
‘‘ଏହା ଦିନର ମୋର ପ୍ରଥମ ପାଛିଆ । ମୁଁ ସାରା ଦିନ କାମ କରିବି ।’’ ସେ କହିଲେ ଏବଂ ବୁଲି ପଡ଼ି ତାଙ୍କ ଚାରି ପାଖରେ ପଡ଼ିଥିବା ‘ବର୍ଜ୍ୟ କୋଇଲା’ ଗଦାରୁ ବ୍ୟବହାରଯୋଗ୍ୟ କୋଇଲା ଖଣ୍ଡ ଖୁଣ୍ଟିବା ଆରମ୍ଭ କଲେ ।
କେବଳ ୧୨ ବର୍ଷୀୟା ପ୍ରିୟଙ୍କା ହେମ୍ବ୍ରମ୍ ହିଁ ସରକାରଙ୍କ ଦ୍ୱାରା ପରିଚାଳିତ ତାମଲାବସ୍ତି ଆଦିବାସୀ ପ୍ରାଥମିକ ସ୍କୁଲରେ ନାମ ଲେଖାଇଛି, କିନ୍ତୁ ତାଙ୍କ ଶିକ୍ଷକ କହନ୍ତି, ସେ କେବେ କେମିତି ସ୍କୁଲ ଆସେ । ଜଣେ ଅନାଥ ପ୍ରିୟଙ୍କା ନିଜ ମାଉସୀ ସହ ରହେ, ଯିଏ ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲ୍ଲାରେ ଥିବା ଦୁର୍ଗାପୁର ସମନ୍ୱିତ ଷ୍ଟିଲ୍ ପ୍ଲାଣ୍ଟରେ ଜଣେ ଦିନ ମଜୁରିଆ ଭାବେ କାମ କରନ୍ତି । କୋଇଲା ସଂଗ୍ରହରୁ ତା’ର ରୋଜଗାର ତା’ର ମାଉସୀ ଘରେ ରହିବା ବାବଦକୁ ଖର୍ଚ୍ଚ ହୁଏ ।
ଚେପି ରାୟ ନିଜ ଜୀବନର ଷାଠିଏ ଦଶକରେ ଅଛନ୍ତି ଏବଂ ସେହି ଡିପୋରେ ବୟସ୍କ ଶ୍ରମିକଙ୍କ ମଧ୍ୟରୁ ଜଣେ । ସେ କହନ୍ତି, ‘‘ବୟସ ଥିବାବେଳେ ମୁଁ ସହଜରେ ପ୍ରତିଦିନ ୧୦-୧୨ ପାଛିଆ କୋଇଲା ସଂଗ୍ରହ କରିନେଉଥିଲି । କିନ୍ତୁ ଏବେ ମୁଁ ବେଶୀ ସମୟ କାମ କରିପାରୁନାହିଁ । ମୋ ପିଠି ବିନ୍ଧୁଛି । ମୋ ଆଖିକୁ ମଧ୍ୟ କଷ୍ଟ ହେଉଛି ।’’
ଜୀବନର ଚାଳିଶ ଦଶକର ଶେଷ ଭାଗରେ ପହଞ୍ଚି ସାରିଥିବା ଏବଂ ଏହି କଷ୍ଟକର ଓ ବିପଜ୍ଜନକ କାମ କରୁଥିବା ବହୁ ମହିଳାଙ୍କ ମଧ୍ୟରୁ ଜଣେ ମୋମିନା ବିବି କହନ୍ତି, ‘‘ମୁଁ ମୋର ଗର୍ଭାବସ୍ଥାରେ କାମ କରୁଥିଲି, ଯେମିତି ଏଠାକାର ଅଧିକାଂଶ ମହିଳା କରନ୍ତି । ସମୟ ସମୟରେ ମୋତେ କଷ୍ଟ ଲାଗୁଥିବା ଶରୀରକୁ କୌଣସି ଗୋଟିଏ ଆରାମ ଦାୟକ ସ୍ଥାନରେ ବିଶ୍ରାମ ଦେବାର ଆବଶ୍ୟକତା ଅନୁଭବ କରୁଥିଲି ।’’ ତାଙ୍କ ସ୍ୱାମୀ ବେଳେ ବେଳେ ଡିପୋରେ କୋଇଲା ବୋଝେଇ କରିବା କାମ ପାଆନ୍ତି, କିନ୍ତୁ ସେ କହିଲେ ଯେ ସେମାନେ ତାଙ୍କର ସପ୍ତାହକୁ ୨୦୦ରୁ ୩୦୦ ଟଙ୍କା ଆୟ ଉପରେ ନିର୍ଭର କରି ରହିପାରିବେ ନାହିଁ। ସେମାନଙ୍କର ୩ଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି, ଯେଉଁମାନେ ସ୍କୁଲ ଯାଉଛନ୍ତି ଓ ଭଲ ପଢୁଛନ୍ତି । ମୋମିନା ଗର୍ବର ସହ ଏହା କହିଲେ । ସେ ଆହୁରି କହିଲେ, ‘‘ଆମେ ଯଦି ଆମେ ସ୍ୱାମୀଙ୍କ ରୋଜଗାର ଉପରେ ଭରସା କରିଥାଆନ୍ତୁ ତେବେ ମୋର କେହି ପିଲା ସ୍କୁଲ ଯାଇପାରୁନଥାନ୍ତେ । ମୁଁ କେବଳ ଅପେକ୍ଷା କରିଛି ମୋ ଝିଅମାନେ ବଡ଼ ହେବେ, ଚାକିରି ପାଇବେ ଏବଂ ଗୋଟିଏ ଭଲ ଜୀବନ ବଞ୍ଚିବେ ।’’

ଦୁର୍ଗାପୁର ପ୍ଲାଣ୍ଟ ଆଖପାଖରୁ କୋଇଲା ସଂଗ୍ରହ କରିବା ରାସ୍ତାରେ ଏମାନଙ୍କର କମ୍ ବୟସ, ଗର୍ଭବତୀ ବା ଦୁର୍ବଳ ସ୍ୱାସ୍ଥ୍ୟ ପ୍ରତିବନ୍ଧକ ହୋଇପାରେ ନାହିଁ । ବିହାରରେ ଗୋଡ୍ଡାର କୋଇଲାବାଲାଙ୍କ ଉପରେ ପି ସାଇନାଥ୍ଙ୍କର ଆଲେଖ୍ୟରେ ରିସାଇକ୍ଲିଂ ଏନର୍ଜି, ଗୋଡ୍ଡା ଷ୍ଟାଇଲ ଉଲ୍ଲେଖ କରାଯାଇଛି ଯେ: ‘ଅଧିକାରୀମାନଙ୍କ କହିବା ଅନୁସାରେ ଗରିବ ଲୋକଙ୍କ ଦ୍ୱାରା ଖାସ୍ କରି ମହିଳାମାନଙ୍କ ଦ୍ୱାରା ଆବର୍ଜନା ଗଦାରୁ କୋଇଲା ଗୋଟେଇବା ଏକ ‘ଜାତୀୟ ସଞ୍ଚୟ’ ପାଇଁ ଅନେକାଂଶରେ ଦାୟୀ । ’
କମ୍ ବୟସର ଝିଅ ଓ ମହିଳାମାନେ ୧୦ ଘଣ୍ଟାର କାମ ପାଇଁ ପ୍ରାୟ ୧୫୦ ଟଙ୍କା ଆୟ କରନ୍ତି । ପ୍ରତି ପାଛିଆର ଓଜନ ପ୍ରାୟ ୨୦ କିଲୋଗ୍ରାମ, ଗୋଟିଏକୁ ୨୫ ଟଙ୍କା ମିଳେ, ଏବଂ ଅଧିକାଂଶ ପ୍ରାୟ ୫ ପାଛିଆ ସଂଗ୍ରହ କରିବାରେ ସମର୍ଥ ହୁଅନ୍ତି ।
