
“ମୋ ପରିବାର ଅତିକମରେ ୪୦୦ ବର୍ଷ ଧରି ଏକ କଳାକୁ ଅଭ୍ୟାସ କରି ଆସୁଛି,” କୁହନ୍ତି ସତୀଶ ଭାନୁଭାଇ ଚିତାରା। ସେ ମାତା ନି ପାଚେଡ଼ି – ସୂତା କପଡ଼ା ଉପରେ ପ୍ରାକୃତିକ ରଙ୍ଗରେ ଚିତ୍ର ଆଙ୍କିବାର ହସ୍ତକଳା ବିଷୟରେ କହୁଛନ୍ତି। “ନିକଟରେ ଆମେ ମୋର ପୂର୍ବପୁରୁଷମାନଙ୍କ ଦ୍ୱାରା ନିର୍ମିତ ୩୦୦ ବର୍ଷ ପୁରୁଣା ପାଚେଡ଼ି (ଚିତ୍ର)କୁ ଖୋଜିପାଇଥିଲୁ। ଆମେ ଏହାକୁ ଅତି ସୁରକ୍ଷିତ ଭାବେ ରଖିଥାଉ ଏବଂ ନବରାତ୍ରୀ ଓ ଲକ୍ଷ୍ମୀ ପୂଜା ଭଳି ବିଶେଷ ଅବସରରେ ବାହାରକୁ ନେଇଥାଉ । ବହୁ ବର୍ଷ ଧରି ଏସବୁ ଚିତ୍ର ଯେମିତିକୁ ସେମିତି ରହିପାରିବ। ଯଦି ଆପଣ ଏଗୁଡ଼ିକୁ ସଂରକ୍ଷିତ କରି ରଖିପାରିଲେ ଅନେକ ପିଢ଼ି ଧରି ସୁରକ୍ଷିତ ରହିବ”, ସେ କୁହନ୍ତି।
୨୯ ବର୍ଷ ବୟସ୍କ ସତୀଶ ପିଲା ଦିନେ ତାଙ୍କ ବାପା ଭାନୁଭାଇ ଚୁନ୍ନିଲାଲ ଚିତାରା, ୬୫,ଙ୍କ ଠାରୁ ଏହି ହସ୍ତକଳା ଶିଖିଥିଲେ। ଭାନୁଭାଇ ମଧ୍ୟ ତାଙ୍କ ବାପା ସ୍ୱର୍ଗତଃ ଚୁନ୍ନିଲାଲ ଛୋଟାଲାଲ ଚିତାରାଙ୍କଠାରୁ ଏହାକୁ ଶିଖିଥିଲେ। ଏହି କଳା ମୁଖ୍ୟତଃ ପୁରୁଷମାନେ କରିଥାନ୍ତି, ମହିଳାମାନେ ଘର କରଣା କାମ ଏବଂ ପିଲାମାନଙ୍କ ଯତ୍ନ ନେବାରେ ବ୍ୟସ୍ତ ରହିଥାନ୍ତି। ଚିତାରା ପରିବାର ଭାନୁଭାଇ ଚୁନ୍ନିଲାଲଙ୍କ ପୂର୍ବରୁ ଏହି କଳା ଅଭ୍ୟାସ ଜାରି ରଖିଥିବା ନିଜ ବଂଶର ଛଅ ପିଢ଼ିଙ୍କ ନାମ ସେମାନଙ୍କର ଜନ୍ମ ଓ ମୃତ୍ୟୁ ବର୍ଷ ସହିତ କହିପାରିବେ-ପୂର୍ବପୁରୁଷମାନଙ୍କ ସ୍ମୃତିକୁ ଉଜ୍ଜିବିତ କରି ରଖିବାର ଏହା ଏକ ପରମ୍ପରା-ଯାହାକି ସେମାନଙ୍କୁ ଏକ ସମ୍ପୂର୍ଣ୍ଣ ବଂଶାବଳୀ ପ୍ରଦାନ କରିଥାଏ।
