
ଏ ବର୍ଷ ଆରମ୍ଭରୁ, ଶାହାଜୀ ଧାନୁରେ ସ୍ଥିର କଲେ ଯେ. ହରାଲି ଗାଁରେ ଥିବା ତାଙ୍କର ଦୁଇ ଏକର ଚାଷଜମିରେ ନୂଆ ନଳକୂପଟିଏ ବସାଇବେ । ନିଜ ଫସଲ ପାଇଁ ସେ ଚିନ୍ତିତ ଥିଲେ; ତାଙ୍କ ଜମିରେ ଥିବା ଖୋଲାକୂଅଟି ପୂରା ଶୁଖିଯାଇଥିଲା ଏବଂ ଏମିତି ତ ୪୦ ଡିଗ୍ରି ସେଲ୍ସିୟସରୁ ଅଧିକ ତାପମାତ୍ରା ସହିତ ମହାରାଷ୍ଟ୍ରର ଓସମାନାବାଦ ଜିଲ୍ଲାରେ ଖରାଦିନ ସବୁବେଳେ ବେଶ୍ ଶୁଷ୍କ ଓ ଉତ୍ତପ୍ତ। ସେ କଳ୍ପନା କରିଥିଲେ ଯେ, ନଳକୂପ ବସାଇବା ପରେ ହୁଏତ ସେ ନିରାପଦରେ ଭଲ ଅମଳ କରିପାରିବେ । ହେଲେ ଦେଶବ୍ୟାପୀ ଲକ୍ଡାଉନ୍ ଏବଂ ଅଦିନିଆ ବର୍ଷା ଯେ ତାଙ୍କର ସବୁ ଯୋଜନାକୁ ପଣ୍ଡ କରିଦେବ, ଶାହାଜୀଙ୍କ ପାଇଁ ଏହା ଜାଣିବାର ଉପାୟ ନଥିଲା ।

ତାଙ୍କ ସ୍ତ୍ରୀ ପୁଷ୍ପା ଶାହାଜୀ ଧାନୁରେ ସଦସ୍ୟା ରହିଥିବା ଏକ ସ୍ୱୟଂସହାୟିକା ଗୋଷ୍ଠୀରୁ ମାସକୁ ୨ ପ୍ରତିଶତ ସୁଧ ହାରରେ ୨୫,୦୦୦ ଟଙ୍କା ଋଣ ନେବା ସହିତ ନଳକୂପ ବସାଇବା ଲାଗି ମାର୍ଚ୍ଚ ମାସରେ ଶାହାଜୀ ୧.୨ ଲକ୍ଷ ଟଙ୍କା ବିନିଯୋଗ କରିଥିଲେ। ଏଥିପାଇଁ ମାସକୁ ୫ ପ୍ରତିଶତ ସୁଧରେ ସେଠାକାର ଜଣେ ସାହୁକାର (କରଜଦାତା)ଙ୍କ ପାଖରୁ ସେ ଆଉ ୫୦,୦୦୦ ଟଙ୍କା ଋଣ ନେଇଥିଲେ । ଆବଶ୍ୟକ ହେଉଥିବା ଅବଶିଷ୍ଟ ଅର୍ଥ ସେ ନିଜ ସଞ୍ଚିତ ଅର୍ଥରୁ ଖର୍ଚ୍ଚ କରିଥିଲେ । ପନିପରିବା ବିକ୍ରିରୁ ମିଳୁଥିବା ଟଙ୍କାରେ ଋଣ ପରିଶୋଧ କରିଦେବେ ବୋଲି ସେ ଯୋଜନା କରିଥିଲେ । ଶାହାଜୀଙ୍କୁ ଋଣ ପରିଶୋଧରେ ଖିଲାପ କରିବାକୁ ପଡ଼ିଲା । ଏମିତି କି ଗୋଟିଏ ହେଲେ କିସ୍ତି ଦେବାକୁ ସେ ସକ୍ଷମ ହେଲେ ନାହିଁ ।
