“ଯେତେବେଳେ ମୋ ବାପା ରାସ୍ତାରେ ଚାଲନ୍ତି, ଲୋକମାନେ ତାଙ୍କୁ ଡାକନ୍ତି, ‘ଡାକ୍ତର ସାହବ କେବାବୁଜୀ’ [ଡାକ୍ତରଙ୍କ ପିତା]।”

ବିଜୟ (ପରିବର୍ତ୍ତିତ ନାମ) ଏକ ଝୋଲାଛାପ୍ – ଏକ ଅଣଲାଇସେନ୍ସପ୍ରାପ୍ତ ଡାକ୍ତରୀ ଚିକିତ୍ସକ – ପ୍ରାୟତଃ ଉଭୟ ସରକାରୀ ଏବଂ ଶିକ୍ଷାଗତ ରିପୋର୍ଟ ଆଧାରରେ ଶଠ ବଇଦ ଭାବରେ ବରଖାସ୍ତ। ସମସ୍ତ ଆକ୍ଷେପକୁ ଭ୍ରୁକ୍ଷେପ ନକରି ଛତିଶଗଡ଼ର ମାଲଖରୋଡା ବ୍ଲକର ୩୦ ବର୍ଷୀୟ କୁହନ୍ତି, “ବାହାରେ ଥିବା ଲୋକମାନେ ମୋତେ ଯାହା ଡାକନ୍ତି ସେଥିରେ କିଛି ଫରକ ପଡ଼େ ନାହିଁ।”

ଏହି ଝୋଲାଛାପ୍ ‘ଡାକ୍ତର’ ଡାକ ନାମ ସେମାନେ ଚିକିତ୍ସା କରୁଥିବା ଲୋକମାନଙ୍କ ଦୃଷ୍ଟିରେ ‘ଝୋଲା’ କିମ୍ବା ବ୍ୟାଗଭର୍ତ୍ତି ଚିକିତ୍ସାଗୁଡ଼ିକୁ ସୂଚାଇ ଥାଏ ଯାହାକି ଏହି ‘ଛାପ’ କିମ୍ବା (ଅଣଆନୁଷ୍ଠାନିକ) ଚିକିତ୍ସକମାନଙ୍କୁ ମେଡିକାଲ୍ ପେସାଦାର ଭାବରେ ବିବେଚିତ ହେବା ପାଇଁ ଲାଇସେନ୍ସ ପ୍ରଦାନ କରିଥାଏ। ବିଜୟ କୁହନ୍ତି ଯେ ସେ ସାତ ବର୍ଷ ଧରି ଜଣେ ଏମ୍‍ବିବିଏସ୍‍ ଡିଗ୍ରୀଧାରୀ ଡାକ୍ତରଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିଥିଲେ। ଲାଇସେନ୍ସପ୍ରାପ୍ତ ଅଭ୍ୟାସକାରୀଙ୍କ ସେହି ନିକଟତରତା, ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ (ବାୟୋଲୋଜି) ତାଙ୍କ ପାଇଁ ଏକ ଝୋଲାଛାପ୍‍ ‘ଡାକ୍ତର’ ଭାବରେ କାର୍ଯ୍ୟ କରିବା ପାଇଁ ଯଥେଷ୍ଟ ଥିଲା।

ବିଜୟଙ୍କର ଜଣେ ରୋଗୀ ତାଙ୍କ ଘରେ ତାଙ୍କଠାରୁ ଚିକିତ୍ସା ଗ୍ରହଣ କରୁଛନ୍ତି। ଆୟୁଷ ମଙ୍ଗଲଙ୍କ ଦ୍ୱାରା ଫଟୋ ଉଠାଯାଛି

ମେଡିକାଲ୍ କାଉନସିଲ୍ ଅଫ୍ ଇଣ୍ଡିଆ (ଏମସିଆଇ) ଅନୁଯାୟୀ କେବଳ ଏମସିଆଇ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଯୋଗ୍ୟତା ଥିବା ଜଣେ ଲାଇସେନ୍ସପ୍ରାପ୍ତ ଡାକ୍ତରଙ୍କୁ ଔଷଧ ଅଭ୍ୟାସ କରିବାକୁ- ଅନୁମତି ଦିଆଯାଇଛି। ତେଣୁ ଏକ ବେଆଇନ କାମ ଚଳାଇବା ଦ୍ୱାରା ଏହାର ବୃତ୍ତିଗତ ବିପଦ ରହିଥାଏ। ବିଜୟଙ୍କ ପରି ଝୋଲାଛାପ୍‍ କହିଛନ୍ତି ଯେ ସେମାନେ ଆଇନଠାରୁ ଗୋଟିଏ ପାଦ ଆଗରେ ରହିବା ଆବଶ୍ୟକ ଏବଂ ସେମାନଙ୍କର ଏକ ଜରୁରୀକାଳୀନ ଯୋଜନା ଅଛି: ସେ କୁହନ୍ତି, “ଆମେ ଆମର ପ୍ରତିକାରର ବ୍ୟାଗକୁ ଅତି ସହଜରେ ବିସର୍ଜନ କରିପାରିବୁ ତେଣୁ ଆମକୁ [ବେଆଇନ ସେବା ପ୍ରଦାନ ପାଇଁ] ଦୋଷୀ ସାବ୍ୟସ୍ତ କରିବା କଷ୍ଟସାଧ୍ୟ ଅଟେ।”

