
ମୁଁ ପଢ଼ିବାକୁ ଚାହୁଁଛି କିନ୍ତୁ କ’ଣ ପଢ଼ାଯାଉଛି ତାହା କ୍ୱଚିତ୍ ବୁଝିପାରୁଛି । ଛଅ ବର୍ଷର ବ୍ୟବଧାନ ପରେ ମୁଁ ସ୍କୁଲକୁ ଫେରିଛି । ମୁଁ ହାନ୍ନାନ ଅନସାରୀ, ମୋର ବୟସ ୧୪ ବର୍ଷ ଏବଂ ମୁଁ ମୋର ପିତାମାତା ଏବଂ ସାନଭାଇଙ୍କ ସହ ରଣପୁର ଖୁର୍ଦ ନିକଟସ୍ଥ ଏକ ଛୋଟ ଗାଁ ବେନିପୁରରେ ରୁହେ ।

ଯେତେବେଳେ ମୁଁ ଛଅ ବର୍ଷ ବୟସ୍କର [୨୦୧୨] ହୋଇଥିଲି, ମୋର ଏକ ଦୁର୍ଘଟଣା ଘଟିଥିଲା ଏବଂ ମୋ ବାମ ଆଖିରେ ଆଘାତ ଲାଗିଥିଲା । ଘା’ ଭଲ ହୋଇଗଲା, କିନ୍ତୁ ମୁଁ ସେହି ଆଖିରେ ଆଉ ଦେଖିପାରୁନି । ଯଦି ମୁଁ ଧ୍ୟାନ ଦେଇ ପଢ଼ିବାକୁ ଚେଷ୍ଟା କରେ, ମୋ ଅନ୍ୟ ଆଖିରେ କଷ୍ଟ ହୁଏ ଓ ମୋର ମୁଣ୍ଡବିନ୍ଧା ହୁଏ।
ସେହି ଦୁର୍ଘଟଣା ପରେ ପ୍ରଥମ କିଛି ବର୍ଷ ମୋ ଆଖି ଭଲ ହେବା ପାଇଁ ଅପେକ୍ଷା କରି ମୁଁ ଘରେ ରହିଲି; ମୁଁ ଛଅରୁ ୧୨ ବର୍ଷ ପର୍ଯ୍ୟନ୍ତ ସ୍କୁଲ୍ରେ ଯୋଗ ଦେଇନଥିଲି । ମୁଁ ମୋ ବାପା ମହମ୍ମଦ ବିସ୍ମିଲ୍ଲା ଅନସାରୀଙ୍କ ସହ ଯୋଗ ଦେଲି ଏବଂ ତାଙ୍କୁ ସାହାଯ୍ୟ କରିବା ଆରମ୍ଭ କଲି । ସେ ଜଣେ ଗାଡ଼ି ରଙ୍ଗମିସ୍ତ୍ରୀ ଭାବରେ କାମ କରନ୍ତି । ସେହି ବର୍ଷମାନଙ୍କରେ ମୁଁ ଦେଖିଲି ମୋର ସାଙ୍ଗମାନେ ବିଦ୍ୟାଳୟକୁ ଯାଉଛନ୍ତି ଏବଂ ମୁଁ ପଛରେ ପଡ଼ିଯିବା ପରି ଅନୁଭବ କରୁଥିଲି । ତେଣୁ ୨୦୧୯ରେ, ମୋ ବାପା ଛଅ ବର୍ଷର ବ୍ୟବଧାନ ପରେ ମୋତେ ପୁଣି ସ୍କୁଲ୍କୁ ପଠାଇବାକୁ ନିଷ୍ପତ୍ତି ନେଲେ । ଶିକ୍ଷକମାନେ ମୋର ନାମ ଲେଖାଇବା ପାଇଁ କୁଣ୍ଠିତ ଥିଲେ ଏବଂ କହିଲେ, ପ୍ରାଥମିକ ବିଦ୍ୟାଳୟରେ ପଢ଼ିବା ପାଇଁ ମୋର ବୟସ ଖୁବ୍ ଅଧିକ । ଯେହେତୁ ସେତେବେଳେ ମୋର ବୟସ ୧୨ ବର୍ଷ ହୋଇଥିଲା ସେମାନେ ମୋତେ ମୁଁ ରହୁଥିବା ଗାଁ ବେନିପୁରର ସରକାରୀ ବିଦ୍ୟାଳୟ -–ମାଧ୍ୟମିକ ଶାଳାରେ ୭ମ ଶ୍ରେଣୀରେ ଭର୍ତ୍ତି କରିଦେଲେ । ଏବେ ମୁଁ ୮ମ ଶ୍ରେଣୀ ଶେଷ କଲି ଓ ବର୍ତ୍ତମାନ ମୋର ବୟସ ୧୪ ବର୍ଷ । ମୁଁ ଏପର୍ଯ୍ୟନ୍ତ ୯ମ ଶ୍ରେଣୀରେ ନାମ ଲେଖାଇ ପାରିନାହିଁ । ମୋ ୯ ବର୍ଷର ଭାଇ ଲୁକମାନ୍ ଅନସାରୀ ବେନିପୁରରେ ଥିବା ପ୍ରାଥମିକ ବିଦ୍ୟାଳୟରେ ୩ୟ ଶ୍ରେଣୀରେ ପଢ଼ୁଛି ।

ମୋ ପରିବାର ୮୦ ବର୍ଷରୁ ଅଧିକ ସମୟ ହେବ ବେନିପୁରରେ ରହୁଛନ୍ତି । ମୋର ଅଣ-ଜେଜେବାପା ଝାଡ଼ଖଣ୍ଡରୁ ଏଠାକୁ ଆସିଥିଲେ । ମୋ ଗାଁର ଅଧିକାଂଶ ଲୋକ ଶ୍ରମିକ, ମେକାନିକ୍, କିମ୍ବା ଟେଲର୍ ଭାବରେ ଏଠାରେ ଓ ପ୍ରାୟ ୫୦ କିଲୋମିଟର ଦୂରରେ ଥିବା ଜିଲ୍ଲା ମୁଖ୍ୟାଳୟ ଅମ୍ବିକାପୁରରେ କାମ କରନ୍ତି ।
ଯେତେବେଳେ ମାର୍ଚ୍ଚ ୨୦୨୦ରେ ଲକ୍ଡାଉନ୍ ଆରମ୍ଭ ହୋଇଥିଲା, ସେତେବେଳେ ସ୍କୁଲ୍ ପକ୍ଷରୁ ମୋତେ ଅନ୍ଲାଇନ୍ କ୍ଲାସ୍ରେ ଯୋଗ ଦେବା ପାଇଁ କୁହାଯାଇଥିଲା । ମୋର ସ୍ମାର୍ଟଫୋନ୍ ନାହିଁ । ମୁଁ ଭାବିଲି ଯେଉଁ ଛାତ୍ରଛାତ୍ରୀମାନଙ୍କର ସ୍ମାର୍ଟଫୋନ୍ ଅଛି ମୁଁ ସେମାନଙ୍କ ସହିତ ଗୋଟିଏ ଗ୍ରୁପ୍ରେ କ୍ଲାସ୍ରେ ଯୋଗ ଦେବି । କିନ୍ତୁ ମୁଁ ମୋ ପରିବାରକୁ ସାହାଯ୍ୟ କରିବା ପାଇଁ ଦିନ ମଜୁରୀ କାମରେ ବ୍ୟସ୍ତ ଥିବା ବେଳେ ମୋ ସହପାଠୀମାନେ ପୂର୍ବରୁ ଗ୍ରୁପ୍ ତିଆରି କରିସାରିଥିଲେ । ତେଣୁ ମୁଁ ୨୦୨୦ ଏପ୍ରିଲ୍ରୁ ଜୁନ୍ ପର୍ଯ୍ୟନ୍ତ, ଗ୍ରୀଷ୍ମ ଅବକାଶ ପର୍ଯ୍ୟନ୍ତ, ଗୋଟିଏ ମଧ୍ୟ ଅନ୍ଲାଇନ୍ କ୍ଲାସ୍ରେ ଯୋଗ ଦେଇପାରିଲି ନାହିଁ।
