୮୦ ବର୍ଷୀୟା ଯଶପାଲ କୌର କହିଲେ, ‘‘ଯଦି ସରକାର ଆମର ମଙ୍ଗଳ କରିବାକୁ ଇଚ୍ଛୁକ, ତେବେ ସେମାନଙ୍କୁ କୁହ ମୋ ଭଳି ଚାଷୀମାନଙ୍କର ଋଣ ଛାଡ଼ କରନ୍ତୁ ।’’ ଫଟୋ –  ତାନଜଲ୍ କାପୁର

ଉତ୍ତର ଭାରତର ହାଡ଼ଭଙ୍ଗା ଶୀତରେ, ତାପମାତ୍ରା ଶୂନ ଡିଗ୍ରୀ ସେଲସିୟସକୁ ଖସି ଆସୁଥିବାବେଳେ, ପ୍ରାୟ ମାସେ ଧରି ଟେଣ୍ଟ ଓ ଝୋପଡ଼ି ଭରସାରେ ରହିବା ପରେ ୮୩ ବର୍ଷୀୟ ହରଫୁଲ ସିଂହ ଅସୁସ୍ଥ ହୋଇପଡ଼ିଲେ । ତାଙ୍କ ପକ୍ଷରେ ଶ୍ଵାସକ୍ରିୟା କଷ୍ଟକର ହୋଇପଡ଼ିଲା ଏବଂ ସେ ଛାତିରେ ଯନ୍ତ୍ରଣା ଅନୁଭବ କଲେ ।

ସର୍ବଭାରତୀୟ କ୍ରାନ୍ତିକାରୀ କିଷାନ ସଭାର ସଦସ୍ୟ ହରଫୁଲ ସିଂହ ଏବଂ ତାଙ୍କ ସ୍ତ୍ରୀ ୮୦ ବର୍ଷୀୟ ଯଶପାଲ କୌର ଉଭୟ ନଭେମ୍ବର ୨୬ରେ ଅନ୍ୟ ୧୧-୧୨ ଜଣ ଚାଷୀଙ୍କ ସହ ଗୋଟିଏ ଟ୍ରାକ୍ଟର ଟ୍ରଲିରେ ହରିୟାଣା-ଦିଲ୍ଲୀ ସୀମାରେ ସ୍ଥିତ ସିଂଘୁ ବିକ୍ଷୋଭ ସ୍ଥଳକୁ ଆସିଥିଲେ । ଯେତେବେଳେ ତାଙ୍କର ଶ୍ଵାସକ୍ରିୟା ଅସ୍ଥିର ହେଲା, ଡିସେମ୍ବର ୨୧ ତାରିଖରେ ଏହି ଦମ୍ପତି ନିଜ ଗାଁ ପ୍ରାୟ ୨୦୦ କିଲୋମିଟର ଦୂରରେ ଥିବା ପଞ୍ଜାବ ଫତେଗଡ଼ ସାହେବ ଜିଲ୍ଲାର ସୋହାଗ ହେରିକୁ ଫେରିଗଲେ ।

ତିନି ଦିନ ପରେ ଡିସେମ୍ବର ୨୪ ତାରିଖରେ ହରଫୁଲ ସିଂହ ପ୍ରାଣ ହରାଇଲେ ।

ତା’ର ମାତ୍ର ୧୦ ଦିନ ପରେ, ଯଶପାଲ କୌର ସିଂଘୁକୁ ଫେରିଆସିଲେ । ସେ କହନ୍ତି, ‘‘ମୋ ସ୍ଵାମୀ ମୋ ପାଇଁ, ଆମ ପିଲାଙ୍କ ପାଇଁ ଓ ଆମର ଜମି ପାଇଁ ନିଜ ଜୀବନ ତ୍ୟାଗ କଲେ । ମୋତେ ଫେରିଆସିବାକୁ ଥିଲା ଓ ଆମେ ଆରମ୍ଭ କରିଥିବା ଯୁଦ୍ଧ ଜାରି ରଖିବାକୁ ଥିଲା ।  ଆମ ଗାଁରୁ ପ୍ରତିଦିନ ଟ୍ରଲି ଯିବା ଆସିବା କରନ୍ତି । ସେଥିରୁ ଗୋଟିକରେ ମୁଁ ଫେରିଲି।’’

