
‘‘ମୋ ପାଖରେ ଅର୍ଥ ନାହିଁ, କିନ୍ତୁ ମୁଁ ଖୁବ୍ କଠିନ ପରିଶ୍ରମ କରେ।’’
ତୁଫାନି ରାଜଭର ହେଉଛନ୍ତି ଜଣେ କୃଷି ଶ୍ରମିକ ଏବଂ ଛେଳି ପାଳନକାରୀ। ସେ କହିଥିଲେ, ‘‘ଚାଷ କାମରୁ ପ୍ରାୟତଃ କିଛି ମିଳୁନି ତେଣୁ କିଛି ଅର୍ଥ ଆୟ କରିବାକୁ ମୁଁ ଦିହାଦି ମଜଦୁରୀ [ଦିନ ମଜୁରିଆ କାମ] କରୁଛି।’’
ଆଖର ଗାଁର ରାଜଭର ଯେଉଁ ଚାଷ କାମ କଥା କହୁଥିଲେ ତାହା ହେଉଛି ଉତ୍ତର ପ୍ରଦେଶର ପୂର୍ବ ଭାଗରେ ଥିବା ବାଲିଆ ଜିଲ୍ଲାରେ ତାଙ୍କ ପରି ଅନେକ ଭୂମିହୀନ ଲୋକଙ୍କ ଦ୍ୱାରା ଅନୁସରଣ କରାଯାଉଥିବା ଏକ ବ୍ୟବସ୍ଥା। ସେ ବାର୍ଷିକ ଭଡ଼ା ବ୍ୟବସ୍ଥା ଯାହାକୁ ଲଗାନ୍ କୁହାଯାଏ ସେହି ଅନୁଯାୟୀ ଏକ ବିଘା ଜମି ନିଅନ୍ତି ଯାହା ପ୍ରାୟ ଅଧ ଏକର ହୋଇଥାଏ। ସେ ଏ ସମ୍ପର୍କରେ ବୁଝାଇ କହନ୍ତି, ‘‘ପ୍ରାୟ ହୋଲି [ମାର୍ଚ୍ଚ/ ଏପ୍ରିଲ୍ ମାସରେ] ମୁଁ ମାସିକ ୧୦ ପ୍ରତିଶତ ସୁଧ ହାରରେ ଜଣେ ବଣିୟାଙ୍କଠାରୁ ୧୪-୧୫ ହଜାର ଟଙ୍କା ଧାର ନିଏ। ଯେହେତୁ ମୋର କୌଣସି ସମ୍ପତ୍ତି ନାହିଁ ମୁଁ ବ୍ୟାଙ୍କରୁ ଋଣ ପାଇପାରିବି ନାହିଁ।’’ ତାଙ୍କ ପାଖରେ ଭାଗ ବୁଝାମଣାର କୌଣସି ଲିଖିତ ପ୍ରମାଣ ମଧ୍ୟ ନାହିଁ। ପାଖରେ ଚରୁଥିବା ତାଙ୍କର ଛଅଟି ଛେଳିଙ୍କ ଉପରେ ନଜର ରଖିବା ସମୟରେ ସେ ଏହା ମୋତେ କହିଥିଲେ।
ଏହି ଧାର୍ ଅର୍ଥ ବିହନ ଓ ସାର କିଣିବା ପାଇଁ ଏବଂ ଜମି ହଳ କରିବାକୁ ଟ୍ରାକ୍ଟରକୁ ଦେବା ପାଇଁ ବ୍ୟବହାର କରାଯାଏ। ଯେତେବେଳେ ମୁଁ ସେପ୍ଟେମ୍ବର ୨୦୨୧ରେ ରାଜଭରଙ୍କୁ ବାଲିଆ ଜିଲ୍ଲାର ଦୁଭର ବ୍ଲକ୍ରେ ଥିବା ତାଙ୍କ ଗାଁରେ ଭେଟିଥିଲି ସେତେବେଳେ ସେ ତାଙ୍କ ଧାନ ଫସଲ ଅମଳ କରିବା ପାଇଁ ପ୍ରସ୍ତୁତ ହେଉଥିଲେ। ସେ କହିଲେ, ‘‘ମୋର ଏହି ବର୍ଷର ସମୁଦାୟ ଆୟ ଏବଂ ସଞ୍ଚୟ ଋଣ ପରିଶୋଧ କରିବା ଏବଂ ଆଠ ହଜାର ଟଙ୍କା ଲଗାନ୍ ଦେବାରେ ଖର୍ଚ୍ଚ ହୋଇଯାଇଛି।’’ ରାଜଭର ଉତ୍ତର ପ୍ରଦେଶରେ ଅନୁସୂଚିତ ଜାତି ଭାବରେ ତାଲିକାଭୁକ୍ତ ହୋଇଥିବା ରାଜଭର ସମୂହର ସଦସ୍ୟ।

ଫଟୋ: ଆର୍ଯ୍ୟନ ପାଣ୍ଡେ
ୟୁପିର ସମ୍ପୂର୍ଣ୍ଣ ପୂର୍ବ ଭାଗରେ ଥିବା ବାଲିଆ ଅଞ୍ଚଳ ପଡ଼ୋଶୀ ରାଜ୍ୟ ବିହାରଠାରୁ ଗଙ୍ଗାନଦୀ ଦ୍ୱାରା ବିଚ୍ଛିନ୍ନ ହୋଇଛି। କୃଷି ହେଉଛି ମୁଖ୍ୟ ଜୀବିକା ଏବଂ ଏହି ଜିଲ୍ଲାର ୩୮ ପ୍ରତିଶତ ବାସିନ୍ଦା ଏହା କରନ୍ତି ଏବଂ ରାଜଭରଙ୍କ ପରି ଅନେକଙ୍କର ଜମି ନାହିଁ। ସେ କହିବା ଅନୁଯାୟୀ, ‘‘ଆମେ ବର୍ଷ ସାରା କ୍ଷେତରେ କାମ କରୁ, କିନ୍ତୁ ଆମକୁ କୃଷକ ଭାବରେ ବିବେଚନା କରାଯାଏ ନାହିଁ କାରଣ ସେହି ଜମି ଆମର ନୁହେଁ।’’
ଜମି ନଥିବା ଏବଂ କୌଣସି ଆଇନଗତ ଚୁକ୍ତିନାମା ନଥିବାର ଅନେକ ପ୍ରଭାବ ରହିଛି – ସେ ଜଣେ କୃଷକ ଭାବରେ ସ୍ୱୀକୃତ ହେଉନଥିବାରୁ ମଣ୍ଡିରେ ବିକ୍ରି କରିପାରିବେ ନାହିଁ। ‘‘ଆମକୁ ସହରରେ ଥିବା ଦୋକାନୀକୁ ଏହା ମଣ୍ଡିଠାରୁ ଅଧା ଦାମ୍ରେ ଏବଂ ଏପରିକି ବେଳେ ବେଳେ ଅଧାଠାରୁ ଆହୁରି କମ୍ ଦାମ୍ରେ ବିକ୍ରି କରିବାକୁ ହୋଇଥାଏ, ବେଳେ ବେଳେ ଆହୁରି କମ୍ରେ ନଚେତ୍ ଫସଲ ସଢ଼ିବା ଆରମ୍ଭ ହୋଇଯିବ।’’ ବାଲିଆରେ ମଣ୍ଡିରେ ଏହାର ପ୍ରାୟ ଦୁଇ ଗୁଣ, କ୍ୱିଣ୍ଟାଲ୍ ପିଛା ଟ. ୧୯୪୦, କିନ୍ତୁ ସେ ଏହି ସୁଯୋଗ ପାଇପାରିବେ ନାହିଁ।
