
ବେଙ୍ଗାଲୁରୁରେ କ୍ରମଶଃ ବୃଦ୍ଧି ପାଉଥିବା ନିର୍ମାଣ ଉଦ୍ୟୋଗ ଅନେକ ପ୍ରବାସୀଙ୍କୁ ଆକୃଷ୍ଟ କରିଥାଏ । ବେଙ୍ଗାଲୁରୁ ସ୍ଥିତ ସେଣ୍ଟ ଜୋସେଫ୍ ବଏଜ୍ ହାଇସ୍କୁଲ୍ର ଛାତ୍ରଛାତ୍ରୀମାନେ ୨୦୧୯-୨୦୨୦ ବର୍ଷ ପାଇଁ ସେମାନଙ୍କର ୧୧ ଶ୍ରେଣୀ ନିମନ୍ତେ ଅର୍ଥନୀତି ପ୍ରକଳ୍ପର ଏକ ଅଂଶ ଭାବରେ ସହରର ନିର୍ମାଣ ଶ୍ରମିକମାନଙ୍କ ସାକ୍ଷାତକାର ନେଇଥିଲେ । ସେମାନେ ନିର୍ମାଣ ଶ୍ରମିକ, ରାଜମିସ୍ତ୍ରୀ, ଟାଇଲ୍ ମିସ୍ତ୍ରୀ ଏବଂ ଆହୁରି ଅନେକ ପ୍ରକାରର କାମ ପାଇବା ପାଇଁ ସାରା ଭାରତର ଗ୍ରାମମାନଙ୍କରୁ ଆସିଥିବା ପୁରୁଷ ଏବଂ ମହିଳାମାନଙ୍କର ଜୀବନର ଦଲିଲକରଣ କରିବା ନିମନ୍ତେ ପରି ଏଜୁକେସନ୍ ସହିତ କାର୍ଯ୍ୟ କରିଥିଲେ ।
କାହାଣୀଗୁଡ଼ିକର ଏହି ସମୂହରେ, ଆମେ ଲୋକମାନଙ୍କୁ ଭେଟୁ, ସେମାନେ ମୁଖ୍ୟତଃ ଉତ୍ତର କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶର, ଯେଉଁମାନେ ସେମାନଙ୍କର ଜନ୍ମ ସହରରେ ସେମାନଙ୍କର ମୁଖ୍ୟ ବୃତ୍ତି କୃଷି ଅସ୍ଥିର ହେବା ପରେ ବେଙ୍ଗାଲୁରୁର ନିର୍ମାଣ ଉଦ୍ୟୋଗରେ କାର୍ଯ୍ୟ କରିବାକୁ ଆସିଛନ୍ତି ।

‘ସରକାରୀ ଯୋଜନାଗୁଡ଼ିକ କେବଳ କାଗଜରେ’, କର୍ଣ୍ଣାଟକର ୟାଦ୍ଗିର୍ ଜିଲ୍ଲାର ଶିବେନୁର୍ରୁ ଆସିଥିବା ପ୍ରଭୁ ବାଦିଗର ଏବଂ ସୁନ୍ଦରମ୍ମା ଏହି ସହରରେ କାର୍ଯ୍ୟ କରିବାର ଅନେକ ତ୍ରୁଟି ଦେଇ ଘୂରିବୁଲୁଥିଲେ ତାହା ବିନିମୟ କରିଥିଲେ, ତାହା ଅଯଥେଷ୍ଟ ପରିମଳଠାରୁ ଆରମ୍ଭ କରି ଅସୁରକ୍ଷିତ କାର୍ଯ୍ୟ ଅବସ୍ଥାର ସମ୍ଭାବ୍ୟ ବିପଦ ଏବଂ ଯୌନ ଉତ୍ପୀଡ଼ନା ପର୍ଯ୍ୟନ୍ତ ହୋଇପାରେ ।
‘ମୋତେ ମୋ ଗାଁରେ ସାହୁକାରଙ୍କୁ ପରିଶୋଧ କରିବାକୁ ହେବ’ ଏହା ଥିଲା ରାଇଚୁର୍ର ଦିନ ମଜୁରିଆ ଶ୍ରମିକ ହନୁମନ୍ତୁ ଏବଂ ତାଙ୍କ ପତ୍ନୀ ନାଗମ୍ମାଙ୍କର କାହାଣୀ ଯେଉଁମାନେ ଦୁଇ ବର୍ଷ ପୂର୍ବେ ସେମାନଙ୍କର ନୂତନ ପରିବାରକୁ ସହଯୋଗ ଦେବା ପାଇଁ ୧୨-ଘଣ୍ଟାର ଯାତ୍ରା କରି ସେମାନଙ୍କର ଗ୍ରାମ ହୋସାହାଲ୍ଲିରୁ ଆସିଥିଲେ ।
‘ଆମ ପେଟ ପୁରାଇବା ପାଇଁ ଆମେ ସବୁଦିନ କାମ କରିବା ଦରକାର’, କର୍ଣ୍ଣାଟକର ୟାଦ୍ଗିର୍ରୁ ଆସିଥିବା ହନୁମନ୍ତା ଏଲାହାର ଏହା କୁହନ୍ତି, ଯେ କି ସେମାନଙ୍କର ଛୋଟ ଛୋଟ ଝିଅମାନଙ୍କୁ ସେମାନଙ୍କର ଜେଜେମାଆ ସହ ନିଜ ସହରରେ ଛାଡ଼ି ଏଠାକୁ ତାଙ୍କ ପତ୍ନୀଙ୍କ ସହ ଆସିଥିଲେ।
‘ମୋ ଜମି ଅନୁର୍ବର ହୋଇଗଲା’, ଏହା ହେଉଛି ଆନ୍ଧ୍ରପ୍ରଦେଶର ଗୋନୁଗୁର୍ରୁ ଆସିଥିବା ରେରାଜୁଙ୍କ କାହାଣୀ । ସେ ୧୪ ବର୍ଷ ବୟସରୁ କାମ କରିଥିବା ବିଷୟରେ କୁହନ୍ତି ଏବଂ ତାଙ୍କର ଲକ୍ଷ୍ୟ ହେଉଛି ସେମାନଙ୍କର ଛୋଟ ଛୋଟ ପିଲାମାନଙ୍କ ପାଇଁ ଏକ ଭିନ୍ନ ଭବିଷ୍ୟତ ଗଢ଼ିବା ।
‘ସରକାରୀ ଯୋଜନାଗୁଡ଼ିକ କେବଳ କାଗଜରେ’
ମୁଁ ଥରକେ ସିଡ଼ିରେ ଆଠରୁ ନଅଟି ଇଟା ଧରିଯାଏ, ଦିନକୁ ପ୍ରାୟ ୧୦୦-୧୨୦ ଥର; ମୋ ପତ୍ନୀ ମଧ୍ୟ ସେଇଆ କରନ୍ତି, ଥରକେ ଛଅଟି ଇଟା ଧରି ଦିନରେ ପ୍ରାୟ ୩୦- ୩୫ ଥର । ମୁଁ ହେଉଛି ପ୍ରଭୁ ବାଡ଼ିଗାର ଏବଂ ସେ ହେଉଛନ୍ତି ମୋ ପତ୍ନୀ ସୁନ୍ଦରମ୍ମା । ଆମେ ଏହି ନିର୍ମାଣ କ୍ଷେତ୍ରରେ କାମ କରୁ, ସିମେଣ୍ଟ, ପଥର, ବାଲି ଏବଂ ଇଟା ବୋହୁ । ମୋର ବର୍ତ୍ତମାନ ବୟସ ୫୫ ଏବଂ କର୍ଣ୍ଣାଟକର ୟାଦ୍ଗିର୍ ଜିଲ୍ଲାର ଶାହପୁର୍ ତାଲୁକାରେ ଥିବା ଜୋଲଧାଗି ଗ୍ରାମ ନିକଟସ୍ଥ ଶିବେନୁରରୁ ଆସିଛୁ ।

ବୃତ୍ତି: ନିର୍ମାଣ ଶ୍ରମିକ