କିନ୍ତୁ ଏହିଗୁଡିକ ମଧ୍ୟରୁ କୌଣସିଟି ବିଜୟଙ୍କୁ ବିଚଳିତ କରିପାରି ନାହିଁ ଯିଏ କୁହନ୍ତି ଯେ ସେ ଯାହା କରୁଛନ୍ତି ତାହା ଉପଭୋଗ କରୁଛନ୍ତି ଏବଂ ସେ ଏକ ସେବା ପ୍ରଦାନ କରୁଛନ୍ତି ବୋଲି ବିଶ୍ୱାସ କରନ୍ତି। ସେ କୁହନ୍ତି,”ଯଦି ମୋ ଗାଁରେ କେହି ଅସୁସ୍ଥ ହୋଇପଡ଼ନ୍ତି, ତେବେ ଡାକ୍ତର ଖୋଜିବା ପାଇଁ ଆମକୁ ୨୫ କିଲୋମିଟର ଯାତ୍ରା କରି ବ୍ଲକ ମୁଖ୍ୟାଳୟକୁ ଯିବାକୁ ପଡ଼ିବ। ମୁଁ ଏହାସବୁ ଦେଖି ବଡ଼ ହୋଇଥିଲି ଏବଂ ନିଷ୍ପତ୍ତି ନେଇଥିଲି ଯେ ମୁଁ ମୋ ଗାଁର ଲୋକଙ୍କ [ଚିକିତ୍ସା ଆବଶ୍ୟକତା] ସେବା କରିବି।” ସେ ଯୋଗ୍ୟ ନୁହଁନ୍ତି, ଲାଇସେନ୍ସପ୍ରାପ୍ତ କିମ୍ବା ଆଇନଗତ ନୁହଁନ୍ତି, ଏହି ଭଳି ସମସ୍ତ ସମାଲୋଚନାକୁ ଖାତିର ନକରି, ସେ ନିଜ ଅଂଚଳର ଲୋକମାନଙ୍କଠାରୁ ପାଉଥିବା ସମ୍ମାନ ଉପରେ ଧ୍ୟାନ ଦେବାକୁ ପସନ୍ଦ କରୁଥିଲେ ଓ ଉତ୍ତମ ଚିକିତ୍ସା ଯୋଗାଇବା ପାଇଁ ଶପଥ ନେଇଥିଲେ, ମୁଖ୍ୟତଃ ଆଇବୁପ୍ରୋଫେନ୍, ଆଣ୍ଟିବାୟୋଟିକ୍ ଏବଂ ପାରାସିଟାମଲ୍ ଇଞ୍ଜେକ୍ସନ୍ ଭଳି ଏଲୋପାଥିକ୍ ଔଷଧ ନିଜ କାଉଣ୍ଟରରେ ଦେଇଥାନ୍ତି। ମାଲଖରୋଡା ବ୍ଲକର ପ୍ରାୟ ଅଧା ଜନସଂଖ୍ୟା ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଅଟନ୍ତି।

ଏପରିକି ଆଜି ମଧ୍ୟ, ଏଠାରେ ଜାଞ୍ଜଗିରଚମ୍ପା ଜିଲ୍ଲାର ମାଲଖରୋଡ଼ା ବ୍ଲକର ବିଜୟ ଏବଂ ଅନ୍ୟମାନେ ଜନସ୍ୱାସ୍ଥ୍ୟ ସେବାର ସୁବିଧା ପାଇବା ପାଇଁ ବାହାରକୁ ଯିବା ଆବଶ୍ୟକ କରନ୍ତି – ବେଳେବେଳେ ଜଙ୍ଗଲ ମଧ୍ୟରେ ଅପରିଷ୍କାର ରାସ୍ତାରେ ପାଞ୍ଚ କିଲୋମିଟର ପର୍ଯ୍ୟନ୍ତ। ସେ ଦର୍ଶାଇଛନ୍ତି ଯେ “ମୁଁ ତୁରନ୍ତ ସ୍ୱାସ୍ଥ୍ୟସେବା ପ୍ରଦାନ କରି ଜନସାଧାରଣଙ୍କର ସମୟ ଏବଂ ଅର୍ଥ ବଞ୍ଚାଇ ପାରିବି”। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଗ୍ରାମୀଣ ସ୍ୱାସ୍ଥ୍ୟ ପରିସଂଖ୍ୟାନ ୨୦୧୯-୨୦୨୦ ରିପୋର୍ଟ ଅନୁସାରେ ଛତିଶଗଡ଼ର ପ୍ରାୟ ୨୭,୨୧୮ ଗ୍ରାମୀଣ ଲୋକଙ୍କୁ ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଦ୍ୱାରା ସେବା ଯୋଗାଇ ଦିଆଯାଉଛି। ସମଗ୍ର ରାଜ୍ୟରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ୪୦୪ ଡାକ୍ତରଙ୍କ ଅଭାବ ରହିଛି; ଆଦିବାସୀ ଅଞ୍ଚଳରେ, ସ୍ୱାସ୍ଥ୍ୟ ସହାୟକମାନଙ୍କର ମଧ୍ୟ ଅଭାବ ରହିଛି – ମାର୍ଚ୍ଚ ୩୧, ୨୦୨୦ ସୁଦ୍ଧା ୧,୩୯୩ଙ୍କର ଅଭାବ ରହିଛି।

ଦୁଇ ଦଶନ୍ଧି ପୂର୍ବରୁ ଯେତେବେଳେ ସେ ସ୍କୁଲ ପଢା ଶେଷ କରିଥିଲେ, ବିଜୟ ଏକ ଡାକ୍ତରୀ ଡିଗ୍ରୀ ଉପରେ ଦୃଷ୍ଟି ରଖିଥିଲେ କିନ୍ତୁ ଏହାର ଖର୍ଚ୍ଚ ସେ ବହନ କରିପାରିଲେ ନାହିଁ। ମୋ ଭଳି ଜଣେ ବ୍ୟକ୍ତିଙ୍କ ପାଇଁ ବିଏସସି କରିବା ଏକ ବହୁତ ବଡ଼ ସଫଳତା ଥିଲା, ଯାହକୁ ୯ଶ୍ରେଣୀ ରୁ ୧୨ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢା ଜାରି ରଖିବା ପାଇଁ ପ୍ରତ୍ୟେକ ଦିନ ୫୦କିଲୋମିଟର ସାଇକେଲ୍‍ ଚଲାଇବାକୁ ପଡୁଥିଲା।” ସେ ମନେ ପକାଇ କୁହାନ୍ତି ଯେ ତାଙ୍କର ଅନେକ ବନ୍ଧୁ ବିଦ୍ୟାଳୟ ଛାଡ଼ିଥିଲେ ଏବଂ ସେମାନେ ପରବର୍ତ୍ତୀ ଅଧ୍ୟୟନ ଏବଂ ବୃତ୍ତି ପାଇଁ ବିକଳ୍ପ କିମ୍ବା ମାର୍ଗଦର୍ଶନ ବିଷୟରେ ଅବଗତ ହୋଇ ପାରିନଥିଲେ।

