ନିଜ ଚାଷ ଜମି ବିଷୟରେ କହିବା ସମୟରେ ଶୈଳେନ୍ଦ୍ର ବାଜ୍ରେ ବେଶ ଦୁଃଖି ଜଣାପଡ଼ୁଥିଲେ। ୧୫ ବର୍ଷ ଧରି ଏଠି କାମ କରିନାହାନ୍ତି। “ଏଠାରେ ଥିବା ଅଳିଆ ଗଦାରୁ-ଦୂଷିତ ପାଣି ଆସି ଭୂତଳଜଳରେ ମିଶିଯାଉଛି। ବୋରୱେଲ ପାଣି ଦୂଷିତ ହୋଇଯାଇଛି ଏବଂ ଆମେ ଏହାକୁ କ୍ଷେତରେ ଉପଯୋଗ କରିପାରିବୁ ନାହିଁ କାରଣ ଏହା ଚାଷକୁ ନଷ୍ଟ କରିଦେବ ଏବଂ ମାଟିର ଉର୍ବରତା ହ୍ରାସ ପାଇବ”, ସେ କୁହନ୍ତି।

ବାଜ୍ରେ ଯେଉଁ ଅଳିଆ ଗଦା ବିଷୟରେ କହୁଛନ୍ତି ତାହା ପୁଣେଠାରୁ ୧୭ କିମି ଦୂରରେ ଥିବା ତାଙ୍କ ଗ୍ରାମ ଉରୁଲି ଦେବାଚିରେ ରହିଛି। ଦୂରରୁ ବିଶାଳକାୟ ଅଳିଆ ଗଦାଗୁଡ଼ିକ ପ୍ରାକୃତିକ ପାହାଡ଼ ଭଳି ଦେଖାଯାଇଥାଏ। କିନ୍ତୁ ବାସ୍ତବରେ ଏଗୁଡ଼ିକ ଆବର୍ଜନା ଗଦା ଯାହାକି ଦୋକାନ, ବିଦ୍ୟାଳୟ ଓ ଘର ନିକଟରେ ୩୦ ବର୍ଷରୁ ଅଧିକ ସମୟ ଧରି ଗଦା ହୋଇ ଆସୁଛି।

ମହାରାଷ୍ଟ୍ର ସରକାର ୧୯୮୧ରେ ପୁଣେ ସହରର ବର୍ଜ୍ୟବସ୍ତୁ ନିଷ୍କାସନ କରିବା ପାଇଁ ଉରୁଲି ଦେବାଚି ଗ୍ରାମ ନିକଟରେ ୪୩ ଏକର ଜମି ଦେଇଥିଲେ; ୨୦୦୩ରେ ବର୍ଦ୍ଧିତ ପୁଣେ ସହରର ବଢ଼ୁଥିବା ବର୍ଜ୍ୟବସ୍ତୁ ନିଷ୍କାସନ କରିବା ଲାଗି ଫୁରସୁଙ୍ଗି ଗ୍ରାମ ନିକଟରେ ଆହୁରି ୧୨୦ ଏକର ଜମି ଦିଆଯାଇଥିଲା। ଏହି ଦୁଇଟି ସ୍ଥାନରେ ମାର୍ଚ୍ଚ ୨୦୧୪ ପର୍ଯ୍ୟନ୍ତ ପୁଣେ ମହାନଗର ନିଗମ (ପିଏମସି) ପକ୍ଷରୁ ପୁଣେ ସହରର ପାଖାପାଖି ୧,୧୦୦ ଟନ ଆବର୍ଜନା ନିଷ୍କାସନ କରାଯାଇସାରିଲାଣି। ଗ୍ରାମବାସୀଙ୍କ ପକ୍ଷରୁ ଲଗାତାର ଏବଂ ବର୍ତ୍ତମାନ ଜାରି ରହିଥିବା ବିରୋଧ ଯୋଗୁଁ ଅକ୍ଟୋବର ୨୦୧୫ରେ ଏହି ପରିମାଣ ୫୦୦ ଟନକୁ ହ୍ରାସ ପାଇଥିଲା।

