
ଭୋର ଚାରିଟାରେ, ରାତି ପାହିବାର ଯଥେଷ୍ଟ ସମୟ ପୂର୍ବରୁ, ସେବାସ୍ତିଆନ୍ କ୍ରାଷ୍ଟୋ ଉଠିପଡ଼ନ୍ତି ଏବଂ ତାଙ୍କ ବକେରୀରେ ବ୍ୟସ୍ତ ହୋଇଯାଆନ୍ତି । ବେନାଉଲିମ୍ ସହରରେ ଅନ୍ଧାର ଘୋଟିଥିବା ବେଳେ, ସେ ନିରବତାର ସହ ବିଭିନ୍ନ ଉପାଦାନ ଏକାଠି କରନ୍ତି – ମଇଦା, ଇଷ୍ଟ, ଲୁଣ ଏବଂ ପାଣି – ଯାହାକୁ ମିଶାଇ ଦିନର ପ୍ରଥମ ପର୍ଯ୍ୟାୟ ଚକଟା ଅଟା ପ୍ରସ୍ତୁତ କରାଯିବ ।
ବେକ୍ହାଉସ୍ରେ ଜଳୁଥିବା ଏକମାତ୍ର ବଲ୍ର କମ୍ ଆଲୋକରେ, ସେ ଧୀର ଭାବେ ତାଜା ଇଷ୍ଟର ଗୋଟିଏ ଖଣ୍ଡକୁ ଦୁଇ ଭାଗ କରି ଭାଙ୍ଗନ୍ତି ଏବଂ ତାକୁ ଗୋଟିଏ ବଡ଼ ମେକାନିକାଲ୍ ମିକ୍ସର ଗ୍ରାଇଣ୍ଡରରେ ବାଲ୍ଟିଏ ଅଟା ଏବଂ ମୁଠେ ଲୁଣ ସହ ପକାନ୍ତି ।
ଗୋଟିଏ ବଡ଼ ଏବଂ ଗଭୀର ପଥର ବେସିନ୍କୁ ଦେଖାଇ ବକେରୀ ଚଳାଉଥିବା ୫୫ ବର୍ଷୀୟ ସେବାସ୍ତିଆନ୍ କହନ୍ତି, ‘‘ଦୀର୍ଘ ବର୍ଷ ଧରି ମୁଁ ହାତରେ ଅଟା ଚକଟୁଥିଲି । କିନ୍ତୁ ବୟସ ବଢ଼ିବା ସହ ଏହା ଖୁବ୍ କଷ୍ଟକର ହେଲା, ତେଣୁ ମୋତେ ସାହାଯ୍ୟ କରିବାକୁ ମୁଁ ଏହି ମିକ୍ସର କିଣିଲି।’’
ବଡ଼ ପାତ୍ରଟି ବୁଲିବା ସହ, ଅଟା ଗୁଳା ସବୁ ଉପରକୁ ଉଠେ । ସେ ଯତ୍ନର ସହ ଅଳ୍ପ ଅଳ୍ପ ପାଣି ଢାଳିବା ଆରମ୍ଭ କରନ୍ତି, ମଝିରେ ମଝିରେ ମଇଦା ପକାନ୍ତି । ସେବାସ୍ତିଆନ୍ ପାଓ ପ୍ରସ୍ତୁତ କରୁଛନ୍ତି – ଯାହା ଗୋଆରେ ଏକ ପ୍ରମୁଖ ଜଳଖିଆ ଭାବେ ଜଣାଯାଏ, ଏବଂ ତାଙ୍କ ବକେରୀ ଏହାକୁ ୧୦୦ ବର୍ଷରୁ ଅଧିକ ସମୟ ଧରି ପ୍ରସ୍ତୁତ କରିଆସୁଛି। ଏଠାରେ କୌଣସି ଚିହ୍ନ ନାହିଁ, ଏମିତିକି ଏହି ସ୍ଥାନକୁ ଚିହ୍ନଟ କରିବାକୁ ଦୁଆରେ ଗୋଟିଏ ସାଧାରଣ ନାମଫଳକ ବି ନାହିଁ, କିନ୍ତୁ ସବୁଦିନ ସେହି ଦୋକାନ ବାହାରେ ଭିଡ଼ ଜମାଉଥିବା ଲୋକଙ୍କୁ ଦେଖିଲେ, ସ୍ପଷ୍ଟ ଭାବରେ ୧୧,୯୧୯ ଜଣ ଲୋକ ରହୁଥିବା ଏହି ସହରରେ ତା’ର ଆବଶ୍ୟକତା ନାହିଁ ।