ଆମେ ଏକ ତାର୍ପୋଲିନ୍ ଛାତ ଥିବା ଆଜ୍ବେଷ୍ଟସ୍ ସିଟ୍ ଘରେ ରହୁ ଏବଂ ଏହି ଛାତ ବର୍ଷା ସମୟରେ ସବୁ ସମୟରେ ଝରୁଥାଏ । ହଠାତ୍ ଖର୍ଚ୍ଚ, ବିଶେଷକରି ଡାକ୍ତରୀ କାରଣରୁ ଏକ ବଡ଼ ବୋଝ । ଗୋଟିଏ ପ୍ରକଳ୍ପ ଶେଷ ହେବା ପରେ ଏବଂ ଆମେ ପରବର୍ତ୍ତୀଟି ପାଇବା ପୂର୍ବରୁ, ଆମେ କିଛି ବି ରୋଜଗାର କରିନଥାଉ । ଯେତେବେଳେ ବର୍ଷା ହୁଏ, ଯେତେବେଳେ ଛୁଟି ଦିନ ଆସେ କିମ୍ବା ଯେତେବେଳେ ଜିନିଷ ପହଞ୍ଚିନଥାଏ ସେତେବେଳେ ମଧ୍ୟ ଆମର କାମ ନଥାଏ [ଏବଂ ମଜୁରୀ ମଧ୍ୟ ନଥାଏ] ।
ପୂର୍ବେ ନିର୍ମାଣ କାର୍ଯ୍ୟ ଆମକୁ ଋତୁକାଳୀନ ନିଯୁକ୍ତି ଦେଉଥିଲା, କିନ୍ତୁ ବର୍ତ୍ତମାନ କୃଷି ଆମର ଋତୁକାଳୀନ କାମ ହୋଇଯାଇଛି । ମୁଁ ଏହି କାମ କରିବା ପାଇଁ ଯୋଜନା କରିନଥିଲି କିନ୍ତୁ ମୋ ବାପା କହିଲେ ଏହା ଆମକୁ ଏକ ସ୍ଥିର ଆୟ ଦେବ – ଯାହା ଆମର ଜମି ଆମକୁ ଯୋଗାଇ ପାରିବ ନାହିଁ । ମୁଁ ପ୍ରଥମେ ବେଙ୍ଗାଲୁରୁକୁ ଗୋଟିଏ ମାସ ପାଇଁ ଆସି ନିର୍ମାଣ କାମ କରି ଏବଂ କିଛି ଅର୍ଥ ଉପାର୍ଜନ କରିବା ପାଇଁ ଆସିବା ଆରମ୍ଭ କରିଥିଲି । ମୁଁ ବିବାହ କରିବା ପରେ, ମୋ ପତ୍ନୀ ମଧ୍ୟ ମୋ ସହିତ ଏହି କାମରେ ଯୋଗ ଦେଲେ । ଜଣେ ଠିକାଦାର ଅଧିନରେ ଦିନ ମଜୁରିଆ ଶ୍ରମିକ ଭାବରେ କାର୍ଯ୍ୟ କରୁଥିବା ମୋର ଦାଦା ମୋତେ ଏଠାକୁ ଆଣିଥିଲେ ।
ଯେତେବେଳେ ମୁଁ ପ୍ରଥମେ କାମ କରିବାକୁ ଆରମ୍ଭ କଲି, ମୁଁ ଦିନକୁ ୨୫-୩୦ ଟଙ୍କା ଆୟ କଲି । ଏହା ପରେ ମୁଁ ଦିନକୁ ୬୦ ଟଙ୍କା ରୋଜଗାର କରିବା ଆରମ୍ଭ କଲି, ଯେତେବେଳେ କି ମୋ ପତ୍ନୀ ଦିନକୁ ପ୍ରାୟ ୪୦ ଟଙ୍କା ପାଇଥାନ୍ତି । ଏହା ପ୍ରାୟ ୨୦ ବର୍ଷ ତଳର କଥା । ଆଜିକାଲି ମୁଁ ଦିନକୁ ୫୦୦ ଟଙ୍କା ଆୟ କରେ ଏବଂ ମୋ ପତ୍ନୀ ୩୫୦ ଟଙ୍କା । ଆମେ ପ୍ରତିଦିନ ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କାମ କରୁ, ଏ ମଧ୍ୟରୁ ମଧ୍ୟାହ୍ନ ଭୋଜନ ପାଇଁ ଗୋଟିଏ ଘଣ୍ଟା ଥାଏ । ରବିବାରଗୁଡ଼ିକରେ ଆମେ କାମ କରୁନି ।
ମୋ ମାସିକ ଆୟ ୧୩,୦୦୦ ଟଙ୍କା ପର୍ଯ୍ୟନ୍ତ ଯାଇପାରେ ଏବଂ ମୋ ପତ୍ନୀ ପ୍ରାୟ ୯,୦୦୦ ଟଙ୍କା ଆୟ କରନ୍ତି । ବେଙ୍ଗାଲୁରୁରେ ଜୀବନଧାରଣର ଖର୍ଚ୍ଚ ଖୁବ୍ ଉଚ୍ଚ ଏବଂ ଆମେ ପ୍ରାୟତଃ କିଛି ସଞ୍ଚୟ କରିପାରୁନି । ପ୍ରତି ମାସରେ ଆମର ମୌଳିକ ଆବଶ୍ୟକତାଗୁଡ଼ିକରେ ୮,୦୦୦ ଟଙ୍କା ଖର୍ଚ୍ଚ ହୋଇଯାଏ ।
ମୋର ସମ୍ପୂର୍ଣ୍ଣ ପରିବାର [ବାପା, ମାଆ ଏବଂ ପତ୍ନୀ] ସାଧାରଣତଃ ଆମ ଜମିରେ କାମ କରୁଥିଲୁ । ଆମେ ଖରା ଦିନେ ଯଅ ପରି ଫସଲ ଚାଷ କରୁଥିଲୁ ଏବଂ ବର୍ଷର ପରବର୍ତ୍ତୀ ସମୟରେ ହରଡ଼ ଡାଲି କିମ୍ବା ମସୁର ଡାଲି ଚାଷ କରୁଥିଲୁ । ଯଅ ଆମ ଅଞ୍ଚଳ ପାଇଁ ଏକ ମୁଖ୍ୟ ଖାଦ୍ୟ ଏବଂ ଆମେ ଅମଳ ପାଇଁ ଯାଇପାରିବୁ ।
ଯେତେବେଳେ ଖୁବ୍ ଅଧିକ କିମ୍ବା ଖୁବ୍ କମ୍ ବର୍ଷା ହୁଏ, ଆମର ଅମଳ ତୁରନ୍ତ ପ୍ରଭାବିତ ହୋଇପାରେ । ଆମେ ଅଧିକାଂଶ ସମୟରେ ଟୋଗାରି ୟେନ୍ନେ ନାମକ ଏକ କୀଟନାଶକ- ସାର ଆବଶ୍ୟକ କରୁ ଯାହାର ଦାମ୍ ଏକ ଲିଟର ପିଛା ୪୦୦- ୫୦୦ ଟଙ୍କା ହୋଇଥାଏ । ବଜାର ଡିଲର୍ମାନେ ସାଧାରଣତଃ ଆମକୁ ଏହା ଆଗୁଆ ଦେଇଥା’ନ୍ତି ଏବଂ ବିକ୍ରୟ ପରେ ଦାମ୍ ଆମ ଖାତାରୁ କାଟି ନେଇଥା’ନ୍ତି । ଆମେ ଦେଖିଲୁ ଆମର ଲାଭ କ୍ରମଶଃ ହ୍ରାସ ପାଉଛି । ସରକାରୀ ଯୋଜନାଗୁଡ଼ିକ କେବଳ କାଗଜରେ ଥିଲା । ସେମାନେ କେବଳ ଗୁରୁତର କ୍ଷତି କ୍ଷେତ୍ରରେ କ୍ଷତିପୂରଣ ଦେଉଥିଲେ; ଆମ ପାଇଁ ଯେ କୌଣସି କ୍ଷତି ହେଉଛି ଏକ କ୍ଷତି । ସେଗୁଡ଼ିକ କଷ୍ଟକର ସମୟ ଥିଲା ଏବଂ ଆମେ ଅଧିକ ସାହାଯ୍ୟ ପାଇନଥିଲୁ ।
ଆମେ ଆମର ଉତ୍ପାଦକୁ ଯେ କୌଣସି ସ୍ଥାନରେ ଭଲ ଦାମ୍ରେ ବିକ୍ରି କରିପାରିଥା’ନ୍ତୁ କିନ୍ତୁ ଆମେ ଆଗୁଆ ଟୋଗାରି ୟେନ୍ନେ ଆବଶ୍ୟକ କରୁଥିଲୁ ଏବଂ ଅମଳ ପୂର୍ବରୁ ଆମେ ଏହା କିଣିପାରିନଥାନ୍ତୁ । ଆମେ ମାସିକ ତିନିରୁ ଚାରି ପ୍ରତିଶତ ସୁଧରେ ସାହୁକାରଙ୍କଠାରୁ ଅର୍ଥ ଧାର୍ ଆଣିପାରିଥାନ୍ତୁ । ମୋ ବାପା ସାଧାରଣତଃ ଏହା କରୁଥିଲେ, କିନ୍ତୁ ତାହା ଏପରି ଏକ ବୋଝ ଥିଲା ଯେ ମୁଁ ସେମିତି ନ କରିବା ପାଇଁ ସ୍ଥିର କଲି।
