Skip to content
PARI Education
  • Stories
    • Agriculture
    • Covid 19
    • Education
    • Migrants
    • Photo stories
    • Things we make
    • Gender
    • Inspired by PARI
  • Get involved
    • Participating organisations
    • Testimonials
    • Donate
  • About
    • PARI Library
  • Return to PARI
  • Learning resources
  • Teachers’ blog
PARI Education
  • Stories
    • Agriculture
    • Covid 19
    • Education
    • Migrants
    • Photo stories
    • Things we make
    • Gender
    • Inspired by PARI
  • Get involved
    • Participating organisations
    • Testimonials
    • Donate
  • About
    • PARI Library
  • Return to PARI
  • Learning resources
  • Teachers’ blog
June 29, 2021
Sonipat, Haryana
Agriculture, Small world, Things we do

‘ଜଣେ କୃଷକଙ୍କ ପରିବାରରେ ସମସ୍ତେ କୃଷକ’

ନଅ ବର୍ଷୀୟା ଅଶପ୍ରୀତ, ଟ୍ରାକ୍ଟର ଶୋଭାଯାତ୍ରାରେ ଅଂଶଗ୍ରହଣ କରିବା ପାଇଁ ମୋଟର ସାଇକେଲରେ ୪୦୦ କିଲୋମିଟର ଦୂର ଯାତ୍ରା କରିବାକୁ ତାଙ୍କ ପରିବାର ପାଇଁ ପ୍ରେରଣାର ଉତ୍ସ
Student reporter: Soumya Thakur

Chandigarh University, Mohali, Punjab

  • ଓଡିଆ
    • English
    • Tamil
    • ગુજરાતી (Gujarati)
    • Punjabi

“ମୋଟର ସାଇକେଲରେ ଯିବା ବେଳେ ମୋତେ ଥଣ୍ଡା ଲାଗୁଥିଲା । ମୁଁ ମୋର ବସିବା ଜାଗା ବଦଳାଇବାରେ ଲାଗିଥିଲି: ଖରାତାତି ବେଶୀ ଥିବା ବେଳେ ମୁଁ ଆଗରେ ବସୁଥିଲି ଏବଂ ଅନ୍ୟ ସମୟରେ ମାମା ଓ ପାପାଙ୍କ ମଝିରେ ବସୁଥିଲି,” ଉତ୍ସାହର ସହିତ ଏକା ନିଶ୍ଵାସରେ ଏତକ କହିଦେଲେ ନଅ ବର୍ଷ ବୟସ୍କା ଅଶପ୍ରୀତ କୌର । ଜାନୁଆରୀ ୨୬ରେ ଆୟୋଜିତ ଟ୍ରାକ୍ଟର ରାଲିରେ ଯୋଗ ଦେବା ପାଇଁ ବାପା-ମାଆ ଓ ବଡ଼ ଭଉଣୀଙ୍କ ସହିତ ସିଂଘୁ ଆନ୍ଦୋଳନ ସ୍ଥଳ ଯାଏ ଯାତ୍ରା କରିଥିଲେ ଅଶପ୍ରୀତ । ପଞ୍ଜାବର ଗୁରଦାସପୁର ଜିଲ୍ଲାରୁ ତାଙ୍କ ବାପା ଲଖବୀର ସିଂହ ଚଲାଇଥିବା ଏକ ମୋଟର ସାଇକେଲରେ ୪୦୦ କିଲୋମିଟରରୁ ଅଧିକ ବାଟ ଯାତ୍ରା କରିବା ପାଇଁ ଏହି ପରିବାରକୁ ଦୁଇ ଦିନ ଲାଗିଯାଇଥିଲା । ଲଖବୀର ଗୁରଦାସପୁର ଜିଲ୍ଲା ଅନ୍ତର୍ଗତ ଉଚ୍ଚା ଢକାଲ ଗାଁର ଜଣେ କୃଷକ ।

