
୨୦୨୦ର ଖରାଦିନ । ଏଗାର ବର୍ଷର ଅରୁଣ ଦେଖିଲା, ନାଗପୁର ସହର ବାହାରେ, ୪୪ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ତାଙ୍କ ପରିବାରର ଚା’ ଦୋକାନ ପଛପାଖ ପଡ଼ିଆରେ ୧୭ ଜଣ ଅପରିଚିତ ଲୋକ ଶୋଇଥିଲେ । ସେଇ ପଥିକମାନେ କ୍ଳାନ୍ତ ଓ ଅବସନ୍ନ ଦିଶୁଥିଲେ, ସେମାନଙ୍କ ପାଦରେ ଫୋଟକା ହୋଇଥିଲା ଓ ପାଦ ଫୁଲି ଯାଇଥିଲା, ଦେହରେ ଥିଲା ଦାଗ ଭର୍ତ୍ତି ମଇଳା ପୋଷାକ। ପରବର୍ତ୍ତୀ ଦିନଗୁଡ଼ିକରେ ଅରୁଣ ଏମିତି ଶହ ଶହ ଲୋକଙ୍କୁ ଦେଖିବାକୁ ପାଏ – ଗର୍ଭବତୀ ମହିଳା, ଆଖିରୁ ନିଦ ଛାଡ଼ି ନଥିବା ଶିଶୁ, ଶାରୀରିକ ଅକ୍ଷମ ଏବଂ ବୟସ୍କ ମଣିଷ- ସମସ୍ତେ ପାଦରେ ଚାଲି ଚାଲି ଯିବାରେ ଲାଗିଥିଲେ । ଅରୁଣର ପରିବାର ଲୋକେ ସେମାନଙ୍କୁ ସାହାଯ୍ୟ କରିବାକୁ ସ୍ଥିର କରନ୍ତି ଏବଂ ଏହି କ୍ରମରେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କ ଉପରେ ଲକ୍ଡାଉନ୍ର ପ୍ରଭାବ ସଂପର୍କରେ ଜାଣିପାରେ ଅରୁଣ । ସେ ସାକ୍ଷାତ କରିଥିବା ପ୍ରତିଟି ଲୋକଙ୍କର ଭିନ୍ନ ଭିନ୍ନ କାହାଣୀ ଥିଲା ସତ, ହେଲେ ସମସ୍ତଙ୍କର ସେଇ ଗୋଟିଏ କଥା- ଘରେ ପହଞ୍ଚିବାକୁ ସମସ୍ତେ ଆତୁର।
ଦିନେ, ରାତି ୮ଟାରେ କରାଯାଇଥିବା ଏକ ଅପ୍ରତ୍ୟାଶିତ ଘୋଷଣାରୁ ହିଁ ଭାରତରେ ଶ୍ରମିକମାନଙ୍କର ଏହି ବିଶାଳ ପ୍ରବାସନ ଆରମ୍ଭ ହୋଇଥିଲା
ପାତ୍ରରେ ଉଛୁଳିବାକୁ ଯାଉଥିବା ହାଲୁକା ବାଦାମୀ ରଙ୍ଗର ସେଇ ପାଣିକୁ ଦେଖୁଥିଲା ଅରୁଣ । ତା’ର ବାବା (ମରାଠୀରେ ବାପା) ନିଆଁର ଆଞ୍ଚକୁ କମ୍ କରୁଥିବା ବେଳେ ସେ ପଚାରିଲା, “ଆଜି ସମସ୍ତେ କୁଆଡ଼େ ଗଲେ?” ଜିଭରେ ସାମାନ୍ୟ ଶବ୍ଦ କରି ବାବା ତାକୁ କହିଲେ ଯେ କୋଭିଡ୍ ନାଁରେ ଗୋଟିଏ ଭୟଙ୍କର ନୂଆ ରୋଗ ବାହାରି ସାରା ପୃଥିବୀରେ ବ୍ୟାପୁଛି। “କାହାକୁ କୁଆଡ଼େ ହେଲେ ଯିବାକୁ ଦିଆଯାଉନି,” ବାବା ତାକୁ ବୁଝାଇ ଦେଲେ । ସେଇଥିପାଇଁ ସାଧାରଣତଃ ଚା’ ଓ ଜଳଖିଆ ପାଇଁ ତାଙ୍କ ଦୋକାନରେ ଅଟକୁଥିବା ରାଜପଥ ଯାତ୍ରୀମାନଙ୍କର ଦେଖା ନାହିଁ । ୪୪ ନମ୍ବର ଜାତୀୟ ରାଜପଥରେ ଥିବା ତାଙ୍କ ଚା’ ଦୋକାନଟି ଉତ୍ତରରୁ ଦକ୍ଷିଣ ଭାରତକୁ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ଥିଲା। ଗ୍ରାହକଙ୍କ ସଂଖ୍ୟା କମି ଯାଇଥିବାରୁ ବାବା ଚିନ୍ତାରେ ପଡ଼ି ଯାଇଥିବେ କି ବୋଲି ଅରୁଣ ଭାବୁଥିଲା, ହେଲେ ବାବା ତାଙ୍କ ସମସ୍ୟା ସଂପର୍କରେ କହିବାକୁ ପସନ୍ଦ କରୁ ନଥିବାରୁ ସେ ଏକଥା ନ ପଚାରିବା ଭଲ ବୋଲି ସ୍ଥିର କରିନେଲା।
ତାହା ଥିଲା ମଧ୍ୟ ଏପ୍ରିଲର ଏକ ଉତ୍ତପ୍ତ ଅପରାହ୍ଣ । ତେଲଙ୍ଗାନାର କାଗଜନଗର ସହରରେ ଥିବା ତାଙ୍କ ଚାଳିଆ ଘର ବାହାରେ ବସି ଦିଲୀପ ଭାବୁଥିଲେ, ଚାରି ଘଣ୍ଟା ଭିତରେ ସାରା ଦେଶରେ ଲକ୍ଡାଉନ୍ ଲାଗୁ ହେବ ବୋଲି ବିଭିନ୍ନ ଟେଲିଭିଜନ ନ୍ୟୁଜ୍ ଚ୍ୟାନେଲରେ ଉପସ୍ଥାପକମାନଙ୍କର ଘୋଷଣା କଥା । ତାହା ଥିଲା ଅନେକ ଦିନ ତଳର ଘଟଣା।
ତା’ର ଅର୍ଥ ହେଉଛି ଅନେକ ଦିନ ପାଇଁ କାମ ମିଳିବ ନାହିଁ କିମ୍ବା ଖାଦ୍ୟ ପାଇଁ ପଇସା ମିଳିବ ନାହିଁ । ସେ ଯେଉଁ ସୂତାକଳରେ କାମ କରୁଥିଲେ ତାହା ବନ୍ଦ ହୋଇଯାଇଥିଲା। ଦିଲୀପ ଓ ଅନ୍ୟ ଶ୍ରମିକମାନଙ୍କୁ ତାଙ୍କ ନିଯୁକ୍ତିଦାତା ଦେଇଥିବା କିଛି ପରିମାଣର ଖାଦ୍ୟରେ ଅଳ୍ପ କେଇଟା ଦିନ ଚଳିଯାଇଥିଲା।
ସେ ମୁହଁ ବୁଲାଇ ତାଙ୍କ କୁଡ଼ିଆ ଘର ଆଡ଼କୁ ଚାହିଁଲେ । ପୂର୍ବ ରାତିର ଝଡ଼ରେ ଘରର ଛାତ ଉଡ଼ି ଯାଇଥିଲା।

ସୂତାକଳର ଆଉ ଜଣେ ଶ୍ରମିକ ଆସି ତାଙ୍କ ପାଖରେ ବସିଲେ। “ଦିଲୀପ ଦାଦା (ଜଣେ ବଡ଼ଭାଇ କିମ୍ବା ବଡ଼ଭାଇଙ୍କ ଭଳି ବ୍ୟକ୍ତିଙ୍କ ପ୍ରତି ଶ୍ରଦ୍ଧାରେ ପ୍ରୟୋଗ କରାଯାଉଥିବା ମରାଠୀ ଶବ୍ଦ), ଖାଇବା ଜିନିଷ ସରି ସରି ଆସୁଛି ଏବଂ ଆମ ଚାଳିଆଗୁଡ଼ିକ ବି ନଷ୍ଟ ହୋଇଯାଇଛି । ହଂସରାଜ ଓ ମୁଁ ଘରକୁ ଫେରିଯିବାକୁ ଚାହୁଁଛୁ। ଆମେ ଯଦି ନଯିବୁ ତେବେ ଏଇଠି ଅଟକି ରହିଯିବୁ, ଆଉ ଖାଇବାକୁ ନଥିବ କି ଘର ବି ନଥିବ।”
“କେମିତି ତମେମାନେ ଘରକୁ ଫେରିଯିବାକୁ ସ୍ଥିର କରିଛ? ଯେଉଁମାନେ ଯିବାକୁ ବାହାରିଥିଲେ ସେମାନଙ୍କୁ ପୋଲିସ ବାଡ଼େଇଲା ଏବଂ ପୁଣି ଫେରି ଆସିବାକୁ ବାଧ୍ୟ କଲା। ପୂରା ଲକ୍ଡାଉନ୍ ହୋଇଥିବାରୁ ଟ୍ରେନ୍ କି ବସ୍ ବି ଚାଲୁନାହିଁ। ଏଠୁ ବାହାରିବାର କୌଣସି ବାଟ ନାହିଁ,” ଉଦ୍ବିଗ୍ନ ଭାବରେ ଉତ୍ତର ଦେଲେ ଦିଲୀପ।
“ଦାଦା, ଆମେ ପାଦରେ ଚାଲି ଚାଲି ଯିବୁ ବୋଲି ଚିନ୍ତା କରୁଛୁ,” ଶ୍ରମିକ ଜଣକ ଉତ୍ତର ଦେଲେ।
ଦିଲୀପ ନିରବ ରହିଲେ ଏବଂ ତାଙ୍କ ହୃତ୍କମ୍ପନ ବଢ଼ିବାରେ ଲାଗିଲା। ସେ ଜାଣିଥିଲେ ଘରକୁ ଚାଲି ଚାଲି ଯିବା ଛଡ଼ା ଅନ୍ୟ ବାଟ ନାହିଁ।
ସେମାନେ ସାତ ଦିନ ଧରି ଚାଲିଲେ।
ଦିଲୀପ ଓ ସୂତାକଳର ଅନ୍ୟ ୧୬ ଜଣ ଶ୍ରମିକ କିଛି ଲୁଗାପଟା ବାନ୍ଧି ଏବଂ ଅଳ୍ପ କେତେ କିଲୋ ଚାଉଳ ଧରି ଚାଲିବା ଆରମ୍ଭ କଲେ। ସେମାନେ ସେମାନଙ୍କ ଜିନିଷପତ୍ରକୁ ମୁଣ୍ଡରେ ଏବଂ ପିଠିରେ ବୋହିଲେ ଏବଂ ଓଜନ ଯୋଗୁଁ ଦେହ ବିନ୍ଧିବାରୁ ସେମାନେ କେତେକ ଜିନିଷକୁ ଶୀଘ୍ର ଶୀଘ୍ର ସାରିଦେଲେ। ଆଗରେ ଥିଲା କଠିନ ରାସ୍ତା- ମହାରାଷ୍ଟ୍ରର ଗୋନ୍ଦିଆ ଜିଲ୍ଲାରେ ନିଜ ଗାଁରେ ପହଞ୍ଚିବା ଲାଗି ସେମାନଙ୍କୁ ୭୦୦ କିଲୋମିଟର ଚାଲିବାର ଥିଲା।
ମାନଚିତ୍ରରେ ଘର ଯାଏ ରାସ୍ତା ଦେଖାଇବା ପାଇଁ ସେମାନଙ୍କ ମଧ୍ୟରୁ କାହାରି ପାଖରେ ସ୍ମାର୍ଟଫୋନ୍ ନଥିଲା ଏବଂ ତେଣୁ ସେମାନେ ନାଗପୁର-ହାଇଦ୍ରାବାଦ ରେଳଲାଇନ୍ କଡ଼େ କଡ଼େ ଚାଲିବାକୁ ସ୍ଥିର କଲେ। ସେମାନେ ରାତିରେ ଚାଲୁଥିଲେ ଏବଂ ଦିନରେ ଯେତେ ସମ୍ଭବ ସେତେ ବିଶ୍ରାମ ନେଉଥିଲେ, ଯାହା ଫଳରେ ଦେହରେ ନିଆଁ ଭଳି ତାତି ଫୁଟାଉଥିବା ଖରା ଦାଉରୁ ରକ୍ଷା ପାଇପାରିବେ।
