
ଏହି କାହାଣୀ ମୂଳତଃ ଓଡିଆରେ ରିପୋର୍ଟ ହୋଇଥିଲା ଓ ଲେଖା ହୋଇଥିଲା । ପରୀ ଏଜୁକେସନ୍ ସମଗ୍ର ଭାରତରେ ସେହି ଛାତ୍ରଛାତ୍ରୀ, ଶିକ୍ଷାନବୀଶ ଓ ଶିକ୍ଷାଦାତାଙ୍କ ସହିତ କାମ କରିଥାଏ, ଯେଉଁମାନେ ଆମ ପାଇଁ ସେମାନଙ୍କ ପସନ୍ଦର ଭାଷାରେ ରିପୋର୍ଟ କରିନ୍ତି, ଲେଖନ୍ତି ବା ସଚିତ୍ର ବ୍ୟାଖ୍ୟା କରନ୍ତି ।
କଦକଳା ହାଟରେ ହେଉଥିବା ପକ୍ଷୀ ଲଢେଇରେ ବିଜେତା ସବୁକିଛି ନେଇଯାଏ ।
ରାଜୁ ମୁଣ୍ଡା ତାଙ୍କ ଗଞ୍ଜାକୁ ଗୋଟିଏ ଲଢେଇରେ ପ୍ରବେଶ କରାଇବା ପାଇଁ ୫୦୦ଟଙ୍କା ପୈଠ କରିଛନ୍ତି । ଯଦି ସେ ବିଜେତା ହେବେ, ତାହାହେଲେ ତାଙ୍କର ପଇସା ଫେରି ପାଇବେ ଓ ଅନ୍ୟ ପକ୍ଷୀର ମାଲିକ ମଧ୍ୟ ହୋଇଯିବେ । ଯଦି ତାଙ୍କ ପାଖରେ ଲଢେଇ କରିବାକୁ ଏକ ବଡ ଗଞ୍ଜା ଥାଆନ୍ତା, ତାହାହେଲେ ତାଙ୍କୁ ୨୦୦୦ଟଙ୍କା ଦେବାକୁ ପଡିଥାନ୍ତା, ଆଉ ସେହି ବଡ ପକ୍ଷୀ ସହିତ ସେ ତାଙ୍କ ପଇସା ପୁନଃ ଉପର୍ଜନ କରିପାରନ୍ତେ।
କେନ୍ଦୁଝର ଜିଲ୍ଲାର (କେଉଁଝର ଜିଲ୍ଲା ବୋଲି ମଧ୍ୟ ଉଚ୍ଚାରଣ କରାଯାଏ) ବଂଶପାଳ ବ୍ଲକ୍ର ଏହି ହାଟରେ ଗଞ୍ଜା ହେଉଛି ଆକ୍ରମଣ ପାଇଁ ନ୍ୟାଯ୍ୟ ପାତ୍ର । ଏହି ବ୍ଲକ୍ର ପ୍ରାୟ ଅଧା ଲୋକ ହେଉଛନ୍ତି ଭୂୟାଁ, ମୁଣ୍ଡା ଓ ଜୁଆଙ୍ଗ ଆଦିବାସୀ ସମ୍ପ୍ରଦାୟର । ଏଠାର ବୟୋଜ୍ୟେଷ୍ଠମାନେ ଆମକୁ କହିଛନ୍ତି ଯେ ଏହି ହାଟ ୧୯୬୦ କିମ୍ବା ପୂର୍ବରୁ କାର୍ଯ୍ୟ କରିଆସୁଛି।
ସାଧାରଣତଃ ଅକ୍ଟୋବରଠାରୁ ଫେବୃଆରୀ ପର୍ଯ୍ୟନ୍ତ ଲଢେଇ ଅନୁଷ୍ଠିତ ହୋଇଥାଏ ଯାହା ଏହି ଅଞ୍ଚଳରେ କୃଷି ଦୃଷ୍ଟିରୁ ଏକ ବ୍ୟସ୍ତବହୁଳ ଋତୁ ମଧ୍ୟ ଅଟେ । ଜୁଲାଇରେ ପ୍ରାୟ ଏହି ସମୟରେ ମୁଗ, ଉରଦ୍ (ସ୍ଥାନୀୟ ଅଞ୍ଚଳରେ ବିରି ନାମରେ ପରିଚିତ) ଓ ତୁର୍ ଡାଲି (ସ୍ଥାନୀୟ ନାମ ହରଡ) ସହିତ ଚାଉଳ ଅମଳ କରାଯାଇଥାଏ । ଜିଲ୍ଲାର ସମୁଦାୟ ୧,୦୨,୫୨୭ (୨୦୧୧) ଜନସଂଖ୍ୟାର ଅଧାରୁ ଅଧିକ ହେଉଛନ୍ତି କୃଷି ଶ୍ରମିକ ଓ ଚାଷୀମାନେ ।
