
ଏହି କାହାଣୀଟି ମୂଳତଃ ହିନ୍ଦୀରେ ରିପୋର୍ଟ କରାଯାଇଥିଲା ଏବଂ ଲେଖାଯାଇଥିଲା। ପରୀ ଏଜୁକେସନ ଭାରତର ଭିନ୍ନ ଭିନ୍ନ ଅଞ୍ଚଳର ଏମିତି ସବୁ ଛାତ୍ରଛାତ୍ରୀ, ଗବେଷକ ଓ ଶିକ୍ଷକମାନଙ୍କ ସହିତ ମିଶି କାମ କରୁଛି ଯେଉଁମାନେ ନିଜ ପସନ୍ଦର ଭାଷାରେ ଆମ ପାଇଁ ଲେଖିବା, ରିପୋର୍ଟିଂ କରିବା ସହିତ ଇଲୁଷ୍ଟ୍ରେସନ ମଧ୍ୟ ପ୍ରସ୍ତୁତ କରୁଛନ୍ତି ।
ହିମାଚଳ ପ୍ରଦେଶ ପାହାଡ଼ର ଥଣ୍ଡା ଜଳବାୟୁ ଏବଂ ବିଶାଳ ବନ କ୍ଷେତ୍ର, ଅନେକ ପ୍ରକାରର ଉଦ୍ଭିଦ ବଢ଼ିବାରେ ସହାୟତା କରିଥାଏ। ରାଜ୍ୟର ପାର୍ବତ୍ୟ ଚଟାଣରେ, ଘାଟୀରେ ଏବଂ ଏଠାକାର କଣ୍ଟାଯୁକ୍ତ ଜଙ୍ଗଲ ଓ ଘାସ ପଡ଼ିଆରେ ଗଛ-ଲତା, ଝଟାଲଟା ଏବଂ ଔଷଧିୟ ବୃକ୍ଷ ବହୁ ପରିମାଣରେ ବଢ଼ିଥାଏ। ଏଗୁଡ଼ିକ ସ୍ଥାନୀୟ ଭୋଜନରେ ପୋଷକ ତତ୍ତ୍ୱର ସମୃଦ୍ଧି ଉତ୍ସ। ଜଙ୍ଗଲୀ ଖାଦ୍ୟ ଉଦ୍ଭିଦଗୁଡ଼ିକର ପାଖାପାଖି ୩୬୦ଟି ପ୍ରଜାତି ଏଠାରେ ଦେଖିବାକୁ ମିଳିଥାଏ। ଏଥିରେ ଫଳ, ଫୁଲ, ବୀଜ, ପତ୍ର, ମୂଳ, ଛୁଇଁ ଏବଂ କନ୍ଦ ସାମିଲ ରହିଛି । ସ୍ଥାନୀୟ ରୋଷେଇ ଘରେ ଏଗୁଡ଼ିକୁ ବିଶେଷ ଭାବେ ଉପଯୋଗ କରାଯାଇଥାଏ। ଏଥିରେ ଭଜା, ଚଟଣୀ, ଆଚାର, ମସଲା ଆଦି ଅନ୍ୟ ସ୍ୱାଦିଷ୍ଟ ଖାଦ୍ୟଦ୍ରବ୍ୟ ପ୍ରସ୍ତୁତ ହୋଇଥାଏ। କାଙ୍ଗଡ଼ା ଜିଲ୍ଲାର ରୋଷେଇ ଘରେ ପ୍ରସ୍ତୁତ ହେଉଥିବା କେତେକ ବ୍ୟଞ୍ଜନ ଏଠାରେ ଦିଆଗଲା।
ବୁରାଂସ ଚଟଣୀ

ସପନା ଦେବୀ ବୁରାଂସ (ଲାଟିନ ନାମ ରେଡୋଡେଣ୍ଡ୍ରୋନ) ର ଗୋଲାପୀ ଫୁଲରେ ଚଟଣୀ ତିଆରି କରନ୍ତି, ଯାହାକି ହିମାଚଳ ପ୍ରଦେଶର ପାହାଡ଼ରୁ ବର୍ଷକୁ କେବଳ ଥରେ ଫଳ ଦେଉଥିବା ଏକ ଗଛରେ ଫୁଟିଥାଏ। ଏହି ଫୁଲ ସନ୍ଧାନରେ ତାଙ୍କୁ କାଙ୍ଗଡ଼ା ଜିଲ୍ଲାର କାନ୍ଦବାରୀ ଗାଁରେ ଥିବା ନିଜ ଘରୁ ଚାରି କିଲୋମିଟର ଦୂର ପର୍ଯ୍ୟନ୍ତ ଯିବାକୁ ହୋଇଥାଏ। ବୁରାଂସ ଫୁଲ ଖରା ଦିନେ ଫୁଟିଥାଏ ଏବଂ ପାହାଡ଼ରୁ ଏଗୁଡ଼ିକୁ ତୋଳି ଆଣିବା ଲାଗି ପୂରା ଗୋଟିଏ ଦିନ ସମୟ ଲାଗିଥାଏ। ହିମାଚଳ ପ୍ରଦେଶରେ ଏହାର ପାଖୁଡ଼ାରୁ ଚଟଣୀ ପ୍ରସ୍ତୁତ କରିଯାଏ।
ବୁରାଂସ ଫୁଲକୁ ପ୍ରଥମେ ଧୋଇ ଦୁଇରୁ ଚାରି ଘଣ୍ଟା ପର୍ଯ୍ୟନ୍ତ ଶୁଖାଯାଏ ଏବଂ ଏହା ଶୁଖିଯିବା ପରେ ଏକ ଡବାରେ ରଖି ଦିଆଯାଇଥାଏ। ଏହି ଫୁଲର ରସ ମଧ୍ୟ ଲୋକମାନେ ପିଅନ୍ତି, କେଶ ପାଇଁ ମଧ୍ୟ ଏହା ବେଶ ଉପଯୋଗୀ ବୋଲି ବିବେଚନା କରାଯାଏ। ସପନା ଦେବୀ କୁହନ୍ତି, ‘‘ଆମ ରୋଷେଇର ଅଧିକାଂଶ ସାମଗ୍ରୀ ଜଙ୍ଗଲ ଏବଂ ପାହାଡ଼ରୁ ଆସିଥାଏ। ବୁରାଂଶ ଫୁଲ ଦେଖିବାକୁ ଯେତିକି ସୁନ୍ଦର ସେଥିରେ ପ୍ରସ୍ତୁତ ହୋଇଥିବା ଚଟଣୀ ମଧ୍ୟ ସେତିକି ସୁଆଦିଆ ହୋଇଥାଏ, ଏହାକୁ ରୋଟି-ସବଜି ବା ରୁଟି ଓ ତରକାରୀ ସହିତ ଖାଆନ୍ତି। ଏପରିକି ପିଲାମାନେ ମଧ୍ୟ ଏହାର ଖଟା-ମିଠା ସୁଆଦକୁ ବେଶ ପସନ୍ଦ କରିଥାନ୍ତି।’’
ସପନାଙ୍କ ପରିବାର ଏକ ଚାଷୀ ପରିବାର । ସେମାନେ ନିଜର ଗୁଜରାଣ ମେଣ୍ଟାଇବା ଲାଗି ଚାଷ କାମ ଏବଂ କୃଷି ଶ୍ରମିକ ଭାବେ ମଧ୍ୟ କାମ କରିଥାନ୍ତି । ଲକଡାଉନ ପୂର୍ବରୁ ତାଙ୍କ ସ୍ୱାମୀ କାଶ୍ମୀରରେ କାମ କରୁଥିଲେ, କିନ୍ତୁ ଏବେ ଘରକୁ ଫେରି ଆସିଛନ୍ତି ।






ପତ୍ରୋଡେ ରୋଲ

ପତ୍ରୋଡେ ପତ୍ର (କୋଲୋକାସିଆ) କେବଳ ବର୍ଷା ଋତୁରେ ଅଗଷ୍ଟରୁ ଅକ୍ଟୋବର ମାସ ମଧ୍ୟରେ ଦେଖା ଦେଇଥାଏ – ଏବଂ ଋତୁ ବଦଳିବା ସହିତ ଏହା ସରି ଯାଇଥାଏ। ଯମୁନା ଦେବୀ ଏବଂ କିରଣ ଦେବୀ, ହିମାଚଳ ପ୍ରଦେଶର କାଙ୍ଗାଡ଼ା ଜିଲ୍ଲା ଅଧୀନରେ କଣ୍ଡବାରୀ ଗ୍ରାମ ବାସିନ୍ଦା ଅଟନ୍ତି। ଯମୁନା ଦେବୀ କୁହନ୍ତି, ‘‘ପତ୍ରୋଡେ ହିମାଚଳ ପ୍ରଦେଶରେ ବହୁତ ପ୍ରସିଦ୍ଧ। ଏଗୁଡ଼ିକୁ ଲଗା ଯାଇନଥାଏ, ଆପେ ଆପେ ଏଗୁଡ଼ିକ ଉଠିଥାନ୍ତି।’’ ବଜାରରେ ମଧ୍ୟ ଏହି ଜିନିଷ ମିଳେ ନାହିଁ, କାରଣ ଅଧିକାଂଶ ଘରେ ଏହା ମହଜୁଦ ଥାଏ।
