

ନାରାୟଣ କୁଟ୍ଟୀ ପାଞ୍ଚ ମିନିଟରୁ କମ୍ ସମୟ ମଧ୍ୟରେ ଏକ ନଡ଼ିଆ ବରଡ଼ାରୁ ଏକ ମାଛ ବୁଣି ପାରନ୍ତି; ଏକ ଫୁଲ କୁଣ୍ଡ କରିବା ପାଇଁ ତାଙ୍କୁ ଏକ ଘଣ୍ଟା ପର୍ଯ୍ୟନ୍ତ ସମୟ ଲାଗିଥାଏ ଏବଂ ସେ ଏକ ଲ୍ୟାମ୍ପ ତିଆରି କରିବା ପାଇଁ ଏହାଠାରୁ ଟିକିଏ ଅଧିକ ସମୟ ଆବଶ୍ୟକ କରିଥାନ୍ତି।
“କୁରୁଥୋଲାରେ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ନଡିଆ ପତ୍ର କାଟିବା ଏବଂ ସଠିକ୍ ଭାବରେ କାଟିବା। ମୁଁ ମୋର ଉପକରଣ ଭାବରେ ଛୁରୀ ଏବଂ କତୁରୀ ବ୍ୟବହାର କରେ। ପତ୍ର କାଟିବା ପରେ ଏହାକୁ ସାଜସଜ୍ଜା ବସ୍ତୁ ତିଆରି କରିବାରେ ସହଜ ହୋଇଯାଏ,’’ ନାରାୟଣ କୁଟ୍ଟୀ କୁହନ୍ତି। ସତେଜ, ସବୁଜ ନଡ଼ିଆ ପତ୍ର ବ୍ୟବହାର କରି ଏହି ୬୦ ବର୍ଷ ବୟସ୍କ କାରିଗର କେବଳ ମାଛ ଏବଂ ଫୁଲ କୁଣ୍ଡ ପ୍ରସ୍ତୁତ କରନ୍ତି ନାହିଁ, ତୂରୀ, ତାରା, ଟୋପି, ସାପ, ସାଜସଜ୍ଜା ରାଜଗାଦି, ଫୁଲ, ଲ୍ୟାମ୍ପ ଏବଂ ଅନେକ କିଛି ତିଆରି କରିପାରନ୍ତି। ସେ କେରଳର ଥ୍ରୀସୁର ଜିଲ୍ଲାରେ ଥିବା ତାଙ୍କ ଗ୍ରାମ ଚେରୁରରେ ନିଜ ଘରେ ଆମ ସହ କଥା ହେବା ସମୟରେ କହିଛନ୍ତି, “ମୁଁ ବିବାହ, ପର୍ବ ଏବଂ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସାଜସଜ୍ଜା ବସ୍ତୁ ପ୍ରସ୍ତୁତ କରିବା ସହିତ କେରଳ ରାଜ୍ୟର କଲୋଲସଭାମ ଏବଂ ଥ୍ରୀସୁର ମନ୍ଦିରର ବାର୍ଷିକ ମହୋତ୍ସବ ପାଇଁ ମଧ୍ୟ ସାଜସଜ୍ଜା ସାମଗ୍ରୀ ତିଆରି କରିସାରିଛି।”
ସୂର୍ଯ୍ୟମୁଖୀ, ସପୁରୀ କିମ୍ବା ପଣସ ମଡେଲ ଭଳି ଜଟିଳ କାର୍ଯ୍ୟ ଅଧିକ ସମୟ ଏବଂ ଯତ୍ନ ଆବଶ୍ୟକ କରେ ଏବଂ ଏହି ସବୁ ସାମଗ୍ରୀ ପାଇଁ ନାରାୟଣ କୁଟ୍ଟୀ ପ୍ରାୟ ୮୦୦ ଟଙ୍କା ପ୍ରତ୍ୟେକ ସାମଗ୍ରୀ ପାଇଁ ନିଅନ୍ତି; ଛୋଟ ଶୁଆ ପାଇଁ ସେ ୫୦ ଟଙ୍କା ନିଅନ୍ତି।



