
ସେପ୍ଟେମ୍ବର ୨୦୨୦ରେ, ଶାଜିୟା ଅଖତର ତାଙ୍କ ଗାଁର ପ୍ରଥମ ଝିଅ ଭାବେ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିଲେ। ‘‘ମୁଁ ନିଜ ମନରେ ବିଶ୍ୱାସ ଜନ୍ମାଇଲି ଯେ ‘ମୁଁ ଏହା କରିବି’।’’
ସେ ଶୁହାମାରେ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ପାଠ ପଢ଼ିଥିଲେ। ଏଥିପାଇଁ ତାଙ୍କୁ ଡିଗ୍ନିବଲରେ ଥିବା ତାଙ୍କ ଘରଠାରୁ ତାଙ୍କୁ ଦଶ କିଲୋମିଟର ବାଟ କଠିନ ରାସ୍ତାରେ ଯିବାଆସିବା କରିବାକୁ ପଡ଼ିଥିଲା। ‘‘ମୁଁ ଅଧିକାଂଶ ସମୟରେ ଥକି ଯାଉଥିଲି ଏବଂ ସ୍କୁଲରୁ ଆସିବା ପରେ ଏକାଗ୍ର ହୋଇପାରୁନଥିଲି କିମ୍ବା ପାଠ ପଢ଼ି ପାରୁନଥିଲି। ମୁଁ ମୋ ବହି ବନ୍ଦ କରି ରଖି ଦେଉଥିଲି’’, ଏହି ୧୯ ବର୍ଷ ବୟସ୍କା ଛାତ୍ରୀ କହିଥିଲେ।
ଶାଜିୟାଙ୍କ ମାତାପିତା ଅବଦୁଲ ଗନେଇ ହାଜମ (୬୫) ଏବଂ ତାଜା ବେଗମ (୬୦) ଆଦୌ ପାଠ ପଢ଼ି ନାହାନ୍ତି। ତାଙ୍କ ଭାଇ-ଭଉଣୀମାନେ ମଧ୍ୟ କେବେ ସ୍କୁଲ ଯାଇନାହାନ୍ତି। ତାଙ୍କର ଦୁଇ ଭାଇ ତାରିକ୍ (୩୦) ଏବଂ ମୁସ୍ତାକ୍ (୨୭) ତାଙ୍କ ପିତାଙ୍କ ଭଳି ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଛନ୍ତି। ପରିବାର ଚଳିବା ପାଇଁ ‘‘ସେମାନଙ୍କୁ ରୋଜଗାର କରିବାର ଥିଲା’’, ଶାଜିୟା କହିଥିଲେ।
ସାଜିୟାଙ୍କ ବଡ଼ ଭାଇମାନେ ଯେତେବେଳେ ଛୋଟରୁ ବଡ଼ ହେଉଥିଲେ, ସେମାନଙ୍କ ପାଇଁ ନିକଟସ୍ଥ ପ୍ରାଥମିକ ବିଦ୍ୟାଳୟ ୪ କିଲୋମିଟର ଦୂର ଉଚ୍ଚା ପାହାଡ଼ ଉପରେ ଥିଲା। ସେମାନଙ୍କ ପଡ଼ାରେ ଗୋଟିଏ ସ୍କୁଲ ପ୍ରତିଷ୍ଠା ହେଉ ବୋଲି ଗାଁ ଲୋକମାନେ ଦାବି କରୁଥିଲେ। ‘‘ଏ ସ୍କୁଲ (ଆରମ୍ଭ କରିବା) ପାଇଁ ଆମେ ଅନେକ ଚେଷ୍ଟା କରିଥିଲୁ। ୨୦୦୧ରେ, ଆମେ ନିର୍ଦ୍ଦେଶାଳୟ (ବିଦ୍ୟାଳୟ ଶିକ୍ଷା) ଯାଇଥିଲୁ ଏବଂ ସେମାନଙ୍କୁ ଏଠାରେ ଏକ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଅନୁରୋଧ କରିଥିଲୁ,’’ ତାରିକ କହିଥିଲେ, ଯିଏକି ଦିନ ମଜୁରିଆ ଭାବେ ଏମ୍ବ୍ରୋଡୋରୀ ଚଦର ପ୍ରସ୍ତୁତ କରିଥାନ୍ତି। ସେମାନଙ୍କର ଏ ପ୍ରୟାସ ସଫଳ ହେଲା ଏବଂ ୨୦୦୨ରେ ଡିଗ୍ନିବଲରେ ସରକାରୀ ବାଳକ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଗଲା। ‘‘ପରବର୍ତ୍ତୀ ସମସ୍ୟା ଥିଲା ଶିକ୍ଷକମାନଙ୍କୁ ନିୟୋଜିତ କରିବା,’’ ସେ ଆହୁରି କହିଥିଲେ।


ପ୍ରଥମ କିଛି ବର୍ଷ ପର୍ଯ୍ୟନ୍ତ ସେମାନଙ୍କ ପାଖରେ କେବଳ ଜଣେ ଶିକ୍ଷକ ଥିଲେ ଯିଏକି ସମ୍ପୂର୍ଣ୍ଣ ବିଦ୍ୟାଳୟରେ ପାଠ ପଢ଼ାଉଥିଲେ। କିନ୍ତୁ ଡିଗ୍ନିବଲର ତୀକ୍ଷ୍ଣ ଉଚ୍ଚ ଅବସ୍ଥିତି କାରଣରୁ ଏଠାକୁ ଆସିବା ଲାଗି ଅନେକ ରାଜି ହେଉନଥିଲେ। ଏହି ପଡ଼ାର ଜଣେ ବରିଷ୍ଠ ନାଗରିକ ମଞ୍ଜୁର ଅହମ୍ମଦ ମୀର କୁହନ୍ତି ଡିଗ୍ନିବଲରେ ୩୫୦ରୁ ଅଧିକ ଲୋକ ରୁହନ୍ତି । ବିଦ୍ୟାଳୟର ଦୁଇଟି ହଳଦିଆ କୋଠାକୁ ଇକବାଲ, ନେଲ୍ସନ ମଣ୍ଡେଲା ଏବଂ ଅନ୍ୟମାନଙ୍କର ପ୍ରେରଣାଦାୟୀ ଉକ୍ତିରେ ସଜା ଯାଇଥିଲା। ମୁଖ୍ୟ ଭବନର ପ୍ରବେଶ ଦ୍ୱାରରେ ‘ଇଲମୁକ ଅଗୁର’ ଅର୍ଥାତ୍ ‘ଶିକ୍ଷାର ଘର’ ଚିତ୍ରିତ ହୋଇଥିଲା, କିନ୍ତୁ ଦୁର୍ଭାଗ୍ୟର ବିଷୟ, କେବଳ ଅଳ୍ପ କିଛି ଛାତ୍ର ଏଠାରୁ ପାସ୍ କରିବା ପରେ ନିଜର ଶିକ୍ଷା ସମ୍ପୂର୍ଣ୍ଣ କରିପାରିଛନ୍ତି।
୨୦୦୮ରେ ନାମ ଲେଖାଇଥିବା ପ୍ରଥମ ଝିଅମାନଙ୍କ ମଧ୍ୟରୁ ଜଣେ ଥିଲେ ଶାଜିୟା। ଏହି ବିଦ୍ୟାଳୟ ଉନ୍ନୀତ ହୋଇ ଯେତେବେଳେ ସରକାରୀ ବାଳକ ମାଧ୍ୟମିକ ବିଦ୍ୟାଳୟ ହୋଇଥିଲା ସେତେବେଳେ ସେ ଶିଶୁବିହାର ଶ୍ରେଣୀରେ ନାମ ଲେଖାଇଥିଲେ। ଏଠାରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ବ୍ୟବସ୍ଥା ରହିଥିଲା। ସାଜିୟାଙ୍କ ବିଦ୍ୟାଳୟରେ ବିଲାଲ ୱାନି ଶିକ୍ଷକ ଥିଲେ ଏବଂ ସେ କୁହନ୍ତି, ଶାଜିୟା ଜଣେ ଭଲ ଛାତ୍ରୀ ଥିଲେ ବୋଲି ତାଙ୍କର ମନେ ଅଛି।
ଡିଗ୍ନିବଲ କାଶ୍ମୀରର ଗାନ୍ଦରବଲ ଜିଲ୍ଲାରେ ଥିବା ଏକ ପଡ଼ା। ଏଠାରେ ଛୋଟ ଛୋଟ ଏକ ମହଲା ବିଶିଷ୍ଟ ଟିଣ ଛାତ ଘର ଦେଖିବାକୁ ମିଳିଥାଏ। ଏ ପଡ଼ାର ନିକଟସ୍ଥ ସହର ହେଉଛି ଶ୍ରୀନଗର। ସହରକୁ ଯାଇଥିବା ଅଙ୍କାବଙ୍କା ରାସ୍ତା ପ୍ରାୟତଃ ଜନଶୂନ୍ୟ ଥାଏ। ମଲିକ ମୋହଲ୍ଲାର ଶେଷମୁଣ୍ଡରେ ଶାଜିୟା ଓ ତାଙ୍କର ଛଅ ଜଣିଆ ପରିବାର ରୁହନ୍ତି। ଦୁଇଟି ଶୟନକକ୍ଷ ଥିବା ତାଙ୍କ ଘରେ ଭଙ୍ଗା ଟିଣ ଚଦରରେ ତିଆରି ଏବଂ ଏହା ଚାରି ପାଖରେ ଅଖରୋଟ ଏବଂ କିକାର ଗଛ ଅଛି।
