
ଓଦା ହେୟାରବ୍ୟାଣ୍ଡ ଏବଂ ପ୍ରସ୍ତୁତ ହୋଇଥିବା ଖାଦ୍ୟ ପ୍ୟାକେଟ୍ ମଧ୍ୟରେ ଛୋଟ, ଧଳା କୀଟ ଘୂରୁ ବୁଲୁଛନ୍ତି। ସରମ୍ମା ଆଦୌ ସଙ୍କୋଚ ନକରି ଖାଲି ହାତରେ ଅଳିଆ ଉଠାନ୍ତି ଏବଂ ତା’କୁ ଏକ ବଡ଼ ଓ ମଜବୁତ ପ୍ଲାଷ୍ଟିକ ବ୍ୟାଗରେ ଭର୍ତ୍ତି କରି ଦିଅନ୍ତି।
ଜଣେ ଚଭରୁ ପରୁକ୍କୁନ୍ନ ଅଲୁକଲ (ବର୍ଜ୍ୟବସ୍ତୁ ସଂଗ୍ରହକାରୀ) ଭାବେ ୨୦ ବର୍ଷ ଧରି ଏନ. ସରମ୍ମା ନିୟମିତ ଭାବେ ତିରୁଅନନ୍ତପୁରମର ପେରୁର୍କଡା ୱାର୍ଡରେ ନିଜେ କାମ କରୁଥିବା ସ୍ଥାନରେ ନଷ୍ଟ ହୋଇଯାଇଥିବା ଖାଦ୍ୟ ଏବଂ ଭାଙ୍ଗି ଯାଇଥିବା କାଚ ସହିତ ଅନ୍ୟ ବିପଜ୍ଜନକ ବର୍ଜ୍ୟବସ୍ତୁ ଉଠାଇଥାନ୍ତି।
ଏମିତି ଅନେକ ସମୟରେ ଘଟିଥିବା ସେ କୁହନ୍ତି ଯେତେବେଳେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସହିତ ତ୍ରୁଟିପୂର୍ଣ୍ଣ ଭାବେ ଫିଙ୍ଗି ଦିଆଯାଇଥିବା କାଚ ଖଣ୍ଡ ବାଜି ସେ ଆଘାତପ୍ରାପ୍ତ ହୋଇଛନ୍ତି। ଥରେ ଭଙ୍ଗା କାଚରେ ହାତ କଟିଯିବା ପରେ ତାଙ୍କୁ ଷ୍ଟିଚ୍ କରିବା ଲାଗି ଏକ ଘରୋଇ ଡାକ୍ତରଖାନାକୁ ଯିବାକୁ ପଡ଼ିଥିଲା। ‘‘ଡାକ୍ତରଖାନା ଖର୍ଚ୍ଚ ପାଇଁ ମୋ ଠାରୁ ଟଙ୍କା ନିଆଗଲା,’’ ସେ କୁହନ୍ତି ଏବଂ ତାଙ୍କ ଗୋଡ଼କୁ ଦେଖାଇ କହିଥାନ୍ତି ଯେ, ‘‘ମୋର ଦୁଇଟି ଗୋଡ଼ରେ ଖଣ୍ଡିଆ ରହିଛି। ଏହା ସଂକ୍ରମିତ ହୋଇଯାଇଥିଲା ଏବଂ ସେପ୍ଟିକ ହୋଇ କଳା ପଡ଼ିଯାଇଥିଲା। ଏହାପରେ, ମୁଁ ଡାକ୍ତରଖାନାକୁ ଗଲି। ମୁଁ ଜାଣିଥିଲି ଯେ ବର୍ଜ୍ୟ ଜଳ କାରଣରୁ ଏହା ହୋଇଛି।’’