ଘରେ ପହଞ୍ଚି ପରିବାର ଲୋକଙ୍କ ସହ ଦେଖା କରିବାକୁ ଅଧୀର ହୋଇ ଉଠିଥିବା ଏହି ପ୍ରବାସୀମାନେ ପ୍ରଥମ କେଇ ରାତି ଧରି ଚାଲିବା ସମୟରେ ପରସ୍ପରକୁ ଉତ୍ସାହିତ କଲା ଭଳି କଥା କହୁଥିଲେ। କିନ୍ତୁ ପରେ ପରେ, ଦିଲୀପ ଲକ୍ଷ୍ୟ କଲେ ଯେ ସମସ୍ତେ ନିରବ ହୋଇଯାଇଥିଲେ । କେହି ଆଉ କଥା କହୁ ନଥିଲେ । ଖୁବ୍ ଶୀଘ୍ର ସେମାନଙ୍କ ପାଖରେ ଥିବା ଖାଦ୍ୟ ଓ ପାଣି ସରି ଆସିଲା ଏବଂ ଶୋଷରେ ବହୁ ସମୟ ରହିବାକୁ ପଡୁଥିବାରୁ ଗଳା ବିନ୍ଧିଲା ଭଳି ଲାଗିଲା। ବେଳେବେଳେ ନିଜ ନିଜ ବୋତଲରେ ପାଣି ଭରିବାକୁ କୂଅଟିଏ ପାଇବା ଲାଗି ସେମାନଙ୍କୁ ଦୁଇ ଦିନ ଲାଗିଯାଉଥିଲା।
ଯଦିଓ ସେମାନେ ଜିନିଷପତ୍ରର ବୋଝ କମାଇ ଦେଇଥିଲେ, ତଥାପି କିଛି ଦିନ ପରେ, ଏଇ ହାଲୁକା ବୋଝ ହିଁ ସେମାନଙ୍କୁ ପଥର ବୋହିବା ଭଳି ଲାଗିଲା। ସେମାନଙ୍କ ମଧ୍ୟରୁ କେତେ ଜଣ ନିଜ ନିଜର ସବୁ ଜିନିଷପତ୍ରକୁ ରେଳଧାରଣା କଡ଼ରେ ଫିଙ୍ଗି ଦେଲେ। କାରଣ, ଏସବୁ ବୋହିବା ପାଇଁ ସେମାନଙ୍କ ଦେହରେ ଆଉ ବଳ ନଥିଲା।
ଦୀର୍ଘ ଦିନ ଧରି ଚାଲିବା ଫଳରେ ସେମାନଙ୍କ ଚପଲର ସୋଲ୍ ଘୋରି ହୋଇ ଏତେ ପତଳା ହୋଇଯାଇଥିଲା ଯେ ପାଦ ତଳ ରାସ୍ତାର ତାତିକୁ ସେମାନେ ଅନୁଭବ କରିପାରୁଥିଲେ। ଚାରି ଦିନ ପରେ ଦିଲୀପଙ୍କ ଚପଲର ଗୋଟିଏ ଫିତା ଛିଣ୍ଡି ଯାଇଥିଲା। ପ୍ରଥମେ ସେ ଚପଲକୁ ପାଦ ଆଙ୍ଗୁଠିରେ ଜାବୁଡ଼ି ରଖିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏଭଳି କରିବା ଦ୍ଵାରା ତାଙ୍କର ଗତି କମି ଯାଇଥିଲା। ତେଣୁ ସେ ଚପଲକୁ ଫିଙ୍ଗି ଦେଇଥିଲେ ଏବଂ ଅବଶିଷ୍ଟ ରାସ୍ତା ଖାଲି ପାଦରେ ଚାଲିଥିଲେ।
ନିଜ ଝିଅକୁ ପୁଣି ଥରେ ଦେଖିବାର ମୋହ ଦିଲୀପଙ୍କୁ ଚାଲିବା ଜାରି ରଖିବା ଲାଗି ଖୋରାକ ଯୋଗାଇଥିଲା। ସୂତାକଳରେ କାମ କରିବା ପରେ ଗତ ପାଞ୍ଚ ମାସ ଧରି ସେ ତାଙ୍କ ଝିଅକୁ ଦେଖି ନଥିଲେ । ସେ ଜାଣିଥିଲେ ଯେ ଘରେ ପହଞ୍ଚିବା ପରେ ତାଙ୍କୁ ଦୁଇ ସପ୍ତାହ ଲାଗି ଏକାନ୍ତବାସରେ ରହିବାକୁ ପଡ଼ିବ ଏବଂ ତା’ ପରେ ହିଁ ସେ ଝିଅକୁ ଦେଖିପାରିବେ । ସେ ଚାହୁଁଥିଲେ ଯେ ସେ ପହଞ୍ଚିବା ମାତ୍ରେ ତାଙ୍କ ଝିଅ ପାଖକୁ ଦୌଡ଼ି ଆସିବ ଏବଂ ସେ ତାକୁ ହାତରେ ଉଠାଇ ସେତେବେଳ ଯାଏ ଘୂରାଇବାରେ ଲାଗିବେ ଯେତେବେଳେ କି ତା ମୁଣ୍ଡ ବୁଲାଇ ହେଉଥିବା କଥା କହି ସେ ତାଙ୍କୁ ବନ୍ଦ କରିବାକୁ କହୁଥିବ । ସେ ସେହି ସମୟର କଥା ମନେ ପକାଇବାରେ ଲାଗିଲେ, ଯେତେବେଳେ ଏମିତି ଚାରିପଟେ ବୁଲାଇ ତଳେ ଠିଆ କରାଇଦେବା ମାତ୍ରେ ଝିଅ ତାଙ୍କ ଗୋଡ଼କୁ ଜାବୁଡ଼ି ଧରୁଥିଲା ଏବଂ ନିଜର ଭାରସାମ୍ୟ ରକ୍ଷା କରିବାକୁ ଚେଷ୍ଟା କରୁଥିଲା । ରାତିରେ ଚାଲିବା ସମୟରେ ଏହି ସ୍ମୃତି ହିଁ ତାଙ୍କୁ ଗୋଟିଏ ପାଦ ଆଗରେ ଆଉ ଗୋଟିଏ ପାଦ ଥାପିବା ଲାଗି ଶକ୍ତି ଦେଉଥିଲା।
ଅନେକ ଦିନ ଧରି ଚାଲିବା ପରେ, ଏବଂ ପ୍ରତିଟି ଦିନ ବିତିବା ସହିତ ସେମାନଙ୍କ ମନୋବଳ ଭାଙ୍ଗି ଆସୁଥିବା ସମୟରେ, ପ୍ରଥମ ଥର ପାଇଁ ସେମାନେ ସେତେବେଳେ ଆନନ୍ଦରେ ପାଟି କରିଉଠିଥିଲେ ଯେତେବେଳେ କେହି ଜଣେ ମରାଠୀରେ ଲେଖା ହୋଇଥିବା ଗୋଟିଏ ସାଇନ୍ବୋର୍ଡ ଦେଖିଥିଲେ। “ମହାରାଷ୍ଟ୍ର !” କେହି ଜଣେ ଖୁସିରେ ଚିତ୍କାର କରିଥିଲେ ଏବଂ ଏହା ସହିତ ଚାରିଆଡ଼େ ଆନନ୍ଦର ଲହରି ଖେଳିଯାଇଥିଲା। ଯଦିଓ ସେମାନେ ଏବେ ବି ଘରଠାରୁ ବହୁ ଦୂରରେ ଥିଲେ, ତଥାପି ସେମାନେ ନିଜ ରାଜ୍ୟରେ ପହଞ୍ଚି ଆନନ୍ଦିତ ହୋଇଥିଲେ।
ନାଗପୁର ସହର ବାହାରେ ୪୪ ନମ୍ବର ଜାତୀୟ ରାଜପଥରେ ସେମାନେ ଚାଲିବାରେ ଲାଗିଥିଲେ ଏବଂ ପରେ ଆଖପାଖରେ ଥିବା ବିଭିନ୍ନ ପଡ଼ିଆରେ ଶୋଇପଡୁଥିଲେ।
ଦିଲୀପ ଆଖି ଖୋଲିଲେ ଏବଂ ଦେଖିଲେ ଯେ ଜଣେ ଛୋଟପିଲା କ୍ଷୀର ଗିଲାସ ଧରି ତାଙ୍କ ପାଖରେ ଠିଆ ହୋଇଛି।

ଶୋଇଥିବା ବ୍ୟକ୍ତି ଜଣକ ଉଠିବା ପର୍ଯ୍ୟନ୍ତ ଧୈର୍ଯ୍ୟର ସହ ଅପେକ୍ଷା କଲା ଅରୁଣ। ସେ ତାଙ୍କ ନିଦରେ ବ୍ୟାଘାତ ସୃଷ୍ଟି କରିବାକୁ ଠିକ୍ ମଣିଲା ନାହିଁ। ପଡ଼ିଆରେ ଶୋଇଥିବା ଲୋକମାନଙ୍କୁ ଦେବା ପାଇଁ ଆଇ (ମରାଠୀରେ ମାଆ) ତାକୁ ଗୋଟିଏ ଛୋଟ କ୍ଷୀର ଭର୍ତ୍ତି ବାଲ୍ଟି ଦେଇଥିଲେ । ଯେଉଁଥିରେ କେତେକ ଗିଲାସ ଉବୁଟୁବୁ ହେଉଥିଲା।
ସକାଳେ ତା’ର ବାବା ତାଙ୍କ ଚା’ ଦୋକାନ ପାଖ ପଡ଼ିଆରେ ୧୭ ଜଣ ଲୋକ ଶୋଇଥିବା ଦେଖିଥିଲେ। ବର୍ଷା (ଖରିଫ) ଋତୁରେ ଅରୁଣର ବାପାମାଆ –ଆଇ ଏବଂ ବାବା– ଗୋନ୍ଦିଆର ବିଭିନ୍ନ ଚାଷଜମିରେ କାମ କରୁଥିଲେ । ହେଲେ ଖରିଫ ଋତୁ ଶେଷ ହେବା ସହିତ ଚାଷକାମ ସରି ଆସିଲେ, ବର୍ଷର ଅବଶିଷ୍ଟ ସମୟ ପାଇଁ ସେମାନେ ନାଗପୁରକୁ ଚାଲିଯାଉଥିଲେ ଏବଂ ସେଠାକାର ଜାତୀୟ ରାଜପଥରେ ଯା’ଆସ କରୁଥିବା ଯାତ୍ରୀମାନଙ୍କ ପାଇଁ ଚା’ ଦୋକାନ ଖୋଲୁଥିଲେ।
ଅରୁଣ ଲକ୍ଷ୍ୟ କରୁଥିଲା ଯେ ଲକ୍ଡାଉନ୍ ଘୋଷଣା କରାଯିବା ଦିନରୁ ହିଁ କାରବାର ଖୁବ୍ ମାନ୍ଦା ହୋଇଯାଇଥିଲା। ସାଧାରଣତଃ ପ୍ରତି ବର୍ଷ ସେମାନେ ଦେଖନ୍ତି ଯେ ବସ୍ରୁ ଓହ୍ଲାଇ କିମ୍ବା କାର୍ ଅଟକାଇ ଯାତ୍ରୀମାନେସାବୁଦାନା ବଡ଼ା ଏବଂ ଉପମା ସହିତ ତା’ର ଆଇ ତିଆରି କରୁଥିବା କଡ଼ା ଚା’ର ମଜା ନେବାକୁ ଆସନ୍ତି। କିନ୍ତୁ ଏବେ ରାସ୍ତାରେ କେବଳ ପୋଲିସ ଗାଡ଼ି କିମ୍ବା ପରିବା ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ବୋଝେଇ ଟ୍ରକ୍ଗୁଡ଼ିକ ହିଁ ଯା’ଆସ କରୁଥିଲେ।
ହେଲେ, ଆଜି ସକାଳର କଥା ଥିଲା ଅଲଗା। ଏତେ ବର୍ଷ ହେଲା ତାଙ୍କ ଚା’ଦୋକାନ ପଛପାଖ ପଡ଼ିଆରେ କେବେ କୌଣସି ଅପରିଚିତ ଲୋକ ଶୋଇଥିବା କଥା ଅରୁଣ ଦେଖି ନଥିଲା। ଜଣକ ପରେ ଜଣେ କରି ସେମାନେ ଉଠିବା ଆରମ୍ଭ କରିଦେଇଥିଲେ। ଅରୁଣ ଚାରିଆଡ଼େ ଆଖି ବୁଲାଇ ନେଲା ଏବଂ ଦେଖିଲା ଯେ ସେହି ଲୋକମାନଙ୍କର ମଇଳା ଲୁଗାପଟାରେ କାଦୁଅ ଦାଗ ଲାଗିଥିଲା, ସେମାନଙ୍କ ଗୋଡ଼ ଫୁଲିଯାଇଥିଲା ଏବଂ ପାଦରେ ବହଳିଆ ଧୂଳିର ପରସ୍ତ ଜମିଯାଇଥିଲା। ସେମାନଙ୍କ ଚପଲ ଛିଣ୍ଡି ଯାଇଥିବା ଭଳି ଲାଗୁଥିଲା ଏବଂ ଅନେକ ବ୍ୟକ୍ତିଙ୍କ ଗୋଡ଼ରେ ହୋଇଥିବା ଫୋଟକା ସେମାନଙ୍କୁ ଖୁବ୍ କଷ୍ଟ ଦେଉଥିବା ଭଳି ଲାଗୁଥିଲା।

ତା’ଆଗରେ ଥିବା ବ୍ୟକ୍ତିଙ୍କୁ ନିଜ ପରିଚୟ ଦେଲା ଅରୁଣ। “ମୋ ନାଁ ଅରୁଣ । ମୋତେ ୧୧ ବର୍ଷ । ତୁମେ କିଏ?”