ଲକ୍ଡାଉନ୍ ସମୟରେ, ମେକାନିକ୍ ଦୋକାନରେ ମୋ ବାପାଙ୍କର କୌଣସି କାମ ନଥିଲା ତେଣୁ ସେ ଦିନ ମଜୁରୀ କାମ ଆରମ୍ଭ କଲେ ଏବଂ ମୁଁ ତାଙ୍କ ସହିତ ଯୋଗ ଦେଲି । ଆମେ ଅମ୍ବିକାପୁରରେ ଏକ ନିର୍ମାଣ ସ୍ଥଳରେ କାମ କଲୁ, ବହୁ ପରିମାଣର ଇଟା ଓ ବାଲି ବୋହିଲୁ । ମୁଣ୍ଡ ଏବଂ କାନ୍ଧରେ ଏହି ବିପୁଳ ପରିମାଣର ଓଜନ ବୋହିବା ମୋ ଆଖିରେ ଯନ୍ତ୍ରଣା ସୃଷ୍ଟି କରେ ଏବଂ ମୁଣ୍ଡବିନ୍ଧା କରାଏ । ଯେତେବେଳେ ମୋତେ ପଢ଼ାରେ ଏକାଗ୍ର ହେବାକୁ ହୁଏ ସେତେବେଳେ ମଧ୍ୟ ସମାନ ପ୍ରକାରର ଯନ୍ତ୍ରଣା ହୋଇଥାଏ ।


ଯେତେବେଳେ ଅକ୍ଟୋବରରେ ସ୍କୁଲ୍ ପୁଣି ଖୋଲିଲା, ଶିକ୍ଷକମାନେ ଗାଁ ମସ୍ଜିଦ୍ ନିକଟରେ ‘ମୋହଲ୍ଲା କ୍ଲାସ୍’ ପରିଚାଳନା କରିବା ଆରମ୍ଭ କଲେ । ଏହା ଏକ ଖୋଲା ପଡ଼ିଆ ଥିଲା ଯେଉଁଠାରେ ଆମେ ପରସ୍ପରଠାରୁ ସାମାଜିକ ଦୂରତ୍ୱ ରଖି ବସି ପାରୁଥିଲେ । ଗାଁରୁ ପ୍ରାୟ ୨୫ ଛାତ୍ରଛାତ୍ରୀ ଏହି ଶ୍ରେଣୀଗୁଡ଼ିକରେ ଯୋଗ ଦେଉଥିଲେ । ଆମକୁ ପଢ଼ା ବହି ଓ ଖାତା ଧରି ଖୋଲା ସ୍ଥାନକୁ ଆସିବାକୁ ହେଉଥିଲା । ମୁଁ ଗୋଟିଏ ସପ୍ତାହରେ ମାତ୍ର ଦୁଇ ଥର ଏହି ଶ୍ରେଣୀରେ ଯୋଗ ଦେଇପାରୁଥିଲି କାରଣ ମୋତେ ମଧ୍ୟ ସେହି ମାସରେ ପୁଣି ଖୋଲିଥିବା ମେକାନିକ୍ ଦୋକାନରେ ବାପାଙ୍କୁ ସାହାଯ୍ୟ କରିବା ଜାରି ରଖିବାକୁ ହୋଇଥିଲା ।
ଲକ୍ଡାଉନ୍ର ଦ୍ୱିତୀୟ ବର୍ଷ
ମାର୍ଚ୍ଚ ୨୦୨୧ରେ, ମୋ ମାଆ ସାହିରା ବାନୋ, ୩୦, ଅସୁସ୍ଥ ହୋଇଗଲେ ଏବଂ ତାଙ୍କ ପିଠିରେ ଯନ୍ତ୍ରଣା ହେଲା । ସେ ଔଷଧ ଆବଶ୍ୟକ କଲେ; ଆମେ ଆମର ଅଧିକାଂଶ ସଞ୍ଚୟ ତାଙ୍କ ଚିକିତ୍ସାରେ ଖର୍ଚ୍ଚ କଲୁ । ସେ ସାଧାରଣତଃ ସକାଳ ୫ଟାରେ ଉଠନ୍ତି, ରୋଷେଇ କରନ୍ତି, ଏବଂ ଏହା ପରେ ଆମର ଆଠଟି ଛେଳିକୁ ଚରାଇବାକୁ ନିଅନ୍ତି । କିନ୍ତୁ ଯେତେବେଳେ ସେ ଅସୁସ୍ଥ ହୋଇଗଲେ ସେ ଏ ମଧ୍ୟରୁ କୌଣସିଟି କରିପାରିଲେ ନାହିଁ ।
ଦ୍ୱିତୀୟ ଲକ୍ଡାଉନ୍ ଏପ୍ରିଲ୍ ୨୦୨୧ରେ ଘୋଷଣା ହୋଇଥିଲା । ଏଥର ମଜୁରୀ କାମ ବଦଳରେ ମୋ ବାପା ଏବଂ ମୁଁ ପରିବା ବିକ୍ରି କରିବାକୁ ସ୍ଥିର କଲୁ । ଆମେ ପ୍ରାୟ ସକାଳ ୫ଟାରେ ଉଠୁ ଏବଂ ତାଙ୍କ ମୋଟରସାଇକେଲ୍ରେ ଧରମଜୟଗଡ଼ ବ୍ଲକ୍ରେ ଯଥାକ୍ରମେ ୧୫ ଓ ୨୫ କିଲୋମିଟର ଦୂରରେ ଥିବା ପାର୍ସା ଓ ବାରିୟନ୍ ଗ୍ରାମକୁ ପରିବା କିଣିବାକୁ ଯାଉ । ସେଠାରୁ ଆମେ ତାଜା ପରିବା ବିକିବା ପାଇଁ ଅମ୍ବିକାପୁର ସହର ଉପକଣ୍ଠରେ ପହଞ୍ଚିବାକୁ ଆଉ ୧୦-୨୦ କିଲୋମିଟର ଯାତ୍ରା କରୁ ।
ଆମେ ଦିନକୁ ୮୦ ଟଙ୍କା ପର୍ଯ୍ୟନ୍ତ ଆୟ କରିପାରୁ । କେତେକ ଦିନ ଥାଏ ଯେତେବେଳେ ଆମେ ଅଧିକ ବିକ୍ରି କରିବାକୁ କିମ୍ବା ଅଧିକ ପ୍ରକାର ପାଇବାକୁ ସକ୍ଷମ ହେଉ ଓ ୧୫୦ ଟଙ୍କା ପର୍ଯ୍ୟନ୍ତ ଆୟ କରୁ । ପ୍ରଥମେ, ଆମେ ଦିନକୁ ୩୦ ଟଙ୍କା ଭଡ଼ାରେ ଆମର ଜଣେ ପଡ଼ୋଶୀଙ୍କଠାରୁ ଗୋଟିଏ ଠେଲା (ଠେଲା ଶଗଡ଼) ନେଉଥିଲୁ । ଏହା ବ୍ୟୟବହୁଳ ଥିଲା, ତେଣୁ ଏହା ବଦଳରେ ଆମେ ଫୁଟ୍ପାଥ୍ରେ ବସି ବିକ୍ରି କରୁ । ମୁଁ ଆଜି ଗାଁରୁ ୫ କେଜି ଚିନାବାଦାମ ଓ ୫ କେଜି କଲରା ବିକ୍ରି କରିବାକୁ ଆଣିଛି ।

ବର୍ତ୍ତମାନ ଆମ ପାଇଁ ଏକମାତ୍ର ଆଶ୍ୱସ୍ତି ହେଉଛି ସରକାରଙ୍କଠାରୁ ମିଳୁଥିବା ରାସନ । [ଛତିଶଗଡ଼ ଖାଦ୍ୟ ଓ ପୁଷ୍ଟି ନିରାପତ୍ତା ଆଇନ, ୨୦୧୨ ଅଧିନରେ ୨୦୧୪ଠାରୁ ଅନସାରୀଙ୍କ ପରି ପରିବାରଗୁଡ଼ିକ ପ୍ରତି ମାସରେ କେଜି ପିଛା ଏକ ଟଙ୍କା ଦାମ୍ରେ ୩୫ କେଜି ଚାଉଳ ଓ ଗହମ ପାଇବାକୁ ହକ୍ଦାର୍ ।] ଏହି ରାସନ ଆମ ପାଇଁ ଯଥେଷ୍ଟ ନୁହେଁ । ମେ’ ୧୪, ୨୦୨୧ରେ ଇଦ୍ ଦିନ ମୋ ବାପା ଆମ ପାଇଁ ସେୱାଇ (ସିମେଇ ଖିରି) କିଣିଆଣିଥିଲେ । ମୋ ସାନ ଭାଇ କିଛି ଆମିଷ ଖାଦ୍ୟ ପାଇଁ ଜିଦ୍ କରୁଥିଲା, ତେଣୁ ମୋ ବାପା ନିକଟସ୍ଥ କଂସେଇ ପାଖକୁ ଗଲେ ଓ କିଛି ଚିକେନ୍ କିଣିଆଣିଲେ । ଗୋଟିଏ ଦିନର ଉପାର୍ଜନ ଅପେକ୍ଷା ଅଧିକ ସେସବୁ କିଣାରେ ଚାଲିଗଲା ।
ଯେତେବେଳେ ସବୁକିଛି ସ୍ୱାଭାବିକ ହୋଇଯିବ, ମୁଁ ମୋ ପାଠପଢ଼ା ଶେଷ କରିବାକୁ ଏବଂ ଏକ ପୋଷାକ ବ୍ୟବସାୟ ଆରମ୍ଭ କରିବାକୁ ଚାହେଁ । ମୋ ବାପା କୁହନ୍ତି ସେ ମୋତେ ସାହାଯ୍ୟ କରିବେ । ଆମେ ମୋ ପାଇଁ ଗୋଟିଏ ସ୍କୁଟର୍ କିଣିବାକୁ ଏବଂ ଅଧିକ ପରିମାଣର ପୋଷାକ କିଣିବାକୁ ଚାହୁଁ । ଏହା ପରେ ମୁଁ ନିକଟସ୍ଥ ଅଞ୍ଚଳଗୁଡ଼ିକୁ ଯାଇ ସେଗୁଡ଼ିକ ବିକ୍ରି କରିପାରିବି । ମୁଁ ଭାବୁଛି ଏହି କାମ ମୋ ପାଇଁ ଭଲ ହେବ କାରଣ ଏହା ମୋ ଆଖି ପାଇଁ ଅଧିକ ଯନ୍ତ୍ରଣା ଆଣିବାର ସମ୍ଭାବନା ନାହିଁ ।
ଦୁର୍ଘଟଣା ଏବଂ ଏହାର ପରିଣାମ
ମୁଁ ଯେଉଁଦିନ ମୋ ଆଖି ହରାଇଲି ମୁଁ ସେ ତାରିଖ ଜାଣେ । ଏହା ୧୦ ଅକ୍ଟୋବର ୨୦୧୨ ଥିଲା । ଯଦିଓ ଯେତେବେଳେ ଏହା ଘଟିଥିଲା ସେତେବେଳେ ମୁଁ ମାତ୍ର ଛଅ ବର୍ଷର ଥିଲି । କିନ୍ତୁ ମୁଁ ମୋ ଡକ୍ୟୁମେଣ୍ଟରେ ଏହାକୁ ଏତେ ଥର ଦେଖିଛି ଯେ ମୁଁ ଏହା ଜାଣିଛି ।