ପଞ୍ଜାବ କିଷାନ ସଂଘର ସବୁଜ ପତାକାକୁ ସଗର୍ବେ ଧରିଛନ୍ତି ଅଶପ୍ରୀତ (ସାମନାରେ), ତାଙ୍କ ବଡ଼ ଭଉଣୀ ଯଶକରନ୍‌ ପ୍ରୀତ ଏବଂ ସେମାନଙ୍କ ବାପା ଲଖବୀର

ଅଶପ୍ରୀତ, ଗୁରଦାସପୁର ଜିଲ୍ଲା ଖୁଦାଦପୁରର ସ୍ଵାମୀ ସ୍ଵରୂପାନନ୍ଦ ମେମୋରିଆଲ ସିନିଅର ସେକେଣ୍ଡାରୀ ସ୍କୁଲର ୪ର୍ଥ ଶ୍ରେଣୀ ଛାତ୍ରୀ । ଅଶପ୍ରୀତ କହିଲେ, “ମୁଁ ଓ ମୋ ସାଙ୍ଗମାନେ ଏହି ରାଲି ସଂପର୍କରେ କଥାବାର୍ତ୍ତା କରିଆସୁଥିଲୁ ଏବଂ ଶେଷରେ ମୁଁ ଆସିବାର ସୁଯୋଗ ପାଇଲି ।” ତାଙ୍କ ସାଙ୍ଗମାନେ ବି ଟ୍ରାକ୍ଟର ରାଲିକୁ ଆସିବା ପାଇଁ ଯୋଜନା କରୁଥିଲେ ।

ତିନିଟି ନୂତନ କୃଷି ଆଇନକୁ ସରକାର ପ୍ରତ୍ୟାହାର କରିନିଅନ୍ତୁ ବୋଲି ଦାବି କରି ୨୦୨୦ ନଭେମ୍ବର ୨୬ ତାରିଖରୁ ଦିଲ୍ଲୀ ସୀମାବର୍ତ୍ତୀ ସିଂଘୁ, ଟିକରି ଏବଂ ଗାଜିପୁରରେ ଲକ୍ଷ ଲକ୍ଷ କୃଷକ ଆନ୍ଦୋଳନ କରିଆସୁଛନ୍ତି । ୨୦୨୧ ଜାନୁଆରୀ ୨୬ ତାରିଖ ଦିନ ବିଭିନ୍ନ ପୂର୍ବ ନିର୍ଦ୍ଧାରିତ ରାସ୍ତାରେ ଶାନ୍ତିପୂର୍ଣ୍ଣ ଭାବରେ ଟ୍ରାକ୍ଟର ପ୍ୟାରେଡ୍‌ ଆୟୋଜନ କରି କୃଷକମାନେ ଇତିହାସ ରଚିବାକୁ ସ୍ଥିର କରିଥିଲେ । ଦିଲ୍ଲୀର ରାଜପଥରେ ଆନୁଷ୍ଠାନିକ ସମାରୋହ ପାଳନ ପରେ ପାଖାପାଖି ମଧ୍ୟାହ୍ନ ବେଳକୁ ସିଂଘୁ, ଟିକରି ଏବଂ ଗାଜିପୁର ସୀମାରୁ ଏହି ପ୍ୟାରେଡ୍‌ର ଶୁଭାରମ୍ଭ ହେବାର ଥିଲା ।

 ଲଖବୀର କହିଲେ,“ଲୋକେ ପଚାରନ୍ତି ଯେ ଆମେ ଆମ ଝିଅମାନଙ୍କୁ କାହିଁକି ଆନ୍ଦୋଳନ ସ୍ଥଳକୁ ଆଣିଲୁ- ଅଶପ୍ରୀତ ଜିଦ ଧରି ବସିବାରୁ ହିଁ ଆମେ ଏଠାରେ ଅଛୁ ।” ସେ ଅଶପ୍ରୀତଙ୍କ ସ୍କୁଲର ପ୍ରିନ୍‌ସିପାଲଙ୍କ ସହିତ କଥାବାର୍ତ୍ତା କରିଥିଲେ ଏବଂ କହିଥିଲେ ଯେ ତାଙ୍କ ପରିବାର ୧୦ ଦିନ କିମ୍ବା ଆଉ ଅଧିକ ଦିନ ପାଇଁ ବାହାରେ ରହିବେ । “ସେ (ପ୍ରିନ୍‌ସିପାଲ) ଆମ କଥା ବୁଝିପାରିଲେ, କାରଣ ସେ ବି ଆମ ପିଂଡ (ଗାଁ)ର ବାସିନ୍ଦା ଏବଂ ଏବେକାର ସ୍ଥିତିକୁ ଭଲ ଭାବରେ ଜାଣନ୍ତି, ସେ କହିଲେ ।”

