ବୋତ୍‍ସିଙ୍ଗ ମାନ୍‍ଜିଆଙ୍ଗଙ୍କୁ ୧୪ ବର୍ଷ ବୟସ ହୋଇଥିଲା ଯେତେବେଳେ ସେ ପ୍ରଥମେ ଏକ ସିଂ କିନ୍ଥେଇ ତିଆରି କରିଥିଲେ – ମେଘାଳୟର ଖାସି ସମ୍ପ୍ରଦାୟର ଲୋକମାନେ ବ୍ୟବହାର କରୁଥିବା ଏକ ବାଦ୍ୟଯନ୍ତ୍ର। ବର୍ତ୍ତମାନ, ୬୦ ବର୍ଷ ବୟସରେ, ସେ ଜଣେ ଦକ୍ଷ କାରିଗର ଏବଂ ଯିଏକି ସ୍ଥାନୀୟ ସାମଗ୍ରୀ ଯେପରିକି ପଣସ କାଠ, ମୁଗା ରେଶମ ସୂତା ଏବଂ ଛେଳି ଓ ଗାଈର ଚର୍ମ ବ୍ୟବହାର କରି ଗୋଟିଏ ଫୁଙ୍କି ବାଜା ବଜାଉଥିବା ବାଦ୍ୟଯନ୍ତ୍ର, ଗୋଟିଏ ତାର ବାଦ୍ୟ ଏବଂ ଚାରି ପ୍ରକାରର ବାଦ୍ୟଯନ୍ତ୍ର ତିଆରି କରିପାରନ୍ତି।

ଭିଡିଓ ଦେଖନ୍ତୁ: ମେଘାଳୟରେ ଖାସି ସଙ୍ଗୀତର ତାଳେ ତାଳେ ବାହ ବତ୍‍ର ଢୋଲ ବାଜୁଛି

ମେଘାଳୟର ପାଇନୁର୍ସଲା ବ୍ଲକରେ ଅବସ୍ଥିତ ତାଙ୍କ ଗାଁ ନୋଙ୍ଗବ୍ଲାଇରେ ବୋତସିଙ୍ଗ୍ ବାହ ବତ୍‍ ନାମରେ ଜଣାଶୁଣା। ଆଠ ବର୍ଷ ବୟସରେ ତାଙ୍କ ମା’ଙ୍କର ଦେହାନ୍ତ ହୋଇଥିଲା; ମୃତ୍ୟୁବରଣ କରିସାରିଥିବା ତାଙ୍କର ପିତା ଜଣେ କୃଷକ ଥିଲେ ଯିଏ କମଳା ଚାଷ ଓ ଝାଡୁ ତିଆରି କରୁଥିଲେ। ଏହି ହସ୍ତଶିଳ୍ପ ଶିଖିବାରେ ବାହ ବତ୍‍ ତାଙ୍କ ପରିବାରରେ ପ୍ରଥମ ଥିଲେ। ସେ ପ୍ରଥମେ ଅନ୍ୟ କାରିଗରମାନଙ୍କୁ ଦେଖିବା ଆରମ୍ଭ କରିଥିଲେ ଏବଂ ତା’ପରେ ଏକ ବାଦ୍ୟଯନ୍ତ୍ର ତିଆରି କରିବାକୁ ଚେଷ୍ଟା କରିଥିଲେ। ଏହାକୁ ଠିକ୍ ଭାବରେ କରିବାକୁ ତାଙ୍କୁ କିଛି ସମୟ ଲାଗିଥିଲା, ଏବଂ ସେବେଠାରୁ ସେ ଅଟକି ନାହାଁନ୍ତି କାରଣ ସେ ଆମକୁ କୁହନ୍ତି ଯେ: “ମୋ ପାଇଁ ଏହା ସଙ୍ଗୀତକୁ ଜୀବନ୍ତ ରଖିବା ଏକ ଦାୟିତ୍ୱ ସଦୃଶ।”