ମୁଁ ସୁର୍ଗୁଜା ଜିଲ୍ଲାର ଭାଦର୍ ଗ୍ରାମରେ ମୋ ଆଈଙ୍କ ଘରେ ଥିଲି । ମୁଁ ଶୀତ ଦିନିଆ ଫସଲ ହରଡ଼ ଅମଳରେ ସାହାଯ୍ୟ କରିବାକୁ ଯାଇଥିଲି । ମୁଁ ଜମିରୁ ଫେରିଲି ଓ ଗାଧୋଇ ସାରି ମଧ୍ୟାହ୍ନ ଭୋଜନ ପାଇଁ ଘରକୁ ଫେରିଲି । ମୋ ମାମୁଁ ସଦ୍ୟ ତୋଳାଯାଇଥିବା କାକୁଡ଼ି ଖାଉଥିଲେ ଓ ମୁଁ ମଧ୍ୟ ଖାଇବାକୁ ଚାହିଁଲି । ସେଥିରୁ ଚୋପା ଛଡ଼ାଇବା ବେଳେ ଦୁର୍ଘଟଣାବଶତଃ ଛୁରୀ ମୋ ବାମ ଆଖିରେ ଲାଗିଗଲା । ମୁଁ ଯନ୍ତ୍ରଣାରେ ଚିତ୍କାର କଲି ଓ ମୋ ଆଖି ଘଷିଲି । ମୋର ଏବେ କେବଳ ମନେଅଛି ରକ୍ତ, ସ୍ରାବ ଏବଂ ଆଖି ଆଗରେ ଝାପ୍ସାପଣ ।
ମୋ ବାପା ପ୍ରାୟ ୫୦ କିଲୋମିଟର ଦୂରରେ ଅମ୍ବିକାପୁର ସହରରେ ଥିବା ମେକାନିକ୍ ଦୋକାନରେ କାମ କରୁଥିଲେ ଏବଂ ତରବର ହୋଇ ଘରକୁ ଆସିଲେ । ସେ ମୋତେ ସବୁଠାରୁ ନିକଟରେ ଥିବା ବଡ଼ ସହର ରାଜପୁରକୁ ନେଇଗଲେ ଏବଂ ମୋତେ ଜଣେ ଘରୋଇ ଡାକ୍ତରଙ୍କ ପାଖକୁ ନେଲେ ଯେ କି ଅସ୍ତ୍ରୋପଚାର କରିବାକୁ ମନା କରିଦେଲେ କାରଣ କଟାଟି ଖୁବ୍ ଗଭୀର ଥିଲା । ଏହା ପରେ ଆମେ ଅମ୍ବିକାପୁର ସହରରେ ଏକ ଘରୋଇ କ୍ଲିନିକ୍ରେ ଚେଷ୍ଟା କଲୁ । ସେମାନେ ଯନ୍ତ୍ରଣା ଉପଶମ ପାଇଁ ଆଇଡ୍ରପ୍ର ପରାମର୍ଶ ଦେଲେ ଓ ରାଜଧାନୀ ରାଇପୁରକୁ ଯିବା ପାଇଁ ଆମକୁ କହିଲେ । ଏହା ପରଦିନ ମୋ ଅଜା, ବାପାମାଆ ଓ ମୁଁ ରାଏପୁରକୁ ଗୋଟିଏ ରାତି ବସ୍ ଚଢ଼ିଲୁ ଏବଂ ବିଆର୍ ଆମ୍ବେଦକର ମେମୋରିଆଲ୍ ହସ୍ପିଟାଲ୍ରେ ପହଞ୍ଚିଲୁ । ଆମେ ସମସ୍ତେ ସେଠାରେ ଯେତେ ଶୀଘ୍ର ସମ୍ଭବ ପହଞ୍ଚିବାକୁ ବ୍ୟାକୁଳ ଥିଲୁ । ଏହା ପରେ ମୁଁ ଜାଣିଲି ଯେ ମୋ ବାପାମାଆ ସେମାନଙ୍କର ସମସ୍ତ ସଞ୍ଚୟ ଖର୍ଚ୍ଚ କରିଦେଲେ ଓ ଆମର ସମ୍ପର୍କୀୟମାନେ ମୋର ଚିକିତ୍ସା ପାଇଁ ପ୍ରାୟ ୩୦,୦୦୦ ଟଙ୍କା ଦେଇଥିଲେ ।