ଯମୁନା ଦେବୀ କୁହନ୍ତି ଯେ ତାଙ୍କୁ ରାଗ ଖଟା ପତ୍ରୋଡେ ଭାରି ପସନ୍ଦ। ତେବେ, ଏହାକୁ ପ୍ରସ୍ତୁତ କରିବା ଲାଗି ଅଧିକ ସମୟ ଲାଗିଥାଏ।
ପ୍ରଥମେ ଗାଢ଼ା ହୋଇ ଗୋଳା ହୋଇଥିବା ବେସନ ଓ ମସଲାକୁ ପତ୍ରୋଡେ ପତ୍ରରେ ଲଗାଇ ଦିଆଯାଏ, ଏବଂ ପତ୍ରକୁ ରୋଲ୍ କରି ଗୁଡ଼ାଇ ଦିଆଯାଏ। ଏହାପରେ ଏହି ରୋଲ୍କୁ ବାମ୍ପରେ ରନ୍ଧା ଯାଏ ଏବଂ ଛୋଟ ଛୋଟ ଖଣ୍ଡ କରି ବାଢ଼ି ଦିଆଯାଏ। ଅନେକ ସମୟରେ ସ୍ୱାଦ ବଢ଼ାଇବା ଲାଗି ଉପରୁ ରାଶି ଏବଂ ନଡ଼ିଆ ତଡ଼କା ମଧ୍ୟ ଦିଆଯାଏ।










ଲୁଙ୍ଗଡ଼ୁର ଭାଜି
ଯମୁନା ଦେବୀ କୁହନ୍ତି, ‘‘ଲୁଙ୍ଗଡ଼ୁ ଖୁବ୍ କମ୍ ରନ୍ଧା ଯାଏ, ମାସକୁ ପ୍ରାୟ ଥରେ। ଲୁଙ୍ଗଡ଼ୁ ବା ଅଷ୍ଟ୍ରିଚ ଫର୍ଣ୍ଣ (ମଟ୍ଟୁକିୟା ଷ୍ଟୁଥିୟୋପ୍ଟେରିସ)ର ଥାକ ଥାକ ପତ୍ର ମିଳିବା ବିରଳ; କେବଳ ବର୍ଷା ଦିନରେ ଏଗୁଡ଼ିକ ଜଙ୍ଗଲରେ ଉଠିଥାଏ। ଲୁଙ୍ଗଡ଼ୁ ସହଜରେ ବଜାରରେ ମିଳେ ନାହିଁ ଏବଂ ଏହା ବେଶ୍ ମହଙ୍ଗା ମଧ୍ୟ ହୋଇଥାଏ – ଗୋଟିଏ କିଲୋଗ୍ରାମ ଲୁଙ୍ଗଡ଼ୁର ଦାମ ପ୍ରାୟ ୧୫୦ ଟଙ୍କା ହୋଇଥାଏ।




ମୂଲି କା ଆଚାର (ମୂଳା ଆଚାର)
ଯମୁନା ଦେବୀ କୁହନ୍ତି ଯେ ମୂଳା ଆଚାର ପ୍ରସ୍ତୁତ କରିବାକୁ ହେଲେ ସର୍ବପ୍ରଥମେ ମୂଳାକୁ ଛୋଟ ଛୋଟ କରି କାଟି ଛେଚି ଦିଆଯାଏ ଏବଂ ଏହାପରେ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଏହାକୁ ଖରାରେ ଶୁଖାଇବାକୁ ପଡ଼ିଥାଏ।
