ସବୀର ଅହମଦ ପରୀକ୍ଷାମୂଳକ ଉଡାଣ ପାଇଁ ପ୍ରସ୍ତୁତ ହେଉଛନ୍ତି ।

ବର୍ତ୍ତମାନ ହେଉଛି ବସନ୍ତ ସମୟ, ଜାମ୍ମୁ ଓ କାଶ୍ମୀରର ଗ୍ରୀଷ୍ମକାଳୀନ ରାଜଧାନୀ ଶ୍ରୀନଗରରେ ଏପ୍ରିଲ ମାସର ସ୍ୱଚ୍ଛ ନୀଳ ଆକାଶରେ ହାଲୁକା ମେଘମାଳା ଏପଟସେପଟ ହୋଇ ଘୂରି ବୁଲୁଛନ୍ତି । ୩୫ ବର୍ଷ ବୟସ୍କ ସରକାରୀ କର୍ମଚାରୀ ଜଣକ ଶ୍ରୀନଗରର ସୋଲିନା ଅଞ୍ଚଳରେ ଅବସ୍ଥିତ ତାଙ୍କର ତିନି-ମହଲା ଘରର ଛାତ ଉପରେ ଅଛନ୍ତି । ସବୀର, ଜଣେ ପାରାପ୍ରେମୀ, (କାଶ୍ମିରୀ ଭାଷାରେ କୋତରବାଜ୍‌) ନିଜେ ଲାଳନପାଳନ କରିଥିବା ପାରାଗୁଡ଼ିକୁ ଉଡ଼ାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି ।

“ସେମାନଙ୍କୁ ଧୂସର ଆକାଶ ଭଲ ଲାଗେନାହିଁ । ନଭେମ୍ବରଠାରୁ ସେମାନେ ଭିତରେ ରହି ଆସୁଛନ୍ତି, ଯେହେତୁ ଏଠାରେ ଶୀତ ଅତ୍ୟନ୍ତ କଠୋର ଅଟେ,” ବୋଲି ସେ କୁହନ୍ତି । ପକ୍ଷୀମାନେ ସେମାନଙ୍କ ପଞ୍ଜୁରିରୁ ବାହାରିବା ପରେ ସେମାନଙ୍କ ମଧ୍ୟରୁ କିଛି ବାଉଁଶ ବାଡ଼ିରେ ପ୍ରସ୍ତୁତ ଏକ ଜାଲି ଉପରେ ବସନ୍ତି । ସବୀର ତା’ପରେ ପ୍ରାୟ ୮ ରୁ ୧୦ ଫୁଟ ଲମ୍ବ ବିଶିଷ୍ଟ ଏକ ସରୁ ବାଉଁଶ ବାଡ଼ି ନିଅନ୍ତି ଓ ଏହାକୁ ଏକ ଭୂସମାନ୍ତର ପୋଲ୍‌ ଭିତରକୁ ପ୍ରବେଶ କରନ୍ତି । ସେ ପୋଲ୍‌କୁ ମୃଦୁ ଅଥଚ କ୍ଷୀପ୍ର ଗତିରେ କିଛି ଥର ଆଘାତ କରନ୍ତି, ଏ ସମୟରେ ବିଶ୍ରାମ କରୁଥିବା ସେହି ପକ୍ଷୀମାନଙ୍କର ନୀଳ ମୁନିଆ ନଖକୁ ପ୍ରାୟତଃ ସ୍ପର୍ଶ କରିଥାନ୍ତି, ଯେଉଁ ପକ୍ଷୀମାନେ ଅତିଶୀଘ୍ର ଚଳିତ ଋତୁର ପ୍ରଥମ ଉଡ଼ାଣ ଭରିବାକୁ ଯାଉଛନ୍ତି।

କୋତରବାଜ (ପାରା ଫେନ୍‌ସିଅର୍‌) ସବୀର ଅହମଦ ତାଙ୍କ ପଞ୍ଜୁରିରୁ ପାରାମାନଙ୍କୁ ଉଡ଼ାଉଛନ୍ତି । ଫଟୋ : ମୀର ୟାସିର ମୁଖତାର