ଏହି ହ୍ରାସ ସତ୍ତ୍ୱେ ବାୟୁ ଓ ଜଳ ପ୍ରଦୂଷଣ କ୍ରମାଗତ ଭାବେ ବଢ଼ିଚାଲିଛି। ୨୦୧୪ରେ ପ୍ରଭାବିତ ଗ୍ରାମର ଲୋକମାନେ, ଆଇନଜୀବୀ ଅସୀମ ସାରୋଦେଙ୍କ ସହାୟତାରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି)ର ପଶ୍ଚିମାଞ୍ଚଳ ଖଣ୍ଡପୀଠଙ୍କ ନିକଟରେ ଏକ ମାମଲା ଦାୟର କରିଥିଲେ। ଏକାଧିକ ଅନ୍ତରୀଣ ଆଦେଶ ପରେ ଅଗଷ୍ଟ ୧୭ ତାରିଖକୁ ଚୁଡ଼ାନ୍ତ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା।

ଉରୁଲି ଦେବାଚିଠାରେ ପର୍ବତାକାର ଓ ବିପଜ୍ଜନକ ଆବର୍ଜନ ଗଦା

ବର୍ଜ୍ୟବସ୍ତୁ ପରିଚାଳନା ହେଉନଥିବାରୁ ଏଥିରୁ ନିର୍ଗତ ଦୂଷିତ ଜଳ ମାଟି ତଳକୁ ଚାଲିଯାଇ ଭୂତଳ ଜଳକୁ ଦୂଷିତ କରି ଦେଉଛି ଫଳରେ ଚାଷଜମି ଅନୁର୍ବର ହୋଇଯାଉଛି। ରଞ୍ଜିତ ରସ୍କାର, ଫୁରସୁଙ୍ଗି ଗ୍ରାମ ପଞ୍ଚାୟତର ଜଣେ ସଦସ୍ୟ, ଦୂଷିତ ଜଳର ପ୍ରଭାବ ବିଷୟରେ କୁହନ୍ତି ଯେ : “ମୋ ଜମିରେ ହେଉଥିବା ପନିପରିବାରେ ଏବେ ଅଧିକ ମାତ୍ରାରେ ଲିଡ ଉପାଦାନ ରହୁଛି। ଏହା ଅତ୍ୟନ୍ତ ବିପଜ୍ଜନକ ଏବଂ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇପାରେ।”

ପୁଣେରେ ଅବସ୍ଥାପିତ ଇଣ୍ଡିଆନ ଏକ୍ସପ୍ରେସ ର ସମ୍ବାଦଦାତା ପାର୍ଥ ବିଶ୍ୱାସ ଦୀର୍ଘଦିନ ଧରି ଏହି ବ୍ୟାପକ ପରିବେଶଗତ ପ୍ରସଙ୍ଗ ଉପରେ ଲେଖିଆସୁଛନ୍ତି। ସେ କୁହନ୍ତି, ବିଗତ କିଛି ବର୍ଷ ଧରି ବହୁ ପରିମାଣର ଜମି ଅନୁର୍ବର ହୋଇପଡ଼ିଲାଣି। “ପୂର୍ବରୁ ଗାଁରେ ମକା ଚାଷ ହେଉଥିଲା କିନ୍ତୁ ଅଧିକ ମାତ୍ରାରେ ପାରଦ ଏବଂ ପ୍ରଦୂଷଣ କାରଣରୁ ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ଜମି ନଷ୍ଟ ହୋଇସାରିଲାଣି”।