“ମୁଁ ଦିଲୀପ,” ବ୍ୟକ୍ତି ଜଣକ କ୍ଳାନ୍ତ କଣ୍ଠରେ କହିଲେ।
“ଦିଲୀପ କାକା, ଆଇ ତୁମ ସମସ୍ତଙ୍କ ପାଇଁ କିଛି କ୍ଷୀର ପଠାଇଛନ୍ତି। ତୁମେମାନେ ଯିବାକୁ ପ୍ରସ୍ତୁତ ହୋଇଗଲେ ଦୋକାନ ପାଖକୁ ଆସି ପାରିବ କିମ୍ବା ମୋତେ ଡାକି ଦେଇପାରିବ। ତୁମ ସମସ୍ତଙ୍କ ପାଇଁ ବଡ଼ା ଓ ଚା’ ତିଆରି କରିବାରେ ମୁଁ ତାଙ୍କୁ ସାହାଯ୍ୟ କରୁଛି। ଏ ବର୍ଷ ଆମ ଦୋକାନକୁ ବେଶୀ ଲୋକ ଆସିନାହାନ୍ତି।”
ଦିଲୀପ ପିଲାଟିକୁ ଚାହିଁ ମୁଣ୍ଡ ଟୁଙ୍ଗାରିଲେ ଏବଂ ସାମାନ୍ୟ ହସିଲେ।
ଅରୁଣ ତାଙ୍କ ଦୋକାନ ପାଖକୁ ଫେରିଗଲା ଏବଂ ମଙ୍ଗେଶ ଭାଉର ଶାର୍ଟ ଟାଣିଲା । ଏଇ ଲୋକମାନେ କେଉଁଠୁ ଆସିଲେ ଏବଂ ସେମାନେ କାହିଁକି ଏତେ ଥକିଗଲା ଭଳି ଦିଶୁଛନ୍ତି ବୋଲି ସେ ତା’ର ବଡ଼ଭାଇଙ୍କୁ ପଚାରିଲା।
ଭାଉ ତାକୁ କହିଲେ ଯେ, ଚାଷବାସ ଋତୁ ସରିଯିବା ପରେ ଆଇ ଓ ବାବା ଯେମିତି ଗୋନ୍ଦିଆ ଛାଡ଼ି ନାଗପୁରରେ ଚା’ ବିକିବାକୁ ଆସନ୍ତି, ଠିକ୍ ସେମିତି ସାରା ଦେଶର ଅନେକ ଲୋକ କାମଧନ୍ଦା ଖୋଜିବା ପାଇଁ ନିଜ ନିଜର ଘର ଛାଡ଼ିବାକୁ ବାଧ୍ୟ ହୁଅନ୍ତି । ସେ କହିଲେ ଯେ ଆଜି ସେମାନେ ଯେଉଁ ଲୋକମାନଙ୍କୁ ଦେଖିଲେ ସେମାନେ ସମସ୍ତେ ଶ୍ରମିକ ଏବଂ ଲକ୍ଡାଉନ୍ ଯୋଗୁଁ ପାଦରେ ଚାଲି ଚାଲି ଘରକୁ ଫେରୁଛନ୍ତି ।ଭାଉ କହିଲେ ଯେ ଆଗାମୀ ଦିନରେ ଏମିତି ଆହୁରି ଅଧିକ ଲୋକଙ୍କୁ ଦେଖିବାକୁ ମିଳିବ।
“ଆହୁରି ଅଧିକ ଲୋକ? ତମେ କେମିତି ସେ କଥା ଜାଣିଲଭାଉ?”
“ପୁରୁଷ, ମହିଳା ଏବଂ ଏମିତିକି ଛୋଟପିଲା ବି!ମୁଁ ମୋ ଫୋନ୍ରେ ଏ ଖବର ଦେଖିଲି,” ମଙ୍ଗେଶ ଉତ୍ତର ଦେଲେ।
ଅରୁଣ ତା’ର ବଡ଼ଭାଇଙ୍କୁ ଆଉ ଅଧିକ ପ୍ରଶ୍ନ ପଚାରିବା ପୂର୍ବରୁ ଆଇ ତାଙ୍କୁ ଡାକିଲେ ଏବଂ ସେ ଚା’ ତିଆରି କରିବାରେ ଏବଂ ବଡ଼ାକୁ ପତ୍ତଲ(କାଗଜ ତିଆରି ଦନା)ରେ ରଖିବାରେ ବ୍ୟସ୍ତ ହୋଇଗଲେ।
ତା’ ପରଦିନ, ପାଦରେ ଚାଲି ଚାଲି ଆହୁରି ଅଧିକ ଲୋକ ପହଞ୍ଚୁଥିବା ଦେଖି ଅରୁଣର ଆଖି ତରାଟି ହୋଇଗଲା । ସେ ଦେଖିଲା, ଛୋଟ ଛୋଟ ଶିଶୁମାନେ ମାଆ ଏବଂ ବାପାଙ୍କ କାନ୍ଧରେ ବସିଛନ୍ତି, ବୟସ୍କ ମହିଳା ଓ ପୁରୁଷମାନେ ବହୁ କଷ୍ଟରେ ଚାଲୁଛନ୍ତି ଏବଂ ଘଣ୍ଟା ଘଣ୍ଟା ଧରି ଟ୍ରକ୍ ପଛପଟ ଡାଲାରେ ଖୁନ୍ଦାଖୁନ୍ଦି ହୋଇ ଠିଆ ହୋଇ ଆସିଥିବା ଲୋକମାନେ ସେଠାରେ ପହଞ୍ଚିବାରେ ଲାଗିଛନ୍ତି । ସମସ୍ତଙ୍କ ଆଖିରେ ଦୁଃଖକଷ୍ଟ ଓ କ୍ଳାନ୍ତିର ଚିହ୍ନ ଦେଖିଲା ଅରୁଣ।

ସେଦିନ ଦୁଇ ଜଣ ଯୁବକ ସାଇକେଲେ ଆସି ପହଞ୍ଚିଲେ ଏବଂ ଆଇ ସେମାନଙ୍କୁ ହଠାତ୍ ପସନ୍ଦ କରି ବସିଲେ । ବୋଧହୁଏ ଏହି କାରଣରୁ ଯେ ସେମାନେ ମଙ୍ଗେଶ ଭାଉ ସହ ସମାନ ଦିଶୁଥିଲେ । ସେମାନେ ଆଇ ଓ ବାବାଙ୍କୁ କହିଲେ ଯେ କାଳେ ଘରକୁ ଫେରି ଯିବା ପାଇଁ କୌଣସି ଗାଡ଼ିମଟର ମିଳିଯିବା ଆଶାରେ ସେମାନେ ପାଖ ପଡ଼ିଆରେ କିଛି ଦିନ ରହିବେ । ସେ ଦୁହିଁଙ୍କ ନାଁ ଥିଲା ଈଶ୍ଵରନ୍ ଏବଂ ଆଶିଷ । ଅରୁଣ ସେମାନଙ୍କ ସହ କିଛି ସମୟ ବସିଲା ଏବଂ ଜାଣି ପାରିଲା ଯେ ତା’ ଭାଉଙ୍କ ଭଳି ସେମାନେ ବି ପିଲାବେଳେ ଖୁବ ପରିଶ୍ରମ କରି ପାଠ ପଢ଼ିଛନ୍ତି । ଈଶ୍ଵରନ୍ ଇଞ୍ଜିନିୟରିଂ ପଢ଼ିଥିଲେ ଏବଂ ଆଶିଷ ଏମ୍ବିଏ କରିଥିଲେ । ଈଶ୍ଵରନ୍ କହିଲେ, “ଆମେ ଏ ପାଠ ଏଥିପାଇଁ ପଢ଼ିଲୁ ଯେ ଭଲ ଚାକିରିଟିଏ ପାଇପାରିବୁ ଏବଂ ଆମ ବାପାମାଆଙ୍କର ଯତ୍ନ ନେଇପାରିବୁ । କିନ୍ତୁ ଠିକ୍ ପରେ ପରେ କୋଭିଡ୍ ଆସିଲା ଏବଂ ଆମେ ଆମ ଚାକିରି ହରାଇଲୁ । ବହୁ ଦୂରରେ ରହୁଥିବା ଆମ ବାପାମାଆ ଆମ ସଂପର୍କରେ ଚିନ୍ତାରେ ଥିବାରୁ ଆମକୁ ଘରକୁ (ଭଣ୍ଡାରା, ମହାରାଷ୍ଟ୍ର) ଫେରିଆସିବାକୁ କହିଲେ।”
ଅରୁଣ ତାଙ୍କ କଥା ଶୁଣିଲା ଏବଂ ସେମାନଙ୍କ ସାଇକେଲ ଥରେ ଚଲାଇବ ବୋଲି ପଚାରିଲା । ଏହା ଆଗରୁ ସେ କେବେ ବଡ଼ ସାଇକେଲ ଚଲାଇ ନଥିଲା କାରଣ, ତା’ର ଗୋଡ଼ ତଳକୁ ପାଉ ନଥିଲା । ଆଶିଷ ଭାଉ ସାଇକେଲ ଧରିଲେ ଏବଂ ଅରୁଣ ପେଡାଲ ମାରିଲା । ତା’ପରେ ଗୋଟିଏ ଛୋଟିଆ ଗଡ଼ାଣିଆ ରାସ୍ତାରେ ସେ ଅରୁଣକୁ ପଛ ସିଟ୍ରେ ବସାଇଲେ । ଅରୁଣ ଟିକେ ହସିଲା ଏବଂ ତା ସ୍କୁଲ ସାଙ୍ଗମାନଙ୍କ କଥା ମନେ ପକାଇଲା । ସେମାନଙ୍କ ମଧ୍ୟରୁ କେତେକ ସାଇକେଲରେ ଘରକୁ ଫେରୁଥିଲେ ଏବଂ ଆଉ କେତେ ଜଣ ଚାଲି ଚାଲି ଫେରିବା ସମୟରେ ରାସ୍ତାରେ ଯାଉଥିବା ସାଇକେଲର ପଛ ସିଟ୍ରେ ବସିବାକୁ ଚେଷ୍ଟା କରି ମଜା ନେଉଥିଲେ।
“ଆଶିଷ ଭାଉ, ମୁଁ ମୋ ସାଙ୍ଗମାନଙ୍କ ସହ ସ୍କୁଲରୁ ଚାଲି ଚାଲି ଘରକୁ ଫେରୁଥିଲି । ସ୍କୁଲ ଘରଠାରୁ ବହୁ ଦୂରରେ ଥିଲା । ହେଲେ ତମ ସାଙ୍ଗରେ ସାଙ୍ଗମାନେ ଥିଲେ ସମୟ ଖୁବ୍ ଶୀଘ୍ର କଟିଯାଏ । ତମର ଏ ସାଇକେଲ ଯାତ୍ରା ତ ବେଶ୍ ରୋମାଞ୍ଚକର ହୋଇଥିବ, ସିନେମାରେ ଦେଖାଇବା ଭଳି, ଠିକ୍ ନା ?”ଈର୍ଷାଭରା ସ୍ଵରରେ ଅରୁଣ ପଚାରିଲା।
ଆଶିଷ ଭାଉ ନରମ କଣ୍ଠରେ କହିଲେ, “ସତେ ସେମିତି ହୋଇଥାଆନ୍ତା କି ଅରୁଣ । କିନ୍ତୁ ସତକଥା ହେଉଛି ଘଣ୍ଟା ଘଣ୍ଟା ଧରି ସାଇକେଲ ଚଲାଇବା ପରେ ଆମେ ଖୁବ୍ ଥକି ଯାଇଥିଲୁ । ପରସ୍ପର ସହ କଥା ହେବାକୁ ବି ଆମର ଶକ୍ତି ନଥିଲା । ଆମେ ରାସ୍ତାଘାଟ ସଂପର୍କରେ ଭଲ ଭାବେ ଜାଣି ନଥିଲୁ ଏବଂ ଅଧିକାଂଶ ରାସ୍ତାରେ ରାତିରେ ଆଲୁଅ ନଥିଲା । ସବୁ ରାତିରେ ଆମେ ଅନ୍ଧାରରେ ପେଡାଲ ମାରୁଥିଲୁ ଏବଂ ସୁରକ୍ଷିତ ଅବସ୍ଥାରେ ଘରେ ପହଞ୍ଚି ଆମ ବାପାମାଆଙ୍କୁ କେମିତି ପୁଣି ଦେଖିପାରିବୁ ବୋଲି ଭାବୁଥିଲୁ।”
