
ଏହି କାହାଣୀ ମୌଳିକ ଭାବେ ହିନ୍ଦୀରେ ରିପୋର୍ଟ ଓ ଲେଖା ହୋଇଥିଲା । ପରୀ ଶିକ୍ଷା ସାରା ଦେଶର ଛାତ୍ରଛାତ୍ରୀ, ରିସର୍ଚ୍ଚ ସ୍କଲାର ଏବଂ ଶିକ୍ଷାବିତ୍ଙ୍କ ସହ କାମ କରେ ଯେଉଁମାନେ ସେମାନଙ୍କର ପସନ୍ଦ ମୁତାବକ ଭାଷାରେ ଆମ ପାଇଁ ରିପୋର୍ଟିଂ କରନ୍ତି, ଲେଖନ୍ତି ଏବଂ ବ୍ୟାଖ୍ୟା କରନ୍ତି ।
ନାନକମତ୍ତା ଗାଁରେ ଏହା ଏକ ଖରାଦିନିଆ ଅପରାହ୍ନ ଏବଂ ମନେନ୍ଦର ମଜୁମଦାର ତାଙ୍କ ଦୋକାନରେ ଚପ୍ ପକୋଡ଼ା ଛାଣିବାରେ ବ୍ୟସ୍ତ। ଉତ୍ତରାଖଣ୍ଡ ଉଧମ ସିଂ ନଗର ଜିଲ୍ଲାର ବେଙ୍ଗଲୀ କଲୋନୀର ବାସିନ୍ଦା ୬୦ ବର୍ଷୀୟ ବୁଲା ବିକାଳି କହନ୍ତି, “ବର୍ଷ ବର୍ଷ ଧରି, ଏହା ହିଁ ମୋର ଏକମାତ୍ର ରୋଜଗାରର ପନ୍ଥା ରହିଆସିଛି । ଏହାବିନା, ମୁଁ ମୋର ପ୍ରତିଦିନର ଖାଦ୍ୟ ପାଇପାରିବି ନାହିଁ ଏବଂ ଆପଣ ଆପଣଙ୍କର ଚପ୍ ପାଇବେ ନାହିଁ ।”
ମନେନ୍ଦରଙ୍କର ଦିନ ସକାଳ ୫ଟାରୁ ଆରମ୍ଭ ହୁଏ । ଘର କାମ ଶେଷ କରିବା ପରେ, ମନେନ୍ଦର ତେନ୍ତୁଳି, ବେସନ ଏବଂ ଅନ୍ୟ ନିତିଦିନିଆ ସଉଦା କିଣିବାକୁ ଦୋକାନରୁ ବାହାରି ଆସନ୍ତି । “ମୁଁ ୭ କେରେଟ୍ ଅଣ୍ଡା କିଣେ, ଯାହା ୧,୨୦୦ ଟଙ୍କା ପଡ଼େ । ମୁଁ ମଧ୍ୟ ଜିରା, ଧଣିଆ ଏଭଂ ଚଣା ବେସନ କିଣେ।” ଘରକୁ ଫେରିବା ପରେ ମନେନ୍ଦର, ଚଟଣି ତିଆରି କରିବା ସହ, ସେ ବିକ୍ରି କରୁଥିବା ସମସ୍ତ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରିବାରେ ଲାଗିପଡ଼ନ୍ତି । ପ୍ରାୟ ମଧ୍ୟାହ୍ନ ବେଳକୁ ସେ ଦୋକାନ ପାଇଁ ବାହାରନ୍ତି ଏବଂ ସେଠାରେ ରାତି ୮ଟା ପର୍ଯ୍ୟନ୍ତ କାମ କରନ୍ତି।



