାନ କଲେଜ୍ର ବିଜ୍ନେସ୍ ମ୍ୟାନେଜ୍ମେଣ୍ଟର ଜଣେ ଛାତ୍ରୀ। ଅଣ ସରକାରୀ ଅନୁଷ୍ଠାନ ସାଝେ ସପ୍ନେ ଦ୍ୱାରା ତାଙ୍କୁ ଗୋଟିଏ ଏକ ବର୍ଷୀୟ ମାର୍ଗଦର୍ଶନ ଏବଂ ଦକ୍ଷତା କାର୍ଯ୍ୟକ୍ରମ ପାଇଁ ବଛା ଯାଇଥିଲା ଯେଉଁଥିରେ ପରୀ ଏଜୁକେସନ୍ ସହିତ ଦସ୍ତାବିଜ୍କରଣ ଉପରେ ଏକ କ୍ଷୁଦ୍ର ପାଠ୍ୟକ୍ରମ ସାମିଲ୍ ହୋଇଥିଲା। ସେ କହନ୍ତି: ‘‘ପରୀ ସହ ଇଣ୍ଟର୍ଣ୍ଣ ହେବା ପୂର୍ବରୁ ମୁଁ ପ୍ରାୟତଃ ଭାବୁଥିଲି ଗୋଟିଏ ଭଲ କାହାଣୀ ଲେଖିବା ପାଇଁ ଜଣକର କିଛି କଳ୍ପନା ଶକ୍ତି ଥିବା ଆବଶ୍ୟକ। ମୋରା ଦେବୀଙ୍କୁ ଭେଟିବା ପରେ ମୁଁ ହୃଦୟଙ୍ଗମ କଲି ଯେ ପ୍ରତ୍ୟେକ ମଣିଷ ପାଇଁ କେବଳ କଳ୍ପନା ଗୋଟିଏ କାହାଣୀର ଏକ ମାତ୍ର ଉତ୍ସ ନୁହେଁ। ସେମାନଙ୍କ ଜୀବନରେ କୌଣସି ନା କୌଣସି ପ୍ରକାରର ସଂଘର୍ଷ ରହିଛି। ମୁଁ ଏହା ମଧ୍ୟ ଜାଣିଲି ଯେ ଜଣେ ଆପଣଙ୍କ ସହ ସେମାନଙ୍କର ଜୀବନ ବିଷୟରେ କଥାବାର୍ତ୍ତା କରିବା ପୂର୍ବରୁ ଆପଣ ତାଙ୍କୁ ଜାଣିବା ପାଇଁ କିଛି ସମୟ କଟାଇବାକୁ ହେବ। ମୁଁ ଏବେ ଲୋକଙ୍କ ସାମ୍ନାରେ କଥାବାର୍ତ୍ତା କରିବାକୁ କୁଣ୍ଠା ପ୍ରକାଶ କରୁନାହିଁ।’’
ଅନୁବାଦ: ଓଡ଼ିଶାଲାଇଭ୍
ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।