“ଶୀଘ୍ର ପହଞ୍ଚିବା ପାଇଁ ମୁଁ ଯେଉଁ ରାସ୍ତାରେ ଯାଏ, ମୋର ଛେଳି ଓ ମେଣ୍ଢାଗୁଡିକ ସବୁବେଳେ ସେହି ରାସ୍ତାରେ ଯା’ଆସ କରନ୍ତିନି ଓ ଗୋଟିଏ ଦିନ ମୋର ସାତଟି ଛେଳି ହଜିଗଲେ । ସେହିଦିନ ପର୍ଯ୍ୟନ୍ତ ମୋ ଉପରେ ବିଶ୍ୱାସ ରଖି ମୋ ପରିବାର ମତେ ପଶୁପଲ ସହିତ ଯିବାକୁ ଦେଉଥିଲେ । ଭାଗ୍ୟବଶତଃ ସେମାନେ ଫେରି ଆସିଲେ! ବୋଲି ଡେରାଡୁନ୍‌ ଜିଲ୍ଲାର ଚକ୍ରତା ତହସିଲ୍‌ର୧୮ ବର୍ଷ ବୟସ୍କ ହର୍ପାଲ୍‌ ସିଂ ନାମକ ଜଣେ ଛେଳି ଓ ମେଣ୍ଢା ଚରାଳି କୁହନ୍ତି ।

ପୂରା ଚକ୍ରତା ତହସିଲ୍‌ରେ ହିମାଳୟର ସିୱାଲିକ୍‌ ରେଞ୍ଜର ଛୋଟ ବଡ ପାହାଡ ଓ ସଙ୍କୀର୍ଣ୍ଣ ଗିରିପଥ ରହିଛି ଓ ସେଠାରେ ହର୍ପାଲ୍‌ଙ୍କ ଭଳି ଚରାଳିମାନେ ସେମାନଙ୍କ ପଶୁଗୁଡିକୁ ଚରାଇବା ପାଇଁ ବହୁ ସଂଖ୍ୟକ ଘାସପଡିଆ ଓ ଚରାଭୂମି ରହିଛି । ଡେରାଡୁନ୍‌ ଜିଲ୍ଲାର ୪୩ .୭ ପ୍ରତିଶତ ଜମି ବନାଞ୍ଚଳ ଅଧିନ ଓ ରାଜ୍ୟର ଏହି ପଶ୍ଚିମ ଭାଗରେ ମୁଖ୍ୟତଃ ଶାଳ ଓ ସରଳବର୍ଗୀୟ ଗଛ ଦେଖିବାକୁ ମିଳିଥାଏ ।

ପୂର୍ବେ ଏହି ଅଞ୍ଚଳକୁ ‘ଜାଉନ୍‌ସର୍‌ ବାୱର୍‌’ ବୋଲି କୁହାଯାଉଥିଲା, ଏକ ନାମ ଯାହାକୁ ଆଜି ମଧ୍ୟ ଏହି ଅଞ୍ଚଳର ପ୍ରତ୍ୟେକ ଲୋକ ବ୍ୟବହାର କରନ୍ତି । ଏଠାର ଭାଷାକୁ ‘ଜାଉନ୍‌ସରୀ’ ବୋଲି କୁହାଯାଏ ଓ ଲୋକମାନେ ନିଜକୁ ମଧ୍ୟ ସେହି ନାମରେ ସମ୍ବୋନ୍ଧିତ କରନ୍ତି (‘ଜନ୍ନସରୀ’ ବୋଲି ମଧ୍ୟ ଉଚ୍ଚାରଣ କରାଯାଏ) । ୨୦୧୧ ଜଣଗଣନାରେ ଏହି ଜାଉନ୍‌ସରୀମାନଙ୍କୁ ଅନୁସୂଚିତ ଜନଜାତି ତାଲିକାଭୁକ୍ତ କରାଯାଇଛି ଓ ସେମାନଙ୍କ ଜନସଂଖ୍ୟା ୮୮, ୬୬୪ ବୋଲି ରେକର୍ଡ କରାଯାଇଛି – ଯେଉଁଥିରେ ବିଭିନ୍ନ ଉପ-ଜାତି ଯେପରିକି ଖସାସ୍‌ ଓ କୋଲ୍‌ଟାସ୍‌ (କାରିଗର) ମଧ୍ୟ ସାମିଲ ଅଛନ୍ତି । ଅଧିକାଂଶ ଜାଉନ୍‌ସରୀ ହେଉଛନ୍ତି ଋତୁକାଳୀନ ପଶୁଚାରଣକାରୀ – ଯେଉଁମାନେ ଋତୁ ଅନୁସାରେ ସେମାନଙ୍କ ପଶୁପଲକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇଥାନ୍ତି ।

ହର୍ପାଲ୍‌, ଚକ୍ରତା ତହସିଲ୍‌ର ୨୭୦ ଜନସଂଖ୍ୟା ବିଶିଷ୍ଟ ଗ୍ରାମ ଗୋର୍ଚ୍ଚାର ଏକ ପୂରାତନ ପଶୁଚାରଣକାରୀ ସମୁଦାୟରୁ ଆସିଛନ୍ତି । ତାଙ୍କ ଗ୍ରାମରେ ଥିବା ସରକାରୀ ବିଦ୍ୟାଳୟର ଛାତ୍ର ହର୍ପାଲ୍‌ ଏବେ ଏବେ ୧୦ମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଓ ଭବିଷ୍ୟତରେ ସରକାରୀ ବୃତ୍ତିରେ ନିଯୁକ୍ତି ମିଳିବା ନେଇ ଆଶାବାଦୀ ଅଛନ୍ତି । “ବିଦ୍ୟାଳୟରେ ଆମ ଶିକ୍ଷକମାନେ ଆମକୁ ଅନେକ ସମୟରେ ପଶୁଚାରକ ବୃତ୍ତି ବଦଳରେ ଅନ୍ୟ ବୃତ୍ତି, ସହରରି ବୃତ୍ତି ଆଦିରେ ଯୋଗ ଦେବାକୁ ଉପଦେଶ ଦିଅନ୍ତି,” ବୋଲି ସେ କୁହନ୍ତି । ମହାବିଦ୍ୟାଳୟ ହେଉଛି ତାଙ୍କର ପରବର୍ତ୍ତୀ ଠିକଣା : ରାଜ୍ୟ ରାଜଧାନୀ ଡେରାଡୁନ୍‌ – ଏଠାରୁ ୧୫୦ କିଲୋମିଟର ଦୂରରେ ଅବସ୍ଥିତ- ହେଉଛି ଶିକ୍ଷାର କେନ୍ଦ୍ରସ୍ଥଳି ଓ ଏହା ହେଉଛି ସେହି ସ୍ଥାନ ଯେଉଁଠାକୁ ସେ ଯିବାକୁ ଚାହୁଁଛନ୍ତି ।

