
ଏ ଷ୍ଟୋରୀ ମୁଳତଃ ହିନ୍ଦୀରେ ଖବର ସଂଗ୍ରହ କରାଯାଇ ଲେଖା ଯାଇଥିଲା । ପରୀ ଏଜୁକେସନ ଭାରତର ଭିନ୍ନ ଭିନ୍ନ ଅଞ୍ଚଳରୁ ଏପରି ଛାତ୍ରଛାତ୍ରୀ, ଗବେଷକ ଏବଂ ଶିକ୍ଷକମାନଙ୍କ ସହ ମିଶି କାମ କରୁଛି ଯେଉଁମାନେ ନିଜ ପସନ୍ଦର ଭାଷାରେ ଆମ ପାଇଁ ଲେଖୁଛନ୍ତି, ରିପୋର୍ଟ ସଂଗ୍ରହ କରୁଛନ୍ତି ଏବଂ ଚିତ୍ର ଆଙ୍କୁଛନ୍ତି ।
ଯେମିତି ମନ୍ସାରାମ ତୁତନିଆ ଶାଲ୍ର ମୂଲ୍ୟ କହିଥାନ୍ତି, ଗ୍ରାହକ ତତ୍କାଳ ପ୍ରତିକ୍ରିୟା ଦେଇଥାନ୍ତି : ‘‘ମୁଁ ସରକାରୀ ଚାକିରିଆ ନୁହେଁ । ଆପଣ ଦର କମାଇବେ କି?
କିନ୍ତୁ ୭୨ ବର୍ଷ ବୟସ୍କ ମନସାରାମ ନଛୋଡ଼ବନ୍ଧା ଥାଆନ୍ତି । ସେ କୁହନ୍ତି, ‘‘ଦର ପୂର୍ବ ନିର୍ଦ୍ଧାରିତ,’’ ଆଉ ଏହାପରେ ଖୁବ୍ଶୀଘ୍ର ମୂଲଚାଲ ସମ୍ପୂର୍ଣ୍ଣ ହୋଇଥାଏ। ଦର ନକମିବାର କାରଣ ବିଷୟରେ ଆଗକୁ ସେ କୁହନ୍ତି, ‘‘ଶାଲ୍ ତିଆରି କରିବା ଲାଗି ଖୁବ୍ ପରିଶ୍ରମ ଲାଗିଥାଏ। ସେଥିରେ ପୁଣି ଉଲ୍ ପାଇବାକୁ ଅନେକ ଲୋକଙ୍କ ହାତଗୋଡ଼ ଧରିବାକୁ ପଡ଼ିଥାଏ, କାରଣ ଏବେ ଖୁବ୍ କମ୍ ଲୋକ ଛେଳି-ମେଣ୍ଢା ପାଳୁଛନ୍ତି ।’’


ହିମାଚଳ ପ୍ରଦେଶର କନ୍ଦବାରୀ ଗାଁରେ ଥିବା ନିଜ ଘରେ ରୁହନ୍ତି ମନସାରାମ ଏବଂ ତାଙ୍କ ପତ୍ନୀ ବିମଳାଦେବୀ । ଘରେ ସେମାନେ ହାତବୁଣା ତନ୍ତରେ କାମ କରିଥାନ୍ତି । ଦୀର୍ଘ ୫୦ ବର୍ଷ ଧରି ଉଭୟ ବୁଣାକାର କାମ କରି ଆସୁଛନ୍ତି। ସେମାନେ ଗର୍ଦ୍ଦୁ (କମ୍ବଳ), ଶାଲ୍, ଷ୍ଟୋଲ, ମଫଲର ଏବଂ ଅନ୍ୟ ଉଲ୍ ତିଆରି ପରିଧାନ ବୁଣିଥାନ୍ତି । ପାଲମପୁରରେ ଥିବା ନିଜ ପଡ଼ୋଶୀଙ୍କ ଠାରୁ ମାତ୍ର ୨୧ ବର୍ଷ ବୟସରେ ଏହି କାରିଗରୀ ଶିଖିଥିବା ମନସାରାମ କୁହନ୍ତି, ‘‘ମୋ ପରିବାର ପାଖରେ ସବୁବେଳେ ଏକ ଚରଖା ରହି ଆସିଥିଲା।’’ ତାଙ୍କୁ ସ୍କୁଲରେ ପାଠ ପଢ଼ିବାର ସୌଭାଗ୍ୟ କାହିଁକି ମିଳିନାହିଁ, ଏ ସମ୍ପର୍କରେ ସେ କୁହନ୍ତି, ‘‘ଜୀବନର ପ୍ରାରମ୍ଭିକ ୨୧ ବର୍ଷ ଛେଳି-ମେଣ୍ଢା ଚରାଇବାରେ ବିତିଗଲା, କାରଣ ସେତେବେଳେ ଆଖାପାଖରେ କେହି ପାଠ ପଢ଼ୁନଥିଲେ କିମ୍ବା ପାଠପଢ଼ାର ପରିବେଶ ମଧ୍ୟ ନଥିଲା । ପରିବାର ଲୋକମାନେ ମଧ୍ୟ ପାଠ ପଢ଼ିବାକୁ କହୁନଥିଲେ’’।


ଉଲ୍ କାଟିବା, ସଫା କରିବା ଏବଂ ଶୁଖାଇବା ପରେ ସେଥିରୁ ଫାଇବର ଅଲଗା କରିବା ନିମନ୍ତେ ଚରଖା ଉପଯୋଗ କରାଯାଇଥାଏ । ଫଟୋ: ଅମୃତା ରାଜପୁତ

ନିଜ କାରିଗରୀରେ ବେଶ୍ କୁଶଳ ମନସାରାମ ପୂର୍ବ କଥା ମନେ ପକାଇ କୁହନ୍ତି ଯେ, ‘‘ତାଙ୍କୁ ଚାଷ ଜମିରେ କାମ କରିବା ଏବଂ ପରିବାରର ଗୃହପାଳିତ ପଶୁ (ଗାଈ, ମଇଁଷି, ମେଣ୍ଢା ଓ ଛେଳି)ମାନଙ୍କୁ ଚରାଇବା ସହିତ ସମୟ ବାହାର କରି ଏସବୁ କାମ କରିବାକୁ ପଡ଼ୁଥିଲା। ମନସାରାମ, ଗଦ୍ଦୀ ସମ୍ପ୍ରଦାୟର ବାସିନ୍ଦା ଅଟନ୍ତି, ହିମାଚଳ ପ୍ରଦେଶରେ ଏମାନଙ୍କୁ ଅନୁସୂଚିତ ଜନଜାତି ଭାବେ ତାଲିକାଭୁକ୍ତ କରାଯାଇଛି । ମୁଁ ଛୋଟ ପିଲା ଥିବା ସମୟରୁ ଏହି କାମ ହେଉଥିବାର ଦେଖି ଆସିଛି । ଅନ୍ୟ କୌଣସି କାମ କରିବା ବିଷୟରେ ମୁଁ କେବେ ଚିନ୍ତା କରିନାହିଁ।’’
ବିମଳା ଦେବୀ କୁହନ୍ତି ଯେ, ବୁଣା କାମରେ ଅନେକଗୁଡ଼ିଏ ପ୍ରକ୍ରିୟା ସାମିଲ ରହିଥାଏ । ମେଣ୍ଢାଙ୍କ ଠାରୁ ଉଲ୍ କାଟି ଆଣିବା ପରେ ତାହାକୁ ସଫା କରାଯାଇଥାଏ, ଏହାପରେ ଖରାରେ ଶୁଖାଇ ଦିଆଯାଏ । ଏହାପରେ ପୁଣି ଫାଇବରକୁ ଅଲଗା କରିବା ପାଇଁ ଏକ ମେସିନ୍ ଉପଯୋଗ କରାଯାଏ । ସେ କୁହନ୍ତି, ‘‘ଆମେ ଉଲ୍ ଘରକୁ ନେଇ ଆସୁ ଏବଂ ଚରଖା ସାହାଯ୍ୟରେ ସେଥିରୁ ସୂତା ପ୍ରସ୍ତୁତ କରିଥାଉ ।’’ କାଟିବା କାମ ସାଧାରଣତଃ ମହିଳାମାନେ କରିଥାନ୍ତି; ବିମଳା ଘରକରଣା ସହିତ ଏହି କାମ ପାଇଁ ମଧ୍ୟ ଅଲଗା ସମୟ ବାହାର କରିଥାନ୍ତି ।
