କୋରାପୁଟ ସହରଠାରୁ ୧୬ କିଲୋମିଟର ଦୂର ତଳ ପାଖଣ୍ଡଳ ଗାଁରେ ରୁହନ୍ତି ସାଧବ ଗୌଡ଼। ତାଙ୍କର ମାତାପିତା ଗୌର ଓ ଜଗନ୍ନାଥ ଗୌଡ଼ ଭିନ୍ନକ୍ଷମ ପୁଅ ସାଧବକୁ କାନ୍ଧରେ ବୋହି ଘରଠାରୁ ପଞ୍ଚାୟତ ଅଫିସକୁ ନେଇଯାଆନ୍ତି। ଏଠାରୁ ହିଁ ସେମାନେ ତାଙ୍କ ପାଇଁ ମାସିକ ୫୦୦ ଟଙ୍କାର ଭିନ୍ନକ୍ଷମ ଭତ୍ତା ସଂଗ୍ରହ କରିଥାନ୍ତି। ଓଡ଼ିଶା ସରକାରଙ୍କ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ (ବିବିଏସଏ) ଯୋଜନା ଅନ୍ତର୍ଗତ ତାଙ୍କୁ ଏ ସୁବିଧା ମିଳିଥାଏ।

ହେଲେ ରାଜ୍ୟ ସରକାରଙ୍କ ଏହି ଯୋଜନାର ସୁବିଧା ପରିବାର ପାଖରେ ପହଞ୍ଚିବା ବେଳକୁ ମୂଲ୍ୟହୀନ ହୋଇପଡ଼େ। ଗୌର କୁହନ୍ତି, ‘‘ଏହି ଅର୍ଥର ଅର୍ଦ୍ଧାଧିକ ଭାଗ ସେଠାକୁ ଯିବା ଆସିବାରେ ଖର୍ଚ୍ଚ ହୋଇଯାଏ। ଆମ ଅଟୋ ଷ୍ଟାଣ୍ଡରୁ ସେଠାକୁ ଯିବାଆସିବା ପାଇଁ ୩୦୦-୫୦୦ ଟଙ୍କା ଲାଗିଥାଏ’’ । ‘‘ସେମାନେ (ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ପକ୍ଷରୁ) ଏକ ହୁଇଲଚେୟାର ଯୋଗାଇ ଦେଇଛନ୍ତି କିନ୍ତୁ ଆମ ଗାଁରେ ମାତ୍ର ଅଳ୍ପ ରାସ୍ତା ପକ୍କା ହୋଇଛି ଏବଂ ପଥୁରିଆ ଓ କାଦୁଅ ରାସ୍ତାରେ ହୁଇଲଚେୟାର ଯାଇପାରିବ ନାହିଁ ।’’

୩୩ ବର୍ଷ ବୟସ୍କ ସାଧବଙ୍କର ଚଳନ ଅକ୍ଷମତା ରହିଛି ଏବଂ ସେ ଛିଡ଼ା ହୋଇପାରିବେ ନାହିଁ କିମ୍ବା ଚାଲି ପାରିବେ ନାହିଁ । ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଯିବା ପାଇଁ ସେ ନିଜ ହାତକୁ ବ୍ୟବହାର କରିଥାନ୍ତି ଏବଂ ନିଜର ସବୁ କାମ ପାଇଁ ଅନ୍ୟର ସାହାଯ୍ୟ ଲୋଡ଼ିଥାନ୍ତି । ତାଙ୍କ ମାତାପିତା ଗୌର ଏବଂ ଜଗନ୍ନାଥ ଗୌଡ଼ ତାଙ୍କର ପ୍ରାଥମିକ ସେବାପ୍ରଦାନକାରୀ ଭାବେ କାର୍ଯ୍ୟ କରିଥାନ୍ତି । ଗୌର କୁହନ୍ତି, ‘‘ମୁଁ ମାସିକ ୫୦୦ ଟଙ୍କାର ବାର୍ଦ୍ଧକ୍ୟ ଭତ୍ତା ପାଉଥିଲି କିନ୍ତୁ ଗତ ତିନି ମାସ ହେବ ତାହା ବନ୍ଦ ରହିଛି। ବେଳେ ବେଳେ ମୋର ଅନ୍ୟ ପୁଅମାନେ ଆମର ଦୈନନ୍ଦିନ ଆବଶ୍ୟକତା ମେଣ୍ଟାଇବା ଲାଗି ଆମକୁ ୫୦୦ରୁ ୬୦୦ ଟଙ୍କା ଦେଇଥାନ୍ତି ।’’