“ଏକଦା ପଶୁସମ୍ପଦ ଲାଳନପାଳନ କରିବା ଓ ଚରାଇବା ବୃତ୍ତି ଏହି ସ୍ଥାନର ପ୍ରମୂଖ ବୃତ୍ତି ମଧ୍ୟରୁ ଗୋଟିଏ ଥିଲା । ଆମ ସମ୍ପ୍ରଦାୟରେ ଆମର ବହୁତ ସମ୍ମାନ ଥିଲା,” ବୋଲି କୁଅଁର ସିଂ, ୬୨, ଗୋର୍ଚ୍ଚାର ଜଣେ ପଶୁଚାରକ ଓ ଚାଷୀ କୁହନ୍ତି । “ମୋର ମୃତ୍ୟୁ ପରେ ଆଉ କେହି ମଧ୍ୟ ଯିବେନି [ପଶୁ ଚରାଇବାକୁ]। ଏହା ହେଉଛି ଏକ ତୀଖ ଉଠାଣି ଓ ଏହି ଯୁବକମାନଙ୍କ ଗୋଡରେ ପୀଡା ହୋଇଯାଏ ’’।

କୁଅଁର ସିଂ ଓ ଅନ୍ୟ ପଶୁପାଳକମାନେ ନଗଦ ଟଙ୍କା ଆଣିବା ପାଇଁ ବାଗ୍‌ବାନୀ (ସେଓ ବଗିଚା) ଆଡକୁ ମୁହାଁଉଛନ୍ତି । “ପରବର୍ତ୍ତୀ ପିଢି କେବଳ ବାଗ୍‌ବାନୀ ଉପରେ ନିର୍ଭର କରିବେ,” ବୋଲି ସେ କୁହନ୍ତି । ସ୍ଥାନୀୟ ଲୋକଙ୍କ ଆକଳନ ଅନୁସାରେ ସମଗ୍ର ଗୋର୍ଚ୍ଚା ଓ କୁନ୍‌ୱା ଗ୍ରାମରେ ଏବେ ସୁଦ୍ଧା ପ୍ରାୟ ୧୫ ଏକର୍‌ ଜମି ସେଓ ଉତ୍ପାଦନ ପାଇଁ ରୂପାନ୍ତରିତ ହୋଇସାରିଲାଣି । “ସେଓ ଉତ୍ପାଦନକାରୀମାନଙ୍କୁ ଇଜ୍ଜତ୍‌ (ସମ୍ମାନ) ମିଳୁଛି । ସେ ଆହୁରି ମଧ୍ୟ କୁହନ୍ତି ଯେ ଯେତେବେଳେ ଆମେ ମଣ୍ଡିକୁ ଯାଉ, ଆମକୁ ବସିବା ପାଇଁ ଚୌକି ଦିଆଯାଏ ଓ ସାହୁକାର (ମଧ୍ୟବର୍ତ୍ତୀ ଲୋକ) ଆମକୁ ଚାଇ ଦିଏ ।

ପଡୋଶୀ କୁଅଁରେ, ୨୮୬ ଜନସଂଖ୍ୟା ବିଶିଷ୍ଟ ଏକ ଗ୍ରାମ, ସୁମିତ ଚୌହାନ୍‌, ୨୦, ଯିଏ ହେଉଛନ୍ତି ଏକ ପଶୁଚାରଣକାରୀ ପରିବାରର, ସହମତି ପ୍ରକାଶ କରି କୁହନ୍ତି ଯେ : “ମୁଁ କିଛି ଉଚିତ୍‌ କାମ କରିବାକୁ ଚାହୁଁଛି ଓ ଏହା ନୁହେଁ [ ପଶୁ ଲାଳନପାଳନ] । ଏହି କାମରେ ମତେ ଟଙ୍କା ମିଳିବନି, ସହରରେ ରହିଲେ କିନ୍ତୁ ମିଳିବ । ମୋର ସମସ୍ତ ବନ୍ଧୁମାନେ ସହରରେ ବୃତ୍ତିରେ ଯୋଗଦେବେ ଓ ଶିକ୍ଷାଲାଭ କରିବା ପରେ ମଧ୍ୟ ପଶୁ ଲାଳନପାଳନ କରୁଥିବାରୁ ମତେ ଉପହାସ କରିବେ । ମୋର ପରିବାର ତାହା କରିବା ଆରମ୍ଭ କରିଦେଲାଣି।’’

ସୁମିତ ଯାହାକିଛି ପଶୁ ଲାଳନପାଳନ ଓ ପଶୁଙ୍କୁ ଚରାଇବା ବିଷୟରେ ଜାଣିଛନ୍ତି ତାହା ସେ ତାଙ୍କର ଅଜା ଜୋହର୍‌ ସିଂ, ୪୮ ଙ୍କ ଠାରୁ ଶିଖିଛନ୍ତି । ତାଙ୍କ ଅଜାଙ୍କ ବିଶ୍ୱସ୍ତ ଭୂତିଆ କୁକୁର ସହିତ ମିଶି, ସେମାନେ ପାହାଡ ଚଢି ଓହ୍ଲାଇ ସେମାନଙ୍କର ୬୦ ଛେଳି ଓ ୧୦ ମେଣ୍ଢାଙ୍କୁ (ଉଭୟ ପସ୍‌ମିନା ଓ ଗଡ୍ଡି ପ୍ରଜାତିର ଅଛନ୍ତି) ନେଇ ପ୍ରାୟ ୨୦ କିଲୋମିଟରରୁ ଅଧିକ ପଥ ଗୋଟିଏ ଦିନରେ ଅତିକ୍ରମ କରୁଥିଲେ ।