ମହାରାଷ୍ଟ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ୨୦୦୫ ସେପ୍ଟେମ୍ବରରେ ଏକ ନିରୀକ୍ଷଣ କରାଯାଇଥିଲା ଯାହାର ରିପୋର୍ଟକୁ ଆଧାର କରି ଜୁଲାଇ ୨୦୧୬ରେ ଏନଜିଟିରେ ଏକ ସଂଶୋଧିତ ପିଟିସନ ଦାଖଲ କରାଯାଇଥିଲା। ଏଥିରେ ଦର୍ଶାଯାଇଛି ଯେ ବୈଜ୍ଞାନିକ ପଦ୍ଧତିରେ ବର୍ଜ୍ୟବସ୍ତୁଗୁଡ଼ିକର ପ୍ରକ୍ରିୟାକରଣ କରାଯାଉନଥିବା କାରଣରୁ ବହୁ ପରିମାଣର ଆବର୍ଜନା ଗଦା ବଢ଼ି ବଢ଼ି ଚାଲିଥିବା ନିରୀକ୍ଷଣ କରିଥିବା ଉପ କ୍ଷେତ୍ରୀୟ ଅଧିକାରୀ ଜାଣିବାକୁ ପାଇଛନ୍ତି। ଏହିସବୁ ଆବର୍ଜନାର ପାହାଡ଼ରୁ ନିର୍ଗତ ଦୂଷିତ ଜଳ କଟରାଜ- ସାସ୍ୱାଡ଼ ବାଏପାସ ରୋଡ ଦେଇ କାଲା ଓଢ଼ା ଓ ଫାର୍ଶିଚା ଓଢ଼ା ନାମକ ଦୁଇଟି ଝରଣାକୁ ପ୍ରଦୂଷିତ କରୁଛି। ଏହି ଦୁଇଟି ଝରଣା ମଞ୍ଜରି ଗ୍ରାମ ନିକଟରେ ମୂଲା-ମୁଠା ନଦୀରେ ମିଶିଛନ୍ତି। ଅଧିକାରୀ ଜଣକ ଦର୍ଶାଇଥିଲେ ଯେ ଏହି ବିଷାକ୍ତ ବର୍ଜ୍ୟ ଚାରିଟି ଗ୍ରାମ ପଞ୍ଚାୟତ : ଉରୁଲି ଦେବାଚି, ଫୁରସୁଙ୍ଗି, ଶେୱାଲୱାଡି ଓ ମଞ୍ଜରିରେ ରହୁଥିବା ପାଖାପାଖି ଚାରି ଲକ୍ଷ ଲୋକଙ୍କ ଜୀବନକୁ ବିପଦାପନ୍ନ କରି ଦେଇଛି।

ଉରୁଲି ଦେବାଚି ଠାରେ ବର୍ଜ୍ୟବସ୍ତୁ ଡିପୋ ଭିତରେ ଶୁଖିଲା ଆବର୍ଜନାର ପ୍ରକ୍ରିୟାକରଣ ପାଇଁ ଉଦ୍ଦିଷ୍ଟ ହାଞ୍ଜେର ବାୟୋଟେକ ଏନର୍ଜି ପ୍ରାଇଭେଟ ଲିମିଟେଡ ପ୍ଲାଣ୍ଟର ଅଚଳ ଯନ୍ତ୍ରାଂଶ

ଏହି ପ୍ରଦୂଷଣ କାରଣରୁ ବାଜ୍ରେଙ୍କ ଭଳି ଚାଷୀମାନେ ସେମାନଙ୍କର ଜମିରେ ଚାଷ କରିବା ଲାଗି ବିଶୁଦ୍ଧ ଜଳ ପାଇପାରୁନାହାନ୍ତି। ବାଜ୍ରେ ବର୍ତ୍ତମାନ ଛୋଟିଆ ନିର୍ମାଣ ବ୍ୟବସାୟ କରି ପେଟ ପୋଷୁଛନ୍ତି। ଅନ୍ୟମାନେ ବାଧ୍ୟ ହୋଇ ବିକଳ୍ପ ରୋଜଗାର ପନ୍ଥା ଆପଣାଇ ନେଇଛନ୍ତି; କିଛି ଲୋକ ପ୍ଲମ୍ବର କାମ କରୁଛନ୍ତି, ଆଉ କିଛି ସୁରକ୍ଷାକର୍ମୀ ଭାବେ କାମ କରୁଛନ୍ତି।