ମନେନ୍ଦର ଆଠ ବର୍ଷ ହେଲା ନିଜର ଦୋକାନ ଚଳାଉଛନ୍ତି ଏବଂ ତାଙ୍କର ସ୍ତ୍ରୀ, ମୀନୁ ମଜୁମଦାର, ଘର କାମ ସହ ଦୋକାନ ସମ୍ପର୍କିତ କାମରେ ବି ସାହାଯ୍ୟ କରନ୍ତି । ସେ କହିଲେ, “ମୋ ସ୍ତ୍ରୀଙ୍କ ସାହାଯ୍ୟ ବିନା, ମୁଁ ଦୋକାନ ଚଳାଇପାରିବି ନାହିଁ।” ତାଙ୍କର ତିନି ଝିଅ ଅଛନ୍ତି, ସେମାନେ ସମସ୍ତେ ବିବାହିତା ଏବଂ ଦୁଇ ଜଣ ନାତିନାତୁଣି ଅଛନ୍ତି। ସେ ନିଜର ଦୁଇ ପୁଅଙ୍କ ବାବଦରେ କଥା ହେବାକୁ ଚାହାନ୍ତି ନାହିଁ, ଯେଉଁମାନଙ୍କ ମଧ୍ୟରୁ ଜଣଙ୍କର ନିଧନ ହୋଇସାରିଛି।


ଇତିହାସ ବହିରେ ଏକ ପୃଷ୍ଠା
ନାନକମତ୍ତା ଗାଁର ବେଙ୍ଗଲୀ କଲୋନୀ ଯେଉଁଠାରେ ମନେନ୍ଦର ଏବେ ରହୁଛନ୍ତି, ତା’ର ଇତିହାସ ବହିରେ ଏକ ପୃଷ୍ଠା ଅଛି, କିନ୍ତୁ ସେ ଏବଂ ତାଙ୍କ ପରିବାର ଏଠାରେ ସର୍ବଦା ରହିନାହାନ୍ତି । ସେ ଯେତେବେଳେ ୧୧ ବର୍ଷର ହୋଇଥିଲେ ସେ ପୂର୍ବ ପାକିସ୍ତାନ(ଏବେ ବାଂଲାଦେଶ)ର ଖୁଲନା ଜିଲ୍ଲାରେ ଥିବା ଏକ ଗାଁରେ ରହୁଥିଲେ, ଯାହାର ନାଁ ସେ ଆଉ ମନେ ରଖିନାହାନ୍ତି । ସେ ୧୯୬୪ର ଏକ ଘଟଣାକୁ ମନେ ପକାନ୍ତି ଯେତେବେଳେ ବାଂଲାଦେଶ ପାକିସ୍ତାନରୁ ବିଚ୍ଛିନ୍ନ ହୋଇନଥିଲା କିନ୍ତୁ ସ୍ୱାଧୀନତା ଆନ୍ଦୋଳନ ଜାରି ରହିଥିଲା । ସେହିବର୍ଷ ଦଙ୍ଗାକାରୀମାନେ ମନେନ୍ଦରଙ୍କର ମୁଖ୍ୟତଃ ବେଙ୍ଗଲୀ ପଡ଼ୋଶୀଙ୍କ ଉପରେ ଆକ୍ରମଣ କଲେ ଏବଂ ମନେନ୍ଦରଙ୍କ ଘର ସମେତ ବହୁ ଘରେ ନିଆଁ ଲଗାଇ ଦେଇଥିଲେ ।
ମନେନ୍ଦର କହନ୍ତି, “ମୁଁ ଘରେ ଥିଲି ଏବଂ ସେତେବେଳେ ସଂଧ୍ୟା ପ୍ରାୟ ଚାରିଟା ହୋଇଥିଲା । ଆମ ବାପ-ମା’ ଆମର ସମସ୍ତ ପୋଷାକ, ବାସନକୁସନ ଏବଂ ଖାଦ୍ୟ ବ୍ୟାଗ୍ରେ ଭର୍ତ୍ତି କରିଦେଇଥିଲେ, ଏବଂ ଆମେ ଆମ ଗାଁ ଛାଡ଼ିଲୁ।” ସେପ୍ଟେମ୍ବର ମାସର ସେହି ଶୀତ ସଂଧ୍ୟାରେ, ସମ୍ପୂର୍ଣ୍ଣ ମଜୁମଦାର ପରିବାର ଏବଂ ତାଙ୍କ ଗାଁରୁ ଶତାଧିକ ଲୋକ ସେମାନଙ୍କର ଗାଁ ଛାଡ଼ିଲେ । ସେହି ଦୃଶ୍ୟକୁ ବର୍ଣ୍ଣନା କରି, ଏବେ ପାଞ୍ଚ ଦଶକ ପରେ ମନେନ୍ଦର କହନ୍ତି, “କେତେକ ସ୍ଥାନରେ ନିଆଁ ଜଳୁଥିଲା ଏବଂ ଆମ ଚାରିପାଖରେ ସଂଘର୍ଷ ଚାଲୁଥିଲା । ଲୋକେ କାନ୍ଦୁଥିଲେ, ନିଜ ଘର ଛାଡୁଥିଲେ। କେତେକ ନିଜ ସମ୍ପର୍କୀୟଙ୍କ ଘରକୁ, ଅନ୍ୟମାନେ ପରିଚିତଙ୍କ ଘରକୁ ପଳାଉଥିଲେ, ଏବଂ ଆମେ ଭାରତ ପଳାଇଆସିଲୁ।”
ପିଲିଭିତରୁ କିଛି କିଲୋମିଟର ଦୂରରେ ଥିବା ଘାଭିୟା ଗାଁରେ ପହଞ୍ଚିବା ପରେ ମଜୁମଦାର ପରିବାର ଦିନ ମଜୁରିଆ ଭାବେ କାମ କରିବା ଆରମ୍ଭ କଲେ । ମାତ୍ର ୧୧ ବର୍ଷର ହୋଇଥିବା ମନେନ୍ଦର ମଧ୍ୟ କୃଷି ଶ୍ରମିକ ଭାବେ କାମ କଲେ, ଦିନକୁ ଅଢ଼େଇ ଟଙ୍କା ଆୟ କରୁଥିଲେ।



ଆଳୁ ଚପ୍ ବା ଅଣ୍ଡା ଚପ୍ ଏକ ବେଙ୍ଗଲୀ ଖାଦ୍ୟ ଯେଉଁଥିରେ ଅଣ୍ଡା ବା ଚକଟା ହୋଇଥିବା ଆଳୁ ବେସନ, କର୍ଣ୍ଣ ଫ୍ଲୋର, ଖାଇବା ସୋଡ଼ା ଏବଂ ମିଶ୍ରିତ ମସଲାର ଘୋଳରେ ବୁଡ଼ା ଯାଏ ଏବଂ ପକୋଡ଼ା ଭଳି ଛଣାଯାଏ । ମହେନ୍ଦ୍ରଙ୍କର ଖାଦ୍ୟ ଗାଡ଼ିରେ ଗରମ ଚପ୍, ସବୁଜ ଚଟଣି ଏବଂ ଅଣ୍ଡା ମିଳେ ।
ମହାମାରୀ ଏବଂ ଲକ୍ଡାଉନ୍ ପାଇଁ ବ୍ୟବସାୟ ମାନ୍ଦା ପଡ଼ିଯାଇଛି । ମନେନ୍ଦର କହନ୍ତି, “ଆଜିକାଲି, ମୁଁ ଖୁବ୍ କମ୍ ଗ୍ରାହକ ପାଉଛି ଏବଂ ଦିନକୁ ୧୦୦ ଟଙ୍କା ରୋଜଗାର କରିବା କଷ୍ଟକର ହୋଇପଡୁଛି । ମୁଁ କାମ ବଦଳରେ ଯଥେଷ୍ଟ ଟଙ୍କା ଆୟ କରିପାରୁନାହିଁ ଏବଂ ପରିବାର ଚଳାଇବା ଦିନକୁ ଦିନ କଷ୍ଟକର ହୋଇଚାଲୁଛି । ବେଳେବେଳେ ମୁଁ ଏହି କାମ ଛାଡ଼ିଦେବା କଥା ଭାବୁଛି କିନ୍ତୁ ଏହି କାମ ହିଁ ମୁଁ ଜାଣିଛି । ୬୦ ବର୍ଷ ବୟସରେ, ମୋ ପରିବାରର ପେଟ ପୋଷିବା ପାଇଁ ମୁଁ ଆଉ କେଉଁ କାମ କରିପାରିବି?”