ଦୁର୍ଗାପୁର ଷ୍ଟିଲ୍ ପ୍ଲାଣ୍ଟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍(ସେଲ୍) ମାଲିକାନାରେ ଅଛି ଏବଂ ପରିଚାଳିତ ହେଉଛି । ଷ୍ଟିଲ୍ ପ୍ଲାଣ୍ଟ ଆଖପାଖରେ ଥିବା ଉଦ୍ୟୋଗଗୁଡ଼ିକ ଖଣିରୁ ବାହାରୁଥିବା କଞ୍ଚା କୋଇଲା ବ୍ୟବହାର କରନ୍ତି । ଅବଶିଷ୍ଟ କୋଇଲା ବା କଠିନ କୋକ୍ ସେହି ଉତ୍ପାଦ ଯାହା କୋକିଙ୍ଗ କୋଇଲାକୁ କାର୍ବୋନେଟ୍ କରିବା ପରେ ବାହାରେ । ଏହି ପରିତ୍ୟକ୍ତ କଠିନ କୋକ ଏକାଠି କରାଯାଏ ଏବଂ କୋଇଲା ଡିପୋରେ ମାଙ୍ଗାନିଜ, ଲୁହାପଥର, ଧାତୁମଳ ଓ ଅନ୍ୟ ଶିଳ୍ପ ଆବର୍ଜନା ସହ ମିଶାଇ ପକାଇ ଦିଆଯାଏ । ଏସବୁକୁ ତା’ ପରେ ବିଭିନ୍ନ ମହାଜନ(ମାଲିକ)ଙ୍କୁ ନିଲାମ କରାଯାଏ ଏବଂ ଉଦ୍ଦିଷ୍ଟ ଡିପୋକୁ ପଠାଯାଏ।
ମୋମିନା କହନ୍ତି ‘‘ମହାଜନମାନେ ଡିପୋକୁ ସେତେ ଆସନ୍ତି ନାହିଁ ଏବଂ ଯେତେବେଳେ ବି ଆସନ୍ତି, ସେମାନେ ଆମର ସମସ୍ୟା ଓ ଦାବି ଶୁଣିବା ନେଇ ସେତେ ବେଶୀ ଚିନ୍ତିତ ନ ଥାନ୍ତି । ’’
ଏଠାରେ ସାନ୍ତାଳୀ ଆଦିବାସୀ ସମ୍ପ୍ରଦାୟର କମ୍ ବୟସର ଝିଅ ଓ ମହିଳାମାନେ ଅନ୍ୟ ଶିଳ୍ପ ଖଣିଜ ଆବର୍ଜନାରୁ ବ୍ୟବହୃତ କୋଇଲାକୁ ଅଲଗା କରନ୍ତି । ସେମାନେ ଘଣ୍ଟା ଘଣ୍ଟା ଧରି ନଇଁ ବସନ୍ତି, ଖାଲି ହାତରେ କୋଇଲା ଉଠାନ୍ତି, କୋଇଲା ଗୁଣ୍ଡରୁ ମୁକ୍ତି ପାଇବାକୁ ନିଜ ଶାଢ଼ୀ କାନି ବା ଓଢ଼ଣୀରେ ମୁହଁ ଓ ନାକ ଘୋଡ଼େଇ ରଖନ୍ତି । ପାଖରେ କୌଣସି ଶୌଚାଳୟ ନ ଥିବାବେଳେ, ସେମାନେ କୌଣସି ବିରତି ନ ନେଇ ୧୦ ଘଣ୍ଟା ଧରି କାମ କରନ୍ତି ।



ଅନୀଲ କୁମାର ସ, ଗୋଟିଏ ଡିପୋରେ ସୁପର ଭାଇଜର, ମହିଳାମାନଙ୍କୁ କାମରେ ଲଗାଇବାକୁ ପସନ୍ଦ କରନ୍ତି, କାରଣ ସେମାନେ କୋଇଲା ପାଇଁ ଅଧିକ ଟଙ୍କା ଦାବି କରନ୍ତି ନାହିଁ ଏବଂ ସେ ନିଶ୍ଚିତ ହୋଇପାରିବେ ଯେ ସେମାନେ ଦିନ ଶେଷରେ ବିକ୍ରିଯୋଗ୍ୟ କୋଇଲା ପାଇପାରିବେ । ଫଟୋ – ଅଧ୍ୟେତା ମିଶ୍ର
ମହାଜାନମାନେ ବହୁ କୋଇଲା ଡିପୋ ଥିବା ଅଞ୍ଚଳକୁ ନିୟନ୍ତ୍ରଣ କରନ୍ତି । ପ୍ରତ୍ୟେକ ଡିପୋ, ପାଳି କରି ସୁପରଭାଇଜରଙ୍କ ଦ୍ୱାରା ଅନୁଧ୍ୟାନ କରାଯାଏ, ସେମାନେ ମହିଳା ଶ୍ରମିକଙ୍କ କାମ ଦେଖନ୍ତି, ହିସାବ ରଖନ୍ତି ଏବଂ ସେହି ଅନୁସାରେ ପଇଠ କରନ୍ତି ।