ଚାଲି ଚାଲି ସେମାନେ ଚା’ ଦୋକାନ ଆଡ଼କୁ ଫେରୁଥିବା ବେଳେ ଅରୁଣ ତାଙ୍କ ସ୍କୁଲରେ ଖେଳ ବା ପି.ଟି. ସମୟ କଥା ଭାବୁଥିଲା । ସେ ସବୁ ଦିନରେ ଘରକୁ ଚାଲି ଚାଲି ଫେରିବା ଅଧିକ କ୍ଳାନ୍ତିଦାୟକ ଥିଲା । ସେ ମନେ ପକାଉଥିଲା ଯେ ଘରକୁ ଫେରିବା ପରେ ତା’ର ଗୋଡ଼ ଦୁଇଟା ଏତେ ଭାରି ଲାଗୁଥିଲା ଯେ ସେ ଘରେ ପହଞ୍ଚି ଘଣ୍ଟା ଘଣ୍ଟା ଧରି ଶୋଇପଡୁଥିଲା । ଆଇ ବେଳେବେଳେ ତା’ର ଗୋଡ଼ ଘଷି ଦେଉଥିଲା । ଏବେ ଈଶ୍ଵରନ ଓ ଆଶିଷ କେମିତି ଏତେ ଦୂରରୁ ଦିନ ପରେ ଦିନ ଧରି ସାଇକେଲ ପେଡାଲ ମାରି ଏକା ଏକା ଆସିପାରିଲେ ବୋଲି ଭାବି ସେ ଆଶ୍ଚର୍ଯ୍ୟାନ୍ଵିତ ହେଉଥିଲା । ସେମାନଙ୍କ କଥା ବୁଝିବା ପାଇଁ ପାଖରେ ବାପାମାଆ ବି ନଥିଲେ।
ଥରେ ସନ୍ଧ୍ୟାରେ ଆଇ ସମସ୍ତଙ୍କୁ ଖାଇବା ପରଷି ଦେବା ପରେ ନିଜ ଖାଇବା ଥାଳି ଧରି ମଙ୍ଗେଶ ଭାଉ ଓ ଅନ୍ୟ ଦୁଇ ଯୁବକଙ୍କ ପାଖରେ ବସିଲେ।
“ତ ଈଶ୍ଵରନ୍, ତମେ ଏବେ କେଉଁ ବଡ଼ ସହରରୁ ଫେରୁଛ ?”ଆଇ ତାଙ୍କୁ ପଚାରିଲେ।
ଈଶ୍ଵରନ୍ ଅଳ୍ପ ହସି ଉତ୍ତର ଦେଲେ, “ବଡ଼ ସହର ନୁହେଁ କାକୀ (ମରାଠୀରେ ବୟସ୍କା ମହିଳା, ଶ୍ରଦ୍ଧାରେ କୁହାଯାଉଥିବା ପଦ, ଖୁଡ଼ି ସହ ସମାନ) । ଆମେ ଭଣ୍ଡାରାରୁ ଆସିଛୁ । ତମ ପାଖରେ ଡିଗ୍ରୀ ଥିଲେ ବି ବଡ଼ ବଡ଼ ସହରରେ ଖାଲି ୱାଚ୍ମ୍ୟାନ୍ କି ଦୋକାନ ଚଳାଇବା କାମ ଯାହା ମିଳିବ । ମୋ ମାଆ ଓ ବାପାଙ୍କ ଭଳି ମୋତେ ସବୁବେଳେ ସଂଘର୍ଷ କରିବାକୁ ନପଡୁ ବୋଲି ଇଚ୍ଛା କରି ମୁଁ ଇଞ୍ଜିନିୟର ହୁଏ ବୋଲି ମୋ ମାଆ ଚାହୁଁଥିଲେ।”
ଆଇ ଚିନ୍ତିତ ଦିଶୁଥିଲେ । “ସେଥିପାଇଁ ମୁଁ ଚାହେଁ ଯେ ମଙ୍ଗେଶ ଓ ଅରୁଣ ଭଲ ପାଠ ପଢ଼ନ୍ତୁ ଏବଂ ସେମାନଙ୍କୁ ଆମ ଭଳି ସାରା ଜୀବନ କ୍ଷେତରେ କାମ କରିବାକୁ ନପଡୁ । ପୂରା ଦିନଟିଏ କାମ କରି ମୁଁ ଅତି ବେଶୀରେ ୨୫୦-୩୦୦ ଟଙ୍କା ରୋଜଗାର କରିପାରେ । ଏତିକି ଯଥେଷ୍ଟ ନୁହେଁ,” ଦୀର୍ଘଶ୍ଵାସଟିଏ ଛାଡ଼ି ସେ କହିଲେ।
ଉତ୍ତରରେ ଆଶିଷ ଭାଉ କହିଲେ, “କାକୀ, ଆମେ ଦୁହେଁ ଭଣ୍ଡାରା ସହରର ସେଇ ଏକା କଲେଜରେ ପଢ଼ିଲୁ ଏବଂ ପରେ କର୍ଣ୍ଣାଟକ ଅନ୍ତର୍ଗତ ବିଦରର ଶିଳ୍ପାଞ୍ଚଳକୁ ଗଲୁ । ଗୋଟିଏ ଫ୍ୟାକ୍ଟରୀରେ ପ୍ରୋଜେକ୍ଟ ମ୍ୟାନେଜର ଏବଂ ଆକାଉଣ୍ଟାଣ୍ଟ ପଦବୀରେ ଆମ ଦୁହିଁଙ୍କୁ ଭଲ ଚାକିରି ମିଳିଗଲା।”
ମୁଣ୍ଡ ତଳକୁ କରି କଥା ଜାରି ରଖିଲେ ଈଶ୍ଵରନ୍, “ଲକ୍ଡାଉନ୍ ଯୋଗୁଁ ଚାକିରି ହରାଇବା ପରେ ଘରକୁ ପର୍ଯ୍ୟାପ୍ତ ଟଙ୍କା ପଠାଇବା ଲାଗି ଆମେ ବିଭିନ୍ନ କେନାଲ ଓ ହ୍ରଦରୁ ବାଲି ସଫା କରିବାରେ ଲାଗିଲୁ।”
ଆଇ ମୁଣ୍ଡ ହଲାଇଲେ, ନିଜ ପ୍ଲେଟ୍କୁ ଉଠାଇ ଠିଆ ହେଲେ । ଅସ୍ଥିର ଭାବରେ ସାମାନ୍ୟ ହସି ସେ କହିଲେ, “ତୁମ ବାପାମାଆଙ୍କର ସୌଭାଗ୍ୟ ଯେ ସେମାନେ ତୁମମାନଙ୍କ ଭଳି ପୁଅ ପାଇଛନ୍ତି । ଯିବା ପୂର୍ବରୁ ଟିକେ ମୋ ମଙ୍ଗେଶକୁ ପାଠପଢ଼ା ସଂପର୍କରେ ବୁଝାଇ ଦେବ । ଖୁବ୍ ଶୀଘ୍ର ତା’ର ସ୍କୁଲ ପଢ଼ା ଶେଷ ବର୍ଷରେ ପହଞ୍ଚିବ ଏବଂ ଦିନେ ସେ ତୁମ ଦୁହିଁଙ୍କ ଭଳି ଗ୍ରାଜୁଏଟ୍ ହେବ ବୋଲି ମୁଁ ଆଶା କରୁଛି । ମୁଁ ନିଶ୍ଟିତ ଯେ ତୁମମାନଙ୍କ ପାଇଁ ଆଗକୁ ଭଲ ସମୟ ଆସିବ।”
ସେଠାରୁ ସେ ପଳାଇବା ପରେ ତିନି ଜଣ ଯାକ ବଡ଼ ପିଲା ମିଶି ଇଞ୍ଜିନିୟରିଂ ବିଷୟରେ କିଛି ଆଲୋଚନା କଲେ ଏବଂ ଅରୁଣର ମନ ପୁଣି ତା’ର ନିଜ ସ୍କୁଲ ଆଡ଼କୁ ଟାଣି ହୋଇଗଲା ।କେମିତି ଖୁବ ଶୀଘ୍ର ସ୍କୁଲକୁ ଫେରିଯାଇ ମଙ୍ଗେଶ, ଈଶ୍ଵରନ ଏବଂ ଆଶିଷ ଭାଉଙ୍କ ଭଳି ସେ ବି କେତେ ବୁଦ୍ଧିମାନ ବୋଲି ସମସ୍ତଙ୍କୁ ଦେଖାଇ ଦେଇପାରନ୍ତା କି ବୋଲି ସେ ଭାବିବାରେ ଲାଗିଲା।
ପରଦିନ ବଡ଼ି ଭୋରରୁ ଅରୁଣ ଓ ମଙ୍ଗେଶ ଭାଉ ପରମ କାକାଙ୍କ ପାଖରୁ ଆଣିଥିବା କ୍ଷୀର ଭର୍ତ୍ତି ବଡ଼ ବଡ଼ ଡ୍ରମ୍ ଗଡ଼ାଇବାରେ ଲାଗିଲେ । ସେ ଥିଲେ କ୍ଷୀର କାରବାର କରୁଥିବା ଗାଓଲି ନାମକ ସଂପ୍ରଦାୟର । ଲକ୍ଡାଉନ୍ ଯୋଗୁଁ ମାର୍କେଟ ବନ୍ଦ ଥିବାରୁ କ୍ଷୀର କିଣିବାକୁ ଗ୍ରାହକ ନଥିଲେ ଏବଂ ସେ ତାଙ୍କ ଗାଈମାନେ ସବୁଦିନ ଦେଉଥିବା କ୍ଷୀରକୁ ଫିଙ୍ଗି ଦେବାକୁ ବାଧ୍ୟ ହେଉଥିଲେ । କିଛି କ୍ଷୀର ଚାଲି ଚାଲି ଘରକୁ ଫେରୁଥିବା ଲୋକଙ୍କ କାମରେ ଲାଗିବ ବୋଲି ଭାବି ସେହି ଯାତ୍ରୀମାନଙ୍କୁ ଚା’ କରି ଦେବା ଲାଗି ସେ ସବୁଦିନ ବାବାଙ୍କୁ କେତେକ କ୍ଷୀର ଡ୍ରମ ଦେଉଥିଲେ।
ଅରୁଣ ଆଗକୁ ଚାହିଁ ଦେଖିଲା ଯେ ପ୍ରାୟ ୪୦ଟି ଗୃହପାଳିତ ପଶୁ – ଅଧିକାଂଶ ମେଣ୍ଢା ଓ କେତେଟା ଛେଳି- ଚରିବାକୁ ଯାଉଥିଲେ । ଆମେ ସେମାନଙ୍କ ପାଖରେ ପହଞ୍ଚି ପାରିବା କି ବୋଲି ସେ ଭାଉଙ୍କୁ ପଚାରିଲା ଏବଂ ଦୁହେଁ କ୍ଷୀର ଡ୍ରମ୍ଗୁଡ଼ିକୁ ଆହୁରି ଜୋର୍ରେ ଗଡ଼ାଇବାରେ ଲାଗିଲେ । ମେଣ୍ଢା ଓ ଛେଳିମାନଙ୍କ ସହିତ ପାଞ୍ଚଟି ପରିବାରର ଲୋକେ ଯାଉଥିଲେ । ପାଖକୁ ଆସି ଅରୁଣ ଜାଣିଲା ଯେ ସେମାନଙ୍କ ସହିତ ଖାଇବା ଜିନିଷ ବୋହିନେବା ପାଇଁ ଦୁଇଟି ଘୋଡ଼ା ମଧ୍ୟ ଅଛନ୍ତି । ଏହା ପୂର୍ବରୁ ଅରୁଣ କେବେ ହେଲେ ଘୋଡ଼ା ଦେଖି ନଥିଲା।

ସେ ସେମାନଙ୍କ ପାଖକୁ ଗଲା, ନିଜ ପରିଚୟ ଦେଲା ଏବଂ ଚା’ ଦୋକାନ ପାଖରେ ଅଟକି କିଛି ଜଳଖିଆ ଖାଇବାକୁ କହିଲା । ସେମାନଙ୍କ ମଧ୍ୟରୁ ଜଣେ ତାଙ୍କ ନାଁ ପରମେଶ ବୋଲି କହି ନିଜର ପରିଚୟ ଦେଲେ।
“ତୁମେ ବି ଘରକୁ ଫେରୁଥିବା ଜଣେ ପ୍ରବାସୀ କି ?” ଅରୁଣ ପଚାରିଲା । କାମଧନ୍ଦା ଖୋଜିବା ଲାଗି ଘର ଛାଡ଼ି ବାହାରକୁ ଯାଇଥିବା ଲୋକମାନଙ୍କ ପାଇଁ ପ୍ରଯୁଜ୍ୟ ଏହି ଶବ୍ଦଟିକୁଭାଉ ତାକୁ ଶିଖାଇ ଦେଇଥିଲେ।
ପରମେଶ ଅଳ୍ପ ହସିଲେ ଏବଂ କହିଲେ, “ଫେରିଯିବା ପାଇଁ ଆମର ଘରଟିଏ ନାହିଁ।”
ଅରୁଣ ବିସ୍ମିତ ହେଲା ଭଳି ଦିଶିଲା ଏବଂ ପଚାରିଲା,“ତୁମର ଘରଟିଏ କେମିତି ନାହିଁ?”
