ବେଙ୍ଗାଲୁରୁ ନଗରୀରେ ନିର୍ମାଣ ଶିଳ୍ପର କାୟାବିସ୍ତାର ଯୋଗୁଁ ବହୁସଂଖ୍ୟକ ପ୍ରବାସୀ ଏହି ନଗରୀ ପ୍ରତି ଆକର୍ଷିତ ହେଉଛନ୍ତି । ବେଙ୍ଗାଲୁରୁର ସେଣ୍ଟ ଜୋସେଫସ୍ ବୟଜ୍ ହାଇସ୍କୁଲର ୧୧ଶ ଶ୍ରେଣୀ ଛାତ୍ରମାନେ, ୨୦୧୯-୨୦୨୦ ମସିହା ପାଇଁ ସେମାନଙ୍କର ଅର୍ଥନୀତି ପ୍ରକଳ୍ପର ଅଂଶବିଶେଷ ଭାବରେ, ସହରର କେତେକ ନିର୍ମାଣ ଶ୍ରମିକଙ୍କ ସହ ସାକ୍ଷାତକାର କରିଥିଲେ । ନିର୍ମାଣ ଶ୍ରମିକ, ରାଜମିସ୍ତ୍ରୀ, ଟାଇଲ ମିସ୍ତ୍ରୀ ଭଳି ଆହୁରି ଅନେକ କାମ ସନ୍ଧାନରେ ଭାରତର ବିଭିନ୍ନ ଗାଁରୁ ଆସିଥିବା ଏହି ପୁରୁଷ ଓ ମହିଳାମାନଙ୍କ ଜୀବନ ବୃତ୍ତାନ୍ତକୁ ନଥିଭୁକ୍ତ କରିବା ପାଇଁ ଏହି ଛାତ୍ରମାନେ‘PARI ଏଜୁକେସନ’ ସହିତ କାର୍ଯ୍ୟ କରିଥିଲେ ।
ଲେଖାଗୁଡ଼ିକର ଏହି ସମାହାରରେ ଆମେ ସେଇ ପାଞ୍ଚ ଜଣ ପ୍ରବାସୀଙ୍କ ଜୀବନ ଯାତ୍ରା ସଂପର୍କରେ ଜାଣିବା, ଯେଉଁମାନେ କି ସୁଦୂର ପଶ୍ଚିମ ବଙ୍ଗର କୁଚବେହାରରୁ ଆରମ୍ଭ କରି ତାମିଲନାଡୁର ବିଲୁପୁରମ୍ ଭଳି ବିଭିନ୍ନ ସ୍ଥାନରୁ ଏଠାକୁ ଆସିଥିଲେ । ସେମାନଙ୍କ ମଧ୍ୟରୁ କେତେକ ଅତୀତର ସ୍ଥାନ ଓ ପାତ୍ରମାନଙ୍କୁ ପୁଣି ଫେରି ପାଇବାକୁ ଇଚ୍ଛାପ୍ରକାଶ କରୁଥିବା ବେଳେ ଅନ୍ୟ କେତେକ ନିଜ ନିଜର ପିଲାମାନଙ୍କ ଜୀବନକୁ ସରସ ସୁନ୍ଦର କରିବା ପାଇଁ ହିଁ ଅହରହ ପରିଶ୍ରମ କରି ଚାଲିଛନ୍ତି ।

‘ପ୍ଲାଷ୍ଟିକ ଶିଟ୍ରେ ତିଆରି ଏକ ତମ୍ବୁରେ ମୁଁ ରହେ’ ହେଉଛି ଶ୍ୟାମ ଘନଶ୍ୟାମଙ୍କ ଜୀବନ କାହାଣୀ, ଯିଏ କି ପଶ୍ଚିମ ବଙ୍ଗରେ ବିନାଶକାରୀ ବନ୍ୟା ପରେ ନିଜ ପରିବାରକୁ ଆହାର ଯୋଗାଇବା ପାଇଁ ଘର ଛାଡ଼ିଥିଲେ; ସେ ଆଶା କରନ୍ତି ଯେ, ସେ ନିଜେ ଯେଉଁ ଶିକ୍ଷାଲାଭର ସୌଭାଗ୍ୟ ପାଇନାହାନ୍ତି, ତାଙ୍କ ପିଲାମାନଙ୍କୁ ସେହିଭଳି ଉତ୍ତମ ଶିକ୍ଷା ମିଳୁ ।
‘ମୋ ହାତ ବିନ୍ଧେ, ମୋ ଗଳାରେ ଯନ୍ତ୍ରଣା ହୁଏ, ମୋର ଆଖି ପୋଡ଼େ’ ହେଉଛି ୫୭ ବର୍ଷ ବୟସ୍କ ସୁଲାଇଙ୍କ କାହାଣୀ, ଯିଏ କି ତାଙ୍କ ବୟସ୍କା ମାଆଙ୍କ ପାଇଁ ଚିନ୍ତିତ ଏବଂ ତାଙ୍କ ଗାଁ ବିଲୁପୁରମ୍ରେ ଆୟୋଜିତ ହେଉଥିବା ଆକର୍ଷଣୀୟ ପୋଙ୍ଗଲ ଉତ୍ସବକୁ ଝୁରି ହୁଅନ୍ତି ।
‘ମୋର ମୋ ପରିବାର କଥା ମନେ ପଡ଼େ’ଲେଖାରେ, ପଶ୍ଚିମ ବଙ୍ଗର କୁଚ୍ବେହାର ଜିଲ୍ଲାରେ ରହୁଥିବା ନିଜ ଛୋଟ ଛୋଟ ପିଲାମାନଙ୍କ କଥା ଭାବନ୍ତି ନାରାୟଣ ଚନ୍ଦ୍ର ମଣ୍ଡଳ, ଯିଏ କି ସୁଦୂର ବେଙ୍ଗାଲୁରୁର ଏଜିପୁରାରେ ଜୀବିକା ଅର୍ଜନ କରନ୍ତି ଏବଂ ସେହିଠାରେ ହିଁ ସେ ଏକାକୀ ରହନ୍ତି ।
‘ସତେ ମୁଁ ପୁଣି ଅତୀତକୁ ଫେରିଯାଇ ପାରନ୍ତି କି’ ହେଉଛି ଶ୍ରୀମଲ ବର୍ମନଙ୍କ କାହାଣୀ, ଯାହାଙ୍କର ମିଠା ତିଆରି କରିବାକୁ ପ୍ରବଳ ଆଗ୍ରହ ରହିଛି ସତ, ହେଲେ ଅଧିକ ରୋଜଗାର କରିବା ପାଇଁ ସେ ନିଜ ସ୍ଵପ୍ନକୁ ଜଳାଞ୍ଜଳି ଦେଇ ଗୃହ ନିର୍ମାଣ କାମ କରୁଛନ୍ତି ।
‘ମୋର ସବୁ ପୁରୁଣା ଋଣ ଶୁଝିଗଲାଣି’ଲେଖାରେ ରାଘବନ କହନ୍ତି ଯେ ସେ ତାଙ୍କ ନିତିଦିନିଆ କାମରେ ମନୋନିବେଶ କରନ୍ତି, ହେଲେ ତାଙ୍କ ନାତିନାତୁଣୀମାନେ ବଡ଼ ହୋଇ ସୁଖରେ ଜୀବନଯାପନ କରୁଥିବା ଦେଖିବାକୁ ଅପେକ୍ଷା କରିଛନ୍ତି ।
‘ପ୍ଲାଷ୍ଟିକ୍ ଶିଟ୍ରେ ତିଆରି ଏକ ତମ୍ବୁରେ ମୁଁ ରହେ’