“ଏକ ସୂର୍ଯ୍ୟମୁଖୀ ତିଆରି କରିବାକୁ, ପ୍ରଥମେ ନଡ଼ିଆ ପତ୍ରକୁ ଇର୍କିଲି (ପତ୍ରର ମଧ୍ୟଶିରା ) କୁ ଭାଙ୍ଗ ଓ ଏହି ଭଙ୍ଗା ଯାଇଥିବା ପତ୍ରକୁ ଚାରି ଇଞ୍ଚର ଛୋଟ ଛୋଟ ଖଣ୍ଡରେ କାଟି ଦିଅ। ଫୁଲର ଡାଳ ତିଆରି କରିବା ପାଇଁ ପତ୍ରର ମଧ୍ୟଶିରାରୁ ଦୁଇ ସେଣ୍ଟିମିଟର ଡେମ୍ପ କାଟି ଦିଅ, ତା’ପରେ ପତ୍ରର ତଳଭାଗରୁ ଏକ ଛିଦ୍ର ରେଖା କାଟି ମୋଡି ଏକ ପାଖୁଡ଼ାର ଆକୃତି ତିଆରି କରନ୍ତୁ। ବର୍ତ୍ତମାନ ପତ୍ର ଖୋଲ ଏବଂ ପାଖୁଡା ପ୍ରସ୍ତୁତ ହୋଇଗଲା।”
ନିଜ ହାତରେ ଏହି ନମନୀୟ ପତ୍ରଗୁଡିକୁ ନୂତନ ରୂପ ଦେବାରେ ଦକ୍ଷ ନାରାୟଣ କୁଟ୍ଟୀ ବୁଝାଇ କୁହନ୍ତି,”ଏକ ମଧ୍ୟମ ଆକାରର ସୂର୍ଯ୍ୟମୁଖୀ ଫୁଲ ତିଆରି କରିବା ପାଇଁ ଆପଣଙ୍କୁ ୧୨ ରୁ ୧୩ଟି ପୁଷ୍ପଗୁଚ୍ଛ ଆବଶ୍ୟକ ପଡିବ। ଫୁଲର ସମ୍ପୂର୍ଣ୍ଣ ରୂପ ପାଇବା ପାଇଁ ଏହି ପୁଷ୍ପଗୁଚ୍ଛକୁ ଏକ କଦଳୀ ଗଛର କାଣ୍ଡରେ ଭର୍ତ୍ତି କରନ୍ତୁ।”
ସେ କୁହନ୍ତି,”ସାଜସଜ୍ଜା ପ୍ରୋଜେକ୍ଟ ଗ୍ରାହକମାନଙ୍କର ଖର୍ଚ୍ଚର ଅଟକଳ ଉପରେ ନିର୍ଭର କରେ। ଏହି କୁରୁଥୋଲା ବସ୍ତ୍ରୁଗୁଡ଼ିକ ପରିବେଶ ଉପଯୋଗୀ ଏବଂ ଏହାର ଜୀବନ କାଳ ବହୁତ କମ୍-ତାଜା କଟାଯାଇଥିବା ପତ୍ରଗୁଡ଼ିକ କିଛିଦିନ ମଧ୍ୟରେ ମଉଳିବା ଏବଂ ଶୁଖିବା ଆରମ୍ଭ କରେ, ଏଣୁ ମୋତେ ଶୀଘ୍ର କାମ କରିବାକୁ ପଡ଼େ।”
ଆମେ କହିବା ଅନୁସାରେ ଭଲ ମାଛ ବୁଣିବୁଣି ନାରାୟଣ କୁଟ୍ଟୀ କୁହନ୍ତି, “ମୁଁ ଯେତେବେଳେ ଏହି କ୍ଷେତ୍ରରେ [୧୯୯୮ରେ] କାମ କରିବା ଆରମ୍ଭ କଲି, ମୋ ପରିଚୟରେ କେହି ବି ନଥିଲେ ଯାହାଠାରୁ ମୁଁ କିଛି ଶିଖିପାରିବି। ମୋ ପାଖରେ କେବଳ ମୋ ପିଲା ବେଳର ସ୍ମୁତି ରହିଥିଲା ଯେତେବେଳେ ମୁଁ ମୋ ସାଙ୍ଗମାନଙ୍କ ସହ ମିଶି କୁରୁଥୋଲା ଖେଳନା ତିଆରି କରୁଥିଲି। ନଡିଆ ବରଡ଼ା ସହଜରେ ମିଳିଯାଉଥିବାରୁ ମୋତେ ଅଧିକ ଅର୍ଥ ବିନିଯୋଗ କରିବାକୁ ପଡୁନଥିଲା।”