କୋରାପୁଟ ବ୍ଲକ୍‌ ପଦ୍ମପୁର ଗ୍ରାମପଞ୍ଚାୟତ ଅଧୀନରେ ଏକ ଛୋଟିଆ ପଡ଼ା ହେଉଛି ତଳ ପାଖଣ୍ଡଳ। ଗୌର ଏବଂ ତାଙ୍କ ପରିବାର ଗୌଡ଼ ସମ୍ପ୍ରଦାୟର ହୋଇଥିବା ବେଳେ ସେମାନେ ରାଜ୍ୟରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଭାବେ ବର୍ଗୀକୃତ ହୋଇଛନ୍ତି । ଗୋପାଳନ ଏମାନଙ୍କର ମୂଳ ବେଉସା, କିନ୍ତୁ ଗତ କିଛି ଦଶନ୍ଧି ହେବ ଏହି ସମୁଦାୟର ଲୋକମାନେ ଖଣି ଓ ରେଳ ଲାଇନ ନିର୍ମାଣ କାମରେ ନିୟୋଜିତ ହେଉଛନ୍ତି । ଦିନ ମଜୁରିଆ ଭାବେ ଏହି କାମ କରିବା ଲାଗି, ସେମାନେ ନିକଟସ୍ଥ କୋରାପୁଟ କିମ୍ବା ଦାମନଯୋଡ଼ିକୁ ଯାଇଥାନ୍ତି ।

ସାଧବଙ୍କ ବାପା ଜଗନ୍ନାଥ ପାଖରେ ବସିଥିଲେ କିନ୍ତୁ ତାଙ୍କ ପତ୍ନୀ କଥା ହୁଅନ୍ତୁ ବୋଲି ସେ ଚାହୁଁଥିଲେ । ଏ ଦମ୍ପତି ଭୂମିହୀନ ଏବଂ ସେମାନେ ପରିବାର ପ୍ରତିପୋଷଣ ପାଇଁ ନିକଟସ୍ଥ ଇଟାଭାଟି କିମ୍ବା ନିର୍ମାଣସ୍ଥଳୀରେ କାର୍ଯ୍ୟ କରିଥାନ୍ତି । ‘‘ଆମର ଦୁଇଟି ବଳଦ ଏବଂ ତିନୋଟି ଛେଳି ଅଛନ୍ତି । କିନ୍ତୁ ସେମାନଙ୍କ ଠାରୁ (ବିକ୍ରି କଲେ) ଆମକୁ କିଛି ମିଳୁନାହିଁ । ମୋର ଗୋଟିଏ ରାସନ କାର୍ଡ ରହିଛି ସେଥିରୁ ପ୍ରତିମାସ ୧୫ କିଲୋ ଚାଉଳ ମିଳିଥାଏ,’’ ସେ କହିଥିଲେ ।