କୌଣସି ସୁରକ୍ଷା ଗ୍ଲୋବ୍ସ କିମ୍ବା ମାସ୍କ ନଥିବା କାରଣରୁ, ସରମ୍ମାଙ୍କ ବେଉସା ପ୍ରତିଦିନ ତାଙ୍କୁ ଆଘାତପ୍ରାପ୍ତ କରିଥାଏ, କିନ୍ତୁ ସେ ବାସ୍ତବରେ ଏହା ସହ ଲଢ଼ନ୍ତି ନାହିଁ। ‘‘ଆପଣମାନେ ଏହାକୁ ଫିଙ୍ଗିବା ପୂର୍ବରୁ ଧୋଇ ଦେବା ଉଚିତ, କିନ୍ତୁ ମୁଁ ସେଥିପ୍ରତି ସେତେ ଧ୍ୟାନ ଦିଏ ନାହିଁ,’’ ସରମ୍ମା କୁହନ୍ତି, କାରଣ ସେ ଜାଣିଛନ୍ତି ଯେ ସାଧାରଣତଃ ବ୍ୟବହାର କରାଯାଇଥିବା ପ୍ଲାଷ୍ଟିକ ପ୍ୟାକେଟକୁ ଧୋଇବା ଏବଂ ଶୁଖାଇବା ଲାଗି ଘରେ କାହା ପାଖରେ ସମୟ ନଥାଏ।



ସରମ୍ମା ସବୁଦିନ ସକାକୁ ୧୦୫ ଟି ଘର ବୁଲି ବର୍ଜ୍ୟବସ୍ତୁ ସଂଗ୍ରହ କରନ୍ତି। ଆୟଶା ଜୋଏସ ଉଠାଇଥିବା ଫଟୋ
୬୨ ବର୍ଷ ବୟସ୍କା ସରମ୍ମାଙ୍କ କାମ ସକାଳ ୬ଟାରୁ ଆରମ୍ଭ ହୋଇଥାଏ, ଦୈନିକ ସେ ୧୦୫ଟି ଘର ବୁଲି ତାଙ୍କ କାମ କରିଥାନ୍ତି। କେରଳର ରାଜଧାନୀରେ ଥିବା ପାଞ୍ଚଟି ଆବାସିକ କଲୋନି – ଶ୍ରୀନଗର, ଐଶ୍ୱର୍ଯ୍ୟା ଗାର୍ଡେନ, ଦୁର୍ଗା ନଗର, ଉଲ୍ୟାନାଡ଼ୁ ଏବଂ ଜର୍ଣ୍ଣାଲିଷ୍ଟ କଲୋନୀରେ ଏସବୁ ଘର ରହିଛି। ଘରୁ ସିଧାସଳଖ ଅଳିଆ ନେଇଯିବା ଲାଗି ପ୍ରତ୍ୟେକ ପରିବାର ତାଙ୍କୁ ମାସିକ ୫୦୦ ଟଙ୍କା ଲେଖାଏଁ ଦେଇଥାନ୍ତି।
ଟଙ୍କା ଦେଉଥିବା ଲୋକମାନେ ରାତି ଅଧରେ ଅଳିଆ ଫିଙ୍ଗିଥାନ୍ତି। ଏହା ବୁଲା କୁକୁରଙ୍କ ଧ୍ୟାନ ଆକର୍ଷଣ କରିଥାଏ, ଯେଉଁମାନେ ଖାଦ୍ୟ ସନ୍ଧାନରେ ପ୍ଲାଷ୍ଟିକ ଥଳିକୁ ଫାଡ଼ି ଦିଅନ୍ତି। କୁକୁରମାନେ ଅଧିକାଂଶ ସମୟରେ ବସ୍ତାକୁ କାମୁଡ଼ି ଫାଡ଼ି ଦେଇଥାନ୍ତି ଏବଂ ବସ୍ତାକୁ ନିୟମିତ ଭାବେ ବଦଳାଇବା ଉଚିତ। ଗୋଟିଏ ମାସରେ ସରମ୍ମା ପାଖାପାଖି ୧୦-୧୬ଟି ବସ୍ତା ବ୍ୟବହାର କରିଥାନ୍ତି ଏବଂ ଏଥିପାଇଁ ସେ ନିଜ ରୋଜଗାରରୁ ଟଙ୍କା ଖର୍ଚ୍ଚ କରନ୍ତି। ‘‘ଏହା ମୋ ପାଇଁ ଏକ ସଂଘର୍ଷ; ଯଦି ସେମାନେ ମାସିକ ୫୦୦ ଟଙ୍କା ଖର୍ଚ୍ଚ କରିପାରୁଛନ୍ତି (ଏବଂ ଅଳିଆ ସଂଘର୍ଷ ପାଇଁ ତାଙ୍କୁ ପାଇଛନ୍ତି), ସେ କୁହନ୍ତି।