ଶେଷରେ, ନିକଟସ୍ଥ ନଦୀରେ ବନ୍ୟା କାରଣରୁ ଆମେ ଅନେକ କ୍ଷତି ସହିବା ପରେ, ଆମେ କୃଷି ଛାଡ଼ିବା ପାଇଁ ଏବଂ କାମର ସନ୍ଧାନରେ ବେଙ୍ଗାଲୁରୁ ଆସିବା ପାଇଁ ନିଷ୍ପତ୍ତି ନେଇଥିଲୁ । ଏହି କାମ ଦ୍ୱାରା ଆମେ ଆମର ଦୁଇ ସନ୍ତାନ ଆକାଶ ଏବଂ ସୌଭାଗ୍ୟଙ୍କୁ ଯଥାକ୍ରମେ ୫ମ ଶ୍ରେଣୀ ଏବଂ ୮ମ ଶ୍ରେଣୀରେ ପଢ଼ାଇବାକୁ ସମର୍ଥ ହୋଇଛୁ ।
ପ୍ରଥମେ ପ୍ରଥମେ ମୁଁ ସାଧାରଣତଃ କାମ ନଥିବା ସମୟରେ [କୃଷି ପାଇଁ] ବେଙ୍ଗାଲୁରୁରେ ଗୋଟିଏ କିମ୍ବା ଦୁଇ ମାସ କାମ କରୁଥିଲି ଏବଂ ମୋ ପତ୍ନୀ ମୋ ସହ ଆସୁଥିଲେ, କିନ୍ତୁ ଗୋଟିଏ ସମୟ ଆସିଲା ଯେତେବେଳେ ଆମେ ଆଉ ଯିବା ଆସିବା କରିପାରିଲୁନାହିଁ । ତେଣୁ, ଚାରି ବର୍ଷ ତଳେ ମୋ ଭାଇ ଏବଂ ମୁଁ ଆମ ଜମି ପାଖରେ ଜମି ଥିବା ଜଣେ ସାଙ୍ଗକୁ ଆମର ୨.୫ ଏକର ଜମି ଭାଗ ଦେଲୁ । ସେ ପ୍ରତି ଉଗାଦି [ଅମଳ ପର୍ବ]ରେ ଆମକୁ ପ୍ରାୟ ୧୫,୦୦୦ ଟଙ୍କା ଦେଇଥାଏ, ଏବଂ ମୋ ଭାଇ ଏବଂ ମୁଁ ଏହାକୁ ସମାନ ଭାଗରେ ଭାଗ କରୁ । ଏହି ପରିମାଣ ଅମଳ ବର୍ଷା ଏବଂ ଲାଭ ଉପରେ ଆଧାର କରି ଏପାଖ ସେପାଖ ହୋଇଥାଏ ।

ଗୋଟିଏ ସମୟ ଥିଲା ଯେତେବେଳେ ଆମେ ଆମ ଗାଁର ଏକ ଛୋଟ ସରକାରୀ ଭାବରେ ଅନୁମୋଦିତ ଘରେ ଏକ ଯୁଗ୍ମ ପରିବାର ଭାବରେ ବାସ କରୁଥିଲୁ । ବର୍ତ୍ତମାନ ଆମେ ସମସ୍ତେ ବାହାରକୁ ଚାଲି ଆସିଛୁ ଏବଂ ମୋ ବାପାଙ୍କ ମୃତ୍ୟୁ ପରେ ସେଠାରେ କେବଳ ମୋ ମାଆ ରହିଛି । ଆମ ଗାଁରେ ଆମର ନିଜ ଘର ଥିଲା କିନ୍ତୁ ଭୀଷଣ ପବନ ଓ ଭୀଷଣ ବର୍ଷାରେ ଏହା ନଷ୍ଟ ହୋଇଯାଇଥିଲା ।
ଆମେ ବର୍ଷରେ ତିନିରୁ ଚାରି ଥର ବିବାହ, ମୃତ୍ୟୁ, ଗାଁ ମେଳା ଏବଂ ଯେତେବେଳେ ଆମ ପିଲାମାନଙ୍କର ଛୁଟି ଥାଏ ସେତେବେଳେ ଆମ ଗାଁକୁ ଯାଇଥାଉ । ବେଙ୍ଗାଲୁରୁରୁ ୟାଦ୍ଗିର୍ ପର୍ଯ୍ୟନ୍ତ ବସ୍ ଯାତ୍ରା ପ୍ରାୟତଃ ପାଞ୍ଚ ଘଣ୍ଟା ଦୀର୍ଘ । ଯାତ୍ରାର ଖର୍ଚ୍ଚ ମୁଣ୍ଡପିଛା ପ୍ରାୟ ୫୦୦ ଟଙ୍କା ।
ଆମେ ଆଶା କରୁ ଯେ ଆମର ପିଲାମାନେ ସେମାନଙ୍କ ଜୀବନ ଗଢ଼ିବେ, ବିବାହ କରିବେ ଏବଂ ବେଙ୍ଗାଲୁରୁରେ ସ୍ଥାୟୀ ହୋଇ ରହିଯିବେ । ଆମେ ଆମ ନିଜ ସହରକୁ ଫେରିଯିବାକୁ ଏବଂ ଚାଷ ଜାରି ରଖିବାକୁ ଚାହୁଁ । ଆମେ ମଧ୍ୟ ଆମ ଗାଁରେ ନିଜର ଏକ ପକ୍କା ଘର କରିବାକୁ ଚାହୁଁ।
ସୁନ୍ଦରମ୍ମା ଏଥିସହିତ କୁହନ୍ତି:
ଆମ ଗାଁରେ, ଆମେ ସାରା ଦିନ ଚାଲୁ କିନ୍ତୁ କେବେ କ୍ଳାନ୍ତି ଅନୁଭବ କରୁନଥିଲୁ। ଭୋକରେ ରହିବାର ଭୟ ନଥିଲା। ଆମେ ନିଜର ଖାଦ୍ୟଶସ୍ୟ ଚାଷ କରିପାରୁଥିଲୁ ଏବଂ ଆମର ନିଜ ଗାଈଗୋରୁ ଥିଲେ। ଏଠାରେ [ବେଙ୍ଗାଲୁରୁରେ ନିର୍ମାଣ କ୍ଷେତ୍ରରେ] ଆମେ ଗୋଟିଏ ଦିନର କାମ ମଧ୍ୟ ବନ୍ଦ କରିପାରିବୁ ନାହିଁ । ଯଦି ଆମେ ଏହା କରୁ, ଆମକୁ ଭୋକରେ ଶୋଇବାକୁ ହେବ। ଜୀବନଧାରଣର ମୂଲ୍ୟ ଖୁବ୍ ଉଚ୍ଚ।
ମୋ ପିଲାମାନଙ୍କ ବ୍ୟତୀତ, ଏଠାରେ ମୋ ପରିବାରର ଅନ୍ୟ ସଦସ୍ୟମାନେ ହେଉଛନ୍ତି ମୋ ଭାଇ ଚିଦାନନ୍ଦ ଏବଂ ତାଙ୍କ ପତ୍ନୀ । ସେମାନେ ଆମ ପାଖରେ ରୁହନ୍ତି – ଚିଦାନନ୍ଦ ରଙ୍ଗ କାମ [ଦିନ ମଜୁରିଆ ଶ୍ରମିକ], ଏବଂ ତାଙ୍କ ପତ୍ନୀ ନିକଟରେ ଥିବା ଏକ ହୋଟେଲ୍ରେ ରୋଷେୟା ଭାବରେ କାମ କରନ୍ତି ।