“ଯଦି ମୁଁ ପ୍ରଦୂଷିତ ଜଳ ଉପଯୋଗ କରିବି, ଏହା ମାଟି ଓ ଉତ୍ପାଦକୁ ପ୍ରଭାବିତ କରିବ,” ବାଜ୍ରେ କୁହନ୍ତି। “ଏପରିକି କୂଅରେ ଥିବା ପାଣି ମଧ୍ୟ ଦୂଷିତ ହୋଇଯାଇଛି। ଏହା କଳା ଓ ତେଲିଆ ହୋଇଯାଇଛି। ଏହା ଆଉ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ। ଏଠାକାର ଅଧିକାଂଶ ଚାଷୀ ବର୍ଷା ଜଳ ଉପରେ ନିର୍ଭର କରିଥାନ୍ତି। ପିଏମସି ପକ୍ଷରୁ କେବଳ ପିଇବା ପାଇଁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯାଇଥାଏ।”

ଉରୁଲି ଦେବାଚିର ନାଏବ ସରପଞ୍ଚ ମହେନ୍ଦ୍ର ଶେୱାଲେଙ୍କର ୮ ଏକର ଜମି ରହିଛି ଯେଉଁଥିରେ ସେ ପରିବା, ଯଅ, ବାଜରା ଓ ଅନ୍ୟ ଶସ୍ୟ ଚାଷ କରିଥାନ୍ତି। ସେ କୂଅ ପାଣିକୁ ତାଙ୍କ ଜମିରେ ମଡ଼ାଇଥାନ୍ତି କିନ୍ତୁ କୃଷିଜାତ ଉତ୍ପାଦର ଗୁଣବତ୍ତା ହ୍ରାସ ପାଇଥିବା ସେ କ୍ଷୋଭର ସହ କହିଥାନ୍ତି। “ଦଶ ବର୍ଷ ପୂର୍ବରୁ, ମୁଁ ବାର୍ଷିକ ୧୦-୧୨ କୁଇଣ୍ଟାଲ ଗହମ ଅମଳ କରୁଥିଲି କିନ୍ତୁ ଏବେ ମୁଁ ବର୍ଷକୁ ମାତ୍ର ୧୦-୧୨ କୁଇଣ୍ଟାଲ ଅମଳ କରିପାରୁଛି। ମୋ ଉତ୍ପାଦିତ ପରିବାର ମାନ ମଧ୍ୟ ହ୍ରାସ ପାଇଛି,” ସେ କୁହନ୍ତି।

ପିଏମସି ଦ୍ୱାରା ଅନିୟନ୍ତ୍ରିତ ଭାବେ ବଢ଼ି ଚାଲିଥିବା ଏହି ଆବର୍ଜନ ଗଦା ଯୋଗୁଁ ଗ୍ରାମବାସୀଙ୍କ ଉପରେ ପ୍ରତିକୂଳ ପ୍ରଭାବ ପଡ଼ୁଥିବା ଏନଜିଟିରେ ଦାଖଲ ପିଟିସିନରେ ଦର୍ଶାଯାଇଛି। ଉରୁଲି ଦେବାଚିରେ ଭଲ ମୌସୁମୀ ବର୍ଷା ସାଧାରଣତଃ ଦେଖିବାକୁ ମିଳିନଥାଏ। ଓଦା ଆବର୍ଜନା ଗଦାରୁ ବାହାରୁଥିବା ଦୁର୍ଗନ୍ଧ ଓ ଧୂଆଁ ଗାଁ ଉପର ଦେଇ ଗତି କରିଥାଏ, ଯାହା ରୋଗ ସଂକ୍ରମଣ ବଢ଼ାଇଥାଏ। ବାଜ୍ରେଙ୍କର ସମେତ ଗାଁର ବହୁ ଲୋକ ନିୟମିତ ମୁଣ୍ଡବିନ୍ଧା ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେହିପରି ଏଠାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି।