ଘର ଏବଂ ବର୍ଜ୍ୟବସ୍ତୁକୁ ପୃଥକ କରିବା ସ୍ଥାନ ମଧ୍ୟରେ ଦୂରତା ପାଖାପାଖି ତିନି କିଲୋମିଟର ହେବ ଏବଂ ସରମ୍ମା ଏହି କାମ ପାଇଁ ଏକ ଅଟୋ ରିକ୍ସା ଭଡ଼ାରେ ନେଇଛନ୍ତି। ଡ୍ରାଇଭରଙ୍କ ସହିତ, ସେ ଘର ଏବଂ ଅଳିଆ ପୃଥକୀକରଣ ସ୍ଥାନକୁ ଏକାଧିକ ବାର ଯିବା ଆସିବା କରିଥାନ୍ତି। ସେଠାରେ ସେ ଏକ ଘରୋଇ କମ୍ପାନୀକୁ ଏସବୁ ହସ୍ତାନ୍ତର କରିଥାନ୍ତି ଯାହାକି ସେଗୁଡ଼ିକୁ ଘୁଷୁରି ଫାର୍ମ ଏବଂ ପୁନଃଚକ୍ରଣ କେନ୍ଦ୍ରକୁ ନେଇଥାଏ।
ସରମ୍ମାଙ୍କ ଭଳି ବର୍ଜ୍ୟବସ୍ତୁ ସଂଗ୍ରହକାରୀମାନେ ପୃଥକୀକରଣ ସ୍ଥାନରୁ ବର୍ଜ୍ୟବସ୍ତୁ ଉଠାଇ ନେବା ଲାଗି ଏସବୁ ଘରୋଇ କମ୍ପାନୀକୁ ଅର୍ଥ ପୈଠ କରିଥାନ୍ତି। ସେମାନଙ୍କ ପାଉଣା ପରିଶୋଧ କରିବା, ବସ୍ତା ଓ ଅଟୋ ଭଡ଼ା ବାବଦରେ ଟଙ୍କା ଦେବା ପରେ ପ୍ରତି ମାସରେ ସରମ୍ମାଙ୍କ ପାଖରେ ଘରକୁ ନେବା ଲାଗି ୫,୦୦୦ ଟଙ୍କା ବଳକା ରହିଥାଏ।




ତିରୁଅନନ୍ତପୁରମରେ ରାଜାଜୀ ନଗରର ଚେଙ୍ଗାଲଚୁଲା କଲୋନୀରେ ଥିବା ଏକ ବିଶାଳ ବସ୍ତି ଅଞ୍ଚଳରେ ସରମ୍ମା ସାରା ଜୀବନ ରହିଆସିଛନ୍ତି। ତାଙ୍କୁ ମାତ୍ର ୧ ବର୍ଷ ହୋଇଥିବା ସମୟରେ ତାଙ୍କ ପରିବାର ଏଠାରୁ ୪ କିଲୋମିଟର ଦୂର ଗୁଣ୍ଡୁକାଡ଼ କଲୋନୀରେ ଥିବା ଆଉ ଏକ ବସ୍ତିରୁ ଏଠାକୁ ଚାଲିଆସିଥିଲେ। ଭଲ ମଜୁରି କାମ ପାଇବା ଆଶାରେ ସେମାନେ ଏଠାକୁ ଚାଲି ଆସିଥିଲେ। ଛୋଟ ବେଳେ ସରମ୍ମାଙ୍କୁ ପ୍ରାୟ ୭ ବର୍ଷ ବୟସ ହୋଇଥିବା ସମୟରେ ଏଠାରୁ ୬୬ କିଲୋମିଟର ଦୂର କୋଲ୍ଲମ ସହରରେ ଥିବା ଏକ ଘରେ ସେ ଘରୋଇ ସେବିକା ଭାବେ କାମ କରୁଥିଲେ।