ମୂଳା ଶୁଖିଯିବା ପରେ, ଭାବରୀ ଲୁଣ ପ୍ରସ୍ତୁତ କରାଯାଇଥାଏ। ଏଥିପାଇଁ ଭାବରୀ (ପବିତ୍ର ତୁଳସୀ) ପତ୍ରକୁ ପେଶି ଲୁଣରେ ମିଶାଯାଏ ଏବଂ ଏଥିରେ ପାଚିଲା କିମ୍ବା କଞ୍ଚା ଲଙ୍କା ଗୋଳା ହୋଇଥାଏ। ହିମାଚଳପ୍ରଦେଶରେ ଭାବରୀ କା ନମକ ବିଶେଷ ପସନ୍ଦ କରାଯାଉଥିବା ଲୁଣ ଏବଂ ଏହାକୁ କାକୁଡ଼ି, ଲେମ୍ବୁ, ସାଲାଡ ଏବଂ ମକା ଆଦିରେ ଛିଞ୍ଚି ଖିଆଯାଏ। ଭାବରୀ ଗଛର ପତ୍ରକୁ ସଫା କରିବା ପରେ ଏହାକୁ ସାଧାରଣ ଲୁଣରେ ମିଶ୍ରଣ କରାଯାଇଥାଏ। ଏହି ମିଶ୍ରଣରେ କିଛି କଞ୍ଚା ଓ ପାଚିଲା ଲଙ୍କା ମିଶାଯାଏ। ଏହାର ସ୍ୱାଦ ସାମାନ୍ୟ ରାଗ ଓ ଖଟା ହୋଇଥାଏ, କାରଣ ଭାବରୀ ପତ୍ର ପୂର୍ବରୁ ଖଟା ହୋଇଥାଏ। ସ୍ଥାନୀୟ ଅଞ୍ଚଳରେ ବହୁ ପରିମାଣରେ ତୁଳସୀ ଗଛ ଉଠିଥାଏ, ଏଥିପ୍ରତି ଅଧିକ ଧ୍ୟାନ ଦେବାକୁ ପଡ଼ିନଥାଏ ଏବଂ ଏହାର ରକ୍ଷଣାବେକ୍ଷଣ ମଧ୍ୟ ସହଜ ।
ଶେଷରେ, ମୂଳା ଆଚାର ପ୍ରସ୍ତୁତ କରିବା ଲାଗି ସେଥିରେ ତେଲ, ଜିରା, ଲେମ୍ବୁ ସହିତ ଭାବରୀ ଲୁଣା ମିଶାଯାଏ। ଯମୁନା ଦେବୀ କୁହନ୍ତି, ‘‘ମୂଳା ଆଚାରକୁ ଆମେ ଗୋଟିଏ ମାସରୁ ଅଧିକ ଦିନ ପର୍ଯ୍ୟନ୍ତ ରଖିପାରିବୁ ନାହିଁ।’’ ତେବେ, ଏହାକୁ ଯେକୌଣସି ଋତୁରେ ପ୍ରସ୍ତୁତ କରାଯାଇପାରିବ ।





ବବରୁ
ଗଦ୍ଦି ସମ୍ପ୍ରଦାୟର ପ୍ରତିନିଧିତ୍ୱ କରୁଥିବା ୬୦ ବର୍ଷ ବୟସ୍କ ରମେଶ ରାଜପୁତ ରୋଷେଇ କରିବା ଏବଂ ଅନ୍ୟମାନଙ୍କୁ ଖୁଆଇବା ଲାଗି ପସନ୍ଦ କରିଥାନ୍ତି । ଚାରି ପିଲା (ଦୁଇ ପୁଅ ଏବଂ ଦୁଇ ଝିଅ)ଙ୍କ ବାପା, ରମେଶ କାନ୍ଦବାରୀ ଗ୍ରାମରେ ଥିବା ଆବିଷ୍କାର ଏବଂ ସାଝେ ସପନେ ସଂଗଠନର ଲୋକମାନଙ୍କ ପାଇଁ ରାନ୍ଧି ଥାଆନ୍ତି । ସେ ଅତିକମ୍ରେ ୪୦ ଜଣ ଲୋକଙ୍କ ପାଇଁ ଦିନକୁ ତିନି ବେଳା ଖାଦ୍ୟ ପ୍ରସ୍ତୁତ କରିଥାନ୍ତି।