ତାମଲାବସ୍ତି ପାଖରେ ଥିବା ଗୋଟିଏ ଡିପୋର ସୁପରଭାଇଜର ଅନୀଲ କୁମାର ସ’ କହନ୍ତି, ‘‘ଆବର୍ଜନା ଗଦାରୁ ମହିଳାମାନେ ସଂଗ୍ରହ କରୁଥିବା କୋଇଲା ଟ୍ରକ୍ରେ ଲଦାଯାଇ ମୁଖ୍ୟତଃ ରାସ୍ତ କଡ଼ ଢାବା, ବିସ୍କୁଟ ଫ୍ୟାକ୍ଟ୍ରି ଏବଂ ବେଳେବେଳେ ଘରୋଇ ଭାବେ ବ୍ୟବହାର ପାଇଁ ପଠାଯାଏ, ଯେଉଁମାନେ ଏବେ ବି କୋଇଲାକୁ ରୋଷେଇ ପାଇଁ ବ୍ୟବହାର କରୁଛନ୍ତି । ସ କହନ୍ତି, ମହିଳାମାନଙ୍କୁ କାମରେ ଲଗାଇବାକୁ ପସନ୍ଦ କରନ୍ତି, କାରଣ ସେମାନେ କୋଇଲା ପାଇଁ ଅଧିକ ଟଙ୍କା ଦାବି କରନ୍ତି ନାହିଁ ଏବଂ ସେ ନିଶ୍ଚିତ ହୋଇପାରିବେ ଯେ ସେମାନେ ଦିନ ଶେଷରେ ବିକ୍ରିଯୋଗ୍ୟ କୋଇଲା ପାଇପାରିବେ । ଏହି କାହାଣୀରେ ସାକ୍ଷାତକାର ନିଆଯାଇଥିବା ସବୁ ମହିଳା ଅନୁଭବ କରନ୍ତି ଯେ ସେମାନଙ୍କର ଫାଇଦା ଉଠାଯାଉଛି କିନ୍ତୁ ଅନ୍ୟ କୌଣସି କାମ ନ ଥିବାରୁ ସେମାନଙ୍କ ପାଖରେ କୌଣସି ବିକଳ୍ପ ନାହିଁ ।
ପାଖରୁ ବାହାରିଥିବା ତାମଲା କେନାଲ ଅନୁସାରେ ନାମ ରଖାଯାଇଥିବା ତାମଲାବସ୍ତି ଅଞ୍ଚଳ ଯାହା ସହର ଉପକଣ୍ଠରେ ଅଛି ସେଠାରେ କୋଇଲା ଡିପୋ ଗୁଡ଼ିକ ରହିଛି । ଦକ୍ଷିଣ-ପଶ୍ଚିମ ଦୁର୍ଗାପୁରର ଏହି ଅଞ୍ଚଳ ପ୍ରାୟ ୬-୭ ଫୁଟ୍ ଉଚ୍ଚ ପରିତ୍ୟକ୍ତ କୋଇଲାରେ ପୋତି ହୋଇ ରହିଛି । ଏଠାରେ କାମ କରୁଥିବା ଲୋକେ ପାଖରେ ନିର୍ମିତ ଅସ୍ଥାୟୀ କାଦୁଅ ଓ ତାରପଲିନ୍ ଘରେ ରହନ୍ତି । ପୁରୁଷମାନେ ବେଳେ ବେଳେ ଟ୍ରକ୍ରେ ଲୋଡିଂ ଏବଂ ଅନ୍ଲୋଡିଂ କାମ ପାଆନ୍ତି ।


ଏହିପରି ଜଣେ ଶ୍ରମିକ ହେଲେ ପ୍ରବୋଧ ମଲ୍ଲିକ । ତାଙ୍କ ସ୍ତ୍ରୀ ତୁଲିକା ମଲ୍ଲିକ ନିକଟରେ କୋଇଲା ବୋହୁଛନ୍ତି । ୩୬ ବର୍ଷୀୟ ପ୍ରବୋଧ କହନ୍ତି, ଏହା ହିଁ ଏକମାତ୍ର ଉପଲବ୍ଧ କାମ ଏବଂ ସେ ସବୁବେଳେ ଏହା ପାଆନ୍ତି ନାହିଁ । ସେ କହିଲେ, ‘‘ମୋ ପରିବାରରେ ୪ ଜଣ ସଦସ୍ୟ ଅଛନ୍ତି, ମୋ ସ୍ତ୍ରୀ, ଆମର ଛୋଟ ପୁଅ ଓ ମୋ ମା’ । ମୁଁ ମାସକୁ ୪୫୦ରୁ ୫୦୦ ଟଙ୍କା ରୋଜଗାର କରେ । କୋଇଲା ବୋହିବାରୁ ତୁଲିକାର ରୋଜଗାର ପ୍ରାୟ ୪,୦୦୦ ଟଙ୍କା ଯାହାକି ପରିବାରର ଖର୍ଚ୍ଚ ତୁଲାଏ ।
୫୦ ବର୍ଷୀୟା, ନିୟୋତି ବାହାଦୁର ଡିପୋରେ ପ୍ରାୟ ଚାଳିଶ ଦଶକ ହେଲା କାମ କରି ଆସୁଛନ୍ତି । ସେ କହନ୍ତି, ‘‘ସେତେବେଳେ (ନବେ ଦଶକରେ) ଏହି ଡିପୋଗୁଡ଼ିକ ମୋର ଏକମାତ୍ର ଆୟର ଉତ୍ସ ଥିଲା । ମୁଁ ଏବେ ନଇଁ ବସିପାରିବି ନାହିଁ ଏବଂ ଦୀର୍ଘ ସମୟ କାମ କରିପାରିବି ନାହିଁ । ଏଣୁ ମୁଁ ଗୋଟିଏ ଷ୍ଟୁଲରେ ବସି କାମ କରେ ଯାହାକୁ ମୁଁ ଘରୁ ନେଇ ଆସେ ଏବଂ ମୁଁ ଦିନକୁ ମାତ୍ର ୫ ପାଛିଆ ସଂଗ୍ରହ କରିପାରେ ।’’
ନିୟୋତି ୪ ଜଣ ପିଲାଙ୍କର ମା’ – ୩ ଜଣ ପୁଅ ଓ ଗୋଟିଏ ଝିଅ । ସେ କହିଲେ, ‘‘ମୋ ଝିଅ, ମୋ ପୁଅମାନଙ୍କ ଭଳି ଭଲ ପାଠ ପଢ଼େ । ମୁଁ ଚାହୁଁଥିଲି ସେ ଉଚ୍ଚ ଶିକ୍ଷା ହାସଲ କରି ଭଲ ଚାକିରି ପାଉ । କିନ୍ତୁ ଆମେ ସେଥିପାଇଁ ସକ୍ଷମ ହେଲୁନାହିଁ । ଆମେ କମ୍ ବୟସରେ ତାର ବିବାହ କରିଦେଲୁ ।’’ ତା’ର ସ୍ୱାମୀ ଦୁର୍ଗାପୁର ଷ୍ଟିଲ ପ୍ଲାଣ୍ଟର ଜଣେ ସ୍ଥାୟୀ କର୍ମଚାରୀ ଥିଲା । ନିୟୋତିଙ୍କ ଅନୁସାରେ, ସେ ନିଜର ସମସ୍ତ ଆୟ ମଦରେ ଶେଷ କରିଦିଏ, ସବୁଦିନ ନିଶାସକ୍ତ ହୋଇ ଘରକୁ ଆସେ, ଖୁବ୍ ଶୀଘ୍ର ସେ ନିଜ ଚାକିରି ହରାଇଲା । ନିୟୋତି ଓ ତାଙ୍କ ସ୍ୱାମୀ ତାଙ୍କର ବଡ଼ ପୁଅ ସହ ରହନ୍ତି-ଯିଏ ଷ୍ଟିଲ ପ୍ଲାଣ୍ଟରେ ଜଣେ ଦିନ ମଜୁରିଆ ।

ତାମଲାବସ୍ତିଠାରୁ ପ୍ରାୟ ୨.