ଗୋଟିଏ ଝୁଡ଼ି ବୁଣିବା ଲାଗି ୪୮ ବର୍ଷୀୟା ଅଜିତାଙ୍କୁ ଯାହା ଆବଶ୍ୟକ ତାହା ହେଲା ଏକ କାଠି(ଛୁରୀ) । ସେ ବାଉଁଶର କିଛି ପାତିଆକୁ ପରସ୍ପରର ସମକୋଣରେ ରଖି ଆରମ୍ଭ କରନ୍ତି ଏବଂ ପରେ ଏହା ଭିତରେ ଏକ ଷ୍ଟ୍ରାଣ୍ଡ ବୁଣନ୍ତି । ସେ ତିଆରି କରୁଥିବା ଉତ୍ପାଦ ପାଇଁ ଆବଶ୍ୟକ ବ୍ୟାସ ଯାଏଁ ନ ହେବା ପର୍ଯ୍ୟନ୍ତ ସେ ବୁଣା ଜାରି ରଖନ୍ତି ।

“ମୁଁ ୧୬ ବର୍ଷ ବୟସରୁ ଶିଖିବା (ଏହି ହସ୍ତକଳା) ଆରମ୍ଭ କରିଥିଲି।’’ ଅଜିତା କହିଲେ, ଯିଏ କି ଦଶମ ଶ୍ରେଣୀ ପରେ ପାଠ ଛାଡ଼ିଥିଲେ କାରଣ ତ୍ରିସୁର ଜିଲ୍ଲାର ଚଲାକୁଡ଼ି ବ୍ଲକ୍‌ କୁଟ୍ଟିଚିରା ଗାଁରେ ରହୁଥିବା ତାଙ୍କ ପରିବାରର ଆବଶ୍ୟକତାକୁ ପୂରଣ କରିବା ଲାଗି ତାଙ୍କ କୃଷି ଶ୍ରମିକ ବାପାଙ୍କର ରୋଜଗାର ଯଥେଷ୍ଟ ନ ଥିଲା ।

ଗୋଟିଏ ଝୁଡ଼ି ବୁଣିବା ଲାଗି ୪୮ବର୍ଷୀୟ ଅଜିତା ତାଙ୍କର ଯାହା ଆବଶ୍ୟକ ତାହା ହେଲାଏକ କାଠି(ଛୁରି) । ଫଟୋ-ଡନ୍ ଫିଲିପ୍‌

ଏବେ, ତାଙ୍କ ସ୍ୱାମୀଙ୍କ କିଛି ସହଯୋଗରେ ଅଜିତା ବିଭିନ୍ନ ପ୍ରକାରର ବାଉଁଶ ଜାତ ଉତ୍ପାଦ ପ୍ରସ୍ତୁତ କରୁଛନ୍ତି, ସେଥି ମଧ୍ୟରେ ଲ୍ୟାମ୍ପଶେଡ୍‌, ପେନ୍‌ ଷ୍ଟାଣ୍ଡ, ବାଉଁଶରେ ବୁଣାଯାଇଥିବା କାଚ ବୋତଲରେ ରଖାଯାଇଥିବା ବାଉଁଶ ନିର୍ମିତ ଫୁଲ, ଫ୍ୟାନ୍ ଓ ସବୁ ଆକାର ଓ ଆକୃତିର ଝୁଡ଼ି ସାମିଲ ।

ସେ ବୁଝାଇଲେ, “ଏକ ଝୁଡ଼ି ଶେଷ କରିବା ଲାଗି ଦେଢ଼ ଦିନ ସମୟ ଲାଗିଥାଏ । ଦିନଟିଏ ଏହାକୁ ସାରିବାକୁ ଲାଗେ ଏବଂ ବାକି ଅଧା ଦିନ ବାଉଁଶ ପାତିଆରୁ ଧାରକୁ ହଟାଇବା ଓ ତାକୁ ନରମ କରିବାରେ ଲାଗିଥାଏ-ଯେତେ ଅଧିକ ପାତିଆର ଧାରକୁ ତୁମେ ହଟାଇବ, ଏହାର ପୃଷ୍ଠ ସେତେ ଚକମକ ହେବ।’’ ଏକ ଲ୍ୟାମ୍ପସେଡ୍ ଶେଷ କରିବାକୁ ପ୍ରାୟ ୨ଦିନ ସମୟ ଲାଗୁଥିବାବେଳେ ଦିନକୁ ୮-୧୦ଟି ଫୁଲର ଏକ ଫୁଲତୋଡ଼ା ବା ୫ଟି ପେନ୍‌ଷ୍ଟାଣ୍ଡ ବନାଯାଇପାରିବ । ଏକ ବୋତଲ ଚାରିପାଖରେ ବାଉଁଶରେ ବୁଣିବା ଏକ ବିସ୍ତୃତ ପ୍ରକ୍ରିୟା ଏବଂ ଏଥିପାଇଁ ପ୍ରାୟ ଦୁଇ ଦିନ ଲାଗିଥାଏ ।