ଚାଲିବା ଶକ୍ତି ଗଲା; ସ୍ୱାଧୀନତା ଗଲା

‘‘ସାଧବ ତା’ ବାପାଙ୍କ ସହ ମିଶି ଆମ ଗୋରୁ ଚରାଇବାକୁ ନେଉଥିଲା । ତା’କୁ ମାତ୍ର ୫ ବର୍ଷ ହୋଇଥିବା ସମୟରେ, ତା’ର ମାଂସପେଶୀ ଖୁବଜୋରରେ ଟାଣି ଧରୁଥିଲା । ମାଂସପେଶୀ କଠିନ ହୋଇଯାଉଥିଲା ଏବଂ ସେ ଚାଲିବାକୁ ସକ୍ଷମ ହେଉନଥିଲା,’’ ତାଙ୍କ ଅସୁସ୍ଥତାର ପ୍ରାରମ୍ଭିକ ସଙ୍କେତ ବିଷୟରେ ତାଙ୍କର ମା’ କହିଥିଲେ । ତାଙ୍କର ମାତାପିତା ତାଙ୍କୁ ଘରଠାରୁ ୧୬ କିଲୋମିଟର ଦୂର କୋରାପୁଟ ଜିଲ୍ଲା ଡାକ୍ତରଖାନାକୁ ନେଇଯାଇଥିଲେ । ସେଠାରେ ଡାକ୍ତର କହିଥିଲେ ଯେ ସେମାନଙ୍କ ପୁଅ ଆଉ କେବେ ଚାଲିପାରିବ ନାହିଁ । ‘‘ହେନ୍ତି ଏକା ହେଇଚି । ଡାକ୍ତର କହିଲା ଭଲ୍‌ ହେବାର୍‌ ନାଇଁ । ଗୋଡ଼ ନାହିଁ ଆସେ । (କେବଳ ଏମିତି ଅବସ୍ଥାରେ ରହିବ । ଡାକ୍ତର କହିଲେ, ସେ ସୁସ୍ଥ ହେବେ ନାହିଁ । ତାଙ୍କର ଗୋଡ଼ କାମ କରିବ ନାହିଁ),’’ ଡାକ୍ତରଙ୍କ ସହ କଥାବାର୍ତ୍ତା ସମ୍ପର୍କରେ ଗୌର କହିଥିଲେ ।

ମିଓପାଥି ବା ମାଂସପେଶୀ ବିକୃତି କାରଣରୁ ସାଧବଙ୍କର ଚଳନ ଅକ୍ଷମତା ଦେଖାଦେଇଛି । କୋରାପୁଟସ୍ଥିତ ଜିଲ୍ଲା ଭିନ୍ନକ୍ଷମ ଚିକିତ୍ସାଳୟ ଏବଂ ପୁନର୍ବାସ କେନ୍ଦ୍ରର ଫିଜିଓଥେରାପିଷ୍ଟ ପ୍ରେମା କିଣ୍ଡୋ କୁହନ୍ତି, ଏହି ଅସୁସ୍ଥତା ପ୍ରାଣଘାତୀ ହୋଇପାରେ । ପ୍ରଥମ ଲକ୍ଷଣ ଦେଖା ଦେବାର ୧୭-୧୮ ବର୍ଷ ପର୍ଯ୍ୟନ୍ତ ରୋଗୀ ବଞ୍ଚିବାକୁ ସକ୍ଷମ ହୋଇଥାନ୍ତି । ‘‘ମିଓପାଥି ହେଉଛି ଏକ ଆନୁବଂଶିକ ରୋଗ । ରୋଗୀଙ୍କ ମାଂସପେଶୀ କଠିନ ହୋଇଯାଏ ଏବଂ ଧୀରେ ଧୀରେ ଅକ୍ଷମ ହୋଇପଡ଼େ । ଏହା ସ୍ୱେଚ୍ଛାକୃତ ଏବଂ ଅନିଚ୍ଛାକୃତ ଗତିଶୀଳତାକୁ ପ୍ରଭାବିତ କରିଥାଏ,’’ ସେ କହିଥିଲେ ।

ପାଞ୍ଚ ବର୍ଷ ପରେ ଇତିହାସର ପୁନରାବୃତ୍ତି ହେଲା। ସେମାନଙ୍କ ଝିଅ ପାର୍ବତୀ ଗୌଡ଼ ମାଂସପେଶୀ ଯନ୍ତ୍ରଣା ସହିତ ପ୍ରବଳ ଜ୍ୱରରେ ଆକ୍ରାନ୍ତ ହେଲେ। ସେମାନେ ତାଙ୍କୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଗଲେ ଏବଂ ସେତେବେଳେ ଛଅବର୍ଷ ହୋଇଥିବା ଝିଅକୁ ଦେଖାଇବା ଲାଗି ସେଠାରେ ଅପେକ୍ଷା କରି ରହିଲେ। ‘‘ମୋ ଝିଅ ବିଛଣାରେ ପଡ଼ି ରହିଥିଲା ଏବଂ ଆମେ ଅସହାୟ ଥିଲୁ। ତା’ପରଦିନ ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ଆମେ ଏଣେତେଣେ ଦୌଡ଼ିଥିଲୁ,’’ ଗୌର କହିଥିଲେ, ସେଦିନର କଥା ମନେ ପକାଇବା ବେଳେ ତାଙ୍କ କଣ୍ଠ ବାଷ୍ପରୁଦ୍ଧ ହୋଇପଡ଼ୁଥିଲା।