ଦିଲ୍ଲୀ-ହରିଆଣା ସୀମାର ସିଂଘୁକୁ ଆସିବା ପାଇଁ ତାଙ୍କ ପରିବାର ସ୍ଥିର କଲେ ଏବଂ ୩୯ ବର୍ଷ ବୟସ୍କ ଲଖବୀର ତାଙ୍କ ବଜାଜ୍‌ ପ୍ଲାଟିନା ମୋଟର ସାଇକେଲ ଚଳାଇ ଏତକ ବାଟ ଆସିଲେ । ଫତେଗଡ଼ ସାହିବରେ ସେମାନେ ରାତି ବିତାଇ ଥିଲେ ଏବଂ ରାସ୍ତା ସାରା ବିଭିନ୍ନ ଟୋଲ ପ୍ଲାଜା ନିକଟରେ ଖୋଲିଥିବା ଲଙ୍ଗର (ମାଗଣା ରନ୍ଧାଘର)ରେ ଖାଇଥିଲେ ।

ଗୁରଦାସପୁର ଜିଲ୍ଲାର ଦୋରାଙ୍ଗଲା ବ୍ଲକ୍‌ ଅନ୍ତର୍ଗତ ଉଚ୍ଚା ଢକାଲ ଗାଁରେ ଏହି ପରିରାରର ପ୍ରାୟ ଚାରି ଏକର ଜମି ଅଛି । ଅଶପ୍ରୀତଙ୍କ ମାଆ ବଲଜିତ କୌର କହିଲେ, “ଆମେ ଫସଲ ଋତୁ ଅନୁସାରେ ଗହମ ଓ ଧାନ ଚାଷ କରୁ । ମୋର ମଧ୍ୟ ଏକ କ୍ୟାରୀ (ପରିବା କ୍ଷେତ) ଅଛି, ଯେଉଁଥିରେ ଆମେ ନିଜେ ଖାଇବା ପାଇଁ ପନିପରିବା ସହିତ ଘରେ ବ୍ୟବହାର ପାଇଁ ହଳଦୀ, ଧନିଆ ଏବଂ ବେଳେବେଳେ ରାଶି, ହେନା ଏବଂ ଅନ୍ୟ ଗଛ ଲଗାଇଥାଉ । ମୋ ଝିଅମାନେ ଏହି ସବୁ କ୍ଷେତର ଦେଖାରଖା କରନ୍ତି ।”

ସେ ଆହୁରି କହିଲେ, “ଜଣେ କୃଷକଙ୍କ ପରିବାରରେ ସମସ୍ତେ କୃଷକ। ଝିଅମାନେ କ୍ଷେତକୁ ଖାଦ୍ୟ ଆଣି ଆସନ୍ତି, ତା’ପରେ ବିହନବୁଣା ପୂର୍ବରୁ ସେମାନେ ଜମିରେ ଗୋବର ଓ ସାର ଦିଅନ୍ତି, ଅମଳ ସମୟରେ ଗାଠି (ବିଡ଼ା) ବାନ୍ଧି ସାହାଯ୍ୟ କରନ୍ତି ଏବଂ ଗୋରୁଗାଈଙ୍କ ପାଇଁ ଘାସ କାଟି ନିଅନ୍ତି । ପୂରା ପରିବାର ଏକାଠି ହୋଇ କ୍ଷେତରେ କାମ କରନ୍ତି ।”