ଆମେ ଆମ ଗାଁ ବିଷୟରେ ଅନେକ ଜିନିଷ ମନେପକାଉ; ଶାନ୍ତ ବାତାବରଣ ଏବଂ ହାଲ୍କା ଜୀବନଶୈଳୀ, ଆମର ପଡ଼ୋଶୀ ଏବଂ ପରିବାର। ଆମେ ରହୁଥିବା ବସ୍ତିରେ ଏବଂ ନିର୍ମାଣ ସ୍ଥଳରେ ଅପରିଷ୍କାର ଶୌଚାଳୟ ମୋତେ ପ୍ରକୃତରେ ବିବ୍ରତ କରେ । ଆମ ଚାରିପାଖର ପରିବେଶ ସଫା ନୁହେଁ; ଆମେ ଅନେକ ସମୟରେ ଅସୁସ୍ଥ ହେଉ ଏବଂ ଚିକିତ୍ସା ପାଇଁ ଖର୍ଚ୍ଚ କରିବାକୁ ବାଧ୍ୟ ହେଉ, ଯାହା ହେଉଛି ଏକ ଅତିରିକ୍ତ ବ୍ୟୟ ବୋଝ । ଆମର ଆମ ପରିବାର ପାଇଁ ପରିଷ୍କାର ପାନୀୟ ଜଳ କିମ୍ବା ବିଦ୍ୟୁତ୍ ମଧ୍ୟ ନାହିଁ । ଆମେ ନିର୍ମାଣ ସ୍ଥଳରେ ସୁରକ୍ଷା ବ୍ୟବସ୍ଥା ଏବଂ ପ୍ରାଥମିକ ଉପଚାରର ଅଭାବ ନେଇ ବ୍ୟସ୍ତ । ଜଣେ ମହିଳା ଭାବରେ, ମୋତେ ଅପବ୍ୟବହାର କରୁଥିବା କିମ୍ବା ଜାଣିଶୁଣି ମୋତେ କାର୍ଯ୍ୟସ୍ଥଳରେ ଅସ୍ୱସ୍ତି ଆଣୁଥିବା ପୁରୁଷମାନଙ୍କ ସମ୍ପର୍କରେ ମଧ୍ୟ ଚିନ୍ତା କରିବାକୁ ହୋଇଥାଏ ।
ସେହି ସ୍ଥାନରେ ସାରା ଦିନ କାମ କରିବା ପରେ, ମୁଁ ପରିବାର ପାଇଁ ଖାଦ୍ୟ ରାନ୍ଧେ, ଘର ସଫା କରେ, ପରଦିନ ସ୍କୁଲ୍ ଯିବା ପାଇଁ ଜିନିଷଗୁଡ଼ିକ ପ୍ରସ୍ତୁତ ରଖିବାରେ ମୋ ପିଲାମାନଙ୍କୁ ସାହାଯ୍ୟ କରେ ଏବଂ ଏମିତି ଅନେକ ଜିନିଷ ।
ଆମେ ଏଠାରେ କାମ କରିବାର ମୁଖ୍ୟ କାରଣ ହେଉଛନ୍ତି ଆମ ପିଲାମାନେ । ଆମର ସ୍ୱପ୍ନ ହେଉଛି ସେମାନେ ଭଲ ପଢ଼ନ୍ତୁ ଏବଂ ଆମ ଆୟ ତୁଳନାରେ ଅଧିକ ଆୟ କରନ୍ତୁ । ମୋ ଦାଦାଙ୍କ ଝିଅମାନେ ନର୍ସିଂ କରିଛନ୍ତି ଏବଂ କାମ କରୁଛନ୍ତି । ଆମେ ଆଶା କରୁ ସୌଭାଗ୍ୟ ସେମାନଙ୍କ ଦ୍ୱାରା ଅନୁପ୍ରାଣିତ ଏବଂ ଜଣେ ଡାକ୍ତର ହେବାକୁ ଚାହୁଁଛି । ଏଥିପାଇଁ ଆମେ ଆହୁରି ଅଧିକ କାମ କରିବାକୁ ପ୍ରସ୍ତୁତ ।
ଛାତ୍ର ସମ୍ବାଦଦାତା: ଦୀପ୍ତି ମହେଶ କୁମାର
‘ମୋତେ ମୋ ଗାଁରେ ସାହୁକାରଙ୍କୁ ପରିଶୋଧ କରିବାକୁ ହେବ’
ମୋର ନାମ ହେଉଛି ହନୁମନ୍ତୁ । ମୋ ପତ୍ନୀଙ୍କ ନାମ ନାଗାମ୍ମା । ମୋର ବୟସ ୩୦ ଦଶକରେ ଏବଂ ମୋ ପତ୍ନୀଙ୍କର ୨୦ ଦଶକରେ; ଆମେ ଆମ ବୟସ ଉପରେ ନଜର ରଖିନାହୁଁ । ଆମେ ଦିନ ମଜୁରିଆ ଶ୍ରମିକ ଏବଂ ଆମେ ଗତ ଦୁଇ ବର୍ଷ ହେବ ନିର୍ମାଣ ସ୍ଥଳରେ କାର୍ଯ୍ୟ କରୁଛୁ। ଆମେ ମୂଳତଃ ଉତ୍ତର କର୍ଣ୍ଣାଟକର ରାଇଚୁର୍ ଜିଲ୍ଲାରେ ଥିବା ସିନ୍ଧନୁର୍ ତାଲୁକାର ଏକ ଗାଁ ହୋସାହାଲ୍ଲିରୁ ଆସିଛୁ ।
ଯେତେବେଳେ ଆମେ ହୋସାହାଲ୍ଲିରେ ରହୁଥିଲୁ, ମୁଁ ସାଧାରଣତଃ ମୋ ଦାଦାମାନେ ଏବଂ ମୋ ଭାଇମାନେ ଏବଂ ସେମାନଙ୍କର ପରିବାର ସହ ଏକ ଯୌଥ ପରିବାରରେ ରହୁଥିଲି; ସମୁଦାୟ ଆଠ ଜଣ ବଡ଼ ମଣିଷ ଏବଂ ୧୦ ଜଣ ପିଲା ଥିଲେ । ଆମେ ଗୋଟିଏ ଏକର ଜମି ଉପରେ ଥିବା ୧୨୦୦ ବର୍ଗଫୁଟ୍ର ଚାରି- ଶୟନ କକ୍ଷ ବିଶିଷ୍ଟ ଘରେ ରହୁଥିଲୁ । ଉଭୟ ଘର ଏବଂ ଜମି ଏକାଠି ମୋ ଦାଦାମାନଙ୍କ ନାମରେ ରହିଛି । ମୋର କୌଣସି ସମ୍ପତ୍ତି ନାହିଁ କିନ୍ତୁ ମୁଁ ଦିନେ ମୋର ନିଜର ଏକ ଘର କରିବାକୁ ଚାହିଁବି ।

ବୃତ୍ତି: ନିର୍ମାଣ ଶ୍ରମିକ
ଧାନ ହେଉଛି ଆମ ଗାଁର ମୁଖ୍ୟ ଫସଲ, ଏବଂ ମୁଁ ପ୍ରଥମେ ୧୫ ବର୍ଷ ବୟସରେ ବଡ଼ ଜମିଦାରମାନଙ୍କ ଧାନ କ୍ଷେତରେ କାମ ଆରମ୍ଭ କରିଥିଲି।
ଏହା ପରେ ମୋ ଭାଇ ଏବଂ ଆମ ପତ୍ନୀମାନେ ମୋ ସହ ଯୋଗ ଦେଲେ । ଆମେ ସାଧାରଣତଃ ସକାଳ ୮ଟା ୩୦ରେ କାମ ଆରମ୍ଭ କରୁ, ହଳ କରିବା, ବୁଣିବା, ବାଛିବା ଏବଂ ଅମଳ କରିବା । ମଧ୍ୟାହ୍ନ ପ୍ରାୟ ୨ଟା ବେଳକୁ ଆମର କାମ ଶେଷ କରୁ, ଅମଳ ସମୟରେ ଆମେ ଅଧିକ ଘଣ୍ଟା କାମ କରୁ । ଆମ ସମସ୍ତଙ୍କୁ ଦିନକୁ ଦେଢ଼ ଶହ ଲେଖାଏଁ ଦିଆଯାଏ । ସେ ସମୟରେ ଭଲ ଏବଂ ଠିକ୍ ସମୟରେ ବର୍ଷା ହେଉଥିଲା ଏବଂ ବର୍ଷରେ ଦୁଇଟି ଧାନ ଫସଲ ହେଉଥିଲା । ଅଫ୍-ସିଜିନ୍ ମାସଗୁଡ଼ିକରେ ଆମେ ବେରୋଜଗାର ରହୁଥିଲୁ କିମ୍ବା ଆମ ଜମିର ଯତ୍ନ ନେଉଥିଲୁ ।