‘ଏହି [ଚରେଇବା] କାମରୁ ମତେ କିଛି ପଇସା ମିଳିବନି, କିନ୍ତୁ ସହରରେ ରହିଲେ ମିଳିବ’’

ହର୍ପାଲ୍‌ ଓ ସୁମିତ୍‌ଙ୍କ ଭଳି ଯୁବ ଗୋଷ୍ଠୀ ପଶୁଚାରକ ଭାବେ ସେମାନଙ୍କ ପାଇଁ ଏକ ସମ୍ମାନନୀୟ ବା ଏପରିକି ଆର୍ଥିକ ଦୃଷ୍ଟିରୁ ଏକ ସ୍ଥାୟୀ ଭବିଷ୍ୟତ ଦେଖିପାରୁନାହାନ୍ତି । ସୁମିତଙ୍କ ଅଜା ଜୋହର୍‌ ସିଂ, ଯିଏ ମାତ୍ର ଛଅ ବର୍ଷ ବୟସରୁ ପଶୁ ଚରାଇବା କାମ ଆରମ୍ଭ କରିଥିଲେ, ସ୍ୱୀକାର କରନ୍ତି ଯେ: “[କାମ କରିବା] ଗ୍ରାମରେ ଆପଣ ଖାଦ୍ୟ, ସ୍ୱଚ୍ଛ ବାୟୁ ଓ ଜଳ ପାଇପାରିବେ ହେଲେ ନିୟମିତ ଭାବେ ନଗଦ ରାଶି ଉପାର୍ଜନ କରିପାରିବେ ନାହିଁ ।’’

ଜାଉନ୍‌ସର୍‌ ଅଞ୍ଚଳରେ, କିଛି ସମୟ ପୂର୍ବେ ମଧ୍ୟ ଅର୍ଥ ପ୍ରଦାନ କରିବା ପାଇଁ ନେଣଦେଣ ପ୍ରଥା ପ୍ରଚଳନ ଥିଲା ଓ କ୍ୱଚିତ୍‌ ନଗଦ କାରବାର ହେଉଥିଲା । ‘ଫସ୍‌ଲାନା’ ନାମକ ଏକ ପ୍ରଥା ଅନ୍ତର୍ଗତ ଶସ୍ୟ ଓ ଅନ୍ୟ ଫସଲକୁ ଅର୍ଥ ଦେବାର ମାଧ୍ୟମ ଭାବେ ବ୍ୟବହାର କରାଯାଉଥିଲା । “କମାରଠାରୁ ଆରମ୍ଭ କରି ନିର୍ମାଣସ୍ଥଳି ଶ୍ରମିକ, ଗାୟକଙ୍କଠାରୁ ଆରମ୍ଭ କରି ଡ୍ରମ୍‌ ବାଦକ ତଥା ତନ୍ତୀ ପର୍ଯ୍ୟନ୍ତ ସମସ୍ତଙ୍କୁ ବର୍ଷ ସାରା ଫସ୍‌ଲାନା ଜରିଆରେ ସେମାନଙ୍କ କାମ ପାଇଁ ପଇସା ଦିଆଯାଉଥିଲା,” ବୋଲି କୂଅଁର ସିଂ କୁହନ୍ତି ।

ସେ ଯାହାହେଉ, ଗତ ଦୁଇ ଦଶନ୍ଧି ହେବ, ନିକଟସ୍ଥ ସହିୟାର ପାଇକାରୀ ବଜାର ବା ସାହରନ୍‌ପୁର୍‌ର ସମତଳ ଅଞ୍ଚଳରେ ପନିପରିବା ବିକ୍ରି କରାଯାଉଥିବା କାରଣରୁ ଏଠାର ଅର୍ଥନୀତିରେ ନଗଦ ପ୍ରବେଶ କରିଛି, ଏହାସହିତ ସୀମା ସଡକ ସଂସ୍ଥା (ବିଆର୍‌ଓ) ଓ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ଯୋଗାଣ ଆଇନ୍‌ (ଏମ୍‌ଏନ୍‌ଆର୍‌ଇଜିଏ) ଅନ୍ତର୍ଗତ ମଧ୍ୟ ନଗଦ ପ୍ରବେଶ କରୁଛି ।

“ଲୋକମାନେ ସେମାନଙ୍କ ପିଲାଙ୍କୁ ପାଠ ପଢାଇବାକୁ ଚାହୁଁଛନ୍ତି ଓ ସେଥିପାଇଁ ଆପଣଙ୍କୁ ନଗଦ ଟଙ୍କାର ଆବଶ୍ୟକତା ରହିଛି- ସେମାନଙ୍କ ଫି ଓ ଘରୁ ଦୂରରେ ରହିବା ଯୋଗୁଁ ହେଉଥିବା ଅନ୍ୟ ବ୍ୟୟ ପାଇଁ,” ବୋଲି ଜୋହର୍‌ ସିଂ କୁହନ୍ତି । ତାଙ୍କ ପରିବାର ପାଖରେ ୧.୫ ଏକର ଜମି ଅଛି, ଯାହାର ଯୁଗ୍ମ ମାଲିକାନା ଅଧିକାର ତାଙ୍କ ପାଖରେ ଓ ତାଙ୍କ ଚାରି ଭାଇଙ୍କ ପାଖରେ ରହିଛି। ଯେଉଁଥିରେ ସେମାନେ ଚାଉଳ, ଗହମ, ରାଜ୍‌ମା, ଡାଲି ଓ ପନିପରିବା ଉତ୍ପାଦନ କରନ୍ତି । “ଚାଷରୁ କିଛି ଉପାର୍ଜନ ହୁଏ ନାହିଁ । ବେଳେବେଳେ ଆମେ କୌଣସି ପ୍ରକାରେ ବିକ୍ରି ହେବାପାଇଁ ରାଜ୍‌ମା ବଜାରକୁ ପଠାଇଥାଉ; ଏହା କିଲୋଗ୍ରାମ ପିଛା ୪୦ଟଙ୍କା ମୂଲ୍ୟରେ ବିକ୍ରି ହୋଇଥାଏ । ଆପଣ ଯେତେବେଳେ ଏହି ଉପାର୍ଜନକୁ ଛଅ ଭାଇ ଓ ସେମାନଙ୍କ ପରିବାର ମଧ୍ୟରେ ବାଣ୍ଟିଦିଅନ୍ତି, ସେତେବେଳେ ଆପଣଙ୍କ ଭାଗରେ କିଛି ପଡେନାହିଁ” ।