ଉପର ବାମରୁ: ପୁରୁଷମାନେ ଧୁଆଧୋଇ କରିବାକୁ ନିର୍ଦ୍ଧାରିତ ଏକ ସ୍ଥାନରେ ବିଭିନ୍ନ ସ୍ଥାନରୁ ପାଣି ବାହାରୁଥିବା ଗୋଟିଏ ପାଇପ୍‌ ପାଖରେ ଆନ୍ଦୋଳନକାରୀମାନଙ୍କ ସହିତ ଲଖବୀର; ଦିନର କାମ ଆରମ୍ଭ କରିବା ପୂର୍ବରୁ ଲଖବୀର ନିଜ ପଗଡ଼ି ସଜାଡ଼ି ନିଅନ୍ତି;ବଲଜିତ ଆନ୍ଦୋଳନ ସ୍ଥଳର ଲଙ୍ଗର (ମାଗଣା ରୋଷେଇଘର)ରେ ସମସ୍ତଙ୍କ ପାଇଁ ଭାତ ଏବଂ କିଛି ଡାଲି ରାନ୍ଧନ୍ତି । ଫଟୋ: ଯଶକରନ୍‌ ପ୍ରୀତ କୌର ଏବଂ ଅଶପ୍ରୀତ କୌର

ଛତିଶ ବର୍ଷୀୟା ବଲଜିତ କହନ୍ତି ଯେ ମୋଟର ସାଇକେଲରେ ଏତେ ଲମ୍ବା ଯାତ୍ରା ଯୋଗୁଁ ତାଙ୍କ ଆଣ୍ଠୁରେ ଯନ୍ତ୍ରଣା ହେଉଛି । ତା ସହିତ ଥଣ୍ଡା ପବନ ବି ଅସହ୍ୟ ହୋଇଥିଲା । ପଞ୍ଜାବ କିଷାନ ସଂଘ ଦ୍ଵାରା ପ୍ରସ୍ତୁତ ଟ୍ରଲିରେ ରହୁଥିବାରୁ ସେ କୃତଜ୍ଞ । ସେମାନେ ଏହି ସଂଘ ସହ ଅନୁବନ୍ଧିତ । “ଯାତ୍ରା ପରେ ଆମେ ଏତେ ଥକି ଯାଇଥିଲୁ ଯେ ଟ୍ରଲିରେ ପହଞ୍ଚିବା ମାତ୍ରେ ଶୋଇ ପଡ଼ିଥିଲୁ । ତିନି ପଟୁ ଢାଙ୍କି ହୋଇଥିବାରୁ ଟ୍ରଲି ଭିତରେ ଏତେ ଥଣ୍ଡା ଲାଗୁ ନଥିଲା । ଆମେ ତଳେ ଗୋଟିଏ କମ୍ବଳ ବିଛାଇଲୁ ଏବଂ ଉପରେ ଦୁଇଟି କମ୍ବଳ ଘୋଡ଼େଇ ହେଲୁ । ଆମେ ସିଂଘୁରେ ପହଞ୍ଚିବା ପରେ ଆମ ଲୁଗାପଟାକୁ ଏଠାକାର ୱାସିଂମେସିନ୍‌ ସେବା (ସେବା) କେନ୍ଦ୍ରରେ ସଫା କରାଇ ନେଲୁ । (ଆନ୍ଦୋଳନ ସ୍ଥଳରେ) ସବୁ କିଛିର ବନ୍ଦୋବସ୍ତ କରାଯାଇଛି ଏବଂ ରାସ୍ତା ଆରପଟେ ଥିବା ଏକ କୋଠାରେ ଗାଧୁଆଘର ରହିଛି ।”