ଉଭୟ ଆମର ମଜୁରୀ ଏବଂ ଆମ ନିଜ ଜମିରୁ ଆସୁଥିବା ଆୟ ଆମକୁ ସହଯୋଗ ଦେବା ପାଇଁ ଯଥେଷ୍ଟ ହେଉଥିଲା । କିନ୍ତୁ ପ୍ରାୟ ଚାରି ବର୍ଷ ତଳେ ଏହି ଅଞ୍ଚଳରେ ଏକ ଗୁରୁତର ମରୁଡ଼ି ଆସିଲା । ସେବେଠାରୁ, ବର୍ଷକୁ ମାତ୍ର ଗୋଟିଏ ଫସଲ ଧାନ ସମ୍ଭବ ହୋଇଛି ଏବଂ ବର୍ଷର ବଳକା ସମୟରେ ଜମି ଶୁଖିଲା ପଡ଼ୁଛି । ଅମଳ ଫସଲ ମଧ୍ୟ ପ୍ରତିବର୍ଷ ପ୍ରତ୍ୟେକଙ୍କ ପାଇଁ ୭୦ କେଜି ବ୍ୟାଗ୍ରୁ ୩୦ଟି ବ୍ୟାଗ୍କୁ ଆସିଛି । ଏହି କାରଣରୁ, ଜମି ମାଲିକମାନେ ଏତେ ଶ୍ରମିକ ଆବଶ୍ୟକ କରୁନଥିଲେ ।
ଆମର ଦ୍ୱିତୀୟ ସନ୍ତାନ ଜନ୍ମ ହେବା ପରେ ସେ କାମ ବନ୍ଦ କରିଦେଇଥିଲା। ଯେତେବେଳେ ସେ କାମ କରିବାକୁ ଫେରି ଆସିବାକୁ ପ୍ରସ୍ତୁତ ହେଲା, ସେତେବେଳେ ଜମି ମାଲିକମାନେ କହିଲେ ସେମାନେ ଆଉ ଅଧିକ ଲୋକ ଆବଶ୍ୟକ କରୁନାହାନ୍ତି । ମୋ ପତ୍ନୀଙ୍କର କାମ ଚାଲି ଯିବାରୁ ଏବଂ ମୋର କାମର ଦିନଗୁଡ଼ିକ କମ୍ ହେଉଥିବାରୁ ଆମର ଘରୋଇ ଆୟ କମ୍ ହୋଇଗଲା । ତଥାପି ମୁଁ ଆଉ ଦୁଇ ବର୍ଷ ଏହି କାମ କରିବା ଜାରି ରଖିଲି କିନ୍ତୁ ଯେତେବେଳେ ଆମର ତୃତୀୟ ସନ୍ତାନ ଆସିଲା ମୁଁ ସ୍ଥିର କଲି ଯେ ଆଉ କିଛି ଜୀବିକା ଖୋଜିବା ପାଇଁ ଆମର ସମୟ ହୋଇଯାଇଛି । ଆମେ ସେତେବେଳକୁ ପ୍ରାୟ ତିନି ଲକ୍ଷ ଧାର୍ ଆଣିସାରିଥିଲୁ ଏବଂ ଏହାକୁ ଫେରାଇବା ଆରମ୍ଭ କରିବାକୁ ଥିଲା ।
ମୋ ଭାଇ କେଇ ମାସ ଆଗରୁ ଜମିରେ କାମ କରିବା ବନ୍ଦ କରିଦେଇଥିଲା ଏବଂ ସେ ବେଙ୍ଗାଲୁରୁରେ କାମ ପାଇବା ପାଇଁ ତା’ ପରିବାର ସହିତ ଚାଲି ଯାଇଥିଲା । ସେ ମୋତେ ମଣି ନାମରେ ବେଙ୍ଗାଲୁରୁରେ ଥିବା ଜଣେ ନିର୍ମାଣ ସୁପରଭାଇଜର୍ଙ୍କ ବିଷୟରେ କହିଥିଲେ ଯେ କି ତାମିଲନାଡ଼ୁର ଏବଂ ତାଙ୍କୁ ଏକ ନିର୍ମାଣ କ୍ଷେତ୍ରରେ ଗୋଟିଏ କାମ ଦେଇଥିଲେ। ମୁଁ ମଣିଙ୍କୁ ଯୋଗାଯୋଗ କଲି, ଯେ କି ମୋତେ କହିଥିଲେ ସେ ଆମ ପାଇଁ ମଧ୍ୟ ନିର୍ମାଣ କ୍ଷେତ୍ରରେ କାମ ପାଇପାରିବେ।
ଆମେ ଆମ ଗାଁ ଛାଡ଼ି ଯିବାକୁ ଅନିଛୁକ ଥିଲୁ, କିନ୍ତୁ ଯାହା ହେବାର ଥିଲା ତାହା ହେଲା । ଆମେ ଆମର ଜିନିଷ ସଜାଡ଼ିଲୁ ଏବଂ କେଏସ୍ଆର୍ଟିସି ବସ୍ରେ ବେଙ୍ଗାଲୁରୁ ଆସିଲୁ । ପ୍ରାପ୍ତ ବୟସ୍କଙ୍କ ପିଛା ଟିକେଟ୍ର ଦାମ୍ ଥିଲା ୪୦୦ ଟଙ୍କା । ୩୮୦ କିଲୋମିଟର ସାରା ରାତି ଯାତ୍ରା ୧୨ ଘଣ୍ଟା ସମୟ ନେଇଥିଲା ।
ଏଠାରେ ମୋର କାମ ହେଉଛି ମାଟି ଖୋଳିବା, ମାଟି, ପଥର, ଇଟା ଏବଂ ବାଲି ନେବା ଆଣିବା କରିବା । ମୁଁ ଅଳ୍ପ କିଛି ରାଜମିସ୍ତ୍ରୀ କାମ ମଧ୍ୟ କରିଥିଲି । ମୋ ସ୍ତ୍ରୀ ମଧ୍ୟ ସେହିପରି କାମ କରନ୍ତି । ଆମେ ସକାଳ ନଅଟାରେ କାମ ଆରମ୍ଭ କରୁ ଏବଂ ସନ୍ଧ୍ୟା ଛଅଟାରେ କାମ କରିବା ବନ୍ଦ କରୁ । ମଧ୍ୟାହ୍ନ ଭୋଜନ ପାଇଁ ଆମେ ଘଣ୍ଟାଏ ଛୁଟି ପାଉ । ରବିବାରଗୁଡ଼ିକରେ ଆମେ କାମ ନ କରିବାକୁ ପସନ୍ଦ କରୁ କିନ୍ତୁ ସେହି ଦିନ କାମ କଲେ ଆମକୁ ଅଧିକ ଅର୍ଥ ମିଳେ । ମୋ ବଡ଼ ଝିଅ ଲକ୍ଷ୍ମୀ ସିନ୍ଧନୁରରେ ଥିବା ସରକାରୀ ବିଦ୍ୟାଳୟକୁ ଯାଏ ଏବଂ ୫୦ ବର୍ଷ ବୟସ୍କ ମୋ ମାଆ ତା’ର ଯତ୍ନ ନିଅନ୍ତି । ଆମ ଝିଅ ପୂଜା ହେଉଛି ତିନି ବର୍ଷ ବୟସ୍କ ଏବଂ ଆମ ପୁଅ ମୁଲେସ ଦୁଇ ବର୍ଷ ବୟସର ଯେ କି ଯାତ୍ରା କରେ ଏବଂ କାର୍ଯ୍ୟସ୍ଥଳରେ ଆମ ସହିତ ବାସ କରେ ।
ଯେତେବେଳେ ମୁଁ ନିର୍ମାଣ ସ୍ଥଳଗୁଡ଼ିକରେ କାମ କରିବା ଆରମ୍ଭ କରିଥିଲି, ମୁଁ ଦିନକୁ ପ୍ରାୟ ୨୦୦ ଟଙ୍କା ଆୟ କରେ ଏବଂ ମୋ ପତ୍ନୀ ଦିନକୁ ୧୫୦ ଟଙ୍କା ରୋଜଗାର କରନ୍ତି । ଆମର ମଜୁରୀ ସେବେଠାରୁ ହ୍ରାସ ପାଇଛି । ମୁଁ ବର୍ତ୍ତମାନ ଦିନକୁ ୪୦୦ ଟଙ୍କା ଆୟ କରେ ଯେତେବେଳେ କି ସେ ଦିନକୁ ୩୦୦ ଟଙ୍କା ରୋଜଗାର କରୁଛି ।