ଆମ ସହିତ କଥାବାର୍ତ୍ତା କରୁଥିବାବେଳେ ବାହ ବତ୍‍ ତାଙ୍କ ଘର ସାମ୍ନା ଖୋଲା ପଡିଆରେ ଥିବା ତାଙ୍କ କାର୍ଯ୍ୟସ୍ଥଳରେ ଏକ ସିଂ କନ୍ଥେଇ ଡ୍ରମ୍ ତିଆରି କରୁଛନ୍ତି। ତାଙ୍କ ଚାରିପଟେ ସଫା କରାଯାଇଥିବା ଚମଡ଼ାଗୁଡିକ, ତାଙ୍କର ଉପକରଣ, ପଣସ କାଠ ଗଣ୍ଡିଗୁଡ଼ିକ; ଚମଡ଼ାର ସରୁ ଲମ୍ବା ଖଣ୍ଡଗୁଡ଼ିକ ଏବଂ ବାଦାମୀ ଘାସରେ ଅତି ପତଳା କାଠ ଖଣ୍ଡମାନ ମିଶାଇ ରଖାଯାଇଛି। ସେ କୁହନ୍ତି, “ମୋତେ କେବେ ଏହା ବଜାଇବା ଶିଖାଯାଇ ନଥିଲା। ବାସ୍ତବରେ, ମୁଁ ଗାଁ ପର୍ବ, ପ୍ରତିଯୋଗିତା ଏବଂ ଫଟୋ ବ୍ୟତୀତ ସେମାନଙ୍କ ମଧ୍ୟରୁ ଅନେକଙ୍କୁ କେବେବି ଦେଖିନଥିଲି। କୌତୁହଳବଶତଃ ମୁଁ ନିଜେ ଗୋଟିଏ ତିଆରି କରିବାକୁ ଆରମ୍ଭ କଲି।

ବାହ ବତଙ୍କର ସାନପୁଅ ୨୯ ବର୍ଷୀୟ ପାଇନାପ୍ଲାଙ୍ଗ ଖୋଙ୍ଗସ୍‍ନି, ତାଙ୍କୁ ହସ୍ତଶିଳ୍ପରେ ସାହାଯ୍ୟ କରନ୍ତି ଏବଂ ଯେତେବେଳେ ଅଧିକ ବରାଦ୍‍ ଥାଏ ସେ ସହାୟକ ନିଯୁକ୍ତି କରନ୍ତି। ପ୍ରାୟ ତିନିବର୍ଷ ପୂର୍ବେ ସେ ୨୦୦ ଖଣ୍ଡ ବାଦ୍ୟଯନ୍ତ୍ର ତିଆରି ପାଇଁ ରାଜ୍ୟ ସରକାରଙ୍କ କଳା ଓ ସଂସ୍କୃତି ବିଭାଗରୁ ଏକ ବଡ଼ ଅର୍ଡର ପାଇଥିଲେ। ସେହି ସମୟରେ ସେ ୧୧ ଜଣଙ୍କୁ ନିଯୁକ୍ତି ଦେଇଥିଲେ, ଯେଉଁମାନେ ଅର୍ଡର ପୂର୍ଣ୍ଣ କରିବା ପାଇଁ ତାଙ୍କ ସହିତ ତିନି ମାସ ଧରି କାମ କରିଥିଲେ।

ଜଣେ ସ୍ୱ-ଶିକ୍ଷିତ ସଂଗୀତଜ୍ଞ, ପାଞ୍ଚରୁ ଛଅ ଜଣ ବାଦକଙ୍କ ଗୋଷ୍ଠୀ ସହିତ ସେ ତିଆରି କରୁଥିବା ଡ୍ରମ୍ ବଜାଇ ପାରନ୍ତି। ସେ କୁହନ୍ତି ଯେ ସେମାନଙ୍କୁ ନିକଟସ୍ଥ ଗ୍ରାମଗୁଡ଼ିକରେ ବର୍ଷକୁ ପ୍ରାୟ ଚାରିଟି ପର୍ବ ପାଇଁ ବାଜା ବଜାଇବାକୁ ନିମନ୍ତ୍ରଣ କରାଯାଇଛି ଏବଂ ସାମୂହିକ ଭାବରେ ଗୋଟିଏ ପରିବେଷଣ ପାଇଁ ପ୍ରାୟ ୧୫,୦୦୦ ଟଙ୍କା ପ୍ରଦାନ କରାଯାଏ। ବାହ ବତ୍‍ କୁହନ୍ତି, “ଅନେକ ଲୋକ ଏହି ପାରମ୍ପରିକ ସଂଗୀତ ବଜାଇ ପାରିବେ ନାହିଁ, ତେଣୁ ସେମାନେ ଆମକୁ ଡାକି ଥାଆନ୍ତି।”