ବୋଝ ଉପରେ ନଳିତା ବିଡ଼ା ସଦୃଶ ପୂର୍ବରୁ ଏପରି ଭୟଙ୍କର ପରିସ୍ଥିତି ଦେଇ ଗତି କରୁଥିବା ଗ୍ରାମବାସୀଙ୍କୁ ସଠିକ ଭାବେ ଚିକିତ୍ସା ସେବା ମିଳିପାରିନଥାଏ। “ପିଏମସି ପକ୍ଷରୁ ଏକ ପ୍ରାଥମିକ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ସ୍ଥାପନ କରାଯାଇଛି ଏବଂ ଏଠାରେ ମାଗଣାରେ ଔଷଧ ଯୋଗାଇ ଦିଆଯାଇଥାଏ,” ବାଜ୍ରେ କୁହନ୍ତି। “କିନ୍ତୁ ଡାକ୍ତର ସପ୍ତାହକୁ ମାତ୍ର ଦୁଇ ଥର ଆସିଥାନ୍ତି।” ଉରୁଲି ଦେବାଚିରେ ପ୍ଲମ୍ବର ଭାବେ କାମ କରୁଥିବା ବାଲାସାହେବ ଭାପକର ସରକାରୀ ଡାକ୍ତରଖାନାଗୁଡ଼ିକର ଦୟନୀୟସ୍ଥିତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥାନ୍ତି। “ମୋ ପତ୍ନୀଙ୍କୁ ଡେଙ୍ଗୁ ହୋଇଥିବା ସମୟରେ ମୁଁ ୭୫,୦୦୦ ଟଙ୍କା ଖର୍ଚ୍ଚ କଲି। ମୁଁ ତାଙ୍କୁ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲି। ସରକାରୀ ଡାକ୍ତରଖାନାରେ ଯଥେଷ୍ଟ ଡାକ୍ତର ଓ ଚିକିତ୍ସା ସୁବିଧା ନାହିଁ। ଯଦି ପିଏମସି ଆମ ଗାଁରେ ଅଳିଆ ଗଦା କରୁଛି ସେମାନେ ଅତିକମରେ ଆମ ଚିକିତ୍ସା ଖର୍ଚ୍ଚ ବହନ କରିବା ଉଚିତ।”

ସ୍ୱାସ୍ଥ୍ୟ ସମସ୍ୟା ବ୍ୟତୀତ ଏହି ଆବର୍ଜନା ପାହାଡ଼ର ଅଲୋଡ଼ା ସାମାଜିକ ପ୍ରଭାବ ମଧ୍ୟ ପଡ଼ୁଛି ବୋଲି କୁହନ୍ତି ଶେୱାଲେ। “ଆମ ଗାଁରେ ରହୁଥିବା ପରିବାରରେ ସେମାନଙ୍କ ଝିଅ ବାହା କରାଇବାକୁ ଅଧିକାଂଶ ଲୋକ ପସନ୍ଦ କରୁନାହାନ୍ତି। ଆମ ଘରକୁ କେହି କୁଣିଆ ଆସିଲେ, ମୁଁ ସେମାନଙ୍କୁ ଦେଉଥିବା ପାଣି ପିଇବା ଲାଗି ସେମାନେ କୁଣ୍ଠାବୋଧ କରୁଛନ୍ତି।”