‘‘ମୁଁ ସେତେବେଳେ କିଛି ଜାଣିନଥିଲି। ଶୋଇବା ସମୟରେ ବିଛଣାରେ ପରିସ୍ରା କରି ଦେଉଥିଲି। ସେହି ଘରେ ମୁଁ ଦେଢ଼ ବର୍ଷ କାମ କଲି ଓ ତା’ପରେ ମୋ ବାପା ମୋତେ ସେଠାରୁ ନେଇ ଆସିଲେ କାରଣ ମୋତେ ବାହାରକୁ ପଠାଇ ସେ ନିଜକୁ ଦୋଷୀ ଅନୁଭବ କରୁଥିଲେ,’’ ସରମ୍ମା ସେଦିନ କଥା ମନେ ପକାଇ କୁହନ୍ତି। ତେବେ, ଘରକୁ ଫେରିବା ପରେ ସେ ଭିନ୍ନ ଭିନ୍ନ ଘରେ କାମ କରିବା ଜାରି ରଖିଲେ ଏବଂ ତାଙ୍କୁ ୧୨ ବର୍ଷ ବୟସ ହୋଇଥିବା ସମୟରେ ସେ ନିର୍ମାଣ ଶ୍ରମିକ ଭାବେ କାମ କରିବା ଆରମ୍ଭ କରିଥିଲେ। ‘‘ସେତେବେଳେ ପରିସ୍ଥିତି ଭିନ୍ନ ଥିଲା, କୌଣସି ଶିଶୁ ଶ୍ରମିକ ଆଇନ ନଥିଲା। ମୁଁ (ମୋ ବୟସ ଠାରୁ) ସାମାନ୍ୟ ବଡ଼ ଦେଖାଯାଉଥିଲି,’’ ସେ କହିଥିଲେ ଏବଂ ଆହୁରି କହିଥିଲେ ଯେ ତାଙ୍କ ଭଳି ଦଳିତ ପରିବାର ପାଇଁ ଏଭଳି କଷ୍ଟକର ଜୀବନ ବିତାଇବା ସାଧାରଣ କଥା।
ସରମ୍ମାଙ୍କ ମାତାପିତା ଅଣକୁଶଳୀ ଶ୍ରମିକ ଥିଲେ ଏବଂ ସେ ଥିଲେ ସେମାନଙ୍କର ଚତୁର୍ଥ ସନ୍ତାନ। ତାଙ୍କର ଶ୍ରମ ପରିବାରର ରୋଜଗାରରେ ସହାୟକ ପାଇଁ ଜରୁରି ଥିଲା ଏବଂ ଦ୍ୱିତୀୟ ଶ୍ରେଣୀରୁ ସେ ସ୍କୁଲ ପାଠପଢ଼ା ଛାଡ଼ି ଦେଇଥିଲେ କିନ୍ତୁ ତାଙ୍କର ଭାଇଭଉଣୀମାନେ ସେଠାରେ ଅଷ୍ଟମ ଏବଂ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ।
‘‘ମୁଁ ପଢ଼ି କିମ୍ବା ଲେଖିପାରିବି ନାହିଁ। ମୋର ଦସ୍ତଖତ ମାତ୍ର ତିନି ଲାଇନ ବିଶିଷ୍ଟ। ଅତି କଷ୍ଟରେ, ମାଲୟାଲମରେ ପ୍ରିଣ୍ଟ ହୋଇଥିବା ବଡ଼ ଅକ୍ଷରଗୁଡ଼ିକୁ ପଢ଼ିପାରିଥାଏ। ମୋର ପିଲାମାନେ ପାଠ ପଢ଼ିଥିଲେ,’’ ସେ କୁହନ୍ତି। ତାଙ୍କର ପିଲାମାନେ ନିକଟସ୍ଥ ସରକାରୀ ବିଦ୍ୟାଳୟରେ ପାଠ ପଢ଼ିଥିଲେ।
