“ ଅପରାହ୍‌ଣ ୫.୩୦ ରୁ ୬ଟା ମଧ୍ୟରେ ଆମ ଗ୍ରାମ କଙ୍କୁରାର ବାତାବରଣ ଶାନ୍ତ ଥିଲା । ବର୍ଷା ଓ ପବନ ବନ୍ଦ ହୋଇଯାଇଥିଲା । ମୁଁ ଭାବିଲି ବୋଧହୁଏ ବାତ୍ୟା ସରିଗଲାଣି ହେଲେ, ତା’ପରେ ପୁଣି ଥରେ ପବନ ବହିବାକୁ ଆରମ୍ଭ ହେଲା ଓ ଏହା ନିଜର ଦିଗ ବଦଳାଇଲା ଓ ଅଧିକ ବେଗରେ ବହିବାକୁ ଆରମ୍ଭ ହେଲା,” ବୋଲି ୪୧ ବର୍ଷ ବୟସ୍କ ସଜଲ୍‌ କୟାଲ୍‌,କୁହନ୍ତି । ସେ ଆହୁରି କହିଲେ ଯେ ‘ଭୟଙ୍କର ଗର୍ଜନ କରି ପବନ ବହୁଥିଲା – ସତେ ଯେପରି କିଏ ଉଚ୍ଚ ସ୍ୱରରେ ଚିତ୍କାର କରୁଥିବା ଭଳି ମନେ ହେଉଥିଲା । ପବନରେ ସମସ୍ତ ଝରକା ଓ କବାଟ ହଲିବାକୁ ଲାଗିଲା ଓ ଝଣ ଝଣ ଶବ୍ଦ ଶୁଭିଲା – ସତେ ଯେପରି କିଏ ଏଗୁଡ଼ିକ ବଳପୂର୍ବକ ଭାଙ୍ଗି ଘର ଭିତରକୁ ପ୍ରବେଶ କରିବାକୁ ଚାହୁଁଛି, ସେପରି ମନେହେଲା । ଏପରି ନଅ ଘଣ୍ଟା ପର୍ଯ୍ୟନ୍ତ ଚାଲିଲା, ପୂରା ରାତି; ଆମେମାନେ ବହୁତ ଡରି ଯାଇଥିଲୁ ।

“ମୋର ଭାଇ କାଜିଲ୍‌ ଓ ମୁଁ ଆମର ଛାତ ଯେପରି ଉଡିନଯାଏ, ସେଥିପାଇଁ ଚେଷ୍ଟା ଜାରି ରଖିଥିଲୁ , ମୋର ସ୍ତ୍ରୀ, ମା ଓ ଭାଇ ବୋହୁ ମିଶି ଝରକାକୁ ଧରି ରଖିବାକୁ ଚେଷ୍ଟା କରୁଥିଲେ । ମୋର ୭୫ ବର୍ଷ ବୟସ୍କ ବାପା କବାଟକୁ ଧରି ରଖିବାକୁ ଚେଷ୍ଟା କରୁଥିଲେ । ଆମେ ପିଲାମାନଙ୍କୁ [ ଜଣେ ପାଞ୍ଚ ବର୍ଷର ପୁଅ ଓ ଜଣେ ତିନି ବର୍ଷର ଝିଅ] ଭିତରେ ଲୁଚି ରହିବାକୁ କହିଥିଲୁ । ଯଦି ଆମେ ଘର ଛାଡି ବାହାରକୁ ଆସିବୁ ତାହାହେଲେ ବାତ୍ୟାରେ ଆମର ମୃତ୍ୟୁ ସୁନିଶ୍ଚିତ ବୋଲି ଆମେ ଜାଣିଥିଲୁ ।”