ସେ ପ୍ରସ୍ତୁତ କରିଥିବା ବାଉଁଶ ଉତ୍ପାଦ ସବୁ ତାଙ୍କ ଚାରିପାଖରେ ଖେଳେଇ ହୋଇପଡ଼ିଛି ଏବଂ ସେଗୁଡ଼ିକ ଚମକୁଛନ୍ତି । ସେ କହିଲେ, “ବାଉଁଶରେ ପୂର୍ବରୁ ହିଁ ଏକ ଚମକ ରହିଛି, ତାହା କେତେ ଶୁଖିଲା ତା’ ଉପରେ ଏହା ନିର୍ଭର କରେ । ଅଧିକ ଶୁଖିଲା ବାଉଁଶର ଚମକ ଅଧିକ ରହିଥାଏ।’’ ଅଜିତା ଖୁବ୍‌ କମ୍ ବାର୍ନିସ୍‌ ବ୍ୟବହାର କରନ୍ତି କାରଣ ଏହା ବାଉଁଶକୁ ସମୟ କ୍ରମେ ନଷ୍ଟ କରିଦିଏ ବୋଲି ସେ ଅନୁଭବ କରନ୍ତି ।

ସେହି ଅଞ୍ଚଳରେ ଥିବା ତାଙ୍କ ଘରଠାରୁ ପ୍ରାୟ୧୦କିମି ଦୂର ଚଲାକୁଡ଼ିରେ ବାଉଁଶ ନିଗମ ଡିପୋରେ ବାଉଁଶ ଉପଲବ୍ଧ । ମାସକୁ ଥରେ ଏହାକୁ ସଂଗ୍ରହ କରିବାକୁ ଅଜିତା ସେଠାକୁ ଯାଇଥାନ୍ତି ନ ହେଲେ ସେମାନେ ତାଙ୍କ ଘର ଦେଇଯିବାବେଳେ ଏହା ପହଞ୍ଚାଇ ଦିଅନ୍ତି । ୧୦ ମିଟର ଲମ୍ବା ବାଉଁଶ ପିଛା ୩୦ଟଙ୍କା ଦେଇ ସେ ମାସକୁ ପ୍ରାୟ ୧୦୦ ଖଣ୍ଡ ବାଉଁଶ କିଣନ୍ତି । ଡିପୋରୁ ଯେଉଁ ଲୋକମାନେ ବାଉଁଶ ପହଞ୍ଚାଇଥାନ୍ତି ସେମାନେ ତାଙ୍କୁ ତାଙ୍କର ଷ୍ଟୋରେଜ୍‌ ସେଡ୍‌ରେ ବାଉଁଶକୁ ପହଞ୍ଚାଇବାରେ ସହାୟତା କରନ୍ତି , ସେଡ୍ ବାଉଁଶକୁ ବର୍ଷାରୁ ରକ୍ଷା କରିବାକୁ ହୋଇଥାଏ ।

୨୦୧୫ରେ ଅଜିତା ତାଙ୍କ କଂପାନୀ ଶ୍ରୀଦିପମ୍ ହସ୍ତକଳାକୁ ପଞ୍ଜୀକରଣ କରିଥିଲେ । ତାଙ୍କ ସ୍ୱାମୀ ଓ ପୁଅ (ଜଣେ ସ୍କୁଟର ମେକାନିକ୍‌) ପ୍ରସ୍ତୁତ ହୋଇଯାଇଥିବା ଉତ୍ପାଦକୁ ପହଞ୍ଚାଇବାରେ ସହାୟତା କରନ୍ତି ଏବଂ ତାଙ୍କ ଝିଅ ଅନ୍ୟ କେଉଁଠାରେ ଚାକିରି କରନ୍ତି, କିନ୍ତୁ ଯେତେବେଳେ ସମ୍ଭବପର ସେ ସାହାଯ୍ୟ କରନ୍ତି ।