ଆମେ ଯେତେବେଳେ ଚାହିଁବୁ ଆମ ଗାଁକୁ ଫେରି ଯାଇପାରିବୁ, ଯେହେତୁ ଆମେ ଦିନ ମଜୁରିଆ ଶ୍ରମିକ । ଆମ କାମ କୌଣସି ନିର୍ଦ୍ଦିଷ୍ଟ ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ କରେ ନାହିଁ ତେଣୁ କଣ୍ଟ୍ରାକ୍ଟରମାନେ ସହଜରେ ବଦଳ ପାଇପାରିବେ । ଯଦି ଆମେ କାମକୁ ଆସିବୁ ନାହିଁ ଆମକୁ ପୈଠ ମଧ୍ୟ କରାଯିବ ନାହିଁ । ଆମେ ସାଧାରଣତଃ ଆମ ଗାଁକୁ ଫେରିଯାଉ ଯେତେବେଳେ ଆମ ପାଇଁ ପରିଶ୍ରମ ଆଉ ଏଠାରେ ଆବଶ୍ୟକ ନାହିଁ କିମ୍ବା କ୍ଷେତରେ କୌଣସି କାମ ନାହିଁ ।
ମୁଁ ଅନୁଭବ କରୁଛି ଆମେ ବେଙ୍ଗାଲୁରୁରେ ଭଲରେ ଅଛୁ । ଆମେ ହୋସାହାଲ୍ଲିରେ ଯେତିକି ଆୟ କରୁଥିଲୁ ତା’ ଅପେକ୍ଷା ଖୁବ୍ ଅଧିକ ଆୟ କରୁଛୁ । ମୋତେ ଗାଁରେ ସାହୁକାରମାନଙ୍କ ନିକଟରେ ଋଣ ପରିଶୋଧ କରିବାର ଅଛି ଏବଂ ମୋର ସାମ୍ପ୍ରତିକ ଆୟ ସହିତ ମୁଁ ବର୍ତ୍ତମାନ ଗୋଟିଏ ସପ୍ତାହରେ ପ୍ରାୟ ୨୦୦ ଟଙ୍କା ସଞ୍ଚୟ କରିପାରିବି । ମୋର ବିଶ୍ୱାସ ବେଙ୍ଗାଲୁରୁକୁ ଆସିବା ପାଇଁ ମୋର ନିଷ୍ପତ୍ତି ଭଲ ନିଷ୍ପତ୍ତି ଥିଲା । ମୁଁ ଘରକୁ ଯିବାରେ ଅନୁତାପ କରେନି ।
ଛାତ୍ର ସମ୍ବାଦଦାତା: ଓହାନା ସର୍ବୋତ୍ତମ
‘ଆମ ପେଟ ଭରିବା ପାଇଁ ଆମକୁ ପ୍ରତିଦିନ କିଛି କାମ କରିବାକୁ ହେବ’

ବୃତ୍ତି: ନିର୍ମାଣ ଶ୍ରମିକ
ମୁଁ ହନୁମନ୍ତା ୟେଲାହାର । ମୁଁ ବନସ୍ବାଦୀରେ ଏକ ନିର୍ମାଣ ସ୍ଥଳରେ ଇଟା, ପଥର ଏବଂ ସିମେଣ୍ଟ ଉଠାଇବାଠାରୁ ଆରମ୍ଭ କରି ସଫା କରିବା ଏବଂ ସଜାଡ଼ିବା ପର୍ଯ୍ୟନ୍ତ ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ କରେ। ମୋର ବୟସ ୩୨ ବର୍ଷ, ଏବଂ ମୁଁ କର୍ଣ୍ଣାଟକର ୟାଦ୍ଗିର୍ ଜିଲ୍ଲାରୁ ଆସିଛି । ମୁଁ ବେଙ୍ଗାଲୁରୁର କସ୍ତୁରୀନଗରଠାରେ ଗତ ଚାରି ବର୍ଷ ହେବ ରହିଆସୁଛି । ମୋର ପତ୍ନୀ ଭୂମାମ୍ମା ସେହି ସ୍ଥାନରେ ସେହି ଠିକାଦାର ପାଇଁ ମୋ ସହ କାମ କରନ୍ତି ।
ଆମର ଦୁଇଟି ଝିଅ – ନଅ ବର୍ଷ ବୟସ୍କ ନିର୍ମଳା, ଏବଂ ସାତ ବର୍ଷ ବୟସ୍କ ଐଶ୍ୱର୍ଯ୍ୟା ଏବଂ ଗୋଟିଏ ଦୁଇ ବର୍ଷର ପୁଅ ସନ୍ଦୀପ ଅଛନ୍ତି । ମୋର ଦୁଇ ଝିଅ ମୋ ଗାଁରେ ମୋ ମାଆଙ୍କ ପାଖରେ ରୁହନ୍ତି ଏବଂ ସେଠାରେ ସରକାରୀ ସ୍କୁଲ୍ରେ ପାଠ ପଢ଼ନ୍ତି, ଏବଂ ମୋ ପୁଅ ଏଠାରେ ଆମ ସହିତ ରୁହେ ।
ଘରେ ଆମର ଦୁଇଟି ଗାଈ ଥିଲେ ଏବଂ ଆମେ ଆମର ଦୁଇ ଏକରରେ ଡାଲି ଚାଷ କରୁ । ମୋ ମାଆ ମୋ ଝିଅମାନଙ୍କ ସହ ଯେଉଁଠାରେ ରହୁଛନ୍ତି ସେଠାରେ ତାଙ୍କର ଏକ ଏକର ଜମି ଅଛି । ମୋ ୭ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ରେ ପାଠ ପଢ଼ିଛି ଏବଂ କନ୍ନଡ଼ ଭାଷା ପଢ଼ିପାରେ, ଲେଖିପାରେ ଓ କହିପାରେ, ଏବଂ କିଛି ଇଂରାଜୀ ଅକ୍ଷର ଚିହ୍ନି ପାରେ । ମୋ ବାପା ମରିଯିବା ପରେ ମୋ ପାଠ ପଢ଼ା ଛାଡ଼ିଲି ଏବଂ କୃଷି ଶ୍ରମିକ ଭାବରେ କାମ କରିବା ଆରମ୍ଭ କଲି । ଏହି କାମ ମୋ ପାଇଁ କଷ୍ଟକର ଥିଲା କିନ୍ତୁ ମୋର କୌଣସି ବିକଳ୍ପ ନଥିଲା । ଯେତେବେଳେ ବର୍ଷା ହେଉନଥିଲା ଏବଂ ମୁଁ ଫସଲରେ ମୋର ସବୁ ଟଙ୍କା ହରାଇଲି, ମୁଁ କାମର ସନ୍ଧାନରେ ବେଙ୍ଗାଲୁରୁ ଆସିଥିଲି ।
ନିର୍ମାଣ ସ୍ଥଳରେ ମୋର ସମୟ ହେଉଛି ସପ୍ତାହରେ ଛଅ ଦିନ ସକାଳ ୯ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ, ରବିବାର ମୋର ସପ୍ତାହିକ ଛୁଟି ଦିନ । ମୁଁ ଦିନକୁ ୫୦୦ ଟଙ୍କା ଏବଂ ମୋ ପତ୍ନୀ ଦିନକୁ ୩୫୦ ଟଙ୍କା ରୋଜଗାର କରନ୍ତି । ଆମ ରୋଜଗାରରୁ ଆମେ ମୋ ମାଆଙ୍କ ପାଖକୁ ଟଙ୍କା ପଠାଉ ଏବଂ ମୋ ମାଆଙ୍କ ଘରେ ବିଦ୍ୟୁତ୍ ପାଇଁ ୫୦୦ ଟଙ୍କା ଦେଉ ।