ସଜଲ ଓ ତାଙ୍କ ପରିବାର ଯଥା ସାମର୍ଥ୍ୟ ପ୍ରୟାସ କରିବା ପରେ ମଧ୍ୟ ତାଙ୍କ ଘରର ଛାତ ଉଡିଗଲା, ଝରକା ସବୁ ଭାଙ୍ଗିଗଲା ଓ ବର୍ଷାପାଣି ଘର ଭିତରେ ପଶିଯିବାରୁ ଘର ଜଳପୂର୍ଣ୍ଣ ହୋଇଗଲା, ଏହାସହିତ ଗଛର ଡାଳ ଓ ବିଭିନ୍ନ କୀଟ ଘର ଭିତରକୁ ପଶିଗଲେ । ଅମ୍ଫାନ୍‌ ଯାହାକୁ ‘ଅତି ତୀବ୍ର ବାତ୍ୟା ଝଡ’ ବର୍ଗ ଅନ୍ତର୍ଭୁକ୍ତ କରାଯାଇଛି’ ତାହା ପଶ୍ଚିମ ବଙ୍ଗର ଉପକୂଳ ଅଞ୍ଚଳରେ ମେ ୨୦,୨୦୨୦ରେ ଲ୍ୟାଣ୍ଡଫଲ୍‌ କରିଥିଲା । ଲ୍ୟାଣ୍ଡଫଲ୍‌ ସମୟରେ ପବନର ବେଗ ୧୪୦ ରୁ ୧୫୦ କିମି ଥିଲା ଓ ଆକସ୍ମିକ ଭାବେ ଏହାର ବେଗ (ପ୍ରଚଣ୍ଡ ବାୟୁ) ୧୬୫ କିମିରେ ପହଞ୍ଚୁଥିଲା । ଅମ୍ଫାନ୍‌ ଯୋଗୁଁ ଗ୍ରାମାଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି, ନିର୍ଦ୍ଦିଷ୍ଟ ଭାବେ ସୁନ୍ଦରବନ ଅଞ୍ଚଳରେ, ଯାହାକୁ ସହଜରେ ଆକଳନ କରାଯାଇ ପାରିବନାହିଁ । ଉଭୟ ଉତ୍ତର ଓ ଦକ୍ଷିଣ ୨୪ ପ୍ରଗଣାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ପୂରା ରାଜ୍ୟରେ ଏହା ଯୋଗୁଁ ମେ ୨୯ ,୨୦୨୦ ସୁଦ୍ଧା ୯୮ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା ।

ବାତ୍ୟାର ଆଖି

ପଶ୍ଚିମ ବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ କଙ୍କୁରା ଅବସ୍ଥିତ ଓ ଏହା ବାତ୍ୟା ଅମ୍ଫାନ୍‌ର ଆଖିରେ ଥିବାରୁ ପରିଣାମ ସ୍ୱରୂପ ଏଠାରେ ପ୍ରଚଣ୍ଡ ପବନ ବହିବା ସାହିତ ମୂଷଳଧାରାରେ ବର୍ଷା ହୋଇଥିଲା । “ଆମେ ଅତୀତରେ ମଧ୍ୟ ଅନେକ ବାତ୍ୟାର ସମ୍ମୁଖୀନ ହୋଇଛୁ ହେଲେ ଏପରି ଗୋଟିଏ ମଧ୍ୟ ନୁହେଁ । ୨୦୦୯ରେ ବାତ୍ୟା ଆଲିଆ କାରଣରୁ କେତେକ ଗଛ ଉପୁଡି ଯାଇଥିଲା, ହେଲେ ଏହା ତିନି ଘଣ୍ଟା ମଧ୍ୟରେ ଚାଲି ଯାଇଥିଲା । ୨୪ ପ୍ରଗଣା କେବେ ମଧ୍ୟ ବାତ୍ୟାର ଆଖିରେ ରହିନଥିଲା । ଆମେ ସାଧାରଣତଃ ଏହା ଆଶା କରୁ ଯେ ବାତ୍ୟା ମେଦିନାପୁର ଜିଲ୍ଲା ଦେଇ ଗତି କରିବା ପରେ ସୁନ୍ଦରବନ ହୋଇ ବାଙ୍ଗଲାଦେଶରେ ପହଞ୍ଚିବ,’’ ବୋଲି ସଜଲ କହିଲେ ।