ଯେତେବେଳେ ଜାନୁଆରୀରେ ଆମେ ଭେଟିଲୁ ସେତେବେଳେ ଯଶପାଲ ଗୋଟିଏ ଟେଣ୍ଟରେ ଲଙ୍ଗର ପାଇଁ ରୋଷେଇ କରୁଥିବା ମହିଳାଙ୍କ ମଧ୍ୟରେ ବସିଥିଲେ । ସେ ସେହି ଅସ୍ଥାୟୀ ରୋଷେଇରେ ନିଜ କାମ ନିରବତାର ସହ କରୁଥିଲେ । ମାଟି ଉପରେ ବସି, ସେ ଘିଅ ମାରି ସାରିବା ପରେ ଗରମ ରୁଟି ଗୋଟିଏ ଗଦା କରି ସାରିଥିଲେ । ସେହି ଶୀତ ସପ୍ତାହଗୁଡ଼ିକ ବାବଦରେ ଯଶପାଲ କହିଲେ, ‘‘ବେଳେ ବେଳେ (ରାତିରେ) ଅତ୍ୟଧିକ ଥଣ୍ଡା ପଡ଼େ ଏବଂ ମୋର ଗୋଡ଼ ଗଣ୍ଠି ସବୁ ବିନ୍ଧାବିନ୍ଧି କରେ । କିନ୍ତୁ ଆମେ ମାନେ ଚାଷୀ, ତେଣୁ ଯନ୍ତ୍ରଣା ଓ କ୍ଷତ ଆମ ପାଇଁ ନୂଆ ନୁହେଁ।’’

ବିକ୍ଷୋଭ ସ୍ଥଳକୁ ଆସି ଅଧିକାଂଶ ସମୟରେ ତାଙ୍କ ପୁଅ ଯଶପାଲଙ୍କୁ ଭେଟନ୍ତି । ଯଶପାଲଙ୍କର ଗୋଟିଏ ଏକର ଜମି ଅଛି, ଯେଉଁଠାରେ ସେ ଧାନ ଚାଷ କରନ୍ତି । ହରଫୁଲ ବଞ୍ଚିଥିବା ବେଳେ ଏହି ଜମି ତାଙ୍କର ୨ ପୁଅଙ୍କ ମଧ୍ୟରେ ଭାଗ କରାଯାଇଥିଲା ।

ଯଶପାଲ କହିଲେ, ‘‘ମୁଁ ମୋ ସ୍ଵାମୀଙ୍କୁ ହରାଇଲି, ମୁଁ ମୋ ଜମିକୁ ଛାଡ଼ି ପାରିବି ନାହିଁ । ଯଦି ସରକାର ଆମ ପାଇଁ କିଛି ଭଲ କରିବାକୁ ଚାହାନ୍ତି, ତେବେ ସେମାନଙ୍କୁ କୁହନ୍ତୁ ମୋ ଭଳି ଚାଷୀଙ୍କ ଉପରୁ ଋଣ ଛାଡ଼ କରନ୍ତୁ। ମୁଁ ଏବେ ବିଧବା, ସେମାନଙ୍କୁ କୁହନ୍ତୁ ମୋତେ ଟଙ୍କା(ପେନସନ) ଦେବେ ଯାହା ଫଳରେ ମୁଁ ଆତ୍ମନିର୍ଭର ଭାବେ ବଞ୍ଚିପାରିବି। ମୁଁ ଶିକ୍ଷିତ ନୁହେଁ। ସାରା ଜୀବନ ମୁଁ କୃଷି କାର୍ଯ୍ୟରେ ବିତାଇଛି-ଏହା ଅନ୍ୟ କାମ ଭଳି ନୁହେଁ ଯେଉଁଠାରେ ତୁମେ ପେନସନ ପାଇବ ।’’

ଏମିତି ବହୁ ପରିବାର ଭଳି ଯଶପାଲଙ୍କ ପରିବାର, ଋଣ ଭାରରେ ଅଛି । ତେବେ ସେ ଋଣ ବାବଦରେ ସବିଶେଷ ଭାବେ କହିପାରିଲେ ନାହିଁ । ୨୦୧୮ରେ ନାବାର୍ଡ ପକ୍ଷରୁ କରାଯାଇଥିବା ଗୋଟିଏ ଅର୍ଥନୈତିକ ସର୍ବେକ୍ଷଣ ଅନୁସାରେ ପଞ୍ଜାବର ସମସ୍ତ (କୃଷକ) ପରିବାରର ୪୪ ପ୍ରତିଶତ ଋଣଗ୍ରସ୍ତ, ଯାହା କି ଜାତୀୟ ସ୍ତରର ହାର ୫୨.୫ ପ୍ରତିଶତଠାରୁ କିଛି କମ୍‌ । ହାରାହାରି ବକେୟା ଋଣ ଥିଲା ୧୦୪,୬୦୨ ଟଙ୍କା ।