ମୋ ନାଁ ଶ୍ୟାମ ଘନଶ୍ୟାମ । ମୋର ବୟସ ୨୯ ବର୍ଷ । ପଶ୍ଚିମ ବଙ୍ଗର ମେଦିନୀପୁର ନାମକ ଏକ ଜିଲ୍ଲାରେ ମୁଁ ବଢ଼ିଛି ଏବଂ ତାହା ହିଁ ମୋର ଜନ୍ମସ୍ଥାନ । ମୋ ବାପା ତାଙ୍କ ଜୀବନ ଯାକର ସଞ୍ଚିତ ଅର୍ଥରେ ତିଆରି କରିଥିବା ଏକ ଘରେ ଆମେ ରହୁଥିଲୁ । କିନ୍ତୁ ୨୦୦୮ରେ ପଶ୍ଚିମ ବଙ୍ଗରେ ହୋଇଥିବା ଭୟାବହ ବନ୍ୟାରେ ଆମ ଘର ଓ ଚାଷଜମିର ଏକ ବଡ଼ ଭାଗ ଭାସିଗଲା । ତଥାପି ଆମର, ପାଖାପାଖି ଗୋଟିଏ ଏକରର ଚାରି ଭାଗରୁ ଭାଗେ ଭଳି, ଛୋଟିଆ ଜମିଟିଏ ଅଛି । ଆମେ ସେଥିରେ କିଛି ପରିବାପତ୍ର ଚାଷ କରୁ, କିନ୍ତୁ ଏଥିରୁ କିଛି ଲାଭ ମିଳେନାହିଁ । କାରଣ, ଖୁବ୍ କମ୍ ପରିବା ଅମଳ ହୁଏ ଏବଂ ଆମେ ଏହାକୁ ଘରେ ବ୍ୟବହାର କରୁ । ଆମର ନୂଆ ଘରଟି ଖୁବ୍ ଛୋଟ । ବନ୍ୟା ସହାୟତା ବାବଦରେ ମିଳିଥିବା ୧୪,୦୦୦ ଟଙ୍କା ଲଗାଇ ଏହାକୁ ତିଆରି କରାଯାଇଥିଲା ।

ପେସା: ନିର୍ମାଣ ଶ୍ରମିକ
ମୁଁ କେନ୍ଦ୍ରୀୟ ବେଙ୍ଗାଲୁରୁରେ ଅବସ୍ଥିତ ବେଙ୍ଗାଲୁରୁର ଏକ ନିର୍ମାଣ ସ୍ଥଳରେ କାମ କରେ । ମୋ କାମକୁ କୁହାଯାଏ- ଫାଇଲ ଫର୍ମିଂ, କୌଣସି ଏକ କୋଠାର ସଂପୂର୍ଣ୍ଣ ଭିତ୍ତି ମୁଁ ସ୍ଥାପନ କରେ । ମୋତେ ଫାଇଲ୍ ଫର୍ମିଂ କରୁଥିବା ଏକ ବଡ଼ ଗାଡ଼ିରେ ବସି ରହିବାକୁ ହୁଏ ।
ଅନ୍ୟ ଯେ କୌଣସି କିଶୋରଙ୍କ ଭଳି ପ୍ରଥମେ ମୁଁ ବଙ୍ଗଳାର ଆମ ଘରେ ରହୁଥିଲି । ମୋତେ ୨୧ ବର୍ଷ ବୟସ ହୋଇଥିବା ସମୟରେ ମୁଁ ଫର୍ମ ଫାଇଲିଂ ବିଷୟରେ ଜଣେ ବନ୍ଧୁଙ୍କ ପାଖରୁ ଶୁଣିଥିଲି । କିନ୍ତୁ ମୁଁ ଏହାକୁ ସେତେ ଗୁରୁତ୍ଵର ସହିତ ବିଚାର କରି ନଥିଲି ଏବଂ ଆଗକୁ ଆହୁରି ପାଠ ପଢ଼ିବି ବୋଲି ଭାବିଥିଲି । ମୁଁ ଯେତେବେଳେ ଦେଖିଲି ଯେ, ମୋ ପରିବାର ଦିନକୁ ଦୁଇବେଳା ଖାଦ୍ୟ ଯୋଗାଡ଼ କରିବାରେ ଅକ୍ଷମ, ସେତେବେଳେ ମୁଁ କାମ କରିବାକୁ ସ୍ଥିର କଲି । ମୋ ଭଉଣୀର ବାହାଘର ପାଖେଇ ଆସୁଥିଲା ଏବଂ ଅତି ଶୀଘ୍ର ଆମର ଟଙ୍କା ଦରକାର ହେଉଥିଲା । ଘରର ବଡ଼ପୁଅ ଭାବରେ ମୋତେ ଯେ କୌଣସି ଉପାୟରେ ପରିବାରକୁ ସାହାଯ୍ୟ କରିବାକୁ ପଡ଼ିଲା । ମୋ ରୋଜଗାର ଉପରେ ମୋ ପରିବାର ନିର୍ଭର କରେ ।
ପ୍ରଥମେ ୨୩ ବର୍ଷ ବୟସରେ ମୁଁ ଯେତେବେଳେ ପଶ୍ଚିମ ବଙ୍ଗରେ କାମ ଆରମ୍ଭ କଲି ସେତେବେଳେ ସେଠାକାର ସୁପରଭାଇଜରଙ୍କ କାମ ଦେଖି ଦେଖି ମୁଁ କେମିତି ଫର୍ମ ଫାଇଲିଂ କରିବାକୁ ହୁଏ ଶିଖିଲି । ସେ ସମୟରେ ମୁଁ ଦିନକୁ ମାତ୍ର ୨୦୦ ଟଙ୍କା ରୋଜଗାର କରୁଥିଲି । ତା ପରେ ମୁଁ ଓଡ଼ିଶା ଗଲି ଏବଂ ସେଠାରେ ଦିନକୁ ୩୫୦ ଟଙ୍କା ରୋଜଗାର କଲି । ବେଙ୍ଗାଲୁରୁରେ ମୁଁ ଦିନକୁ ୬୦୦ ଟଙ୍କା ରୋଜଗାର କରୁଛି। ଯାହାକି ମୋ ପୂର୍ବ ରୋଜଗାରର ପ୍ରାୟ ଦୁଇ ଗୁଣ ଏବଂ ଏଥିରେ ମୋର ଜୀବନଯାପନ ସହଜ ହୋଇଯାଇଛି ।
ମୁଁ ଓ ମୋ ସାଥୀ ଶ୍ରମିକମାନେ ନିର୍ମାଣ ସ୍ଥଳରେ ହିଁ ପ୍ଲାଷ୍ଟିକ୍ ଶିଟ୍ରେ ତିଆରି ଗୋଟିଏ ତମ୍ବୁରେ ରହୁ । ସେମାନଙ୍କ ମଧ୍ୟରୁ ଜଣେ ରୋଷେଇବାସ କରନ୍ତି । ଆମକୁ ରବିବାର ଓ ସାର୍ବଜନୀନ ଛୁଟିଦିନରେ କାମରୁ ବିରତି ମିଳେ ।
ମୋ ସ୍ତ୍ରୀ ଓ ତିନି ବର୍ଷର ଝିଅ ମେଦିନୀପୁରରେ ରହନ୍ତି । ୫୯ ବର୍ଷ ବୟସ୍କ ମୋର ବାପା ଆମ ଜମିର ଦେଖାରଖା କରନ୍ତି । ସାଧାରଣତଃ ମୁଁ ବର୍ଷକୁ ଦୁଇ ଥର ଘରକୁ ଯାଇଥାଏ । କିନ୍ତୁ ଜରୁରୀ ହେଲେ ଆଉ ଅଧିକ ଥର ଯାଇଥାଏ । ଦୁଇ ମାସ ତଳେ ଯେତେବେଳେ ମୋ ଝିଅର ଦେହ ଖରାପ ହେଲା, ତାକୁ ଦେଖିବା ଲାଗି ମୋତେ ଯିବାକୁ ପଡ଼ିଲା । ଆମ ନିଜ ସହର ବେଙ୍ଗାଲୁରୁରୁ୧,୭୮୦ କିଲୋମିଟର ଦୂର । ସାଧାରଣତଃ ମୁଁ ଏଠାରୁ ଟ୍ରେନ୍ରେ କୋଲକାତା ଯାଏ ଏବଂ କୋଲକାତାରୁ ମେଦିନୀପୁରକୁ ବସ୍ରେ ଯାଏ, ଯାହାକି ଚାରି ଘଣ୍ଟାର ବାଟ । ଘରେ ପହଞ୍ଚିବା ଲାଗି ମୋତେ ପ୍ରାୟ ୩,୦୦୦ରୁ ୩,୫୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ ।
