
ଫାରୁକ ମଣ୍ଡଳ ଗୋଟିଏ ଫୁଲକୋବି ଗଛକୁ ଦେଖାଇ କହିଲେ, “ମୁଁ ଗୋଟିଏ କୋବି ପିଛା ଦୁଇଟଙ୍କା ରୋଜଗାର କରେ।ମୁଁ ଗୋଟିଏ ଗଛ ବଢାଇବା ପାଇଁ ଦୁଇଟଙ୍କା ବିନିଯୋଗ କରିଛି। ମୂଲ୍ୟ କ’ଣ?” ମଥୁରପୁର ଗାଁର ୪୭ ବର୍ଷୀୟ ଦିବ୍ୟାଙ୍ଗ କୃଷକ କୁହନ୍ତି, ପଶ୍ଚିମବଙ୍ଗର ଉତ୍ତର ୨୪ପ୍ରଗଣା ଜିଲ୍ଲାରେ ~ ସେ ନିଜର ଚାରି ବିଘା ଜମି(ଏକ ବିଘା ୦.୩୩ ଏକର) ସହିତ ଅନ୍ୟ ୧.୫ ବିଘା ଲିଜ୍ ଜମିରେ ଆଳୁ, ସୋରିଷ, ଧାନ, ବାଇଗଣ, ଗାଜର ଓ ବିଟ୍ ଚାଷ କରନ୍ତି।

ସେ କୁହନ୍ତି ସୋରିଷର ମୂଲ୍ୟ ମଧ୍ୟ ସେହିପରି। ଏକ କିଲୋଗ୍ରାମ ସୋରିଷ ମୂଲ୍ୟ ପାଖାପାଖି ୫୦ଟଙ୍କା ଓ ଏକ ବିଘା ଜମିରୁ ୨.୫ କ୍ୱିଣ୍ଟାଲ (୨୫୦କି.ଗ୍ରା.) ସୋରିଷ ଅମଳ ହୁଏ। ଫାରୁକ କୁହନ୍ତି ସେ ପ୍ରାୟ ୩,୦୦୦ହଜାର ଟଙ୍କା ସାର ଓ କୀଟନାଶକ ବାବଦରେ ଖର୍ଚ୍ଚ କରନ୍ତି ଏବଂ ସେ ଏହାର ଦୁଇଗୁଣ ରୋଜଗାର କରିପାରିବେ ଯଦି ପୂର୍ବବର୍ଷ ପରି କିଲୋଗ୍ରାମ ପ୍ରତି ମୂଲ୍ୟ ୪୫ଟଙ୍କା ପାଖାପାଖି ରୁହେ।
ଫାରୁକ କୁହନ୍ତି କୃଷିରୁ ତାଙ୍କ ପରିବାରର ବାର୍ଷିକ ରୋଜଗାର ହେଉଛି ପ୍ରାୟ ୩୦,୦୦୦ଟଙ୍କା, ଯାହାକି ତାଙ୍କର ଚାରିଜଣିଆ ପରିବାର ଚଳାଇବା ପାଇଁ ଯଥେଷ୍ଟ ନୁହେଁ। ତାଙ୍କର ଦୁଇ ପୁଅ ୮ଓ ୧୧ ଶ୍ରେଣୀରେ ସ୍କୁଲ ଛାଡିଲେ ଏବଂ ଜଣେ ଗ୍ୟାରେଜରେ ଓ ଆଉ ଜଣେ କଂସେଇଖାନାରେ ଯଥାକ୍ରମେ କାମ ପାଇଗଲେ ଓ ପ୍ରତ୍ୟେକ ବର୍ତ୍ତମାନ ମାସକୁ ୪୦୦୦ ଟଙ୍କା ଲେଖାଏଁ ଘରକୁ ଦେଉଛନ୍ତି।
‘‘ଆମେ ଯେତେବେଳେ ପ୍ରକ୍ରିୟା(ଗଛ ଲଗାଇବାର) ଆରମ୍ଭ କରୁ, ସାର ଓ ଅନ୍ୟାନ୍ୟ ଦରକାରୀ ବସ୍ତୁର ମୂଲ୍ୟ ଉଚ୍ଚ ଥାଏ, କିନ୍ତୁ ଆମେମାନେ ଯେତେବେଳେ ଫସଲ ବିକ୍ରୀ କରିବା ପାଇଁ ଯାଉ, ସେତେବେଳେ ସଠିକ୍ ମୂଲ୍ୟ ନଥାଏ। ତାଙ୍କର ସ୍ତ୍ରୀ ଯିଏକି ନିଜର ନାମ ପ୍ରକାଶ କରିବାକୁ ମନା କଲେ, କୁହନ୍ତି ଚାଷ କରିବାର କୌଣସି ମୂଲ୍ୟ ନାହିଁ।’’
