ପୁରୁଣା ଉସମାନପୁରର ବାସିନ୍ଦା ବୁଲଡୋଜର ଘଡ଼ଘଡ଼ ହେବାର ଶବ୍ଦ ଶୁଣିବା ମାତ୍ରେ ଅନୁମାନ କରି ନିଅନ୍ତି ଯେ ଏବେ ସେମାନଙ୍କୁ ତତ୍କାଳ ସ୍ଥାନାନ୍ତର ହେବାକୁ ସଙ୍କେତ ମିଳିସାରିଲାଣି । ଅଳିଆ ଗୋଟାଳି, ରିକ୍ସା ଚାଳକ, କବାଡ଼ି ବେପାରୀ ଏବଂ ଭିକ୍ଷାବୃତ୍ତି କରି ଗୁଜୁରାଣ ମେଣ୍ଟାଉଥିବା ଲୋକମାନଙ୍କ ଏ ବସ୍ତିରେ ଅଚାନକ ବିନା କୌଣସି ସୂଚନାରେ ଝୁଗ୍ଗି (ଅସ୍ଥାୟୀ ଘର) ହରାଇବାର ଭୟ ନିରନ୍ତର ଲାଗି ରହିଥାଏ। ସେମାନେ କୁହନ୍ତି ଯେ ଗତ ଏକ ଦଶନ୍ଧି ମଧ୍ୟରେ ଅନେକ ଥର ସେମାନଙ୍କୁ ନିଜ ଘର ଭାଙ୍ଗିବା ଦେଖିବାକୁ ପଡ଼ିଛି ।

ଏଠାରେ ରହୁଥିବା ସାପୁଆ ସମ୍ପ୍ରଦାୟର ଜଣେ ସଦସ୍ୟ ରଘୁ (ଛଦ୍ମ ନାମ) କୁହନ୍ତି, “ନିଜ ଝୁଗ୍ଗିଗୁଡ଼ିକୁ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ନେଇ ଛିଡ଼ା କରିବା ଆମର ସାଧାରଣ ଜୀବନଧାରା ପାଲଟି ଗଲାଣି।” ସାପୁଆମାନେ ଏକ ଅଣବିଜ୍ଞପିତ ଜନଜାତି, କିନ୍ତୁ ସେମାନେ କୌଣସି କଲ୍ୟାଣକାରୀ ଯୋଜନାରୁ ସୁଫଳ ଲାଭ କରିବାକୁ ସକ୍ଷମ ହୋଇନାହାନ୍ତି।

ଯମୁନା ନଦୀ ତଟଠାରୁ ମାତ୍ର କିଛି ମିଟର ଦୂରରେ ଥିବା ପୁରୁଣା ଉସମାନପୁର ଗ୍ରାମ ଏକ ବନ୍ୟାପ୍ରବଣ ଅଞ୍ଚଳ। ୨୦୧୦ ମସିହାରେ, ଦିଲ୍ଲୀ ବିକାଶ ପ୍ରାଧିକରଣ ଅତ୍ୟଧିକ ପ୍ରଦୂଷିତ ଯମୁନା ନଦୀର କାୟାକଳ୍ପ ପରିବର୍ତ୍ତନ ଲାଗି ଏହି ଗାଁର ଜମିକୁ ଜୋନ୍‌ ‘ଓ’ ଭାବେ ଚିହ୍ନଟ କରିଥିଲା । ଯମୁନା ନଦୀ ଦିଲ୍ଲୀର ୨୨ କିଲୋମିଟର ଅଞ୍ଚଳ ଦେଇ ବୋହି ଯାଇଛି ଏବଂ ଡିଡିଏ ଏହାର ତଟବର୍ତ୍ତୀ କ୍ଷେତ୍ରରେ ଲୋକମାନଙ୍କ ମନୋରଞ୍ଜନ ସହ ଜଡ଼ିତ ସ୍ଥାନ ନିର୍ମାଣ କରିବା ଲାଗି ଚାହୁଁଛି ।