ସବୀର କଥା ହେବାବେଳେ, ଗୋଟିଏ ପାରା ବହୁତ ଉପରକୁ ଏକ ରୂପେଲୀ ମେଘ ଆଡ଼କୁ ଉଡ଼ିଗଲା । ଉପରେ ଘୂରି ବୁଲୁଥିବା ଏକ ବାଜ ପକ୍ଷୀ ଏହାକୁ ଅନୁଧାବନ କରି ଅତର୍କିତ ଭାବେ ତଳକୁ ଆସି ଏହାକୁ ଝାମ୍ପି ନେବାକୁ ଚେଷ୍ଟା କଲା । ସବୀର ସବୁ ଦେଖିଲେ ଓ ହ୍ୱିସିଲ୍‌ ମାରିଲେ । ଅନୁଧାବନ କରୁଥିବା ବାଜ ପକ୍ଷୀଠାରୁ ଏହା ବହୁତ ଦୂରରେ ଥିଲା ତଥାପି ସେ ହ୍ୱିସିଲ୍‌ ମାରିବା ଜାରି ରଖିଥିଲେ । “ହ୍ୱିସିଲ୍‌ ହେଉଛି ଏକ ସତର୍କ ଘଣ୍ଟି ଯାହା ପକ୍ଷୀମାନେ ବୁଝିପାରନ୍ତି । ପାରାମାନେ ଯେତେ ଯେତେ ଅଧିକ ଉଚ୍ଚତାରେ ଉଡ଼ିବେ, ବାଜ ପକ୍ଷୀ ଓ ଇଗଲ୍‌ମାନଙ୍କ ଆକ୍ରମଣର ଶିକାର ହେବା ସମ୍ଭାବନା ସେତିକି ଅଧିକ ହେବ,” ବୋଲି ସେ ବୁଝାଇ କୁହନ୍ତି । ନୀରବରେ ଆମେ ସବୀରଙ୍କ ପାଖରେ ଥିବା ୪୦୦ ପାରା ମଧ୍ୟରୁ ସେହି ପାରାଟି ଉପରେ ଆମର ସତର୍କ ଦୃଷ୍ଟି ରଖିଲୁ, ଯିଏ ଫେରିଆସି ଆମର ଅତି ନିକଟରେ ବସି ପଡ଼ି ଲା ।

ତାଙ୍କର କାଠ ନିର୍ମିତ ପ୍ରକୋଷ୍ଠରେ ବିଭିନ୍ନ ରଙ୍ଗ ଓ କିଷମର ପାରା ଅଛନ୍ତି । “କେତେକ ପ୍ରଜାତିର କାଶ୍ମିରୀ ନାମ ରହିଛି ଓ ଆଉ କିଛି ନାମକରଣ ମୁଁ ନିଜେ କରିଛି : କାଲେଉଜୁଲ, ଜଗ୍‌ସିନ୍‌. ଡୋବ୍‌, ଟେଡି. ଜିରା, ସାହାରନ୍‌ପୁରୀ…” ସବୀର ପ୍ରକୋଷ୍ଠକୁ ଯିବା ପାଇଁ କବାଟର ତାଲା ଫିଟାଉଫିଟାଉ ଓ ମକା ଭର୍ତ୍ତି ଏକ ବସ୍ତା ଖୋଲୁ ଖୋଲୁ ସେ ସେମାନଙ୍କର ନାମଗୁଡ଼ିକ କ୍ଷୀପ୍ର ଗତିରେ ଆବୃତ୍ତି କରୁଥିଲେ । ସେମାନଙ୍କୁ ଦିନରେ ଦୁଇଥର ଖାଇବାକୁ ଦିଆଯାଏ, ସକାଳେ ଓ ସନ୍ଧ୍ୟାବେଳେ । ପଞ୍ଜୁରି ଭିତରେ ଏକ ଜଳଭର୍ତ୍ତି ପାତ୍ର ମଧ୍ୟ ରହିଛି ଓ ଏହାକୁ ବାରମ୍ବାର ଭର୍ତ୍ତି କରାଯାଇଥାଏ ।

ସବୀରଙ୍କ ଭଳି ଜଣେ କୋତରବାଜଙ୍କୁ ସେମାନଙ୍କ ପକ୍ଷୀମାନଙ୍କ ଲାଳନପାଳନ ପାଇଁ ମାସିକ ୫୦୦୦ ରୁ ୧୦,୦୦୦ ଟଙ୍କା ଖର୍ଚ୍ଚ କରିବାରେ ନିଶ୍ଚିତ ଭାବେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆବଶ୍ୟକ ଶାରିରୀକ ଶକ୍ତି ପ୍ରାପ୍ତ ହେବା ପାଇଁ ସେ ସେମାନଙ୍କ ଆହାରରେ ଡ୍ରାଏ ଫ୍ରୁଟ୍‌ସ, ଅରନ୍ଧା ଛୋଲାବୁଟ, ସୋରିଷ ତେଲ ଓ ଭର୍‌ପୂର୍‌ ପ୍ରୋଟିନ୍‌ ଯୁକ୍ତ ସପ୍ଲିମେଣ୍ଟ ମିଶାଇଥାନ୍ତି ।

