
“ଭେୟା, ୭୦୦ ଟଙ୍କା ବହୁତ ବେଶୀ ହେଇଯାଉଛି,” ଷ୍ଟଲରେ ଧାଡ଼ି ଧାଡ଼ି ହୋଇ ରଖାଯାଇଥିବା ଟେରାକୋଟା ପାତ୍ର ଏବଂ ଆଖିଝଲସା ରଙ୍ଗ ଦିଆଯାଇଥିବା ମାଟି ତିଆରି ଅନ୍ୟାନ୍ୟ ସାମଗ୍ରୀ ଉପରେ ନଜର ପକାଇ ମହିଳା ଗ୍ରାହକ ଜଣକ ୨୩ ବର୍ଷୀୟ ମୃତ୍ତିକା ଶିଳ୍ପ ବ୍ୟବସାୟୀ ସଚିନ ଶର୍ମାଙ୍କୁ କହନ୍ତି । ଲେଖା ହୋଇଥିବା ଦରରେ କିଣିବା ଲାଗି ସଚିନ ତାଙ୍କୁ ବୁଝାଇବାକୁ ଚେଷ୍ଟା କରନ୍ତି, ହେଲେ, ସେ କିଛି ନନେଇ ଖାଲି ହାତରେ ଫେରିଯାଆନ୍ତି । ମୂର୍ତ୍ତିଟିକୁ ପୁଣି ଅନ୍ୟ ମୃତ୍ତିକା ସାମଗ୍ରୀ ଭିତରେ ସଜାଇ ରଖୁ ରଖୁ ସଚିନ କହନ୍ତି, “ମତେ ଆଗରୁ ଯେତେ ଗ୍ରାହକ ମିଳୁଥିଲେ ଆଉ ସେତେ ମିଳୁନାହାନ୍ତି । ଆଉ ଯେଉଁମାନେ ଆସୁଛନ୍ତି, ଖୁବ୍ ଅଧିକ ମୂଲଚାଲ କରୁଛନ୍ତି । ଆମେ ଦର କମ୍ ନକଲେ ଲୋକେ କିଣିବେନି । ଏହି ବିଶ୍ଵ ମହାମାରୀ ଖୁବ୍ କଷ୍ଟ ଦେଲାଣି ।”
ଦୀପାବଳି ବେଳକୁ ଦୀୟା ବିକ୍ରି ବଢୁଥିବାରୁ, ସଚିନଙ୍କ ଭଳି ମାଟିଗଢ଼ା ସାମଗ୍ରୀର ବ୍ୟବସାୟୀମାନେ ଆଶା କରିଥିଲେ ଯେ, ସ୍ଥିତିରେ ଉନ୍ନତି ଦେଖାଦେବ । କିନ୍ତୁ ଲକ୍ଡାଉନ୍ ଅବ୍ୟାହତ ରହିବା ଯୋଗୁଁ ସେମାନଙ୍କ ସବୁ ଆଶା ଧୂଳିସାତ୍ ହୋଇଯାଇଥିଲା । ଦୀପାବଳି ସମୟରେ ତାଙ୍କ ପରିବାର ଲକ୍ଷ୍ନୌର ବିଭିନ୍ନ ଅଞ୍ଚଳରେ ଚାରିଟି ଷ୍ଟଲ୍ ସ୍ଥାପନ କରନ୍ତି, କିନ୍ତୁ ଏଥର ଗ୍ରାହକଙ୍କ ସଂଖ୍ୟା ଖୁବ୍ କମ୍ ରହିଥିଲା । ଆଗରୁ ସେ ମାସକୁ ୧୦,୦୦୦ରୁ ୧୨,୦୦୦ ଟଙ୍କା ରୋଜଗାର କରିପାରୁଥିଲେ, କିନ୍ତୁ, ସେ କହନ୍ତି ଯେ, ଏବେ ଏହା ଅତି ବେଶୀରେ ୫,୦୦୦ ଟଙ୍କା ହିଁ ହୋଇପାରୁଛି । ଦୀପାବଳି ପରେ ଯେତେବେଳେ ତାଙ୍କ ସହ ଦେଖାହେଲା ସେ କହିଲେ, “ମୁଁ ଯେତିକି ଟଙ୍କା ଖଟାଇ ଥିଲି ତା’ର ଅଧା ବି ଫେରିପାଇନି । ଧନୀ ଲୋକମାନେ ସେମାନଙ୍କ ଘରୁ ବାହାରକୁ ବାହାରିଲେନି । ଆଉ ଯେଉଁମାନେ ଆସିଲେ, ସେମାନେ ମାଟି ତିଆରି ଜିନିଷ ଉପରେ ସେତେ ବେଶୀ ଖର୍ଚ୍ଚ କରିବାକୁ ଆଗ୍ରହୀ ନଥିଲେ । କ୍ଷୋଭର ସହିତ ସେ ଆହୁରି କହିଲେ, “ଆପଣ ଯଦି ଖାଇବା ଜିନିଷ କିଣିବେ, ତେବେ ଛଅ ମାସ ଯାଏଁ ଖାଇପାରିବେ । କିନ୍ତୁ ଏ ମାଟି ଜିନିଷକୁ ନେଇ ସେମାନେ କ’ଣ କରିବେ ?”
ପ୍ରାୟ ପାଞ୍ଚ କିଲୋମିଟର ଦୂର ଇନ୍ଦିରା ନଗରରେ ୩୮ ବର୍ଷୀୟ ମୃତ୍ତିକା ସାମଗ୍ରୀ ବ୍ୟବସାୟୀ ମହମ୍ମଦ ଆରିଫ୍ଙ୍କର ଗୋଟିଏ ଷ୍ଟଲ୍ ରହିଛି । ସାଧାରଣତଃ, ଦୀପାବଳି ସମୟରେ ତାଙ୍କର ସବୁ ଜିନିଷ ବିକ୍ରି ହୋଇଯାଇଥାଏ ଏବଂ ସେ ଆଉ ଅଧିକ ମୂର୍ତ୍ତି ଏବଂ ଟେରାକୋଟା ସାମଗ୍ରୀ ପାଇଁ ବରାଦ ଦିଅନ୍ତି । ଗୋଟିଏ ମଟ୍କା (ପାଣି ରଖିବାରେ ବ୍ୟବହୃତ ଗୋଲାକାର ମାଠିଆ) ଆଡ଼କୁ ଆଙ୍ଗୁଠି ଦେଖାଇ ସେ କହନ୍ତି, “ଗତ ବର୍ଷ, ଲୋକେ ଏହାକୁ ୩୦୦-୪୦୦ ଟଙ୍କାରେ କିଣୁଥିଲେ । କିନ୍ତୁ ଏ ବର୍ଷ କିଛି ହେଲେ ବିକ୍ରି ହେଉନାହିଁ । ବହୁ ଜିନିଷ ବିକା ନହୋଇ ପଡ଼ି ରହିଛି । ଜିନିଷ ଯୋଗାଣକାରୀମାନଙ୍କୁ ଦେବା ପାଇଁ ମୋତେ ଟଙ୍କା ଧାର କରିବାକୁ ପଡ଼ିଲା ।” କଥା ଯୋଡ଼ି ସେ ଆହୁରି କହନ୍ତି, “ଭଲ କାରବାର ଦିନରେ ମୁଁ ୫,୦୦୦ ଟଙ୍କା ଯାଏ ରୋଜଗାର କରିପାରୁଥିଲି, କିନ୍ତୁ ଏବେ ମୁଁ ତା’ର ତିନି ଭାଗରୁ ଭାଗେ ଯାହା କରିପାରୁଛି ।”
ଚିନ୍ହଟର ମୃତ୍ତିକା ସାମଗ୍ରୀ ବିକ୍ରେତାମାନେ ସେମାନଙ୍କ ସାମଗ୍ରୀ ବିକିବା ପାଇଁ ବାର୍ଷିକ ଲକ୍ଷ୍ନୌ ମହୋତ୍ସବ ଉପରେ ନିର୍ଭର କରିଥାଆନ୍ତି । କିନ୍ତୁ ଲକ୍ଡାଉନ୍ ଯୋଗୁଁ ୨୦୨୦ରେ ଏହାକୁ ବାତିଲ କରିଦିଆଯାଇଛି । ସ୍ଥାନୀୟ ହସ୍ତଶିଳ୍ପ ସାମଗ୍ରୀର ଏହି ୧୫ ଦିନିଆ ଉତ୍ସବ ଅନେକ ଗ୍ରାହକଙ୍କୁ ଆକର୍ଷିତ କରେ । ନିଜ ନାମ ପ୍ରକାଶ କରିବାକୁ ଚାହୁଁ ନଥିବା ଉତ୍ତର ପ୍ରଦେଶ ପର୍ଯ୍ୟଟନ ବିଭାଗର ଜଣେ ଅଧିକାରୀ କହନ୍ତି, “ପ୍ରତି ବର୍ଷ ଚିନ୍ହଟ ମୃତ୍ତିକା ସାମଗ୍ରୀର ପ୍ରାୟ ୧୦-୧୫ଟି ଷ୍ଟଲ୍ ସ୍ଥାପିତ ହୁଏ ଏବଂ ପ୍ରତିଦିନ ପ୍ରାୟ ୨-୩ ଲକ୍ଷ ଲୋକ ଏସବୁ ଷ୍ଟଲ୍ ବୁଲି ଦେଖନ୍ତି । ସେମାନେ ଦିନକୁ ୧୦,୦୦୦ରୁ ୫୦,୦୦୦ ଟଙ୍କା ଭିତରେ ରୋଜଗାର କରିପାରନ୍ତି ।