ଚିତାରା ପରିବାର ମୂଳତଃ ଅହମଦାବାଦ ଜିଲ୍ଲାର ବିରମଗମ ତାଲୁକାରୁ ଆସିଛନ୍ତି। “ମୋଗଲ ଶାସନ, ବ୍ରିଟିଶ ରାଜ, କିଛି ବି ଆମ କଳାକୁ ପ୍ରଭାବିତ କରିପାରିନାହିଁ। ଏହି କ୍ଷେତ୍ରରେ ମୋର ପୂର୍ବଜମାନେ ଅନେକ ପିଢ଼ି ଧରି ଏହି ହସ୍ତକଳା ଜାରି ରଖିଥିଲେ। ମରୁଡ଼ି ଦେଖାଦେବାରୁ ଆମେ ନିକଟବର୍ତ୍ତୀ ସହରଗୁଡ଼ିକୁ ଆସିବାକୁ ବାଧ୍ୟ ହେଲୁ ଏବଂ ଏହିପରି ଭାବେ ଆମେ ଖାନପୁର, ଅହମଦାବାଦକୁ ଆସିଲୁ, ଯେଉଁଠି ରହି ଆମେ ଦୁଇ ଶତାବ୍ଦୀ ଧରି ଆମର ହସ୍ତକଳା ଜାରି ରଖିଛୁ। ଏହି ଅଖଣ୍ଡ ପରମ୍ପରା କାରଣରୁ ଲୋକମାନେ ଆମର କାମ ପ୍ରତି ଆକୃଷ୍ଟ ହୋଇଥାନ୍ତି”, ସତୀଶ କହିଛନ୍ତି। ତାଙ୍କ ବାପା ଭାନୁଭାଇ ଚିତାରା ୨୦୧୨ରେ ଜାତୀୟ ପୁରସ୍କାର ହାସଲ କରିଥିଲେ। ସେ ଏହି ପୁରସ୍କାର ଭୂତପୂର୍ବ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଠାରୁ ଗ୍ରହଣ କରିବା ଲାଗି ଦିଲ୍ଲୀ ଯାଇଥିଲେ।
ପ୍ରତ୍ୟେକ ପ୍ରକାରର ଚିତ୍ରକଳାର ଏକ ବିଶେଷ ନାଁ ରହିଛି, ଯଥା ପାନିହାରୀ ଏପରି ଏକ ଚିତ୍ରକଳା ଯେଉଁଥିରେ ମହାଭାରତ ଓ ରାମାୟଣ ଭଳି ପୌରାଣିକ ଗାଥା ଦ୍ୱାରା ଅନୁପ୍ରାଣିତ କାହାଣୀର ଚିତ୍ର ରହିଥାଏ। ଚିତ୍ରକଳାରେ ବାଦ୍ୟଯନ୍ତ୍ର, ହିନ୍ଦୁ ଦେବୀଦେବତା, ଜାଳେଣି ସଂଗ୍ରହକାରୀ, ଜ୍ୟୋତିର୍ବିଦ, ପୂଜାରୀ ଏବଂ ଅନ୍ୟମାନଙ୍କର ଚିତ୍ର ରହିଥାଏ। ପୌରାଣିକ କାହାଣୀ ସହିତ ଲୋକକଥାଗୁଡ଼ିକ ମଧ୍ୟ ଏହି ଚିତ୍ରରେ ପ୍ରଦର୍ଶିତ ହୋଇଥାଏ। “ଆମ ଭଳି ପାରମ୍ପରିକ କଳାରେ, ଖୁବ ଅଧିକ ପରିବର୍ତ୍ତନ କରିବା ଉଚିତ ନୁହେଁ”, ସତୀଶ କୁହନ୍ତି, ନୂଆ ଚିତ୍ର ସେମାନଙ୍କ ହସ୍ତକଳାରେ ସାମିଲ କରାଯାଏ କି ବୋଲି ପ୍ରଶ୍ନ ହେବାରୁ ସେ ଏହା କହିଥିଲେ। ଶିଳ୍ପୀମାନେ କାଗଜରେ ଚିତ୍ର କିମ୍ବା କଳ୍ପନାତ୍ମକ ଛବି ଆଙ୍କିନଥାନ୍ତି, ବରଂ ସେମାନେ କପଡ଼ା ଉପରେ କିଛି ଚିତ୍ର ଆଙ୍କିବା ପୂର୍ବରୁ ସେ ବିଷୟରେ କଳ୍ପନା କରିଥାନ୍ତି। ବାଉଁଶ ପାତିଆରେ ସେମାନେ ପ୍ରଥମେ ଆଉଟଲାଇନ ତିଆରି କରିଥାନ୍ତି ଏବଂ ଏହାପରେ ଲୁହା କଳଙ୍କି, ଗୁଡ଼, ତେନ୍ତୁଳି ମଞ୍ଜି, ନୀଳ କିମ୍ବା ମେହେନ୍ଦୀରେ ତିଆରି ପ୍ରାକୃତିକ ରଙ୍ଗ ଭରାଯାଇଥାଏ।