ତାଙ୍କୁ ୧୧ ବର୍ଷ ବୟସ ହୋଇଥିବାବେଳେ ସେବାସ୍ତିଆନ୍ ବକେରୀ ସହ ସମ୍ପୃକ୍ତ ହେଲେଣି ଏବଂ ଆମେ ତାଙ୍କୁ ମାପ ବାବଦରେ ପଚାରିବାରୁ ସେ ହସି ହସି କହିଲେ, ‘‘କୌଣସି ମାପ ନାହିଁ ! ମୁଁ ଜାଣିଛି କେତେ ପକାଇବାକୁ ହେବ । ମୁଁ ଏତେ ଦିନ ଧରି ଏହା କରିଆସୁଛି ଯେ ମୁଁ ଦେଖି କରି ହିଁ କହିଦେବି।’’
ସେବାସ୍ତିଆନ୍ କହନ୍ତି, ‘‘ଯେତେବେଳେ ମୋ ବାପା ଏହାକୁ ନେଲେ, ସେତେବେଳକୁ ଏହା ମୋ ପରିବାର ପାଖରେ ପ୍ରାୟ ୭୦ ବର୍ଷ ଧରି ରହିସାରିଥିଲା। ସେ ୨୫ ବର୍ଷ ବୟସର ହେବା ବେଳକୁ ଏହାର ଦାୟିତ୍ୱ ନେଲେ।” ସେ ଆହୁରି କହିଲେ, ‘‘ପରିବାରର ଜଣେ ବନ୍ଧୁ ବକେରୀକୁ ମୋ ବାପାଙ୍କୁ ଉପହାର ଭାବେ ଦେଇଥିଲେ। ଏହାର ପ୍ରକୃତ ମାଲିକ ଦୀର୍ଘ ବର୍ଷ ଧରି ଗୋଟିଏ ପିଲା ଚାହିଁ ଆସୁଥିଲେ କିନ୍ତୁ ମୋ ବାପା ତାଙ୍କୁ ମୋର ପୋଷ୍ୟ ବାପା କରିବା ପରେ, ତାଙ୍କ ପରିବାରରେ ଗୋଟିଏ ପିଲା ଜନ୍ମ ହେଲା। କୃତଜ୍ଞତା ସ୍ୱରୂପ, ସେ ବକେରୀକୁ ମୋ ବାପା ଓ ତାଙ୍କ ଭାଇଙ୍କୁ ଦେåଲେ।’’
ଏହା ଭୋର ସମୟ, ଏବଂ ମିକ୍ସିଂ ମେସିନ୍ର ନିରନ୍ତର ଶବ୍ଦ ନିକଟସ୍ଥ କୋଠରୀରେ ଶୋଇଥିବା ତାଙ୍କର ତିନି ଝିଅଙ୍କର ନିଦ ଭାଙ୍ଗେ ନାହିଁ । ଏହି ସମୟ ବେଳକୁ, ତାଙ୍କ ସ୍ତ୍ରୀ ସେଜିଆ ଦିନର ଘର କାମ ଆରମ୍ଭ କରିବା ଲାଗି ଉଠିପଡ଼ନ୍ତି ।
ମିଶ୍ରଣ ପାତ୍ରରୁ ମଇଦାକୁ ବାହାର କରି, ଗ୍ରାନାଇଟ୍ କାଉଣ୍ଟରରେ ଫୁଲିବା ପାଇଁ ରଖିବା ପୂର୍ବରୁ ସେ ତାକୁ କିଛି ସମୟ ପାଇଁ ଚକଟନ୍ତି । ସେ ଆଉ ଏକ ପର୍ଯ୍ୟାୟର ଚକଟା ନିଅନ୍ତି ଏବଂ ଶୀଘ୍ର ଶୀଘ୍ର, ଅଭ୍ୟସ୍ତ ହାତରେ ତାକୁ ବଲ୍ ଭଳି ଗୋଲାକାର ଆକୃତିର କରନ୍ତି, ଯାହା ଫଳରେ ସେଗୁଡ଼ିକ ଛୋଟ ଆୟତାକାର ଧାତବ ଟ୍ରେଗୁଡ଼ିକରେ ଫିଟ୍ ହୋଇପାରିବ। ସେ ବ୍ୟାଖ୍ୟା କରନ୍ତି, ‘‘ଏହା ହେଉଛି ସେହି ଚକଟା ଯାହାକୁ ମୁଁ ବକେରୀ ବନ୍ଦ କରିବା ପରେ [ଗତ] ରାତିରେ ପ୍ରସ୍ତୁତ କରିଥିଲି। ଆମେ ଶୋଇବା ସମୟରେ ଏହା ଫୁଲିଯାଏ ଏବଂ ଏହିପରି ମୁଁ ଦିନକୁ ଅତିକମ୍ରେ ତିନିଟି ପର୍ଯ୍ୟାୟରେ ପ୍ରସ୍ତୁତ କରିପାରେ। ’’


ସବୁ ଟ୍ରେଗୁଡ଼ିକ ପୂରଣ ହୋଇଯିବା ପରେ, ସେଗୁଡିକୁ ସେ ଗଭୀର ଚଟାଣରୁ ଛାତ ଯାଏଁ ଜଳୁଥିବା ଓଭନକୁ ପକାଇବା ଆରମ୍ଭ କରିଦିଅନ୍ତି, ଯାହାକୁ ସେ ପୂର୍ବରୁ ଜଳାଇଥିଲେ। ‘‘ମୁଁ ଏକ ସମୟରେ କେବଳ ଗୋଟିଏ ଟ୍ରେ ପକାଇପାରିବି କାରଣ ବାଟଟି ଖୁବ୍ ଛୋଟ। ଯେତେ କମ୍ ପରିମାଣର ତାପମାତ୍ରା ଯେମିତି ବାହାରକୁ ବାହାରିବ ତାକୁ ଦୃଷ୍ଟିରେ ରଖି ଏହାକୁ ବହୁ ଦଶନ୍ଧି ପୂର୍ବରୁ ତିଆରି କରାଯାଇଥିଲା। ଆଧୁନିକ ବକେରୀଗୁଡ଼ିକରେ ଓଭନଗୁଡ଼ିକର ମୁହଁ ଚଉଡ଼ା ଏବଂ ସେଗୁଡ଼ିକରେ ଥରକରେ ଚାରିରୁ ପାଞ୍ଚଟି ଟ୍ରେ ପକାଯାଇପାରେ।’’
ପାଉଁରୁଟି ବେକ୍ ହେବାର ଗରମ ଏବଂ ଇଷ୍ଟଯୁକ୍ତ ସୁଗନ୍ଧ କୋଠରୀ ସାରା ଖେଳିଗଲା ଏବଂ ବାହାରେ ଧାଡ଼ିବାନ୍ଧିଥିବା ଗ୍ରାହକଙ୍କ ପାଇଁ ସେଜିଆ ସାମ୍ନା କୋଠରୀର ଝରକା ଖୋଲିଦେଲେ। ସୁନା ରଙ୍ଗର ତାଜା ଗରମ ପାଓଗୁଡ଼ିକ ଚିରା ଖବର କାଗଜରେ ଗୁଡ଼ାହୋଇଥାଏ ଏବଂ ଝରକା ବାହାରେ ସେଥିପାଇଁ ଅପେକ୍ଷା କରିଥିବା ହାତକୁ ବଢ଼ାଇ ଦିଆଯାଏ। ଏକ ପାଓ ଏବଂ ପୋଇ ପାଇଁ ବକେରୀ ୫ ଟଙ୍କା ନିଏ ।