୨୦୧୪ ମସିହାରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ବନ୍ୟା ପ୍ରବଣ ଅଞ୍ଚଳରେ ନିର୍ମାଣ ଏବଂ ବିକାଶ ସମ୍ବନ୍ଧୀୟ ଗତିବିଧି ଉପରେ ଅଙ୍କୁଶ ଲଗାଇଥିଲେ । ସେବେଠାରୁ ମହାନଗର କର୍ତ୍ତୃପକ୍ଷ ନିୟମିତ ଭାବେ ଜବରଦଖଲ ଉଚ୍ଛେଦ ଅଭିଯାନ ଜାରି ରଖିଛନ୍ତି ଏବଂ ଏପରି ଘର ଭାଙ୍ଗି ଦେଉଛନ୍ତି । ଅଧିକାଂଶ ସମୟରେ ଆଗୁଆ ସୂଚନା ନଦେଇ ସେଠାରେ ରହୁଥିବା ଲୋକଙ୍କ ଘର ଭାଙ୍ଗି ଦିଆଯାଏ। ରଘୁ ବାରମ୍ବାର ଘର ଭଙ୍ଗା ଯିବାକୁ ନେଇ କୁହନ୍ତି, ‘‘ସେମାନେ (ମହାନଗର କର୍ତ୍ତୃପକ୍ଷ) କିଛି କୁହନ୍ତି ନାହିଁ । କୌଣସି ଆଲୋଚନା କିମ୍ବା କଥାବର୍ତ୍ତା କରନ୍ତି ନାହିଁ । କେବଳ ଆସନ୍ତି ଓ ଆମ ଘର ଭାଙ୍ଗି ଦେଇ ଚାଲି ଯାଆନ୍ତି ଏବଂ ଆମକୁ କହିଥାନ୍ତି ଯେ ଏହା ହେଉଛି ସରକାରୀ ଜାଗା।’’

ସେମାନଙ୍କ ଘରକୁ ହଠାତ୍‌ ଭାଙ୍ଗି ଦେବା ଏବଂ ଜିନିଷପତ୍ର ଉଜାଡ଼ି ଦେବାର ଅର୍ଥ ହେଉଛି, ଅନେକ ଦିନ କିମ୍ବା ମାସ ପର୍ଯ୍ୟନ୍ତ ସେମାନଙ୍କୁ ବିନା ଆଶ୍ରୟରେ ରହିବାକୁ ପଡ଼ିଥାଏ। ରୁବିନା (ସେ କେବଳ ନିଜର ପ୍ରଥମ ନାମ ବ୍ୟବହାର କରିଥାନ୍ତି) କୁହନ୍ତି, ‘‘୨୦୨୦ ମସିହାରେ, ସେମାନେ ଯେତେବେଳେ ଆମ ଝୁଗ୍ଗି  ଭାଙ୍ଗି ଦେଲେ, ଆମେ ହାଡ଼ଭଙ୍ଗା ଶୀତରେ ଖୋଲା ଆକାଶ ତଳେ ଦିନ ବିତାଇଲୁ । ବିଶେଷ କରି  ବୟସ୍କ ଲୋକମାନଙ୍କୁ ଅଧିକ ସମସ୍ୟା ହୋଇଥିଲା। ସେତେବେଳେ ପାଖାପାଖି ୫ ପରିବାରକୁ ନିଆଁ ଚାରି ପାଖରେ ବସି ସେକି ହୋଇ ଦିନ ବିତାଇବାକୁ ପଡ଼ିଥିଲା।’’

ରୁବିନା ପୁରୁଣା ଉସମାନପୁରର ବାସିନ୍ଦା ଏବଂ ସେ ସାରା ଜୀବନ ଏ ବସ୍ତିର ବଙ୍ଗାଳି ସାହିରେ ବିତାଇଛନ୍ତି । ନିଜ ମାତାପିତାଙ୍କ ସହିତ ସେ ମାତ୍ର ୧ ବର୍ଷ ବୟସରେ ପଶ୍ଚିମବଙ୍ଗରୁ ଏଠାକୁ ଚାଲି ଆସିଥିଲେ । ସେ କୁହନ୍ତି ଯେ, ପ୍ରତିଥର ଘର ଭାଙ୍ଗି ଦିଆଯିବା ପରେ, ‘‘ଆମେ ଏହାକୁ ସହିଥାଉ ଏବଂ ପୁଣିଥରେ ଆମକୁ ନିଜ ଘର ତିଆରି କରିବାକୁ ପଡ଼ିଥାଏ।’’