ଏକ ଲମ୍ବା ଏବଂ ଭୟପୂର୍ଣ୍ଣ ରାତ୍ରୀ ପରେ, ସକାଳୁ ଡାକ୍ତର ଆସି ପହଞ୍ଚିଲେ ଏବଂ କହିଲେ ଯେ, ପାର୍ବତୀ ମଧ୍ୟ ଆଉ ଚାଲି ପାରିବେ ନାହିଁ । ପାର୍କିନସନ୍ସ କାରଣରୁ ସାଧବଙ୍କ ଭଉଣୀ ପାର୍ବତୀଙ୍କର ଏପରି ଅବସ୍ଥା ହୋଇଛି । ‘‘ଏହା ମଧ୍ୟ ଏକ ଆନୁବଂଶିକ ରୋଗ ଯାହାକି ଜନ୍ମ ସମୟରେ ଦେଖାଦେଇଥାଏ କିମ୍ବା ସମୟ ଗଡ଼ିବା ସହିତ ବଢ଼ିଥାଏ। ଏହା କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀର ଏକ ବିକୃତି ଏବଂ ଧୀରେ ଧୀରେ ଏହା ବ୍ୟକ୍ତିର ଗତିଶୀଳତା ଉପରେ ପ୍ରଭାବ ପକାଇଥାଏ ଏବଂ ମାଂସପେଶୀ କଠିନ ହେବା, ଅବଶ ହୋଇଯିବା ଓ ପେଶୀ ଅକ୍ଷମ ହେବା ଭଳି ଲକ୍ଷଣ ଦେଖାଦିଏ.’’ କିଣ୍ଡୋ କହିଥିଲେ।

ସୁବିଧା ପାଇବା କଷ୍ଟକର

କେନ୍ଦ୍ର ସରକାରଙ୍କ ଏକକ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରକଳ୍ପ ୨୦୧୬ରେ କାର୍ଯ୍ୟକାରୀ ହୋଇଥିଲା । କିନ୍ତୁ ୨୦୨୧ରେ ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ଏକ ଶିବିରରେ ହିଁ ଗୌର ଏହାର ଲାଭ ବିଷୟରେ ଜାଣିପାରିଥିଲେ । ବିଳମ୍ବିତ ହୋଇ ପଡ଼ି ରହିଥିବା ଏକକ ଭିନ୍ନକ୍ଷମ ପ୍ରମାଣପତ୍ର ବିତରଣ କରିବା ଏବଂ ଏହି ପ୍ରକଳ୍ପରେ ଅଧିକ ଦିବ୍ୟାଙ୍ଗଙ୍କୁ ସାମିଲ କରିବା ଉଦ୍ଦେଶ୍ୟରେ ରାଜ୍ୟ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଏହି ଶିବିର ଆୟୋଜନ କରାଯାଇଥିଲା।

କୋରାପୁଟର ସାମାଜିକ ସୁରକ୍ଷା ଅଧିକାରୀ ସୀମାଞ୍ଚଳ ମହାପାତ୍ର କୁହନ୍ତି, ‘‘ବିବିଏସଏ ଯୋଜନା ଅଧୀନରେ ଆମେ ପେନସନ ଯୋଗାଇ ଦେଉଛୁ । ୭୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ହିତାଧିକାରୀଙ୍କୁ ୭୦୦ ଟଙ୍କା ମାସିକ ଯୋଗାଇ ଦିଆଯାଉଛି । ୭୦ ପ୍ରତିଶତରୁ କମ୍‌ ଅକ୍ଷମତା ଥିବା ହିତାଧିକାରୀମାନଙ୍କୁ ୫୦୦ ଟଙ୍କା ମିଳୁଛି ।’’