ସିଲଙ୍ଗର ମାର୍ଟିନ୍ ଲୁଥର୍ ଖ୍ରୀଷ୍ଟିଆନ୍ ୟୁନିଭର୍ସିଟିର ୩୬ ବର୍ଷୀୟ ଟାଙ୍ଗମୁରୀ ବାଦକ ଏବଂ ସଙ୍ଗୀତର ସହକାରୀ ପ୍ରଫେସର ଇ.ପ୍ୟନ୍ଦପବୋର ଖୋଙ୍ଗଜିରେମ କୁହନ୍ତି, ପାରମ୍ପାରିକ ଖାସି ଯନ୍ତ୍ରର ଶବ୍ଦ ଏକ ଜଙ୍ଗଲର ଶବ୍ଦକୁ ଅନୁକରଣ କରେ:”ଯେତେବେଳେ ଆମର ଲୋକମାନେ ଜଙ୍ଗଲରେ ରହୁଥିଲେ, ସେମାନେ ପ୍ରକୃତିର ଧ୍ୱନିଗୁଡ଼ିକୁ ଅନୁକରଣ କରିବାକୁ ଚେଷ୍ଟା କରିଥିଲେ ଯେପରିକି ବିଭିନ୍ନ କୀଟ, ପକ୍ଷୀ ଇତ୍ୟାଦି। ଏହି ଉପକରଣଗୁଡ଼ିକ ସମାଜର ବିକାଶ ସହିତ ବିକଶିତ ହେଲା।”

ଜନଜାତି ଭାବରେ ତାଲିକାଭୁକ୍ତ ହୋଇଥିବା ଖାସି ସଂପ୍ରଦାୟରେ ବର୍ଷସାରା ପର୍ବପର୍ବାଣୀ ରହିଥାଏ ଯେଉଁଥିରେ ବାହ ବତ୍‍ ତିଆରି କରୁଥିବା ଡ଼୍ରମର ଚାହିଦା ରହିଥାଏ। ଏପ୍ରିଲରେ ଅନୁଷ୍ଠିତ ଧନ୍ୟବାଦ ଅର୍ପଣ ଉତ୍ସବରେ ଲୋକମାନେ ଏକତ୍ରିତ ହୋଇ କା ବୋମ, କା ସିଙ୍ଗ ଶ୍ୟଙ୍ଗରଙ୍ଗ, କା ସିଗଂ କନ୍ଥେଇ ଏବଂ କା ଟାଙ୍ଗମୁରୀ – ଏବଂ ଏକ ଯୋଡ଼ି ଗିନି ବାଦ୍ୟଯନ୍ତ୍ରର ସଙ୍ଗୀତରେ ଛାୟା ନୃତ୍ୟ ପରିବେଷଣ କରନ୍ତି।

ନଭେମ୍ବରରେ ଏକ ପାଞ୍ଚ ଦିନିଆ ପର୍ବ ଶାଦ୍‍ ନୋଙ୍ଗକ୍ରେମ ପାଳନ କରାଯାଏ, ଯେଉଁଠାରେ ଗ୍ରାମବାସୀ ଭଲ ଅମଳ ଏବଂ ସମୃଦ୍ଧତା ପାଇଁ ଦେବୀ କା ବ୍ଲେଇ ସିନ୍‍ସାରଙ୍କୁ ପ୍ରାର୍ଥନା କରନ୍ତି। ବାହ ବତ୍‍ ବୁଝାଇ କୁହନ୍ତି, ଖାସିରେ ସ୍କିଟ୍ ନାମକ ତାଳରେ ଡ୍ରମଗୁଡ଼ିକ ବଜାଯାଇଥାଏ।

ବାହ ବତ୍‍ ଆମକୁ ନଙ୍ଗବ୍ଲାଇ ଗାଁ ଦେଖାଇଲେ – ପ୍ରବେଶ କରିବା ପାଇଁ ସଡ଼କ ନଥିବା ୪୦୦୦ ପାହାଚ ତଳେ ଏକ ଉପତ୍ୟକା। ଏମ୍‍.ଭି. ଶ୍ରୀକାନ୍ତ ଫଟୋ ଉଠାଇଛନ୍ତି