ତା’ପରେ ପରମେଶ ତାକୁ କହିଲେ ଯେ ସେ ଓ ତାଙ୍କ ପରିବାରର ଅନ୍ୟମାନେ ଧାଙ୍ଗର ସଂପ୍ରଦାୟର ଏବଂ ମେଣ୍ଢା ଓ ଛେଳି ବିକିବା ପାଇଁ ସେମାନେ ଦେଶ ସାରା ଘୂରି ବୁଲନ୍ତି।
“ଆମେ ପ୍ରବାସୀ ନୁହଁ, ଆମେ ଯାଯାବର,” ସାମାନ୍ୟ ହସିଲେ ପରମେଶ।
ଆଉ ଏକ ନୂଆ ଶବ୍ଦ, ଅରୁଣ ମନେ ମନେ ଭାବିଲା।
“ପ୍ରତି ବର୍ଷ ଏହି ସମୟ ବେଳକୁ ଆମେ ନାଗପୁର ଦେଇ ଯାଇଥାଉ । କିନ୍ତୁ ଏ ବର୍ଷ କେତେକ ଗାଁ ଲୋକ ଆମ ପଶୁମାନଙ୍କୁ ବିକିବା ଲାଗି ଆମକୁ ଗାଁ ଭିତରେ ପୂରାଇ ଦେଉନାହାନ୍ତି, କାରଣ ସେମାନେ ଏହି ନୂଆ ରୋଗକୁ ଭୟ କରୁଛନ୍ତି।”
“କିନ୍ତୁ ତୁମେ ଯଦି ତୁମ ପଶୁମାନଙ୍କୁ ବିକ୍ରି କରିବ, ତାହେଲେ କେମିତି ଟଙ୍କା ରୋଜଗାର କରିବ?” ଅରୁଣ ପଚାରିଲା।
“ଏହି କଷ୍ଟକର ସମୟ ଦେଇ ଆମେ ଯାଉଥିବା ବେଳେ ବାଟରେ ତୁମ ଭଳି ଏବଂ ତୁମ ପରିବାର ଲୋକଙ୍କ ଭଳି ଆମର ସହାୟତା କରିଥିବା ସବୁ ଲୋକଙ୍କ ପ୍ରତି ଆମେ କୃତଜ୍ଞ । ଆଶା ରହିଛି, ଏ ବର୍ଷ ଆମକୁ ଭୋକରେ ରହିବାକୁ ନ ପଡ଼ିବା ଭଳି ବିକ୍ରିବଟା ହେବ,” ପରମେଶ ଉତ୍ତର ଦେଲେ।
ସେମାନେ ଚାଲି ଚାଲି ଦୋକାନ ପାଖକୁ ଫେରିଗଲେ । ଚା’ ଓ ଜଳଖିଆ ପାଇଁ ସେଠାରେ ଲୋକଙ୍କ ଧାଡ଼ି ଲାଗିଥିଲା । ଅରୁଣ ଦେଖିଲା ଯେ ମଙ୍ଗେଶ ଓ ଈଶ୍ଵରନ ଭାଉ ଦୋକାନର ରେଡିଓକୁ ମୋଡ଼ାମୋଡ଼ି କରିବାରେ ବ୍ୟସ୍ତ ଥିଲେ । ସବୁଦିନ ସକାଳେ ବାବା ରେଡିଓ ଶୁଣୁଥିଲେ । ହେଲେ କିଛି ଦିନ ହେଲା ଏହା କାମ କରୁ ନଥିଲା । ଜଣେ ଇଞ୍ଜିନିୟର ହୋଇଥିବାରୁ ଈଶ୍ଵରନ୍ ଏହାକୁ ସଜାଡ଼ିବେ ବୋଲି କହିଥିଲେ।
ଖାଇବା ଜିନିଷ ଥିବା ଚାରିଟି ପ୍ଲେଟ୍କୁ ହାତରେ ଧରି ଭାରସାମ୍ୟ ରଖିବାକୁ ଚେଷ୍ଟା କରୁଥିବା ଅରୁଣ ଭାବୁଥିଲା, ଭାଉ ଭଳି ସେ ବି ଏଠାରେ ପହଞ୍ଚୁଥିବା ଏହି ଲୋକଙ୍କ ଭିଡ଼ ଭିତରୁ ଜଣେ ସାଙ୍ଗକୁ ଖୋଜି ପାଆନ୍ତା କି। ଏବଂ ପରେ ସେ ଖୋଜି ବି ନେଲା।
ଆଗରୁ ସେଠାରେ ପହଞ୍ଚି ଥିବା ଅନେକ ପ୍ରବାସୀ ସେଦିନ ସନ୍ଧ୍ୟାରେ ଯିବାରେ ଲାଗିଲେ। ଦିଲୀପ କାକା (ବୟସ୍କ ଲୋକଙ୍କ ପାଇଁ ଶ୍ରଦ୍ଧାପୂର୍ଣ୍ଣ ମରାଠୀ ଶବ୍ଦ, କକା ସହ ସମାନ) ଦୋକାନକୁ ଆସିଲେ ଏବଂ ଅରୁଣର ମୁଣ୍ଡକୁ ଆଉଁସି ଦେଲେ ଏବଂ ସେମାନେ ପାଦକୁ ବିଶ୍ରାମ ଦେଉଥିବା ବେଳେ ଏତେ ଭଲ ଭାବରେ ସେମାନଙ୍କର ସେବାଯତ୍ନ କରିଥିବାରୁ ତାକୁ ଓ ତା’ର ପରିବାରକୁ ଧନ୍ୟବାଦ ଦେଲେ। କାଳେ ସେମାନଙ୍କ ଗାଁ ଆଡ଼କୁ କୌଣସି ବସ୍ କି ଟ୍ରକ୍ ମିଳିଯିବ ବୋଲି ଆଶା କରି ସେମାନେ ସେଠାରେ କିଛି ଦିନ ଅପେକ୍ଷା କରିଥିଲେ ହେଁ ତାହା ସେମାନଙ୍କ ଭାଗ୍ୟରେ ଜୁଟି ନଥିଲା। ତେଣୁ ସେମାନେ ପୁଣି ଥରେ ନିଜ ନିଜର ଗାଁ ଅଭିମୁଖେ ପାଦରେ ଚାଲିବା ଆରମ୍ଭ କଲେ । ଅରୁଣ ହାତ ହଲାଇ ଦିଲୀପ କାକା ଓ ଅନ୍ୟ ଶ୍ରମିକମାନଙ୍କୁ ବିଦାୟ ଦେଲା ଏବଂ ଫେରି ଆସି ନିକଟରେ ସେଠାରେ ପହଞ୍ଚିଥିବା ଲୋକମାନଙ୍କ ପାଇଁ ପ୍ଲେଟ୍ ସଜାଇବାରେ ଲାଗିଲା।
ସେମାନଙ୍କ ମଧ୍ୟରୁ ଗୋଟିଏ ପରିବାରକୁ ଖାଦ୍ୟ ପରଷି ଦେଉଥିବା ବେଳେ ଅରୁଣ ଲକ୍ଷ୍ୟ କଲା ଯେ ତା’ରି ବୟସର ଝିଅଟିଏ ବହିରେ ନାକ ପୂରାଇ ପଢୁଛି। ପ୍ଲେଟ୍ଗୁଡ଼ିକୁ ତଳେ ରଖିବା ପରେ ଅରୁଣ ସେଠାରେ ଲାଜଲାଜ ଭାବ ସହିତ ଠିଆ ହୋଇ ରହିଲା । କାଳେ ଝିଅଟିର ନଜର ତା ଉପରେ ପଡ଼ିବ ବୋଲି ସେ ଆଶା କରୁଥିଲା । ଶେଷରେ ଝିଅଟି ମୁଣ୍ଡ ଟେକି ଚାହିଁଲା ଏବଂ ତାକୁ ପାଖରେ ବସିବାକୁ କହିଲା। ଅରୁଣ ଭାବିଲା, ବୋଧହୁଏ ସେ ବି ତା’ଭଳି ଜଣେ ସାଙ୍ଗ ଖୋଜୁଥିଲା । ସେମାନେ କଥାବାର୍ତ୍ତା ଆରମ୍ଭ କଲେ ଏବଂ ଝିଅଟି ତା ନାଁ ଷଷ୍ଠୀ ବୋଲି କହି ନିଜର ପରିଚୟ ଦେଲା।

ସେ ତାକୁ କହିଲା କେମିତି ଘରକୁ ଫେରିବା ବାଟରେ ତା’ ମାଆର ଜଣେ ବାନ୍ଧବୀ ତାଙ୍କର୯ ବର୍ଷର ଝିଅକୁ ହରାଇଲେ । ପ୍ରବଳ ଗରମ ଯୋଗୁଁ ଶରୀରରେ ଜଳୀୟ ଅଂଶର ଏତେ ଅଭାବ ହେଲା ଯେଝିଅଟି ଅଚେତ ହୋଇ ପଡ଼ିଗଲା ଏବଂ ଆଉ ଉଠିଲା ନାହିଁ । ଅରୁଣ ଚୁପ୍ ହୋଇଗଲା । ବୟସରେ ତା’ଠାରୁ ବି ସାନ କେହି ଜଣେ ପ୍ରାଣ ହରାଇଲା ଏବଂ ସେ ଆଉ କେବେ ବି ଖେଳିବାକୁ କି ସ୍କୁଲ ଯିବାକୁ ସକ୍ଷମ ହେବ ନାହିଁ ବୋଲି ଶୁଣି ସେ ଡରି ଯାଇଥିଲା।
ଷଷ୍ଠୀ କହିଲା, “ମୋ ମାଆ କହୁଥିଲେ ଯେ ଯଦି ଲକ୍ଡାଉନ୍ ପାଇଁ ଲୋକଙ୍କୁ ଆଉ ଅଧିକ ସମୟ ମିଳିଥାଆନ୍ତା, ତେବେ ସେଇ ଝିଅଟି ଆଜି ବି ବଞ୍ଚିଥାଆନ୍ତା।”
ଅରୁଣ ମୁଣ୍ଡ ହଲାଇ ହଁ କଲା ।“ସେମାନେ ପ୍ରସ୍ତୁତ ହେବାକୁ ସମୟ କାହିଁକି ପାଇଲେନି?” ସେ ପଚାରିଲା। “କେବଳ ସେହି ରାତିରେ କାହିଁକି ସେମାନଙ୍କୁ ଏ କଥା କୁହାଗଲା?”