ଅଶପ୍ରୀତଙ୍କ ୧୫ ବର୍ଷ ବୟସ୍କା ବଡ଼ ଭଉଣୀ ଯଶକରନ ପ୍ରୀତ କୌର ଗୁରଦାସପୁରର ମଗର ମୁଡ଼ିଅନସ୍ଥିତ ଗଭର୍ଣ୍ଣମେଣ୍ଟ ସିନିଅର ସେକେଣ୍ଡାରୀ ସ୍କୁଲର ୯ମ ଶ୍ରେଣୀ ଛାତ୍ରୀ । ସେ କହନ୍ତି ଯେ, କୃଷିକାମରେ ହିଁ ସେ ତାଙ୍କ ଭବିଷ୍ୟତକୁ ଦେଖିପାରନ୍ତି । “ମୁଁ ଜଣେ କୃଷକ ହେବାକୁ ଚାହେଁ, କାରଣ ଆମେ ହେଉଛୁ ସେହିମାନେ, ଯେଉଁମାନେ ସମସ୍ତଙ୍କ ଖାଇବା ପାଇଁ ଫସଲ କରନ୍ତି ।” ଯଶକରନ୍‌ ତାଙ୍କ ପରିବା କ୍ଷେତର ଯତ୍ନ ନିଅନ୍ତି ବୋଲି ତାଙ୍କ ମାଆ କହନ୍ତି ।

ଆମ କଥାବାର୍ତ୍ତା ସମୟରେ ମୁଁ ଟିପି ନେଉଥିବାର ଦେଖି ଯଶକରନ କହିଲେ:“ମୁଁ ମଧ୍ୟ ଲେଖାଲେଖି କରେ । ମୁଁ ଆପଣଙ୍କୁ ମୋର ଲେଖା ଦେଖାଇଥାଆନ୍ତି, ହେଲେ ମୁଁ ମୋ ଡାଏରୀକୁ ଘରେ ଛାଡ଼ି ଆସିଛି । ମୋଟର ସାଇକେଲରେ ଜାଗା ନଥିବାରୁ ମୁଁ କୌଣସି ବହି ବି ଆଣିପାରିଲିନି । ମୁଁ ଏକ ପ୍ରକଳ୍ପ କରିବାକୁ ଚିନ୍ତା କରୁଛି –୩୨ଜଣ ଯଠେବାନ୍ଦି (ବିଭିନ୍ନ କୃଷକ ସଂଗଠନ) ନେତାଙ୍କ ନାମ ଓ ସେମାନଙ୍କ କାମକୁ ଦର୍ଶାଉଥିବା ଏକ ଗଛ କରିବି ।

ଜାନୁଆରୀ ୨୬ ତାରିଖ ଦିନ, ରାଲିରେ ଭାଗ ନେଇଥିବା ଟ୍ରାକ୍ଟରଗୁଡ଼ିକୁ ପେଟ୍ରୋଲ ଯୋଗାଇ ଦେବା ଲାଗି ଲଖବୀର ତାଙ୍କ ମୋଟର ସାଇକେଲକୁ କାମରେ ଲଗାଇଲେ ଏବଂ ତାଙ୍କ ନିଜ ପରିବାର ଏହି ରାଲିରେ ଭାଗ ନେଇପାରିଲେ ନାହିଁ । ଅଶପ୍ରୀତ ନିରାଶ ହୋଇଥିଲେ ବି ସେ କହିଲେ କି ଧାଡ଼ିରେ ଠିଆହୋଇଥିବା ଟ୍ରାକ୍ଟରଗୁଡ଼ିକୁ ଦେଖି ସେ ଉପଭୋଗ କଲେ ।

ସିଂଘୁ ସୀମାରେ ଟ୍ରାକ୍ଟର ରାଲିରେ ଅଂଶଗ୍ରହଣ କରିବା ଲାଗି ତାଙ୍କ ପରିବାର ସହିତ ଅଶପ୍ରୀତ, ଗୁରୁଦାସପୁରସ୍ଥିତ ସେମାନଙ୍କ ଘରୁ ୪୦୦ କିଲୋମିଟର ଦୂର ସିଂଘୁ ସୀମା ଯାଏ ମୋଟର ସାଇକେଲରେ ବସି ଆସିଥିଲେ; ହେଲେ ରାଲି ବାହାରିବା ଦିନ ସେମାନଙ୍କୁ ପଛରେ ରହିଯିବାକୁ ପଡ଼ିଲା, କାରଣ ରାଲିରେ ଭାଗ ନେଇଥିବା ଟ୍ରାକ୍ଟରଗୁଡ଼ିକୁ କ୍ୟାନ୍‌ରେ ପେଟ୍ରୋଲ ଯୋଗାଇ ଦେବା ଲାଗି ଲଖବୀରଙ୍କ ମୋଟର ସାଇକେଲର ଆବଶ୍ୟକତା ପଡ଼ିଲା । ଫଟୋ: ସୌମ୍ୟା ଠାକୁର