ସେ ତାଙ୍କ ବାପାଙ୍କଠାରୁ ଏହି କାମ ଶିଖିଥିଲେ, ଯିଏକି ଭିନ୍ନ ଭିନ୍ନ ସଂଗଠନ ପାଇଁ ରୋଷେଇ କରୁଥିଲେ। ‘‘ଲୋକମାନେ ମୋ ଖାଇବାକୁ ଉପଭୋଗ କରୁଥିବା ଦେଖିଲେ ମୁଁ ଆନନ୍ଦିତ ହୋଇଥାଏ,’’ ରମେଶ କୁହନ୍ତି। ସେ ହିମାଚଳ ପ୍ରଦେଶରେ ପବିତ୍ର ସମାରୋହଗୁଡ଼ିକରେ ପ୍ରସ୍ତୁତ ହେଉଥିବା ମିଠା ବବରୁ ତିଆରି କରିବାରେ କୁଶଳୀ।
ବବରୁ ଗହମ ଅଟା, ବେସନ, ଚିନି ଏବଂ କ୍ଷୀରର ମିଶ୍ରଣରେ ପ୍ରସ୍ତୁତ କରାଯାଏ। ଏହାକୁ ବାହାଘର କିମ୍ବା କୌଣସି ବିଶେଷ ଅବସରରେ ତିଆରି କରାଯାଏ।






ମିଠି ଚାୱଲ (ହିମାଚଳୀ ମିଠା ଭାତ)
ମିଠି ଚାୱଲ ମଧ୍ୟ ଆଉ ଏକ ମିଠା ବ୍ୟଞ୍ଜନ ଯାହାକୁ ବାହାଘର କିମ୍ବା ବିଶେଷ ସମାରୋହରେ ହିମାଚଳ ପ୍ରଦେଶରେ ପ୍ରସ୍ତୁତ କରାଯିବାର ପରମ୍ପରା ରହିଛି । ରମେଶଙ୍କର ଏହି ବ୍ୟଞ୍ଜନରେ ବ୍ୟବହୃତ ଉପଦାନଗୁଡ଼ିକ ହେଲା: ଘିଅ, କାଜୁ, ପିସ୍ତା ବାଦାମ, କିସମିସ, ଡାଲଚିନି ଖଣ୍ଡ, ଲବଙ୍ଗ, ଚାଉଳ, ଚିନି, କ୍ଷୀର, କ୍ଷୀରରେ ଭିଜା ହୋଇଥିବା ଅଳ୍ପ ଟିକିଏ କେଶର, ପାଣି, ହଳଦୀ, ଅଳେଇଚ ଗୁଣ୍ଡ।

ରମେଶ ମିଠା ଭାତ ପ୍ରସ୍ତୁତ କରିବା ସମୟରେ ପ୍ରଥମେ କ୍ଷୀରରେ କେଶର ଭିଜାଇ ଦିଅନ୍ତି । ସେ ଏକ କଡ଼େଇରେ ଦେଢ଼ ଚାମଚ ଘିଅ ଗରମ କରିଥାନ୍ତି ଏବଂ ସେଥିରେ କାଜୁ, ପିସ୍ତା ବାଦାମ ଏବଂ କିସମିସ ପକାଇ ଦିଅନ୍ତି । କିସମିସ ଭଲ ଭାବେ ଫୁଲିଗଲେ, କଡ଼େଇରୁ ସବୁକିଛି ବାହାର କରି ଏକ ପ୍ଲେଟରେ ରଖି ଦିଅନ୍ତି । ସେହି କଡ଼େଇରେ ବଳକା ରହିଯାଇଥିବା ଘିଅକୁ ଗରମ କରନ୍ତି ଏବଂ ସେଥିରେ ଡାଲଚିନି ଏବଂ ଲବଙ୍ଗ ପକାଇ ଦିଅନ୍ତି । ଏହାପରେ, ସେ ଏଥିରେ ଚାଉଳ ପକାଇ ୨ ମିନିଟ୍ ପର୍ଯ୍ୟନ୍ତ ଭାଜିଥାନ୍ତି ଏବଂ ପରେ ସେଥିରେ ଚିନି ପକାନ୍ତି । ଚିନି