ଗାଁରେ ମୋ ଭାଗ ଜମିରେ ମୋର ଜଣେ ସମ୍ପର୍କୀୟଙ୍କଠାରୁ ଋଣ ଆଣି ପ୍ରାୟ ୬ ଲକ୍ଷ ଟଙ୍କା ବ୍ୟୟରେ ଗୋଟିଏ ଘର ତିଆରି କରିଛି; ମୋର ଏ ପର୍ଯ୍ୟନ୍ତ ୪ ଲକ୍ଷ ଟଙ୍କାର ଉଧାର ପରିଶୋଧ ହେବା ପାଇଁ ଅଛି । ମୁଁ ପ୍ରତି ବର୍ଷ ମୋ ଋଣର ସୁଧ ଭାବରେ ୩୬,୦୦୦ ଟଙ୍କା ପରିଶୋଧ କରିବା ଆବଶ୍ୟକ ଏବଂ ମୁଁ ଏବେ ଜମି ଭାଗ ଦେଇଛି । ମୁଁ ଫେରିଯାଇ ମୋ ଗାଁରେ କାମ କରିପାରିବି ନାହିଁ, କାରଣ ସେଠାରେ କାମ କରିବା ପାଇଁ କୌଣସି ଅଟ୍ଟାଳିକା କିମ୍ବା ନିର୍ମାଣ ସ୍ଥଳ ନାହିଁ ଏବଂ ସେଠାରେ ମୋ ପାଇଁ ଅନ୍ୟ କୌଣସି କାମ ସୁଯୋଗ ମଧ୍ୟ ନାହିଁ । ମୋ ଗାଁ ମୁଖ୍ୟତଃ ପାହାଡ଼ ଏବଂ ଜଙ୍ଗଲରେ ପରିପୂର୍ଣ୍ଣ ।
ସହରରେ, ଆମକୁ ପେଟ ଭର୍ତ୍ତି କରିବା ପାଇଁ ପ୍ରତିଦିନ କାମ କରିବା ଆବଶ୍ୟକ ହୁଏ । ଏଠାରେ ମୋ ଭାଇ ଏବଂ ତା’ ପରିବାର ବ୍ୟତୀତ ମୋର କୌଣସି ବନ୍ଧୁ କିମ୍ବା ସମ୍ପର୍କୀୟ ନାହାଁନ୍ତି । ମୋ ଭାଇ ୟେଲାହଙ୍କାରେ ରୁହନ୍ତି ଯେଉଁଠାରେ ସେ ଏକ କଲେଜ୍ର ସୁରକ୍ଷା କର୍ମଚାରୀ ଭାବରେ କାମ କରନ୍ତି । ସେ ମଧ୍ୟ ଫସଲ ନଷ୍ଟ ହେବା ପରେ ସହରକୁ ଚାଲି ଆସିଥିଲେ ।
ମୁଁ ବେଙ୍ଗାଲୁରୁରେ ଗୋଟିଏ ଭଡ଼ା ଘରେ ରହିଲି ଏବଂ ମାସିକ ଭଡ଼ା ଭାବରେ ୨,୫୦୦ ଟଙ୍କା ଦେଇଥାଏ । ଏହି ଘରେ, ଉପଯୁକ୍ତ ପାଣି କିମ୍ବା ବିଦ୍ୟୁତ୍ ଯୋଗାଣ ନାହିଁ ତେଣୁ ଆମକୁ ଆମ ପଡ଼ୋଶୀମାନଙ୍କଠାରୁ ପାଣି ଧାରେ ଆଣିବାକୁ ହୋଇଥାଏ । ଆମେ ଗୋଟିଏ ସପ୍ତାହରେ ଖାଇବାରେ ପ୍ରାୟ ୧,୫୦୦ ଟଙ୍କା ଖର୍ଚ୍ଚ କରୁ ଏବଂ ଏହା ବ୍ୟତୀତ ଆମର ଚିକିତ୍ସା, ଯାତାୟତ, ଋଣ ପରିଶୋଧ ଏବଂ ଆହୁରି ଅନେକ ଖର୍ଚ୍ଚ ରହିଛି । ଆମର ସମସ୍ତ ଖର୍ଚ୍ଚ ପରେ ଭବିଷ୍ୟତ ପାଇଁ ସଞ୍ଚୟ କରିବା ନିମନ୍ତେ ପ୍ରାୟ କିଛି ବଳେ ନାହିଁ । ଆମେ ଗୋଟିଏ ଦିନ ଛୁଟି ନେବା ସହି ପାରିବୁ ନାହିଁ କାରଣ ଏହାର ଅର୍ଥ ହେବ ଆମର ଦୈନିକ ମଜୁରୀ ହରାଇବା ।
ଛାତ୍ର ସମ୍ବାଦଦାତା: ତେଜସ୍ ଔଦିତ୍ୟ
‘ମୋ ଜମି ଅନୁର୍ବର ହୋଇଗଲା’
ମୋର ନାମ ହେଉଛି ରେରାଜୁ । ମୋର ବୟସ ୪୯ ବର୍ଷ ଏବଂ ମୁଁ ଦକ୍ଷିଣ ବେଙ୍ଗାଲୁରୁର ଉତ୍ତରହାଲିରେ ବାସ କରେ । ମୁଁ ଉଭୟ ସିଭିଲ୍ ଏବଂ ସିମେଣ୍ଟ୍ କାମ କରେ । ମୋ କାମ ପରିସରରେ ରାସ୍ତା ଏବଂ ଘର ତିଆରିଠାରୁ ଗଭୀର କୂପ ଖୋଳିବା ପର୍ଯ୍ୟନ୍ତ ଆସିଥାଏ । ମୁଁ ସିମେଣ୍ଟ୍ ରୋଡ୍ ତିଆରି କରେ, ବର୍ଷା ଜଳ ଅମଳ କୁଣ୍ଡ ଖୋଳେ ଏବଂ ଘର ପାଇଁ ମୂଳଦୁଆ ପକାଏ । ମୁଁ ଦିନକୁ ପ୍ରାୟ ଆଠରୁ ନଅ ଘଣ୍ଟା କାମ କରେ, ରବିବାର ମୋର ସାପ୍ତାହିକ ଛୁଟି ଦିନ । ମୁଁ ମୋ ପରିବାରର ଏକ ମାତ୍ର ରୋଜଗାରିଆ ସଦସ୍ୟ ।

ମୋତେ ମାତ୍ର ୧୪ ବର୍ଷ ବୟସ ହୋଇଥିବା ବେଳେ ୩୫ ବର୍ଷ ତଳେ ଏହି ଉଦ୍ୟୋଗରେ କାମ କରିବା ଆରମ୍ଭ କରିଥିଲି । ମୁଁ ଯେତେବେଳେ କାମ ଆରମ୍ଭ କଲି ମୁଁ ଦିନକୁ ପ୍ରାୟ ୫୦ରୁ ୧୦୦ ଟଙ୍କା ରୋଜଗାର କରୁଥିଲି, କିନ୍ତୁ ଏବେ ମୁଁ କାମର ପ୍ରକାର ଉପରେ ନିର୍ଭର କରି ଦିନକୁ ପ୍ରାୟ ୮୦୦ରୁ ୧୦୦୦ ଟଙ୍କା ଉପାର୍ଜନ କରୁଛି । ଆମ ସହିତ କାମ କରୁଥିବା ମହିଳାମାନେ ସାଧାରଣତଃ ଦିନକୁ ୪୦୦ରୁ ୫୦୦ ଟଙ୍କା ରୋଜଗାର କରନ୍ତି । ଉଭୟ ପୁରୁଷ ଏବଂ ମହିଳାମାନେ ମିସ୍ତ୍ରୀ କାମ କରନ୍ତି ଏବଂ ଆମେ ମାସିକ ବଦଳରେ ଦୈନିକ ଆଧାରରେ ଆମ ମଜୁରୀ ପାଇଥାଉ ।
ମୋ ପିତାମାତା ମଧ୍ୟ ଏହି କାମ କରୁଥିଲେ। ଏହି କ୍ଷେତ୍ରକୁ ଆସିବା ପୂର୍ବରୁ ଆମେ ଚାଷ ଜମିରେ ଧାନ ଚାଷ କରୁଥିଲୁ । ଆବଶ୍ୟକ ପରିମାଣର ବୃଷ୍ଟି ଅଭାବରୁ ଆମ ଜମି ଶୁଖିଲା ହୋଇଗଲା, ଏବଂ ଆମକୁ ଜମି ତ୍ୟାଗ କରିବାକୁ ଏବଂ ସହରାଞ୍ଚଳକୁ କାମ ପାଇବା ପାଇଁ ଆସିବାକୁ ହୋଇଥିଲା । ଆମକୁ ଚାଷରୁ ଯଥେଷ୍ଟ ଅର୍ଥ ମିଳୁନଥିଲା ଏବଂ କେହି ଆମକୁ ସାହାଯ୍ୟ କରିନଥିଲେ । ଏଠାରେ ମଧ୍ୟ କାମ ଅନିୟମିତ, କିନ୍ତୁ ସହରାଞ୍ଚଳରେ କାମ କରିବା ଗାଁରେ କାମ କରିବା ତୁଳନାରେ ଅଧିକ ଆୟ ଦେଇଥାଏ ।
