
ଏ ଖବରଟି ମୂଳତଃ ହିନ୍ଦୀ ଭାଷାରେ ରିପୋର୍ଟ କରାଯାଇଛି ଏବଂ ଲେଖାଯାଇଛି । ପରୀ ଏଜୁକେସନ ସାରା ଭାରତର ବିଦ୍ୟାର୍ଥୀ, ଗବେଷକ ଏବଂ ଶିକ୍ଷାବିତ୍ମାନଙ୍କ ସହିତ ମିଶି କାର୍ଯ୍ୟ କରିଥାଏ ଯେଉଁମାନେ ନିଜ ପସନ୍ଦ ଅନୁଯାୟୀ ଭାଷାରେ ଆମ ପାଇଁ ରିପୋର୍ଟ ପ୍ରସ୍ତୁତ କରନ୍ତି, ଲେଖନ୍ତି ଏବଂ ଚିତ୍ର କରିଥାନ୍ତି ।
ଅତ୍ୟଧିକ ମଦ ନିଶା କାରଣରୁ ଯେତେବେଳେ ବୀଣା ଦେବୀଙ୍କର ସ୍ୱାମୀ ଆରପାରିକୁ ଚାଲିଗଲେ ସମ୍ପତ୍ତିରୁ ନିଜର ହକ୍ ପାଇବା ଲାଗି ତାଙ୍କୁ ଶାଶୂଶ୍ୱଶୂରଙ୍କ ଆଗରେ ସ୍ୱର ଉତ୍ତୋଳନ କରିବାକୁ ପଡ଼ିଥିଲା। ସେ କୁହନ୍ତି, “ମୋତେ ମୋ ଅଧିକାର ପାଇଁ ଲଢ଼ିବାକୁ ପଡ଼ିଲା। ମୁଁ ମୋ ଗାଁର ସରପଞ୍ଚଙ୍କ ପାଖକୁ ଗଲି ଏବଂ ତାଙ୍କୁ କହିଲି ଯେ ମୁଁ ଘରର ବୋହୂ, ତେଣୁ ମୋତେ ମୋ ସ୍ୱାମୀଙ୍କ ଭାଗ ଦରକାର । ମୋତେ ନିଜ ପିଲାମାନଙ୍କର ଦେଖାଶୁଣା କରିବାର ଥିଲା। ମୁଁ ସେମାନଙ୍କୁ ନେଇ କୁଆଡ଼େ ଯାଇଥାନ୍ତି?”
ହିମାଚଳ ପ୍ରଦେଶର ପାଲମପୁରସ୍ଥିତ ନୈନ ଗାଁର ବାସିନ୍ଦା ୫୪ ବର୍ଷୀୟା ବୀଣା ଦେବୀ ଜଣେ ଦଳିତ ଚାଷୀ, କୃଷି ଶ୍ରମିକ, ସଫେଇ କର୍ମୀ ଓ ତେଜରାତି ଦୋକାନ ମାଲିକାଣୀ। କାଙ୍ଗଡ଼ା ଜିଲ୍ଲାର ୨୪୯ ଲୋକସଂଖ୍ୟା ବିଶିଷ୍ଟ ଏହି ଗାଁରେ ନିଜର ଏବଂ ନିଜ ପରିବାରର ପେଟ ପୋଷିବା ଲାଗି ତାଙ୍କୁ ଏକସଙ୍ଗେ ଏତେଗୁଡ଼ିଏ କାମ କରିବାର ଆବଶ୍ୟକତା ପଡ଼ିଥାଏ ।
ବୀଣାଙ୍କ ବାହାଘର ମାତ୍ର ୧୫ ବର୍ଷ ବୟସରେ ହୋଇଥିଲା, ଏବଂ ୧୯ ବର୍ଷ ହେବା ବେଳକୁ ସେ ୩ ଜଣ ପିଲାଙ୍କ ମା’ ହୋଇସାରିଥିଲେ। ତାଙ୍କ ସ୍ୱାମୀ ଗୁରପାଲ ସିଂ ଜଣେ ମେକାନିକ୍ କାମ କରୁଥିଲେ । ତାଙ୍କର ଦୈନିକ ରୋଜଗାର ଅତି କଷ୍ଟରେ ୧୫୦-୨୦୦ ଟଙ୍କା ଥିଲା, ଯାହାକୁ ସେ ମଦ ପିଇବାରେ ବରବାଦ୍ କରି ଦେଉଥିଲେ। ବେଣୀ କହିଥିଲେ, “ତାଙ୍କର ବଞ୍ଚି ରହିବା କିମ୍ବା ନରହିବାର ମୂଲ୍ୟ ମୋ ପାଇଁ କିଛି ନଥିଲା । ବରଂ ତାଙ୍କ ମୃତ୍ୟୁ ପରେ ମୋ ଜୀବନର ସମସ୍ୟା ପୂର୍ବାପେକ୍ଷା କମ୍ ହୋଇପାରିଛି ।” ଅତ୍ୟଧିକ ମଦ ନିଶା କାରଣରୁ ୭ ଜାନୁଆରୀ, ୨୦୧୯ରେ ଗୁରପାଲଙ୍କର ମୃତ୍ୟୁ ଘଟିଥିଲା। ସେ ଆହୁରି କହିଥିଲେ,”ତାଙ୍କର ଫୁସଫୁସ ରୋଗ ଥିଲା ଏବଂ ଡାକ୍ତର ତାଙ୍କୁ ମଦ କମ୍ ପିଇବା ଲାଗି ପରାମର୍ଶ ଦେଇଥିଲେ । କିନ୍ତୁ ସେ ଏହାକୁ ଖାତିର କରିନଥିଲେ ।”