ନିଜ ଗାଁ ସ୍କୁଲରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବା ପରେ ସେ ଅନ୍ୟ ଦୁଇ ଜଣ ଝିଅଙ୍କ ସହିତ ଶୁହାମାରେ ଥିବା ବାଳକ ଉଚ୍ଚ ବିଦ୍ୟାଳୟକୁ ପଢ଼ିବାକୁ ଯାଇଥିଲେ। ସେହି ବିଦ୍ୟାଳୟ ଏଠାରୁ ୫ କିଲୋମିଟର ଦୂର ଯେଉଁଠି ସେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ। ସବୁଠୁ ଶୃଙ୍ଖଳିତ ଛାତ୍ରୀ ଭାବେ ତାଙ୍କୁ ମିଳିଥିବା ପୁରସ୍କାର ବିଷୟରେ ସେ ଖୁସିର ସହିତ ସ୍ମରଣ କରିଥାନ୍ତି।

ଶାଜିୟା ସକାଳ ୬ଟାରେ ଉଠିଯାଉଥିଲେ, ସ୍କୁଲ ଯିବା ପୂର୍ବରୁ ତାଙ୍କୁ ଘର ଝାଡ଼ୁ କରିବା ଏବଂ ରୋଷେଇ କରିବାକୁ ପଡ଼ୁଥିଲା। ତାଙ୍କ ମା’ଙ୍କର ଅସୁସ୍ଥତା ଯୋଗୁଁ ଘର ଚଳାଇବାର ଦାୟିତ୍ୱ ସାଜିୟା ଓ ତାଙ୍କ ବଡ଼ ଭାଇ ତାରିକଙ୍କ ପତ୍ନୀ ହାଜରାଙ୍କ ଉପରେ ପଡ଼ିଥାଏ। ‘‘ବେଳେବେଳେ ମୋତେ ଆମ ଗାଈଙ୍କର ଯତ୍ନ ନେବାକୁ ପଡ଼ିଥାଏ। ଭାଉଜ କେଉଁ ଆଡ଼େ ଗଲେ ମୋତେ ହିଁ ସବୁ କାମ କରିବାକୁ ପଡ଼ିଥାଏ। ହାଇସ୍କୁଲ ଦିନ କଥା ମନେ ପକାଇ ସେ କୁହନ୍ତି, ‘‘ପ୍ରାୟତଃ ମୁଁ ସକାଳ ପ୍ରାର୍ଥନାରେ ଯୋଗ ଦେଇପାରୁନଥିଲି।’’ ଘର କଥା ବୁଝିବା ଲାଗି ତାଙ୍କୁ କେବେ କେବେ ସ୍କୁଲରୁ ଛୁଟି ନେବାକୁ ପଡ଼ିଥାଏ।
ହାଇସ୍କୁଲର ଶିକ୍ଷକମାନଙ୍କ ପ୍ରେରଣା ବିଶେଷ ସହାୟକ ହୋଇଥିଲା। ‘‘ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୁଁ କୌଣସି ଶିକ୍ଷୟିତ୍ରୀଙ୍କ ପାଖରେ ପାଠ ପଢ଼ିନଥିଲି, କିନ୍ତୁ ଏ ସ୍କୁଲରେ, ଅନେକ ଶିକ୍ଷୟିତ୍ରୀ ଥିଲେ। ସେମାନେ ଆମର ମାର୍ଗଦର୍ଶନ କରୁଥିଲେ ଏବଂ ଆମକୁ ଭଲ ପରାମର୍ଶ ଦେଉଥିଲେ,’’ ସେ କହିଥିଲେ। ପାଠପଢ଼ା ସାମଗ୍ରୀ ପାଇଁ ଆବଶ୍ୟକ ହେଉଥିବା ୧୫୦ ଟଙ୍କା ଦେବା ଲାଗି ଯେଉଁ ପିଲାମାନେ ସକ୍ଷମ ହେଉନଥିଲେ ଏବଂ ସେମାନେ ସ୍କୁଲ ଛାଡ଼ି ଦେବାର ଡର ଥିଲା, ସେମାନଙ୍କୁ ସହାୟତା କରିବାକୁ, ‘‘ଆମ ଶିକ୍ଷୟତ୍ରୀମାନେ ଜଣେ ସ୍ଥାନୀୟ ଦୋକାନୀଙ୍କ ପାଖରେ ଆମ ଶ୍ରେଣୀର ଖାତା ଦେଇ ଦେଉଥିଲେ ଏବଂ ଆମେ ସେଠାରେ ତାହାର ଏକ କପି ପ୍ରସ୍ତୁତ କରି ନେଉଥିଲୁ’’, ସେ କହିଥିଲେ।