ସେ କୁହନ୍ତି “ଏହି କୁରୁଥୋଲା ବସ୍ତୁଗୁଡ଼ିକ ପରିବେଶ ଉପଯୋଗୀ ଏବଂ ଏହାର ଜୀବନ କାଳ ବହୁତ କମ୍-ତାଜା କଟାଯାଇଥିବା ପତ୍ରଗୁଡ଼ିକ କିଛିଦିନ ମଧ୍ୟରେ ମଉଳିବା ଏବଂ ଶୁଖିବା ଆରମ୍ଭ କରେ, ଏଣୁ ମୋତେ ଶୀଘ୍ର କାମ କରିବାକୁ ପଡ଼େ।” ଫଟୋ ବର୍ଷା ନାୟାର ଉଠାଇଛନ୍ତି
ନଡ଼ିଆ ଗଛ କେରଳର ସାଂସ୍କୃତିକ ଏବଂ ଭୌଗୋଳିକ ଦୃଶ୍ୟ ଉପରେ ପ୍ରାଧାନ୍ୟ ବସ୍ତାର କରିଛି ଏବଂ ଏହାକୁ ମାଲୟାଲମରେ ‘କଳ୍ପବୃକ୍ଷମ୍’ କୁହାଯାଏ -ଅର୍ଥାତ୍ ଇଂରାଜୀରେ ସ୍ୱର୍ଗର ବୃକ୍ଷ। ନଡ଼ିଆ ଗଛର ସମସ୍ତ ଅଂଶ- ଏହାର ପତ୍ର, ଫଳ, ଚୋପା ଏବଂ ଗଣ୍ଡି ବ୍ୟବହୃତ ହୁଏ। ନଡ଼ିଆ ବିକାଶ ବୋର୍ଡ (୨୦୧୧-୧୨ ପରିସଂଖ୍ୟାନ) ଅନୁଯାୟୀ, ଭାରତରେ ନଡ଼ିଆ ଚାଷର ସମୁଦାୟ କ୍ଷେତ୍ର ପ୍ରାୟ ୨୦.୩୯ ଲକ୍ଷ ହେକ୍ଟର, ଯେଉଁଥିରୁ କେରଳରେ ୭.୬୬ ଲକ୍ଷ ହେକ୍ଟର ଅଟେ।
ଥ୍ରୀସୁରର ଭିଲାଡମରେ ନିଜର ସମ୍ପୂର୍ଣ୍ଣ ଜୀବନ ବିତାଇଥିବା ୭୪ ବର୍ଷୀୟ ବୃଦ୍ଧ କନକମ ଗୋପୀନାଥ କୁହନ୍ତି, “ପ୍ରାୟତଃ କେରଳରେ ସମସ୍ତେ ଜାଣନ୍ତି କିପରି ନଡିଆ ବରଡ଼ାରୁ ଖେଳନା ବା ପ୍ରତିମୂର୍ତ୍ତି ପ୍ରସ୍ତୁତ କରାଯିବ। କିନ୍ତୁ ଯେତେବେଳେ ଅନ୍ୟ ଖେଳନା ସବୁ [ପ୍ରାୟତଃ ପ୍ଲାଷ୍ଟିକ] ଆସିଲା, ଲୋକେମାନେ କୁରୁଥୋଲା ଖେଳନା ବିଷୟରେ ଭୁଲିଗଲେ।”
ନାରାୟଣ କୁଟ୍ଟୀ କୁରୁଥୋଲାକୁ ନିଜର ବୃତ୍ତି ଭାବରେ ଗ୍ରହଣ କରିବା ସମୟରେ ତାଙ୍କୁ ୪୦ ବର୍ଷ ବୟସ ହୋଇଥିଲା। ସେ କୁହନ୍ତି, “ମୁଁ ଇଲେକ୍ଟ୍ରିକାଲ ୱେଆରିଂ କାମ କରୁଥିଲି କିନ୍ତୁ ମୁଁ କିଛି ବର୍ଷ ପରେ ସେହି ବୃତ୍ତିରେ ଏକୁଟିଆ ହୋଇଗଲି। ୧୯୯୦ ମସିହା ଶେଷ ଭାଗରେ ମୋତେ କାମରେ ସାହାଯ୍ୟ କାରିବା ପାଇଁ କେହି ଲୋକ ମିଳିଲେ ନାହିଁ, ତେଣୁ ମୁଁ ମୋର ସେହି କାମ ଛାଡିଲି ଓ ନିଜେ ଏକା କିଛି କରିବାକୁ ମନସ୍ଥ କଲି।”