ତାଙ୍କର ସାଧାରଣ ଗ୍ରାହକମାନଙ୍କ ମଧ୍ୟରେ ଡୋରବାର୍ ଶ୍ନୋଙ୍ଗ ନାମକ ଗ୍ରାମ କମିଟି ଅଛି ଯେଉଁମାନେ ପର୍ବରେ ବ୍ୟବହୃତ ବାଦ୍ୟଯନ୍ତ୍ର କ୍ରୟ କରନ୍ତି। ବାହ ବତ୍‍ କିଛି ମ୍ୟୁଜିକ୍ କଲେଜ ଏବଂ ମେଘାଳୟ ସରକାରଙ୍କ କଳା ଓ ସଂସ୍କୃତି ବିଭାଗରୁ ବେଳେବେଳେ ଅର୍ଡର ଗ୍ରହଣ କରନ୍ତି। କା ବୋମର ମୂଲ୍ୟ ୧୨,୦୦୦ଟଙ୍କାରୁ ଆରମ୍ଭ ହୁଏ ଓ କା ପାଢିଆର ମୂଲ୍ୟ ୨୫୦୦ଟଙ୍କା ରହିଛି। ଯେତେବେଳେ ସେ ଏକ ଉପତ୍ୟକାର ୪୦୦୦ ପାହାଚ ତଳେ ରାସ୍ତା ନଥିବା ନଙ୍ଗବ୍ଲାଇ ଗ୍ରାମରେ ରହୁଥିଲେ, ତାଙ୍କ ଗ୍ରାହକମାନେ ତାଙ୍କ ନିକଟରେ ପହଞ୍ଚିବା କଷ୍ଟକର ହୋଇପଡୁଥିଲା। ତେଣୁ କିଛି ବର୍ଷ ପୂର୍ବେ ସେ ପୂର୍ବ ଖାସି ପାହାଡ଼ ଜିଲ୍ଲାର ପିନୁରସଲା ବ୍ଲକର ୱାହଲିଙ୍ଗଖତ ଗ୍ରାମରେ ଏକ ଘର ନିର୍ମାଣ କରିଥିଲେ ଯେଉଁଠାକୁ ରାସ୍ତାର ସୁବିଧା ରହିଛି। ସେ କୁହନ୍ତି, “ମୋର କାର୍ଯ୍ୟ ଉପରେ ନିର୍ଭର କରି ମୁଁ ଏହି ଦୁଇଟି ସ୍ଥାନ ମଧ୍ୟରେ ଯିବାଆସିବା କରିଥାଏ। ଯଦି ମୋର କ୍ଷେତରେ କାମ ଥାଏ, ତେବେ ମୁଁ ନଙ୍ଗବ୍ଲାଇକୁ ଯାଏ, ଯଦି ମୋର ବାଦ୍ୟଯନ୍ତ୍ର ପାଇଁ ଅର୍ଡର ଥାଏ, ତେବେ ମୁଁ ୱାଲିଙ୍ଗଖଟରେ ରହିଥାଏ।

ବାହା ବତ୍‍ଙ୍କର ସମସ୍ତ ସନ୍ତାନ ବିବାହିତ ଏବଂ ନିକଟ ଗ୍ରାମରେ ରୁହନ୍ତି। ତାଙ୍କ ପତ୍ନୀ ୫୬ ବର୍ଷୀୟ ସିଫନ୍ ଖୋଙ୍ଗସନି, ସେମାନଙ୍କର ଗୋଟିଏ ସନ୍ତାନ ସହିତ ରୁହନ୍ତି। ତାଙ୍କର ଚାରି ପୁଅ -୩୮ ବର୍ଷୀୟ ପ୍ୟାନେହ୍ଲାଙ୍ଗ ଖୋଙ୍ଗସନି,୩୪ ବର୍ଷୀୟ ଫାଇରେନୈଲାଙ୍ଗ ଖୋଙ୍ଗସନି, ୩୨ ବର୍ଷୀୟ ପ୍ୟଣ୍ଡାପ୍ଲାଙ୍ଗ ଖୋଙ୍ଗସନି, ୨୯ ବର୍ଷୀୟ ପ୍ୟନାପ୍ଲାଙ୍ଗ ଖୋଙ୍ଗସନି ଏବଂ ଗୋଟିଏ ଝିଅ- ୩୬ ବର୍ଷୀୟ ସ୍ନେଗଭଲାଙ୍ଗ ଖୋଙ୍ଗସନି ଅଛନ୍ତି।