ପ୍ରତ୍ୟେକ ଚିତ୍ରକଳାର ଅନୁପାତ ଓ ଆକାର କପଡ଼ାର ଆକାର ଉପରେ ନିର୍ଭର କରିଥାଏ। ପୂର୍ବରୁ କେବଳ ବଡ଼ କପଡ଼ା ଉପରେ ଚିତ୍ର ଅଙ୍କା ଯାଉଥିଲା। ଜିଲ୍ଲାପାଳମାନେ ଏବେ ସେପରି ପ୍ରାଚୀନ ପାଚେଡ଼ି ସନ୍ଧାନରେ ଆସୁଛନ୍ତି। ଏପରି ଚିତ୍ରକଳା ମିଳିବା କଷ୍ଟକର କାରଣ ସାଧାରଣତଃ ଏଗୁଡ଼ିକୁ ମନ୍ଦିରଗୁଡ଼ିକୁ ପ୍ରଦାନ କରାଯାଇଥାଏ। ଏପରି ହସ୍ତକଳାକୁ ସେମାନଙ୍କର ଘର ପାଖରେ ଥିବା କୁଳଦେବୀ ମା’ ସେତ୍ରୋଜିଆଙ୍କ ମନ୍ଦିରରେ ଅର୍ପଣ କରାଯାଇଥାଏ। “ଏହି ଚିତ୍ର ତିଆରି କରାଯିବା ସମୟରେ ଯେ କେହି ଏହାକୁ ଛୁଇଁ ପାରିବେ, କିନ୍ତୁ ଥରେ ଏହା ଦେବୀଙ୍କୁ ଅର୍ପଣ କରାଗଲା ପରେ ବଡ଼ ପୂଜାରୀମାନେ ହିଁ କେବଳ ଏହାକୁ ଛୁଇଁ ପାରିବେ”, ସତୀଶ କହିଥିଲେ। ପାଚେଡ଼ି ଥରେ ବହୁତ ପୁରୁଣା ହୋଇଗଲେ ଏହାକୁ ପବିତ୍ର ନଦୀରେ ବିସର୍ଜନ କରି ଦିଆଯାଏ।
ବିଗତ ଶତାବ୍ଦୀରେ ମାତା ନି ପାଚେଡ଼ି ହସ୍ତକଳାରେ କେତେକ ପରିବର୍ତ୍ତନ ହୋଇଛି । ଚିତାରା ପରିବାର ଏକ ସମୟର କଥା କୁହନ୍ତି ଯେତେବେଳେ ଏହାକୁ ଶସ୍ତା କରିବା ଉଦ୍ଦେଶ୍ୟରେ ଚିତ୍ରକଳା ବ୍ଲକ-ଉଭୟ ମାଟି ଓ କାଠ ବ୍ଲକ- ବ୍ୟବହାର କରି କରାଯାଉଥିଲା। ଏପରିକି ବ୍ଲକ ବ୍ୟବହାର କରିବା ସମୟରେ ମଧ୍ୟ ରଙ୍ଗ ହାତରେ ଭରାଯାଉଥିଲା।
“ହସ୍ତକଳାର ମୂଲ୍ୟକୁ ବର୍ତ୍ତମାନ ସମ୍ମାନ ମିଳୁଛି ଏବଂ ଏସବୁ ଚିତ୍ରକଳାର ଚାହିଦା ବର୍ତ୍ତମାନ ପୁଣିଥରେ ବଢ଼ିଯାଇଛି”, ସତୀଶ କୁହନ୍ତି। ବର୍ତ୍ତମାନ ହାତ ତିଆରି ଚିତ୍ର କିଣିବା ଲାଗି ଲୋକମାନେ ଆଗ୍ରହ ପ୍ରକାଶ କରୁଥିବାରୁ କଳାକାରମାନେ ସମ୍ପୂର୍ଣ୍ଣ ଭାବେ ହାତ ତିଆରି ଉତ୍ପାଦ ତିଆରି କରୁଛନ୍ତି।