ବିଜୟ ନିଜ ବାଇକରେ ଗାଁ ବୁଲୁଥିବା ବେଳେ ତାଙ୍କୁ ରୋଗୀଙ୍କୁ ଚେକ୍ ଅପ୍ କରିବାକୁ କୁହାଯାଏ। ତାଙ୍କର ଭ୍ରମଣ ସମୟରେ, ତାଙ୍କ କଳା ବ୍ୟାଗ ଏବଂ ଝୋଲାରେ ସାଧାରଣତଃ ଔଷଧ, ରେନକୋଟ୍ ଏବଂ ଅନ୍ୟାନ୍ୟ ଉପକରଣ ରହିଥାଏ। ଆୟୁଷ ମଙ୍ଗଲଙ୍କ ଦ୍ୱାରା ଫଟୋ ଉଠାଯାଇଛି

ଡାକ୍ତର କେଉଁଠି ଅଛନ୍ତି?

ମାଲଖରୋଡ଼ା ବ୍ଲକର ପୂର୍ବତନ ବିଧାୟକ ରଣଜିତ ଅଜଗଲେ କୁହନ୍ତି ଯେ “ଗ୍ରାମାଞ୍ଚଳରେ ଏମ୍‍ବିବିଏସ୍‍ ଡାକ୍ତରଙ୍କ ଅଭାବ ଯୋଗୁଁ ସୃଷ୍ଟି ହୋଇଥିବା ସମସ୍ୟାର ଫାଇଦା ବାୟୋଲୋଜି ସ୍ନାତକମାନେ ନେଉଛନ୍ତି’’। ତାଙ୍କର ପର୍ଯ୍ୟବେକ୍ଷଣକୁ ୨୦୧୦ ରିପୋର୍ଟରେ ସମର୍ଥନ କରାଯାଇଛି ଯେଉଁଥିରେ କୁହାଯାଇଛି ଯେ “… ଗ୍ରାମାଞ୍ଚଳରେ ଚିକିତ୍ସକଙ୍କ ଭୀଷଣ ଅଭାବ ହେତୁ ଅଣ-ଚିକିତ୍ସକ ଚିକିତ୍ସାଳୟଗୁଡ଼ିକ ପ୍ରାଥମିକ ସ୍ୱାସ୍ଥ୍ୟସେବା ଯୋଗାଇବାର ମୁଖ୍ୟ ମାଧ୍ୟମ ହୋଇଛନ୍ତି।” ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ଏବଂ ଭାରତର ଜନସ୍ୱାସ୍ଥ୍ୟ ଫାଉଣ୍ଡେସନ ମିଳିତ ଭାବେ ‘ପ୍ରାଥମିକ ସ୍ୱାସ୍ଥ୍ୟ ସେବା ପାଇଁ କେଉଁ ଡାକ୍ତର’ ଶୀର୍ଷକ ରିପୋର୍ଟ ପ୍ରକାଶ କରିଛନ୍ତି।

ଯୋଗ୍ୟ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କର ଅଭାବ, ଖରାପ ସଡ଼କ ସଂଯୋଗ, ଘନ ଜଙ୍ଗଲ ଏବଂ ରାଜ୍ୟ-ମାଓବାଦୀ ବିବାଦରୁ ସୃଷ୍ଟି ହେଉଥିବା ହିଂସାର ଭୟ, ଲୋକମାନଙ୍କୁ ନିଜ ଗାଁର ସୁରକ୍ଷା ଛାଡ଼ିବାକୁ ଦେଇନଥାଏ। ନିକଟରେ ରହୁଥିବା ଝୋଲାଛାପ୍‍ ନାମରେ ପରିଚିତ ଚେହେରା ଏବଂ ଆତ୍ମୀୟତା ପ୍ରତ୍ୟେକ ଥର ଜିତେ। ସେ ରୋଗର ନିରାକରଣ ଏବଂ ଲାଇସେନ୍ସପ୍ରାପ୍ତ ଡିଗ୍ରୀ ବିନା ଔଷଧ ଲେଖିବା, ପ୍ରତ୍ୟେକ ଥର ରୋଗୀଙ୍କୁ ବିପଦରେ ପକାଇବା ଏହା ଏକ ପ୍ରତିବନ୍ଧକ ନୁହେଁ। ମୋଟ ଉପରେ, ସେମାନଙ୍କ ପ୍ରତି ସମସ୍ତଙ୍କର ସାଧାରଣତଃ ସହାନୁଭୂତି ଅଛି, ଯେପର୍ଯ୍ୟନ୍ତ ରୋଗୀର ଅବସ୍ଥା ଖରାପ ନହୁଏ।

ଭୂମିହୀନ କୃଷକ ରଥବାଇ (ମାଲଖାରୋଡା ବ୍ଲକ୍ ଅନ୍ତର୍ଗତ ତାଙ୍କ ଗାଁରେ ସିରିୟାଗଧିନ ନାମରେ ମଧ୍ୟ ଜଣାଶୁଣା) ବହୁତ ସ୍ପଷ୍ଟ ଅଛନ୍ତି ଯେ ଯେତେବେଳେ ତାଙ୍କ ପରିବାରର କେହି ଅସୁସ୍ଥ ହୁଅନ୍ତି, ସେତେବେଳେ ସେମାନେ ପ୍ରଥମେ ଝୋଲାଛାପଙ୍କୁ ଖୋଜନ୍ତି। ସେ ପଚାରନ୍ତି, “ଆମର ମୋଟର ସାଇକେଲ ନାହିଁ, ତେଣୁ ଅସୁସ୍ଥ ଥିବା ବ୍ୟକ୍ତିଙ୍କୁ ଆମେ କିପରି [ସରକାରୀ] ଡାକ୍ତରଖାନାକୁ ନେଇ କରିଯିବୁ?” “ଅଧିକନ୍ତୁ, ଯଦି ଆମ ପାଖରେ ଟଙ୍କା ନାହିଁ, ଝୋଲାଛାପଙ୍କ ପାଖରେ ବାକିରେ କାମ ହୋଇଯାଏ। ଯଦି ଆମେ ଡାକ୍ତରଖାନାକୁ ଯାଉ, ସେମାନେ ଲେଖୁଥିବା [ଡାକ୍ତରୀ ଚିଠା] ଅଧିକାଂଶ ଔଷଧ ଏକ ମେଡିକାଲ ଦୋକାନରୁ କିଣିବାକୁ ପଡ଼େ ଏବଂ ସେମାନେ ଆମକୁ ବାକି ଦିଅନ୍ତି ନାହିଁ ବୋଲି ୩୩ ବର୍ଷ ବୟସ୍କା କୁହନ୍ତି”।

