
ତାଲାବନ୍ଦ କାଶ୍ମୀରରେ ପାଠପଢାକୁ ବନ୍ଦ କରିନଥିଲା। ଏହା ପ୍ରଥମେ ୨୦୧୯ ମସିହା ଅଗଷ୍ଟ ମାସ ୫ ତାରିଖରେ ଧାରା ୩୭୦ ରଦ୍ଦ ହେବା ପରେ ଘଟିଥିଲା। ବିଦ୍ୟାଳୟଗୁଡ଼ିକ ବନ୍ଦ; ଦଙ୍ଗା ରୋକିବା ପାଇଁ ଆମକୁ ଯୋଗାଯୋଗ ବ୍ଲାକଆଉଟ୍ ଅଧୀନରେ ରଖାଗଲା। ଇଣ୍ଟରନେଟ୍ ବନ୍ଦ କରାଯାଇଥିଲା ଏବଂ ତେଣୁ ଛାତ୍ର ଛାତ୍ରୀମାନେ ଅଧ୍ୟୟନ ସାମଗ୍ରୀ ଡାଉନଲୋଡ୍ କରିପାରିଲେ ନାହିଁ । ଅନଲାଇନ୍ ଶିକ୍ଷାର ବିକଳ୍ପ ନଥିଲା।
ମୋର ନାମ ତନଭୀର ଅହମ୍ମଦ ଭଟ୍ଟ। ମୋର ବୟସ ୪୯ ବର୍ଷ ଏବଂ ମୁଁ ଗତ ୧୭ ବର୍ଷ ଧରି ଏକ ସରକାରୀ ବିଦ୍ୟାଳୟରେ ଶିକ୍ଷକତା କରିଆସୁଛି; ଏହା ହେଉଛି ଏକମାତ୍ର କାମ ଯାହା ମୁଁ ଜାଣେ। ମୁଁ ବାନ୍ଦିପୋରର ସୁମ୍ବଲ ବ୍ଲକର ଚାରୋଟି ବିଦ୍ୟାଳୟ ଏକ ପ୍ରାଥମିକ ବିଦ୍ୟାଳୟ, ଏକ ମାଧ୍ୟମିକ ବିଦ୍ୟାଳୟ ଏବଂ ଦୁଇଟି ଉଚ୍ଚ ବିଦ୍ୟାଳୟରେ ଶିକ୍ଷାଦାନ କରିଛି।

ମୁଁ ପ୍ରଥମ ପିଢିର ବିଦ୍ୟାର୍ଥୀମାନଙ୍କୁ ଗଣିତ ଶିକ୍ଷା ଦିଏ। ଯେଉଁମାନେ କି କୃଷକ, କୃଷି ଶ୍ରମିକ ଏବଂ ମଜୁରୀଆ (ଦୈନିକ ମଜୁରୀ ଶ୍ରମିକ)ମାନଙ୍କର ସନ୍ତାନ ଅଟନ୍ତି। ମୋର କିଛି ବିଦ୍ୟାର୍ଥୀମାନଙ୍କ ପାଖରେ ପେନ୍ସିଲ୍ କିମ୍ବା ନୋଟବୁକ୍ କିଣିବାକୁ ପଇସା ନଥାଏ।
ଗତ କିଛି ବର୍ଷ ଧରି କାଶ୍ମୀରରେ ଶିକ୍ଷାଦାନ କରିବା ଏକ ଚ୍ୟାଲେଞ୍ଜ ହୋଇଯାଇଛି । ଚାଲୁଥିବା କର୍ଫ୍ୟୁ, ଶିକ୍ଷାନୁଷ୍ଠାନ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ଷେତ୍ର ବନ୍ଦ ରହିବା କାରଣରୁ ଆମେ ଅସୁବିଧା ଭୋଗୁଛୁ। ମୁଁ ବେଳେବେଳେ ଅନୁଭବ କରେ ଯେ ମୁଁ ଜଣେ ଶିକ୍ଷକ ହେବା ଉଚିତ୍ ନଥିଲା କାରଣ ଆମେ କାଶ୍ମୀରରେ ଶିକ୍ଷକ ଭାବରେ ଆମର ଦାୟିତ୍ୱ ସଠିକ୍ ଭାବରେ ତୁଲାଇ ପାରୁନାହୁଁ।