ପଡୋଶୀ ଗାଁ ଜିଓଲଡଙ୍ଗାରେ ପ୍ରଦୀପ କୁମାର ଦାସ ଲୋକମାନଙ୍କୁ ବୁଝାନ୍ତି କ’ଣ ପାଇଁ ସେ ନୂତନ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକମାନଙ୍କୁ ସମର୍ଥନ କରୁଛନ୍ତି: “କେବେ ଓ କେଉଁ ମୂଲ୍ୟରେ ଉତ୍ପାଦିତ ଫସଲକୁ ସ୍ଥାନୀୟ ବଜାରରେ ବିକ୍ରି କରିବୁ[ନାଶଶୀଳ] ତାହାର କୌଣସି ଅନ୍ୟ ପନ୍ଥା ଆମ ପାଖରେ ନାହିଁ।” ପ୍ରଦୀପ କୁମାର ନିଜର ୩.୫ ବିଘା ଜମି ଯାହାକି ପ୍ରାୟ ଏକ ଏକର ହେବ ସେଥିରେ ସେ ବାଇଗଣ, ବିନ, ପାଳଙ୍ଗ ଏବଂ ବିଭିନ୍ନ ପ୍ରକାର ଲାଉ ଚାଷ କରନ୍ତି।
ମୁଁ ଚାହେଁ ନାହିଁ ବାଇଗଣର କିଲୋ ପ୍ରତି ମୂଲ୍ୟ ୫୦ଟଙ୍କା କିମ୍ବା ୧୦୦ଟଙ୍କା [ଏକ ଦିନ] ହେଉ ଏବଂ କିଲୋପ୍ରତି ପାଞ୍ଚଟଙ୍କା[ପରଦିନ]କୁ ମୂଲ୍ୟ ଖସିଯାଉ। ମୁଁ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସ୍ଥିରୀକୃତ ମୂଲ୍ୟ ଚାହେଁ। ବର୍ତ୍ତମାନ ବାଇଗଣର କିଲୋପ୍ରତି ମୂଲ୍ୟ ୧୫ ଟଙ୍କା ଅଛି। ଯଦି ଆମେ କୌଣସି କମ୍ପାନି ସହିତ ଚୁକ୍ତି କରୁଛୁ, ସେମାନେ ଯେଉଁ ମୂଲ୍ୟ ଧାର୍ଯ୍ୟ କରିବେ[କମ୍]ସେହି ମୂଲ୍ୟରେ ଆମକୁ ବିକ୍ରି କରିବାକୁ ପଡିବ। ଉତ୍ତର ୨୪ ପ୍ରଗଣା ଜିଲ୍ଲାର ହାବ୍ରା ବ୍ଲକ୍ର ୩୦ ବର୍ଷୀୟ ପରିବା ଚାଷୀ କୁହନ୍ତି,”ଯଦି କୌଣସି ସର୍ବନିମ୍ନ ସ୍ଥିରୀକୃତ ମୂଲ୍ୟ ନ ରୁହେ ତେବେ ଆମେମାନେ ସଂକଟରେ ପଡିବୁ”