ମୁଁ ଚାହୁଁଛି ମୋ ଝିଅ ଭଲ ଶିକ୍ଷାଲାଭ କରୁ ଏବଂ ଇଞ୍ଜିନିୟର ହେଉ । ମୁଁ ତ ପଢ଼ିପାରିଲିନି, ମୁଁ ଚାହୁଁଛି ସେ ମୋର ପାଠପଢ଼ା ସ୍ଵପ୍ନ ପୂରଣ କରୁ । ମୋ ଜୀବନ ଏକ ସଂଘର୍ଷ ସତ, ହେଲେ ତା’ର ପ୍ରଭାବ ମୋ ପରିବାର ଉପରେ ପଡ଼ିବାକୁ ମୁଁ ଦେବିନି । ମୁଁ କେବଳ ଏତିକି ଚାହୁଁଛି ଯେ ସେମାନେ ଖୁସିରେ ରହନ୍ତୁ ।
ଛାତ୍ର ସାମ୍ବାଦିକ: ଦିନାହ ପରଭୀଜ୍, ଅନନ୍ୟା ରବି ଏବଂ ବାଂଶିକା ହେଗ୍ଡ଼େ
‘ମୋ ହାତ ବିନ୍ଧେ, ମୋ ଗଳାରେ ଯନ୍ତ୍ରଣା ହୁଏ, ମୋ ଆଖି ପୋଡ଼େ’
ଚଳିବା ପାଇଁ ମୁଁ ବାଲି ଉଠାଏ । ବାଲି ଖୋଳିବା ବେଳେ ମୋ ହାତ ବିନ୍ଧେ, ଧୂଳି ଯୋଗୁଁ ମୋ ଗଳାରେ ଯନ୍ତ୍ରଣା ହୁଏ ଏବଂ ମୋ ଆଖି ପୋଡ଼େ । ମୁଁ ଏଇ ବାଲିକୁ ନେଇ ମୋର ସାଥୀ ଶ୍ରମିକଙ୍କୁ ଦିଏ ଏବଂ ସେମାନେ ଏହାକୁ ସଂଗ୍ରହ କରି ନିର୍ମାଣ ସ୍ଥଳର ଗୋଟିଏ କୋଣରେ ଜମା କରନ୍ତି । ଆମେ ଦିନକୁ ଛଅ ଘଣ୍ଟା, ସପ୍ତାହରେ ଛଅ ଦିନ କାମ କରୁ ।

ପେସା: ନିର୍ମାଣ ଶ୍ରମିକ
ମୋ ନାଁ ସୁଲାଇ ଏବଂ ମୁଁ ୫୭ ବର୍ଷ ବୟସର ଜଣେ ନିର୍ମାଣ ଶ୍ରମିକ । କର୍ଣ୍ଣାଟକର ବେଙ୍ଗାଲୁରୁ ଅନ୍ତର୍ଗତ ଆଦର୍ଶ ନଗରର ଏକ ନିର୍ମାଣସ୍ଥଳରେ ମୁଁ କାମ କରେ। ମୁଁ ମୋ ସ୍ତ୍ରୀ, ଭାଇ ଓ ଭାଉଜଙ୍କ ସହିତ ନିର୍ମାଣସ୍ଥଳ ପାଖରୁ ୧୦ ମିନିଟ୍ର ବାଟ ଦୂରରେ ରହେ । ତାମିଲ ନାଡୁର ବିଲୁପୁରମ ଗାଁରୁ ମୁଁ ଏଠାକୁ ଆସିଛି ।
ମୋର ଚାରି ଜଣ ପିଲା ଅଛନ୍ତି, ୧୮ ଓ ୨୨ ବର୍ଷର ଦୁଇଟି ପୁଅ ଏବଂ ୧୨ ଓ ୧୫ ବର୍ଷ ବୟସର ଦୁଇଟି ଝିଅ । ସେମାନେ ମଧ୍ୟ ନିକଟରେ ଥିବା ଆର.ଟି. ନଗରର ଏକ ନିର୍ମାଣ ସ୍ଥଳୀରେ କାମ କରନ୍ତି । ମୋ ବଡ଼ ପୁଅ ୨ୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛି ଏବଂ ଅନ୍ୟ ପିଲାମାନେ କେବେହେଲେ ସ୍କୁଲ ଯାଇନାହାନ୍ତି । ମୁଁ ସେମାନଙ୍କୁ ଗୋଟିଏ ଭଲ ସ୍କୁଲକୁ ପଠାଇବାକୁ ଚାହୁଁଛି, ହେଲେ ଆମେ ସେମାନଙ୍କର ସ୍କୁଲ ଫି’ ଦେବାରେ ଅସମର୍ଥ ଏବଂ ସେଥିପାଇଁ ଆମେ ଆଉ ଅଧିକ ରୋଜଗାର କରିବା ଦରକାର ।
ମୋ ସ୍ତ୍ରୀ ଓ ମୁଁ ଦିନକୁ ୨୩୦ ଟଙ୍କା ଲେଖାଏଁ ରୋଜଗାର କରୁ । ମୁଖ୍ୟତଃ ଆମେ ଏହାକୁ ଖାଦ୍ୟ ଓ ଯିବାଆସିବାରେ ଖର୍ଚ୍ଚ କରୁ । ଏହି ସହରରେ ଚଳିବା ପାଇଁ ଖୁବ ଅଧିକ ଖର୍ଚ୍ଚ ହୁଏ, ଯାହାକି ଆମ ଗାଁ ଭଳି ନୁହେଁ । ମୋ ରୋଜଗାରର କିଛି ଭାଗ ମୁଁ ଗାଁରେ ରହୁଥିବା ମୋ ମାଆଙ୍କ ପାଖକୁ ପଠାଏ । ଆମର କିଛି ହେଲେ ସଞ୍ଚିତ ଅର୍ଥ ନାହିଁ । ବିଲୁପୁରମ ଜିଲ୍ଲାର ବିଲୁପୁରମ ତାଲୁକା ଅନ୍ତର୍ଗତ ମୋ ଗାଁରେ ମୁଁ ଜନ୍ମ ହୋଇଥିଲି ଏବଂ ଜୀବନର ପ୍ରଥମ ୪୦ ବର୍ଷ ସେହିଠାରେ ରହିଛି । ତାମିଲନାଡୁର ଆମ ଗାଁରେ ଗ୍ରୀଷ୍ମ ଋତୁରେ ଖୁବ୍ ଗରମ ହୁଏ । ମୁଁ ଓ ମୋର ବାପାମାଆ ଜଣେ ଜମିଦାରଙ୍କ ଧାନଜମିରେ ଦିନ ମଜୁରିଆ ଭାବରେ କାମ କରୁଥିଲୁ । ମୋ ଭଉଣୀର ବାହାଘର ପାଇଁ ଆମେ ଜମିଦାରଙ୍କ ପାଖରୁ ଋଣ ନେଇଥିଲୁ ।