ବ୍ୟାଙ୍କରୁ ସେ କାହିଁକି ଋଣ ନେଲେନାହିଁ ବୋଲି ପ୍ରଶ୍ନର ଉତ୍ତରରେ ଶାହାଜୀ ବୁଝାଇ କହିଲେ, “ମରାଠୱାଡ଼ା ଗ୍ରାମୀଣ ବ୍ୟାଙ୍କରେ ମୋର ଗୋଟିଏ ଆକାଉଣ୍ଟ ଅଛି । ହେଲେ ସେମାନେ ବହୁତ କାଗଜପତ୍ର ମାଗନ୍ତି ଏବଂ ଋଣ ମଞ୍ଜୁର କରାଇବା ଲାଗି ଅନେକ ଥର ବ୍ୟାଙ୍କକୁ ଯିବାକୁ ପଡ଼େ । ଏଇଟା ଭାରି ସହଜ ।”
ଷାଠିଏ ବର୍ଷରୁ ଅଧିକ ବୟସର ଶାହାଜୀଙ୍କର ଦୁଇଟି ସନ୍ତାନ । ତାଙ୍କ ଝିଅ, ୩୭ ବର୍ଷୀୟା ଅନିତା କାଲେ, ବିବାହିତା ଏବଂ ଓସମାନାବାଦ ସହରରେ ରହନ୍ତି । ତାଙ୍କର ୩୫ ବର୍ଷୀୟ ପୁଅ ଶିବାଜୀ ଏବଂ ୨୮ ବର୍ଷୀୟା ବୋହୂ ଅର୍ଚ୍ଚନା, ତାଙ୍କ ସ୍ତ୍ରୀ ଓ ତାଙ୍କ ସାଙ୍ଗରେ ରହନ୍ତି । ଶିବାଜୀ ଓ ଅର୍ଚ୍ଚନା ଚାଷଜମିରେ କାମ କରି ତାଙ୍କୁ ସହାୟତା କରନ୍ତି । ସେମାନଙ୍କର ତିନିଟି ପୁଅ;୧୫ ବର୍ଷର ଅଭିଷେକ, ୯ ବର୍ଷର ଆଶୀର୍ବାଦ ଏବଂ ୭ ବର୍ଷର ଓମ୍କାର । ସେମାନେ ସେହି ଗାଁରେ ପାଠ ପଢ଼ନ୍ତି ।

ଶାହାଜୀ କହନ୍ତି, “ମୋ ପରିବାର କେବଳ ଚାଷବାସ ଉପରେ (ଆମ ଜୀବିକା ପାଇଁ) ନିର୍ଭର କରେ । ଆମର ଅନ୍ୟ କୌଣସି ରୋଜଗାର ଉତ୍ସ ନାହିଁ । ଯଦି ଆମ ଫସଲ ବିକ୍ରି ନହୁଏ, ତେବେ ଆମ ପାଇଁ ବଞ୍ଚି ରହିବା କଷ୍ଟକର ହୋଇପଡ଼େ ।” ୨୦୧୧ର ଜନଗଣନାରେ ହରାଲି ଗାଁର ସମସ୍ତ ୧,୨୫୨ ଜଣ ଲୋକ କୃଷକ ଏବଂ କୃଷି ଶ୍ରମିକ ଭାବେ ତାଲିକାଭୁକ୍ତ ହୋଇଛନ୍ତି । ଓସମାନାବାଦ ଜିଲ୍ଲାର ୭୭ ପ୍ରତିଶତ ଲୋକ ଏହି ପ୍ରାଥମିକ କ୍ଷେତ୍ରରେ କାର୍ଯ୍ୟରତ ।