ମହମ୍ମଦ ସଲ୍‌ମାନ ହେଉଛନ୍ତି ଶ୍ରୀନଗରର ଡାଲ୍‌ଗେଟ୍‌ ଅଞ୍ଚଳର ଜଣେ ପାରା ପ୍ରେମୀ ଓ ବୁଲା ବିକାଳି । ତାଙ୍କ ପରିବାର ୧୯୮୦ରୁ ପକ୍ଷୀମାନଙ୍କର ଲାଳନପାଳନ କରିଆସୁଛନ୍ତି । ସେ କୁହନ୍ତି ଯେ ବିଜେତା ତିଆରି କରିବା ପାଇଁ ନିରନ୍ତର ପ୍ରୟାସ କରିବାକୁ ପଡ଼ିଥାଏ । “ଗୋଟିଏ ଋତୁ ପାଇଁ ପ୍ରସ୍ତୁତ କରିବାକୁ ପ୍ରାୟ ଛଅମାସ ସମୟ ଲାଗିଥାଏ,” ବୋଲି ମହମ୍ମଦ କୁହନ୍ତି । “ଶୀତଋତୁରେ ଯେତେବେଳେ ସର୍ବାଧିକ ଶୀତ ଅନୁଭୂତ ହୁଏ, ସେତେବେଳେ ପଞ୍ଜୁରି ଭିତରେ ଅଣ୍ଡାଗୁଡ଼ିକୁ ଉଷୁମ ରଖି ପାରାମାନେ ସେଗୁଡ଼ିକୁ ଫୁଟାଇବା ସହିତ ଏହାର ଆରମ୍ଭ ହୁଏ । ପ୍ରତିବର୍ଷ ପାଖାପାଖି ୧୦୦ ପାରା ପିଲା ଜନ୍ମ ନିଅନ୍ତି ହେଲେ ସେମାନଙ୍କ ମଧ୍ୟରୁ ସବୁଗୁଡ଼ିକ ରେସିଂ ପାଇଁ ଉପଯୁକ୍ତ ହୋଇପାରନ୍ତିନି’’ ।ଋତୁ ପୂର୍ବରୁ ଉଡିବା ସାମର୍ଥ୍ୟ ପରୀକ୍ଷଣ ଆଧାରରେ ପାରାମାନଙ୍କୁ ବଛାଯାଇଥାଏ ।

ପାରାମାନେ ଘରକୁ ଫେରିବା ପୂର୍ବରୁ ଅନେକ ଘଣ୍ଟା ପର୍ଯ୍ୟନ୍ତ ଉଡ଼ିବା ପାଇଁ ସମର୍ଥ ଅଟନ୍ତି । ସେମାନଙ୍କୁ ଏଥିରେ ଅଭ୍ୟସ୍ତ କରିବାକୁ – ଯାହାକୁ ‘ହୋମିଂ’ କୁହାଯାଏ – ପ୍ରାୟ ୪୦ଦିନ ସମୟ ଲାଗିଥାଏ, ବୋଲି ମହମ୍ମଦ କୁହନ୍ତି । ଏହା ସେମାନଙ୍କୁ ସୁରକ୍ଷିତ ଭାବେ ତାଙ୍କ ପାଖକୁ ଫେରି ଆସିବାକୁ ଓ ଦୂରକୁ ଉଡ଼ି ପଳାଇ ନଯିବାକୁ ସମର୍ଥ କରାଇଥାଏ । ପାରାମାନଙ୍କୁ ସମ୍ବାଦ ବାହକ ଭାବେ ବ୍ୟବହାର କରାଯିବା ଓ ମିଲିଟାରୀରେ ସେମାନଙ୍କର ଭୂମିକା ଭଳି ଛୋଟ ଛୋଟ କଥା ମହମ୍ମଦଙ୍କ ଭଳି ପାରା ପ୍ରେମୀମାନେ ଭଲଭାବେ ଜାଣନ୍ତି । ପ୍ରଥମ ବିଶ୍ୱଯୁଦ୍ଧ ସମୟରେ, ଜର୍ମାନ ମିଲିଟାରୀ ଦ୍ୱାରା ପାରାମାନଙ୍କ ପେଟରେ କ୍ୟାମେରା ବନ୍ଧାଯାଇ ଶତ୍ରୁଙ୍କୁ ଠାବ କରିବା ମିସନ୍‌ରେ ସେମାନଙ୍କୁ ବ୍ୟବହାର କରାଯାଇଥିଲା । ଅଧିକ ଉଚ୍ଚତାରେ ଓ ଘଣ୍ଟା ଘଣ୍ଟା ଧରି ସେମାନଙ୍କର ଉଡ଼ିବା ସାମର୍ଥ୍ୟ ସେମାନଙ୍କ ପାଇଁ ଲାଭକାରୀ ପ୍ରମାଣିତ ହୋଇଥିଲା ।