ଦିନେ, ଗୋଟିଏ କୃଷି ଉପକରଣରେ ଲାଗିଥିବା ଏକ କଳଙ୍କି ଲଗା ଲୁହାକଣ୍ଟାରେ ମୋ ହାତରେ ଆଘାତ ଲାଗିଲା । ଯନ୍ତ୍ରଣା ସତ୍ତ୍ଵେ ମୁଁ ବିଶ୍ରାମ ନେଇପାରି ନଥିଲି । କାରଣ, ସେତେବେଳେ ଅମଳ ଋତୁରେ ବହୁତ କାମ ବାକି ପଡ଼ିଥିଲା ଏବଂ ଆମେ ଠିକ୍ ସମୟରେ କାମ ନ ସାରିଲେ ଜମିଦାର ଆମକୁ ପାଉଣା ଦେଇ ନଥାନ୍ତେ । ଏଥିରୁ ଏକ ଗଭୀର କ୍ଷତ ହୋଇଥିଲା ଏବଂ ଖୁବ ଶୀଘ୍ର ତାହା ସଂକ୍ରମିତ ହୋଇଯାଇଥିଲା । ମୁଁ ଏଠାକାର ଡାକ୍ତରଙ୍କ ପାଖକୁ ଯିବାରୁ ସେ କହିଲେ କି ଏହା ଅନ୍ୟ ଦୁଇଟି ଆଙ୍ଗୁଠିକୁ ମଧ୍ୟ ବ୍ୟାପି ଯାଇଛି ଏବଂ ତିନିଟି ଯାକ ଆଙ୍ଗୁଠି କାଟିଦେବାକୁ ପଡ଼ିବ। ମତେ କାମରୁ ବିରତି ନେବାକୁ ପଡ଼ିଲା । ମୋ ରୋଜଗାର ବିନା, ମୋ ସ୍ତ୍ରୀ ଓ ଆମର ଚାରି ଜଣ ପିଲାଙ୍କୁ ନେଇ ଗଢ଼ା ଆମ ପରିବାରର ଖର୍ଚ୍ଚ ତୁଲାଇବା ସମ୍ଭବ ନଥିଲା ଏବଂ ଆମେ ଋଣ ଶୁଝିବା ପାଇଁ ଆମ ଘର ବିକି ଦେଇଥିଲୁ । ତେଣୁ ଏବେ ମୋ ପାଖରେ ଗାଁରେ ଆଉ ଘର ନାହିଁ କି ଜମିବାଡ଼ି ନାହିଁ ।
ମୋ ପରିବାର ଚଳିବା ପାଇଁ ଏବଂ ଖାଦ୍ୟ ଓ ଡାକ୍ତରଖାନା ଖର୍ଚ୍ଚ ତୁଲାଇବା ପାଇଁ ମୋତେ କାମ ଖୋଜିବାକୁ ପଡ଼ିଲା । ଆମ ଗାଁର ଜଣେ ବନ୍ଧୁଙ୍କ ଜରିଆରେ ମୁଁ ଏହି ନିର୍ମାଣ କାମ ପାଇଲି । ସେ ଏଠାରେ ମାଳି ଭାବରେ କାମ କରେ । ତା’ର ମାଲିକ ଗୋଟିଏ ନୂଆ ଘର ତିଆରି କରୁଥିଲେ ଏବଂ ଏଥିପାଇଁ ଶ୍ରମିକ ଖୋଜୁଥିଲେ । ସେତେବେଳକୁ ମୋ ହାତ ଭଲ ହୋଇଆସିଥାଏ ଏବଂ ତେଣୁ ମୁଁ ଓ ମୋ ସ୍ତ୍ରୀ ଏହି କାମରେ ଲାଗିଗଲୁ ।
ପ୍ରତି ଦୁଇ କି ତିନି ମାସରେ ମୁଁ ଆମ ଗାଁକୁ ଯାଏ । ଗାଁକୁ ଯିବା ଏବଂ ସେଠାରୁ ଆସିବା ପାଇଁ ବସ୍ରେ ସାତ ଘଣ୍ଟା ଲେଖାଏଁ ସମୟ ଲାଗେ । ମୋ ମାଆର ବୟସ ୭୮ ବର୍ଷ ଏବଂ ସେ ଗାଁରେ ମୋ ମାଉସୀଙ୍କ ସହିତ ରହନ୍ତି; ସେମାନେ ଦୁହେଁ ଦୁହିଁଙ୍କର ଦେଖାଶୁଣା କରନ୍ତି । ମୋ ବାପା ୮୧ ବର୍ଷ ବୟସରେ ହୃଦଘାତରେ ପ୍ରାଣ ହରାଇଥିଲେ।
ମୁଁ ମୋ ଗାଁକୁ ମନେ ପକାଏ, ବିଶେଷତଃ ପୋଙ୍ଗଲ ସମୟରେ । ଗାଁରେ ଆମେ ସମସ୍ତେ ଏକାଠି ହୋଇ ଏହି ଉତ୍ସବ ପାଳନ କରୁଥିଲୁ ଏବଂ ପାଖରେ ଯେତେ ଅଳ୍ପ ଥିଲେ ବି ପରସ୍ପର ମଧ୍ୟରେ ବାଣ୍ଟି ଦେଉଥିଲୁ । ମୋ ପିଲାମାନେ ବି ସେମାନଙ୍କର ସଂପର୍କୀୟ ଭାଇଭଉଣୀ ଓ ସାଙ୍ଗମାନଙ୍କ ସହ ଖେଳିବାରୁ ବଞ୍ଚିତ ହେଉଛନ୍ତି । ମୋ ପାଇଁ ବାଙ୍ଗାଲୋର ଏକ ଅଜଣା ଜାଗା ଯେଉଁଠି ନୂଆ ଲୋକମାନେ ରହୁଛନ୍ତି । ମୁଁ ମୋ ମାଆଙ୍କୁ ମଧ୍ୟ ମନେ ପକାଏ । ଏଇ କିଛି ଦିନ ହେଲା ତାଙ୍କୁ ଭଲ ଲାଗୁନାହିଁ । ମୁଁ ଆଶା କରୁଛି ଯେ ଦିନେ ଆମ ଜୀବନଧାରଣର ସ୍ଥିତି ସୁଧୁରିବ ।
ଛାତ୍ର ସାମ୍ବାଦିକ:ଶେଖା ନାୟାର
‘ମୋର ମୋ ପରିବାର କଥା ମନେପଡ଼େ’
ମୁଁ ୧୦ମ ଶ୍ରେଣୀରେ ପଢୁଥିଲି ଏବଂ ପରୀକ୍ଷା ପାଖେଇ ଆସୁଥିଲା । ପରୀକ୍ଷାର ପ୍ରଥମ ଦିନରେ ମୁଁ ମୋ ସାଇକେଲ ଓ ମୋବାଇଲ ଫୋନ୍ ବିକି ଦିନ ୧୧:୩୦ର ଟ୍ରେନ୍ ଧରିଲି । ମୁଁ ଘରୁ ଲୁଚି ପଳାଇଲି । ଆଉ କେବେ ମୁଁ ସେହି ପରୀକ୍ଷା ଦେଇନାହିଁ ।

ପେସା: ନିର୍ମାଣ ଠିକାଦାର
ମୁଁ ନାରାୟଣ ଚନ୍ଦ୍ର ମଣ୍ଡଳ, ବଳରାମ ନାଁରେ ମଧ୍ୟ ପରିଚିତ । ମୋ ବାପା ପଶ୍ଚିମ ବଙ୍ଗର କୁଚବେହାର ଜିଲ୍ଲାର ଜଣେ ଚାଷୀ । ମୁଁ ତାଙ୍କୁ କ୍ଷେତରେ ସାହାଯ୍ୟ କରୁଥିଲି- ତାଙ୍କର ତିନି ବିଘା ଜମି ଅଛି, ଯାହାକି ମୋଟାମୋଟି ଗୋଟିଏ ଏକର ସହ ସମାନ । ପିଲାଟି ବେଳରୁ ହିଁ ମୁଁ ମୋ ଭାଇମାନଙ୍କ ସହ ଏଠାରେ କାମ କରୁଥିଲି । ଆମ ସମସ୍ତଙ୍କ ପାଇଁ ପର୍ଯ୍ୟାପ୍ତ କାମ ନଥିଲା; ମୁଁ ଆମ ରୋଜଗାର ବଢ଼ାଇବା ପାଇଁ ଅନ୍ୟାନ୍ୟ କାମ ବି କରୁଥିଲି । କିନ୍ତୁ ଆମେ ଯେଉଁ ଟଙ୍କା ରୋଜଗାର କରୁଥିଲୁ, ତାହା ଆମ ପରିବାର ଚଳିବା ପାଇଁ ଯଥେଷ୍ଟ ନଥିଲା ଏବଂ ତେଣୁ ମୁଁ ୨୦୦୯ ମସିହାରେ ଘରୁ ଲୁଚି ବେଙ୍ଗାଲୁରୁ ପଳାଇଲି ।