ପ୍ରତି ବର୍ଷ, ଆଗ୍ରା ଓ ଝାନ୍ସୀ ଭଳି ଆଖପାଖର ବିଭିନ୍ନ ସହର ଏବଂ ଝାଡ଼ଖଣ୍ଡ ଭଳି ପଡ଼ୋଶୀ ରାଜ୍ୟରେ ଆୟୋଜିତ ବିଭିନ୍ନ ପ୍ରଦର୍ଶନୀରେ ସଚିନ ଓ ତାଙ୍କ ପରିବାର ଷ୍ଟଲ୍ ସ୍ଥାପନ କରିଥାଆନ୍ତି । ହେଲେ, ଏ ବର୍ଷ ଲକ୍ଷ୍ନୌରେ କାରବାର ମାନ୍ଦା ହେବାରୁ ସେମାନେ ସେ ଦିଗରେ ଆଗ୍ରହୀ ନୁହଁନ୍ତି । ସଚିନ କହନ୍ତି, “କେହି ହେଲେ କେବଳ ପ୍ରଦର୍ଶନୀଗୁଡ଼ିକ ଉପରେ ସଂପୂର୍ଣ୍ଣ ନିର୍ଭର କରିପାରିବନି । ଯଦି ମୁଁ କୌଣସି ପ୍ରଦର୍ଶନୀରେ ଷ୍ଟଲ୍ ପାଇଁ ଜାଗା କିଣିବି ଏବଂ ଜଣେ ଅଧେ ଲୋକ ହିଁ ଜିନିଷ କିଣିବାକୁ ଆସିବେ ତେବେ କ’ଣ ହେବ । ଗ୍ରାହକ ଯେଉଁ ଦର କହିବେ, ସେଇ ଦରରେ ବିକିବାକୁ ମୁଁ ବାଧ୍ୟ ହେବି । ଏତେ ଟଙ୍କା ଲଗାଇବା ପରେ ଖାଲି ହାତରେ ତ ମୁଁ ଆଉ (ଫେରି) ଆସିବିନି ।”
ଦିନେ ଉତ୍ତର ପ୍ରଦେଶର ରାଜଧାନୀ ନଗରୀ ଲକ୍ଷ୍ନୌର କେନ୍ଦ୍ରସ୍ଥଳରେ ଥିବା ଚିନ୍ହଟର ଫୈଜାବାଦ ରୋଡ୍ ଥିଲା ମୃତ୍ତିକା ସାମଗ୍ରୀ ଦୋକାନ ସମୂହର ପ୍ରମୁଖ କେନ୍ଦ୍ର ।ଜରି-ଜର୍ଦୋଜି, ଚିକନକରୀ ଏବଂ ଅତର ସହିତ ଲକ୍ଷ୍ନୌର ଅନେକ ସୁପରିଚିତ ହସ୍ତଶିଳ୍ପ ସାମଗ୍ରୀ ମଧ୍ୟରେ ଏହା ସ୍ଥାନିତ ହୋଇଥିଲା । ମାଟି କିମ୍ବା ଟେରାକୋଟାରେ ନିର୍ମିତ ଏହି ସୁନ୍ଦର ସାଜସଜ୍ଜା ସାମଗ୍ରୀ ମଧ୍ୟରେ ସାଧାରଣତଃ ମୂର୍ତ୍ତି, କଣ୍ଢେଇ, ଧାର୍ମିକ ମୂର୍ତ୍ତି ଏବଂ ଆଉ ଅନ୍ୟାନ୍ୟ ଜିନିଷ ଅନ୍ତର୍ଭୁକ୍ତ । ଉଜ୍ଜ୍ଵଳ ଲାଲ, ବାଦାମୀ ଏବଂ ସବୁଜ ରଙ୍ଗରେ ଝଲସି ଉଠୁଥିବା ଏହି ସବୁ ମୂର୍ତ୍ତିରେ ହାଲୁକା ଧଳା ଓ କମଳା ଭଳି ରଙ୍ଗରେ ସୂକ୍ଷ୍ମ କାମ କରାଯାଏ । ସଚିନ କହନ୍ତି, “ଲୋକେ ଟେରାକୋଟା ମୂର୍ତ୍ତି ପସନ୍ଦ କରନ୍ତି, କାରଣ ଏଗୁଡ଼ିକ ମୋଟା ଓ ପରସ୍ତ ପରସ୍ତ ହୋଇଥାଏ ଏବଂ ସହଜରେ ଭାଙ୍ଗିଯାଏ ନାହିଁ । ଯେଉଁମାନେ ପ୍ରକୃତରେ ଟେରାକୋଟାକୁ ବୁଝନ୍ତି (ଏବଂ ଆଦର କରନ୍ତି) ସେମାନେ ବେଶୀ ମୂଲଚାଲ କରନ୍ତି ନାହିଁ ।”
‘ସ୍ଵଦେଶୀ ଏବଂ ସ୍ଵତନ୍ତ୍ରତା ବିଶିଷ୍ଟ କାରିଗରୀକୁ ଉତ୍ସାହିତ କରିବା’ ଉଦ୍ଦେଶ୍ୟରେ ଉତ୍ତର ପ୍ରଦେଶ ସରକାର ଆରମ୍ଭ କରିଥିବା ଗୋଟିଏ ଜିଲ୍ଲା, ଗୋଟିଏ ଉତ୍ପାଦ ଯୋଜନା-୨୦୧୮ରେ ଲକ୍ଷ୍ନୌର ଚିନ୍ହଟ ମୃତ୍ତିକା ଶିଳ୍ପ ସାମିଲ ହୋଇନାହିଁ । ହେଲେ ଏଥିରେ କେବଳ ଚିକନକରୀ ଏବଂ ଜରି-ଜରଦୋଜି ସ୍ଥାନ ପାଇଛି ।
ଦେଶର ଅନ୍ୟାନ୍ୟ ଭାଗରେ ମଧ୍ୟ ଚିନ୍ହଟର ମୃତ୍ତିକା ସାମଗ୍ରୀ ବିକ୍ରି ହୁଏ । କିନ୍ତୁ ଲକ୍ଡାଉନ୍ ଯୋଗୁଁ ସବୁ ସ୍ଥାନରେ ବିକ୍ରି ହ୍ରାସ ପାଇଛି । ସହରର କେନ୍ଦ୍ରସ୍ଥଳରୁ କିଛି ଦୂରରେ ଅବସ୍ଥିତ ମୱୈୟାର ଜଣେ ବ୍ୟବସାୟୀ ଦିନେଶ କୁମାର କହନ୍ତି, “ବର୍ଷ ଆରମ୍ଭରୁ ମୁଁ ଯେଉଁ ଜିନିଷ ସବୁ କିଣିଥିଲି, ସେସବୁ ବିକିବା ମୋ ପାଇଁ କଷ୍ଟକର ହୋଇପଡ଼ିଛି । ଲକ୍ଡାଉନ୍ ପୂର୍ବରୁ, ମାର୍ଚ୍ଚ ମାସରେ ମୋ ପାଖକୁ ଦିନକୁ ୩୦-୪୦ ଜଣ ଗ୍ରାହକ ଆସୁଥିଲେ, ଏବେ ଅତି ବେଶୀରେ୧୦ ଜଣ ଗ୍ରାହକ ଆସୁଛନ୍ତି ।”