ଯଦିଓ ସରକାର ପେନସନ ଓ ଋଣ ଛାଡ଼ ଭଳି ଆଶ୍ଵସ୍ତି ଦେଉଛନ୍ତି, ତଥାପି ଯଶପାଲ ଦେଖିପାରୁଛନ୍ତି ଯେ ଭବିଷ୍ୟତରେ କେନ୍ଦ୍ର ସରକାରଙ୍କ ଦ୍ଵାରା ଅଣାଯାଇଥିବା ନୂଆ ଆଇନଗୁଡ଼ିକ ତାଙ୍କ ଭଳି ଚାଷୀଙ୍କ ଅବସ୍ଥା ଆହୁରି ଦୟନୀୟ କରିଦେବ । ସେ କହନ୍ତି, ‘‘ଏହି ନୂଆ ଆଇନଗୁଡ଼ିକ ବଳରେ, ପ୍ରଜାପତି(ଶାସକ/ମୁନିବ) ମାନେ ମଣ୍ଡିକୁ ଅଧିକାର କରିନେବେ ଏବଂ ସେମାନଙ୍କ ମନଇଚ୍ଛା ମୂଲ୍ୟ ନିର୍ଦ୍ଧାରଣ କରିବେ।’’

ଏହି ଆଇନଗୁଡ଼ିକ ବିରୋଧରେ ଆନ୍ଦୋଳନ କରିବାକୁ, ହଜାର ହଜାର ସଂଖ୍ୟାରେ କୃଷକ ନଭେମ୍ବର ୨୬ ତାରିଖରୁ ଦିଲ୍ଲୀ ସୀମାରେ ଅଛନ୍ତି । କୃଷକମାନେ ବିରୋଧ କରୁଥିବା ତିନିଟି ଆଇନ ହେଲା କୃଷକଙ୍କ (ସଶକ୍ତିକରଣ ଓ ସୁରକ୍ଷା) ମୂଲ୍ୟ ନିଶ୍ଚିତତା ଏବଂ କୃଷି ସେବା ଆଇନ, ୨୦୨୦, କୃଷକଙ୍କ ଉତ୍ପାଦନ ବ୍ୟବସାୟ ଏବଂ ବାଣିଜ୍ୟ (ଉନ୍ନତି ଏବଂ ସୁବିଧା) ଆଇନ, ୨୦୨୦; ଏବଂ ଜରୁରୀ ଦ୍ରବ୍ୟ (ସଂଶୋଧନ) ଆଇନ, ୨୦୨୦। ୨୦୨୦ ଜୁନ୍‌ ୫ ତାରିଖରେ କୃଷି ଆଇନଗୁଡ଼ିକ ଅଧ୍ୟାଦେଶ ଆକାରରେ ପାରିତ ହେଲା, ତା’ପରେ ଫାର୍ମ ବିଲ୍‌ ଆକାରରେ ସଂସଦରେ ସେପ୍ଟେମ୍ବର ୧୪ରେ ଉପସ୍ଥାପିତ କରାଗଲା ଏବଂ ସେହି ମାସ ୨୦ ତାରିଖରେ ଆଇନରେ ପରିଣତ ହେଲା ।

ସମସ୍ତ କୃଷକମାନେ ଏହି ୩ଟି ଆଇନକୁ ସେମାନଙ୍କ ଜୀବିକା ବିପର୍ଯ୍ୟସ୍ତ କରିଦେବା ଭଳି ଆଇନ ଭାବେ ଦେଖୁଛନ୍ତି କାରଣ ଏହାଦ୍ଵାରା ବଡ଼ ବ୍ୟାବସାୟିକ ସଂସ୍ଥାଗୁଡ଼ିକର କୃଷକ ଓ କୃଷି କ୍ଷେତ୍ର ଉପରେ ଆହୁରି ଅଧିକ କ୍ଷମତା ଦଖଲ ପାଇଁ ପଥ ପ୍ରସାରିତ କରିବ ବୋଲି ସେମାନେ ଭାବୁଛନ୍ତି । ଏହି ଆଇନଗୁଡ଼ିକ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି), କୃଷି ଉତ୍ପାଦ ବଜାର କମିଟି(ଏପିଏମ୍‌ସି), ରାଜ୍ୟର ଫସଲ କ୍ରୟ ଏବଂ ଏହିଭଳି ଉତ୍ପାଦକଙ୍କୁ ସହାୟତା କରୁଥିବା ମୁଖ୍ୟ ନିୟମକୁ ମଧ୍ୟ ଉପେକ୍ଷା କରୁଛି। ଏହି ଆଇନଗୁଡ଼ିକୁ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରଭାବିତ କରୁଥିବା ଭଳି ସମାଲୋଚନା କରାଯାଇଛି କାରଣ ଭାରତର ସମ୍ବିଧାନର ଧାରା ୩୨କୁ ଦୁର୍ବଳ କରି, ଏଗୁଡ଼ିକ ସମସ୍ତ ନାଗରିକଙ୍କ ଆଇନଗତ ଆଶ୍ରୟ ନେବାର ଅଧିକାରକୁ ଅକ୍ଷମ କରୁଛି ।

ଯଶପାଲ ପଚାରିଲେ, ‘‘ମୋ ସ୍ଵାମୀ ଜଣେ ସହିଦ। ମୋ’ ନାତି ନାତୁଣି ମୋତେ ପଚାରିବେ ଯେତେବେଳେ ସରକାର ଆମ ଚାଷୀମାନଙ୍କ ପାଇଁ କଳା ଆଇନ ଗଢୁଥିଲେ ସେତେବେଳେ ମୁଁ କ’ଣ କରୁଥିଲି ? ମୁଁ ତାହା ହିଁ କରୁଛି ଯାହା ହରଫୁଲ ଆମର ଭବିଷ୍ୟତ ପାଇଁ କରିଥାଆନ୍ତେ । ଏହିପରି ଆହୁରି ୬ ମାସ ଲାଗିଲେ ମଧ୍ୟ, ମୁଁ ଛାଡ଼ିଯିବି ନାହିଁ । ମୁଁ ତାଙ୍କର ତ୍ୟାଗ ବ୍ୟର୍ଥ ଯିବାକୁ ଦେବି ନାହିଁ ।’’

Editor's note

ସ୍ନିଗ୍ଧା ସୋନି ପରୀ ଏଜୁକେସନରେ ଜଣେ ଶିକ୍ଷାନବୀଶ ଏବଂ ଦିଲ୍ଲୀ ବିଶ୍ଵବିଦ୍ୟାଳୟରେ ସାମ୍ବାଦିକତାରେ ସ୍ନାତକ ପଢୁଛନ୍ତି ସେ କହନ୍ତି, "ମୁଁ ଏହି ବିକ୍ଷୋଭକୁ ନିର୍ଦ୍ଦିଷ୍ଟ ଭାବେ ମହିଳାଙ୍କ ଦୃଷ୍ଟିକୋଣରୁ ରିପୋର୍ଟିଂ କରିବାକୁ ଚାହୁଁଥିଲି, ଯେଉଁମାନେ କୃଷି କାର୍ଯ୍ୟ ଓ ଏହି ଆନ୍ଦୋଳନରେ ବହୁଳ ଯୋଗଦାନ କରୁଥିବା ସତ୍ତ୍ଵେ ଗଣମାଧ୍ୟମ ଦ୍ଵାରା କମ୍‌ ପ୍ରଦର୍ଶିତ କରାଯାଉଛନ୍ତି ମୋର ଇଣ୍ଟର୍ଣ୍ଣସିପ୍‌ ସମୟରେ, ମୁଁ ମଧ୍ୟବିତ୍ତ ଲୋକମାନଙ୍କ ବାବଦରେ ଲେଖିବାକୁ ହୁଏ କାହାଣୀ କହିବା ଶୈଳୀରେ ତଥ୍ୟ ଉପସ୍ଥାପନ କରାଯାଏ ଶିଖିଲି ମୁଁ ଏଡିଟିଂ ଓ ରିପୋର୍ଟିଂ ଛଡ଼ା ଅନ୍ୟ କଥାଗୁଡ଼ିଏ ଶିଖିଲି "

ଅନୁବାଦ: ଓଡ଼ିଶାଲାଇଭ୍‍ ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍‌ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।