Crafting drums

ବାହ ବତ୍‌ ଛେଳି ଏବଂ ଗାଈ ଚମଡ଼ାରେ ଥିବା ଲୋମକୁ ପ୍ରଥମେ ସଫା କରନ୍ତି, ତା’ପରେ ଏହାକୁ ରାତିସାରା ପାଣିରେ ଭିଜିବାକୁ ଛାଡ଼ିଦିଅନ୍ତି। ଏହି ସମୟରେ, ସେ ଖାସିରେ ତାରି ନାମକ ଏକ ସ୍ୱତନ୍ତ୍ର ଚଉତି କରି ରଖି ହେଉଥିବା ଛୁରୀ ବ୍ୟବହାର କରି କାଠକୁ ଆକୃତି ଦିଅନ୍ତି।

ଡ୍ରମ୍ ରୂପ ନେବା ଆରମ୍ଭ କଲାବେଳେ ସେ ବାଉଁଶ କାଠରେ ଏକ ବୃତ୍ତାକାର ସଂଲଗ୍ନ କରନ୍ତି ଯାହା ଚର୍ମକୁ ଡ୍ରମ୍ ପାର୍ଶ୍ୱରେ ଧରି ରଖିବାରେ ସାହାଯ୍ୟ କରିବ। ଏକ ନିହଣ ବ୍ୟବହାର କରି ସେ ଚର୍ମକୁ ଡ୍ରମ୍ ପାର୍ଶ୍ୱରେ ଲଗାଇଥାନ୍ତି। ଶେଷ କାମ ହେଉଛି ଲମ୍ବା ପ୍ଲାଷ୍ଟିକ୍ ସୂତାରେ ଧାତୁ ରିଙ୍ଗ ଯୋଡ଼ିବା ଯାହା ଚର୍ମର ଉଭୟ ପାର୍ଶ୍ୱକୁ ଏକତ୍ର ବାନ୍ଧି ରଖିଥାଏ। ଏହି ରିଙ୍ଗଗୁଡ଼ିକ ଡ୍ରମ୍‍ର ସନ୍ତୁଳନ ପାଇଁ ବ୍ୟବହୃତ ହେବ। ସେ ଜିମଲେଟ୍ (ଉପକରଣ) ବ୍ୟବହାର କରି କାଠରେ ଏକ ଖାଲ କରନ୍ତି ଏବଂ ବାଲିକାଗଜ ସାହାଯ୍ୟରେ ଏହାକୁ ମସୃଣ ଓ ଆକୃତି ପ୍ରଦାନ କରିଥାନ୍ତି।

ସାତ ଛିଦ୍ର ବିଶିଷ୍ଟ ଏକ ପବନ ଯନ୍ତ୍ର – ଟାଙ୍ଗମୁରୀ ତିଆରି କରିବାରେ ଅଧିକ ସୋପାନ ରହିଛି ଏବଂ ଏହା ଅତି ସଠିକ୍ ଭାବରେ କରାଯିବା ଆବଶ୍ୟକ। ସେ ଏଥିରେ ଛିଦ୍ର ତିଆରି କରିବା ପାଇଁ ଏକ ଉତ୍ତପ୍ତ ଧାତବ ରଡ୍ ବ୍ୟବହାର କରନ୍ତି – ଭଲ ଭାବରେ ମାପ କରି ଯତ୍ନର ସହିତ ସାତୋଟି ଛିଦ୍ର ଖୋଳାଯାଇଥାଏ। ଏହି ବାଦ୍ୟଯନ୍ତ୍ରଗୁଡ଼ିକ ତିଆରି କରିବା ପାଇଁ ବହୁତ ସମୟ ଲାଗେ – ଯେ କୌଣସି ବାଦ୍ୟଯନ୍ତ୍ର ପ୍ରସ୍ତୁତ କରିବା ପାଇଁ ଦୁଇ ଦିନରୁ୧୫ ଦିନ ପର୍ଯ୍ୟନ୍ତ ସମୟ ଲାଗିଥାଏ।