‘‘ମୁଁ ମାସରେ ପ୍ରାୟ ୧୫-୨୦ ଦିନ ନିର୍ମାଣ ହେଉଥିବା ସ୍ଥାନରେ କାମ ପାଏ ଏବଂ ଦିନକୁ ୩୦୦-୩୫୦ ଟଙ୍କା ପାଇଥାଏ। ମୁଁ ମୋର ସାରା ଜୀବନ ଜମିରେ ଏବଂ ନିର୍ମାଣ କ୍ଷେତ୍ରରେ ଶ୍ରମିକ ଭାବରେ କାମ କରିବାରେ ବିତାଇଛି ଏବଂ ଏବେ ମୋର ଦୁଇ ପୁଅ ମଧ୍ୟ ତାହା କରୁଛନ୍ତି’’ ବୋଲି ତୁଫାନି ରାଜଭର କହିଥିଲେ।
ଆଖର ଗ୍ରାମରେ ରାମଚନ୍ଦର ଯାଦବ ମଧ୍ୟ ବିଘା ପିଛା ଟ. ୭,୦୦୦ ଲଗାନରେ ଚାରି ବିଘା ଜମି ନେଇଛନ୍ତି। ସେ ଉଭୟ ଅଦିନିଆ ବର୍ଷା ଏବଂ ବୁଲା ନୀଳ ଗାଈଙ୍କୁ ଭୟ କରୁଛନ୍ତି ଯେଉଁମାନେ ଆଖି ପିଛୁଳାକେ ଗୋଟିଏ ଫସଲ ନଷ୍ଟ କରିଦେଇପାରନ୍ତି। ୬୦ ବର୍ଷ ବୟସ୍କ ଯାଦବ କହିଥିଲେ, ‘‘ଗତ ୮-୧୦ ବର୍ଷ ଧରି ବର୍ଷାର କୌଣସି ନିର୍ଦ୍ଦିଷ୍ଟ ଶୈଳୀ ନାହିଁ। ଶୀତ ଋତୁରେ ମଧ୍ୟ ବେଳେ ବେଳେ ଭୀଷଣ ବର୍ଷା ହେଉଛି। ବର୍ଷା କେତେ ହେବ ତାହାର ମଧ୍ୟ କୌଣସି ପୂର୍ବାନୁମାନ ନାହିଁ। ଧାନ ଫସଲ ବଢ଼ିବା ଅବସ୍ଥାରେ ବର୍ଷା ଲାଭଦାୟକ ହୋଇଥାଏ, କିନ୍ତୁ ଯଦି ଫସଲ ଅମଳ ପାଇଁ ପ୍ରସ୍ତୁତ ହୋଇଯିବା ସମୟରେ ବର୍ଷା ହୁଏ ତେବେ ଏହା ଫସଲକୁ ନଷ୍ଟ କରିଦିଏ। ଏପରିକି ମାଟି ମଧ୍ୟ ପାଣି ଟାଣେ ନାହିଁ କାରଣ ଏହା ସେତେବେଳ ସୁଦ୍ଧା ଯଥେଷ୍ଟ ପାଣି ଟାଣି ସାରିଥାଏ।’’ ଏଥିସହିତ ସେ କେମିତି ବେଳେ ବେଳେ ଶୀତ ଦିନେ ମଧ୍ୟ ଭୀଷଣ ବର୍ଷା ହେଉଛି ଏବଂ ଏହି ଅଞ୍ଚଳରେ ବୃଷ୍ଟିପାତ ସମ୍ପର୍କରେ ପୂର୍ବାନୁମାନ କରି ହେଉନାହିଁ ତାହା କହିଥିଲେ।


ଯାଦବ କହିଥିଲେ ସେ ଚାରି ବିଘା ବା ପ୍ରାୟ ଦୁଇ ଏକର ଜମି ଚାଷ କରିବା ପାଇଁ ଟ. ୧୦,୦୦୦ ଖର୍ଚ୍ଚ କରିଥିଲେ। ସେ ଏଥିପାଇଁ ଗୋଟିଏ ଟ୍ରାକ୍ଟର ଏବଂ ଏହାର ଡ୍ରାଇଭରଙ୍କୁ ଭଡ଼ାରେ ଆଣିଥିଲେ। ସେ ବୁଝାଇଥିଲେ, ‘‘ମୁଁ ବୁଣିବା ପାଇଁ ୩,୦୦୦ ଟଙ୍କା ଖର୍ଚ୍ଚ କରିଥିଲି ଏବଂ ଶ୍ରମିକମାନେ ଏହାକୁ ଅମଳ କରି ଅଖାରେ ଭର୍ତ୍ତି କରିଥିଲେ। ଏହା ବଦଳରେ ଆମେ ସେମାନଙ୍କୁ [ଶ୍ରମିକମାନଙ୍କୁ] ସେମାନେ ଅମଳ କରିଥିବା ଫସଲର ଏକ ତୃତୀୟାଂଶ ଦେଇଥାଉ।’’
ବିହନ ବୁଣିବା କାମ ପ୍ରାୟତଃ ଟ୍ରାକ୍ଟର ଦ୍ୱାରା କରାଯାଏ – ଏହା ଏକ କାରଣ ଯାହା କୃଷକମାନଙ୍କର ବ୍ୟୟ ବଢ଼ାଇଥାଏ। ରାମଚନ୍ଦର କହନ୍ତି, ‘‘ଦୁଇ ବର୍ଷ ପୂର୍ବେ, ଗୋଟିଏ ବିଘାରେ ଧାନ ବୁଣିବା ପାଇଁ ମୁଁ ପ୍ରାୟ ୫୦୦ ଟଙ୍କା ଦେଉଥିଲି। ବର୍ତ୍ତମାନ ପ୍ରତ୍ୟେକ ବିଘା ପାଇଁ ମୁଁ ୭୦୦ ଟଙ୍କା ଦେଉଛି।’’ ତାଙ୍କର ଗୋଟିଏ ଫସଲ ପିଛା ବିହନ ବୁଣିବା ଖର୍ଚ୍ଚ ହେଉଛି ଟ. ୨,୮୦୦ ଏବଂ ସେ କହନ୍ତି ଇନ୍ଧନ ଦର ବଢ଼ିବା ସହ ଏ ଖର୍ଚ୍ଚ ଆହୁରି ବଢ଼ିବ।
ନିଅଣ୍ଟିଆ ଏବଂ ଅନିୟମିତ ବର୍ଷା ବର୍ତ୍ତମାନ ସୁଦ୍ଧା କଷ୍ଟକର ପରିସ୍ଥିତିରେ ଥିବା କୃଷକମାନଙ୍କ କଷ୍ଟକୁ ଆହୁରି ବଢ଼ାଇଦିଏ। ରାମଚନ୍ଦର କହିଥିଲେ, ‘‘ଅଧିକାଂଶ ସମୟରେ ଅତ୍ୟଧିକ ବର୍ଷା ହେତୁ ଆମ ଜମିରେ ପାଣି ଜମିଯାଏ। ଫସଲ ସଢ଼ି ନ ଯିବା ପାଇଁ ଆମେ ଜମିର ପାଣି ଜମିଥିବା ଅଂଶରୁ ଜଲ୍ଦି ଅମଳ କରିବାକୁ ହୋଇଥାଏ।’’


ବୁଲା ଗାଈଗୋରୁ ଏବଂ ନୀଳ ଗାଈ ଏହି ଅଞ୍ଚଳର କୃଷକମାନଙ୍କ ପାଇଁ ଖୁବ୍ ବଡ଼ ବିପଦ। ଫସଲ ଅମଳକ୍ଷମ ହେବାକୁ ଆରମ୍ଭ କରିବା ପରେ କୃଷକମାନେ ଅମଳ ହେବା ପର୍ଯ୍ୟନ୍ତ ସେମାନଙ୍କ ଜମିକୁ ଜଗନ୍ତି; କେତେ ଜଣ ସାହାଯ୍ୟ ପାଇଁ ଶ୍ରମିକ ମଧ୍ୟ ନିୟୋଜିତ କରନ୍ତି।