ଗାଁ ପାଖରେ ତେରନା ନଦୀ ଉପରେ ଛୋଟ ବନ୍ଧଟିଏ ରହିଛି । ହେଲେ ହରାଲିର ଚାଷୀମାନେ ଉପରମୁଣ୍ଡରେ ରହୁଥିବାରୁ ଏହି ବନ୍ଧରୁ ପାଣି ପାଆନ୍ତି ନାହିଁ । ତା ବଦଳରେ ସେମାନେ ସେଇ ସବୁ କୂଅ ଉପରେ ନିର୍ଭର କରନ୍ତି, ଯେଉଁଗୁଡ଼ିକ କି ଭଲ ବର୍ଷା ହେଲେ ପୁଣି ପାଣିରେ ଭରିଯାଆନ୍ତି । ମହାରାଷ୍ଟ୍ରର ମରାଠୱାଡ଼ା ଅଞ୍ଚଳରେ ଅନେକ ଥର ମରୁଡ଼ି ଅନୁଭୂତ ହୋଇଛି-ନିର୍ଦ୍ଦିଷ୍ଟ ଭାବେ ୨୦୧୨ ଓ ୨୦୧୪ ମସିହାର ମରୁଡ଼ି ପରିସ୍ଥିତି ଅତି ଗୁରୁତର ଥିଲା । ଏହା ଫଳରେ ନିକଟ ଅତୀତରେ, ୨୦୧୫ରେ ଚାଷୀ ଆତ୍ମହତ୍ୟା ସଂଖ୍ୟା ବଢ଼ିଛି ।
ଶାହାଜୀ ତାଙ୍କ ଦୁଇ ଏକର ଜମିରେ ପନିପରିବା ଏବଂ ସୋୟାବିନ, ଗହମ ଏବଂ ଯଅ ଭଳି ବର୍ଷିକିଆ ଫସଲ ଚାଷ କରନ୍ତି।ତାଲୁକା ସଦର ମହକୁମା ଲୋହରାର ମଣ୍ଡିରେ ସେ ପିଆଜ ଏବଂ ସୋୟା ଶାଗ, ପାଳଙ୍ଗ, ମେଥିଶାଗ ଏବଂ ଭେଣ୍ଡି ସମେତ ଅନ୍ୟାନ୍ୟ ପନିପରିବା ବିକ୍ରି କରନ୍ତି । ସପ୍ତାହକୁ ଥରେ ବସ୍ରେ ମଣ୍ଡିକୁ ଯିବା ଆସିବା କରିବା ଲାଗି ସେ ୨୦୦ ଟଙ୍କା ଖର୍ଚ୍ଚ କରନ୍ତି ।
ଶାହାଜୀଙ୍କ ୫୫୦ ଫୁଟ୍ ଗଭୀର ନଳକୂପ ବସିବାର ଠିକ୍ କିଛି ସପ୍ତାହ ପରେ, ମାର୍ଚ୍ଚ ମାସ ୨୩ରେ ଲକ୍ଡାଉନ୍ ଘୋଷଣା କରାଗଲା । ସେ ଆଉ ଯିବାଆସିବା କରିପାରିଲେ ନାହିଁ । ଅମଳ କରାଯାଇଥିବା ତାଙ୍କ ପନିପରିବା ନଷ୍ଟ ହେବାରେ ଲାଗିଲା । ସେ ସବୁକୁ ସେ ସ୍ଥାନୀୟ ମଣ୍ଡିରେ ବିକିବାକୁ ଖୁବ୍ ଚେଷ୍ଟା କଲେ । ଶାହାଜୀ କହନ୍ତି, “ସାଧାରଣତଃ ପାଳଙ୍ଗ, ମେଥି ଓ ସୋୟା ଶାଗ ୨୫୦ ଗ୍ରାମ ପିଛା ୧୦ ଟଙ୍କାରେ ବିକ୍ରି ହୁଏ । କିନ୍ତୁ ଲକ୍ଡାଉନ୍ରେ ଏହା ତିନିରୁ ଚାରି ଟଙ୍କାରେ ବିକ୍ରି ହେଲା । ସେହିଭଳି ସାଧାରଣତଃ କିଲୋଗ୍ରାମ ପିଛା ୪୦ ଟଙ୍କା ଦରରେ ବିକ୍ରି ହେଉଥିବା କଞ୍ଚା ଲଙ୍କାକୁ ଅଧାରୁ କମ୍ ଦରରେ ବିକିବାକୁ ପଡ଼ିଲା ।”