ତାଙ୍କର ପଡୋଶୀ ୫୦ ବର୍ଷୀୟା ସୁକୁମାର ଦାସ, ନିଜର ୧.୫ ବିଘା ଜମିରେ ବାଇଗଣ, କୋବି ଏବଂ ଲାଉ ଚାଷ କରନ୍ତି। ସେ ତାଙ୍କ ଫସଲକୁ ବିକିବା ପାଇଁ ନିକଟରେ ଥିବା ହାବ୍ରା ସୁପରମାର୍କେଟ କିମ୍ବା ଗୁମା, ବୋଦୋର ଏବଂ ବିରାରେ ଥିବା ଅନ୍ୟ ସୁପର ମାର୍କେଟକୁ ଯାଆନ୍ତି। ସେ କୁହନ୍ତି, “ଆଜି ମୁଁ ମୋର ସମସ୍ତ କୋବି ଏକ ଟଙ୍କା ପ୍ରତି ମୂଲ୍ୟରେ ବିକ୍ରି କଲି, ବାଇଗଣ କିଲୋ ପିଛା ୧୪ଟଙ୍କା ଓ ଭେଣ୍ଡି କିଲୋ ପିଛା ୨୦ଟଙ୍କାରେ ବିକ୍ରି କଲି। ସେ ପୁଣି କହିଲେ,”ଅମେ କ୍ଷତି ସହୁଛୁ, ମୁଁ କେବଳ ଚାଷକରିବା ଜାଣେ। ଯଦି ତୁମେମାନେ ମଧ୍ୟସ୍ଥିମାନଙ୍କୁ ଆଣିବ ତେବେ, ମୋର ରୋଜଗାର ଆହୁରି କମିଯିବ।”
ପଶ୍ଚିମବଙ୍ଗରେ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ୍କୁ ବିରୋଧ ସହ ରାଜ୍ୟ ସରକାରଙ୍କୁ ଧାନର ନ୍ୟୁନତମ ସହାୟକ ମୂଲ୍ୟ(ଏମଏସପି) କୁ ନିର୍ଣ୍ଣାୟକ ମୂଲ୍ୟ ରୂପେ ସ୍ଥିର କରିବା ପାଇଁ ଦାବି ଜଣାଇଲେ। ପ୍ରଦୀପ କୁମାର ସୂଚିତ କଲେ ଯେ ପଶ୍ଚିମବଙ୍ଗରେ ଖୋଲା ବଜାରରେ ଧାନର ମୂଲ୍ୟ ହେଉଛି ୯୫୦ଟଙ୍କା ଯାହାକି ଏମଏସପି ମୂଲ୍ୟ ୧୮୬୮ଟଙ୍କାର ପ୍ରାୟ ଅଧା। ବହୁତ କ୍ଷୁଦ୍ରଚାଷୀମାନଙ୍କୁ ମଣ୍ଡି ରୁ ଫେରାଇ ଦିଆଗଲା।
ରାଜ୍ୟରେ ଥିବା କୃଷକ ସଂଗଠନଗୁଡିକ, ଯଥା ଅଲ୍ ଇଣ୍ଡିଆ କ୍ରନ୍ତିକାରୀ କୃଷକ ସଭା (ଏଆଇକେକେଏସ) ସମସ୍ତ ପଞ୍ଚାୟତରେ ବିକ୍ରୟ କେନ୍ଦ୍ର ଖୋଲିବା ପାଇଁ ଦାବି କରୁଛନ୍ତି ଯାହାଦ୍ୱାରା କୃଷକମାନଙ୍କୁ ନିଜର ଉତ୍ପାଦିତ ଦ୍ରବ୍ୟକୁ ବିକ୍ରି କରିବାପାଇଁ ପାଞ୍ଚରୁ ଦଶ କିଲୋମିଟର ଠାରୁ ଅଧିକା ବାଟ ଯିବାକୁ ପଡିବ ନାହିଁ।
ଫାରୁକ କୁହନ୍ତି, “ମୁଁ ମଣ୍ଡିକୁ ଯାଇପାରିବି ନାହିଁ ଯେହେତୁ ଏହା ମୋର କ୍ଷେତ ନୁହେଁ ଏବଂ ମୋ ପାଖରେ ମଣ୍ଡିରେ ବିକ୍ରି କରିବାପାଇଁ ଆବଶ୍ୟକ ଦଲିଲ ନାହିଁ। ମୁଁ ମୋର ଚାଉଳ ସ୍ଥାନୀୟ ବଜାରେ ବିକ୍ରି କରିବି।” ମୁଁ ଟେଲିଭିଜନରେ ସାରା ଭାରତରେ ସଂଗଠିତ ହେଉଥିବା କୃଷକ ଆନ୍ଦୋଳନକୁ ଦେଖିଛି। ମୁଁ ଏହି ଅନ୍ଦୋଳନକୁ ସମର୍ଥନ କରୁଛି।