ଆଉ ଏକ ପରିବର୍ତ୍ତନ ଏହି ଚିତ୍ରକଳାକୁ ପବିତ୍ର ଠାରୁ ଦୈନନ୍ଦିନ ପର୍ଯ୍ୟନ୍ତ ନେଇଆସିଛି-କାନ୍ଥ ଚିତ୍ର ପାଇଁ ବଜାର ସୀମିତ ଥିବାରୁ ବର୍ତ୍ତମାନ ଏହି କଳା ଶାଢ଼ି, ଓଢ଼ଣି, ବେଡସିଟ ଏବଂ ଅନ୍ୟ ପୋଷାକ ଉପରେ ତିଆରି ହେଉଛି। ମାତା ନି ପାଚେଡ଼ି ପୋଷାକ ଏବଂ ଅନ୍ୟାନ୍ୟ ସରଞ୍ଜାମ ଉପରେ ତିଆରି ହେଉଥିବାରୁ ଦେବୀଦେବତାଙ୍କ ସ୍ଥାନରେ ପ୍ରକୃତି ଓ ଦୈନନ୍ଦିନ ଜୀବନର ଚିତ୍ର ଅଙ୍କାଯାଉଛି। ବର୍ତ୍ତମାନ ସମୟରେ ‘ଜୀବନ ବୃକ୍ଷ’ ଚିତ୍ରଣର ଚାହିଦା ରହିଛି, ସତୀଶ କୁହନ୍ତି।
ସେ ପ୍ରଦର୍ଶନୀଗୁଡ଼ିକରେ ନିଜର ଉତ୍ପାଦ ବିକ୍ରି କରିଥାନ୍ତି ଯେଉଁଠି ଶସ୍ତା ବ୍ଲକ ପ୍ରିଣ୍ଟ କୌଶଳ ବ୍ୟବହାର କରି ତିଆରି କରାଯାଇଥିବା ଶାଢ଼ି ଓ ବେଡସିଟର ବିଶେଷ ଚାହିଦା ରହିଥାଏ। ଏହି ବ୍ଲକଗୁଡ଼ିକ ଗାନ୍ଧୀନଗର ନିକଟବର୍ତ୍ତୀ ପିଠପୁରରେ ତିଆରି ହୋଇଥାଏ। ସେ ଗ୍ରାହକଙ୍କ ଅର୍ଡର ମୁତାବକ ଚିତ୍ର ଏବଂ ଉତ୍ପାଦ ତିଆରି କରିଥାନ୍ତି ଏବଂ ହଠାତ ଆସୁଥିବା ଗ୍ରାହକଙ୍କ ପାଇଁ ଆଉ କିଛି ଅତିରିକ୍ତ ଚିତ୍ରକଳା ରଖିଥାନ୍ତି।
ହରିଡ଼ା ପାଉଡର (ହରିଡ଼ା ଗଛ ପତ୍ରରୁ ପ୍ରସ୍ତୁତ) ସାହାଯ୍ୟରେ କପଡ଼ାକୁ ରଙ୍ଗାଇବା ସହିତ ମାତା ନି ପାଚେଡ଼ିର ପ୍ରକ୍ରିୟା ଆରମ୍ଭ ହୋଇଥାଏ। ପ୍ରାକୃତିକ କଳା ରଙ୍ଗ ପାଇବାକୁ, ଲୁହା କଳଙ୍କି ଏବଂ ଗୁଡ଼କୁ ମିଶାଇ ୧୫-୨୦ ଦିନ ପର୍ଯ୍ୟନ୍ତ ଭଲ ଭାବେ ମିଶି ଯିବା ନିମନ୍ତେ ରଖିଦିଆଯାଇଥାଏ। ଏହାପରେ ସେଥିରେ ତେନ୍ତୁଳି ମଞ୍ଜି ଗୁଣ୍ଡ ମିଶାଯାଇଥାଏ ଏବଂ ଏହି ମିଶ୍ରଣକୁ ଫୁଟାଯାଇଥାଏ। ଏହି ମିଶ୍ରଣକୁ ଅଠାଳିଆ ରଖାଯାଇଥାଏ ଯାହା ଫଳରେ ଏଗୁଡ଼ିକ ପାଣିରେ ବୋହି ନଯିବ। “ଲୁହା ଗୁଣ୍ଡରେ ତିଆରି ହୋଇଥିବା କଳା ରଙ୍ଗ ଶହେ ବର୍ଷ କିମ୍ବା ଆଉ କିଛି ବର୍ଷ ପରେ ଧୀରେ ଧୀରେ ଫାଟିବା ଆରମ୍ଭ କରିଥାଏ; ଫଳରେ ଚିତ୍ର ଦୁର୍ବଳ ଦେଖାଯାଇଥାଏ, କିନ୍ତୁ ରଙ୍ଗଗୁଡ଼ିକ ସମ୍ପୂର୍ଣ୍ଣ ସ୍ପଷ୍ଟ କରିଥାଏ,” ସତୀଶ କୁହନ୍ତି।