“ମୁଁ ଜାଣିନି,” ଷଷ୍ଠୀ ଉତ୍ତର ଦେଲା। “ମୋ ମାଆ କହନ୍ତି ବଡ଼ ବଡ଼ ସହରରେ ରହୁ ନଥିବା ଆମ ଭଳି ଲୋକଙ୍କ କଥା ପ୍ରକୃତରେ କେହି ଭାବନ୍ତି ନାହିଁ।
ଅରୁଣ ଦେଖିଲା ଯେ ଷଷ୍ଠୀ ଆଙ୍କିଥିବା ଗୋଟିଏ ମାନଚିତ୍ରରେ ରଙ୍ଗ ଦେବା ପାଇଁ ତା’ର ବହିଟିକୁ ଉଠାଇଲା। ସେ ବି ରଙ୍ଗ କରିବାକୁ ଚାହୁଁଛି କି ବୋଲି ସେ ତାକୁ ପଚାରିଲା ଏବଂ ଅରୁଣ ତା ସହ ମିଶି ରଙ୍ଗ ଦେବାକୁ ଉଦ୍ୟମ କରୁଥିବା ବେଳେ କାମରେ ସହାୟତା କରିବାକୁ ତା’ର ମାଆ ତାକୁ ଡାକିଲେ।
“ପରେ ଆସିବୁ,” ଆଦରରେ ସାମାନ୍ୟ ହସି ଷଷ୍ଠୀ କହିଲା। “ତୋ ପାଇଁ ମୁଁ ମାନଚିତ୍ରରେ ହଳଦିଆ ରଙ୍ଗ ଦେବାକୁ ଜାଗା ରଖିଦେବି।”
ଅରୁଣ ଦୋକାନରେ ପହଞ୍ଚିଲା ଏବଂ ତା’ର ବଡ଼ଭାଇ ଫୋନ୍ରେ ତାଙ୍କ ଶିକ୍ଷକଙ୍କ ସହିତ କଥାବାର୍ତ୍ତା କରୁଥିବାର ଦେଖିଲା।

“ସାର୍, ମୋତେ ଏଠି ଲୋକଙ୍କୁ ଚା’ ଓ ଜଳଖିଆ ଦେବାକୁ ପଡ଼ିବ, ହେଲେ ମୁଁ ଇୟରଫୋନ୍ ଅନ୍ କରିଥିବି ଏବଂ କାମ କରୁଥିବା ବେଳେ ଆପଣଙ୍କ ପଢ଼ାଉଥିବା ପାଠ ଶୁଣୁଥିବି,” ଭାଉ କହୁଥିଲେ।
ଅରୁଣ ଜାଣିଥିଲା ଯେ ସାରା ଦିନ ପାଠପଢ଼ା ସହ କାମ କରିବାକୁ ଚେଷ୍ଟା କରି କରି ତା’ର ବଡ଼ଭାଇ କ୍ଳାନ୍ତ ହୋଇପଡ଼ିଛନ୍ତି । କିନ୍ତୁ ତା’ର ବାପାମାଆ କହୁଥିଲେ ଯେ ସ୍କୁଲ ସହ ସଂପର୍କ ନ ହରାଇବା ତା ପାଇଁ ବଡ଼କଥା । ସେ ତାଙ୍କ ସାଙ୍ଗମାନଙ୍କ ସହ ବୁଲାବୁଲି କରିବା ଏବଂ ସବୁଦିନ ଶ୍ରେଣୀକୁ ଯାଇ ନୂଆ ନୂଆ କଥା ଶିଖିବାରୁ ବଞ୍ଚିତ ହୋଇଥିଲେ । ଲକ୍ଡାଉନ୍ ସମୟରେ ତାଙ୍କ ଶିକ୍ଷକମାନେ ବି ଅନ୍ଲାଇନ୍ କ୍ଲାସ୍ କରୁଥିଲେ । କିନ୍ତୁ ତାଙ୍କ ପରିବାର ପାଖରେ ଗୋଟିଏ ମାତ୍ର ସ୍ମାର୍ଟଫୋନ୍ ଥିବାରୁ ବୟସରେ ବଡ଼ ଭାଉ ପାଇଁ ହିଁ ଏହା ଅଧିକ ଦରକାର ବୋଲି ସ୍ଥିର କରାଯାଇଥିଲା।
ସାଧାରଣ ଦିନ ତୁଳନାରେ ସେଦିନ ଅରୁଣ ଶୀଘ୍ର ଶୀଘ୍ର କାମ କଲା । କାମରୁ ଶୀଘ୍ର ଫେରିଯାଇ ଷଷ୍ଠୀକୁ ତା’ର ମାନଚିତ୍ର ରଙ୍ଗ କରିବାରେ ସାହାଯ୍ୟ କରିବାକୁ ସେ ଚାହୁଁଥିଲା । ଶେଷରେ କଥାବାର୍ତ୍ତା କରିବାକୁ ତାକୁ ତା ବୟସର କେହି ଜଣେ ମିଳିଯାଇଥିବାରୁ ସେ ଉଦ୍ବିଗ୍ନ ହୋଇପଡ଼ିଥିଲା । ଦୋକାନ ସଫା କରି ସାରିବା ପରେ ସେ ତା ସାଙ୍ଗକୁ ଖୋଜିବା ପାଇଁ ପୁଣି ସେହି ପଡ଼ିଆକୁ ଦୌଡ଼ି ଗଲା।
“ତୁ ଏ ମାନଚିତ୍ରକୁ କାହିଁକି ରଙ୍ଗ କରୁଛୁ?” ଅରୁଣ ପଚାରିଲା।
ଷଷ୍ଠୀ ତା’ ବ୍ୟାଗ୍ ଭିତର ଖୋଜିବାରେ ଲାଗିଲା ଏବଂ କେତେକ ବହି ବାହାର କଲା।“ମୁଁ ସ୍କୁଲ ଯାଇ ନପାରିବା ସମୟରେ ପଢ଼ିବା ଲାଗି ମୋ ଶିକ୍ଷକ ମୋତେ ଗୋଟିଏ ‘ହାପି ବକ୍ସ’ ଦେଇଥିଲେ ଯେଉଁଥିରେ ଅଲଗା ଅଲଗା ପ୍ରକାରର ବହି ଥିଲା । ଏହି ବହିଗୁଡ଼ିକରୁ ଗୋଟିଏ ବହିରେ ଏହି ମାନଚିତ୍ର ଆଙ୍କିବା କାମ ରହିଥିଲା।”
ସେ ଅରୁଣକୁ କହିଲା ଯେ ତା’ର ଶିକ୍ଷକ ତାକୁ ସେ ରହୁଥିବା ସ୍ଥାନ ଚାରିପାଖର ମାନଚିତ୍ର ଆଙ୍କିବାକୁ କହିଥିଲେ ଏବଂ ତେଣୁ ସେ ତା ବାପାମାଆ ଯେଉଁଠାରେ କାମ କରୁଥିଲେ, ସେହି ଅଞ୍ଚଳର ମାନଚିତ୍ର ଆଙ୍କିଲା । ଏ କଥା ଜାଣି ଅରୁଣ ବିସ୍ମିତ ହେଲା ଯେ ଚାରିଆଡ଼େ ଅନେକଗୁଡ଼ିଏ ବଣୁଆ ଜୀବ ରହୁଥିବା ଗୋଟିଏ ସ୍ଥାନରେ ସେ କାମ କରୁଥିଲା। ଷଷ୍ଠୀ କହିଲା ଯେ ମୁମ୍ବାଇ ଉପକଣ୍ଠର ଗୋଟିଏ ସ୍ଥାନରେ ତା’ର ବାପା ମାଆ ଘରତିଆରି କାମ କରୁଥିଲେ । ସେ ତାକୁ କହିଲା ଯେ ଥରେ ସେ ଗୋଟିଏ ଚିତାବାଘ ଦେଖିଥିଲା ଏବଂ ତାକୁ ଦେଖି ବାଘଟି ଦୌଡ଼ି ପଳାଇଲା । ଅରୁଣ ଦୀର୍ଘଶ୍ଵାସ ନେଲା ଏବଂ ନିକଟରେ ଏବେ ସେ ପ୍ରଥମ ଥର ପାଇଁ ଘୋଡ଼ା ଦେଖିଲା ବୋଲି କହିଲା।
ଦୁହେଁ ସ୍କୁଲକୁ କେତେ ଝୁରି ହେଉଥିବା ସଂପର୍କରେ କଥା ହେଲେ । ଯେହେତୁ ସେମାନଙ୍କ ବାପାମାଆମାନେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଇ ରହୁଥିଲେ, ଦୁହିଁଙ୍କ ମଧ୍ୟରୁ କେହି ହେଲେ ନିୟମିତ ସ୍କୁଲ ଯାଇପାରୁ ନଥିଲେ । ଲକ୍ଡାଉନ୍ ଓ ଭୂତାଣୁ ବ୍ୟାପିବା ଆଶଙ୍କା ଯୋଗୁଁ ଆଗକୁ ସେମାନଙ୍କ ପାଇଁ ସ୍କୁଲକୁ ଯିବା ସୁଦୂର ସ୍ଵପ୍ନରେ ପରିଣତ ହେବା ପରି ଲାଗୁଥିଲା।
“ମୁଁ ମୋ ଖାତାରୁ ଉତ୍ତରଗୁଡ଼ିକ ଲିଭାଇ ଦିଏ ଏବଂ ପ୍ରକୃତରେ ସେଗୁଡ଼ିକୁ ଭୁଲିଯିବା ଲାଗି ବହୁ ଚେଷ୍ଟା କରେ ଏବଂ କିଛି ଦିନ ପରେ ନିଜକୁ ପରୀକ୍ଷା କରିବା ପାଇଁ ପୁଣି ନିଜେ ନିଜେ ସେଗୁଡ଼ିକର ଉତ୍ତର ପାଇବାକୁ ଚେଷ୍ଟା କରେ,” ପାଠପଢ଼ା ସହ ସଂପର୍କ ରଖିବାକୁ ସେ କେମିତି ଚେଷ୍ଟା କରେ ବୋଲି ବୁଝାଇବାକୁ ଯାଇ ଅରୁଣ କହିଲା।
ଷଷ୍ଠୀ ଗୋଟି ଗୋଟି କରି ତା’ର ସବୁ ବହି ଅରୁଣକୁ ଦେଖାଇଲା ଏବଂ ସେ ବହିର ପୃଷ୍ଠାଗୁଡ଼ିକୁ ଯତ୍ନର ସହିତ ଓଲଟାଇଲା। ଏ ସବୁ ବହିରେ ଡ୍ରାଗନ୍ ଓ ଯାଦୁକର ଚରିତ୍ର ଥିବା ମଜାଦାର କ୍ଷୁଦ୍ରଗଳ୍ପ ସହିତ ଶବ୍ଦ ସନ୍ଧାନ, ଶବ୍ଦଗଠନ, ରଙ୍ଗ ଦେବା ଏବଂ ଗୋଲକଧନ୍ଦା ଭଳି କାମ ରହିଥିଲା।
ଅରୁଣ ଓ ଷଷ୍ଠୀ ମିଶି ଗୋଟିଏ ଶବ୍ଦ ଧନ୍ଦାର ସମାଧାନ କଲେ ଏବଂ ପରେ ଷଷ୍ଠୀ ଗୋଟିଏ ଗଳ୍ପକୁ ବଡ଼ ପାଟିରେ ପଢ଼ିବା ସମୟରେ ଅରୁଣ ତା ସାମନାରେ ଗୋଡ଼ ଉପରେ ଗୋଡ଼ ରଖି ବସି ଶୁଣିଲା। “ସୁସ୍ଵାଦୁ ଖାଦ୍ୟ ରାନ୍ଧୁଥିବା ଜଣେ ବ୍ୟକ୍ତିଙ୍କ ପାଇଁ ପ୍ରଯୁଜ୍ୟ ଚାରିଟି ଅକ୍ଷରର ଏକ ଶବ୍ଦ କ’ଣ ?”ଗୋଟିଏ ଶବ୍ଦ ଧନ୍ଦାର ସମାଧାନ ପାଇଁ ଚେଷ୍ଟା କରିବା ବେଳେ ଷଷ୍ଠୀ ପଚାରିଲା।
‘ବାବା,”ଆତ୍ମବିଶ୍ଵାସଭରା କଣ୍ଠରେ ଉତ୍ତର ଦେଲା ଅରୁଣ।
ଷଷ୍ଠୀ ହସିବାରେ ଲାଗିଲା ଏବଂ ଅରୁଣକୁ କହିଲା ଯେ ଏହାର ଉତ୍ତର ହେଲା ‘ରାନ୍ଧୁଣିଆ’।