ଏହି ଯନ୍ତ୍ରଗୁଡ଼ିକର ଚାହିଦା ହ୍ରାସ ପାଉଛି ଏବଂ ଗୋଟିଏ ବର୍ଷରେ ବାହ ବତ୍ ପ୍ରାୟ ଚାରିରୁ ପାଞ୍ଚ ସେଟ୍ ପାଇଁ ଅର୍ଡର ପାଉଛନ୍ତି। ରାଜ୍ୟ ସରକାର ଏହାର କଳା ଓ ସଂସ୍କୃତି ବିଭାଗ ମାଧ୍ୟମରେ ଖାସି ସଙ୍ଗୀତକୁ ପ୍ରୋତ୍ସାହିତ କରିବା ପାଇଁ କର୍ମଶାଳା ଏବଂ କାର୍ଯ୍ୟକ୍ରମ କରୁଛନ୍ତି। ଏହା ଫଳରେ ସେଣ୍ଟ ଆନ୍ଥୋନି କଲେଜ, ମାର୍ଟିନ୍ ଲୁଥର୍ ଖ୍ରୀଷ୍ଟିଆନ ୟୁନିଭରସିଟି ଏବଂ ମେଘାଳୟର ଉତ୍ତର-ପୂର୍ବାଞ୍ଚଳ ହିଲ୍ ବିଶ୍ୱବିଦ୍ୟାଳୟ ପରି ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏହାକୁ ଏକାଡେମିକ୍ ପାଠ୍ୟକ୍ରମ ଏବଂ ପ୍ରଦର୍ଶନରେ ଅନ୍ତର୍ଭୁକ୍ତ କରାଯାଇଛି।

ତାଙ୍କ ହସ୍ତଶିଳ୍ପର ସାଂସ୍କୃତିକ ମହତ୍ୱ ସତ୍ୱେ ବାହ ବତ୍ ତାଙ୍କର ଏକମାତ୍ର ଜୀବିକା ଉପରେ ନିର୍ଭର କରି ଚଳିପାରିବେ ନାହିଁ। ସେ ମଧ୍ୟ ଗୁଆ ପରି ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରନ୍ତି, ଝାଡ଼ୁ ତିଆରି କରନ୍ତି (ବର୍ଷକୁ ୨୦ ରୁ ୨୫ କ୍ୱିଣ୍ଟାଲ), ୩୦୦୦ ଗଛ ଥିବା କମଳା ବଗିଚାରୁ କମଳା ଅମଳ କରନ୍ତି ଏବଂ ଘୁଷୁରି ଏବଂ କୁକୁଡ଼ା ପାଳନ୍ତି। ବାହ ବତ୍‍ କୁହନ୍ତି, “ମୁଁ ଏସବୁରୁ ମାସକୁ ୧୬,୦୦୦ ଟଙ୍କା ରୋଜଗାର କରିପାରେ।

ପ୍ରତିଦିନ ସନ୍ଧ୍ୟାରେ ଗାଁର ସାଙ୍ଗମାନେ ଏବଂ ଅନ୍ୟ ଯୁବ ଲୋକ ସଂଗୀତଜ୍ଞମାନେ ଦୈନନ୍ଦିନ କାର୍ଯ୍ୟ ପରେ ବାହ ବତ୍‍ଙ୍କ ପାଖକୁ ଆସି ସଙ୍ଗୀତ ଏବଂ ଖାସି ସଂସ୍କୃତି ବିଷୟରେ ଆଲୋଚନା କରନ୍ତି। ଏହି ସମୟରେ ବାହ ବତ୍‍ ଗୀତ ଗାଇଥାନ୍ତି। ବାହ ବତ୍‌ ବନ୍ଧୁ ତଥା ପଡୋଶୀ ଗାଁ ପିଣ୍ଟରର ଲୋକ ସଂଗୀତକାର ଶିବୋର ମକ୍କନ୍ କୁହନ୍ତି, “ସେ ଏପରି ଗୀତ ଗାଇଥାନ୍ତି ଯେଉଁଥିରେ କୌଣସି ତାଳ ନଥାଏ, ତାଙ୍କଠାରୁ ପୁରାତନ ଗୀତ, ଯାହା ଜଙ୍ଗଲକୁ ମନେ ପକାଇଥାଏ।”