ପୂର୍ବରୁ ଆମେ ଦିଲ୍ଲୀ ଯାଇଥିଲୁ ଏବଂ ପ୍ରଗତି ମୈଦାନରେ ଗୋଟିଏ ମାସ ପର୍ଯ୍ୟନ୍ତ ଏକ କାଉଣ୍ଟର ମଧ୍ୟ ଖୋଲିଥିଲୁ । ଆମେ ସରକାରଙ୍କଠାରୁ ସେହି କାଉଣ୍ଟରକୁ ୫୦,୦୦୦ ଟଙ୍କା ଭଡ଼ାରେ ନେଇଥିଲୁ…. ଆମେ ଅଧିକ ସାମଗ୍ରୀ ବିକ୍ରି କରିପାରିନଥିଲୁ, କାରଣ ଗ୍ରାହକ କୋମଳ କପଡ଼ା କିଣିବାକୁ ଚାହାନ୍ତି ଏବଂ ଆମ କପଡ଼ା ସେତେ ନରମ ନୁହେଁ…
ଏହାପରେ କଟା ହୋଇଥିବା ସୂତା ବଣ୍ଡଲକୁ ତନ୍ତରେ ଯୋଡ଼ା ଯାଇଥାଏ, ଏହାପରେ କମ୍ବଳ, ଶାଲ୍ ଏବଂ କୋଟ୍ ବୁଣିବା ଲାଗି ଏହା ପ୍ରସ୍ତୁତ ହୋଇଥାଏ । ମନସାରାମ କୁହନ୍ତି, ‘‘ବୁଣା ଆରମ୍ଭ କରିବା ପୂର୍ବରୁ ଆମେ ଏହାକୁ ଧୋଇଥାଉ, କାରଣ ଏପରି କରିବା ଫଳରେ ଦୃଢ଼ତା ମିଳିଥାଏ ।’’
ସେ ଯେତେବେଳେ ବୁଣା କାମ ଆରମ୍ଭ କଲେ, ଗୋଟିଏ ଶାଲ୍ ୫୦ ଟଙ୍କାରେ ବିକ୍ରି ହେଉଥିଲା । ‘‘ଶାଲ୍ ତିଆରି କରିବାର ଖର୍ଚ୍ଚ ଉଲ୍ ଉପରେ ନିର୍ଭର କରିଥାଏ । ଏବେ ଗୋଟିଏ କିଲୋଗ୍ରାମ ଉଲ୍ ୧୦୦ ଟଙ୍କାରେ ମିଳୁଛି । ଗୋଟିଏ ଶାଲ୍ ତିଆରି କରିବା ପାଇଁ ୨-୩ କିଲୋ ଉଲ୍ ଆବଶ୍ୟକ ହୋଇଥାଏ । ଆହୁରି ଶାଲ୍ର ଆକାରକୁ ଆଧାର କରି ଏହି ପରିମାଣ ବଢ଼ିପାରେ। ଆମେ ଗୋଟିଏ ଶାଲ୍ ୧,୫୦୦-୨,୦୦୦ ଟଙ୍କାରେ ବିକ୍ରି କରିପାରିବୁ ।’’


ଏହାପରେ କଟା ହୋଇଥିବା ସୂତାର ବଣ୍ଡଲକୁ ତନ୍ତରେ ଯୋଡ଼ା ଯାଏ, ଏହା ପରେ ଯାଇ କମ୍ବଳ, ଶାଲ୍ ଏବଂ କୋଟ୍ ବୁଣିବା ପାଇଁ ତନ୍ତ ପ୍ରସ୍ତୁତ ହୋଇଥାଏ । ଫଟୋ: ଅମୃତା ରାଜପୁତ