‘‘ଗତ ନଭେମ୍ବର (୨୦୨୧)ରେ ଆଶା କର୍ମୀ ମୋତେ କହିଥିଲେ ଯେ କାର୍ଡଟିଏ ପାଇଲେ ମୋ ପିଲାମାନଙ୍କୁ ସହାୟତା ମିଳିପାରିବ,’’ ଗୌର ପୂର୍ବକଥା ମନେ ପକାଇ କହିଥିଲେ। ‘‘କୋରାପୁଟ ଭିନ୍ନକ୍ଷମ ଚିକିତ୍ସାଳୟ ନିକଟରେ ଆୟୋଜିତ ହେଉଥିବା ଶିବିରରେ ପହଞ୍ଚାଇବା ଲାଗି ମୁଖ୍ୟ ରାସ୍ତାଠାରୁ ମୁଁ ପିଠିରେ ପକେଇ ପାର୍ବତୀକୁ ନେଇଥିଲି। ସେଠାରେ ଆମେ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଧାଡ଼ିରେ ଛିଡ଼ା ହେଲୁ । ଜଣେ ଅଧିକାରୀ ପାର୍ବତୀକୁ ଯାଞ୍ଚ କଲେ ଏବଂ ଆମକୁ (ଭିନ୍ନକ୍ଷମ) ପ୍ରମାଣପତ୍ର ଦେଲେ,’’ ସେ କହିଥିଲେ । ଭିନ୍ନକ୍ଷମ ପ୍ରମାଣପତ୍ର ବା ପିଡବ୍ଲୁଡି (ପର୍ସନ୍ସ ୱିଥ ଡିଜାବଲିଟି) ପ୍ରମାଣପତ୍ର ହେଉଛି ଏକ ଦସ୍ତାବିଜ ଯାହାକି କାର୍ଡଧାରୀଙ୍କ ଅକ୍ଷମତାକୁ ପ୍ରମାଣିତ କରିଥାଏ । ସେହି ସମାନ ଶିବିରରେ, ପାର୍ବତୀଙ୍କୁ ୟୁଡିଆଇଡି କାର୍ଡ ଦିଆଗଲା । ‘‘ଭିନ୍ନକ୍ଷମ ତାଲିକାରେ ନାଁ ନଥିବାରୁ ସାଧବଙ୍କୁ ଶିବିରରେ ସାମିଲ ହେବାକୁ ଦିଆଗଲା ନାହିଁ,’’ ଗୌର କହିଥିଲେ ।

ସାଧବଙ୍କର ମଧ୍ୟ ଏକ ଭିନ୍ନକ୍ଷମ ପ୍ରମାଣପତ୍ର ରହିଛି, ଯେଉଁଥିରେ ସେ ୪୫ ପ୍ରତିଶତ ଚାଲିବାକୁ ଅକ୍ଷମ ବୋଲି ଦର୍ଶାଯାଇଛି ।

କିନ୍ତୁ ଏଠାରେ ଏକ ତ୍ରୁଟି ରହିଛି : ସାଧବଙ୍କ ପ୍ରମାଣପତ୍ର ୨୦୧୩ ମସିହାର ଏବଂ ଏଥିରେ ସଂଶୋଧନର ଆବଶ୍ୟକତା ରହିଛି । କିଣ୍ଡୋ କୁହନ୍ତି, ୩୩ ବର୍ଷ ବୟସରେ ପହଞ୍ଚିଥିବା ଜଣେ ମିଓପାଥୀ ଆକ୍ରାନ୍ତ ବ୍ୟକ୍ତିଙ୍କୁ ୮୦ ପ୍ରତିଶତ ବିକଳାଙ୍ଗ ବୋଲି ବିବେଚନା କରାଯିବା ଉଚିତ୍‌ । ବ୍ଲକ୍‌ କଲ୍ୟାଣ ଅଧିକାରୀ ଲିପିକା ବାତ୍ରା କୁହନ୍ତି, ‘‘ଏହାକୁ କରିବାକୁ ହେଲେ (ପ୍ରମାଣପତ୍ର ସଂଶୋଧନ), ସାଧବଙ୍କୁ ମାସର ପହିଲା କିମ୍ବା ୧୫ ତାରିଖରେ ଜିଲ୍ଲା ମୁଖ୍ୟାଳୟକୁ ଯିବାକୁ ପଡ଼ିବ ଏବଂ ସେଠାରେ ପ୍ରମାଣପତ୍ର ସଂଶୋଧନ କରିବାକୁ ହେବ ।’’ ଏପରି ଆବେଦନ ପାଇଁ ଏକ ଆଧାର କାର୍ଡର ଆବଶ୍ୟକତା ରହିଛି ଏବଂ ‘‘ସାଧବଙ୍କର କୌଣସି ରାସନ କାର୍ଡ ନାହିଁ କିମ୍ବା ଆଧାର କାର୍ଡ ନାହିଁ,’’ ଗୌର କହିଥିଲେ । ଏଥିପାଇଁ ଯେ ଚେଷ୍ଟା କରାଯାଇନାହିଁ ତାହା ନୁହେଁ । ସାଧବଙ୍କ ଆଧାର କାର୍ଡ ପାଇଁ ପରିବାରକୁ ପାଞ୍ଚ ଥର ଆବେଦନ କରିବାକୁ ପଡ଼ିଛି । ପ୍ରତିଥର ତାଙ୍କୁ ସାଥୀରେ ନେଇ କୋରାପୁଟସ୍ଥିତ ଜନସେବା କେନ୍ଦ୍ରକୁ ଯିବାକୁ ପଡ଼ିଛି । ଶାରୀରିକ ଭାବେ କଷ୍ଟକର ଏହି ଯାତ୍ରା ସହିତ  ଯିବାଆସିବା ଖର୍ଚ୍ଚ ଏବଂ ଦିନ ମଜୁରି ହାନି ଭଳି ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିଛି ।