ମନେନ୍ଦର ଜାଣନ୍ତି ନାହିଁ କାହିଁକି ତାଙ୍କ ପରିବାର ଅନେକ ପ୍ରତିବନ୍ଧକ ଦେଇ ଭାରତକୁ ବିସ୍ଥାପିତ ହେବାକୁ ନିଷ୍ପତ୍ତି ନେଲେ ଏବଂ ଭାରତୀୟ ସୀମାରେ ପହଞ୍ଚିବାକୁ ଶହ ଶହ କିଲୋମିଟର ଯାତ୍ରା କଲେ। ସେମାନେ ଏକ ଛୋଟ ଡଙ୍ଗାରେ ଇଚ୍ଛାମତୀ ନଦୀ ପାର କରିଥିଲେ ଏବଂ ପଶ୍ଚିମବଙ୍ଗର ବୋଙ୍ଗାଓଁରେ ପହଞ୍ଚିଥିଲେ, ସେଠାରୁ ସେମାନେ କୋଲକାତା ଯାତ୍ରା କଲେ।
ମନେନ୍ଦର କେବେ ସ୍କୁଲ ଯାଇନଥିଲେ ଏବଂ ତାଙ୍କ ପରିବାରର କେହି ବି ଶିକ୍ଷିତ ନ ଥିଲେ । ସେ କହନ୍ତି, “ଆମେ ସମସ୍ତେ ଭୟଭୀତ ଥିଲୁ । ଆମେ ଲୁଚିଲୁଚି କୋଲକାତାରେ ପହଞ୍ଚିଲୁ । ପୋଲିସ ଆମକୁ ଧରିନେବା ଏବଂ ଆମେ ଚିହ୍ନଟ ହେବା ନେଇ ଆମେ ଭୟଭୀତ ଥିଲୁ।” ଉତ୍ତରପ୍ରଦେଶ ପିଲିଭିତ୍ରେ ରହୁଥିବା ଜଣେ ମାମୁଁଙ୍କ ଘରକୁ ଯିବା ପାଇଁ ପରିବାର ନିଷ୍ପତ୍ତି ନେଲା । ସେ କହନ୍ତି, “ଆମେ ଗୋଟିଏ ଟ୍ରକ୍ରେ ପିଲିଭିତ୍ ଅଭିମୁଖେ ବାହାରିଲୁ।”



କିଛି ବର୍ଷ ମଧ୍ୟରେ, ତାଙ୍କ ପରିବାର ଗାଁରେ ସଫଳତାର ସହ ରହିଯାଇଥିଲେ। ତେବେ ୧୯୭୨ର ମୌସୁମୀ ଋତୁରେ, ଶାରଦା ନଦୀର ବନ୍ୟା ତାଙ୍କ ପରିବାର ପାଇଁ ପୁଣି ଏକ ବିପର୍ଯ୍ୟୟ ଆଣିଲା। ସେମାନେ ବନ୍ୟାରେ ସେମାନଙ୍କର ଘର ଓ ଜମି ହରାଇଲେ।
ମନେନ୍ଦର ତାଙ୍କ ସାଇକେଲରେ ଏକ ଟ୍ରଲି ସଂଯୋଗ କରିଛନ୍ତି ଏବଂ ଏହା ତାଙ୍କର ଦୋକାନ। ଏହି ଟ୍ରଲିରେ ଅଣ୍ଡା-ଟ୍ରେ, ତେନ୍ତୁଳି ଚଟଣୀ, ବେସନ, ଗ୍ୟାସ୍, ଷ୍ଟୋଭ୍ ଏବଂ ଚପ୍ ରଖାଯାଇଥାଏ। ସେ କହନ୍ତି ସେ ନିଜେ ଏହି ଟ୍ରଲିକୁ ତିଆରି କରିଥିଲେ ଯେତେବେଳେ ସେ ଆଠ ବର୍ଷ ପୂର୍ବରୁ ଏହି ବ୍ୟବସାୟ ଆରମ୍ଭ କରିଥିଲେ; ତାଙ୍କର ରୋଜଗାର ଭଲ ଥିଲା। ଯେତେବେଳେ ସେ କାମ କରିବା ବେଳେ ଏକ ଦୁର୍ଘଟଣାରେ ତାଙ୍କର ପିଞ୍ଜରା ହାଡ଼ ଭାଙ୍ଗିଗଲା ଏବଂ ତାଙ୍କୁ ବିଛଣାରେ ରହିବାକୁ ପଡ଼ିଲା, ସେ ନିରାଶ ହୋଇଗଲେ। ସେ କହନ୍ତି, “ସେତେବେଳେ ମୁଁ ସବୁକିଛି ହରାଇଦେଲି। ମୋର ସବୁ କଠିନ ପରିଶ୍ରମ ନିଷ୍ଫଳ ହୋଇଗଲା ଏବଂ ଚିକିତ୍ସାରେ ମୋର ସବୁ ସଞ୍ଚୟ ଖର୍ଚ୍ଚ ହୋଇଗଲା।” ସୁସ୍ଥ ହେବାକୁ ଦୀର୍ଘ ସମୟ ଲାଗିବା ପରେ ସେ କାମ ଆରମ୍ଭ କରିବାକୁ ନିଷ୍ପତ୍ତି ନେଲେ।


୨୪ ବର୍ଷୀୟ ମନେନ୍ଦର ଦିନ ମଜୁରୀ ସନ୍ଧାନରେ ଅନ୍ୟ ଜିଲ୍ଲା ଏବଂ ରାଜ୍ୟକୁ ଯାତ୍ରା କରିବା ଆରମ୍ଭ କରିଥିଲେ । ଲୋକଙ୍କ ଜମିରେ କାମ କରିବାକୁ ନାନକମତ୍ତା ଯାଇଥିଲେ, “ସେତେବେଳେ ମୁଁ ପିଲିଭିତ୍ରେ ଦିନକୁ ଅଢ଼େଇ ଟଙ୍କା ମଜୁରୀ ଆୟ କରୁଥିଲି, ଯେତେବେଳେକି ନାନକମତ୍ତାରେ ପାଞ୍ଚ ଟଙ୍କା ରୋଜଗାର କରୁଥିଲି । ଏଠାରେ କାମ କରିବା ଅଧିକ ଲାଭଜନକ ଥିଲା।”
ନାନକମତ୍ତାରେ କାମ କରିବା ବେଳେ, ମନେନ୍ଦର କେତେକ ବେଙ୍ଗଲୀ ବାସିନ୍ଦାଙ୍କ ବାବଦରେ ଜାଣିବାକୁ ପାଇଲେ ଯେଉଁମାନେ ମଧ୍ୟ ବାଂଲାଦେଶ, ସେତେବେଳେର ପୂର୍ବ ପାକିସ୍ତାନରୁ ବିସ୍ଥାପିତ ହୋଇଥିଲେ । ସେ କହିଲେ, “ମୁଁ ଜାଣିବାକୁ ପାଇଲି ଯେ ମୋ ଗାଁରୁ କେତେକ ଲୋକ ଏଠାରେ ରହିଥିଲେ ଏବଂ ମୁଁ ମଧ୍ୟ ଏଠାରେ ରହିବାକୁ ଚାହୁଁଥିଲି। ଆମେ ମଧ୍ୟ ଆମ ମାମୁଁଙ୍କୁ ଅଧିକ ସମସ୍ୟାରେ ପକାଇବାକୁ ଚାହୁଁନଥିଲୁ ଏବଂ ଶୀଘ୍ର ଏଠାକୁ ଚାଲିଆସିଲୁ ଏବଂ ଆମର [କଚ୍ଚା] ଘର ତିଆରି କଲୁ। ପରେ ମୁଁ ଏଠି ଜମି କିଣିଲି ଏବଂ ଇଟା ଘର ତିଆରି କଲି।”
ଏବେ ମନେନ୍ଦରଙ୍କର ରାସନ କାର୍ଡ ଏବଂ ଅନ୍ୟ ପରିଚୟପତ୍ର ଅଛି ଯାହା ପ୍ରମାଣିତ କରେ ଯେ ସେ ଜଣେ ଭାରତୀୟ ନାଗରିକ । ତେବେ, ତାଙ୍କର ଜନ୍ମ ପ୍ରମାଣପତ୍ର ନାହିଁ, ଯାହା ଫଳରେ ତାଙ୍କୁ ଅନେକ ସମୟରେ ସମସ୍ୟା ହୋଇଛି । ସେ କହନ୍ତି, “ମୁଁ [ପୂର୍ବ]ପାକିସ୍ତାନରେ ଜନ୍ମ ହୋଇଥିଲି। ମୁଁ ସେଠାରୁ ମୋର ଜନ୍ମ ପ୍ରମାଣପତ୍ର କେମିତି ଆଣିବି? ଏହି କାଗଜପତ୍ର ସବୁ ମୋର କୌଣସି କାମରେ ଆସେ ନାହିଁ କାରଣ ମୁଁ ଏମିତି କିଛି କାମ କରେ ନାହିଁ ଯେଉଁଥିପାଇଁ ଏମିତି କାଗଜପତ୍ରର ଆବଶ୍ୟକତା ପଡ଼େ। ମୁଁ କେବଳ ତାହା ଉପରେ ଧ୍ୟାନ ଦେଇଆସିଛି ଯାହା ମୁଁ କରିଆସିଛି।”
ମନେନ୍ଦର, ଯିଏ ତାଙ୍କର ୧୫ ଟଙ୍କିଆ ଚପ୍ ମାଧ୍ୟମରେ ଲୋକଙ୍କ ମୁହଁରେ ହସ ଫୁଟାନ୍ତି, ଜୀବନ ବାବଦରେ ସେ କହନ୍ତି, “କଠିନ ପରିଶ୍ରମରେ ପୂର୍ଣ୍ଣ ଏହି ଜୀବନରେ, ଆମେ ଖୁସି କେଉଁଠି ଖୋଜିପାଇବୁ? ମୋର ସବୁ ସମୟ ନିଯୁକ୍ତି ବାବଦରେ ଚିନ୍ତା କରି ଯାଇଛି।”
ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆ ଦ୍ୱାରା CC BY-NC-ND 4.0 ଅଧୀନରେ ଲାଇସେନ୍ସପ୍ରାପ୍ତ।
Editor's note
ପ୍ରକାଶ ଚାନ୍ଦ ଉତ୍ତରାଖଣ୍ଡ ନାନକମତ୍ତା ପବ୍ଲିକ୍ ସ୍କୁଲର ଜଣେ ଦଶମ ଶ୍ରେଣୀ ଛାତ୍ର । ତାଙ୍କ ସ୍କୁଲରେ ଏକ ପରୀ ଅଧିବେଶନ ପରେ, ସେ ତାଙ୍କ ଆଖପାଖରେ ଥିବା ଲୋକ ଏବଂ କାହାଣୀ ସଂପର୍କରେ ଲେଖିବାକୁ ଆଗ୍ରହୀ ହେଲେ । ସେ କହନ୍ତି, "ପରୀ ଶିକ୍ଷା ସହିତ ଏହି କାହାଣୀ ଉପରେ କାମ କରିବା ବେଳେ ମୁଁ ଅନୁଭବ କଲି ଯେ ମୁଁ ମୋ ଗାଁର ଲୋକଙ୍କ ବାବଦରେ କେତେ କମ୍ ଜାଣିଥିଲି । ମୁଁ ବୁଝିଲି ଯେ ଏକ ସମ୍ପ୍ରଦାୟର ଇତିହାସ ତା’ର କଥା ଓ କାହାଣୀରେ ଜୀବନ୍ତ ରହେ । ମନେନ୍ଦରଙ୍କ କାହାଣୀକୁ ଶବ୍ଦରେ ବ୍ୟାଖ୍ୟା କରିବା ମୋ ପାଇଁ କଷ୍ଟକର ଥିଲା । ଏହି କାହାଣୀ ଲେଖିବା ବେଳେ ମୁଁ କେବଳ ବିସ୍ଥାପିତ ଲୋକଙ୍କ ବାବଦରେ ଜାଣିବାକୁ ସୁଯୋଗ ପାଇଲି ତାହା ନୁହେଁ ବରଂ ମୋତେ ସେମାନଙ୍କର ସଂଘର୍ଷ ଓ ଯନ୍ତ୍ରଣା ବୁଝିବାର ସୁଯୋଗ ମିଳିଲା ।"
ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।