ସଜଲ କଙ୍କୁରା ଗ୍ରାମରେ ଜନ୍ମ ହୋଇଛନ୍ତି ଓ ପୂରା ଜୀବନ ଏଠାରେ ବିତାଇଛନ୍ତି । ସେ କୁହନ୍ତି ଯେ ତାଙ୍କର ୭୫ ବର୍ଷ ବୟସ୍କ ବାପା, ସୁଦର୍ଶନ କୟାଲ୍‌ ମଧ୍ୟ ତାଙ୍କ ଜୀବନକାଳରେ ଅମ୍ଫାନ୍‌ ଭଳି ବାତ୍ୟା କେବେ ମଧ୍ୟ ଦେଖିନାହାନ୍ତି. ଯାହା ମେ ୨୦,୨୦୨୦ରେ ପଶ୍ଚିମ ବଙ୍ଗରେ ଧ୍ୱଂସଲୀଳା ରଚିଥିଲା ଓ ଏହା ଯୋଗୁଁ ୧ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଆକଳନ କରାଯାଇଛି (ରାଜ୍ୟ ଦ୍ୱାରା)।

କଙ୍କୁରାର ପ୍ରତ୍ୟେକ ଘର ବାତ୍ୟା ଅମ୍ଫାନ୍‌ର ନିଷ୍ଠୁରତାର ସାକ୍ଷୀ ପାଲଟିଛି ଯାହା ଗ୍ରାମର ୩୫୭ ପରିବାର ଓ ୧୪୫୬ ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଇଛି । କଙ୍କୁରାର ଅଧିକାଂଶ ବାସିନ୍ଦା – ଯାହାମଧ୍ୟରୁ ୪୯୧ ହେଉଛନ୍ତି ଦଳିତ ତାଲିକାଭୂକ୍ତ –ଙ୍କ ପାଖରେ ଏକ ଏକର୍‌ରୁ କମ୍‌ ଜମି ଅଛି ଓ ସେଥିରେ ସେମାନେ ଜୀବନଧାରଣ କରିବା ପାଇଁ ଚାଷ କାମ କରନ୍ତି । ଜମିରେ ଥିବା ସେମାନଙ୍କର ସମସ୍ତ ଫସଲ ବାତ୍ୟାରେ ନଷ୍ଟ ହୋଇଯାଇଛି । ନଡିଆ, ଆମ୍ବ ଓ ତାଳ ଗଛ ଯେଉଁଥିରୁ ଗ୍ରାମବାସୀମାନଙ୍କର ଅତିରିକ୍ତ ଆୟ ହେଉଥିଲା, ସେଗୁଡିକ ମୂଳ ସହିତ ଉପୁଡି ଯାଇଛି ଯାହା ସେମାନଙ୍କ କ୍ଷତିକୁ ବହୁଗୁଣିତ କରିଦେଇଛି ।

ନିକଟବର୍ତ୍ତୀ ଫଲ୍‌ତା ବ୍ଲକ୍‌ରେ ଥିବା କଲମ, ପ୍ଲାଷ୍ଟିକ ଓ ପୋଷାକ କାରଖାନା ପାଇଁ ଆବଶ୍ୟକ ଶ୍ରମିକଙ୍କ ଏକ ପ୍ରମୁଖ ଉତ୍ସ ହେଉଛି ଏହି ଗ୍ରାମ । ଦୁଇ ମାସ ପୂର୍ବେ ତାଲାବନ୍ଦ କାରଣରୁ କାରଖାନାଗୁଡିକ ବନ୍ଦ ହୋଇଗଲା ଓ ଶ୍ରମିକମାନେ କଙ୍କୁରା ସ୍ଥିତ ସେମାନଙ୍କ ଘରକୁ ଫେରି ଆସିଥିଲେ ଓ ଜୀବନଧାରଣ କରିବା ପାଇଁ ଚାଷରୁ ହେଉଥିବା ଆୟ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିଲେ ।