ଏକଦା ସୁନା ଓ ରୁପା ଭଳି ମୂଲ୍ୟବାନ ଧାତୁ ବ୍ୟବହାର କରାଯାଉଥିଲା, କିନ୍ତୁ ବର୍ତ୍ତମାନ ସେଗୁଡ଼ିକ ଆଉ ବ୍ୟବହାର ହେଉନାହିଁ। ଫିଟିକରି ବ୍ୟବହାର କରି ନାଲି, ଖଇର ବ୍ୟବହାର କରି କମଳା, ମେହେନ୍ଦି ପତ୍ର ବ୍ୟବହାର କରି ସବୁଜ ଏବଂ ନୀଳ ବ୍ୟବହାର କରି ନୀଳ ରଙ୍ଗ ପ୍ରସ୍ତୁତ କରାଯାଇଥାଏ। ରଙ୍ଗ କରିବା ପ୍ରକ୍ରିୟା ଶେଷ ହେବା ପରେ କପଡ଼ାକୁ ସ୍ଥାନୀୟ ସାବରମତୀ ନଦୀରେ ସଫା କରାଯାଇଥାଏ ଯାହାଫଳରେ ଅତିରିକ୍ତ ରଙ୍ଗ ବାହାରିଯିବ ଏବଂ ଏହାପରେ ଥାଓଲି ଫୁଲ (ଏନୋଜେୟେସ୍ ଲାଟିଫୋଲିଆ)ସହିତ ଏହାକୁ ଫୁଟା ଯାଇଥାଏ ଯାହାଫଳରେ କପଡ଼ାରେ ରଙ୍ଗ ଭଲ ଭାବେ ‘ଲାଖି’ ରହିବ। “ଆପଣ ଯେତେଥର ସଫା କରନ୍ତୁ ପଛେ, ରଙ୍ଗ ଛାଡ଼ିବ ନାହିଁ,” ସତୀଶ କୁହନ୍ତି। ରଙ୍ଗ ଭରିବା ସମୟରେ ଶିଳ୍ପୀମାନଙ୍କୁ ଯତ୍ନବାନ ହେବାକୁ ପଡ଼ିଥାଏ, ନଚେତ ସେଗୁଡ଼ିକୁ ତରଳ ହୋଇ ଚିତ୍ର ଆଡ଼କୁ ବୋହିଯିବାର ସମ୍ଭାବନା ରହିଥାଏ।
ଡ୍ରଇଁ ଓ ଆଉଟଲାଇନ ପାଇଁ ବାଉଁଶ ପାତିଆ ଉପରେ ପ୍ରାଥମିକତା ଦିଆଯାଇଥାଏ, କିନ୍ତୁ ବର୍ତ୍ତମାନ ସମୟରେ ଚିତ୍ର ତୂଳୀର ବ୍ୟବହାର କରାଯାଇଥାଏ। ପୂର୍ବରୁ, ଖଜୁରି ଗଛ ବାଉଙ୍ଗାରେ ବ୍ରସ ତିଆରି କରାଯାଉଥିଲା। ବାହୁଙ୍ଗାଗୁଡ଼ିକୁ ଦାନ୍ତରେ ଚୋବାଇ ସେଗୁଡ଼ିକୁ ତନ୍ତୁରେ ପରିଣତ କରିବା ପରେ ବ୍ରସ ଭାବେ ବ୍ୟବହାର କରାଯାଉଥିଲା।

ଶହ ଶହ ବର୍ଷ ଧରି, କେବଳ ସୂତା କପଡ଼ା ବ୍ୟବହାର କରାଯାଉଥିଲା, କିନ୍ତୁ ଏବେ ସେମାନେ ସୂତା ରେଶମ ଉପରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ବୟନର କେନ୍ଦ୍ର ଅହମଦାବାଦର ସ୍ଥାନୀୟ ବଜାରରୁ ସମସ୍ତ କପଡ଼ା କିଣାଯାଇଥାଏ। ସତୀଶ ଆମକୁ କହିଥିଲେ ଯେ ସୂତା କପଡ଼ାରେ ରଙ୍ଗଗୁଡ଼ିକ ଦୃଢ଼ ଭାବେ ଲାଗି ରହିଥାଏ, ଯାହାଫଳରେ ସଫା କରାଯିବା ପରେ ମଧ୍ୟ ରଙ୍ଗଗୁଡ଼ିକ ଭଲ ଭାବେ କପଡ଼ାରେ ଲାଗି ରହିଥାଏ।