ସରମ୍ମାଙ୍କର କୌଣସି ବ୍ୟାଙ୍କ ଆକାଉଣ୍ଟ ନାହିଁ, କିମ୍ବା କେରଳରେ ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ଲୋକମାନଙ୍କୁ ମିଳୁଥିବା ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା; ସ୍ୱାସ୍ଥ୍ୟ ବୀମା ଆଦି କୌଣସି ସାମାଜିକ ସୁରକ୍ଷା ଯୋଜନାର ଲାଭ ସେ ପାଉନାହାନ୍ତି। ରାଜ୍ୟର ବିଧବା ଭତ୍ତା ଯୋଜନା ଅନୁଯାୟୀ, ସେ ମାସିକ ୧,୪୦୦ ଟଙ୍କା ପାଇବା କଥା, କିନ୍ତୁ ସେ କୁହନ୍ତି ଯେ ସେ କେବେ ଏଥିପାଇଁ ଆବେଦନ କରିନାହାନ୍ତି।


‘‘ମାସିକ ୧,୪୦୦ ଟଙ୍କା ପାଇବା ଲାଗି, ଆପଣଙ୍କୁ ଅନେକ ଦିନ ପର୍ଯ୍ୟନ୍ତ ସରକାରୀ ଅଧିକାରୀଙ୍କ ପଛରେ ଗୋଡ଼ାଇବାକୁ ପଡ଼ିବ। ଗୋଟିଏ ଦିନ କାମ ନକଲେ, ମୁଁ ରୋଜଗାର ହରାଇବି,’’ ସରମ୍ମା କୁହନ୍ତି। ଆଧାର କାର୍ଡ, ରାସନ କାର୍ଡ ଏବଂ ଭୋଟର ଆଇଡି ଥିବା ସତ୍ତ୍ୱେ ଗୋଟିଏ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପାଇଁ କାଗଜପତ୍ର କାମ ସାରିବାକୁ ସେ ସମୟ ପାଆନ୍ତି ନାହିଁ। ଆଉ ତା’ପରେ ସେ ଗୋଟିଏ ଦିନ କାମ ଛାଡ଼ିଲେ, ‘‘ଆବର୍ଜନା ଅଧିକ ସଢ଼ିଯିବ ଏବଂ ସମସ୍ତେ ଏଥିରେ ପ୍ରଭାବିତ ହେବେ,’’ ସେ କୁହନ୍ତି।
ସରମ୍ମା ସକାଳୁ ଶୀଘ୍ର ଘରୁ ବାହାରି ଯାଆନ୍ତି ଏବଂ ଅପରାହ୍ଣ ୨ଟା କିମ୍ବା ତା’ପରେ ଘରକୁ ଫେରିଲେ ସେ ତାଙ୍କ ଜୀବନର ପ୍ରଥମ ଖାଇବା ଖାଆନ୍ତି। ସାଧାରଣତଃ ତାଙ୍କ ଖାଦ୍ୟରେ ଭାତ ଏବଂ ପୂର୍ବ ଦିନରୁ ବଳକା ରହି ଯାଇଥିବା