ଯୁବାବସ୍ଥାରେ, ନିଜ ଉତ୍ପାଦ ବିକ୍ରି କରିବା ଲାଗି ତାଙ୍କୁ ହିମାଚଳ ପ୍ରଦେଶର କାଙ୍ଗଡ଼ା, ସ୍ପିତି, କୁଲ୍ଲୁ ଓ ମନାଲି ଏବଂ ଦିଲ୍ଲୀର ସହରାଞ୍ଚଳରେ ବୁଲିବାକୁ ପଡ଼ୁଥିଲା ବୋଲି ତାଙ୍କର ମନେ ଅଛି । ଏବେ ବୟସାଧିକ୍ୟ ଏବଂ ଅସୁସ୍ଥତା କାରଣରୁ ତାଙ୍କୁ ଘରେ ରହିବାକୁ ପଡ଼ୁଛି । ‘‘ପୂର୍ବରୁ ଯେମିତି ପାରୁଥିଲି ଏବେ ଆଉ ସେତେ ବୁଣି ପାରୁନାହିଁ।’’
ଗୋଟିଏ ଶାଲ୍ ବୁଣିବା ପାଇଁ ମନସାରାମଙ୍କୁ ପାଞ୍ଚ ଦିନ ଲାଗିଯାଏ, ଅନ୍ୟପଟେ ଏକ ଗର୍ଦ୍ଦୁ କମ୍ବଳ ବୁଣିବା ଲାଗି ତାଙ୍କୁ ୧୫ରୁ ୩୦ ଦିନ ସମୟ ଲାଗେ । ମୁଖ୍ୟତଃ ବର୍ଷା ଏବଂ ଶୀତ ଦିନେ ଉପଯୋଗ ହେଉଥିବା ଗର୍ଦ୍ଦୁ କେବଳ ହିମାଚଳ ପ୍ରଦେଶରେ ବୁଣା ହୋଇଥାଏ । ଏହାର ବୁଣିବା ଶୈଳୀ ଏବଂ ଏହାର ଲାଭ ବିଷୟରେ ଉଲ୍ଲେଖ କରି ସେ ଗର୍ବର ସହ କହିଥାନ୍ତି, ‘‘ବର୍ଷା ହେଉ କିମ୍ବା ବରଫ ଅଥବା ଆର୍ଦ୍ରତା ଏ କମ୍ବଳ ଭିତରକୁ ପ୍ରବେଶ କରିପାରେ ନାହିଁ । ଶୀତ ଦିନେ ନିଜକୁ ଗରମ ରଖିବା ଲାଗି କେବଳ ଗୋଟିଏ ଗର୍ଦ୍ଦୁ ଯଥେଷ୍ଟ । ଏଗୁଡ଼ିକ ଖୁବଶୀଘ୍ର ଶୁଖିଯାଇଥାଏ।’’ ଗୋଟିଏ ଗର୍ଦ୍ଦୁ ୮,୦୦୦ ଟଙ୍କାରେ ବିକ୍ରି ହୋଇଥାଏ ।

ମନସାରାମ କହିଥିଲେ, ‘‘ଲକଡାଉନ ଆମକୁ ପ୍ରଭାବିତ କରିନଥିଲା, କାରଣ ସେ ସମୟରେ ଆଖପାଖର ଲୋକମାନେ ଆସୁଥିଲେ । ଗଦ୍ଦୀ ସମ୍ପ୍ରଦାୟର ଲୋକମାନେ ଏବେ ବି ବାହାଘର ସମୟରେ ବର ପାଇଁ ହାତବୁଣା ଶାଲ୍ ଏବଂ କୋଟ କିଣିଥାନ୍ତି ।’’ କାଙ୍ଗଡ଼ାରେ ବୁଣାକାରଙ୍କ ସଂଖ୍ୟା ଲଗାତାର କମିବାରେ ଲାଗିଛି। ତେବେ ଏହି ପାରମ୍ପରିକ ଶାଲର ନିରନ୍ତର ଚାହିଦା ରହିଥିବା କାରଣରୁ ମନସାରାମଙ୍କ ପରିବାର ଏବେ ନିଜ କାରିଗରୀ ମାଧ୍ୟମରେ ଜୀବିକା ନିର୍ବାହ କରିପାରୁଛନ୍ତି ।