ସଚିନ ଚିନ୍ହଟରେ ହିଁ ବଢ଼ିଛନ୍ତି ଏବଂ ଏବେ ବି ବାପାମାଆ, ବଡ଼ଭାଇ ଓ ଭାଉଜଙ୍କ ସହ ଏଠାରେ ରହୁଛନ୍ତି । ଫୈଜାବାଦ ରୋଡ୍ରେ ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ଖାଲି ପଡ଼ିଥିବା ଜାଗାକୁ ଦେଖାଇ ସେ କହନ୍ତି, “ଏଠାରେ ବହୁତ ବଡ଼ ବଜାର ଥିଲା । ଏଇଠୁ ସେଇ ପେଟ୍ରୋଲ ପମ୍ପ୍ ଯାଏ ଷ୍ଟଲ ବସୁଥିଲା’’। “”ଏବେ ଏହି ବ୍ୟସ୍ତବହୁଳ ରାସ୍ତାର ଦୁଇ ପଟେ ଅଳ୍ପ କେଇଟା ଦୋକାନ ଯାହା ରହିଛି । ମୁଁ ଜାଣିନି ଭବିଷ୍ୟତରେ ଆମ ପାଇଁ କ’ଣ ରହିଛି, କିନ୍ତୁ ମୁଁ ଖାଲି ବଞ୍ଚି ରହିବାକୁ ଯେତିକି ଦରକାର, ସେତିକି ରୋଜଗାର ଚାହୁଁଛି ।”
ସଚିନଙ୍କ ଷ୍ଟଲ ଭଳି ଅସ୍ଥାୟୀ ଷ୍ଟଲ୍ଗୁଡ଼ିକ ଫୁଟ୍ପାଥରେ ବସେ ଏବଂ ଦିନର କାରବାର ଶେଷରେ, ଘରକୁ ଫେରିବା ବେଳେ ମାଲିକମାନଙ୍କୁ ସେମାନଙ୍କର ସବୁ ଜିନିଷପତ୍ର ବନ୍ଧାବନ୍ଧି କରି ବୋହି ନେବାକୁ ପଡ଼େ । ଫୁଟ୍ପାଥରୁ ଉଚ୍ଛେଦ ଏବଂ ଜିନିଷପତ୍ର ନଷ୍ଟ ହେବାର ଆଶଙ୍କା କାରଣରୁ ଅନ୍ୟ ବିକ୍ରେତାମାନେ ସେଠାରେ ପୁଣି ଦୋକାନ ଖୋଲିବାକୁ ପଛଘୁଞ୍ଚା ଦିଅନ୍ତି ।
ଗତ ଦୁଇ ବର୍ଷ ଭିତରେ ଥରେ ଚାଳିଆରେ ଘେରା ନିଜର ଅସ୍ଥାୟୀ ଷ୍ଟଲକୁ, ରାସ୍ତା ଆରପଟରୁ ଏପଟକୁ ସଚିନ ଉଠାଇ ଆଣି ସାରିଲେଣି । ସେ କହନ୍ତି, “ସେଠାରୁ ଆମ ଷ୍ଟଲଗୁଡ଼ିକ ଉଠାଇ ଦେବା ଲାଗି ସେଠାକାର କେତେକ ଶୋ’ରୁମ୍ (ପୌର ନିଗମ ନିକଟରେ) ଅଭିଯୋଗ କଲେ । ମୋ ଷ୍ଟଲକୁ ରକ୍ଷା କରିବା ଲାଗି ମୁଁ ବହୁତ ଚେଷ୍ଟା କଲି, କିନ୍ତୁ ପାରିଲିନି ।”ଏବେ ସେ ଷ୍ଟଲ୍ ପଛରେ ଥିବା ଏକ ଖାଲି ଜାଗାରେ ନିଜ ଜିନିଷପତ୍ର ସବୁ ରଖନ୍ତି । “ମୁଁ ଜଣକ ପାଇଁ ଏହି ପ୍ଲଟ୍ର ଦେଖାରଖା କରେ ଏବଂ ସେମାନେ ମତେ ଏଠାରେ ଜିନିଷପତ୍ର ରଖିବାକୁ ଦିଅନ୍ତି । ହେଲେ ସେମାନେ ଯଦି ଏହାକୁ ବିକିଦେବେ କି ଏହା ଉପରେ ଘର ତିଆରି କରିବେ, ତେବେ ମୋତେ ଆଉ ଗୋଟିଏ ଜାଗା ଖୋଜିବାକୁ ପଡ଼ିବ ।”