ମୋତେ ନିଜକୁ ଓ ମୋର କାମକୁ ପ୍ରତିଷ୍ଠିତ କରିବା ପାଇଁ ବହୁତ ସମୟ ଲାଗିଥିଲା। ୬୧ ବର୍ଷୀୟ ନାରାୟନ କୁଟ୍ଟୀ ନିଜର ସାମର୍ଥ୍ୟ ଅନୁସାରେ ନଭନୀଥ କୁରୁଥୋଲ ଆଲାନଗରମ କାମ ନିଜ ଘରେ କରନ୍ତି। ଯାହାକି ପରେ ତାଙ୍କର କାର୍ଯ୍ୟ ସ୍ଥଳରେ ପରିଣତ ହୋଇଛି। ଏହି କଳାକୁ ପ୍ରସିଦ୍ଧ କରିବା ପାଇଁ ସେ ଚାହୁଁଥିବା ପିଲାମାନଙ୍କୁ ଏହି କାମ ଶିଖାଉଥିଲେ। ସେ ନିଜର ସ୍ତ୍ରୀ ବସନ୍ତା କୁମାରୀ ଓ ନିଜର ଦୁଇ ପୁଅ ବିନିଥ ଓ ନବିନଙ୍କ ସହିତ ରୁହନ୍ତି। ଯେଉଁମାନେକି ବେଳେବେଳେ ତାଙ୍କୁ ସାହାଯ୍ୟ କରନ୍ତି। ସେ କୁହନ୍ତି, “ମୋର ପିଲାମାନେ [ଅନ୍ୟ ସ୍ଥାନରେ] ଚାକିରି କରନ୍ତି, ଏବଂ ସେମାନେ ଏହି ବୃତ୍ତିକୁ ଆପଣେଇବାକୁ ଚାହୁଁ ନାହାଁନ୍ତି।”

ନାରାୟଣ କୁଟ୍ଟୀ ଆନ୍ଧ୍ରପ୍ରଦେଶ ଏବଂ କୋଏମ୍ବାଟୁର ନିକଟବର୍ତ୍ତୀ ସ୍ଥାନକୁ ଯାତ୍ରା କରିଛନ୍ତି। ସେ କୁହନ୍ତି ଏବଂ ପୁରୁଣା ଆଲବମର ପୃଷ୍ଠାଗୁଡ଼ିକୁ ଓଲଟାଇଲାବେଳେ ତାଙ୍କ କାର୍ଯ୍ୟର ଫଟୋ ଏହା ଦର୍ଶାଏ, “ମୁଁ ମୋର ହସ୍ତଶିଳ୍ପ ପ୍ରଦର୍ଶନ କରିବାର ସୁଯୋଗ ଖୋଜିଥାଏ। ମୋର ପ୍ରଥମ କୁରୁଥୋଲା ସାଜସଜ୍ଜା କାର୍ଯ୍ୟଗୁଡ଼ିକ ତ୍ରିଶୁରର ମନମୁକାଡର ଥେନକୁଲଙ୍ଗରା କାଳୀ ମନ୍ଦିରର ବାର୍ଷିକ ଉତ୍ସବ ସମୟରେ କରାଯାଇଥିଲା। ଏହା ମୋତେ ପରିଚୟ ପାଇବାରେ ସାହାଯ୍ୟ କରିଥିଲା।” ସେ କୁହନ୍ତି, “ଅଧିକ ଲୋକ ମୋ କାମ ମାଧ୍ୟମରେ ମୋତେ ଜାଣିବା ଆରମ୍ଭ କଲେ, ଏବଂ ମୁଁ ଅଧିକ କାମ ପାଇବା ଆରମ୍ଭ କଲି। ମୁଁ ଯୁଆଡେ ବି ଯାଏ ସେଠାରେ ମୁଁ କୁରୁଥୋଲା ଖେଳନା ତିଆରି କରି ପିଲାମାନଙ୍କୁ ଦେଇଥାଏ। ମୁଁ ସବୁବେଳେ ନିଶ୍ଚିତ କରିଥିଲି ଯେ ମୋ ଉପରେ ମୋର ସାଧନ ଅଛି।”
ତାଲାବନ୍ଦ ଓ ଅଧିକ ଜନ ସମାଗମ ଉପରେ ପ୍ରତିବନ୍ଧକ କୁରୁଥୋଲା ଉପରେ ପ୍ରଭାବ ପକାଇଛି। ନାରାୟଣ କୁଟ୍ଟୀ, “ମୁଁ ଏବେ କୌଣସି ଅର୍ଡର ପାଉନାହିଁ। [କୋଭିଡ ପର ଠାରୁ] ଏଠାରେ କୌଣସି ପର୍ବ କିମ୍ବା ଉତ୍ସବ କରାଯାଉନାହିଁ, ଏବଂ ଯଦି କୌଣସି ସମାଗମ କରାଯାଉଛି ତେବେ ତାହା କମ୍ ଆକାରରେ କରାଯାଉଛି।”