ମାଲଖରୋଡ଼ା ବ୍ଲକର ସମୁଦାୟ ୧୦୮ଟି ଗ୍ରାମର ଜନସଂଖ୍ୟା ହେଉଛି ୧୪୦,୧୭୫ (ଜନଗଣନା ୨୦୧୧)। ୨୦୧୪-୧୫ ମସିହାର ଜିଲ୍ଲା ପରିସଂଖ୍ୟାନ ରିପୋର୍ଟ ଅନୁଯାୟୀ ଏଠାରେ ଥିବା ଲୋକମାନଙ୍କୁ ସମୁଦାୟ ଚାରୋଟି ଏଲୋପାଥିକ୍ ଡାକ୍ତର ସେବା ଯୋଗାଉଛନ୍ତି, ଯେଉଁମାନେକି ଗୋଟିଏ ଡାକ୍ତରଖାନା ଏବଂ ଡିସପେନସାରି, ପାଞ୍ଚଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ୨୩ ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ କରନ୍ତି। ମାଲଖରୋଡାର ବ୍ଲକ ମେଡିକାଲ ଅଫିସର (ବିଏମଓ) ଡକ୍ଟର ରବୀନ୍ଦ୍ର ସିଦର କୁହନ୍ତି, “ଗ୍ରାମାଞ୍ଚଳରେ ସରକାରୀ [ସ୍ୱାସ୍ଥ୍ୟସେବା] ମାନବ ଶକ୍ତି ଏବଂ ଭିତ୍ତିଭୂମି ଅଭାବରୁ ପଛରେ ପଡିଯାଇଛି। ସେ ଆହୁରି ମଧ୍ୟ କୁହନ୍ତି ଯେ, ଝୋଲାଛାପମାନଙ୍କର ସଂଖ୍ୟା ନିଶ୍ଚିତ ଭାବରେ ବୃଦ୍ଧି ପାଉଛି ଏବଂ ଏଠାରେ ସେମାନଙ୍କ ସଂଖ୍ୟା ପ୍ରତି ଗାଁ ପିଛା ଦୁଇରୁ ତିନି ହୋଇପାରେ।’’

ରଥବାଇ (ବାମ) ତାଙ୍କ ପାଞ୍ଚ ବର୍ଷର ଝିଅ ଭବିଷ୍ୟାଙ୍କ ସହିତ ନିଜ ଘର ବାହାରେ ବସିଛନ୍ତି। ଡାହାଣ: ରଣଜିତ୍ ଅଜଗଲ୍ଲେ (ଡାହାଣ), ବ୍ଲକର ପୂର୍ବତନ ବିଧାୟକ ପ୍ରତିନିଧୀ ଅବସରପ୍ରାପ୍ତ ଟେଲର କୋଣ୍ଡୁଙ୍କ ସହ ମଲଖରୋଡା ଗାଁର ଗୌରା ଛକ ଠାରେ। ରଣଜିତ୍ କୁହନ୍ତି, “ଗ୍ରାମାଞ୍ଚଳରେ ଏମବିବିଏସ୍ ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନକୁ ପୂରଣ କରିବା ପାଇଁ ଜୀବବିଜ୍ଞାନ ସ୍ନାତକମାନେ ଏଥିରେ ପାଦ ଦେଉଛନ୍ତି।” ଆୟୁଷ ମଙ୍ଗଲଙ୍କ ଦ୍ୱାରା ଫଟୋ ଉଠାଯାଇଛି

ଝୋଲାଛାପମାନଙ୍କର ସଂଖ୍ୟା ବୃଦ୍ଧି ପାଇବା ସେମାନଙ୍କର ତୁରନ୍ତ ସେବା ଯୋଗାଇବା ପ୍ରତିଯୋଗିତା ସହ ତାଳ ଦେଇ ଚାଲୁଛି। “ଆମେମାନେ ସବୁବେଳେ ଉପଲବ୍ଧ ଅଛୁ, ବିଶେଷକରି ବିଳମ୍ବିତ ରାତି ଏବଂ ପ୍ରାତଃ ସକାଳ ଭଳି ଅବେଳାରେ ମଧ୍ୟ। ତେଣୁ ସେମାନେ [ରୋଗୀମାନେ] ଆମର ପରିଦର୍ଶନ ବିଷୟରେ ନିଶ୍ଚିତ ରହିଥାଆନ୍ତି। ପଡୋଶୀ ଗାଁର ଏକ ଝୋଲାଛାପ ରାଜେଶ (ନାମ ପରିବର୍ତ୍ତନ ହୋଇଛି) କୁହନ୍ତି,”[ସରକାରୀ କିମ୍ବା ବେସରକାରୀ] ଡାକ୍ତରଖାନାରେ ଏହା ଉପଲବ୍ଧ ନୁହେଁ।

ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟ ପରିସଂଖ୍ୟାନ ଉପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମେ ୨୦୨୧ ରିପୋର୍ଟ ଅନୁଯାୟୀ ସ୍ୱାସ୍ଥ୍ୟସେବା ବିକଳ୍ପର ଅଭାବ ରାଜ୍ୟ ପାଇଁ ଉଦ୍‌ବେଗଜନକ ସ୍ୱାସ୍ଥ୍ୟ ସୂଚକାଙ୍କରେ ପ୍ରତିଫଳିତ ହୋଇଛି: ପ୍ରତି ୧୦୦୦ ଜନସଂଖ୍ୟା ପାଇଁ ୮.୬ ଜଣ ଡାକ୍ତର ନିଯୁକ୍ତ ହୋଇଛନ୍ତି, ଏଠାରେ ଗ୍ରାମାଞ୍ଚଳର ମୃତ୍ୟୁ ହାର ସମଗ୍ର ଦେଶରେ ସର୍ବାଧିକ ଏବଂ ଶିଶୁ ମୃତ୍ୟୁହାର ୪୨ ଅଟେ ଯାହାକି ଜାତୀୟ ହାରାହାରି ପ୍ରତି ୧୦୦୦ ଶିଶୁ ଜନ୍ମ ପ୍ରତି ୩୬ ଠାରୁ ଅଧିକ ଅଟେ।। ୨୦୨୦ରେ ଛତିଶଗଡ଼ରେ ମ୍ୟାଲେରିଆରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି – ଦେଶରେ ଏହା ସର୍ବାଧିକ ଅଟେ।