ବିଶ୍ରାମ ନେଇ ସାରିବା ପରେ, ଷଷ୍ଠୀ ଓ ତା’ର ମାଆ ସେଠାରୁ ଯିବାକୁ ବାହାରିଲେ ଏବଂ ଭାଗ୍ୟକୁ ସେମାନଙ୍କ ଗାଁକୁ ଯାଉଥିବା ଏକ ବସ୍ ମିଳିଗଲା । ଶେଷରେ ପ୍ରବାସୀ ଶ୍ରମିକମାନେ ଚାଲି ଚାଲି ଘରକୁ ଫେରୁଥିବା ଖବର ସରକାରଙ୍କ କାନରେ ପଡ଼ିଥିଲା ଏବଂ ଧୀରେ ଧୀରେ ସରକାର ସେମାନଙ୍କ ପାଇଁ କେତେକ ବସ୍ ଓ ଟ୍ରେନ୍ ଯୋଗାଡ଼ କରିବା ଆରମ୍ଭ କରିଥିଲେ।
ଈଶ୍ଵରନ୍ ଏବଂ ଆଶିଷ ସେମାନଙ୍କ ସାଇକେଲରେ ଭଣ୍ଡାରା ଅଭିମୁଖେ ଯାତ୍ରା ଆରମ୍ଭ କରିଦେଇଥିଲେ । ପରମେଶ କାକାଙ୍କ ଘୋଡ଼ାମାନେ ଲାଞ୍ଜ ଛାଟୁଥିଲେ, କାହିଁକି ନା ଆଖପାଖ ପଡ଼ିଆରେ ଚରିବା ପାଇଁ ଥିବା ଘାସ ସରି ସରିଆସିଥିବାରୁ ଧାଙ୍ଗର ପରିବାର ବି ସେ ସ୍ଥାନ ଛାଡ଼ିଥିଲେ।
ରେଡିଓର କର୍କଶ ସ୍ଵର ଭାସି ଆସୁଥିବା ବେଳେ ପରବର୍ତ୍ତୀ ପ୍ରବାସୀ ଗ୍ରାହକମାନଙ୍କ ପାଇଁ ପ୍ଲେଟ୍ ସଜାଡ଼ିବା ଲାଗି ଆଇ ଅରୁଣକୁ ଡାକ ପକାଉଥିଲେ।
କପ୍ଗୁଡ଼ିକରେ ଚା’ ଢାଳୁ ଢାଳୁ ବାବା ରେଡିଓର ଶବ୍ଦ ବଢ଼ାଇ ଦେଇଥିଲେ । ରେଡିଓରୁ ଦୁଲେ ନାମକ ଜଣେ ଯୁବକଙ୍କ ରାପ୍ ଗୀତ ଭାସି ଆସୁଥିଲା । ଅରୁଣକୁ ଭାଉ ତାଙ୍କ ଫୋନ୍ରେ ଦୁଲେଙ୍କର ରାପ୍ ଗୀତ ଭିଡିଓ ଦେଖାଇଥିଲେ । ସେ ଅରୁଣକୁ କହିଥିଲେ ଯେ ଏହି ଗୀତଟି ନିକଟରେ ଇଣ୍ଟରନେଟ୍ରେ ଭାଇରାଲ ହୋଇଥିଲା । “ତା’ର ଅର୍ଥ ସେ ଖୁବ୍ ନାଁ କରିଥିଲେ ଏବଂ ବହୁ ଲୋକ ତାଙ୍କ ଗୀତକୁ ଜାଣିଛନ୍ତି,”ଭାଉ ତାକୁ ବୁଝାଇ ଦେଇଥିଲେ।

ଓଡ଼ିଶାର କଳାହାଣ୍ଡିରେ ରହୁଥିବା ଜଣେ ଟ୍ୟୁସନ୍ ଶିକ୍ଷକ, ନିର୍ମାଣ ଶ୍ରମିକ ଏବଂ ସାମୟିକ ପ୍ରବାସୀ ଶ୍ରମିକ ଦୁଲେ ପ୍ରବାସୀ ଶ୍ରମିକମାନଙ୍କର ଘରବାହୁଡ଼ା କଷ୍ଟ ସଂପର୍କରେ ରାପ୍ ଗୀତ ଗାଉଥିବା ବେଳେ ଖୁବ୍ ରାଗିଯାଇଥିବା ଭଳି ଶୁଭୁଥିଲା।
ସରକାର ତୁଇ ଜବାବ ଦେ!
ସରକାର ତୁମେ ଜବାବ ଦିଅ
ହେ ସରକାର! ଜବାବ ଦିଅ!
ଜବାବ ଦିଅ!
କାହିଁକି ସେ ଗର୍ଭବତୀ ନାରୀ ଫେରିଆସୁଛି
ହଜାର ହଜାର କିଲୋମିଟର ଚାଲି ଚାଲି
ପାଦ ପରେ ପାଦ ପକାଇ, ଖାଲି ପାଦରେ
ଗର୍ଭରେ ତା’ର ଛୁଆଟିକୁ ଧରି?
ଅରୁଣ ସେହି ଗୀତକୁ ଶୁଣୁଥିବା ବେଳେ ତାର ମନେ ପଡ଼ିଲା ଟ୍ରକ୍ ପଛରେ ବସି ଆସିଥିବା ଜଣେ ଗର୍ଭବତୀ ମହିଳାଙ୍କ କଥା। ଅତି କଷ୍ଟରେ ସେ ନିଜେ ନିଜେ ଠିଆ ହୋଇଥିଲେ ଏବଂ ଖୁବ୍ ଦୁର୍ବଳ ଦିଶୁଥିଲେ।
ଘରକୁ ଫେରୁଥିବା ଲୋକମାନଙ୍କୁ ଚା’ ଓ ଖାଦ୍ୟ ପରଷି ଦେବାରେ ହିଁ ଅରୁଣ ସେଇ ସପ୍ତାହଟି ବିତାଇଲା । ଭାଉ ଠିକ୍ କହୁଥିଲେ- ପ୍ରତିଦିନ ସକାଳେ ସେମାନେ ଉଠିବା ବେଳକୁ ରାତି ସାରା ପାଦରେ ଚାଲି ଚାଲି ନାଗପୁରରେ ପହଞ୍ଚୁ ଥିବା ନୂଆ ନୂଆ ଲୋକଙ୍କୁ ଦେଖିବାକୁ ମିଳୁଥିଲା । ଥରେ ସନ୍ଧ୍ୟାରେ ସମ୍ବାଦ ଚାଲିଥିବା ବେଳେ କେମିତି ସବୁ ବଡ଼ ବଡ଼ ସହର ପ୍ରଥମ ଥର ପାଇଁ ଖାଲି ହୋଇଯାଇଛି ଏବଂ ନିରବ ହୋଇଯାଇଛି ବୋଲି ଭାଉ ଅରୁଣକୁ କହିଲେ । ୪୪ ନମ୍ବର ଜାତୀୟ ରାଜପଥ ଉପରେ ରାତିର ଅନ୍ଧାର ଘୋଟି ଆସୁଥିଲା ଏବଂ ରାସ୍ତାକଡ଼ର ଆଲୁଅ ଜଳିବାରେ ଲାଗିଥିଲା । ଏ ସବୁ କେତେ ଆଶ୍ଚର୍ଯ୍ୟର କଥା ବୋଲି ଅରୁଣ ଭାବୁଥିଲା । ସହରର ଲୋକେ ନିଜ ନିଜ ଘର ଭିତରେ ରହିଥିଲେ, ଏବଂ ବାହାରେ, ଦେଶର କେନ୍ଦ୍ରସ୍ଥଳ ନାଗପୁରରେ ଥିବା ସେମାନଙ୍କର ଛୋଟିଆ ଚା’ ଦୋକାନ ବାହାରେ, ଯେତେ ଦୂର ପର୍ଯ୍ୟନ୍ତ ତା’ର ଆଖି ଯାଉଥିଲା, ସେତେଦୂର ଯାଏ ପୁରୁଷ, ମହିଳା ଓ ପିଲାମାନଙ୍କର ଏକ ଅସରନ୍ତି ଧାଡ଼ି ଲମ୍ବିଥିଲା । ସମସ୍ତେ ନିଜ ନିଜର ସମଗ୍ର ଜୀବନକୁ ପିଠିରେ ବୋହି ଚାଲିଥିଲେ।
ଏ ଥିଲା ଏକ ଲକ୍ଡାଉନ୍, କିନ୍ତୁ ସାରା ଦେଶ ପାଦରେ ଚାଲୁଥିଲା।
PARI ଶିକ୍ଷା ଟିମ୍ର ମତାମତ
୨୦୧୯ ମସିହା ଶେଷ ଭାଗରେ ଲୋକଙ୍କ ମଧ୍ୟରେ ସାର୍ସ-କରୋନା ଭାଇରସ୍ ନାମକ ଏକ ମାରାତ୍ମକ ରୋଗ ଦେଖାଦେଲା। ମାସକ ପରେ, ୨୦୨୦ ମାର୍ଚ୍ଚ ସୁଦ୍ଧା ଏହି ଭୂତାଣୁ ଭାରତରେ ପହଞ୍ଚି ସାରିଥିଲା ଏବଂ ଶହ ଶହ ଲୋକ ଏହି ଭୂତାଣୁ ଦ୍ଵାରା ସଂକ୍ରମିତ ହେଲେ ଏବଂ ସେମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିଲା।
୨୦୨୦ ମସିହା ମାର୍ଚ୍ଚ ୨୪ ତାରିଖ ସନ୍ଧ୍ୟା ୮ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ଲକ୍ଡାଉନ୍ ଘୋଷଣା କଲେ, ଯାହାକି ସେହି ମଧ୍ୟରାତ୍ରୀରୁ କାର୍ଯ୍ୟକାରୀ ହେଲା । ଏ ସଂପର୍କରେ ମାତ୍ର ଚାରି ଘଣ୍ଟା ପୂର୍ବରୁ ସୂଚିତ କରାଯାଇଥିଲା ଏବଂ ଫଳରେ ସମସ୍ତ ଅଣ-ଅତ୍ୟାବଶ୍ୟକ ଏବଂ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତି ଆବଶ୍ୟକ କରୁଥିବା କାର୍ଯ୍ୟାବଳି ତଥା ବିଭିନ୍ନ ସହର ଭିତରେ ଓ ଭିନ୍ନ ଭିନ୍ନ ସହର ମଧ୍ୟରେ ଚଳାଚଳ କରୁଥିବା ରାଜ୍ୟ ପରିବହନ ବ୍ୟବସ୍ଥା ଠପ୍ ହୋଇଗଲା।
ମୋଟାମୋଟି ଭାବେ କହିବାକୁ ଗଲେ ପ୍ରତି ତିନି ଜଣରେ ଜଣେ ଭାରତୀୟ ବା ଭାରତର ୪୫ କୋଟି ୩୬ ଲକ୍ଷ ଲୋକ ପ୍ରବାସୀ- ଅର୍ଥାତ୍ କାମଧନ୍ଦା ଅନ୍ଵେଷଣରେ ନିଜ ରାଜ୍ୟ ଛାଡ଼ି ଅନ୍ୟ ସ୍ଥାନକୁ ଯାଉଥିବା ଲୋକେ । ଅଧିକାଂଶ ଭାରତୀୟ ସେମାନଙ୍କର ଚାଷଜମିରେ କାମ କରନ୍ତି ସତ, ହେଲେ ବିଗତ କେଇ ଦଶନ୍ଧି ଧରି ଚାଷକାମ ବେଶ୍ ଖର୍ଚ୍ଚବହୁଳ ହୋଇପଡ଼ିଛି ଏବଂ ଫସଲ ଅମଳରୁ ଚାଷୀମାନଙ୍କ ସମ୍ଭାବ୍ୟ ରୋଜଗାର ତୁଳନାରେ ବିହନ, ସାର, କୀଟନାଶକ ଏବଂ ପାଣି ବାବଦ ଖର୍ଚ୍ଚ ଅଧିକ ହୋଇଯାଇଛି । ସେମାନେ ନିଜ ଚାଷଜମି ଛାଡ଼ି ହୁଏତ ଅନ୍ୟର ଜମିରେ ଶ୍ରମିକ ଭାବରେ କାମ କରିବାକୁ କିମ୍ବା କାମଧନ୍ଦା ଖୋଜିବା ପାଇଁ ବଡ଼ ବଡ଼ ସହରକୁ ଚାଲିଯିବାକୁ ବାଧ୍ୟ ହେଉଛନ୍ତି । ସେମାନେ ହେଲେ ସେହି ଲୋକେ ଯେଉଁମାନଙ୍କୁ ଆମେ ଆମ ଚାରିପାଖରେ ଦେଖିଥାଉ- ନିର୍ମାଣ ଶ୍ରମିକ, ବଡ଼ ବଡ଼ କୋଠାର ସୁରକ୍ଷା ପାଇଁ ନିୟୋଜିତ ଜଗୁଆଳି, ଫଳ ଓ ପରିବା ବିକାଳି, ରୋଷେୟା ଏବଂ ଡ୍ରାଇଭର।