ଆମେ ହେଉଛୁ ଭେଜିଡିହି ଗ୍ରାମ ଚାରିପାଖର ଓ ଆଖପାଖ ପଲ୍ଲୀ ଗାଁର ଚାରି ଛାତ୍ରଛାତ୍ରୀ, ଯେଉଁମାନେ ପ୍ରତ୍ୟେକ ଶୁକ୍ରବାର ଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଖୋଲୁଥିବା ବଜାରକୁ ଆମ ଶିକ୍ଷକ ଦୀପ୍ତିରେଖା ପାତ୍ରଙ୍କ ସହିତ ଏହାକୁ ଡକ୍ୟୁମେଣ୍ଟ କରିବାକୁ ଯାଇଥିଲେ । ୨୦୨୧ ଋତୁର ଲଢେଇ ଏବେ ଏହାର ଶୀର୍ଷ ଛୁଇଁବାକୁ ଆରମ୍ଭ ହୋଇଛି । ପୁଲିସ୍ କାର୍ଯ୍ୟାନୁଷ୍ଠାନ ଭୟରେ ତାହା ଗତ କିଛି ବର୍ଷ ଧରି ଅନୁଷ୍ଠିତ ହୋଇନଥିଲା । ପ୍ରିଭେନ୍ସନ୍ ଅଫ୍ କ୍ରୁଏଲିଟି ଟୁ ଆନିମଲ୍ ଅଧିନିୟମ ୧୯୬୦ ଚାପ୍ଟର୍ ୩, ଭାଗ ୧୧ ,(m),(II), (n)… ମୁତାବକ କୌଣସି ପ୍ରାଣୀକୁ ଲଢିବା ପାଇଁ ଉତ୍ତେଜିତ କରିବା ହେଉଛି ଦଣ୍ଡନୀୟ ଅପରାଧ, ଏଥିପାଇଁ ସଂପୃକ୍ତ ବ୍ୟକ୍ତିକୁ ୧୦ଟଙ୍କା ରୁ ୧୦୦ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯିବାର ପ୍ରାବଧାନ ରହିଛି।
କାଳେ ସେମାନଙ୍କ ମୁହଁ ଚିହ୍ନା ପଡ଼ିଯିବ, ସେହି ଭୟରେ କେହି ମଧ୍ୟ ଆମକୁ ଫଟୋ ଉଠାଇବାକୁ ଦେଉନଥିଲେ । ସେମାନେ ଖେଳ ଦେଖିବାରେ ଏତେ ମଗ୍ନ ହୋଇଯାଇଥିବଲେ ଯେ କାହା ପାଖରେ ମଧ୍ୟ ଆମ ପ୍ରଶ୍ନର ଉତ୍ତର ଦେବାକୁ କିମ୍ବା ଆମ ଆଡ଼କୁ ଅନାଇବାକୁ ସମୟ ନଥିଲା ।



ଫଟୋ ଶିରୋନାମା: ପ୍ରତିଯୋଗୀମାନେ ପ୍ରସ୍ତୁତ ହେଉଛନ୍ତି (ବାମ)। କଦକଲା ହାଟରେ ଏକ ଲଢେଇ ଚାଲିଛି (ମଧ୍ୟମ) ଫଟୋ: ପବିତ୍ର ବେହେରା, ଡାହାଣ – ୩୫ ବର୍ଷ ବୟସ୍କ ଦାମୋଦର ସିତାରି (ବାମ) ଓ ୩୮ ବର୍ଷ ବୟସ୍କ ସୁର ମୁଣ୍ଡା (ଡାହାଣ) ଗଞ୍ଜା ଲଢେଇ ପାଇଁ ପ୍ରସ୍ତୁତ ହେଉଛନ୍ତି। ଫଟୋ: ଅଙ୍କିତ ବେହେରା
କଦକଳା (କୋଦକଳା ବୋଲି ମଧ୍ୟ ଉଚ୍ଚାରଣ କରାଯାଏ) ହାଟ ପ୍ରସିଦ୍ଧ ଖଣ୍ଡାଧାର ଜଳପ୍ରପାତଠାରୁ ମାତ୍ର ୨୬ କିଲୋମିଟର୍ ଦୂରରେ ତଳ କଦକଳା ପଞ୍ଚାୟତରେ ଅନୁଷ୍ଠିତ ହୋଇଥାଏ । ଏହି ହାଟକୁ ବିଭିନ୍ନ ଅଞ୍ଚଳ ଯେପରିକି ଏହି ବ୍ଲକ୍ର ନୟାକୋଟ୍ ଓ ସିଂପୁର ଓ କେନ୍ଦୁଝର ସଦର ବ୍ଲକ୍ର କଲନ୍ଦାରୁ କ୍ରେତା ଓ ବିକ୍ରେତାମାନେ ୩୦କିଲୋମିଟର ପଥ ଯାତ୍ରା କରି ଆସିଥାନ୍ତି ।
ବସନ୍ତ ନାୟକ, ୫୮, ଏଠାକୁ ମସଲା ସାମଗ୍ରୀ ବିକ୍ରି କରିବାକୁ ଆସିଛନ୍ତି । ସେ ତାଙ୍କ ପିଲାବେଳେ ହାଟ କିଭଳି ଥିଲା, ତାହାର ସ୍ମୃତିଚାରଣ କରନ୍ତି । “ପୂର୍ବେ, କେବଳ ଅଳ୍ପ କିଛି ଲୋକ ଏହି ବଜାରକୁ ସେମାନଙ୍କ ଘର ପାଇଁ ହସ୍ତ ନିର୍ମିତ ବାଉଁଶ ପାତ୍ରଠୁ ଆରମ୍ଭ କରି ବିରି ଓ ସୋରିଷ ପର୍ଯ୍ୟନ୍ତ ଘର ପାଇଁ ଅତ୍ୟାବଶ୍ୟକ ଜିନିଷ କିଣିବାକୁ ଆସୁଥିଲେ । ସେମାନେ ଟିଫିନ୍ରେ ସେମାନଙ୍କର ଖାଦ୍ୟ ଆଣି ଆସୁଥିଲେ, ଯେହେତୁ ଏଠାରେ ଖାଦ୍ୟ ଉପଲବ୍ଧ ହେଉନଥିଲା । ଯାତ୍ରା କରିବାକୁ କୌଣସି ଯାନର ସୁବିଧା ନଥିଲା, ଏଣୁ ଲୋକମାନେ ବଡ଼ ବଡ଼ ଦଳରେ ଆସୁଥିଲେ ଓ ସନ୍ଧ୍ୟା ପରେ [ବଜାର ସରି ଯିବା ପରେ] ଜଙ୍ଗଲ ରାସ୍ତା ଦେଇ ଚାଲି ଚାଲି ଫେରିବାକୁ ଇଚ୍ଛା କରୁନଥିଲେ। ଏହା ପରିବର୍ତ୍ତେ ସେମାନେ ଆଖପାଖ ଅଞ୍ଚଳରେ ଥିବା ସମ୍ପର୍କୀୟଙ୍କ ଘରେ ରହିଯାଉଥିଲେ ଓ ପରଦିନ ସକାଳେ ଫେରୁଥିଲେ।”
କୁକୁଡା ଓ ଗଞ୍ଜା ଲଢ଼େଇ ଦ୍ୱାରା ଆକର୍ଷିତ ହୋଇ ବହୁ ସଂଖ୍ୟକ ଲୋକ ଏହି ହାଟକୁ ଆସନ୍ତି, ଯାହା ଏହି କାର୍ଯ୍ୟକ୍ରମ ଚାରିପାଖରେ ଦେଖାଯାଉଥିବା ଭିଡ଼ରୁ ସହଜରେ ଅନୁମେୟ। ଏକ ବଡ ଅଞ୍ଚଳ – ଯାହାକୁ ରିଙ୍ଗ୍ ବୋଲି କୁହାଯାଏ –କୁ ପରିଷ୍କାର କରାଯାଏ ଓ ଏହାର ଚାରିପାଖରେ ବାଉଁଶ ବାଡ଼ ତିଆରି କରାଯାଏ। ବୃତ୍ତାକାର ପଡିଆରେ ଲଢେଇ ଅନୁଷ୍ଠିତ ହୋଇଥାଏ ଓ ହାଟ ଦିନରେ ପାଖାପାଖି ୩୦ଟି ଲଢେଇ ଅନୁଷ୍ଠିତ ହୋଇଥାଏ। କୁକୁଡା ଲଢେଇର ଆୟୋଜକମାନେ ଯେଉଁମାନେ ପଡ଼ିଆକୁ ପ୍ରସ୍ତୁତ କରିଥାନ୍ତି, ପ୍ରତ୍ୟେକ ଲଢ଼େଇରେ ସେମାନଙ୍କର ଭୂମିକା ପାଇଁ ପ୍ରାୟ ୧୦୦ -୨୦୦ ଟଙ୍କା ପାଇବାକୁ ଆଶା କରିପାରିବେ।