ଜଙ୍ଗଲ ଦେଇ ମାଟି ରାସ୍ତାରେ ୨୦ କିଲୋମିଟରର ଯାତ୍ରା ଆମକୁ ଏକ ମହଲା ବିଶିଷ୍ଟ ପକ୍କା ଘରର ସମ୍ମୁଖ କୋଠରୀ ନିକଟରେ ପହଞ୍ଚାଏ ଯାହାକୁ ଏକ ‘କ୍ଲିନିକ୍‍ର’ ରୂପ ଦିଆଯାଇଥାଏ। ବର୍ଷା ଋତୁ ମାଟି ରାସ୍ତାକୁ ଆହୁରି ଖସଡ଼ାମୟ କରିଦେଇଛି ଏବଂ ଆମମାନେ ଦୁଇ ଚକିଆ ଯାନରୁ ଖସିପଡ଼ିବାର ବିପଦରେ ରହିଛି, ତେଣୁ ଆମେ ବାଇକ୍ ରଖିଦେଉ ଏବଂ ଚାଲିକରି ଯାତ୍ରା ଶେଷ କରୁ।

ଏହି ‘କ୍ଲିନିକ୍’ ରାଜେଶଙ୍କ ଦ୍ୱାରା ପରିଚାଳିତ, ଯିଏ ବିଦ୍ୟାଳୟ ଶିକ୍ଷା ପରେ ବିଜ୍ଞାନରେ ସ୍ନାତକୋତ୍ତର ପାଇଁ ଆବେଦନ କରିଥିଲେ ଏବଂ ଆଡମିଶନ କରିଥିଲେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ କରିପାରିନଥିଲେ। ସେ କୁହନ୍ତି, “ମୋ ପରିବାରର ଆର୍ଥିକ ଅବସ୍ଥା ଭଲ ନଥିଲା, ଏବଂ ମୁଁ ରୋଜଗାର ଆରମ୍ଭ କରିବା ପାଇଁ ବୋଲି ଆଶା କରୁଥିଲି। ମୁଁ ଜଣେ ଡାକ୍ତରଙ୍କ ସହ ମେଡିକାଲ କମ୍ପାଉଣ୍ଡର ଭାବରେ କାମ କରିବା ଆରମ୍ଭ କଲି। ପରେ, ଯେତେବେଳେ ତାଙ୍କର କଲେଜ ଫିସ୍‍ ଦେବାର ସାମର୍ଥ୍ୟ ଆସିଲା, ସେତେବେଳେ ସେ ଅନୁଭବ କଲେ, “ମୁଁ ପୂର୍ବରୁ [ଡାକ୍ତରୀ ଚିକିତ୍ସା] ଅଭ୍ୟାସ ଶିଖୁଥିଲି ତେଣୁ କଲେଜ ଯିବା ମୋର କୌଣସି କାମରେ ଆସିବ ନାହିଁ।” ସେ କୁହନ୍ତି ଯେ ସେ ମାସକୁ ପ୍ରାୟ ୧୨,୦୦୦ ରୁ ୧୮,୦୦୦ ଟଙ୍କା ରୋଜଗାର କରନ୍ତି ଏବଂ ଆହୁରି କୁହନ୍ତି ଯେ “ଏଠାରେ ଖର୍ଚ୍ଚ କମ୍ ତେଣୁ ମୁଁ ଏହାର ଅଧିକାଂଶ ଭାଗ ସଞ୍ଚୟ କରିବାକୁ ମୁଁ ସକ୍ଷମ ଅଟେ। ଏକ ସହରରେ ମୁଁ ପ୍ରାୟ ୨୫,୦୦୦ ଟଙ୍କା ରୋଜଗାର କରିପାରିବି କିନ୍ତୁ ସେଠାରେ ଖର୍ଚ୍ଚ ବହୁତ ଅଧିକ।”

ରାଜେଶଙ୍କ ଏକ ସ୍ପିଗମୋମାନୋମିଟର (ରକ୍ତଚାପ ମାପିବା ପାଇଁ ମେସିନ୍), ଏକ ଉଧାରି (ବାକି) ରେଜିଷ୍ଟର, ଔଷଧର ଏକ ସେଲ୍ଫ, ଇଞ୍ଜେକ୍ସନ, ଓଜନ ସ୍କେଲ ଏବଂ ଆଉ ଅନେକ କିଛି। ଆୟୁଷ ମଙ୍ଗଲଙ୍କ ଦ୍ୱାରା ଫଟୋ ଉଠାଯାଇଛି