ଲଖବୀର ଓ ବଲଜିତ କହନ୍ତି ଯେ ସେମାନେ ଗୋଟିଏ ପରିବାର ଭାବରେ ଆସିବାକୁ ଚାହିଁଥିଲେ । ଲଖବୀର କହିଲେ, “ଆପଣ ଓ ମୋ ଝିଅ ଭଳି ଆଗାମୀ ପିଢ଼ିର ସ୍ୱାର୍ଥରକ୍ଷା କରିବାକୁ ଆମେ ଚାହୁଁଛୁ । ଆମେ ଜାଣିଛୁ ଯେ ଘରୋଇକରଣ ପରେ ଆମ ଶିକ୍ଷା ବ୍ୟବସ୍ଥାର କି ଦଶା ହେଲା– ଏଣିକି ଆଉ ସରକାରୀ ଚାକିରି ନଥିବାରୁ ବେସରକାରୀ ଚାକିରି ପାଇବା ପାଇଁ ଆପଣଙ୍କୁ ବେସରକାରୀ କଲେଜରେ ଅତ୍ୟଧିକ ଫି’ ଦେବାକୁ ପଡ଼ିବ । ଏବେ ଯଦି ଆମେ ବିରୋଧ ନ କରିବୁ ତେବେ କୃଷି କ୍ଷେତ୍ରରେ ବି ସେଇ ଏକାକଥା ହେବ ।”

ସେ ଏଥିପାଇଁ ଚିନ୍ତିତ ଯେ, ବେସରକାରୀ ମଣ୍ଡି ଖୋଲିବା ସହିତ ମୋଟାମୋଟି ୨.୫ଲକ୍ଷ ଟଙ୍କାର ସେମାନଙ୍କ ବାର୍ଷିକ ରୋଜଗାର କମିଯିବ ଏବଂ ସେମାନେ ଚଢ଼ା ଦରରେ ଖାଦ୍ୟଶସ୍ୟ କିଣିବାକୁ ବାଧ୍ୟ ହେବେ । ତାଙ୍କର ଏହି ଆଶଙ୍କା ସରକାର ନିକଟରେ ପ୍ରଣୟନ କରିଥିବା ତିନିଟି ଆଇନ ଉପରେ ଆଧାରିତ । ଏହି ଆଇନଗୁଡ଼ିକ ହେଲା ଦରଦାମ ପ୍ରତିଶ୍ରୁତି ଓ କୃଷିକ୍ଷେତ୍ର ସେବା ସଂପର୍କିତ କୃଷକଙ୍କ (ସଶକ୍ତୀକରଣ ଏବଂ ସୁରକ୍ଷା) ବୁଝାମଣା ଆଇନ, ୨୦୨୦; କୃଷକଙ୍କ ଉତ୍ପାଦିତ ସାମଗ୍ରୀର ବ୍ୟବସାୟ ଓ ବାଣିଜ୍ୟ (ପ୍ରସାର ଓ ସୁବିଧା ପ୍ରଦାନ) ଆଇନ, ୨୦୨୦; ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଆଇନ ୨୦୨୦। କେନ୍ଦ୍ର ସରକାର ପ୍ରଥମେ ୨୦୨୦ ଜୁନ୍‌ ୫ ତାରିଖ ଦିନ ଏହି ଆଇନଗୁଡ଼ିକୁ ଅଧ୍ୟାଦେଶ ରୂପରେ ଜାରି କଲେ, ତା’ ପରେ ସେପ୍ଟେମ୍ବର ୧୪ ତାରିଖ ଦିନ ଏସବୁକୁ ସଂସଦରେ କୃଷି ବିଲ୍‌ ରୂପରେ ଉପସ୍ଥାପନ କରିବା ପରେ, ପ୍ରବଳ ବିରୋଧ ସତ୍ତ୍ୱେ ତରବରିଆ ଭାବେ ସେହି ମାସ ୨୦ ତାରିଖ ଦିନ ଏଗୁଡ଼ିକୁ ଆଇନ ରୂପରେ ଗୃହୀତ କରାଇନେଲେ ।