ପ୍ରସିଦ୍ଧ କାଶ୍ମିରୀ କବି ଓ ଐତିହାସିକ ଜରୀଫ ଅହମଦ ଜରୀଫ, ଯାହାର ବୟସ ବର୍ତ୍ତମାନ ୭୦ ପାଖାପାଖି, ପାରା ରେସିଂ ସଂସ୍କୃତିର ଦଶନ୍ଧି ଦଶନ୍ଧି ଧରି ଅନୁସରଣ କରିଆସିଛନ୍ତି । ସେ କୁହନ୍ତି, “ଆମେ [କାଶ୍ମିରୀମାନେ] ଉଭୟ ରୁଚି ଭାବେ ଓ ଖେଳ ପାଇଁ ପାରା ପୋଷୁଥିଲୁ । ତିରିଶ ବର୍ଷ ପୂର୍ବେ, ପ୍ରତ୍ୟେକ ମୋହଲ୍ଲାରେ (ପାଖ ପଡିଶାରେ) ଅତିକମ୍‌ରେ ତିନି ରୁ ଚାରି ଜଣ ପାରାପ୍ରେମୀ ରହୁଥିଲେ । କାଶ୍ମିରୀମାନେ ଏହି ଖେଳ ପଞ୍ଜାବୀମାନଙ୍କଠାରୁ ଶିଖିଛନ୍ତି” । ଏପରି ଏକ ସମୟ ଥିଲା, ଯେତେବେଳେ ପ୍ରତ୍ୟେକ ଶ୍ରୁକ୍ରବାର ସକାଳବେଳା, ଉପତ୍ୟକାର ବିଭିନ୍ନ ଅଞ୍ଚଳର ପ୍ରାୟ ୫୦ ପାରାପ୍ରେମୀ ସହରର ନାଓହତ୍ତା ବସତିର କାକ୍‌ ମୋହଲ୍ଲାରେ ଏକତ୍ରିତ ହେଉଥିଲେ ଓ ବଜାରରେ ସେମାନେ ରଖିଥିବା ପାରାଗୁଡ଼ିକ ବିନିମୟ କରୁଥିଲେ ବା ବିକ୍ରି କରୁଥିଲେ ।

ମହମ୍ମଦ ସଲ୍‌ମାନ ତାଙ୍କ ପାରାମାନଙ୍କୁ ମୁକ୍ତ କରୁଛନ୍ତି । ଫଟୋ : ମୀର ୟାସିର ମୁଖତାର

ସବୀର ଏହି ଖେଳ ବିଷୟରେ ତାଙ୍କର ବଡ଼ଭାଇ ଫୟାଜ ଅହମଦଙ୍କଠାରୁ ଜାଣିବାକୁ ପାଇଥିଲେ, ଯିଏ ତାଙ୍କର ବିବାହ ପରଠାରୁ ପଞ୍ଜୁରିକୁ ଆସିବା ଛାଡ଼ିଦେଇଥିଲେ, । ଜରୀଫ ବୁଝାଇ କୁହନ୍ତି ଯେ “କାହିଁକି ଲୋକମାନେ ସେମାନଙ୍କର ଝିଅମାନଙ୍କୁ ଜଣେ ପାରା ଫେନ୍‌ସିଅର୍‌ ସହିତ ବିବାହ କରିବାକୁ କୁଣ୍ଠିତ ହୁଅନ୍ତି, ଯେହେତୁ ଏହି ଖେଳରେ ଆକାଶରେ ଉଡୁଥିବା ପାରାମାନଙ୍କୁ ଆଗ୍ରହ ସହିତ ଦେଖିବାବେଳେ ସେମାନେ ଛାତରୁ ତଳକୁ ଖସି ପଡ଼ିବାର ସମ୍ଭାବନା ରହିଛି । ଏହି ଖେଳକୁ ସବୁବେଳେ ସାମାଜିକ ସ୍ୱୀକୃତି ମିଳୁନଥିଲା।’’