୫ କିଲୋମିଟର ଦୂରରେ ଥିବା ସବୁଠାରୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର ପଳାସଡିହା ଡାଇଗ୍ନୋଷ୍ଟିକ୍ ସେଣ୍ଟରରେ ଆଶା କର୍ମୀ ଅନୀତା ରାୟ କହନ୍ତି, ଯକ୍ଷ୍ମା, ବ୍ରୋଙ୍କାଇଟିସ୍ ଏବଂ ଆଜ୍ମା ଭଳି ଶ୍ୱାସକ୍ରିୟା ଜନିତ ରୋଗ ଏଠାକାର ଲୋକଙ୍କ ପାଖରେ ସାଧାରଣ । ସେ କହିଲେ, ‘‘ଦୀର୍ଘ ସମୟ ଧରି କୋଇଲା ଗୁଣ୍ଡ ସଂସ୍ପର୍ଶରେ ଆସିବା ଦ୍ୱାରା ଚର୍ମ ରୋଗ ମଧ୍ୟ ହୁଏ । ଡିପୋରେ ମା’ ମାନଙ୍କ ସାଙ୍ଗରେ ରହୁଥିବା ପିଲାମାନେ ଚର୍ମ ସମ୍ପର୍କିତ ରୋଗରେ ପୀଡ଼ିତ ହୁଅନ୍ତି । ବୟସ୍କ ମହିଳାମାନେ ସ୍ତ୍ରୀ ରୋଗ ସମ୍ପର୍କିତ ଜଟିଳତା (ଋତୁସ୍ରାବ ସମୟରେ କୌଣସି ସ୍ୱଚ୍ଛତା ସୁରକ୍ଷା ଅବଲମ୍ବନ କରୁନଥିବାରୁ) ଏବଂ ଶୌଚାଳୟ ନ ଯାଇପାରିବା ଯୋଗୁଁ ମୁତ୍ରନଳୀ ସଂକ୍ରମଣ ଜନିତ ରୋଗରେ ପୀଡ଼ିତ ହୁଅନ୍ତି । ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଥିବା କମ୍ ବୟସର ମହିଳାଙ୍କୁ ସାନିଟାରୀ ନାକପିନ୍ ବ୍ୟବହାର କରିବାକୁ ରାଜି କରାଇବାରେ ଅନୀତା ସକ୍ଷମ ହୋଇଛନ୍ତି ।
ଲକ୍ଡାଉନ୍ ଓ ସ୍କୁଲ ବନ୍ଦ ହୋଇଯିବା ଛବି ରାଣୀ ମୁର୍ମୁ ଭଳି ଝିଅମାନଙ୍କୁ ପୁଣି ଥରେ ଦିନ ସାରା କୋଇଲା ଗୋଟେଇବା ପାଇଁ ଡିପୋକୁ ନେଇଆସିଛି । ଏହି ୧୮ ବର୍ଷୀୟା ଝିଅ ୨୦୨୦ରେ ଦ୍ୱାଦଶ ଶ୍ରେଣୀ ପାସ୍ କରିଥିଲେ ଏବଂ ଦୁର୍ଗାପୁରରେ କୌଣସି କଲେଜରେ ଅଧିକ ପାଠ ପଢ଼ି କୌଣସି ସରକାରୀ ଚାକିରି ପାଇବାକୁ ଆଶା ରଖିଥିଲେ । ସେ ୫ ବର୍ଷର ହେବା ବେଳୁ ସ୍କୁଲରେ ପଢୁଥିବା ସମୟରେ ଛବି ଡିପୋରେ ନିଜ ମା’କୁ ସହାୟତା କରୁଥିଲେ । ସେ କହିଲେ, ‘‘ସପ୍ତାହାନ୍ତରେ ଏବଂ ସାପ୍ତାହିକ ଦିନଗୁଡ଼ିକରେ ସ୍କୁଲ ପରେ ମୁଁ ଡିପୋରେ ମୋ ମା’ଙ୍କୁ ସାହାଯ୍ୟ କରୁଥିଲି । ସାଧାରଣତଃ ମୁଁ ଦିନକୁ ୧୦ ପାଛିଆ କୋଇଲା ସଂଗ୍ରହ କରିପାରିବି, କିନ୍ତୁ ଗ୍ରୀଷ୍ମ ଦିନ ଖରାରେ ମୁଣ୍ଡ ଉପରେ ବିନା କୌଣସି ଛାଇରେ କାମ କରିବା ବେଶ୍ କଷ୍ଟକର’’ । ଛବି ଓ ତାଙ୍କ ମା’ ମାଟିରେ ବଡ଼ ଛତା ଲଗାଇ ତା’ ତଳେ କାମ କରିବାକୁ ଚେଷ୍ଟା କରନ୍ତି, କିନ୍ତୁ ତାହା ସେତେ ବେଶୀ ସୁରକ୍ଷା ଦିଏ ନାହିଁ । ବର୍ଷା ହେଲେ ଡିପୋ ବନ୍ଦ ରହେ ଏବଂ କୋଇଲା ସଂଗ୍ରହକାରୀମାନେ ସେହି ଦିନ ପାଇଁ ନିଜ ରୋଜଗାର ହରାନ୍ତି ।