ସତୀଶ କୁହନ୍ତି, “ମୁଁ ମୋ ପିଲାମାନଙ୍କୁ ସେମାନଙ୍କର ପିତା ଭାବେ ଏହି କଳା ଶିଖାଇବି ଓ ଆଗକୁ ବଢ଼ାଇବି”। ସମ୍ମାନଜନକ ଜୀବନ ବଞ୍ଚିବା ଓ ପରିବାରକୁ ସହାୟତା କରିବା ଲାଗି ଯଥେଷ୍ଟ ପରିମାଣରେ ରୋଜଗାର କରୁଥିବା ସେ ଅନୁଭବ କରନ୍ତି। ତାଙ୍କର ଚିତ୍ରକଳା ଗୁଜରାଟ ଏବଂ ଆଖାପାଖର ବହୁ ମନ୍ଦିରରେ ଦେଖିବାକୁ ମିଳିବ ଏବଂ ତାଙ୍କର ବିଶ୍ୱାସ ରହିଛି ଯେ ଏହାର ଚାହିଦା କେବେହେଲେ କମିବ ନାହିଁ। “ଏପରିକି ୫୦ ବର୍ଷ ପରେ ମଧ୍ୟ ଏସବୁ ପାଚେଡ଼ିଗୁଡ଼ିକୁ ଖୋଜିବାକୁ ଲୋକମାନେ ଆସିବେ କାରଣ ଏହା ବିନା ପୂଜା ଅସମ୍ପୂର୍ଣ୍ଣ ରହିଯିବ,” ସେ କହିଥିଲେ।
ଅନୁବାଦ: ଓଡ଼ିଶାଲାଇଭ୍
ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।
Editor's note
ଏହି କାହାଣୀର ଖବର ସଂଗ୍ରହକାରୀ ହେଉଛନ୍ତି ଗାନ୍ଧୀନଗର ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଡିଜାଇନର ଦୁଇ ଜଣ ଛାତ୍ର: ଫଟୋଗ୍ରାଫୀ ଡିଜାଇନ ପଢ଼ୁଥିବା ଦେବାଂଶ ସାଗର ଓ ପରିବହନ ଓ ଅଟୋମୋବାଇଲ ଡିଜାଇନ ଅଧ୍ୟୟନ କରୁଥିବା ହୃଦୟ ମିସ୍ତ୍ରୀ। ପାରମ୍ପରିକ କଳା ଓ ହସ୍ତଶିଳ୍ପ ପ୍ରତି ରହିଥିବା ଆଗ୍ରହ ଏବଂ ଶିଳ୍ପୀମାନଙ୍କ ସହ ସମୟ ବିତାଇ ସେମାନେ କିପରି ନିଜର ସରଞ୍ଜାମ, ରଙ୍ଗ ଓ ଡିଜାଇନ ଦକ୍ଷତା ଉପଯୋଗ କରୁଛନ୍ତି ତାହା ଜାଣିବାର ଆଗ୍ରହରୁ ଏହି ସ୍ତମ୍ଭର ରଚନା କରାଯାଇଛି। ସେମାନଙ୍କ ଅନୁଭୂତି ସମ୍ପର୍କରେ ଉଭୟ କହିଛନ୍ତି, “ପରୀ ଜରିଆରେ ଆମେ ଆମ ଚାରିପାଖରେ ଥିବା ଲୋକ, ଯେଉଁମାନଙ୍କୁ ସାଧାରଣତଃ ଆମେ ଅଣଦେଖା କରିଥାଉ, ସେମାନଙ୍କ ବିଷୟରେ ଜାଣିବାର ସୁଯୋଗ ମିଳିଛି। ଆମେ ସେମାନଙ୍କ ପ୍ରତି ଆହୁରି ସହାନୁଭୂତିଶୀଳ ହୋଇଛୁ। ଏହି ପ୍ରକ୍ରିୟାର ସବୁଠୁ ଉତ୍ସାହଜନକ ଦିଗଟି ହେଉଛି ଆମେ ରହୁଥିବା ସହରର ଅଣଦେଖା ଅଞ୍ଚଳକୁ ଆବିଷ୍କାର କରିବା ଏବଂ ଆମର ପାରମ୍ପରିକ ସଂସ୍କୃତିର ବାସ୍ତବ ନାୟକମାନଙ୍କର ସନ୍ଧାନ କରିବାର ସୁଯୋଗ ଆମେ ପାଇଲୁ।”