ଶାଜିୟା ଯେତେବେଳେ ଦଶମ ଶ୍ରେଣୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ, କୋଭିଡ ଜନିତ ଲକଡାଉନ ଘୋଷଣା କରାଗଲା ଏବଂ ସ୍କୁଲ ବନ୍ଦ କରି ଦିଆଗଲା। ଅନଲାଇନ୍ କ୍ଲାସ୍ କରିବା ତାଙ୍କ ପାଇଁ ସମ୍ଭବ ନଥିଲା କାରଣ ତାଙ୍କ ଗାଁକୁ ଇଣ୍ଟରନେଟ୍ ଆସୁନଥିଲା (ସେହି ବର୍ଷ ଶେଷ ଭାଗ ଆଡ଼କୁ ଆସିଲା)। ସେ କହିଥିଲେ, ‘‘ମୁଁ କୌଣସି ଅନଲାଇନ୍ କ୍ଲାସ କରିପାରୁନଥିଲି।’’ କିନ୍ତୁ ପରୀକ୍ଷା ଦେବା ପାଇଁ ସେ ସମ୍ପୂର୍ଣ୍ଣ ସଂକଳ୍ପବଦ୍ଧ ଥିଲେ, ସେ ତାଙ୍କ ପଡ଼ୋଶୀ ଶୌକତ ଅହମ୍ମଦଙ୍କୁ ପ୍ରସ୍ତୁତି ନିମନ୍ତେ ସହାୟତା ପାଇଁ କହିଲେ। ଶୌକତ ଥିଲେ ଗାଁର ତିନି ଜଣ ପୁଅଙ୍କ ମଧ୍ୟରୁ ଅନ୍ୟତମ ଯେଉଁମାନେ ସ୍କୁଲ ପାଠପଢ଼ା ସମ୍ପୂର୍ଣ୍ଣ କରିସାରିଥିଲେ। ସେ ନିକଟସ୍ଥ ଏକ ନିର୍ମାଣସ୍ଥଳୀରେ ଦିନ ମଜୁରିଆ ଭାବେ କାମ କରୁଥିଲେ। କାମ ସରିବା ପରେ ସେ ଉଦାରତା ପୂର୍ବକ ତାଙ୍କ ଘରେ ଶାଜିୟାଙ୍କୁ ପାଠ ପଢ଼ାଇଥିଲେ।


‘‘୨୦୨୦ରେ ଯେତେବେଳେ ପରୀକ୍ଷାଫଳ ପ୍ରକାଶ ପାଇଲା, ମୁଁ ପାସ୍ ହୋଇସାରିଥିଲି, ଖୁସିରେ ମୋ ଗୋଡ଼ ତଳେ ଲାଗୁନଥିଲା। ପାସ୍ ହୋଇନଥିଲେ, ମୁଁ ପୁଣିଥରେ ଚେଷ୍ଟା କରିଥାନ୍ତି,’’ ସ୍ମିତ ହସି ସେ କହିଥିଲେ। ପାସ୍ ହୋଇଥିବା ଏକମାତ୍ର ଝିଅ ହୋଇଥିବାରୁ ବାପା ମା’, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ପଡ଼ୋଶୀମାନେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ।
‘‘ସେ କିଛି ଭଲ କାମ କରିଥିବା ଆମେ ଅନୁଭବ କଲୁ। ଏହା ଆମ ପାଇଁ ଗର୍ବର ବିଷୟ ଥିଲା,’’ ତାରିକ୍ କହିଥିଲେ।
ବହୁ ଦୂର ଏକ ସେତୁ
ତେବେ, ପାସ୍ ହୋଇଥିବା ଏକମାତ୍ର ଝିଅ ହେବାର ପରିଣାମ ତାଙ୍କୁ ଭୋଗିବାକୁ ପଡ଼ିଲା: ଏଠାରୁ ପ୍ରାୟ ପାଞ୍ଚ କିଲୋମିଟର ଦୂର ଖିମ୍ବରରେ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀରେ ପଢ଼ିବାକୁ ଯିବା ଲାଗି ତାଙ୍କ ସହ କେହି ସାଙ୍ଗ ମିଳିନଥିଲେ।