ଦୁର୍ଗାପୁର ମହିଳା କଲେଜରେ ସଂସ୍କୃତ ସାହିତ୍ୟରେ ସ୍ନାତକ ଦ୍ୱିତୀୟ ବର୍ଷ ଛାତ୍ରୀ ସବିତା ସୋରେନ୍ ଲକ୍ଡାଉନ୍ ଫଳରେ କଲେଜ ବନ୍ଦ ହୋଇଥିବାରୁ ତାଙ୍କ ମା’ଙ୍କୁ ସାହାଯ୍ୟ କରିବାକୁ ଡିପୋକୁ ପୁଣି ଆସିଛନ୍ତି । ଖରାରୁ ରକ୍ଷା ପାଇବାକୁ ସେ ମୁଣ୍ଡରେ ନିଜ ସାଲୱାର କମିଜର ଓଢ଼ଣୀରେ ଘୋଡ଼େଇଛନ୍ତି । ସେ କହିଲେ, ‘‘ଆପଣ ଏଠାରେ ଦେଖୁଥିବା ପ୍ରତି କୋଇଲା ଗଦାରୁ କୋଇଲା ଅଲଗା କରିବାକୁ ବହୁତ କଠିନ ଶାରିରୀକ ପରିଶ୍ରମ କରିବାକୁ ହୁଏ । ମହିଳାମାନେ କରୁଥିବା ଏହି କାମ ବେଶ୍ କଠିନ ।’’ ଡିପୋକୁ ନିୟମିତ ଆସୁଥିବା ଶ୍ରମିକ ସବିତା’ର ମା’ ନିଜ ଝିଅର ପାଠପଢ଼ାକୁ ନେଇ ବେଶ୍ ଆଗ୍ରହୀ, ତେଣୁ ସେ ତାକୁ ଗୋଟିଏ ଦିନ ସ୍କୁଲ ବନ୍ଦ କରିବାକୁ ଦିଅନ୍ତି ନାହିଁ ।


ରିମା ମାଝୀ ନିଜର କଲେଜ ଯିବା ଆସିବା ଖର୍ଚ୍ଚ ଉଠାଇବା ପାଇଁ ଡିପୋରେ କାମ କରନ୍ତି । ତାମଲାବସ୍ତିଠାରୁ ୯ କିଲୋମିଟର ଦୂରରେ ଥିବା ମାଇକେଲ୍ ମଧୁସୂଦନ ମେମୋରିଆଲ୍ କଲେଜରେ ସେ ପଢ଼ନ୍ତି । ଏବେ କଲେଜ ବନ୍ଦ ଥିବାରୁ, ଏଠାରୁ ଆସୁଥିବା ଆୟ ତାଙ୍କର ୪ଜି ସଂଯୋଗ ପାଇଁ ସାହାଯ୍ୟ କରୁଛି । ସେ ନିଜର ବଡ଼ ଭଉଣୀ ଓ ଦୁର୍ଗାପୁର ଷ୍ଟିଲ ପ୍ଲାଣ୍ଟରେ ଶ୍ରମିକ ଥିବା ବାପାଙ୍କ ସହ ରହନ୍ତି । ଜଣେ ପ୍ରତିଭାଶାଳୀ ଦୌଡ଼ାଳି ଓ ଆଥ୍ଲେଟ୍, ରିମା ସ୍କୁଲ ସ୍ତରରେ ବହୁ ସଂଖ୍ୟାରେ କ୍ରୀଡ଼ା ପୁରସ୍କାର ପାଇଛନ୍ତି । ସେ ସ୍ମିତହାସ୍ୟ କରି ଆମକୁ କହିଲେ, ‘‘ମୋ ବଡ଼ ଭଉଣୀ ଡିପୋରେ ଜଣେ ଶ୍ରମିକ । ସେ ଆସନ୍ତା ବର୍ଷ ବିବାହ କରିବ, କିନ୍ତୁ ମୁଁ ମୋର ସ୍ନାତକ ଶେଷ କରିବାକୁ ଓ ରେଖା ଦିଦିଙ୍କ ଭଳି ସେନା ବାହିନୀରେ ଭର୍ତ୍ତି ହେବାକୁ ଚାହେଁ ।’’