ପ୍ରତିଦିନ ସନ୍ଧ୍ୟାରେ ଗାଁର ସାଙ୍ଗମାନେ ଏବଂ ଅନ୍ୟ ଯୁବ ଲୋକ ସଂଗୀତଜ୍ଞମାନେ ଦୈନନ୍ଦିନ କାର୍ଯ୍ୟ ପରେ ବାହ ବତ୍‍ଙ୍କ ପାଖକୁ ଯାଇ ସଙ୍ଗୀତ ଏବଂ ଖାସି ସଂସ୍କୃତି ବିଷୟରେ ଆଲୋଚନା କରିଥାନ୍ତି। ଏହି ସମୟରେ ବାହ ବତ୍‍ ଗୀତ ଗାଇ ଥାନ୍ତି। ଏମ୍‍.ଭି ଶ୍ରୀକାନ୍ତ ଫଟୋ ଉଠାଇଛନ୍ତି

ବାହ ବତ୍‍ ନିଜର ସାଙ୍ଗ ସହିତ କା ବୋମ ଉଠାଇ କିଳା ଦେଇ ବନ୍ଦ କରିବା ସମୟରେ କୁହନ୍ତି, “ଏହି ଶିଳ୍ପର ଭବିଷ୍ୟତ କ’ଣ ହେବ ମୁଁ କହିପାରିବି ନାହିଁ। ଯେତେବେଳେ ଲୋକମାନେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କଲେ, ସେମାନେ ଏହି ପାରମ୍ପରିକ ସଙ୍ଗୀତକୁ ଆଉ ଗୁରୁତ୍ୱ ଦେଲେ ନାହିଁ। କିନ୍ତୁ ଆଜିକାଲି ସେମାନେ ସେମାନଙ୍କର ମୂଳକୁ ଚିହ୍ନିବା ଏବଂ ମୂଲ୍ୟ ଦେବା ଆରମ୍ଭ କରିଛନ୍ତି, ଏବଂ କେତେକ ଚର୍ଚ୍ଚରେ ମଧ୍ୟ ସେମାନେ [ଖାସି] ବାଦ୍ୟଯନ୍ତ୍ର ବ୍ୟବହାର କରନ୍ତି। ତେଣୁ କିଛି ଆଶା ରହିଛି”।


ଖାସି ସଂସ୍କୃତିର ସଂଗୀତ

ଦୁଇତାରାର ଚାରିଟି ଷ୍ଟ୍ରିଙ୍ଗ ଅଛି ଏବଂ ଏହା ଏକ ଖାସି ପରିବାର ପରି ଦେଖାଯାଇଥାଏ – ପ୍ରଥମ ଷ୍ଟ୍ରିଙ୍ଗ କକାଙ୍କୁ ପ୍ରତିନିଧିତ୍ୱ କରେ, ଦ୍ୱିତୀୟ ଏବଂ ତୃତୀୟଟି ଏକତ୍ର ବନ୍ଧା ହୋଇ ସମାନ ନୋଟରେ ଟ୍ୟୁନ୍ ହୋଇଥାଏ ଯାହାକୁ ମା ଏବଂ ପିତାଙ୍କୁ ଦର୍ଶାଇଥାଏ, ଏବଂ ଚତୁର୍ଥ ଷ୍ଟ୍ରିଙ୍ଗ – ଉଚ୍ଚସ୍ତରରେ ରହିଥାଏ ଯାହା ପରିବାରକୁ ପ୍ରତିନିଧିତ୍ୱ କରେ।

ଖାସି ପରମ୍ପରାରେ, ସିଙ୍ଗ କିନ୍ଥେଇ ଏବଂ ସିଙ୍ଗ ଶିଙ୍ଗରଙ୍ଗ କେବେହେଲେ ଏକାଠି ବଜାଯାଏ ନାହିଁ ଯେହେତୁ ସେମାନେ ମାତା ଏବଂ ପିତାଙ୍କୁ ପ୍ରତିନିଧିତ୍ୱ କରନ୍ତି ଏବଂ ଯେତେବେଳେ ଉଭୟ ବାଦ୍ୟ ଏକତ୍ର ବାଜାଯାଏ ଏହା ସେମାନଙ୍କ ମଧ୍ୟରେ କଳହକୁ ସୂଚିତ କରେ। ତେଣୁ ସେଗୁଡ଼ିକ ସର୍ବଦା ପୃଥକ ଭାବରେ ବଜାଯାଏ – ଯେତେବେଳେ ଜଣେ କୁହନ୍ତି, ଅନ୍ୟ ଜଣେ ଶୁଣନ୍ତି।