‘‘ଜନସେବା କେନ୍ଦ୍ରର ବାବୁ (ଅଧିକାରୀ) କହିଥିଲେ ଯେ ସେ କିଛି କରିପାରିବେ ନାହିଁ । ଆମ ଆବେଦନ (ଆଧାର) ସମ୍ପର୍କରେ ବାରମ୍ବାର ପଚାରିବାରୁ, ତାହା ଆସନ୍ତା ମାସ ଆସିବ ବୋଲି ସେ କହିଥିଲେ। ଦୁଇ ମାସ ବିତି ସାରିଲାଣି, ତଥାପି ଆମେ ଆଧାର କାର୍ଡ ପାଇବାକୁ ଅପେକ୍ଷା କରି ରହିଛୁ,’’ ଗୌର କହିଥିଲେ। ସେମାନେ ଏବେ ଆଧାର କାର୍ଡ ସମ୍ପର୍କରେ ପଚାରିବା ବନ୍ଦ କରିଦେଇଛନ୍ତି ।

‘‘ସାଧବ ଏବେ ଆହୁରି ନିରବ (ପୂର୍ବାପେକ୍ଷା) ହୋଇଯାଇଛି ଏବଂ ନିଜ ଭିତରେ ବୁଡ଼ି ରହୁଛି । ଦିନର ଅଧିକାଂଶ ସମୟରେ ସେ ଅନ୍ଧାର ଘର ଭିତରେ ବସି ରହୁଛି । ମୋ ଛଡ଼ା ଆମ ପରିବାରର ସବୁ ସଦସ୍ୟଙ୍କଠାରୁ ସେ ଦୂରରେ ରହୁଛି,’’ ଗୌର କହିଥିଲେ ।

ଗୌର ଏବଂ ଜଗନ୍ନାଥଙ୍କର ୭ ଜଣ ପୁଅଝିଅ ରହିଛନ୍ତି, ସେମାନଙ୍କ ମଧ୍ୟରୁ ତିନି ଜଣ – ଉଗ୍ର, ପଦ୍ମ ଓ ବିବିସେନ- ବାହା ହୋଇ ସେହି ପାଖରେ ସ୍ତ୍ରୀ ଓ ପିଲାମାନଙ୍କ ସହ ରହୁଛନ୍ତି । ସେମାନେ ସମସ୍ତେ କୋରାପୁଟ ଏବଂ ଦାମନଯୋଡ଼ି ସହର ପାଖରେ ଥିବା ଇଟା ଭାଟି ଏବଂ ନିର୍ମାଣସ୍ଥଳୀରେ କାମ କରିଥାନ୍ତି ।