ଜାନୁସରର ଚାଷୀମାନଙ୍କ ପାଇଁ ତାଜା ଛେଳି ଖତ ହେଉଛି ଅତ୍ୟନ୍ତ ମୂଲ୍ୟବାନ ଓ ଚରାଳିମାନେ ସେମାନଙ୍କ ପଶୁସମ୍ପଦକୁ ଜମିରେ ବାନ୍ଧିବା ପାଇଁ ଚାଷୀମାନଙ୍କ ଦ୍ୱାରା ଆମନ୍ତ୍ରିତ ହୁଅନ୍ତି । “ଏହି ଖତର ବହୁଳ ଚାହିଦା ରହିଥିଲା । ବର୍ତ୍ତମାନ ସାର ମଧ୍ୟ ସହରରୁ ଆସୁଛି,” ବୋଲି କୂଅଁର ସିଂ କୁହନ୍ତି ।

ଲାଳନପାଳନ ଓ ପଶୁଚାଳନ

ଜୋହର୍‌ ସିଂ ଶତୁରୀ ଦଶକର କଥା ମନେ ପକାନ୍ତି ଯେତେବେଳେ ସେ ଏକାଠି ୮୦୦ ଛେଳି ଓ ମେଣ୍ଡା ଚରାଉଥିଲ, ଯାହା ବର୍ତ୍ତମାନ ସଂଖ୍ୟାର ଦଶ ଗୁଣ ହେବ । ସେ କୁହନ୍ତି ଚରିବା ଉପଯୋଗୀ ଚାରଣଭୂମି ଏବେ ଆଉ ସହଜରେ ମିଳୁନି । “ପୂର୍ବେ ଆମେ ପାହାଡ ଉପରକୁ ଚାଲିଯାଉଥିଲୁ,” ବୋଲି ସେ ତାଙ୍କ ଗ୍ରାମରୁ ଦେଖାଯାଉଥିବା ଏକ ଦୂରବର୍ତ୍ତୀ ପାହାଡ ଆଡକୁ ଇଂଗିତ କରି କୁହନ୍ତି । “ବର୍ତ୍ତମାନ ପର୍ବତର ସେହି ଶିଖରଗୁଡିକରେ ଆଉ କୌଣସି ସବୁଜ ଘାସ ପଡିଆ ବଞ୍ଚିନି, ଆଉ ମୋର ଏ ବୟସରେ, ଯେଉଁଠାରେ ଏବେ ମଧ୍ୟ ଏହା ମିଳିବା ସମ୍ଭାବନା ରହିଛି ସେଠାକୁ ଯିବାକୁ ମୋର ଶକ୍ତି ନାହିଁ ।”

ଜୋହର୍‌ ସିଂ ଶତୁରୀ ଦଶକର କଥା ମନେପକାନ୍ତି ଯେତେବେଳେ ସେ ୮୦୦ ମେଣ୍ଢା ଓ ଛେଳିଙ୍କୁ ଏକାଠି ଚରାଉଥିଲେଲେ, ବର୍ତ୍ତମାନ ସଂଖ୍ୟାଠୁ ତାହା ଦଶଗୁଣ ଅଧିକ

ପରିବାରରେ ସବୁଠାରୁ ବଡ ହୋଇଥିବାରୁ, ଜୋହର୍‌ ସିଂ ବହୁତ ଛୋଟ ବୟସରୁ ତାଙ୍କ ବାପାଙ୍କ ସହିତ ପଶୁ ଜଗିବା କାମ ଆରମ୍ଭ କରିଥିଲେ ଓ ସେ କେବେମଧ୍ୟ ବିଦ୍ୟାଳୟକୁ ଯାଇନାହାନ୍ତି । ଅଥଚ ତାଙ୍କର ପାଞ୍ଚ ଭାଇ ବିଦ୍ୟାଳୟକୁ ଯାଇ ଶିକ୍ଷା ଲାଭ କରିଛନ୍ତି ଓ ବର୍ତ୍ତମାନ ସେମାନେ ସମତଳ ଅଞ୍ଚଳରେ ଡ୍ରାଇଭର୍‌, ନିର୍ମାଣ ଠିକାଦାର କାମ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ସ୍ନାତକ ଡିଗ୍ରୀ ହାସଲ କରି ବ୍ୟାଙ୍କରେ କାମ କରୁଛନ୍ତି ।

“ଗ୍ରାମ ଜନଶୂନ୍ୟ ହୋଇଗଲାଣି । ମୋର ପାରିବାରିକ ଘରେ ୫୦ଜଣ ଲୋକ ଥିଲେ, ବର୍ତ୍ତମାନ ସେହି ବଡ ଘରେ କେବଳ ଛଅ ଜଣ ରହୁଛନ୍ତି,” ବୋଲି କୁଅଁର ସିଂ କୁହନ୍ତି । ତାଙ୍କର ଘର ପାରମ୍ପରିକ ଶୈଳୀରେ ନିର୍ମିତ ହୋଇଛି – ଯାହାକୁ କାଠ-କୁନି କୁହାଯାଏ – ଯେଉଁଥିରେ ପଶୁ ଓ ମଣିଷ ଏକତ୍ର ରହିବା ବ୍ୟବସ୍ଥା ରିହଛି: ସର୍ବନିମ୍ନ ଭାଗ ପଶୁସମ୍ପଦ ପାଇଁ, ମଧ୍ୟ ଭାଗ ଅମଳ ହୋଇଥିବା ଫସଲ ପାଇଁ ଓ ସର୍ବୋଚ୍ଚ ଭାଗ ହେଉଛି ପରିବାର ପାଇଁ ।