‘‘ସେମାନେ (ତାଙ୍କ ପରିବାର) ମୋତେ ପାଠପଢ଼ା ବନ୍ଦ କରିବା ଲାଗି ଆଦେଶ ଦେଲେ, କାରଣ ସ୍କୁଲ ବହୁତ ଦୂର ଥିଲା ଏବଂ ମୋତେ ଏକୁଟିଆ ଯିବାର ଥିଲା। ଶିକ୍ଷା ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ୨୦୧୯ରୁ ୨୦୨୦ ମଧ୍ୟରେ ସାରା ଭାରତରେ ପ୍ରାୟ ୧୫.୧ ପ୍ରତିଶତ ଝିଅଙ୍କୁ ମାଧ୍ୟମିକ ବିଦ୍ୟାଳୟ ଛାଡ଼ିବାକୁ ପଡ଼ିଛି – ଜାମ୍ମୁ ଓ କାଶ୍ମୀରରେ ପ୍ରାୟ ୧୬.୭ ପ୍ରତିଶତ ଝିଅ ଏଭଳି ପରିସ୍ଥିତିର ସମ୍ମୁଖିନ ହୋଇଛନ୍ତି। ଡିଗ୍ନିବଲ ଭଳି ଉପାନ୍ତ ଅଞ୍ଚଳରେ, ଶିକ୍ଷା ଲାଭ କରିବା ଏବେ ବି ଏକ ସମସ୍ୟା ହୋଇ ରହିଛି।
ପରିବାରର ସବୁଠୁ ସାନ ପିଲାକୁ ଦୂରରେ ଥିବା ବିଦ୍ୟାଳୟକୁ ପଠାଇବା ଲାଗି ପରିବାର ଲୋକମାନେ କୁଣ୍ଠାବୋଧ କରିବା ସମ୍ପର୍କରେ ତାରିକ କୁହନ୍ତି, ‘‘ଏହା ବହୁତ ଦୂର ଥିଲା ଏବଂ ଯାତାୟାତର କୌଣସି ମାଧ୍ୟମ ନଥିଲା, ତେଣୁ ଆମେ ଡରି ଯାଇଥିଲୁ। ଯଦି ସାର୍ବଜନୀନ ପରିବହନ ସୁବିଧା ଥାଆନ୍ତା ତା’ହେଲେ ଆମର କୌଣସି ସମସ୍ୟା ନଥିଲା।’’ ସ୍କୁଲ ପାଠପଢ଼ା ଛାଡ଼ିବା ଶାଜିୟାଙ୍କୁ ବେଶ୍ ନିରାଶ କରିଥିଲା ବୋଲି ସେ କହିଥିଲେ।


ଏ ସମସ୍ୟା ଅସ୍ଥାୟୀ ବୋଲି ତାଙ୍କର ଆଶା ରହିଥିଲା ଏବଂ ତାଙ୍କର ସାଙ୍ଗମାନେ ଆସନ୍ତା ବର୍ଷ ଏକାଦଶ ଶ୍ରେଣୀରେ ପଢ଼ିବା ଲାଗି ଯୋଗ୍ୟତା ହାସଲ କରିବେ, ଫଳରେ ସେମାନେ ସାଥୀ ହୋଇ ସ୍କୁଲ ଯାଇପାରିବେ। ଏଥିପାଇଁ ଅପେକ୍ଷା କରିଥିବା ସମୟରେ ସେ ତାଙ୍କ ଭାଇଙ୍କ ଠାରୁ ପଶମିନା ଚଦର ଉପରେ କାଶ୍ମୀରୀ ସୋଜନୀ (ଏମ୍ବ୍ରୋଡୋରୀ) କାରିଗରୀ ଶିଖୁଥିଲେ।
କିନ୍ତୁ ପରବର୍ତ୍ତୀ ବର୍ଷ ୨୦୨୧ରେ, ତାଙ୍କର ସାଙ୍ଗମାନେ ଯେତେବେଳେ ପାସ୍ କରିପାରିଲେ ନାହିଁ, ଶାଜିୟା ସ୍କୁଲ ଯିବାକୁ ଅନୁମତି ମାଗିଲେ। ‘‘ମୋ ଭଳି ମୋ ସାଙ୍ଗମାନଙ୍କର ପାଠପଢ଼ିବାର ଅଭିଳାଷା ନାହିଁ। ସେମାନେ ଜାଣନ୍ତି ଯେ ସେମାନଙ୍କୁ ଘରେ ରହିବାକୁ ପଡ଼ିବ। ତେଣୁ ସେମାନଙ୍କ ପାଖରେ ଅନ୍ୟ କିଛି ବିକଳ୍ପ ନାହିଁ। କିନ୍ତୁ ମୁଁ କାନ୍ଦିଲି ଓ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ମୋ ପରିବାର ଲୋକଙ୍କୁ କହିଲି। ପାଠପଢ଼ା ପ୍ରତି ମୋର ଅତ୍ୟଧିକ ଆଗ୍ରହ ଥିଲା,’’ ଶାଜିୟା କହିଥିଲେ।