‘‘ମୋର ବଡ଼ ପୁଅ, ସାଧବ, ଝିଅ ପାର୍ବତୀ ଓ ରମା, ଏବଂ ସାନ ପୁଅ ଉଦୟ, ଆଉ ମୁଁ ଓ ମୋର ସ୍ୱାମୀ ସାଥୀ ହୋଇ ରହୁଛୁ’’। ଭିନ୍ନକ୍ଷମ ସାଧବ ଓ ପାର୍ବତୀଙ୍କ ଔଷଧ ଏବଂ ଅନ୍ୟାନ୍ୟ ସହାୟତା ଖର୍ଚ୍ଚ ପରିବାରରେ କଳହ ବଢ଼ାଉଛି । ଗୌରଙ୍କୁ ଆଉ ଏକ ଚିନ୍ତା ଘାରୁଛି, ଖୁବ୍‌ ଶୀଘ୍ର ରମା ଓ ଉଦୟ ମଧ୍ୟ ବାହା ହୋଇ ଘର ଛାଡ଼ି ଚାଲିଯିବେ। ସେମାନଙ୍କର ଆର୍ଥିକ ଏବଂ ଯତ୍ନ ସହାୟତା ବନ୍ଦ ହୋଇଯିବ ।

ଉଭୟ ଗୌର ଏବଂ ଜଗନ୍ନାଥ ସେମାନଙ୍କ ପିଲାଙ୍କ ଅସୁସ୍ଥତା ଏବଂ ଶାରୀରିକ ଅବସ୍ଥା ବିଷୟରେ ବିଶେଷ କିଛି ଜାଣିନାହାନ୍ତି, କେବଳ ଏତିକି ଜାଣନ୍ତି ଯେ ସେମାନଙ୍କର ପିଲାମାନେ ‘‘କେବେ ସୁସ୍ଥ ହେବେ ନାହିଁ ।’’ ଏଭଳି ଅସୁସ୍ଥତା ସମ୍ପର୍କରେ ତଳପାଖଣ୍ଡଳ ଗାଁରେ କେହି କେବେ ଶୁଣିନାହାନ୍ତି କି ଜାଣିନାହାନ୍ତି ।

‘‘ପଡ଼ାରେ କେହି ଡାକ୍ତର ନାହାନ୍ତି କିମ୍ବା କିଛି ସୁବିଧା ନାହିଁ । ଆମକୁ କୋରାପୁଟ ଯିବା ଆସିବା କରିବାକୁ ପଡ଼ିଥାଏ । ଏହି ପରିସ୍ଥିତି କାରଣରୁ ଖୁବଶୀଘ୍ର ପଡ଼ାରେ ଅନେକ ଲୋକ ମୃତ୍ୟୁବରଣ କରିବେ। ଏଠାକୁ ନିର୍ବାଚନ କିମ୍ବା ଅନ୍ୟାନ୍ୟ ସର୍ବେକ୍ଷଣ ପାଇଁ ଆସୁଥିବା ସରକାରୀ ବାବୁ (ସରକାରୀ ଅଧିକାରୀ)ଙ୍କୁ ଆମେ ବାରମ୍ବାର କହିଛୁ ଏବଂ ସେମାନେ କହିଛନ୍ତି, ‘ଆମ କାମ ଖୁବଶୀଘ୍ର ହୋଇଯିବ’, ’’ ବହୁ ଦଶନ୍ଧି ଧରି ତଳ ପାଖଣ୍ଡଳରେ ରହୁଥିବା ବୟସ୍କା ମହିଳା ସୁମତୀ ଗୌଡ଼ କହିଥିଲେ ।

ଏଇ ନିକଟରେ ତଳେ ପଡ଼ିଯିବା କାରଣରୁ ପାର୍ବତୀଙ୍କ ଦାନ୍ତ ଭାଙ୍ଗି ଯାଇଥିଲା । ତେଣୁ ଏବେ ସ୍ପଷ୍ଟ ଭାବେ କଥା କହିବା ମଧ୍ୟ ତାଙ୍କ ପାଇଁ କଷ୍ଟକର ହୋଇପଡ଼ିଛି ।  ସେ କହିଥିଲେ, ‘‘ମୋ ମା’ ମୋତେ ସବୁକଥାରେ ସାହାଯ୍ୟ କରୁଛନ୍ତି, କିନ୍ତୁ ମୁଁ ତାଙ୍କୁ କିଛି କାମରେ ସାହାଯ୍ୟ କରିପାରୁନାହିଁ ।’’ ପାର୍କିନସନ ରୋଗ ବଢ଼ିବା ସହିତ, ସେ ସ୍କୁଲ ପାଠପଢ଼ା ମଧ୍ୟ ଛାଡ଼ି ଦେଇଥିଲେ ଏବଂ ତାଙ୍କ ବୟସର ଝିଅଙ୍କ ସହ ମିଳାମିଶା ବନ୍ଦ କରି ଦେଇଥିଲେ । ‘‘ମୋର କେହି ବନ୍ଧୁ ନାହାନ୍ତି । ମୋ ଗାଁର ସବୁ ଝିଅ ଏବେ ବାହା ହୋଇଗଲେଣି । ମୁଁ ଚାଲି ପାରିନଥିବାରୁ ବାହା ହୋଇନାହିଁ । ଆଜିକାଲି ମୁଁ କଥାବାର୍ତ୍ତା ସୁଦ୍ଧା କରିପାରୁନାହିଁ,’’ ସେ କହିଥିଲେ ।