“ମୋର ମୁଗ ଡାଲି ଫସଲ ନଷ୍ଟ ହୋଇଗଲା । ଗଛଗୁଡିକ ଦୁଇ ଫୁଟ୍‌ ଉଚ୍ଚ ହୋଇଯାଇଥିଲେ ଓ ଏହା ଅମଳ ହେବା ପାଇଁ ପ୍ରସ୍ତୁତ ହୋଇଯାଇଥିଲା । ବର୍ତ୍ତମାନ ସେଗୁଡିକ ପାଣି ତଳେ ବୁଡି ଯାଇଛି,” ବୋଲି କୋଙ୍କଣ ରାୟ, ୪୯, କୁହନ୍ତି । ତାଙ୍କର ପୂରା ଛ ବିଘା (୨.୪ ଏକର ) ଜମିରେ ହୋଇଥିବା ଫସଲ ଓ ଚାଷ ଜମି ଉଭୟ ପାଣିରେ ବୁଡି ଗଲା । ଗ୍ରାମର ଅନ୍ୟମାନଙ୍କ ଭଳି, ସେ ମଧ୍ୟ ବର୍ଷସାରା ତାଙ୍କ ଜମିରେ ଫୁଲକୋବି, ବନ୍ଧାକୋବି ଓ ଧାନ ଚାଷ କରନ୍ତି, ଯାହାକୁ ବିକ୍ରି କରି ସେ ମାସକୁ ପ୍ରାୟ ୯,୦୦୦ ଟଙ୍କା ରୋଜଗାର କରନ୍ତି । “ମୋର ଆମ୍ବ ଗଛଗୁଡିକ ମଧ୍ୟ ନଷ୍ଟ ହୋଇଗଲା ଓ ମୋ ଘରର ଛାତ ମଧ୍ୟ ପଡିଯାଇଛି । ଏ ସବୁ କିପରି ଠିକ୍‌ଠାକ୍‌ କରିପାରିବି, ତାହା ମୁଁ ଜାଣେନି ।’’

ଲକ୍ଷ୍ମୀ ସନ୍ତ୍ରା, ୪୭, ତାଙ୍କ ପଡିଶା ଘରେ ଯାଇ ରହୁଛନ୍ତି । “ମୋର ଘର ପାଣିରେ ବୁଡିଗଲା ଓ ମୁଁ ଅନ୍ୟ ଜଣଙ୍କ ଘରେ ରହୁଛି। ମୋର ଫସଲ ଉଜୁଡି ଗଲା ।’’ ସେ ତାଙ୍କର ଦୁଇ ବିଘା (୦.୮ ଏକର୍‌) ଜମିରେ ଧାନ ଓ ମୁଗ ଚାଷ କରନ୍ତି, ଯେଉଁଥିରୁ ବର୍ଷକୁ ସେ ପ୍ରାୟ ୨୫ ,୦୦୦ ଟଙ୍କା ରୋଜଗାର କରନ୍ତି । ଲକ୍ଷ୍ମୀ ତାଙ୍କ ଗ୍ରାମରେ ଥିବା ଏକ ପୋଷାକ କାରଖାନାରେ କାମ କରନ୍ତି ଯେଉଁଠାରେ ସେ ତାଲାବନ୍ଦ ଯୋଗୁଁ ଏହି ଅଞ୍ଚଳର ସମସ୍ତ କାରଖାନା ବନ୍ଦ ହେବା ପୂର୍ବରୁ ମାସକୁ ପ୍ରାୟ ୭,୦୦୦ଟଙ୍କା ଉପାର୍ଜନ କରୁଥିଲେ । “ମୁଁ ଜାଣେନି ମୋର ଭବିଷ୍ୟତ କଣ ହେବ?”

ଏକ ମାଟି ଘର ନିର୍ମାଣ କରିବାକୁ ପ୍ରାୟ ୧ଲକ୍ଷ ଟଙ୍କା ବ୍ୟୟ ହୋଇଥାଏ ବୋଲି ସ୍ଥାନୀୟ ଲୋକମାନେ ଆକଳନ କରିଛନ୍ତି; ଏକ ସିମେଣ୍ଟ ଘର ନିର୍ମାଣ କରିବା ପାଇଁ ୪ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟୟ ହୋଇପାରେ

ଉଭୟ ନଡା ଛପର ଥିବା ମାଟି ଘର ଓ ସିମେଣ୍ଟ ଘର କ୍ଷତିଗ୍ରସ୍ତ ହୋଇଛି । ଜୁନ୍‌ ୧,୨୦୨୦ରେ ଯେତେବେଳେ ଏହି ରିପୋର୍ଟର୍‌ ଗ୍ରାମବାସୀଙ୍କ ସହିତ କଥା ହେବା ପାଇଁ ସେଠାକୁ ଯାଇଥିଲା ସେତେବେଳେ ବିଦ୍ୟୁତ୍‌ ତାରଗୁଡିକ ତଳକୁ ଝୁଲି ରହିଥିବା ଦେଖିବାକୁ ପାଇଥିଲା ଓ ସାରା ଗ୍ରାମରେ ବିଜୁଳି ନଥିଲା । ଏକ ମାଟି ଘର ନିର୍ମାଣ କରିବାକୁ ୧ଲକ୍ଷ ଟଙ୍କା ଓ ଏକ ସିମେଣ୍ଟ ଘର ନିର୍ମାଣ କରିବାକୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟୟ ହେବ ବୋଲି ସ୍ଥାନୀୟ ଲୋକମାନେ ଆକଳନ କରିଛନ୍ତି ।