ମଞ୍ଜୁର ଅହମ୍ମଦ ମୀରଙ୍କ ଝିଅ ମଧ୍ୟ ଅଷ୍ଟମ ଶ୍ରେଣୀରୁ ପାଠପଢ଼ା ଛାଡ଼ିଥିଲା, ସେ କୁହନ୍ତି, ଶାଜିୟାଙ୍କ ପରିସ୍ଥିତି ଅସ୍ୱାଭାବିକ ନୁହେଁ। ତାଙ୍କ ନିଜ ଝିଅକୁ ମଧ୍ୟ ଅଷ୍ଟମ ଶ୍ରେଣୀ ପରେ ପାଠପଢ଼ା ଛାଡ଼ିବାକୁ ପଡ଼ିଥିଲା। ‘‘ଖିମ୍ବେର କିମ୍ବା ବାକୁରାରେ ଥିବା ବିଦ୍ୟାଳୟରେ ମୁଁ ମୋ ଝିଅକୁ ଛାଡ଼ି କାମ କରିବାକୁ ଯାଇପାରିଥାନ୍ତି। କିନ୍ତୁ ସ୍କୁଲରେ ପାଠପଢ଼ା ସରିବା ପରେ ସୁଦ୍ଧା ମୋର କାମ ସରିନଥାନ୍ତା, ତେଣୁ ମୁଁ ତା’କୁ ଆଣି ପାରିନଥାନ୍ତି। ଏମିତି ଭାବେ ସେ ଘରେ ବସିବାକୁ ବାଧ୍ୟ ହେଲା,’’ ସେ କହିଥିଲେ।
ମାର୍ଚ୍ଚ ୨୦୨୧ରେ, ଶେଷରେ ଖିମ୍ବେରରେ ଥିବା ବାଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶାଜିୟା ଏକାଦଶ ଶ୍ରେଣୀରେ ନାମ ଲେଖାଇଥିଲେ। ତାଙ୍କ ଭାଇ କିମ୍ବା ବାପା ତାଙ୍କ ସହିତ ଚାରି କିଲୋମିଟର ଦୂର ବାକୁରା ପର୍ଯ୍ୟନ୍ତ ଚାଲି ଚାଲି ଯାଉଥିଲେ, ସେଠାରୁ ସେ ଅନ୍ୟ ଝିଅମାନଙ୍କ ସହିତ ସେହି ସ୍କୁଲ ପର୍ଯ୍ୟନ୍ତ ଯାଉଥିଲେ। ସେଠାରୁ ସେମାନେ ବସ୍ରେ କିମ୍ବା ଚାଲି ଚାଲି ଅବଶିଷ୍ଟ ତିନି କିଲୋମିଟର ଦୂର ଅତିକ୍ରମ କରି ସ୍କୁଲରେ ପହଞ୍ଚୁଥିଲେ। ତାରିକ କୁହନ୍ତି, ‘‘ତା’କୁ ଛାଡ଼ିବା ପାଇଁ ଯିବା ଲାଗି ଆମକୁ ଆମ କାମ ବନ୍ଦ କରିବାକୁ ପଡ଼ୁଥିଲା।’’
ଶାଜିୟା ସ୍କୁଲରେ ପାଠ୍ୟ ବିଷୟ ଭାବେ ଶାରୀରିକ ଶିକ୍ଷା, ଇଂରାଜୀ, ରାଜନୀତି ବିଜ୍ଞାନ ଏବଂ ଊର୍ଦ୍ଦୁ ନେଇ ପଢ଼ୁଥିଲେ। ‘‘କ୍ରୀଡ଼ାକୁ ଭଲ ପାଉଥିବାରୁ ମୁଁ ଶାରୀରିକ ଶିକ୍ଷାକୁ ବିଷୟ ଭାବେ ନେଇଥିଲି’’, ସେ କହିଥିଲେ। ପ୍ରଥମ ଥର ପାଇଁ ସେ ଖେଳିବାର ସୁଯୋଗ ପାଇଥିଲେ। ‘‘ଗୋଟିଏ କଥା ମୋତେ କଷ୍ଟ ଦେଉଥିଲା ଏବଂ ତାହା ହେଉଛି ମୁଁ ଏକାକୀ ଥିଲି (ଆମ ଗାଁରୁ),’’ ସେ କହିଥିଲେ।