ରାଜେଶ ଜଣେ ରୋଗୀଙ୍କର ଚିକିତ୍ସା କରୁଛନ୍ତି; ସୁନ୍ଦର ବସ୍ତ୍ର ପରିଧାନ କରି ସେ ଏକ ଟେବୁଲରେ ବସିଛନ୍ତି, ଏବଂ ରୋଗୀ ଏକ ଷ୍ଟୁଲ ଉପରେ ବସିଛନ୍ତି। କୋଠରୀରେ ରୋଗୀର ସମ୍ପର୍କୀୟମାନଙ୍କ ପାଇଁ କିଛି ଅତିରିକ୍ତ ଚେୟାର ଅଛି, ଏକ କାଠ ବେଡ୍‍ ଯାହା ଉପରେ ଇଞ୍ଜେକ୍ସନ୍ କିମ୍ବା ଇଣ୍ଟ୍ରାଭେନସ୍‍ ଡ୍ରିପ୍‍ ଦିଆଯାଏ ଏବଂ ଏକ ଓଜନ ମାପଯନ୍ତ୍ର। ଟେବୁଲ ଉପରେ ଏକ ସ୍ପିଗମୋମାନୋମିଟର (ଯନ୍ତ୍ର ଯାହା ରକ୍ତଚାପ ମାପ କରିଥାଏ), ଔଷଧ ଏବଂ ଇଞ୍ଜେକ୍ସନର ଏକ ବାକ୍ସ ଅଛି। ସେଠାରେ ଏକ ଗଦା ବହି ଅଛି ଯେଉଁଥିରେ ଏକ ଡେସ୍କ କ୍ୟାଲେଣ୍ଡର ଏବଂ ବାର୍ଷିକ ଡାଏରୀ ରହିଛି, ଯେଉଁଥିରେ ସେ କୁହନ୍ତି, “ମୁଁ ବାକି ବିବରଣୀଗୁଡିକ ଲେଖିକରି ରଖେ।” ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କର ଅନେକ ରୋଗୀ ତାଙ୍କୁ ତୁରନ୍ତ ଦେୟ ଦେବାକୁ ସକ୍ଷମ ନୁହଁନ୍ତି। ସେ ବୁଝାଇ କୁହନ୍ତି, “ସେମାନଙ୍କୁ ହାଟ ଦିନ କିମ୍ବା ଅମଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିପାରେ”।

ଝୋଲାଛାପ୍‍ର ‘ବ୍ୟବସାୟ’ରେ ରୋଗୀମାନଙ୍କୁ ନିଜ ପାଖରେ ରଖିବା ପାଇଁ ବାକି ପ୍ରଦାନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଜୟ କୁହନ୍ତି, “ଯଦି ମୁଁ ବାକି ଦେବାକୁ ମନା କରିଦେବି, ତେବେ ମୋତେ ବ୍ୟବସାୟରୁ ବାହାରି ଯିବାକୁ ପଡ଼ିବ। ଯେତେବେଳେ ମୁଁ ମୋର ଫି ୩୦୦ଟଙ୍କା ଦେବାକୁ କୁହେ, ପରିବାର ପ୍ରାୟତଃ ମୋତେ ଶହେ ଟଙ୍କା ଦିଅନ୍ତି ଏବଂ ବଳକା ଟଙ୍କା ରୋଜଗାର କରିବା ପରେ ସେମାନେ ଦେବେ ବୋଲି କୁହନ୍ତି।” ବିଜୟ ଆକଳନ କରି କୁହନ୍ତି ଯେ ତାଙ୍କର ୨.୫ ଲକ୍ଷ ଟଙ୍କା ବାକି ପାଇବାକୁ ଅଛି, କିନ୍ତୁ ସେ କୁହନ୍ତି, “କେବଳ ୫୦,୦୦୦ ଟଙ୍କା ସେ ଫେରି ପାଇବେ। ବାକି ସବୁ ଅନାଦେୟ ଋଣ ହୋଇସାରିଛି। ” ସେ ବକେୟା ଟଙ୍କା ଆଦାୟ କରିବା ପାଇଁ, ସେ ଅଧିକ ଫିସ୍ ଆଦାୟ କରୁଛନ୍ତି ଏବଂ ଔଷଧ ପାଇଁ ଅତ୍ୟଧିକ ମୂଲ୍ୟ ନେଉଛନ୍ତି।

ଏଠାରେ କାମ କରୁଥିବା କିଛି ଏମ୍‍ବିବିଏସ୍‍ ଯୋଗ୍ୟ ଡାକ୍ତର, ସହରୀ ପୋଷ୍ଟିଂକୁ ପସନ୍ଦ କରନ୍ତି। ମାଲଖରୋଡା ବ୍ଲକ୍‍ର କମ୍ୟୁନିଟି ହେଲ୍‍ଥ ସେଣ୍ଟରରେ ଦୁଇ ବର୍ଷ ବିତାଇଥିବା ଡାକ୍ତର ନଳିନୀ ସିଂ ଚନ୍ଦ୍ର କୁହନ୍ତି, “ଯଦି ସରକାରଙ୍କ ସହ ଗ୍ରାମୀଣ କାର୍ଯ୍ୟ ବଣ୍ଡ୍ ହୋଇନଥାନ୍ତା, ମୁଁ ବୋଧହୁଏ ଦୁଇ ବର୍ଷ ଗ୍ରାମାଞ୍ଚଳରେ କାର୍ଯ୍ୟ କରିନଥା’ନ୍ତି।” ସେ କୁହନ୍ତି,“ଗ୍ରାମାଞ୍ଚଳରେ ଏମବିବିଏସ୍ ଡାକ୍ତରଙ୍କ ପାଇଁ ଉଭୟ ସାମାଜିକ ତଥା ଆର୍ଥିକ ପ୍ରୋତ୍ସାହନର ଅଭାବ ରହିଛି। ଏଠାରେ ଅବିବାହିତ ଜୀବନ ସମ୍ଭବ, କିନ୍ତୁ ଯଦି ଆପଣ ଏକ ପରିବାର ଆରମ୍ଭ କରିବାକୁ ଚାହାଁନ୍ତି, ତେବେ ଏହା ଉପଯୁକ୍ତ ନୁହେଁ”।

ଏହା ସହିତ ସ୍ଥାନୀୟ ଲୋକମାନଙ୍କ ଦୃଷ୍ଟିରେ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ଚନ୍ଦ୍ରଙ୍କ ପରି ଡାକ୍ତରୀ ଚିକିତ୍ସକ ଏବଂ ଅତି ଲୋକପ୍ରିୟ ତଥା ପ୍ରାୟ ପରିଚିତ ଝୋଲାଛାପଙ୍କ ମଧ୍ୟରେ ତୁଳନା। ପଡୋଶୀ ଗାଁରେ ଏକ ଝୋଲାଛାପ ସହ ତାଙ୍କର ମତଭେଦର ଘଟଣାକୁ ଡାକ୍ତର ମନେ ପକାଇଲେ। ଗାଁର ଲୋକମାନେ ତାଙ୍କୁ ଏବଂ ଅନୁସନ୍ଧାନକାରୀ ଦଳ ପ୍ରତି ଅସନ୍ତୋଷ ପ୍ରକାଶ କରିଥିଲେ। “ଦେଖ, ମିଳୁଥିବା ଭଲ ଚିକିତ୍ସା ସେବାକୁ ସେମାନେ ବନ୍ଦ କରିଦେଉଛନ୍ତି। ବର୍ତ୍ତମାନ ଆମେ ଅସୁସ୍ଥ ହେଲେ, ଆମକୁ ୨୦ କିଲୋମିଟର ଦୂର ମାଲଖରୋଡ଼ାକୁ ଦୌଡିବାକୁ ପଡ଼ିବ। ଏହି ଏମ୍‍ବିବିଏସ୍‍ ଲୋକମାନେ ଆମକୁ ଯାଞ୍ଚ କରିବାକୁ ଆସିବେ ନାହିଁ, ଝୋଲାଛାପ୍‍ମାନେ ଆସିବେ।”