ଆକାଶ ଆଡ଼କୁ ଦେଖି ସବୀର ଏକ କାଲେୱଜୁଲ୍‌କୁ ଦେଖି ପାରିଲେ – ଏକ ନାଲି ମୁଣ୍ଡିଆ ଧଳା ପାରା, ଅଧିକ ଚାହିଦା ଥିବା ଏକ ପ୍ରଜାତି । “ଏହା ଆଉ ଜଣେ ପାରାପ୍ରେମୀଙ୍କର,’’ ବୋଲି ସେ କହିଲେ । ପାରାଟି ଟିକିଏ ତଳକୁ ଖସିଲା, ଆଉ କିଛି ମୁହୂର୍ତ୍ତ ପରେ, କ୍ଳାନ୍ତି କାରଣରୁ ଏହା ସବୀରଙ୍କ ପଞ୍ଜୁରି ନିକଟରେ ଥିବା ବାଡ଼ିଗୁଡ଼ିକ ମଧ୍ୟରୁ ଗୋଟିଏ ଉପରେ ବସିପଡ଼ିଲା । ସବୀର ଏହି ସୁଯୋଗକୁ ସତର୍କତା ସହିତ ଅପେକ୍ଷା କରିରହିଥିଲେ ଓ ତୁରନ୍ତ ବାଡ଼ିକୁ ପକ୍ଷୀ ପାଖକୁ ନେଇଗଲେ । ସେ ଏହାର ବେକ ଚାରିପାଖରେ ଫାଶ ଭଳି ଏକ ଢିଲା ଗଣ୍ଠି ପକାଇଲେ ଓ ତାପରେ ପକ୍ଷୀଟିକୁ ତାଙ୍କର ପଞ୍ଜୁରି ଭିତରକୁ ଆସିବାକୁ ଇସାରା କଲେ । ଯାହାକୁ ମିଳିଲା, ସେ ହେବ ପାଳକ! ପାରାଟି ଏବେ ତାଙ୍କର ହୋଇଗଲା। ଏହା କାଶ୍ମୀରର ପାରା-ପୋଷୁଥିବା ଲୋକମାନଙ୍କ ମଧ୍ୟରେ ଅତି ସାଧାରଣ କଥା ଭାବେ ବିବେଚନା କରାଯାଏ । କିଛି ପାରାପ୍ରେମୀ ଏହିପରି ଅଭ୍ୟାସକୁ ସ୍ୱାଗତ ଜଣାଉଥିବାବେଳେ, ଏପରି ଅନେକ ଫେନ୍‌ସିଅର୍‌ ଅଛନ୍ତି, ଯେଉଁମାନେ କେବଳ ସେମାନଙ୍କର ନିଜ ପକ୍ଷୀଗୁଡ଼ିକର ଲାଳନପାଳନ କରିବାକୁ ପସନ୍ଦ କରିଥାନ୍ତି ।

ଦୁଇଟି ରାସ୍ତାରେ ପାରାପ୍ରେମୀମାନେ ସେମାନଙ୍କ ପକ୍ଷୀ ହରାଇବା ସମ୍ଭାବନା ରହିଛି । ଦିନ ଶେଷରେ ଯେତେବେଳେ ତାଙ୍କ ପାରାମାନେ ଫେରନ୍ତି, ସେତେବେଳେ ଗୋଟିଏ କମ୍‌ ଥିବା ସବୀର ଲକ୍ଷ୍ୟ କରନ୍ତି” । “ବେଳେବେଳେ, ସେମାନେ ତା’ପର ଦିନ ଫେରିଆସନ୍ତି, ସାଧାରଣତଃ ଆଘାତପ୍ରାପ୍ତ ଅବସ୍ଥାରେ,” ବୋଲି ସେ କୁହନ୍ତି । ତାଙ୍କର କେତେକ ଭଲ ପାରା ଭକ୍ଷକମାନଙ୍କ ଶିକାର ହୋଇଛନ୍ତି । “ଏହା ଆମର ଉଡାଣ ପ୍ରକ୍ରିୟାର ଏକ ଅଂଶ । ପାରାମାନଙ୍କୁ ସେମାନଙ୍କର ଯତ୍ନ ନେବା ଶିଖିବାକୁ ପଡ଼ିବ।

ରେସ୍‌ ଆରମ୍ଭ ହେଲା : ରେଡ୍‌ କାର୍ଡ ପ୍ରତି ସାବଧାନ!

କାଶ୍ମୀରରେ ପୂର୍ବେ ହେଉଥିବା ରେସ୍‌ଗୁଡ଼ିକ ଗୋଟିଏ-ପକ୍ଷୀ ବିଶିଷ୍ଟ ଖେଳ ସଦୃଶ ଥିଲା, ଯାହା ଆତଙ୍କବାଦ ଯେତେବେଳେ ଏହାର ସର୍ବୋଚ୍ଚ ସ୍ତରରେ ଥିଲା ଓ ଲୋକମାନେ ସେମାନଙ୍କର ଘର ଭିତରେ ଆବଦ୍ଧ ହୋଇ ରହିବାକୁ ବାଧ୍ୟ ହେଉଥିଲେ, ସେତେବେଳେ ଜନପ୍ରିୟତା ଲାଭ କରିଥିଲା । ପାରାପ୍ରେମୀନେ ଏକାଧିକ ପାରା ପୋଷୁଥିଲେ ଓ ବେଳେବେଳେ ବିଭିନ୍ନ ପାଳକ ଓ ସ୍ୱଳ୍ପ-କାଳୀନ ରେସର୍‌ମାନଙ୍କ ମଧ୍ୟରେ ବିବାଦ ମଧ୍ୟ ଉପୁଜୁଥିଲା । “ପ୍ରାତଃ ସମୟରେ, ଗୋଟିଏ ଅଞ୍ଚଳର ଦଳେ ପାରାପ୍ରେମୀ ସେମାନଙ୍କ ପାରାମାନଙ୍କୁ ମୁକ୍ତ କରିଦେଉଥିଲେ ଓ ସେମାନଙ୍କର ବାହୁଡିବା ସମୟକୁ ଲେଖି ରଖୁଥିଲେ । ସର୍ବାଧିକ ଘଣ୍ଟା ଉଡ଼ି ବୁଲିଥିବା ପାରାକୁ ବିଜେତା ଘୋଷିତ କରାଯାଉଥିଲା,” ବୋଲି ସବୀର କୁହନ୍ତି ।