ପରୀ ଏଜୁକେସନ ବଞ୍ଚିତ ବର୍ଗଙ୍କ ଉପରେ ଲେଖିବା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିଥାଏ। ଭିନ୍ନକ୍ଷମଙ୍କ ଉପରେ ପ୍ରସ୍ତୁତ ଏହି ସିରିଜ୍‌ ପାଇଁ ପୁଣେର ତଥାପି ଟ୍ରଷ୍ଟ ପକ୍ଷରୁ ସହାୟତା ଦିଆଯାଇଛି। ଯଦି ଆପଣ ଏହି ସ୍ତମ୍ଭ ପ୍ରକାଶ କରିବାକୁ ଚାହୁଁଛନ୍ତି ତା’ହେଲେ zahra@ruralindiaonline.org ଏବଂ cc namita@ruralindiaonline.orgକୁ ମେଲ୍‌ କରନ୍ତୁ

ପରୀ ହୋମପେଜ୍‌କୁ ଯିବା ଲାଗି, ଏଠାରେ କ୍ଲିକ୍‌ କରନ୍ତୁ

Editor's note

ଶୁଭଶ୍ରୀ ମହାପାତ୍ର ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଜର୍ଣ୍ଣାଲିଜମ୍‌ ଏଣ୍ଡ ନ୍ୟୁ ମିଡିଆର ଜଣେ ସାମ୍ବାଦିକତା ଛାତ୍ରୀ । ସେ ଓଡ଼ିଶାର କୋରାପୁଟ ଜିଲ୍ଲାର ବାସିନ୍ଦା ଏବଂ ମାନବାଧିକାର, ସାମାଜିକ ବଞ୍ଚିତ ବର୍ଗ ଓ ଅସମାନତା ଉପରେ ଲେଖିବାକୁ ଚାହାନ୍ତି । ସେ କୁହନ୍ତି : ‘‘ପାର୍ବତୀଙ୍କୁ କାନ୍ଧରେ ବୋହି ନେଉଥିବା ଗୌରଙ୍କୁ ମୁଁ ଯେତେବେଳେ ଦେଖିଲି, ସେତେବେଳେ ମୁଁ ଅନୁଭବ କଲି ଯେ ପ୍ରଶାସନିକ ସୁବିଧା ଅପହଞ୍ଚ ହୋଇଥିବା ଯୋଗୁ ଗୌରଙ୍କୁ ଏତେ ଭାବଗତ ଏବଂ ଶାରୀରିକ ଚାପର ସମ୍ମୁଖିନ ହେବାକୁ ପଡ଼ୁଛି । ପରୀ ପାଇଁ ଏ କାହାଣୀ ଲେଖୁଥିବା ବେଳେ ମୋର ତଥ୍ୟ ଯାଞ୍ଚ କୌଶଳ ବିକଶିତ ହୋଇଥିଲା ଏବଂ ମୁଁ ଏହି ଖବର ସଂଗ୍ରହ କରିବା ଲାଗି ସମୟ ବିତାଇଥିବା କାରଣରୁ ତଥ୍ୟଗୁଡ଼ିକୁ ଭଲ ଭାବେ ବିଶ୍ଳେଷଣ କରିବା ଏବଂ ତାହାକୁ ବର୍ଣ୍ଣନା କରି ଲେଖିବାରେ ସକ୍ଷମ ହୋଇପାରିଥିଲି ।’’

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