ଏ ବର୍ଷ ମାର୍ଚ୍ଚ ମାସରେ ଶେଷ ହୋଇଥିବା ରବି ଫସଲ ଋତୁରେ ସେ ଚାଷ କରିଥିବା ପିଆଜ ସଂପର୍କରେ ସେ କହନ୍ତି, “ମୋ ଆଖି ଆଗରେ ମୋର ଅଧିକାଂଶ ପିଆଜ ସଢ଼ିଯାଇଥିଲା । ସ୍ଥାନୀୟ ବଜାରରେ ମୁଁ କିଲୋଗ୍ରାମ ପିଛା ଆଠରୁ ଦଶ ଟଙ୍କା ଦରରେ ଅଳ୍ପ କିଛି ବିକି ପାରିଥିଲି’’ । ରବି ଋତୁରେ ଶାହାଜୀ ହାରାହାରି ୧,୨୫୦ କିଲୋଗ୍ରାମ ପିଆଜ ଅମଳ କରିଥାଆନ୍ତି । ସେ କହନ୍ତି, ‘‘ପିଆଜ ଦରରେ ଉଠାପକା ଲାଗିରହିଥାଏ । ଏଇଟା ଜୁଆଖେଳ ଭଳି । ଭାଗ୍ୟବାନ ହୋଇଥିଲେ ଆପଣ ଏହାକୁ କିଲୋଗ୍ରାମ ପିଛା ୫୦-୬୦ ଟଙ୍କାରେ ବିକି ପାରିବେ, କିନ୍ତୁ ଏହା କିଲୋଗ୍ରାମ ପିଛା ପାଞ୍ଚରୁ ଛଅ ଟଙ୍କା ଭଳି କମ୍ ଦରକୁ ବି ଖସି ଆସିପାରେ। ଲକ୍ଡାଉନ୍ ଯୋଗୁଁ ମୁଁ ବହୁ ଟଙ୍କା ହରାଇଛି।”
ତାଙ୍କ ପରିବାରରେ ଉପଯୋଗ ପାଇଁ ରବି ଋତୁରେ ଶାହାଜୀ ଯଅ ଓ ଗହମ ଫସଲ କରନ୍ତି ଏବଂ ଖରିଫ ଋତୁରେ ସେ ସୋୟାବିନ୍ ଚାଷ କରନ୍ତି । ହରାଲି ଗାଁଠାରୁ ପ୍ରାୟ ୫୫ କିଲୋମିଟର ଦୂର ଲାଟୁର ମଣ୍ଡିରେ ସେ ଏହାକୁ ବିକ୍ରି କରନ୍ତି । ସେ ଗାଁର ଅନ୍ୟ ଚାଷୀମାନଙ୍କ ସହ ଏକାଠି ହୋଇ କାରବାର କରନ୍ତି ଏବଂ ସେମାନେ ଭାଗ ବାଣ୍ଟି ପରିବହନ ବାବଦ ଖର୍ଚ୍ଚ ତୁଲାନ୍ତି ।
ଅନେକ ସମୟରେ ଫସଲରୁ ଆୟ ମିଳିବାରେ ବିଳମ୍ବ ଏବଂ ଅନିଶ୍ଚିତତା କାରଣରୁ କ୍ଷୀର ବିକ୍ରିରୁ ମିଳୁଥିବା ଟଙ୍କା ନିତିଦିନିଆ ଖର୍ଚ୍ଚରେ ଲାଗେ । ଶାହାଜୀଙ୍କର ଗୋଟିଏ ଜର୍ସି ଗାଈ, ଗୋଟିଏ ବାଛୁରୀ ଏବଂ ଗୋଟିଏ ମଇଁଷି ବାଛୁରୀ ଅଛି । ଶାହାଜୀଙ୍କ ବୋହୂ ଅର୍ଚ୍ଚନା କହିଲେ, “ଆମ ଗାଈ ଦିନକୁ ପ୍ରାୟ ୧୦ ଲିଟର କ୍ଷୀର ଦିଏ ଏବଂ ଲକ୍ଡାଉନ୍ ପୂର୍ବରୁ ଆମେ ଦିନକୁ ୨୫୦ରୁ ୨୮୦ ଟଙ୍କା ପାଉଥିଲୁ ।” ଲକ୍ଡାଉନ୍ ସମୟରେ ସବୁ ରେସ୍ତୋରାଁ ଓ ମିଠା ଦୋକାନ ବନ୍ଦ ହୋଇଗଲା ଏବଂ କ୍ଷୀରର ଚାହିଦା ଢେର କମିଗଲା ଏବଂ ଦର ଖସିଗଲା । ଶାହାଜୀଙ୍କ ସ୍ତ୍ରୀ ପୁଷ୍ପା କହନ୍ତି, “ଲକ୍ଡାଉନର ପ୍ରଥମ ପର୍ଯ୍ୟାୟରେ ଆମେ ଗୋଟିଏ ସପ୍ତାହ କ୍ଷୀର ବିକି ପାରିନଥିଲୁ ଏବଂ ତା’ପରେ କ୍ଷୀର ଦର ଲିଟର ପିଛା ୨୫ ଟଙ୍କାରୁ ୧୮ ଟଙ୍କାକୁ ଖସିଗଲା ଏବଂ ତେଣୁ ଆମ ପାଖରେ ନିତିଦିନିଆ ଖର୍ଚ୍ଚ ପାଇଁ ଟଙ୍କା ନଥିଲା ।”
ବର୍ଷା ଉଜାଡ଼ି ଦେଲା
ପ୍ରତି ବର୍ଷ ଜୁନ୍ରେ ହରାଲିର ଚାଷୀମାନେ ଖରିଫ ଫସଲ କରିଥାଆନ୍ତି, କିନ୍ତୁ ଏ ବର୍ଷ, ପନିପରିବା ବିକ୍ରିରୁ ଖୁବ୍ କମ୍ ରୋଜଗାର ହୋଇଥିବାରୁ ସେମାନଙ୍କ ହାତରେ ବେଶୀ ଅର୍ଥନଥିଲା । ସୋୟାବିନ ଏ ଅଞ୍ଚଳର ପ୍ରମୁଖ ଖରିଫ ଫସଲ ଏବଂ ଶାହାଜୀ କହନ୍ତି ଯେ ଏ ବର୍ଷ ପ୍ରଥମ ବର୍ଷା ପରେ ପରେ ଜୁନ୍ ଦ୍ୱିତୀୟ ସପ୍ତାହରେ ସେ ବିହନ କିଣିଥିଲେ । “ବିହନ ଦର ବଢ଼ି ଯାଇଛି। ଗତ ବର୍ଷ ମୁଁ ଦୁଇ ବସ୍ତା (ପ୍ରତିଟିରେ ୩୦ କିଲୋଗ୍ରାମ) ସୋୟାବିନ ବିହନକୁ ବସ୍ତା ପିଛା ୧,୭୦୦ ଟଙ୍କା ଦରରେ ପାଇଥିଲି; ଏ ବର୍ଷ ଏହା ୨,୨୦୦ ଟଙ୍କାକୁ ବଢ଼ି ଯାଇଛି ।”
ହରାଲିରେ ଅବସ୍ଥିତ ଜ୍ଞାନ ପ୍ରବୋଧିନିସ୍ ଏଗ୍ରିକଲ୍ଚର ପଲିଟେକ୍ନିକ୍ର ଜଣେ ପ୍ରଫେସର ତଥା ସେଇ ଗାଁର ବାସିନ୍ଦା ମହେଶ ରାଜେ କହନ୍ତି, ‘‘ଗତ ବର୍ଷ (୨୦୧୯) ଅକ୍ଟୋବର ଓ ନଭେମ୍ବରରେ ଅଦିନିଆ ବର୍ଷା ଯୋଗୁଁ ସୋୟାବିନ ଚାରା ସବୁ ଭିଜି ଯାଇଥିଲା । ପରିଣାମରେ ସୋୟାବିନ ଉତ୍ପାଦନ କମିଯାଇଛି ଏବଂ ବିହନ ବ୍ୟୟବହୁଳ ହୋଇପଡ଼ିଛି ।