ବର୍ତ୍ତମାନ କିନ୍ତୁ ପାରା ରେସିଂରେ ଅଧିକ ପୁରସ୍କାର ରାଶି ମିଳୁଥିବା ଖେଳରେ ପରିଣତ ହୋଇଛି ଓ କେତେକେ ରେସ୍‌ରେ ପୁରସ୍କାରରେ ୩୦,୦୦୦ଟଙ୍କା ପର୍ଯ୍ୟନ୍ତ ନଗଦ ରାଶି ବା ଏପରିକି ମାରୁତି କାର୍‌ ମଧ୍ୟ ପ୍ରଦାନ କରାଯାଉଛି ।

ସୋସିଆଲ୍‌ ମିଡିଆ, ନିର୍ଦ୍ଦିଷ୍ଟ ଭାବେ କହିଲେ ପାକିସ୍ତାନୀ ପାରାପ୍ରେମୀମାନଙ୍କ ଦ୍ୱାରା ୟୁଟ୍ୟୁବ୍‌ରେ ଅପ୍‌ଲୋଡ୍‌ କରାଯାଉଥିବା ପାରା ପ୍ରତିପାଳନ ସମ୍ବନ୍ଧିତ ଭିଡିଓ ଯୋଗୁଁ ପାରା ପ୍ରତିପାଳନ ପ୍ରତି ସମସ୍ତଙ୍କ ଆଗ୍ରହ ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି । ‘‘ପାକିସ୍ତାନୀ ପାରାପ୍ରେମୀମାନେ ପ୍ରେରଣାର ଉତ୍ସ ପାଲଟିଛନ୍ତି ଓ ସୋସିଆଲ୍‌ ମିଡିଆ ମାଧ୍ୟମରେ ସେମାନଙ୍କ ଷ୍ଟାଇଲ୍‌ ଆମ ପାଖରେ ପହଞ୍ଚି ପାରୁଛି,” ବୋଲି ସବୀର ଅନୁଭବ କରିଛନ୍ତି, ବୋଲି ତାଙ୍କ ଫୋନ୍‌ରେ ୟୁଟ୍ୟୁବ୍‌ରେ ମୋଷ୍ଟ-ୱାଚ୍‌ଡ ପାରା ପ୍ରତିପାଳନ ଭିଡିଓ ସ୍କ୍ରୋଲ୍‌ କରି କୁହନ୍ତି । ପାକିସ୍ତାନରେ, କାଶ୍ମୀରର ବିପରୀତ, ବର୍ଷର ସବୁ ସମୟରେ ରେସିଂର ଆୟୋଜନ ପାଇଁ ପାଗ ଅନୁକୂଳ ରହିଥାଏ ଓ ଟୁର୍ଣ୍ଣାମେଣ୍ଟଗୁଡ଼ିକର ଭିଡିଓ ଅନ୍‌ଲାଇନ୍‌ରେ ପୋଷ୍ଟ କରାଯାଇଥାଏ ।

“ଏହି ପ୍ରକାରେ, (ଭିଡିଓ ସହିତ) ଏହି ରେସ୍‌ ଆଉ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ମଧ୍ୟରେ ସୀମିତ ହୋଇ ରହିନାହିଁ ବରଂ ଏହାକୁ କାଶ୍ମୀରର ବିଭିନ୍ନ ଭାଗରେ ରହୁଥିବା ପାରାପ୍ରେମୀମାନଙ୍କ ମଧ୍ୟରେ ମଧ୍ୟ ଆୟୋଜନ କରାଯାଇପାରିବ,” ବୋଲି ଅଫ୍‌ତାବ ଅହମଦ,. ସୋଲିନାର ଜଣେ କୋତରବାଜ ଯିଏ ୨୦୧୯ରୁ ଜଜ୍‌ ହୋଇ ଆସୁଛନ୍ତି, କୁହନ୍ତି । “ଆମମାନଙ୍କ ଭଳି ପାରାପ୍ରେମୀମାନଙ୍କ ମଧ୍ୟରୁ ଜଜ୍‌ମାନଙ୍କୁ ଚୟନ କରାଯାଏ,” ବୋଲି ସେ କୁହନ୍ତି । ସେମାନେ ପାରାପ୍ରେମୀମାନଙ୍କ ପାଇଁ ଏକ ତାରିଖ ଠିକ୍‌ କରନ୍ତି, ଯେଉଁଦିନ ପ୍ରତ୍ୟେକ ସେମାନଙ୍କର ସର୍ବୋତ୍ତମ ପାଞ୍ଚଟି ପାରାକୁ ଉଡ଼ାଇପାରିବେ ଓ ପ୍ରାତଃ ସମୟରେ ପ୍ରତ୍ୟେକ ପଞ୍ଜୁରିକୁ ଯାଆନ୍ତି, ବଛାଯାଇଥିବା ପାରାଗୁଡ଼ିକୁ ଆକାଶରେ ଉଚ୍ଚକୁ ଉଡ଼ି ଉଡ଼ି ଯାଉଥିବା ଦେଖନ୍ତି ଓ ସାମଗ୍ରିକଭାବେ ସେମାନଙ୍କର ଉଡ଼ିବା ସମୟ ରେକର୍ଡ କରନ୍ତି ।