ପୂରା ଚକ୍ରତା ଗ୍ରାମରେ ଜାଡ ସମୟରେ ଯେତେବେଳେ ତାପମାତ୍ରା ମାଇନସ୍‌ ୪ ଡିଗ୍ରୀକୁ ଖସିଯାଏ, ସେତେବେଳେ ଚରାଳିମାନେ ତଳେ ନଦୀ ଉପତ୍ୟାକାରେ ଥିବା ଚାରଣଭୂମିକୁ ଗମନ କରନ୍ତି । ଖରାଦିନେ ସେମାନେ ପୁଣି ଉଚ୍ଚତାରେ ଥିବା ଘାସ ପଡିଆକୁ ଚାଲି ଆସନ୍ତି ଯେଉଁଠି ତରଳୁଥିବା ତୁଷାର ପାଣିରେ ଛନଛନିଆ ସବୁଜ ଘାସ ବଢିଥାଏ ଓ ସେଠାରେ ଏକ ଅସ୍ଥାୟୀ ଆବାସରେ ରୁହନ୍ତି ଯାହାକୁ ‘ଚାନିସ୍‌’ କୁହାଯାଏ ।

‘ଆମେ ଚାନି ଭଳି ଅନେକ ଉପଯୁକ୍ତ ଘର ନିର୍ମାଣ କରିଥିଲୁ ଯାହା ଗ୍ରୀଷ୍ମ ଏବଂ ଶୀତ ଋତୁ ପାଇଁ ବ୍ୟବହାର କରାଯାଏ, କିନ୍ତୁ ସମସ୍ତେ ବୃତ୍ତି ଛାଡି ଚାଲିଯାଉଛନ୍ତି’

ପୁଷ୍ପା ଚୌହାନ୍‌ ,୪୫, ତାଙ୍କର ସ୍ୱାମୀ ୫୨ ବର୍ଷୀୟ ନରେଶ ସିଂ ଚୌହାନଙ୍କ ସହିତ ଚାନିସ୍‌କୁ ଆସନ୍ତି । ନରେଶ ହେଉଛନ୍ତି ଗୋର୍ଚ୍ଛାର ଜଣେ ପଶୁପାଳକ । ସେ ଘରର ଯାବତୀୟ ନିତିଦିନିଆ କାମ କରିବା ସହିତ ଘିଅ ପ୍ରସ୍ତୁତ କରନ୍ତି ଓ ମହୁ ସଂଗ୍ରହ କରନ୍ତି । “ପଶୁସମ୍ପଦର କ୍ଷୀର ଦୁହିଁବା ପାଇଁ ମୁଁ ପୂର୍ବାହ୍ନ ୪ଟାରେ ଉଠେ, ତାପରେ ରୋଷେଇ ପାଇଁ ଜାଳେଣି ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଏ । ପଶୁଗୁଡିକ ଖାଇବା ପାଇଁ ମତେ ଘାସ ଆଣିବାକୁ ପଡେ- ଆମ ପାଖରେ ଗୋଟିଏ ଗାଇ ମଧ୍ୟ ଅଛି ଓ ସବୁ ସରିବା ପରେ ମୁଁ ଆମ ପାଇଁ ଖାଦ୍ୟ ପ୍ରସ୍ତୁତ କରିବାକୁ ଆରମ୍ଭ କରେ ।

ଜୋହର୍‌ ସିଂ କୁହନ୍ତି ସେ ଚାନିସ୍‌ରେ ତାଙ୍କ ପଶୁଗୁଡିକର ଲୋମରୁ ସୂତା କାଟି ନିଜ ସମୟ ଅତିବାହିତ କରନ୍ତି । “ମୁଁ କେତେ ସଂଖ୍ୟକ ଚୌରସ୍‌ (କୋଟ୍‌) ପାଇଁ ସୂତା ତିଆରି କରିଛି ତାହା ମୋର ସଠିକ୍‌ ମନେ ନାହିଁ ।”

ବର୍ତ୍ତମାନ ଏହି ଚାନିସ୍‌ଗୁଡିକ ଖାଲି ପଡୁଛି । ଏପରିକି ଜୋହର୍‌ ସିଂ ମଧ୍ୟ ଶୀତରେ ନିଜ ଗ୍ରାମରେ ରହିବାକୁ ନିଷ୍ପତି ନେଇଛନ୍ତି ଓ ପଶୁଗୁଡିକୁ ଖାଦ୍ୟ ଯୋଗାଇବା ପାଇଁ ସେ ତାଙ୍କ ପଶୁପଲକୁ ପ୍ରତିଦିନ ନିକଟସ୍ଥ ଘାସପଡିଆକୁ ନେଉଛନ୍ତି । “ଶୀତ ଓ ଖରା ଦିନଗୁଡିକରେ ଚାନିସ୍‌ ଭାବେ ବ୍ୟବହୃତ ହେବା ପାଇଁ ଅନେକ ଉପଯୋଗୀ ଘର ନିର୍ମାଣ କରିଛୁ ହେଲେ ଏବେ ସମସ୍ତେ ଏହି ବୃତ୍ତି ଛାଡି ଚାଲିଯାଉଛନ୍ତି,” ବୋଲି କୁଅଁର ସିଂ କୁହନ୍ତି ।

ଗରମ ପାଣିପାଗ

କୁଅଁର ସିଂଙ୍କ ପରିବାର ପାଖରେ ବର୍ତ୍ତମାନ ୫୦ଟି ଛେଳି, ଚାରିଟି ମେଣ୍ଢା ଓ କିଛି ବଳଦ ଓ ଗାଇ ଅଛନ୍ତି ଯାହା ସେମାନଙ୍କ ପାଖରେ ଶତୁରୀ ଦଶକରେ ଥିବା ପଶୁପଲର ଏକ ଅଂଶ ମାତ୍ର – ଏକ ହଜାର ଛେଳି, ୫୦୦ ମେଣ୍ଢା ଓ ୧୦ ବଳଦ (ସେମାନଙ୍କ ଦୁଇ ଏକର ଚାଷଜମି ଯେଉଁଠାରେ ସେମାନେ ଧାନ ଓ ପନିପରିବା ଉତ୍ପାଦନ କରୁଥିଲେ, ସେଠାରେ ବ୍ୟବହାର କରାଯାଉଥିଲା) ।