ଷ୍ଟଲ୍ ପଛପଟେଅନେକ ରଙ୍ଗ ଡବା ଓ ମାଟିର ମୂର୍ତ୍ତିରହିଛି । ସଚିନ କହନ୍ତି, “ମୁଁ ବିଭିନ୍ନ ଜୀବଜନ୍ତୁ, ମଣିଷଙ୍କ ମୂର୍ତ୍ତି ଏବଂ ଅନ୍ୟାନ୍ୟ ସାଜସଜ୍ଜା ସାମଗ୍ରୀରେ ରଙ୍ଗ ଦିଏ । ଅନ୍ୟମାନଙ୍କୁ ଦେଖି ଦେଖି ମୁଁ ଏହା ଶିଖିଛି । ଆଗରୁ ମୁଁ କେବଳ ତମ୍ବା ଓ ସୁନେଲି ରଙ୍ଗ ବ୍ୟବହାର କରୁଥିଲି, ଏବେ ମୁଁ ଆହୁରି ଅନେକ ରଙ୍ଗ ବ୍ୟବହାର କରୁଛି ।”
ବର୍ଷକୁ ବର୍ଷ ଚିନ୍ହଟର ମୃତ୍ତିକା ସାମଗ୍ରୀ ଉତ୍ପାଦନ ହ୍ରାସ ପାଇବାରେ ଲାଗିଛି ଏବଂ ଏହି ସାମଗ୍ରୀ କାରବାର କରୁଥିବା ବ୍ୟବସାୟୀମାନେ ଉତ୍ତର ପ୍ରଦେଶର କାକୋରି ଏବଂ ଗୋରଖପୁର ଭଳି ଆଖପାଖ ସ୍ଥାନରୁ, ଏମିତି କି ଆସାମ ଓ ସିଲିଗୁଡ଼ିରୁ ଏସବୁ ଜିନିଷ କିଣିଲେଣି ।
୬୧ ବର୍ଷୀୟା ଇସମତ-ଉଲ-ନିସାର ମଧ୍ୟ ଚିନ୍ହଟରେ ବଢ଼ିଛନ୍ତି ଏବଂ ୨୫ ବର୍ଷ ହେଲା ତାଙ୍କ ପରିବାର ମୃତ୍ତିକା ସାମଗ୍ରୀ ତିଆରି ଓ ବିକ୍ରି କରିଆସୁଛି । ସଚିନଙ୍କ ଷ୍ଟଲ ଥିବା ରାସ୍ତାର ବିପରୀତ ପଟେ ତାଙ୍କ ଷ୍ଟଲ ରହିଛି । ତାଙ୍କ ପରିବାରର କେତେକ ପୁରୁଷ ଏବେ ବି ମୃତ୍ତିକା ସାମଗ୍ରୀ ଗଢୁଛନ୍ତି କିନ୍ତୁ ତାହା ପର୍ଯ୍ୟାପ୍ତ ହେଉ ନଥିବାରୁ ସେ କାକୋରିରୁ ମୃତ୍ତିକା ସାମଗ୍ରୀ କିଣନ୍ତି ।“ମୋ ସ୍ଵାମୀ କାଦିର (ସେଠାରୁ କେଇ କିଲୋମିଟର ଦୂର) ମଲହୌରର ଏକ ଚୀନାମାଟି ଫ୍ୟାକ୍ଟରୀରେ କାମ କରୁଥିଲେ । ଏବେ ତାଙ୍କ ନିଜର ଗୋଟିଏ କାରଖାନା (ଗୋଦାମ) ଅଛି, ଯେଉଁଠି ଆମେ ଆମର ସବୁ ସାମଗ୍ରୀ ରଖୁ ।” ଦିନକର କାମ ଶେଷରେ ସେ ତାଙ୍କ ଷ୍ଟଲ୍ର ସବୁ ଜିନିଷପତ୍ର ବନ୍ଧାବନ୍ଧି କରି ଗୋଟିଏ ବ୍ୟାଟେରି (ବିଦ୍ୟୁତ୍) ଚାଳିତ ରିକ୍ସାରେ ଗୋଦାମକୁ ନେଇଯାଆନ୍ତି ।
ସେ କହନ୍ତି, “ଦୀପାବଳି ସମୟରେ ଆମେ ଆଉ ଅଧିକ ରକମର ଅନେକ ଜିନିଷ ବିକୁ ଏବଂ ସେ ସବୁକୁ ବୋହିକରି ନେବାଆଣିବା କରିବା ସମ୍ଭବ ନୁହେଁ । ତେଣୁ ଆମେ ଏଠାରେ ହିଁ ସବୁ ରଖି ରାତିରେ ରହୁ ।” ବ୍ୟସ୍ତବହୁଳ ପାର୍ବଣ ଋତୁରେ ଇସ୍ମତଙ୍କ ନାତି ଶୋଏବ, ସୁଘରା ଏବଂ ଶଫାଜ୍ ତାଙ୍କୁ ସାହାଯ୍ୟ କରନ୍ତି । ଲକ୍ଡାଉନ୍ ଯୋଗୁଁ ସେମାନଙ୍କ ସ୍କୁଲ ବନ୍ଦ ହୋଇଯାଇଥିବାରୁ ଏବେ ସେମାନେ ଏଠାରେ ଅଧିକ ସମୟ କାଟୁଛନ୍ତି ।
ଫୁଟ୍ପାଥରୁ ତାଙ୍କୁ ହଟାଇବା ଲାଗି ସରକାରୀ କର୍ତ୍ତୃପକ୍ଷ ତାଙ୍କ ଜିନିଷପତ୍ର ଜବତ କରିବା ସହିତ ଭଙ୍ଗାରୁଜା ଏବଂ ଫିଙ୍ଗାଫୋପଡ଼ା କରିବା ଯୋଗୁଁ ଏ ବର୍ଷ ଖରାଦିନେ ଇସ୍ମତ ପ୍ରାୟ ୩,୦୦୦ ଟଙ୍କା ହରାଇଲେ । ସେ କହନ୍ତି, “ଲକ୍ଷ୍ନୌର ନଗର ନିଗମ (ନଗର ପୌର ନିଗମ) ଆମକୁ ଫୁଟ୍ପାଥରୁ ଉଚ୍ଛେଦ କରିବାକୁ ଚେଷ୍ଟା କରୁଥିବା କାରଣରୁ ମୋ ବ୍ୟବସାୟରେ କ୍ଷତି ହେଉଛି । ଅନ୍ୟ ଉଠା ଦୋକାନୀମାନଙ୍କ ସହିତ ବି ତାହା ହିଁ ଘଟିଲା । ନଗର ନିଗମ ଖୁବ କଠୋର ହୋଇଥିବାରୁ ଏଠାରୁ ହଟାଇ ଦିଆଯାଇଥିବା ଅନେକ ଉଠାଦୋକାନୀ ଆଉ ଫେରିଆସିବେନି ।”
ବ୍ୟବସାୟରେ କ୍ଷତି ଏବଂ ଉଚ୍ଛେଦ ଆଶଙ୍କାରେ ଅନେକ ମୃତ୍ତିକା ସାମଗ୍ରୀ ବ୍ୟବସାୟୀ ସହର ଉପକଣ୍ଠକୁ ଚାଲିଗଲେଣି । କିନ୍ତୁ ଇସ୍ମତ ସେଠାରେ ରହିବାକୁ ବଦ୍ଧପରିକର । ସେ କହନ୍ତି, “ଆମେ ଏଠାରେ ବହୁ ବର୍ଷ ହେଲା ବେପାର କରିଆସୁଛୁ । ଏଠାକୁ ବହୁ ସଂଖ୍ୟାରେ ଗ୍ରାହକ (ଆସୁଥିଲେ) ଆସିଥାଆନ୍ତି କାରଣ ସେମାନେ ଏଠାରେ ବିଭିନ୍ନ ରକମର ସାମଗ୍ରୀ ପାଆନ୍ତି (ପାଇପାରନ୍ତି)।”