ଉଡ଼ିବାକୁ ଆରମ୍ଭ କରିବା ପୂର୍ବରୁ, ଜଜ୍‌ ବଛା ହୋଇଥିବା ପାରାଙ୍କ ପରରେ ଷ୍ଟାମ୍ପ ସଂଲଗ୍ନ କରନ୍ତି ଓ ତାପରେ ବାଇନାକୁଲର୍‌ ସହାୟତାରରେ ପାରାଗୁଡ଼ିକ ଫେରିବା ପର୍ଯ୍ୟନ୍ତ ସେମାନଙ୍କର ଉଡ଼ିବାର ପଥ ଉପରେ ନଜର ରଖନ୍ତି । ବେଳେବେଳେ, ରେସ୍‌ ସମୟରେ ପାରାପାଳକମାନେ ଅଂଶଗ୍ରହଣ କରିନଥିବା ପାରାମାନଙ୍କୁ ମଧ୍ୟ ଉଡ଼ାଇଥାନ୍ତି । ପ୍ରକୃତରେ ଏହି ପାରାଗୁଡ଼ିକ ସେମାନଙ୍କର ଉପସ୍ଥିତି କାରଣରୁ ଭକ୍ଷକ ପକ୍ଷୀଙ୍କର ଧ୍ୟାନ ହଟାଇବାରେ ସହାୟକ ହୁଅନ୍ତି, ଯାହାଫଳରେ ରେସ୍‌ରେ ଭାଗ ନେଇଥିବା ପାରାମାନଙ୍କ ପ୍ରତି ବିପଦ ହ୍ରାସ ପାଏ । “ଏପରି କରିବାକୁ ଜଜ୍‌ମାନେ ଅନୁମତି ଦେଇଥାନ୍ତି,” ବୋଲି ଅଫ୍‌ତାବ୍‌ କୁହନ୍ତି । “ଯଦି କୌଣସି ପାରାକୁ କେହି ଶିକାର କରିଦିଏ ବା ତାହା ଆଘାତପ୍ରାପ୍ତ ହୁଏ, ତାହାହେଲେ ଏହାକୁ ରେସ୍‌ରୁ ବାହାର କରିଦିଆଯାଏ ଓ ଏହାକୁ ସ୍ଥାନାନ୍ତରିତ କରାଯାଏନାହିଁ । ଏହା ଫୁଟ୍‌ବଲ୍‌ର ରେଡ୍‌ କାର୍ଡ ଭଳି ।”

ନୂଆ ନୂଆ ପାରାପ୍ରେମୀମାନେ ପ୍ରତିଯୋଗିତାରେ ଭାଗ ନେବା ସହିତ ପାରା ରେସିଂ ପରମ୍ପରା ପ୍ରତ୍ୟେକ ବର୍ଷ ବଢ଼ିବାରେ ଲାଗିଛି । ଏକା ସଙ୍ଗରେ ଏକାଧିକ ଛାତ ଉପରେ ଆୟୋଜନ କରାଯାଉଥିବା ବେଳେ ରେସ୍‌ର ବାରମ୍ବାରତା ଜୁନ୍‌ରେ ସର୍ବାଧିକ ହୋଇଥାଏ । ଯଦିଓ ଏପରି କୌଣସି ନିର୍ଦ୍ଦିଷ୍ଟ ଡାଟା ନାହିଁ ଯାହା ମାଧ୍ୟମରେ ଏହି ସଂଖ୍ୟାକୁ ଟ୍ରାକ୍‌ କରାଯାଇପାରିବ, ତଥାପି ପ୍ରତ୍ୟେକ ବର୍ଷ ଏହିପରି ୭୦ରୁ ଅଧିକ ରେସ୍‌ର ଆୟୋଜନ କରାଯାଉଥିବା ପାରାପାଳକମାନେ ସୂଚୀତ କରନ୍ତି, ଆଉ ସମସ୍ତ ପାରାପାଳକମାନଙ୍କ ମଧ୍ୟରୁ ଆନୁମାନିକ ଭାବେ ଏକ ତୃତୀୟାଂଶ ଯେକୌଣସି ରେସ୍‌ରେ ଅଂଶଗ୍ରହଣ କରିଥାନ୍ତି ।