“ମୋର ଘର ସମ୍ପୂର୍ଣ୍ଣ ଭୁଶୁଡି ଯାଇଛି – ଛାତ ଉଡି ଯାଇଛି ଓ ଅଧିକାଂଶ କାନ୍ଥ ଭାଙ୍ଗି ଯାଇଛି,” ବୋଲି ୨୯ କଙ୍କୁରା ଗ୍ରାମରେ ତିୟାସ୍‌ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ୨୯ ବର୍ଷୀୟ ମୌମିତା ପ୍ରମାଣିକ କୁହନ୍ତି । ତାଙ୍କର ସ୍ୱାମୀ ବିଳାସ ପ୍ରମାଣିକ, ୩୧,ଙ୍କ ଚାକିରି ଚାଲିଯାଇଥିବାରୁ ବର୍ତ୍ତମାନ ସେ ତାଙ୍କର ୨,୦୦୦ ଟଙ୍କାର ମାସିକ ଆୟରେ ତାଙ୍କର ପାଞ୍ଚ ଜଣିଆ ପରିବାରକୁ ଚଳାଉଛନ୍ତି। “ମୋର ସ୍ୱାମୀ ଏଠାରୁ ତିନି କିଲୋମିଟର୍‌ ଦୁରରେ ଅବସ୍ଥିତ ଏକ କଲମ କାରଖାନାରେ କାମ କରୁଥିଲେ, ହେଲେ, ତାଲାବନ୍ଦ କାରଣରୁ କାରଖାନା ବନ୍ଦ ହୋଇଗଲା ଓ ତାଙ୍କ ପାଖରେ ଏବେ କରିବାକୁ କିଛି କାମ ନାହିଁ । ତାଙ୍କର ମାସିକ ଆୟ ୫,୫୦୦ଟଙ୍କା ଏବେ ମିଳୁନଥିବାବେଳେ ଆମେ ବଡ କଷ୍ଟରେ କୌଣସି ପ୍ରକାରେ ଚଳିଯାଉଛୁ, ହେଲେ ବର୍ତ୍ତମାନ ଆମକୁ ଆମର ଘର ମଧ୍ୟ ହରାଇବାକୁ ପଡିଲା ।”

ମୌମିତାଙ୍କ କାର୍ଯ୍ୟ ସ୍ଥଳ – ପ୍ରାଥମିକ ବିଦ୍ୟାଳୟ – ମଧ୍ୟ ପ୍ରଭାବିତ ହୋଇଛି ଓ ଏଥିରେ ଥିବା ଏକ ବିଭାଜକ କାନ୍ଥ ଭୁଶୁଡି ଯାଇଛି । ସେ କୁହନ୍ତି “ବିଦ୍ୟାଳୟ ଏବେ କୋଭିଡ୍‌ ୧୯ ରିଲିଫ୍‌ର ଏକ ଅଂଶ ଭାବେ ରାସନ୍‌ ବିତରଣ କେନ୍ଦ୍ର ପାଲଟିଛି । ଭାଗ୍ୟବଶତଃ ଆମେ ରାସନ୍‌ ସବୁ ଭିତରେ ରଖିଥିଲୁ, ଏଣୁ କିଛି ମଧ୍ୟ ନଷ୍ଟ ହୋଇନି ।’’ ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କୁ ହ୍ୱାଟ୍‌ସଅପ୍‌ ଜରିଆରେ ପଠା ଯାଇଥିବା ପାଠ୍ୟ ଯୋଜନା ଉପରେ କାମ କରିବାକୁ ବିଦ୍ୟାଳୟକୁ ଆସୁଥିଲେ । “ବର୍ତ୍ତମାନ କିନ୍ତୁ ବାତ୍ୟା ଯୋଗୁଁ ତାହା ବନ୍ଦ ହୋଇଯାଇଛି,” ବୋଲି ମଧ୍ୟ ସେ କହିଲେ ।