ଏଆଇକେକେଏସର ସାଧାରଣ ସଚିବ ପ୍ରଦୀପ ସିଂହ ଠାକୁର କୁହନ୍ତି,”ମଧ୍ୟସ୍ଥି ଓ ଦଲାଲମାନଙ୍କ କାରଣରୁ କ୍ଷୁଦ୍ର ଚାଷୀମାନେ ମଣ୍ଡିରେ ପହଁଚି ପାରନ୍ତି ନାହିଁ। ପଶ୍ଚିମବଙ୍ଗରେ ଅଧିକ ମଣ୍ଡି ନାହିଁ-ଏଠାରେ ପ୍ରତି ବ୍ଲକ୍ ପିଛା ଗୋଟିଏ ମଣ୍ଡି ରହିଛି”। କୃଷି ବିପଣନ କାର୍ଯ୍ୟାଳୟ ଅନୁସାରେ ପଶ୍ଚିମବଙ୍ଗରେ ସମୁଦାୟ ୧୮୬ କୃଷକ ବଜାର(ମଣ୍ଡି)ରହିଛି।
ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ (ଏନଏସଏସଓ)ର ୨୦୧୨-୧୩ ମସିହାର ୭୦ତମ ରାଉଣ୍ଡ ତଥ୍ୟ ପ୍ରକାଶକଲା ଯେ ସାରା ଦେଶରେ ମାତ୍ର ୬ ପ୍ରତିଶତ କୃଷକ ମଣ୍ଡିକୁ ଶସ୍ୟ ବିକ୍ରି ପାଇଁ ଯାଇଥାନ୍ତି। ଅନ୍ୟ ୯୪ ପ୍ରତିଶତ କୃଷକ ନିଜର ଶସ୍ୟ ଖୋଲା ବଜାରରେ ବିକ୍ରିକରନ୍ତି, ଏବଂ ଏମ୍ଏସ୍ପି ଦ୍ୱାରା ଧାର୍ଯ୍ୟ କରାଯାଇଥିବା ମୂଲ୍ୟ ପାଇବାକୁ ଆଶା ପ୍ରକାଶ କରନ୍ତି।
୨୦୨୦ମସିହା ସେପ୍ଟେମ୍ବର ମାସରେ ବିଲ୍ ପାସ୍ହେବା ଦିନଠାରୁ ଅଲ୍ ଇଣ୍ଡିଆ କିଷାନ ସଂଘର୍ଷ କୋର୍ଡିନେସନ କମିଟି (ଏଆଇକେଏସସିସି) ଏବଂ ଅନ୍ୟ ସଂଘଗୁଡିକ ରାଲି, ଧାରଣା ଓ ଜନସମାବେଶ କରିଆସୁଛନ୍ତି।
ପଶ୍ଚିମବଙ୍ଗର ଅଲ୍ ଇଣ୍ଡିଆ କିଷାନ ମହାସଭା ୨୦୨୦ ମସିହା ନଭେମ୍ବର ୨୭ ତାରିଖ ଦିନ ନୂଆ କୃଷି ଆଇନ ବିରୋଧରେ ଓ ଶ୍ରମିକମାନଙ୍କ ସମସ୍ୟା ଆଦି ବିଷୟକୁ ନେଇ ଗ୍ରାମୀଣ ଭାରତ ବନ୍ଦ ବା ଗ୍ରାମ ବଙ୍ଗଳା ବନ୍ଦ ଡାକରା ଦେଇଥିଲେ। ଏହାପରେ ଡିସେମ୍ବେର ୮,୨୦୨୦ ରେ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଜୟତୁ ଦେଶମୁଖ ଏଆଇକେଏମର ସମ୍ପାଦକ କୁହନ୍ତି,”ଆମେମାନେ ବହୁତ ଭଲ ସମର୍ଥନ ପାଇଲୁ। ଏପରିକି ଗଳିକନ୍ଦିରେ[ସହରମାନଙ୍କର] ଲୋକମାନେ ନୂତନ କୃଷି ଆଇନ ବିଷୟରେ ଆଲୋଚନା କରୁଥିଲେ। କୃଷକମାନେ[ପଶ୍ଚିମବଙ୍ଗର]ଏହି ସଂକଟ ବିଷୟରେ ସଚେତନ ଅଛନ୍ତି। ସେମାନେ ସାରର ଉଚ୍ଚ ମୂଲ୍ୟ, ସେମାନଙ୍କ ଶସ୍ୟର ଅଭାବୀ ବିକ୍ରି ଓ ପେଟ୍ରୋଲ ଓ ଡିଜେଲର ବଢୁଥିବା ମୂଲ୍ୟକୁ ନେଇ ବିଚଳିତ।”


କୃଷକମାନେ ଯେଉଁ ଆଇନ ବିରୋଧରେ ପ୍ରତିବାଦ କରୁଛନ୍ତି ସେଗୁଡିକ ହେଲା କୃଷକଙ୍କ ଉତ୍ପାଦିତ ସାମଗ୍ରୀର ବ୍ୟବସାୟ ଓ ବାଣିଜ୍ୟ ଓ (ପ୍ରସାର ଓ ସୁବିଧା ପ୍ରଦାନ) ଆଇନ,୨୦୨୦ ; ଦରଦାମ ପ୍ରତିଶ୍ରୁତି ଓ କୃଷିକ୍ଷେତ୍ର ସେବା ସଂପର୍କିତ କୃଷକଙ୍କ (ସଶକ୍ତୀକରଣ ଏବଂ ସୁରକ୍ଷା)ବୁଝାମଣା ଆଇନ,୨୦୨୦ ; ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଆଇନ ୨୦୨୦ । କେନ୍ଦ୍ର ସରକାର ପ୍ରଥମେ ୨୦୨୦ ଜୁନ୍ ୫ ତାରିଖ ଦିନ ଏହି ଆଇନଗୁଡିକୁ ଅଧ୍ୟାଦେଶ ରୂପରେ ଜାରି କଲେ, ତା’ପରେ ସେପ୍ଟେମ୍ବର ୧୪ ତରିଖ ଦିନ ଏସବୁକୁ ସଂସଦରେ କୃଷି ବିଲ୍ ରୂପରେ ଉପସ୍ଥାପନ କରିବା ପରେ ତରବରିଆ ଭାବେ ସେହି ମାସ ୨୦ ତାରିଖ ଦିନ ଏଗୁଡିକୁ ଆଇନ ରୂପରେ ଗୃହୀତ କରାଇନେଲେ ।
କୃଷକମାନେ ଏହି ଆଇନ କୁ ସେମାନଙ୍କ ଜୀବିକା ଧ୍ୱଂସ କରି କୃଷକ ଓ କୃଷି ଅପେକ୍ଷା ବୃହତ୍ ବ୍ୟବସାୟୀକ ସଂସ୍ଥା ଗୁଡିକୁ ଅଧିକ ସୁହାଉଥିବା ମନେକରନ୍ତି।ଏହି ଆଇନ ଗୁଡିକ ପ୍ରତ୍ୟେକ ଭାରତୀୟଙ୍କ ଆଇନଗତ ଅଧିକାର କୁ ପ୍ରଭାବିତ କରି ଭାରତୀୟ ସମ୍ବିଧାନର ଧାରା ୩୨ କୁ ଦୁର୍ବଳ କରୁଥିବା ସମାଲୋଚନା କରାଯାଏ ।