ଅଜିତା କହିଲେ, “ଯେତେବେଳେ ମହାମାରୀ ଆସିଲା, ବାଉଁଶ ବ୍ୟବସାୟରେ ସଂପୃକ୍ତ ଆମେ ସମସ୍ତେ ଗୁରୁତର ଭାବେ ପ୍ରଭାବିତ ହେଲୁ । ମୁଖ୍ୟତଃ ପ୍ରଦର୍ଶନୀ ଏବଂ କାର୍ଯ୍ୟକ୍ରମ ଆୟୋଜକ ଓ ରେସ୍ତୋରାଁକୁ ଯୋଗାଣ କରି ଆମର ରୋଜଗାର ହେଉଥିଲା ।” କେରଳଭିତ୍ତିକ ମନୋରମା ପର୍ବ ଏବଂ ବାଉଁଶ ମିଶନ୍ ଦ୍ୱାରା ଆୟୋଜିତ ବାର୍ଷିକ ବାଉଁଶ ଉତ୍ସବ ଯୋଗୁ ନିୟମିତ ରାଜ୍ୟବ୍ୟାପୀ ବର୍ଷସାରା ବିକ୍ରି ହେଉଥିଲା କିନ୍ତୁ ୨୦୨୦ରେ ଲକଡାଉନ୍ ଯୋଗୁଁ ସେଗୁଡ଼ିକ ବି ବାତିଲ ହୋଇଗଲା । ସେ ଯୋଗକଲେ, “ମୁଁ ପ୍ରତିମାସରେ ୩୦ ହଜାରରୁ ୩୫ ହଜାର ଟଙ୍କା ଲାଭ [ମହାମାରୀ ପୂର୍ବରୁ] କରୁଥିଲି; ଏବେ ମୁଁ ୨୦-୩୦ ପ୍ରତିଶତ କମ୍ ଆୟ କରୁଛି ।”

ନିଜର କମ୍ପାନୀ ଆରମ୍ଭ କରିବା ପୂର୍ବରୁ ଅଜିତା ୨୦ବର୍ଷ ଧରି ଚାଲକୁଡ଼ିସ୍ଥିତ ଏକ ସମବାୟ ସୋସାଇଟି ସେରାଫିକ୍‌ ହସ୍ତକଳାରେ କାମ କରିଛନ୍ତି । ତାହା ବାଉଁଶ ସାମଗ୍ରୀ ଯେପରିକି ଝୁଡ଼ି, ଟ୍ରେ ଓ ଲ୍ୟାମ୍ପ ଶେଡ୍ ପ୍ରସ୍ତୁତ କରେ ।

ଇ-କମର୍ସ ପ୍ଲାଟଫର୍ମଗୁଡ଼ିକ ବଢ଼ିଯାଇଛନ୍ତି କିନ୍ତୁ ଅଜିତା ସଂଶୟରେ ଅଛନ୍ତି ଏବଂ ଭାବନ୍ତି ଯେ ସେଗୁଡ଼ିକ ତାଙ୍କର ଉତ୍ପାଦକୁ ଭଲ ଭାବେ ସମ୍ଭାଳି ପାରିବେ ନାହିଁ । “ମୋ ଉତ୍ପାଦଗୁଡ଼ିକ ଅତି ପତଳା ଏବଂ ନରମ,” ଏକ ପତଳା ଓ ଲମ୍ବା ବାଉଁଶ ପଟିକୁ ବଙ୍କାଇ ଏହା କେତେ ନରମ ବୋଲି ଦର୍ଶାଇବାକୁ ଯାଇ ସେ ଏହା କହିଲେ । ଯଦିଓ କୌଣସି ଉତ୍ପାଦର ଆଧାରରେ ଶକ୍ତଭାବେ ବୁଣାଯିବା ସମୟରେ ଏହା ଅତି ଟାଣ ହୋଇଥାଏ, ତେବେ ଠିକ୍‌ ଭାବେ ନ ବୁଣିଲେ ଏହା ବିକୃତ ହୋଇଯାଇପାରେ,” ସେ ବୁଝାଇଲେ । ସେ ଆହୁରି କହିଲେ, “ ମୋ’ ପାଖରେ ସମ୍ବଳ ନାହିଁ କିମ୍ବା ଏକ ବଡ଼ ସମିତିର ପ୍ରୋତ୍ସାହନ ନାହିଁ । ଏକ ଉତ୍ପାଦ ନଷ୍ଟ ହେବା ଦ୍ୱାରା ହେଉଥିବା କ୍ଷତି ମୋ’ ରୋଜଗାରକୁ ଖୁବ୍ ପ୍ରଭାବିତ କରିଥାଏ । ତେଣୁ ମୋ’ ଉତ୍ପାଦ କ୍ଷତିଗ୍ରସ୍ତ ହେବାକୁ ମୁଁ ସହ୍ୟ କରିପାରିବି ନାହିଁ ।”