ଏବେ ମୋତେ ୨୬ ବର୍ଷ । ମୋ ସ୍ତ୍ରୀ ପିଙ୍କି ମଣ୍ଡଳର ବୟସ ୨୩। ମୋର ଦୁଇଟି ପୁଅ ଅଛନ୍ତି- ୪ ବର୍ଷର ପ୍ରୀତମ ଏବଂ ୨ ବର୍ଷର ଆଦି । ମୋ ସ୍ତ୍ରୀ ଓ ପିଲାମାନେ ଆମ ଗାଁ ଘରେ ରହନ୍ତି । ମୁଁ ବେଙ୍ଗାଲୁରୁର ଏଜିପୁରାରେ ଏକ କୋଠରିରେ ରହେ। ମୁଁ ଜଣେ ନିର୍ମାଣ ଶ୍ରମିକ ଏବଂ ମୁଁ ସକାଳ ୯ଟାରୁ ସନ୍ଧ୍ୟା ୬ଟା ଯାଏ କାମ କରେ । ମୁଁ ପଲସ୍ତରା କରିବା କାମ କରେ ଏବଂ ଏହାକୁ ମୁଁ ଦେଖି ଦେଖି ଶିଖିଛି । ମୋତେ ଏହା ଶିଖାଇଛନ୍ତି ଗୋବିନ୍ଦ, ସେ ମଧ୍ୟ ଜଣେ ନିର୍ମାଣ ଶ୍ରମିକ।

ପ୍ରଥମେ ଯେତେବେଳେ ମୁଁ କାମ ଆରମ୍ଭ କଲି, ସେତେବେଳେ ଦିନକୁ ୯୭ ଟଙ୍କା ରୋଜଗାର କରୁଥିଲି । କାମ ଆରମ୍ଭ କରିବା ସମୟ ତୁଳନାରେ ଏବେ ଆମ ପାଖରେ ଭଲ ଉପକରଣ ଅଛି ଏବଂ ଆମର ଦାୟିତ୍ଵ ମଧ୍ୟ ବଢ଼ିଛି । ଆଜିକାଲି ମୁଁ ଦିନକୁ ୯୦୦ ଟଙ୍କା ରୋଜଗାର କରେ ଏବଂ ପ୍ରତି ସପ୍ତାହ ଶେଷରେ ମୋତେ ମୋର ପାଉଣା ମିଳିଯାଏ । ସବୁବେଳେ ଆମକୁ ଠିକ୍ ସମୟରେ ପାଉଣା ମିଳେ ନାହିଁ ଏବଂ ସେଥି ଯୋଗୁଁ ସ୍ଥିତି କଷ୍ଟକର ହୁଏ । ମୁଁ ଜଣେ ଠିକାଦାର ଏବଂ ସବୁ ଶ୍ରମିକମାନେ ଯେଭଳି ନିର୍ଦ୍ଧାରିତ ସମୟରେ ମଜୁରି ପାଆନ୍ତି ତାହା ସୁନିଶ୍ଚିତ କରିବା ମୋର ଦାୟିତ୍ଵ । ସେମାନଙ୍କ ଭୋଜନ ପାଇଁ ରୋଷେଇବାସର ଦାୟିତ୍ଵ ଏବଂ ସେମାନେ ଯେଉଁ କାମ କରୁଛନ୍ତି ତାହା ଯେପରି ଠିକ୍ ସମୟରେ ଶେଷହୁଏ ତାହା ସୁନିଶ୍ଚିତ କରିବା ଦାୟିତ୍ଵ ମଧ୍ୟ ମୋର । ମୁଁ ଗୋଟିଏ ଛଡ଼ା ଗୋଟିଏ ରବିବାର ଦିନ ଛୁଟି ପାଏ ଏବଂ ସେହି ସବୁ ଦିନ ଆରାମ କରେ କିମ୍ବା ମୋର ବନ୍ଧୁମାନଙ୍କୁ ଭେଟିଥାଏ।
ମୁଁ ମୋ ବାପାମାଆଙ୍କୁ ମନେ ପକାଏ, କିନ୍ତୁ ସେମାନଙ୍କୁ ନିୟମିତ ଭାବେ ଦେଖା କରେ । ପ୍ରତି ଆଠ ମାସରେ ଥରେ ମୁଁ ୧୦-୧୫ ଦିନ ପାଇଁ ଘରକୁ ଫେରିଯାଏ । ସେଠାରେ ଥିବା ସମୟରେ, ମୁଁ ଆମ ଜମିରେ ବାପାଙ୍କୁ ସାହାଯ୍ୟ କରେ । ମୁଁ ମୋ ପରିବାରକୁ ମନେ ପକାଏ । ମୁଁ ମୋ ମାଆ ଓ ସ୍ତ୍ରୀ ରାନ୍ଧିଥିବା ଖାଦ୍ୟକୁ ମନେ ପକାଏ । ସେଠାରେ ମୋର ଆରାମଦାୟକ ଜୀବନକୁ ମନେ ପକାଏ । ମୋର ଛୋଟ ପିଲାମାନଙ୍କ ସହିତ ଖେଳିବା କଥା ମନେ ପଡ଼େ । ଆମ ଘର ସଂପର୍କରେ ସବୁ କଥାକୁ ମୁଁ ଝୁରି ହୁଏ ।
ଛାତ୍ର ସାମ୍ବାଦିକ: ଇନାରା ଜେନ୍ ଏବଂ ଦ୍ଵିପକଟାରିୟା
‘ସତେ ମୁଁ ପୁଣି ଅତୀତକୁ ଫେରିଯାଇ ପାରନ୍ତି କି’
ମୋ ନାଁ ଶ୍ରୀମଲ ବର୍ମନ । ମୋର ବୟସ ୨୬ ବର୍ଷ । ଚାକିରି ଖୋଜିବାକୁ ମୁଁ ନଅ ବର୍ଷ ତଳେ ବେଙ୍ଗାଲୁରୁକୁ ପଳାଇ ଆସିଥିଲି । ମୋର ଜନ୍ମ ପଶ୍ଚିମ ବଙ୍ଗ କୁଚବେହାର ଜିଲ୍ଲାର କୁଚବେହାର ତାଲୁକା ଅନ୍ତର୍ଗତ ଦୁଧେର କୁଠୀଦେୱାନବାସ ଗାଁରେ ଏବଂ ସେଠାରେ ହିଁ ମୁଁ ବଢ଼ିଛି । ମୁଁ ଗୋଟିଏ ସରକାରୀ ସ୍କୁଲରେ ମାତ୍ର ଛଅ ବର୍ଷ ପାଇଁ ପଢ଼ିଥିଲି ଏବଂ ତା’ପରେ ମୋ ପରିବାରକୁ ସାହାଯ୍ୟ କରିବା ଲାଗି କାମ ଆରମ୍ଭ କଲି ।

ପେସା: ନିର୍ମାଣ ଶ୍ରମିକ
ବେଙ୍ଗାଲୁରୁର ବାଲେପେଟରେ ଥିବା ଏକ ନିର୍ମାଣ ସ୍ଥଳୀରେ ମୁଁ କାମ କରେ। ମୁଁ ଦିନକୁ ୭୨୫ ଟଙ୍କା ରୋଜଗାର କରେ ଏବଂ ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କାମ କରେ। ଆମକୁ ସବୁଦିନ ପାଉଣା ମିଳେ ଏବଂ ତେଣୁ ଆମେ ଦିନେ କାମକୁ ନ ଆସିଲେ ଆମକୁ ପାଉଣା ମିଳେନାହିଁ । ମୋ ପରିବାରର ଆର୍ଥିକ ସହାୟତା ପାଇଁ ମୁଁ ପ୍ରତି ମାସରେ ସେମାନଙ୍କ ପାଖକୁ ୧୦,୦୦୦ ଟଙ୍କା ପଠାଏ ।