ଆମେ ସେହି ଦୁର୍ଘଟଣା ପରେ ନିୟମିତ ଯାଞ୍ଚ ପାଇଁ ଡାକ୍ତରଙ୍କ ପାଖକୁ ଛଅରୁ ସାତ ଥର ଯାଇଥିଲୁ । କିଛି ମାସରେ ମୋ ଆଖି ଶୁଖିଗଲା କିନ୍ତୁ ମୋର ଦୃଷ୍ଟିଶକ୍ତି ଫେରିନଥିଲା । ରାଏପୁରର ଘରୋଇ ଡାକ୍ତରମାନେ ସେହି ଆଖିକୁ କାଢ଼ି ଏହା ବଦଳରେ ଗୋଟିଏ ପଥର ଆଖି ଲଗାଇବାକୁ ଦୁଇ ଲକ୍ଷ ଟଙ୍କା ମାଗିଥିଲେ । ମୋ ବାପା ଏହା ନ କରିବାକୁ ସ୍ଥିର କରିଥିଲେ କାରଣ ମୋ ଦୃଷ୍ଟିଶକ୍ତି ଫେରି ନ ଆସିଲେ ପଥର ଲଗାଇବାର କୌଣସି ଅର୍ଥ ନାହିଁ । ଆମେ ଆଶା ହରାଇଦେଲୁ ଯେ ମୁଁ କେବେବି ସେହି ଆଖିରେ ପୁଣି ଦେଖିପାରିବି ନାହିଁ ।
ଆମେ ମୋ ଚିକିତ୍ସାରେ ପ୍ରାୟ ୫୦,୦୦୦ ଟଙ୍କା ଖର୍ଚ୍ଚ କଲୁ, ଏ ମଧ୍ୟରେ ଛଅ ମାସର ଔଷଧ ଓ ରାଏପୁର ଯିବା ଆସିବାର ଖର୍ଚ୍ଚ ରହିଛି ।
ମୋ ଆଖିରେ ଆଘାତ ଲାଗିବା ଦୀର୍ଘ ଦିନର କଥା ହୋଇଗଲାଣି । ଏପରିକି କେତେବେଳେ ମୋର ଦୁଇ ଆଖିଯାକ ଭଲ ଥିଲା ତାହା ମନେପକାଇ ପାରୁନାହିଁ । ଆମ ଆଖପାଖରେ ଲୋକମାନେ ଆମ ପଛରେ କଥା ହୁଅନ୍ତି; ସେମାନେ ମୋତେ ଅନ୍ଧା (ଦୃଷ୍ଟିହୀନ) ଡାକନ୍ତି । ମୁଁ ଗୋଟିଏ ଆଖିରେ ଦୁନିଆ ଦେଖିବାରେ ଅଭ୍ୟସ୍ତ ହୋଇଗଲିଣି । ତେଣୁ ଯଦି ଲୋକମାନେ ମୋତେ ଥଟ୍ଟା କରନ୍ତି ମୁଁ ପ୍ରକୃତରେ ବୁଝିପାରେନି ସେମାନେ ମୋତେ କାହିଁକି ଥଟ୍ଟା କରୁଛନ୍ତି ।
ମୋ ସାଙ୍ଗମାନେ ଏବଂ ଯେଉଁମାନେ ମୋର ନିକଟତର ସେମାନେ ମୋର ମଜା ଉଡ଼ାନ୍ତି ନାହିଁ । ମୁଁ ସେମାନଙ୍କ ସହ ସମୟ କଟାଇବାକୁ ଭଲ ପାଏ । ଆମେ ଘଣ୍ଟା ଘଣ୍ଟା ଆମ ଗାଁ ନିକଟରେ ଥିବା ହ୍ରଦ କୂଳରେ ଏକାଠି ବସୁ । କୋଭିଡ୍ ଓ ଲକ୍ଡାଉନ୍ ଯୋଗୁଁ ସେମାନେ ସେମାନଙ୍କ ଜେଜେବାପା- ମାଆଙ୍କ ଘରକୁ ଚାଲି ଯାଇଛନ୍ତି । ମୁଁ ସେମାନଙ୍କୁ ମନେପକାଉଛି ।