ଯେତେବେଳେ ୪୭ ବର୍ଷୀୟ ଦୁଲାଲି ଦାସଙ୍କୁ ୨୦୨୧ ମସିହା ବିଧାନସଭା ନିର୍ବାଚନରୁ ତାଙ୍କର ପ୍ରତ୍ୟାଶା ବିଷୟରେ ପଚରାଗଲା,ସେ କୁହନ୍ତି, “ଆମେ ଚାହୁଁ ସରକାର ଆମର ଯତ୍ନନେଉ ଏବଂ କୃଷକମାନଙ୍କ ଜୀବନରେ ଥିବା ସମସ୍ତ ସମସ୍ୟାକୁ ଅନୁଭବକରୁ ଯାହାକୁକି ପୂର୍ବ ସରକାର ଅନେକ ଦିଗରୁ ଅଣଦେଖା କରିଛନ୍ତି, ନୂଆ ସରକାର କୃଷକମାନଙ୍କୁ ଓ ସେମାନଙ୍କ ପରିବାରକୁ ସୁରକ୍ଷା ଦେବା ଉଚିତ୍।”
କୃଷକ ସୁପର୍ଣ୍ଣା ଦାସ ସେହି ସମାନ ପ୍ରଶ୍ନରେ କୁହନ୍ତି, “ଆମେମାନେ ଗରିବ, ଆମେ ସରକାରଙ୍କ ସମସ୍ତ ଯୋଜନାକୁ ମୁକ୍ତ ଓ ନିରପେକ୍ଷ ଭାବରେ ପାଇବାକୁ ଚାହୁଁଛୁ… ଆମେ ଯେପରି କୃଷକ ଭତ୍ତା (କୃଷକ ଭତ୍ତା) ପାଇବୁ ତାହା ସରକାର ସୁନିଶ୍ଚିତ କରିବା ଉଚିତ।”
Editor's note
ସୁମନ୍ତ ରାୟ ଦିଲ୍ଲୀର ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ସାମାଜିକ ଚିକିତ୍ସା ଓ ସାମୁଦାୟ ସ୍ୱାସ୍ଥ୍ୟର ଗବେଷଣା ବିଦ୍ୟାର୍ଥୀ ଅଟନ୍ତି। ଏହା ତାଙ୍କର PARI ଶିକ୍ଷା ପାଇଁ ଦ୍ୱିତୀୟ ଗଳ୍ପ; ତାଙ୍କର ପ୍ରଥମ ଗଳ୍ପ ରେଳବାଇ ଫେରିବାଲା: ବିଚ୍ୟୁତ ଜୀବନ, ୨୦୨୦,ଅକ୍ଟୋବର ୩୦ ତାରିଖରେ ପ୍ରକାଶିତ ହୋଇଥିଲା।
ସୁମନ୍ତ ପଶ୍ଚିମବଙ୍ଗର କୃଷକମାନଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଚାହୁଁଥିଲେ ଏବଂ ନୂତନ କୃଷି ଆଇନକୁ ନେଇ ସ୍ଥାନିୟ ପରିସ୍ତିତିକୁ ଜାଣିବାକୁ ଚାହୁଁଥିଲେ। ସେ କୁହନ୍ତି: "PARI କୃଷକମାନଙ୍କ ଆନ୍ଦୋଳନକୁ ପ୍ରଥମ ଦିନରୁ ଅନୁସନ୍ଧାନ କରିଥିଲା’ ଏହାହିଁ ମୋତେ ପଶ୍ଚିମବଙ୍ଗ ଉପରେ ଆଧାରିତ ଏକ କାହାଣୀ ଲେଖିବାକୁ ପ୍ରେରଣା ଦେଇଛି। ଅନୁସନ୍ଧାନର ସବିଶେଷ ତଥ୍ୟ ଓ ଆନ୍ଦୋଳନ ବିଷୟରେ ଅଧ୍ୟୟନ ମୋର ଅନୁଭୁତିକୁ ସମୃଦ୍ଧ କରିଥିଲା।"
ଅନୁବାଦ: ଓଡ଼ିଶାଲାଇଭ୍ ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।