ମୁଁ ମଜାଳିଆ କାର୍ଯ୍ୟକଳାପ ମାଧ୍ୟମରେ ଶିକ୍ଷା ଦେବାକୁ ପସନ୍ଦ କରେ; ମୁଁ ମୋ ବିଦ୍ୟର୍ଥୀମାନଙ୍କ ସହିତ କ୍ରିକେଟ୍ ଏବଂ ଫୁଟବଲ୍ ଖେଳିଛି, ସେମାନଙ୍କୁ କାର୍ଡ କୌଶଳ ଶିଖାଇଛି ଏବଂ ସେମାନଙ୍କ ପଣିକିଆକୁ ମନେରଖିବା ପାଇଁ କଲମ ପରି ଛୋଟ ଉପହାର ଦେଇଛି। ଯେତେବେଳେ ମୋତେ ସମ୍ଭାବ୍ୟତା ଶିଖାଇବାକୁ ପଡିଲା, ମୁଁ ଶ୍ରେଣୀରେ ବ୍ୟବହାର କରିବାକୁ କିଛି ପଥର, ରଙ୍ଗୀନ ବଲ୍, ମହମବତୀ ଏବଂ କାର୍ଡ ଆଣିଥିଲି। ମୁଁ ବ୍ୟାଗରେ ରଙ୍ଗୀନ ବଲ୍ଗୁଡ଼ିକ ରଖେ ଏବଂ ଏକ ନିର୍ଦ୍ଦିଷ୍ଟ ବଲ୍ ପୁନର୍ବାର ଦେଖାଯିବାର ସମ୍ଭାବନା ଦେଖିବା ପାଇଁ ଛାତ୍ରମାନଙ୍କୁ ଗୋଟିଏ ବାଛି କାଢିବାକୁ କହିଥାଏ।
ଧାରା ୩୭୦ କାଶ୍ମୀରରେ ଉଚ୍ଛେଦ ହେବା ପରେ ଏବଂ ବିଦ୍ୟାଳୟଗୁଡ଼ିକ ବନ୍ଦ କରିଦିଆଗଲା, କିଛି ସହକର୍ମୀ ଏବଂ ମୁଁ ପୁନର୍ବାର ଶିକ୍ଷାଦାନ ଆରମ୍ଭ କରିବାକୁ ସ୍ଥିର କଲୁ, ତେଣୁ ଆମେ ମୋ ଗାଁ, ସୁମ୍ବଲ ବ୍ଲକର ତିରଗାମରେ ଅନୌପଚାରିକ ଗୋଷ୍ଠୀ କ୍ଲାସ୍ କରିବା ଆରମ୍ଭ କଲୁ; ଏହାର ଜନସଂଖ୍ୟା ୪,୪୮୫ ଯେଉଁଥିରୁ ଅଧାରୁ କମ୍ ସାକ୍ଷର। ଆମେ ଏକ ସ୍ଥାନୀୟ ଖେଳ ପଡିଆ ବ୍ୟବହାର କରିଥିଲୁ ଯେଉଁଠାରେ ପଶୁମାନଙ୍କୁ ଚରେଇବା ପାଇଁ ଅଣାଯାଏ।

ଆମ ସହିତ ଯୋଗଦେବା ପାଇଁ ଆମେ ସମସ୍ତ ଶିକ୍ଷକଙ୍କୁ ଆମନ୍ତ୍ରଣ କରିଥିଲୁ ଏବଂ ଛାତ୍ରମାନେ ସେମାନଙ୍କ ସୁବିଧା ଅନୁସାରେ ଆସିପାରିବେ। କିନ୍ତୁ ଅନେକ ସମୟାନୁବର୍ତ୍ତୀ ନଥିଲେ କିମ୍ବା କେବଳ ନିଜ ସାଙ୍ଗମାନଙ୍କୁ ଭେଟିବାକୁ ଆସୁଥିଲେ! କେତେକ ଘର କାମରେ ବ୍ୟସ୍ତ ଥିଲେ ଏବଂ ଶେଷରେ ମୋର ୬୦ ଜଣ ବିଦ୍ୟାର୍ଥୀଙ୍କ ମଧ୍ୟରୁ କେବଳ ୧୦-୨୦ ଜଣ ଏହି ଗୋଷ୍ଠୀ କ୍ଳାସରେ ଯୋଗ ଦେଇଥିଲେ। ଚାଲୁଥିବା କର୍ଫ୍ୟୁ ଆମର ସମସ୍ୟାକୁ ବଢାଇଥିଲା ଏବଂ ଏହି କ୍ଲାସ୍ କରିବା ଆମ ପାଇଁ କଷ୍ଟକର ହୋଇପଡିଲା, କିନ୍ତୁ ୨୦୧୯ ମସିହା ନଭେମ୍ବର ମାସର ଶୀତ ଛୁଟି ପର୍ଯ୍ୟନ୍ତ ଆମେ ଆମର ଛାତ୍ରଛାତ୍ରୀମାନଙ୍କର ପାଠ ପଢା ଜାରି ରଖିଥିଲୁ।
ଛୁଟି ପରେ ୨୦୨୦ ମସିହା ଫେବୃଆରୀ ୨୪ ତାରିଖରେ ସରକାର ବିଦ୍ୟାଳୟଗୁଡ଼ିକୁ ଖୋଲିବାକୁ ଅନୁମତି ଦେଲେ। ମୁଁ ମୋର ଛାତ୍ରମାନଙ୍କୁ ଭେଟିବାକୁ ଆଗ୍ରହୀ ଥିଲି! ମୋର ମନେ ଅଛି, ଜଣେ ନବମ ଶ୍ରେଣୀ ଛାତ୍ର ଜିଆ ରାଓଫ୍ ଉତ୍ସାହର ସହିତ ମୋତେ କହିଥିଲେ [ଯେତେବେଳେ ସେ ପହଞ୍ଚିଲେ] ଯେ ସେ ଅନୁଭବ କଲେ ଯେପରି ଏହା ତାଙ୍କର ସ୍କୁଲରେ ପ୍ରଥମ ଦିନ। ସ୍କୁଲ୍ ଖୋଲିବାର ତିନି ଦିନ ପୂର୍ବରୁ ସେ ତାଙ୍କ ଜୋତାକୁ ପଲିସ୍ କରିଥିଲେ, ୟୁନିଫର୍ମକୁ ଧୋଇଥିଲେ ଏବଂ ତାକୁ ଆଇରନ୍ କରିଥିଲେ। ସେଦିନ ତିରଗାମ ସରକାରୀ ହାଇସ୍କୁଲରେ ପ୍ରବେଶ କରିବାବେଳେ ଆମେ ସମସ୍ତେ ଭାବପ୍ରବଣ ହୋଇଥିଲୁ। ମାତ୍ର ଏକ ମାସ ପରେ୨୦୨୦ ମସିହା ମାର୍ଚ୍ଚ ମାସରେ, କୋଭିଡ -୧୯ ଆରମ୍ଭ ହେବାରୁ ବିଦ୍ୟାଳୟଗୁଡ଼ିକ ପୁଣି ବନ୍ଦ ହୋଇଗଲା।


ବାମ: ତିରଗାମ ସରକାରୀ ହାଇସ୍କୁଲ ବାହାରେ ୧୩ ବର୍ଷୀୟା ଜିୟା ରୌଫ। ବିଦ୍ୟାଳୟକୁ ଚାଲିକରି ଯିବା ପାଇଁ ତାଙ୍କୁ ଦଶ ମିନିଟ୍ ଲାଗେ ଏବଂ ପୂର୍ବରୁ ସେ ନିଜର ପ୍ରିୟତମ ବନ୍ଧୁଙ୍କ ସହିତ ଏହି ବାଟରେ (ଡାହାଣ) ଯାଆନ୍ତି, ତାଲାବନ୍ଦ ଏବଂ ଅନ୍ୟାନ୍ୟ ପ୍ରତିବନ୍ଧକ କାରଣରୁ ଏହି ରାସ୍ତାଟି ଅସ୍ଥାୟୀ ରୂପେ ବନ୍ଦ ହୋଇଗଲା। ଫୌଜିଆ ଫୟାଜ ଫଟୋ ଉଠାଇଛନ୍ତି