ଏ ବର୍ଷ ମଧ୍ୟ, ଅକ୍ଟୋବର ମାସରେ ହରାଲିଲେ ପ୍ରବଳ ଅଦିନିଆ ବର୍ଷା ହୋଇଥିଲା । ଅର୍ଚ୍ଚନା କହନ୍ତି, “୧୫ ଦିନ ଧରି ବର୍ଷା ଲାଗି ରହିଥିଲା ଏବଂ ସବୁଆଡ଼େ ପାଣି ଜମି ଯାଇଥିଲା ।” ପଲିଟେକ୍ନିକ୍ ଦ୍ୱାରା ସଂଗୃହୀତ ବୃଷ୍ଟିପାତ ସଂପର୍କିତ ତଥ୍ୟରୁ ଜଣାଯାଏ ଯେ ୨୦୨୦ ଅକ୍ଟୋବର ୧୩ ଓ ୧୪ ତାରିଖରେ ୨୩୪ ମିଲିମିଟର ବର୍ଷା ହୋଇଥିଲା; ଯାହାକି ମାତ୍ର ଦୁଇ ଦିନରେ ବାର୍ଷିକ ହାରାହାରି ବୃଷ୍ଟିପାତର ଏକ ତୃତୀୟାଂଶ । “ଆମେ ଫସଲ ଅମଳ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ବର୍ଷା ଆରମ୍ଭ ହୋଇଗଲା ଏବଂ ଏହା ବନ୍ଦ ହେଲାନାହିଁ ।”
ସେମାନଙ୍କ ସୋୟାବିନ ଫସଲ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଥିଲା । ଶାହାଜୀ କହନ୍ତି, “କ୍ଷେତରେ ପୂରା ଫସଲ ପାଣିରେ ବୁଡ଼ି ରହିଥିଲା । ଆମେ ପ୍ରାୟ ୫୦୦ କିଲୋଗ୍ରାମ ଅମଳ କରିବାକୁ ଆଶା ରଖିଥିଲୁ, କିନ୍ତୁ ଅତି ବେଶୀରେ ୨୦୦ କିଲୋଗ୍ରାମ ଅମଳ କରିପାରିଲୁ । ଏମିତିକି ଭଲ ଫୁଲ ଧରି ଆସୁଥିବା ଲଙ୍କା ଭଳି ପରିବା ଫସଲ ବି ଧୋଇ ହୋଇଗଲା । ମରୁଡ଼ି ପଡ଼ିବା ସଂପର୍କରେ ଆମର କିଛିଟା ଧାରଣା ରହିଛି ଏବଂ କେତେ କ୍ଷତି ହେବ ବୋଲି ଆଗରୁ ଜାଣିହୁଏ । କିନ୍ତୁ ଠିକ୍ ଫସଲ ଅମଳ ସମୟରେ ଅଚାନକ ହୋଇଥିବା ଏହି ଅଦିନିଆ ବର୍ଷା ଖୁବ୍ କଷ୍ଟକର ।”
୨୦୨୦ର କୃଷି ବିଲ୍
ସୋୟାବିନ ଏ ଅଞ୍ଚଳର ପ୍ରମୁଖ ଅର୍ଥକରୀ ଫସଲ । ଏଠାକାର ଚାଷୀମାନେ ଭଲ ଦର ମିଳିଲା ଯାଏ ସେମାନଙ୍କ ଉତ୍ପାଦକୁ ସଞ୍ଚି ରଖିବାରେ ଅଭ୍ୟସ୍ତ । ସୋୟାବିନ ଦର ବଢୁଥିବାରୁ ଶାହାଜୀ ମଧ୍ୟ ଗତ ବର୍ଷର ଅମଳକୁ ୨୦୨୦ ମାର୍ଚ୍ଚ ଯାଏ ସାଇତି ରଖିଥିଲେ । ଦର ସଂପର୍କରେ ସୂଚନା ଦେଇ ଶାହାଜୀ କହନ୍ତି, “ମାର୍ଚ୍ଚ ମାସରେ ସୋୟାବିନ କୁଇଣ୍ଟାଲ ପିଛା ୪,୦୦୦ରୁ ୪,୫୦୦ ଟଙ୍କାରେ ବିକ୍ରି ହେଉଥିଲା ଏବଂ ଦର ୫,୦୦୦ ଟଙ୍କାକୁ ବଢ଼ିବ ବୋଲି ଆମେ ଆଶା କରୁଥିଲୁ । ହେଲେ ଲକ୍ଡାଉନ୍ ଲାଗୁ ହେବା କାରଣରୁ ଦର ଖୁବ୍ ତଳକୁ ଖସିଗଲା ।” ଏବେ ସୋୟାବିନ ଦର କୁଇଣ୍ଟାଲ ପିଛା ପ୍ରାୟ ୩,୦୦୦ ଟଙ୍କା ରହିଛି ଏବଂ ଆସନ୍ତା ବିହନ ବୁଣା ଋତୁ ପାଇଁ ବିହନ କିଣିବା ସକାଶେ ପାଣ୍ଠି ଯୋଗାଡ଼ କରିବା ଲାଗି ସେ ଏହି ଦରରେ ଲାଟୁରର କୃଷି ଉତ୍ପାଦ ବିପଣନ କମିଟି (ଏପିଏମ୍ସି)ରେ ୧୦ ବସ୍ତା ବିକ୍ରି କରିସାରିଛନ୍ତି । ନୂତନ କୃଷି ବିଲ୍ ଯୋଗୁଁ ତାଙ୍କ ସ୍ଥିତିରେ କୌଣସି ପରିବର୍ତ୍ତନ ହେବ କି ବୋଲି ପଚାରିବାରୁ ସେ କହିଲେ, “ବର୍ଷ ବର୍ଷ ଧରି ଆମେ ଲାଟୁରର ‘ଏପିଏମ୍ସି’ରେ ଆମ ଉତ୍ପାଦ ବିକ୍ରି କରିଆସୁଛୁ ଏବଂ ଏ କ୍ଷେତ୍ରରେ (ଅନ୍ୟ କେଉଁଠି ବିକ୍ରି କରିବାର) କୌଣସି ବାଜି ଲଗାଇ ପାରିବୁନି ।”
ନୂତନ କୃଷି ବିଲ୍ ସଂପର୍କରେ ପ୍ରଫେସର ରାଜେ କହନ୍ତି, “ଚାଷୀମାନେ ‘ଏପିଏମ୍ସି’ରେ ସେମାନଙ୍କ ଉତ୍ପାଦ ବିକ୍ରି କରିବାରେ ଅଭ୍ୟସ୍ତ ଏବଂ ଏଥିରେ କୌଣସି ପରିବର୍ତ୍ତନକୁ ସେମାନେ ସହଜରେ ଗ୍ରହଣ କରିବେ ନାହିଁ । ବିଭିନ୍ନ ‘ଏପିଏମ୍ସି’ରେ ମଧ୍ୟସ୍ଥମାନେ ସେମାନଙ୍କୁ ଠକୁଛନ୍ତି ବୋଲି ସେମାନେ ଜାଣନ୍ତିନି କି ବୁଝନ୍ତିନି । ଭବିଷ୍ୟତରେ ହୁଏତ ବେସରକାରୀ ମଣ୍ଡି ଓ ସରକାରୀ ମଣ୍ଡି ଭିତରେ ପ୍ରଭେଦ ଆଖିରେ ପଡ଼ିପାରେ । ଠିକ୍ ଯେମିତି ବେସରକାରୀ ହାସପାତାଳ ଓ ସରକାରୀ ହାସପାତାଳ ଭିତରେ ରହିଥିବା ପ୍ରଭେଦ । ଏଠାକାର ଚାଷୀମାନେ କ୍ଷୁଦ୍ର କ୍ଷୁଦ୍ର ଜମିର ମାଲିକ ଏବଂ ଠିକା ଚାଷ କ୍ଷେତ୍ରରେ ସେମାନଙ୍କର ମୂଲଚାଲ କରିବାର ସାମର୍ଥ୍ୟ ନେଇ ମୋର ସନ୍ଦେହ ରହିଛି ।”