ବହୁସଂଖ୍ୟାରେ ଉତ୍ପାଦିତ ଏବଂ ଦୀର୍ଘସ୍ଥାୟୀ ବିକଳ୍ପ ସାମଗ୍ରୀର ଉପଲବ୍ଧତା ଯୋଗୁଁ ଅତୀତରେ ମୃତ୍ତିକା ସାମଗ୍ରୀକୁ ସଂଘର୍ଷ କରିବାକୁ ପଡ଼ିଛି । ଲକ୍ଷ୍ନୌରେ ଦୀର୍ଘ ଦିନ ହେଲା ଖାଦ୍ୟ ବ୍ୟବସାୟ କରିଆସୁଥିବା ଲଳିତ ସାଧୱାନି କହନ୍ତି, “ତିନି ଦଶନ୍ଧି ତଳେ ଲୋକେ ନିଜ ନିଜ ଘରେ ତମ୍ବା ଓ ମାଟିରେ ତିଆରି ବାସନକୁସନ ବ୍ୟବହାର କରୁଥିଲେ । ତା’ପରେ ଯେତେବେଳେ ଷ୍ଟେନ୍ଲେସ୍ ଷ୍ଟିଲ୍ ଜିନିଷ ଶସ୍ତାରେ ମିଳିଲା, ନିତିଦିନିଆ ବ୍ୟବହାର ପାଇଁ ଲୋକେ ଏହାକୁ ବି କିଣିବା ଆରମ୍ଭ କଲେ । ସେହି ସମୟରେ ହିଁ ମାଟି ତିଆରି ବାସନକୁସନର ବଜାରରେ କାରବାର ମାନ୍ଦା ହୋଇଗଲା ।”
ଇସ୍ମତଙ୍କ ପୁଅ ମହମ୍ମଦ ଆରିଫ କହନ୍ତି:“ଆମ ପାଖରେ କୌଣସି ସୁଯୋଗ ନଥିବାରୁ ଆମ ବ୍ୟବସାୟ ତଳମୁହାଁ ହେବାରେ ଲାଗିଛି । ମୃତ୍ତିକା ସାମଗ୍ରୀ ଗଢ଼ିବା ପାଇଁ ଆମକୁ ସହଜରେ ଖଡ଼ିପଥର ମିଳେନାହିଁ । ଯଦି କୌଣସି ପ୍ରକାରେ ଅନ୍ୟ ସ୍ଥାନରୁ କିଛି ଖଡ଼ିପଥର ଯୋଗାଡ଼ କରିଆଣୁ, ତେବେ ବାଟରେ ପୋଲିସ ଆମକୁ ଅଟକାଏ । ଆମେ ଆମ ନିଜର ଫ୍ୟାକ୍ଟରୀ ତ ବସାଇ ପାରିବୁନି । ଆମର ନିଜ ଷ୍ଟଲ୍ ପାଇଁ ସ୍ଥାୟୀ ଜାଗାଟିଏ ବି ନାହିଁ । କେବଳ ପେଟ ପୋଷିବା ପାଇଁ ଆମେ ଫୁଟ୍ପାଥକୁ ଫେରିଆସୁ ।”
ଅନୁବାଦ: ଓଡ଼ିଶାଲାଇଭ୍
ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।