ଫୁଲ ଧରିଥିବା ସୋରିଷ ଏବଂ ସବୁଜ ଗହମ ଗଛର କ୍ଷେତ ମଝିରେ ଲଖବୀର । ଫଟୋ ଯଶକରନ ପ୍ରୀତ କୌର ଏବଂ ଅଶପ୍ରୀତ କୌର

କୃଷକମାନଙ୍କ ଦୃଷ୍ଟିରେ ଏହି ଆଇନଗୁଡ଼ିକ ଲାଗୁ ହେଲେ କୃଷି କ୍ଷେତ୍ରରେ ବଡ଼ ବଡ଼ କମ୍ପାନୀର କ୍ଷମତା ପ୍ରୟୋଗର ପରିସର ବୃଦ୍ଧି ନିମନ୍ତେ ସୁଯୋଗ ସୃଷ୍ଟି ହେବ ଏବଂ ଏହା ସେମାନଙ୍କ ଜୀବିକାକୁ ବିପର୍ଯ୍ୟସ୍ତ କରିଦେବ । ଏହି କମ୍ପାନୀଗୁଡ଼ିକ, ଫସଲର ନ୍ୟୂନତମ ସମର୍ଥନ ମୂଲ୍ୟ (MSP), କୃଷିଜାତ ସାମଗ୍ରୀ ବିପଣନ କମିଟି (APMC), ରାଜ୍ୟ ସରକାରଙ୍କ ଦ୍ୱାରା ଫସଲ କ୍ରୟ ସମେତ କୃଷକଙ୍କ ପାଇଁ ରହିଥିବା ବିଭିନ୍ନ ପ୍ରମୁଖ ସହଯୋଗ ବ୍ୟବସ୍ଥାକୁ ଏଡ଼ାଇ ଯିବେ । ଭାରତୀୟ ସମ୍ବିଧାନର ଧାରା ୩୨କୁ ଅଣଦେଖା କରି ସବୁ ନାଗରିକମାନଙ୍କର ଆଇନର ଆଶ୍ରୟ ନେବା ଅଧିକାରକୁ ଅକାମୀ କରିଦେଉଥିବା କାରଣରୁ ମଧ୍ୟ ଏହି ଆଇନଗୁଡ଼ିକୁ ସମାଲୋଚନା କରାଯାଇଛି ।

ରାଲିରେ ଯୋଗ ଦେବା ପାଇଁ ଏହି ପରିବାର ଘରେ ତାଲା ପକାଇ ଆସିଛନ୍ତି । “ପିଣ୍ଡ (ଗାଁ)ର କେହି ହେଲେ ନିଜ ଘର ତାଲା ପକାଇ ବାହାରକୁ ଆସନ୍ତି ନାହିଁ । ଘରେ ଯେମିତି ହେଲେ କେହି ଜଣେ ସବୁବେଳେ ରହିବେ, ତାହାକୁ ଆଖିରେ ରଖି କାର୍ଯ୍ୟକ୍ରମ ସ୍ଥିର କରାଯାଇଥାଏ । କିନ୍ତୁ ଏଥର ଆମର ପରବାୟ ନାହିଁ: କେହି ଯଦି ଘରେ ପଶି ଚୋରି କରିବାକୁ ଚାହୁଁଛି ତେବେ କରୁ; ଏହି ‘କଳା’ ଆଇନଗୁଡ଼ିକ ଯଦି ହଟାଇ ଦିଆ ନଯାଏ ତେବେ ଆଉ ଆମ ପାଖରେ କ’ଣ ବା ରହିବ ?” ଲଖବୀର ପଚାରିଲେ ।