Editor's note
ଶଇସ୍ତା ନାଜ୍ ନିକଟରେ ନୂଆଦିଲ୍ଲୀସ୍ଥିତ ଜବାହରଲାଲ୍ ନେହରୁ ବିଶ୍ୱବିଦ୍ୟାଳୟର ସେଣ୍ଟର୍ ଅଫ୍ ଫ୍ରେଞ୍ଚ୍ ଆଣ୍ଡ୍ ଫ୍ରାଙ୍କୋଫୋନ୍ ଷ୍ଟଡିଜ୍ରୁ ସ୍ନାତକ ଉପାଧି ହାସଲ କରିଛନ୍ତି । ସେ ବର୍ତ୍ତମାନ ଟିଚ୍ ଫର୍ ଇଣ୍ଡିଆର ଜଣେ ସଦସ୍ୟ ଏବଂ ନୂଆଦିଲ୍ଲୀସ୍ଥ ମୁନିର୍କାରେ ଗୋଟିଏ ସରକାରୀ ସ୍କୁଲ୍ରେ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଛନ୍ତି । ଛତିଶଗଡ଼ରେ ଥିବା ତାଙ୍କର ଜନ୍ମସ୍ଥାନ ଅମ୍ବିକାପୁରକୁ ଯାଇଥିବା ସମୟରେ ଫୁଟ୍ପାଥ୍ରେ ପରିବା ବିକୁଥିବା ହାନ୍ନାନଙ୍କୁ ଶଇସ୍ତା ଭେଟିଥିଲେ । ସେଠାରେ ସେ ସବୁଠାରୁ କମ୍ ବୟସର ପରିବା ବିକାଳୀ ଥିଲେ । ସେ କୁହନ୍ତି: ‘‘ମୁଁ ଚାହୁଁଥିଲି ସେ ତାଙ୍କ ଜୀବନ ବିଷୟରେ କୁହନ୍ତୁ । ମୁଁ ଦୃଢ଼ ଭାବରେ ଶିକ୍ଷାର ସମାନତାରେ ବିଶ୍ୱାସୀ । ସାମାଜିକ ପରିବର୍ତ୍ତନ କମ୍ ବୟସର ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ ହୋଇପାରିବ । ମୁଁ ଜାଣିବାକୁ ଉତ୍ସୁକ ଥିଲି ସେ କାହିଁକି ସ୍କୁଲ୍ ଯାଉନଥିଲେ । ପରି ଏଜୁକେସନ୍ ସହିତ କାମ କରିବା ଗୋଟିଏ ଶିଶୁର ଭବିଷ୍ୟତକୁ ପ୍ରଭାବିତ କରୁଥିବା ଅନେକ କାରଣଗୁଡ଼ିକ, ବିଶେଷକରି କୋଭିଡ୍ ପୃଷ୍ଠଭୂମିରେ, ଜାଣିବା ଓ ବୁଝିବାରେ ମୋତେ ସାହାଯ୍ୟ କରିଥିଲା ।
ଅନୁବାଦ: ଓଡ଼ିଶାଲାଇଭ୍ ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।