ତରକାରୀ ଥାଏ। ‘‘ସକାଳେ ମୁଁ କେବଳ ନାଲି ଚା’ ପିଇଥାଏ, ଘରକୁ ଫେରି ଗାଧୋଇବା ପରେ ଯାଇ ମୁଁ ଖାଇଥାଏ,’’ ସେ କୁହନ୍ତି। ତାଙ୍କର ସକାଳ ଜଳଖିଆ ହେଉଛି ସ୍ଥାନୀୟ ଏକ ଚା’ ଦୋକାନରୁ କପେ ଚା’ ଏବଂ ଗୋଟିଏ ୱଡ଼ା କାରଣ ସେ ଖାଇବା ପୂର୍ବରୁ ଭଲ ଭାବେ ହାତ ଧୋଇ ପାରନ୍ତି ନାହିଁ। କାମ କରିବା ସମୟରେ ସେ କେବଳ ପାଣି ପିଇଥାନ୍ତି।
ସେ ରହୁଥିବା ଅଞ୍ଚଳକୁ ପୂର୍ବରୁ ବେଆଇନ ମଦ, ନିଶା କାରବାର, ଗୁଣ୍ଡା ଓ ଅପରାଧିକ କାର୍ଯ୍ୟର ଆଡ୍ଡା ବୋଲି କୁହାଯାଉଥିଲା। କିନ୍ତୁ ସରମ୍ମା କୁହନ୍ତି ଗତ ୨୦ ବର୍ଷ ମଧ୍ୟରେ କେତେକ ପରିବର୍ତ୍ତନ ଆସିଛି ଏବଂ ଏହି କଲୋନୀ ଖାଇବାକୁ ପାଉନଥିବା ଗରିବ ଲୋକଙ୍କ ଆଶ୍ରୟସ୍ଥଳୀ ପାଲଟିଛି। ଏଠାରେ ସେମାନଙ୍କୁ ଶୋଇବାକୁ ସ୍ଥାନ ମିଳୁଛି, ପିନ୍ଧିବାକୁ କପଡ଼ା ଏପରିକି ଟଙ୍କା ମଧ୍ୟ ମିଳୁଛି।
‘‘ଖାଇବାକୁ ଖାଦ୍ୟ, ଶୋଇବାକୁ ସ୍ଥାନ ଏବଂ ପିନ୍ଧିବାକୁ କପଡ଼ା ନଥିବା କାରଣରୁ ମୁଁ ଅନେକ କଷ୍ଟ ସହିଥିଲି। ମୁଁ ଘର ବାରଣ୍ଡାରେ ଶୋଉଥିଲି, ସକାଳୁ ସକାଳୁ ଉଠି, ବିବାହ ଆୟୋଜନସ୍ଥଳୀକୁ ଯାଉଥିଲି ଏବଂ ସେଠାରୁ ଖାଦ୍ୟ ଖାଉଥିଲି। ଜୀବନରେ ମୋତେ ଅନେକ ସଂଘର୍ଷ କରିବାକୁ ପଡ଼ିଛି,’’ ସେ କୁହନ୍ତି। ସରମ୍ମା ଚାହାନ୍ତି ଅନ୍ୟ କେହି ତାଙ୍କ ଭଳି କଷ୍ଟ ନଭୋଗନ୍ତୁ, ସେଥିପାଇଁ ତାଙ୍କ ଘର ଦ୍ୱାର ରାତି ୧୧ଟା ପର୍ଯ୍ୟନ୍ତ ଖୋଲା ରହିଥାଏ। ଲୋକମାନେ ତାଙ୍କ ଘରକୁ ଖାଇବାକୁ ଆସନ୍ତି। ରାତିରେ ଆଶ୍ରୟ ଚାହୁଁଥିବା ଏସବୁ ଅପରିଚିତ ଅତିଥି କିମ୍ବା ବସ୍ତିର ପିଲାମାନଙ୍କ ପାଇଁ ସେ ରୋଷେଇ କରନ୍ତି।