କାଠ, ଆଲୁମିନିୟମ ଏବଂ ପ୍ଲାଷ୍ଟିକ୍ ଶିଟ୍ରେ ତିଆରି ଗୋଟିଏ ଛୋଟ ଘରେ ଆମେ ଦଶ ଜଣ ଶ୍ରମିକ ରହୁ । ବର୍ଷା ହେଲେ ସେହି ଘରେ ପାଣି ପଶିଯାଏ ଏବଂ ଆମକୁ ପାଣି ବାହାର କରିବାକୁ ପଡ଼େ। ଆମେ ପାଣି ବାହାର କରିବା ପାଇଁ ଗୋଟିଏ ମୋଟର ବ୍ୟବହାର କରୁ ଏବଂ ତା’ପରେ ବାଲ୍ଟିରେ ନେଇ ପାଣି ବାହାରେ ପକାଉ । ବର୍ଷା ସମୟରେ ଆମ ଲୁଗାପଟା, ଖାଦ୍ୟଦ୍ରବ୍ୟ ଏବଂ ଅନ୍ୟ ଜିନିଷପତ୍ର ନଷ୍ଟ ହୋଇଯାଏ ।
ପ୍ରଥମେ ମୁଁ ମୋର କେତେକ ସାଙ୍ଗଙ୍କ ସହିତ କୁଚବେହାରର ଆମ ଘର ପାଖରେ ଏକ ନିର୍ମାଣ ସ୍ଥଳୀରେ କାମ ଆରମ୍ଭ କଲି। ଆମେ ସମସ୍ତେ ସେଠାରେ କାମ କରିବାକୁ ନିଯୁକ୍ତି ପାଇଥିଲୁ । ଗୁରୁ ନାମରେ ପରିଚିତ ଜଣେ ବିଲଡର ମୋତେ କାମ ଖୋଜିବାରେ ସହାୟତା କଲେ ଏବଂ ଏବେ ବି କରୁଛନ୍ତି। ମୁଁ ଏବେ ଏକ ଛୋଟ ସଂସ୍ଥା ପାଇଁ କାମ କରୁଛି, ଯାହାର ନାଁ ମୁଁ ଜାଣିନାହିଁ।
ମୋ ପରିବାରର ମାଲିକାନାରେ ଅଧା ଏକ ଜମି ଅଛି ଏବଂ ଆମର ଦୁଇଟି ବେଡ୍ରୁମ୍, ଗୋଟିଏ ହଲ୍, ଗୋଟିଏ ରନ୍ଧାଘର ଏବଂ ଗୋଟିଏ ଗାଧୁଆଘର ଥାଇ ଛୋଟ ଘରଟିଏ ଅଛି । ଆମ ପରିବାରର ମୋଟ ସଦସ୍ୟ ସଂଖ୍ୟା ସାତ: ମୋର ୯୦ ବର୍ଷୀୟା ମାଆ, ମାଳତୀ, ଦୁଇ ଜଣ ବଡ଼ଭାଇ- ୪୪ ବର୍ଷର ନିତ୍ୟାନନ୍ଦ ଏବଂ ୨୮ ବର୍ଷର ପରିମଲ, ମୋ ଭାଉଜ ତ୍ରିମାଳା ଏବଂ ମୋର ଦୁଇ ପୁତୁରା, ତିର୍ବନ ଏବଂ ରାପୋନ । ମୁଁ ଓ ମୋ ଉପର ଭାଇ ଖୁବ ଶୀଘ୍ର ବାହା ହେବାକୁ ଯାଉଥିବାରୁ ଆମେ ଆମ ଘରକୁ ବଢ଼ାଇବା ଲାଗି ଯୋଜନା କରୁଛୁ ।
ମୋ ଭାଇମାନେ ଆମ କ୍ଷେତରେ ପରିବା ଓ ଅନ୍ୟ କେତେକ ଅର୍ଥକରୀ ଫସଲ କରନ୍ତି । ଭଲ ଅମଳ ହେଲେ ସେମାନେ ବର୍ଷକୁ ହାରାହାରି ୨୦,୦୦୦ ଟଙ୍କା ରୋଜଗାର କରିପାରିବେ । କିନ୍ତୁ ଯଦି କୌଣସି ଦୁର୍ଘଟଣା କି ବିପର୍ଯ୍ୟୟ ଘଟେ ତାହେଲେ ସେମାନେ କିଛି ରୋଜଗାର କରନ୍ତି ନାହିଁ ।
ଜରୁରୀ ସ୍ଥିତିରେ ମୁଁ ବର୍ଷକୁ ଥରେ ମୋ ପରିବାର ସହ ଦେଖା କରିବାକୁ ଯାଏ ଏବଂ ଏଥିରେ ମୋର ଟ୍ରେନ୍ ଯାତ୍ରା ବାବଦରେ ପ୍ରାୟ ୧,୫୦୦ ଟଙ୍କା ଖର୍ଚ୍ଚ ହୁଏ । ବେଙ୍ଗାଲୁରୁରୁ ଯାଇ ଆମ ଘର ପାଖ ସହରରେ ପହଞ୍ଚିବା ଲାଗି ତିନି ଦିନ ଲାଗିଯାଏ । ମୁଁ ରେଳ ଷ୍ଟେସନରୁ ବସ୍ରେ ଆମ ଗାଁକୁ ଯାଏ ଏବଂ ଆମ ଘରଠାରୁ ପ୍ରାୟ ଗୋଟିଏ କିଲୋମିଟର ଦୂରରେ ବସ୍ରୁ ଓହ୍ଲାଇବା ପରେ ବାକିତକ ରାସ୍ତା ଚାଲି ଚାଲି ଯାଏ ।

ମୋର ଇଚ୍ଛା ଯେ ମୁଁ ଗାଁକୁ ଫେରି ଯାଇ ସେଠାରେ ଭାଇମାନଙ୍କ ସହ କାମ କରନ୍ତି କି, ହେଲେ ସେଠାରେ ସବୁଦିନିଆ ଚାକିରି ନାହିଁ । ତେଣୁ କୌଣସିମତେ ମୁଁ ନିଜକୁ ବୁଝାଇ ଦିଏ ଏବଂ ପରିବାରର ମଙ୍ଗଳ ପାଇଁ ସେମାନଙ୍କଠାରୁ ବହୁ ଦୂରରେ ଏଠାରେ ରହେ । ମୁଁ ମୋ ବାପାମାଆଙ୍କୁ ଖୁବ୍ ଝୁରି ହୁଏ ଏବଂ ବେଳେବେଳେ ସେମାନଙ୍କ କଥା ଭାବି ଦୁଃଖ ଲାଗେ । କିନ୍ତୁ ମୁଁ ଅନ୍ୟ କଥା ଭାବି ନିଜକୁ ଦୂରେଇ ନିଏ । ଯାହା ଫଳରେ କି ସେମାନଙ୍କ ପ୍ରତି ମୋର ସହାୟତା ଅବ୍ୟାହତ ରହିପାରେ । ଏମିତି କୌଣସି ନିର୍ଦ୍ଦିଷ୍ଟ ସ୍ଥାନ ନାହିଁ, ଯେଉଁଠି ମୁଁ କାମ କରିବାକୁ ଚାହେଁ । ଏ ସମୟରେ ମୁଁ ନୂଆ କିଛି କରିବାକୁ ଚେଷ୍ଟା କରେନାହିଁ କାରଣ, ମୁଁ ଏ ସହର ସହିତ ସେତେ ପରିଚିତ ନୁହେଁ କି ଆମ ନିଜ ସହରରେ ବି କୌଣସି ବ୍ୟବସାୟ ଚାଲିବ ନାହିଁ । ମୋତେ ଯଦି ଭଲ ଦରମାର ଚାକିରିଟିଏ ମିଳିବ, ତେବେ ମୁଁ ତାହାକୁ ଗ୍ରହଣ କରିନେବି ।