ସାଧାରଣତଃ ରାତିରେ ଅଗ୍ନି ଚଟାଣରେ ଲୋକ ଗୀତ ସହିତ କା ଦୁଇତାରା ବଜାଯାଏ। ନୃତ୍ୟ କା ସ୍ୟାଡ୍ କିନ୍ଥେଇ ସହିତ ସିଙ୍ଗ୍ କିନ୍ଥାଇ (ମହିଳା ଡ୍ରମ୍) ବଜାଯାଏ ଏବଂ ସିଙ୍ଗ୍ ସିନରଙ୍ଗ (ପୁରୁଷ ଡ଼୍ରମ୍) ନୃତ୍ୟ କା ସ୍ୟାଡ୍ ସିନରଙ୍ଗ (ସମସ୍ତ ପୁରୁଷ ନୃତ୍ୟ) ସମୟରେ ବଜାଯାଏ। କା ବୋମ ଏବଂ କା ପାଦିଆ ସଂଗୀତର ତାଳ ବଜାୟ ରଖିବା ପାଇଁ ବଜାଯାଏ ଯେତେବେଳେକି କା ଟାଙ୍ଗମୁରୀ ଏକ ବାହ୍ୟ ଯନ୍ତ୍ର ଏବଂ ଏହାକୁ କେବଳ ପର୍ବରେ ବଜାଯାଏ।

ଶାଦ ନୋଙ୍ଗକ୍ରମ୍ ନୃତ୍ୟ ମହୋତ୍ସବରେ ସଂଗୀତକାର ତଥା ଅଭିନେତା ବାନଶାଇଲାଙ୍ଗ ମୁଖିମଙ୍କ ଦ୍ୱାରା ବର୍ଣ୍ଣିତ।

Editor's note

ଏମ.ଭି.ଶ୍ରୀକାନ୍ତ ନିକଟରେ ଇଂରାଜୀ ଏବଂ ବିଦେଶୀ ଭାଷା ବିଶ୍ୱବିଦ୍ୟାଳୟ, ଶିଲୋଙ୍ଗରେ ସାମ୍ବାଦିକତା ଏବଂ ଜନସଂଖ୍ୟାରେ ସ୍ନାତକ ଡିଗ୍ରୀ ଶେଷ କରିଛନ୍ତି। ସେ ବାଦ୍ୟଯନ୍ତ୍ର ପ୍ରତି ଆଗ୍ରହୀ ଏବଂ ଭାରତର ଗ୍ରାମାଞ୍ଚଳରେ ସଂଗୀତର ବିବିଧତା ଅନୁସନ୍ଧାନ କରିବାକୁ ଚାହୁଁଥିଲେ। ଶିଲୋଙ୍ଗର ଛାତ୍ର ଭାବରେ ଥିବା ସମୟରେ ସେ ଖାସି ପାରମ୍ପରିକ ସଂଗୀତ ବିଷୟରେ ଶୁଣିଥିଲେ ଏବଂ ଏହା ବିଷୟରେ ଅଧିକ ଜାଣିବାକୁ ଚାହୁଁଥିଲେ । ସେ କୁହନ୍ତି: “ପରି ଶିକ୍ଷା ସହିତ କାର୍ଯ୍ୟ କରିବା ମୋ ପାଇଁ ଏକ ନୂତନ ଦୃଷ୍ଟିକୋଣ ଖୋଲିଛି - ବିଭିନ୍ନ ବର୍ଗର ଲୋକଙ୍କ ଜୀବନକୁ ଦେଖିବା ଏବଂ ସେମାନଙ୍କର ଦୈନନ୍ଦିନ ଜୀବନକୁ ଗୁରୁତ୍ୱ ଦେବା।” ଗ୍ରାମୀଣ ଭାରତର ପିପୁଲ୍ସ ଆର୍କାଇଭ୍ ଦ୍ୱାରା CC BY-NC-ND 4.0 ଅଧୀନରେ ଲାଇସେନ୍ସପ୍ରାପ୍ତ | ଅନୁବାଦ: ଓଡ଼ିଶାଲାଇଭ୍‍ ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍‌ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।