ଲୋକମାନେ ଠିଆ ହୋଇ ସେମାନଙ୍କର ଖାଦ୍ୟପଦାର୍ଥ, ବାସନ, ମସଲା, ପନିପରିବା, କୁକୁଡ଼ା, ଛେଳି, ମାଂସ, ମାଛ, ବଣଜାତ ଦ୍ରବ୍ୟ ଯେପରିକି ମହୁ, ଆମ୍ଲା, ସାଲ୍ କା ରସ୍ (ବାଉଁଶ ଗଛର ରସ), ବାଉଁଶରୁ ତିଆରି ପାତ୍ର ଓ ଅନ୍ୟାନ୍ୟ କାରିଗରିର ସାପ୍ତାହିକ କ୍ରୟ କରିବା ସହିତ ଏହା ଦେଖିଥାନ୍ତି ।


କୋଭିଡ୍ ପାଇଁ ଲକ୍ଡାଉନ୍ ସମୟରେ ମୋଟର ଯାନଗୁଡ଼ିକ ସଡ଼କ ଉପରେ ଦେଖାଯାଇଥିଲା, ହେଲେ ସାଇକେଲ୍ ଚଲାଳୀ ଅନୁପସ୍ଥିତ ଥିଲେ। ଏହି ସତ୍ୟ ଗତ ୩୦ ବର୍ଷ ଧରି ସାଇକେଲ୍ ମରାମତି କାମ କରିଆସୁଥିବା ସାଇକେଲ୍ ମେକାନିକ୍ ସୁକୁରୁ ଗିରି, ୫୮,ଙ୍କୁ କଷ୍ଟ ଦେଇଛି। କେନ୍ଦୁଝର ସଦର, ନରସିଂହପୁର ନିବାସୀ ସୁକୁରୁ କୁହନ୍ତି ଯେ ସେ ବଜାର ଥିବା ଦିନରେ ପାଞ୍ଚରୁ ଆଠ ଶହ ଟଙ୍କା ପର୍ଯ୍ୟନ୍ତ ଉପାର୍ଜନ କରିପାରୁଥିଲେ। “ମୁଁ କେବେ ମଧ୍ୟ ବିଦ୍ୟାଳୟକୁ ଯାଇନାହିଁ ଆଉ ମୁଁ ମୋର ଅଙ୍କଲଙ୍କ ଠାରୁ ସାଇକେଲ୍ କିପରି ମରାମତି କରାଯାଏ, ତାହା ଶିଖିଛି। ମୁଁ ଦୁଇ-ଚକିଆ ଯାନରେ ପଙ୍କଚର୍ ପକାଇବା କାମ ମଧ୍ୟ କରିଥାଏ” ବୋଲି ସେ କହିଲେ।
କୁଶକଳାର ଧୁବୁଲି ବେହେରା, ୬୪, ଏଠାରୁ ୧୫କିଲେମିଟର୍ ଦୂରରେ ରୁହନ୍ତି ଯେଉଁଠାରେ ସେ ତାଙ୍କର ଏକ ଏକର ଜମିରେ ବର୍ଷାଶ୍ରିତ ଚାଉଳ ନିଜ ବ୍ୟବହାର ପାଇଁ ଚାଷ କରନ୍ତି। ସେ ଗତ ଛଅ ବର୍ଷ ହେବ ଚୁଡି ବିକ୍ରି କରୁଛନ୍ତି ଓ ବଜାର ଦିନଗୁଡ଼ିକରେ ହାରାହାରି ୩୦୦- ୪୦୦ଟଙ୍କା ଉପାର୍ଜନ କରନ୍ତି। ପୂର୍ବରୁ “ମୁଁ ହାଣ୍ଡିଆ ବିକ୍ରି କରୁଥିଲି (ମହୁଆ ଫୁଲରୁ ପ୍ରସ୍ତୁତ ମଦ)। ହେଲେ, ଥରେ ମୋ ଗାଁରେ ଚାଲିଥିବା ଏକ ସ୍ୱୟଂ ସହାୟକ ଗୋଷ୍ଠୀ ସଭାରେ ମୋତେ ଏହା ବଦଦଳରେ ଚୁଡି ବିକ୍ରି କରିବାକୁ ଉପଦେଶ ଦିଆଯାଇଥିଲା। ବର୍ତ୍ତମାନ ମୁଁ କମ୍ ଉପାର୍ଜନ କରୁଛି ହେଲେ ମୋ ସମ୍ପ୍ରଦାୟରେ ମୋର ସମ୍ମାନ ବୃଦ୍ଧି ପାଇଛି,” ବୋଲି ସେ କହିଲେ। ଗୋଟିଏ ଡଜନ୍ ଚୁଡି ୩୦ଟଙ୍କାରେ ବିକ୍ରି ହୋଇଥାଏ।


ସ୍ଥାନୀୟ ଭାଷାରେ ରସ୍ର ଅର୍ଥ ହେଉଛି ସାଲ୍ (ସୋରିଆ ରୋବୁଷ୍ଟା) ଗଛର ରସ ଓ ରମଣି ଦେହୁରୀ ଏହାକୁ ବିକ୍ରି କରିବା ପାଇଁ ତାଙ୍କ ପଲ୍ଲୀ ସୁନ୍ଦୁରାରୁ ପାଞ୍ଚ କିଲିମିଟର୍ ଦୁରରେ ଥିବା ଏହି ବଜାରକୁ ଆସନ୍ତି। “ପୂର୍ବେ ଅଧିକ ଗଛ ଥିଲା, ଏଣୁ ସାଲ ଗଛର କ୍ଷୀର ସଂଗ୍ରହ କରିବା ଓ ପୂଜାରେ ବ୍ୟବହାର ହେଉଥିବା ରସ୍ ପ୍ରସ୍ତୁତ କରିବା ସହଜ ହେଉଥିଲା। ବର୍ତ୍ତମାନ ଅତ୍ୟଧିକ ଗଛ କଟାଯାଉଥିବାରୁ ସାଲ୍ କ୍ଷୀର ମିଳିବା କଷ୍ଟକର ହୋଇଗଲାଣି। ମୁଁ ମଧ୍ୟ ଜଙ୍ଗଲରୁ ବାଉଁଶ ଆଣେ ଓ ବାଉଁଶ ପାତ୍ର ଓ ଜାର୍ ତିଆରି କରେ। ମୁଁ ବଜାରରେ ୭୦୦-୮୦୦ଟଙ୍କା ଉପାର୍ଜନ କରିପାରେ,” ବୋଲି ସେ କହିଲେ।
ଆମେ ଯେତେବେଳେ ଧାମୁ ବେହେରାଙ୍କ ସହିତ ସାକ୍ଷାତ କଲୁ, ସେ କହିଲେ ଯେ, “ଟିକିଏ କମ୍ ରୁଟି ଖାଆନ୍ତୁ, ହେଲେ ଆପଣଙ୍କ ପିଲାମାନଙ୍କୁ ଶିକ୍ଷିତ କରନ୍ତୁ।” ୫୨ବର୍ଷ ବୟସ୍କ ଧାମୁ ନିଜ ଶିକ୍ଷା ଅଧାପନ୍ତରିଆ ଭାବେ ବନ୍ଦ କରିହେଲେ ଯେହେତୁ ତାଙ୍କ ବାପା ମା’ ଏହାର ବୋଝ ଉଠାଇବାକୁ ସମର୍ଥ ହୋଇପାରିଲେ ନାହିଁ। ବରଂ ସେ କୁମ୍ଭାର ଚକ ବ୍ୟବହାର କରୁଥିବା ତାଙ୍କ ବାପାଙ୍କ ଠାରୁ ମାଠିଆ ତିଆରି କରିବା ଶିଖିଲେ। ତାଙ୍କର ଇଚ୍ଛା ଯେ ତାଙ୍କ ପିଲାମାନେ ପାଠ ପଢନ୍ତୁ ଓ ଅନ୍ୟ ବୃତ୍ତିରେ ନିଜକୁ ନିୟୋଜି କରନ୍ତୁ।