ପାରମ୍ପରିକ କାଠ କୁନି ପରି ସ୍ଥପତି ଯୋଗୁଁ ପଶୁ ଓ ମନୁଷ୍ୟମାନେ ଏକାଠି ରହିବା ସମ୍ଭବପର ହୋଇପାରିଛି: ସର୍ବନିମ୍ନ ଭାଗ ପଶୁସମ୍ପଦ ପାଇଁ, ମଧ୍ୟ ଭାଗ ଅମଳ ହୋଇଥିବା ଫସଲ ପାଇଁ ଓ ସର୍ବୋଚ୍ଚ ଭାଗ ପରିବାର ପାଇଁ

କୁଅଁର ସିଂ ତାଙ୍କ ପଶୁଗୁଡିକ ପାଇଁ ପର୍ଯ୍ୟାପ୍ତ ଘାସ ନମିଳିବା ଯୋଗୁଁ ଚିନ୍ତିତ ରହିବା ପ୍ରସଙ୍ଗକୁ ୟୁଏନ୍‌ ଇଣ୍ଟର୍‌ଗଭର୍ଣ୍ଣମେଣ୍ଟାଲ୍‌ ପାନେଲ୍‌ ଅନ୍‌ କ୍ଲାଇମେଟ୍‌ ଚେଞ୍ଜ (ଆଇପିସିସି) ଅନ୍‌ ହାଇ ମାଉଣ୍ଟେନ୍‌ ଏରିଆଜ୍‌ ଦ୍ୱାରା ୨୦୧୯ରେ ପ୍ରକାଶିତ ଏକ ରିପୋର୍ଟ – ସ୍ପେସିଆଲ୍‌ ରିପୋର୍ଟ ଅନ୍‌ ଦ ଓସେନ୍‌ ଏଣ୍ଡ କ୍ରାୟୋସ୍ଫିୟର୍‌ ଇନ୍‌ ଏ ଚେଞ୍ଜିଂ କ୍ଲାଇମେଟ୍‌ରେ ସମର୍ଥନ କରାଯାଇଛି । ଏଥିରେ ଉଲ୍ଲେଖ ହୋଇଛି ଯେ ତୁଷାରର ଗଭୀରତା ୨୫ ପ୍ରତିଶତ ହ୍ରାସ ପାଇଛି ଓ ଜୀବନଧାରଣ କରିବା ପାଇଁ ତୁଷାର ଉପରେ ନିର୍ଭର କରୁଥିବା ଗଛଗୁଡିକର ପୁନଃଉତ୍ପାଦନ କ୍ଷମତା ମଧ୍ୟ ପ୍ରଭାବିତ ହୋଇଛି ଯାହାର ପରିମାଣ ସ୍ୱରୂପ ଜଗୁଆଳିମାନଙ୍କ ଉପରେ ଏହାର ବିପରୀତ ପ୍ରଭାବ ପଡୁଛି।

“ପୂର୍ବେ ଡିସେମ୍ବରରେ ତୁଷାରପାତ ହେଉଥିଲା, ପ୍ରାୟ ପାଞ୍ଚ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ତୁଷାର ଜମୁଥିଲା ଯାହା ପ୍ରାୟ ମାର୍ଚ୍ଚ ପର୍ଯ୍ୟନ୍ତ କଠିନ ଅବସ୍ଥାରେ ରହୁଥିଲା। ଗ୍ରାମରୁ ବାହାରିଥିବା ରାସ୍ତା ପ୍ରାୟ ଦୁଇ ରୁ ତିନି ମାସ ପର୍ଯ୍ୟନ୍ତ ଭାରି ତୁଷାରପାତ କାରଣରୁ ବନ୍ଦ ରହୁଥିଲା ଓ ଏହାକୁ ଆମମାନଙ୍କୁ ନିଜ ହାତରେ ବାହାର କରି ପରିଷ୍କାର କରିବାକୁ ପଡୁଥିଲା,” ବୋଲି ପୂରଣ ସିଂ ଚୌହାନ୍‌, ୪୮, କୁହନ୍ତି । “ଏବେ କିନ୍ତୁ ମାତ୍ର ଦୁଇଦିନ ପାଇଁ ତୁଷାରପାତ ହେଉଛି ଓ କିଛି ଘଣ୍ଟା ମଧ୍ୟରେ ଏକ ବୁଲ୍‌ଡୋଜର୍‌ ବା ଜେସିବି ଏହାକୁ ଅପସାରଣ କରିଦେଉଛି’’।

ତୁଷାର ସେମାନଙ୍କୁ ଚାଭର୍‌ ଚାଷ କରିବାରେ ସହାୟକ ହୋଇଥାଏ । ଚାଭର୍‌ ହେଉଛି ଏକ କିଷମର ଚାଉଳ ଯାହା କେବଳ ଅତି ଥଣ୍ଡା ଜଳରେ ଚାଷ ହୋଇଥାଏ ଓ ଏହାକୁ ଜାଉନ୍‌ସରୀମାନେ ବାହାଘର ସମୟରେ ବ୍ୟବହାର କରନ୍ତି ଓ ସ୍ଥାନୀୟ ମନ୍ଦିରରେ ଭୋଗ ଲଗାନ୍ତି । “ଚାଭର ଫସଲ ଏବେ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି । ଏପରିକି ଆପଣ ଏହାର ବୀଜ ମଧ୍ୟ ସହଜରେ ପାଇପାରିବେ ନାହିଁ ଯେହେତୁ ଗ୍ରାମର କୌଣସି ପରିବାର ପାଖରେ ଏହା ନାହିଁ.” ବୋଲି ଚୌହାନ କୁହନ୍ତି । “ଏହି କିଷମର ଚାଉଳର ବାସନା ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ବାରି ହୁଏ!” ସେ ସେହି ସମୟ କଥା ମନେ ପକାନ୍ତି ଯେତେବେଳେ ଏହି ଚାଉଳର ମୂଲ୍ୟ କିଲୋଗ୍ରାମ ପିଛା ୧,୦୦୦ଟଙ୍କା ହେଉଥିଲା ଓ ଉତ୍ସବ ବେଳେ ମାଂସ ତରକାରୀ ସହିତ ପରଷା ଯାଉଥିଲା ।

ହିମାଳୟରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ଏହା ପ୍ରଭାବରେ ତୁଷାରପାତ ହାର କମିବାରେ ଲାଗିଛି । ୧୯୯୦ର ମଧ୍ୟଭାଗରୁ ସେଠାରେ କ୍ରମଶଃ ତାତି ବୃଦ୍ଧି ପାଇବାରେ ଲାଗିଛି ବୋଲି ୨୦୧୯ରେ ସାଇନ୍‌ସ ଆଡ୍‌ଭାନ୍‌ସରେ ପ୍ରକାଶିତ ଏକ ଆଲେଖ୍ୟରେ ଉଲ୍ଲେଖ କରାଯାଇଛି ।

ପାରମ୍ପରିକ ପୋଷାକ ବଦଳିଗଲାଣି

ଜାଉନ୍‌ସରୀ ଲୋକଙ୍କ ଜୀବନଜୀବିକା ଓ ସଂସ୍କୃତି ଉପରେ କ୍ରମବର୍ଦ୍ଧିଷ୍ଣ ତାତିର ସୁଦୂରପ୍ରସାରୀ ପ୍ରଭାବ ପଡିଛି । ପଶୁଖାଦ୍ୟ ଓ ଘାସ ସହଜରେ ଉପଲବ୍ଧ ନହେବା କାରଣରୁ ପଶୁପାଳକମାନେ ସେମାନଙ୍କ ପଶୁପଲ ଆକାର ସଂକୁଚିତ କରିଦେଲେଣି । ଗରମ ଅନୁଭୂତ ହେଉଥିବାରୁ ସେମାନଙ୍କ ପାରମ୍ପରିକ ପୋଷାକ ଯେପରିକି ମେଣ୍ଢା ଓ ଛେଳିଠୁ ମିଳିଥିବା ଶୁଦ୍ଧ ଉଲ୍‌ରୁ ତିଆରି ହୋଇଥିବା ଚୌରାସ୍‌ (କୋଟ୍‌)ର ଚାହିଦା ହ୍ରାସ ପାଉଛି । “ଜୋହର୍‌ ସିଂ କୁହନ୍ତି, “ଏଇ ଚୌରାସ୍‌ଗୁଡିକ ଏତେ ଉଷ୍ମ ଲାଗୁଛି ଯେ ଆମେ ଏହାକୁ ପୂରା ପିନ୍ଧି ପାରୁନୁ, ଏହାକୁ କେବଳ ଆମ କାନ୍ଧରେ ପକାଇ ରଖୁଛୁ । ପୂର୍ବେ ନଭେମ୍ବରରେ ଆମେ ଏପରି ଦୁଇଟି ଚୌରାସ୍‌କୁ ଏକାଠି ପିନ୍ଧିବାକୁ ଇଚ୍ଛା କରୁଥିଲୁ ।’’

କେଶର ସିଂ ଚୌହାନ୍‌, ୩୦, କୁହନ୍ତି ଯେ, “ଗୋର୍ଚ୍ଚାରେ ରହୁଥିବା ମୋର ଜେଜେବାପା ମୁଁ ଡେରାଡୁନ୍‌ରୁ ଆଣିଥିବା ଟୋପି ଓ ଜ୍ୟାକେଟ୍‌ ପିନ୍ଧିବାକୁ ପସନ୍ଦ କରୁଛନ୍ତି । ଲୋକମାନେ ଆଉ ପାରମ୍ପରିକ ପୋଷାକ ପିନ୍ଧିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି; ଏପରିକି ଗ୍ରାମରେ ରହୁଥିବା ଲୋକମାନଙ୍କର ମଧ୍ୟ ସେଥିରେ ଆଉ ରୁଚି ନାହିଁ ।’’

ଉତ୍ସବ ସମୟରେ ଓ ଯେତେବେଳେ ଅତିଥି ଆସନ୍ତି, ସେତେବେଳେ ଲୋକମାନେ ଖର୍ସା (ଛେଳି ଲୋମରୁ ତିଆରି ମସିଣା) ଉପରେ ବସନ୍ତି, ହେଲେ, ଜୁଆନ୍‌ସରୀମାନେ ଏବେ ସମତଳ ଅଞ୍ଚଳରୁ ପ୍ଲାଷ୍ଟିକ୍‌ ମସିଣା ଆଣୁଛନ୍ତି ଯାହା ସର୍ବାଦୃତ ହୋଇପାରିଛି । କୁନ୍‌ୱାରର ଜଣେ ତନ୍ତୀ, ପିଜ୍ଞା ସିଂ, ୪୨, କୁହନ୍ତି ଯେ “ଏବେ ଆଉ କେହି ଖର୍ସା ଖୋଜୁନାହାନ୍ତି, ସେଗୁଡିକ ଋତୁଭିତ୍ତିକ ହୋଇଗଲାଣି । ଏକ ଦଶନ୍ଧି ପୂର୍ବେ, ବହୁପରିମାଣରେ ପଶୁସମ୍ପଦ ଥିଲେ ଓ ସେମାନଙ୍କ ଠାରୁ ପ୍ରଚୁର ଲୋମ ମଧ୍ୟ ମିଳୁଥିଲା, ଏଣୁ ଆମେ ବର୍ଷସାରା ସେଥିରୁ ବିଭିନ୍ନ ଉତ୍ପାଦ ପ୍ରସ୍ତୁତ କରୁଥିଲୁ । ବର୍ତ୍ତମାନ କିନ୍ତୁ ଏହା କେବଳ ଲୋମ କାଟିବା ଋତୁରେ ସିମୀତ ହୋଇଯାଇଛି’’।

ପଶୁପାଳକମାନେ ସେମାନଙ୍କ ପଶୁପଲର ଆକାର ସଙ୍କୁଚିତ କରୁଛନ୍ତି ଯେହେତୁ ପଶୁଖାଦ୍ୟ ଓ ଘାସ ସହଜରେ ମିଳୁନି