ଶାହାଜୀ ବ୍ୟାଙ୍କରୁ କୌଣସି ଆନୁଷ୍ଠାନିକ ଋଣ ନେଇ ନଥିବାରୁ, ୨୦୧୯ଡିସେମ୍ବର ମାସରେ ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ଘୋଷିତ ମହାତ୍ମା ଜ୍ୟୋତିରାଓ ଫୁଲେ ଚାଷୀ ଋଣଛାଡ଼ ଶୀର୍ଷକ ଋଣଛାଡ଼ ଯୋଜନାରୁ ତାଙ୍କୁ କୌଣସି ଫାଇଦା ମିଳିବନି ବୋଲି କହନ୍ତି । ସେ କହିଲେ, “ଏବେ କେବଳ ଭଗବାନ ହିଁ ଆମକୁ ଏହି ଋଣଯନ୍ତାରୁ ମୁକୁଳାଇ ପାରିବେ ।”
ଅନୁବାଦ: ଓଡ଼ିଶାଲାଇଭ୍
ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।
Editor's note
ଭକ୍ତି କେଲକର, ବେଙ୍ଗାଲୁରୁର ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟରେ ଅର୍ଥନୀତିରେ ସ୍ନାତକ ଶିକ୍ଷାଲାଭ କରୁଛନ୍ତି। କୃଷି କ୍ଷେତ୍ର ଉପରେ କୋଭିଡ୍-୧୯ର ପ୍ରଭାବ ଅନୁଧ୍ୟାନ ଲାଗି ଉଦ୍ଦିଷ୍ଟ ଏକ ପ୍ରକଳ୍ପରୁ ଏହି ଲେଖା ପ୍ରସ୍ତୁତ ହୋଇଥିଲା। ହରାଲିର ଜ୍ଞାନ ପ୍ରବୋଧିନି ଇନ୍ଷ୍ଟିଚ୍ୟୁଟ୍ ସହଯୋଗରେ ମରାଠୱାଡ଼ା ଅଞ୍ଚଳର ପାଞ୍ଚଟି ଗାଁରେ ସେ ଅନୁଧ୍ୟାନ କରିଥିଲେ। ସେ କହନ୍ତି: “ମୋର ଏହି ପ୍ରକଳ୍ପ ଲାଗି ସର୍ଭେ କରୁଥିବା ସମୟରେ ମୁଁ ଖୁବ୍ ସୂକ୍ଷ୍ମ ଦୃଷ୍ଟିରେ ଲକ୍ଡାଉନ୍ର ପ୍ରଭାବ ଅନୁଧ୍ୟାନ କରିବାକୁ ପ୍ରୟାସ କରିଥିଲି। କିନ୍ତୁ PARI ପାଇଁ ଏହି ଲେଖା ପ୍ରସ୍ତୁତ କରିବା ସମୟରେ ହିଁ କୃଷି ଅର୍ଥନୀତିର ଏକ ପ୍ରମୁଖ ଗୋଷ୍ଠୀ- ନାମମାତ୍ର ଚାଷୀଙ୍କ ଉପରେ ଲକ୍ଡାଉନ୍ ଏବଂ ପ୍ରାକୃତିକ ବିପର୍ଯ୍ୟୟ ଜନିତ ପ୍ରଭାବର ବ୍ୟାପକତା ଏବଂ ତୀବ୍ରତାକୁ ମୁଁ ହୃଦୟଙ୍ଗମ କଲି।