ଅର୍ଡର ହ୍ରାସ ବ୍ୟତୀତ, ତାଲାବନ୍ଦ ପ୍ରତିବନ୍ଧକ ହେତୁ ସେ ସାମଗ୍ରୀ କ୍ରୟ କରିବା ମଧ୍ୟ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି। “କଅଁଳିଆ ନଡ଼ିଆ ପତ୍ର ଶୀଘ୍ର ନଷ୍ଟ ହୋଇଯାଏ, ତେଣୁ ମୋର କଞ୍ଚାମାଲ ଗଚ୍ଛିତ କରିବା ସମ୍ଭବ ନୁହେଁ। ଚାହିଦାକୁ ଆଧାର କରି ମୁଁ କଞ୍ଚାମାଲ କିଣେ। ତାଲାବନ୍ଦ ପ୍ରତିବନ୍ଧକ ଯୋଗୁଁ ପତ୍ର କିଣିବାରେ ବହୁ ଅସୁବିଧା ହେଉଛି,’’ ବୋଲି ସେ କୁହନ୍ତି। ବେଳେବେଳେ ନାରାୟଣ କୁଟ୍ଟୀ ତାଙ୍କ ଗ୍ରାହକମାନଙ୍କୁ ନଡ଼ିଆ ପତ୍ର ଯୋଗାଇବାକୁ କୁହନ୍ତି। ସେ କୁହନ୍ତି, “ଯଦି ସେମାନେ ଏହା ଯୋଗାଇ ପାରନ୍ତି ନାହିଁ, ତେବେ କଅଁଳିଆ ପତ୍ର କେଉଁଠାରେ ଉପଲବ୍ଧ ତାହା ଜାଣିବା ପାଇଁ ମୁଁ ନଡିଆ ଗଛ ଚଢାଳି ଏବଂ କଟାଳିମାନଙ୍କ ସହ ଯୋଗାଯୋଗ କରେ।”
ଯେତେବେଳେ ତାଙ୍କର ବଡ଼ ସାଜସଜ୍ଜା ପ୍ରୋଜେକ୍ଟ ଥାଏ, ନାରାୟଣ କୁଟ୍ଟୀ ସେହି ଭେନ୍ୟୁରେ ରାତିସାରା ରହନ୍ତି। ସେ କୁହନ୍ତି, “ବିବାହ ଷ୍ଟେଜ ସାଜସଜ୍ଜା ପାଇଁ ବହୁତ ସମୟ ଲାଗିଥାଏ। ମୁଁ ପୂର୍ବ ଦିନ ଭେନ୍ୟୁକୁ ଯାଏ ଏବଂ ମୋର କାମ ଶେଷ କରିବା ପାଇଁ ସେଠାରେ ରାତିସାରା ରହିଥାଏ। ଏହିପରି ଦିନଗୁଡିକରେ ମୁଁ ଦୁଇ ରୁ ତିନି ଘଣ୍ଟା ଶୋଇବାକୁ ସମୟ ପାଇପାରେ ନାହିଁ।” ନିଦ୍ରାର ଅଭାବ ତାଙ୍କୁ ବ୍ୟଥିତ କରେ ନାହିଁ, କିନ୍ତୁ ସେ ବର୍ତ୍ତମାନର ପରିସ୍ଥିତି ବିଷୟରେ କୁହନ୍ତି, “ଯଦି ମୋର କୌଣସି କାମ ନହୁଏ ତେବେ ମୋ ହାତ ଅନମନୀୟ ହୋଇଯାଏ।”