‘‘କେହି ଜଣେ ହେଲେ ଭୋକିଲା ରହିବା ଉଚିତ୍ ନୁହେଁ, ଏହି ନିୟମକୁ ମୁଁ କଡ଼ାକଡ଼ି ପାଳନ କରିଥାଏ କାରଣ ମୋ ପିଲାଦିନେ ମୁଁ ଉତ୍କଟ ଦାରିଦ୍ର୍ୟର ସମ୍ମୁଖିନ ହୋଇଥିଲି। ମୋ ପରିବାର ମଧ୍ୟ ଏହି ନିୟମକୁ ଅନୁସରଣ କରିଥାଏ,’’ ସେ ନିଜ ଝିଅ ଏବଂ ବୋହୂ ବିଷୟରେ କୁହନ୍ତି। ଏହି ପରିବାର ପ୍ରତିଦିନ ୨.୫ କିଲୋଗ୍ରାମ ଚାଉଳରେ ଭାତ ରାନ୍ଧିଥାନ୍ତି ଏବଂ ପ୍ରତି ୧୫ଦିନରେ ସେମାନଙ୍କର ଗୋଟିଏ ଗ୍ୟାସ ସିଲିଣ୍ଡର ଖର୍ଚ୍ଚ ହୁଏ।
ଧନୁଜା କୁମାରୀ ଏସ. ହେଉଛନ୍ତି ସରମ୍ମାଙ୍କର ଦ୍ୱିତୀୟ ସନ୍ତାନ ଏବଂ ସେ ଚେଙ୍ଗଲଚୁଲାୟଲେ ଏଣ୍ଟେ ଜୀବିତମ, (ଚେଙ୍ଗଲଚୁଲାରେ ମୋ ଜୀବନ) ପୁସ୍ତକର ଲେଖିକା ଯାହାକି ୨୦୧୪ରେ ପ୍ରକାଶ ପାଇଥିଲା। ଏହା ଏକ ଆତ୍ମଜୀବନୀ କାହାଣୀ ହୋଇଥିବା ବେଳେ ବସ୍ତିରେ ଜୀବନ ବିତାଇଥିବା ଧନୁଜା ଏଥିରେ ନିଜର ଅନୁଭୂତି ଲେଖିଛନ୍ତି। ତାଙ୍କ ପରିବାର ସମ୍ମୁଖିନ ହୋଇଥିବା ଜାତିଗତ ଭେଦଭାବ, ତାଙ୍କର ଦୁଇ ପିଲାଙ୍କୁ ଶିକ୍ଷିତ କରାଇବା ଲାଗି ସଂଘର୍ଷ ଏବଂ ଏକ ବଞ୍ଚିତ ସମୁଦାୟ ହେବାର କଷ୍ଟ ବିଷୟରେ ନିଜର ଅନୁଭୂତିକୁ ସେ ଏହି ପୁସ୍ତକରେ ଅବତାରଣା କରିଛନ୍ତି। ଯଦିଓ ସେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି ଏବଂ ଏହି ପୁସ୍ତକର ତୃତୀୟ ସଂସ୍କରଣ ପ୍ରକାଶ ପାଇବା ପରେ ଜଣେ ପ୍ରତିଷ୍ଠିତ ଲେଖିକା ହୋଇପାରିଛନ୍ତି, ତଥାପି ସେ ମଧ୍ୟ ନିଜ ମା’ଙ୍କ ସହିତ ବର୍ଜ୍ୟବସ୍ତୁ ସଂଗ୍ରହକାରୀ ଭାବେ କାମ କରୁଛନ୍ତି।