ରାମଚନ୍ଦରଙ୍କ ପରି ଭାଗ ଚାଷୀମାନଙ୍କୁ ଏହା ଅସନ୍ତୁଷ୍ଟ କରେ ଯେ ସେମାନେ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନା ଅଧିନରେ ବର୍ଷକୁ ତିନି ଥର ଟ. ୨,୦୦୦ ପାଇବା ପାଇଁ ଯୋଗ୍ୟ ନୁହଁନ୍ତି। ସେ ଦର୍ଶାନ୍ତି, ‘‘ଏହି ଅର୍ଥ ଜମି ମାଲିକଙ୍କ ନିକଟକୁ ଯାଏ। କିନ୍ତୁ ଯଦି ଜମିରେ ପାଣି ପଶିଯାଏ ଏବଂ ଫସଲ ନଷ୍ଟ ହୋଇଯାଏ ତେବେ ଆମେ ବରବାଦ୍ ହୋଇଯାଉ, ଜମି ମାଲିକମାନେ ନୁହଁନ୍ତି [ଯେ କି ଜମି ଭାଗ ଦେଇ ଲାଭ ପାଆନ୍ତି]।’’
କୃଷକମାନେ ସେମାନଙ୍କ ପରିବାର ବର୍ଷକ ଖାଇବା ପାଇଁ ଆବଶ୍ୟକ ହେଉଥିବା ଯଥେଷ୍ଟ ଧାନ ରଖନ୍ତି ଏବଂ ଅବଶିଷ୍ଟ ବିକ୍ରି କରିଦିଅନ୍ତି। ଅକ୍ଟୋବର ମାସରେ ଆମ ସହ କଥାବାର୍ତ୍ତା କଲା ବେଳେ ରାମଚନ୍ଦର ଯାଦବ କହିଥିଲେ, ‘‘ମୁଁ ଗୋଟିଏ ମାସ ମଧ୍ୟରେ ପ୍ରାୟ ୩୦ କ୍ୱିଣ୍ଟାଲ୍ ଧାନ [ଧାନ] ଅମଳ କରିବି ଏବଂ ମୋ ପରିବାର ଖାଇବା ପାଇଁ ମୁଁ ସେ ମଧ୍ୟରୁ ୧୫ କ୍ୱିଣ୍ଟାଲ୍ ରଖିବି। ଏହି ଧାନ ପ୍ରାୟ ଟ. ୧,୦୦୦ରୁ ୧,୨୦୦ ମଧ୍ୟରେ ବିକ୍ରି ହେବ, ଯାହା ଯାଦବଙ୍କୁ ପ୍ରାୟ ଟ. ୧୬ରୁ ୧୭,୦୦୦ ଟଙ୍କା ଦେବ – ଖର୍ଚ୍ଚ କାଟିଦେବା ପୂର୍ବରୁ।’’ ‘‘ଗୋଟିଏ ଫସଲ ପାଇଁ ସମୁଦାୟ ଜମି ଠିକ୍ ଭାବରେ ଚାଷ କରିବାକୁ ପ୍ରାୟ ଦଶ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ।’’
ଏହି ଲଗାନ୍ ବ୍ୟବସ୍ଥାରୁ ଏହିପରି ସ୍ୱଳ୍ପ ରୋଜଗାର ଯୋଗୁଁ, ଏହି ଦୁଇ ଜଣ ବ୍ୟକ୍ତି ଗୁଜୁରାଣ ମେଣ୍ଟାଇବା ପାଇଁ ନିର୍ମାଣ ସ୍ଥଳରେ ଦୈନିକ ମଜୁରୀରେ କାମ କରିବା ଆବଶ୍ୟକ ବୋଲି କହିଥିଲେ। ‘‘ଆମର ସମସ୍ୟା ଏହି ମହାମାରୀ କାରଣରୁ ଆହୁରି କଦର୍ଯ୍ୟ ହୋଇଯାଇଛି। କୋଭିଡ୍ ପୂର୍ବରୁ ମୁଁ ପ୍ରାୟତଃ ୧୫-୨୦ ଦିନ ଶ୍ରମିକ ଭାବରେ କାମ ପାଉଥିଲି କିନ୍ତୁ ବର୍ତ୍ତମାନ ଆମେ ପ୍ରାୟତଃ କୌଣସି କାମ ପାଉନାହୁଁ।’’ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମ୍ଜିକେଏୱାଇ) ଅଧିନରେ ପ୍ରଦାନ କରାଯାଉଥିବା ମାସିକ ରାସନ – ୨୦ କେଜି ଗହମ ଏବଂ ୧୫ କେଜି ଚାଉଳ ତାଙ୍କ ଚାରି ଜଣିଆ ପରିବାର – ତାଙ୍କ ପତ୍ନୀ ଏବଂ ଦୁଇ ସନ୍ତାନ, ପାଇଁ ଖାଦ୍ୟ ଯୋଗାଉଛି।



ମହିଳା କୃଷି ଶ୍ରମିକମାନଙ୍କର ପରିସ୍ଥିତି ଖୁବ୍ କଦର୍ଯ୍ୟ। ମହିଳା ଶ୍ରମିକମାନେ ସମସ୍ତ ବଛାବଛି ଏବଂ ମାଟି ବାଛିବା, ଧାନ ରୋଇବା, ଅମଳ କରିବା, ଅମଳ ହୋଇଥିବା ଫସଲକୁ ପରିଷ୍କାର କରି ପ୍ୟାକିଙ୍ଗ୍ କରିବା ଆଦି କରନ୍ତି ଏବଂ ଟ. ୧୦୦-୧୨୦ ପାଆନ୍ତି, ଯାହାକି ଉତ୍ତର ପ୍ରଦେଶରେ ଉଭୟ ମହିଳା ଏବଂ ପୁରୁଷଙ୍କ ନିମନ୍ତେ ମନରେଗା ମଜୁରୀ ଦର ଦୈନିକ ଟ. ୨୦୧ର ଅଧା।
୩୫ ବର୍ଷ ବୟସ୍କା ଉଷା ଦେବୀ କହିଥିଲେ, ‘‘କୋଭିଡ୍-୧୯ ପରଠାରୁ, ଆମେ ମାସରେ ଅଧା ଦିନ ବି କାମ ପାଉନୁ, ଏବଂ ଆମ ସମସ୍ତଙ୍କ ପାଖରେ ଅର୍ଥ ନାହିଁ କେବଳ ଘରେ ରହୁଛୁ। ସେ ଜଣେ କୃଷି ଶ୍ରମିକ ଏବଂ ତାଙ୍କର ପାଞ୍ଚଟି ଝିଅ ଅଛନ୍ତି। ସବୁଠାରୁ ବଡ଼ ଝିଅ ରାଣୀ ବିନ୍ଦଙ୍କର ବୟସ ୧୩ ବର୍ଷ। ତାଙ୍କର ସ୍ୱାମୀ ଜଣେ ନିର୍ମାଣ ଶ୍ରମିକ ଏବଂ ସେ ମଧ୍ୟ କାମ ପାଇବା ପାଇଁ ସଂଘର୍ଷ କରୁଛନ୍ତି।’’ ସେ କହିଥିଲେ, ‘‘କୋଭିଡ୍ ଯୋଗୁଁ ଆମେ କୌଣସି କାମ ପାଉନଥିଲୁ ଏବଂ କଷ୍ଟେମଷ୍ଟେ ବଞ୍ଚିଥିଲୁ। ସ୍କୁଲ୍ଗୁଡ଼ିକ ମଧ୍ୟ ବନ୍ଦ ହୋଇଯାଇଥିଲା ତେଣୁ ମୋ ଝିଅମାନେ ମଧ୍ୟ ମଧ୍ୟାହ୍ନ ଭୋଜନ ଖାଇବାରୁ ବଞ୍ଚିତ ହେଉଥିଲେ।’’
ବୟସର ଚାରି ଦଶକରେ ଥିବା କୃଷି ଶ୍ରମିକ ପାର୍ବତୀ ଦେବୀ ବିଶ୍ୱାସ କରନ୍ତି ଯେ ଯେହେତୁ ନିଯୁକ୍ତିଦାତାମାନେ ସମସ୍ତେ ପୁରୁଷ ସେମାନେ ପୁରୁଷମାନଙ୍କୁ ଅଧିକ ମଜୁରୀ ଦିଅନ୍ତି। ସେ କହନ୍ତି, ‘‘କେହି ମହିଳାମାନଙ୍କ କାମକୁ କୌଣସି ମୂଲ୍ୟ ଦିଅନ୍ତି ନାହିଁ।’’ ପାର୍ବତୀ ତାଙ୍କ ଘରଠାରୁ ଦୁଇ କିଲୋମିଟର ଦୂରରେ ଥିବା ଏକ ଜମିକୁ ଧାନ ଅମଳ କରିବାକୁ ଯାଉଥିଲେ। ସେ କହନ୍ତି ସେ ଯେତିକି ଅମଳ ଏବଂ ପରିଷ୍କାର କରିବେ ତାହାର ଏକ ଚତୁର୍ଥାାଂଶ ତାଙ୍କୁ ମିଳିବ।


୮୧ ବର୍ଷ ବୟସ୍କ ମନାୟୀ ପାସୱାନ କହନ୍ତି, ‘‘ମୋ ବାପା ଜଣେ କୃଷି ଶ୍ରମିକ ଥିଲେ, ମୁଁ ଜଣେ କୃଷି ଶ୍ରମିକ ଏବଂ ମୋ ସନ୍ତାନମାନେ ମଧ୍ୟ ଶ୍ରମିକ।’’ ସେ ଆଖର ଗାଁରେ ଗୋଟିଏ ଇଟା ଏବଂ ମାଟି ତିଆରି ଘରେ ତାଙ୍କର ପାଞ୍ଚଟି ଛେଳି ସହ ରହନ୍ତି, ଯେଉଁମାନଙ୍କୁ ସେ ଦିନରେ ଦୁଇ ଥର ଚରାଇବାକୁ ନିଅନ୍ତି। ଭୂମିହୀନ କୃଷକ ହୋଇଥିବା ପାସୱାନ ଗୋଟିଏ ବିଘା ଜମି ଭାଗ ନେଇଥିଲେ ଯେଉଁଥିପାଇଁ ତାଙ୍କୁ ଲଗାନ ଭାବରେ ଟ. ୭,୦୦୦ ପୈଠ କରିବାକୁ ହୋଇଥିଲା। ସେ କହିଥିଲେ, ‘‘ମୋର ଚାରୋଟି ପୁଅ ଅଛନ୍ତି ଏବଂ ସମସ୍ତେ ଦିନ ମଜୁରୀରେ ଶ୍ରମିକ ଭାବରେ କାମ କରୁଛନ୍ତି।’’
ଏପରିକି ଯେଉଁମାନଙ୍କର ନିଜର ଜମି ଅଛି, ସେମାନେ ମଧ୍ୟ ବାଲିଆରେ ଭଲ ଅବସ୍ଥାରେ ନାହାଁନ୍ତି। ପ୍ରାୟ ଅଧ ଏକର ଜମି ଥିବା ୫୯ ବର୍ଷ ବୟସ୍କ ରାମଶଙ୍କର ମିଶ୍ର କହିଥିଲେ, ‘‘ଜଣେ କୃଷକ ହେବାରେ ଆପଣଙ୍କ ପେଟ ପୂରିବନି। ଯଦି ଆପଣ ଗୋଟିଏ ସହରରେ ଶ୍ରମିକ ଭାବରେ କାମ କରନ୍ତି ତେବେ କାମ ଶେଷରେ ନଗଦ ଅର୍ଥ ମଜୁରୀ ଭାବରେ ପାଆନ୍ତି। କିନ୍ତୁ ଏଠାରେ [ଜଣେ କୃଷକ ଭାବରେ], ଆମେ କେବଳ ଆମ ପରିବାର ପାଇଁ ଖାଦ୍ୟ ଯୋଗାଡ଼ କରିପାରୁ।’’ ରାମଶଙ୍କରଙ୍କର ଛଅ ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି। ତାଙ୍କର ଚାରି ଝିଅ ବିବାହ କରିସାରିଛନ୍ତି ଏବଂ ତାଙ୍କର ଆଶା ଅଛି ତାଙ୍କ ପୁଅ ଗୋଟିଏ ବଡ଼ ସହରରେ ଚାକିରି ପାଇବ।
ସେ କହନ୍ତି, ‘‘[ସହରରେ] ଗୋଟିଏ ଚାକିରି ଦ୍ୱାରା ଆପଣ କିଛି ଆୟ କରିପାରିବେ। ଲୋକମାନେ ଚାଷ ଛାଡ଼ି ଦେଉଛନ୍ତି କାରଣ ଅତ୍ୟଧିକ ଶାରୀରିକ ଶ୍ରମ ଆବଶ୍ୟକ କରୁଥିବା ଏହି କାମରୁ କୌଣସି ଅର୍ଥ ମିଳୁନି।’’
ପରୀ ମୂଳ ପୃଷ୍ଠାକୁ ଯିବା ପାଇଁ, ଏଠାରେ କ୍ଲିକ୍ କରନ୍ତୁ।
Editor's note
ଆର୍ଯ୍ୟାନ ପାଣ୍ଡେ ହେଉଛନ୍ତି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ହିନ୍ଦୁ କଲେଜର ଇଂରାଜୀ ସମ୍ମାନର ଦ୍ୱିତୀୟ ବର୍ଷର ଛାତ୍ର। ସେ ସଂସ୍ଥାପକ ସମ୍ପାଦକ ପି. ସାଇନାଥଙ୍କ ବକ୍ତବ୍ୟ ଜରିଆରେ ପରୀ ସମ୍ପର୍କରେ ଜାଣିବାକୁ ପାଇଥିଲେ। ଆର୍ଯ୍ୟନ କହନ୍ତି, ‘‘ମୁଁ ଆମ ଦେଶର ଭୂମିହୀନ କୃଷି ଶ୍ରମିକମାନଙ୍କ ଅବସ୍ଥା ବିଷୟରେ ସଚେତନ କରାଇବା ପାଇଁ ଏହି ଲେଖା ପ୍ରସ୍ତୁତ କରିବାକୁ ଚାହୁଁଥିଲି। ପରୀ ଏଜୁକେସନ୍ ପାଇଁ ସମ୍ବାଦ ସଂଗ୍ରହ କରିବା ମୋତେ ହୃଦୟଙ୍ଗମ କରାଇଥିଲା ଆମ ବ୍ୟବସ୍ଥା କେତେ ଜଟିଳ ଏବଂ ଗ୍ରାମୀଣ ଭାରତ ପାଇଁ ସାମ୍ବାଦିକତା କହିଲେ ପ୍ରକୃତରେ କ’ଣ ବୁଝାଯାଏ।’’
ଅନୁବାଦ: ଓଡ଼ିଶାଲାଇଭ୍
ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।