ଡକ୍ଟର ନଳିନୀ ଚନ୍ଦ୍ର (ବାମ) ମାଲଖରୋଡ଼ାସ୍ଥିତ କମ୍ୟୁନିଟି ହେଲଥ୍ ସେଣ୍ଟରରେ ପିଲାମାନଙ୍କୁ ପୋଲିଓ ଡ୍ରପ୍ ପ୍ରଦାନ କରୁଛନ୍ତି।। ଆୟୁଷ ମଙ୍ଗଲଙ୍କ ଦ୍ୱାରା ଫଟୋ ଉଠାଯାଇଛି

ଝୋଲାଛାପ୍‍ମାନେ ସେମାନଙ୍କ ରୋଗୀମାନଙ୍କ ପ୍ରତି ସହାନୁଭୂତିଶୀଳ – ଯେପରିକି ଅସୁସ୍ଥ ଦିନ ମଜୁରୀ ଯିଏ ମୂଲ୍ୟବାନ ରୋଜଗାର ସମୟ ହରାଉଛନ୍ତି ଏବଂ ତାଙ୍କୁ କୁହନ୍ତି, ‘ଡାକ୍ତର, ମୋତେ ଯଥାଶୀଘ୍ର ସୁସ୍ଥ ହେବାକୁ ପଡିବ; ମୋତେ ଶୀଘ୍ର କାମକୁ ଫେରିବାକୁ ପଡିବ।)’ ବିଜୟ କୁହନ୍ତି ଯେ ତାଙ୍କର ଅଭିଜ୍ଞତା ଓ ଦକ୍ଷତା ଅନୁସାରେ କେବଳ ଏକ ଇଞ୍ଜେକ୍ସନ ସେମାନଙ୍କୁ ସନ୍ତୁଷ୍ଟ କରିପାରିବ ଏବଂ ସେ ଶୀଘ୍ର ସିରିଞ୍ଜ ବାହାର କରିବାକୁ ବାଧ୍ୟ ହୁଅନ୍ତି।

ସେହି ଚିକିତ୍ସା ଯୋଗ୍ୟ ଡାକ୍ତରଙ୍କ କ୍ରୋଧକୁ ଆକର୍ଷିତ କରିଥାଏ। ଡାକ୍ତର ଚନ୍ଦ୍ରା କୁହନ୍ତି “ମୁଁ ଆଉଟଡୋରରେ ଦେଖୁଥିବା ଅଧିକାଂଶ ରୋଗୀ ଇଞ୍ଜେକ୍ସନ ପାଇବା ପରେ ଏଠାକୁ ଆସିଥାଆନ୍ତି।’’ ସେମାନେ କୁହନ୍ତି ‘‘ଯଦି ଆମକୁ ଇଞ୍ଜେକ୍ସନ ଦିଆଯାଏ ତେବେ ଆମ ଶରୀର କେବଳ ରୋଗରୁ ମୁକ୍ତି ପାଇପାରିବ।’’ ସେ ଆହୁରି ମଧ୍ୟ କୁହନ୍ତି, ‘‘ଗ୍ରାମବାସୀଙ୍କ ମଧ୍ୟରେ ଏହି ମାନସିକତା ହେଉଛି ଏହି ଝୋଲାଛାପ୍‍ମାନଙ୍କର ଅଭ୍ୟାସର ଫଳାଫଳ, ଯେଉଁମାନେ ରୋଗୀଙ୍କ ଚିକିତ୍ସା ପାଇଁ ଇଞ୍ଜେକ୍ସନ ଉପରେ ନିର୍ଭର କରନ୍ତି। ଏହା ଏକ ଅଭ୍ୟାସରେ ପରିଣତ ହୋଇଛି’’ ଏହି ଟ୍ରେଣ୍ଡରେ ସେ ଅସନ୍ତୁଷ୍ଟ।

ଝୋଲାଛାପମାନଙ୍କ ମଧ୍ୟରେ ସମ୍ମାନ

ସେମାନେ କେଉଁମାନଙ୍କର ଚିକିତ୍ସା କରିପାରିବେ କିମ୍ବା କରିପାରିବେ ନାହିଁ ଏବଂ ସେମାନେ କେଉଁମାନଙ୍କୁ ସ୍ପର୍ଶ କରିବେ ନାହିଁ ତାହା ଉପରେ ଥିବା ଅଲିଖିତ କୋଡ୍‍ ବିଷୟରେ ବୁଝାଇ ବିଜୟ କୁହନ୍ତି, “କେତେକ ରୋଗ ଅଛି ଯାହାକୁ ଆମେ ‘ସରକାରୀ କେସ୍’ [ସରକାରୀ ଡାକ୍ତରଖାନା ମାମଲା] ବୋଲି କହିଥାଉ, ଯାହାକୁ ଆମେ କେବେବି ଚିକିତ୍ସା କରିନଥାଉ, ଯେପରିକି କୁଷ୍ଠରୋଗ, ଯକ୍ଷ୍ମା, କଲେରା, ଡାଇରିଆ, ମ୍ୟାଲେରିଆ, ଡେଙ୍ଗୁ, ଗର୍ଭଧାରଣ ଏବଂ ପ୍ରସବ’’। ସେ ଯୁକ୍ତିଯୁକ୍ତ ଭାବରେ କୁହନ୍ତି, “ଆମେ ଏହି ମାମଲାଗୁଡ଼ିକୁ କେବଳ ସରକାରୀ ଡାକ୍ତରଖାନାକୁ ପଠାଉ। ସରକାରୀ ଚିକିତ୍ସାଳୟରେ ଏହି ମାମଲାଗୁଡ଼ିକର ଚିକିତ୍ସା ପାଇଁ ସରକାର ମଧ୍ୟ କଠୋର ଏବଂ ଯଦି କୌଣସି ବ୍ୟକ୍ତି ଏହି ମାମଲାଗୁଡ଼ିକର ଚିକିତ୍ସା କରୁଥିବାର ଜଣାଯାଏ, ତେବେ କୌଣସି ପରିମାଣର ଲାଞ୍ଚ କାମ କରିବ ନାହିଁ’’।