ଆୟ ନଥିବାରୁ କେବଳ ଯେ କାରଖାନା ଶ୍ରମିକମାନଙ୍କୁ ସଂଘର୍ଷ କରିବାକୁ ପଡୁଛି, ତାହା ନୁହେଁ । “ମୁଁ ରିକ୍ସା ଟାଣେ ଓ ବେଳେବେଳେ ଦିନ ମଜୁରିଆ ଭାବେ କାମ କରିବାକୁ ଯାଏ ହେଲେ ଏବେ ମୋ ପାଖରେ କୌଣସି କାମ ନାହିଁ ଓ କିଛି ଆୟ ମଧ୍ୟ ହେଉନି,” ବୋଲି ଗଣେଶ ମଣ୍ଡଳ, ୪୯, ଯିଏ ତାଙ୍କର ୬,୦୦୦ ଟଙ୍କାର ଏହି ଉପାର୍ଜନରେ ତାଙ୍କ ସ୍ତ୍ରୀ ଓ ପାଞ୍ଚ ବର୍ଷ ବୟସ୍କ ପୁଅର ବିଭିନ୍ନ ଖର୍ଚ୍ଚ ବହନ କରୁଥିଲେ । ବର୍ତ୍ତମାନ ଅମ୍ଫାନରେ ତାଙ୍କର ଘର ଭାଙ୍ଗି ଯାଇଛି, “ମରାମତି କରିବା ପାଇଁ ବ୍ୟୟ କରିବାକୁ ମୋ ପାଖରେ କୌଣସି ରାସ୍ତା ନାହିଁ,” ବୋଲି ସେ କହିଲେ ।

ବାତ୍ୟା ପରେ ସରକାର ଯେଉଁ ଲୋକଙ୍କ ଘରର କାନ୍ଥ ବା ଛାତ ନାହିଁ, ସେମାନଙ୍କୁ କଳା ପ୍ଲାଷ୍ଟିକ୍‌ ସିଟ୍‌ ବାଣ୍ଟିଛନ୍ତି। “ମୁଁ ମୋର ଘର ଚାରିପାଖରେ ପ୍ଲାଷ୍ଟିକ୍‌ ସିଟ୍‌ ଲଗେଇଛି ଯାହା ଫଳରେ ଆମକୁ ଆଶ୍ରୟ ନେବାକୁ ସ୍ଥାନଟିଏ ମିଳିପାରିଛି । ମୋର ଘରର ଛାତ କୌଣସି ପ୍ରକାରେ କ୍ଷତିଗ୍ରସ୍ତ ହେବା ଠାରୁ ବଞ୍ଚି ଯାଇଛି ହେଲେ କାନ୍ଥଗୁଡିକ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଛି” ବୋଲି ଏକ ପୋଷାକ କାରଖାନାରେ କାମ କରୁଥିବା ଜସିମୁଦ୍ଦିନ୍‌ ମୀର, ୩୪, କୁହନ୍ତି ।

ବର୍ତ୍ତମାନ ତାଙ୍କର ଏକ ବିଘା (୦.୪ ଏକର୍‌) ଜମି ଜଳାର୍ଣ୍ଣବ ହୋଇଯାଇଥିବାରୁ, ଅଙ୍ଗୁର ବାଳା କୟାଲ, ୫୫, ଉତ୍କଟ ଦାରିଦ୍ରତାର ସମ୍ମୁଖୀନ ହେବା ନେଇ ଚିନ୍ତିତ ଅଛନ୍ତି । “ ମୁଁ ସମ୍ପୂର୍ଣ୍ଣ ଅକୁଟିଆ, ୧୨ ବର୍ଷ ପୂର୍ବେ ମୋର ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା ଓ ମୋର ନିଜସ୍ୱ ବୋଲି କିଛି ନାହିଁ । ମୋର ଘର ଭାଙ୍ଗି ଯାଇଛି,” ବୋଲି ସେ କୁହନ୍ତି । ତାଙ୍କର ସମ୍ପୂର୍ଣ୍ଣ ମୁଗ ଓ ଧାନ ଫସଲ ଶୋଇ ପଡିଛି । ତାଙ୍କ ପାଖରେ ଥିବା ଏକମାତ୍ର ଗାଇ ଆସନ୍ତା କିଛି ମାସରେ ଠିକ୍‌ ହୋଇଯିବ ବୋଲି ସେ ଆଶାବାଦୀ ଅଛନ୍ତି ।