୨୦୨୦ ମାର୍ଚ୍ଚରୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ଯେଉଁ ସହରରେ କାମ କରୁଥିଲେ ସେହିଠାରେ ହିଁ ଫସିଗଲେ- ସେମାନେ କାମ ପାଇଁ ବାହାରକୁ ବାହାରି ପାରିଲେ ନାହିଁ କି ପରିବହନ ବ୍ୟବସ୍ଥା ନ ଥିବାରୁ ନିଜ ନିଜ ଘରକୁ ଯାଇପାରିଲେ ନାହିଁ । ଯେଉଁମାନେ ତରତର ହୋଇ ବାହାରି ଯାଇଥିଲେ ସେମାନଙ୍କ ଉପରେ ବିଭିନ୍ନ ବସ୍ ଷ୍ଟାଣ୍ଡ ଏବଂ ରେଳ ଷ୍ଟେସନରେ ଲାଠିମାଡ଼ କରାଗଲା କିମ୍ବା ସେମାନଙ୍କୁ ମାଡ଼ ମରାଗଲା।
କୁହାଯାଏ, ସହରରୁ ଗାଁ ଅଭିମୁଖେ ପ୍ରବାସୀ ଶ୍ରମିକମାନଙ୍କର ଏହି ସାମୂହିକ ପଳାୟନ ଆଧୁନିକ ଭାରତ ଇତିହାସରେ ଅନ୍ୟତମ ବୃହତ୍ତମ ମାନବୀୟ ସଂକଟର ନିଦର୍ଶନ । ପ୍ରବଳ ଖରାତାତି ଏବଂ ପାଦରେ ଚାଲି ଚାଲି ଥକିଯିବା ଯୋଗୁଁ ବହୁ ଲୋକ ରାସ୍ତାରେ ହିଁ ପ୍ରାଣ ହରାଇଲେ । ଯେଉଁମାନେ କୌଣସିମତେ ନିଜ ନିଜ ଗାଁରେ ପହଞ୍ଚିଲେ, କାଳେ ସେମାନେ ଭୂତାଣୁର ବାହକ ହୋଇଥିବେ ବୋଲି ଆଶଙ୍କା କରି ଗାଁରେ ପଡ଼ୋଶୀମାନେ ପ୍ରଥମେ ସେମାନଙ୍କୁ ଘରେ ପୂରାଇ ଦେଲେ ନାହିଁ । ଥରେ ଘରେ ପହଞ୍ଚିଯିବା ପରେ ରୋଜଗାର କରିବାର ଚିନ୍ତା ସେମାନଙ୍କୁ ଘାରିବାରେ ଲାଗିଲା । ଗାଁରେ ସେମାନଙ୍କ ପାଇଁ କୌଣସି କାମ ନଥିଲା-କାରଣ ପ୍ରଥମରୁ ହିଁ ସେମାନେ ଗାଁ ଛାଡ଼ି ଚାଲି ଯାଇଥିଲେ।
ଉପରୋକ୍ତ କ୍ଷୁଦ୍ରଗଳ୍ପଟି ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆ (PARI)ରେ ପ୍ରକାଶିତ ନିମ୍ନଲିଖିତ ଲେଖାଗୁଡ଼ିକ ଉପରେ ଅଧାରିତ:
- ‘ସତେ ଯେମିତି ସାରା ଦେଶ ଚାଲୁଥିଲା’
- ବିଦାର ଜମିରେ ବୁହାଉଛନ୍ତି ଝାଳ
- ଚାଷ ଛାଡ଼ି ଅସ୍ତିତ୍ଵ ନଥିବା ଚାକିରି ସନ୍ଧାନ
- ‘ଘର ଭିତରେ ରହିବା ପାଇଁ ଆମ ପାଖରେ ଘର ନାହିଁ’
- ଅନ୍ଲାଇନ୍ରେ ପାଠପଢ଼ା, ଅଫ୍ଲାଇନ୍ରେ ଶ୍ରେଣୀ ବିଭାଜନ
- ‘ହାପି ବକ୍ସ’: ହାତପାଆନ୍ତାରେ ପାଠ
- ଛନ୍ଦ ଆଉ ତର୍କ ସହିତ- ପ୍ରବାସୀଙ୍କ ପାଇଁ ରାପ୍ ଗୀତ
- ଭାରତର ମଧ୍ୟଭାଗ ଦେଇ ଗୃହାଭିମୁଖେ ଅଭିଯାନ
- ବିଦର୍ଭର ଗୋପାଳକମାନେ ମହାମାରୀର ମୂଲ୍ୟ ଦେଉଛନ୍ତି
ରାପ୍ ଗାୟକ ଦୁଲେଶ୍ଵର ତାଣ୍ଡି ଏବଂ ତାଙ୍କ କାର୍ଯ୍ୟ ସନ୍ଦର୍ଭରେ ଯାହା କୁହାଯାଇଛି (ଲେଖାରେ ପୁନଃ ପ୍ରକାଶିତ) ତାହା ବ୍ୟତୀତ ଆଉ ସମସ୍ତ ନାଁ, ସ୍ଥାନ, ସଂଳାପ ଏବଂ ଘଟଣାବଳୀ ଲେଖକଙ୍କ କଳ୍ପନାପ୍ରସୂତ।
ବ୍ୟବହୃତ ଶବ୍ଦାବଳି
ଆଇ- ମରାଠୀରେ ମାଆ
ବାବା-ମରାଠୀରେ ବାପା
ଦାଦା-ମରାଠୀରେ ଜଣେ ବଡ଼ଭାଇ କିମ୍ବା ବଡ଼ଭାଇ ତୁଲ୍ୟ ବ୍ୟକ୍ତିଙ୍କ ପ୍ରତି ଶ୍ରଦ୍ଧା ସମ୍ବୋଧନ
ଭାଉ- ନିଜ ବଡ଼ଭାଇ କିମ୍ବା ବଡ଼ଭାଇଙ୍କ ଭଳି ବ୍ୟକ୍ତିଙ୍କ ପ୍ରତି ମରାଠୀରେ ଶ୍ରଦ୍ଧା ସମ୍ବୋଧନ
କାକା-ମରାଠୀରେ ବୟସ୍କ ବ୍ୟକ୍ତି, ଶ୍ରଦ୍ଧା ସମ୍ବୋଧନ, କକାଙ୍କ ସହ ସମାନ
କାକୀ-ମରାଠୀରେ ବୟସ୍କା ମହିଳା, ଶ୍ରଦ୍ଧା ସମ୍ବୋଧନ, ଖୁଡ଼ିଙ୍କ ସହ ସମାନ
Editor's note
ଆୟୁଷି ଶର୍ମା, ଇଂରାଜୀରେ ସ୍ନାତକୋତ୍ତର ଉପାଧି ହାସଲ ପାଇଁ ମୁମ୍ବାଇର ଏସ୍ଏନ୍ଡିଟି ବିଶ୍ଵବିଦ୍ୟାଳୟରେ ପଢୁଛନ୍ତି । ପରୀ ଏଜୁକେସନ୍ରେ ଇଣ୍ଟର୍ନ ଥିବା ସମୟରେ ସେ ଏହି କ୍ଷୁଦ୍ରଗଳ୍ପ ଲେଖିଥିଲେ, ଯାହାକି ୨୦୨୦ ମାର୍ଚ୍ଚ-ଏପ୍ରିଲ ମାସରେ ସାରା ଦେଶରେ ପ୍ରବାସୀମାନଙ୍କର ପ୍ରତ୍ୟାବର୍ତ୍ତନ ସଂପର୍କରେ ପରୀରେ ପ୍ରକାଶିତ କୋଭିଡ୍-୧୯ ସଂପର୍କିତ ବିଭିନ୍ନ ରିପୋର୍ଟ ଉପରେ ଆଧାରିତ । ସେ କହନ୍ତି, “ହୁଏତ ଲକ୍ଡାଉନ୍ ଏକ ସାମଗ୍ରିକ ଅନୁଭୂତି ଭଳି ମନେ ହୋଇପାରେ- ସମଗ୍ର ଦେଶ ଏକଠି ସେହି ସମାନ ଦୁଃଖକଷ୍ଟ ଦେଇ ଗତି କରୁଥିଲା, ହେଲେ ବାସ୍ତବିକତା ହେଲା ଯେ କିଛି ଲୋକ ଅକଳ୍ପନୀୟ ଦୁଃଖଦୁର୍ଦ୍ଦଶା ଭୋଗୁଥିଲେ, କାରଣ ସେମାନେ ଦେଶର ବିଭିନ୍ନ ସ୍ଥାନରେ ଶହ ଶହ କିଲୋମିଟର ପାଦରେ ଚାଲିବାକୁ ବାଧ୍ୟ ହୋଇଥିଲେ ।”
ଜଣେ ଶିଶୁର ଦୃଷ୍ଟିକୋଣରୁ ପ୍ରବାସୀମାନଙ୍କର ଏହି ଦୁଃଖଦୁର୍ଦ୍ଦଶାପୂର୍ଣ୍ଣ ସ୍ଥିତି ଏବଂ କ’ଣ ସବୁ ଘଟିଯାଉଛି ବୋଲି ତା ମନରେ ଉଠୁଥିବା ପ୍ରଶ୍ନାବଳୀକୁ ଏକାଠି କରି ମୁଁ ଏହା ପ୍ରସ୍ତୁତ କରିବାକୁ ଚାହିଁଲି, ଯାହା ଦ୍ଵାରା କି ସର୍ବବ୍ୟାପୀ ମହାମାରୀ ସମୟରେ ଏହି ଅବହେଳିତ ଏବଂ ଉପେକ୍ଷିତ ବର୍ଗର ଲୋକମାନଙ୍କ ପ୍ରତି ଦୃଷ୍ଟି ଆକର୍ଷଣ କରାଯାଇପାରିବ ।
ମୋ ଭଳି, ଏହି କାହାଣୀ ପଢୁଥିବା ପିଲାମାନେ ଗ୍ରାମୀଣ ଭାରତର ଲୋକମାନଙ୍କ ଜୀବନର ଅନୁଭୂତି ସଂପର୍କରେ ସତେଚନ ଏବଂ ସମ୍ବେଦନଶୀଳ ହୋଇପାରିବେ ବୋଲି ମୁଁ ଆଶା କରେ ।”
ବାସ୍ତବ ଘଟଣାବଳୀକୁ କଳ୍ପନା ସହିତ ଯୋଡ଼ିବା ଦ୍ଵାରା ବାସ୍ତବ ଜୀବନର କାହାଣୀ ସଶକ୍ତ ହୋଇଥାଏ ଏବଂ ଏହା ଶିଶୁମାନଙ୍କୁ ଆକର୍ଷିତ କରିବା ଭଳି କାହାଣୀର ରୂପ ନିଏ । ଏହି ପରିପ୍ରେକ୍ଷୀରେ ଏହି ଲେଖା ପ୍ରସ୍ତୁତିରେ ନିର୍ଦ୍ଦେଶନା ଓ ସଂପାଦନା ନିମନ୍ତେ ଶ୍ରୀୟା ନାରାୟଣନଙ୍କୁ ପରୀ ଏଜୁକେସନ୍ ଧନ୍ୟବାଦ ଦେବାକୁ ଚାହେଁ ।
ଅନୁବାଦ: ଓଡ଼ିଶାଲାଇଭ୍ ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।