ସେ ଭେଜିଢିହି ଗ୍ରାମରୁ ଯାତ୍ରାରେ ବାହାରନ୍ତି,, ଯାହା ଅତି ବେଶୀରେ ପାଞ୍ଚ କିଲୋମିଟର୍ ଦୂର ହେବ। “ମୁଁ ମୋର କାନ୍ଧରେ ଏଗୁଡ଼ିକ ଧରି ବୋହିଥାଏ । ଯଦି ମୁଁ ଭ୍ୟାନ୍ରେ ଯାଏ, ତା’ହେଲେ ମୋର ପାତ୍ର ନଷ୍ଟ ହୋଇଯିବ,” ବୋଲି ସେ ପ୍ରଶ୍ନର ଉତ୍ତର ଦେଇ କହିଲେ।
“ପୁରୁଣା ସମୟରେ ଲୋକମାନେ ପାଣି ଥଣ୍ଡା ରଖିବାକୁ ଏହି ମାଠିଆ ନେଉଥିଲେ, ହେଲେ, ବର୍ତ୍ତମାନ ଏହାର ଚାହିଦା କମିଗଲାଣି। ଏଣୁ ମୁଁ ସପ୍ତାହକୁ ୧୦୦୦ – ୧୨୦୦ଟଙ୍କା ଉପାର୍ଜନ କରିପାରୁଛି ବୋଲି ସେ କୁହନ୍ତି। ଧରମୁ ମଉସା ହାଟକୁ ଯିବା ପାଇଁ ୩୨ କିଲୋମିଟର ଯାତ୍ରା କରନ୍ତି ଆଉ କେନ୍ଦୁଝର ସଦର ବ୍ଲକ୍ର ବିଭିନ୍ନ ସ୍ଥାନ ଯେପରିକି ନରସିଂହପୁର ଓ ବଂଶପାଳ ବ୍ଲକ୍ର ସୁଦଙ୍ଗାରେ ତାଙ୍କର ପାତ୍ର ବିକ୍ରି କରନ୍ତି ଓ ତାଙ୍କ ବାପାଙ୍କ ସହିତ ପିଲାବେଳେ ଏହା କିପରି କରୁଥିଲେ, ମନେପକାନ୍ତି।


ବିଭିନ୍ନ ପ୍ରକାରର ମସଲା, ଆଳୁ, ପିଆଜ, ରସୁଣ, ତେଲ, ଶୁଖୁଆ ଓ ଆହୁରି ଅନେକ ଜିନିଷ ବଂଶପାଳ ବ୍ଲକ୍ର କୁସକଳା ଗ୍ରାମର ୟାମିନି ଗିରି, ୫୫ ବିକ୍ରି କରିଥାନ୍ତି। ସେ ଗତ ୨୦ବର୍ଷ କିମ୍ବା ଅଧିକ ସମୟ ହେବ ଏହି ହାଟକୁ ଆସୁଛନ୍ତି। ସେ ଭ୍ୟାନ୍ ଭଡ଼ା ବାବଦକୁ ୩୦୦ଟଙ୍କା ଦେଇଥାନ୍ତି। ଯାହା ସେ ୧୦ କିମି ଦୂରରୁ ଆସିବା କାରଣରୁ ଦେବାକୁ ବାଧ୍ୟ ହୋଇଥାନ୍ତି। “ବିବାହର ୧୦ ବର୍ଷ ପରେ ମୋର ସ୍ୱାମୀ ଚାଲିଗଲେ ଓ ମୋ ପକ୍ଷେ ମୋର ଭରଣପୋଷଣ କରିବା କରିବା ମଧ୍ୟ କଷ୍ଟକର ହୋଇଗଲା – ମୁଁ ଦୁଇବେଳା ଦୁଇମୁଠା ଖାଇବାକୁ ମଧ୍ୟ ପାଇଲି ନାହିଁ,” ବୋଲି ସେ କିଭଳି ହାଟରେ ବିକ୍ରି କରିବାକୁ ଆରମ୍ଭ କଲେ, ସେ ଉଦ୍ଦେଶ୍ୟରେ କହିଲେ।