ଗାଁ ଲୋକଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ ଓ ପ୍ରତିବାଦ ସତ୍ତ୍ୱେ ମହାନଗର ନିଗମ ଅଳିଆ ଗଦା ପାଇଁ ବିକଳ୍ପ ସ୍ଥାନ ଖୋଜିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛି। “ନେତାମାନେ ଆସୁଛନ୍ତି ଓ ଯାଉଛନ୍ତି, ଖାଲି ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି,” ବାଜ୍ରେ କୁହନ୍ତି। “କିନ୍ତୁ ଆମେ ହିଁ ଏଠି ରହି ଦହଗଞ୍ଜ ହେଉଛୁ।” ବହୁ ଲୋକ ଉରୁଲି ଦେବାଚି ଓ ଫୁରସୁଙ୍ଗି ଛାଡ଼ି ପୁଣେରେ ରହିବା ଲାଗି ଚାଲିଗଲେଣି। ବିଡ଼ମ୍ବନାର ବିଷୟ ହେଉଛି, ଏ ଦୁଇଟି ଗ୍ରାମରେ ଜମି ଦର ବଢ଼ିଚାଲିଛି, ଚାଷ ଜମି ଏବେ ଅଣଚାଷ ଜମି ଭାବେ ବିକ୍ରି ହେଉଛି। ପୁଣେ ସହରରେ ଘର ତିଆରି କରିବାକୁ ସକ୍ଷମ ହେଉନଥିବା ଲୋକମାନେ ଏସବୁ ଗାଁରେ ଜମି କିଣୁଛନ୍ତି। ପୁଣେ ପାଖରେ ଅବସ୍ଥିତ ଥିବାରୁ ଏହି ଅଞ୍ଚଳ ଏବେ ରିୟଲ ଇଷ୍ଟେଟ ପାଇଁ ଆକର୍ଷଣୀୟ ସ୍ଥାନ ପାଲଟିଛି। “ତେଣୁ ଚାଷ ଜମି ପ୍ରାୟତଃ ଆଉ ଦେଖିବାକୁ ମିଳୁନାହିଁ,” କୁହନ୍ତି ବିଶ୍ୱାସ।

ଆବର୍ଜନା ଡିପୋକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ଲାଗି ଏବେ ଗାଁ ଲୋକମାନେ ଚାହୁଁଛନ୍ତି। ଏନଜିଟିର ଆଦେଶ ସମ୍ପୂର୍ଣ୍ଣ ଭାବେ ଏହି ଅଳିଆ ଗଦାକୁ ବନ୍ଦ କରିବ ବୋଲି ସେମାନେ ଆଶାବାଦୀ ରହିଛନ୍ତି। “ଅଗଷ୍ଟ ୨୦୧୪ରେ ଯେତେବେଳେ ଆବର୍ଜନା ଟ୍ରକଗୁଡ଼ିକୁ ଗାଁ ଭିତର ଦେଇ ଯିବାକୁ ଦିଆଗଲା ନାହିଁ, ସାରା ପୁଣେ ସହର ଅସୁବିଧାରେ ପଡ଼ିଥିଲା କାରଣ ସେମାନଙ୍କ ଆର୍ବଜନା ଟ୍ରକ ଆମ ଗାଁ ଭିତରକୁ ପ୍ରବେଶ କରିପାରୁନଥିଲା,” ଶେୱାଲେ କହିଛନ୍ତି। “କିନ୍ତୁ ସେମାନଙ୍କ ଅସୁବିଧା ମାତ୍ର କିଛି ଦିନ ପର୍ଯ୍ୟନ୍ତ ରହିଲା। ଆମେ କିପରି ଭାବେ ଏହାକୁ ସହିବୁ। କେହି ଲୋକ ଯଦି ଆପଣଙ୍କ ଘର ପାଖକୁ ଆସି ସେଠାରେ ନିଜର ଅଳିଆ ଆବର୍ଜନା ଗଦା କରି ଚାଲିଯାଏ, ଆପଣଙ୍କୁ କେମିତି ଲାଗିବ?”

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍‌ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Editor's note

ଅକ୍ଟୋବର-ନଭେମ୍ବର ୨୦୧୫ରେ ପରୀରେ ଇଣ୍ଟର୍ଣ୍ଣସିପ କରୁଥିବା ସମୟରେ ଲେଖକ ଏହି ସ୍ତମ୍ଭଟିକୁ ଲେଖିଥିଲେ। ଫଟୋ କ୍ରେଡିଟ : ବିଜୟତା ଲାଲୱାନି