ସ୍ୱାମୀଙ୍କ ମୃତ୍ୟୁ ପରେ ଶାଶୁ- ଶ୍ୱଶୁର ତାଙ୍କୁ ଘର ଛାଡ଼ି ଚାଲିଯିବାକୁ କହିଲେ । କିନ୍ତୁ ସମ୍ପତ୍ତିରୁ ନିଜର ଭାଗ ପାଇବା ଲାଗି ଦୃଢ଼ସଂକଳ୍ପବଦ୍ଧ ବୀଣା ଏହି ମାମଲାକୁ ନେଇ ଗାଁ ସରପଞ୍ଚଙ୍କ ଦୁଆରେ ପହଞ୍ଚିଲେ । ସେଠାରେ ନିଷ୍ପତ୍ତି ହେଲା ଯେ ଘରର ବୋହୂ ହୋଇଥିବାରୁ ବୀଣା ଦେବୀଙ୍କୁ ସମ୍ପତ୍ତିରେ ସମାନ ଭାଗ ମିଳିବା ଉଚିତ୍ ।
ବର୍ତ୍ତମାନ ଭୋର ଚାରିଟା ବାଜିଛି ଏବଂ ବୀଣା ଦେବୀ ନିଦରୁ ଉଠିବା ପରେ ନିଜ ପରିବାରର ଖାଦ୍ୟ ପାଇଁ ରୁଟି ଓ ରାଜମା ରାନ୍ଧୁଛନ୍ତି । ଯେତେବେଳେ ସେ କୋଦାଳ ଓ ଫାଉଡ଼ା ଧରି ଘରୁ ଚାଷ ଜମି ଆଡ଼କୁ ବାହାରିଥାନ୍ତି, ସେତେବେଳେ ତାଙ୍କର ପ୍ରାପ୍ତ ବୟସ୍କ ପିଲା ଦୁଇଜଣ ଶୋଇ ରହିଥାନ୍ତି । ପ୍ରାୟ ୧୫ରୁ୨୦ ମିନିଟ୍ ମଧ୍ୟରେ ଘରଠାରୁ ଚାଷ ଜମି ପର୍ଯ୍ୟନ୍ତ ତିନି କିଲୋମିଟର ଦୂରତା ସେ ଅତିକ୍ରମ କରିଥାନ୍ତି । ନିଜର ୨-୩ କନାଲ (ଗୋଟିଏ କନାଲ ୧ ଏକରର ଦଶ ଭାଗ ସହ ପ୍ରାୟ ସମାନ ହୋଇଥାଏ) ଜମିରେ ସେ ଗହମ, ଧାନ ଏବଂ ବେଳେ ବେଳେ ପନିପରିବା ଚାଷ କରିଥାନ୍ତି । “ମୋ ଜମିର ଅଧା ଭାଗ ଅନୁର୍ବର, ତେଣୁ ମୁଁ ଅଧିକ କିଛି ଉତ୍ପାଦନ କରିପାରେ ନାହିଁ । ତେବେ ନିଜ ଉତ୍ପାଦିତ ଫସଲ ମୁଁ ବିକ୍ରି କରେ ନାହିଁ, ଆମେ ସେସବୁ ଖାଇବା ଲାଗି ଉପଯୋଗ କରିଥାଉ।”
ଚାଷ କାମ ତାଙ୍କ ରକ୍ତରେ ଅଛି, କାରଣ ତାଙ୍କର ମା’-ବାପାଙ୍କ ପାଖରେ କାଙ୍ଗଡ଼ା ଜିଲ୍ଲାର ନଜରୀ ଗ୍ରାମରେ ପ୍ରାୟ ଦୁଇ ବିଘା ଜମି (ଗୋଟିଏ ଏକର ପାଖାପାଖି) ଥିଲା। ସେଥିରେ ସେମାନେ ଗହମ, ଧାନ ଏବଂ ଭେଣ୍ଡି, ଲାଉ ଓ ବିନ୍ସ ଭଳି ପନିପରିବା ଚାଷ କରିଥାନ୍ତି । ବୀଣା କେବେ ସ୍କୁଲ ଯାଇନାହାନ୍ତି, ବରଂ ଚାଷ ଜମିରେ ସେ ନିଜ ମାତାପିତାଙ୍କୁ ସହାୟତା କରିଥାନ୍ତି । ଏଥିସହିତ ସେମାନଙ୍କ ସହିତ ଅନ୍ୟମାନଙ୍କ ଚାଷ ଜମିରେ ମଧ୍ୟ କାମ କରନ୍ତି ।