ମୋର ବୟସ ବଢୁଥିବା ସମୟରେ ଆମ ପାଖରେ ପର୍ଯ୍ୟାପ୍ତ ଖାଦ୍ୟ ନଥିଲା, ଭଲ ଲୁଗାପଟା ନଥିଲା କି ସୁନ୍ଦର ଘରଟିଏ ନଥିଲା । ଏବେ ମୁଁ ଏତେ କଠିନ ପରିଶ୍ରମ କରିବାର କାରଣ ହେଉଛି ଯେ ମୋ ପରିବାରକୁ ପୁଣି ସେଭଳି କଷ୍ଟକର ସ୍ଥିତିର ସମ୍ମୁଖୀନ ହେବାକୁ ନ ପଡୁ । ମୋ ପୁତୁରାମାନେ ଗାଁରେ ପଢ଼ନ୍ତି: ସାନ ପୁତୁରା ୯ମ ଶ୍ରେଣୀରେ ପଢୁଛି ଏବଂ ବଡ଼ କଲେଜରେ ପଢ଼େ । ସେମାନେ ଚାଲି ଚାଲି ସ୍କୁଲକୁ ଯାଉଥିଲେ କିନ୍ତୁ ଏବେ ଆମେ ସେମାନଙ୍କୁ ସାଇକେଲ କିଣି ଦେଇଛୁ, ଯେମିତି କି ସେମାନେ ସହଜରେ ଯା’ଆସ କରିପାରିବେ । ମୁଁ ଚାହୁଁଛି ସେମାନଙ୍କ ସ୍ଵପ୍ନକୁ ସାକାର କରିବା ଲାଗି ଆବଶ୍ୟକ ସବୁ ଜିନିଷ ସେମାନଙ୍କୁ ମିଳୁ ।
ପିଲାବେଳେ ମୁଁ ଗୋଟିଏ ମିଠା ଦୋକାନରେ କାମ କରୁଥିଲି ଏବଂ ଅଳ୍ପ କିଛି ରୋଜଗାର କରୁଥିଲି, କିନ୍ତୁ ସମୟ ବିତିବା ସହିତ ମୁଁ ସେହି କାମ ଛାଡ଼ି ଦେଲି, କାରଣ ସେଥିରୁ ମୋତେ ଖୁବ କମ ଟଙ୍କା ମିଳୁଥିଲା । ମୁଁ ଚାହୁଁଛି ମୁଁ ଅତୀତକୁ ଫେରିଯାଆନ୍ତି ଏବଂ ଜଣେ ମିଠା କାରିଗର ଭାବରେ କାମ କରନ୍ତି କିମ୍ବା ଅନ୍ୟ ଯେ କୌଣସି କାମ ପ୍ରତି ମୋର ଆଗ୍ରହ ଅଛି ତାହା କରନ୍ତି । ବର୍ତ୍ତମାନ ପାଇଁ ମୋର କୌଣସି ଆଶା ନାହିଁ କି ଭବିଷ୍ୟତ ଲକ୍ଷ୍ୟ ନାହିଁ । କାରଣ ସେ ସବୁ ରଖିବା ଯୋଗ୍ୟ ନୁହଁ ଏବଂ ଯେତେ କଠିନ ପରିଶ୍ରମ କଲେ ବି ତାହା ପୂରଣ ହୋଇପାରିବ ନାହିଁ । ମୁଁ ମୋ ପାଖରେ ଯାହା ଅଛି ସେସବୁକୁ ନେଇ କାମ କରିବି ଏବଂ ବାକି ସବୁ ଭାଗ୍ୟ ଉପରେ ଛାଡ଼ି ଦେବି ।
ଛାତ୍ର ସାମ୍ବାଦିକ: କାର୍ତ୍ତିକ ଏମ୍.ଡି.
‘ମୋର ସବୁ ଋଣ ଶୁଝିଗଲାଣି’
ମୁଁ ରାଘବନ ଏବଂ ମୋର ବୟସ ୪୯ ବର୍ଷ । ତାମିଲନାଡୁର ତିରୁବନାମଲାଇ ନିକଟ ଇରୁଲାର କଲୋନିରେ ମୁଁ ରହେ । ମୁଁ ପ୍ରତି ବର୍ଷର ଗୋଟିଏ ଋତୁରେ- ପ୍ରାୟ ତିନିରୁ ଚାରି ମାସ ପାଇଁ- ଆଖୁ, ମକା, କଦଳୀ ଏବଂ ଧାନ ଚାଷ କରେ । ଗୋଟିଏ ଋତୁରେ ମୁଁ ପ୍ରାୟ ୧୦,୦୦୦ରୁ ୨୦,୦୦୦ ଟଙ୍କା ରୋଜଗାର କରେ ।
ବହୁଦିନ ତଳେ, ମୁଁ ଚାଷକାମ ବନ୍ଦ କରିବାକୁ ସ୍ଥିର କରି ମୋର ସବୁ ଜମି ବିକି ଦେଲି । ଆମ ଗାଁରେ ମୋର ଘରଟିଏ ଅଛି, କିନ୍ତୁ ଏହା ତାଲା ପଡ଼ି ରହିଥାଏ ଏବଂ କେବଳ ମୁଁ ଗାଁକୁ ଫେରିଲେ ହିଁ ଘରଟି କାମରେ ଲାଗେ ।

ପେସା: ନିର୍ମାଣ ଶ୍ରମିକ
ବେଙ୍ଗାଲୁରୁରେ ନିର୍ମାଣ କାମ ସଂପର୍କରେ ମୋତେ କହିଥିବା ଆମ ଗାଁର ଜଣେ ଯୁବକଙ୍କ ଜରିଆରେ ମୁଁ ଏହି କାମ ପାଇଲି । ସେ ଆମକୁ କହିଲେ ଯେ ଆମେ ଗାଁରେ କରୁଥିବା ଚାଷବାସ ତୁଳନାରେ ଏଥିରୁ ବେଶୀ ରୋଜଗାର ହେବ । ଏହା ଶୁଣିବା ପରେ ମୋ ସ୍ତ୍ରୀ ରାଜାମ୍ମା ଓ ମୁଁ ଏହି ସହରକୁ ଆସିବା ପାଇଁ ସ୍ଥିର କଲୁ ।
ମୋର କାମ ହେଲା ଦିନକୁ ଚାରି ବସ୍ତା ସିମେଣ୍ଟ ମିଶ୍ରଣ ପ୍ରସ୍ତୁତ କରିବା। ପ୍ରାୟ ୧୦ ବର୍ଷ ତଳେ ମୁଁ ଏହି କାମ ଆରମ୍ଭ କରିଥିଲି । ଆରମ୍ଭ ସମୟରେ ମୋର ଦିନକୁ ମଜୁରି ଥିଲା ୨୦୦ ଟଙ୍କା ଏବଂ ଏବେ, ମୁଁ ଦିନକୁ ୫୦୦ ଟଙ୍କା ରୋଜଗାର କରୁଛି । ମୁଁ ସକାଳ ୯ଟାରୁ ସନ୍ଧ୍ୟା ୫ଟା ଯାଏ କାମ କରେ ଏବଂ ରବିବାର ଦିନ ଛୁଟି ମିଳେ । ଅନ୍ୟମାନଙ୍କ ସହ ମୁଁ ନିର୍ମାଣ ସ୍ଥଳର ଯେଉଁଠି ରହେ, ସେହିଠାରେ ହିଁ ଆମକୁ ଠିକାଦାରଙ୍କ ପକ୍ଷରୁ ଖାଇବାକୁ ଦିଆଯାଏ ।
ସାଧାରଣତଃ ମୁଁ ପ୍ରତି ମାସରେ ଥରେ ଘରକୁ ଯାଏ । କିନ୍ତୁ ଏଠାରେ ଯଦି କିଛି ଜରୁରୀ କାମ ଶେଷ କରିବାକୁ ଥାଏ, ତେବେ ମୁଁ ପ୍ରତି ଦୁଇ ତିନି ମାସରେ ଥରେ ଯାଏ ।
ତିରୁବନାମଲାଇ ନିକଟ ଆମ ଗାଁକୁ ବସ୍ରେ ଯିବାଆସିବା କରିବା ଲାଗି ପ୍ରାୟ ତିନିରୁ ଚାରି ଘଣ୍ଟା ଲାଗେ । ଥରକର ବସ୍ ଯାତ୍ରା ପାଇଁ ଜଣ ପିଛା ୩୦୦ ଟଙ୍କା ଗାଡ଼ିଭଡ଼ା ଦେବାକୁ ପଡ଼େ ।