ସେ କୁହନ୍ତି, ‘‘ମୋ ପରିବାରର ପ୍ରାୟତଃ ସମସ୍ତେ ବୁଣିବା କାମ ଜାଣିଛନ୍ତି, କିନ୍ତୁ ଏବେ କେହି ଏ କାମ କରିବାକୁ ଚାହୁଁନାହାନ୍ତି, କାରଣ ଏଥିରେ କଠିନ ପରିଶ୍ରମ ଲାଗିଥାଏ।’’ ମନସାରାମ ଏବଂ ତାଙ୍କ ପତ୍ନୀଙ୍କର ଦୁଇ ପୁଅ – ଜଣେ ପୁଅ କିଛି ଦିନ ପୂର୍ବରୁ ପ୍ରାଣ ହରାଇଛନ୍ତି । ଆଉ ଜଣେ ପୁଅ ନିଜ ପତ୍ନୀ ଓ ଦୁଇ ପିଲାଙ୍କ ସହିତ ତାଙ୍କ ପାଖରେ ରହୁଛନ୍ତି ।
ସେ କୁହନ୍ତି, ‘‘ଆମେ ଗାଁରେ କେବଳ ଆମେ ହିଁ ଏହି ହାତବୁଣା କାରିଗରୀ କରୁଛୁ । ଆମ ପରେ ଏ କାମ ଆଉ କିଏ କରିବ ଆମେ ଜାଣିନାହୁଁ ।’’
ପରୀ ହୋମପେଜ୍କୁ ଯିବା ଲାଗି, ଏଠାରେ କ୍ଲିକ୍ କରନ୍ତୁ
Editor's note
ଅମୃତା ରାଜପୁତ, ରାଜସ୍ଥାନ ଅଲୱରସ୍ଥିତ ଗୌରୀ ଦେବୀ ସରକାରୀ ମହିଳା ମହାବିଦ୍ୟାଳୟରେ ସମାଜଶାସ୍ତ୍ର ବିଷୟରେ ସ୍ନାତକ ଅନ୍ତିମ ବର୍ଷର ଛାତ୍ରୀ ଅଟନ୍ତି । ଅମୃତା କୁହନ୍ତି, ‘‘ପରୀରେ ଇଣ୍ଟର୍ଣ୍ଣସିପ୍ କରିବା ସମୟରେ ମୁଁ ଏତେକଥା ଶିଖି ପାରିବି ବୋଲି କେବେ କଳ୍ପନା କରିପାରିନଥିଲି । ମୁଁ ଷ୍ଟୋରୀ ଲେଖିବା, ଫଟୋ ଉଠାଇବା ଏବଂ ପ୍ରାମାଣିକ ଚଳଚ୍ଚିତ୍ର ପ୍ରସ୍ତୁତ କରିବା ମଧ୍ୟ ଶିଖିପାରିଛି । ମୁଁ ଶିଖିଛି ଯେ ଭଲ ଫଟୋ ଏବଂ ଭିଡ଼ିଓ ନେବା ପାଇଁ ଧୈର୍ଯ୍ୟ ଆବଶ୍ୟକ ହୋଇଥାଏ । ଏହି ଷ୍ଟୋରୀ ପାଇଁ ଭିଡ଼ିଓ ପ୍ରସ୍ତୁତ କରିବା ସମୟରେ ମୁଁ ଅନୁଭବ କଲି ଯେ ବାର୍ତ୍ତାଳାପ ଏପରି ଭାବେ ହେବା ଉଚିତ – ଯେମିତି ଆମ ଆଗରେ ଥିବା ଲୋକର କାହାଣୀ ଏବଂ ଦୈନନ୍ଦିନ ଜୀବନରେ ଆମେ ଏକ ଅଂଶବିଶେଷ ପାଲଟିଛୁ, ଏପରି ଆଲୋଚନା ଆମ ମସ୍ତିଷ୍କରେ ଛାପି ହେବା ଭଳି ରହିଯାଇଥାଏ ।
ଅନୁବାଦ: ଓଡ଼ିଶାଲାଇଭ୍
ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।