ଏହା ସ୍ପଷ୍ଟ ଥିଲା ଯେ କୌଣସି ପ୍ରତ୍ୟକ୍ଷ କ୍ଲାସକୁ ଅନୁମତି ଦିଆଯିବ ନାହିଁ, ତେଣୁ ମୁଁ ୨୦୨୦ ମସିହା ଏପ୍ରିଲ୍ ମାସରେ ମୋ ଛାତ୍ରମାନଙ୍କ ପାଇଁ ଅନଲାଇନ୍ କ୍ଲାସ୍ ଆରମ୍ଭ କଲି। 2G ସ୍ପିଡ୍ ସହିତ ଅନଲାଇନ୍ କ୍ଲାସ୍ କରିବା ଅତ୍ୟନ୍ତ କଷ୍ଟକର ଥିଲା। ଛାତ୍ରମାନେ ସ୍କ୍ରିନକୁ ସଠିକ୍ ଭାବରେ ଦେଖିପାରିଲେ ନାହିଁ, ସେମାନେ ଆମର ସ୍ୱର ସ୍ପଷ୍ଟ ଭାବରେ ଶୁଣିପାରିଲେ ନାହିଁ ଏବଂ ଆମେ ପଠାଇଥିବା ଭିଡିଓଗୁଡ଼ିକ ଅନେକ ସମୟରେ ଅଟକି ଅଟକି ଚାଲୁଥିଲା।
ମୋ ଛାତ୍ରମାନେ ଆଗ୍ରହ ହରାଇବାକୁ ଲାଗିଲେ – ମହାମାରୀ ପୂର୍ବରୁ ଆମର ଏକ ଶ୍ରେଣୀରେ ପ୍ରାୟ ୬୦ ଜଣ ବିଦ୍ୟାର୍ଥୀ ଥିଲେ, କିନ୍ତୁ ସେମାନଙ୍କ ମଧ୍ୟରୁ କେବଳ ନଅ କିମ୍ବା ୧୦ ଜଣଙ୍କ ପାଖରେ ଏକ ଉପକରଣ ଉପଲବ୍ଧ ଥିଲା ଏବଂ ସେମାନେ ଅନଲାଇନ୍ କ୍ଲାସରେ ପଢିବାକୁ ସକ୍ଷମ ହୋଇଥିଲେ। [୭୫ ତମ ଜାତୀୟ ନମୁନା ସର୍ବେକ୍ଷଣ ଅନୁଯାୟୀ କାଶ୍ମୀରରେ କେବଳ ୩.୫ ପ୍ରତିଶତ ଗ୍ରାମୀଣ ପରିବାରର ପାଖରେ କମ୍ପ୍ୟୁଟର ଏବଂ ୨୮.୭ ପ୍ରତିଶତ ଲୋକମାନଙ୍କ ପାଖରେ ଇଣ୍ଟରନେଟ ସୁବିଧା ରହିଛି। ଏଥିସହ ମିଳିତ ଜାତିସଂଘ ମାନବ ଅଧିକାରର ଉଚ୍ଚ କମିଶନରଙ୍କ ୨୦୧୯ ମସିହା ରିପୋର୍ଟ ଅନୁଯାୟୀ ଦେଶରେ ଇଣ୍ଟରନେଟ୍ ବନ୍ଦ ଯୋଗୁଁ ରାଜ୍ୟ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି।]