ରେଖା, ଜଣେ କୋଇଲା ସଂଗ୍ରହକାରୀ କୁନ୍ତି ରାଜଭରଙ୍କ ଝିଅ । ଆସାମ ରାଇଫଲ୍ ଆର୍ମି କଣ୍ଟିଜେଣ୍ଟର ଅର୍ଦ୍ଧସାମରିକ ବାହିନୀରେ ସେ ଜଣେ ଜୱାନ ଭାବେ ନିଯୁକ୍ତି ପାଇଛନ୍ତି । ନିଜ ଝିଅ ବାବଦରେ କହିବା ବେଳେ କୁନ୍ତିଙ୍କ ମୁହଁ ଉଜ୍ଜ୍ୱଳ ହୋଇଉଠେ । ସେ କହିଲେ, ‘‘ଆମେ ଆମ ପିଲାମାନେ ତାହା ହାସଲ କରନ୍ତୁ ବୋଲି ଚାହୁଁ, ଯାହାକୁ ଆମେ ଆମ ସାରା ଜୀବନ ପାଇପାରିଲୁ ନାହିଁ ।’’
ରେଖା ନିଜ ଘରକୁ ଆସିଛନ୍ତି ଏବଂ ସେ ଆମକୁ କହିଲେ, ‘‘ଏବେ ମୋ ପାଖରେ ଗୋଟିଏ ଚାକିରି ଥିବାରୁ, ମୋ ପରିବାରର ଆର୍ଥିକ ସ୍ଥିତି ଭଲ ହୋଇଯାଇଛି। ଆମର ମାଟି ଘର ଏବେ ନିକଟରେ ପକ୍କା ସିମେଣ୍ଟ ଘରରେ ପରିବର୍ତ୍ତିତ ହୋଇଯାଇଛି । ଏ ସବୁ କିଛି ମୋ ମା’ଙ୍କର ପରିଶ୍ରମ ଫଳରେ ସଫଳ ହୋଇଛି, ଯିଏ ନିଶ୍ଚିତ କରିଥିଲେ ମୁଁ ଯେମିତି ବିନା ବାଧାରେ ମୋର ଶିକ୍ଷା ଶେଷ କରେ ।’’
Editor's note
ଅଧ୍ୟେତା ମିଶ୍ର କୋଲକାତା ଯାଦବପୁର ବିଶ୍ୱବିଦ୍ୟାଳୟରରେ ଜଣେ ତୁଳନାତ୍ମକ ସାହିତ୍ୟର ସ୍ନାତକ ଛାତ୍ରୀ । ଦୁର୍ଗାପୁର ଷ୍ଟିଲ ପ୍ଲାଣ୍ଟରୁ ବାହାରୁଥିବା ଶିଳ୍ପ ଆବର୍ଜନାରୁ କୋଇଲା ସଂଗ୍ରହ କାମରେ ନିଯୁକ୍ତ ମହିଳା ଶ୍ରମିକମାନଙ୍କୁ ନେଇ ସେ ଆଗ୍ରହୀ । ସେ କହନ୍ତି, ‘‘କୋଇଲା ଖଣି କର୍ମଚାରୀଙ୍କ ଉପରେ ବହୁ ଗବେଷଣା ହୋଇଛି କିନ୍ତୁ ମହିଳାଙ୍କର ଏହି ବୃତ୍ତି ପ୍ରତି ଯେତିକି ଧ୍ୟାନ ଦିଆଯିବା କଥା ଦିଆଯାଇନାହିଁ । ସେମାନଙ୍କର ସଂଘର୍ଷ ବାବଦରେ ଲେଖିବାକୁ ପରୀ ମୋତେ ଗୋଟିଏ ସୁଯୋଗ ଦେଲା ଏବଂ ବ୍ୟକ୍ତି ବିଶେଷଙ୍କ ବାବଦରେ ସବିଶେଷ ସଂଗ୍ରହ କରିବା ନେଇ ମୋତେ ସାହାଯ୍ୟ କଲେ । ’’
ଅନୁବାଦ: ଓଡ଼ିଶାଲାଇଭ୍
ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।