ଦିନେ ଦିନେ, ବୀଣା ଅନ୍ୟମାନଙ୍କ ଚାଷ ଜମି କିମ୍ବା ଘରକୁ ଦିନ ମଜୁରିଆ ଭାବେ କାମ କରିବା ଲାଗି ଯାଇଥାନ୍ତି । ସେ ନିଜ ଗାଈ ଓ ଛେଳିଙ୍କ ପାଇଁ ଘାସ କାଟିବା ଲାଗି ମଧ୍ୟ ଯାଇଥାନ୍ତି । ସେ କୁହନ୍ତି, “ମୁଁ ଦିନ ମଜୁରିଆ ଭାବେ ଦିନକୁ ୧୫୦ ଟଙ୍କା ରୋଜଗାର କରିଥାଏ ଏବଂ ଅନ୍ୟମାନଙ୍କ ଚାଷ ଜମିରେ ଘାସ କାଟି ମୋତେ ବେଳେ ବେଳେ ଅଧିକ ୫୦ କିମ୍ବା ୬୦ ଟଙ୍କା ମିଳିଯାଇଥାଏ।” ଏହାପରେ, ସେ ନିଜର ଛୋଟିଆ ତେଜରାତି ଦୋକାନରେ ବସି ବ୍ୟବସାୟ କରିଥାନ୍ତି, ସେଥିରୁ ତାଙ୍କୁ ଦିନକୁ ପ୍ରାୟ ୧୦୦ ଟଙ୍କା ରୋଜଗାର ହୋଇଥାଏ।
କିନ୍ତୁ ତାଙ୍କ କାମ ଏଇଠି ସରିନଥାଏ। ସେ ଗତ ଚାରି ବର୍ଷ ଧରି ଏକ ସ୍ଥାନୀୟ ଘରୋଇ ବିଦ୍ୟାଳୟ, ‘ଉଡ଼ାନ୍ ସ୍କୁଲ’ରେ ସଫେଇ କର୍ମଚାରୀ ଭାବେ ନିୟୋଜିତ ଅଛନ୍ତି । ପ୍ରତିଦିନ ସନ୍ଧ୍ୟା ୫ଟାରୁ ୭ଟା ପର୍ଯ୍ୟନ୍ତ ବିଦ୍ୟାଳୟରେ ଚାକିରି କରିଥାନ୍ତି ଏବଂ ଏହି କାମ ପାଇଁ ତାଙ୍କୁ ମାସକୁ ୪,୦୦୦ ଟଙ୍କା ମିଳିଥାଏ।
ବହୁ ବର୍ଷ ପୂର୍ବରୁ, ଯେତେବେଳେ ତାଙ୍କୁ ନିଜ ପିଲାମାନଙ୍କୁ ସ୍କୁଲ ପଠାଇବା ଲାଗି ଟଙ୍କା ଆବଶ୍ୟକ ପଡ଼ିଲା, ବୀଣା ପୋଷାକ ସିଲେଇ କାମ ଆରମ୍ଭ କଲେ। ସେ କହିଥିଲେ, “ମୁଁ ମୋ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ଚାହୁଁଥିଲି, ସେଥିପାଇଁ ମୁଁ ସାହସ କଲି ଏବଂ ସିଲେଇ କାମ ଶିଖିଲି। ଏହି କାମରୁ ମୋତେ ଦିନକୁ ୧୫୦ରୁ ୨୦୦ ଟଙ୍କା ମିଳୁଥିଲା। ମୋ ସ୍ୱାମୀ ଅଧିକାଂଶ ସମୟରେ ମୋ ରୋଜଗାର ଟଙ୍କା ମୋଠାରୁ ଛଡ଼ାଇ ନେଇ ମଦ ପିଇବାରେ ଉଡ଼ାଇ ଦେଉଥିଲେ।”


ସେ କୁହନ୍ତି, “ମୋର କଠିନ ପରିଶ୍ରମ କାରଣରୁ ମୋ ପିଲାମାନେ ପାଠ ପଢ଼ି ପାରିଛନ୍ତି ଏବଂ ଆଜିର ଦିନରେ ସେମାନେ ସମସ୍ତେ ନିଜ ଗୋଡ଼ରେ ଛିଡ଼ା ହେବାକୁ ସକ୍ଷମ ହୋଇଛନ୍ତି ।” ତାଙ୍କ ଝିଅ ସୋନି (୪୦) ନିଜର ଏକ ବ୍ୟୁଟି ପାର୍ଲର ଚଳାଉଛନ୍ତି; ପୁଅ ସଞ୍ଜିତ (୩୭) ଚଣ୍ଡିଗଡ଼ର ଏକ ହୋଟେଲରେ କାମ କରୁଛନ୍ତି ଏବଂ ସାନ ପୁଅ ମଞ୍ଜିତ (୩୭) ଡ୍ରାଇଭର କାମ କରୁଛନ୍ତି ଏବଂ ଆବଶ୍ୟକ ହେଲେ ତାଙ୍କୁ ଚାଷ କାମରେ ସାହାଯ୍ୟ କରୁଛନ୍ତି ।