୨୦୨୦ ମସିହା ନଭେମ୍ବର ମାସ ପାଖାପାଖି, ଯେହେତୁ କୋଭିଡ୍-୧୯ ମାମଲା ହ୍ରାସ ହେବାକୁ ଲାଗିଲା, ଆମେ କମ୍ୟୁନିଟି କ୍ଲାସ୍ ଆରମ୍ଭ କଲୁ । ଛାତ୍ରଛାତ୍ରୀଙ୍କ ଉପସ୍ଥାନ ପାଇଁ ଏହା ଭଲ ବୋଲି ବାନ୍ଦିପୋରା ମୁଖ୍ୟ ଶିକ୍ଷା ଅଧିକାରୀ (ସିଇଓ) ଙ୍କ କାର୍ଯ୍ୟାଳୟ କହିଥିଲେ ଏବଂ ଆମକୁ ଏହା ଜାରି ରଖିବାକୁ ନିର୍ଦ୍ଦେଶ ଦେଲେ। ଯେହେତୁ ମୁଁ ସରକାରୀ ବିଦ୍ୟାଳୟ ନିକଟରେ ଶିକ୍ଷାଦାନ କରୁଥିଲି, ମୁଁ ପଢାଉଥିବା ଖେଳ ପଡ଼ିଆକୁ ସ୍କୁଲରୁ ଧଳା ବୋର୍ଡ ନେଇ ଯାଉଥିଲି- ଚାଲିକରି ଯିବା ପାଇଁ ମାତ୍ର ୧୦ ମିନିଟ୍ ଲାଗେ। ଆମେ କ୍ଳାସ୍ ଚାଲୁଥିବା ସମୟର ଫଟୋ ଉତ୍ତୋଳନ କରି ପ୍ରମାଣ ପାଇଁ ରଖୁଥିଲୁ ଏବଂ ପ୍ରତ୍ୟେକ କ୍ଳାସ୍ ପରେ ଫଟୋଗୁଡ଼ିକୁ ସିଇଓଙ୍କ କାର୍ଯ୍ୟାଳୟକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହି ଫଟୋଗୁଡ଼ିକ ମାଧ୍ୟମରେ ସେମାନେ ଶିକ୍ଷାଦାନରେ ଅଂଶଗ୍ରହଣ କରିଥିବା ଶିକ୍ଷକଙ୍କ ଉପସ୍ଥାନର ରେକର୍ଡ ରଖୁଥିଲେ।
ଯେତେବେଳେ ପରୀକ୍ଷାର ସମୟ ଆସିଲା, ଆମକୁ ଅନଲାଇନରେ ପରୀକ୍ଷା କରିବାକୁ ପଡିଲା। ଯେଉଁ ବିଦ୍ୟାର୍ଥୀମାନଙ୍କର ଫୋନ୍ ନଥିଲା ସେମାନଙ୍କୁ ବିଦ୍ୟାଳୟକୁ ଆସିବାକୁ ମୁଁ ଓ ମୋର ଛଅ ଜଣ ସହକର୍ମୀ ଅନୁରୋଧ କଲୁ, ଏବଂ ପରୀକ୍ଷା ଦେବା ପାଇଁ ସେମାନଙ୍କୁ ଆମେ ଆମର ଫୋନ୍ ଦେଇଥିଲୁ।
ପ୍ରତ୍ୟେକ ଲହର ସହିତ ମାମଲା ବଢୁଥିବାରୁ କମ୍ୟୁନିଟି କ୍ଳାସ୍ଗୁଡ଼ିକ ବର୍ତ୍ତମାନ ବନ୍ଦ ରହିଛି।
ଏକ ସରକାରୀ ବିଦ୍ୟାଳୟର ଶିକ୍ଷକ ଭାବରେ ଆମର କର୍ତ୍ତବ୍ୟ କେବଳ ବିଦ୍ୟାଳୟରେ ଶିକ୍ଷାଦାନରେ ସୀମିତ ରହିନାହିଁ: ଦଙ୍ଗା ସମୟରେ ଏହି ଶିକ୍ଷକ ଜଣେ ଚୌକିଦାରର ଦାୟିତ୍ୱ ତୁଲାଇଥାଏ; ସର୍ବେକ୍ଷଣ ସମୟରେ ସେ ଜଣେ ପାଟୱାରୀ (ସରକାରୀ ଅଧିକାରୀ), ନିର୍ବାଚନ ସମୟରେ ସେ ଜଣେ ପୋଲିସ୍ ଏବଂ ବର୍ତ୍ତମାନ କୋଭିଡ୍ -୧୯ ସମୟରେ ଶିକ୍ଷକ ଜଣେ ଡାକ୍ତରୀ ଅଧିକାରୀ ଭାବରେ କାର୍ଯ୍ୟ କରୁଛନ୍ତି। ଏହି ସବୁ ଦାୟିତ୍ୱ କୌଣସି ଆର୍ଥିକ କ୍ଷତିପୂରଣ ବିନା। ଆମେ ଇଚ୍ଛା କରୁଥିବା କାର୍ଯ୍ୟଗୁଡ଼ିକ ଆମେ କରିପାରିବୁ ନାହୁଁ, ଯେପରିକି ଆମର ଛାତ୍ରମାନଙ୍କୁ ବିଭିନ୍ନ ସ୍ଥାନକୁ ଅଧ୍ୟୟନ ଭ୍ରମଣରେ ନେବା; ଆମେ ବିଦ୍ୟାଳୟର ଚାରୋଟି କାନ୍ଥରେ ଆବଦ୍ଧ ହୋଇରହିଛୁ।
ଏହି ପୂରା ଅବଧି ମୋତେ ମୋ ପରିବାରଠାରୁ ଦୂରେଇ ଦେଇଛି। ମୋ ପତ୍ନୀ ୪୫ ବର୍ଷୀୟା ମେହନାଜା ତନଭୀର,ଏବଂ ମୋର ପୁଅମାନେ ୧୨ ବର୍ଷର ଉମର, ଏବଂ ୮ ବର୍ଷର ତାହା। ବିଦ୍ୟାଳୟ ବନ୍ଦ ଏବଂ ଚାରିଆଡେ ସାଧାରଣ ବିବାଦ ହେତୁ ଚିନ୍ତାଗ୍ରସ୍ତ ଏବଂ ମାନସିକ ଚାପରେ ଥିବା ବିଦ୍ୟାର୍ଥୀମାନଙ୍କୁ ମୁଁ ପରାମର୍ଶ ଦେବାରେ ବହୁତ ସମୟ ଅତିବାହିତ କରେ। ବେଳେବେଳେ, ମୋର ପରାମର୍ଶ କାମ କରେ, କିନ୍ତୁ ସବୁବେଳେ ନୁହେଁ।
ବେଳେବେଳେ ଦେୟ ଦେଇପାରୁନଥିବା ବିଦ୍ୟାର୍ଥୀମାନଙ୍କ ଦେୟ ମୁଁ ବହନ କରେ ଏବଂ ମୁଁ ସେମାନଙ୍କୁ ନୋଟବୁକ୍, ପେନ୍ସିଲ ପରି ମୌଳିକ ଜିନିଷଗୁଡ଼ିକ ଦେଇଥାଏ, ମହାମାରୀ ସମୟରେ ମୋର ବେତନ ମିଳିବାରେ ବିଳମ୍ବ ହେଲା ତେଣୁ ମୋତେ ବଞ୍ଚିବା ପାଇଁ ମୋର ସଞ୍ଚୟ ବ୍ୟବହାର କରିବାକୁ ପଡିଲା।

ମୁଁ ମୋର ପିତାମାତା ଏବଂ ମୋର ଚାରି ଭାଇଭଉଣୀଙ୍କ ସହ ମିଳିତ ପରିବାରରେ ରହି ବଡ଼ ହୋଇଥିଲି। ମୁଁ ଚାରିଜଣଙ୍କ ମଧ୍ୟରୁ ସବା ସାନ ଅଟେ। ମୋର ମୃତ ପିତାମାତା ଉଭୟ ଭଲ ଶିକ୍ଷିତ ଥିଲେ – ମୋ ମା ତିରଗାମ ଗାଁର ଏକ ମାଧ୍ୟମିକ ବିଦ୍ୟାଳୟରେ ସରକାରୀ ଶିକ୍ଷୟିତ୍ରୀ ଥିଲେ ଏବଂ ମୋ ବାପା ବାନ୍ଦିପୋରର ସୁମ୍ବଲ ଟାଉନରେ ପୋଲିସ୍ ଇନ୍ସପେକ୍ଟର