ସେ କହନ୍ତି ଯେ ଆନ୍ଦୋଳନ ସ୍ଥଳକୁ ଯାତ୍ରା ଆରମ୍ଭ କରିବା ପୂର୍ବରୁ ସେ ନିକଟରେ ଲଗାଇଥିବା ତାଙ୍କ ଗହମ କ୍ଷେତକୁ ପାଣି ଦେବା ପାଇଁ ମୋଟର ପମ୍ପ ଚାଲୁ କରିଥିଲେ । ସେ ଆଶା କରନ୍ତି ଯେ ଭବିଷ୍ୟତରେ ତାଙ୍କର କେବଳ ଯେ ଭଲ ଅମଳ ହେବ ତାହା ନୁହେଁ, ବରଂ, ତାଙ୍କ ପିଲାମାନଙ୍କ ଭବିଷ୍ୟତକୁ ବିପନ୍ନ କରୁଥିବା ଏହି ନୂତନ ଆଇନଗୁଡ଼ିକ ମଧ୍ୟ ପ୍ରତ୍ୟାହୃତ ହେବ । ସେ କହିଲେ, “ଏଇ ପିଲାମାନଙ୍କ ପାଇଁ ଆମେ ଏଠାରେ ପ୍ରତିବାଦ କରିବାକୁ ବସିଛୁ ।”

ଏହି ଲେଖା ପ୍ରଥମେ ୨୦୨୧ ଫେବ୍ରୁଆରୀ ୧୨ ତାରିଖରେ ପ୍ରକାଶିତ ହୋଇଥିଲା ଏବଂ ସେଥିରେ କେତେକ ନାଁର ଭୁଲ ବନାନ ରହିଥିଲା । ଏହି ତ୍ରୁଟି ପାଇଁ ଆମେ ଦୁଃଖିତ ।

Editor's note

ସୌମ୍ୟା ଠାକୁର ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟର ଚତୁର୍ଥ ବର୍ଷ ବିବିଏଲଏଲ୍‌ବି ଛାତ୍ରୀ । ସେ ଏକ କୃଷକ ପରିବାରରୁ ଆସିଛନ୍ତି ଏବଂ ଛାତ୍ରଛାତ୍ରୀଙ୍କ ଅଧିକାର କ୍ଷେତ୍ରର ଜଣେ ସକ୍ରିୟ କର୍ମୀ ରୂପେ ଲିଙ୍ଗଗତ ସଚେତନତା ଏବଂ ନାଗରିକତା କ୍ଷେତ୍ରରେ କାର୍ଯ୍ୟ କରିଛନ୍ତି। ସେ କହନ୍ତି, “ଏହି ଆନ୍ଦୋଳନକୁ ଦଲିଲଭୁକ୍ତ କରିବା ସକାଶେ ଛତିଶଗଡ଼ର ଆମ ଘରୁ ମୁଁ ସିଙ୍ଗୁ ପର୍ଯ୍ୟନ୍ତ ଆସିଛି । ସିଙ୍ଗୁରେ ପଞ୍ଜାବ କିଷାନ ସଂଘର ଏକ ସଭାରେ, ମୁଁ ଏହି ପରିବାର ସଂପର୍କରେ ଶୁଣିଲି ଏବଂ ସେମାନଙ୍କ ସଂପର୍କରେ ଲେଖିବାକୁ ଚାହିଁଲି । ମୁଁ ପି. ସାଇନାଥଙ୍କ ଲିଖିତ ‘ଏଭ୍ରିବଡି ଲଭ୍‌ସ ଏ ଗୁଡ୍‌ ଡ୍ରଟ୍‌’ ବହି ପଢୁଛି ଏବଂ ନିଷ୍ପେଷିତ ଲୋକଙ୍କ ସଂପର୍କରେ ଲେଖିବାକୁ ଅନୁପ୍ରେରିତ ହୋଇଛି ।”

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି  ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍‌ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Licensed under CC BY-NC-ND 4.0 by People's Archive of Rural India.