ବୀଣା କୁହନ୍ତି, “ଲୋକମାନେ ପ୍ରାୟତଃ ମୋ ରୋଜଗାରକୁ ନେଇ ମୋତେ ଥଟ୍ଟା କରିଥାନ୍ତି । କିନ୍ତୁ ମୁଁ କେବଳ କଠିନ ପରିଶ୍ରମ କରିଥାଏ। ମୋର ପିଲାମାନେ ଏବେ ନିଜ ନିଜ କାମ କରୁଛନ୍ତି, ତଥାପି ମୁଁ ମୋ କାମ କରିବା ଜାରି ରଖିଛି, କାରଣ ନିଜ ସାମର୍ଥ୍ୟରେ ବଞ୍ଚିବାକୁ ମୁଁ ପସନ୍ଦ କରିଥାଏ… ମୋତେ କାମ କରିବାକୁ ଭଲ ଲାଗେ।”
ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆ ଦ୍ୱାରା CC BY-NC-ND 4.0 ଅଧୀନରେ ଲାଇସେନ୍ସପ୍ରାପ୍ତ।
Editor's note
ଜ୍ୟୋତି କୁମାରୀ ବିହାର ଜହନାବାଦ ଜିଲ୍ଲାର କାଟ୍ରାସିନ ଗାଁର ମୂଳ ବାସିନ୍ଦା। ସେ ନିକଟସ୍ଥ ମଖଦମପୁର ଦ୍ଵାରିକା ପ୍ରସାଦ ଯାଦବ (+୨) ସିନିୟର ସେକେଣ୍ଡାରୀ ସ୍କୁଲରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି । ‘ସାଝେ ସପନେ’ ନାମକ ଏକ ଅଣ-ସରକାରୀ ସଂଗଠନ ଏକ ବର୍ଷର ସଦସ୍ୟତା ଏବଂ କୌଶଳ ବିକାଶ ପାଇଁ ତାଙ୍କୁ ଚୟନ କରିଥିଲା। ଏହି କାର୍ଯ୍ୟକ୍ରମରେ ପରୀ ଏଜୁକେସନ ସହିତ ବର୍ଷକର ଏକ ଡକ୍ୟୁମେଣ୍ଟେସନ ଲଘୁ ପାଠ୍ୟକ୍ରମ ସାମିଲ ରହିଥିଲା। ଜ୍ୟୋତି କୁହନ୍ତି : "ବୀଣା ଦେବୀଙ୍କର ସାହସୀ ବ୍ୟକ୍ତିତ୍ୱ ମୋତେ ବେଶ୍ ଅନୁପ୍ରାଣିତ କରିଥିଲା – ଏପରି ସାହସ ସାଧାରଣତଃ ରାଜନୀତି କ୍ଷେତ୍ରରେ ଥିବା ମହିଳାମାନେ ଦେଖାଇଥାନ୍ତି । ବିଧବା ହୋଇଥିଲେ ମଧ୍ୟ, ସେ ନିଜକୁ ଅବହେଳିତ ହୋଇଯିବାରୁ ସୁରକ୍ଷିତ ରଖିଥିଲେ। ସେ କଠିନ ପରିଶ୍ରମର ମାର୍ଗରେ ଆଗକୁ ବଢ଼ିଥିଲେ ଏବଂ ସେ ନିଜର ଏବଂ ନିଜ ପିଲାମାନଙ୍କର ଜୀବନ ବଦଳାଇ ଦେଇଥିଲେ। ମୁଁ ତାଙ୍କୁ ଏବଂ ତାଙ୍କ ଭଳି ଅନେକ ମହିଳାଙ୍କୁ ଖୁବ ସମ୍ମାନ କରିଥାଏ।"
ଅନୁବାଦ: ଓଡ଼ିଶାଲାଇଭ୍
ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।