ମୁଁ ମୂଳତଃ ଆନ୍ଧ୍ରପ୍ରଦେଶର ଚିତ୍ତୁର ଜିଲ୍ଲାର କୁପ୍ପମ୍ରେ ଥିବା ଗୋନୁଗୁର ଗ୍ରାମରୁ ଆସିଛି । ଏହା ବେଙ୍ଗାଲୁରୁଠାରୁ ପ୍ରାୟ ୧୦୫ କିଲୋମିଟର ଦୂର । ମୁଁ କେବଳ ପର୍ବପର୍ବାଣୀ ପାଳନ କରିବା ପାଇଁ କିମ୍ବା ବିଶେଷ ଅବସରରେ ଯୋଗ ଦେବା ପାଇଁ ଗାଁକୁ ଯାଇଥାଏ । ଘରକୁ ଯିବା ପାଇଁ ମୋ ପରିବାର ଏବଂ ମୁଁ ସାଧାରଣତଃ ଟ୍ରେନ୍ରେ ଯାତ୍ରା କରୁ । ପାସେଞ୍ଜର୍ ଟ୍ରେନ୍ ଯିବା କିମ୍ବା ଆସିବା ପାଇଁ ତିନି ଘଣ୍ଟା ସମୟ ଏବଂ ବ୍ୟକ୍ତି ପିଛା ପ୍ରାୟ ୨୫ ଟଙ୍କା ନେଇଥାଏ । ଏକ୍ସପ୍ରେସ୍ ଟ୍ରେନ୍ ପ୍ରାୟ ଅଧା ସମୟ ନେଇଥାଏ ଏବଂ ବ୍ୟକ୍ତି ପିଛା ପ୍ରାୟ ୫୦ରୁ ୬୫ ଟଙ୍କା ବ୍ୟୟ ହୋଇଥାଏ ।
ମୋର ଏ ପର୍ଯ୍ୟନ୍ତ ଗାଁରେ ପ୍ରାୟ ଦୁଇ ଏକର ଜମି ଅଛି କିନ୍ତୁ ବର୍ଷା ଅଭାବରୁ ତାହା ଅନୁର୍ବର ହୋଇଗଲା । କେହି ଏହାର ଯତ୍ନ ନିଅନ୍ତି ନାହିଁ ଏବଂ ସେହିପରି ଅଛି, କିନ୍ତୁ ଏହାର କୌଣସି ଉପଯୋଗ ନାହିଁ । ମୋ ପିତାମାତାଙ୍କର ମୃତ୍ୟୁ ଘଟିଛି ଏବଂ ମୁଁ ମୋ ପତ୍ନୀ ଏବଂ ପିଲାମାନଙ୍କ ସହ ରହୁଛି । ମୋ ପୁଅ ୨୩ ବର୍ଷ ବୟସର ଏବଂ ହୋଟେଲ୍ ମ୍ୟାନେଜମେଣ୍ଟ୍ ପଢ଼ୁଛି ଓ ମୋ ଝିଅ ୧୪ ବର୍ଷ ବୟସ୍କ ଏବଂ ୧୦ମ ଶ୍ରେଣୀରେ ପଢ଼ୁଛି । ମୋ ପିଲାମାନେ ଏହି କ୍ଷେତ୍ରକୁ ଆସିବା ମୁଁ ଚାହେଁ ନାହିଁ । ସେମାନେ ଜୀବନରେ କ’ଣ କରିବେ ତାହା ଭାଗ୍ୟ ନିଷ୍ପତ୍ତି ନେବ ।
ଛାତ୍ର ସମ୍ବାଦଦାତା: ନିତ୍ୟ ଆନନ୍ଦ ରାଜ ଏବଂ ଅର୍ଣ୍ଣବ ଏସ୍.
Editor's note
ସମ୍ବାଦଦାତାମାନଙ୍କ ସମ୍ପର୍କରେ ପରିକୁ ପାଠ୍ୟକ୍ରମକୁ ଆଣିଥିବା ପ୍ରଥମ ସ୍କୁଲ୍ଗୁଡ଼ିକ ମଧ୍ୟରୁ ଅନ୍ୟତମ, ସେଣ୍ଟ୍ ଜୋସେଫ୍ ବଏଜ୍ ହାଇ ସ୍କୁଲ୍, ବେଙ୍ଗାଲୁରୁ ସହରରେ ପ୍ରବାସୀମାନଙ୍କର ଜୀବନର ଦଲିଲ୍କରଣ ନିମନ୍ତେ ପରି ସହିତ କାମ କରିଆସୁଛି । ଏହା ଦ୍ୱିତୀୟ ବର୍ଷ ପାଇଁ ଯେ ୧୧ ଶ୍ରେଣୀର ଛାତ୍ରଛାତ୍ରୀମାନେ ସେମାନଙ୍କ ଚାରିପାଖରେ ଥିବା ପ୍ରବାସୀମାନଙ୍କୁ ଚିହ୍ନିବା, ସାକ୍ଷାତକାର ନେବା ଏବଂ ଦଲିଲ୍କରଣ କରିବା ପାଇଁ କାର୍ଯ୍ୟ କ୍ଷେତ୍ରକୁ ଯାଇଛନ୍ତି, ନିର୍ମାଣ ଶ୍ରମିକମାନଙ୍କ ଉପରେ ବିଶେଷ ଗୁରୁତ୍ୱ ସହିତ । ଅନ୍ୟମାନଙ୍କ ପାଖରେ ପହଞ୍ଚିବା ହେଉଛି ଏହି ଜେସୁଇଟ୍ ସ୍କୁଲ୍ର ଶୈକ୍ଷଣୀୟ ଘୋଷଣାନାମାର ଅଂଶ ଏବଂ ପରି ମୌଳିକ ସମ୍ବାଦ ସଂଗ୍ରହ ଦିଶା ନିର୍ଦ୍ଦେଶ, ସମୀକ୍ଷା ଏବଂ ସମ୍ପାଦନରେ ସାହାଯ୍ୟ କରିଛି ।
ସଚିତ୍ର ବ୍ୟାଖ୍ୟାକାରୀଙ୍କ ସମ୍ପର୍କରେ ଅନ୍ତରା ରମଣ ହେଉଛନ୍ତି ଜଣେ ସଚିତ୍ର ବ୍ୟାଖ୍ୟାକାର ଏବଂ ୱେବ୍ ପେଜ୍ ଡିଜାଇନର୍, ତାଙ୍କର ସାମାଜିକ ପ୍ରକ୍ରିୟା ଓ ଧାର୍ମିକ ଇତିହାସରେ ଏକ ଗଭୀର ଆଗ୍ରହ ରହିଛି । ବେଙ୍ଗାଲୁରୁସ୍ଥିତ ସୃଷ୍ଟି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆର୍ଟ, ଡିଜାଇନ୍ ଆଣ୍ଡ୍ ଟେକ୍ନୋଲୋଜିର ଜଣେ ସ୍ନାତକ ହୋଇଥିବା ଅନ୍ତରା ବିଶ୍ୱାସ କରନ୍ତି ଯେ କାହାଣୀ କଥନର ଦୁନିଆ ଏବଂ ସଚିତ୍ର ବର୍ଣ୍ଣନା ପରସ୍ପର ସହଯୋଗୀ । ଏହି ସିରିଜ୍ରୁ ଅଧିକ ପଢ଼ନ୍ତୁ, ପ୍ରବାସୀମାନଙ୍କର ଜୀବନ ବୃତ୍ତାନ୍ତ: ଆଶାର ଯାତ୍ରା – ଭାଗ ୧ ପ୍ରବାସୀମାନଙ୍କର ଜୀବନ ବୃତ୍ତାନ୍ତ: ଆଶାର ଯାତ୍ରା – ଭାଗ ୨ ପ୍ରବାସୀମାନଙ୍କର ଜୀବନ ବୃତ୍ତାନ୍ତ: ଆଶାର ଯାତ୍ରା – ଭାଗ ୩ ପ୍ରବାସୀମାନଙ୍କର ଜୀବନ ବୃତ୍ତାନ୍ତ: ଆଶାର ଯାତ୍ରା – ଭାଗ ୪ ପ୍ରବାସୀମାନଙ୍କର ଜୀବନ ବୃତ୍ତାନ୍ତ: ଆଶାର ଯାତ୍ରା – ଭାଗ ୫
ଅନୁବାଦ: ଓଡ଼ିଶାଲାଇଭ୍ ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।