ପିଜ୍ଞା ସିଂ ହେଉଛନ୍ତି କୋଲ୍‌ଟା ସମ୍ପ୍ରଦାୟର ଓ ସେମାନେ ଉଲ୍‌ କମ୍ବଳ ଓ ଗୋଡପୋଛା ବୁଣନ୍ତି ଯାହାକୁ ପଙ୍ଖି ଓ ନୁମ୍‌ଦା, ଖର୍ସା (ଛେଳି ଲୋମରୁ ନିର୍ମିତ ଏକ ମୋଟା ମସିଣା) ଓ ଖୁର୍ସଭ୍‌ (ଶୀତ ଓ ତୁଷାରପାତ ସମୟରେ ପିନ୍ଧା ଯାଉଥିବା ଜଳରୋଧୀ ଜୋତା) ଓ ଚଚୁରା  କୁହାଯାଏ । ତାଙ୍କ କାରିଗରି ବର୍ଣ୍ଣନା କରିବାକୁ ଯାଇ ସେ କୁହନ୍ତି ଯେ, “ଆମେ ହାଲୁକା କାଠରୁ ନିର୍ମିତ ଏକ ରାଞ୍ଚ [ତନ୍ତ] ବ୍ୟବହାର କରୁ, ଯାହା ବ୍ୟବହାର କରିବା ଅତି ସହଜ । ଆପଣ ଏଥିପାଇଁ ସେଓ ବା ଆପ୍ରିକଟ୍‌ କାଠ ବ୍ୟବହାର କରିପାରିବେ ହେଲେ, ଭାରି ଦେଓଦାର୍‌ ବା ଏପରିକି ଚିର୍‌ ମଧ୍ୟ ନୁହେଁ,”  ବୋଲି ସେ କୁହନ୍ତି । ପ୍ରତ୍ୟେକ ଉତ୍ପାଦ ପାଇଁ ବିଭିନ୍ନ ଆକାରର ତନ୍ତ ରହିଛି ଓ ଖୁର୍ସଭ୍‌ (ତୁଷାର ଜୋତା) ପାଇଁ କେବଳ ଏକ ସୂତା ଓ ଛୁଞ୍ଚି ଆବଶ୍ୟକ ହୋଇଥାଏ । ଗୋଟିଏ ଚୌରା ବୁଣିବାକୁ ପ୍ରାୟ ଦଶ ଦିନ ସମୟ ଲାଗିଥାଏ; ସମତଳରୁ ଗରମ ପୋଷାକ ଆସୁଥିବାରୁ ଏହାର ଚାହିଦା‌ ବହୁଳଭାବେ ହ୍ରାସ ପାଇଲାଣି ।

ଟିକମ୍‌ ସିଂ, ୩୪, ହେଉଛନ୍ତି ଗୋର୍ଚ୍ଚାର ପଶୁପାଳକ ପରିବାରର ପ୍ରଥମ ପିଢିର ସ୍ନାତକ । ସେ କୁହନ୍ତି ଯେ “ମୋ ପରିବାରର ଛୋଟ ପିଲାମାନଙ୍କୁ ଜାଉନ୍‌ସରୀ ହେବା ମାନେ କ’ଣ ତାହା ଜଣାନାହିଁ । ମୋର ପିଲାଦିନେ ପାଳନ କରାଯାଉଥିବା ଅନେକ ପର୍ବ ଆଉ ପାଳନ କରାହେଉନି । ସହରରୁ ପିଲାମାନେ ଆସିଲେ ମ୍ୟାଗି ନୁଡୁଲ୍‌ ଖାଇବାକୁ ଇଚ୍ଛା କରୁଛନ୍ତି । ସେମାନେ ଶୁଦ୍ଧ ଘିଅ ଓ ଚାଉଳ ଜୀର୍ଣ୍ଣ କରିପାରିବେନି; ବେମାର ହୋଇଯିବେ । ଏବେ ଗ୍ରାମ କେବଳ ନାମ ମଧ୍ୟରେ ସିମୀତ [ଜୁଆନ୍‌ସରୀ] ରହିଯାଇଛି ।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି  ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍‌ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Editor's note

ରିତୁଜା ମିତ୍ରା ୨୦୨୦ରେ ଆଜିମ୍‌ ପ୍ରେମ୍‌ଜି ବିଶ୍ୱବିଦ୍ୟାଳୟରୁ ତାଙ୍କର ଦ୍ୱିତୀୟ ମାଷ୍ଟର୍ସ ଡିଗ୍ରୀ ଡେଭଲେପ୍‌ମେଣ୍ଟ ଷ୍ଟଡିଜ୍‌ରେ ହାସଲ କରିଛନ୍ତି । ସେ ତାଙ୍କ ଥେସିସ୍‌ ପାଇଁ ଜାଉନ୍‌ସରର ପଶୁସମ୍ପଦ ଳାଳନପାଳନକାରୀ ଓ କାରିଗରମାନଙ୍କ ଅଧ୍ୟୟନ କରିଥିଲେ ଓ ଏହି ସମ୍ପ୍ରଦାୟର ପାରମ୍ପରିକ ଜ୍ଞାନ ଓ କାର୍ଯ୍ୟ ବିଷୟରେ ଜ୍ଞାନ ଆହରଣ କହିଥିଲେ । ସେ କୁହନ୍ତି, “ପ୍ରଥମେ ପି.ସାଇନାଥ ଓ ପରେ ପରୀ ଏଜୁକେସନ୍‌ ସହିତ ଆମ କ୍ୟାମ୍ପସରେ ହୋଇଥିବା ବୌଦ୍ଧିକ ଆଲୋଚନା ଅତ୍ୟନ୍ତ ଜ୍ଞାନପ୍ରଦ ଥିଲା । ମୁଁ ସମାଜଶାସ୍ତ୍ର, ପରିବେଶ ଓ ମାନବଶାସ୍ତ୍ର ଆଦି ଯାହାକୁ କେବଳ ଅଧ୍ୟୟନର ବିଷୟ ବୋଲି ବିବେଚନା କରାଯାଉଥିଲା ସେଗୁଡିକର ସାମ୍ବାଦିକତା ଦୃଷ୍ଟିକୋଣକୁ ବୁଝିପାରିଲି’’।