ମାଧ୍ୟମିକ ସ୍କୁଲ୍ର ଛାତ୍ରଛାତ୍ରୀମାନେ, ଯେଉଁମାନେ ଏହି ରୋପର୍ଟ ପ୍ରସ୍ତୁତ କରିଛନ୍ତି, ସେମାନେ ବେସରକାରୀ ସଂଗଠନ ଏ.ଏସ୍.ପି.ଆଇ.ଆର୍.ଇ (ଏ ସୋସାଇଟି ଫର୍ ପ୍ରମୋସନ୍ ଅଫ୍ ଇନ୍କ୍ଲୁସିଭ୍ ଏଣ୍ଡ ରିଲେଭାଣ୍ଟ ଏଜୁକେସନ) ଓ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ର ହଜାରେ ପ୍ରକଳ୍ପ ବିଦ୍ୟାଳୟ ପ୍ରକଳ୍ପର ଶିକ୍ଷା ବୃଦ୍ଧି କାର୍ଯ୍ୟକ୍ରମର ଅଂଶ ଅଟନ୍ତି । ସେମାନେ ଏହି ପ୍ରୋଜେକ୍ଟ ସେମାନଙ୍କ ପରିପାର୍ଶ୍ୱ ସମ୍ବନ୍ଧୀୟ ଜ୍ଞାନ ଆହରଣର ଏକ ଅଂଶ ଭାବେ ନିର୍ମାଣ କରିଥିଲେ।
ପରୀ ଏଜୁକେସନ୍ ଟିମ୍ ସୁଦୀପା ସେନାପତି, ଦୀପ୍ତିରେଖା ପାତ୍ର ଓ ସ୍ମିତା ଅଗ୍ରୱାଲ୍ଙ୍କୁ ସମନ୍ୱୟ ରକ୍ଷା କରି ଏହି ଖଣ୍ଡଟି ନିର୍ମାଣ କରିବାରେ ସେମାନଙ୍କ ସାହାଯ୍ୟ ପାଇଁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିବାକୁ ଚାହିଁବ।
Editor's note
ପବିତ୍ର ବେହେରା, ଲିଜା ବେହେରା, ଅଙ୍କିତ ବେହେରା ଓ ଶଙ୍କର ବେହେରା ହେଉଛନ୍ତି କଦକଳା ଗ୍ରାମର ଭେଜିଡ଼ିହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୪-୫ ଶ୍ରେଣୀର ଛାତ୍ରଛାତ୍ରୀମାନେ। ଅଙ୍କିତ କୁହନ୍ତି: ମୁଁ ପୂର୍ବରୁ ଏହି ବଜାରକୁ ପୋଷାକ କିଣିବାକୁ ପ୍ରାୟ ସମୟରେ ଯାଉଥିଲି, ହେଲେ ଚଳିତଥର ମୁଁ ଯେତେବେଳେ ମୋ ଶିକ୍ଷକଙ୍କ ସହିତ ଗଲି, ମୁଁ ଅନେକ ଜିନିଷ ଦେଖିବାକୁ ପାଇଲି ଯାହା ମୁଁ କେବେ ଦେଖି ପାରିନିଥିଲି, ଯେପରିକି ଗଞ୍ଜା ଲଢେଇ। ମୁଁ ଅନେକ କ୍ରେତାଙ୍କ ସହିତ ମଧ୍ୟ କଥାବାର୍ତ୍ତା କଲି ଓ ସେମାନଙ୍କ ସଂଘର୍ଷ ବିଷୟରେ ଜାଣିପାରିଲି।
ସଂବିତି ଆୟର ହେଉଛନ୍ତି ପରୀ ଏଜୁକେସନ୍ର ଜଣେ ଇଣ୍ଟର୍ଣ୍ଣ ଓ ସେ ଏହି ଖଣ୍ଡର ଲେଖକମାନଙ୍କ ସହିତ ମିଶି କାମ କରିଥିଲେ । ସଂବିତିଙ୍କ କାହାଣୀ: ଜଣେ ରଦ୍ଦିୱାଲା ଉପରେ ଲକ୍ଡାଉନ୍ କିଭଳି ପ୍ରଭାବ ପକାଇଥିଲା, ସେପ୍ଟେମ୍ବର ୨୦୨୧ରେ ପ୍ରକାଶିତ ହୋଇଥିଲା।