ସ୍କୁଲରେ ନାମ ଲେଖାଇବାର ଦୁଇ ମାସ ପରେ, ମେ ୨୦୨୧ରେ ଶାଜିୟାଙ୍କ ନାମଲେଖା ପ୍ରତ୍ୟାହାର କରାଯାଇଥିଲା। ତାରିକ ଓ ଅବଦୁଲ ଏ ସମ୍ପର୍କରେ ପଚାରିବାରୁ, ସେମାନଙ୍କୁ କୁହାଗଲା ଯେ ଶାଜିୟା ମଝିରେ ଗୋଟିଏ ବର୍ଷ ପାଠପଢ଼ା ଛାଡ଼ି ଦେଇଥିଲେ, ତେଣୁ ସେ ଏହି ଶ୍ରେଣୀରେ ପଢ଼ିବା ଲାଗି ଯୋଗ୍ୟ ନୁହନ୍ତି। ଏମିତି କାହିଁକି ହେଲା ଏବଂ ଆଗକୁ କ’ଣ କରିବାକୁ ହେବ, ସେ ସମ୍ପର୍କରେ ଅନିଶ୍ଚିତ ଅବଦୁଲ କୁହନ୍ତି, ‘‘ଆଦେଶ ଆସିଥିଲା ଯେ, ଯେଉଁ ଛାତ୍ରଛାତ୍ରୀ ଗୋଟିଏ ବର୍ଷ ପାଠପଢ଼ା ଛାଡ଼ି ଦେଇଛନ୍ତି, ସେମାନଙ୍କୁ ନିୟମିତ ଶ୍ରେଣୀରେ ପାଠ ପଢ଼ିବା ଲାଗି ଅନୁମତି ମିଳିବ ନାହିଁ।’’
ତାରିକ କହିଥିଲେ ଯେ, ହରୁଦ (ଶରତ ଋତୁ)ରେ ପୁରୁଷମାନେ କାମ କରୁଥିଲେ, ଏହି ସମୟରେ ସ୍କୁଲ ଅଧିକାରୀମାନେ ଆସିବାକୁ ଖବର ଦେଲେ। ଶାଜିଆଙ୍କ ପିତା ତାଙ୍କ ସହିତ ଗଲେ ଏବଂ ସେମାନେ ଶୁଳ୍କ (୧୫୦୦ ଟଙ୍କା) ଫେରାଇ ଦେଲେ। ‘‘ଏପରି ହେବାର ଅନେକ ମାସ ପର୍ଯ୍ୟନ୍ତ ମୁଁ ଅବସାଦରେ ରହିଲି’’, ଶାଜିୟା କହିଥିଲେ। ତାଙ୍କୁ ନିକଟରେ ଛଟେଇ ପ୍ରମାଣପତ୍ର ମଧ୍ୟ ଦିଆଯାଇଛି।
ବିଦ୍ୟାଳୟ ପକ୍ଷରୁ ସୁପାରିସ କରାଯାଇଛି ଯେ ଶାଜିୟା ଘରେ ପାଠ ପଢ଼ନ୍ତୁ ଏବଂ ଜଣେ ଘରୋଇ ଛାତ୍ରୀ ଭାବେ ପରୀକ୍ଷା ଦିଅନ୍ତୁ। ଏଥିପାଇଁ ଶ୍ରୀନଗରରେ ଥିବା ଜାମ୍ମୁ ଓ କାଶ୍ମୀର ବୋର୍ଡ ଅଫ୍ ସ୍କୁଲ ଏଜୁକେସନ କାର୍ଯ୍ୟାଳୟରେ ଏକ ଆବେଦନ ଦାଖଲ କରିବା ଜରୁରି ଥିଲା। ଜୁନ ୨୦୨୨ରେ ଏ ରିପୋର୍ଟର ଯେତେବେଳେ ଯାଞ୍ଚ କଲେ, ପରିବାର ଲୋକମାନେ ଏହି କାର୍ଯ୍ୟାଳୟକୁ ଯାଇନଥିଲେ କିମ୍ବା ଅନ୍ୟ କୌଣସି ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଚେଷ୍ଟା କରିନଥିଲେ।
ଇତିମଧ୍ୟରେ, ଶାଜିୟା ସିଲେଇ କାମ ଶିଖିବା ଏବଂ ତିଆରି କରିବାରେ ବ୍ୟସ୍ତ ହୋଇଯାଇଛନ୍ତି, ଏଥିରୁ ମାସିକ ସେ ୧୫୦୦ ଟଙ୍କା ରୋଜଗାର କରୁଛନ୍ତି। ‘‘ଶିକ୍ଷକମାନେ ତାଙ୍କୁ ନିୟମିତ ଭାବେ ପାଠ ପଢ଼ିବା ଲାଗି ସୁଯୋଗ ଦେଇଥିଲେ, ସେ ଖିମ୍ବରରେ ତାଙ୍କର ଶିକ୍ଷା ଜାରି ରଖିଥାନ୍ତେ। ଆମ ଚାହୁଁଥିଲୁ ସେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ୁ, ଚାକିରି ଆମର ଦରକାର ନାହିଁ,’’ ତାରିକ କହିଥିଲେ।