ଥିଲେ। ୨୦୧୧ଜନଗଣନା ଅନୁଯାୟୀ, ସୁମ୍ବଲରେ ସାକ୍ଷରତା ହାର ପ୍ରାୟ ୩୫ ପ୍ରତିଶତ ଅଟେ; ଶିକ୍ଷାକୁ ପ୍ରାଥମିକତା ଦେଉଥିବା ଏକ ପରିବାରରେ ଜନ୍ମ ହେବାର ସୌଭାଗ୍ୟ ମୁଁ ପାଇଥିଲି। ମୁଁ ଯେତେବେଳେ ପିଲା ଥିଲି, ମୋ ମା ମୋତେ ତାଙ୍କ ସହିତ ସ୍କୁଲକୁ ନେଇ ଯାଉଥିଲେ। ମୁଁ ମୋ ମାଆଙ୍କୁ ଅନୁସରଣ କରୁଥିଲି ଏବଂ ତାଙ୍କ ପରି ହେବାକୁ ଚାହୁଁଥିଲି।
୨୦୨୧ ମସିହା ଫେବୃଆରୀ ମାସରେ, କାଶ୍ମୀରରେ ନିୟମିତ ଇଣ୍ଟରନେଟ୍ ସ୍ପିଡ୍ର ଅନୁମତି ଦିଆଯାଇଥିଲା, କିନ୍ତୁ ବର୍ତ୍ତମାନ ଛାତ୍ରଛାତ୍ରୀମାନେ ଅନଲାଇନ୍ କ୍ଲାସ୍ ପ୍ରତି କୌଣସି ଆଗ୍ରହ ଦେଖାଉ ନାହାନ୍ତି। ଉପସ୍ଥିତ ଥିବା ପିଲାମାନେ କୁହନ୍ତି ଯେ ସେମାନେ କ୍ଳାନ୍ତ, ଚାପଗ୍ରସ୍ତ ଏବଂ ପିଠି ଏବଂ ବେକ ଯନ୍ତ୍ରଣା ଭୋଗୁଛନ୍ତି କାରଣ ସେମାନଙ୍କୁ ଏହି କ୍ଲାସ୍ ସମୟରେ ଏକ ସ୍କ୍ରିନ୍ ଦେଖିବାକୁ ପଡୁଛି। ଏଠାରେ କୌଣସି ଅତିରିକ୍ତ କାର୍ଯ୍ୟକଳାପ ନାହିଁ ଏବଂ ବାରମ୍ବାର ଲକଡାଉନ୍ ଏବଂ କର୍ଫ୍ୟୁ ହେତୁ ସେମାନେ ନିଜ ସାଙ୍ଗମାନଙ୍କ ସହିତ ଖେଳିପାରୁ ନାହାନ୍ତି। ସେମାନେ ଏକ ବନ୍ଦୀଶାଳାରେ ବନ୍ଦଥିବା ବନ୍ଦୀମାନଙ୍କ ପରି ହୋଇଗଲେଣି।
କେବଳ ବିଦ୍ୟାର୍ଥୀ ନୁହଁନ୍ତି, ଶିକ୍ଷକମାନଙ୍କର ମଧ୍ୟ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ରହିଛି – ଆମେ ଶିକ୍ଷାଦାନ କରୁ କିନ୍ତୁ ଆମେ ଆମର ଛାତ୍ରମାନଙ୍କୁ ଦେଖିପାରୁ ନାହୁଁ କିମ୍ବା ଭେଟି ପାରୁନାହୁଁ। ଅନଲାଇନ୍ କ୍ଲାସ୍ କରିବାବେଳେ, ମୋତେ ଲାଗେ ଯେ ମୁଁ କୌଣସି ଏକ ଚଳଚ୍ଚିତ୍ର ଦୁନିଆରେ ଅଛି, କ୍ୟାମେରା ଆଗରେ ଏକ କୋଠରୀରେ ଏକୁଟିଆ ଅଭିନୟ କରୁଛି।