ସେଜିଆ କହିଲେ,‘‘ଯେତେବେଳେ ପ୍ରଥମ ଦେଶବ୍ୟାପୀ ଲକ୍ଡାଉନ୍ ଘୋଷଣା ହେଲା ଆମକୁ ପାଞ୍ଚ ଦିନ ପାଇଁ ବକେରୀକୁ ବନ୍ଦ କରିବାକୁ ପଡ଼ିଥିଲା, କିନ୍ତୁ ଆମର ଏହା ଅତ୍ୟାବଶ୍ୟକ ସେବା ହୋଇଥିବାରୁ ସେବେଠାରୁ ଆମେ ଏହାକୁ ଖୋଲା ରଖିବାରେ ସକ୍ଷମ ହୋଇଛୁ।’’ ସେ ଆହୁରି କହିଲେ, ‘‘ପ୍ରକୃତରେ ବିକ୍ରି ବଢ଼ିଛି କାରଣ ଲୋକେ ଆଉ ବାହାରେ ଖାଉନାହାନ୍ତି କିନ୍ତୁ ପୂର୍ବଠାରୁ ଅଧିକ ବ୍ୟବହାର [ଘରେ] କରୁଛନ୍ତି।’’
ଯେତେବେଳେ ତାଙ୍କର ତିନି ଝିଅ – ଶିବାନୀ, ରୋସା ଏବଂ ସ୍ୱିଜେଲ୍- ସକାଳ ପ୍ରାୟ ୮ଟା ବେଳକୁ ଉଠିପଡ଼ନ୍ତି, ସେମାନେ ଜଣେ ପରେ ଜଣେ କାଉଣ୍ଟର ଚଳାନ୍ତି, ତାଜା ପାଉଁରୁଟି ବିକ୍ରି କରିବା ଲାଗି ସେମାନେ ବେକ୍ହାଉସ୍ ଏବଂ ସାମ୍ନାର କୋଠରୀରେ ଆଗ ପଛ ହୁଅନ୍ତି । ସକାଳର ପରବର୍ତ୍ତୀ ସମୟରେ, ସେବାସ୍ତିଆନ୍ ତାଙ୍କ ସାଇକେଲ୍ ନେଇ ବାହାରି ଯାଆନ୍ତି, ଯାହାର ପଛରେ ବେତର ଏକ ବଡ଼ ବାସ୍କେଟ୍ ଲଗାହୋଇଥାଏ ଏବଂ ଅଚାନକ ବର୍ଷାରୁ ସୁରକ୍ଷା ଦେବା ଲାଗି ତା’ ଉପରେ ନୀଳ ରଙ୍ଗର ଏକ ତାରପୋଲିନ୍ ଘେରାହୋଇଥାଏ । ତାଙ୍କର ଜଣାଶୁଣା ରବର ହର୍ଣ୍ଣର ଶବ୍ଦ ଶୁଣି, ଦକ୍ଷିଣ ଗୋଆରେ ଏଠାକାର ଗାଁ ଲୋକେ କହନ୍ତି ‘‘ପୋଡର ୟେତା’’ ବା ‘‘ପାଉଁରୁଟିବାଲା ଆସିଛି’’ ।


ଇତିମଧ୍ୟରେ ବକେରୀରେ, ୨୨ ବର୍ଷୀୟା ରୋସା ଏକ ପୁରୁଣା ସ୍ମାର୍ଟଫୋନ୍ ମାଧ୍ୟମରେ ନିଜର ସକାଳ କ୍ଲାସ୍ କରୁଛନ୍ତି । ସେ କହିଲେ, ‘‘ମୋର ଏକ ଲାପ୍ଟପ୍ ଅଛି, କିନ୍ତୁ ଏହି ଅଞ୍ଚଳରେ ୱାଇଫାଇ କ୍ୱଚିତ୍ କାମ କରେ । ମୋବାଇଲ୍ ଡାଟା ହେଉଛି ଏକମାତ୍ର ଜିନିଷ ଯାହା ଉପରେ ମୁଁ ଭରସା କରିପାରିବି।’’ ସେଣ୍ଟ ଜୋସେଫ୍ ଭାଜ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନ୍ରେ ସେ ଏବେ ଡିପ୍ଲୋମା ଇନ୍ ଏଜୁକେସନ୍ର ଦ୍ୱିତୀୟ ବର୍ଷ ଛାତ୍ରୀ । ସେ ପୂର୍ବରୁ ବିଜ୍ଞାନରେ ସ୍ନାତକ ଶିକ୍ଷା ଲାଭକରିସାରିଛନ୍ତି । ଖର୍ଚ୍ଚ ସମ୍ପର୍କରେ ଅସହଜ ହୋଇ ସେ କହିଲେ, ‘‘ଡି.ଏଡ୍ ଲାଗି ଫି ଖୁବ୍ ଅଧିକ, ବର୍ଷକୁ ପ୍ରାୟ ୩୪,୦୦୦ ଟଙ୍କା। ଏଥିଲାଗି ମୁଁ ବହୁତ ଚିନ୍ତିତ ଥିଲି କିନ୍ତୁ ବାପା ମୋତେ କହିଲେ ଯେ ମୁଁ ଯଦି ପ୍ରକୃତରେ ଶିକ୍ଷକ ହେବାକୁ ଚାହୁଁଛି ତା’ହେଲେ ସେ ଟଙ୍କା କଥା ବୁଝିବେ।’’
ତାଙ୍କର ବଡ଼ଭଉଣୀ ୨୩ ବର୍ଷୀୟା ଶିବାନୀ କମର୍ସରେ ସ୍ନାତକ ଡିଗ୍ରୀ ହାସଲ କରିବାର ଦୁଇ ବର୍ଷ ହେଲାଣି। ସେ ଏକ ବ୍ୟାଙ୍କରେ କାମ କରିବାକୁ ପସନ୍ଦ କରିଥାଆନ୍ତେ, କିନ୍ତୁ ଏଯାଏଁ କାମ ପାଇନାହାନ୍ତି ଏବଂ ସେ କହନ୍ତି, ‘‘ଏବେ ମୁଁ ବକେରୀରେ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛି। ଲକ୍ଡାଉନ୍ ପରେ ନିଯୁକ୍ତି ସୁଯୋଗ ପାଇବା ଅସମ୍ଭବ ପ୍ରାୟ ହୋଇପଡ଼ିଛି।’’
୨୦ ବର୍ଷୀୟା ସ୍ୱିଜେଲ୍ ସମସ୍ତଙ୍କଠାରୁ ସାନ ଏବଂ ଟେଲରିଂ କାମ କରନ୍ତି । ସେ କହନ୍ତି, ‘‘ମୁଁ ଏକ ଟେଲରିଂ କୋର୍ସ କରିଥିଲି ଏବଂ ପିଲାଙ୍କ ପୋଷାକ ସିଲେଇ କରିବା ଆରମ୍ଭ କରିଥିଲି। ଗୋଆରେ ମହାମାରୀ ହେବା ପରେ, ମୁଁ ଅନେକଗୁଡ଼ିଏ କପଡ଼ା ମାସ୍କ ତିଆରି କରି ବିକ୍ରି କରିଛି।’’ ସ୍ୱିଜେଲ୍ କଲେଜ ଯାଇନଥିଲେ, ଏହା ତାଙ୍କ ବାପମା’ଙ୍କର ଏକ ଦୁଃଖ । ସେ କହନ୍ତି, ‘‘ସେମାନେ [ବାପା ମା’] ପ୍ରଥମେ ଖୁବ୍ ଦୁଃଖୀ ଥିଲେ। ଆମର ଏ ନେଇ ଖୁବ୍ ଲଢ଼େଇ ହୋଇଥିଲା କିନ୍ତୁ ମୁଁ ଇଚ୍ଛା ନ ଥିବା କୌଣସି କାମ କରି ସମୟ ନଷ୍ଟ କରିବାକୁ ଚାହୁଁ ନ ଥିଲି।’’