‘‘କିଏ ଜଣେ ଦଳିତକୁ କାମ ଦେବ?’’ ତାଙ୍କ ଝିଅ କାହିଁକି ଏହି କାମ କରୁଛନ୍ତି ବୋଲି ପଚାରିବାରୁ ସରମ୍ମା ଓଲଟି ପ୍ରଶ୍ନ କରିଥିଲେ। ‘‘ଲୋକମାନେ ସବୁବେଳେ ଦେଖନ୍ତି ଯେ ଅନ୍ୟମାନଙ୍କ ସହିତ ଆପଣଙ୍କର କିଭଳି ସମ୍ପର୍କ ରହିଛି। ଆମେ ଯେତେ ଭଲ ଭାବେ କାମ କରୁଥିଲେ ମଧ୍ୟ, ଆମେ ଯାହା କରୁଥିଲେ ମଧ୍ୟ କିଛି ଫରକ ପଡ଼ିନଥାଏ। ଆମ ଜୀବନ କେବଳ ଏମିତି,’’ ସେ କୁହନ୍ତି।
‘‘ବର୍ଜ୍ୟବସ୍ତୁ ସଂଗ୍ରହ କରି ମୁଁ ଜୀବିକା ନିର୍ବାହ କରି ଆସୁଛି। ଏହାକୁ ନେଇ ମୁଁ ଗର୍ବ କରିଥାଏ। ମୁଁ ଭାବୁଛି ଏହା ଏକ ଭଲ କାମ,’’ ସେ ଗର୍ବର ସହ କୁହନ୍ତି। ‘‘କିନ୍ତୁ ପରବର୍ତ୍ତୀ ପିଢ଼ି ଏହା କରିବା ଉଚିତ୍ ନୁହେଁ,’’ ସେ ଆହୁରି କହିଥିଲେ।
ପରୀ ହୋମପେଜକୁ ଫେରିବା ଲାଗି ଏଠାରେ କ୍ଲିକ୍ କରନ୍ତୁ
Editor's note
ଆୟଶା ଜୋଏସ୍ ସୋନପତର ଅଶୋକା ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଡିଗ୍ରୀ ପଢ଼ୁଛନ୍ତି। ୨୦୨୨ରେ ସେ ପରୀରେ ଇଣ୍ଟର୍ଣ୍ଣ କରିଥିଲେ ଏବଂ ସରମ୍ମାଙ୍କ ବିଷୟରେ ଲେଖିବା ଲାଗି ନିଷ୍ପତ୍ତି ନେଇଥିଲେ।
ସେ କୁହନ୍ତି, ‘‘ଅଧିକାଂଶ ସମୟରେ ଧନୁଜାଙ୍କ ଜୀବନ ସମ୍ପର୍କରେ ଖବର ପ୍ରକାଶ ପାଇଛି। ମୁଁ ତାଙ୍କ ବିଷୟରେ ଜାଣିବାକୁ ଚାହୁଁଛି ଯିଏ ଧନୁଜାଙ୍କୁ ପ୍ରସ୍ତୁତ କରିଛନ୍ତି। ପରୀର ଦୃଷ୍ଟିକୋଣରୁ ମୋତେ ସଠିକ ପ୍ରଶ୍ନ ପଚାରିବା ଲାଗି ସହାୟତା ମିଳିଲା ଏବଂ ବ୍ୟକ୍ତିଗତ ମତ ମାଧ୍ୟମରେ କାହାଣୀ ବର୍ଣ୍ଣନାକୁ ଅଧିକ ବାଧିତ ନକରି ସାମ୍ବାଦିକତାର ପ୍ରକୃତ ଅର୍ଥରେ ଏହି ଲେଖା ପ୍ରସ୍ତୁତ କରିବା ଲାଗି ଚିନ୍ତାଧାରା ମୋ ଭିତରେ ବିକଶିତ ହୋଇଥିଲା।
ଅନୁବାଦ: ଓଡ଼ିଶାଲାଇଭ୍
ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।