ନିଜ ଦ୍ୱାରା ପ୍ରସ୍ତୁତ ଅନେକ ଗୁଡ଼ିଏ ଲ୍ୟାମ୍ପଶେଡ୍ ଓ ଝୁଡ଼ି ଆଡ଼କୁ ଚାହିଁ ଅଜିତା କହିଲେ, “ଯେତେବେଳେ ମୁଁ ଏହି କାମ କରେ, ସେତେବେଳେ ଅନ୍ୟ କେଉଁଠାରେ କାମ କରି ମୁଁ ଅଧିକ ରୋଜଗାର କରିପାରିବି ବୋଲି ଭାବେ ନାହିଁ । ଏହି କାମ ଓ ହସ୍ତଶିଳ୍ପ ପ୍ରତି ଥିବା ନିଷ୍ଠା ଓ ଭଲପାଇବା ଯୋଗୁ ମୁଁ ଏହା କରୁଛି ।”

ଏହି ଆଲେଖ୍ୟ ଲକ୍ଡାଉନ୍ ସମୟରେ ଜୀବନ ଉପରେ ଏକ ସିରିଜ୍‌ର ଅଂଶବିଶେଷ । ଏହି ସହଯୋଗର ନେତୃତ୍ୱ ନେଇଥିବାରୁ ପରୀ ଶିକ୍ଷାବିଭାଗର ଟିମ୍ ମୁମ୍ବାଇସ୍ଥିତ ସେଣ୍ଟ ଜାଭିଅର୍ସ କଲେଜ(ସ୍ୱୟଂଶାସିତ)ର ପ୍ରଫେସର ଅକ୍ଷରା ପାଠକ-ଯାଦବ ଏବଂ ପେରି ସୁବ୍ରମଣ୍ୟମଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛନ୍ତି ।

Editor's note

ଡନ୍‌ ଫିଲିପ୍‌ ମୁମ୍ବାଇସ୍ଥିତ ସେଣ୍ଟ ଜାଭିୟର୍ସ କଲେଜ (ସ୍ୱୟଂଶାସିତ)ର ଗଣ ଯୋଗାଯୋଗ ଓ ସାମ୍ବାଦିକତା ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର । ଲକ୍‌ଡାଉନ୍‌ର ଜୀବନ ଉପରେ ପ୍ରଭାବ ସଂପର୍କରେ ପରୀ ଶିକ୍ଷା ସହ ତାଙ୍କର କଲେଜ ପାଠ୍ୟକ୍ରମର ଅଂଶବିଶେଷ ଭାବେ ସେ କେରଳର ବାଉଁଶ କାରିଗରଙ୍କ ଉପରେ ଏହାର ପ୍ରଭାବ ଅନୁସନ୍ଧାନ କରିବାକୁ ବାଛିଥିଲେ । ସେ କହନ୍ତି, “ପରୀ ସହ ଏହି ପ୍ରକଳ୍ପ କ୍ଷୁଦ୍ର ଶିଳ୍ପ ଓ ମହାମାରୀ ସମୟରେ ଏହି ବୃତ୍ତିରେ ଥିବା ଲୋକମାନେ ସାମ୍ନା କରିଥିବା ସମସ୍ୟା ସଂପର୍କରେ ମୋର ବୁଝିବାକୁ ଗଭୀର କରିଛି । ଅଜିତାଙ୍କର କାହାଣୀକୁ ଲେଖିବା ଲାଗି ମୋ’ର ପ୍ରୟାସ ଏତେ ଜଟିଳ କାର୍ଯ୍ୟକୁ ସଫଳତାର ସହ ସମ୍ପାଦନ କରିପାରିଥିବାରୁ ମୁଁ ସାମ୍ବାଦିକମାନଙ୍କୁ ପ୍ରଶଂସା କରୁଛି ।"