ଗତ ଦୁଇ ବର୍ଷ ହେଲାଣି, କ୍ରମାଗତ ଥଣ୍ଡା ଏବଂ କାଶରେ ପୀଡିତ ଲୋକମାନଙ୍କୁ ବିଜୟ ମାଲଖୋଡ଼ାସ୍ଥିତ ବ୍ଲକର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ କୋଭିଡ ପରୀକ୍ଷା ନିମନ୍ତେ ପଠାଉଛନ୍ତି। ଯଦି ସେମାନେ ପଜିଟିଭ୍ ହୁଅନ୍ତି, ଝୋଲାଛାପମାନେ ପଛଘୁଞ୍ଚା ଦିଅନ୍ତି ଏବଂ ଡାକ୍ତରଖାନା ସେମାନଙ୍କର ଦାୟିତ୍ୱ ନିଅନ୍ତି। କୋଭିଡ ମାମଲା ବୃଦ୍ଧି ପାଇବା କାରଣରୁ, ବିଜୟ ତାଙ୍କ ପରିବାର ବିଷୟରେ ଚିନ୍ତିତ ଥିଲେ: “ମୋ ପତ୍ନୀ ଗର୍ଭବତୀ ଥିଲେ ଏବଂ ମୁଁ ତାଙ୍କ ପାଇଁ ଚିନ୍ତିତ ଥିଲି। ଆମ ନବଜାତ ଶିଶୁକୁ ଭାଇରସ୍‍ ସଂକ୍ରମଣର ହେବାର ସମ୍ଭାବନାକୁ ଏଡ଼ାଇବା ପାଇଁ ମୁଁ ନିଜକୁ ସଂଗରୋଧ ରଖୁଥିଲି। ସେ ଯେତେବେଳେ ଜନ୍ମ ହେଲା ସେତେବେଳେ ମୁଁ ତାକୁ ଦୂରରୁ ଦେଖୁଥିଲି। ”

ରାଜେଶ ନିଜ କ୍ଲିନିକରେ ଜଣେ ରୋଗୀଙ୍କ ଚିକିତ୍ସା କରୁଛନ୍ତି। ଆୟୁଷ ମଙ୍ଗଲଙ୍କ ଦ୍ୱାରା ଫଟୋ ଉଠାଯାଇଛି

ରୋଗୀମାନଙ୍କ ସହିତ ସେମାନଙ୍କର ନିବିଡ଼ ସମ୍ପର୍କ ଥିବା ସତ୍ତ୍ୱେ, ସେମାନଙ୍କର କାର୍ଯ୍ୟ ପାଇଁ ସେମାନଙ୍କୁ ସରକାରୀ ସ୍ୱୀକୃତି ନଦେବା ବିରକ୍ତିକର। ବିଜୟ କୁହନ୍ତି, “ପଞ୍ଜୀକୃତ ଡାକ୍ତରଙ୍କ ପରି, ଆମର କାର୍ଯ୍ୟର କୌଣସି ସ୍ୱୀକୃତି ନାହିଁ। ଯଦି ଡାକ୍ତରଙ୍କ ସହ କିଛି ଘଟେ, ସରକାର କ୍ଷତିପୂରଣ ପ୍ରଦାନ କରନ୍ତି ଏବଂ ସେମାନେ ସମାଜର ଦୃଷ୍ଟିରେ ସେଲିବ୍ରିଟି ହୋଇଯାଆନ୍ତି। ଆମ ସହିତ ସେପରି ନୁହେଁ। ଯଦି ମୋ ସହିତ କିଛି ଘଟେ, ମୋ ପରିବାର ଦିନମଜୁରୀଆ ହେବାକୁ ବାଧ୍ୟ ହେବେ। କିନ୍ତୁ, ଆମେ କାର୍ଯ୍ୟ ଜାରି ରଖିଛୁ”।

Editor's note

ଆୟୁଷ ମଙ୍ଗଲ ବେଙ୍ଗାଲୁରୁର ଆଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟର ଅର୍ଥନୀତିରେ ଏମଏର ଶେଷ ବର୍ଷ ଛାତ୍ର। ସେ ୨୦୨୧ ର ଗ୍ରୀଷ୍ମ ସମୟରେ ଜଣେ PARI ସହାୟକ ଭାବରେ କାର୍ଯ୍ୟ କରୁଥିଲେ। ଛତିଶଗଡରେ ଅବସ୍ଥାପିତ, ସେ ଝୋଲାଛାପମାନଙ୍କ ଉପରେ ଗବେଷଣା କରିବାକୁ ଚାହୁଁଥିଲେ। ସେ କୁହନ୍ତି, “ମୁଁ ଝୋଲାଛାପ ଡାକ୍ତର, ସେମାନେ ସେବା କରୁଥିବା ସମ୍ପ୍ରଦାୟ ଏବଂ ଗ୍ରାମାଞ୍ଚଳରେ ଜନସ୍ୱାସ୍ଥ୍ୟ ସେବା ମଧ୍ୟରେ ଥିବା ଜଟିଳ ସମ୍ପର୍କକୁ ଅନୁଭବ କରିଛି। ଏହିସବୁ ଅଂଚଳରେ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବା ପାଇଁ କୌଣସି ନୀତି ନିର୍ଦ୍ଧାରଣ କରିବା ପୂର୍ବରୁ ଏହି ଜଟିଳତାକୁ ବୁଝିବାକୁ ଦରକାର।”

ଅନୁବାଦ: ଓଡ଼ିଶାଲାଇଭ୍‍
ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।