ଗୋଳେଇ ହୋଇଗଲେ ସେଥିରେ କେଶର ମିଶା କ୍ଷୀର, ପାଣି ଏବଂ ହଳଦୀ ପକାନ୍ତି ଏବଂ ଏହି ମିଶ୍ରଣକୁ କିଛି ସମୟ ପର୍ଯ୍ୟନ୍ତ ରାନ୍ଧନ୍ତି । ସବୁ ମିଶାଇ ସେ ଗୋଳାଇଥାନ୍ତି ଏବଂ ଏହା ଫୁଟି ଆସିଲେ, ତାକୁ’ ସେ ଘୋଡ଼ାଇ ଦିଅନ୍ତି, ଓ କମ୍ ଆଞ୍ଚରେ ରାନ୍ଧି ହେବାକୁ ଛାଡ଼ିଦିଅନ୍ତି ଭାତ ପାଣି ମରିଗଲେ, ସେ ଗ୍ୟାସ ବନ୍ଦ କରି ଦିଅନ୍ତି ଏବଂ ସେଥିରେ ପୂର୍ବରୁ ଭଜା ହୋଇ ରହିଥିବା କାଜୁ, ପିସ୍ତା ବାଦାମ, କିସମିସ ଏବଂ ଅଳେଇଚ ଗୁଣ୍ଡ ପକାଇ ଦିଅନ୍ତି । ଏବେ ସୁଆଦିଆ ମିଠା ଭାତ ପ୍ରସ୍ତୁତ ହୋଇଯାଏ।
ପରୀ ହୋମପେଜକୁ ଫେରିବା ଲାଗି ଏଠାରେ କ୍ଲିକ୍ କରନ୍ତୁ
Editor's note
ରିଙ୍କି ଯାଦବ ମଧ୍ୟପ୍ରଦଶର ଦତିଆ ଜିଲ୍ଲାର ମାଧୋପୁରା ଗ୍ରାମ ନିବାସୀ ଅଟନ୍ତି। ସେ ମହର୍ଷି ମହେଶ ଯୋଗୀ ବୈଦିକ ବିଶ୍ୱବିଦ୍ୟାଳୟରେ କଳା ସ୍ନାତକ ଶେଷ ବର୍ଷର ଛାତ୍ରୀ। ସେ ଅଣ-ସରକାରୀ ସଂଗଠନ, ସାଝେ ସପନେ ପକ୍ଷରୁ ବର୍ଷେ ବ୍ୟାପୀ ଜାରି ରହିଥିବା ମେଣ୍ଟରସିପ ଏବଂ ସ୍କିଲିଂ ପ୍ରୋଗ୍ରାମ ପାଇଁ ଚୟନ ହୋଇଥିଲେ ଯେଉଁଥିରେ ପରୀ ଏଜୁକେସନ ସହିତ ଏକ ଛୋଟ ଡକ୍ୟୁମେଣ୍ଟେସନ କୋର୍ସ ସାମିଲ ଥିଲା। ସେ କୁହନ୍ତି : ‘‘ହିମାଚଳ ପ୍ରଦେଶର ଖାଦ୍ୟଦ୍ରବ୍ୟ ବିଷୟରେ ଜାଣିବା ମୋତେ ବେଶ ଉତ୍ସାହିତ କରିଥିଲା ଏବଂ ଏସବୁ ସେହି ବ୍ୟଞ୍ଜନ ଯାହା ବିଷୟରେ ଆମେ ଜାଣିନାହୁଁ। ସ୍ଥାନୀୟ ଅଞ୍ଚଳରେ ବଗିଚାରେ ଫଳୁଥିବା ସାମଗ୍ରୀରେ ଏସବୁ ପ୍ରସ୍ତୁତ କରାଯାଇଛି, ବଜାରରୁ କିଣିଥିବା ସାମଗ୍ରୀରୁ ନୁହେଁ। ଏ ସମ୍ପର୍କରେ ଜାଣିବା ମୋତେ ଖୁବ ଆନନ୍ଦ ଦେଇଥିଲା।
ଅନୁବାଦ: ଓଡ଼ିଶାଲାଇଭ୍
ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।