ବାତ୍ୟା ପୂର୍ବରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା ହେଲେ ସ୍ଥାନୀୟ ଲୋକମାନେ କୁହୁଛନ୍ତି ଯେ ପ୍ରାୟ ୧୫ଜଣ ଲୋକ ସେମାନଙ୍କ ଘରକୁ ବଞ୍ଚେଇବାକୁ ଚେଷ୍ଟା କରୁଥିବା ବେଳେ ସାଧାରଣ ଭାବେ ଆଘାତ ହୋଇଛନ୍ତି । ସେମାନେ ବର୍ତ୍ତମାନ କଙ୍କୁରା ଠାରୁ ପ୍ରାୟ ୧୩ କିଲୋମିଟର ଦୂରରେ ଡାଇମଣ୍ଡ ହାର୍ବର୍‌ରେ ଅବସ୍ଥିତ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ମେ ୨୩ରେ, ଧ୍ୱଂସଲୀଳାର ଆକାଶ ମାର୍ଗରୁ ସର୍ବେକ୍ଷଣ କରିବା ପରେ, କେନ୍ଦ୍ର ସରକାର ରାଜ୍ୟ ପାଇଁ ୧,୦୦୦ କୋଟି ଟଙ୍କାର ରିଲିଫ୍‌ ପ୍ୟାକେଜ୍‌ ଘୋଷଣା କରିଛନ୍ତି । ସଜଲ୍‌ କୁହନ୍ତି, “ଆମେମାନେ ଆମର ଗ୍ରାମକୁ ପୁଣି ନିର୍ମାଣ କରିବାକୁ ଚେଷ୍ଟା କରୁଛୁ । ଏହା ବହୁତ ଭଲ କଥା ଯେ କେନ୍ଦ୍ର ତରଫରୁ ପଶ୍ଚିମ ବଙ୍ଗର ଲୋକଙ୍କ ସହାୟତା ପାଇଁ ପାଣ୍ଠି ଯୋଗାଯାଉଛି । ଆମମାନଙ୍କ ପାଖକୁ ପାଣ୍ଠି କେବେ ଆସିବ, ସେଥିପାଇଁ ଆମେ ଅପେକ୍ଷା କରି ରହିଛୁ ।’’

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍‌ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Editor's note

ବେଙ୍ଗାଲୁରୁ ସ୍ଥିତ ଅଜିମ୍‌ ପ୍ରେମ୍‌ଜି ବିଶ୍ୱବିଦ୍ୟାଳୟର ଡେଭଲପ୍‌ମେଣ୍ଟ ଷ୍ଟଡିଜ୍‌ର ମାଷ୍ଟର୍ସ ଛାତ୍ରୀ ନିକିତା, ସେଠାରେ ଗ୍ରାମୀଣ ଭାରତରେ ଜୀବନ ଓ ଜୀବିକା ଉପରେ ଆଧାରିତ ପରୀର ଅଧିବେଶନରେ ଯୋଗ ଦେଇଥିଲେ । ତାଲାବନ୍ଦ ସମୟରେ କୋଲ୍‌କତାରେ ନିଜ ଘରେ ରହିଥିବାରୁ ସେ ବାତ୍ୟା ଅମ୍ଫାନ୍‌ର କୋପ ଓ କଙ୍କୁରାର ଧ୍ୱଂସଲୀଳାକୁ ପ୍ରତ୍ୟକ୍ଷ ଭାବେ ଦେଖିଛନ୍ତି । ବାତ୍ୟା ବିଷୟରେ ଲେଖିବା ବେଳେ ସେ ପ୍ରାକୃତିକ ବିପର୍ଯ୍ୟୟର ପ୍ରକ୍ଷେପ ପଥ ଓ ଏହା ପରେ ସମୁଦାୟଗୁଡିକର ଜୀବନ ଓ ଜୀବିକା କିଭଳି ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଏ ଓ ତଥାପି ଲୋକମାନେ ବଞ୍ଚିବାକୁ କିଭଳି ସଂଘର୍ଷ କରନ୍ତି, ତାହା ଦେଖିବାକୁ ସୁଯୋଗ ପାଇଛନ୍ତି ।