ଏତେଥର ନିରାଶ ହେବା ସତ୍ତ୍ୱେ ଶାଜିୟା ସ୍ୱପ୍ନ ଦେଖିବା ଛାଡ଼ି ନାହାନ୍ତି। ସେ କଳା ବିଦ୍ୟାଳୟକୁ ଯିବାକୁ ଚାହୁଁଛନ୍ତି, ସେ ଜଣେ ଶିକ୍ଷୟିତ୍ରୀ ହେବାକୁ ଚାହାନ୍ତି ଏବଂ ତାଙ୍କ ଆଖପାଖର ଅନ୍ୟ ଝିଅମାନଙ୍କୁ ପାଠପଢ଼ାରେ ସହାୟତା କରିବା ଲାଗି ଚାହାନ୍ତି। ସେ କହିଥିଲେ, ‘‘ମୋର ଅନେକ ସମସ୍ୟା ରହିଛି, କିନ୍ତୁ ମୋର ସ୍ୱପ୍ନ ମଧ୍ୟ ରହିଛି,’’ ଏହାକୁ ସାକାର କରିବା ଲାଗି ସେ ଦ୍ୱାଦଶ ପାଠପଢ଼ା ସମ୍ପୂର୍ଣ୍ଣ କରିବା ଜରୁରି।
ପରୀ ହୋମପେଜ୍କୁ ଯିବା ଲାଗି, ଏଠାରେ କ୍ଲିକ୍ କରନ୍ତୁ
Editor's note
ସବଜାରା ଅଲ୍ଲୀ ଶ୍ରୀନଗରର ସୌରାଠାରେ ଥିବା ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦ୍ୱାଦଶ ଶ୍ରେଣୀର ଛାତ୍ରୀ। ସେ ପରୀ ଏଜୁକେସନରେ ପ୍ରଶିକ୍ଷଣ ନେବା ସମୟରେ, ସାତ ମାସ ମଧ୍ୟରେ ଏ କାହାଣୀ ପ୍ରସ୍ତୁତ କରିଥିଲେ।
ସେ କହିଥିଲେ : ‘‘ଅନ୍ତର୍ମୁଖୀ ହୋଇଥିବା କାରଣରୁ, ଲୋକମାନଙ୍କ ସହ ଯୋଡ଼ି ହୋଇପାରିବି ବୋଲି ମୁଁ କେବେ ଭାବିନଥିଲି। ଗତ କିଛି ମାସ ମଧ୍ୟରେ ମୁଁ ଜଣେ ଭଲ ଶ୍ରୋତା ହୋଇପାରିଛି ଏବଂ ଅନେକ ଧାରଣା ଉପରେ ପୁଣିଥରେ ପୁନର୍ବିଚାର କରିବା ଲାଗି ମୁଁ ବାଧ୍ୟ ହୋଇଛି। ଉଦାହରଣ ସ୍ଵରୂପ ମୁଁ ଭାବିଥିଲି ଯେ, ସାମାଜିକ ଅପବାଦ କାରଣରୁ ଝିଅମାନେ ଶିକ୍ଷା ଗ୍ରହଣ କରିପାରୁନାହାନ୍ତି। କିନ୍ତୁ ଏ କାହାଣୀ ପାଇଁ ରିପୋର୍ଟ ସଂଗ୍ରହ କରିବା ଏବଂ ସମ୍ପୂର୍ଣ୍ଣ ବିବରଣୀ ହାସଲ କରିବା ପରେ ମୋର ଦୃଷ୍ଟିକୋଣ ବଦଳି ଯାଇଥିଲା। ଏହା ମୋତେ ନିଜ ଆଖପାଖର ଛୋଟ ଛୋଟ ଜିନିଷକୁ ଦେଖିବାକୁ ଅନୁପ୍ରାଣିତ କଲା, ଯଥା : ମୋ ଅଞ୍ଚଳର ଅଧିକାଂଶ ସରକାରୀ ବିଦ୍ୟାଳୟର ନାମ ‘ବାଳକ ବିଦ୍ୟାଳୟ’ ରଖାଯାଇଛି।’’
ଅନୁବାଦ: ଓଡ଼ିଶାଲାଇଭ୍
ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।