ସେବାସ୍ତିଆନ୍ ଯେତେବେଳେ ବୁଲି ବିକ୍ରି କରି ଫେରନ୍ତି, ସେ ଆଉ ଏକ ପର୍ଯ୍ୟାୟର ମିଶ୍ରଣ ପ୍ରସ୍ତୁତ କରନ୍ତି, ଏଥରକ ପୋଇ ପ୍ରସ୍ତୁତ କରିବା ପାଇଁ ଗୁଣ୍ଡ ଚୋକଡ଼ ପକାନ୍ତି – ପୋଇକୁ କିଛି ଲୋକ ପାଓଠାରୁ ସ୍ୱାସ୍ଥ୍ୟପ୍ରଦ ବୋଲି ଭାବନ୍ତି । ଏହା ସଂଧ୍ୟାରେ ବେକ୍ କରାଯାଏ ଏବଂ ଅପରାହ୍ନ ବ୍ୟାଚ୍ର ପାଓ ସହ ରାତି ୧୧ଟା ଯାଏଁ ବିକ୍ରି ହୁଏ। ସେବାସ୍ତିଆନ୍ କହିଲେ, ‘‘ସଂଖ୍ୟା ନେଇ ମୁଁ ନିଶ୍ଚିତ ନୁହେଁ; ମୁଁ କେବେହେଲେ ଗଣେନି କିନ୍ତୁ ମୁଁ ଭାବୁଛି ଆମେ ଦିନକୁ ୩,୦୦୦ ଖଣ୍ଡ ପାଓ ଏବଂ ୧,୫୦୦ ପୋଇ ପ୍ରସ୍ତୁତ କରୁ। ଆମେ ବକେରୀକୁ ଯେତେ ଅଧିକ ସମ୍ଭବ ସମୟ ଯାଏଁ ଖୋଲାରଖୁ, ଯେପରିକି ସେସବୁ ବିକ୍ରି ହୋଇଯିବ।’’


ତିନି ଦଶନ୍ଧି ଧରି ଏମିତି କରିଆସୁଥିବା ସେବାସ୍ତିଆନ୍ କହନ୍ତି, ସପ୍ତାହକୁ ସାତ ଦିନ, ଦିନକୁ ମାତ୍ର ୪ ଘଣ୍ଟା ଶୋଇ କାମ କରିବା ଏକ ଯନ୍ତ୍ରଣାଦାୟକ ସୂଚୀ । କେବଳ ଗୋଟିଏ ଦିନ ବିରାମ ହେଲା ଗୁଡ୍ ଫ୍ରାଇଡେ; ଯେହେତୁ ଲୋକେ ସେମାନଙ୍କ ପରିବାର ପାଇଁ ବଡ଼ ଓଭନଗୁଡ଼ିକରେ ବଡ଼ଦିନ କେକ୍ ପ୍ରସ୍ତୁତ କରିବାକୁ ଆସନ୍ତି, ତେଣୁ ବଡ଼ଦିନରେ ବକେରୀ ଖୋଲାରହେ ।
କିନ୍ତୁ କ୍ରାଷ୍ଟୋ ପରିବାର ଏଥିପାଇଁ ଏକ ଉପାୟ ବାହାର କରିଛନ୍ତି। ସେ କହନ୍ତି, ‘‘ପ୍ରତ୍ୟେକ ଚାରି ମାସରେ, ଆମେ ବକେରୀକୁ ଛାଡ଼ି ସେରାଉଲିମ୍ [ନିକଟସ୍ଥ ଗାଁ]ର ଏକ ଘରକୁ ଚାଲିଯାଉ। ପରବର୍ତ୍ତୀ ଚାରି ମାସ ପାଇଁ, ଆମେ ବିଶ୍ରାମ ନେବାବେଳେ ମୋର ଭାଇ ଏହାର ଦାୟିତ୍ୱ ନିଅନ୍ତି। ଏହି ଉପାୟରେ ଏହା ମୋ ବାପାଙ୍କ ସମୟରୁ ଚାଲିଆସୁଛି, ସେ ତାଙ୍କ ଭାଇଙ୍କ ସହ ସମାନ ବ୍ୟବସ୍ଥାରେ ଏହାକୁ ଚଳାଇ ଆସୁଥିଲେ। ଏହି ବିଶ୍ରାମ ସମୟ ବିନା, ଆମେ ଏହି ଧାରାରେ ତିଷ୍ଠି ରହିପାରିବୁ ନାହିଁ।’’ ପ୍ରତ୍ୟେକ ପରିବାର ସେମାନେ ଚାରି ମାସରେ ଆୟ କରୁଥିବା ଅର୍ଥରେ ପରବର୍ତ୍ତୀ ଚାରି ମାସ ଚଳନ୍ତି।
ସେ ଅବସରନେବା ପରେ, ଏହି ବକେରୀର କ’ଣ ହେବ ସେବାସ୍ତିଆନ୍ ସେ ବାବଦରେ ନିଶ୍ଚିତ ନୁହନ୍ତି। ‘‘ଏହା ଖୁବ୍ କଠିନ କାମ; ଏଥିରେ ଆଉ କେହି ଆଗ୍ରହୀ ନାହାନ୍ତି। ଆମେ ଏହାକୁ ଈଶ୍ୱରଙ୍କ ଉପରେ ଛାଡ଼ିଦେବୁ।’’
ପରୀ ହୋମ୍ ପେଜ୍କୁ ଫେରିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ
Editor's note
ଜାରା ଦିଆସ୍ ମୁମ୍ବାଇର ସେଣ୍ଟ ଜାଭିୟର୍ସ କଲେଜ (ସ୍ୱୟଂଶାସିତ)ରେ ସାମ୍ବାଦିକତା ଓ ଗଣଯୋଗାଯୋଗର ଦ୍ୱିତୀୟ ବର୍ଷର ଛାତ୍ର। ଗୋଆର ପ୍ରମୁଖ ଖାଦ୍ୟ ମଧ୍ୟରୁ ଗୋଟିଏ ପାଉଁରୁଟି ତିଆରିର ପ୍ରକ୍ରିୟା ଏବଂ ଏହି କାମରେ ଲାଗିଥିବା ଲୋକଙ୍କ ବାବଦରେ ଜାଣିବା ପାଇଁ ସେ ତାଙ୍କ ଘର ପାଖରେ ଥିବା ଗୋଟିଏ ବକେରୀକୁ ଗଲେ । ସେ କହନ୍ତି, ‘‘ପରୀ ଶିକ୍ଷା ସହିତ କାମ କରିବା ମୋତେ ଅନୁଭବ କରାଇଲା ଯେ ଆଖପାଖରେ ଦେଖୁଥିବା ଜିନିଷଗୁଡ଼ିକ ବାବଦରେ କେମିତି ମୁଁ କମ୍ ପ୍ରଶ୍ନ କରେ, ଏବଂ କେମିତି ଏହାକୁ ବଦଳାଇବା ଗୁରୁତ୍ୱପୂର୍ଣ୍ଣ। ଏହି ଲେଖା ପାଇଁ ମୁଁ ଯେତେଥର ବି ବକେରୀକୁ ଯାଇଛି ସେତେଥର ଏହା ମୋ ପାଇଁ ସ୍ପର୍ଶକାତର ଯୋଗାଯୋଗ, ନିରୀକ୍ଷଣ ଏବଂ ଜଟିଳ ଭାବନାର ଅଭ୍ୟାସ ହୋଇଛି।’’
ଅନୁବାଦ: ଓଡ଼ିଶାଲାଇଭ୍
ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।