ଆମ ଗାଁରେ ମୁଁ ବିକି ଦେଇଥିବା ଜମି ବ୍ୟତୀତ ଆଉ ବେଶୀ କିଛି ହରାଇଲା ଭଳି ମୋତେ ଲାଗେନି । ମତେ ଲାଗେ ଯେ ଏଠାରେ କିଛିଟା ଭଲରେ ଜୀବନ ବିତାଉଛୁ । ମୋର ସବୁ ପୁରୁଣା ଋଣ ଶୁଝି ଦେଲିଣି ଏବଂ ଏବେ ମୁଁ, ଯେତେଦୂର ସମ୍ଭବ ଟଙ୍କା ଧାର କରିବା କିମ୍ବା ଋଣ କରିବାଠାରୁ ଦୂରେଇ ରହିବାକୁ ଚେଷ୍ଟା କରେ ।
ମୋ ସ୍ତ୍ରୀ ରାଜାମ୍ମା ସବୁବେଳେ ମୋ ସାଥୀରେ ରହି ଜୀବନ ସାରା ମତେ ସମର୍ଥନ କରିଆସିଛନ୍ତି । ଆମ ନିଜର ଜମି ଥିବା ବେଳେ ସେ ଚାଷବାସରେ ମୋତେ ସହାୟତା କରୁଥିଲେ ଏବଂ ଏବେ ସେ ନିର୍ମାଣ ସ୍ଥଳରେ ମୋ ସହ କାମ କରୁଛନ୍ତି। ସିମେଣ୍ଟ ମିଶ୍ରଣ ବୋହିବା ଏବଂ ସଫେଇ କାମ କରୁଛନ୍ତି । ଆମର ତିନି ଜଣ ଖୁବ ଭଲ ଝିଅ ଅଛନ୍ତି- ସେମାନେ ସମସ୍ତେ ବିବାହିତା ଏବଂ ବଡ଼ ଦୁଇ ଝିଅଙ୍କର ପିଲା ଭାବରେ ମୋର ତିନି ଜଣ ନାତିନାତୁଣୀ ଅଛନ୍ତି ।
ମୁଁ କେବଳ ମୋର ନିତିଦିନିଆ କାମରେ ଧ୍ୟାନ ଦିଏ । ମୋ ନାତିନାତୁଣୀମାନେ ବଡ଼ ହୋଇ ବାସ୍ତବ ଜୀବନରେ ଖୁବ୍ ଭଲରେ ରହନ୍ତୁ ବୋଲି ମୁଁ କାମନା କରେ ।
ଛାତ୍ର ସାମ୍ବାଦିକ: ମାରିଆ ରୀବା ରୋବେଲ କାଙ୍ଗାପାଦନ
Editor's note
ସାମ୍ବାଦିକମାନଙ୍କ ସଂପର୍କରେ PARIକୁ ପାଠ୍ୟକ୍ରମରେ ସ୍ଥାନ ଦେବାରେ ଅନ୍ୟତମ, ବେଙ୍ଗାଲୁରୁର ସେଣ୍ଟ ଜୋଶେଫ ବୟଜ୍ ହାଇସ୍କୁଲ, ସହରରେ ରହୁଥିବା ପ୍ରବାସୀମାନଙ୍କ ଜୀବନ କାହାଣୀକୁ ନଥିଭୁକ୍ତ କରିବା ଲାଗି PARI ସହ ମିଶି କାମ କରିଆସୁଛି । ଏଥର ଦ୍ଵିତୀୟ ବର୍ଷ ପାଇଁ ୧୧ଶ ଶ୍ରେଣୀର ଛାତ୍ରମାନେ ବାସ୍ତବ କ୍ଷେତ୍ରକୁ ଯାଇ ସେମାନଙ୍କ ଆଖପାଖରେ ରହୁଥିବା ପ୍ରବାସୀମାନଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କ ଜୀବନକୁ ନଥିଭୁକ୍ତ କରିଛନ୍ତି । ଏଥିରେ ନିର୍ମାଣ ଶ୍ରମିକମାନଙ୍କ ଉପରେ ସ୍ଵତନ୍ତ୍ର ଗୁରୁତ୍ଵ ପ୍ରଦାନ କରାଯାଇଛି । ଅନ୍ୟମାନଙ୍କ ସଂପର୍କରେ ଖବର ସଂଗ୍ରହ ଜେସୁଟ୍ ସ୍କୁଲ୍ରେ ଶିକ୍ଷାଗ୍ରହଣ ସଂପର୍କିତ ନିର୍ଦ୍ଦେଶାବଳିର ଅଂଶବିଶେଷ ଏବଂ ସମ୍ବାଦ ସଂଗ୍ରହର ମୌଳିକ ନିୟମାବଳୀ, ସମୀକ୍ଷା ଏବଂ ସଂପାଦନାରେ PARI ସେମାନଙ୍କୁ ସହାୟତା ପ୍ରଦାନ କରିଛି ।
ଅଙ୍କନ ଶିଳ୍ପୀଙ୍କ ସଂପର୍କରେ ଅନ୍ତରା ରମଣ
ବେଙ୍ଗାଲୁରୁର ସୃଷ୍ଟି ଇନ୍ଷ୍ଟିଚ୍ୟୁଟ ଅଫ୍ ଆର୍ଟ, ଡିଜାଇନ ଆଣ୍ଡ ଟେକ୍ନୋଲୋଜିର ଜଣେ ଗ୍ରାଜୁଏଟ୍ । ଚାଷୀ ଆତ୍ମହତ୍ୟା ଏବଂ କୃଷିଜାତ ଦ୍ରବ୍ୟର ବ୍ୟବସାୟ କ୍ଷେତ୍ର ପରିସର ବୃଦ୍ଧି ଭଳି ବାସ୍ତବ ଘଟଣାବଳୀର ଉପଯୋଗ କରି ସେ କୃଷକମାନଙ୍କ ପ୍ରତି ଅନ୍ୟାୟକୁ ଅନାବୃତ କରନ୍ତି ଏବଂ ପ୍ରଚୁର ଖାଦ୍ୟରେ ଭରପୁର ଏଇ ବିଶ୍ଵ କେମିତି ଏକ କାଳ୍ପନିକ ଆଦର୍ଶବାଦ ଏବଂ ଅବାସ୍ତବଧର୍ମୀ ବିଶ୍ବରେ ପରିଣତ ହୋଇଛି ତାହା ଦର୍ଶାଇ ଦିଅନ୍ତି । ଅନ୍ତରାଙ୍କର ବିଶ୍ଵାସ ଯେ କଥନ ଏବଂ ଅଙ୍କନର ଏହି ଜଗତ ସଂକେତଧର୍ମୀ ଓ ସହଜୀବୀ ଏବଂ PARI ପାଇଁ ତାଙ୍କ କାମରେ ତାହାର ପ୍ରତିଫଳନ ଘଟିଥାଏ । ଏହି ଶୃଙ୍ଖଳର ଅଧିକ ଲେଖା ପଢ଼ନ୍ତୁ, Profiles of migrants: Journeys of hope – Part I Profiles of migrants: Journeys of hope – Part II Profiles of migrants: Journeys of hope – Part III Profiles of migrants: Journeys of hope – Part IV
ଅନୁବାଦ: ଓଡ଼ିଶାଲାଇଭ୍
ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।