“ପ୍ରକୃତ ପକ୍ଷୀ ପ୍ରେମୀମାନେ ସେଗୁଡିକୁ ନିଜର ରୁଚି ପାଇଁ ବା ମନୋରଞ୍ଜନ ପାଇଁ ପାଳିଥାନ୍ତି,” ବୋଲି ମହମ୍ମଦ ତାଙ୍କ ପକ୍ଷୀମାନଙ୍କ ଉଦ୍ଦେଶ୍ୟରେ କୁହନ୍ତି । “ଥରେ ମୁଁ ମୋର ଫେନ୍‌ସିଅର୍‌ ବନ୍ଧୁମାନଙ୍କ ଦ୍ୱାରା ପ୍ରଶଂସିତ ହୋଇ ଏକ ଟ୍ରଫି ସହିତ ୫,୦୦୦ଟଙ୍କାର ଉପହାର ପାଇଥିଲି । ହେଲେ, ମୋ ପାଇଁ ଅର୍ଥର କେବେ କୌଣସି ମହତ୍ତ୍ୱ ନଥିଲା।’’ ଶେଷ ପକ୍ଷୀଟି ସୁରକ୍ଷିତ ଭାବେ ଭିତରକୁ ପ୍ରବେଶ କରିବା ସହିତ ସେ ଯତ୍ନ ସହକାରେ ତାଙ୍କର ପଞ୍ଜୁରିର କବାଟର କିଳିଣି ବନ୍ଦ କରିଦେଲେ । “ମୋ ପାଇଁ, ସେମାନେ ହେଉଛନ୍ତି ମୋର ପିଲାମାନଙ୍କ ଭଳି” ।

Editor's note

ମୀର ୟାସିର ମୁଖତାର ଅଳ୍ପ ଦିନ ପୂର୍ବେ ମାସ୍‌ କମ୍ୟୁନିକେସନ ଓ ଜର୍ଣ୍ଣାଲିଜମ୍‌ରେ କାଶ୍ମୀରର ଶ୍ରୀନଗର ସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ଓ ସେ ଜଣେ ଫଟୋଜର୍ଣ୍ଣାଲିଷ୍ଟ ହେବାକୁ ଲକ୍ଷ୍ୟ ରଖିଛନ୍ତି । ସେ କୁହନ୍ତି, “ଏହି ବିଷୟ ଉପରେ ଗବେଷଣା କରିବାବେଳେ, ମୁଁ ଏହି ପକ୍ଷୀମାନଙ୍କୁ ରେସ୍‌ ପାଇଁ ପ୍ରସ୍ତୁତ କରିବାକୁ ଆବଶ୍ୟକ ହେଉଥିବା ପ୍ରତ୍ୟେକ ଜିନିଷ ବିଷୟରେ ଜାଣିବାକୁ ପାଇଲି । ମୁଁ ପାରା ପ୍ରତିପାଳନ ଭଳି ଏକ ଉପ-ସଂସ୍କୃତିର ଏହି କାହାଣୀକୁ ଲୋକଲୋଚନକୁ ସେଠାରେ ଆଣିବାକୁ ଚାହିଁଲି, ଯେଉଁଠାରେ ଏହାକୁ କିଛିଦିନ ପୂର୍ବେ ଏକ ନିଷିଦ୍ଧ ପ୍ରଥା ବୋଲି ବିବେଚନା କରାଯାଉଥିଲା । ମୁଁ ଏହି ବିଷୟକୁ ବାଛିବାର କାରଣ ଏହା ଯେ, କାଶ୍ମିରୀମାନେ କିଭଳି ଭାବେ ସେମାନଙ୍କ ଅଞ୍ଚଳରେ ସବୁବେଳେ ଅଶାନ୍ତି ଓ ସଂଘର୍ଷ ଲାଗିରହିଥିବା ସତ୍ତ୍ୱେ ଜୀବନ ବଞ୍ଚିବା ସହିତ ସେମାନଙ୍କ ରୁଚିକୁ ବଞ୍ଚାଇ ରଖିପାରିଛନ୍ତି, ତାହା ଅନୁସନ୍ଧାନ କରିବାରେ ମୋର ପ୍ରବଳ ଆଗ୍ରହ ରହିଛି" ।

 

ଅନୁବାଦ: ଓଡ଼ିଶାଲାଇଭ୍‍

 

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।