ଏଠାରେ ରହୁଥିବା ଅଧିକାଂଶ ଲୋକ ଦିନ ମଜୁରିଆ ହୋଇଥିବାରୁ, ଜିନିଷପତ୍ର ଜଗି ରହିବା ଏବଂ ଘର ଭଙ୍ଗାଯିବା ସମୟକୁ ଅନିଶ୍ଚିତ କାଳ ପାଇଁ ଅପେକ୍ଷା କରି ରହିବା କାରଣରୁ ସେମାନେ ଦୈନିକ ରୋଜଗାର ହରାଇଥାନ୍ତି । ରୁବିନା କୁହନ୍ତି, ‘‘ଆମ ଲୋକମାନଙ୍କର ମୁଖ୍ୟ ବେଉସା ହେଉଛି କବାଡ଼ି (ଅଳିଆ ଗୋଟାଇବା) କାମ କରିବା, ଭିକ ମାଗିବା ଏବଂ ରିକ୍ସା ଚଳାଇବା । ଅନେକ ଥର, ଆମେ ଦିନ ସାରା କିଛି ରୋଜଗାର କରିପାରିନଥାଉ । ଆମେ ଭଡ଼ା କେଉଁଠୁ ଆଣି ଦେବୁ?’’ ସେ କୁହନ୍ତି ଯେ ଏହି ଅଞ୍ଚଳରେ ମାସିକ ଭଡ଼ା ୪,୦୦୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼ିଥାଏ, କିନ୍ତୁ ଏଠାରେ ରହୁଥିବା ଲୋକଙ୍କ ପାଇଁ ସରକାରଙ୍କ ପକ୍ଷରୁ କୌଣସି ସବସିଡି ଆବାସ ସୁବିଧା ଦିଆଯାଉ ନାହିଁ ।

୨୦୨୨ ମେ ମାସରେ, ପୁରୁଣା ଉସମାନପୁର ବାସିନ୍ଦାମାନେ କିଛି ସ୍ଥାନୀୟ ଲୋକଙ୍କଠାରୁ ଶୁଣିବାକୁ ପାଇଥିଲେ ଯେ ଆସନ୍ତା ୬ ଏବଂ ୭ ଜୁନରେ ଏକ ବଡ଼ ଧରଣର ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ କରାଯିବ । ସେମାନେ କୁହନ୍ତି ଯେ ଏ ସମ୍ପର୍କରେ ବିଧିବଦ୍ଧ ଭାବେ କୌଣସି ସୂଚନା ଦିଆଯାଇନଥିଲା। 

ରୁବିନା କୁହନ୍ତି, ‘‘ଆମେ ଶୁଣିଲୁ ଯେ ଯଦି ଆମେ ଏଠାରୁ ହଟିଯିବୁ ନାହିଁ ତା’ହେଲେ ସେମାନେ (କର୍ତ୍ତୃପକ୍ଷ) ସବୁକିଛି ଭାଙ୍ଗି ଦେବେ।’’ ସ୍କୁଲ ଯାଉଥିବା ନିଜ ପିଲାମାନଙ୍କୁ ନେଇ ସେ ବିଶେଷ ଭାବେ ଚିନ୍ତିତ, ଯେଉଁମାନେ ନିକଟରେ ଥିବା ସରକାରୀ ସ୍କୁଲ ନଗର ନିଗମ ପ୍ରତିଭା ବିଦ୍ୟାଳୟରେ ପଢ଼ିଥାନ୍ତି । ଏଠାରୁ ଚାଲିଗଲେ ଶିକ୍ଷା ବର୍ଷ ଆରମ୍ଭରୁ ସ୍କୁଲ ଛାଡ଼ିବାକୁ ହେବ ଏବଂ ଅନ୍ୟ ସ୍କୁଲରେ ନାମ ଲେକାଇବା କଷ୍ଟକର ହୋଇପଡ଼ିବ । ଏହି କାରଣରୁ ସେମାନଙ୍କ ସ୍କୁଲ ପାଠପଢ଼ା ବନ୍ଦ ହୋଇପାରେ । ‘‘ଆମେ ଆମ ପିଲାଙ୍କୁ କେମିତି ଲାଳନପାଳନ କରିବୁ?’’ ସେ ପ୍ରଶ୍ନ କରିଥାନ୍ତି ।