ନାରାୟଣ କୁଟ୍ଟୀ ଥ୍ରୀସୁରର କୁନ୍ନାମକୁଲମରେ ଅବସ୍ଥିତ ଏକ ରାଜ୍ୟସ୍ତରୀୟ ସଂଗଠନ ନ୍ୟାସନାଲ ଆସୋସିଏସନ୍ ଫର ମାଲାୟାଲି ଆର୍ଟିଷ୍ଟସ୍ (ଏନ୍ଏଏନ୍ଏମ୍ଏ) ର ଏକ ଅଂଶ, ସେ କୁହନ୍ତି, “ମୁଁ ଶୁଣିଥିଲି ଯେ ସେମାନେ ପ୍ରଥମ କୋଭିଡ୍ ଲହର ସମୟରେ କଳାକାରମାନଙ୍କୁ ଏକ ହଜାର ଟଙ୍କାର ସହାୟତା ପ୍ରଦାନ କରିଥିଲେ। ମୁଁ ଏପର୍ଯ୍ୟନ୍ତ କୌଣସି ଅର୍ଥ ସହାୟତା ପାଇ ନାହିଁ। ସରକାରଙ୍କ ସମେତ ସମସ୍ତେ କଳାକାର ଚାହାଁନ୍ତି, କିନ୍ତୁ ଯେତେବେଳେ ଆମର ସାହାଯ୍ୟ ଦରକାର ହୁଏ ସେତେବେଳେ କେହି ଆମକୁ ସାହାଯ୍ୟ କରନ୍ତି ନାହିଁ।”
“ମୁଁ ଏହି କାମ କରିବାକୁ ଭଲ ପାଏ। ମୁଁ ଆଶା କରୁଛି ଏହି ଚିଙ୍ଗାମ (ମାଲାୟାଲମ୍ ବର୍ଷର ପ୍ରଥମ ମାସ ଯାହା ବିବାହ ପାଇଁ ଏକ ଉପଯୁକ୍ତ ମାସ ଭାବରେ ବିବେଚନା କରାଯାଏ ଏବଂ ଚଳିତ ବର୍ଷ ଅଗଷ୍ଟ ମାସରେ ପଡୁଛି) ସୁଦ୍ଧା ମହାମାରୀ ସମାପ୍ତ ହୋଇଯିବ ଏବଂ ମୋର କାମ ପାଇଁ ଅଧିକ ଚାହିଦା ରହିଛି ବୋଲି ସେ ଘୋଷଣା କରିଛନ୍ତି।”
Editor's note
ବର୍ଷା ନାୟାର ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରେ ମିଡିଆ ଅଧ୍ୟୟନରେ ସ୍ନାତକୋତ୍ତରେ କରୁଛନ୍ତି। ସେ କେରଳ ହସ୍ତଶିଳ୍ପ ପ୍ରତି ଆଗ୍ରହୀ ଏବଂ ପରି ଏଜୁକେସନରେ ସେ ଇଣ୍ଟର୍ନସିପ୍ କରିବା ସମୟରେ କୁରୁଥୋଲା ପ୍ରୋଫାଇଲ୍ ପସନ୍ଦ କରିଥିଲେ। ସେ କୁହନ୍ତି: "ମୁଁ ନାରାୟଣ କୁଟ୍ଟିଙ୍କୁ ପ୍ରଥମଥର ପାଇଁ ଏକ ମନ୍ଦିର ଉତ୍ସବରେ ୨୦୧୭ ମସିହାରେ ଭେଟିଥିଲି। ତାଙ୍କ ସହ ଆଲୋଚନା କରିବା ପରେ ମୁଁ ଏହି ହସ୍ତଶିଳ୍ପ ପାଇଁ ଆବଶ୍ୟକ ପ୍ରକିୟା,ସମୟ ଏବଂ ପ୍ରତ୍ୟେକ ସାମଗ୍ରୀ ତିଆରି କରିବା ପାଇଁ ତାଙ୍କର ଆନ୍ତରିକ ପ୍ରଚେଷ୍ଟା ବିଷୟରେ ଜାଣିପାରିଲି। ରିପୋର୍ଟ ପ୍ରସ୍ତୁତ କରିବା ସମୟରେ ତାଙ୍କ ପରି କାରିଗର ଉପରେ ମହାମାରୀର ପ୍ରଭାବକୁ ମୁଁ ହୃଦୟଙ୍ଗମ କରିପାରିଲି।
ଅନୁବାଦ: ଓଡ଼ିଶାଲାଇଭ୍
ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।