ନନ୍ନୀ ଦେବୀ ନିଜର ସାରା ଜୀବନ ପୁରୁଣା ଉସମାନପୁରରେ ବିତାଇଛନ୍ତି । ସେ କୁହନ୍ତି ଯେ, ଭଙ୍ଗା ଘର ପୁନଃନିର୍ମାଣ ଲାଗି, ସେମାନଙ୍କ ପାଖରେ ଟଙ୍କା ନାହିଁ । ‘‘ଲୋକଙ୍କ ପାଖରେ ଯେଉଁଠି ଖାଇବା ପାଇଁ ଟଙ୍କା ନାହିଁ, ଆମେ କିପରି ଘର ଭଡ଼ା ଖର୍ଚ୍ଚ ତୁଲାଇବୁ? ଭଡ଼ା ଦେବା ପାଇଁ ଆମେ ଟଙ୍କା କେଉଁଠୁ ଆଣିବୁ? ପେଟ ପୋଷିବା ଲାଗି ଲୋକମାନେ ଭିକ ମାଗନ୍ତି କିମ୍ବା ଅଳିଆ ଗୋଟାଇଥାନ୍ତି।’’

୬୮ ବର୍ଷ ବୟସ୍କ ବୃଦ୍ଧା ନନ୍ନୀ ଦେବୀ ବିଗତ ଦିନ କଥା ସ୍ମରଣ କରିଥାନ୍ତି, ଯେତେବେଳେ ଚଦୁର୍ଦ୍ଦିଗରେ ଚାଷ ଜମି ଥିଲା ଏବଂ ବହୁ ପରିମାଣରେ ଚାଷ ହେଉଥିଲା । ଚାଷୀମାନେ ଏଠାରେ ପନିପରିବା ଚାଷ କରି ବିକ୍ରି କରୁଥିଲେ । ସେ କୁହନ୍ତି, ‘‘ଜମି ପୂର୍ବରୁ ଏମିତି ଦେଖା ଯାଉନଥିଲା । ସବୁଆଡ଼େ ଫସଲ ହୋଇଥିବା ଦେଖିବାକୁ ମିଳୁଥିଲା।’’

ଏନଜିଟି ପକ୍ଷରୁ ଚାଷ ଉପରେ କଟକଣା ଲାଗୁ ହେବା ପରେ, ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହେଲା; ଏବଂ ବିଗତ ଅଢ଼େଇ ବର୍ଷ ମଧ୍ୟରେ ଏହି ଅଭିଯାନ ଅଧିକ ସକ୍ରିୟ ହୋଇଛି । ସେ ଆହୁରି କୁହନ୍ତି, ‘‘ଧୀରେ ଧୀରେ ସମସ୍ତଙ୍କ ଜମି ଛଡ଼ାଇ ନିଆଯାଇଛି । ଆମ ଅଞ୍ଚଳକୁ ୨୦୨୧ରେ ଭାଙ୍ଗି ଦିଆଯାଇଥିଲା।’’

ନିଜେ ଲଗାଇଥିବା ଗଛ ନଷ୍ଟ ହେବାକୁ ନେଇ ନନ୍ନୀ ଦେବୀ ଦୁଃଖ ପ୍ରକାଶ କରି କୁହନ୍ତି, ‘‘ଯେତେବେଳେ ଘର ଭଙ୍ଗା ଯାଇଥାଏ, ଗଛ ମଧ୍ୟ ନଷ୍ଟ ହୋଇଯାଇଥାଏ। ସେମାନେ (ଭାଙ୍ଗୁଥିବା ଲୋକମାନେ) କିଛି ଛାଡ଼ନ୍ତି ନାହିଁ । ଆମର ଏଠି ଅନେକ ଜାମୁ, ଆମ୍ବ ଏବଂ କଦଳୀ ଗଛ ରହିଛି । ମୁଁ ଅତି କଷ୍ଟ କରି ସେଗୁଡ଼ିକୁ ବଢ଼ାଇଛି।’’

ରଘୁ କୁହନ୍ତି ଯେ, ତାଙ୍କ ଭଳି ସାପୁଆ ସମ୍ପ୍ରଦାୟର ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଦିନ ମଜୁରିଆ କିମ୍ବା କବାଡ଼ି ବେପାରୀ । ‘‘ଆମର ପୂର୍ବଜମାନେ ଯାଯାବର ଥିଲେ । ଆମ ପାଖରେ କୌଣସି ପୈତୃକ ସମ୍ପତ୍ତି ନାହିଁ ।’’ ସେମାନଙ୍କ କହିବା କଥା ହେଉଛି ସରକାର ଯଦି ସେମାନଙ୍କୁ କିଛି ଜମି ଦିଅନ୍ତେ ତା’ହେଲେ ସେମାନେ ସ୍ଥାୟୀ ଘର ନିର୍ମାଣ କରିବାକୁ ସକ୍ଷମ ହୋଇପାରନ୍ତେ । ନନ୍ନୀ ଦେବୀ ତାଙ୍କର ଏହି କଥାରେ ସହମତ ହୁଅନ୍ତି ଏବଂ ଆଗକୁ କୁହନ୍ତି, ‘‘ସେମାନେ (ସରକାର) ଆମକୁ କିଛି ଜମି ଦେବା ଉଚିତ୍‌ ଯାହାଫଳରେ ଆମେ ଆମ ପିଲାମାନଙ୍କର ଲାଳନପାଳନ କରିପାରିବୁ ଏବଂ ରହିବା ଲାଗି ଘର ତିଆରି କରିପାରିବୁ । ‘‘ଆମେ ଯେଉଁ ସହାୟତା ଚାହୁଁଛୁ ତାହା ଆମକୁ ମିଳୁନାହିଁ । ସେମାନେ ଆମଠାରୁ ଚାଷ ଛଡ଼ାଇ ନେଲେ, ଅତି କମ୍‌ରେ ଆମକୁ ବଞ୍ଚିବାକୁ ତ’ ଦିଅନ୍ତୁ ।’’

ପରୀର ହୋମ ପେଜକୁ ଫେରିବା ଲାଗି ଏଠାରେ କ୍ଲିକ୍‌ କରନ୍ତୁ 

Editor's note

ଈଶନା ଗୁପ୍ତା ନିକଟରେ ଆନ୍ଧ୍ର ପ୍ରଦେଶର ଶ୍ରୀ ସିଟିଠାରେ ଥିବା କ୍ରିଆ ବିଶ୍ୱବିଦ୍ୟାଳୟରୁ ସାମାଜିକ ଅଧ୍ୟୟନରେ ସ୍ନାତକ ପାଠପଢ଼ା ସମ୍ପୂର୍ଣ୍ଣ କରିଛନ୍ତି । ସେ ଏହି ଷ୍ଟୋରୀ ପ୍ରସ୍ତୁତ କରିବାକୁ ଚାହିଁବାର କାରଣ ହେଉଛି, ଯେତେବେଳେ ଦିଲ୍ଲୀ ଭଳି ବଡ଼ ସହର କଥା ଆଲୋଚନା ହୋଇଥାଏ, ସେତେବେଳେ ମୁଖ୍ୟସ୍ରୋତରେ ଥିବା ଗଣମାଧ୍ୟମ ବସ୍ତି, ଅନଧିକୃତ କଲୋନୀ ଏବଂ ଝୁଗ୍ଗି ଝୋପଡ଼ିରେ ସାମୂହିକ ଭାବେ ରହୁଥିବା ଲୋକମାନଙ୍କ ଦୈନନ୍ଦିନ ଜୀବନର କଷ୍ଟ ଓ ବାସ୍ତବିକତାକୁ ଉପେକ୍ଷା କରିଥାନ୍ତି ।

ସେ କୁହନ୍ତି : ‘‘ପରୀ ସହିତ କାମ କରିବା ସମୟରେ ମୁଁ ଏହା ଶିଖିଲି ଯେ, ଷ୍ଟୋରୀର ବିଭିନ୍ନ ଅଂଶୀଦାରମାନଙ୍କର ଦୃଷ୍ଟିକୋଣ ଭିନ୍ନ ଭିନ୍ନ ହୋଇଥାଏ।  ଯେତେବେଳେ ପ୍ରତ୍ୟକ୍ଷ ଭାବେ ପ୍ରଭାବିତ ହୋଇଥିବା ଲୋକଙ୍କ ଉପରେ କୌଣସି ଷ୍ଟୋରୀ ପ୍ରସ୍ତୁତ କରାଯାଇଥାଏ ସେତେବେଳେ ଅଧିକାଂଶ କ୍ଷେତ୍ରରେ ଚାରି ପାଖରେ ଥିବା ବୈଷୟିକ ସମସ୍ୟା କାରଣରୁ ଅଣଦେଖା ହୋଇଥିବା ଲୋକଙ୍କ ସ୍ୱର ସାମ୍ନାକୁ ଆସିଥାଏ। ମୋର କାର୍ଯ୍ୟକ୍ଷେତ୍ର ଯାହା ହେଉ ପଛେ, ଏହି ଶିକ୍ଷା ସବୁବେଳେ ମୋ ପାଖରେ ରହିବ ।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।